Unknown

 

 

 

 

 

 

 

 

କାର୍ଲ ଗ୍ୟେଲେରପ୍

ଯାତ୍ରୀ କାମନୀତ

ଅନୁବାଦ : ଚିତ୍ତରଞ୍ଜନ ଦାସ

 

 

 

 

 

 

ଆତ୍ମାର ତୀର୍ଥଯାତ୍ରାରେ ସଂସାର ଓ ସାଂସାରିକ ଜୀବନର ପ୍ରତୀକ ‘ସନ୍ୟାସୀ’କୁ ଆଦର୍ଶ ରୂପରେ ଗ୍ରହଣକରି ନୋବେଲେ ସାହିତ୍ୟ ପୁରସ୍କୃତ ‘ସିଦ୍ଧାର୍ଥ’ର ଓଡ଼ିଆନୁବାଦକ ସୁଭଦ୍ରା-ନନ୍ଦନଙ୍କୁ ଯିଏ ଅଦୃଶ୍ୟ ଓ ଦୃଶ୍ୟ ଘାତକମାନଙ୍କ ‘ବିଷ-ବଳୟ’ରୁ ‘ଅମୃତ-ବଳୟ’ ସୃଷ୍ଟି କରୁଛନ୍ତି, ସେହି ମାନସିକ ରୋଗାକ୍ରାନ୍ତ ଅନୁଜ ଶ୍ରୀମାନ୍ ଅଜିତ୍ କୁମାରଙ୍କୁ ମୁଁ ‘ଯାତ୍ରୀ କାମନୀତ’ ଗ୍ରନ୍ଥଟି ଉତ୍ସର୍ଗ କରୁଛି ।

 

୧୯୯୬

ବୁଦ୍ଧଜୟନ୍ତୀ

ଚିତ୍ତଭାଇ

Image

 

ବୃହତ୍ ଉପନ୍ୟାସ ‘ଯାତ୍ରୀ କାମନୀତ’ (୧୯୦୬)ରେ ବୁଦ୍ଧଙ୍କ ନିଜ ସମୟର ଏକ ଜୀବନଚିତ୍ର ରହିଛି ଏବଂ ସେଥିରେ ଗ୍ୟେଲେରପ୍ ଅତ୍ୟନ୍ତ କବିତ୍ୱପୂର୍ଣ୍ଣ ଭାବରେ ବୌଦ୍ଧ ମେଦିନୀଦୃଷ୍ଟିର ଅନ୍ତର୍ଗତ ଜୀବନ, ବୈରାଗ୍ୟବାସନା, ପରିପୂର୍ଣ୍ଣତା ପ୍ରାପ୍ତିର ମାର୍ଗରେ ବୌଦ୍ଧଧର୍ମର ପ୍ରୟାସ, ସ୍ୱର୍ଗରାଜ୍ୟର ସ୍ୱପ୍ନ, ନିର୍ବାଣ ତଥା ପୃଥିବୀର ବିନାଶ ବିଷୟରେ ବହୁ ପ୍ରାଞ୍ଜଳ ବର୍ଣ୍ଣନା ପ୍ରଦାନ କରିଛନ୍ତି । କାମନୀତ ଜଣେ ମନୁଷ୍ୟବ୍ୟକ୍ତି, ଯିଏକି ପାର୍ଥିବ ଆନନ୍ଦର ଅନ୍ୱେଷଣରେ ଯାତ୍ରା ଆରମ୍ଭ କରିଛି, ମାତ୍ର ପାର୍ଥିବ ସବୁକିଛିର କ୍ଷଣିକତାକୁ ଉପଲବ୍ଧି କରି ଶାଶ୍ୱତ ଐଶ୍ୱର୍ଯ୍ୟଗୁଡ଼ିକ ଆଡ଼କୁ ମନ ବଳାଇଛି । ତା’ପରେ ଆମେ ଯେ ତାକୁ କେବଳ ଏହି ପୃଥିବୀର ଯାତ୍ରାରେ ତା’ସହିତ ସାଙ୍ଗ ହୋଇ ଚାଲିଛୁ ତା’ନୁହେଁ (ଏଇଟିରେ ଭାରତୀୟ ଗ୍ରୀଷ୍ମମଣ୍ଡଳୀୟ ବର୍ଣ୍ଣାଢ଼୍ୟତା ଅତ୍ୟନ୍ତ ଚମତ୍କାର ଭାବରେ ଫୁଟିଉଠିଛି), ଆମେ ତା’ ସହିତ ତା’ର କେତେ ପୁନର୍ଜନ୍ମ ମଧ୍ୟଦେଇ ଗତି କରିଛୁ, ଶେଷରେ ସହସ୍ରଦଳଯୁକ୍ତ ବ୍ରହ୍ମମଣ୍ଡଳରେ ମଧ୍ୟ ଆସି ପ୍ରବେଶ କରିଛୁ । ଏହି ବର୍ଣ୍ଣନାଗୁଡ଼ିକରେ ଲେଖକଙ୍କର ଏକ ସ୍ୱକୀୟ ବିଶେଷତ୍ୱ ସ୍ପଷ୍ଟ ହୋଇ ଉଠିଛି ।

ସୁଇଡିଶ ଏକାଡୀମୀ

Image

 

ଓଡ଼ିଆ ସଂସ୍କରଣ ପାଇଁ ମୁଖବନ୍ଧ

 

କାର୍ଲ ଗ୍ୟେଲେରପ୍‌ଙ୍କର ଜନ୍ମ ୧୮୫୭ ଓ ମୃତ୍ୟୁ ୧୯୧୯ ଖ୍ରୀଷ୍ଟାବ୍ଦରେ ୧୮୭୮ ମସିହାରେ ସାହିତ୍ୟ-ଜଗତରେ ତାଙ୍କର ଆବିର୍ଭାବ ହୋଇଥିଲା । ସେହି ବର୍ଷ ତାଙ୍କର ପ୍ରଥମ ଉପନ୍ୟାସ ‘ଆଦର୍ଶବାଦୀ’ ପ୍ରକାଶିତ ହେଲା । ତାଙ୍କର ଦୀର୍ଘ ଚାଳିଶ ବର୍ଷର ସାହିତ୍ୟିକ ଜୀବନପ୍ରତି ଅବଲୋକନ କଲେ ମନେହୁଏ ଯେପରି ସେହି ପ୍ରଥମ ଉପନ୍ୟାସଟିର ନାମାନୁସାରେ ଉପନ୍ୟାସକାର ଗ୍ୟେଲେରପ୍‌ଙ୍କୁ ଯଥାର୍ଥ ଭାବରେ ଆଦର୍ଶବାଦୀ ବୋଲି କୁହାଯାଇ ପାରିବ । ଡେନ୍‌ମାର୍କ୍‌ର ସାହିତ୍ୟ-ଜଗତରେ ଗ୍ୟେଲେରପ୍‌ଙ୍କ ପରି ଏତେଦୂର ଆଦର୍ଶବାଦୀ ଆଉ ଦ୍ୱିତୀୟ କେହି ନାହାନ୍ତି, ଏପରି ଏକ ମତ ପ୍ରକାଶ କଲେ ତାହା କଦାପି ଭୁଲ ହେବନାହିଁ । ତେଣୁ ୧୯୧୭ ମସିହାରେ ହେନେରିକ୍‌ ପଣ୍ଟୋପିଡ଼ାନ୍‌ଙ୍କ ସହିତ ତାଙ୍କୁ ଯେ ଏକତ୍ର ନୋବେଲ୍‌ ପୁରସ୍କାର ପ୍ରଦତ୍ତ ହୋଇଥିଲା, ଏହି କଥାଟି ବୁଝିବାକୁ ମଧ୍ୟ କାହାରି ପକ୍ଷରେ କୌଣସି ଅସୁବିଧା ହେବନାହିଁ । ନୋବେଲ-ବିଧିର ପରମ୍ପରା ଅନୁସାରେ ପ୍ରଧାନତଃ ଆଦର୍ଶବାଦୀ ସାହିତ୍ୟିକମାନଙ୍କୁ ହିଁ ସାହିତ୍ୟରେ ନୋବେଲ୍‌ ପୁରସ୍କାର ପ୍ରଦତ୍ତ ହେବା କଥା । ଅବଶ୍ୟ ଏହି ପୁରସ୍କାରଲାଗି ପ୍ରାର୍ଥୀ ହେବାରେ ଗ୍ୟେଲେରପ୍‌ଙ୍କ ନାମରେ ଗୋଟିଏ ଆପତ୍ତି ମଧ୍ୟ ଉଠାଯାଇ ପାରିଥାନ୍ତା । ଆପଣାର ଭାବରାଜ୍ୟରେ ସେ ଏତେଦୂର ଅଭିଭୂତ ଓ ବିସ୍ମୃତ ହୋଇ ପଡ଼ିଚନ୍ତି ଯେ ତାଙ୍କର ଗ୍ରନ୍ଥରେ ଜାଗତିକ ମନୁଷ୍ୟର ପ୍ରବେଶ କଦାପି ସମ୍ଭବ ହୋଇପାରିନାହିଁ, ପ୍ରଧାନତଃ ତାଙ୍କର ଭାବପ୍ରତିମାଗୁଡ଼ିକ ହିଁ ତାଙ୍କର ଗ୍ରନ୍ଥରେ ପାତ୍ରପାତ୍ରୀ ହୋଇ ଅବତୀର୍ଣ୍ଣ ହୋଇଛନ୍ତି ।

 

ଗ୍ୟେଲେରପ୍‌ଙ୍କ ଜୀବନରେ ପ୍ରଥମ ଯୌବନକାଳରୁ ହିଁ ତାଙ୍କର ଆଧ୍ୟାତ୍ମିକ ଶକ୍ତି ଓ ଆଗ୍ରହର ଅତିସ୍ପଷ୍ଟ ସୂଚନା ମିଳିଥିଲା । ୧୮୭୮ରେ ସେ ତାଙ୍କର ପ୍ରଥମ ଉପନ୍ୟାସ ପ୍ରକାଶ କଲେ, ଠିକ୍‌ ସେହିବର୍ଷ ମଧ୍ୟ ସେ ଈଶ୍ୱରତତ୍ତ୍ୱ ବିଷୟରେ ଡିଗ୍ରୀ ଲାଭ କରିବାର ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା । କିନ୍ତୁ ସେତେବେଳକୁ ସେ ପ୍ରକୃତରେ ଖ୍ରୀଷ୍ଟିଆନ୍ ଧର୍ମକୁ ବର୍ଜନ କରି ସାରିଥିଲେ ଏବଂ ଆଧୁନିକ ପ୍ରକୃତିବାଦ-ବିଷୟକ ବିଭିନ୍ନ ପ୍ରଶ୍ନର ଅନୁଶୀଳନ କରିବାକୁ ଆରମ୍ଭ କରିଥିଲେ । ତା’ପରେ ପ୍ରାଚୀନ ଜର୍ମାନ୍‌ ଓ ଗ୍ରୀକ୍‌ଦର୍ଶନ ଓ ଧର୍ମର ମଧ୍ୟଦେଇ ସେ ଜର୍ମାନ୍‌ ଆଦର୍ଶବାଦରେ ପ୍ରବେଶ କରିଥିଲେ । ତାଙ୍କ ଜୀବନର ଏହି ଆବର୍ତ୍ତମାନ ଆଧ୍ୟାତ୍ମିକ ବିକାଶର ଧାରାଗୁଡ଼ିକୁ ଆମେ ତାଙ୍କର ଅବାରିତ ଲେଖନୀପ୍ରସୂତ ଉପନ୍ୟାସ, ନାଟକ ଓ କବିତାଗୁଡ଼ିକ ଭିତରେ ବେଶ୍‌ ବାରିନେଇ ପାରିବା ।

 

ଗତ ଶତାବ୍ଦୀର ଶେଷବେଳକୁ ଆର୍ଥର୍‌ ଶୋପେନ୍‌ହାଉଅର୍‌ଙ୍କ ପ୍ରଭାବରେ ପଡ଼ି ଗ୍ୟେଲେରପ୍‌ ଭାରତୀୟ ଧର୍ମ ଓ ଚିନ୍ତାଧାରାର ସଂସ୍ପର୍ଶରେ ଆସିଥିଲେ । ତା’ପରେ ଅତୀବ ଆଗ୍ରହ ଓ ଐକାନ୍ତିକତା ସହିତ ଦୀର୍ଘ ଅନେକବର୍ଷ ଯାବତ୍‌ ସେହିସବୁର ଗଭୀର ଅଧ୍ୟୟନ କଲେ । ତାଙ୍କର ଆଗ୍ରହ ସର୍ବତଃ ପ୍ରଶଂସାର ଯୋଗ୍ୟ । ତଥାପି ମନେହୁଏ, ଯେପରି ଜୀବନର ଶେଷ ପର୍ଯ୍ୟାୟରେ ଗ୍ୟେଲେରପ୍‌ ଯୌବନାବସ୍ଥାରେ ବର୍ଜନ କରି ଯାଇଥିବା ଖ୍ରୀଷ୍ଟିଆନ୍‌ ଧର୍ମପଥର ଅଧିକ ନିକଟବର୍ତ୍ତୀ ହୋଇ ଆସିଥିଲେ ।

 

‘ଯାତ୍ରୀ କାମନୀତ’ ଉପନ୍ୟାସରୁ ହିଁ ତାଙ୍କର ଲେଖକ ଜୀବନର ‘ଭାରତୀୟ ପର୍ବ’ର ଶୁଭାରମ୍ଭ ହୋଇଥିଲା । ଏହା ୧୯୦୬ ମସିହାର ଘଟଣା । ଅନେକ ଦୃଷ୍ଟିରୁ ବିଚାର କଲେ ଲେଖକଙ୍କର ଆପଣା ଦେଶବାସୀମାନଙ୍କ ଅପେକ୍ଷା ଭାରତୀୟ ପାଠକ ସମାଜରେ ହୁଏତ ଏହି ଉପନ୍ୟାସଟି ଅଧିକ ବୋଧଗମ୍ୟ ହୋଇପାରିବ । କାରଣ ପ୍ରେମକାହାଣୀ କହିଲେ ଇଉରୋପୀୟ ଶବ୍ଦାର୍ଥରେ ସାଧାରଣତଃ ଯାହା ବୁଝାଇଥାଏ, ‘ଯାତ୍ରୀ କାମନୀତ’ ଆଦୌ ସେପରି ଏକ ପ୍ରେମ କାହାଣୀ ନୁହେଁ । ଅବଶ୍ୟ କାହାଣୀଟିର ସ୍ଥୂଳ ଘଟଣାପ୍ରବାହଟି ବୁଝିବାକୁ କଦାପି କାହାରି କୌଣସି ଅସୁବିଧା ହେବନାହିଁ । ଶ୍ରେଷ୍ଠପୁତ୍ର କାମନୀତ ତା’ର ପ୍ରିୟତମା ପ୍ରଣୟିନୀ ବଶିଷ୍ଠୀକୁ ହରାଇବସିଲା-। କାରଣ ସେ ଆଉ ଇହଜୀବନରେ ନାହିଁ ବୋଲି ବିଶ୍ୱାସ କରି ବଶିଷ୍ଠୀ ମନ୍ତୀପୁତ୍ର ଶତଗୀରର ପ୍ରଣୟ-ଆବେଦନ ପାଖରେ ବଶ୍ୟତା ସ୍ୱୀକାର କଲା । ବଶିଷ୍ଠୀକୁ ଭୁଲିଯିବାପାଇଁ କାମନୀତ ଆପଣାକୁ ନାନା କାର୍ଯ୍ୟରେ ବ୍ୟସ୍ତ ରଖିଲା, ଦୁଇଥର ଦାରପରିଗ୍ରହ କଲା–ଏପରି କରିବା ଯେକୌଣସି ମନୁଷ୍ୟ ପକ୍ଷରେ ଅତ୍ୟନ୍ତ ସ୍ୱାଭାବିକ । କିନ୍ତୁ ଶେଷରେ ସଂସାର ତ୍ୟାଗ କରି ସେ ତୀର୍ଥଯାତ୍ରୀ ହୋଇ ବୁଦ୍ଧଙ୍କର ଅନ୍ୱେଷଣରେ ବାହାରିଗଲା, ତଥାଗତଙ୍କର ପରିଚୟ ପାଇବା ଆଗରୁ ସେ ତାଙ୍କରି ଆଗରେ ଆପଣାର ସକଳ ଜୀବନବୃତ୍ତାନ୍ତ ବର୍ଣ୍ଣନା କରିବାର ଅବସର ପାଇଥିଲା ।

 

ପ୍ରଥମେ କାମନୀତ ଓ ତା’ପରେ ବଶିଷ୍ଠୀର ମୃତ୍ୟୁ ହେବାପରେ ଯେକୌଣସି ଇଉରୋପୀୟ ପାଠକକୁ ଉପନ୍ୟାସଟି ଭାରି ଅବୋଧ୍ୟ ମନେହେବ । ମୃତ୍ୟୁପରେ ସେ ଦୁହେଁ ଯାଇ ଅମରାବତୀର ପଶ୍ଚିମ ଭାଗରେ ପୁଣି ସମ୍ମିଳିତ ହେଲେ । ସେଇଠାରୁ ସେମାନଙ୍କର ଅମୃତଧାମ-ଯାତ୍ରା ଆରମ୍ଭ ହେଲା । ପ୍ରଥମେ ସେମାନେ ସହସ୍ରାର ବ୍ରହ୍ମାଙ୍କର ରାଜ୍ୟକୁ ଗଲେ, ତା’ପରେ ଅୟୁତ ଅୟୁତ ବର୍ଷ ପରେ ନିର୍ବାଣ ପାଇଲେ । ଏହି ଶୂନ୍ୟାବସ୍ଥାରେ ପହଞ୍ଚି ସେମାନଙ୍କର ସକଳ ଦୁଃଖର ଅପସାନ ହେଲା, ସେମାନେ ଶାଶ୍ୱତ ବିଶ୍ରାମ ଓ ଶାନ୍ତିମୟତା ଲାଭ କଲେ । ବିଶ୍ୱାତ୍ମା ସହିତ ଏକାତ୍ମ ହୋଇ ପାରିବାରେ ହିଁ ସୁଖ ନିହିତ ରହିଚି । ଚିରଦିନ ଲାଗି ଇହଜୀବନରେ ବଞ୍ଚି ରହିବାର ହାସ୍ୟାସ୍ପଦ ଓ ଅଳୀକ ତୃଷ୍ଣାରୁ ହିଁ ଦୁଃଖର ଉଦ୍‌ଭବ ହୁଏ । ଏହି ଉପନ୍ୟାସଟିରେ କାର୍ଲ୍‌ ଗ୍ୟେଲେରପ୍‌ ଜୀବନବାସନାଠାରୁ ମୋକ୍ଷବାସନାକୁ ଶ୍ରେୟସ୍କର ବୋଲି ଦେଖାଇବାର ପ୍ରୟାସ କରିଚନ୍ତି । ତ୍ୟାଗ ଓ ସନ୍ନ୍ୟାସ ହେଉଚି ଇହଜୀବନର ସର୍ବାନ୍ତିମ ଧେୟ । ନିତ୍‌ସେ ତାଙ୍କର ମଧ୍ୟଦେଇ ବିଶ୍ୱଜୟୀ ଅତିମାନବର ଚିତ୍ରଣ କରିଚନ୍ତି । ଏହାରି ସମକ୍ଷରେ ଗ୍ୟେଲେରପ୍‌ ସଂସାରତ୍ୟାଗୀ ସନ୍ନ୍ୟାସୀର ଚରିତ୍ରକୁ ଉପସ୍ଥାପିତ କରିବାକୁ ଚେଷ୍ଟା କରିଚନ୍ତି, ସଂସାର ଓ ସାଂସାରିକ ଜୀବନକୁ ବଶ କରିଥିବା ସନ୍ନ୍ୟାସୀକୁ ହିଁ ସେ ମହରମ ଜୀବନର ପ୍ରତୀକ ବୋଲି ଦେଖାଇବାକୁ ଚେଷ୍ଟା କରିଚନ୍ତି ।

ଡେନ୍‌ମାର୍କ, ୧୮-୪-୫୯

–କାର୍ଲ ବ୍ୟାର୍ନ୍‌ହଫ୍‌

Image

 

FOREWORD *

 

Karl Gjellerup was born in 1857 and died 1919. He made his debut in 1878 with a novel the title of which, 40 years later by the termination of his authorship, provide to be characteristic for the personality of its author. The book was called “An Idealistic”. It would not be wrong to say that in Danish literature we don’t find a more idealistic writer than Gjellerup and in a way it was only natural that he–together with Henrik Pontoppidan–was awarded the Noble Prize in 1917. According to the conditions this prize in literature is principally to be awarded idealistic authors. One objection might have been raised against Gjellerup’s candidature, namely that he was so preoccupied with his ideals that he lets these and not the human beings play the main part in his books. Right from the early years of youth his spiritual energy and activity was exceptionally great. When, in the year of his debut 1878, he passed his examination for a degree in divinity, he had infact departed from Christianity grappling with the problems of modern naturalism. Later he was carried on via Germanic and Greek philosophy and religion to a German idealism. This winding spiritual development can be watched closely in the novels, plays and poems which streamed incessantly from his pen.
 

During the period around the turn of the century he was–under the influence of Arthur Schopenhauser–put in contact with Indian religion and thinking, which he was to study for the following dozen years with an intensity and a profundity which has compelled admiration. However, karl Gjellerup seems during the last years of his life to have approached again the Christianity which he denied in his early youth.

 

“The Pilrgrim Kamanita” dates from his “Indian period” and was first published in 1906. It is a novel which will probably in many ways be more intelligible to Indian readers that to the authors compatriots, for it is not an ordinary love-story in the European sense of this word. Of course, everybody will understand that the merchant’s son Kamanita loses his beloved Vasitthi because she believes he is dead and therefore succumbs to the courtship of the minister’s son Satagira. It is only human that Kamanita–after having tried to forget vasitthi through hard work and through marrying which he did twice at that–finally gives up and sets out as a pilgrim to seek Buddha whom he tells the story of his life, but without recognizing the Perfect One.

 

The difficulties for the European reader start when first Kamanita and later Vasitthi dies and they are united in “The Western Paradise”. From now on we follow them on their journey towards infinity, first to “the hundred thousand fold Brahma’s realm, “End of Suffering. Place of Rest, Country of Peace”. Happiness is becoming one with the world-soul. Suffering arises from man’s ridiculous desire to live eternally.

 

In this novel Karl Gjellerup sets up the claim for self-deliverance against the claim for self-assertion. Renunciation is the final goal of existence. Against the world conqueror, the ideal of superman which is due to Nietzche, he sets up the ascetic, the one who masters the world.

 

Denmark, April 18th, 1959

Karl Bjarhnhof

 

* Specially written for this Oriya language edition.

Image

 

ଆତ୍ମନେପଦୀ

 

ପ୍ରେଷ୍ଟ୍ୟେୁ ବୁଗ୍‌ଟ ନିକଟବର୍ତ୍ତୀ ରୋହୋଲ୍‌ଟ୍‌ ପାଦ୍ରିଗୃହରେ ୧୮୫୭ ଜୁନ୍‌ ଦୁଇ ତାରିଖରେ ମୋ’ର ଜନ୍ମ ହୋଇଥିଲା । ପାଦ୍ରି କାର୍ଲ ଆଡ଼ଲ୍‌ଫ୍‌ ଗ୍ୟେଲେରପ୍‌ ହେଉଛନ୍ତି ମୋ’ର ବାପା ଏବଂ ଆନ୍ନା (ଜନ୍ମ-ପରିବାର ଫିବିଗ’) ମୋ’ର ମାଆ । ୧୮୬୦ ମସିହାରେ ଇଲାଣ୍ଡ ଦ୍ୱୀପର ଲାନେଟ୍‌ ପାଦ୍ରିଗୃହଠାରେ (ସେଠାକାର ବହୁତ କିଛି କଥା ମୋ’ର ଏବେ ମଧ୍ୟ ମନେ ରହିଛି) ବାପାଙ୍କର ମୃତ୍ୟୁ ହୋଇଯିବା ପରେ ମୋ’ ମାଆଙ୍କ ବଂଶର ଜଣେ ଆତ୍ମୀୟ ପାଦ୍ରି ୟୋହାନେସ୍ ଫିବିଗ’ଙ୍କ ପାଖରେ ରହିବାକୁ ଆସିଲି । ସିଏ ସେତେବେଳେ କୋପେନ୍‌ହେଗେନ୍‌ର ଗାର୍ନିସନ୍‌ସ୍‌ ଗିର୍ଜାରେ ଉଚ୍ଚତର ପାଦ୍ରି ଥିଲେ ଓ ଏକାଧିକ ପୁସ୍ତକ ରଚନା କରିଥିଲେ । ସେତେବେଳେ ମୁଁ ସେଠାରେ ଈଶ୍ୱର ବିଜ୍ଞାନ ଅଧ୍ୟୟନ କରୁଥିଲି ଏବଂ ଗ୍ରାମାଞ୍ଚଳରେ ଅଧିକ ସମୟ ଅତିବାହିତ କରୁଥିଲି । ମୋ’ ଭାବନାରେ ତାହାରି ପ୍ରଭାବ ପଡ଼ିଛି ଓ ମୋ’ର ସମସ୍ତ ଉପନ୍ୟାସ ନିମନ୍ତେ ମାର୍ଗଟିଏ ତିଆରି କରିଦେଇଛି । ୧୮୭୮ ଜୁନ୍‌ ମାସରେ ମୋ’ର ଅଧ୍ୟୟନ ଶେଷ ହେଲା, ତା’ପରେ ମୋ’ର ଉପନ୍ୟାସ ‘‘ଜଣେ ଆଦର୍ଶବାଦୀ’’ର ଲେଖା ଆରମ୍ଭ ହୋଇଥିଲା । ତାହା ପ୍ରକାଶିତ ହେବା ପରେ ମୁଁ କ୍ରମେ ହ୍ୟୁଫ୍‌ଡିଙ୍ଗ୍‌, ଡ୍ରାକ୍‌ମାନ୍‌, ଶାଣ୍ଡର୍ଫ୍‌, ବୋର୍‌ସେନିଭସ୍‌, ବ୍ରାନେସ୍‌ ଭ୍ରାତାଦ୍ୱୟ, ୟାକବ୍‌ସନ୍‌ ଏବଂ ଆହୁରି ଅନେକ ଲେଖକଙ୍କର ସମ୍ପର୍କରେ ଆସିଥିଲି । ତା’ପରେ ମୋ’ର ବହିପରେ ବହି ପ୍ରକାଶ ପାଇଲା । କିଞ୍ଚିତ୍‌ ବିଜ୍ଞାନ ଦିଗକୁ ମଧ୍ୟ ଆଗ୍ରହ ଢଳି ଯାଇଥିଲା । ୧୮୮୧ରେ ବିବିର୍ତ୍ତନବାଦୀ ଦୃଷ୍ଟିକୋଣରୁ ଲିଖିତ ମୋ’ର ‘‘ଆନୁବଂଶିକତା ଏବଂ ନୈତିକତା’’ ଗ୍ରନ୍ଥଟି ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣପଦକ ଲାଭ କରିଥିଲା । ସେହି ଅବଧି ଭିତରେ ଗୋଟିଏ ଉପନ୍ୟାସ, ଗୋଟିଏ କବିତା ସଂଗ୍ରହ ଏବଂ ଡାର୍‌ଉଇନ୍‌ଙ୍କ ସମ୍ବନ୍ଧରେ ଏକ ଆଲୋଚନା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା । କିଛି ଅର୍ଥ ହାତକୁ ଆସିବାରୁ ୧୮୮୩ରେ ମୁଁ ବେଶ୍‌ ଏକ ଦୀର୍ଘକାଳ ନିମନ୍ତେ ଅନ୍ୟାନ୍ୟ ଦେଶକୁ ଭ୍ରମଣରେ ଚାଲିଯାଇଥିଲି । ରୋମ୍‌ରେ ତିନିମାସ ରହିଲି, ତା’ପରେ ସୁଇଜରଲାଣ୍ଡ ହୋଇ ଗ୍ରୀସ୍‌, ରୁଷିଆ ପରେ ସୁଇଡ଼େନ୍‌ବାଟେ ଘରକୁ ଫେରି ଆସିଥିଲି । ସେତିକିବେଳେ ମୋ’ର ଆଉ ଦୁଇଟି ଉପନ୍ୟାସ ମଧ୍ୟ ବାହାରିଲା । ତା’ପରେ ମୋ’ର ଭ୍ରମଣକଗୁଡ଼ିକୁ ସାମଗ୍ରୀ କରି ଦୁଇଟି ବହି ପ୍ରକାଶ ପାଇଥିଲା । ୧୮୮୫ ଗ୍ରୀଷ୍ମକାଳଠାରୁ ୧୮୮୭ ଶରତକାଳ ପର୍ଯ୍ୟନ୍ତ ମୁଁ ଜର୍ମାନୀର ଡ୍ରେସ୍‍ଡ଼େନ୍‍ ସହରରେ ଯାଇ ରହିଲି । ୧୮୮୭ ଅକ୍ଟୋବର ମାସରେ ଇଉଜେନିଆ ବେନିକ୍‌ସଙ୍କ ସହିତ ମୋ’ର ବିବାହ ହେଲା ଏବଂ ତା’ପରେ କୋପେନ୍‌ହେଗେନ୍‌ର ଉପକଣ୍ଠରେ ଥିବା ହେଲେରପ୍‌ଠାରେ ମୁଁ ସ୍ଥାୟୀ ଭାବରେ ଆସି ରହିଥିଲି । ସେହି ଅବସ୍ଥାନ ସମୟରେ ମୋ’ର ଆଉ କେତୋଟି ଉପନ୍ୟାସ, କବିତାପୁସ୍ତକ ଏବଂ ନାଟକ ମଧ୍ୟ ପ୍ରକାଶ ପାଇଥିଲା । ଗୋଟିଏ ପ୍ରବନ୍ଧ ମଧ୍ୟ ଲେଖିଥିଲି ଏବଂ ଏକ ଅନୁବାଦ ବି ପ୍ରସ୍ତୁତ କରିଥିଲି । ତା’ପରେ ପଦ୍ୟରୁ ବିଦାୟ ନେଲି ଏବଂ ମୋ’ର କେତେକ ଉପନ୍ୟାସ ଜର୍ମାନ୍‌ ଭାଷାକୁ ଅନୂଦିତ ହୋଇ ମଧ୍ୟ ବାହାରିଥିଲା । କ୍ରମେ ଜର୍ମାନ୍‌ ଭାଷାର ମାଧ୍ୟମରେ ମୁଁ ଗ୍ରନ୍ଥ ରଚନା କଲି । ସେହି ପର୍ଯ୍ୟାୟରେ ମୋ‘ର କେତୋଟି ଉପନ୍ୟାସ ଏବଂ ନାଟକ ପ୍ରକାଶିତ ହେଲା ଏବଂ ଏଗୁଡ଼ିକ ସେହି ଜର୍ମାନୀ ଦେଶରେ ହିଁ ବିଶେଷ ଭାବରେ ମୂଲ୍ୟ ସ୍ୱୀକୃତି ଲାଭ କରିଥିଲା ।

 

ଚାଳିଶ ବର୍ଷ ତଳେ ଜର୍ମାନ୍‌ ଆଦର୍ଶବାଦ ଦ୍ୱାରା ପ୍ରଭାବିତ ହୋଇ ମୋ’ର ପ୍ରଥମ ପୁସ୍ତକ ରଚିତ ହୋଇଥିଲା ଏବଂ ତାହାର ତିନିବର୍ଷ ପରେ ମୁଁ ଇଂଲଣ୍ଡର ପ୍ରକୃତିବାଦ ଭିତରେ ଆସି ଛିଡ଼ା ହେଲି ଏବଂ ତା’ପରେ ଆଉ ଯେଉଁଠାକୁ ଫେରି ଆସିଲି, ତାହାହିଁ ବର୍ତ୍ତମାନ ମୋ’ର ପ୍ରକୃତ ଭୂମି ହୋଇ ରହିଛି । କାରଣ, ‘‘ଜଣେ ଆଦର୍ଶବାଦୀ’’ ବହିଟିକୁ ଲେଖିଲା ବେଳର ହେଗେଲ୍‌ ବର୍ତ୍ତମାନ ମୋ’ର ପଥନିର୍ଦ୍ଦେଶକ ହୋଇ ନାହାନ୍ତି, ମାତ୍ର କାଣ୍ଟ୍‌ ଓ ଶୋପେନ୍‌ହାଉଆର୍‌ ହିଁ ମୋ’ ସମ୍ମୁଖର ତାରା ହୋଇ ରହିଛନ୍ତି । *

 

*

କାର୍ଲ୍‌ ଗ୍ୟେଲେରପ୍‌ ୧୯୧୯ ମସିହା ଅକ୍ଟୋବର ୧୩ ତାରିଖରେ ପୃଥିବୀରୁ ବିଦାୟ ନେଇଥିଲେ-

Image

 

କାୟାକଳ୍ପ

 

କେବଳ ଯାତ୍ରୀ କାମନୀତଙ୍କ ସହିତ ବୁଦ୍ଧଙ୍କର ସାକ୍ଷାତ (ମଜ୍‌ଝିମ୍‌ ନିକାୟ-୧୪୦, ଯେଉଁଠି କାମନୀତ ବୁଦ୍ଧଙ୍କର ଉପଦେଶକୁ ବୁଝିଚନ୍ତି ଓ ତାଙ୍କୁ ଚିହ୍ନିପାରିଚନ୍ତି) ଅଙ୍ଗୁଳିମାଳାର ଦୀକ୍ଷାଗ୍ରହଣ (ଏହାର ମର୍ମ ମଜ୍‌ଝିମ ନିକାୟ-୮୬ରୁ ନିଆଯାଇଚି, ଅବଶ୍ୟ ଏଥିରେ ମୁଁ କେତେକ ପରିବର୍ତ୍ତନ କରିଦେଇଚି)କୁ ଛାଡ଼ିଦେଲେ ପ୍ରତ୍ୟେକ ଘଟଣା ହେଉଚି ମୋର କପୋଳକଳ୍ପିତ । ଏହି କଥାଟି ମୁଁ ପାଠକମାନଙ୍କୁ ପ୍ରଥମେ କହିରଖୁଚି, କାରଣ ଏହି ପୁସ୍ତକଟିର ପାଣ୍ଡୁଲିପି ପାଠ କରିଥିବା ଅନେକେ ବିଶ୍ୱାସ କରିଛନ୍ତି ଯେ ମୁଁ ପୁସ୍ତକଟିରେ କେବଳ ଏକ ଭାରତୀୟ ଇତିହାସ-କଥାର ବର୍ଣ୍ଣନା କରିଚି । କନ୍ଦୁକକ୍ରୀଡ଼ାର ବର୍ଣ୍ଣନାଟି ମୁଁ ଅବଶ୍ୟ ଦଣ୍ଡୀଙ୍କର କଥାସଂଗ୍ରହ ଦଶକୁମାର ଚରିତରୁ ସଂଗ୍ରହ କରିଆଣିଚି । ଅବଶ୍ୟ ଗ୍ରନ୍ଥଟିର ପରିବେଶଟିକୁ ତତ୍‌କାଳୀନ ଓ ଅନୁରୂପ ଭାବରେ ଦେଖାଇବା ଉଦ୍ଦେଶ୍ୟରେ ମୁଁ ଭାରତୀୟ ସଂସ୍କୃତି ବିଷୟକ ନାନା ପୁରାତନ ଓ ଆଧୁନିକ ଗ୍ରନ୍ଥର ସାହାଯ୍ୟ ନେଇଚି । ଏହି ଦୃଷ୍ଟିରୁ ମୁଁ ବିଶେଷକରି R.Schmidt ଙ୍କର Beitraege zur indischen Erotik (ଭାରତୀୟ କାମ କଳାର ବିଚାର) ପୁସ୍ତକର ନାମ ଅବଶ୍ୟ ଉଲ୍ଲେଖ କରିବି ।

 

ବୁଦ୍ଧଙ୍କର ଉକ୍ତିଗୁଡ଼ିକୁ, ଠିକ୍‌ ଯେଉଁପରି ଶୈଳୀରେ ଆମେ ଏସବୁକୁ ସାଧାରଣତଃ ଦେଖିବାକୁ ପାଇଥାଉ, ମୁଁ ପ୍ରଧାନତଃ Karl Eugen Neumannଙ୍କର ବିରାଟ ଅନୁବାଦ ଗ୍ରନ୍ଥ Die Reden Buddhos (ବୁଦ୍ଧ ପ୍ରବଚନ)ରୁ ଉଦ୍ଧାର କରିଆଣିଚି ।

 

ପୁସ୍ତକଟିର ଦଶମ ଅଧ୍ୟାୟରେ ଯେଉଁ ପ୍ରସଙ୍ଗଟିର ଚର୍ଚ୍ଚା କରାଯାଇଚି, ତାହା ଯେ ବୁଦ୍ଧ ପ୍ରଚାରିତ ଧର୍ମର ସମ୍ପୂର୍ଣ୍ଣ ବିରୋଧାତ୍ମକ, ମୁଁ ସେକଥା ସ୍ୱୀକାର କରୁଚି । ଭାରତୀୟ ବ୍ୟାଖ୍ୟା ଅନୁସାରେ ଅତିମାନବ ସମ୍ବନ୍ଧରେ କୁହାଯାଇଥିବା ଏହି ନୀତିଗୁଡ଼ିକୁ ମୁଁ ବୈଦାନ୍ତିକ ଗ୍ରନ୍ଥ ବ୍ରହ୍ମସୂତ୍ରରୁ ଅବିକଳ ନକଲ କରି ଥୋଇଦେଇଚି । ବ୍ରହ୍ମସୂତ୍ରରେ କେବଳ ସଂକ୍ଷିପ୍ତ ସୂତ୍ରମାନ ବତାଇ ଦିଆଯାଇଛି, ଭାଷ୍ୟର ବିନା ସାହାଯ୍ୟରେ ଯେପରି କେହି ଏସବୁର କୌଣସି ଅର୍ଥ ବୁଝିବାକୁ ସମର୍ଥ ହୋଇ ପାରିବେନାହିଁ, ଏହି ଉଦ୍ଦେଶ୍ୟରେ କେବଳ ଯଥାସମ୍ଭବ ଅଳ୍ପସଂଖ୍ୟକ ଅତ୍ୟାବଶ୍ୟକ ଶବ୍ଦ ପ୍ରୟୋଗ କରି ସୂତ୍ରାକାରରେ ଏହାର ରଚନା କରାଯାଇଚି । ବାଜଶ୍ରବାଙ୍କର ନୀତିବାକ୍ୟ ଓ କାଳୀସୂତ୍ରମାନ ମଧ୍ୟ ମୋର ସ୍ୱରଚିତ; କିନ୍ତୁ ପୁରାତନ ଭାରତୀୟ ଚିନ୍ତା ସହିତ ପରିଚିତ ଥିବା ଯେକୌଣସି ବ୍ୟକ୍ତି ଏହା ଅବଶ୍ୟ ସ୍ୱୀକାର କରିବେ ଯେ ଏସବୁ ସୂତ୍ରକୁ ଭାରତୀୟ ଭୂମିର ସମ୍ଭାବନାର ବହିର୍ଗତ ବୋଲି କଦାପି କୁହାଯାଇ ପାରିବନାହିଁ ।

 

ଅନେକ ସ୍ଥାନରେ ମୁଁ ଟିକିଏ ଅଯଥାର୍ଥ ହୋଇପଡ଼ିଚି ବା ସତ୍ୟରୁ ଦୂରକୁ ଚାଲିଯାଇଚି ବୋଲି ଭାରତୀୟ-ବିଦ୍ୟାରେ ପାଣ୍ଡିତ୍ୟ ଅର୍ଜନ କରିଥିବା କୌଣସି ବ୍ୟକ୍ତି ମୋତେ ସୂଚାଇଦେବାକୁ ଆଗ୍ରହୀ ହେବେ, ତାଙ୍କୁ ମଁ ପ୍ରଥମେ ଗୋଟିଏ ବିଷୟ ବିଚାର କରିବାକୁ ଅନୁରୋଧ କରିବି । ‘‘ଯାତ୍ରା କାମନୀତ’’ ପୁସ୍ତକର ପ୍ରଣେତା ଯେ ପୁସ୍ତକଟି ରଚନା କରିବା ସମୟରେ କେତେଦୂର ସ୍ୱତନ୍ତ୍ରତାର ସୁଯୋଗ ନେଇଚି ଓ କାହିଁକି ତାହା ନେଇଚି, ସେ ବିଷୟରେ ଅତି ଉତ୍ତମରୂପେ ସଚେତ ରହିଚି । ‘ସ୍ୱର୍ଗଲୋକର ପଶ୍ଚିମଭାଗ’ ପରିବର୍ତ୍ତେ ମୁଁ ‘ତେତ୍ରିଶକୋଟି ଦେବତାଙ୍କର ନିବାସସ୍ଥାନ ସ୍ୱର୍ଗ’କୁ ମଧ୍ୟ ମୁଁ ମୋର ଘଟଣାର ମଞ୍ଚରୂପେ ବ୍ୟବହାର କରି ପାରନ୍ତି ଏବଂ ବାସକରୁଥିବା ଅମିତାଭଙ୍କୁ କୌଣସି ପ୍ରକାରେ କାହାଣୀକୁ ଆଣିବାର କୌଣସି ଆବଶ୍ୟକତା ନଥିବାସ୍ଥଳେ ମୁଁ ତେତ୍ରିଶକୋଟି ଦେବତାଙ୍କର ସ୍ଥାନରେ କାହାକୁ ଆଣି ବସାଇଥାନ୍ତି ? ସେହିପରି ବୁଦ୍ଧଙ୍କର ସମୟକୁ ମହାଭାରତର ରଚନା ହୋଇସାରିଥିଲା ବା ହୋଇନଥିଲା ଏବଂ ଯଦି ଥିଲା ତେବେ କି ଆକାରରେ ଥିଲା, ଏହି ପ୍ରଶ୍ନର ମୀମାଂସା କରିବା ମଧ୍ୟ ଜଣେ ସାହିତ୍ୟିକ ହିସାବରେ ମୋର ଆଦୌ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ ହେଲା ନାହିଁ । କୁଶୀନାରାଠାରୁ ହିମାଳୟର ତୁଷାରରେଖା ପ୍ରକୃତରେ ଦୃଷ୍ଟିଗୋଚର ହୁଏ କି ନାହିଁ, ସେକଥା ମଧ୍ୟ ମୁଁ ଆଦୌ ଜାଣିନାହିଁ । ଏହି ବିଷୟରେ ମୋର ନିଜର ମଧ୍ୟ ଖୁବ୍‌ ସନ୍ଦେହ ରହିଚି । ଅବଶ୍ୟ ଗୌରୀଶଙ୍କର ଶୃଙ୍ଗ ବହୁଦୂରରୁ ଦୃଷ୍ଟିଗୋଚର ହୁଏ ବୋଲି କେତେକ କହିଚନ୍ତି । କିନ୍ତୁ ଏହି କଥାଟି ସତ ହେଉ ବା ନହେଉ, ମୁଁ ଏତିକ ଅବଶ୍ୟ କହିବି ଯେ ଭୌଗୋଳିକ ଜ୍ଞାନର ସୀମା ଅତିକ୍ରମ କରିଯିବାକୁ କବିକଳ୍ପନା ଆଦୌ ଏକ ଅପରାଧ ବୋଲି ମନେ କରେନାହିଁ ।

 

କିନ୍ତୁ ମୋର କଳାତ୍ମକ ଉଦ୍ଦେଶ୍ୟସିଦ୍ଧିର ଦୃଷ୍ଟିରୁ ମୂଳ ବୌଦ୍ଧଧର୍ମର ଗଠନ ଶରୀରରେ କେଉଁଠି ଟିକିଏହେଲେ ଗାର ମାରିଦେବାକୁ ମଧ୍ୟ ମୁଁ କୌଣସି ଉଦ୍ୟମ କରିନାହିଁ । ଜୀବନ ଓ ଜଗତ ବିଷୟରେ ବୌଦ୍ଧଧର୍ମର ସ୍ୱକୀୟ ଦୃଷ୍ଟିଭୂମିରୁ ଯେଉଁ ଚିତ୍ରଟି ଏହି ପୁସ୍ତକରେ କରିବେଶିତ ହୋଇଚି, ସେହି ଚିତ୍ରକୁ ମୁଁ ଅବଶ୍ୟ ନିର୍ଭରଯୋଗ୍ୟ ଓ ଯଥାର୍ଥ ବୋଲି କହିବି, କାରଣ କେତୋଟି ବୈଜ୍ଞାନିକ ଗବେଷଣାମୂଳକ ଗ୍ରନ୍ଥରୁ ମୁଁ ଚିତ୍ରଟିକୁ ଆହରଣ କରିଚି । ଆପଣାର ଧର୍ମପଦ ଅନୁବାଦର ଏକ ଟିପ୍‌ପଣୀ ଲେଖିବାକୁ ଯାଇ ଡାକ୍ତର କାର୍ଲ୍‌ ନୟ୍‌ମାନ୍‌, କହିଛନ୍ତି ‘‘ବୁଦ୍ଧ ପ୍ରକୃତରେ କିଏ ଥିଲେ ଏବଂ ସେ ଜଗତକୁ କ’ଣ ସବୁ ଶିକ୍ଷା ଦେଇଥିଲେ, ଗତ କେତେ ଦଶକର ବା କେତେ ବର୍ଷର ଗବେଷଣା ଫଳରେ ବର୍ତ୍ତମାନ ଆଉ ସେହି ବିଷୟରେ କୌଣସି ସଂଶୟ ବା କୌଣସି ଅସ୍ପଷ୍ଟତା ନାହିଁ । ମାତ୍ର ବୌଦ୍ଧଧର୍ମର କାବ୍ୟଭଣ୍ଡାର ଏବଂ ଏହାର ଗଭୀରତମ ମର୍ମ ଆମଆଗରେ ତଥାପି ଜଉମୁଦ ଦିଆହୋଇ ରହିଥିବା ଏକ ଅପଠିତ ଗ୍ରନ୍ଥପରି ରହିଚି । ଯେତିକି ଯେତିକି ଆମେ ଏହି ଧର୍ମର ହୃଦୟରେ ପ୍ରବେଶ କରିବାକୁ ସମର୍ଥ ହେଉଥିବା, ଏହି ଜଉମୁଦ ସେତିକି ସେତିକି ଖୋଲିଯାଉଥିବ । ପଣ୍ଡିତମାନଙ୍କର ଅନୁସନ୍ଧାନ- କାର୍ଯ୍ୟ ଶେଷ ହେବାପରେ ବର୍ତ୍ତମାନ କାବ୍ୟାନୁରାଗୀ କବି ତାହାର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଚି । ତା’ପାଇଁ ପ୍ରାଚୀନ ପାଲିଗ୍ରନ୍ଥମାନ ଅପେକ୍ଷା କରି ରହିଚନ୍ତି । ଏହି ଗ୍ରନ୍ଥଗୁଡ଼ିକ ଭିତରେ ପ୍ରବେଶ କରିବା ପରେ ଯାଇ ବୁଦ୍ଧପ୍ରଚାରିତ ଧର୍ମ ଆମଲାଗି ଜୀବନ୍ତ ହୋଇ ଜାଗି ଉଠି ପାରିବ ।’’ ବିଗତ ତେରବର୍ଷ ପୂର୍ବ ମୋର ଏହିସୁପଣ୍ଡିତ ବନ୍ଧୁ ଯେଉଁ ଆକାଂକ୍ଷା ପୋଷଣ କରିଥିଲେ, ପ୍ରସ୍ତୁତ ପୁସ୍ତକରେ କିଞ୍ଚିତ୍‌ ପରିମାଣରେ ତାଙ୍କର ସେହି ଆକାଂକ୍ଷାର ପୂରଣ ହୋଇଚି ବୋଲି ହୁଏତ ସେ ଅନୁଭବ କରିବେ, ମୋ’ ମନରେ ଏତିକି ଆଶା ରହିଲା ।

–କାର୍ଲ ଗ୍ୟେଲେରପ୍‌

Image

 

ସୂଚୀପତ୍ର

 

୧.

ଜିନ ତଥାଗତଙ୍କର ରାଜଗୃହ ନଗରୀରେ ପ୍ରବେଶ

୨.

ପ୍ରଥମ ଦର୍ଶନ

୩.

ଗଙ୍ଗାତଟକୁ ଯାତ୍ରା

୪.

କନ୍ଦୁକ-କ୍ରୀଡ଼ା

୫.

କୁହୁକ ଚିତ୍ରପଟ

୬.

ଅଶୋକ-ଉଦ୍ୟାନ

୭.

ଜଳନାଳୀ

୮.

ପାରିଜାତ ଫୁଲର କଢ଼

୯.

ଦସ୍ୟୁଦଳର କବଳରେ

୧୦.

ଗୁହ୍ୟ ଧର୍ମୋପଦେଶ

୧୧.

ହସ୍ତୀଶୁଣ୍ଢ

୧୨.

ବାଜଶ୍ରବାଙ୍କର ପବିତ୍ର ସମାଧି ସ୍ଥାନରେ

୧୩.

ଉଜ୍ଜୟିନୀର ଆମୋଦ

୧୪.

ଦାମ୍ପତ୍ୟଜୀବନ

୧୫.

ଲଣ୍ଡାମୁଣ୍ଡିଆ ବାବାଜୀ

୧୬.

ସଜବାଜ

୧୭.

ଗୃହତ୍ୟାଗ

୧୮.

କୁମ୍ଭାରଘରର ଅତିଥିଶାଳା

୧୯.

ଦୀକ୍ଷାଗୁରୁ

୨୦.

ଅବିବେକୀ ବାଳକ

୨୧.

ଅର୍ଦ୍ଧମାର୍ଗରେ

୨୨.

ସ୍ୱର୍ଗର ପଶ୍ଚିମ ଭାଗରେ

୨୩.

ଅମରାବତୀର ନୃତ୍ୟ

୨୪.

ପ୍ରବାଳ ବୃକ୍ଷ

୨୫.

କୁସୁମବିକାଶ

୨୬.

ବ୍ୟାଘ୍ରଚକ୍ଷୁସୂଚିତ ଶୃଙ୍ଖଳ

୨୭.

ସତ୍ୟର ପରୀକ୍ଷା

୨୮.

ଆକାଶଗଙ୍ଗାର ତଟରେ

୨୯.

ପ୍ରବାଳବୃକ୍ଷର ସୁବାସ

୩୦.

ଜନ୍ମ ହେଲେ ହିଁ…

୩୧.

ଉଦ୍ୟାନରେ ମନୁଷ୍ୟମୂର୍ତ୍ତି

୩୨.

ଶତଗୀର

୩୩.

ଅଙ୍ଗୁଳିମାଳା

୩୪.

ନରକଦର୍ଶନ

୩୫.

ସର୍ବଶ୍ରେଷ୍ଠ ଉପହାର

୩୬.

ବୁଦ୍ଧ ଓ କୃଷ୍ଣ

୩୭.

ସ୍ୱର୍ଗରୁ ବିଦାୟ

୩୮.

ସହସ୍ରାର ବ୍ରହ୍ମଲୋକରେ

୩୯.

ସୃଷ୍ଟିର ସନ୍ଧ୍ୟା

୪୦.

କୃଷ୍ଣବନରେ

୪୧.

ଅତି ସହଜ ଓ ସଂକ୍ଷିପ୍ତ ବାକ୍ୟ

୪୨.

ପୀଡ଼ିତା ଭିକ୍ଷୁଣୀ

୪୩.

ମହାପରିନିର୍ବାଣ

୪୪.

ବଶିଷ୍ଠୀ ଯେଉଁ ସମ୍ପଦ ଦେଇଗଲା

୪୫.

ସୃଷ୍ଟିର ସନ୍ଧ୍ୟା ଓ ସୃଷ୍ଟିର ପ୍ରଭାତ

Image

 

ଜିନ ତଥାଗତଙ୍କର ରାଜଗୃହ ନଗରୀରେ ପ୍ରବେଶ

 

ଏକଦା ମଗଧରାଜ୍ୟରେ ସ୍ଥାନରୁ ସ୍ଥାନାନ୍ତର ହୋଇ ଭ୍ରମଣ କରୁଥିବା ସମୟରେ ବୁଦ୍ଧଦେବ ରାଜଗୃହରେ ପହଞ୍ଚିଲେ ।

 

ସେତେବଳକୁ ଦିନାନ୍ତ ହୋଇ ଆସୁଥାଏ, ଜିନ ତଥାଗତ ରାଜଗୃହର ଉପକଣ୍ଠରେ ଆସି ପଦାର୍ପଣ କଲେ । ଧରଣୀ ଉପରେ ଆଶିଷ ବର୍ଷଣ କରୁଥିବା ଭଗବତ୍‌ ହସ୍ତର ପ୍ରତିବିମ୍ବ ପରି ଅସ୍ତରତ ସୂର୍ଯ୍ୟର କଅଁଳ କିରଣଗାରଗୁଡ଼ିକ ସବୁଜ ଧାନ୍ୟଖେତ ସୁମଣ୍ଡିତ ଦିଗନ୍ତବିସ୍ତୃତ ପ୍ରାନ୍ତର ଉପରକୁ ପ୍ରସାରିତ ହୋଇ ରହିଥାଏ । ଆକାଶରେ ଏଠିସେଠି ସ୍ୱଚ୍ଛ ସ୍ୱର୍ଣ୍ଣଧୂଳିରେ ତିଆରି ହୋଇଥିବା ଛୋଟଛୋଟ ମେଘଖଣ୍ଡମାନ ଭାସି ଚାଲିଯାଉଥାନ୍ତି । ସେହି ମେଘଗୁଡ଼ିକ କ୍ରମେ ପୃଥିବୀ ଉପରକୁ ଆନତ ହୋଇ ଆସୁଥାନ୍ତି । ଖେତର କାର୍ଯ୍ୟ ସାଙ୍ଗକରି ଆପଣାଆପଣା ବଳଦ ସହିତ ଲୋକମାନେ ଘରକୁ ବାହୁଡ଼ି ଆସୁଥାନ୍ତି, ତୋଟାଗୁଡ଼ିକର ପ୍ରଲମ୍ବିତ ଛାୟା ଉପରେ ଏକ ଇନ୍ଦ୍ରଧନୁର ସୌନ୍ଦର୍ଯ୍ୟ-ଉଦ୍‌ଭାସ ପରିବେଷ୍ଟନ କରି ରହିଥାଏ । ପୁଷ୍ପୋଦ୍ୟାନମାନଙ୍କର ପୁଷ୍ପମାଳାର ଆଭାଦ୍ୱାରା ନଗରୀର ତୋରଣ, ପ୍ରାଚୀର, ଗୃହଛାତ ଓ ମନ୍ଦିରଚୂଡ଼ାମାନ ଉଜ୍ଜ୍ୱଳ ହୋଇ ରହିଥାଏ ଏବଂ ନୀଳ, ପୀତ ଓ ଶୁଭ୍ର ନାନାରଙ୍ଗର ମଣିମୁକ୍ତାରେ ନିର୍ମିତ ହୋଇଥିଲା ପରି ଶୈଳଶ୍ରେଣୀର ଉଚ୍ଚ ଶିଖରମାନ ଏକ ଅତୁଳନୀୟ ରଙ୍ଗମଣ୍ଡନରେ ପ୍ରତିଭାତ ହୋଇ ଉଠୁଥାଏ ।

 

ଏହି ଦୃଶ୍ୟଶୋଭାରେ ଅଭିଭୂତ ହୋଇ ତଥାଗତ କ୍ଷଣକପାଇଁ ଠିଆହୋଇ ରହିଲେ । ଅତିପରିଚିତ ଏହି ଶୋଭାନୀୟ ନଗରୀକୁ ପ୍ରସନ୍ନ ମନରେ ଅଭିବାଦନ ଜଣାଉ ଜଣାଉ ତାଙ୍କର ସମ୍ମୁଖରେ କେତେ କେତେ ସ୍ମୃତି ପ୍ରତିମୂର୍ତ୍ତି ହୋଇଉଠିଲା । କିନ୍ତୁ ଉଷ୍ଣପ୍ରସ୍ରବଣପୂର୍ଣ୍ଣ ସେହି ବିଭାର ପର୍ବତ ହିଁ ତାଙ୍କର ମନକୁ ସର୍ବାପେକ୍ଷା ଅଧିକ ଅଧିକାର, କରି ବସିଲା । ସପ୍ତପର୍ଣ୍ଣୀ ବୃକ୍ଷଶୋଭିତ ଏହି ଗିରିର ବନ୍ଦର ହିଁ ଦିନେ ଗୃହହୀନକୁ ପ୍ରଥମ ଗୃହ ପ୍ରସାରିତ କରି ଦେଇଥିଲା, ସଂସାରରୁ ବାହାରି ନିର୍ବାଣରେ ଉପନୀତ ହେବାର ଦୀର୍ଘ ଯାତ୍ରାପଥରେ ପ୍ରଥମ ବିଶ୍ରାମସ୍ଥଳ ଯୋଗାଇ ଦେଇଥିଲା ।

 

ସେତେବେଳେ ତାଙ୍କର ଯୌବନାବସ୍ଥା, ମସ୍ତକର କେଶଗୁଚ୍ଛ ସେତେବେଳେ ଉଜ୍ଜ୍ୱଳ ଘନକୃଷ୍ଣ ହୋଇ ରହିଥାଏ । ପରିପକ୍ୱ ଜୀବନର ପ୍ରଥମ ପର୍ଯ୍ୟାୟରେ କ୍ରନ୍ଦନରତ ପିତାମାତାଙ୍କର ସକଳ ଅଳି ଓ ଅନୁନୟକୁ ପ୍ରତ୍ୟାଖ୍ୟାନ କରି ସେ ଶାକ୍ୟରାଜ୍ୟରେ ଅବସ୍ଥିତ ତାଙ୍କର ପିତାଙ୍କର ରାଜପ୍ରସାଦ ପରିତ୍ୟାଗ କରି ବାହାରି ଆସିଥିଲେ । ତାପରେ ଦକ୍ଷିଣାଭିମୁଖୀ ହୋଇ ସେ ଗଙ୍ଗାନଦୀର ଉପତ୍ୟକାରେ ଆସି ପହଞ୍ଚିଲେ । ସେହିଠାରେ ବିଭାର ପର୍ବତର ଗୁହାରେ କିଛି ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ତାଙ୍କର ଇଚ୍ଛା ହେଲା, କାରଣ ପ୍ରତିଦିନ ସକାଳେ ସେ ରାଜଗୃହ ନଗରୀକୁ ଭିକ୍ଷା ସଂଗ୍ରହ କରି ଯାଉଥିଲେ । ଏହି ଗୁହାରେ ଅବସ୍ଥାନ କରୁଥିବା ସମୟରେ ମଧ୍ୟ ଏକଦା ମଗଧର ରାଜା ବିମ୍ବିସାର ତାଙ୍କର ଦର୍ଶନ କରିବାକୁ ଆସିଥିଲେ । ସେ ପ୍ରଥମେ ତାଙ୍କୁ ପିତାମାତା ଓ ସଂସାର ଭିତରକୁ ଫେରିଯିବା ପାଇଁ ପ୍ରବର୍ତ୍ତାଇ ଥିଲେ; କିନ୍ତୁ ଯୁବକ ସନ୍ନ୍ୟାସୀଙ୍କର କଥା ଶୁଣିବାପରେ ସେ ସ୍ୱୟଂ ଆପଣାର ବିଚାରକୁ ବଦଳାଇ ଦେଇଥିଲେ । ଏହି ଦୀକ୍ଷା ଓ ବିଶ୍ୱାସ ସ୍ଥାପନ ଫଳରେ ପରେ ସେ ବୁଦ୍ଧଙ୍କର ଜଣେ ଅନ୍ତରଙ୍ଗ ଶିଷ୍ୟରୂପେ ପରିଗଣିତ ହୋଇଥିଲେ ।

 

ସେଦିନ ଆଉ ଆଜିଭିତରେ ଏକ ଅର୍ଦ୍ଧଶତାବ୍ଦୀ ଅତୀତ ହୋଇଗଲାଣି ଏବଂ ଏହି ପଚାଶବର୍ଷ ଭିତରେ ସେ ଯେ କେବଳ ଆପଣା ଜୀବନର ଗତିପଥକୁ ବଦଳାଇ ଦେଇଚନ୍ତି, ତା’ ନୁହେଁ, ସମସ୍ତ ସଂସାରର ଜୀବନପଥକୁ ମଧ୍ୟ ସେ ବଦଳାଇ ଦେଇଚନ୍ତି । ସେଦିନ ଆଉ ଆଜି ଭିତରେ ପ୍ରକୃତରେ କେତେ ଅନ୍ତର ? ସେଦିନ ସେ ସପ୍ତପର୍ଣ୍ଣୀ ବୃକ୍ଷଟିର ପାଖରେ ଅବସ୍ଥିତ ଗୁହାଭିତରେ ବାସ କରୁଥିଲେ । ସେଦିନ ସେ ଅନୁସନ୍ଧାନ କରି ବାହାରିଥିଲେ, ମୋକ୍ଷପ୍ରାପ୍ତି ଲାଗି ସଂଗ୍ରାମ କରୁଥିଲେ । ସେ କି ଭୀଷଣ ସଂଗ୍ରାମ, ଫଳହୀନ ଶରୀର କୃଚ୍ଛପରି ଭୀଷଣ, କେବଳ ଶୁଣିବାମାତ୍ରକେ ତାଙ୍କର ଦେହ ଆତଙ୍କରେ ରୋମାଞ୍ଚିତ ହୋଇ ଉଠୁଥିଲା । କିନ୍ତୁ ଶେଷରେ ସେ ଜୟଲାଭ କରିଥିଲେ ଏବଂ ଏହି ଯନ୍ତ୍ରଣାଦାୟକ କୃଚ୍ଛସାଧନାକୁ ବର୍ଜନ କରି ଆସିଥିଲେ । ତାଙ୍କର ଦୃଷ୍ଟି ଉନ୍ମୋଚିତ ହୋଇଯାଇଥିଲା ଓ ଆପଣା ଭିତରେ ଆପେ ନିମଗ୍ନ ରହି ସେ ଅନ୍ତର୍ଗତ ବୋଧିର ରାଜ୍ୟରେ ଉପନୀତ ହୋଇ ପାରିଥିଲେ । ତଥାଗତ ବିଜୟୀ ବୁଦ୍ଧ ଭାବରେ ସେ ସମସ୍ତ ସଂଗ୍ରାମକୁ ଉତ୍ତୀର୍ଣ୍ଣ ହୋଇଯାଇଥିଲେ ଓ ସକଳ ଜୀବଜଗତ ଲାଗି ମୁକ୍ତିର ବରଦ ସନ୍ଦେଶ ବହନ କରି ଆଣିଥିଲେ ।

 

ସେତେବେଳର ତାଙ୍କର ଜୀବନକୁ ବର୍ଷାଋତୁର ଯେକୌଣସି ଅଶାନ୍ତ ପୂର୍ବାହ୍ନ ସହିତ ତୁଳନା କରାଯାଇ ପାରିବ–ସେହି ପୂର୍ବାହ୍ନରେ କେତେବେଳେ ଖରା ପଡ଼ିଯାଏ, ପୁଣି କ୍ଷଣକପରେ କେତେବେଳେ ଚାରିଆଡ଼ ଘନ ମେଘଖଣ୍ଡରେ ଆଚ୍ଛନ୍ନ ହୋଇପଡ଼େ, ମୌସୁମୀ ବାୟୁସ୍ରୋତ ମେଘଖଣ୍ଡ ଉପରେ ମେଘଖଣ୍ଡକୁ ଆଣି ଜମା କରିବାରେ ଲାଗିଥାଏ ଏବଂ ପ୍ରଳୟକାରୀ ଝଡ଼ିବରଷାର ଅପାଗ କ୍ରମେ ଅଧିକରୁ ଅଧିକ ଆସନ୍ନ ହୋଇ ଆସୁଥାଏ । କିନ୍ତୁ ଆଜି ଚତୁର୍ଦ୍ଦିଗରେ ବିରାଜମାନ କରୁଥିବା ଏହି ଶାନ୍ତିଦାୟକ ଅପରାହ୍‌ଣର କୋମଳତାରେ ଏହା ପରିପୂର୍ଣ୍ଣ ହୋଇ ରହିଚି । ସୂର୍ଯ୍ୟର ତରଣୀ ଦିଗ୍‍ବଳୟର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଏହା ଅଧିକ ଗଭୀର ଓ ପ୍ରଶାନ୍ତ ହୋଇ ଆସୁଥିବା ପରି ପ୍ରତୀତ ହେଉଚି । ତାଙ୍କର ଜୀବନସୂର୍ଯ୍ୟ ମଧ୍ୟ ଅସ୍ତଚୂଡ଼ା ଆଡ଼କୁ ଢଳିବାଲାଗି ପ୍ରସ୍ତୁତ ହେଲାଣି । ତାଙ୍କର କାର୍ଯ୍ୟ ସମ୍ପନ୍ନ ହୋଇସାରିଲାଣି । ମନୁଷ୍ୟ ସମାଜ ଲାଗି ମୁକ୍ତିର ବାର୍ତ୍ତା ପ୍ରଚାରିତ ହୋଇସାରିଲାଣି । ଅଭିଜ୍ଞ ଓ ସାହସବାନ୍‌ ଭିକ୍ଷୁ ଓ ଭିକ୍ଷୁଣୀ ଏବଂ ସାଧାରଣ କେତେ ନରନାରୀ ବହୁସଂଖ୍ୟାରେ ଏହି ସମ୍ରାଜ୍ୟର ସୁରକ୍ଷା ଲାଗି ସମର୍ଥ ହୋଇସାରିଲେଣି, ସଦ୍ଧର୍ମର ଉପଦେଶମାନ ପାଳନ କରିବାକୁ ଓ ସେଗୁଡ଼ିକର ଅଧିକ ପ୍ରସାର କରିବାକୁ ପ୍ରସ୍ତୁତ ହୋଇସାରିଲାଣି । ଆଜି ଦିନମାନର ଏକାକୀ ପରିଭ୍ରମଣ କାଳରେ ତାଙ୍କର ମନକୁ ଯେଉଁସବୁ ବିଚାର ଆସି ସ୍ପର୍ଶ କରିଚି, ତାହାରି ଫଳରେ ତାଙ୍କ ହୃଦୟରେ ଏହିପରି ଏକ ଦୃଢ଼ ପ୍ରତ୍ୟୟ ଜନ୍ମିଚି–ସବୁଦିନ ପାଇଁ ଏହି ସଂସାରରୁ ଛୁଟି ନେଇ ଯିବାଲାଗି ବର୍ତ୍ତମାନ ମୋର ସମୟ ଆସି ପହଞ୍ଚିଲାଣି । ଏହି ସଂସାରର ବନ୍ଧନରୁ ମୁଁ ଆପଣାକୁ ମୁକ୍ତ କରିଚି, ମୋର ଅନୁଗାମୀମାନଙ୍କୁ ମଧ୍ୟ ମୁକ୍ତ କରି ଆଣିଚି । ଏଥର ନିର୍ବାଣରେ ପ୍ରବେଶ କରିବାର ସମୟ ଅତିଶୀଘ୍ର ଆସି ପହଞ୍ଚିଯିବ ।

 

ଏବଂ ଚତୁର୍ଦ୍ଦିଗର ପୃଥିବୀ ଉପରେ ସବେଦନ ଦୃଷ୍ଟିପାତ କରୁକରୁ ତଥାଗତ ଆପଣାର ମନକୁମନ କହିବାକୁ ଲାଗିଲେ : –

 

ରାଜଗୃହ ପ୍ରକୃତରେ ବଡ଼ ସୁନ୍ଦର, ବଡ଼ ରମଣୀୟ । ଏହାରି ପରିବେଶଗୁଡ଼ିକ ଯଥାର୍ଥରେ ବଡ଼ ମନୋରମ । ଧନ୍ୟ ଏହାର ଶସ୍ୟକେଦାର; ସକଳ, ଉଜ୍ଜ୍ୱଳ ଓ ବୃକ୍ଷରାଜିର ଛାୟବଗୁଣ୍ଠିତ ଏହାର ବିସ୍ତୀର୍ଣ୍ଣ ପ୍ରାନ୍ତରଗୁଡ଼ିକ ବଡ଼ ଆନନ୍ଦମୟ ! ଲତାଗୁଳ୍ମ ସମାଚ୍ଛାଦିତ ଏହାର ଗିରିରାଜି ଅତୀବ ସୁନ୍ଦର ! ଆଜି ଶେଷଥର ପାଇଁ ମୁଁ ଏହି ସୁନ୍ଦର ଧରାତଳକୁ ନୟନ ପୂର୍ଣ୍ଣକରି ଦେଖିବାକୁ ପାଉଚି । ଆଉ ଟିକିଏ ଆଗକୁ ଗଲେ ଏହି ପାହାଡ଼ ଉପରକୁ ଉଠି ମୁଁ ଏଇ ଶେଷଥରକ ପାଇଁ ରାଜଗୃହର ରମଣୀୟ ଉପତ୍ୟକାଟିକୁ ଦେଖିବାକୁ ପାଇବି–ମୁଁ ଏହି ଶେଷଥରକୁ ପାଇଁ !

 

ନଗରୀର ଦୁଇଟି ଅଟ୍ଟାଳିକା ବର୍ତ୍ତମାନ ସୂର୍ଯ୍ୟକିରଣରେ ସ୍ୱର୍ଣ୍ଣାଭ ହୋଇ ଝଟକି ଉଠୁଥାନ୍ତି–ଗୋଟିଏ ହେଉଛି ରାଜପ୍ରାସାଦର ଅତ୍ୟୁଚ୍ଚ ହର୍ମ୍ୟଚୂଡ଼ା, ସେହି ଶିଖର ଉପରୁ ହିଁ ରାଜା ବିମ୍ବିସାର ତାଙ୍କୁ ପ୍ରଥମେ ଦେଖିବାକୁ ପାଇଥିଲେ । ସେତେବେଳେ ଜଣେ ଅଜ୍ଞାତ ଯୁବକ-ସନ୍ନ୍ୟାସୀର ବେଶରେ ସେ ନଗରୀରେ ପ୍ରବେଶ କରୁଥିଲେ ଏବଂ ଆପଣାର ରାଜବଂଶୀୟ ଦେହଗଠନ ହେତୁ ମଗଧ ରାଜାଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ଦ୍ୱିତୀୟ ଅଟ୍ଟାଳିକାଟି ହେଉଛି ଇନ୍ଦ୍ରମନ୍ଦିରର ଗମ୍ୱୁଜର ଅଗ୍ରଭାଗ, ତାଙ୍କର ଧର୍ମଉପଦେଶ ଶୁଣି ଲୋକମାନେ ହିଂସାତ୍ମକ ଅନ୍ଧବିଶ୍ୱାସରୁ ମୁକ୍ତ ହେବା ପୂର୍ବରୁ ଏହି ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ସହସ୍ର ସହସ୍ର ନିର୍ଦ୍ଦୋଷ ଓ ନିରୀହ ପଶୁ ଭଗବାନଙ୍କ ପାଖରେ ବଳି ପଡ଼ୁଥିଲେ । ସେହି ଗମ୍ବୁଜର ଅଗ୍ରଭାଗ ବର୍ତ୍ତମାନ ସନ୍ଧ୍ୟାକାଳୀନ ଛାୟାସମୁଦ୍ରରେ କ୍ରମେ ନିମଗ୍ନ ହୋଇଯାଉଥିଲା । କେବଳ ମନ୍ଦିରର ଚୂଡ଼ାଉପରେ ଶେଷସୂର୍ଯ୍ୟର ସ୍ୱର୍ଣ୍ଣ-କିରଣଗାରଟି ଲାଖି ରହିଥିଲା ଏବଂ ଉନ୍ମୁକ୍ତ ଆକାଶରେ ରାଜଧାନୀର ପ୍ରତୀକ ପରି ଏବେସୁଦ୍ଧା ଭାସମାନ ହେଉଥିଲା । (ରାଜଗୃହ (ପାଲି ଗୃହ) –ରାଜନିବାସ । ସୂର୍ଯ୍ୟକିରଣ–ସାମ୍ରାଜ୍ୟର ପ୍ରତୀକ) ଏବେମଧ୍ୟ ରକ୍ତବର୍ଣ୍ଣ ଆଭାରେ ଏହା ଉଚ୍ଚ ବୃକ୍ଷଚୂଡ଼ାମାନଙ୍କର ଘନନୀଳ ପୃଷ୍ଠଭୂମି ଉପରେ ଚହଟି ଉଠୁଥିଲା ।

 

ଏବଂ ଏହିସ୍ଥାନରୁ ବୁଦ୍ଧ ତାଙ୍କର ଆମ୍ରବନର ସେହି ବୃକ୍ଷଚୂଡ଼ା ଗୁଡ଼ିକ–ରାଜବୈଦ୍ୟ ଜୀବକ ଏହି ଆମ୍ରବନଟିକୁ ବୁଦ୍ଧଙ୍କର ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ଆତ୍ମବନରେ ବର୍ତ୍ତମାନ ଏକ ଭିକ୍ଷୁବିହାର ନିର୍ମିତ ହୋଇଥିଲା ଏବଂ ଏହି ବିହାରରେ ଭିକ୍ଷୁସଂଘ ସୁସ୍ଥ ଓ ନିଶ୍ଚିନ୍ତ ହୋଇ ବିଶ୍ରାମ କରି ପାରୁଥିଲେ ।

 

ବର୍ତ୍ତମାନ ତାଙ୍କର ଅନୁଗାମୀ ହୋଇ ଯାତ୍ରା କରୁଥିବା ଦୁଇଶହ ଭିକ୍ଷୁଙ୍କୁ ବୁଦ୍ଧ ତାଙ୍କର ଭ୍ରାତୃସ୍ଥାନୀୟ ଓ ବିଶ୍ୱସ୍ତ ଶିକ୍ଷ୍ୟ ଆନନ୍ଦଙ୍କ ନେତୃତ୍ୱରେ ଆଗରୁ ଏହି ବିଶ୍ରାମବିହାରକୁ ପଠାଇ ଦେଇଥିଲେ । କାରଣ ଏକାକୀ ପରିଭ୍ରମଣ କରିବାର ମଧୁର ଅନୁଭୂତି ଲାଭ କରିବାକୁ ତାଙ୍କର ଇଚ୍ଛା ଜନ୍ମିଥିଲା ଏବଂ ସେ ଜଣିଥିଲେ ଯେ ଭଦ୍ର ସାରିପୁତ୍ତଙ୍କର ନେତୃତ୍ୱରେ ଆଉ ଏକ ଯୁବକ ଭିକ୍ଷୁସଂଘ ଆଜି ପ୍ରାୟ ସୂର୍ଯ୍ୟସ୍ତ ସମୟରେ ପଶ୍ଚିମ ଦିଗରୁ ଆସି ଆମ୍ରବନରେ ପ୍ରବେଶ କରିବେ । ଆଗରୁ ଆସି ପହଞ୍ଚିଥିବା ଭିକ୍ଷୁମାନେ କିପରି ବର୍ତ୍ତମାନ ଆସି ପହଞ୍ଚୁଥିବା ଭିକ୍ଷୁମାନଙ୍କର ସ୍ୱାଗତ କରୁଚନ୍ତି, କିପରି ସେମାନଙ୍କ ହାତରୁ ଅଙ୍ଗବସ୍ତ୍ର ଓ ଭିକ୍ଷାପାତ୍ର ନେଇ ନିଆଯାଉଚି ଓ ସେମାନଙ୍କୁ ରାତ୍ରି ଅବସ୍ଥାନରେ ସ୍ଥାନମାନ ଦେଖାଇ ଦିଆଯାଉଚି, ମାଛହାଟରେ କେଉଟମାନେ ହୋ-ହା ହେଉଥିବା ପରି କିପରି ଆମ୍ରବନଟି ପାଟିତୁଣ୍ଡରେ ସଚଳ ହୋଇଉଠୁଛି, ଭଗବାନ ବୁଦ୍ଧ ଆପଣାର ମାନସଚକ୍ଷୁରେ ସେହିସବୁ ଦୃଶ୍ୟମାନ ସ୍ପଷ୍ଟ ଦେଖିପାରୁଥିଲେ । ଏବଂ ଏହି ଏକାକୀ ପରିଭ୍ରମଣର ମହାମୂଲ୍ୟ ପ୍ରଶାନ୍ତି ଏବଂ ଏହି ସାନ୍ଧ୍ୟଧରଣୀର ଆଶିଷ ବର୍ଷଣକାରୀ ସ୍ତବ୍ଧତା ପରେ ଆସନ୍ନାଗତ କୋଳାହଳ ଭିତରେ ପ୍ରବେଶ କରିବାକୁ ସେ ଦୁଇଗୁଣ ଅନିଚ୍ଛା ପ୍ରକାଶ କରୁଥିଲେ ।

 

ତେଣୁ ଏହିପରି ଅଗ୍ରସର ହେଉହେଉ ସେ ନଗରୀ ଅତିକ୍ରମ କରି ଆମ୍ରବନ ପର୍ଯ୍ୟନ୍ତ ନଯିବାକୁ ଏବଂ ନଗରୀର ଏହି ପାଖରେ ଯେଉଁଠାରେ ଏକ ଉପଯୁକ୍ତ ସ୍ଥାନ ମିଳିବ, ସେହିଠାରେ ହିଁ ରାତ୍ରିବିଶ୍ରାମ କରିବାକୁ ସ୍ଥିର କଲେ ।

 

ଇତ୍ୟବସରେ ପଶ୍ଚିମ ଆକାଶର ସ୍ୱର୍ଣ୍ଣବର୍ଣ୍ଣ ଆଲୋକଶିଖା ଏକ ପ୍ରଜ୍ଜ୍ୱଳିତ କେଶରୀରଙ୍ଗ ଧାରଣ କରି କ୍ରମେ ନିର୍ବାପିତ ହୋଇ ଆସୁଥିଲା । ଚତୁର୍ଦ୍ଦିଗର କେଦାର ଓ ପ୍ରାନ୍ତରମାନ କ୍ରମେ ଅଧିକରୁ ଅଧିକ ସବୁଜବର୍ଣ୍ଣ ଧାରଣ କରୁଥିଲା, ପୃଥିବୀ ସତେ ଯେପରି ଭିତରୁ ଆଲୋକ ବିକୀର୍ଣ୍ଣ କରୁଥିବା ଏକ ସବୁଜ ମଣିପରି ଦେଖାଯାଉଥିଲା ! କିନ୍ତୁ ହଠାତ୍‌ ବାଇଗଣ ରଙ୍ଗର ଏକ ସ୍ୱପ୍ନସଦୃଶ ବାଷ୍ପ ଦୂରରୁ ଜାଲ ବିସ୍ତାର କରି ଆସିଲା ଏବଂ ଅଧା ଆଲୁଅ ଓ ଅଧା ଛାଇର ଏକ ଅତିପାର୍ଥିବ ରକ୍ତନୀଳର ବନ୍ୟାସ୍ରୋତ ଚତୁର୍ଦ୍ଦିଗର ଶୂନ୍ୟମଣ୍ଡଳକୁ ପ୍ଲାବିତ କରିଦେଲା, ସମୀପସ୍ଥ ସଂସାରକୁ ଦୂରଭିତରକୁ ଅପସରାଇ ନେଲା ଓ ଦୂରକୁ ନିକଟବର୍ତ୍ତୀ କରାଇ ଆଣିଲା–ସର୍ବତ୍ର ଏକ ଅବାସ୍ତବ ଓ ପ୍ରକମ୍ପିତ ଶିହରଣ ଖେଳାଇଦେବାକୁ ଲାଗିଲା ………

 

ଏକାକୀ ପଥଯାତ୍ରୀର ପଦଶବ୍ଦରେ ଆତଙ୍କିତ ହୋଇ କୃଷ୍ଣ ଶାଳଗଛର ଶାଖାରୁ ଶିକୁଳି ଛିଡ଼ାଇ ଦଉଡ଼ି ପଳାଉଥିବା ଗୋଟିଏ କୁକୁର ହଠାତ୍‌ ଭୋ’ ଭୋ’ ହୋଇ ଭୁକିବାକୁ ଲାଗିଲା ଏବଂ ସନ୍ଧ୍ୟାଗୋଧୂଳିର ପଥଦେଇ ନଗରୀର ଫଳଉଦ୍ୟାନ ଆଡ଼କୁ ଧାଇଁ ଚାଲିଗଲା ।

 

ଏହିପରି କ୍ରମେ ସନ୍ଧ୍ୟା ବୁଡ଼ିଆସିଲା, ଭଗବାନ ବୁଦ୍ଧ ମଗଧରାଜ୍ୟର ରାଜଧାନୀର ଦକ୍ଷିଣ ଉପକଣ୍ଠରେ ପାଦାର୍ପଣ କଲେ ।

Image

 

ପ୍ରଥମ ଦର୍ଶନ

 

ବୃକ୍ଷରାଜିର ଅନ୍ତରାଳ ଭିତରୁ ନଗରୀର ପ୍ରଥମ ଗୃହପ୍ରାଚୀରଟି ଦୂରରୁ ନୀଳବର୍ଣ୍ଣ ଧାରଣ କରିଥିଲାପରି ଦେଖାଗଲା । ବୁଦ୍ଧ ସେହିଠାରେ ଆଜି ରାତ୍ରିରେ ବିଶ୍ରାମ କରିବାଲାଗି ବିଚାର କଲେ । କିନ୍ତୁ ଗୃହ ଦ୍ୱାରର ସମୀପବର୍ତ୍ତୀ ହୋଇଆସି ସେ ଗୋଟିଏ ଜାଲ ଦେଖିବାକୁ ପାଇଲେ, ଗୋଟିଏ ଗଛର ଡାଳରୁ ଜାଲଟି ତଳକୁ ଝୁଲୁଥିଲା ।

 

ଏବଂ ତଥାଗତ ଅଗ୍ରସର ହୋଇଗଲେ, ଚଢ଼େଇଆର ନିବାସଟିକୁ ବର୍ଜନ କରି ସେ ଆଗକୁ ଚାଲିଗଲେ ।

 

ନଗରୀର ଏହି ଉପକଣ୍ଠରେ ଘରଗୁଡ଼ିକ ପରସ୍ପରଠାରୁ ବେଶ୍‌ ଦୂରଛଡ଼ା ହୋଇ ଅବସ୍ଥିତ ରହିଥିଲା, ଏବେ ଅଳ୍ପଦିନ ତଳେ ଏଠାରେ ନିଆଁ ଲାଗି ଅନେକ ଘର ଭସ୍ମୀଭୂତ ହୋଇଯାଇଥିଲା । ତେଣୁ ଦ୍ୱିତୀୟ ବାସଗୃହ ପାଖରେ ଆସିବ ପହଞ୍ଚିବାକୁ ଭଗବାନ ବୁଦ୍ଧଙ୍କୁ ବେଶ୍‌ କିଛି ସମୟ ଲାଗିଲା । ଏଇଟି ହେଉଚି ଜଣେ ଧନୀ ବ୍ରାହ୍ମଣର ଘର । ତଥାଗତ ତୋରଣଦ୍ୱାର ପାର ହୋଇ ଗୃହାଙ୍ଗନରେ ପ୍ରବେଶ କରିବାକୁ ଯାଉଚନ୍ତି, ଏହି ସମୟରେ ସେ ବ୍ରାହ୍ମଣର ଦୁଇ ଭାର୍ଯ୍ୟା ପରସ୍ପର କଳହ କରୁଥିବାର ଓ ଆପଣା ଆପଣାର କର୍କଶ ଗାଳିକୁ ପରସ୍ପରର ମୁଣ୍ଡଉପରେ ଆଣି ଅଜାଡ଼ି ଦେଉଥିବାର ଶୁଣିବାକୁ ପାଇଲେ ।

 

ଏବଂ ତଥାଗତ ପୁଣି ତୋରଣ ବାହାରକୁ ଫେରିଆସିଲେ ଓ ଆଗକୁ ଯିବାକୁ ଲାଗିଲେ-

 

ଧନୀ ବ୍ରାହ୍ମଣର ଗୃହପ୍ରାଚୀର ରାସ୍ତାର ଅନେକ ଦୂର ପର୍ଯ୍ୟନ୍ତ ଲମ୍ବି ରହିଚି । ଆଗରୁ ବୁଦ୍ଧଦେବଙ୍କୁ ଭାରି କ୍ଲାନ୍ତ ଲାଗିବାକୁ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଆହୁରି ଆଗକୁ ଯିବାକୁ ପଡ଼ିବାରୁ ସେ ଆପଣାର ଦକ୍ଷିଣ ପଦରେ ବେଦନା ଅନୁଭବ କରିବାକୁ ଲାଗିଲେ । ସତେ ଯେପରି ସେ ଅନ୍ଧାରରେ କେଉଁଠି ଗୋଟାଏ ମୁନିଆଁ ପଥର ଝୁଣ୍ଟିଚନ୍ତି, ତାଙ୍କର ଠିକ୍‌ ସେହିପରି ମନେ ହେଉଥାଏ । ଏହିପରି ବାଟ ଚାଲୁଚାଲୁ ଶେଷରେ ସେ ପରବର୍ତ୍ତୀ ଗୃହ ସମୀପରେ ଆସି ପହଞ୍ଚିଲେ-। ଏହି ଗୃହଟି ବେଶ୍‌ ଅନେକ ଦୂରରୁ ଦୃଷ୍ଟିଗୋଚର ହେଉଥାଏ, କାରଣ ଘରର ଝରକା ଓ ଖୋଲା କବାଟ ବାଟଦେଇ ଘରର ଆଲୁଅ ରାସ୍ତା ଉପରକୁ ବିଞ୍ଚିହୋଇ ପଡ଼ିଥାଏ । କିନ୍ତୁ କୌଣସି ଅନ୍ଧ ମଣିଷ ଆସି ସେଠାରେ ପହଞ୍ଚିଥିଲେ ମଧ୍ୟ, ଘରଭିତରର ଶବ୍ଦ ଶୁଣି ସେ ଏଠାରେ ଗୋଟିଏ ଗୋଟିଏ ଘର ଅଛି ବୋଲି ବେଶ୍‌ ଜାଣି ପାରିଥାନ୍ତା ! ଖିଲିଖିଲି ମଣିଷ ହସ, କାଂସ୍ୟପାତ୍ରର ଝଣଝଣ, ହାତତାଳି, ନୃତ୍ୟରତ କେତେ ମନୁଷ୍ୟପାଦର ପତନଶବ୍ଦ ଓ ସପ୍ତସ୍ୱରୀ ବୀଣାର ମଧୁର ରାଗିଣୀମାନ ଘରଭିତରୁ ବାହାରକୁ ଆସି ରାସ୍ତାରେ ଚାଲିଯାଉଥିବା ପଥିକମାନଙ୍କର କର୍ଣ୍ଣକୁହରକୁ ପୂର୍ଣ୍ଣ କରି ଦେଉଥିଲା । କିନ୍ତୁ ଠିକ୍‌ ଦୁଆର ମୁହଁକୁ ରେଶମର ପୋଷାକ ପିନ୍ଧି ଗୋଟିଏ ସୁନ୍ଦରୀ ବାଳିକା ଚଉକାଠକୁ ଆଉଜି କରି ଠିଆ ହୋଇଥିଲା । ତା’ର ବେକରେ ସଜ ମଲ୍ଲୀଫୁଲର ମାଳା । ମଝିରେ ମଝିରେ ତାହାର ମୁଖଉପରୁ ଦରସ୍ମିତ ଫୁଟିଉଠିଲେ ତାମ୍ବୁଳର ରଙ୍ଗରେ ଲାଲ ହୋଇ ରହିଥିବା ତାହାର ସୁନ୍ଦର ଦନ୍ତପଂକ୍ତି ପଦାକୁ ଫୁଟି ଉଠୁଥିଲା । ପରିବ୍ରାଜକ ତଥାଗତଙ୍କୁ ସେ ଆମନ୍ତ୍ରଣ ଜଣାଇ କହିଲା–ହେ ବିଦେଶୀ ପାନ୍ଥ, ହେ ଅତିଥୀ, ଘର ଭିତରକୁ ଆସ । ଏହି ଘରଭିତରେ ହିଁ ଆନନ୍ଦ ନିବାସ କରୁଚି ।

 

କିନ୍ତୁ ତଥାଗତ ସେଠାରେ ନ ଅଟକି ଆଗକୁ ଗୋଡ଼ ବଢ଼ାଇଲେ ଓ ଆପଣାର କେତୋଟି ଶବ୍ଦ ସ୍ମରଣ କରିବାକୁ ଲାଗିଲେ–ମହାତ୍ମାମାନେ ସଙ୍ଗୀତକୁ ରୋଦନ ବୋଲି କହିଚନ୍ତି, ନୃତ୍ୟକୁ ପାଗଳର ପଦକ୍ଷେପ ବୋଲି କହିଚନ୍ତି, ହାସ୍ୟକୁ ଅର୍ଥାତ୍‌ ସମୟ ଅସମୟର କୌଣସି ବିଚାର ନରଖି ଆପଣାର ଦାନ୍ତ ଦେଖାଇବାକୁ ବାଳ ଚପଳତା ବୋଲି କହିଚନ୍ତି ।

 

ପରବର୍ତ୍ତୀ ଘରଟି ସେଠାରୁ ଖୁବ୍‌ବେଶୀ ଦୂର ନଥିଲା, କିନ୍ତୁ ସେହି ଘରଭିତରୁ ମଦଖାଇ ମାତାଲ ହୋଇଥିବା ଲୋକମାନଙ୍କର ଗୋଳମାଳ ଶୁଣାଯାଉଥିଲା–ତେଣୁ ବୁଦ୍ଧଦେବ ପୁଣି ଅଗ୍ରସର ହୋଇ ପରବର୍ତ୍ତୀ ଘରପାଖରେ ଯାଇ ପହଞ୍ଚିଲେ । ସେତେବେଳକୁ ସେହି ଘରର ଦୁଆରରେ ବସି ଦୁଇଜଣ କଂସେଇ ଦିନ ଥାଉଁ କାଟିଥିବା ଗୋଟିଏ ଗୋରୁର ବନାବନି କାମ ସାରିଦେବ ବୋଲି ତରତର ହେଉଥାନ୍ତି ।

 

ତଥାଗତ କଂସେଇଘର ଅତିକ୍ରମ କରି ଚାଲିଗଲେ ।

 

ପରବର୍ତ୍ତୀ ଘରର ଦୁଆରଯାକ ସଜମାଟିରେ ତିଆରି ହୋଇଥିବା ଆଟିକା ଓ ପଲମମାନ ଭର୍ତ୍ତିହୋଇ ରହିଥିଲା । ଦୁଆର ମଝିରେ ଗୋଟିଏ ତେନ୍ତୁଳିଗଛ,–ଦିନବେଳେ ତାହାର ଘନଛାଇ ଦୁଆରଟିକୁ ନିଶ୍ଚୟ ଶୀତଳ କରି ରଖୁଥିବ–ସେହି ଗଛତଳେ କୁମ୍ଭାରଚକଟି ବେଶ୍‌ ଦୃଷ୍ଟିଗୋଚର ହେଉଚି । କୁମ୍ଭାର ସେତେବେଳେ ଚକରୁ ଗୋଟିଏ ମାଠିଆ ବାହାର କରିଆଣି ଗଢ଼ା ହୋଇଥିବା ଅନ୍ୟାନ୍ୟ ସାମଗ୍ରୀ ପାଖରେ ନେଇ ରଖୁଥାଏ ।

 

ବୁଦ୍ଧ କୁମ୍ଭାର ପାଖକୁ ଯାଇ ସମ୍ଭ୍ରମ ସହକାରେ ପ୍ରଣାମ କଲେ ଓ କହିଲେ : –

 

ଯଦି ତୁମର କୌଣସି ଅସୁବିଧା ନହୁଏ, ତେବେ ଆଜି ରାତିକପାଇଁ ମୁଁ ତୁମର ଦାଣ୍ଡଘରେ ବିଶ୍ରାମ କରିବି ।

 

ହେ ଭଦ୍ର, ମୋର କୌଣସି ପ୍ରକାରେ କିଛି ଅସୁବିଧା ହେବନାହିଁ । କିନ୍ତୁ ଏହି ଅଳ୍ପକ୍ଷଣ ପୂର୍ବରୁ ଆଉଜଣେ ଯାତ୍ରୀ ଆସି ମୋ’ଘରେ ପହଞ୍ଚିଚନ୍ତି । ଅନେକ ଦୂରବାଟ ଚାଲି ଆସିଥିବାରୁ ସେ ବଡ଼ ଶ୍ରାନ୍ତ ହୋଇପଡ଼ିଚନ୍ତି ଏବଂ ଆଜି ଏହିଠାରେ ରାତ୍ରିଯାପନ କରିବେ ବୋଲି ନିଷ୍ପତ୍ତି କରି ସାରିଚନ୍ତି । ଯଦି ତାଙ୍କର କୌଣସି ଆପତ୍ତି ନଥାଏ, ତେବେ ତୁମେ ମଧ୍ୟ ତାଙ୍କ ସହିତ ସେହି ଘରେ ରହିପାରିବ ।

 

ଏବଂ ତଥାଗତ ମନେମନେ ବିଚାର କରିବାକୁ ଲାଗିଲେ–

 

ଏକାକୀ ବାସ କରିବା ହେଉଚି ମଣିଷର ସବୁଠାରୁ ବଡ଼ ବନ୍ଧୁ, ବଡ଼ ସାଥୀ । କିନ୍ତୁ ଏଇ ସଜ୍ଜ୍ନନ ଯାତ୍ରୀଜଣକ ଏଠାରେ ଆସି ପହଞ୍ଚିଚନ୍ତି, ଆଗକୁ ଯିବାକୁ ଆଉ ବେଳ ନାହିଁ । ଦୀର୍ଘପଥ ଚାଲି ଚାଲି ମୁଁ ଯେପରି କ୍ଳାନ୍ତ ହୋଇପଡ଼ିଚି, ସେ ମଧ୍ୟ ସେହିପରି କ୍ଳାନ୍ତ ହୋଇ ପଡ଼ିଥିବେ । ସେ ମଧ୍ୟ ଠିକ୍‌ ମୋ’ରି ପରି ପୂର୍ବବର୍ତ୍ତୀ ଅଶୁଦ୍ଧ ସ୍ଥାନଗୁଡ଼ିକୁ ବର୍ଜନ କରି ଆସିଥିବେ । ଯେଉଁଘରୁ ନାଚ ଓ ବାଜଣାର କୋଳାହଳ ଶୁଭୁଥିଲା, ଯେଉଁ ଘରେ ମଦୁଆମାନେ ପ୍ରଳାପ କରୁଥିଲେ, ସେହିସବୁ ଘରକୁ ବର୍ଜନ କରି ସେ ଏହି କୁମ୍ଭାରଘରେ ମୋ’ ଆଗରୁ ଆସି ପହଞ୍ଚିଛନ୍ତି । ଏହିପରି ଏକ ସଜ୍ଜନଙ୍କର ସହିତ ଆଜି ରାତିଟା ବେଶ୍‌ ଶାନ୍ତିରେ ଅତିବାହିତ ହୋଇପାରିବ ।

 

ଏହିପରି ଭାବି ସେ ଦାଣ୍ଡଘର ଭିତରକୁ ପାଦ ପକାଇଲେ ଓ ତାଙ୍କଠାରୁ ଅତି କମ୍‌ ବୟସର ଉଦାର ମୁଖକାନ୍ତି ବିଶିଷ୍ଟ ଜଣେ ଯୁବକଙ୍କୁ ଦେଖିବାକୁ ପଇଲେ । ଯୁବକଟି ଗୃହର ଗୋଟିଏ କୋଣରେ ଆସନ ପକାଇ ବସିଥିଲେ ।

 

ହେ ତୀର୍ଥଯାତ୍ରୀ, ଯଦି ତୁମର କୌଣସି ଅସୁବିଧା ନହୁଏ, ତେବେ ମୁଁ ମଧ୍ୟ ଏହିଠାରେ ଆଜି ରାତ୍ରିଯାପନ କରିପାରନ୍ତି–ତଥାଗତ ତାଙ୍କୁ ପ୍ରଶ୍ନ କଲେ ।

 

ଭାଇ, କୁମ୍ଭାରର ଏହି ଦାଣ୍ଡଘରଟି ଅତି ପ୍ରଶସ୍ତ । ଆପଣ ଅତି ଖୁସୀରେ ରହିପାରିବେ ।

 

ଘରର ଆର କାନ୍ଥକଡ଼କୁ ବୁଦ୍ଧଦେବ ଆପଣାର କୁଶାସନ ପାରିଦେଲେ ଏବଂ ତାହାରି ଉପରେ ସିଧା ହୋଇ ପଦ୍ମାସନରେ ବସିପଡ଼ିଲେ ଧ୍ୟାନମଗ୍ନ ହେଲେ । ଯୁବକ ଯାତ୍ରୀଟି ମଧ୍ୟ ସେଦିନ ରାତ୍ରିର ପ୍ରଥମ କେତେ ଘଣ୍ଟା ଠିକ୍‌ ଏହିପରି ଭାବରେ ଅତିବାହିତ କରିଥିଲେ ।

 

ତା’ପରେ ତଥାଗତ ମନେମନେ ଚିନ୍ତା କଲେ : –

 

କୌଣସି ସମ୍ଭ୍ରାନ୍ତ ବଂଶର ଏହି ଯୁବକ ସନ୍ତାନ କି ଅଦମ୍ୟ ସାଧନାର ସହିତ ଆପଣାର ଲକ୍ଷ୍ୟପ୍ରାପ୍ତି ଦିଗରେ ଅଗ୍ରସର ହେବାରେ ଲାଗିଚନ୍ତି ! –ମୁଁ ତାଙ୍କୁ ଏ ବିଷୟରେ କିଛି ପଚାରିବି କି ?

 

ଏହିପରି ଭାବି ସେ ଯୁବକ ଯାତ୍ରୀଙ୍କର ଉଦ୍ଦେଶ୍ୟରେ ମୁହଁ ବୁଲାଇ ପଚାରିଲେ : –

 

ହେ ତୀର୍ଥଯାତ୍ରୀ, ତୁମେ ଗୃହଛାଡ଼ି ଏପରି ଭ୍ରମଣରେ ବାହାରିଥିବାର କାରଣ ମୁଁ ଜାଣିପାରିବି କି ?

 

ଯୁବକ ଉତ୍ତର ଦେଲେ : –

 

ବର୍ତ୍ତମାନ ରାତ୍ରି ମୋଟେ ଦୁଇଘଣ୍ଟା ମାତ୍ର ଅତିବାହିତ ହୋଇଚି । ହେ ମହାଭାଗ, ଯଦି ଆପଣଙ୍କର ଆଗ୍ରହ ହେଉଚି, ତେବେ ମୁଁ କିପରି ଗୃହତ୍ୟାଗ କରି ସନ୍ନ୍ୟାସୀ ହେଲି, ସେ ସମସ୍ତ ବିଷୟ ଆପଣଙ୍କ ଆଗରେ କହିବି ।

 

ତଥାଗତ ଏକ ଆଗ୍ରହପୂର୍ଣ୍ଣ ମୁଖମୁଦ୍ରାରେ ଆପଣାର ସମ୍ମତି ଜଣାଇଲେ ଏବଂ ଯୁବକ ଯାତ୍ରୀ ନିମ୍ନଲିଖିତ ପ୍ରକାରେ ତାଙ୍କର କାହାଣୀ କହିବାକୁ ଆରମ୍ଭ କଲେ ।

Image

 

ଗଙ୍ଗାତଟକୁ ଯାତ୍ରା

 

ମୋର ନାମ ହେଉଚି କାମନୀତ, ଏଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ପର୍ବତମୟ ଅବନ୍ତୀ ରାଜ୍ୟରେ ଅବସ୍ଥିତ ଉଜ୍ଜୟିନୀ ସହରରେ ମୋର ଜନ୍ମ। ସେହିଠାରେ ଏକ ଧନୀ ବଣିକକୁଳରେ ମୁଁ ଏହି ସଂସାରରେ ପଦାର୍ପଣ କରିଥିଲି । ମୋ ପିତା ମୋର ସୁଶିକ୍ଷାର ସମସ୍ତ ବନ୍ଦୋବସ୍ତ କରି ଦେଇଥିଲେ ଏବଂ ମୋର ଉପନୟନ ବେଳକୁ ଜଣେ ସୁବଂଶଜ ସନ୍ତାନର ଯେଉଁସବୁ ଦକ୍ଷତା ଅର୍ଜନ କରିବା ଉଚିତ, ମୁଁ ତାହାଠାରୁ ଅଧିକ ଦକ୍ଷତା ଅର୍ଜନ କରି ସାରିଥିଲେ । ମୋ’ ସହିତ ସମ୍ପର୍କରେ ଆସୁଥିବା ଲୋକମାନେ ଭାବୁଥିଲେ, ମୁଁ ନିଶ୍ଚୟ ତକ୍ଷଶିଳା (ପଞ୍ଜାବରେ ଅବସ୍ଥିତ, ପ୍ରାଚୀନ ଭାରତର ଅକସଫୋର୍ଡ଼)ରୁ ଶିକ୍ଷାପ୍ରାପ୍ତ ହୋଇ ଆସିଚି । କୁସ୍ତି ଓ ଯୁଦ୍ଧ କୌଶଳରେ ମୁଁ ସର୍ବୋତ୍ତମମାନଙ୍କ ମଧ୍ୟରେ ଗଣା ହେଉଥିଲି । ମୋର କଣ୍ଠସ୍ୱର ବଡ଼ ମଧୁର ଓ ସୁମାର୍ଜିତ ଥିଲା, ବୀଣାର ସାତୋଟିଯାକ ସ୍ୱରକୁ ମୁଁ ଅତି ସୁନିପୁଣ ଭାବରେ ବଜାଇ ପାରୁଥିଲି । ଛନ୍ଦ ବିଷୟରେ ମୋର ଅତି ଚମତ୍କାର ଜ୍ଞାନ ଥିଲା ଏବଂ ମୁଁ ନିଜେ ମଧ୍ୟ ଭାବପୂର୍ଣ୍ଣ ଉଚ୍ଚକୋଟୀର କବିତା ରଚନା କରିପାରୁଥିଲି । ଚିତ୍ର ଓ ଅଙ୍କନବିଦ୍ୟା କେହି ମୋତେ ବଳିଯାଇ ପାରୁନଥିଲେ। ମଣିମୁକ୍ତାର କାମରେ ମୋର ସୁଦକ୍ଷ ଜ୍ଞାନ ରହିଥିଲା, ମୋ’ ଶିଖାଇଥିବା ଶୁକଶାରୀ ସବୁଠାରେ ଶ୍ରେଷ୍ଠ ପ୍ରମାଣିତ ହେଉଥିଲେ । ଧନୁବିଦ୍ୟା, କନ୍ଦୁକବିଦ୍ୟା ଓ ଆହୁରି ଅନେକ ବିଦ୍ୟାରେ ମୁଁ ପାରଦର୍ଶିତା ଲାଭ କରିଥିଲି ।

 

ହେ ପ୍ରବାସୀ, ‘ଯୁବକ କାମନୀତ ପରି ବହୁଗୁଣ-ପରିଶୋଭିତ’–ସମସ୍ତ ଉଜ୍ଜୟିନୀରେ ଏହା ଏକ ପ୍ରବାଦ ହୋଇସାରିଥିଲା ।

 

ସେତେବେଳେ ମୋତେ କୋଡ଼ିଏ ବର୍ଷ ବୟସ ହୋଇଥାଏ, ଦିନେ ମୋର ପିତା ମୋତେ ଆପଣା ପାଖକୁ ଡକାଇନେଲେ ଓ ନିମ୍ନଲିଖିତ ପ୍ରକାରେ କହିଲେ–

 

‘‘ପୁତ୍ର ! ବର୍ତ୍ତମାନ ତୋର ଶିକ୍ଷା ସମାପ୍ତ ହୋଇଚି । ବର୍ତ୍ତମାନ ତୋର ସଂସାରରେ ନାନାସ୍ଥାନରେ ଭ୍ରମଣ କରିବା ଓ ବଣିକର ଜୀବନ ଆରମ୍ଭ କରିବାର ସମୟ ଆସିଚି । ସେଥିଲାଗି ମୁଁ ମଧ୍ୟ ତୋ’ ପାଇଁ ବର୍ତ୍ତମାନ ଏକ ସୁଯୋଗ ସ୍ଥିର କରି ରଖିଚି । କୌସାମ୍ୱିର ରାଜା ଉଦ୍ଦାନଙ୍କ ନିକଟକୁ ଆମର ରାଜା ଏହି କେତେଦିନ ଭିତରେ ଜଣେ ଦୂତ ପଠାଇବାକୁ ଯାଉଚନ୍ତି । କୌସାମ୍ବି ସହର ଏଠାରୁ ଅନେକ ଦୂର, ପବିତ୍ର ଗଙ୍ଗାନଦୀର ତଟରେ ଅବସ୍ଥିତ । ସେହି ସହରରେ ପ୍ରାଶଦ ନାମକ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ବାସ କରୁଚନ୍ତି । ଆମ ରାଜ୍ୟର ପଣ୍ୟଦ୍ରବ୍ୟ ନେଇ କୌସାମ୍ବିରେ କୌଣସି ଭଲ ଧରଣର ବ୍ୟାପାର ଆରମ୍ଭ କରିବାକୁ ମୋତେ ସେ ଅନେକ ଦିନରୁ କହିଆସୁଚନ୍ତି । ବିଶେଷତଃ ଆମ ରାଜ୍ୟର ପର୍ବତରେ ମିଳୁଥିବା ବହୁମୂଲ୍ୟ ପ୍ରସ୍ତର, ଆମ ଅରଣ୍ୟର ଚନ୍ଦନକାଠ ଓ ଆମର ସୁନ୍ଦର ବେତ ଓ ସୂତାତିଆରି ଦ୍ରବ୍ୟମାନ ନେଇ ସେଠାରେ ବ୍ୟାପାର ଆରମ୍ଭ ହେଉ ବୋଲି ତାଙ୍କର ଭାରି ଆଗ୍ରହ । କିନ୍ତୁ ଆଜିଯାଏ ଏପରି ଏକ ଦୀର୍ଘ ବ୍ୟାପାରଯାତ୍ରା ଆରମ୍ଭ କରିବାକୁ ମୁଁ ଏକ ବଡ଼ ଦୁଃସାହସ ବୋଲି ମନେକରି ଆସିଚି । କିନ୍ତୁ ବର୍ତ୍ତମାନ ଦୂତସହିତ ଯାଇ ଦୂତ ସହିତ ଫେରିଆସିବାର ସୁଅବସର ମିଳୁଥିବା ବେଳେ ସେପରି ଚିନ୍ତା କରିବାର ଆଉ କୌଣସି କାରଣ ରହୁନାହିଁ । ତେଣୁ ଚାଲ ବତ୍ସ, ବର୍ତ୍ତମାନ ଭଣ୍ଡାରଘରକୁ ଯିବା ଓ ତୋର ଯାତ୍ରାପାଇଁ ମୁଁ ଠିକ୍ କରି ରଖିଥିବା ବାରୋଟି ଶକଟ ଓ ପଣ୍ୟଦ୍ରବ୍ୟମାନ ଦେଖିଆସିବା । ଏହିସବୁ ଦ୍ରବ୍ୟ ସେଠାରେ ବିକ୍ରୟ କରି ତୁ ଫେରିବା ବେଳକୁ ବାରଣସୀର ମଖମଲ ଓ ଭଲ ଧାନର ନମୁନାମାନ ନେଇ ଘରକୁ ଫେରିବୁ ଏବଂ ମୁଁ ଆଶା କରୁଚି ଯେ ଏହାରିଦ୍ୱାରା ତୋ’ର ବଣିକଜୀବନର ଏକ ଚମତ୍କାର ସମାରମ୍ଭ ହୋଇପାରିବ । ଏହାଦ୍ୱାରା ତୁ ଅନ୍ୟ ଜଳବାୟୁ, ଅନ୍ୟ ପ୍ରାକୃତିକ ପରିବେଶ ଓ ଅନ୍ୟ ରୀତିନୀତି ଥିବା ଅନେକ ଦେଶ ଦେଖିବାର ସୁଯୋଗ ପାଇବୁ ଏବଂ ବାଟରେ ମଧ୍ୟ ଅନେକ ରାଜସଭାସଦ୍ ଓ ଧନବାନ୍ ସମ୍ଭାନ୍ତ ବଣିକଙ୍କର ସାକ୍ଷାତ କରିପାରିବୁ । ଏହା ତୋ’ ଲାଗି ଅନେକ ପ୍ରକାରେ ଲାଭଦାୟକ ହେବ ବୋଲି ମୁଁ ମନେକରୁଚି । କାରଣ ବଣିକ ହେବାକୁ ହେଲେ ଆମକୁ ସାରା ସଂସାରର ଜଣେ ମଣିଷ ହେବାକୁ ପଡ଼ିବ, ସଂସାରଯାକ ସବୁଠାରେ ପରିଚିତ ହେବାକୁ ପଡ଼ିବ।’’

 

ପିତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କଲାବେଳେ ମୋର ଆଖିରୁ ଆନନ୍ଦାଶ୍ରୁ ବହିଯାଉଥାଏ-। ତାହାର ଅଳ୍ପଦିନ ପରେ ମୁଁ ଘରୁ ବିଦାୟ ନେଇ ବିଦେଶଯାତ୍ରାରେ ବାହାରିପଡ଼ିଲି-

 

ମୋର ଶକଟବାହିନୀ ଦ୍ୱାରା ପରିବେଷ୍ଟିତ ହୋଇ ନଗରୀର ତୋରଣଦ୍ୱାର ଅତିକ୍ରମ କରି ଶୁଭଯାତ୍ରାରେ ବାହାରିବା ସମୟରେ ମୋର ହୃଦୟ କେତେକେତେ ଆକାଂକ୍ଷା ଓ ଅଭିଳାଷରେ ଉତସ୍ପନ୍ଦିତ ହୋଇ ଉଠୁଥାଏ । ମୋର ସମ୍ମୁଖରେ ସେଦିନ ଏହି ବୃହତ୍ ପୃଥିବୀ ଉନ୍ମୁକ୍ତ ହୋଇ ରହିଥାଏ । ଯାତ୍ରାପଥର ପ୍ରତ୍ୟେକ ଦିନ ମୋତେ ଠିକ୍ ଏକ ଉତ୍ସବଦିନ ପରି ଲାଗୁଥାଏ, ରାତ୍ରିନିବାସମାନଙ୍କରେ ବ୍ୟାଘ୍ର ଓ ଚିତାଠାରୁ ସୁରକ୍ଷିତ ରହିବାକୁ ସନ୍ଧ୍ୟାପରେ ଆମେ ଜାଳିଥିବା ନିଆଁର ଚାରିପାଖରେ ରାଜଦୂତଙ୍କ ପାଖରେ ବୟସ୍କ ଓ ପରିଚିତ ଗୁରୁଜନମାନଙ୍କର ଗହଣରେ ବସିଥିବାବେଳେ ଠିକ୍ ଏକ କୁହୁକରାଜ୍ୟରେ ବସିଥିବାପରି ମନେହେଉଥାଏ ।

 

ବିଦିଶାର ମନୋରମ ଅରଣ୍ୟାଞ୍ଚଳ ଓ ବିନ୍ଧ୍ୟାଗିରିର ମାଳଭୂମି ଅତିକ୍ରମ କରିବାପରେ ଆମେ ଉତ୍ତରସ୍ଥ ସମତଳ ପ୍ରଦେଶରେ ଆସି ପହଞ୍ଚିଲୁ, ସେଠାରେ ପହଞ୍ଚି ସତେ ଯେପରି ଅନ୍ୟ ଏକ ନୂତନ ପୃଥିବୀରେ ଆସି ପହଞ୍ଚିଲା ପରି ମୋତେ ଲାଗୁଥାଏ । ପୃଥିବୀ ପ୍ରକୃତରେ ଏତେ ପ୍ରଶସ୍ତ ଓ ଏତେ ସମତଳ କେଉଁଠି ହୋଇଥିବ ବୋଲି ମୁଁ ଆଗରୁ କଳ୍ପନା ହିଁ କରିନଥିଲି । ଏବଂ ଆମ ପ୍ରବାସଯାତ୍ରାର ପ୍ରାୟ ଏକମାସ ପରେ ଦିନେ ସୁନାଖିଅ ପରି ଦୁଇଟି ଜଳଧାର ଦେଖିବାକୁ ପାଇଲୁ । ଅନ୍ଧାର ଦୁରନ୍ତର ଗର୍ଭରୁ ବାହାରି ଧାରାଦୁଇଟି ସୀମାହୀନ ସବୁଜ ସମତଳ ଉପରେ କେତେ ବକ୍ର ଓ ସହଜ ଭଙ୍ଗୀରେ ବହିଯାଉଚନ୍ତି, ତା’ପରେ ପରସ୍ପରର ସମୀପବର୍ତ୍ତୀ ହୋଇ ଶେଷକୁ ପରସ୍ପର ସହିତ ମିଳିତ ହୋଇ ଗୋଟିଏ ଧାରା ହୋଇଯାଇଚନ୍ତି ।

 

ପଛରୁ କାହାର ହସ୍ତ ମୋର ସ୍କନ୍ଧଦେଶ ସ୍ପର୍ଶ କଲା ।

 

ପଛକୁ ଅନାଇ ଦେଖିଲି, ରାଜଦୂତ ଆସି କେତେବେଳେ ମୋ’ ପାଖରେ ଠିଆ ହୋଇଚନ୍ତି ।

 

କାମନୀତ, ଦେଖି, ଏହି ହେଉଚି ପବିତ୍ର ଯମୁନା ଓ ପବିତ୍ରର ଗଙ୍ଗାନଦୀର ସଙ୍ଗମସ୍ଥାନ-। ଅଜାଣତରେ କାହା ଉଦ୍ଦେଶ୍ୟରେ ପ୍ରଣତି ଜଣାଇଲା ପରି ମୋର ହାତ ଦୁଇଟି ଉପରକୁ ଉଠିଗଲା ।

 

ହଁ, ଏହି ନଦୀ ଦୁଇଟିର ଉଦ୍ଦେଶ୍ୟରେ ଆମର ପ୍ରଣାମ କରିବା ଉଚିତ–ରାଜଦୂତ ପୁନରାୟ କହିବାକୁ ଆରମ୍ଭ କଲେ । ଶାଶ୍ୱତ କାଳରୁ ଏହିପରି ପ୍ରବାହିତ ହୋଇଆସୁଚି । ଯମୁନାର ଧାରା ମଧ୍ୟ କେଉଁ ଅନାଦି କାଳରୁ ପ୍ରବାହିତ ହେଉଚି । ଏହାର ତରଙ୍ଗ-ଦର୍ପଣ ଉପରେ ହସ୍ତିନାପୁରର ପ୍ରାଚୀନ ଭଗ୍ନାବଶେଷର ପ୍ରତିବିମ୍ବ ପଡ଼ିଚି । ଯେଉଁଠାରେ ପାଣ୍ଡବ ଓ କୌରବ ରାଜ୍ୟ ପାଇବାଲାଗି ସଂଗ୍ରାମ କରିଥିଲେ, ଯେଉଁଠି କର୍ଣ୍ଣ ଅପମାନିତ ହୋଇ ଆପଣାର ଶିବିରରେ ବସିଥିଲେ, ଯେଉଁଠି କର୍ଣ୍ଣ ଅପମାନିତ ହୋଇ ଆପଣାର ଶିବିରରେ ବସିଥିଲେ, ଯେଉଁଠାରେ ସ୍ୱୟଂ କୃଷ୍ଣ ସାରଥି ହୋଇ ଅର୍ଜୁନର ରଥ ବାହିଥିଲେ, ଏହି ଯମୁନାର ଜଳଧାରା ସେହି ସ୍ମରଣୀୟ ପ୍ରଦେଶକୁ ଧୌତ କରି ଆସୁଚି । ତୁମକୁ ଏହିସବୁ ବିଷୟ ସ୍ମରଣ କରାଇ ଦେବାର କୌଣସି ଆବଶ୍ୟକତା ନାହିଁ, କାରଣ ପ୍ରାଚୀନ ବୀରଗାଥାମାନ ତୁମର ନିଶ୍ଚୟ ମନେଥିବ । ଏହି ସ୍ଥାନରେ ମୁଁ ଅନେକଥର ଠିଆହୋଇ ସମ୍ମୁଖକୁ ଦୃଷ୍ଟିପାତ କରିଚି, କିପରି ମୋର ଡାହାଣ ପାଖରୁ ଯମୁନାର ନୀଳ ଜଳତରଙ୍ଗମାନ ଆସି ଗଙ୍ଗାର ସୁନାରଙ୍ଗର ତରଙ୍ଗଗୁଡ଼ିକର ପାଖେପାଖେ ବହି ଚାଲିଯାଇଚି, ତାହା ସହିତ ଏକାବେଳେକେ ମିଶି ନଯାଇ ତାହାର ପାର୍ଶ୍ୱବର୍ତ୍ତୀ ହୋଇ ରହିଚି । ମୋର ମନେ ହୋଇଚି ଯେପରି ଏହି ନୀଳ ଜଳତରଙ୍ଗ ସହିତ ମୁଁ ଯୁଦ୍ଧଯାତ୍ରାର ଗମ୍ଭୀର ଧ୍ୱନିମାନ ଶୁଣିବାକୁ ପାଉଚି, ମୋର କାନପାଖରେ ମୁଁ କେତେ ଅସ୍ତ୍ରର ଝନତ୍କାର ଓ କେତେ ହସ୍ତୀ ଓ ଅଶ୍ୱର ଟାପୁଶବ୍ଦ ଶୁଣିବାକୁ ପାଉଚି। ମୋର ହୃଦୟରେ କେତେ ସାହସ ଭରି ଆସିଲା ପରି ମନେହୋଇଚି । ମୋର ପୂର୍ବପୁରୁଷମାନେ ମଧ୍ୟ ଏହି ପ୍ରସିଦ୍ଧ ସମରାଙ୍ଗନରେ ଉପସ୍ଥିତ ଥିଲେ, ଏହି କୁରୁକ୍ଷେତ୍ରର ଧୂଳି ହିଁ ସେମାନଙ୍କର ବୀରରକ୍ତ ପାନ କରିଚି ।

 

ବିସ୍ମୟାଭିଭୂତ ହୋଇ ମୁଁ ଏହି କ୍ଷତ୍ରିୟବଂଶଜ ବୀରପୁରୁଷଙ୍କ ଆଡ଼କୁ ଅନାଇଲି, ଏହାଙ୍କର ବଂଶର ଇତିହାସରେ ଏହିପରି କେତେକେତେ ସ୍ମୃତି ପରିପୂର୍ଣ୍ଣ ହେଇ ରହିଥିଲା ।

 

ତା’ପରେ ମୋ’ର ହାତକୁ ଆପଣା ହାତରେ ଧରି ସେ କହିଲେ : –

 

ବସ, ଆସ, ତୁମ ପ୍ରଥମ ଯାତ୍ରାର ଗନ୍ତବ୍ୟ ସ୍ଥାନକୁ ତୁମେ ପ୍ରଣାମ କର । ଏକ ଘର ଅରଣ୍ୟ ଭିତରେ ସେ ମୋତେ ମାତ୍ର ଅଳ୍ପ କେତେ ପାଦ ଅଗ୍ରସର କରାଇନେଲେ, ସେହିଠାରେ ପହଞ୍ଚି ଆମେ ଏକ ଖୋଲାଜାଗାରେ ପହଞ୍ଚିଲୁ । ସେଠାରୁ ପୂର୍ବଦିଗକୁ ଅନାଇଲେ ଅନେକ ଦୂର ପର୍ଯ୍ୟନ୍ତ ଦୃଶ୍ୟ ହେଉଥିଲା ।

 

ଏପରି ହଠାତ୍ ଭାବରେ ଆଖି ଆଗରେ ଏତେବଡ଼ ଦିଗନ୍ତବିସ୍ତୃତ ଧରାତଳ ଦେଖିବାକୁ ପାଇ ମୁଁ ଅତ୍ୟନ୍ତ ବିସ୍ମୟରେ ଚିତ୍କାର କରି ଉଠିଲି ।

 

ସେଇଠି–ଗଙ୍ଗାନଦୀର ଏକ ମୋଡ଼ ଉପରେ ମହାନଗରୀ କୌସାମ୍ବି ଅବସ୍ଥିତ ରହିଥିଲା-

 

ସେତେବେଳେ ସୂର୍ଯ୍ୟ ଅସ୍ତହେବାକୁ ବସିଥାନ୍ତି । ଦୂରର ଗର୍ଭଭିତରୁ କୌସାମ୍ବିର ପ୍ରାଚୀର, ତୋରଣ, ଗୃହଚୂଡ଼ା ଓ ନଦୀଘାଟଗୁଡ଼ିକ ଉପରେ ଦୃଷ୍ଟିପାତ କରି ମନେହେଉଥିଲା, ସତେ ଯେପରି ସମସ୍ତ ନଗରୀଟି କେବଳ ଶୁଦ୍ଧ ସୁନାରେ ହିଁ ତିଆରି ହୋଇଚି । ପୂର୍ବକାଳରେ ବାରାଣସୀ ମଧ୍ୟ ଠିକ୍ ଏହିପରି ସୁନାରେ ତିଆରି ହୋଇଥିଲା, କିନ୍ତୁ କାଳକ୍ରମେ ନଗରବାସୀମାନଙ୍କର ପାପମୟ ଜୀବନହେତୁ ତାହା ପଥର ଓ ଚୂନରେ ପରିଣତ ହୋଇଗଲା । ସ୍ୱର୍ଣ୍ଣବର୍ଣ୍ଣ ମନ୍ଦିରଚୂଡ଼ାଗୁଡ଼ିକ ପ୍ରକୃତରେ ଗୋଟିଏ ଗୋଟିଏ ସୂର୍ଯ୍ୟପରି ପ୍ରଜ୍ଜ୍ୱଳିତ ହେଉଥିଲା । ମନ୍ଦିରଗୁଡ଼ିକର ବେଢ଼ାଗୁଡ଼ିକର ବେଢ଼ାଭିତରୁ ଆରକ୍ତ ଧୂସରବର୍ଣ୍ଣର ଧୂମକୁଣ୍ଡଳୀମାନ ଆକାଶମଣ୍ଡଳକୁ ଉଜ୍ଜିତ ହେଉଥିଲା ଏବଂ ନଦୀତଟରେ ଅବସ୍ଥିତ ଶ୍ମଶାନଭୂମିରୁ ମଧ୍ୟ ଏହିପରି ଉଜ୍ଜ୍ୱଳ ନୀଳରଙ୍ଗର ଧୂଆଁ ଦେଖାଯାଉଥିଲା । ପୁଣ୍ୟତୋୟା ନଦୀର ଜଳଦର୍ପଣ ଉପରେ ଏସବୁର ପ୍ରତିବିମ୍ୱ ପଡ଼ି ତରଙ୍ଗଗୁଡ଼ିକୁ ଚକଚକ କରି ରଖିଥିଲା । ନଦୀର ଜଳସ୍ରୋତରେ ପାଲ ଉଡ଼ାଇ କେତେ ନୌକା ଭାସି ଚାଲିଥିଲେ । ନଦୀଘାଟର ପାହାଚଗୁଡ଼ିକ କିପରି ଲୋକାରଣ୍ୟ ହୋଇ ରହିଥିଲା, ଅସଂଖ୍ୟ ଲୋକ କିପରି ପାଣିଭିତରେ ଠିଆହୋଇ ସ୍ନାନ କରୁଥିଲେ, ଏତେ ଦୂରରୁ ମଧ୍ୟ ଏସବୁ ବେଶ୍ ଦେଖାଯାଉଥିଲା । ମହୁମାଛି ଫେଣାରୁ ଏକ ଭଣଭଣ ଶବ୍ଦ ବାହାରିବା ପରି ନଗରୀଜୀବନରୁ ଉଜ୍ଜିତ ହେଉଥିବା ଆନନ୍ଦକୋଳାହଳ ଆମର କାନପର୍ଯ୍ୟନ୍ତ ଭାସିଆସୁଥିଲା ।

 

ମୁଁ ଭାବିଲି, ଏହି ନଗରୀ ହେଉଚି ତେତ୍ରିଶକୋଟି ଦେବତାଙ୍କ ବାସସ୍ଥାନ, ମଣିଷଙ୍କର ନୁହେଁ । ସମୃଦ୍ଧ ଗାଙ୍ଗେୟ ଉପତ୍ୟକା ଉପରେ ଦୃଷ୍ଟିପାତ କରି ଆମ ପାର୍ବତ୍ୟ ଅଧିବାସୀମାନଙ୍କ ଆଖିକୁ ତାହା ଠିକ୍ ଅଳକୀପୁରୀ ପରି ମନେହେଲା । ମୁଁ ଭାବିଲି, ସତେ ଯେପରି ଆଜି ମୁଁ ଧରଣୀତଳେ ପ୍ରକୃତରେ ସ୍ୱର୍ଗ ଦେଖିବାକୁ ପାଇଲି ।

 

ସେଦିନ ରାତିରେ ମୁଁ ପ୍ରାଶଦଙ୍କର ଘରେ ଅତିଥି ହୋଇ ରହିଲି । ପରଦିନ ପ୍ରଭାତ ହେଉ ନହେଉଣୁ ମୁଁ ତରତର ହୋଇ ନିକଟରେ ଥିବା ନଦୀଘାଟକୁ ଧାଇଁ ଯାଇଥିଲି ଏବଂ ନଦୀଜଳରେ ମୁଣ୍ଡବୁଡ଼ାଇ ସ୍ନାନ କରି ଆସିଲି । ସେଦିନ ମୋର ଅନୁଭୂତିକୁ ମୁଁ ଆଜିମଧ୍ୟ ବର୍ଣ୍ଣନା କରିପାରିବିନାହିଁ । ଏହି ସ୍ନାନଫଳରେ କେବଳ ମୋର ଯାତ୍ରାପଥର ସମସ୍ତ ଧୂଳି ଯେ ଧୌତ ହୋଇଗଲା ତା’ ନୁହେଁ, ମୋର ସକଳ ପାପ ମଧ୍ୟ ଧୋଇ ହୋଇ ଚାଲିଗଲା । ଅବଶ୍ୟ ସେତେବେଳେ ମୋର ଯୁବକ ବୟସ, ତେଣୁ ପାପର ସଞ୍ଚୟ ଖୁବବେଶୀ ଅଧିକ ନଥିଲା । କିନ୍ତୁ ମୁଁ ଗୋଟିଏ ବଡ଼ ବୋତଲରେ ବାପାଙ୍କ ଲାଗି ବୋତଲେ ଗଙ୍ଗାଜଳ ଯାଇ ନେଇଆସିଲି । କିନ୍ତୁ ହାୟ, ସେହି ପବିତ୍ର ଜଳ ତାଙ୍କ ପାଖରେ କୌଣସି ପ୍ରକାରେ ପହଞ୍ଚି ପାରିଲାନାହିଁ ।

 

ପ୍ରାଶଦ ଜଣେ ସମ୍ଭ୍ରାନ୍ତ ପ୍ରକୃତିର ବ୍ୟକ୍ତି, ବଡ଼ ଉଦାର । ସେ ମୋତେ ଦିନେ ବଣିକମାନଙ୍କର ଗହଣକୁ ନେଇଗଲେ ଏବଂ ତାଙ୍କର ସହୃଦୟ ସାହାଯ୍ୟ ଦ୍ୱାରା ପରବର୍ତ୍ତୀ କେତେଦିନ ଭିତରେ ମୁଁ ମୋର ପଣ୍ୟଦ୍ରବ୍ୟମାନେ ଉଚିତ ମୂଲ୍ୟରେ ବିକ୍ରୟ କରି ପାରିଥିଲେ । ଆମ ରାଜ୍ୟରେ ଯେଉଁସବୁ ଦ୍ରବ୍ୟ ଅତି ଦୁର୍ମୂଲ୍ୟ ଓ ଅତି ଦୁଷ୍ପ୍ରାପ୍ୟ, ଉତ୍ତରଦେଶରେ ଏହି ନଗରୀର ମୁଁ ବହୁପରିମାଣରେ ସେହିସବୁ ଦ୍ରବ୍ୟ କ୍ରୟ କରିନେଲି ।

 

ଏହିପରି ବଡ଼ ସଫଳ ଭାବରେ ମୋର ବ୍ୟାପାର ସାଙ୍ଗ ହେଲା । କିନ୍ତୁ ସେତେବେଳକୁ ରାଜଦୂତ ଅବନ୍ତୀକୁ ଫେରିବା ପଥରେ ଯାତ୍ରା କରିବା ବିଷୟ ଚିନ୍ତା ମଧ୍ୟ କରିନଥିଲେ । ମାତ୍ର ଏଥିପାଇଁ ମୁଁ କୌଣସି ପ୍ରକାରେ ଅସ୍ୱସ୍ତିବୋଧ କଲିନାହିଁ । କାରଣ ବର୍ତ୍ତମାନ ସମସ୍ତ ନଗରୀ ଭ୍ରମଣ କରି ଏଠାରେ ପ୍ରାପ୍ତ ସମସ୍ତ ସୁଖ ଉପଭୋଗ କରିବାଲାଗି ମୁଁ ସମ୍ପୂର୍ଣ୍ଣ ସ୍ୱାଧୀନ ଥିଲି । ପ୍ରାଶଦଙ୍କର ପୁତ୍ର ସୋମଦତ୍ତଙ୍କର ସାହଚର୍ଯ୍ୟରେ ମୋତେ ଏହି ଉପଭୋଗଗୁଡ଼ିକ ଲାଗି ପୂର୍ଣ୍ଣ ସୁଯୋଗ ମିଳିଥିଲା ।

Image

 

Unknown

କନ୍ଦୁକ-କ୍ରୀଡ଼ା

 

ସେଦିନ ଅପରାହ୍ନରେ ଭାରି ଚମତ୍କାର ପାଗ କରିଥାଏ । ଉପବନଟି ଠିକ୍‌ ଗଙ୍ଗାତଟରେ, ଘନଛାୟା ପରିପୂର୍ଣ୍ଣ ତରୁବୀଥିରେ ପୂର୍ଣ୍ଣ ହୋଇ ରହିଚି । ବଡ଼ ବଡ଼ ପୁଷ୍କରିଣୀରେ ପଦ୍ମଫୁଲ ଫୁଟିଛି, ମର୍ମର ପାହାଚରେ ପୁଷ୍କରିଣୀର ଘାଟ ବାନ୍ଧି ଦିଆଯାଇଚି, ବିଳାସଭବନମାନଙ୍କରୁ ମଲ୍ଲୀଫୁଲର ସୁବାସ ଉଠୁଚି । ପ୍ରତିଦିନ ଏହି ସମୟରେ ଲୋକମାନେ ବହୁସଂଖ୍ୟାରେ ଏହି ଉପବନକୁ ଆସନ୍ତି । ପରିଚାରକମାନେ ଆମକୁ ନେଇ ଗୋଟିଏ ଦୋଳିରେ ବସାଇଦେଲେ, ବୃକ୍ଷଶାଖାରୁ ଶୁକପକ୍ଷୀଙ୍କର ମଧୁର ସଙ୍ଗୀତ ଓ ପ୍ରେମାତୁର କୋକିଳର ହୃଦୟସ୍ପର୍ଶୀ କୁହୁକୁହୁ କୂଜନ ଶୁଣୁଶୁଣୁ ଆମେ ଦୋଳିରେ ଝୁଲିବାକୁ ଲାଗିଲୁ । ହଠାତ୍‌ ଏହି ସମୟରେ ପଥଉପରୁ ମୁଁ ମଧୁର ଅଳଙ୍କାର ଧ୍ୱନି ଶୁଣିବାକୁ ପାଇଲି ।

 

ମୋର ବନ୍ଧୁ ତତ୍‌କ୍ଷଣାତ୍‌ ଦୋଳିଉପରୁ ତଳକୁ ଡେଇଁପଡ଼ି ବଡ଼ପାଟି କରି କହିଲା–‘‘ଦେଖ, କୌସାମ୍ବିର ସବୁଠାରୁ ସୁନ୍ଦରୀ କନ୍ୟାମାନେ ବର୍ତ୍ତମାନ ଏହିବାଟେ ଆସୁଚନ୍ତି, ନଗରୀର ଧନୀ ଓ ସମ୍ଭ୍ରାନ୍ତ ବଂଶର ବଧୂମାନେ ବିନ୍ଧ୍ୟାଚଳବାସିନୀ ଦେବୀଙ୍କର ସମ୍ମାନରେ କନ୍ଦୁକକ୍ରୀଡ଼ା କରିବାକୁ ଆସୁଚନ୍ତି । ବନ୍ଧୁ, ତୁମେ ଭାରି ଭାଗ୍ୟବାନ୍‌, କାରଣ ଏହି କନ୍ଦୁକକ୍ରୀଡ଼ା ସମୟରେ ହିଁ ସେମାନଙ୍କୁ ଅବାଧରେ ଦେଖିପାରିବାର ସୁଯୋଗ ମିଳେ । ଚାଲ ଯିବା, ଏପରି ଏକ ଅମୂଲ୍ୟ ସୁଯୋଗ ହରାଇବା କଦାପି ଉିଚତ ନୁହେଁ ।’’

 

ମୁଁ ମୋ‘ର ବନ୍ଧୁଙ୍କର ଦ୍ୱିରୁକ୍ତି ପାଇଁ ଅପେକ୍ଷା ନକରି ଅନୁଗମନ କରିବାକୁ ଲାଗିଲି ।

 

ଆମେ ଯାଇ ପହଞ୍ଚିଲା ବେଳକୁ ସୁନ୍ଦରୀ ବାଳିକାମାନେ ବହୁମୂଲ୍ୟ ପ୍ରସ୍ତରଖଚିତ ଗୋଟିଏ ମଣ୍ଡପ ଉପରେ ଠିଆ ହୋଇଚନ୍ତି ଓ କ୍ରୀଡ଼ା ଆରମ୍ଭ କରବିାକୁ ପ୍ରସ୍ତୁତ ହୋଇ ରହିଚନ୍ତି । ଚକମକ ରେଶମ ଓ ସୁବାସିତ ମଖମଲ ଶାଢ଼ି ପିନ୍ଧିଥିବା, ମଣିମୁକ୍ତା ଓ ସୁବର୍ଣ୍ଣର ଚାରୁ ଅଳଙ୍କାର ଦ୍ୱାରା ବିଭୂଷିତ ହୋଇଥିବା ସୁନ୍ଦରୀ ରମଣୀମାନଙ୍କର ଏହିପରି ଏକ ଯୂଥର ଦର୍ଶନ ଲାଭ କରିବାର ସୌଭାଗ୍ୟ ଆଖିକୁ ଅତି କ୍ୱଚିତ୍‌ ମିଳିଥାଏ । କିନ୍ତୁ ଯେତେବେଳେ ସେମାନଙ୍କର କ୍ରୀଡ଼ା ଆରମ୍ଭ ହେଲା, ଯେତେବେଳେ ସେମାନଙ୍କର ଚିକ୍କଣ ସୁନ୍ଦର ତନୁଶ୍ରୀମାନ ନାନାପ୍ରକାର କୁଶଳ ସଂଚାଳନ ଓ ଲଳିତ ଆସନରେ ଜୀବନମୟ ହୋଇ ଉଠିଲା, ସେତେବେଳେ ଆନନ୍ଦକୁ ଆଉ କିପରି ଭାଷାରେ ବର୍ଣ୍ଣନା କରାଯାଇ ପାରିବ ? କିନ୍ତୁ ବର୍ତ୍ତମାନ ଅସଲ କ୍ରୀଡ଼ାର କେବଳ ଉପକ୍ରମ ମାତ୍ର ହେଉଥିଲା । ଦୀର୍ଘ ସମୟ ଧରି ଏହି ଏଣୀନୟନାମାନେ ନାନାପ୍ରକାର କ୍ରୀଡ଼ାକୌଶଳ ଦ୍ୱାରା ଆମର ହୃଦୟକୁ ଉଲ୍ଲସିତ କରିସାରିବା ପରେ, ହଠାତ୍‌ ସମସ୍ତେ ଚାରିପାଖକୁ ଆଡ଼େଇ ହୋଇଗଲେ । କେବଳ ଜଣେ ସୁନ୍ଦରୀ ମଣ୍ଡଉପରେ ଠିଆହୋଇ ରହିଲା, । ମୋର ହୃଦୟ କେନ୍ଦ୍ରରେ ଠିଆହୋଇ ରହିଲା ।

 

ଆପଣଙ୍କ ଆଗରେ ମୁଁ ସେହିସବୁ ଅନୁଭୂତିମାନ କିପରି ବର୍ଣ୍ଣନା କରିବି ! ତାହାର ଅନିନ୍ଦ୍ୟ ଦେହଲାବଣ୍ୟ ବର୍ଣ୍ଣନା କରିବାକୁ ବସିଲେ ତାହା କେବଳ ଦୁଃସାହସ ହିଁ ହେବ । କାରଣ ଏହି ବର୍ଣ୍ଣନାର ଅଧିକାର ପାଇବାପାଇଁ ମୋତେ ସ୍ୱୟଂ ଭରତମୁନିଙ୍କ ପରି ଯୋଗ୍ୟ ହେବାକୁ ପଡ଼ିବ, ତେବେ ଯାଇ ଆପଣଙ୍କର କଳ୍ପନାରେ ମୁଁ ସେହି ସୁନ୍ଦରୀର କିଞ୍ଚିତ୍‌ ପରିଚୟ ଦେଇପାରିବି । ତେଣୁ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ତାହର ତନୁଶୋଭା ଅତ୍ୟନ୍ତ ନିଖୁଣ ଥିଲା, ସେହି ତନୁର ସକଳ ଅଙ୍ଗପ୍ରତ୍ୟଙ୍ଗ ପୁଷ୍ପିତ ଯୌବନର ସତେକ ଜୀବନମୟତାରେ ଉଚ୍ଛଳିତ ହୋଇ ଉଠୁଥିଲେ । ମୋର ଆଖିକୁ ସେ ସାକ୍ଷାତ ସୌଭାଗ୍ୟ ଓ ସୌନ୍ଦର୍ଯ୍ୟର ମୂର୍ତ୍ତିମତୀ ଦେବୀ ପରି ମନେ ହେଉଥିଲା, ତା’ର ରୂପସୁଷମାକୁ ଅବଲୋକନ କରୁକରୁ ମୋର ସମସ୍ତ ଶରୀର ବିସ୍ମୟାନନ୍ଦରେ ରୋମାଞ୍ଚିତ ହୋଇଉଠିଲା । ବର୍ତ୍ତମାନ ସୌନ୍ଦର୍ଯ୍ୟର ଏହି ମୂର୍ତ୍ତିମତୀ-ଦେବୀ ଦେବୀଙ୍କର ସମ୍ମାନାର୍ଥେ ତା’ର ବିଚକ୍ଷଣ କନ୍ଦୁକକ୍ରୀଡ଼ା ଆରମ୍ଭ କଲା । ସେ ପ୍ରଥମେ କନ୍ଦୁକଟିକୁ ଭୂମିଉପରେ ନିକ୍ଷେପ କଲା ଏବଂ କନ୍ଦୁକ ଧୀରେ ଧୀରେ ପୁଣି ଉପରକୁ ଉଠିଆସିବା ମାତ୍ରକେ ଆପଣାର ହସ୍ତାଙ୍ଗୁଳିଗୁଡ଼ିକୁ ପ୍ରସାରିତ କରି ସେ କନ୍ଦୁକକୁ ଅତି ଜୋର୍‌ରେ ଆଘାତ କଲା । କନ୍ଦୁକ ପୁଣି ଭୂମିରେ ପଡ଼ିବାମାତ୍ରକେ ସେ ପୁଣି ସେଥିରେ ଆଘାତ କରି ତାହାକୁ ଗଗନମଣ୍ଡଳକୁ ନିକ୍ଷେପ କଲା । ତାହାର ହସ୍ତର ଗତି କେତେବେଳେ ମନ୍ଥର ହୋଇ ଆସୁଥାଏ ପୁଣି କେତେବେଳେ କ୍ଷିପ୍ର ହୋଇ ଉଠୁଥାଏ; ସେ କେତେବେଳେ ମନ୍ଥର ହୋଇ ଆସୁଥାଏ, ପୁଣି କେତେବେଳେ କ୍ଷିପ୍ର ହୋଇ ଉଠୁଥାଏ; ସେ କେତେବେଳେ କନ୍ଦୁକଟିକୁ ଶାନ୍ତ କରି ଦେଉଥାଏ, ପୁଣି କେତେବେଳେ ଉତ୍‌କ୍ଷିପ୍ତ କରି ଦେଉଥାଏ; କେତେବେଳେ ଦକ୍ଷିଣ ହସ୍ତ ସଞ୍ଚାଳନ କରୁଥାଏ ଓ ପୁଣି କେତେବେଳେ ବାମହସ୍ତ ସଞ୍ଚାଳନ କରୁଥାଏ ଓ କନ୍ଦୁକଟିକୁ ନାନାଦିଗକୁ ନିକ୍ଷେପ କରୁଥାଏ । ଆପଣଙ୍କର ମୁଖମଣ୍ଡଳ ଦେଖି ମନେହେଉଚି ଯେ ଆପଣ କନ୍ଦୁକକ୍ରୀଡ଼ାର କୌଶଳମାନ ଖୁବ୍‌ଭଲ ଭାବରେ ଜାଣିଛନ୍ତି, ତେଣୁ ଆପଣଙ୍କୁ ମୁଁ ଏତିକି କହିଲେ ଯଥେଷ୍ଟ ହେବ ଯେ ଦେଶର ସର୍ବପ୍ରସିଦ୍ଧ ଖେଳାଳି ଚୂର୍ଣ୍ଣପାଦ ଓ ଜିତମାର୍ଗ ମଧ୍ୟ କଦାପି ଏପରି ଅଦ୍ଭୁତ କୌଶଳର ସହିତ କନ୍ଦୁକକ୍ରୀଡ଼ା ପ୍ରଦର୍ଶନ କରି ପାରିନଥାନ୍ତେ-

 

କିନ୍ତୁ ତା’ ପରେ ମୁଁ ଯାହା ଦେଖିଲି, ତାହା ମୁଁ ଆଗରୁ କେବେ ଦେଖିନଥିଲି କିମ୍ବା ଶୁଣିନଥିଲି । ସେ ଆପଣା ହାତରେ ସୁନେଲି ରଙ୍ଗର ଦୁଇଟି ପେଣ୍ଡୁ ଧରିଲା ଏବଂ ପରିହିତ ମଣିମୁକ୍ତାର ଶବ୍ଦଛନ୍ଦରେ ତାହାର ପଦଯୁଗଳ ନୃତ୍ୟ କରୁଥିବା ସମୟରେ ସେ ପେଣ୍ଡୁ ଦୁଇଟିକୁ ହାତ ଉପରେ ରଖି ଏପରି ଚତୁର ଦକ୍ଷତାର ସହିତ ନାନା ବକ୍ରମାର୍ଗରେ ଉପରକୁ ନିକ୍ଷେପ କରିବାକୁ ଲାଗିଲା ଯେ ଦେଖିଲାବେଳକୁ କୌଣସି ପଞ୍ଜୁରିର ସୁନାକାଠି ଭିତରେ ଗୋଟିଏ କୁହୁକ ଚଢ଼େଇ ସତେଅବା ଫକଫକ ଡେଉଁଥିବା ପରି ଭ୍ରମ ହେଲା ।

 

ଠିକ୍‌ ଏହି ସମୟରେ ହଠାତ୍‌ ମୋର ତା’ସହିତ ଆଖିକୁ ଆଖି ମିଳିଗଲା । ହେ ଆଗନ୍ତୁକ, ମୁଁ ଆଜିମଧ୍ୟ ବୁଝିପାରୁନାହିଁ, କୌଣସି ଏକ ଆନନ୍ଦମୟ ସ୍ୱର୍ଗରେ ପୁନର୍ଜନ୍ମ ଲାଭ କରିବାକୁ ମୁଁ ଠିକ୍‌ ସେହି ମୁହୂର୍ତ୍ତରେ କାହିଁକି ମରିକରି ତଳେ ପଡ଼ି ନଗଲି । କିନ୍ତୁ ମମ୍ଭବତଃ ଏହି ଜୀବନରେ ମୋର ପୂର୍ବଜନ୍ମର କର୍ମଫଳ ଭୁଞ୍ଜିବା ସମାପ୍ତ ହୋଇ ନଥିଲା, ତାହାରି ଅବଶେଷ ହିଁ ପ୍ରକୃତରେ ଆଜିପର୍ଯ୍ୟନ୍ତ ମୋତେ ନାନା ଭୟଙ୍କର ବିପଦ ମଧ୍ୟ ଦେଇ ଗତି କରାଇ ଆଣିଲାଣି, ହୁଏତ ଆହୁରି ଅନେକ ଭୁଞ୍ଜିବାକୁ ବାକି ମଧ୍ୟ ରହିଚି ।

 

ହଠାତ୍‌ ଏତିକିବେଳେ ଗୋଟିଏ କନ୍ଦୁକ ସେହି ସୁନ୍ଦରୀର ହାତରୁ ଖସିଗଲା ଓ ମଣ୍ଡପର ତଳେ ଯାଇ ପଡ଼ିଲା । କେତେକେତେ ଯୁବକ ତାହାକୁ ଧରିବାଲାଗି ସେହି ଆଡ଼କୁ ଧାଇଁଗଲେ । ମୁଁ ଏବଂ ଧନୀଘରର ପୁଅ ପରି ବହୁମୂଲ୍ୟ ପୋଷାକ ପରିହିତ ଆଉଜଣେ ଯୁବକ ଏକାବେଳେକେ ପେଣ୍ଡୁଟିକୁ ଧରିବାକୁ ଯାଇ ପରସ୍ପର ସହିତ କଳହ କରିବାକୁ ଆରମ୍ଭ କରିଦେଲୁ । କନ୍ଦୁକଟିକୁ କେହି କାହାରିକୁ ନ ଦେବାକୁ ଜିଦ୍‌ ଧରି ବସିଲୁ । ପିଲାଦିନରୁ ତ ମୋତେ କୁସ୍ତିକୌଶଳ ଭଲଭାବରେ ଜଣାଥିଲା, ମୁଁ ଭାରି ଜୋର୍‌ରେ ତା’ର ଗୋଡ଼ରେ ଗୋଟାଏ ଗୋଇଠା ପକାଇଲି । ଆପଣାକୁ ସମ୍ଭାଳିନେବା ଉଦ୍ଦେଶ୍ୟରେ ସେ ମୋର ବେକରେ ଥିବା ମଣିମାଳଟିକୁ ଜାବୁଡ଼ି କରି ଧରିଲା । ସେହି ମଣିମାଳା ସହିତ ଗୋଟିଏ କବଚ ମଧ୍ୟ ବନ୍ଧା ହୋଇଥିଲା । ମଣିମାଳାଟି ଛିଡ଼ିଯାଇ ଦୁଇଖଣ୍ଡ ହୋଇଗଲା, ଯୁବକଟି ଦୁଲ୍‌କରି ତଳେ ପଡ଼ିଗଲା ଓ ଏହି ଅବସରରେ ମୁଁ ପେଣ୍ଡୁଟିକୁ ଧରିନେଲୁ । ଏହା ଦେଖି ସେ ପୁଣି ତଳୁ ଉଠି ମୋ’ ଆଡ଼କୁ ଦଉଡ଼ି ଆସିଲା ଓ ମୋର ଗୋଡ଼କୁ ଧରିଲା । କବଚଟି ସେପରି କିଛି ବହୁମୂଲ୍ୟ ପଥରରେ ତିଆରି ହୋଇନଥିଲା, କିନ୍ତୁ ଏହା ସବୁପ୍ରକାର ବିପଦ ସମୟରେ ମୋର ଜୀବନକୁ ନିରାପଦ କରି ରଖୁଥିଲା–ଏବଂ ଯେତେବେଳେ ସେ ଦ୍ୱିତୀୟ ଥର ପାଇଁ ଆସି ମୋତେ ଧରିଲା, ସେତେବେଳେ ଆଉ କବଚଟି ମୋ’ ଦେହରେ ନଥିଲା ।

 

ତଥାପି ଏଥିଲାଗି କଣ ମୁଁ ହଟି ଯାଇଥାନ୍ତି ? ତା’ର ହସ୍ତକମଳର ସ୍ପର୍ଶ ବାଜିଥିବା କନ୍ଦୁକଟିକୁ ମୁଁ ବର୍ତ୍ତମାନ ଆପଣା ହାତରେ ଧରିଥିଲି । କନ୍ଦୁକକ୍ରୀଡ଼ାରେ ମୁଁ ଚିରଦିନ ଅତ୍ୟନ୍ତ ପାରଙ୍ଗମ ଥିଲି, ତେଣୁ ଏପରି ଲାଖ କରି ମୁଁ କନ୍ଦୁକଟିକୁ ଫୋପାଡ଼ିଦେଲି ଯେ ତାହା ଆସି ମଣ୍ଡପର ଗୋଟିଏ କୋଣ ଉପରେ ବାଜିଲା ଏବଂ ସେଠାରେ ଆଘାତ ପାଇ ଉପରକୁ ଉଠିଯାଇ ସୁନ୍ଦରୀ ଯୁବତୀର ହାତପାଖରେ ଆସି ପହଞ୍ଚିଗଲା । ଏତେବେଳଯାଏ ସୁନ୍ଦରୀ ଦ୍ୱିତୀୟ କନ୍ଦୁକଟି ନେଇ କ୍ରୀଡ଼ାପ୍ରଦର୍ଶନ କରୁଥିଲା ଏବଂ ବର୍ତ୍ତମାନ ପ୍ରଥମଟିକୁ ପୁଣି ହାତରେ ଧରିନେଇ ସେ ପୂର୍ବପରି ତାର କ୍ରୀଡ଼ା ଆରମ୍ଭ କରିଦେଲା, ଉପସ୍ଥିତ ଅସଂଖ୍ୟ ଦର୍ଶକମାନଙ୍କ ମଧ୍ୟରେ ପୁଣି ଆନନ୍ଦକୋଳାହଳ ଉଛୁଳି ପଡ଼ିଲା ।

 

ଏତିକିବେଳେ ଲକ୍ଷ୍ମୀଙ୍କର ସମ୍ମାନରେ ପ୍ରଦର୍ଶିତ ହେଉଥିବା କନ୍ଦୁକକ୍ରୀଡ଼ା ଶେଷ ହେଲା । ସୁନ୍ଦରୀ ବାଳିକାମାନେ ମଣ୍ଡପରୁ ଅଦୃଶ୍ୟ ହୋଇଗଲେ ଏବଂ ଆମେ ମଧ୍ୟ ଗୃହାଭିମୁଖରେ ପ୍ରତ୍ୟାବର୍ତ୍ତନ କଲୁ ।

 

ବାଟରେ ଗଲାବେଳେ ସୋମଦତ୍ତ ଭାବୁଥିଲେ ଯେ ଭଲ ହେଲା, ଏହି ଆନନ୍ଦ ଦରବାରର ମୋତେ କିଛି ପ୍ରାପ୍ତି ହେବନାହିଁ । କାରଣ ଯେଉଁ ଯୁବକଟି ସହିତ ଲଢ଼ାଇ କରି ମୁଁ କନ୍ଦୁକଟି ଛଡ଼ାଇ ନେଇଆସିଲି, ସେ ହେଉଚି ଏହି ରାଜ୍ୟର ଆମାତ୍ୟଙ୍କର ପୁତ୍ର । ମୋତେ ଚାହିଁ ସେ ଯେ କିପରି ଏକ ତୀବ୍ର ଘୃଣା ଓ ବିଦ୍ୱେଷରେ ଜଳି ଯାଉଥିଲା, ସେକଥା ଦର୍ଶକମାନେ ଅତି ସ୍ପଷ୍ଟଭାବରେ ଲକ୍ଷ୍ୟ କରି ପାରିଚନ୍ତି । କିନ୍ତୁ ମୁଁ ଏସବୁ ପ୍ରତି ସେତେବେଳେ ସମ୍ପୂର୍ଣ୍ଣ ଉଦାସ ରହିଥିଲି-। ମୋର ଧ୍ୟାନର ଅଧିଷ୍ଠାତ୍ରୀ ଦେବୀ ସେହି ସୁନ୍ଦରୀର ମୁଁ କିପରି ଟିକିଏ ପରିଚୟ ପାଇଥାନ୍ତି, ସେତେବେଳେ ମୁଁ କେବଳ ସେହିକଥା ହିଁ ଭାବୁଥିଲି । କିନ୍ତୁ ସେ ବିଷୟରେ କୌଣସି ପ୍ରଶ୍ନ କରିବାକୁ ମୁଁ ବଡ଼ ସଙ୍କୋଚ ବୋଧ କରୁଥାଏ ଏବଂ କାଳେ ସେହି ସୁନ୍ଦରୀ କନ୍ୟାଟିକୁ ନେଇ ସୋମଦତ୍ତ ମୋତେ ପରିହାସ କରିବାକୁ ଆରମ୍ଭ କରିବ, ସେଥିଲାଗି ସତେ ଯେପରି ଅତ୍ୟନ୍ତ ଉଦାସୀନ ଭାବରେ ମୁଁ ସେହି କନ୍ୟାର କନ୍ଦୁକକ୍ରୀଡ଼ାକୌଶଳ ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲି । କିନ୍ତୁ ଭାରି ବାହାଦୂରୀ ଦେଖାଇ କହିଲି ଯେ ମୋର ଜନ୍ମଭୂମି ଉଜ୍ଜୟିନୀରେ ଏବରି ଚତୁର କନ୍ଦୁକଖେଳାଳୀ କେତେ ଅଛନ୍ତି । ମୁଁ ଭଲକରି ଜାଣିଥିଲି ଯେ ମୁଁ ମିଥ୍ୟାକଥା କହିଲି, ତେଣୁ ହୃଦୟ ଭିତରେ ସେହି ନିରୁପମା ପାଖରେ ମୋତେ କ୍ଷମାଭିକ୍ଷା କରିବାକୁ ହେଲା ।

 

ସେଦିନ ରାତିରେ ମୋର ଆଖିକୁ ଆଦୌ ନିଦ ଆସିଲାନାହିଁ । ମୁଁ କେବଳ ଆଖିବୁଜି ବିଛଣା ଉପରେ ପଡ଼ି ରହିଥାଏ, ସେହି ଅତୁଳନୀୟ ତନୁଶୋଭାର କଳ୍ପନା କରି ମୁଁ ବାରବାର ବିଚଳିତ ହୋଇ ପଡ଼ୁଥାଏ । ତହିଁ ଆରଦିନ ମୁଁ ଉଦ୍ୟାନକୁ ଯାଇ ଏକାକୀ ଚୁପ୍‌କରି ବସିରହିଲି; ଜନପଥର କୌଣସି କୋଳାହଳ ସେଠାରେ ପହଞ୍ଚି ପାରୁନଥିଲା, ଗୋଟିଏ ଆମ୍ବଗଛର ତଳେ ଥିବା ବାଲୁକାସ୍ତୂପ ମୋର ପ୍ରୀତିସନ୍ତପ୍ତ ଶରୀରକୁ ଟିକିଏ ଶୀତଳ କରିବାର ଚେଷ୍ଟା କରୁଥିଲା । ଏହି ନିକାଞ୍ଚନ ସ୍ଥାନରେ ସପ୍ତସ୍ୱରୀ ବୀଣାଟି ମୋର ଏକମାତ୍ର ସହଚର ହୋଇ ରହିଥିଲା, ତାହାରି ପାଖରେ ହିଁ ମୁଁ ମୋର ସମସ୍ତ ଅତୃପ୍ତ ଅଭିଳାଷର ନିବେଦନ କରୁଥିଲି ।

 

ମଧ୍ୟଦିନର ସୂର୍ଯ୍ୟତାପ କ୍ରମେ ଶୀତଳ ହୋଇ ଆସିଲା, ଏଥର ବାହାରେ କୁଆଡ଼କୁ ଟିକିଏ ଭ୍ରମଣ କରିଯିବା ସମ୍ଭବ ହେବ । ଆମେ କାଲି ଯେଉଁ ପ୍ରମୋଦ କାନନକୁ ଯାଇଥିଲୁ, ଆଜି ମଧ୍ୟ ମୋ ସହିତ ସେହିଠାକୁ ଯିବାଲାଗି ମୁଁ ସୋମଦତ୍ତକୁ ଅନୁରୋଧ କଲି । ତା’ର କିନ୍ତୁ ପକ୍ଷୀ ଲଢ଼େଇ ଦେଖିଯିବାପାଇଁ ଅଧିକ ଇଚ୍ଛା ଥିଲା । କିନ୍ତୁ ଆଜି ଏହି ବୃହତ୍‌ ଉପବନକୁ ଆସିବା କେବଳ ବ୍ୟର୍ଥ ହିଁ ହେଲା । ମୁଁ ଉପବନର କେତେକେତ ଆଡ଼େ ବୁଲି ଦେଖିଲି । କେତେକେତେ ବାଳିକା ସେଠାରେ ଭର୍ତ୍ତିହୋଇ ରହିଥିଲେ, ସବୁଠାରେ ସେମାନେ କ୍ରୀଡ଼ାରତ ଥିଲେ, ସତେଅବା କେବଳ ମୋତେ ବାତୁଳଙ୍କ ପରି ଏକ ବୃଥା ଆଶା ନେଇ ବୁଲାଇବାଲାଗି ସେମାନେ ଏହି କ୍ରୀଡ଼ାମାନ ଦେଖାଉଥିଲେ ! କିନ୍ତୁ ସମସ୍ତଙ୍କ ଭିତରେ ମୁଁ ଯେଉଁ ଜଣକୁ ଖୋଜି ବୁଲୁଥିଲି, କାଲି ଲକ୍ଷ୍ମୀଙ୍କର ସମ୍ମାନାର୍ଥେ ଯିଏ କ୍ରୀଡ଼ା ପ୍ରଦର୍ଶନ କରିଥିଲା, କୌଣସିଠାରେ ତାହାର ଦେଖା ମିଳିଲାନାହିଁ ।

 

ଗଙ୍ଗାକୂଳରେ ଏହି ବିଶେଷ ଜୀବନର ଉପଭୋଗ କରିବାଲାଗି ମୋ’ ଭିତରେ ଏକ ଅତ୍ୟନ୍ତ ବଳବତୀ ଆକାଂକ୍ଷା ଜାତ ହେଲା । ସେଠାରେ ଯେତେ ଯେତେ ଘାଟ ଥିଲା, ଆମେ ସବୁ ଘାଟକୁ ବୁଲି ଯାଇଥିଲୁ ଏବଂ ଶେଷରେ ପ୍ରତିଦିନ ସନ୍ଧ୍ୟାରେ ପବିତ୍ର ଗଙ୍ଗାନଦୀର ଜଳଶଯ୍ୟା ଉପରେ ବିଳାସ-ବିହାର କରୁଥିବା ଅସୁମାରି ନଉକାଗୁଡ଼ିକ ଭିତରେ ମିଶିଯିବା ପାଇଁ ଗୋଟିଏ ନଉକାରେ ଯାଇ ବସିଲୁ । ଅସ୍ତଗାମୀ ସୂର୍ଯ୍ୟର ରଙ୍ଗବିଳାସ ଓ ସ୍ୱର୍ଣ୍ଣମୟୀ ଆଭା ଅନ୍ଧାର ଭିତରେ ନିଭିଗଲା ପର୍ଯ୍ୟନ୍ତ ଓ ଜଳଧାର ଉପରେ ଏଠିସେଠି ଛୋଟଛୋଟ ଆଲୋକ ଓ ନିଆଁହୁଳାମାନ ଜଳିଉଠିବା ପର୍ଯ୍ୟନ୍ତ ପ୍ରତିଦିନ ଏହି ସନ୍ଧ୍ୟାବିହାର ଚାଲୁଥିଲା ।

 

କିନ୍ତୁ ଶେଷରେ ମୋତେ ସମସ୍ତ ଆଶା ପରିତ୍ୟାଗ କରିବାକୁ ପଡ଼ିଲା ଏବଂ ଭିତରେ ତଥାପି ବାସନାର ଜ୍ୱାଳା ଜଳୁଥିଲେ ମଧ୍ୟ ନାଉରିଆକୁ ମୁଁ ଘାଟରେ ନଉକା ଲାଗାଇବାକୁ ନିର୍ଦ୍ଦେଶ ଦେଇଥିଲି ।

Image

 

କୁହୁକ ଚିତ୍ରପଟ

 

ସେଦିନ ବିନିଦ୍ର ରଜନୀ ଯାପନ କରିବାପରେ ମୁଁ ମୋର କୋଠରିଟି ଭିତରେ ପଡ଼ି ରହିଥାଏ । ପ୍ରମୋଦବନକୁ ଯିବାର ସମୟ ଉପସ୍ଥିତ ହେବାଲାଗି ଆହୁରି ଅନେକ ବିଳମ୍ବ ଥାଏ । ତେଣୁ ସେହି ସମୟ ପର୍ଯ୍ୟନ୍ତ ସେହି ସୁନ୍ଦରୀର ଚିତ୍ରପ୍ରତିମାରେ ପୂର୍ଣ୍ଣ ହୋଇ ରହିଥିବା ମୋର ମନଟାକୁ ଅନ୍ୟ କୌଣସି-ନା-କୌଣସି କାମରେ ବ୍ୟସ୍ତ ରଖି ଭୁଲାଇ ରଖିବାକୁ ମୁଁ ରଙ୍ଗ ଓ ତୁଳୀ ନେଇ ପଟା ଉପରେ ତାହାର ଗୋଟିଏ ଛବି ଆଙ୍କିବାର ଚେଷ୍ଟା କଲି; କନ୍ଦୁକକ୍ରୀଡ଼ା କରି ନୃତ୍ୟଭଙ୍ଗୀରେ ବୁଲିପଡ଼ିଲା ବେଳକୁ ସେ ଯେଉଁପରି ଦିଶୁଥିଲା, ଠିକ୍‌ ସେହିପରି ଗୋଟିଏ ଛବି ।

 

କିନ୍ତୁ ତଥାପି ମୁହୁର୍ତ୍ତକ ପାଇଁ ମୁଁ ତାକୁ ମୋ’ ଠାରୁ ଅନ୍ତର କରିପାରିଲିନାହିଁ । ମଧୁରକଣ୍ଠ ଚକୋର କେବଳ ଚନ୍ଦ୍ରକଳାର ଅମୃତ ପାନ କରି ବଞ୍ଚିରହେ, ସେହି ସୁନ୍ଦରୀର ରୂପଚନ୍ଦ୍ରିକାରୁ ଝରିପଡ଼ୁଥିବା କିରଣ କଣାଦ୍ୱାରା ହିଁ ମୁଁ ସେହିପରି ଜୀବନ ଧାରଣ କରିଥିଲି । ଅବଶ୍ୟ ଏହି କିରଣକଣା ମୋତେ କେବଳ ସ୍ମୃତିର କୁହେଳି ଭିତରୁ ହିଁ ଉପଲବ୍ଧି ହେଉଥିଲା । ତଥାପି ପ୍ରାଣ ଭିତରେ ଏହିପରି ଏକ ବିଶ୍ୱାସ ମୋତେ ଭାରି ଆଶ୍ୱାସନା ଦେଇ ରଖିଥିଲା ଯେ ଆଜି ସନ୍ଧ୍ୟାରେ ପ୍ରମୋଦ ବନରେ ପୁଣି ମୁଁ ପୂର୍ଣ୍ଣଦର୍ଶନର ସୌଭାଗ୍ୟ ଲାଭ କରିବି । କିନ୍ତୁ ଆଜି ମଧ୍ୟ ମୋତେ ଠିକ୍‌ କାଲିପରି ନିରାଶ ହେବାକୁ ପଡ଼ିଥିଲା ।

 

ଆଜି ସେମାଦତ୍ତ ମୋତେ ଗୋଟିଏ କ୍ରୀଡ଼ାଭବନକୁ ନେଇଯିବାକୁ ଇଚ୍ଛା ପ୍ରକାଶ କଲା, କାରଣ କଳି ଆସି ଘୋଟିବାପରେ ନଳରାଜାଙ୍କ ପରି ସେ ଦ୍ରୂତକ୍ରୀଡ଼ାପାଇଁ ପାଗଳପ୍ରାୟ ହୋଇପଡ଼ିଥିଲା । ସତେ ଯେପରି ମୋତେ ଭାରି କ୍ଲାନ୍ତ ଲାଗିଲାଣି, ମୁଁ ଏହିପରି ଛଳନା କରିବାକୁ ଲାଗିଲି । କିନ୍ତୁ ଘରକୁ ଫେରି ନଆସି ମୁଁ ପୁଣି ଘାଟଆଡ଼କୁ ଗଲି ଓ ପୁଣି ନଉକା ଚଢ଼ି ନଦୀରେ ବିହାର କଲି । କିନ୍ତୁ ଦୁର୍ଭାଗ୍ୟବଶତଃ କାଲିପରି ଆଜି ମଧ୍ୟ ମୋର ସମସ୍ତ ଆଶା ବ୍ୟର୍ଥ ହୋଇଗଲା-

 

ଯେତେ ଚେଷ୍ଟା କଲେ ମଧ୍ୟ ମୋର ଆଖିକୁ ମୁହୂର୍ତ୍ତକ ଲାଗି ମଧ୍ୟ ନିଦ କଦାପି ଆସିବ ନାହିଁ, ଏହିକଥା ଭଲକରି ଜାଣିସାରିବା ପରେ ମୁଁ ଜାଣିଶୁଣି ବିଛଣା ଛାଡ଼ିଦେଲି ଏବଂ ଶୟନ କକ୍ଷର ମୁଣ୍ଡ ପାଖକୁଥିବା ତୃଣଭୂମି ଉପରେ ଯାଇ ବସିଲି । ଏହି ତୃଣଭୂମିଟି ସାଧାରଣତଃ ପ୍ରାର୍ଥନା ମଣ୍ଡପ ଭାବରେ ବ୍ୟବହୃତ ହେଉଥିଲା । ଏହିଠାରେ ବସି ମୁଁ ସମସ୍ତ ସନ୍ତର୍ପଣରେ ରାତ୍ରି ଯାପନ କରିଥିଲି । ଅନ୍ତର ଭିତରେ ସେହି ପ୍ରେମର କଳ୍ପନାମାନ କରୁକରୁ ସେହି ପଦ୍ମାସନା ଲକ୍ଷ୍ମୀର ସ୍ୱର୍ଗୀୟ ଶାଶ୍ୱତ ମୂର୍ତ୍ତି ଉଦ୍ଦେଶ୍ୟରେ ପ୍ରାର୍ଥନା କରିବାରେ ଲାଗିଥିଲି ।

 

ପ୍ରଭାତର ସୁର୍ଯ୍ୟ ଉଦିତ ହେଲାବେଳକୁ ମୁଁ ତୂଳୀ ଓ ରଙ୍ଗ ନେଇ ପୁଣି ମୋର କାମରେ ବସି ଯାଇଥିଲି ।

 

ଏହିପରି ଭାବରେ କେତେ ପ୍ରହର ଅତିକ୍ରାନ୍ତ ହୋଇଗଲା । ହଠାତ୍‌ ଏତିକିବେଳେ ସୋମଦତ୍ତ ଆସି ଗୃହଭିତରେ ପ୍ରବେଶ କଲା । ତାହାର ପଦଶବ୍ଦ ଶୁଣିପାରି ମୁଁ ତରତର ହୋଇ ଶିଳ୍ପସାମଗ୍ରୀଗୁଡ଼ିକୁ ବିଛଣାତଳେ ଲୁଚାଇଦେଲି । ଅତି ସ୍ୱାଭାବିକ ଓ ଅସଚେତ ଭାବରେ ମୁଁ ଏହି କାର୍ଯ୍ୟଟି ସମ୍ପନ୍ନ କରିଥିଲି ।

 

ଗୋଟିଏ ଛୋଟିଆ କାଷ୍ଠାସନ ନେଇ ସେମାଦତ୍ତ ମୋ’ ପାଖରେ ବସିପଡ଼ିଲା ଓ ମୁରୁକି ମୁରୁକି ହସି ମୋ’ ଆଡ଼କୁ ଦୃଷ୍ଟିପାତ କରିବାକୁ ଲାଗିଲା ।

 

ସେ କହିଲା–ମୁଁ ବେଶ୍‌ ଦେଖିପାରୁଚି ଯେ ଆମର ଏହି ବାସଗୃହ ଅତିଶୀଘ୍ର ଜଣେ ବଡ଼ ମହାତ୍ମାଙ୍କର ନିଷ୍କ୍ରମଣ ସ୍ଥାନ ହେବାର ପ୍ରସିଦ୍ଧି ପ୍ରାପ୍ତ ହେବାକୁ ଯାଉଚି । ଅତି କଠୋର କୃଚ୍ଛ୍ରସାଧନା କରୁଥିବା ସନ୍ନ୍ୟାସୀମାନେ ଯେଉଁପରି ଆଚରଣ କରନ୍ତି, ତୁମେ ଠିକ୍‌ ସେହିପରି ଆଚରଣ କରିବାକୁ ଆରମ୍ଭ କଲଣି ଏବଂ କ୍ରମେ ଶଯ୍ୟାରେ ଶୋଇବାର ବିଳାସ ମଧ୍ୟ ଛାଡ଼ିଲେଣି । ତକିଆ ବା ବିଛଣା ଉପରେ ତୁମ ଶରୀର ଲାଗିଥିବାର ଏତେ ଟିକିଏ ଚିହ୍ନ ମଧ୍ୟ ମୁଁ ଦେଖିବାକୁ ପାଉନାହିଁ । ଚାଦରରେ ମଧ୍ୟ କେଉଁଠି ହେଲେ ଏତେ ଟିକିଏ ଭାଙ୍ଗ ପଡ଼ିନାହିଁ । ତୁମର ଶରୀର ମଧ୍ୟ ଟିକିଏ କୃଶ ଦେଖାଯାଉଚି, କିନ୍ତୁ ତଥାପି ତାହାର ଓଜନରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହି ଘାସ ଉପରକୁ ଅନାଇଲେ ତାହାର ଅତି ସ୍ପଷ୍ଟ ପ୍ରମାଣ ମିଳୁଚି । ସେହିଠାରେ ବସି ତୁମେ ପ୍ରାର୍ଥନା ଓ ଆରାଧନାରେ ସମସ୍ତ ରାତ୍ରି ଅତିବାହିତ କରି ଦେଇଚି । କିନ୍ତୁ ମୋର ଅନୁମାନ ଯେ ଏପରି ଜଣେ ପବିତ୍ରାତ୍ମା ମହାପୁରୁଷଙ୍କ ପକ୍ଷରେ ଏପରି ଗୋଟାଏ ସାଂସାରିକ ବାସଭବନ ଆଦୌ ଉପଯୁକ୍ତ ହେବନାହିଁ । ଏଠି ମେଜ ଉପରେ କଜ୍ଜ୍ୱଳ ଓ ଅନ୍ୟାନ୍ୟ ପ୍ରସାଧନ ଦ୍ରବ୍ୟ ଥୁଆହୋଇଚି, ଅବଶ୍ୟ ତୁମେ ତାହାକୁ ସ୍ପର୍ଶ ମଧ୍ୟ କରିନାହିଁ । ଏକ ପାତ୍ରରେ ଚନ୍ଦନର ଚୂର୍ଣ୍ଣ ରହିଚି, କଳସର ସୁବାସିତ ଜଳ ରହିଚି, ଡବା ଭିତରେ କମଳାଲେମ୍ବୁ ଗଛର ଛେଲି ଓ ତାମ୍ବୁଳ ସଜ୍ଜିତ ହୋଇ ରହିଚି । ଶଯ୍ୟାରେ ପୁଷ୍ପର ମାଳାମାନ ରହିଚି, ବାଦ୍ୟଯନ୍ତ୍ର ମଧ୍ୟ ଅଛି । କିନ୍ତୁ ସେଠି କଣ୍ଟାରେ ଝୁଲୁଥିବା ଚିତ୍ର କରିବା ପଟାଟା କୁଆଡ଼େ ଗଲା ?

 

ମୁଁ ଲଜ୍ଜାରେ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇପାରୁନଥାଏ । ଇତ୍ୟବସରେ ସୋମଦତ୍ତ ସେହି ପଟାଟିକୁ ଆବିଷ୍କାର କଲା ଓ ମୋର ବିଚଣା ତଳୁ ସେଇଟିକୁ ଟାଣି ବାହାର କରିନେଲା ।

 

ସୋମଦତ୍ତ ଚିତ୍କାର କରି କହିବାକୁ ଲାଗିଲା–ଏପରି ଯାଦୁକର ତ ମୁଁ କେଉଁଠି ହେଲେ ଦେଖିନାହିଁ ! ଏହି ପଟାଟିକୁ ମୁଁ କଣ୍ଟାରେ ଝୁଲାଇ ରଖିଥିବାବେଳେ ଏହା ଉପରେ କୌଣସି ପ୍ରକାରର ଛବି ନଥିଲା, କିନ୍ତୁ ଯାଦୁକର ଆପଣାର ଯାଦୁ ପ୍ରୟୋଗ କରି ଏହା ଉପରେ କନ୍ଦୁକକ୍ରୀଡ଼ାରତା ଏକ ବାଳିକାର ଚିତ୍ର ଅଙ୍କନ କରି ଦେଇଗଲା । ବାଳିକାଟିର କୁଟିଳ ମୁଖମୁଦ୍ରା ଦେଖି ମନେ ହେଉଚି, ଯେପରି ପ୍ରଥମେ ସେ ନାନା ପ୍ରଲୋଭନର ଜାଲ ବିସ୍ତାର କରି ସନ୍ନ୍ୟାସୀଙ୍କୁ ଆକ୍ରମଣ କରିବାକୁ ବସିଥିଲା ଏବଂ ତାଙ୍କର ମତି ଓ ବିଚାରକୁ ଭ୍ରଷ୍ଟ କରିଦେବାକୁ ଚେଷ୍ଟା କରୁଥିଲା-। ହୁଏତ ଏହା କୌଣସି ଦେବତାଙ୍କର ଚକ୍ରାନ୍ତ ମଧ୍ୟ ହୋଇପାରେ । କାରଣ ଦେବତାମାନେ ପରାକ୍ରମୀ ସନ୍ନ୍ୟାସୀମାନଙ୍କର ଶକ୍ତିକୁ କିପରି ଭୟ କରନ୍ତି, ସେକଥା ଆମେ ସମସ୍ତେ ଜାଣିଚୁ । ଆଉ ଯଦି କେହି ତୁମ ପରି ଏହି କଠୋର କୃଚ୍ଛ୍ରବ୍ରତ ଆରମ୍ଭ କରିଦିଏ, ତେବେ ଏହାର ଶକ୍ତି ଯେ ବିନ୍ଧ୍ୟପର୍ବତକୁ ମଧ୍ୟ ହୋହଲାଇ ଦେଇପାରିବ ଓ ତେଣେ ଦେବତାମାନଙ୍କର ନିବାସସ୍ଥାନ ଯେ କମ୍ପିବାକୁ ଆରମ୍ଭ କରିବ, ଏଥିରେ ସନ୍ଦେହ କରିବାର କୌଣସି ଅବକାଶ ନାହିଁ । ପୁଣି ଏସବୁ କେଉଁ ଦେବତାର କାଣ୍ଡ, ସେକଥା ମଧ୍ୟ ମୁଁ ଭଲକରି ଜାଣିଚି । ସେହି ଦେବତା ହେଉଚନ୍ତି କାମଦେବ, ପୁଷ୍ପଧନୁ ପ୍ରେମର ଦେବତା । ତାଙ୍କର ନାମ ସହିତ ତୁମ ନାମର ମେଳ ମଧ୍ୟ ରହିଚି । ହେ ଭଗବାନ୍‌, ମୁଁ ଇଏ ପୁଣି କଣ ଦେଖିବାକୁ ପାଉଚି ! ଇଏତ ହେଉଚି ବଶିଷ୍ଠୀର ଚିତ୍ର; ସେହି ଧନୀ ସ୍ୱର୍ଣ୍ଣକାର-କନ୍ୟାର ଚିତ୍ର ।

 

ପ୍ରଥମଥର ପାଇଁ ମୋର ପରାଣପ୍ରିୟାର ନାମ ଶୁଣିବାକୁ ପାଇ ମୋର ହୃଦୟ ଦ୍ରୁତସ୍ପନ୍ଦନ କରିବାକୁ ଲାଗିଲା, ମୋର ମୁଖମଣ୍ଡଳ ଉପରେ ଚଞ୍ଚଳ ମନର ମୁଦ୍ରା ଅଙ୍କିତ ହୋଇଗଲା-

 

ସୋମଦତ୍ତ ପୁଣି ପରିହାସ କରି କହିବାକୁ ଆରମ୍ଭ କଲା–ବନ୍ଧୁବର, ମୁଁ ଭଲକରି ଲକ୍ଷ୍ୟ କରିପାରୁଚି ଯେ କାମଦେବଙ୍କର ଯାଦୁଗିରି ମିଷୟରେ ଏହି ଭାବନା ତୁମକୁ ସମ୍ପୂର୍ଣ୍ଣଭାବେ ଅଧିକାର କରି ସାରିଲାଣି । ତାଙ୍କର କୋପରୁ ତୁମକୁ ରକ୍ଷା କରିବାଲାଗି ଆମକୁ ଅବଶ୍ୟ କିଛି-ନା-କିଛି କରିବାକୁ ହେବ । ଏହିପରି ଏକ ପରିସ୍ଥିତରେ କୌଣସି ଏକ ନାରୀର ସୁପରାମର୍ଶ ସର୍ବଥା ଗ୍ରହଣୀୟ । ମୋର ପ୍ରିୟତମ ମେଦିନୀକୁ ମୁଁ ଏହି କୁହୁକ ଚିତ୍ରପଟଟି ନେଇ ଦେଖାଇବି । ମେଦିନୀ ମଧ୍ୟ ସେଦିନ ସେହି ନୃତ୍ୟ-ଉତ୍ସବରେ ଉପସ୍ଥିତ ରହିଥିଲା ଏବଂ ସେ ସୁନ୍ଦରୀ କନ୍ୟା ବଶିଷ୍ଠୀର ଭଗିନୀ ହିସାବ ହେବ ।

 

ଚିତ୍ରପଟଟି ହାତରେ ନେଇ ସୋମଦତ୍ତ ସେଠାରୁ ଚାଲିଯିବାକୁ ବସିଲା । ଦୁଷ୍ଟର ମତଲବକୁ ବେଶ୍ ବୁଝିପାରି ମୁଁ ତାକୁ ଟିକିଏ ଅପେକ୍ଷା କରିବାକୁ ଅନୁରୋଧ କଲି । କହିଲି, ଚିତ୍ରପଟ ଉପରେ ଧାଡ଼ିଏ କି ଦି’ ଧାଡ଼ି କିଛି ଲିପିବଦ୍ଧ ହୋଇ ରହିବା ଉଚିତ । ତା’ପରେ ସବୁଠାରୁ ବଢ଼ିଆ ଉଜ୍ଜ୍ୱଳ ନାଲିରଙ୍ଗକୁ ଗୋଳାଇ ସେହି ଅତି ଅଳ୍ପସମୟ ଭିତରେ ଗୋଲଗୋଲ ସୁନ୍ଦର ଅକ୍ଷରରେ ମୁଁ ଚାରିଧାଡ଼ି କବିତା ଅଙ୍କିତ କରି ଲେଖିଦେଲି । ଏହି କବିତାରେ ସ୍ୱର୍ଣ୍ଣକନ୍ଦୁକର ଇତିହାସ ବର୍ଣ୍ଣିତ ହୋଇ ରହିଥିଲା । କବିତାର ଧାଡ଼ିଗୁଡ଼ିକୁ ପଛଆଡ଼ୁ ପଢ଼ିଲେ ଏହି ଅର୍ଥ ବାହାରୁଥିଲା ଯେ ସୁନ୍ଦରୀ କନ୍ୟା ଯେଉଁ କନ୍ଦୁକ ଧରି କ୍ରୀଡ଼ା ପ୍ରଦର୍ଶନ କରୁଥିଲା, ତାହା ପ୍ରକୃତରେ କନ୍ଦୁକ ନୁହେଁ, ତାହା ହେଉଚି ମୋର ହୃଦୟ; ଏହାକୁ ସେ ଯେତେଥର ଦୂରକୁ ଫିଙ୍ଗି ଦେଉଥିବ, ମୁଁ ସେତେଥର ତାକୁ ତା’ ପାଖକୁ ଫେରସ୍ତ ପଠାଇ ଦେଉଥିବି । କବିତାଟିକୁ ଉପରୁ ତଳକୁ କରି ପଢ଼ିଆସିଲେ, ତା’ଠାରୁ ବିଚ୍ଛିନ୍ନ ହୋଇ ମୁଁ କିପରି ବିଚଳିତ ହୋଇ ପଡ଼ିଚି ଏବଂ ଏଥିପାଇଁ ଯେ କେବଳ ସେହି କନ୍ୟା ଦାୟୀ, ଏହିପରି ଏକ ଅର୍ଥ ପ୍ରକାଶ ପାଉଥିଲା । କିନ୍ତୁ ପୁଣି ଓଲଟାଆଡ଼ୁ ପଢ଼ି ଆସିଲେ କବିତାଟି ବୁଝାଉଥିଲା ଯେ ମୁଁ ତଥାପି ବହୁଅର୍ଥବିଶିଷ୍ଟ ଏହି କବିତାଟି ରଚନା କରିଚି, ସେ ବିଷୟରେ ପଦେହେଲେ ପ୍ରକାଶ କରି କହିଲି ନାହିଁ । ମୋର କବିତା କୌଶଳକୁ ବୁଝିପାରିବା ଭଳି ଶକ୍ତି ମଧ୍ୟ ସୋମଦତ୍ତର ନଥିଲା । କବିତାଟି ତାକୁ ଅତି ସାଧାରଣ କବିତା ପରି ମନେ ହେଲା ! ସେ ଚାହୁଁଥିଲା ଯେ ମୁଁ କାମଦେବଙ୍କ ବିଷୟରେ ଗୋଟିଏ କବିତା ଲେଖିବି–ମୋର କଠୋର ବୈରାଗ୍ୟ ସାଧନାରେ କାମଦେବ କିପରି ଭୟଭୀତ ହୋଇ ପଡ଼ିଚନ୍ତି ଏବଂ ସେଥିପାଇଁ ମୋତେ ପ୍ରଲୁବ୍ଧ କରିବା ଉଦ୍ଦେଶ୍ୟରେ ଏହି କୁହୁକ ଚିତ୍ରପଟଟି ଅଙ୍କନ କରିଚନ୍ତି–କବିତାଟିରେ ଏହି ସବୁର ବର୍ଣ୍ଣନ ରହିବ ।

 

ଛବିଟିକୁ ନେଇ ସୋମଦତ୍ତ ସେଠାରୁ ଚାଲଯିବା ପରେ ମୋର ମନ କୁଣ୍ଢେମୋଟ ହୋଇଗଲା ପରି ଲାଗିଲା, କାରଣ ଘଟଣାଟି ବର୍ତ୍ତମାନ ଏପରି ଏକ ଗତିପଥରେ ସଞ୍ଚାଳିତ ହେବାକୁ ଆରମ୍ଭ କଲା, ଯେଉଁବାଟରେ ଅଧିକ ଦୂର ଗଲେ ହୁଏତ ମୁଁ ମୋର ଅଭିଳାଷିତ ଉଦ୍ଦେଶ୍ୟ ପାଖରେ ଯାଇ ପହଞ୍ଚି ପାରିବି । ଏବେଯାଇ କୌଣସି ଖାଦ୍ୟ ବା ପାନୀୟ ଗ୍ରହଣ କରିବା ମୋ’ ପକ୍ଷରେ ସମ୍ଭବ ହେଲା ଏବଂ ଟିକିଏ ସାଷ୍ଟମ ହେବାପରେ ମୁଁ କାନ୍ଥ ଉପରୁ ବୀଣାଟି ନେଇ ତାହାର ତନ୍ତ୍ରୀଗୁଡ଼ିକରେ ମଧୁର ଆନନ୍ଦମୟ ସଙ୍ଗୀତ ଭରାଇଦେଲି ଏବଂ ନାନାପ୍ରକାର ନୂତନ ରାଗିଣୀର ସାହାଯ୍ୟରେ ‘ବଶିଷ୍ଠୀ’ ନାମଟି ବଜାଇବାକୁ ଲାଗିଲି ।

 

କେତେ ଘଡ଼ି ଅନ୍ତ ହୋଇଯିବା ପରେ ହାତରେ ଚିତ୍ରପଟଟି ନେଇ ଫେରିଆସିବା ବେଳେ ମଧ୍ୟ ସୋମଦତ୍ତ ମୋତେ ଏହି ବୀଣା ବଜାଉଥିବା ଅବସ୍ଥାରେ ଦେଖିଥିଲା ।

 

ସେ କହିଲା, ତୋର ହୃଦୟର ଶାନ୍ତିରୂପକ କନ୍ଦୁକକୁ ଖେଳିଖେଳି ନଷ୍ଟ କରି ଦେଉଥିବା ବାଳିକା ମଧ୍ୟ କବିତାରେ ପ୍ରତ୍ୟୁତ୍ତର ଲେଖି ପଠାଇଚି; କିନ୍ତୁ ସେହି କବିତା ଭିତରେ ବିଶେଷ କିଛି ଅର୍ଥ ଥିଲା ପରି ମୋତେ ଜଣା ଯାଉନାହିଁ । କିନ୍ତୁ ତା’ର ଲିପିର ସୌନ୍ଦର୍ଯ୍ୟକୁ ଅବଶ୍ୟ ଅସାଧାରଣ ବୋଲି କହିବାକୁ ହେବ ।

 

ମୋର ଆନନ୍ଦକୁ ବର୍ଣ୍ଣନା କରିବାକୁ ମୁଁ ଭାଷା ପାଉନାହିଁ । ଦେଖିଲି, ମୋର କବିତାର ଉତ୍ତର ଦେଇ ସଖୀ ଚାରିଧାଡ଼ିର କବିତାଟିଏ ଲେଖି ପଠାଇଚି, ପଟା ଉପରେ ସୁଗନ୍ଧଯୁକ୍ତ ପୁଷ୍ପର ପାଖୁଡ଼ାରେ ଲେଖି ପଠାଇଚି । ସୋମଦତ୍ତ ସେହି କବିତାରୁ କୌଣସି ପ୍ରକାର ଅର୍ଥ ବାହାର କରି ପାରିନାହିଁ, କାରଣ ମୋ’ କବିତାଟିର ଉତ୍ତରରେ ଏହି କବିତାଟି ଲେଖାଯାଇଥିଲା ଓ ସୋମଦତ୍ତ ମୋ’ କବିତାଟିର ଅର୍ଥକୁ ମଧ୍ୟ ଠିକ୍‌ କରି ବୁଝି ନଥିଲା । ସେ ମୋତେ କହିଲା ଯେ ସୁନ୍ଦରୀ ମୋ’ର କବିତା ପଂକ୍ତିଗୁଡ଼ିକୁ ଏପାଖରୁ ସେପାଖକୁ ଓ ସେପାଖରୁ ଏପାଖକୁ, ଉପରୁ ତଳକୁ ଓ ତଳୁ ଉପରକୁ ଏହିପରି ନାନାଭାବରେ ଏକାଧିକ ବାର ପାଠ କରିଚି । ଏହା ଶୁଣି ସୁନ୍ଦରୀର ଶିକ୍ଷା ଓ କଳାକୁଶଳତା ସମ୍ବନ୍ଧରେ ମୋର ଏକପ୍ରକାର ଜ୍ଞାନ ହୋଇଗଲା । ମୋର ସାହସପୂର୍ଣ୍ଣ ଚିଟାଉକୁ ଏକ ସମ୍ଭ୍ରମପୂର୍ଣ୍ଣ ସମ୍ଭାଷଣ ବୋଲି ଗ୍ରହଣ କରି ସେ ଯେଉଁ ଚମତ୍କାର କୌତୁକପୂର୍ଣ୍ଣ ପ୍ରକାଶଭଙ୍ଗୀ ଦେଖାଇଥିଲା, ସେଥିରୁ ମଧ୍ୟ ମୁଁ ତା’ର ପ୍ରସନ୍ନ ମନର ପରିଚୟ ପାଇଲି ।

 

ମୋର ବ୍ୟବହୃତ ସେହି ଗୁପ୍ତ ରଚନାଶୈଳୀର ନିୟମ ଅନୁସାରେ ମୁଁ ତା’ର ରଚିତ କବିତାରୁ ଅର୍ଥ ବାହାର କରି ବସିଲି । ହୁଏତ ସୁନ୍ଦରୀ ମୋ’ ପାଖକୁ ପ୍ରେମସମ୍ଭାଷଣ କରି କଅଣ ଲେଖି ପଠାଇଥିବ ବା ହୁଏତ କୌଣସି ସ୍ଥାନରେ ତାକୁ ଯାଇ ଭେଟିବାର କୌଣସି ଇଙ୍ଗିତ ଦେଇଥିବ, ଏହିପରି ନାନା ଆଶାରେ ମୁଁ ବିକ୍ଷୁବ୍ଧ ହୋଇ ଉଠୁଥାଏ । କିନ୍ତୁ ବୃଥା ସେ ଆଶା ! ତତ୍‌କ୍ଷଣାତ୍‌ ମୁଁ ଆପଣାର ମନେମନେ ଆପଣାକୁ କହିବାକୁ ଲାଗିଲି, ତାକୁ ଯେ ନାରୀସୁଲଭ ସମସ୍ତ କୌଶଳ ଓ ଚାତୁରୀ ଭାରି ଭଲ କରି ଜଣାଅଛି, ଏହି କବିତା ତାହାର ଏକ ପ୍ରମାଣ । ସୁନ୍ଦରୀ ଲେଖିଥିଲା, ପୁରୁଷପ୍ରକୃତିର ଧୂର୍ତ୍ତ ଓ ଦୁଃସାହସପୂର୍ଣ୍ଣ କୌଶଳଗୁଡ଼ିକୁ ବୁଝିବାଲାଗି ତା’ର ଯଥେଷ୍ଟ ସାମର୍ଥ୍ୟ ରହିଚି, କିନ୍ତୁ ସେ ଏହି ମାର୍ଗର ଅନୁଗମନ କରିବାଲାଗି ଆଦୌ ପ୍ରଲୁବ୍ଧ ହେବାକୁ ଇଚ୍ଛା କରୁନାହିଁ ।

 

ତଥାପି ସୋମଦତ୍ତର କଥା ଶୁଣି ମୋର ଉପେକ୍ଷିତ ନିରାଶ ହୃଦୟରେ ଆଶାର ସଞ୍ଚାର ହେଲା : –

 

ସୁଲୋଚନା ହୁଏତ କବିତା ରଚନା କରିବାରେ ଅଧିକ ନିପୁଣ ନ ହୋଇପାରେ, କିନ୍ତୁ ତାହାର ହୃଦୟ ଭିତରଟା ଯେ ଭାରି ଭଲ, ଏଥିରେ ଆଦୌ ସନ୍ଦେହ ନାହିଁ । ସେ ଭଲକରି ଜାଣିଚି ଯେ ମୁଁ ଆଜିକୁ ଅନେକ ଦିନ ହେଲା ମୋର ପ୍ରିୟତମା ମେଦିନୀ ସହିତ ଆଦୌ ସାକ୍ଷାତ କରିନାହିଁ-। ହଁ, କେବଳ ବଡ଼ ବଡ଼ ଅନୁଷ୍ଠାନରେ ଦୂରରେ ଥାଇ ଯାହା ଆଖିଭିତରେ ଭେଟାଭେଟି ହୋଇଚି, ସେତିକି । ତାହା ମଧ୍ୟ ଅତି ଗୋପନରେ । କିନ୍ତୁ ବର୍ତ୍ତମାନ ସେ ମମକୁ କାଲି ରାତିରେ ତା’ର ପିତାଙ୍କର ରାଜପ୍ରାସାଦ ତୁଲ୍ୟ ନିବାସର ଉଦ୍ୟାନରେ ଯାଇ ଭେଟିବାକୁ କହି ପଠାଇଚି । ଆଜି ରାତିରେ ତାହା କୌଣସି ପ୍ରକାରେ ସମ୍ଭବ ହୋଇପାରିଲା ନାହିଁ , କାରଣ ଆଜି ସ୍ୱର୍ଣ୍ଣକାର ଆପଣା ଗୃହକୁ କେତେକ ଅତିଥିଙ୍କୁ ନିମନ୍ତ୍ରଣ କରିଚନ୍ତି । ତେଣୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଅବଲମ୍ବନ କରି ରହିବାକୁ ପଡ଼ିବ । ଏହି ଅଭିନବ ଯାତ୍ରାରେ ତୁମେ ସମ୍ଭବତଃ ମୋ’ ସାଙ୍ଗରେ ସେଠାକୁ ଯିବା ଲାଗି ଅବଶ୍ୟ ଇଚ୍ଛା କରୁଥିବ, ନାଇଁ ?

 

ଏତକ କହିସାରି ସୋମଦତ୍ତ ଖିଲିଖିଲି କରି ହସିବାକୁ ଲାଗିଲା । ମୁଁ ମଧ୍ୟ ହସିବାକୁ ଆରମ୍ଭ କଲି ଓ ତା’ ସହିତ କାଲି ଯିବାପାଇଁ ଜବାବ ଦେଲି । ତା’ପରେ ଉତ୍‌ଫୁଲ୍ଲ ଓ ଉଲ୍ଲସିତ ମନରେ ଆମେ ଦୁହେଁ ଏକାଠି ବସି ପଟା ଖେଳିବାକୁ ଲାଗିଲୁ ଓ ଏହିପରି ଭାବରେ କେତେ ଘଡ଼ି ବିତାଇଦେଲୁ । ହଠାତ୍‍ ଏତିକିବେଳେ ଭୃତ୍ୟ ଆସି ଖବର ଦେଲା ବାହାରେ ଜଣେ ବିଦେଶୀ ମୋ’ ସହିତ କଥାବାର୍ତ୍ତା କରିବାକୁ ଅପେକ୍ଷା କରୁଚନ୍ତି ।

 

ବାହାର ଘରକୁ ଯାଇ ମୁଁ ରାଜଦୂତଙ୍କର ଭୃତ୍ୟକୁ ଦେଖିବାକୁ ପାଇଲି । ସେ ମୋତେ କହିଲା ଯେ ବର୍ତ୍ତମାନ ମୋତେ ଯାତ୍ରାଲାଗି ପ୍ରସ୍ତୁତ ହେବାକୁ ହେବ ଏବଂ ଆଜି ରାତିରେ ଶକଟମାନ ପ୍ରସ୍ତୁତ କରି ରାଜପ୍ରାସାଦର ପ୍ରାଙ୍ଗଣକୁ ପଠାଇ ଦେବାକୁ ହେବ, ଯେପରିକି ସିନ୍ଦୂରା ଫାଟିଲା ବେଳକୁ ଅନୁକୂଳ କରିବା ସମ୍ଭବ ହୋଇପାରିବ ।
 

 

ମୁଁ ଏକଥା ଶୁଣି ଅତିଶୟ ବିଚଳିତ ହୋଇପଡ଼ିଲି । ଭାବିବାକୁ ଲାଗିଲି, ହୁଏତ ଅଜେଣତରେ ମୁଁ କୌଣସି ଦେବତାଙ୍କର ବିରାଗଭାଜନ ହୋଇଚି । ପାରୁପର୍ଯ୍ୟନ୍ତ ଆପଣାକୁ ପ୍ରକୃତିସ୍ଥ କରି ରାଜଦୂତଙ୍କ ପାଖକୁ ଦଉଡ଼ିଲି ଏବଂ କହିଲି ଯେ ଏପର୍ଯ୍ୟନ୍ତ ମୋର ବ୍ୟାପର ସଂକ୍ରାନ୍ତୀୟ ଆହୁରି ଅନେକ କାମ ବାକି ରହିଯାଇଚି, ତେଣୁ ଏତେ ଅଳ୍ପ ସମୟରେ ମୋ’ ପକ୍ଷରେ ଯାତ୍ରା କରିବା କୌଣସି ପ୍ରକାରେ ସମ୍ଭବ ହୋଇ ପାରିବନାହିଁ ।

 

ମୋ’ର ଆଖିରୁ ତପ୍ତ ଅଶ୍ରୁ ବହି ଯାଉଥାଏ । ଯାତ୍ରା କରିବାର ତିଥିକୁ ଅନ୍ତତଃ ଆଉ ଗୋଟାଏ ଦିନ ଗଡ଼ାଇ ଦେବାଲାଗି ମୁଁ ତାଙ୍କୁ ଅନୁନୟ କରି କହିଲି ।

 

କିନ୍ତୁ ତୁମେ ପରା ମୋତେ ଆଠଦିନ ଆଗରୁ କହୁଥିଲ ଯେ ତୁମର ସବୁ କାମ ସରିଲାଣି-?

 

ମୁଁ ତାଙ୍କର ହୃଦ୍‌ବୋଧ କରାଇବାକୁ ଚେଷ୍ଟା କରି କହିଲି ଯେ ତା’ପରେ ବଡ଼ ଅପ୍ରତ୍ୟାଶିତ ଭାବରେ ଏକ ଅତି ଲାଭଜନକ ବ୍ୟାପାରରେ ସଫଳ ହେବାର ସମ୍ଭାବନା ଆସି ପହଞ୍ଚିଚି । ଅବଶ୍ୟ ଏପରି କହି ମୁଁ ଆଦୌ କୌଣସି ମିଥ୍ୟାକଥା ତାଙ୍କୁ କହି ନଥିଲି । କାରଣ ସେହି ନିରୂପମା ବାଳିକାର ପ୍ରେମ ପ୍ରାପ୍ତ ହେବା ଅପେକ୍ଷା ମୋ’ ଲାଗି ଅଧିକ ମହତ୍ତ୍ୱପୂର୍ଣ୍ଣ ଓ ସଫଳ ବ୍ୟାପାର ଆଉ କ’ଣ ହୋଇପାରେ ?

 

ଏହିପରି ଭାବରେ ଆଉ ଗୋଟିଏ ଦିନ ଅପେକ୍ଷା କରିବାଲାଗି ମୁଁ ତାଙ୍କୁ ପ୍ରବର୍ତ୍ତାଇ ପାରିଥିଲି ।

 

ତା’ ଆରଦିନ ଦିନବେଳାଟା ଆବଶ୍ୟକ ପ୍ରସ୍ତୁତିମାନ କରିବାରେ ଅତିଶୀଘ୍ର ଅତିବାହିତ ହୋଇଗଲା । ତେଣୁ ମୋର ହୃଦୟର ସକଳ ସନ୍ତାପ ଓ ସକଳ ବାସନା ସତ୍ତ୍ୱେ ମୁଁ ସମୟର ବୋଝକୁ ଆଦୌ ଅନୁଭବ କରି ପାରିଲିନାହିଁ । ବେଳ ବୁଡ଼ି ଆସିଲା ବେଳକୁ ତଳେ ପ୍ରାଙ୍ଗଣରେ ଶକଟମାନ ଯାତ୍ରା ଲାଗି ପ୍ରସ୍ତୁତ ହୋଇ ରହିଥିଲେ । ମୁଁ ଫେରିଆସିବା ମାତ୍ରକେ ଯେପରି ଆମେ ଅନୁକୂଳରେ ବାହାରିଯାଇ ପାରିବୁ, ଏହି ଅନୁସାରେ ସବୁ ତିଆରି ହୋଇ ରହିଥିଲା ।

Image

 

ଅଶୋକ-ଉଦ୍ୟାନ

 

କ୍ରମେ ଚତୁର୍ଦ୍ଦିଗ ଅନ୍ଧାର ହୋଇ ଆସିଲା । ଉପଯୁକ୍ତ ସମୟରେ ସୋମଦତ୍ତ ଓ ମୁଁ ଗୃହରୁ ନିଷ୍କ୍ରାନ୍ତ ହେଲୁ । ଆମର ଦେହଉପରେ କୃଷ୍ଣବର୍ଣ୍ଣର ପରିଧାନ, କୋଟ୍‌ଟା ବିଲକୁଲ ବନ୍ଧାହେଲା ପରି ରହିଚି ଏବଂ ଦୁହିଁଙ୍କ ହାତରେ ଆପଣା ଆପଣାର ତରବାରି ମଧ୍ୟ ଅଛି । ସ୍ୱର୍ଣ୍ଣକାରଙ୍କର ପ୍ରାସାଦ ପାଖରେ ପହଞ୍ଚି ଆମେ ପ୍ରଥମେ ପଶ୍ଚିମମୁହାଁ ହୋଇଗଲୁ । ଗୋଟିଏ ନାଳୀ ସେପାଖକୁ ସିଧା ହୋଇ ଠିଆ ହୋଇଥିବା ପଥରକାନ୍ଥ ଦେଇ ଉଦ୍ୟାନ ଭିତରକୁ ଯିବାର କଥା । ସାଙ୍ଗରେ ନେଇଥିବା ଖଣ୍ଡେ ବାଉଁଶର ସାହାଯ୍ୟରେ ଆମେ କାନ୍ଥ କଡ଼େ କଡ଼େ ଗଲୁ । କଳା କିଟିକିଟି ଅନ୍ଧାରରେ କୁଆଡ଼େ କିଛି ଦେଖାଯାଉ ନଥାଏ । ତା’ପରେ ଅନାୟାସରେ ଆମେ ପଥର କାନ୍ଥଟିର ଉପରକୁ ଉଠିଗଲୁ ଏବଂ ତାଳ, ଅଶୋକ ଓ ନାନାପ୍ରକାର ଫୁଲଗଛରେ ସୁଶୋଭିତ ହୋଇ ରହିଥିବା ଉଦ୍ୟାନରେ ଯାଇ ପହଞ୍ଚିଲୁ । ସମସ୍ତ ଉଦ୍ୟାନଟି ଚନ୍ଦ୍ରକିରଣରେ ସ୍ନାତ ହେଲାପରି ଆମର ସମ୍ମୁଖରେ ପ୍ରସାରିତ ହୋଇ ରହିଥିଲା ।

 

ହଠାତ୍‌ ଅନତିଦୂରରେ ମୁଁ ସେହି ଏଣୀନୟନୀ ଲକ୍ଷ୍ମୀପ୍ରତିମାକୁ ଦେଖିବାକୁ ପାଇଲି । ଏହି ସୁନ୍ଦରୀ ସେଦିନ ମୋର ହୃଦୟକୁ ନେଇ କନ୍ଦୁକକ୍ରୀଡ଼ା କରୁଥିଲା । ଆଉ ଗୋଟିଏ ବାଳିକା ସହିତ ସେ ଗୋଟିଏ ବେଞ୍ଚ୍‌ ଉପରେ ବସିଥିଲା । ନୟନ ସମକ୍ଷରେ ଏକ ଅଭିନବ ଦୃଶ୍ୟ ଦେଖୁ ଦେଖୁ ମୋର ସମସ୍ତ ଶରୀର ଏପରି ଭାବରେ କମ୍ପିବାକୁ ଆରମ୍ଭ କଲା ଯେ ଠିଆହୋଇ ରହିବା ଲାଗି ମୋତେ ନିକଟରେ ଥିବା ପାରାପେଟ୍‌ର ଆଶ୍ରୟ ନେବାକୁ ହେଲା । ମୋର ହାତ ଲାଗି ପାରାପେଟ୍‌ର ଶୀତଳ ସମତଳ ହଠାତ୍‌ ସତେଜ ହୋଇ ଉଠିଲା ଏବଂ ମୋର ଜ୍ୱରାକ୍ରାନ୍ତ ମନକୁ ଦମ୍ଭ ଦେବାକୁ ଲାଗିଲା । ଇତ୍ୟବସରରେ ସେମାଦତ୍ତ ତା’ର ପ୍ରିୟତମା ଆଡ଼କୁ ଅଗ୍ରସର ହେଲା ଏବଂ ମେଦିନୀ ଏକ କୋମଳ କଣ୍ଠସ୍ୱରରେ ସମ୍ଭାଷଣ ଜଣାଇ ଉଠି ଠିଆ ହୋଇଗଲା ।

 

ନିରୁପମାର ଆହୁରି ସମୀପବର୍ତ୍ତୀ ହେବାଲାଗି ମୁଁ ପ୍ରାଣପଣ ଚେଷ୍ଟାରେ ମୋର ସମସ୍ତ ସାହସ ସଂଗ୍ରହ କଲି । ସତେ ଯେପରି ଜଣେ ଅପରିଚିତ ବ୍ୟକ୍ତି ଆସି ଆଗରେ ପହଞ୍ଚିଗଲା ପରି ସେ ବେଞ୍ଚ ଉପରୁ ଉଠି ଠିଆ ହୋଇଗଲା ଏବଂ ସେଠାରୁ ଦଉଡ଼ି ପଳାଇବ ବା ସେଠାରେ ଠିଆହୋଇ ରହିବ, କିଛି ସ୍ଥିର କରି ପାରିଲାନାହିଁ । ଭୟତ୍ରସ୍ତା ହରିଣୀର ଆଖି ପରି ତାର ଆଖିଦିଓଟି କଣେଇକରି ମୋ’ଆଡ଼କୁ ବାରବାର ଚାହିଁବାକୁ ଲାଗିଲା ଏବଂ ସେ ପବନରେ କୋମଳ ଦ୍ରାକ୍ଷାଲତା ପରି ଥରିବାକୁ ଆରମ୍ଭ କଲା । କ୍ରମେ ମୁଁ ମଧ୍ୟ ଅଧିକରୁ ଅଧିକ ବିଚଳିତ ହୋଇପଡ଼ିଲି ଏବଂ ଏଠାକୁ ଆସି ତା’ର ଦର୍ଶନ ଲାଭ କରିବାଦ୍ୱାରା ମୁଁ ଆପଣାକୁ କିପରି ପରମ ସୌଭାଗ୍ୟବନ୍ତ ବୋଲି ମନେକରୁଚି, ଏତିକି କହିବାକୁ ଅତି କଷ୍ଟରେ କେତୋଟି ଶବ୍ଦ ଉଚ୍ଚାରଣ କରିବାକୁ ଚେଷ୍ଟା କଲି ।

 

ମୋର ଏହି ଶୋଚନୀୟ ଅବସ୍ଥା ଦେଖି ସେ କ୍ରମେ ଶାନ୍ତ ହୋଇ ଆସିଲାପରି ବୋଧ ହେଲା । ସେ ପୁନରାୟ ବେଞ୍ଚ ଉପରେ ବସି ପଡ଼ିଲା ଏବଂ ପଦ୍ମହସ୍ତର ସଞ୍ଚାଳନ ଦ୍ୱାରା ମୋତେ ମଧ୍ୟ ତା’ କଡ଼କୁ ବେଞ୍ଚ ଉପରେ ବସିବାଲାଗି ଇଙ୍ଗିତ କଲା । ତାପରେ ଥରଥର ଅତି ମଧୁର କଣ୍ଠରେ ସେ ମୋତେ କହିଲା ଯେ ମୋତେ ଧନ୍ୟବାଦ ଦେବାର ଏହି ସୁଯୋଗ ପାଇଥିବାରୁ ସେ ମଧ୍ୟ ଆପଣାକୁ ବଡ଼ ଭାଗ୍ୟବତୀ ବୋଲି ମନେକରୁଚି । ସେଦିନ ତା’ର ହାତରୁ ଖସି ଯାଇଥିବା ପେଣ୍ଡୁଟି ମୁଁ ବଡ଼ କୌଶଳର ସହିତ ତା’ ପାଖକୁ ପୁଣି ପ୍ରେରଣ କରି ଦେଇଥିଲି ଏବଂ ସେଥିଲାଗି ତା’ର କ୍ରୀଡ଼ାପ୍ରଦର୍ଶନରେ କୌଣସି ପ୍ରକାର ବ୍ୟାଘାତ ଜନ୍ମିଥିଲା । କାରଣ ଯଦି କୌଣସି ବ୍ୟାଘାତ ଜନ୍ମିଥାନ୍ତା, ତେବେ ତା’ର ସମସ୍ତ ସେଦିନ ବ୍ୟର୍ଥ ହୋଇ ଯାଇଥାନ୍ତା ଏବଂ ଆଜି ପର୍ଯ୍ୟନ୍ତ ସେ ଯେଉଁ ଦେବୀଙ୍କର ସମ୍ମାନରେ ଏପରି ନିଷ୍ଠା ଓ ଚତୁରତା ସହିତ ନୃତ୍ୟ ପ୍ରଦର୍ଶନ କରି ଆସିଚି, ସେହି ଦେବୀ ସେଦିନ ତା’ ଉପରେ ନିଶ୍ଚୟ ବଡ଼ ଅପ୍ରସନ୍ନ ହୋଇଥାନ୍ତେ ।

 

ମୁଁ ଉତ୍ତର ଦେଲି, ମୁଁ ତାହାର ଏହି ଧନ୍ୟବାଦର ଆଦୌ ଯୋଗ୍ୟ ନୁହେଁ, କାରଣ ମୁହିଁ ପ୍ରଥମେ ଯେଉଁ ଅପରାଧ କରିଥିଲି, ମୋତେ ପୁଣି ସେହି ଅପରାଧର ହିଁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିଲା । ମୋର କଥାର ମର୍ମ ସେ ବୁଝି ପାରିଲାନାହିଁ । ତେଣୁ କିପରି ସେଦିନ ଆଗ ତା’ର ଆଖି ସହିତ ମୋର ଆଖିର ଭେଟାଭେଟି ହୋଇ ଯାଇଥିଲା ଏବଂ ଏହି କାରଣରୁ ସେ ଟିକିଏ ଅନ୍ୟମନସ୍କ ହୋଇପଡ଼ିବା ହେତୁ ହିଁ ତା’ର ହାତରୁ ପେଣ୍ଡୁଟି ତଳକୁ ଖସି ପଡ଼ିଲା, ଏହି କଥା ତା’ର ସ୍ମରଣ କରାଇ ଦେବାଲାଗି ମୁଁ ସାହସୀ ହୋଇଥିଲି । ମୋର କଥା ଶୁଣି ତାର ମୁଖକୋରକ ହଠାତ୍‌ ରକ୍ତିମ ହୋଇଉଠିଲା ଏବଂ ତାକୁ ଅନ୍ୟମନସ୍କ କରିଦେବା ଲାଗି ସେଦିନ ଯେ ସେପରି କିଛି ଘଟିଥିଲା, ଏହା ସ୍ୱୀକାର କରିବାକୁ ସେ ଆଦୌ ରାଜି ହେଲା ନାହିଁ ।

 

ମୁଁ ଉତ୍ତର ଦେଇ କହିଲି–ମୁଁ ଭାବୁଚି, ମୋର ପୂର୍ଣ୍ଣ ବିକସିତ ନୟନ ଯୁଗଳରୁ ବିସ୍ମୟର ଏପରି ଏକ ସୁରଭିସ୍ରୋତ ବହିବାକୁ ଲାଗିଲା ଯେ ତୁ ଗୋଟିଏ ମୁହୂର୍ତ୍ତପାଇଁ ସେହି ସୁରଭିର ମାଦକରେ ଭୋଳ ହୋଇଗଲୁ ଏବଂ ସେହି କାରଣରୁ ହିଁ ଲକ୍ଷ୍ୟଚ୍ୟୁତ ହେଲୁ ।

 

ସେ ଅସ୍ୱୀକାର କରି କହିଲା–ଏଥିରେ ତୁମର ବିସ୍ମୟ ଜାତ ହେଲା ବୋଲି ତୁମେ କହିଁକି କହୁଚ ? –ତୁମେ ତ ତୁମର ଆପଣା ନଗରୀରେ ଅଧିକ ଚତୁରତା ଓ ଦକ୍ଷତା ସହିତ କନ୍ଦୁକକ୍ରୀଡ଼ା ପ୍ରଦର୍ଶନ କରୁଥିବା ବାଳିକାଙ୍କୁ କେତେ ଦେଖିଥିବ !

 

ତାହାର ଏହି କଥା ଶୁଣି ମୁଁ ପରମ ସନ୍ତୋଷର ସହିତ ଜାଣିବାକୁ ପାଇଲି ଯେ ତା’ ପାଖରେ ଅବଶ୍ୟ ମୋର କଥା ପଡ଼ିଚି ଏବଂ ସୋମଦତ୍ତକୁ ମୁଁ କହିଥିବା କଥାଗୁଡ଼ିକୁ ବାଳିକା ପ୍ରକୃତ କଥା ବୋଲି ଗ୍ରହଣ କରି ନେଇଚି । କିନ୍ତୁ ତାର କ୍ରୀଡ଼ାକୁ ନାପସନ୍ଦ କରି ମୁଁ ଏଗୁଡ଼ିକ କହିଥିବାରୁ ମୋର ମନେ ମନେ ମୁଁ ଏକାବେଳେକେ ବଡ଼ ସପ୍ରତିଭ ଓ ଅପ୍ରତିଭ ଅନୁଭବ କରିବାକୁ ଲାଗିଲା ଏବଂ ସଙ୍ଗେ ସଙ୍ଗେ ତାକୁ ନିର୍ଭର ଦେଇ କହିଲି ଯେ ମୋର କହିଥିବା କଥାରେ ତିଳେ ହେଲେ ସତ ନାହିଁ । ମୋର ପ୍ରିୟତମ ଗଣ୍ଠିଧନକୁ ଜଣେ ବନ୍ଧୁର ଦୃଷ୍ଟିରେ କୌଣସି ପ୍ରକାରେ ହାସ୍ୟାସ୍ପଦ ହେବା ଲାଗି ନଦେବା ଉଦ୍ଦେଶ୍ୟରେ ହିଁ ମୁଁ ଏକଥା କହିଥିଲି । କିନ୍ତୁ ବର୍ତ୍ତମାନ ମୋର କଥାରେ ସୁନ୍ଦରୀର ଆଦୌ ବିଶ୍ୱାସ ହେଲାନାହିଁ, ଅନ୍ତତଃ ତାହାର ମୁଖଭାବରୁ ମୋତେ ବାହାରକୁ ଠିକ୍‌ ଏହିପରି ଜଣା ପଡ଼ିଲା ।

 

ତାହାର ମନରେ ପ୍ରତ୍ୟୟ ଜନ୍ମାଇବାର ଉତ୍ସାହରେ ମୋର ସମସ୍ତ ଲଜ୍ଜା ଓ ସଙ୍କୋଚ କୁଆଡ଼େ ପାସୋର ହୋଇଗଲା । ମୁଁ ଭାବିଲି, ଯେଉଁ ମୁହୁର୍ତ୍ତରେ ମୁଁ ତାର ଦର୍ଶନ ଲାଭ କଲି, ସେହି ମୁହୂର୍ତ୍ତରେ ହିଁ ମୋ’ ଉପରେ କାମଦେବଙ୍କର ପୁଷ୍ପବାଣ ବର୍ଷଣ ହେବାକୁ ଲାଗିଲା । ହୁଏତ ପୂର୍ବରୁ କୌଣସି ଜନ୍ମରେ ସେ ନିଶ୍ଚୟ ମୋର ଅର୍ଦ୍ଧାଙ୍ଗିନୀ ହୋଇ ରହିଥିଲା, ଏ ବିଷୟରେ ମୋ’ ମନରେ ଆଉ କୌଣସି ସଂଶୟ ରହିଲା ନାହିଁ । ତା’ ନହେଲେ ଏତେ ହଠାତ୍‌ ଅଥଚ ଅପ୍ରତିଦ୍ୱନ୍ଦ୍ୱୀ ଭାବରେ ଏହି ପ୍ରୀତି ଜାତ ହେବା କିପରି ସମ୍ଭବ ହୋଇ ପାରିଥାନ୍ତା ?

 

ମୁଁ ଏହିପରି କଥାମାନ ତା’ ଆଗରେ କହୁଥିବା ସମୟରେ ହୁଏତ ସେ ମଧ୍ୟ ତା’ର ପୂର୍ବଜନ୍ମର ଦାମ୍ପତ୍ୟ ସହଚରକୁ ଚିହ୍ନି ନେଇଥିବ ଓ ତାହାର ପରିଣାମ ସ୍ୱରୂପ ତା’ ମନରେ ମଧ୍ୟ ମୋ’ ପ୍ରତି ପ୍ରୀତିଭାବ ଜାତ ହୋଇଥିବ ।

 

ଅତି ସାହସରେ ଏହି କଥାଗୁଡ଼ିକ କହିସାରି ମୁଁ ତାକୁ ବିହ୍ୱଳ ଭାବରେ ମୋର ହାତ ଭିତରେ ଜାକି ଧରିଲି, ସେ ମଧ୍ୟ ଆପଣାର ରକ୍ତିମ ଅଶ୍ରୁଧୌତ ଚିକୁରକୁ ମୋର ଛାତି ଉପରକୁ ଲଗାଇ ଆଣିଲା ଏବଂ ଫୁସ୍‌ଫୁସ୍‌ କରି କହିବାକୁ ଲାଗିଲା ଯେ ଗତ କେତେଦିନ ସେ ମଧ୍ୟ ଠିକ୍‌ ଏହିପରି ଅନୁଭବ କରିଚି ଓ ତା’ ମନରେ ମଧ୍ୟ ଠିକ୍‌ ଏହିପରି ଭାବନା ରାଶିର ଉଦୟ ହୋଇଚି । ଯଦି ତା’ର ଭଉଣୀ ମେଦିନୀ ଯଥା ସମୟରେ ଚିତ୍ରପଟଟି ଆଣି ପହଞ୍ଚାଇ ନଥାନ୍ତା, ତେବେ ସେ ନିଶ୍ଚୟ ପ୍ରାଣ ହରାଇ ଦେଇଥାନ୍ତା ।

 

ତା’ପରେ ଅନେକ ସମୟ ପର୍ଯ୍ୟନ୍ତ ଆମେ ପରସ୍ପରକୁ ଚୁମ୍ବନ କରିବାକୁ ଲାଗିଲୁ । ଏହି ଆନନ୍ଦବିହ୍ୱଳ ଚୁମ୍ବନ-ଆଲିମ୍ପନର ବାହାରେ ଆଉ କେଉଁଠି କିଛି ରହିଚି ବୋଲି ମୁଁ ଆଦୌ ଜାଣି ପାରୁନଥିଲି । କିନ୍ତୁ ଦୁର୍ଭାଗ୍ୟବଶତଃ ଆଜି ରାତିରେ ମୋତେ ସ୍ୱଦେଶକୁ ଯାତ୍ରା କରିବାକୁ ପଡ଼ିବ, ଏହି ଭାବନାଟି ହଠାତ୍‌ ଉଦୟ ହୋଇ ମୋର ସମସ୍ତ ଆନନ୍ଦକୁ ଅନ୍ଧାରଗ୍ରାସ କରିପକାଇଲା, ମୋର ହୃଦୟଭିତରୁ ଗୋଟିଏ ଗମ୍ଭୀର ଦୀର୍ଘନିଶ୍ୱାସ ବାହାରି ଆସିଲା ।

 

ଭୀତିବିତ୍ରସ୍ତ ହୋଇ ବଶିଷ୍ଠୀ ମୋତେ ଏହାର କାରଣ ପଚାରିଲା । ହଠାତ୍‌ ଏହି ଆନନ୍ଦରେ ବ୍ୟାଘାତ ଆସି ଜନ୍ମିଲା କହିଁକି ? ମୁଁ ତାକୁ ସବୁକଥା ଖୋଲିକରି କହିଲି, ସତେ ଅବା ଦେହରୁ ସମସ୍ତ ଶକ୍ତି ଛାଡ଼ି ଚାଲିଗଲାପରି ତାହାର ତନୁଲତା ସେହି ବେଞ୍ଚ୍‌ ଉପରେ କଚାଡ଼ି ହୋଇ ପଡ଼ିଲା । ତାହାର ନୟନରୁ ଲୋତକର ଶ୍ରାବଣସ୍ରୋତ ବହିବାକୁ ଲାଗିଲା, ସେ ମୁହୁର୍ମୁହୁଃ ଦୀର୍ଘଶ୍ୱାସ ପକାଇବାରେ ଲାଗିଲା । ପ୍ରିୟତମାର ସନ୍ତପ୍ତ ହୃଦୟକୁ ଶାନ୍ତ କରିବାଲାଗି ମୋର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଗଲା । ମୁଁ ତାକୁ ପ୍ରତିଶ୍ରୁତି ଦେଇ କହିଲି ଯେ ଏହି ଚତୁର୍ମାସ୍ୟାଟା ବ୍ୟତୀତ ହୋଇଯିବା ସଙ୍ଗେସଙ୍ଗେ ମୁଁ ପୁଣି ଫେରିଆସିବି ଓ ତା’ପରେ ତାକୁ ଆଉ କଦାପି ଛାଡ଼ିକରି କୁଆଡ଼େ ଯିବି ନାହିଁ । ମୁଁ କୌସାମ୍ବିରେ ମୂଲ ଲାଗି ପେଟ ପୋଷିବି–କିନ୍ତୁ ଏହି ପ୍ରତିଶ୍ରୁତି ମଧ୍ୟ ବିଫଳ ହେଲା । ତାକୁ ଛାଡ଼ି କରି ଯାଉଥିବାରୁ ମୋର ହୃଦୟର ବ୍ୟଥା ମଧ୍ୟ ତା’ ହୃଦୟର ବ୍ୟଥାଠାରୁ ଆଦୌ କମ୍ ନଥିଲା; କିନ୍ତୁ କଠିନ ନିଦାରୁଣ ଆବଶ୍ୟକତା ହିଁ ତା’ଠାରୁ ମୋତେ ଏପରି ବିଚ୍ଛିନ୍ନ କରି ନେଇଯାଉଚି, ଶେଷରେ ତାକୁ ମୁଁ ଏହିକଥା କହି ବୋଧ ଦେବାକୁ ଚେଷ୍ଟା କଲି । ସେହିପରି କ୍ରନ୍ଦନ କରୁଥିବା ଅବସ୍ଥାରେ ସେ ଦୁଇପଦ କଥା କହି ମୋତେ ପଚାରିଲା, କାଳି ସକାଳୁ କୌସାମ୍ବିରୁ ଯାତ୍ରା କରିବାଲାଗି ଏପରି ଜରୁରୀ ଅତ୍ୟାବଶ୍ୟକତା କ’ଣ ପଡ଼ିଲା, ଆଜି ମୋଟେ ପ୍ରଥମ ମିଳନ ହେଉ ହଠାତ୍‌ ଏହି ଦୁଃସମୟ କାହିଁକି ଆସି ଉପସ୍ଥିତ ହେଲା । ମୁଁ ତାକୁ ସବୁ ବିଷୟ ଗୋଟି ଗୋଟି କରି କହିବାକୁ ଲାଗିଲି, କିନ୍ତୁ ମୋ’ କହିବା କଥାରେ ଗୋଟିଏ ଶବ୍ଦ ମଧ୍ୟ ସୁନ୍ଦରୀ ବୁଝୁଥିବା ପରି ମୋର ମନେ ହେଲାନାହିଁ । ଜନ୍ମଭୂମିକୁ ଫେରିଯିବାକୁ ଯେ ମୋର ମନ ଉଚ୍ଛନ୍ନ ହୋଇ ଉଠିଲାଣି, ଏକଥା ସେ ବେଶ୍‌ ବୁଝିପାରୁଥିଲା । ସେଠାରେ କଣ ତା’ଠାରୁ ଆହୁରି ଅଧିକ ରୂପବତୀ ଓ ଗୁଣବତୀ କେତେ ବାଳିକା ନଥିବେ, କନ୍ଦୁକ-କ୍ରୀଡ଼ାରେ ଅଧିକ ନିପୁଣା ନଥିବେ ! ମୁଁ ନିଜେ ତ ଆଗରୁ ଠିକ୍‌ ଏହିକଥା କହି ମଧ୍ୟ ପକାଇଥିଲି ।

 

ମୁଁ ଯେତିକି ଯେତିକି ଅଧିକ କଥା କହୁଥାଏ, ଅବସ୍ଥା ସେତିକି ସେତିକି ଅସମ୍ଭାଳ ହୋଇପଡ଼ୁଥାଏ । ତା’ର କାନ୍ଦଣା ସେତିକି ବଢ଼ିବାରେ ଲାଗିଥାଏ । ମୁଁ ଆଉ ଅଧିକ ସହ୍ୟ କରିପାରିଲି ନାହିଁ । ହଠାତ୍‌ ସୁନ୍ଦରୀର ଚରଣ ତଳେ ପଡ଼ିଯାଇ ତଳକୁ ଝୁଲି ରହିଥିବା ତାହାର ହାତକୁ ଘନ ଚୁମ୍ବନ ଓ ଅଶ୍ରୁ ଜଳରେ ଆଚ୍ଛାଦିତ କରିଦେଲି ଏବଂ ମୁଁ ତାକୁ ଛାଡ଼ି ଚାଲିଯିବି ନାହିଁ ବୋଲି ଯେ ଶପଥ କରି କହିଲି, ଏଥିରେ ଆଉ ବିସ୍ମିତ ହେବାର କଣ ଅଛି ? ଏହାପରେ ଯେତେବେଳେ ବଶିଷ୍ଠୀ ଆପଣାର ରକ୍ତିମ ବାହୁପାଶ ଦ୍ୱାରା ମୋତେ ଅତି ନିବିଡ଼ ଭାବରେ ବାନ୍ଧି ଧରିଲା, ମୁହୁର୍ମୁହୁଃ ଚୁମ୍ବନ ବର୍ଷଣ କରିବାକୁ ଲାଗିଲା ଓ ଆନନ୍ଦବିହ୍ୱଳ ହୋଇ ହାସ୍ୟ ଓ କ୍ରନ୍ଦନ କରିବାକୁ ଲାଗିଲା, ସେତେବେଳେ ମୁଁ ଆପଣାକୁ ସଂସାରରେ ସମସ୍ତଙ୍କଠାରୁ ବଳି ଭାଗ୍ୟବାନ୍‌ ବୋଲି ମନେ କରିଥିଲି । ସେଇଠୁ ସୁନ୍ଦରୀ ଅଧର ଖୋଲି କହିଲା, ‘‘ଦେଖିଲଟିକି, ତୁମର ଆଜି ଯାତ୍ରା କରିଯିବା ଆଦୌ ଅତ୍ୟାବଶ୍ୟକ ନଥିଲା, କାରଣ ତା’ ହୋଇଥିଲେ ତୁମେ ଯେକୌଣସି ପରିସ୍ଥିତିରେ ମଧ୍ୟ ନିଶ୍ଚୟ ଅନୁକୂଳ କରି ବାହାରିଥାଆନ୍ତ।’’ ମୁଁ ତାକୁ ସବୁକଥା ପୁଣିଥରେ ବୁଝାଇ କହିବାକୁ ଚେଷ୍ଟା କଲି; କିନ୍ତୁ ଗୋଟିଏ ଚୁମ୍ବନର ମୁଦ ବସାଇ ସେ ମୋର ମୁଖ ବନ୍ଦ କରିଦେଲା ଏବଂ କହିଲା ଯେ, ମୁଁ ତାକୁ ଭଲପାଏ ବୋଲି ଅବଶ୍ୟ ସେ ଭଲକରି ଜାଣିଥିଲା ଏବଂ ମୋର ଜନ୍ମଭୂମିର ଅଧିକ ନିପୁଣା କନ୍ୟାମାନଙ୍କର ବିଷୟରେ ସେ ଯାହାସବୁ କହିଥିଲା, ସେଗୁଡ଼ାକ ପ୍ରକୃତରେ ତା’ର ମନର କଥା ନଥିଲା ।

 

ଏହିପରି ନାନା ପ୍ରୀତିପ୍ରସଙ୍ଗ ଓ ବିଶ୍ୱାସ ନିବିଡ଼ କଥୋପକଥନରେ ସ୍ୱପ୍ନବତ୍ କେତେ ପ୍ରହର ଅତିବାହିତ ହୋଇଗଲା । ହୁଏତ ଏହି ଆନନ୍ଦମୟ ମୁହୂର୍ତ୍ତଗୁଡ଼ିକର କେବେ କୌଣସି ଶେଷ ମଧ୍ୟ ହୋଇ ନଥାନ୍ତା । କିନ୍ତୁ ଠିକ୍ ଏହି ସମୟରେ ହଠାତ୍ ସୋମଦତ୍ତ ଓ ମେଦିନୀ ଆସି ସେଠାରେ ପହଞ୍ଚିଲେ ଏବଂ ଘରକୁ ଯିବାର ସମୟ ଅତିରିକ୍ତ ବିଳମ୍ବ ହୋଇଗଲାଣି ବୋଲି ଆମକୁ ଖବର ଦେଲେ ।

 

ଗୃହକୁ ଫେରିଆସି ମୁଁ ଦେଖିଲି, ଯାତ୍ରାଲାଗି ପ୍ରାଙ୍ଗଣରେ ସବୁ ପ୍ରସ୍ତୁତ ହୋଇ ରହିଚି । ଶକଟଗୁଡ଼ିକର ମୁଖ୍ୟ ଚାଳକକୁ ମୁଁ ତତକ୍ଷଣାତ୍ ଡାକିଆଣିଲି ଓ ମୋର ବ୍ୟବସାୟ ସଂକ୍ରାନ୍ତୀୟ କାର୍ଯ୍ୟମାନ ତଥାପି ସମାପ୍ତ ହୋଇନାହିଁ ଏବଂ ସେହି ହେତୁ ରାଜଦୂତଙ୍କ ଗହଣରେ ଗୃହାଭିମୁଖେ ଯାତ୍ରା କରିବା ଆଉ ମୋ’ ପକ୍ଷରେ ସମ୍ଭବ ହୋଇ ପାରୁନାହିଁ, ତା’ହାତରେ ରାଜଦୂତଙ୍କ ପାଖକୁ ମୁଁ ଏହି ସମ୍ବାଦ ଦେଇ ପଠାଇଲି । ମୋର ପିତାମାତାଙ୍କୁ ସେ ମୋର ପ୍ରାଣାମ କହିଦେବେ ଓ ମୋତେ ଚିରଦିନ ତାଙ୍କର ଅନୁଗ୍ରହଭାଜନ କରି ରଖିଥିବେ ବୋଲି ମୁଁ ରାଜଦୂତଙ୍କୁ ଅନୁରୋଧ ମଧ୍ୟ କରିଥିଲି-

 

ରାତ୍ରିର ଏହି କେତୋଟି ପ୍ରହର ଟିକିଏ ନିଦରେ ଶୋଇବି ବୋଲି ବିଚାରି ମୁଁ ବିଛଣା ଉପରେ ଗଡ଼ପଡ଼ ହେଉଚି, ସ୍ୱୟଂ ରାଜଦୂତ ଆସି ଗୃହଭିତରେ ପ୍ରବେଶ କଲେ ମୁଁ ଚକିତ ହୋଇ ତତକ୍ଷଣାତ୍ ଉଠିବସିଲି ଓ ତାଙ୍କୁ ନତ ହୋଇ ପ୍ରଣାମ ଜଣାଇଲି । କିନ୍ତୁ ସେ ଈଷତ୍ କର୍କଶ କଣ୍ଠରେ କହିଲେ ଯେ ସେ ମୋର ଏହି ଅଦ୍ଭୁତ ଆଚରଣର କୌଣସି ରହସ୍ୟ ଭେଦ କରିପାରୁନାହାନ୍ତି । ସେ ମୋର କୌଣସି କଥା ଶୁଣିବାକୁ ରାଜି ନୁହନ୍ତି, ମୋତେ ଆଜି ରାତିରେ ତାଙ୍କ ସାଙ୍ଗରେ ଯିବାକୁ ହିଁ ହେବ ।

 

ମୋର ସମସ୍ତ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପନ୍ନ ହୋଇନାହିଁ ବୋଲି ମୁଁ ତାଙ୍କୁ ବୁଝାଇ କହିବାକୁ ଯାଉଥିବା ବେଳେ ସେ ଆଗତୁରା ହୋଇ କହି ବସିଲେ : –

 

ମୁଁ ଭଲକରି ଜାଣିଚି ସେସବୁ କିଭଳି କାର୍ଯ୍ୟ ! ସେସବୁ ମିଛକଥା ଏତିକିରେ ଥାଉ । ତୁମ ପରି ଜଣେ ଯୁବକର ଏଠି କଣ ଏପରି ଗୋଟାଏ ବ୍ୟବସାୟ ଆଜିଯାଏ ବାକି ରହିଚି ଯେ ତା’ ପକ୍ଷରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭବ ହୋଇପାରୁନାହିଁ, ଏହି ସହର ଛାଡ଼ିବା ସମ୍ଭବ ହୋଇପାରୁନାହିଁ, ମୁଁ ସେହିକଥା ଜାଣିବାକୁ ଚାହେ–ତୁମର ଶକଟମାନ ତ ତଳେ ପ୍ରାଙ୍ଗଣରେ ବୋଝାଇ ହୋଇ ଯାତ୍ରା ଲାଗି ପ୍ରସ୍ତୁତ ହୋଇ ରହିଚି, ମୁଁ ଇହାଦେ ଦେଖି ଆସିଲି !

 

ଅପରାଧ କରୁଥିବା ଅବସ୍ଥାରେ ହିଁ ଧରା ପଡ଼ୁଥିବା ଗୋଟିଏ ଅପରାଧୀ ପରି ମୁଁ କମ୍ପିବାକୁ ଲାଗିଲି । ସେତେବେଳକୁ ମୋର ମୁହଁଟା ଗୋଟାସୁଦ୍ଧା ଲାଲ ପଡ଼ିଗଲାଣି । ସେହି ମୂହୁର୍ତ୍ତରେ ତାଙ୍କ ସହିତ ଯାତ୍ରା କରିବାଲାଗି ସେ ମୋତେ ଆଦେଶ କଲେ । ଆଜି ଦିନଟାଯାକ ପାଗ ବେଶ୍ ଶୀତଳ ଥିଲା । କିନ୍ତୁ ଖାସ୍ ମୋହରି ସକାଶେ ଆଜିଦିନଟା ନଷ୍ଟ ହୋଇଗଲା । ମୁଁ ଯେ କାହିଁକି ଯିବାକୁ ରାଜି ହେଉନାହିଁ, ସେ ତାହାର କାରଣ କିଛି ବୁଝି ପାରୁନଥାନ୍ତି । ଆଦେଶ ଦେବାଠାରୁ ଆରମ୍ଭ ହୋଇ କ୍ରମେ ତାଙ୍କର କଣ୍ଠସ୍ୱର ମୋତେ ଭୟ ଦେଖାଇବାକୁ ଲାଗିଲା, ପୁଣି ନରମ ହୋଇ ମିନତି କରିବାକୁ ଲାଗିଲା । ରାଜଦୂତଙ୍କର ଗହଣରେ ଯାତ୍ରା ଓ ପ୍ରତ୍ୟାବର୍ତ୍ତନ କରିବାର କଥା ହୋଇନଥିଲେ ମୋର ପିତାମାତା ମୋତେ କଦାପି ଏତେଦୂରକୁ ବଣିଜ କରି ଯିବାକୁ ଛାଡ଼ିଦେଇ ନଥାନ୍ତେ, ସେ ମୋତେ ଏହି କଥାଟି ସ୍ମରଣ କରାଇଦେଲେ ।

 

ଏପର୍ଯ୍ୟନ୍ତ ତାଙ୍କର ସମସ୍ତ କଥା ତାଙ୍କର ଉଦ୍ଦେଶ୍ୟକୁ ବଳିଷ୍ଠ ହିଁ କରିବାରେ ଲାଗିଥିଲା । ଠିକ୍ ଇତ୍ୟବସରେ ମୁଁ ମନେମନେ କହିବାକୁ ଲାଗିଲି–ବାହାରେ, ପୁଣି ଯାଇ ଯେଉଁଦିନ କୌସାମ୍ବି ନଗରକୁ କୌଣସି ରାଜଦୂତ ଯାତ୍ରା କରିବାର ହେବ, ସେଦିନ ଯାଇ କଣ ମୁଁ ଯାତ୍ରା କରିବାର ଅନୁମତି ପାଇବି ? ସେପର୍ଯ୍ୟନ୍ତ କଣ ମୁଁ ମୋର ପ୍ରାଣପ୍ରତିମା ବଶିଷ୍ଠୀ ପାଖକୁ ଫେରିଆସି ପାରିବିନାହିଁ ? ନା–କଦାପି ନୁହେଁ । ଏଥର ମୁଁ ମଧ୍ୟ ବାପାଙ୍କୁ ଦେଖାଇଦେବି, ମୁଁ କିପରି ଏକାକୀ ପଣ୍ୟ ବୋଝେଇ ଶକଟ-ସମୂହ ନେଇ ଯାତ୍ରାପଥର ସମସ୍ତ ବିପତ୍ତି ଓ କଠିନ ସ୍ଥିତିମାନ ପାର ହୋଇ ବାଣିଜ୍ୟଯାତ୍ରା କରିବାକୁ ସମର୍ଥ ହୋଇପାରେ ।

 

ଯାତ୍ରାପଥର ସଙ୍କଟ ବିଷୟରେ ରାଜଦୂତ ମୋତେ ନାନାପ୍ରକାର ଭୟ ଦେଖାଇ କହିବାକୁ ଲାଗିଲେ, କିନ୍ତୁ ସେହିସବୁ କଥା ମୋର ଏ କାନରେ ପଶି ସେକାନରେ ବାହାରିଗଲା । ଶେଷକୁ ଅତ୍ୟନ୍ତ ବିରକ୍ତ ହୋଇ ସେ ମୋତେ ପରିତ୍ୟାଗ କଲେ–କହିଲେ, ଏଣିକି ମୋ’ ଦାୟିତ୍ୱ ଛିଣ୍ଡିଲା, ତୁମର ନିର୍ବୋଧତାର ପରିଣାମମାନ ଏଥର ତୁମେ ଭୋଗ କରିବ, ମୋତେ ଦାୟୀ କରିବନାହିଁ ।

 

ମୋର ମୁଣ୍ଡ ଉପରୁ ଗୋଟାଏ ବଡ଼ ବୋଝ ଅପସରି ଗଲାପରି ବୋଧ ହେଲା । ଏଥର ନିଶ୍ଚିନ୍ତ ହୋଇ ମୁଁ ମୋର ପ୍ରାଣପ୍ରିୟା ପାଖରେ ମୋର ସକଳ ସମର୍ପଣ କରିଦେଇ ପାରିବି । ଏହିପରି ମଧୁର କଳ୍ପନାରେ ଅଭିଭୂତ ହୋଇ ମୁଁ ନିଘୋଡ଼ ନିଦରେ ଶୋଇପଡ଼ିଲି । ବଡ଼ିସକାଳୁ ମୋର ନିଦ ଭାଙ୍ଗିଗଲା ଏବଂ ଉଦ୍ୟାନକୁ ଯିବାଲାଗି ସେତେବେଳେ ମଧ୍ୟ ଯଥେଷ୍ଟ ସମୟ ଥିଲା । ସେଠାରେ ସୁନ୍ଦରୀ ଦୁହେଁ ଆମର ଆସିବାକୁ ଅପେକ୍ଷା କରି ରହିଥିଲେ ।

 

ଏହିପରି ରାତିପରେ ରାତି ଆମର ସେହି ଉଦ୍ୟାନରେ ପ୍ରତ୍ୟହ ସାକ୍ଷାତ ହେଲା । ପ୍ରତ୍ୟେକଟି ସାକ୍ଷାତରେ ଆମେ ଆମର ଏହି ପାରସ୍ପରିକ ପ୍ରେମସମ୍ବନ୍ଧ ଭିତରୁ ନୂତନ ରତ୍ନମାନ ଆହରଣ କଲୁ ଏବଂ ପ୍ରତିଦିନ ବିଦାୟ ନେଇ ଆସିବାପରେ ପୁଣିଥରେ ସାକ୍ଷାତ କରିବାଲାଗି ଏକ ତୀବ୍ରତର ଆକାଂକ୍ଷାର ସବେଦନ ଆଘାତ ଅନୁଭବ କରିବାକୁ ଲାଗିଲୁ । ଚନ୍ଦ୍ରର କିରଣ ଆମର ଆଖିକୁ ଅଧିକରୁ ଅଧିକ ରୂପେଲି ଦେଖାଗଲା, ମର୍ମରପ୍ରସ୍ତର ଅଧିକରୁ ଅଧିକ ଶୀତଳ ଲାଗିଲା, ଥୋପା ମଲ୍ଲୀଫୁଲ୍ଲର ଗନ୍ଧମାଦକ ଆମକୁ ଅଧିକରୁ ଅଧିକ ମାଦକିତ କରିଦେଲା, କୋକିଳପକ୍ଷୀର କୁହୁକୁହୁ ଡାକ ଅଧିକରୁ ଅଧିକ ପ୍ରେମାର୍ଦ୍ର ବୋଲି ମନେହେଲା, ତାଳବନର ମର୍ମର ଅଧିକରୁ ଅଧିକ ସ୍ୱପ୍ନାଭିବିଷ୍ଠ ବୋଧ ହେଲା ଏବଂ ଅଶୋକଗଛଗୁଡ଼ିକର ଚଞ୍ଚଳ ଅର୍ଦ୍ଧସ୍ପଷ୍ଟ ଭାଷାରେ ଅଧିକରୁ ଅଧିକ ପ୍ରଲୋଭନ ଭରି ରହିଥିବା ପରି ଲାଗିଲା । ମନେହେଲା, ଯେପରି ସଂସାରରେ ଅନ୍ୟତ୍ର କୌଣସି ସ୍ଥାନରେ ମଧ୍ୟ ଏପରି ଶୋଭା କଦାପି ଦେଖିବାକୁ ମିଳିବନାହିଁ ।

 

ଆହା, ସେହି ଅତୀବ ରମଣୀୟ ଅଶୋକ ବିତାନ ଆଜିମଧ୍ୟ କେତେ ଜୀବନ୍ତ ଭାବରେ ମୋର ସ୍ମୃତିରେ ଜାଗ୍ରତ ହୋଇ ନରହିଚି ! ପରସ୍ପରର କାନ୍ଧରେ ହାତ ପକାଇ ସେହି ବିତାନତଳେ ଆମେ ଏକତ୍ର କେତେ ଭ୍ରମଣ ନକରିଚୁ ! ଏହି ବୃକ୍ଷଗୁଡ଼ିକର ନାମ ଅନୁସାରେ ହିଁ ଉଦ୍ୟାନଟିର ନାମ ଅଶୋକ-ଉଦ୍ୟାନ ରଖା ହୋଇଥିଲା । ଏହା ଆଗରୁ ଆଉ କେଉଁଠି ମୁଁ ଅଶୋକକୁ ଏପରି ପୁଷ୍ଟ ଓ ସୁନ୍ଦର ଭାବରେ ରଖା ହୋଇଥିଲା । ଏହା ଆଗରୁ ଆଉ କୋଉଁଠି ମୁଁ ଅଶୋକକୁ ଏପରି ପୁଷ୍ଟ ଓ ସୁନ୍ଦର ଭାବରେ ବଢ଼ିଥିବାର ଦେଖିନଥିଲି। ସତତଚଞ୍ଚଳ ତାର ସରୁସରୁ ପତ୍ରଗୁଡ଼ିକ ଚନ୍ଦ୍ରକିରଣରେ ଝିଲିମିଲି କରୁଥାନ୍ତି ଓ ରାତ୍ରିର ସମୀରଣରେ ସିସିରି ବଜାଉଥାନ୍ତି । ସେହି ପତ୍ରଗୁଡ଼ିକର ସ୍ତବକ ଭିତରେ ସୁନା କେଶରୀରଙ୍ଗର ନାଲିଆ ଫୁଲଗୁଡ଼ିକ ଶୋଭା ପାଉଥାନ୍ତି । ସେତେବେଳକୁ ବସନ୍ତଋତୁ ସମାଗତ ପ୍ରାୟ । କିନ୍ତୁ ଭାଇ, ଏଠାରେ କିପରି ଏପର୍ଯ୍ୟନ୍ତ ମଧ୍ୟ ଅଶୋକଗଛମାନ ପୂର୍ଣ୍ଣ ବିକଶିତ ହୋଇନାହିଁ କହିଲେ ! କାରଣ କୌଣସି ସୁନ୍ଦରୀ ଯୁବତୀ ଆସି ଅଶୋକଗଛର-ମୂଳକୁ ସ୍ପର୍ଶ କରିବା ମାତ୍ରକେ ପରା ତତ୍‍କ୍ଷଣାତ୍ ଅଶୋକଗଛଟି ପୂର୍ଣ୍ଣପୁଷ୍ପସମ୍ଭାରରେ ମୁକୁଳିତ ହୋଇଉଠେ ?

 

ସବୁକଥା ମୋତେ ଠିକ୍ କାଲିପରି ଲାଗୁଚି–ଅନିର୍ବଚନୀୟ ଚମତ୍କାର ଜହ୍ନରାତି–ଆଉ ମୁଁ ଏହି ବୃକ୍ଷରାଜିର ତଳେ ଠିଆହୋଇ ରହିଚି–ଯାହାର ସ୍ପର୍ଶ ବାଜି ଅକାଳରେ ମଧ୍ୟ ବୃକ୍ଷ ପୂର୍ଣ୍ଣ କରି ଫୁଲକାନ୍ଦିମାନ ଲଦି ହୋଇ ଯାଇଚି, ମୋର ପ୍ରିୟତମା ସେହି ବଶିଷ୍ଠୀ ପାଖରେ ମୁଁ ଠିଆ ହୋଇଚି-। ଆମେ ଦୁହେଁଯାକ ବିସ୍ତୀର୍ଣ୍ଣ ପୃଥିବୀ ସମତଳ ଅନାଇ ରହିଚୁ । ଦୁଇଟି ନଦୀସ୍ରୋତର ରଜତଗାର କିପରି ସେହି ପବିତ୍ର ସମତଳ ଭୂଇଁ ଉପରେ ଏକାଠି ଗଅଁଠାଇ ହୋଇଯାଇଚି, ତାହାରି ଆଡ଼କୁ ଅନାଇ ରହିଚୁ । ଲୋକମାନେ ଏହି ସ୍ଥାନକୁ ‘ତ୍ରିବେଣୀ’ ସଙ୍ଗମ ବୋଲି କହନ୍ତି, କାରଣ ସେମାନେ ବିଶ୍ୱାସ କରନ୍ତି ଯେ ସ୍ୱର୍ଗରାଜ୍ୟର ସ୍ୱର୍ଗଗଙ୍ଗା ବହିଆସି ତୃତୀୟ ନଦୀ ରୂପେ ଏହିଠାରେ ମର୍ତ୍ତ୍ୟଗଙ୍ଗା ଓ ଯମୁନା ସହିତ ସମ୍ମିଳିତ ହୋଇଚି । ବୃକ୍ଷ ଶିଖରଗୁଡ଼ିକର ଅନ୍ତରାଳ ଭିତରୁ ବଶିଷ୍ଠୀ ମୋତେ ଏହି ସ୍ଥାନଟି ଦେଖାଇ ଦେଇଥିଲା–ଏହି ନାମରେ ହିଁ ସ୍ଥାନୀୟ ଅଧିବାସୀମାନେ ଛାୟାପଥକୁ ଆକାଶଗଙ୍ଗା ବୋଲି କହନ୍ତି । ଦକ୍ଷିଣ ଦେଶରେ ଆମେ ଏହି ସ୍ୱର୍ଗାଲୋକକୁ ଛାୟାପଥ ବୋଲି କହୁ ।

 

ଏହିପରି ଭାବରେ ଆମେ ଉତ୍ତର ଦିଶିରେ ଅବସ୍ଥିତ ନଗାଧିରାଜ ହିମାବତ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ । ଏହି ହିମଗିରିରୁ ଗଙ୍ଗାନଦୀର ଉଦ୍‌ଗମ ହୋଇଚି, ଏହାର ତୁଷାର ଚୂଡ଼ାରେ ଦେବତାମାନଙ୍କର ନିବାସ ରହିଚି । ଏହାରି ଦୁର୍ଗମ ଓ ଗହନ ଅରଣ୍ୟସ୍ଥଳୀ ଏବଂ ଶୃଙ୍ଗମାନଙ୍କର କ୍ରୋଡ଼ରେ କେତେକେତେ ମହର୍ଷି ଆଶ୍ରମ କରି ବାସ କରୁଚନ୍ତି ! କିନ୍ତୁ ଏଥର ମୁଁ ଯମୁନାର ଜଳଧାରା ବିଷୟରେ କହେ-

 

ବଡ଼ ଉତ୍‌ଫୁଲ୍ଲ କଣ୍ଠରେ ମୁଁ ବଶିଷ୍ଠୀକୁ କହିଲି–ମଣିମୁକୁତାରେ ଖଚିତ ହୋଇଥିବା ମୋର ଗୋଟିଏ କୁହୁକ-ନଉକା ଥାଆନ୍ତା, ସେଥିରେ ମୋର ବାସନାର ପାଲ ଲାଗିଥାନ୍ତା, ମୋର ଅଭିଳାଷର ଜାତ ସେଥିରେ ବନ୍ଧା ହୋଇଥାନ୍ତା । ଆମେ ଦୁହେଁ ସେହି ନଉକାଟିରେ ଭାସିଭାସି ସିଧା ସେହି ରକତଧାରା ଯମୁନାର ବକ୍ଷକୁ ଚାଲିଯାଇ ପାରନ୍ତେ । ହସ୍ତିନାପୁରର ସେହି ପ୍ରାଚୀନ ନଗରୀ ଆପଣା ଧ୍ୱଂସଖଣ୍ଡ ଭିତରୁ ପୁଣି ଜାଗ୍ରତ ହୋଇ ଉଠନ୍ତା, ଦେବସ୍ଥିତ ଚାରୁ ହର୍ମ୍ୟମାଳା ପୁଣି ପାନପାତ୍ର ଓ ଦ୍ରୂତକ୍ରୀଡ଼ାରତ ବ୍ୟକ୍ତିମାନଙ୍କର ପଦକ୍ଷେପର ଶବ୍ଦରେ ମୁଖରିତ ହୋଇ ଉଠନ୍ତା । କୁରୁକ୍ଷେତ୍ରର ଧୂଳିଗର୍ଭରୁ ସମସ୍ତ ନିପତିତ ବ୍ୟକ୍ତି ପୁଣି ଜୀବନ ପାଇ ଉଠନ୍ତେ । ପ୍ରବଳପରାକ୍ରମୀ ପିତାମହ ଭୀଷ୍ମ ପୁଣି ଶଯ୍ୟାରୁ ଉଠି ଶତ୍ରୁମାନଙ୍କ ଉପରେ ବାଣବର୍ଷଣ ଆରମ୍ଭ କରିଦିଅନ୍ତେ, ସାହସୀ ଭଗଦତ୍ତ ପୁଣି ତା’ର ପର୍ବତତୁଲ୍ୟ ମତ୍ତହସ୍ତୀ ଉପରେ ବସି ଅଗ୍ରସର ହୋଇ ଆସନ୍ତା । କଉଶଳୀ କୃଷ୍ଣ ଅର୍ଜୁନର ଶ୍ୱେତବର୍ଣ୍ଣ ରଥକୁ ଭୟାବହ ଯୁଦ୍ଧକ୍ଷେତ୍ର ଭିତରକୁ ଚାଳିତକରି ଆଣନ୍ତେ । ରାଜଦୂତଙ୍କର ସୌଭାଗ୍ୟରେ ମୁଁ କେତେଥର ଈର୍ଷ୍ୟା ପ୍ରକାଶ ନକରିଚି । ସେ କ୍ଷତ୍ରିକୁଳରୁ ସମ୍ଭୁତ ହୋଇଚନ୍ତି । ଥରେ ସେ ମୋତେ କହୁଥିଲେ ଯେ ତାଙ୍କର ପୂର୍ବଜମାନେ ସେହି ଅବିସ୍ମରଣୀୟ ସମରରେ ଅଂଶଗ୍ରହଣ କରିଚନ୍ତି ! କିନ୍ତୁ ଏହି ରୀତିକୁ ମୁଁ ଅତିଶୟ ନିର୍ବୋଧ ରୀତି ବୋଲି ମନେକରେ । କାରଣ କେବଳ ଯେ ଗୋଟିଏ ବଂଶରେ ଆପଣାର ପୂର୍ବଜମାନେ ଜନ୍ମଗ୍ରହଣ କରନ୍ତି ତାହା ନୁହେଁ, ଆମେ ପ୍ରତ୍ୟେକେ ନିଜେ ମଧ୍ୟ ଆମରି ପୂର୍ବଜମାନଙ୍କର କଳା ନେଇ ଜନ୍ମଗ୍ରହଣ କରୁ-। ସେହି ମହାଭାରତ ଯୁଦ୍ଧ ସମୟରେ ମୁଁ କେଉଁଠାରେ ଥିଲି ? ଖୁବ୍‌ ସମ୍ଭବତଃ ସେହିଠାରେ, ସେ ଯୁଦ୍ଧକ୍ଷେତ୍ରରେ, ଯୋଦ୍ଧାମାନଙ୍କ ଭିତରେ । ବର୍ଣ୍ଣରେ ମୁଁ ହେଉଚି ବୈଶ୍ୟ, ବଣିଜ ହେଉଚି ମୋର ବ୍ୟବସାୟ ଏବଂ ଶସ୍ତ୍ରାସ୍ତ୍ରଶିକ୍ଷା ଚିରଦିନ ମୋତେ ଅଶେଷ ଆନନ୍ଦ ଦେଇଆସିଚି । ହାତରେ ତରବାରି ଧରି ମୁଁ ଅଧିକାଂଶ ଲୋକଙ୍କ ସହିତ ଅବଶ୍ୟ ଲଢ଼ିପାରିବି, ମୋର ଏହି ବିଶ୍ୱାସ ମଧ୍ୟ ରହିଚି ।

 

ମୋର କଥା ଶେଷ ନହେଉଣୁ ବଶିଷ୍ଠୀ ମୋତେ ନିବିଡ଼ ଆଲିଙ୍ଗନ କରି ଧରିଲା ଏବଂ ମୋତେ ତାର ’ବୀରପୁରୁଷ’ ବୋଲି ଡାକିବାକୁ ଲାଗିଲା । ବୀରଗାଥାମାନଙ୍କରେ ବର୍ଣ୍ଣିତ ବୀରମାନଙ୍କ ମଧ୍ୟରୁ ମୋତେ ମଧ୍ୟ ସେ ଅନ୍ୟତମ ଭାବରେ ଗ୍ରହଣ କରି ନେଇଥିଲା । ସେତେବେଳେ ପ୍ରବାଳବୃକ୍ଷର ସୁବାସ ଅଶୋକସ୍ତବକର ମଧୁର ଗନ୍ଧ-ପରିବେଶ ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥାଏ ।

 

ତାକୁ ମୁଁ ପଚାରିଲି, ଏ ନୂଆ ଗନ୍ଧଟା କେଉଁଆଡ଼ୁ ଆସିଲା ? କାରଣ ସେତେବେଳଯାଏ ଏହା ବିଷୟରେ ମୁଁ କେଉଁଠି କିଛି ଶୁଣିନଥିଲି । ସେଦିନ ଜାଣିବାକୁ ପାଇଲି ଯେ ଅନ୍ୟ ପ୍ରତ୍ୟେକ ବିଷୟ ପରି ଏହି ଗାଙ୍ଗେୟ ଉପତ୍ୟକାରେ କାହାଣୀ ଓ କଥାମାନ ମଧ୍ୟ ସମୃଦ୍ଧ ପ୍ରାଚୁର୍ଯ୍ୟରେ ବିକସିତ ହୋଇଉଠିଚି, ଆମ ଆଡ଼ର ପାର୍ବତ୍ୟ ଅଞ୍ଚଳଠାରୁ ମଧ୍ୟ ଅଧିକ ସମୃଦ୍ଧ ଭାବରେ ବିକସିତ ହୋଇଉଠିଚି ।

 

ବଶିଷ୍ଠୀ ଉତ୍ତର ଦେଲା, ଥରେ ଇନ୍ଦ୍ରଙ୍କ ସହିତ ଯୁଦ୍ଧରେ ଲିପ୍ତ ଥିବାବେଳେ କୃଷ୍ଣ ସ୍ୱର୍ଗରାଜ୍ୟରୁ ଏହି ପ୍ରବାଳବୃକ୍ଷର ଆଣିଥିଲେ ଏବଂ ନିଜର ଉଦ୍ୟାନରେ ରୋପଣ କରିଥିଲେ । ଏହି ବୃକ୍ଷର ଘନରକ୍ତ ରଙ୍ଗର କୁସୁମମାନ ଫୁଟି ଉଠିଲେ ତାହାର ସୁଗନ୍ଧରେ ଦଶଦିଶ ଚହଟି ଉଠେ ଏବଂ ଯେଉଁ ଲୋକର ନାକରେ ଯାଇ ଏହି ଫୁଲର ବାସ ବାଜେ, ତା’ର ହୃଦୟ ଭିତରେ ବିସ୍ମୃତ ଅତୀତ ଓ ବିଗତ ଜୀବନର ସ୍ମୃତିମାନ ପୁଣି ଜାଗରିତ ହୋଇଉଠେ ।

 

କିନ୍ତୁ କେବଳ ମୁନିଋଷି ବ୍ୟକ୍ତିମାନେ ହିଁ ଏହି ସଂସାରରେ ସେହି ଫୁଲର ସୁଗନ୍ଧକୁ ଅନୁଭବ କରିପାରନ୍ତି । ଟିକିଏ ଉଦ୍ଧତ ଭାବର ଅଭିନୟ କରି ବଶିଷ୍ଠୀ କହିଲା–କିନ୍ତୁ ଆମ ଦୁହିଁଙ୍କ ଭିତରୁ ତ କେହି ମୁନିଋଷି ନୁହନ୍ତି । ତେବେ ଏ ସୁବାସକୁ ଆମେ କିପରି ଅନୁଭବ କରିପାରିଲୁ ? ଅବଶ୍ୟ ଆମକୁ ନଳ ଓ ଦମୟନ୍ତୀ ବୋଲି କୁହାଯାଇ ପାରିବନାହିଁ, କିନ୍ତୁ ସେମାନେ ପରସ୍ପରକୁ ଯେପରି ନିବିଡ଼ ଭାବରେ ଭଲ ପାଉଥିଲେ ଆମର ନାମ ଭିନ୍ନ ହେଲେ ସୁଦ୍ଧା ଆମେ ଦୁହେଁ ମଧ୍ୟ ପରସ୍ପରକୁ ସେହିପରି ଭଲପାଉଚୁ । ଏବଂ ପ୍ରେମ ଓ ବିଶ୍ୱାସ ହେଉଚି ସମ୍ଭବତଃ ଏହି ସଂସାରର ଏକମାତ୍ର ସତ୍ୟ, ଏହା ସର୍ବତ୍ର ଥାଏ, କେବଳ ନାମ ଓ ରୂପରେ ଯାହା ଭିନ୍ନତା ରହିଥାଏ । ପ୍ରେମ ଓ ବିଶ୍ୱାସ ହେଉଚି ଦୁଇଟି ରାଗିଣୀ, ଆମେ ହେଉଚୁ ବୀଣାଯନ୍ତ୍ର, ଏହି ବୀଣାଯନ୍ତ୍ରରେ ହିଁ ସେହି ରାଗିଣୀ ବାଜି ଉଠିଥାଏ । କାଳକ୍ରମେ ହୁଏତ ବୀଣାଯନ୍ତ୍ର ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଏ, କିନ୍ତୁ ସେଥିରେ ବାଜି ଉଠିଥିବା ରାଗିଣୀ ସେହିପରି ଅମର ହୋଇ ରହେ । ଅବଶ୍ୟ ଯନ୍ତ୍ରର ଦକ୍ଷତା ଓ ଯୋଗ୍ୟତା ଅନୁସାରେ ଏହି ରାଗିଣୀ କେଉଁଠି ଅଧିକ ବା ଆଉ କେଉଁଠି କମ୍‌ ପରିପୂର୍ଣ୍ଣ ଓ ମଧୁର ଭାବରେ ବାଜିଯାଏ । ଠିକ୍‌ ଏହି କାରଣରୁ ମୋର ନୂଆ ବୀଣାଟିର ସ୍ୱର ପୁରୁଣାଟି ଅପେକ୍ଷା ଅନେକ ଗୁଣରେ ଅଧିକ ମଧୁର । କିନ୍ତୁ ଦେବତାମାନଙ୍କ ହାତରେ ଆମେ ହେଉଚୁ ଦୁଇଟି ସୁମଧୁର ବୀଣାଯନ୍ତ୍ର, ଏହି ବୀଣାଯନ୍ତ୍ର ଦୁଇଟିକୁ ହାତରେ ଧରି ସେମାନେ ଏକ ମଧୁରତମ ରାଗିଣୀ ବଜାଇବାର ଆଳାପ ଆରମ୍ଭ କରି ଦେଇଚନ୍ତି ।

 

ଅତି ନୀରବରେ ମୁଁ ତାକୁ ଆପଣା ପାଖକୁ ଚାପି ଧରିଲି । ତାହାର ଏହି ଅଦ୍ଭୁତ ଭାବନାମୟ କଥାଗୁଡ଼ିକ ମୋତେ ଅତ୍ୟନ୍ତ ବିସ୍ମିତ ଓ ଅଭିଭୂତ କରି ଦେଇଥାଏ । କିନ୍ତୁ ସେ ମୋର ମନର ଭାବନାକୁ ଜାଣିପାରିଲା କି କଅଣ, କେବଳ ଗୋଟିଏ ଦରସ୍ମିତରେ ତାହାର ଜବାବ ଦେଇଥିଲା : –

 

ଅବଶ୍ୟ ମୋର ମନଭିତରକୁ ଏପରି ଭାବନାମାନ ଆସିବା ଉଚିତ ନୁହେଁ । ଥରେ ଏହିପରି କେତେପଦ କଥା କହିଥିଲି ବୋଲି ଆମର କୁଳ ପୁରୋହିତ ମୋ’ ଉପରେ ଭାରି ବିରକ୍ତ ହୋଇଥିଲେ–ଏହି ସବୁ ତୁଙ୍ଗ ଭାବନା ଭାବିବାର ଅଧିକାର କେବଳ ବ୍ରାହ୍ମଣମାନଙ୍କର ଅଛି, ମୋର ଅଧିକାର ହେଉଚି କେବଳ କୃଷ୍ଣଙ୍କର ଆରାଧନା କରିବା, କୃଷ୍ଣଙ୍କୁ ଭକ୍ତି କରିବା । ଅବଶ୍ୟ ଏପରି ଭାବନାମାନଙ୍କୁ ମନଭିତରେ ସ୍ଥାନ ଦେବା ମୋ’ ପକ୍ଷରେ ଆଦୌ କର୍ତ୍ତବ୍ୟ ନୁହେଁ, ତଥାପି ମୋର ପୂର୍ଣ୍ଣ ବିଶ୍ୱାସ ହେଉଚି ଯେ ଆମେ ଦୁହେଁ ହିଁ ଆମର ପୂର୍ବ ଏକ ଜନ୍ମରେ ନଳ ଓ ଦମୟନ୍ତୀ ହୋଇ ଜନ୍ମଲାଭ କରିଥିଲୁ ।

 

କହିସାରି ସେ ସତେଅବା କାହାରି ଉଦ୍ଦେଶ୍ୟରେ ପ୍ରାର୍ଥନା କଲା ପରି ଆମର ସମ୍ମୁଖରେ ଥିବା ପୁଷ୍ପୋଜ୍ଜ୍ୱଳ ଓ ପତ୍ରମର୍ମର ଗୁଞ୍ଜିତ କୁଞ୍ଜଆଡ଼କୁ ହସ୍ତ ପ୍ରସାରିତ କଲା ଏବଂ ବନବିହାର କଲାବେଳେ ଦମୟନ୍ତୀ ଅଶୋକଗଛ ସହିତ ଯେପରି କଥାବାର୍ତ୍ତା ହୋଇଥିଲେ, ଠିକ୍‌ସେହିପରି ଗଛଗୁଡ଼ିକ ସହିତ କଥାବାର୍ତ୍ତା ହେବାକୁ ଲାଗିଲା । ପ୍ରାଚୀନ କବିଙ୍କର ସେହି ସ୍ମରଣୀୟ ଗଛଗୁଡ଼ିକ ସହିତ କଥାବାର୍ତ୍ତା ହେବାକୁ ଲାଗିଲା । ପ୍ରାଚୀନ କବିଙ୍କର ସେହି ସ୍ମରଣୀୟ ଶ୍ଳୋକପଂକ୍ତିମାନ ତା’ର ଅଧରତନ୍ତ୍ରୀ ଉପରେ ଧ୍ୱନିତ ହୋଇ ଉଠିଲା–

ହେ ଅଶୋକ, ଏହି ଦୁଃଖାକୁଳା ବାଳିକାର ନମସ୍କାର ନିଅ,

ତୁମର ଛାୟାରେ ମୋର ହୃଦୟର ଶାନ୍ତିକୁ ରଞ୍ଜିତ କର,

ମୋର ହୃଦୟର ସଖା ନଳ କେଉଁଠି ଅଛନ୍ତି, ପତ୍ରର ମର୍ମର ଦେଇ ମୋତେ ସେହିକଥା କହିଦିଅ !

ତା’ପରେ ଏକ ଶ୍ରଦ୍ଧାନତ ମଧୁର ଚାହାଣିରେ ସେ ମୋ’ ଆଡ଼କୁ ଅନାଇ ରହିଲା । ସେତେବେଳକୁ ତା’ର ଅଶ୍ରୁଧାରା ଭିତର ଦେଇ ଉଜ୍ଜ୍ୱଳ ଚନ୍ଦ୍ରକିରଣର ଧାରା ବହିବାରେ ଲାଗିଥାଏ । କମ୍ପିତ ଅଧରକୁ ସଞ୍ଚାଳିତ କରି ସୁନ୍ଦରୀ କହିଲା–ବର୍ତ୍ତମାନ ତୁମେ ମନେ ମନେ ସେହି ସୁଦୂର ଅତୀତର ରାଜ୍ୟକୁ ଚାଲିଯାଅ ଏବଂ କଳ୍ପନା କର ଯେ ମୁଁ ଏହିଠାରେ ଠିଆହୋଇ ଏହି ଅଶୋକ ଛାୟାରେ ତୁମ ସହିତ କଥୋପକଥନ କରୁଚି । କେବଳ ଏତିକି ଅନ୍ତର ରହିଚି ଯେ ତୁମକୁ ମୁଁ ‘ନଳ’ ବୋଲି ନୁହେଁ, ମାତ୍ର ‘କାମନୀତ’ ବୋଲି ସମ୍ବୋଧନ କରୁଚି ।

ତା’ର କଥା ଶୁଣି ମୁଁ ତାକୁ ମୋର ବାହୁପାଶ ଭିତରେ ଜଡ଼ିତ କରି ଧରିଲି ଏବଂ ମୋର ଅଧରକୁ ନେଇ ତାହାର ବିମ୍ବାଧର ଉପରେ ନିବେଶିତ କଲି ।

ଠିକ୍‌ଏହି ମୁହୂର୍ତ୍ତରେ ଆମର ମସ୍ତକ ଉପରର କୁଞ୍ଜବୀଥିକା ଶିହରି ଉଠିଲା । ଏକ ବୃହଦାକାର ଚକଚକ ରକ୍ତବର୍ଣ୍ଣ ପୁଷ୍ପ ଆମ ହୁହିଁଙ୍କର ଅଶ୍ରୁସିକ୍ତ ଚିକୁର ଉପରେ ଆସି ପଡ଼ିଲା । ଈଷତ୍‌ ହସି ବଶିଷ୍ଠୀ ସେଇଟିକୁ ଆପଣା ହାତରେ ନେଇ ଧରିଲା ଏବଂ ତାହା ଉପରେ ଗୋଟିଏ ଚୁମ୍ବନ ଅଙ୍କନ କରି ସେଇଟିକୁ ମୋ’ ଆଡ଼କୁ ବଢ଼ାଇଦେଲା । ମୁଁ ତାକୁ ମୋର ବକ୍ଷସ୍ଥଳରେ ସୁରକ୍ଷିତ କରି ରଖିଲି ।

କୁଞ୍ଜ ପଥରେ ଆହୁରି କେତେ କେତେ ଫୁଲ ତଳେ ମାଟି ଉପରେ ଝରି ପଡ଼ିଥିଲା । ଆମଠାରୁ ଅନତି ଦୂରରେ ଗୋଟିଏ ବେଞ୍ଚ୍‌ ଉପରେ ମେଦିନୀ ଓ ସୋମଦତ୍ତ ବସିଥିଲେ । ହଠାତ୍‌ ମେଦିନୀ ଉଠି ଠିଆହେଲା, ଆପଣା ହାତରେ କେତୋଟି ପୀତରକ୍ତ ବର୍ଣ୍ଣର ଅଶୋକକଢ଼ି ଗୋଟାଇ ଆଣି ଧରିଲା ଏବଂ ଆମଆଡ଼କୁ ଦଉଡ଼ି ଆସି ବଡ଼ ପାଟିରେ କହିଲା : –

ଦେଖ୍‌ ଭଉଣୀ । ଏଥର ଫୁଲ ଝରିବା ଆରମ୍ଭ ହୋଇଗଲାଣି । ଏଥର ତୋର ସ୍ନାନଲାଗି ଆଉ ଫୁଲର ଅଭାବ ରହିବନାହିଁ ।

ମୋର ବନ୍ଧୁ ସୋମଦତ୍ତ ସବୁଦିନେ ଟିକିଏ ମୁଖର ପ୍ରକୃତିର । ସେ କହିଲେ–କିନ୍ତୁ ବଶିଷ୍ଠୀ, ଏହି ଫୁଲର ହଳଦୀରଙ୍ଗ ଯେପରି ତୋ’ର ସ୍ନାନ ଜଳରେ ମିଶି ନଯାଏ, ସେଥିପ୍ରତି ତୁ ସାବଧାନ ରହିଥିବୁ ! କାରଣ ତା’ହେଲେ ସେହି ପୁଷ୍ପରାଗର ସମାଦର ସ୍ପର୍ଶରେ ତୋର କୁସୁମସଦୃଶ ଦେହ ଏକାବେଳେକେ ପ୍ରସ୍ଫୁଟିତ ହୋଇ ଉଠିବ । ବଶିଷ୍ଠୀର ତ କେବଳ ଏକ ଘନ ରକ୍ତବର୍ଣ୍ଣର ଫୁଲ ଦରକାର, ଆମର ବନ୍ଧୁ କାମନୀତ ଆପଣାର ଛାତି ଭିତରେ ଠିକ୍‌ ଯେଉଁ ଫୁଲଟି ସାଇତି କରି ରଖିଚନ୍ତି ।

ଏହି କଥା କହି ସେ ଓ ମେଦିନୀ ଆନନ୍ଦରେ ଉଚ୍ଚ୍ୱସିତ ହେଲାପରି ହସିଉଠିଲେ ।

ମୁଖଉପରେ ଏକ ମଧୁର ଦରସ୍ମିତ ଫୁଟାଇ ମୋର ହାତକୁ କେତେବେଳେ ନରମ ଓ କେତେବେଳେ ଜୋର କରି ଜାବୁଡ଼ିଧରି ବଡ଼ ଗମ୍ଭୀର ଭାବରେ ବଶିଷ୍ଠୀ ଉତ୍ତର ଦେଲା : –

ସୋମଦତ୍ତ, ତୁମର କଥାରେ କିନ୍ତୁ ଟିକିଏ ଭୁଲ ରହିଗଲା । ମୋର ପ୍ରେମର ରଙ୍ଗ କୌଣସି ଫୁଲର ରଙ୍ଗ ସହିତ ସମାନ ନୁହେଁ । କାରଣ ମୁଁ ଶୁଣିବାକୁ ପାଇଚି ଯେ ପ୍ରକୃତ ପ୍ରେମର ରଙ୍ଗ ଲାଲ ନୁହେଁ, ଏହା କୃଷ୍ଣବର୍ଣ୍ଣ–ବିଷପାନ କଲାପରେ ଭଗବାନ୍‌ ଶିବଙ୍କର କଣ୍ଠଦେଶ ଯେଉଁପରି ବର୍ଣ୍ଣ ଧାରଣ କରିଥିଲା, ଠିକ୍‌ ସେହି ବର୍ଣ୍ଣର । ଶିବ ସେହି ବିଷକୁ ପାନ କରି ନଥିଲେ ତାହା ସଚରାଚର ଜୀବଜଗତକୁ ଗ୍ରାସ କରି ପକାଇଥାନ୍ତା । ଆମର ମନୁଷ୍ୟ ଜୀବନରେ ମଧ୍ୟ ଠିକ୍‌ ସେହିପରି ହେବା ଉଚିତ–ଜୀବନରେ ବିଷକୁ ସହନ କରିପାରିବା ଭଳି ଶକ୍ତି ପ୍ରକୃତ ପ୍ରେମର ରହିଥିବା ଦରକାର, ପ୍ରେମାସ୍ପଦର ଶୁଭଲାଗି ତିକ୍ତତମ ସ୍ୱାଦକୁ ମଧ୍ୟ ଚାଖିବାର ଶକ୍ତି ଏହାର ରହିଥିବା ଦରକାର । ତେଣୁ ଉଜ୍ଜ୍ୱଳ ବର୍ଣ୍ଣର ନାନା ଆନନ୍ଦରୁ ଆପଣାର ବର୍ଣ୍ଣ ଆହରଣ କରିବା ଅପେକ୍ଷା ପ୍ରେମର ବରଂ ସେହି କଟୁ ବିଷର ବର୍ଣ୍ଣ ଧାରଣ କରିବା ସବୁବେଳେ ଶ୍ରେୟସ୍କର ।

ସେଦିନ ରାତ୍ରିରେ ସେହି ଅଶୋକ–ଉପବନରେ ବସି ମୋର ପ୍ରିୟତମା ବଶିଷ୍ଠୀ ଏହିପରି କଥାମାନ କହିଥିଲା ।

Image

 

ଜଳନାଳୀ

 

ଜୀବନରେ ଏହିସବୁ ସ୍ମୃତି ଗୁଡ଼ିକ ଦ୍ୱାରା ଗଭୀର ଭାବରେ ଉଦ୍‌ବେଳିତ ହୋଇପଡ଼ି ତୀର୍ଥଯାତ୍ରୀ ଅଳ୍ପ କେତେକ୍ଷଣ ପର୍ଯ୍ୟନ୍ତ ନୀରବ ହୋଇ ରହିଲେ । ତା’ପରେ ଦୀର୍ଘନିଶ୍ୱାସ ପକାଇ, କପାଳ ଉପରେ ହାତ ବୁଲାଇ ନେଇ ପୁନରାୟ ଆପଣାର କାହାଣୀ ଆରମ୍ଭ କଲେ : –

 

ଭାଇ, ସଂକ୍ଷେପରେ କହିବାକୁ ଗଲେ ଏହି ସମୟଟି ମୋର ଅତ୍ୟନ୍ତ ମଧୁର ମାଦକ ଭିତରେ ନିମଗ୍ନ ହୋଇ ରହିଥିଲା ପରି କଟିଯିବାକୁ ଲାଗିଲା, ଚିତ୍ତର ଉତ୍‍ଫୁଲ୍ଲତାରେ ମୋର ଗୋଡ଼ ଆଉ ଭୂଇଁରେ ଲାଗିଲାପରି ମନେ ହେଉନଥାଏ । ସଂସାରକୁ ଦୁଃଖମୟ ବୋଲି କହୁଥିବା ଏପରି ଲୋକ ଅଛନ୍ତି, ଥରେ ଏହି କଥା ଶୁଣି ମୋତେ ଭାରି ହସ ମାଡ଼ିଲା । ଏ ସଂସାରରେ ଯେପରି ପୁନର୍ବାର ଜନ୍ମ ଗ୍ରହଣ କରିବାକୁ ନପଡ଼େ, ଏହି ଅଭିଳାଷ ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ଅଭିଳାଷ ହିଁ ନଥାଏ । ‘ଏଭଳି ଲୋକଙ୍କୁ କହିଥିଲି–‘ସତେ ଯେପରି ଅଶୋକ ଉଦ୍ୟାନଠାରୁ ଅଧିକ ପରିପୂର୍ଣ୍ଣ ଆନନ୍ଦ ଦେଲା ଭଳି ସ୍ଥାନ ଆଉ କେଉଁଠାରେ ରହିଚି ।’

 

କିନ୍ତୁ ଠିକ୍ ଉଦ୍ୟାନତଳକୁ ହିଁ ଜଳନାଳୀ ମଧ୍ୟ ଥିଲା ।

 

ଏହି ନିର୍ବୋଧ କଥା କେତେପଦ କହୁ ନକହୁଣୁ ଆମର ଗୋଡ଼ ଖସିଗଲା ଓ ଆମେ ଯାଇ ସିଧା ଜଳନାଳୀ ଭିତରେ ପଡ଼ିଗଲୁ । ସଂସାରରେ ପରମ ସୁଖ ସହିତ ମଧ୍ୟ ଯେ ତିକ୍ତତା ନିହିତ ହୋଇ ରହିଚି, ସମ୍ଭବତଃ ଏହି ସତ୍ୟଟିକୁ ଆମକୁ ଦେଖାଇ ଦେବା ଲାଗି ସେହି ମୁହୂର୍ତ୍ତରେ ବହୁ ସଂଖ୍ୟକ ସଶସ୍ତ୍ର ପ୍ରହରୀ ଆସି ଆମକୁ ଘେରିଗଲେ । ସେମାନେ ପ୍ରକୃତରେ ଯେ କେତେଜଣ ଥିଲେ, କଳା କିଟିକିଟି ଅନ୍ଧାର ଭିତରେ ସେକଥା କିଛି ଜଣାପଡ଼ିଲା ନାହିଁ । ସୌଭାଗ୍ୟବଶତଃ ଆମର ପିଠିଟା ଆସି ପଥର ପାଚେରିର ସାହା ପାଇ ରହିଗଲା । ସେହି ଲୋକମାନେ ଯେପରି ପଛପଟୁ ଆସି ଆମକୁ ଆକ୍ରମଣ କରି ନପାରିବେ, ଏ ବିଷୟରେ ସଚେତ ରହି ଆମେ ଆମର ଜୀବନ ଓ ଆମର ପ୍ରେମଲାଗି ସଂଗ୍ରାମ କରିବାକୁ ଆରମ୍ଭ କଲୁ ।

 

ଦାନ୍ତକୁ ଦାନ୍ତ ଜାବ ପକାଇରଖି ଆମେ ରାତ୍ରିପରି ନିର୍ବାକ୍ ହୋଇ ରହିଲୁ ଓ କୌଣସି ପ୍ରକାର ହଲଚଲ ନହୋଇ ସେହି ଅନ୍ଧାରରେ ଶାନ୍ତ ଭାବରେ ପଡ଼ିରହିଲୁ । କିନ୍ତୁ ଆମର ଆକ୍ରମଣକାରୀମାନେ ଠିକ୍ ରାକ୍ଷସଙ୍କ ପରି ଗର୍ଜନ କରି ପରସ୍ପରକୁ ଉତ୍ତେଜିତ କରିବାକୁ ଲାଗିଲେ, ସେହି ତୁଣ୍ଡ ଶବ୍ଦରୁ ଆମେ ସେମାନଙ୍କର ଦଳରେ ପ୍ରାୟ ଆଠ ଦଶଜଣ ଲୋକ ଅଛନ୍ତି ବୋଲି ଅନୁମାନ କରିନେଲୁ । ଅବଶ୍ୟ ଆମେ ଦୁହିଙ୍କୁ ଦୁହେଁ ଶକ୍ତ ଯୋଦ୍ଧା ଥିଲୁ ଏବଂ ଆମ ସହିତ ଯୁଦ୍ଧ କରିବା ସେମାନଙ୍କ ପକ୍ଷରେ ଆଦୌ ସହଜ କାମ ନଥିଲା । ତଥାପି ଅବସ୍ଥାକୁ ସାଘାଂତିକ ବୋଲି କହିବାକୁ ହିଁ ହେବ । କିନ୍ତୁ ହଠାତ୍ ଏତିକିବେଳେ ସେମାନଙ୍କ ଭିତରୁ ଦୁଇଜଣ ମାଟି ଉପରେ ଝୁଣ୍ଟିକରି ପଡ଼ିଲେ । ସେମାନଙ୍କର ଶରୀର ଅନ୍ୟମାନଙ୍କ ଅଗ୍ରସର ହେବାରେ ପ୍ରତିବନ୍ଧକ ପରି କାର୍ଯ୍ୟ କଲା । ଅନ୍ଧାରରେ ଏହି ଦୁହିଁଙ୍କର ଶରୀରକୁ ଝୁଣ୍ଟି କାଳେ ସେମାନେ ପଡ଼ିଯିବେ ଓ ଏହିପରି ଅବସ୍ଥାରେ ଆମର ତରବାରି–ଧାରରେ ସେମାନଙ୍କୁ ପ୍ରାଣ ଦେବାକୁ ପଡ଼ିବ, ଏଥିପାଇଁ ସେମାନେ ବଡ଼ ଭୀତିଗ୍ରସ୍ତ ହୋଇପଡ଼ିଲେ । ସେମାନଙ୍କର ତପ୍ତ ନିଶ୍ୱାସକୁ ଆଉ ଆମେ ଆମର ମୁହଁ ଉପରେ ଅନୁଭବ କରିବାକୁ ପାଇଲୁ ନାହିଁ, ସେମାନେ ନିଶ୍ଚୟ କେତେକ ପାଦ ପଛକୁ ପଛାଇଗଲେ ।

 

ସୋମଦତ୍ତର କାନପାଖରେ ମୁଁ ଇସାରା ଦେଇ କହିଲି ଏବଂ ଆମେ ଆଉ କେତେ ପାଦ ଯାଇ ଗୋଟାଏ ପାଖକୁ ଆଡ଼େଇ ହୋଇ ରହିଗଲୁ । ଆମେ ଆଶା କରୁଥିଲୁ ଯେ ଆକ୍ରମଣକାରୀମାନେ, ଆମେ ପୁଣି ପୂର୍ବସ୍ଥାନରେ ଯାଇ ଆଶ୍ରୟ ନେଇଚୁ ବୋଲି ଭାବି ହଠାତ୍ ପ୍ରଚଣ୍ଡ ଭାବରେ ଆସି ଆକ୍ରମଣ ଆରମ୍ଭ କରିଦେବେ ଏବଂ ତଦ୍ଦ୍ୱାରା ପଥର-ପାଚେରି ଦେହରେ ଆଘାତ ପାଇ ସେମାନଙ୍କର ତରବାରି ଯାଇ ସେମାନଙ୍କ ବକ୍ଷ ବିଦ୍ଧ କରିବ । କିନ୍ତୁ ଆମେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ରହିଥିଲେ ମଧ୍ୟ ହଠାତ୍ ଗୋଟାଏ ଅସ୍ପଷ୍ଟ ଶବ୍ଦ ଶୁଣିପାରି ସେମାନଙ୍କୁ ମନରେ ସନ୍ଦେହ ଜାତ ହେଲା ଏବଂ ସେମାନେ ଆଉ ଅନ୍ଧଭାବରେ ଆକ୍ରମଣ କଲେନାହିଁ । ଏହି ସମୟରେ ପାଚେରି ପାଖରେ ମୁଁ ଏକ ଅତି କ୍ଷୀଣ ଆଲୋକରେଖା ଦେଖିବାକୁ ପାଇଲି । ଗୋଟିଏ ବାକ୍ସ ଭିତରେ ଜଳୁଥିବା ଦୀପଟିରୁ ଏହି ଆଲୋକ ଆସୁଥିଲା । ସେହି ଦୀପ ପାଖରେ କାହାର ଏକ ନାସିକା ଓ ନିମୀଳିତ ଦୁଇଟି ଆଖି ସ୍ପଷ୍ଟ ଦୃଷ୍ଟିଗୋଚର ହେଉଥିଲା ।

 

ଯେଉଁ ବାଉଁଶଖଣ୍ଡର ସାହାଯ୍ୟରେ ଆମେ ଉଦ୍ୟାନ ଭିତରକୁ ପ୍ରବେଶ କରିଥିଲୁ, ଭାଗ୍ୟକୁ ସେଇଟି ମୋର ବାଆଁପାଖରେ ପଡ଼ିଥିଲା । ମୁଁ ଅତିଶୀଘ୍ର ତାହାକୁ ଉଠାଇଆଣି ହାତରେ ଧରିଲି । ଏବଂ ଠିକ୍ ସେହି ମୁହୂର୍ତ୍ତରେ ଆମେ ଦୁହେଁ ଯେଉଁ ବାଟ ଦେଇ ଆସିଥିଲୁ, ଠିକ୍ ସେହି ବାଟଦେଇ ଚମ୍ପଟ କଲୁ । ଆମେ ଆଗରୁ ଜାଣିଥିଲୁ ଯେ ଏଠାରେ ଖାଇର ଓସାର ଖୁବ୍ କମ୍ ଏବଂ ଇଚ୍ଛା କଲେ ଜଣେ ଅନାୟାସରେ ଏପାଖକୁ ଡ଼େଇଁକରି ଆସିପାରିବ । କିନ୍ତୁ ଆମର ଭାଗ୍ୟ ଭଲ, କିଟିକିଟି ଅନ୍ଧାର ଭିତରେ ଆମର ଅନୁଧାବନ କରିବାରୁ ଆକ୍ରମଣକାରୀମାନେ ନିବୃତ୍ତ ରହିଲେ । ଏବଂ ଶେଷଥର ଉଠାଣିଟା ଉଠୁଥିବା ସମୟରେ ମୋର ମନେହେଲା ଯେପରି ଏଥର ଆଉ ମୋର ବଳ ପାଇବନାହିଁ । ସେତେବେଳକୁ ମୋର ଦେହସାରା କ୍ଷତବିକ୍ଷତ ହୋଇ ରକ୍ତ ବୋହିବାରେ ଲାଗିଚି । ମୋର ବନ୍ଧୁ ସୋମଦତ୍ତର ଅବସ୍ଥା ମଧ୍ୟ ମୋ’ଠାରୁ ଅଧିକ ଶୋଚନୀୟ ହୋଇ ପଡ଼ିଥିଲା ।

 

ଖାଇ ଭିତରୁ ବାହାରକୁ ଆସି ମୁଁ ମୋର ଟୋପିକୁ ଦୁଇଫଡ଼ା କରି କ୍ଷତସ୍ଥାନଗୁଡ଼ିକୁ ବାନ୍ଧିଦେଲି ଏବଂ ମୋମଦତ୍ତର କାନ୍ଧରେ ଭରା ଦେଇ ଶେଷକୁ ଆସି ଘରେ ପହଞ୍ଚିଲି । ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବାକୁ ଆମକୁ ବେଶ୍ କେତେ ସପ୍ତାଅ ଲାଗିଗଲା ।

 

ସେହି ଦିନଠାରୁ ମୋତେ ତିନି ରକମର ଯାତନା ଭୋଗ କରିବାକୁ ପଡ଼ିଲା । କ୍ଷତ ଓ ଜ୍ୱର ହେତୁ ମୋର ଶରୀର ଜଳିଗଲା ପରି ମନେ ହେଉଥାଏ, ପୁଣି ପ୍ରିୟତମାକୁ ପୁଣିଥରେ ଯାଇ ଭେଟିବାର ଆକାଂକ୍ଷା ଠିକ୍ ଗୋଟିଏ ରୋଗପରି ମୋର ଆତ୍ମାକୁ କାମୁଡ଼ି ଧରିଥାଏ- କିନ୍ତୁ ତା’ର ବହୂମୂଲ୍ୟ ଜୀବନ ଉପରେ ମଧ୍ୟ ବିପତ୍ତି ଆସି ପହଞ୍ଚିବାକୁ ବେଶୀ ବେଳ ଲାଗିଲାନାହିଁ । ସେଦିନର ସେହି ସାଘାଂତିକ ବିପଦର ପରିଣାମ ଯେ ମୋତେ ଭୋଗ କରିବାକୁ ପଡ଼ିଥିବ ଓ ବର୍ତ୍ତମାନ ମଧ୍ୟ ଭୋଗିବାକୁ ହେଉଥିବ, ଏହିକଥା ଭାବିଭାବି ତାହାର ସୁକୁମାର କୁସୁମକୋମଳ ହୃଦୟ ଆଉ ସହ୍ୟ କରି ପାରିଲାନାହିଁ ଏବଂ କ୍ରମେ ସେ ଏକ ସାଘାଂତିକ ରୋଗରେ ଅସୁସ୍ଥ ହୋଇ ପଡ଼ି ରହିଲା । ତାହାର ପ୍ରାଣଠାରୁ ଅଧିକ ଭଗିନୀ ମେଦିନୀ ବର୍ତ୍ତମାନ ଦୁଇ ରୋଗୀଙ୍କର ବିଛଣା ଭିତରେ ପ୍ରଧାନ ଯୋଗସୂତ୍ର ହୋଇ ରହିଲା ଏବଂ ଏହାଦ୍ୱାରା ଆମେ ପରସ୍ପରର ସମ୍ବାଦ ଜାଣିବାକୁ ପାଉଥିଲୁ ଓ ଆଶ୍ୱସ୍ତ ବୋଧ କରୁଥିଲୁ । ଆମଭିତରେ ଫୁଲର ଆଦାନପ୍ରଦାନ ଚାଲିଲା ଏବଂ ଫୁଲ ଜରିଆରେ ଭାବର ଆଦାନପ୍ରଦାନ କରିବାର ଭାଷା ଶିଖିଯିବା ପରେ ଆମେ ଏହି ବିଶ୍ୱସ୍ତା ବାନ୍ଧବୀଟିର ସାହାଯ୍ୟରେ କେତେକେତେ କଥା କଥାବାର୍ତ୍ତା ହୋଇପାରିଲୁ । ଆମର ମାନସିକ ଶକ୍ତି ଫେରିଆସିବାପରେ କବିତାରେ ମଧ୍ୟ ଚିଟାଉ ଦିଆନିଆ ଆରମ୍ଭ ହୋଇଗଲା । ଏହପରି ଭାବରେ ବଡ଼ ଆରାମ ଓ ଆନନ୍ଦରେ ଦିନପରେ ଦିନ ଅତିବାହିତ ହୋଇଯାଉଥାଏ । କିନ୍ତୁ କ୍ରମେ ଆରୋଗ୍ୟ ଲାଭ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ଅଧିକ ନିକଟବର୍ତ୍ତୀ ହୋଇଆସୁଥାଏ ଏବଂ ଆମ ଦୁହିଁଙ୍କର ମନକୁ ନାନାପ୍ରକାର ଦୁଶ୍ଚିନ୍ତାରେ ଘାଣ୍ଟିଦେଇ ଯାଉଥାଏ ।

 

ସେଦିନର ସେହି ରହସ୍ୟମୟ ଅଥଚ ପ୍ରଚଣ୍ଡ ଆକ୍ରମଣ କାହାର ଚକ୍ରାନ୍ତରେ କିପରି ସମ୍ଭବ ହେଲା, ସେକଥା ଆଉ ଅଧିକଦିନ ଗୁପ୍ତ ହୋଇ ରହି ପାରିଲାନାହିଁ । ମନ୍ତ୍ରୀପୁତ୍ର ଶତଗୀର ହିଁ ଏହି ଚକ୍ରାନ୍ତ ଭିଆଇଥିଲା, କାରଣ ଅତୀତର ସେହି ଅବିସ୍ମରଣୀୟ ଅପରାହ୍ନ ସମୟରେ ପ୍ରମୋଦ-କାନନରେ ବଶିଷ୍ଠୀର କନ୍ଦୁକକୁ ନେଇ ଆମ ଦୁହିଁଙ୍କ ଭିତରେ କଳହର ସୂତ୍ରପାତ ହୋଇଯାଇଥିଲା । ସେହିଦିନର କ୍ରୋଧକୁ ମନେରଖି ସେ ମୋତେ ହତ୍ୟା କରିବାଲାଗି ସେଦିନ ଆତତାୟୀମାନଙ୍କୁ ପଠାଇଥିଲା । ରାଜଦୂତଙ୍କ ସଙ୍ଗରେ ଦେଶକୁ ଫେରି ନଯାଇ ମୁଁ କୌସାମ୍ବିରେ ଅଛି, ଏହି ସମ୍ୱାଦ ତାର କ୍ରୋଧକୁ ପ୍ରଜ୍ଜ୍ୱଳିତ କରି ଦେଇଥିଲା ଏବଂ ମୁଁ ଯେ ରାତିରେ ବଶିଷ୍ଠୀ ସହିତ ସାକ୍ଷାତ କରିବାଲାଗି ଉଦ୍ୟାନକୁ ଆସୁଥିବି, ମନର ସନ୍ଦେହରେ ସେ ଏହି କଥା ଅତି ସ୍ପଷ୍ଟ ଭାବରେ କଳ୍ପନା କରି ନେଇଥିଲା ।

 

ହାୟ, ସେହି ଅଶୋକ-ବାଟିକା ବର୍ତ୍ତମାନ ମୋର ପ୍ରିୟତମା ଲାଗି ଏକ ପରିବର୍ଜିତ ନିର୍ଜନ ଦ୍ୱୀପ ହୋଇ ପଡ଼ିରହିଲା । ସେଠାକୁ ପୁଣିଥରେ ଯାଇ ତାହାସହିତ ଭେଟି ଆସିବାକୁ ମୁଁ ମୋର ଜୀବନକୁ ଯେକୌଣସି ବିପଦରେ ମଧ୍ୟ ପକାଇବାକୁ ପ୍ରସ୍ତୁତ ଥିଲି । କିନ୍ତୁ ପ୍ରତ୍ୟହ ରାତ୍ରିରେ ମୋତେ ମରଣାନ୍ତକ ବିପଦ ଭିତରକୁ ଠେଲିଦେଇ ବଶିଷ୍ଠୀ କିପରି ହୃଦୟ ଧରି ରହିପାରିଥାନ୍ତା ? ତେଣୁ ବାଧ୍ୟହୋଇ ଆମକୁ ଏହି ପ୍ରଲୋଭନକୁ ଏଡ଼ାଇ କରି ରହିବାକୁ ପଡ଼ିଲା । ଆମ ଦୁହିଁଙ୍କର ଗୁପ୍ତ ମିଳନ ବିଷୟରେ ଖଳ ଶତଗୀର ନିଶ୍ଚୟ ବଶିଷ୍ଠୀର ପିତାମାତାଙ୍କୁ ସମ୍ବାଦ ଦେଇ ସାରିଥିବ । ଏଥର ତା’ର ଗତିବିଧି ଉପରେ କଡ଼ା ପହରା ଦିଆଗଲା ଏବଂ ସୂର୍ଯ୍ୟାସ୍ତ ପରେ ଉଦ୍ୟାନକୁ ଯିବାଲାଗି ତା’ପାଇଁ ନିଷିଦ୍ଧ ହୋଇ ରହିଲା । ଅବଶ୍ୟ ତାର ଭଗ୍ନସ୍ୱାସ୍ଥ୍ୟ ଦୃଷ୍ଟିରୁ ଏପରି କଟକଣାମାନ ଆବଶ୍ୟକ ହେଉଚି ବୋଲି ତାକୁ କହି ଦିଆଗଲା ।

 

ଏହିପରି ଭାବରେ ଆମର ପ୍ରେମ କାହାଣୀର ସମସ୍ତ ଆଶ୍ରୟ ଛିନ୍ନଭିନ୍ନ ହୋଇଗଲା । ଯେଉଁ ମିଳନ କେବଳ ଏକାନ୍ତ ଓ ନିକାଞ୍ଚନରେ ଆଶ୍ୱସ୍ତି ଲାଭ କରୁଥିଲା, ଆଜି ତାହାଲାଗି ପ୍ରଶସ୍ତ ରାଜପଥ ବ୍ୟତୀତ ଆଉ କୌଣସି ଆଶ୍ରା ରହିଲାନାହିଁ । ଯେଉଁ ପ୍ରମୋଦବନରେ ମୁଁ ତା’ର ସ୍ୱର୍ଗୀୟ ଦେହଲାବଣ୍ୟର ପ୍ରଥମ ଦର୍ଶନ ଲାଭ କରିଥିଲି ଏବଂ ଥରେ ଦୁଇଥର ତାହାକୁ ଭେଟିବାକୁ ଯାଇ ବ୍ୟର୍ଥ ମନୋରଥ ହୋଇଥିଲି, ବର୍ତ୍ତମାନ ବଡ଼ ସନ୍ତର୍ପଣହୀନ ଓ ସାଧାରଣ ଭାବରେ ସେହିଠାରେ ଆମର ଭେଟ ହେଲା । କିନ୍ତୁ ହାୟ, ଏହାକୁ କଣ ପ୍ରକୃତ ମିଳନ କୁହାଯାଏ ? ନାନାପ୍ରକାରେ ଚୋରାଇ ଲୁଚାଇ ମିଳନଲାଗି ଆମେ ଯେଉଁ କେତୋଟି ମୁହୂର୍ତ୍ତ ପାଉଥିଲୁ, ତାହା କେଡ଼େ କ୍ଷଣସ୍ଥାୟୀ ପରି ନିମେଷକେ ଅତିବାହିତ ହୋଇଯାଉଥିଲା ! କେତେ ଭୀତିପୂର୍ଣ୍ଣ ଭାବରେ ଜଗିରଖି କେଡ଼େ ତରତରରେ ପଦେପଦେ କଥା କହିବାକୁ ପଡ଼ୁଥିଲା, ଦଣ୍ଡେ ଠିଆହୋଇ ଦେଖା କରିବାର ଲାଳସାରେ ବୁଲୁବୁଲୁ କାଳେ କାହା ଆଖିରେ ଧରାପଡ଼ିଯିବାର କେତେ ତ୍ରାସ ଆମକୁ ସତତ ଚଞ୍ଚଳ ଓ ଉଦ୍‍ବିଗ୍ନ କରି ରଖିଥିଲା !

 

ଯେତେଶୀଘ୍ର ସମ୍ଭବ କୌସାମ୍ବିରୁ ଅନ୍ୟତ୍ର ପ୍ରସ୍ଥାନ କରିବାକୁ ବଶିଷ୍ଠୀ ମୋତେ ସମ୍ବାଦ ପଠାଇଲା । ତାର ଏତେ ପାଖରେ ମୁଁ ଏହିପରି ମାରାତ୍ମକ ବିପଦ ଭିତରେ ଛନ୍ଦିହୋଇ ରହିଥିବି, ସେ ଏକଥା ଆଉ ସହ୍ୟକରି ପାରୁ ନଥିଲା । ସେଦିନର ସେହି ଚିରସ୍ମରଣୀୟ ସନ୍ଧ୍ୟାରେ ପ୍ରେମରେ ମୋହାନ୍ଧ ପ୍ରାୟ ହୋଇ ସେ ମୋତେ କୌସାମ୍ୱି ଛାଡ଼ି ନଯିବାକୁ ଜିଦ୍ ଲଗାଇଥିଲା ଓ ତାହାରି ଫଳରେ ହିଁ ମୋତେ ସେ ମରଣର ମୁଖକୁ ଟାଣି ନେଇଆସିଥିଲା, ଏହିକଥା ମନରେ ପକାଇ ସେ ଆପଣାକୁ ଅପରାଧୀ କରି ନାନାପ୍ରକାରେ ଭର୍ସନା କରିବାକୁ ଲାଗିଲା । ହୁଏତ ଏହି ମୁହୂର୍ତ୍ତରେ ଯେ ମୋ’ ପଛରେ ପୁଣି ଘାତକ ଲାଗି ନ ରହିଥିବେ, ସେକଥା କିଏ କହିପାରିବ ? ହଠାତ୍ ଅନ୍ୟ କେଉଁ ସ୍ଥାନକୁ ପଳାଇଯାଇ ମୁଁ ଯଦି ଏହି ବିପଦରୁ ଆପଣାକୁ ଅପସରାଇ ନନିଏ, ତେବେ ବଶିଷ୍ଠୀ ହିଁ ନିଜେ ମୋତେ ହତ୍ୟାକଲା ବୋଲି ଜାଣିବାକୁ ହେବ ।

 

ସେ କଇଁକଇଁ ହୋଇ କାନ୍ଦୁଥାଏ, ତା’ର କଣ୍ଠ ରୁଦ୍ଧ ହୋଇଆସୁଥାଏ । ଏବଂ ମୁଁ ଦାରୁପରି ତାହାରି ପାଖରେ ଠିଆହୋଇ ରହିଥାଏ, ତାକୁ ବାହୁପାଶକୁ ଭିଡ଼ିନେଇ ଚୁମ୍ବନଦ୍ୱାରା ତା’ର ଲୁହକୁ ଶୋଷିନେବାର କୌଣସି ସ୍ୱାଧୀନତା ମୋର ନଥାଏ, ତାହାର କୋମଳ ଚିକୁର ଉପରେ ଅକାଳ ବରଷାର ଧାରପରି ଲୁହଧାର ବହି ଚାଲିଥାଏ ।

 

କିନ୍ତୁ ଏପରି ଭାବରେ ପଳାୟନ କରିବାଟାକୁ ମୁଁ ଆଦୌ ସମର୍ଥନ କରି ପାରୁନଥିଲି ଏବଂ ସେଥିପାଇଁ ତାକୁ ବୁଝାଇ କହିଲି ଯେ କିପରି ଭାବରେ କେଉଁଠାକୁ ପଳାଇଯିବାର ଆୟୋଜନ ସମ୍ଭବ ହୋଇପାରିବ, ଏ ବିଷୟରେ ତା’ସହିତ ଥରେ ଭଲକରି କଥାବାର୍ତ୍ତା ନହେବା ପର୍ଯ୍ୟନ୍ତ ମୁଁ କଦାପି ପଳାଇ ପାରିବିନାହିଁ ।

 

ବଡ଼ ବ୍ୟାକୁଳ ଅନୁନୟପୂର୍ଣ୍ଣ ଦୃଷ୍ଟିରେ ବଶିଷ୍ଠୀ ମୋତେ ନିରୀକ୍ଷଣ କରୁଥିବାବେଳେ ବିଦାୟର ନିଷ୍ଠୁର ମୁହୂର୍ତ୍ତ ଆସି ପହଞ୍ଚିଲା । କାରଣ ସେଇଆଡ଼କୁ ଆହୁରି କେତେକ ଲୋକ ପାଖେଇ ଆସୁଥିଲେ । ଫଳରେ ମୁଁ ମୋର ନିଷ୍ପତ୍ତି ବିଷୟରେ ତାକୁ ପୂର୍ଣ୍ଣକରି କିଛି କହି ପାରିଲିନାହିଁ । ତଥାପି ପ୍ରିୟତମା ଉପରେ ମୁଁ ତାହାର ଦାୟିତ୍ୱ ସମର୍ପି ଦେଲି । ସେ ମୋ ବିଷୟରେ ବର୍ତ୍ତମାନ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଚିନ୍ତା କରୁଥିଲା ଓ ମୋର ଜୀବନ ବିଷୟରେ ତାହାର ପ୍ରାଣରେ ନାନା ଆଶଙ୍କା ପୂର୍ଣ୍ଣ ହୋଇ ରହିଥିଲା, ତେଣୁ ସେ ନିଶ୍ଚୟ ମୋ’ଲାଗି କୌଣସି ଉପାୟ ଅବଶ୍ୟ ପାଞ୍ଚିବ । ତା’ର ଭଗିନୀ ମେଦିନୀର ପ୍ରେମ ପ୍ରସଙ୍ଗରେ ଯଥେଷ୍ଟ ଅଭିଜ୍ଞତା ରହିଚି, ସେ ବଶିଷ୍ଠୀକୁ ଆବଶ୍ୟକ ପରାମର୍ଶମାନ ନିଶ୍ଚୟ ଦେବ । ସେଦିନ ରାତିରେ ମଧ୍ୟ ସୋମଦତ୍ତ ଆସି ମୋତେ ଗୋଟିଏ ଉପାୟର ପ୍ରସ୍ତାବ ଆଣିଦେଲା ।

Image

 

ପାରିଜାତ ଫୁଲର କଢ଼

 

କୌସାମ୍ୱି ନଗର ପ୍ରାଚୀରର ପୂର୍ବ ଦିଗକୁ ଖଣ୍ଡେଦୂରରେ ଏକ ରମଣୀୟ ଶିଂଶପାବନ ଅବସ୍ଥିତ ଥିଲା, ସେହି ବନର ଗୋଟିଏ ଅଂଶକୁ ଲୋକମାନେ ବଡ଼ ପବିତ୍ର ବୋଲି ମାନୁଥିଲେ । ସେଇଠି ଏକ ଖୋଲା ଜାଗାରେ ଏପର୍ଯ୍ୟନ୍ତ ମଧ୍ୟ ଦେବସ୍ଥାନ ଦେଖିବାକୁ ମିଳିବ, ଖୁବ୍‍ସମ୍ଭବ ତାହା ବର୍ତ୍ତମାନ ଭାରି ଭାଙ୍ଗିତୁଟି ଯାଇଥିବ । ଅନେକ ଦିନ ତଳେ ସେହି ପ୍ରାଚୀନ ମନ୍ଦିରରେ ମଧ୍ୟ ଦେବତାଙ୍କର ପୂଜାଦି ଅନୁଷ୍ଠିତ ହେଉଥିଲା, କାରଣ ବର୍ତ୍ତମାନ ସେହି ମନ୍ଦିରରେ ଅଧିଷ୍ଠିତ ଦେବତା କୃଷ୍ଣଙ୍କ ଉଦ୍ଦେଶ୍ୟରେ ନଗର ଭିତରେ ଏକ ଅଧିକ ବୃହତ୍ ଓ ଅଧିକ ସୁନ୍ଦର ମନ୍ଦିର ନିର୍ମିତ ହୋଇଚି-। ସେହି ଭଗ୍ନ ମନ୍ଦିରରେ ଦୁଇଚାରିଟା ପେଚାଙ୍କ ସହିତ ଜଣେ ସନ୍ନ୍ୟାସିନୀ ମଧ୍ୟ ବାସ କରୁଥିଲେ । ଦେବଗଣଙ୍କ ସହିତ ସେହି ସନ୍ନ୍ୟାସିନୀଙ୍କର ସମ୍ପର୍କ ଥିବାର ଜନଶ୍ରୁତି ରହିଥିଲା, ଯାହାଫଳରେ କି ସେ ଆଗତ ଭବିଷ୍ୟର କଥାମାନ ଜାଣି ପାରୁଥିଲେ ଏବଂ ସେ ସେହି କଥାଗୁଡ଼ିକୁ ସେଠାକୁ ପୂଜା ଦେବାପାଇଁ ଆସୁଥିବା ଭଲ ପ୍ରକୃତିର ଲୋକମାନଙ୍କ ଆଗରେ କହି ଦେଉଥିଲେ । ଏହାରି ଆକର୍ଷଣ ହେତୁ ଅନେକ ଲୋକ ସେହି ମନ୍ଦିରରେ ପୂଜା ଦେବାକୁ ଆସୁଥିଲେ, ବିଶେଷତଃ ସୂର୍ଯ୍ୟାସ୍ତ ପରେ ପ୍ରେମପାଶରେ ପଡ଼ିଥିଲେ । ଏବଂ ଏହାପରେ ସନ୍ନ୍ୟାସିନୀ ଘଟକର ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ ବୋଲି ଲୋକାପବାଦ ମଧ୍ୟ ରହିଥିଲା । କିନ୍ତୁ ସେ ଯାହାହେଉ ପଛକେ, ବର୍ତ୍ତମାନ ଠିକ୍ ଏହିପରି ଏକ ପବିତ୍ରାତ୍ମା ବ୍ୟକ୍ତିଙ୍କର ଶରଣ ନେବା ଆମପକ୍ଷରେ ଅତ୍ୟାବଶ୍ୟକ ଥିଲା ଏବଂ ସେହି ସନ୍ନ୍ୟାସିନୀଙ୍କର ମନ୍ଦିରରେ ଆମଦୁହିଁଙ୍କର ଭେଟ ହେବ ବୋଲି ଆମେ ସ୍ଥିର କରିଥିଲୁ ।

 

ପରଦିନ ମୁଁ ମୋର ଶକଟସମୂହ ସହିତ ନଗରରୁ ପ୍ରସ୍ଥାନ କଲି । ସାଧାରଣତଃ ଯେଉଁ ସମୟରେ ଲୋକମାନେ ବଜାରକୁ ବା ବିଚାରାଳୟକୁ ଯାଆନ୍ତି, ମୋର ଯାତ୍ରାଲାଗି ମୁଁ ଠିକ୍ ସେହି ସମୟ ନିର୍ଦ୍ଦିଷ୍ଟ କରି ରଖିଥିଲି । ନଗରର ଯେଉଁ ରାସ୍ତାରେ ସବୁଠାରୁ ଅଧିକ ଜନଗହଳି ହୁଏ, ସେହି ରାସ୍ତାରେ ହିଁ ମୁଁ ଯାତ୍ରା କରି ଯାଇଥିଲି, ଯେପରିକି ମୋର ଶତ୍ରୁ ଶତଗୀରଠାରୁ ଏହି ସମ୍ବାଦଟି କୌଣସିପ୍ରକାରେ ଗୁପ୍ତ ହୋଇ ରହି ପାରିବନାହିଁ । କିନ୍ତୁ ଅଳ୍ପ କେତେ ଘଡ଼ି ଯାତ୍ରା କରିବା ପରେ ମୁଁ ବାଟରେ ଗୋଟିଏ ବଡ଼ ଗାଆଁରେ ମୋର ଡେରା ପକାଇଲି ଏବଂ ସେଦିନ ରାତିରେ ଶକଟଗୁଡ଼ିକୁ ସେହିଠାରେ ରଖାଯିବ ବୋଲି ନିଷ୍ପତ୍ତି କରିନଥିଲେ । ତା’ପରେ ଜଣେ ଅନୁଚରଠାରୁ ତା’ର ଧୂସର ବର୍ଣ୍ଣର ଟୋପିଟି ଆଣି ମୁଁ ଆପଣା ମୁଣ୍ଡରେ ପିନ୍ଧିଲି ଏବଂ ଗୋଟିଏ ବଳୁଆ ଘୋଡ଼ାଉପରେ ଚଢ଼ି ଠିକ୍ ସେହି ରାସ୍ତା ଦେଇ କୌସାମ୍ବି ଫେରିଆସିଲି ।

 

ଶିଂଶପାବନରେ ପହଞ୍ଚିଲା ବେଳକୁ ରାତି ହୋଇଯାଇଥାଏ । ସେହି ଜଙ୍ଗଲ ଭିତରେ ବାଟ କାଟି ମୁଁ ଅତି ସାବଧାନ ହୋଇ ଘୋଡ଼ାଟିକୁ ନେଇଯାଉଥିବା ସମୟରେ ସତେ ଯେପରି ମୋତେ ସ୍ୱାଗତ ଜଣାଇଲା ପରି ପ୍ରାଚୀନ କୃଷ୍ଣ ସରୋବରରେ ଫୁଟିଥିବା କୁମୁଦଫୁଲର ସୁଗନ୍ଧ ଆସି ମୋର ପଥକୁ ପୂର୍ଣ୍ଣ କରିଦେଲା । କିଛିଦୂର ଅଗ୍ରସର ହେବାପରେ ତାରାଖଚିତ ଆକାଶର ପୃଷ୍ଠପଟ ଉପରେ ମୁଁ ମନ୍ଦିରଟିକୁ ଦେଖିପାରିଲି । ଅଶ୍ୱରୁ ଅବତରଣ କରିବା ମାତ୍ରକେ ମୋର ବନ୍ଧୁମାନଙ୍କୁ ମଧ୍ୟ ମୋର ନିକଟରେ ଦେଖିବାକୁ ପାଇଲି ।

 

ଅତ୍ୟନ୍ତ ଆନନ୍ଦବିହ୍ୱଳ ଭାବରେ ବଶିଷ୍ଠୀ ଓ ମୁଁ ତତ୍‍କ୍ଷଣାତ୍‍ ପରସ୍ପରର ବାହୁପାଶରେ ଆବଦ୍ଧ ହୋଇ ରହିଲୁ । ଆଜିର ପୁନର୍ମିଳନ ଆମକୁ ଆନନ୍ଦରେ ସବୁ ଦେଶକାଳରୁ ଭୁଲାଇ ନେଇଥିଲା । କେବଳ ପୂର୍ବର ସେହି ପ୍ରେମ, ସେହି ହଠାତ୍ ବିଚ୍ଛେଦ ଓ ସେହି ଶପଥଗୁଡ଼ାକ ହିଁ ମନେ ପଡ଼ିବାକୁ ଲାଗିଲା–ହଠାତ୍ ଏହି ସମୟରେ ଗୋଟାଏ ଚଢ଼େଇପର ମୋର ଗାଲ ଉପରେ ଆସି ପଡ଼ିଲା । ତାପରେ ହଠାତ୍ ଗୋଟାଏ ପେଚା ଉପରୁ ରାବ କରି ଉଠିଲା ଏବଂ ଦୂରରୁ ଫଟା ପିତଳଘଣ୍ଟାର ଶବ୍ଦ ଶୁଣି ମୁଁ ପ୍ରେମରାଜ୍ୟର ବିସ୍ମୃତି ଗର୍ଭରୁ ପୁଣି ବାସ୍ତବ ସଂସାରକୁ ଲେଉଟି ଆସିଲି-

 

ପୁରାତନ ଘଣ୍ଟାଟାକୁ ଟିଣିଟିଣି କରି ବଜାଇ ମେଦିନୀ ପେଚାଟାକୁ ମନ୍ଦିର ଛାତରେ ଥିବା ତା’ର ବସାରୁ ବାହାରକୁ ଉଡ଼ାଇ ତଡ଼ି ଦେଇଥିଲା । ସନ୍ନ୍ୟାସିନୀଙ୍କୁ ଡାକିଆଣିବା ଉଦ୍ଦେଶ୍ୟରେ ମେଦିନୀ ପ୍ରକୃତରେ ଘଣ୍ଟା ବଜାଇ ନଥିଲା, କାରଣ ସେ ବେଶ୍ ଦେଖିପାରିଥିଲା ଯେ ସନ୍ନ୍ୟାସିନୀ ମନ୍ଦିରସ୍ଥ ଗମ୍ଭୀରା ଭିତରୁ ବଡ଼ ଅଧୀର ବ୍ୟସ୍ତଭାବରେ ବାହାରି ଆସୁଚନ୍ତି । କାରଣ ସେ ଦେବତାଙ୍କ ପାଖରେ କାହାର କଣ୍ଠସ୍ୱର ଶୁଣିବାକୁ ପାଇଚନ୍ତି ।

 

ବୃଦ୍ଧା ସନ୍ନ୍ୟାସିନୀଙ୍କୁ ମେଦିନୀ ସବୁକଥା ବୁଝାଇ କହିଲା ଯେ ତାଙ୍କର ମହିମା ଓ ଜ୍ଞାନଶକ୍ତିର ପ୍ରଖ୍ୟାତି ଶୁଣିପାରି ସେ ଏବଂ ଏହି ଯୁବକ–ସେ ସେମଦତ୍ତ ଆଡ଼କୁ ଇଙ୍ଗିତ କରି ଦେଖାଇଲା–ତାଙ୍କ ପାଖକୁ ଦଉଡ଼ି ଆସିଚନ୍ତି । ଯେଉଁସବୁ ଘଟଣା ଏପର୍ଯ୍ୟନ୍ତ ଭବିଷ୍ୟତର ଗର୍ଭରେ ଗୁପ୍ତ ହୋଇ ରହିଚି, ତାଙ୍କଠାରୁ ସେମାନେ ସେହିସବୁ ଘଟଣା ବିଷୟରେ ଶୁଣିବାକୁ ଚାହାନ୍ତି । ଏକଥା ଶୁଣି ସନ୍ନ୍ୟାସିନୀ ସତେ ଯେପରି କାହାକୁ ଖୋଜିଲାପରି କିଛି ସମୟ ଉପରକୁ ଅନାଇ ରହିଲେ ଏବଂ କହିଲେ ଯେ ଯେତେବେଳେ ସପ୍ତର୍ଷିମଣ୍ଡଳ ଧ୍ରୁବତାରାଠାରୁ ବିଲ୍‍କୁଲ୍‍ ସିଧାହୋଇ ରହିବ, ସେତେବେଳେ ଯାଇ ଦେବତାମାନେ ଆଜି ତାଙ୍କ ପ୍ରତି ପ୍ରସନ୍ନ ଅଛନ୍ତି ବୋଲି ଆଶା କରାଯାଇ ପାରିବ । ତେଣୁ ସେ ସୋମଦତ୍ତ ଓ ମେଦିନୀଙ୍କୁ ଆଜି କୃଷ୍ଣପ୍ରତିମାର ସମୀପରେ ଅପେକ୍ଷା କରି ରହିବାକୁ ଆଦେଶ କଲେ । କୃଷ୍ଣ ହେଉଚନ୍ତି ଷୋଳସହସ୍ର ଗୋପବାଳାଙ୍କର ନାୟକନାଗର, ସେ ନିଶ୍ଚୟ ଏହି ଯୁଗଳ ପ୍ରେମିକପ୍ରେମିକାଙ୍କର ହୃଦୟର ବାସନା ପୂର୍ଣ୍ଣ କରିବେ । ମୁଁ ଏବଂ ବଶିଷ୍ଠୀ ସେମାନଙ୍କର ଭୃତ୍ୟଭାବରେ ବାହାରେ ଅପେକ୍ଷା କରି ରହିଲୁ ।

 

ଏଥର କେବଳ ମୃତ୍ୟୁ ହିଁ ଆମକୁ ପରସ୍ପରଠାରୁ ବିଚ୍ଛିନ୍ନ କରିପାରିବ, ଆମେ ପରସ୍ପର ପାଖରେ ଏହିକଥା ଶପଥ କରି କହିଲୁ । ମୁଁ କହିଲି, ଚତୁର୍ମାସ୍ୟାଟା କଟିଯିବା ମାତ୍ରକେ ମୁଁ ପୁଣି କୌସାମ୍ବି ଫେରିଆସିବି ଓ ଆମର ପ୍ରେମସମ୍ପର୍କରେ ସମ୍ମତି ଦେବାଲାଗି ତା’ର ପିତାମାତାଙ୍କୁ ରାଜି କରାଇବାକୁ ଉପାୟ ଓ ପନ୍ଥାମାନ ଅନୁସନ୍ଧାନ କରିବି । ଶେଷକୁ ଅଗଣିତ ଚୁମ୍ୱନ, ଅଶ୍ରୁଧାର ଓ ଆଲିଙ୍ଗନରେ ଏହି ମିଳନ ସାଙ୍ଗ ହୋଇଥିଲା–ସେ ସବୁକୁ ପୂର୍ଣ୍ଣକରି ବର୍ଣ୍ଣନା କରିବା ବର୍ତ୍ତମାନ ମୋ’ପକ୍ଷରେ ସମ୍ଭବ ନୁହେଁ, କାରଣ ବର୍ତ୍ତମାନ ସେହିସବୁ ଘଟଣା କେବଳ ଏକ ସ୍ୱପ୍ନ ପରି ମୋର ସ୍ମୃତି ଭିତରେ ଲାଖି ରହିଚି । କିନ୍ତୁ ଯଦି ଜୀବନରେ ଆପଣ କେବେ ଏପରି ଅଭିଜ୍ଞତା ଲାଭକରି ନଥାନ୍ତି, ତେବେ କିପରି ଆମର ପ୍ରତ୍ୟେକଟି ଆଲିଙ୍ଗନରେ ବିହ୍ୱଳ ଆନନ୍ଦ ଓ ହୃଦୟ ବିଦାରକ ସଂଶୟ ପରସ୍ପର ସହିତ ଏକତ୍ର ବିଜଡ଼ିତ ହୋଇପଡ଼ୁଥିଲା, ତୁମେ ମନେମନେ ସେହିପରି ଏକ ଛବିର କଳ୍ପନା କର । ପ୍ରତ୍ୟେକଟି ଆଲିଙ୍ଗନ ବେଳେ ଯେପରି କିଏ ସତର୍କ କରିଦେଇ କହୁଥଲା ଯେ ଏଥର ଏହିଟି ହେଉଚି ସର୍ବଶେଷ ଆଲିଙ୍ଗନ–ତଥାପି ଭିତରୁ ଯେପରି କିଏ ଉତ୍ତର ଦେଇ କହୁଥିଲା ଯେ କଦାପି ନୁହେଁ, ଏହା କଦାପି ଶେଷ ଆଲିଙ୍ଗନ ନୁହେଁ–ଏହି ଆଲିଙ୍ଗନର ପ୍ରକୃତରେ କୌଣସି ଶେଷ ନାହିଁ ।

 

ମୋମଦତ୍ତ ଓ ମେଦିନୀ ଅତି ଶୀଘ୍ର ମନ୍ଦିର ଭିତରୁ ବାହାରକୁ ଆସିବାପରି ମନେହେଲା-। ଭଗବାନ ବର୍ତ୍ତମାନ ଆମଆଗରେ ଆମ ଭବିଷ୍ୟତର ରହସ୍ୟ ଉଦ୍‍ଘାଟନ କରିବେ-। ମାତ୍ର ଏହି ଭାବନାଟି ମନଭିତରେ ଉଦୟ ହେବା ମାତ୍ରକେ ବଶିଷ୍ଠୀ ଭୟରେ ବଡ଼ ତ୍ରସ୍ତ ହୋଇପଡ଼ିଲା ।

 

ସେ କହିଲା–ଯଦି ଭବିଷ୍ୟତରେ କୌଣସି ଅଶୁଭ ଘଟିବ ବୋଲି ବର୍ତ୍ତମାନ ଜଣାପଡ଼େ, ତେବେ ମୁଁ କିପରି ତାହା ସହ୍ୟ କରି ପାରବି ?

 

ଏକଥା ଶୁଣି ସନ୍ନ୍ୟାସିନୀ ପଚାରିଲେ–କିନ୍ତୁ ହଠାତ୍ ଏହି ଅଶୁଭର ଆଶଙ୍କା କାହିଁକି ? ବୋଧହୁଏ ତାଙ୍କର ବିରାଟ ମହିମା ହେତୁ ସେ ସର୍ବଦା କେବଳ ଶୁଭକଥାଗୁଡ଼ିକୁ ଜାଣି ପାରୁଥିଲେ ।

 

ହୃଦୟର ଦମ୍ଭ ଭରିଦେଲାପରି ସେ କହିଲେ–ଭୃତ୍ୟର ଆଶା ମଧ୍ୟ ନିଶ୍ଚୟ ପରିପୂର୍ଣ୍ଣ ହେବ !

 

କିନ୍ତୁ ତାଙ୍କର କଥାପ୍ରତି ବଶିଷ୍ଠୀ କୌଣସି ଆକର୍ଷଣ ଅନୁଭବ କଲାନାହିଁ, ସେ ବିହ୍ୱଳ ଚିତ୍ତରେ ମୋର ଗଳଦେଶକୁ ବେଷ୍ଟନ କରି ଧରିଲା ।

 

କହିଲା–ହେ ମୋର ପ୍ରିୟତମ, ମୋର ମନେହେଉଚି ଯେପରି ଏକ ନିର୍ଦ୍ଦୟ ମୁଖମୁଦ୍ରାରେ ଭବିଷ୍ୟ ମୋ’ ଆଡ଼କୁ ଅନାଇ ରହିଚି ! କିଏ ଜାଣିଚି–ହୁଏତ ମୁଁ ତୁମକୁ ଜୀବନରେ ଆଉ କେବେହେଲେ ଦେଖିବାକୁ ପାଇବିନାହିଁ !

 

ମୋର ଦେହକୁ କାଟିଦେଲା ପରି ତାହାର ଏହି କଥାଗୁଡ଼ିକ ମୋର କାନରେ ଆସି ବାଜିଲା, ତଥାପି ମନର ଭାବ ଗୋପନ କରି ମୁଁ ପ୍ରଥମେ ତାହାର ବୃଥା ଭୟ ବିଦୂରିତ କରିବାକୁ ଚେଷ୍ଟା କଲି । କିନ୍ତୁ ବୋଧହୁଏ ଏହି ଭୟ ଭିତ୍ତିହୀନ ବୋଲି ଜାଣିଥିବାରୁ କି କଅଣ, ମୋର ଏତେ କୌଶଳର ସହିତ କୁହାଯାଉଥିବା ଶବ୍ଦଗୁଡ଼ିକର କୌଣସି ପ୍ରଭାବ ନଥିଲା ପରି ମନେହେଲା । ବଶିଷ୍ଠୀର ଚିକୁରକୁ ପ୍ଲାବିତ କରି ଘନଘନ ଅଶ୍ରୁଧାର ବହିବାକୁ ଲାଗିଲା; ଏକ ଅପାର୍ଥିବ ପ୍ରେମରସରେ ଦୃଷ୍ଟିକୁ ଆର୍ଦ୍ର କରିଦେଇ ସେ ଆସି ମୋର ହାତଟିକୁ ଧରି ପକାଇଲା ଏବଂ ତାହାକୁ ନେଇ ଆପଣା ଛାତିଭିତରେ ଜାକିଧରିଲା ।

 

ଯଦି ଆଉ କେବେହେଲେ ଆମର ପରସ୍ପର ସହିତ ଭେଟ ନହେବ ଏବଂ ଯେତେବେଳେ ଏହି ଭଙ୍ଗୁର ଦୁଃଖମୟ ମରଜୀବନ ଅତୀତ ହୋଇଯିବ, ସେତେବେଳେ ମଧ୍ୟ ସ୍ୱର୍ଗରେ ଯାଇ ଆମଦୁହିଁଙ୍କର ଅବଶ୍ୟ ମିଳନ ହେବ ଏବଂ ଆମେ ଦୁହେଁ ଏକତ୍ର ହୋଇ ଚିରନ୍ତନ ସ୍ୱର୍ଗ ସୁଧାରସ ପାନ କରିବା । କାମନୀତ, ମୋତେ ପ୍ରତିଶ୍ରୁତି ଦେଇ ଯାଅ, ତୁମର ସକଳ ସାନ୍ତ୍ୱନାବାଣୀ ଅପେକ୍ଷା ଏହି ପ୍ରତିଶ୍ରୁତିଟି ହିଁ ମୋତେ ଅଧିକ ବଳ ଦେଇ ରଖିବ । ପ୍ରବଳ ଜଳପ୍ରପାତର ସ୍ରୋତମୁଖରେ ସରିଏ କଳମଲତା ପରି ଅନିବାର୍ଯ୍ୟ ଓ ପରାକ୍ରମଶାଳୀ ଭାଗ୍ୟର ସ୍ରୋତଆଗରେ ଏହିସବୁ ସାନ୍ତ୍ୱନାବାକ୍ୟ ସମ୍ପୂର୍ଣ୍ଣ ବଳହୀନ । କିନ୍ତୁ ଦେବତାର ପବିତ୍ର ମନ୍ଦିରରେ ମୋ ପାଖରେ ତୁମେ ଯେଉଁ ସତ୍ୟ କରି ଯିବ, ତାହାହିଁ ମୋ’ଲାଗି ସବୁଠାରୁ ଅଧିକ ଶକ୍ତିଶାଳୀ ହୋଇ ରହିବ ଓ ଏକ ନୂତନ ଜୀବନର ସୃଷ୍ଟି କରିବ ।

 

କିନ୍ତୁ ପ୍ରିୟତମା ବଶିଷ୍ଠୀ, ଯଦି ଏପରି ଏକ ଭାଗ୍ୟବିପର୍ଯ୍ୟୟ ଆସି ଆମକୁ ପରସ୍ପରଠାରୁ ବିଚ୍ଛିନ୍ନ କରିଦିଏ, ତେବେ ତଥାପି ମଧ୍ୟ ଆମେ ପୁଣି ପରସ୍ପରକୁ ଖୋଜି ପରସ୍ପର ସହିତ ମିଳିତ ହେବାନାହିଁ କାହିଁକି ? ମୁଁ ଆଶା କରୁଚି ଯେ ଏହି ଜଗତରେ ହିଁ ଆମେ ପୁଣିଥରେ ପରସ୍ପରକୁ ଭେଟିବା ।

 

ଏହି ଜଗତରେ ସବୁ କ୍ଷଣସ୍ଥାୟୀ, ସବୁ କେବଳ ମୁହୂର୍ତ୍ତକ ପାଇଁ । ଯେଉଁ କ୍ଷଣଟିରେ ଆମେ ବର୍ତ୍ତମାନ କଥାବାର୍ତ୍ତା କରୁଚୁ, ପରକ୍ଷଣକୁ ମଧ୍ୟ ସେହି ମୁହୂର୍ତ୍ତଟି ଆଉ ଆମର ହୋଇ ରହୁନାହିଁ । କିନ୍ତୁ ସ୍ୱର୍ଗରେ ଏପରି କଦାପି ହେବନାହିଁ ।

 

ମୁଁ ସଂଶୟ ପ୍ରକାଶ କରି କହିଲି–ବଶିଷ୍ଠୀ, ସତରେ କଣ କେଉଁଠି ସ୍ୱର୍ଗ ବୋଲି ଗୋଟାଏ ଅଲଗା ରାଜ୍ୟ ରହିଚି ?

 

ଅଟଳ ବିଶ୍ୱାସର ସହିତ ସେ ଉତ୍ତର ଦେଲା–ଯେଉଁଠି ନିତି ସୂର୍ଯ୍ୟଦେବ ଅସ୍ତ ହୋଇଯାଆନ୍ତି, ସେହିଠାରେ ହିଁ ଅମିତ ଆଲୋକର ରାଜ୍ୟ ସ୍ୱର୍ଗ ଅବସ୍ଥିତ ରହିଚି । ଏବଂ ଯେଉଁ ବଳବାନ୍‌ ଓ ବିଶ୍ୱାସୀ ଆତ୍ମାସବୁ ଇହସଂସାରର ମୋହକୁ ତ୍ୟାଗକରି ସେହି ସ୍ୱର୍ଗରାଜ୍ୟ ଆଡ଼କୁ ଆପଣାର ଭାବନାକୁ ଉନ୍ମୁଖ କରିଦେଇ ପାରନ୍ତି, ସେହିମାନେ ହିଁ ଇହଜୀବନର ଶେଷରେ ସେହି ଧାମରେ ଏକ କମଳପୁଷ୍ପର କୋରକ ଭିତରୁ ପୁନର୍ଜନ୍ମ ଲାଭ କରନ୍ତି । ସେହି ସ୍ୱର୍ଗଲାଗି ହୃଦୟରେ ପ୍ରଥମ ବାସନା ଜାଗୃତ ହେବା ସଙ୍ଗେ ସଙ୍ଗେ ସ୍ୱର୍ଗର ସରୋବରରେ ତେଣେ ଗୋଟିଏ କମଳକଢ଼ିର ଆବିର୍ଭାବ ହୁଏ । ଏହି ଜୀବନର ପ୍ରତ୍ୟେକଟି ପବିତ୍ର ଭାବନା ଓ ପ୍ରତ୍ୟେକଟି ପୁଣ୍ୟ କାର୍ଯ୍ୟ ଏହି କଢ଼ିଟିକୁ କ୍ରମେ ବଢ଼ାଇବାରେ ଲାଗିଥାଏ ଏବଂ ପ୍ରତ୍ୟେକଟି ପାପଚିନ୍ତା ଓ ପାପ କାର୍ଯ୍ୟ ସେହି କଢ଼ିଭିତରେ ଗୋଟିଏ ଲେଖାଏଁ କୀଟ ହୋଇ ପ୍ରବେଶ କରେ ଏବଂ ଏହାକୁ ମଉଳାଇଦିଏ ।

 

ତା’ର ଆଖିଦୁଇଟି ସେତେବଳକୁ ମନ୍ଦିରର ଦୀପଶିଖାପରି ଦେଖାଯାଉଥାଏ, ତା’ର ଭାବପ୍ରବଣୋଦିତ କଣ୍ଠସ୍ୱର ମଧୁର ସଙ୍ଗୀତର ଝଙ୍କାରପରି ବାଜି ଉଠୁଥାଏ ।

 

ଆପଣାର ହସ୍ତ ଉତ୍ତୋଳନ କରି ସେ ଊର୍ଦ୍ଧ୍ୱଦେଶକୁ ଇଙ୍ଗିତ କରି ଦେଖାଇଲା । କୃଷ୍ଣବର୍ଣ୍ଣ ଅରଣ୍ୟ ଶିଖର ଉପରେ ସେତେବେଳେ ନବରଙ୍ଗର ଅନିନ୍ଦ୍ୟ ଆଲିମ୍ପନରେ ଆକାଶମାର୍ଗ ଶୋଭିତ ହୋଇ ଉଠିଛି । ଆକାଶର ପୂଜାପାତ୍ର ଉପରେ ଅସଂଖ୍ୟ ନକ୍ଷତ୍ରର ଆଲୋକମୟ ଫୁଲ ବିଛାଇହୋଇ ରହିଚନ୍ତି ।

 

ସେ ଭାବମୟ ଆବେଗର ସହିତ ମୋତେ ଡାକିକରି କହିଲା, ଆକାଶକୁ ଅନାଇ ଥରେ ଆକାଶଗଙ୍ଗା ଉପରେ ଦୃଷ୍ଟିପାତ କରି କାମନୀତ, ସ୍ୱର୍ଗରାଜ୍ୟର ସେହି କମଳରସଃଗୁଡ଼ିକର ରଜତ-ତରଙ୍ଗକୁ ସାକ୍ଷୀରଖି ଚାଲ ଶପଥ କରିବା–ଶପଥ କରିବା ଯେ ଆମ ହୃଦୟର ସମସ୍ତ ଶକ୍ତି ଦେଇ ଆମର ଏହି ପ୍ରେମକୁ ଆମେ ଏକ ଚିରନ୍ତନ ଆଶ୍ରୟ ଭିତରକୁ ଉତ୍ତୋଳିତ କରିନେବାପାଇଁ ଆପଣାକୁ ପ୍ରସ୍ତୁତ କରୁଥିବା ।

 

ନାନା ଭାବମୟତାର ମନ୍ଥନରେ ମୁଁ ଅଭିଭୂତ ହୋଇପଡ଼ିଥାଏ, ଅନ୍ତରତମ ପ୍ରଦେଶରେ ମୁଁ ବଡ଼ ଉଦ୍‌ବେଳିତ ଅନୁଭବ କରୁଥାଏ- ଅତି ଧୀରେ ଧୀରେ ମୁଁ ମୋର ହାତକୁ ତାହାର ହାତଆଡ଼କୁ ବଢ଼ାଇଦେଲି । ସେତେବଳକୁ ଆମର ହୃଦୟର କଳସ ଦୁଇଟି ସ୍ୱର୍ଗୀୟ ଭାବନାରାଜି ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଥାଏ । ଠିକ୍‌ ଏହି ପବିତ୍ର ମୁହୂର୍ତ୍ତରେ ଇହଜୀବନର ସକଳ ଘୂର୍ଣ୍ଣିବାୟୁର ଅନେକ ଉପରେ ଶାଶ୍ୱତ ପ୍ରେମଜୀବନର ଏକ ଯୋଡ଼ାକମଳର କଢ଼ି ଆବିର୍ଭୂତ ହୋଇ ଉଠିଲା ।

 

ଆପଣାର ସମସ୍ତ ଶକ୍ତି କୁଆଡ଼େ ଅପସରି ଯାଇଥିବା ପରି ବଶିଷ୍ଠୀ ମୋର ବାହୁବେଷ୍ଟନ ଭିତରକୁ ଝାଉଁଳି ପଡ଼ିଲା ଓ ମୋର ଓଷ୍ଠ ଉପରେ ବିଦାୟର ଚୁମ୍ବନଚିହ୍ନ ଲେଖିଦେବା ପରେ ସେହି ବେଷ୍ଟନ ଭିତରେ ଜୀବନହୀନ ଦେହକୁ ଆଉଜାଇ ଦେଇ ଅପେକ୍ଷା କରି ରହିଲା ।

 

ମୁଁ ଅତି ସଯତ୍ନ ଭାବରେ ତାହାକୁ ମେଦିନୀର ହାତଉପରକୁ ଆଉଜାଇଦେଲି, ଘୋଡ଼ା ଉପରକୁ ଉଠି ସେଠାରୁ ପ୍ରସ୍ଥାନ କଲି, ମୁହଁ ବୁଲାଇ ଆଉ ଥରକପାଇଁ ମଧ୍ୟ ପଛକୁ ଚାହିଁ ନଥିଲି ।

Image

 

ଦସ୍ୟୁଦଳର କବଳରେ

 

ଯେଉଁ ଗ୍ରାମର ଉପକଣ୍ଠରେ ମୋର ଲୋକମାନେ ବିଶ୍ରାମ ନେଉଥିଲେ, ସେଠାରେ ପହଞ୍ଚି ମୁଁ ଯାଇ ସମସ୍ତଙ୍କୁ ନିଦରୁ ଉଠାଇଦେଲି ଏବଂ ସୂର୍ଯ୍ୟୋଦୟ ହେବାର ପ୍ରାୟ ଦୁଇଘଣ୍ଟା ପୂର୍ବରୁ ଆମେ ସମସ୍ତେ ପ୍ରସ୍ତୁତ ହୋଇ ଯାତ୍ରା ଆରମ୍ଭ କରିଦେଲୁ ।

 

ଅତି ନିରାପଦରେ ମାର୍ଗରେ ଚଉଦଦିନ ଅତିବାହିତ ହେବାପରେ ଆମେ ବିଦିଶାର ଅରଣ୍ୟାଞ୍ଚଳରେ ଆସି ପ୍ରବେଶ କଲୁ । ସୂର୍ଯ୍ୟ ପ୍ରାୟ ମୁଣ୍ଡଉପରକୁ ଉଠି ଆସୁଚନ୍ତି, ଆମେ ଗୋଟିଏ ଅତି ରମଣୀୟ ଉପତ୍ୟକାରେ ଆସି ପହଞ୍ଚିଲୁ । ଶ୍ୟାମଳ ଅରଣ୍ୟ ଭିତରେ ଶତବକ୍ର ସର୍ପିଳ ପଥ କାଟି ସ୍ୱଚ୍ଛଧାର ନଦୀସ୍ରୋତଟିଏ ବହି ଚାଲିଯାଉଚି । ପାହାଡ଼ ପର୍ବତର ଢାଲୁମାନ କେତେ ରଙ୍ଗରେ ଫୁଲରେ ପୂର୍ଣ୍ଣ ହୋଇ ରହିଚି, ସେହିଦିଗରୁ ସମୀରଣ ସହିତ ପୁଷ୍ପର ସୁଗନ୍ଧ ଭାସିଭାସି ଆସୁଚି । ଏହି ଉପତ୍ୟକା ଉପରକୁ ଦୃଷ୍ଟିପାତ କରି ରହିଥିବା ଭଳି ଗୋଟିଏ ନ୍ୟଗ୍ରୋଧବୃକ୍ଷ ନଦୀର ଅନତିଦୂରରେ ଅବସ୍ଥିତ ରହିଚି । ଏହାର ଅତିଘନ ପତ୍ରଳ ଶରୀର ଅରଣ୍ୟର ହରିତ୍‌ ଗାଲିଚା ଉପରେ ଏକ କୃଷ୍ଣଛାଇ ପ୍ରସାରିତ କରିଦେଇଚି । ସହସ୍ର ସଂଖ୍ୟାରେ ଏହି ବୃକ୍ଷକୁ ବେଷ୍ଟନ କରି ରହିଥିବା ଓହଳମାନ ଏପରି ଏକ ବିରାଟ ତୋଟାର ପରିବେଶ ସୃଷ୍ଟି କରି ରଖିଚି, ଯେଉଁଥିରେ କି ମୋର ବାହିନୀପରି ଦଶଟା ବାହିନୀକୁ ମଧ୍ୟ ଶୀତଳ ଆଶ୍ରୟ ଉପଲବ୍ଧ ହୋଇପାରିବ ।

 

ବାଣିଜ୍ୟରେ ବାହାରିବା ରାସ୍ତାରେ ମୁଁ ଠିକ୍‌ଏହିସ୍ଥାନ ଦେଇ ଯାଇଥିଲି ଏବଂ ଏହି ସ୍ଥାନଟି ମୋର ଭାରି ଭଲକରି ମନେଥିଲା । ତେଣୁ ଏଠାରେ ଆସି ପହଞ୍ଚିବା ପୂର୍ବରୁ ମଧ୍ୟ ଏଠାରେ ଡେରା ପକାଇବାଲାଗି ମୁଁ ମନେମନେ ସ୍ଥିରକରି ରଖିଥିଲି । ଆଜି ଏହିଠାରେ ହିଁ ଆମର ଡେରା ପଡ଼ିଲା । ପଥଶ୍ରାନ୍ତ ବଳଦମାନେ ଯାଇ ନଦୀଜଳରେ ସ୍ନାନ କରିବାକୁ ଲାଗିଲେ ଏବଂ ଅତି ଆନନ୍ଦରେ ନଦୀର ଶୀତଳ ଜଳ ପାନ କଲେ ଏବଂ ତା’ପରେ ନଦୀକୂଳକୁ ଆସି ସେଠାରେ ବଢ଼ିଥିବା ଛନଛନିଆ ଘାସ ଚରିବାକୁ ଲାଗିଲେ । ଦଳର ଲୋକମାନେ ମଧ୍ୟ ପ୍ରଥମେ ସ୍ନାନ ସାରି ଶୀତଳ ହେଲେ ଏବଂ ତା’ପରେ ଶୁଖିଲା କାଠ ଗୋଟାଇ ଆଣି ଚୁଲି ଜାଳି ଭାତ ରାନ୍ଧିବାରେ ଲାଗିପଡ଼ିଲେ-। ମୁଁ ନିଜେ ମଧ୍ୟ ସ୍ନାନ ସାରି ଗଛମୂଳରେ ଘନ ଛାୟାତଳେ ମୋର ଶରୀରକୁ ପ୍ରସାରିତ କରିଦେଲି ଏବଂ ବଶିଷ୍ଠୀକୁ ମନେ ପକାଉ ପକାଉ କ୍ଷଣକପରେ ତାହାକୁ ସ୍ୱପ୍ନରେ ଦେଖିବାକୁ ଲାଗିଲି । ଅତି ଅଜାଣତରେ ମୋର ଆଖିପତା ବୁଜି ହୋଇଗଲା ଏବଂ କୌଣସି ଏକ ସ୍ୱର୍ଗୀୟ ରାଜ୍ୟରେ ମୋର ପ୍ରିୟତମା ବାଳିକାର ହାତପାଖରେ ମୁଁ ଭାସି ବୁଲିବାକୁ ଲାଗିଲି ।

 

ହଠାତ୍ ଚତୁର୍ଦ୍ଦିଗରୁ ଭୟାର୍ତ୍ତ ଚିତ୍କାର ଶୁଣିପାରି ମୁଁ ପୁଣି ନିଷ୍ଠୁର ବାସ୍ତବ ଭିତରକୁ ଫେରିଆସିଲି । ସତେଅବା କେଉଁ ଦୁଷ୍ଟ ଗୁଣିଆ ଯେପରି ଏହି କେତେଘଡ଼ି ଭିତରେ ସେହିସବୁ ଚିତ୍କାରକୁ ସୃଷ୍ଟି କରି ରଖିଥିଲା; ବହୁସଂଖ୍ୟକ ସଶସ୍ତ୍ର ଲୋକ ଆସି ଆମକୁ ଚାରିଆଡ଼ୁ ଘରିଗଲେ ଏବଂ ପର୍ବତ ଉପରୁ ଆହୁରି ଅଧିକ ଲୋକ ଆମ ଆଡ଼କୁ ଦଉଡ଼ି ଆସୁଥିଲେ । ସେତେବେଳକୁ ସେମାନେ ଗଛତଳେ ଏକତ୍ର ରଖାଯାଇଥିବା ଶକଟଗୁଡ଼ିକ ପାଖରେ ଆସି ପହଞ୍ଚି ଯାଇଥିଲେ । ମୋ’ ଦଳର ସମସ୍ତଙ୍କୁ ଯୁଦ୍ଧବିଦ୍ୟା ଜଣାଥିଲା, ତେଣୁ ଇତ୍ୟବସରେ ତସ୍କରମାନଙ୍କ ସହିତ ଆମର ପ୍ରବଳ ସଂଗ୍ରାମ ଆରମ୍ଭ ହୋଇ ଯାଇଥାଏ । ମୋ’ଆଡ଼କୁ ମଧ୍ୟ କେତେକ ତସ୍କର ଧାଇଁଆସିଲେ । ମୁଁ ହଠାତ୍ ଅନାଇ ଦେଖିଲି, ମୋ’ ସମ୍ମୁଖରେ ଏକ ଭୀମକାୟ ମନୁଷ୍ୟ ଶରୀର ଠିଆହୋଇ ରହିଚି, ତା’ର ମୁହଁ ଉପରେ ଲମ୍ୱଲମ୍ବ ଦାଢ଼ି ତାକୁ ଆହୁରି ଭୀଷଣ କରି ପକାଇଚି । ତା’ର ବକ୍ଷଉପରେ କୌଣସି ପରିଚ୍ଛଦ ନାହିଁ ଏବଂ ମନୁଷ୍ୟ ହସ୍ତର ବୃଦ୍ଧାଙ୍ଗୁଳି ଗୁନ୍ଥାହୋଇ ତିଆରି ହୋଇଥିବା ଗୋଟିଏ ମାଳା ତିନିସରି ହୋଇ ତାହାର ଗଳଦେଶରେ ଲମ୍ବି ରହିଚି । ସେଇଥିରୁ ତାକୁ ତତ୍‍କ୍ଷଣାତ୍ ଚିହ୍ନିପାରି ମୁଁ ମନେମନେ କହିଲି–ଏହି ଡକାଇତ ହେଉଚି ଅଙ୍ଗୁଳିମାଳା; ସେହି ଅତିନିଷ୍ଠୁର ଓ ରକ୍ତପିପାସୁ ଡକାଇତ, ଯିଏ କେତେ କେତେ ଗ୍ରାମ ନଗରକୁ ଛାରଖାର କରିଦିଏ, ଯିଏ କେତେ କେତେ ମାର୍ଗକୁ ଅଗମ୍ୟ କରିପକାଏ, ଯିଏ କେତେ କେତେ ମନୁଷ୍ୟଙ୍କୁ ହତ୍ୟା କରି ସେମାନଙ୍କ ହାତର ବୁଢ଼ାଆଙ୍ଗୁଠିକୁ ମାଳ କରି ଆପଣା ବେକରେ ପିନ୍ଧେ । ବର୍ତ୍ତମାନ ମୋର ମଧ୍ୟ ଶେଷମୁହୂର୍ତ୍ତ ଆସି ଉପସ୍ଥିତ ହୋଇଚି, ଏଥିରେ ସନ୍ଦେହ ପ୍ରକାଶ କରିବାର ଆଉ କୌଣସି ଅବକାଶ ରହିଲାନାହିଁ ।

 

ସେହି ରାକ୍ଷସଟା ମୋ’ ହାତରୁ ମୋ’ର ତରବାରିଟି କାଢ଼ି ନେଇଗଲା–ଏଥିପୂର୍ବରୁ କୌଣସି ରକ୍ତମାଂସର ଶରୀରଧାରୀ କାହାରି ପାଖରେ ମୁଁ ଏପରି ଆତ୍ମସମର୍ପଣ କରି ନଥିଲି । କ୍ଷଣକପରେ ମୋ’ର ହାତଗୋଡ଼ ବାନ୍ଧି ଦିଆଗଲା ଏବଂ ମୁଁ ତଳେ ମେଞ୍ଚାଟିଏ ହୋଇ ପଡ଼ି ରହିଲି-। ମୋ’ର ପିତାଙ୍କର ପୁରାତନ ଭୃତ୍ୟକୁ ଛାଡ଼ି ସେମାନେ ଆଉ ସମସ୍ତଙ୍କୁ ହତ୍ୟା କରି ପକାଇଲେ । ହଠାତ୍ ବହୁସଂଖ୍ୟକ ଡକାଇତ ଆସି ତାକୁ ଠିକ୍ ମୋ’ରି ପରି ଅକ୍ଷତ ଅବସ୍ଥାରେ ଧରି ପକାଇଥିଲେ । ତା’ପରେ ଦସ୍ୟୁମାନେ ଆମର ସମସ୍ତ ସାମଗ୍ରୀକୁ ଅଧିକାର କରି ନେଇଥିଲେ ଓ ଘନ ବୃକ୍ଷ ଛାଇରେ ଡେରା ପକାଇ ରହିଲେ ।

 

ବଶିଷ୍ଠୀର ପେଣ୍ଡୁଟିକୁ ଧରିବାଲାଗି ଶତଗୀର ସହିତ କଳହରେ ମତ୍ତ ଥିବାବେଳେ ବ୍ୟାଘ୍ରଚକ୍ଷୁ ରହିଥିବା ସେହି କବଚଟି ଦୁଇଖଣ୍ଡ ହୋଇଯାଇଥିଲା ବୋଲି ମୁଁ ଆପଣଙ୍କୁ ପୂର୍ବରୁ କହିଚି । ଘରୁ ଅନୁକୂଳ କରି ଆସିବା ସମୟରେ ମୋର ବୋଉ ସେହି କବଚଟିକୁ ମୋର ବେକରେ ପିନ୍ଧାଇ ଦେଇଥିଲେ–ବର୍ତ୍ତମାନ ଅଙ୍ଗୁଳିମାଳାର ରକ୍ତାକ୍ତ ଘାତକହସ୍ତ ତାହାକୁ ମୋ’ ଦେହରୁ ବିଚ୍ଛିନ୍ନ କରି ନେଇଗଲା। କିନ୍ତୁ ତାହାଠାରୁ ଏକ ଅଧିକ ଦୁର୍ଭାଗ୍ୟର ବିଷୟ ମଧ୍ୟ ଘଟିଲା । ସେଦିନ ସେହି ସ୍ମରଣୀୟ ନିଶିଥ ସମୟରେ ଯେଉଁ ଅଶୋକ-କଳିଟିକୁ ମୁଁ ମୋର ହୃଦୟ ଦେଶରେ ସଂରକ୍ଷିତ କରି ରଖିଥିଲି, ସେଇଟି ମଧ୍ୟ ବର୍ତ୍ତମାନ କୁଆଡ଼େ ତଳେ ପଡ଼ିଗଲା । ସେଇଟି ପ୍ରକୃତରେ କେଉଁଠି ପଡ଼ିଗଲା, ଖୋଜିକରି ସାଉଁଟି ଆଣିବାଲାଗି ମୁଁ ବିଚାର କଲି । ଶ୍ୟାମଳ ଘାସ ଉପରେ ଅଶୋକର କଢ଼ିଟି ଲାଲ ନିଆଁପରି ଝଟକି ଉଠିବା କଥା । କିନ୍ତୁ ସେତେବେଳକୁ ଠିକ୍‌ ସେହି ଜାଗାରେ ଦସ୍ୟୁମାନଙ୍କର ପ୍ରମତ୍ତ ଲୀଳା ଆରମ୍ଭ ହୋଇଯାଇଥାଏ । ଗୋରୁମାନଙ୍କୁ କାଟି ସେମାନଙ୍କର ମାଂସକୁ ଅଗ୍ନିରରେ ସିଦ୍ଧ କରିବା ଲାଗି ସେମାନେ ଏଣେତେଣେ ଦଉଡ଼ିବାରେ ଲାଗିଥାନ୍ତି ଏବଂ ଆମୋଦପ୍ରମୋଦରେ ମତ୍ତ ରହିଥିବା ଲୋକମାନଙ୍କ ପାଖରେ ମଦ୍ୟ ଓ ମାଂସ ନେଇ ପହଞ୍ଚାଇ ଦେଉଥାନ୍ତି । ସେମାନଙ୍କର ପାଦତଳେ ମାଟି ଉପରର ଘାସ କୁଆଡ଼େ ଦଳିମକଚି ହୋଇଯାଇଥାଏ-। ଯେତେବେଳେ ମୋର ପ୍ରାଣର ସେହି ଅଶୋକ-କଳିଟି ସେମାନଙ୍କ ଭିତରୁ କାହାରି କୁତ୍ସିତ ପାଦତଳେ ପଡ଼ି ଅଦୃଶ୍ୟ ହୋଇଯାଉଥାଏ, ସେତେବେଳେ ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଉଥାଏ-। କିନ୍ତୁ ଏହି ଦୃଶ୍ୟ ସହ୍ୟ କରିବା ମୋ ପକ୍ଷରେ ଅସମ୍ଭବ ମନେ ହେଲା । ହୁଏତ ଠିକ୍‌ ଏତିକିବେଳେ ତେଣେ ବଶିଷ୍ଠୀ ଉଦ୍ୟାନ ଭିତରେ ଠିଆହୋଇ ଅଶୋକଗଛକୁ ପ୍ରଶ୍ନ ପଚାରୁଥିବ । କିନ୍ତୁ ଭାଗ୍ୟର କଥା ଯେ ବର୍ତ୍ତମାନ ମୁଁ କିପରି ଶୋଚନୀୟ ବିପର୍ଯ୍ୟୟ ଭିତରେ ପଡ଼ିଚି, ଗଛଟି ସେ ବିଷୟରେ ତାକୁ କୌଣସି କଥା କହି ପାରୁନଥିବ । ମୋତେ ଏହିପରି ବିପଦରେ ପଡ଼ିଥିବାର ଦେଖିଥିଲେ ସେ ପ୍ରକୃତରେ କେଡ଼େ ତ୍ରସ୍ତ ହୋଇ ପଡ଼ିନଥାନ୍ତା ?

 

ମୋ’ଠାରୁ ମାତ୍ର ଛଅସାତ ପାହୁଣ୍ଡ ଦୂରରେ ଭୀଷଣମୂର୍ତ୍ତି ଅଙ୍ଗୁଳିମାଳା ଆପଣାର ଦସ୍ୟୁ ଗହଣରେ ବସି ସୁରାପାନରେ ମତ୍ତ ରହିଥିଲା । ବୋତଲ ଉପରେ ପୁଣି ବୋତଲ ଗଡ଼ିବାରେ ଲାଗିଥିଲା ଏବଂ ଲେକମାନଙ୍କର ମୁଖମଣ୍ଡଳ ଅଧିକ ରକ୍ତବର୍ଣ୍ଣ ଧାରଣ କରୁଥିଲା । କେବଳ ଜଣକର ମୁଖ ଆଦୌ ଲାଲ ଦେଖାଯାଉ ନଥିଲା, ମୁଁ ତା’ କଥା ପରେ କହିବି । ଦସ୍ୟୁମାନେ ନିଶାରେ ଭୋଳ ହୋଇ ନାନାପ୍ରକାର ବାଚାଳତା କରିବାରେ ଲାଗିଥିଲେ ଏବଂ ବେଳେବେଳେ ଭୀଷଣ କଳହରେ ବ୍ୟସ୍ତ ଥିଲେ ।

 

ଦୁର୍ଭାଗ୍ୟବଶତଃ ସେତେବେଳେ ମୁଁ ଠାରଭାଷାର ବିଜ୍ଞାନକୁ ଯଥେଷ୍ଟ ଭଲ କରି ଶିଖି ପାରିନଥିଲି । କେଉଁକେଉଁ କଳା ବା କୌଶଳ ଶିଖିଥିଲେ ଜୀବନରେ ସବୁଠାରୁ ଅଧିକ କାମରେ ଆସିବ, ସେକଥା ଆଗରୁ ଅଧିକାଂଶ ଲୋକଙ୍କୁ ଜଣା ନଥାଏ । ଦସ୍ୟୁମାନେ ଆପଣା ଆପଣା ଭିତରେ ଯାହାସବୁ କଥାବାର୍ତ୍ତା ହେଉଥାନ୍ତି, ତାହାର ଅର୍ଥ ବୁଝିପାରିବା ମୋ’ପକ୍ଷରେ ବଡ଼ ଅତ୍ୟାବଶ୍ୟକ ଥିଲା, କାରଣ ସେମାନେ ମୋ’ ବିଷୟରେ ହିଁ କଥାବାର୍ତ୍ତା ହେଉଥିଲେ । ସେମାନଙ୍କର ଅଙ୍ଗଭଙ୍ଗୀ ଓ ଇସାରାରୁ ଏହି ବିଷୟ ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଉଥିଲା । ଦସ୍ୟୁସର୍ଦ୍ଦାରର ଭୟଙ୍କର ଆଖି ଭିତରୁ ଯେତେବେଳେ ମୋ’ ଉଦ୍ଦେଶ୍ୟରେ ଅଗ୍ନିବାଣ ବର୍ଷଣ କରାହେଉଥିଲା, ସେତିକିବେଳେ ସେହି ଦୁର୍ଯୋଗର କଳ୍ପନା କରି ମୋର କବଚଟି କଥା ମନେପଡ଼ି ଯାଉଥିଲା । କିନ୍ତୁ ସେହି କବଚଟି ବର୍ତ୍ତମାନ ରାକ୍ଷସର ଲୋମଶ ବକ୍ଷ ଉପରେ ଦପଦପ ହୋଇ ଜଳୁଥାଏ ।

 

ପ୍ରକୃତରେ ମୋର ଭାଗ୍ୟକୁ ନେଇ ଅଙ୍ଗୁଳିମାଳା ଏବଂ ତା’ ଦଳର ଆଉଜଣେ ବିଚକ୍ଷଣ ଦସ୍ୟୁ ଭିତରେ କଳହ ଉପସ୍ଥିତ ହୋଇଥିଲା । ଅଙ୍ଗୁଳିମାଳା ମୋତେ ତତ୍‌କ୍ଷଣାତ୍‌ ହତ୍ୟା କରିବାକୁ ଚାହୁଁ ନଥିଲା, କାରଣ ତାହାର ଆଖି ଆଗରେ ମୋତେ ପଳପଳ କରି ମରିବାର ଦୁଃସହ ଯନ୍ତ୍ରଣା ଭୋଗ କରିବାର ଦେଖି ସେ ଆପଣାର ପ୍ରତିଶୋଧ-ତୃଷା ନିବାରଣ କରିବାକୁ ଇଚ୍ଛା କରିଥିଲା । କିନ୍ତୁ ଦଳର ଅନ୍ୟ ଦସ୍ୟୁମାନେ ଏହା ଚାହୁଁ ନଥିଲେ । ନ୍ୟାୟତଃ ମୁଁ ବର୍ତ୍ତମାନ କେବଳ ଅଙ୍ଗୁଳିମାଳାର ସମ୍ପତ୍ତି ନୁହେଁ, ସମସ୍ତ ଦସ୍ୟୁଦଳର ସମ୍ପତ୍ତି–ମୋ’ପରି ଏକ ସୁସ୍ଥ ଦେହଧାରୀ ଗୋଟିଏ ଶିକାରକୁ କୌଣସି କାର୍ଯ୍ୟରେ ନ ଲଗାଇ ନଷ୍ଟ ହୋଇଯିବା ଦେବାଟାକୁ କେହି ପସନ୍ଦ କରୁ ନଥିଲେ । ଜଣେ ମୁଣ୍ଡିତ ମସ୍ତକ ବ୍ୟକ୍ତି-ଖୁବ୍‌ ସମ୍ଭବ ସେ ଦସ୍ୟୁଦଳର ପୂଜାରୀ ହୋଇଥିବ–ସେ ଅଙ୍ଗୁଳିମାଳାର ସବୁଠାରୁ ଅଧିକ ପ୍ରତିବାଦ କରୁଥାଏ । ଏହି ଲୋକଟିର ମୁଖମଣ୍ଡଳ ଉପରେ ସୁରାପାନର କୌଣସି ପ୍ରଭାବ ଦୃଶ୍ୟ ହେଉ ନଥାଏ । ଏହିପରି ଅନେକ ସମୟ ପର୍ଯ୍ୟନ୍ତ କଳହ ଚାଲିବା ପରେ, ଅଙ୍ଗୁଳିମାଳା କ୍ରୋଧାନ୍ୱିତ ହୋଇ ତରବାରି ଉପରେ ହାତରଖି ଏକାଧିକବାର ଡେଇଁ ଗର୍ଜନ କରିବାକୁ ଲାଗିଲା, କିନ୍ତୁ ସର୍ବଶେଷରେ ମୋର ସୌଭାଗ୍ୟବଶତଃ ଦଳର ମତ ହିଁ ଜୟଲାଭ କଲା ।

 

ଅଙ୍ଗୁଳିମାଳାର ଦସ୍ୟୁଦଳ ଭିତରେ ଗୋଟାଏ ଅଦ୍ଭୁତ ପ୍ରକାରର ରୀତି ରହିଥିଲା । ଯଦି ସେମାନେ ଦୁଇଜଣ ଲୋକଙ୍କୁ ଧରି ଆଣୁଥିଲେ, ତେବେ ସେମାନଙ୍କ ଭିତରୁ ଜଣକୁ ମୁକ୍ତ କରି ଦେଉଥିଲେ । ସେହି ଲୋକଟି ଯାଇ ବନ୍ଦୀ ହୋଇ ରହିଥିବା ଲୋକଟିକୁ ମୁକୁଳାଇବା ପାଇଁ ଅର୍ଥ ସଂଗ୍ରହ କରୁଥିଲା । ଯେତେବେଳେ ଦସ୍ୟୁମାନେ ବାପପୁଅ ଦୁହିଁଙ୍କୁ ବନ୍ଦୀ କରି ଆଣୁଥିଲେ, ସେତେବେଳେ ପୁଅକୁ ମୁକୁଳାଇବା ଲାଗି ଆବଶ୍ୟକ ଅର୍ଥ ସଂଗ୍ରହ କରିବା ପାଇଁ ବାପକୁ ଖଲାସ କରି ଦେଉଥିଲେ । ଦୁଇ ଭାଇଙ୍କୁ ବନ୍ଦୀକରି ଆଣିବା ପରେ ସେମାନେ ଗୋଟିଏ ଭାଇକୁ ଛାଡ଼ି ଦେଉଥିଲେ, ଗୁରୁଶିକ୍ଷ୍ୟଙ୍କୁ ବନ୍ଦୀ କରି ଆଣିଲେ ଶିଷ୍ୟକୁ ଛାଡ଼ି ଦେଉଥିଲେ, ପ୍ରଭୁ ଓ ଭୃତ୍ୟକୁ ବନ୍ଦୀ କରି ଆଣିଲେ ଭୃତ୍ୟକୁ ଛାଡ଼ି ଦେଉଥିଲେ । ଏବଂ ଏହି କାରଣ ହେତୁ ସେମାନେ ସର୍ବସମ୍ମତ ଭାବରେ ଆପଣା ଦଳର ରୀତିକୁ ଅନୁସରଣ କରି ଅନ୍ୟ ସମସ୍ତଙ୍କୁ ହତ୍ୟା କରିଥିଲେ, ମାତ୍ର ମୋର ପୁରାତନ ଭୃତ୍ୟଟିକୁ କେବଳ ବନ୍ଦୀ କରି ନେଇଥିଲେ । ସେହି ଭୃତ୍ୟଟି ଅନ୍ୟମାନଙ୍କ ଅପେକ୍ଷା ବୟସରେ ବଡ଼ ଥିଲା, ଅନ୍ୟମାନଙ୍କଠାରୁ ସେ ଅଧିକ ବଳବାନ୍‌ ଓ ଚତୁର ଥିଲା ଏବଂ ନିଜେ ଶକଟବାହିନୀର ଚାଳନା କରି ନେବାର ଅଭିଜ୍ଞତା ମଧ୍ୟ ତାହାର ରହିଥିଲା ।

 

ବର୍ତ୍ତମାନ ଏହି ଭୃତ୍ୟକୁ ବନ୍ଧନରୁ ମୁକ୍ତି ଦିଆଗଲା ଏବଂ ସେହିଦିନ ସନ୍ଧ୍ୟାରେ ସେଠାରୁ ଯାତ୍ରା କରିବାଲାଗି ତାକୁ ଆଦେଶ ମଧ୍ୟ ଦିଆଗଲା । ଏହି ବିପତ୍ତିରୁ ରକ୍ଷା ପାଇବାକୁ ହେଲେ ମୋର ପିତାମାତାଙ୍କର କଣ କରିବା ଉଚିତ, ଏ ବିଷୟରେ ମୁଁ ଭୃତ୍ୟ ହାତରେ ଘରକୁ ସମ୍ବାଦ ଦେଇ ପଠାଇଲି । ରାସ୍ତାରେ ବାହାରିବା ବେଳକୁ ଅଙ୍ଗୁଳିମାଳା ଗୋଟିଏ ତାଳପତ୍ର ଉପରେ କ’ଣ ସବୁ ଚିହ୍ନ କାଟିଦେଇ ତାହା ହାତରେ ଦେଇଥିଲା ! ଘରୁ ଫେରିବାବେଳକୁ ଭୃତ୍ୟ ହାତରେ ପ୍ରଚୁର ଅର୍ଥନେଇ ଆସୁଥିବ, ଯେପରି ଅନ୍ୟକୌଣସି ଦସ୍ୟୁଦଳ ତା’ଉପରେ ଆକ୍ରମଣ କରି ତାହାଠାରୁ ଅର୍ଥ ଛଡ଼ାଇ ନେଇ ନଯିବେ, ଏହି ନିରାପତ୍ତା ସକାଶେ ଅଙ୍ଗୁଳିମାଳା ତାଳପତ୍ରଟି ଦେଇଥିଲା । ଅଙ୍ଗୁଳିମାଳାର ନାମ ଦସ୍ୟୁମାନଙ୍କର ହୃଦୟରେ ମଧ୍ୟ ଆତଙ୍କ ସୃଷ୍ଟି କରୁଥିଲା, କାରଣ ମାର୍ଗରୁ ରାଜସମ୍ପତ୍ତି ଲୁଟ୍‌କରି ନେଉଥିବା ଦସ୍ୟୁମାନେ ମଧ୍ୟ ଅଙ୍ଗୁଳିବାଳାର ସମ୍ପତ୍ତି ଉପରେ ହାତ ଦେବାକୁ ପ୍ରାଣେ ଭୟ କରୁଥିଲେ ।

 

ଭୃତ୍ୟଟି ଚାଲିଯିବା ପରେ ଦସ୍ୟୁମାନେ ମୋର ବନ୍ଧନକୁ ମଧ୍ୟ ଫିଟାଇ ଦେଇଥିଲେ । ସେମାନଙ୍କର କବଳରୁ ଖସି ପଳାଇବାର କୌଣସି ନିର୍ବୋଧ ପ୍ରୟାସ ଯେ ମୁଁ କରିବି ନାହିଁ, ଏକଥା ସେମାନେ ଭଲ କରି ଜାଣିଥିଲେ । ବନ୍ଧନମୁକ୍ତ ହେବାପରେ ମୋର ଅଶୋକକଳି ଯେଉଁଠାରେ ଅଦୃଶ୍ୟ ହୋଇ ପଡ଼ି ରହିଥିଲା, ମୁଁ ଆଗ ସେହି ସ୍ଥାନକୁ ଧାଇଁ ଯାଇଥିଲି । କିନ୍ତୁ ହାୟ, ମୁଁ ସେଠାରେ ଅଶୋକକଳିର ଏତେ ଟିକିଏ ସାମାନ୍ୟ ଅବଶେଷ ମଧ୍ୟ ଦେଖିବାକୁ ପାଇଲି ନାହିଁ । ଦସ୍ୟୁମାନଙ୍କର ପାଦତଳେ ସେଇଟି ମକଚି ହୋଇ ଧୂଳି ହୋଇଯାଇଥିଲା । ଆମ ଦୁହିଁଙ୍କର ପ୍ରେମର ଭବିଷ୍ୟ ଯେ କ’ଣ ହେବ, ଏହି ଦୁର୍ଯୋଗରୁ ତାହାର କୌଣସି ସୂଚନା ମିଳୁଥିଲା କି ?

 

ଏହି ବନ୍ୟସ୍ୱଭାବ ଦସ୍ୟୁମାନଙ୍କ ଭିତରେ ମୁଁ ବେଶ୍‌ ମୁକ୍ତ ହୋଇ ବିଚରଣ କରିବାକୁ ଆରମ୍ଭ କଲି । ମୋତେ ମୁକୁଳାଇ ନେବାକୁ କେଉଁଦିନ ଘରୁ ଅର୍ଥ ଆସି ପହଞ୍ଚିବ, ଏଥିପାଇଁ ମୋତେ ଅପେକ୍ଷା କରିବାକୁ ହିଁ ପଡ଼ିଥିଲା । ଦୁଇମାସ ଭିତରେ ଏହି ଅର୍ଥ ଅବଶ୍ୟ ପହଞ୍ଚାଇବାକୁ ପଡ଼ିବ, ଭୃତ୍ୟକୁ ଏହି ସର୍ତ୍ତ ଜଣାଇ ଦିଆଯାଇଥିଲା ।

 

ପ୍ରଥମ ମାସର କୃଷ୍ଣପକ୍ଷରେ ଚୋରି ଓ ଲୁଟତରାଜ ବଡ଼ ଜୋରସୋରରେ ଚାଲିଥିଲା । କୃଷ୍ଣପକ୍ଷ ହେଉଚି କରାଳରୂପିଣୀ ଦେବୀ କାଳୀଙ୍କର ପକ୍ଷ, ତେଣୁ ବିଧିବଦ୍ଧ ଚୌର୍ଯ୍ୟବ୍ୟାପାରରେ ଏହି ପକ୍ଷଟିର ପୂର୍ଣ୍ଣ ସଦ୍‌ବ୍ୟବହାର କରାଯାଉଥିଲା ଏବଂ କୌଣସି ଗୋଟିଏ ରାତିରେ ମଧ୍ୟ ଡକାୟତି ବାଦ୍‌ ପଡୁନଥିଲା । ଆଖପାଖର ଗାଆଁଗଣ୍ଡାମାନ ଗୋଟିଗୋଟି କରି ଧ୍ୱଂସବିଧ୍ୱସ୍ତ ହେବାକୁ ଲାଗିଲା । ଶେଷକୁ ଅମାବାସ୍ୟା ଦିନ ରାତ୍ରିରେ ଭୟଙ୍କର ଉପଚାର ଓ ଅନୁଷ୍ଠାନରେ କାଳୀଙ୍କର ପୂଜା ଓ ଉତ୍ସବ ଅନୁଷ୍ଠିତ ହୋଇଥିଲା । କେବଳ ଗୋରୁ ବା ଛେଳି ଯେ ବଳି ପଡ଼ିଲେ ତା’ ନୁହେଁ, କାଳୀଙ୍କର ମୂର୍ତ୍ତି ଆଗରେ କେତେଜଣ ଭାଗ୍ୟବାନ କଏଦୀଙ୍କୁ ଆଣି ମଧ୍ୟ ବଳି ଦିଆଯାଇଥିଲା । ବଳିକୁ ଆଣି ପ୍ରଥମେ ଗୋଟିଏ ବେଦୀଉପରେ ରଖାଯାଉଥିଲା, ତା’ପରେ ତାହାର କେବଳ ଗୋଟିଏ ଧମନୀ କାଟି ଫାଡ଼ି ଦିଆଯାଉଥିଲା, ଯେପରିକି ରକ୍ତ ଅନ୍ୟ କୁଆଡ଼କୁ ବହି ନଯାଇ ସେହି ମନୁଷ୍ୟମୁଣ୍ଡମାଳିନୀ ବୀଭତ୍ସ ମୂର୍ତ୍ତିର ଆଁ ଭିତରେ ଯାଇ ପଡ଼ିବ । ତା’ପରେ ଦସ୍ୟୁମାନେ ସଂଜ୍ଞା ହରାଇବା ପର୍ଯ୍ୟନ୍ତ ସୁରାପାନରେ ମତ୍ତ ହୋଇ ରହୁଥିଲେ ଓ କୌଣସି ବୃହତ୍‌ ମନ୍ଦିରରୁ ଅପହରଣ କରି ଆଣିଥିବା ଦେବଦାସୀମାନଙ୍କ ସହିତ ନାନାପ୍ରକାର ରହସ୍ୟ କରୁଥିଲେ । ହଠାତ୍‌ ସେଦିନ ଅଙ୍ଗୁଳିମାଳାର ମୋତେ ମଧ୍ୟ ଗୋଟିଏ ଦେବଦାସୀ ଯୋଗାଇ ଦେଇ ରଙ୍ଗ ଦେଖିବାର ଖିଆଲ ହେଲା । ବଶିଷ୍ଠୀର ସ୍ମରଣରେ ମୁଁ ଏହି ଆଦେଶ ପାଳନ କରିବାପାଇଁ କୌଣସି ଉତ୍ସାହ ଦେଖାଇଲିନାହିଁ । ଏଥିରେ ଅଙ୍ଗୁଳିମାଳା ବଡ଼ ଅପମାନିତ ବୋଧ କରି ରାଗରେ ମୋର ତଣ୍ଟି ଚିପି ମୋତେ ସେହିଠାରେ ହିଁ ଶେଷ କରି ଦେବାକୁ ଯାଉଥିଲା, କିନ୍ତୁ ମୁଣ୍ଡିତମସ୍ତକ ଆଗର ସେହି ଦସ୍ୟୁଜଣକ ଦଉଡ଼ିଆସି ପୁଣି ମୋର ପ୍ରାଣ ରକ୍ଷାକଲେ । ତାଙ୍କର ମୁଖରୁ ମାତ୍ର କେତେପଦ କଥା ଉଚ୍ଚାରିତ ହେବା ମାତ୍ରକେ ଦସ୍ୟୁସର୍ଦ୍ଦାରର ହାତ କ୍ରମେ ଶିଥିଳ ହୋଇ ଆସିଲା ଏବଂ ସେ ନୂଆ ପୋଷାହୋଇଥିବା ଏକ ପଶୁପରି ସେଠାରୁ ନିଷ୍କ୍ରାନ୍ତ ହୋଇ ଚାଲିଗଲା ।

 

ଏହି ଲୋକଟି ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ମୋର ପ୍ରାଣରକ୍ଷା କଲେ । କାଳୀଙ୍କ ପାଖରେ ବଳି ଦେଇଥିବାରୁ ଏପର୍ଯ୍ୟନ୍ତ ତାଙ୍କର ହାତରେ ରକ୍ତ ଲାଗି ରହିଥିଲା । ସେ ବ୍ରାହ୍ମଣର ସନ୍ତାନ ଥିଲେ । କିନ୍ତୁ ଏକ ଦସ୍ୟୁ-ନକ୍ଷତ୍ରରେ ତାଙ୍କର ଜନ୍ମ ହୋଇଥିବାରୁ ତାଙ୍କୁ ଜଣେ ଦସ୍ୟୁ ଭାବରେ ହିଁ ଆପଣାର ଜୀବନଯାପନ କରିବାକୁ ହେଲା । ପିତୃକୁଳର ସମ୍ବନ୍ଧ ହେତୁ ଧର୍ମର ଚର୍ଚ୍ଚା ଓ ଜିଜ୍ଞାସାଲାଗି ତାଙ୍କ ଭିତରେ ଏକ ବଳବତୀ ପ୍ରବୃତ୍ତି ରହିଥିଲା । ତେଣୁ ଦସ୍ୟୁଦଳର ବଳିପୂଜାରେ ତାଙ୍କୁ ପୁରୋହିତର କାର୍ଯ୍ୟ କରିବାକୁ ପଡ଼ୁଥିଲା; ଦଳର ଦସ୍ୟୁମାନେ ଦଳର ସୌଭାଗ୍ୟ ଓ ସମୃଦ୍ଧଲାଗି ନେତା ହିସାବରେ ଅଙ୍ଗୁଳିମାଳାର ଦକ୍ଷତାକୁ ଯେପରି ମହତ୍ତ୍ୱ ଦେଉଥିଲେ, ପୁରୋହିତ ହିସାବରେ ତାଙ୍କର ପାଣ୍ଡିତ୍ୟକୁ ମଧ୍ୟ ସେହିପରି ମହତ୍ତ୍ୱ ଦେଉଥିଲେ । ଏହା ବ୍ୟତୀତ ଦସ୍ୟୁବୃତ୍ତିର ବିଜ୍ଞାନ ବିଷୟରେ ମଧ୍ୟ ତାଙ୍କୁ ଦସ୍ୟୁମାନଙ୍କୁ ଭାଷଣ ଦେବାକୁ ପଡ଼ୁଥିଲା, ଦସ୍ୟୁଦଳର ନୀତି ଓ ଶୃଙ୍ଖଳା ବିଷୟରେ ସେ ସମସ୍ତଙ୍କୁ ଅବଗତ କରାଇ ରଖୁଥିଲା । ଦସ୍ୟୁଦଳ ଭିତରେ ପ୍ରକୃତରେ ଏକ ଦୃଢ଼ ନୀତି ଅନୁସୃତ ହେଉଥିଲା, ଏକଥା ସେଠାରେ ଲକ୍ଷ୍ୟ କରି ମୁଁ ବଡ଼ ଆଶ୍ଚର୍ଯ୍ୟ ହୋଇଯାଇଥିଲି-। ଅନ୍ୟ ସାଧାରଣ ମନୁଷ୍ୟ ଅପେକ୍ଷା ଦସ୍ୟୁମାନେ ଆପଣାକୁ କଦାପି ହୀନତର ବୋଲି ଦେଖାଇବା ଭଳି କୌଣସି ଆଚରଣ କରୁନଥିଲେ ।

 

ମାସର ଶୁକ୍ଳପକ୍ଷର ରାତିରେ ଦସ୍ୟୁଦଳର ସଭା ବସୁଥିଲା ଏବଂ ସେହିଠାରେ ଏହିସବୁ ଭାଷଣ ଦିଆଯାଉଥିଲା । ଅରଣ୍ୟର ଗୋଟିଏ ଖୋଲା ଜାଗା ଦେଖି ଅର୍ଦ୍ଧବୃତ୍ତାକାରର ଧାଡ଼ିମାନ କରି ଶ୍ରୋତାମାନେ ବସୁଥିଲେ, ସବାମଝିରେ ବାଜଶ୍ରବା ଆସନ ଗ୍ରହଣ କରୁଥିଲେ । ତାଙ୍କର ଏଡ଼େବଡ଼ ମୁଣ୍ଡିତ ମସ୍ତକ ଚନ୍ଦ୍ରକିରଣରେ ଝଲସି ଉଠୁଥିଲା ଏବଂ ତାଙ୍କୁ ଦେଖିଲେ ଶୁକ୍ଳ ରାତ୍ରିର ନିସ୍ତବ୍ଧ ଆକାଶତଳେ ଆଶ୍ରମର ଅନ୍ତେବାସୀମାନଙ୍କୁ ଧର୍ମର ଗୁହ୍ୟ ଉପଦେଶମାନ ଶୁଣାଉଥିବା କୌଣସି ବେଦଜ୍ଞ ଋଷିଙ୍କପରି ମନେ ହେଉଥିଲା । ଅବଶ୍ୟ ଅନେକ ସମୟରେ ଶ୍ରୋତାମାନଙ୍କ ଭିତରେ ନାନାପ୍ରକାର ଅନ୍ୟମନସ୍କତା ପରିଲକ୍ଷିତ ହେଉଥିଲା । ଅରଣ୍ୟର କେଉଁ ଝରଣାର ଗଭୀର ପ୍ରବାହଧ୍ୱନି ଆସି ମୋ’ କାନରେ ବାଜୁଥିଲା, କେତେବେଳେ ବାଘ ବା ଚିତାବାଘର ଭୟଙ୍କର ଚିତ୍କାର ମଧ୍ୟ ଶୁଭୁଥିଲା ଏବଂ ତାହା ସହିତ ବାଜଶ୍ରବାଙ୍କର ମୁଖରୁ ନିଃସୃତ ହେଉଥିବା ଶବ୍ଦସରିତର ପ୍ରବାହ - କେତେକେତେ ଉଦ୍‌ଗାତାଙ୍କର ମୁଖରେ ପୁରୁଷପୁରୁଷ ଧରି ସୁରକ୍ଷିତ ହୋଇ ଆସିଥିବା ଏହି ବହୁମୂଲ୍ୟ ସମ୍ପଦମାନ ମଧୁର ଧ୍ୱନିରେ ମୋର କର୍ଣ୍ଣ କୁହରରେ ଅଜାଡ଼ି ହୋଇ ପଡ଼ୁଥିଲା ।

 

ସଭାରେ ଉପସ୍ଥିତ ରହି ଏହିସବୁ ଭାଷଣ ଶୁଣିବାଲାଗି ମୋତେ ମଧ୍ୟ ଅନୁମତି ମିଳିଥିଲା । କାରଣ ଇତିମଧ୍ୟରେ ବାଜଶ୍ରବାଙ୍କର ହୃଦୟରେ ମୋ’ ପ୍ରତି ଭାରି ଶ୍ରଦ୍ଧା ଜାତ ହୋଇଥିଲା । ସେ କହୁଥିଲେ ଯେ ଠିକ୍‌ ତାଙ୍କପରି ମୋର ମଧ୍ୟ ଏକ ଦସ୍ୟୁ-ନକ୍ଷତ୍ରରେ ଜନ୍ମ ହୋଇଚି ଏବଂ ଦିନେ-ନା-ଦିନେ ମୋତେ କାଳୀଙ୍କର ପୂଜା ଓ ସେବାରେ ଆପଣାକୁ ଉତ୍ସର୍ଗ କରିବାକୁ ହିଁ ପଡ଼ିବ । କିନ୍ତୁ କେଜାଣି କାହିଁକି ତାଙ୍କର ଭାଷଣ ଶୁଣିବାପାଇଁ ମୋତେ ଭାରି ଭଲ ଲାଗୁଥିଲା, ମୋର ତଥାପି ସୁପ୍ତ ହୋଇ ରହିଥିବା ଶକ୍ତି ଶୁଣିବାପାଇଁ ମୋତେ ଭାରି ଭଲ ଲାଗୁଥିଲା, ମୋର ତଥାପି ସୁପ୍ତ ହୋଇ ରହିଥିବା ଶକ୍ତି ଓ ପ୍ରବୃତ୍ତିମାନ ଏହାଦ୍ୱାରା କ୍ରମେ ଜାଗୃତ ହେଉଥିବା ପରି ମନେ ହେଉଥିଲା ।

 

କାଳୀ-ଉପାସକମାନଙ୍କର ଭିନ୍ନ ଭିନ୍ନ ଶାଖା ଓ ସମ୍ପ୍ରଦାୟଗୁଡ଼ିକ ବିଷୟରେ ମୁଁ ତାଙ୍କଠାରୁ ଅତି ଚମତ୍କାର ଭାଷଣମାନ ଶୁଣିବାର ସୌଭାଗ୍ୟ ଲାଭ କରିଥିଲି–ଏହି ସମ୍ପ୍ରଦାୟ ଭିତରେ ଚୋର ଓ ଡକାଇତମାନେ ମଧ୍ୟ ରହିଥିଲେ । ଏହି ବିଭିନ୍ନ ଦଳଗୁଡ଼ିକ ଭିତରେ ପ୍ରଚଳିତ ଭିନ୍ନଭିନ୍ନ ରୀତିନୀତିଗୁଡ଼ିକ ମଧ୍ୟ ମୁଁ କ୍ରମେ ଜାଣିବାକୁ ପାଇଲି । ‘ପ୍ରହରୀମାନଙ୍କୁ ଫାନ୍ଦରେ ପକାଇବାକୁ ହେଲେ ବେଶ୍ୟାମାନଙ୍କୁ କିପରି ବ୍ୟବହାର କରାଯାଇ ପାରିବ’, ଲାଞ୍ଚଦ୍ୱାରା ବଶ ହୋଇ ପାରୁଥିବା ଛୋଟ ଓ ବଡ଼ ସ୍ତରର କର୍ମଚାରୀମାନଙ୍କର ଶାରୀରିକ ଲକ୍ଷଣ’–ଏହିସବୁ ବିଷୟରେ ବାଜଶ୍ରବାଙ୍କର ଭାଷଣ ବଡ଼ ସୁଚିନ୍ତିତ ତଥା ଚିତ୍ତବିନୋଦକ ଥିଲା । ‘ଜାଣିଥିବା ଲୋକେ ପରସ୍ପରକୁ ଦେଖିବା ମାତ୍ରକେ କିପରି ପରସ୍ପରକୁ ଚିହ୍ନିନେଇ ପାରିବେ’, ‘ରାତିରେ ପହରା ଦେଉଥିବା ଲୋକମାନେ ସାଧାରଣତଃ କିପରି ନିର୍ବୋଧତାମାନ ଦେଖାଇଥାନ୍ତି’–ଏହିସବୁ ବିଷୟରେ ଭାଷଣ ଚାଲିଥିବାବେଳେ ଅରଣ୍ୟର ଚତୁର୍ଦ୍ଦିଗ ଦସ୍ୟୁମାନଙ୍କର ଉଚ୍ଚ ହାସ୍ୟରୋଳରେ ମୁଖରିତ ହୋଇ ଉଠୁଥିଲା ।

 

ଅତ୍ୟନ୍ତ ଶୁଷ୍କ ବିଷୟଗୁଡ଼ିକୁ ମଧ୍ୟ ବାଜଶ୍ରବା ବଡ଼ ଆଗ୍ରହୋଦ୍ଦୀପକ ଭାବରେ କହି ପାରୁଥିଲେ । ଅତି ଅଳ୍ପ ସମୟରେ କୌଣସି ଶବ୍ଦ ନକରି କିପରି କାନ୍ଥରେ ସିନ୍ଧିଗାତ ଖୋଳିହେବ, ମାଟିତଳେ କିପରି ସୁଡ଼ଙ୍ଗ ଫୁଟାଇ ଯିବା ସମ୍ଭବ, ଏହିସବୁ ବିଷୟରେ ତାଙ୍କର ମନୋମୁଗ୍ଧକାରୀ ଭାଷଣମାନ ମୋର ଏପର୍ଯ୍ୟନ୍ତ ମନେଅଛି । କିନ୍ତୁ ବାଜଶ୍ରବା ଯେ କେତେବଡ଼ ପଣ୍ଡିତ ବ୍ୟକ୍ତି ଥିଲେ, ସେ ବିଷୟରେ ଆପଣଙ୍କୁ ଏକ ପ୍ରକୃତ ଧାରଣା ଦେବାକୁ ହେଲେ ଦସ୍ୟୁମାନଙ୍କର ଗୁହ୍ୟ ଶାସ୍ତ୍ର କାଳୀସୂତ୍ର ବିଷୟରେ ତାଙ୍କର ଭାଷ୍ୟକୁ ବିଶଦ ଭାବରେ କହିବାକୁ ପଡ଼ିବ ।

Image

 

୧୦

Unknown

ଗୁହ୍ୟ ଧର୍ମୋପଦେଶ

 

ଗ୍ରନ୍ଥର ୪୭୬ ନମ୍ବର ସୂତ୍ରରେ କୁହାଯାଇଚି :

 

ଏହାକୁ କେବେହେଲେ ଈଶ୍ୱରୀୟ ବୋଲି କୁହାଯାଇ ପାରିବ କି ?–ନା, ଏହା ହେଉଚି ପ୍ରମତ୍ତତା–ଶୂନ୍ୟତା, ଶାସ୍ତ୍ର ଓ ପରମ୍ପରା–ସବୁ ଦୃଷ୍ଟିରୁ ।

 

ଏହି ସୂତ୍ରଟିର ବ୍ୟାଖ୍ୟା କରିବାକୁ ଯାଇ ବାଜଶ୍ରବା ନିମ୍ନଲିଖିତ ପ୍ରକାରେ ଭାଷଣ ଦେଇଥିଲେ :

 

‘‘ଈଶ୍ୱରୀୟ’’–ଅର୍ଥାତ୍‌ ଦଣ୍ଡ । ପୂର୍ବବର୍ତ୍ତୀ ସୂତ୍ରରେ ଏହି ଦଣ୍ଡ ବିଷୟରେ କୁହାହୋଇଥିଲା, ରାଜା ଓ ମହାରାଜାମାନେ ଦସ୍ୟୁମାନଙ୍କୁ ଏହିପରି ଦଣ୍ଡମାନଙ୍କର ବିଧାନ କରିଥାନ୍ତି, ଯଥା–ହାତ, ଗୋଡ଼ ବା ନାକ କାଟିଦେବା, ଫୁଟୁଥିବା ତେଲରେ ନେବ ବୁଡ଼ାଇଦେବା ଇତ୍ୟାଦି ଇତ୍ୟାଦି । ଏହି ଦୃଷ୍ଟିରୁ ଦସ୍ୟୁର କର୍ତ୍ତବ୍ୟ ହେଉଚି କଦାପି କୌଣସି ପରିସ୍ଥିତିରେ ମଧ୍ୟ ଧରା ନଦେବାକୁ ଚେଷ୍ଟା କରିବା ଏବଂ ଦୁର୍ଭାଗ୍ୟବଶତଃ ଧରା ପଡ଼ିଗଲେ ଯେକୌଣସି ପ୍ରକାରେ ଖସି ପଳାଇବାକୁ ଚେଷ୍ଟା କରିବା ।

 

କେତେକ କହିବ; ଦସ୍ୟୁଲାଗି ଈଶ୍ୱରୀୟ ଦଣ୍ଡ ମଧ୍ୟ ଅପେକ୍ଷା କରି ରହିଥାଏ । କିନ୍ତୁ ଆମର ସୂତ୍ର ଏହାକୁ ଆଦୌ ସ୍ୱୀକାର କରେନାହିଁ । କାରଣ ଏହାଦ୍ୱାରା ପ୍ରମତ୍ତତା ହିଁ ହୋଇଥାଏ । ଏହାକୁ ତିନିପ୍ରକାରେ ବୁଝାଇ ଦିଆଯାଇ ପାରିବ–ବିବେକଦ୍ୱାରା, ବେଦବାକ୍ୟଦ୍ୱାରା ଏବଂ ପୂର୍ବକାଳରୁ ରହି ଆସିଥିବା ବୀରଗାଥାଦ୍ୱାରା ।

 

‘‘ଶୂନ୍ୟତା ଦୃଷ୍ଟିରୁ’’–ଏଥିରୁ ନିମ୍ନଲିଖିତ ବିଚାରମାନ କରାଯାଇ ପାରିବ । ଯେତେବେଳେ ମୁଁ କୌଣସି ମନୁଷ୍ୟ ବା ପଶୁର ଶିରଚ୍ଛେଦ କରୁଚି, ସେତେବେଳେ ମୋର ତରବାରି ସେହି ଶିରର ଅବିଭାଜ୍ୟ ଖଣ୍ଡଦ୍ୱୟର ମଝିରେ ଭେଦକରି ଚାଲିଯାଉଚି । କିନ୍ତୁ ଏହି ଖଣ୍ଡଦ୍ୱୟ ଅବିଭାଜ୍ୟ ହୋଇଥିବାରୁ ତରବାରି କଦାପି ତାହାକୁ ଛିନ୍ନ କରି ପାରନ୍ତାନାହିଁ । କିନ୍ତୁ ଖଣ୍ଡଦ୍ୱୟର ମଝିରେ ଗୋଟିଏ ଶୂନ୍ୟସ୍ଥାନ ରହିଚି, ଯାହାଭିତରେ କି ତରବାରି ଗତି କରିପାରୁଚି । ଶୂନ୍ୟସ୍ଥାନ ତ ମୂଳରୁ ଶୂନ୍ୟ, ତେଣୁ ତରବାରି ଏହାର ଆଉ ଅଧିକ କି କ୍ଷତି କରିପାରିବ ? ଶୂନ୍ୟସ୍ଥାନ ଭିତରେ ତରବାରି ଭେଦ କରାଇ କେହି କଦାପି କୌଣସି ପାପ କରି ପାରିବନାହିଁ ଏବଂ ତେଣୁ ଏପରିସ୍ଥଳେ ଈଶ୍ୱରୀୟ ଦଣ୍ଡର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ଶିରଚ୍ଛେଦ ବିଷୟରେ ଯଦି ଏପରି ଯୁକ୍ତି ଦର୍ଶାଯାଇପାରେ, ତେବେ ଲୋକମାନେ କମ୍‌ କଠୋର ଶାସ୍ତି ବିଧାନ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିଷୟରେ ଆଉ କଅଣ କହିବାର ଅଛି ?

 

ଏହା ହେଲା ବିଚାରଦ୍ୱାରା, ଏଥର ବେଦବାକ୍ୟର ଉଦ୍ଧାର କରି ଦେଖାଯାଉ । ପବିତ୍ର ଗ୍ରନ୍ଥ ବେଦ କହୁଚି ଯେ ଏକମାତ୍ର ସତ୍ୟ ବା ପରମେଶ୍ୱର ହେଉଚି ବ୍ରହ୍ମ । ଯଦି ଏହି ବାକ୍ୟକୁ ସତ୍ୟ ବୋଲି ଗ୍ରହଣ କରାଯାଏ, ତେବେ କାହାର ହତ୍ୟା ହେଲାବୋଲି କହି ଦୁଃଖ କରିବାକୁ ଏକ ବୃଥା ଦୁଃଖ ବୋଲି କହିବାକୁ ପଡ଼ିବ । ବେଦର ଗୋଟିଏ ସ୍ଥାନରେ ଅତ୍ୟନ୍ତ ସ୍ପଷ୍ଟଭାବରେ ଏହିକଥା ବୁଝାଇ କହି ଦିଆଯାଇଚି । ବାଳକ ନଚିକେତାକୁ ବ୍ରହ୍ମ ବିଷୟରେ ଉପଦେଶ ଦେଇ ମରଣର ଅଧିପତି ଯମ କହୁଚନ୍ତି :

 

ହନ୍ତା ଚେତ୍ ମନ୍ୟତେ ହନ୍ତୁଂ ହସଶ୍ଚେତ୍ ମନ୍ୟତେ ହତଂ ।

ଉଭୌ ତୌ ନ କିଜାନୀତୋ ନାୟଂ ହନ୍ତି ନ ହନ୍ୟତେ ।।

ହତ୍ୟା କଲାବେଳେ ଯିଏ ଭାବେ ଯେ ସେ ସ୍ୱୟଂ ହତ୍ୟା କରୁଚି,

ହତ ହୋଇ ଯିଏ ମରିଗଲା ବୋଲି ଭାବେ,

ସେମାନେ ଉଭୟେ ଭ୍ରମରେ ପଡ଼ନ୍ତି ।

ହତ୍ୟାକାରୀ ହତ୍ୟା କରେନାହିଁ ବା ନିହତ ବ୍ୟକ୍ତି ମରେ ନାହିଁ ।

 

କୃଷ୍ଣ ଏବଂ ଅର୍ଜ୍ଜୁନଙ୍କର ସମ୍ୱନ୍ଧରେ ଗୀତ ହୋଇଥିବା ବୀରଗାଥାରେ ଏହି ଗଭୀର ସତ୍ୟ ଆହୁରି ଅଧିକ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଚି । କୃଷ୍ଣ ହେଉଚନ୍ତି ଅନାଦି, ଅବିନାଶୀ, ସର୍ବବିଦ୍ୟମାନ୍ ଏବଂ ମନୁଷ୍ୟ-କଳ୍ପନାର ଅତୀତ । ସେ ହେଉଚନ୍ତି ସାକ୍ଷାତ ପରମେଶ୍ୱର, ମନୁଷ୍ୟମାନଙ୍କର ଉଦ୍ଧାର ଲାଗି ମର୍ତ୍ତ୍ୟରେ ଅବତାର ଗ୍ରହଣ କରିଚନ୍ତି । ତାଙ୍କର ମର୍ତ୍ତ୍ୟଜନ୍ମର ଶେଷ ପର୍ଯ୍ୟାୟରେ ସେ ପଣ୍ଡୁରାଜ-ତନୟ ଅର୍ଜ୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧରେ ସହାୟତା କରିଥିଲେ । କୌରବମାନେ ଅର୍ଜ୍ଜୁନ ଓ ତାଙ୍କର ସହୋଦରମାନଙ୍କ ପ୍ରତି ଅତିରିକ୍ତ ଅନ୍ୟାୟ ଆଚରଣ କରିବାରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ସମର ଭୂମିରେ ଦୁଇପକ୍ଷ ଉପରେ ଦୃଷ୍ଟିପାତ କରି ଅର୍ଜ୍ଜୁନ ଦେଖିଲେ ଯେ ଏହି ଯୁଦ୍ଧରେ ତାଙ୍କୁ ଅନେକ ପୁରାତନ ବନ୍ଧୁ ଓ ସ୍ୱଜନମାନଙ୍କ ସହିତ ସଂଗ୍ରାମ କରବାକୁ ପଡ଼ିବ । ପାଣ୍ଡବ ଓ କୌରବମାନେ ତ ଦୁଇ ସହୋଦର ଭାଇଙ୍କର ସନ୍ତାନ ହିଁ ଥିଲେ । ଏହି ବିଷୟରେ ଚିନ୍ତା କରୁକରୁ ଅର୍ଜ୍ଜୁନର ହୃଦୟ ବଡ଼ ବ୍ୟଥିତ ହୋଇପଡ଼ିଲା, ଏହି ରକ୍ତାକ୍ତ ସମରରେ ପ୍ରବେଶ କରି ବନ୍ଧୁହତ୍ୟା କରିବାକୁ ସେ ବଡ଼ କୁଣ୍ଠିତ ଅନୁଭବ କଲେ । ନା, ସେ ପାଗଳଙ୍କ ପରି କଦାପି ଆତ୍ମୀୟସ୍ୱଜନଙ୍କୁ ହତ୍ୟା କରିବାରେ ପ୍ରବୃତ୍ତ ହେବେନାହିଁ । ଅବନତ ମସ୍ତକରେ ସେ ଆପଣାର ରଥଉପରେ ଚୁପ୍ ହୋଇ ବସି ରହିଲେ, ଏବଂ ତାଙ୍କରି ପାଖରେ ଛିଡ଼ାହୋଇ ତାଙ୍କର ସାରଥି ସ୍ୱୟଂ ଭଗବାନ ତାଙ୍କୁ ଦେଖିବାରେ ଲାଗିଲେ । ଅଳପ ହସି ଭଗବାନ ଦୁଇପକ୍ଷର ସେନାଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଅର୍ଜ୍ଜୁନକୁ ଉପଦେଶ ଦେଲେ ଯେ କେବଳ ବାହାରକୁ ଦେଖିବାପାଇଁ ଏହି ବ୍ୟକ୍ତିମାନେ ଜନ୍ମ ହେଉଚନ୍ତି ବା ମରୁଚନ୍ତି, କିନ୍ତୁ ସେ ସମସ୍ତଙ୍କ ଭିତରେ ସେହି ଏକ ଅବିନାଶୀ ଓ ଅଜର ଅମର ଆତ୍ମା ବିରାଜମାନ କରୁଚି । ଏହି ଆତ୍ମାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ :

 

ଯିଏ ଆଉଜଣକୁ ହତ୍ୟାକାରୀ ବୋଲି କହେ,

ଯିଏ ଆଉଜଣକୁ ନିହତ ବୋଲି ବିଶ୍ୱାସ କରୁଚି,

ସେ କେବଳ ଭ୍ରମରେ ପଡ଼ିଯାଉଚି, ସେ ଅଜ୍ଞାନରେ ବୁଡ଼ିରହୁଚି–

କାରଣ ପ୍ରକୃତରେ କେହି ହତ୍ୟା କରୁନାହିଁ ବା କେହି ନିହତ ହେଉନାହିଁ–

ତେଣୁ ବିଷାଦ ତ୍ୟାଗ କରି ତୁମେ ସଂଗ୍ରାମରେ ପ୍ରବୃତ୍ତ ହୁଅ !

 

କୃଷ୍ଣଙ୍କର ଉପଦେଶବାଣୀ ଶୁଣି ଅର୍ଜ୍ଜୁନଙ୍କର ସଂଶୟ ଦୂରୀଭୂତ ହୋଇଗଲା, ସେ ବିଷାଦ ତେଜି ପ୍ରଚଣ୍ଡ ସମରରେ ପ୍ରବୃତ୍ତ ହେଲେ ଓ ଯୁଦ୍ଧରେ ବିଜୟ ଲାଭ କଲେ । ଏହିପରି ଭାବରେ ମନୁଷ୍ୟର ଅବତାର ଧାରଣ କରିଥିବା ପରମେଶ୍ୱର ଅର୍ଜ୍ଜୁନର ଦୁର୍ବଳ ଓ ନିଷ୍କ୍ରିୟ ହୃଦୟକୁ ନୂତନ ଦୀକ୍ଷା ଦେଇ ଜଣେ ବିଚାରପୂର୍ଣ୍ଣ ଓ ସବଳହୃଦୟ ବିବେକୀ ଓ ବୀରର ହୃଦୟରେ ପ୍ରବର୍ତ୍ତିତ କରି ଦେଇଥିଲେ ।

 

ତେଣୁ ପ୍ରକୃତ ସତ୍ୟକଥା ହେଉଚି–ଜଣେ ମନୁଷ୍ୟ ଯାହା କରୁଚି ବା କରାଉଚି, ଯଦି ସେ ନିଜେ ଧ୍ୱଂସ କରୁଚି ବା ଧ୍ୱଂସ କରାଉଚି, କାହାକୁ ଦୁଃଖ ଦେଉଚି ବା ଦୁଃଖ ଦିଆଉଚି, ଯଦି ସେ ଜୀବିତ ପ୍ରାଣୀମାନଙ୍କୁ ସଂହାର କରୁଚି, ବଳାତ୍କାରରେ ପରର ଧନ ଆତ୍ମସାତ୍ କରୁଚି, ଅପରିଚିତ ବ୍ୟକ୍ତିର ଗୃହରେ ପ୍ରବେଶ କରି ତାହାର ସମ୍ପଦ ଅପହରଣ କରୁଚି, ସେ ଯାହା କିଛି କରୁନା କାହିଁକି, ଏହାଦ୍ୱାରା ସେ କୌଣସି ପାପ ଅର୍ଜନ କରୁନାହିଁ । ଯଦି କୌଣସି ବ୍ୟକ୍ତି ଆପଣା ହସ୍ତରେ ଏକ ଶାଣିତ କଟାରି ନେଇ ସଂସାରର ସବୁ ପ୍ରାଣୀଙ୍କୁ କାଟିକୁଟି କେବଳ ମାଂସରେ ପରିଣତ କରିଦିଏ, ତଥାପି ତାହାକୁ ପାପ ବା ଅନ୍ୟାୟ ବୋଲି କୁହାଯାଇ ପାରିବନାହିଁ । ଏପରିକି ଯଦି ଜଣେ ବ୍ୟକ୍ତି ଗଙ୍ଗାର ଦକ୍ଷିଣ ତଟରେ ଦଉଡ଼ି ଦଉଡ଼ି ସମ୍ମୁଖରେ ଯାହା ପାଇବ, ତାହାକୁ ଧ୍ୱଂସ କରିପକାଏ, ତଥାପି ସେହି କାରଣରୁ ସେ କଦାପି କୌଣସି ପାପରେ ଭାଗୀ ହେବନାହିଁ ଏବଂ ଆଉଜଣେ ଗଙ୍ଗାର ଉତ୍ତର ତଟରେ ଦାନଦେଇ ଓ ଭିକ୍ଷା ବିତରଣ କରି ବୁଲିଲେ ମଧ୍ୟ ତାହାର କୌଣସି ପୁଣ୍ୟଲାଭ ହେବାନାହିଁ । ବିନୟ ଓ ଆତ୍ମବୈରାଗ୍ୟ ଦ୍ୱାରା କେହି କୌଣସି ପୁଣ୍ୟ ବା କଲ୍ୟାଣ କମାଇ ପାରିବନାହିଁ ।

ପରବର୍ତ୍ତୀ ଅର୍ଥାତ୍ ୪୭୭ ନମ୍ୱର ସୂତ୍ରଟି ଶୁଣିଲେ ଆପଣ ଆହୁରି ବିସ୍ମିତ ଓ ଭୟତ୍ରସ୍ତ ହୋଇପଡ଼ିବେ, ସଂକ୍ଷେପରେ ମାତ୍ର କେତୋଟି ଶବ୍ଦରେ ଏହି ସୂତ୍ରରେ କୁହାଯାଇଚି :

ଅପରପକ୍ଷରେ–ଭକ୍ଷକ ହୋଇଥିବାରୁ ।

ସଂଖ୍ୟାରେ ମାତ୍ର ଅଳ୍ପ କେତୋଟି ହୋଇଥିଲେ ମଧ୍ୟ ଏହି ଶବ୍ଦଗୁଡ଼ିକ ଭିତରେ ଗଭୀର ଗୁହ୍ୟସତ୍ୟ ପୂର୍ଣ୍ଣହୋଇ ରହିଚି । ନିମ୍ନଲିଖିତ ଭାବରେ ବାଜଶ୍ରବା ଆମଲାଗି ଏହି ଶବ୍ଦର ଅର୍ଥ ଉଦ୍‌ଘାଟନ କରି କହିଥିଲେ :

ଦସ୍ୟୁ ଓ ହତ୍ୟାକାରୀ କଦାପି ଈଶ୍ୱରଙ୍କର ଦଣ୍ଡରେ ଦଣ୍ଡିତ ହୁଏ ନାହିଁ । ବରଂ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ବିପରୀତ ହିଁ ଘଟିଥାଏ ଅର୍ଥାତ୍ ତାହାକୁ ଈଶ୍ୱର ପଦର ପ୍ରାପ୍ତି ହୋଇଥାଏ । ବେଦବାକ୍ୟରେ ଆମେ ଏହିପରି ଏକ ଘୋଷଣା ଶୁଣିବାକୁ ପାଇବା । ପରମେଶ୍ୱରଙ୍କୁ ସଂହାରକର୍ତ୍ତା ବୋଲି ବର୍ଣ୍ଣନା କରି ସ୍ତୁତି କରାଯାଇଚି :

ବ୍ରାହ୍ମଣ ଓ କ୍ଷତ୍ରିୟ ଉଭୟଙ୍କୁ ସେ ଅନ୍ନ ପରି ଭକ୍ଷଣ କରନ୍ତି,

ମୃତ୍ୟୁର ରସରେ ବୁଡ଼ାଇ ସେ ସେମାନଙ୍କୁ ଭକ୍ଷଣ କରନ୍ତି ।

ବ୍ରହ୍ମରୁ ହିଁ ଏହି ଜଗତ୍ ସମ୍ଭୂତ ହୋଇଚି, ସେହି ବ୍ରହ୍ମରେ ହିଁ ତାହା ଲୀନ ହୋଇଯିବ । ସେହି ବ୍ରହ୍ମ ବାରବାର ସୃଷ୍ଟି କରି ବାରବାର ସଂହାର କରିବାରେ ଲାଗିଚନ୍ତି । ତେଣୁ ତାଙ୍କୁ ସମସ୍ତ ପ୍ରାଣ ଜଗତର ସୃଷ୍ଟିକର୍ତ୍ତା ବୋଲି କହିବା ସଙ୍ଗେସଙ୍ଗେ ଭକ୍ଷକ ବା ସଂହାରକର୍ତ୍ତା ବୋଲି ମଧ୍ୟ କହିବାକୁ ହେବ । ଏହି ବାକ୍ୟରେ ବ୍ରାହ୍ମଣ ଓ କ୍ଷତ୍ରିୟ କେବଳ ଏହି ଦୁଇଟି ଜାତିର ଉଲ୍ଲେଖ କରାଯାଇଚି, କିନ୍ତୁ ଏହା ପ୍ରକୃତରେ ସମସ୍ତଙ୍କୁ ବୁଝାଉଚି । ଆଉ ଏକ ସ୍ଥାନରେ କୁହାଯାଇଚି :

‘‘ମୁଁ ସମସ୍ତଙ୍କୁ ଭକ୍ଷଣ କରେ, କିନ୍ତୁ ମୋତେ କେହି ଭକ୍ଷଣ କରନ୍ତି ନାହିଁ ।’’

ବରାହ ଅବତାର ଧାରଣ କରି ବାଳକ ମେଧତିଥିକୁ ସ୍ୱର୍ଗକୁ ନେଇ ଚାଲି ଯାଉଥିବା ସମୟରେ ସ୍ୱୟଂ ଭଗବାନଙ୍କର ମୁଖରୁ ଏହି ବାକ୍ୟ ନିଃସୃତ ହୋଇଚି । ଏହିପରି ଅପହୃତ ହୋଇଯାଉଥିବାରୁ ତାଙ୍କ ଉପରେ ଅତିଶୟ କ୍ରୁଦ୍ଧ ହୋଇ ମେଧତିଥି ତାଙ୍କୁ ପ୍ରଶ୍ନ କରିଥିଲା- ‘‘ତୁ କିଏ ମୋତେ ଠିକ୍ କରି କହ, ନହେଲେ ମୋତେ ଚିହ୍ନିରଖ, ମୁଁ ହେଉଛି ବ୍ରାହ୍ମଣ ତୋତେ ଶାପ ଦେଇ ଭସ୍ମ କରିଦେବି । ଏହି ପ୍ରଶ୍ନର ଉତ୍ତର ଦେଇ ବରାହରୂପୀ ଭଗବାନ୍‍ ଆପଣାକୁ ସର୍ବଶକ୍ତିମାନ୍ ବ୍ରହ୍ମ ବୋଲି କହି ପରିଚୟ ଦେଇଥିଲେ, ତାଙ୍କର ମୁଖରୁ ନିମ୍ନଲିଖିତ ବାଣୀ ଉଚ୍ଚାରିତ ହୋଇଥିଲା :

କିଏ ହତ୍ୟା କରେ, ବନ୍ଧନରେ ବାନ୍ଧିପକାଏ କିଏ ?

ଏହି ବରାହ ମଧ୍ୟ କିଏ, କିଏ ତୋତେ ଅପହରଣ କରି ନେଉଚି ?

ଏହି ବରାହର ଶରୀର ଭିତରେ ମୁହିଁ ବିଦ୍ୟମାନ ରହିଚି,

ମୁହିଁ ସକଳ ଶରୀରରେ ବିଦ୍ୟମାନ ରହିଚି ।

ଯେତେବେଳେ କେହି ଭୟ ଦେଖାଏ–ତାହାର ସେ ଭୟ ପୁଣି କଣ ?

ମୁହଁ ସ୍ୱୟଂ ଭୟ ଦେଖାଏ, ମୁହିଁ ଭୀତ ହୁଏ,

ତଥାପି ତା’ଭିତରେ ଏକ ପ୍ରଭେଦ ରହିଚି–

ମୁଁ ସକଳ ଭକ୍ଷଣ କରେ, କିନ୍ତୁ ମୋତେ କେହି ଭକ୍ଷଣ କରି ପାରନ୍ତି ନାହିଁ ।

କିଏ ମୋତେ ଚିହ୍ନିପାରିବ, ମୋର ସ୍ୱରୂପର ବର୍ଣ୍ଣନା କିଏ କରିପାରିବ ?

ମୁଁ ସକଳ ଶତ୍ରୁଙ୍କ ନାଶ କରେ, କିନ୍ତୁ ମୋତେ କେହି ନାଶ କରି ପାରନ୍ତିନାହିଁ ।

 

ଏଥିରୁ ଅନ୍ଧବ୍ୟକ୍ତିକୁ ମଧ୍ୟ ଏକଥା ସ୍ପଷ୍ଟ ହୋଇଯିବ ଯେ ଆପଣାକୁ ନିହତ ବା ରକ୍ଷିତ ହେବାକୁ ଦେଲେ କେହି ବ୍ରହ୍ମତ୍ୱ ଲାଭ କରିପାରିବ ନାହିଁ । ବିନୟ ଓ ବୈରାଗ୍ୟ ଯଦି ପ୍ରକୃତରେ କଲ୍ୟାଣପ୍ରଦ ହୋଇଥାନ୍ତା, ତେବେ ତାହା ସମ୍ଭବ ହେଉଥାନ୍ତା । କିନ୍ତୁ ଠିକ୍ ବିପରୀତ ଆଚରଣ କରିବା ହେଉଚି ପ୍ରକୃତ ମାର୍ଗ । ଅନ୍ୟମାନଙ୍କୁ ସଂହାର କରିବା, ଅନ୍ୟମାନଙ୍କୁ ଭକ୍ଷଣ କରିବା ଅନ୍ୟମାନଙ୍କର ଶୋଷଣ ଓ ବିନାଶ ସାଧନ କରିବା, କିନ୍ତୁ ସ୍ୱୟଂ କୌଣସି ପ୍ରକାରେ କାହାରି ବିନାଶର କବଳରେ ନପଡ଼ିବା ଏହାହିଁ ପନ୍ଥା ।

 

ବର୍ତ୍ତମାନ ଏକଥା ନିଃସନ୍ଦେହ ଭାବରେ କୁହାଯାଇପାରେ ଯେ କେବଳ ଦୁର୍ବଳଚିତ୍ତ ବ୍ୟକ୍ତିମାନେ ହିଁ ହିଂସା କଲେ ନରକ ଭୋଗ କରିବାକୁ ପଡ଼ିବ ବୋଲି ଅପବାଦର ପ୍ରଚାର କରିଚନ୍ତି, ବଳବାନ୍ ଲୋକମାନେ ଯେପରି ସେମାନଙ୍କ ଉପରେ କୌଣସି ଅତ୍ୟାଚାର ନକରିବେ, ଏହି ଉଦ୍ଦେଶ୍ୟରେ ସେମାନେ ଏହାକୁ ଏକ ଧର୍ମୋପଦେଶର ବେଶ ପିନ୍ଧାଇ ପ୍ରଚାର କରିଚନ୍ତି, ଏହିପରି ଉପଦେଶମାନ ଶୁଣାଇ ବଳବାନ୍ ଲୋକମାନଙ୍କର ମନରେ ଭୟ ଜାତ କରାଇବାର ପ୍ରୟାସ କରିଚନ୍ତି । ବେଦର କୌଣସି କୌଣସି ସ୍ଥାନରେ ଅବଶ୍ୟ ଏପରି ବାକ୍ୟମାନଙ୍କର ଉଲ୍ଲେଖ ରହିଚି । କିନ୍ତୁ ଏହିସବୁ ବାକ୍ୟ ପ୍ରଧାନ ବେଦବାକ୍ୟଗୁଡ଼ିକର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଚି ଏବଂ ନିଶ୍ଚୟ ଦୁର୍ବଳମନା ବ୍ୟକ୍ତିମାନଙ୍କ ଦ୍ୱାରା ବେଦ ଭିତରକୁ ପ୍ରକ୍ଷିପ୍ତ ହୋଇ ପ୍ରବେଶ କରିଚି ।

 

ଋକ୍‍ବେଦରେ କୁହାଯାଇଚି ଯେ ସମସ୍ତ ଜଗତ୍ ପ୍ରକୃତରେ ବ୍ରହ୍ମଦ୍ୱାରା ପରିପୂର୍ଣ୍ଣ ହୋଇରହିଚି, ଏହା ଜାଣି ଆପଣାର ମନୁଷ୍ୟ ଶରୀରରେ ମଧ୍ୟ ବ୍ରହ୍ମର ପରିଚୟ ପାଇ ବ୍ରହ୍ମବିତ୍ ବ୍ରହ୍ମ ହୋଇପାରିବ । ତେଣୁ ଆମକୁ ସ୍ୱୀକାର କରିବାକୁ ହେବ ଯେ ମନୁଷ୍ୟସମାଜରେ ଯେଉଁ ବ୍ୟକ୍ତି ଅସଲ ଦସ୍ୟୁର ଜୀବନଯାପନ କରୁଚି, ସେହି ବ୍ୟକ୍ତି ବ୍ରହ୍ମ ଭିତରେ ସବୁଠାରୁ ଅଧିକ ପ୍ରବେଶ କରିପାରିଚି, ସେହି ହେଉଚି ଏହି ଜୀବଜଗତର ମହୁଡ଼ମଣି । ବେଦବାକ୍ୟ ଅନୁସାରେ କୌଣସି ସମ୍ପତ୍ତିକୁ ମୋର ବୋଲି କହିବା ଅର୍ଥାତ୍ ଆପଣାକୁ କୌଣସି ସମ୍ପତ୍ତିର ଅଧିକାରୀ ବୋଲି କହିବା କେବଳ ଏକ ଭ୍ରମ ମାତ୍ର । ଏହି ଭ୍ରମ ହେତୁ ମନୁଷ୍ୟ ତାହାର ଉଚ୍ଚତମ ଉଦ୍ଦେଶ୍ୟପ୍ରାପ୍ତିରୁ ପଥଭ୍ରଷ୍ଟ ହୋଇଯାଏ । ତେଣୁ ମୁଁ କହୁଚି ଯେ ଦସ୍ୟୁ ହିଁ ଏହି ସଂସାରରେ ସର୍ବୋଚ୍ଚ ସତ୍ୟର ପ୍ରତିନିଧିତ୍ୱ କରୁଚି, କାରଣ ମନୁଷ୍ୟକୁ ସେ କୌଣସି ସମ୍ପତ୍ତିର ଅଧିକାରୀ ବୋଲି ଭ୍ରମ କରିବାର ଦୁର୍ଗତିରୁ ବଞ୍ଚାଇ ରଖୁଚି, ଏହାକୁ ହିଁ ସେ ଆପଣା ଜୀବନର ଏକମାତ୍ର କର୍ତ୍ତବ୍ୟ ବୋଲି ଗ୍ରହଣ କରିଚି । ତଥାପି ଚୋରଠାରୁ ଡକାଇତକୁ ଉଚ୍ଚତର ସ୍ଥାନ ଦେବାକୁ ହେବ, କାରଣ ଡକାଇତ ହେଉଚି ଚୋରଠାରୁ ଅଧିକ ହିଂସ୍ର, ଅଧିକ ଭୀଷଣ ।

 

ଦସ୍ୟୁ ବା ଡକାଇତ ହେଉଚି ସମସ୍ତ ଜଗତର ମହୁଡ଼ମଣି, ବିଚାର ତଥା ବେଦବାକ୍ୟ ଉଭୟ ସାହାଯ୍ୟରେ ଏହା ଅତି ସ୍ପଷ୍ଟଭାବରେ ପ୍ରମାଣିତ ହୋଇଗଲା ।

Image

 

୧୧

ହସ୍ତୀଶୁଣ୍ଢ

 

ଏହି ଅସାଧାରଣ ମନୁଷ୍ୟଟିର ଅଦ୍ଭୁତ ବିଚାରାଧାରା ବିଷୟରେ ଆପଣଙ୍କୁ କିଞ୍ଚିତ୍ ପରିଚୟ ଦେଲାପରେ ଏଥର ମୁଁ ମୋର କାହାଣୀକୁ ଯେଉଁଠାରୁ ଛାଡ଼ିଥିଲି, ପୁଣି ସେହିଠାରୁ ଆରମ୍ଭ କରିବି । ବାଜଶ୍ରବାଙ୍କର କାର୍ଯ୍ୟ ତାଙ୍କର ବିଚାରର ଅନୁରୂପ । ତେଣୁ ବିଚାର ଓ ଜୀବନ ଭିତରେ କୌଣସି ସମ୍ୱନ୍ଧ ନାହିଁ ବୋଲି ସାଧାରଣତଃ ଦାର୍ଶନିକମାନଙ୍କୁ ଆମେ ଯେଉଁ ଅପବାଦ ଦେଇଥାଉ, ବାଜଶ୍ରବାଙ୍କ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ହୋଇ ପାରିବନାହିଁ ।

 

ଏହିପରି ନୂତନ ଓ ବିଚିତ୍ର ଅଭିଜ୍ଞତାମାନ ଲାଭ କରିବାରେ ବ୍ୟସ୍ତ ରହିବା ସଙ୍ଗେ ସଙ୍ଗେ ତଥାପି ଦସ୍ୟୁଦଳର ଠାରଭାଷା ଶିଖିବାରେ ମୁଁ କୌଣସି ଅବହେଳା କରି ନଥିଲି । କିନ୍ତୁ ମୋତେ ଆଉ ଅଧିକ ଦିନ ଅପେକ୍ଷା କରି ରହିବାକୁ ପଡ଼ି ନଥିଲା । କିନ୍ତୁ ଏହି ସମୟ ଯେତିକି ଯେତିକି ନିକଟବର୍ତ୍ତୀ ହୋଇଆସିଲା, ନାନାପ୍ରକାର ଉଦ୍‍ବେଗରେ ମୋର ଚିତ୍ତ ସେତିକି ସେତିକି ବିଚଳିତ ହେବାକୁ ଲାଗିଲା । ସତରେ କଣ କେହି ଠିକ୍ ସମୟ ଗତ ହୋଇଯିବା ପୂର୍ବରୁ ଆବଶ୍ୟକ ପରିମାଣ ଅର୍ଥ ନେଇ ଏଠାରେ ପହଞ୍ଚିବ ଓ ମୋତେ ମୁକୁଳାଇନେବ ? ଅବଶ୍ୟ ଭୃତ୍ୟ ଅଙ୍ଗୁଳିମାଳାର ସତର୍କ-ପତ୍ର ନେଇ ଯାଇଥିଲା, ତେଣୁ ରାସ୍ତାରେ ଅନ୍ୟାନ୍ୟ ଦସ୍ୟୁଦଳ ତା’ଉପରେ କୌଣସି ଉତ୍ପାତ କରି ନଥିବେ । କିନ୍ତୁ କାଳେ ସେ ବାଟରେ ବାଘ ହାବୁଡ଼ରେ ପଡ଼ିଯିବ ବା ପ୍ରବଳ ବନ୍ୟା ହୋଇ କାଳେ ରାସ୍ତାଘାଟ ବନ୍ଦ ହୋଇଯିବ ଓ ଭୃତ୍ୟ ସେପାଖରେ କେଉଁଠି ଅଟକିଯିବ; ଅଥବା ଯାତ୍ରାପଥରେ ଆହୁରି କୌଣସି ଏପରି ଦୁର୍ଘଟଣା ଘଟିବ, ଯାହାଫଳରେ କି ସେ ଏଠାରେ ଆସି ପହଞ୍ଚିବାକୁ ବିଳମ୍ବ ହୋଇଯିବ ! ଅଙ୍ଗୁଳିମାଳା ଆଡ଼କୁ ଅନାଇଲେ ମନେ ହେଉଥିଲା ଯେପରି ତା’ର ଚକ୍ଷୁରୁ ଏପର୍ଯ୍ୟନ୍ତ ମଧ୍ୟ ମୋ’ଉପରେ କ୍ରୋଧାଗ୍ନିର ବାଣ ବର୍ଷଣ ହେବାରେ ଲାଗିଚି । ମନେହେଉଥିଲା, ସତେ ଯେପରି ସେ ଏହିପରି ଏକ ଦୁର୍ଘଟଣା ଘଟିବ ବୋଲି ଆଶା କରି ଟାକି ବସିଚି । ଏହିକଥା ହୃଦୟଙ୍ଗମ କଲାବେଳକୁ ମୋ’ ଶରୀରର ସମସ୍ତ ଲୋମକୂପ ତ୍ରାସଜନିତ ସ୍ୱେଦବିନ୍ଦୁରେ ଭରିଭରି ଆସୁଥିଲା । ବାଜଶ୍ରବା କେତେ ସ୍ପଷ୍ଟ ଓ ସୁବୋଧ୍ୟ ଭାବରେ ଏହି ବିଷୟରେ ସମସ୍ତ କଥା ତାଙ୍କର ବକ୍ତୃତାରେ ବୁଝାଇ କହିଥିଲେ, ସେସମସ୍ତ ମୋର ଭଲକରି ସ୍ମରଣ ଥିଲା । ସେ କହିଥିଲେ ଯେ ଅପରାଧୀଲାଗି ଦାବି କରାଯାଇଥିବା ଅର୍ଥ ପରିମାଣ ଯଦି ଠିକ୍ ସମୟରେ ଆସି ନ ପହଞ୍ଚେ, ତେବେ ନିୟମ ଅନୁସାରେ ଦୁଇପାଖରେ ଦାନ୍ତ ଥିବା ଗୋଟିଏ କରତରେ ଅପରାଧୀକୁ ଦୁଇଗଡ଼ କରି କାଟି ଦିଆଯିବ ଏବଂ ଏହି ଦ୍ୱିଖଣ୍ଡିତ ଶରୀରକୁ ନେଇ ପୂର୍ବଦିଗକୁ ମୁଣ୍ଡକରି ରାସ୍ତାଉପରେ ଫୋପାଡ଼ି ଦିଆହେବ । ଏହିକଥା ମୋତେ ଅବଶ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ସେତେବେଳେ ପଣ୍ଡିତ ବାଜଶ୍ରବାଙ୍କର ଏହି ଅତି ବିଚକ୍ଷଣ ଭାଷଣ ଶୁଣି ବିସ୍ମୟ ପ୍ରକାଶ କରୁଥିବାବେଳେ ଏଣେ ମୋର ହୃଦୟ ଭିତରଟା ଏକ ଅଶୁଭ ଓ ଭୀଷଣ ଆଶଙ୍କାରେ ଶିହରି ଉଠୁଥିଲା । ବିଶେଷତଃ ଯେତେବେଳେ ସେହି ଦୁଇଦାଢ଼ିଆ କରତଟିକୁ ଅଣାଯାଇ ପ୍ରାୟୋଗିକ ଦୃଷ୍ଟାନ୍ତ ଭାବରେ ଗୋଟିଏ ଧାନହଳାକୁ କାଟି ସମସ୍ତଙ୍କୁ ଦେଖାଇ ଦିଆଗଲା, ସେତେବେଳେ ମୋର ଭୟର ସୀମା ରହିଲାନାହିଁ ।

 

ଏକଥା ବାଜଶ୍ରବା ବେଶ୍ ଲକ୍ଷ୍ୟ କରି ପାରିଥିଲେ ଏବଂ ମୋତେ ଦମ୍ଭ ଦେବାଲାଗି ମୋର କାନ୍ଧ ଉପରେ ହାତ ରଖି କହିଲେ ଯେ ଏସବୁ ପ୍ରଦର୍ଶନ ସହିତ ମୋର କୌଣସି ସମ୍ବନ୍ଧ ନଥିଲା । ତେଣୁ ଏଥିରେ ଭୟଭୀତ ହେବା ମୋର ଆଦୌ ଉଚିତ ନୁହେଁ । ତାଙ୍କଠାରୁ ଏହି ଆଶ୍ୱାସବାଣୀ ଶୁଣି ମୋର ଭାରି ଆଶା ହେଲା ଯେ ଏଥର ମରଣସଙ୍କଟ ଆସି ପହଞ୍ଚିଲେ ମଧ୍ୟ ସେ ତୃତୀୟଥର ପାଇଁ ମୋର ଜୀବନକୁ ଅବଶ୍ୟ ସେଥିରୁ ବଞ୍ଚାଇ ରଖିବେ । କିନ୍ତୁ ତାଙ୍କର ଏହି ନିର୍ଭର ସକାଶେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ମୁଁ ଦୁଇପଦ କଥା କହିବାକୁ ଯାଉଚି, ଠିକ୍ ଏହି ସମୟରେ ତାଙ୍କର ମୁଖମଣ୍ଡଳ ଅତ୍ୟନ୍ତ ଗମ୍ଭୀର ହୋଇଗଲା ଓ ସେ କହିଲେ : –

 

ଯଦି ତୋର ଖରାପ କର୍ମ ହେତୁ ଠିକ୍ ସମୟରେ କ୍ଷତିପୂରଣର ଅର୍ଥ ଆସି ନପହଞ୍ଚେ, ତେବେ ନିଶ୍ଚିତ ସମୟରୁ ବେଳାଟାଏ ଡେରି ହୋଇଗଲେ ମଧ୍ୟ ତୋର ପ୍ରାଣ ବଞ୍ଚାଇ ରଖିବା କୌଣସି ଦେବତା ବା କୌଣସି ରାକ୍ଷସ ପକ୍ଷରେ ମଧ୍ୟ ଅସାଧ୍ୟ ହୋଇପଡ଼ିବ । କାରଣ କାଳୀଙ୍କର ବିଧାନକୁ ଖଣ୍ଡନ ବା ଲଘଂନ କରିବାକୁ କାହାରି ସାଧ୍ୟ ନାହିଁ । ତଥାପି ବତ୍ସ, ତୁ ଅଧୀର ହୋଇପଡ଼ନା । କାରଣ ତୋତେ ଦେଖି ମୋର ମନେ ହେଉଚି ଯେ ତୋ’ଦ୍ୱାରା ଆହୁରି ଅନେକ କାର୍ଯ୍ୟ ସାଧିତ ହେବାର ଅଛି । ଏବଂ ମୋ’ମନକୁ ଭାରି ପାପ ଛୁଉଁଚି ଯେ ଏକ ଦୁଃସାହସବହୁଳ ଦସ୍ୟୁଜୀବନ ଅତିବାହିତ କଲାପରେ ତୁ ଶେଷରେ ଧରାହେବୁ ଓ ତୋତେ ଏକ ସାଧାରଣ ଜାଗାରେ ମାରି ଲଟକାଇ ଦିଆଯିବ । କିନ୍ତୁ ସେସବୁ ଅନେକ ବର୍ଷ ପରର କଥା ।

 

ବାଜଶ୍ରବାଙ୍କ ମୁଖରୁ ଏହିକଥା ଶୁଣି ମୁଁ ଖୁବ୍ ଆନନ୍ଦିତ ହେଲି ବୋଲି ଠିକ୍ କୁହାଯାଇ ପାରିବ ନାହିଁ କିନ୍ତୁ ମୋର ସମୟ ପୂର୍ଣ୍ଣହୋଇ ଯିବାର ଏକସପ୍ତାହ ପୂର୍ବରୁ ଯେଉଁଦିନ ଆମର ବିଶ୍ୱସ୍ତ ପୁରାତନ ଭୃତ୍ୟ ଆବଶ୍ୟକ ଅର୍ଥନେଇ ସେଠାରେ ଆସି ପହଞ୍ଚିଲା, ସେଦିନ ପ୍ରକୃତରେ ମୋର ପିଣ୍ଡରେ ପ୍ରାଣ ପଶିଲା । ମୁଁ ଏହି ଭୟାନକ ଆତିଥ୍ୟର ସଂସାରରୁ ବିଦାୟ ନେଇ ଯିବାକୁ ବାହାରିଲି-। ଅଙ୍ଗୁଳିମାଳା ଯେପରି କଳାକଳା ବିକଟାଳ ଆଖିକରି ସେତେବେଳେ ମୋଉପରେ ଦୃଷ୍ଟିପାତ କରିଥିଲା, ସେଥିରୁ ମନେହେଉଥିଲା, ଯେପରିକି ସେ ବର୍ତ୍ତମାନ ମଧ୍ୟ ମୋର ଦେହଟାକୁ କରତରେ କାଟି ଦୁଇଗଡ଼ କରିଦେବାକୁ ଇଚ୍ଛା କରୁଚି । ବ୍ରାହ୍ମଣ ବାଜଶ୍ରବାଙ୍କ ପାଖରୁ ବିଦାୟ ନେଲାବେଳେ ମୁଁ ଅତିଧୀରେ ତାଙ୍କର ହାତକୁ ଜାବୁଡ଼ି ଧରିଲି । ସେ ଆପଣାର ଅଶ୍ରୁ ସମ୍ବରଣ କଲେ ଓ ଭବିଷ୍ୟତରେ କେଉଁଦିନ କାଳୀଙ୍କର ମନ୍ଦିରପାବଚ୍ଛ ଉପରେ ଆମ ଦୁହିଁଙ୍କର ପୁଣି ସାକ୍ଷାତ ହେବ ବୋଲି ଆଶା ପ୍ରକାଶ କରିଥିଲେ ।

 

ସେଠାରୁ ବିଦାୟ ନେଇ ଆମେ ଗୃହାଭିମୁଖରେ ଯାତ୍ରା କଲୁ । ଆମ ସହିତ ଚାରିଜଣ ଦସ୍ୟୁଙ୍କୁ ନିୟୋଜିତ କରାଯାଇଥିଲା, ଆମେ ଆସି ଉଜ୍ଜୟିନୀରେ ପହଞ୍ଚିବା ଯାଏ ଆପଣାର ଜୀବନପାତ କରି ମଧ୍ୟ ସେମାନେ ଆମର ପ୍ରାଣକୁ ନିରାପଦ ରଖିବେ ବୋଲି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଙ୍ଗୁଳିମାଳା ଆପଣା ଦସ୍ୟୁଜୀବନର ସମ୍ମାନ ବିଷୟରେ ବଡ଼ ସଚେତ ଥିଲା । ଆମେ ଯାତ୍ରା କଲାବେଳେ ସେ ସେହି ଚାରିଜଣ ଦସ୍ୟୁଙ୍କୁ ଭୟ ଦେଖାଇ କହିଥିଲା ଯେ ଯଦି ମୁଁ କୌଣସି କାରଣରୁ ନିରାପଦରେ ଉଜ୍ଜୟିନୀରେ ପହଞ୍ଚିନପାରେ, ତେବେ ସେ ସେମାନଙ୍କ ଦେହରୁ ଛାଲ ଉତାରିନେବ ଏବଂ ଏକ ଚଉଛକି ଜାଗାର ଚାରିକଣରେ ଛାଲଗୁଡ଼ିକୁ ନେଇ ଟଙ୍ଗାଇଦେବ । ଅଙ୍ଗୁଳିମାଳା ଯାହା ଥରେ ପ୍ରତିଜ୍ଞା କରୁଥିଲା, ତାହା ସେ ଅବଶ୍ୟ ପାଳନ କରୁଥିଲା । କିନ୍ତୁ ସୌଭାଗ୍ୟବଶତଃ ଏପରି କରିବା ଆଦୌ ଆବଶ୍ୟକ ହେଲାନାହିଁ ଏବଂ ଦସ୍ୟୁ ଚାରିଜଣ ଅତି ସାବଧାନତାର ସହିତ ବାଟ କଢ଼ାଇଆଣି ମୋତେ ଘରେ ପହୁଞ୍ଚାଇ ଦେଇଥିଲେ । ଖୁବ୍ ସମ୍ଭବ ସେମାନେ ବର୍ତ୍ତମାନ ମଧ୍ୟ ମନୁଷ୍ୟ ମୁଣ୍ଡମାଳିନୀ ଓ କରାଳନୃତ୍ୟରତା ଦେବୀ କାଳୀଙ୍କର ମନ୍ଦିରରେ ସେବକ ଭାବେ ନିୟାଜିତ ଥିବେ ।

 

ବାଟରେ ବିଶେଷ କୌଣସି ଘଟଣା ଘଟିନଥିଲା ଓ ଆମେ ଯଥାସମୟରେ ଯାଇ ଉଜ୍ଜୟିନୀରେ ପହଞ୍ଚିଲୁ । ମୋତେ ପୁଣି ଦେଖିବାକୁ ପାଇ ପିତାମାତାଙ୍କର ମନରେ ଯେଉଁ ହର୍ଷ ଜାତ ହୋଇଥିଲା, ତାହା ବର୍ଣ୍ଣନା କରିବାକୁ ମୋର ଶକ୍ତି ନାହିଁ । କିନ୍ତୁ କୌସାମ୍ବି ସହରକୁ ପୁନର୍ବାର ଯାତ୍ରା କରି ଯିବାଲାଗି ସେମାନେ ମୋତେ କୌଣସି ପ୍ରକାରେ ଅନୁମତି ଦେବାକୁ ରାଜି ହେଲେ ନାହିଁ । କେବଳ ମୋତେ ମୁକୁଳାଇ ଆଣିବାକୁ ଯେ ପିତାଙ୍କୁ ପ୍ରଚୁର ଅର୍ଥ ଦେବାକୁ ପଡ଼ିଥିଲା ସେତିକି ନୁହେଁ, ବାଣିଜ୍ୟଯାତ୍ରାର ସମସ୍ତ ସାମଗ୍ରୀ, ପଶୁ, ଶକଟ ଓ ଲୋକମାନଙ୍କୁ ମଧ୍ୟ ସେ ହରାଇ ବସିଥିଲେ । ଆଉ ଏକ ଶକଟବାହିନୀ ଲାଗି ସବୁ ସାଧନ ଏକତ୍ର କରିବାକୁ ତାଙ୍କୁ ବର୍ତ୍ତମାନ ଅନେକ ସମୟ ଲାଗିବ ଓ ଅନେକ ଅର୍ଥ ଖଟାଇବାକୁ ପଡ଼ିବ । କିନ୍ତୁ ମୋତେ ଅନୁମତି ଦେବାଲାଗି ଏହା ଏକ ଖୁବ୍‍ବଡ଼ ପ୍ରତିବନ୍ଧକ ନଥିଲା । ପଥଯାତ୍ରାର ବିପଦର ଚିନ୍ତାକରି ମୋର ପିତାମାତା ତା’ଠାରୁ ଯଥେଷ୍ଟ ଅଧିକ ଭୟଭୀତ ହୋଇପଡ଼ିଥିଲେ । ଅଙ୍ଗୁଳିମାଳା ଓ ତା’ର ଦସ୍ୟୁବାହିନୀ ବାଟଯାକ ଯେଉଁ ଭୟାବହ କାଣ୍ଡ ଭିଆଇବାରେ ଲାଗିଥିଲେ, ଉଜ୍ଜୟିନୀରେ ମଧ୍ୟ ତାହାର ସମ୍ବାଦ ଆସି ପହଞ୍ଚୁଥିଲା । ତାହାର ହାତରେ ଯାଇ ଆଉଥରେ ପଡ଼ିବାଲାଗି ମୋର ଏତେଟିକିଏ ଉତ୍ସାହ ନଥିଲା । ବର୍ତ୍ତମାନ କୌସାମ୍ବିକୁ କୌଣସି ସମ୍ବାଦ ପ୍ରେରଣ କରିବା ମଧ୍ୟ କୌଣସିପ୍ରକାରେ ସମ୍ଭବ ହେଲାନାହିଁ । ତେଣୁ କେବଳ ସ୍ମୃତିକୁ ସାଇତି ଧରି ଆନନ୍ଦ ଅନୁଭବ କରିବା ବ୍ୟତୀତ ମୋର ଆଉ ଅନ୍ୟ ଉପାୟ ନଥିଲା ଏବଂ ଆମର ପ୍ରେମପ୍ରତି ବଶିଷ୍ଠୀ ଅବଶ୍ୟ ଅନୁଗତା ରହିବ, ଏହି ଆଶା କରି ମୁଁ ଅଧିକ ଅନୁକୂଳ ସମୟ ଲାଗି ଅପେକ୍ଷା କରି ରହିଲି ।

 

ଶେଷରେ ଏହି ସମୟ ଆସି ଉପସ୍ଥିତ ହୋଇଥିଲା । ଦିନେ ଉଜ୍ଜୟିନୀରେ ନିଆଁପରି ଗୋଟିଏ ସମ୍ବାଦର ରଟନା ହେବାକୁ ଲାଗିଲା ଯେ ଭୟଙ୍କର ଦସ୍ୟୁ ଅଙ୍ଗୁଳିମାଳା କୌସାମ୍ବିର ରାଜା ଉଦ୍ଦାନଙ୍କର ମନ୍ତ୍ରୀଙ୍କ ପୁଅ ଶତଗୀର ହାତରେ ନିହତ ହୋଇଚି । ଦଳପତିର ନିଧନ ହେବାପରେ ଦସ୍ୟୁଦଳ ହୁଏତ ଭାଙ୍ଗିଯାଇଚି ବା ଦସ୍ୟୁମାନେ ଛିନ୍ନଛତ୍ର ହୋଇ ଏଣେତେଣେ ପଳାଇଚନ୍ତି । ଦଳର ପ୍ରଧାନ ପ୍ରଧାନ ଦସ୍ୟୁମାନଙ୍କ ସହିତ ବନ୍ଦୀ କରାହୋଇ ଅଙ୍ଗୁଳିମାଳାକୁ କୌସାମ୍ବିକୁ ଅଣାଯାଇଚି ଓ ସେହିଠାରେ ତାହାର ମସ୍ତକଚ୍ଛେଦ କରାଯାଇଚି ।

 

ଏଥର ମୋର ପିତାମାତା ଆଉ ମୋର ଅନୁରୋଧକୁ ଏଡ଼ି ପାରିଲେନାହିଁ । ବାଣିଜ୍ୟପଥମାନ ଏଥର ବିପଦଶୂନ୍ୟ ହୋଇଯିବାରୁ ପିତା ମଧ୍ୟ ଆଉ ଏକ ଶକଟବାହିନୀ ପ୍ରସ୍ତୁତ କରି ଆପଣାର ଭାଗ୍ୟପରୀକ୍ଷା କରିବାକୁ ଉତ୍ସାହିତ ହୋଇଥିଲେ । କିନ୍ତୁ ଠିକ୍ ଇତ୍ୟବସରେ ମୁଁ ଅସୁସ୍ଥ ହୋଇପଡ଼ିଲି ଏବଂ ସୁସ୍ଥ ହୋଇ ଶଯ୍ୟାରୁ ଉଠିଲାବେଳକୁ ବର୍ଷାଋତୁ ଆସନ୍ନ ହୋଇ ଆସିଥିଲା । ତେଣୁ ଯାତ୍ରାରେ ପ୍ରସ୍ଥାନ କରିବା ପୂର୍ବରୁ ଆମକୁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିଲା । କିନ୍ତୁ ଏଥର ଯାତ୍ରାକରି ବାହାରିବା ପାଇଁ ଆଉ କିଛି ପ୍ରତିବନ୍ଧକ ରହିଲାନାହିଁ । ମାର୍ଗରେ ସାବଧାର ହୋଇ ଯିବାପାଇଁ ନାନାପ୍ରକାର ଉପଦେଶ ଓ ପରାମର୍ଶ ଦେଇ ମୋର ପିତାମାତା ମୋତେ ବିଦାୟ ଦେଇଥିଲେ ଏବଂ ତିରିଶଗୋଟି ଶକଟର ଏକ ସୁସଜ୍ଜିତ ଶକଟବାହିନୀର ଗହଣରେ ମୁଁ ପୁଣି ଯାତ୍ରାପଥରେ ବାହାରିଗଲି । ଆନନ୍ଦ, ସାହସ ଓ ହୃଦୟ ଭିତରେ ଜଳୁଥିବା କେତେ ଆକାଂକ୍ଷା ଧରି ମୁଁ ବିନ୍ଧ୍ୟାଚଳର ମାଳଭୂମି ପାରହୋଇ ଗଙ୍ଗାନଦୀର ସମତଳ ଅଞ୍ଚଳରେ ପହଞ୍ଚିଲି ।

 

ପ୍ରଥମ ଥରର ଯାତ୍ରାପରି ଏଥର ମଧ୍ୟ ଆମର ଯାତ୍ରା ଅତି ନିରାପଦ ଭାବରେ ସମ୍ପନ୍ନ ହୋଇଥିଲା ଏବଂ ଦିନେ ଏକ ସୁନ୍ଦର ପ୍ରଭାତ ସମୟରେ ଆନନ୍ଦରେ ଅର୍ଦ୍ଧବିହ୍ୱଳ ହୋଇ ମୁଁ, କୌସାମ୍ବିରେ ପ୍ରବେଶ କଲି । ଏଥର କୌସାମ୍ବିର ମାର୍ଗରେ ଅସାଧାରଣ ଭାବରେ ଲୋକଭିଡ଼ ଥିବାର ମୁଁ ଲକ୍ଷ୍ୟ କରିପାରିଥିଲି । ଏହି ଭିଡ଼ ଭିତରେ ବାଟକାଟି ଆମେ ଅତି ମନ୍ଥର ଗତିରେ ଅଗ୍ରସର ହେବାକୁ ବାଧ୍ୟ ହୋଇଥିଲୁ ଏବଂ ଗୋଟିଏ ସ୍ଥାନରେ ନଗରର ଏକ ପ୍ରଧାନ ରାସ୍ତା ଅତିକ୍ରମ କଲାବେଳକୁ ଆମକୁ ବାଧ୍ୟହୋଇ ଅଟକିଯିବାକୁ ପଡ଼ିଲା । ଲୋକମାନଙ୍କର ସେହି ପ୍ରବଳ ଭିଡ଼ ଭିତରେ ବାଟ କାଟି ଆଗକୁ ଯାଇପାରିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଲା । ମୁଁ ଲକ୍ଷ୍ୟ କରି ଦେଖିଲି, ପ୍ରଧାନ ରାସ୍ତାଟି ନାନାରଙ୍ଗର ପତାକାରେ ସୁସଜ୍ଜିତ ହୋଇ ରହିଚି, ଗବାକ୍ଷଗୁଡ଼ିକରୁ ସୁନ୍ଦର ଝୁଲଣାମାନ ଝୁଲୁଚି । ରାସ୍ତାର ଏପାଖରୁ ସେପାଖ ପର୍ଯ୍ୟନ୍ତ ଫୁଲର ମାଳାମାନ ବନ୍ଧାହୋଇ ରହିଚି, ଖୁବ୍ ସମ୍ଭବ ଏହି ନଗରରେ ଅତିଶୀଘ୍ର କୌଣସି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଚି । ଏସବୁ ଦେଖି ମୋର ଆଉ ଧୈର୍ଯ୍ୟ ରହିଲା ନାହିଁ ଓ ଏହିସବୁ ସାଜସଜ୍ଜା କାହିଁକି କରାଯାଇଚି ବୋଲି ମୁଁ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲି ।

 

ସେମାନେ ଏଡ଼େବଡ଼ ପାଟିକରି ଉତ୍ତର ଦେଲେ-ମଲା, ତୁମେ କଣ ଜାଣିନାହଁ ଯେ ଆଜି ହେଉଚି ମନ୍ତ୍ରୀପୁଅ ଶତାଗୀରର ବିବାହତିଥି ? ତୁମର ପରମ ସୌଭାଗ୍ୟ ଯେ ତୁମେ ଏପରି ଏକ ଉତ୍ସବକୁ ଦେଖିବାଲାଗି ଠିକ୍ ସମୟରେ ଆସି ଏଠାରେ ପହଞ୍ଚି ପାରିଚ, କାରଣ ବର୍ତ୍ତମାନ କୃଷ୍ଣମନ୍ଦିରରୁ ଶୋଭାଯାତ୍ରା ବାହାରି ଏଠାକୁ ଆସୁଚି । ଏପରି ସାଜସଜ୍ଜା ଓ ଆଡ଼ମ୍ୱର ତୁମେ ଜୀବନରେ କେବେ କେଉଁଠି ହେଲେ ଦେଖି ନଥିବ !

 

ଶତଗୀରର ବିବାହ ଉତ୍ସବ ଅନୁଷ୍ଠିତ ହେଉଚି, ଏହି ସମ୍ବାଦ ବ୍ୟକ୍ତିଗତ ଭାବରେ ମୋ’ଲାଗି ମଧ୍ୟ ଏକ ସୁସମ୍ବାଦ ଥିଲା । କାରଣ ଶତଗୀର ମଧ୍ୟ ମୋର ପ୍ରିୟତମା ବଶିଷ୍ଠୀର ପ୍ରଣୟାଭିଳାଷୀ ଥିଲା ଏବଂ ଆମ ଦୁହିଁଙ୍କର ମିଳନପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇ ରହିଥିଲା । ଏହିପରି ଭାବି ବାଧ୍ୟହୋଇ ଅଟକି ଯାଇଥିବା ସେହି ସ୍ଥାନରେ ମୁଁ ଜାଣିଶୁଣି ଯେତେବେଳଯାଏ ସମ୍ଭବ ସେତେବେଳଯାଏ ଅପେକ୍ଷା କରିବାଲାଗି ଚେଷ୍ଟା କରିଥିଲି । ଅବଶ୍ୟ ମୋତେ ବେଶୀ ବେଳ ଅପେକ୍ଷା କରିବାକୁ ପଡ଼ିଲା ନାହିଁ, କାରଣ ଶୋଭାଯାତ୍ରାରେ ଆସୁଥିବା ଅଶ୍ୱବାହିନୀର ବର୍ଚ୍ଛାର ଅଗ୍ରଭାଗମାନ କ୍ରମେ ଦୃଶ୍ୟ ହୋଇଆସିଲା ଏବଂ ତାହାକୁ ଦେଖି ସମବେତ ଉତ୍‍ଫୁଲ୍ଲ ଜନତା ବିପୁଳ ହର୍ଷଧ୍ୱନି କରିବାକୁ ଲାଗିଲେ । ମୁଁ ଶୁଣିବାକୁ ପାଇଲି, ଯେ ଏହି ଅଶ୍ୱବାହିନୀ କୌସାମ୍ବି ନଗରର ଅଧିବାସୀମାନଙ୍କର ସବୁଠାରୁ ବଡ଼ ଉପକାର କରିଚନ୍ତି, କାରଣ ଏହିମାନେ ହିଁ ଅଙ୍ଗୁଳିମାଳାର ଉତ୍ପାତକାରୀ ଦଳକୁ ବନ୍ଦୀ କରି ଆଣିବାରେ ସମର୍ଥ ହୋଇଚନ୍ତି ।

 

ଅଶ୍ୱାରୋହୀ-ବାହିନୀର ଠିକ୍ ପଛକୁ ଆସୁଥିବା ହାତୀଟି ଉପରେ କନ୍ୟା ବସିକରି ଆସୁଥାଏ । ଏହି ଦୃଶ୍ୟର ଗରିମା ପ୍ରକୃତରେ ବର୍ଣ୍ଣନାର ଅତୀତ । ପର୍ବତର ସମତଳପରି ଦେଖାଯାଉଥିବା ବୃହତ୍‍ ହସ୍ତୀର କପୋଳ ମଣିମାଳାରେ ବିଭୂଷିତ ହୋଇଥିଲା ବରଂ ନାନାରଙ୍ଗରେ ଝଲସି ଉଠୁଥିଲା । ହସ୍ତୀର ଗଣ୍ଡଦେଶରୁ ଯେପରି ମଦ କ୍ଷରିତ ହୋଇ ଚାରିଆଡ଼କୁ ବୋହି ପଡ଼ୁଥାଏ ଏବଂ ତାହାର ସୁରଭିତ ଆକର୍ଷଣରେ ଯେପରି ମଧିୁମକ୍ଷୀର ଦଳ ଗୁଣୁଗୁଣୁ ହେଉଥାନ୍ତି, ନାନାପ୍ରକାର ହୀରକ ଓ ମଣିମୁକ୍ତାଦ୍ୱାରା ସୁଶୋଭିତ ହୋଇ ହସ୍ତୀର ମୁଖମଣ୍ଡଳ ଠିକ୍ ସେହିପରି ଶୋଭା ଧାରଣ କରିଥିଲା । ଏହି ବିଭୂଷଣମାନ ଦେଖୁଦେଖୁ ମୁଁ ହର୍ଷୋତ୍‍ଫୁଲ୍ଲ ହୋଇ ଚିତ୍କାର କରି ଉଠିଲି । ହାତୀର ଦୁଇଟିଯାକ ଦାନ୍ତ ଖାଣ୍ଟି ସୁନାରେ ଛୁଆଣି ହୋଇଥିଲା, ତାହାର ମଣିମୟ ଦେହ ଉପରୁ ସୁଗନ୍ଧଯୁକ୍ତ ନୀଳବର୍ଣ୍ଣ ବନାରସୀ ମଖମଲ ଦୁଇପାଖକୁ ଗୋଡ଼ ଉପରଯାଏ ଝୁଲି ପଡ଼ିଥିଲା ଏବଂ ଗଛର ଗଣ୍ଡିଉପରେ ସକାଳର କୁହୁଡ଼ି ଜମି ରହିଥିବାପରି ଭ୍ରମ ଜାତ କରାଉଥିଲା ।

 

କିନ୍ତୁ ହସ୍ତୀର ଶୁଣ୍ଢକୁ ଦେଖୁଦେଖି ମୋର ସମସ୍ତ ଦୃଷ୍ଟି ସେହିଠାରେ ହିଁ ଲାଖିରହିଲା । ଜନ୍ମଭୂମି ଉଜ୍ଜୟିନୀରେ ମୁଁ କେତେକେତେ ଶୋଭାଯାତ୍ରା ଦେଖିଚି, କେତେ ସୁସଜ୍ଜିତ ହାତୀମାନ ଏହି ଶୋଭାଯାତ୍ରାରେ ବାହାରିବାର ଦେଖିଚି; କିନ୍ତୁ ଆଜି ଯାହା ଦେଖିଲି, ପ୍ରକୃତରେ ତାହାର କୌଣସି ତୁଳନା ହିଁ ନାହିଁ । ଆମ ରାଜ୍ୟରେ ସାଧାରଣତଃ ହାତୀର ଶୁଣ୍ଢକୁ କୋଠିକୋଠି କରି ନାନାପ୍ରକାର ରଙ୍ଗରେ ମଣ୍ଡନ କରି ଦିଆଯାଏ । କିନ୍ତୁ ଏଠି ମୁଣ୍ଡର ଚମଡ଼ାକୁ ସେହିପରି ଛାଡ଼ି ଦିଆଯାଇଥିଲା ଏବଂ ତାହାରି ପୃଷ୍ଠଭୂମି ଉପରେ ଅଶୋକସ୍ତବକର ଗୁଚ୍ଛମାନ ବାନ୍ଧି ଦିଆଯାଇଥିଲା-। ସବୁଜପତ୍ର ଭିତରୁ କେଶରୀ ରଙ୍ଗର ଉଜ୍ଜ୍ୱଳ ଫୁଲଗୁଡ଼ିକ ଝକମକ ହୋଇ ଉଠୁଥିଲେ !

 

ଜଣେ କଳାକାରର ଆଖିରେ ମୁଁ ଏହିସବୁ ରୂପାୟନ ସଜ୍ଜା ଦେଖୁଥିବା ସମୟରେ ହଠାତ୍ ମୋର ମନଭିତରେ ମୁଁ କିପରି ଏକ ଅଦ୍ଭୁତ ଭାବ ଅନୁଭବ କରିବାକୁ ଲାଗିଲି, ସତେ ଯେପରି ଅତୀତର ସେହି ଅଶୋକ ଉଦ୍ୟାନର ସମସ୍ତ ସୁବାସ ପ୍ରଶ୍ୱାସପବନ ହୋଇ ମୋର ନାସାରନ୍ଧ୍ର ସ୍ପର୍ଶ କରିଦେଇ ଗଲା । ହଠାତ୍ ମୋର ହୃଦୟ ଭିତରେ ଦ୍ରୁତ ସ୍ପନ୍ଦନ ଆରମ୍ଭ ହୋଇଗଲା, ସତେ ଯେପରି ଆପଣାର ମନେମନେ ମୁଁ ଆପଣାର ବିବାହୋତ୍ସବ ବିଷୟରେ ଚିନ୍ତା କରିବାକୁ ଲାଗିଲି । ଯେଉଁ ହାତୀ ଦିନେ ଆପଣାର ପିଠି ଉପରେ ବଶିଷ୍ଠୀକୁ କନ୍ୟାରୂପେ ବସାଇ ଶୋଭାଯାତ୍ରାରେ ବାହାରିବ, ତାହାର ସାଜସଜ୍ଜା ଠିକ୍ ଏହି ହାତୀର ସାଜସଜ୍ଜା ପରି ହେବ । ସମସ୍ତ କୌସାମ୍ବି ନଗରର ଅଶୋକ ଉଦ୍ୟାନର ପ୍ରସିଦ୍ଧ ସର୍ବବିଦିତ ଥିଲା ।

 

ଏହିପରି ସ୍ୱପ୍ନାବେଶରେ ଅଭିଭୂତ ହୋଇ ରହିଥିବାବେଳେ ମୁଁ ମୋ’ପାଖରେ ଠିଆ ହୋଇଥିବା ଜଣେ ନଗରବଧୂ ଆଉଜଣକୁ କହୁଥିବାର ଶୁଣିବାକୁ ପାଇଲି : –

 

କିନ୍ତୁ କନିଆର ମୁହଁରେ ତ କାହିଁକି ଏତେଟିକିଏ ସରାଗ ଥିଲାପରି ଦିଶୁନାହିଁ ଲୋ !

 

ଏକଥା ଶୁଣି ମୁଁ ଅତି ଅଜାଣତ ଭାବରେ ଉପରକୁ ଅନାଇଦେଲି ଏବଂ ହାତୀ ଉପରେ ଖଞ୍ଜା ହୋଇଥିବା ସାମିଆନାତଳେ ବସିଥିବା ମୂର୍ତ୍ତିଟି ଉପରେ ଦୃଷ୍ଟି ପଡ଼ିଯିବା ମାତ୍ରକେ ଏକ ବିଷାଦ ପୀଡ଼ିତ ଅନୁଭୂତି ସତେ ଅବା ମୋର ହୃଦୟରେ କଣ୍ଟା ଫୋଡ଼ିଦେଇ ଚାଲିଗଲା । ମୁଁ ‘ମୂର୍ତ୍ତି’ ବୋଲି କହିଲି, କାରଣ କନ୍ୟାର ମସ୍ତକଟି ତାର ଛାତି ଉପରକୁ ଝୁଲି ପଡ଼ିଥିଲା ଓ ବାହାରକୁ ଆଦୌ ଦେଖା ଯାଉନଥିଲା । କନ୍ୟାର ମୂର୍ତ୍ତିଟିକୁ ମଧ୍ୟ ଭଲକରି ଦେଖିବାର ସେତେବେଶୀ ସମ୍ଭାବନା ନଥିଲା, ଦେଖିଲେ ସେହି ଇନ୍ଦ୍ରଧନୁ-ରଙ୍ଗର ମଖମଲ ଭିତରେ ଗୋଟିଏ ମନୁଷ୍ୟ ଶରୀର ଆଚ୍ଛାଦିତ ହୋଇ ରହିଚି ବୋଲି ଆଦୌ ମନେ ହେଉନଥିଲା, ସେହି ଶରୀରରେ କୌଣସି ଜୀବନ ଅଛି ବୋଲି ବୋଧ ହେଉନଥିଲା, କାରଣ କେତେବେଳେ ହେଲେ ସେ ହଲ କି ଚଲ କିଛି ହେଉନଥିଲା । କେବଳ ହାତୀଟି ପାଦ ପକାଇଲାବେଳକୁ ବହୁମୂଲ୍ୟ ପରିଧାନ ଭିତରୁ ସେହି ଶରୀରଟି ମଧ୍ୟ ଏପାଖ ସେପାଖ ହୋଇଯାଉଥିଲା, ଉପରର ଚାନ୍ଦୁଆ ଦୋହଲି ଯାଉଥିଲା । ସେହି ଦୋହଲିଯିବା ଭିତରେ ତଥାପି ଯେପରି କିଛି ଅବର୍ଣ୍ଣନୀୟ ଦୁଃଖପୂର୍ଣ୍ଣ ଏକ ଭାବ ସୂଚିତ ହୋଇ ଉଠୁଥିଲା, ତାହାକୁ ଦେଖିଲା ବେଳକୁ ହୃଦୟ ଭିତରେ ଯେପରି କିଏ ରୋଦନ କରି ଉଠୁଥିଲା । ହୁଏତ ପରମୁହୂର୍ତ୍ତରେ କନ୍ୟାଟି ହାତୀର ପିଠିଉପରୁ ତଳକୁ ଟଳିପଡ଼ିବ, ଏହି ଭୟ ସବୁବେଳେ ରହିଥିଲା । କନ୍ୟାର ପଛରେ ଚାଲିଚାଲି ଯାଉଥିବା ପରିଚାରିକା ଠିକ୍ ଏହିପରି ଏକ ଭୟରେ ଭୀତ ହୋଇ ରହିଥିଲା । ସେ ବାରବାର କନ୍ୟାର କାନ୍ଧଉପରେ ହାତ ରଖି ତା ଆଡ଼କୁ ଅବନତ ହୋଇ ଆସୁଥିଲା ଓ ଚୁପ୍‍ଚୁପ୍‍ କରି ତା’ର କାନରେ କଣ ସବୁ କହି ଦେଉଥିଲା ।

 

ସେହି ପରିଚାରିକା ଆଉ କେହି ନୁହେଁ, ସେ ହେଉଚି ମେଦିନୀ - ତାକୁ ଚିହ୍ନିବା ମାତ୍ରକେ ମୋର ଦେହର ରକ୍ତ ହିମ ହୋଇଗଲାପରି ମନେହେଲା । ମୋର ସଂଶୟ ଅଧିକ ସ୍ପଷ୍ଟ ହେବା ପୂର୍ବରୁ ଶତଗୀରର ବଧୂ ଉପରକୁ ମସ୍ତକ ଉତ୍ତୋଳନ କରି ଅନାଇଦେଲା ।

 

ଦେଖିଲି, ଯିଏ ହେଉଚି ମୋର ବିଶିଷ୍ଠୀ, ମୋର ପ୍ରିୟତମା ବଶିଷ୍ଠୀ ।

Image

 

୧୨

ବାଜଶ୍ରବାଙ୍କର ପବିତ୍ର ସମାଧି ସ୍ଥାନରେ

 

ହଁ, ସିଏ ହେଉଚି ବଶିଷ୍ଠୀ । ଚକ୍ଷୁର ଭ୍ରମ ହେଉଚି ବୋଲି କହିବାର କୌଣସି ଅବକାଶ ହିଁ ନାହିଁ । ତଥାପି ଅସଲ ବଶିଷ୍ଠୀର ଦେହଲକ୍ଷଣ ସହିତ ଏହିସବୁ ଲକ୍ଷଣର କୌଣସି ସାମଞ୍ଜସ୍ୟ ନାହିଁ, ମୁଁ ଦେଖିଥିବା ବଶିଷ୍ଠୀ ସହିତ ଏହାର କୌଣସି ମେଳ ନାହିଁ, ଯେପରି କେଉଁ ଅନାମଧେୟ ଦୁଃଖର ଚାପରେ ସବୁ ପଥରରେ ପରିଣତ ହୋଇଯାଇଚି !

 

ମୁଁ ପ୍ରକୃତିସ୍ଥ ହୋଇ ଆସିବା ବେଳକୁ ଶୋଭାଯାତ୍ରାର ଶେଷ ମୁଣ୍ଡଟା ଆମକୁ ଅତିକ୍ରମ କରି ଯାଉଥିଲା । ସମସ୍ତେ ଭାବିଲେ ଦାରୁଣ ଗ୍ରୀଷ୍ମ ଓ ମଣିଷଭିଡ଼ ହେତୁ ମୁଁ ହଠାତ୍ ଏପରି ଅବଶ ହୋଇପଡ଼ିଲି । ଯନ୍ତ୍ରଚାଳିତ ଭାବରେ କିଛିଦୂର ଅଗ୍ରସର ହୋଇ ମୁଁ ନିକଟବର୍ତ୍ତୀ ଏକ ପାନ୍ଥଶାଳାରେ ଆଶ୍ରୟ ନେଲି ।

 

ଏହିଠାରେ ଗୋଟିଏ ଅନ୍ଧାର କୋଠରି ଭିତରେ ମୁଁ କାନ୍ଥଆଡ଼କୁ ମୁହଁ କରି ଏକାଧିକ ଦିନ ପର୍ଯ୍ୟନ୍ତ ପଡ଼ିରହିଲି । ଅଶ୍ରୁର ଧାରା ଝରଝର ହୋଇ ବହିବାରେ ଲାଗିଥିଏ ଏବଂ ମୁଁ ସମସ୍ତ ପ୍ରକାର ପାନାହାର ପରିତ୍ୟାଗ କରି ଦେଇଥାଏ । ମୋର ପ୍ରଥମ ବାଣିଜ୍ୟଯାତ୍ରା ସମୟରେ ମଧ୍ୟ ମୋ’ ସହିତ ଥିବା ମୋ ପୁରାତନ ଭୃତ୍ୟ ଓ ଶକଟବାହିନୀର ପରିଚାଳକକୁ ମୁଁ ନିର୍ଦ୍ଦେଶ ଦେଇଥାଏ ଯେ ଯେତେଶୀଘ୍ର ସମ୍ଭବ ସେ ବାଣିଜ୍ୟ-ପଣ୍ୟଗୁଡ଼ିକ ବିକ୍ରୟ କରିଦେବାକୁ ଚେଷ୍ଟା କରିବ, ଦରଦାମ୍ ଯଥେଷ୍ଟ ଅନୁକୂଳ ନହେଲେ ମଧ୍ୟ ତଥାପି ସେ ଯେପରି କୌଣସି ବିଳମ୍ବ କରିବନାହିଁ । କାରଣ ଯେତେବେଳେ ମୁଁ ନିଜେ ଏପରି ଅସୁସ୍ଥ ହୋଇପଡ଼ିଲି, ସେତେବେଳେ ବ୍ୟବସାୟର ଭଲମନ୍ଦ ଆଉ କିଏ ଦେଖିବ ? ଏଥର ବାଣିଜ୍ୟରେ ଯେ ମୋର ଅପର୍ଯ୍ୟାପ୍ତ କ୍ଷତି ହୋଇଯିବ, ଏହିକଥା ଭଲକରି ଜାଣିଥିଲେ ମଧ୍ୟ ତଥାପି ମୁଁ ନଗର ଭିତରକୁ ଥରେ ହେଲେ ଯାଇନଥିଲି । ନଗରରେ ମୋତେ କେହି ଚିହ୍ନୁ, ମୁଁ ଏକଥା ଆଦୌ ଚାହୁଁ ନଥିଲି । ମୁଁ ଏହି ନଗରରେ ଅଛି ବୋଲି ଯେପରି କୌଣସି ସମ୍ବାଦ ବଶିଷ୍ଠୀ ପାଖରେ ଯାଇ ନ ପହଞ୍ଚେ, ଏଥିଲାଗି ମୁଁ ପ୍ରାଣପଣ ଚେଷ୍ଟା କରୁଥିଲି ।

 

କିନ୍ତୁ ତାରି ମୁଖଛବି ମୋର ହୃଦୟ ଭିତରେ ସତତ ପ୍ରତିଭାତ ହୋଇ ରହିଥିଲା । ଆପଣାର ପ୍ରତିଶ୍ରୁତିରେ ସେ ଏପରି ଅସତ୍ୟ ହେଲା ଓ ଏପରି ଦୁର୍ବଳତା ପ୍ରକାଶ କଲା, ଏହି ଚିନ୍ତା ମୋତେ ଅତିଶୟ ବିଚଳିତ କରି ପକାଉଥାଏ । ହୁଏତ ଶେଷରେ ତାହାକୁ ଏଥିଲାଗି ବାଧ୍ୟହୋଇ ସମ୍ମତ ହେବାକୁ ପଡ଼ିଚି, ହୁଏତ ପିତାମାତାଙ୍କର ଇଚ୍ଛାକୁ ଆଉ ଅଧିକ ଦିନ ଟାଳିବାଲାଗି ସେ ସମର୍ଥ ହୋଇପାରିନାହିଁ ! କିନ୍ତୁ ବିଜୟୋଲ୍ଲାସରେ ଉନ୍ମତ୍ତ ଏହି ମନ୍ତ୍ରୀପୁତ୍ର ପାଖରେ ଯେ ସେ ଆପଣାର ହୃଦୟକୁ ସମର୍ପଣ କରି ଦେଇନାହିଁ, ତାହାକୁ ଦେଖିବା ମାତ୍ରକେ ଏକଥା ଅତି ସ୍ପଷ୍ଟ ହୋଇ ଯାଉଥିଲା । କିନ୍ତୁ ସେଦିନ କୃଷ୍ଣକାନନରେ କିପରି ଢଳଢଳ ଉଜ୍ଜ୍ୱଳ ଆଖିରେ ସେ ଆମର ପ୍ରେମପ୍ରତି ଅନୁରକ୍ତା ହୋଇ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲା, ସେହି କଥା ମନେ ପଡ଼ିଗଲା ବେଳକୁ ସେ ଏଡ଼େ ବେଗି କିପରି ଆତ୍ମସମର୍ପଣ କରିପାରିଲା, ମୁଁ ତାହାର କୌଣସି କାରଣ ଠଉରାଇ ପାରିଲିନାହିଁ । ଦୀର୍ଘନିଶ୍ୱାସ ତ୍ୟାଗ କରି ମୁଁ ମନକୁମନ କହିବାକୁ ଲାଗିଲି ଯେ ଗୋଟିଏ ବାଳିକାର ପ୍ରତିଶ୍ରୁତିକୁ ଏତେଗୁଡ଼ାଏ ମୂଲ୍ୟ ଦେବା ମୋ ପକ୍ଷରେ ଆଦୌ ଉଚିତ ହେଉନାହିଁ । କିନ୍ତୁ ସେହି ମୁଖମଣ୍ଡଳକୁ ଯେପରି କେତେ ଗଭୀର ଦୁଃଖ ଆଚ୍ଛନ୍ନ କରି ରଖିଥିଲା ! ମୋର ସବୁ ବିରକ୍ତି ବା ବିତୃଷ୍ଣା କୁଆଡ଼େ ଅପସରିଗଲା ଓ ତାପ୍ରତି ମୁଁ କେବଳ ଗଭୀର ସହାନୁଭୂତି ଅନୁଭବ କରିବାକୁ ଲାଗିଲି । ତେଣୁ ମୁଁ ଦୃଢ଼ନିଶ୍ଚୟ କରି ବସିଲି ଯେ ତାହାର ଏହି ଦୁଃଖ ବଢ଼ାଇବାରେ ଯେପରି ମୁଁ କୌଣସିପ୍ରକାର ଅବସର ନଦିଏ, ମୁଁ କୌସାମ୍ୱିରେ ଅଛି ବୋଲି ଯେପରି ସେ କୌଣସି ପ୍ରକାରେ ଜାଣିବାକୁ ନପାଏ ! ମୋ’ ବିଷୟରେ ଯେପରି ସେ କେବେହେଲେ କୌଣସି କଥା ଶୁଣିବାକୁ ନପାଏ, ମୁଁ ଆଉ ଏ ଜୀବନରେ ନାହିଁ ବୋଲି ଯେପରି ସେ କ୍ରମେ ବିଶ୍ୱାସ କରିବାକୁ ଆରମ୍ଭ କରେ, ଆପଣାର ଭାଗ୍ୟକୁ ସ୍ୱୀକାର କରିନେଇ ଯେପରି ସେ ପଛକୁ ଅନାଇ ମନରେ ଆଉ କୌଣସି ପ୍ରକାର ଆକାଂକ୍ଷାକୁ ସ୍ଥାନ ନଦିଏ ।

 

ପରିସ୍ଥତି ମଧ୍ୟ ମୋ’ର ଇଚ୍ଛାର ଅନୁକୂଳ ଥିବାପରି ମନେହେଲା, କାରଣ ମୋର ପୁରାତନ ଭୃତ୍ୟ ମଧ୍ୟ ଆଶାତୀତ ଶୀଘ୍ରଭାବରେ ମୋର ବାଣିଜ୍ୟ ସାମଗ୍ରୀଗୁଡ଼ିକୁ ଉଚିତ ମୂଲ୍ୟରେ ବିକ୍ରୀ କରିଦେଇ ପାରିଥିଲା । ତେଣୁ ମାତ୍ର ଅଳ୍ପ କେତେ ଦିନପରେ ମୁଁ ମୋର ଶକଟବାହିନୀ ସହିତ ଦିନେ ସକାଳେ କୌସାମ୍ବି ନଗରରୁ ଯାତ୍ରାରେ ବାହାରି ପଡ଼ିଲି । ସହରର ପଶ୍ଚିମ ତୋରଣଟି ଅତିକ୍ରମ କରି ଆସିବାପରେ ପଛକୁ ଚକ୍ଷୁ ଫେରାଇ ମୁଁ ଶେଷଥର ପାଇଁ ସହରଟିକୁ ଦେଖିବାକୁ ଲାଗିଲି । ଏହି ସହରର ପ୍ରାଚୀର ସେପାଖରେ ମୁଁ ଏହି ଜୀବନର କେତେ ଅବିସ୍ମରଣୀୟ ସୁଖଦୁଃଖ ଅନୁଭବ ନ କରିଚି ! ଏଥର ଏହି ନଗରରେ ପ୍ରବେଶ କରିବା ଦିନଠାରୁ ମୁଁ ଆପଣାର ଅଧୀର ମାନସସନ୍ତାପକୁ ନେଇ ଏପରି ଭାବରେ ଦଗ୍ଧ ହୋଇ ରହିଥିଲି ଯେ ନଗରଟିକୁ ଭଲ କରି ଦେଖିବାଲାଗି ମଧ୍ୟ ମୁଁ କୌଣସି ସୁଯୋଗ ପାଇନଥିଲି । ତେଣୁ ବର୍ତ୍ତମାନ ପ୍ରଥମଥର ପାଇଁ ଦେଖିଲି ଯେ କେବଳ ନଗରର ତୋରରସ୍ତମ୍ଭରେ ନୁହେଁ, ପ୍ରାଚୀର ଉପରେ ମଧ୍ୟ ଅତ୍ୟନ୍ତ ଭୀଷଣ ଭାବରେ ଛିନ୍ନ ମନୁଷ୍ୟ ମୁଣ୍ଡମାନ ଟଙ୍ଗାହୋଇ ରହିଥିଲା ।

 

ଏସବୁ ଯେ ଧରା ହୋଇଥିବା ଦସ୍ୟୁମାନଙ୍କର ଛିନ୍ନ ମୁଣ୍ଡ, ଏକଥା ଜାଣିବାକୁ ମୋତେ ଆଦୌ ବିଳମ୍ବ ଲାଗିଲାନାହିଁ ।

 

ହସ୍ତୀପୃଷ୍ଠରୁ ସେହି ଚନ୍ଦ୍ରାତପତଳୁ ବଶିଷ୍ଠୀର ମୁହଁଟି ଉପରେ ମୋର ଆଖି ପଡ଼ିଯିବାର ମୁହୂର୍ତ୍ତଠାରୁ ଆପଣାର ଦୁଃଖ ବ୍ୟତୀତ ମୁଁ ଏପର୍ଯ୍ୟନ୍ତ ଆଉ କିଛି ଭାବିନଥିଲି । କିନ୍ତୁ ଏକ ବର୍ଣ୍ଣନାତୀତ ଭୟର ସହିତ ଏହିସବୁ ଛିନ୍ନମୁଣ୍ଡଗୁଡ଼ିକ ଉପରେ ଦୃଷ୍ଟିପାତ କରୁକରୁ ମୁଁ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ଅନ୍ୟପ୍ରକାର ଅନୁଭବ କରିବାକୁ ଲାଗିଲି । ଶକୁନିମାନେ ଏହିସବୁ ଛିନ୍ନ ମସ୍ତକରୁ କେବଳ ଅସ୍ଥିମାନ ଅବଶିଷ୍ଟ ରଖିଥିଲେ । ହୁଏତ କେଉଁଠି କାହା ମୁଣ୍ଡର ଶିଖା ବା କାହା ମୁହଁର ଦାଢ଼ି ଏପର୍ଯ୍ୟନ୍ତ ଝୁଲିକରି ରହିଥିଲା ଏବଂ ଘନ ଦାଢ଼ିହେତୁ କାହା ମୁହଁର ସେହି ଅଂଶଟି ହୁଏତ ଅକ୍ଷତ ଅବସ୍ଥାରେ ରହିଯାଇଥିଲା । ଏହିପରି ଭାବରେ କେବଳ ଦୁଇଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ଚିହ୍ନିବାର କୌଣସି ସାଧ୍ୟ ହିଁ ନଥିଲା । ଜଣକର ନାଲିଆ ଦାଢ଼ିମାନ ଏପର୍ଯ୍ୟନ୍ତ ମୁହଁ ଉପରେ ଝୁଲୁଥିଲା ଏବଂ ସନ୍ନ୍ୟାସୀ ଶିଖାଧାରୀମାନଙ୍କର ପରମ୍ପରା ଅନୁସାରେ ଆଉଜଣକର ମୁଣ୍ଡର ଶିଖାରେ ଏପର୍ଯ୍ୟନ୍ତ ଗଣ୍ଠି ପଡ଼ି ରହିଥିଲା ।

 

ଏହିମାନଙ୍କ ସହିତ ମୁଁ କେତେକେତେ ରାତି ଏକାଠି ଏକ ଗୋଷ୍ଠୀରେ ବସିଚି, ଏହି ଦୁଇଟି ଓ ଅନ୍ୟ ମୁଣ୍ଡମାନେ ବନ୍ଧୁତ୍ୱସୂଚକ ଭାବରେ ହୁଏତ କେତେଥର ମୋ’ଆଡ଼କୁ ଅନାଇ ହସିଚନ୍ତି । ସେହି ଯେଉଁ ନାଲିଆ ଦାଢ଼ିଟା ସେହି ମୁଣ୍ଡରେ ଲାଖିକରି ରହିଚି, ଚନ୍ଦ୍ରର କିରଣ ପଡ଼ି ସେଇଟି କିପରି ଚକଚକ ଦେଖାଯାଇଚି ଏବଂ ରାତିରେ ପହରା ଦେଇଥିବା ପ୍ରହରୀମାନଙ୍କର ନିର୍ବୋଧତା ବିଷୟରେ ବକ୍ତୃତା ହେଉଥିବାବେଳେ କିପରି ଆନନ୍ଦରେ ଉଲ୍ଲସିତ ହୋଇଉଠିଚି । ହଁ, ମୋର ମନେହେଲା, ଯେପରି ସେହି ଅଧରହୀନ ମୁହଁ ଉପରେ ଉଛୁଳି ଉଠୁଥିବା ଅଟ୍ଟହାସ୍ୟର ଧ୍ୱନି ମଧ୍ୟ ମୁଁ ଶୁଣିବାକୁ ପାଇଲି ।

 

କିନ୍ତୁ ତୋରଣର ଠିକ୍ ମଝିରେ ଝୁଲୁଥିବା ଯେଉଁ ମସ୍ତକଟି ସକାଳର ସୂର୍ଯ୍ୟକିରଣରେ ଝଲମଲ ହେଉଥିଲା, ତାହାହିଁ ମୋର ସମସ୍ତ ଦୃଷ୍ଟିକୁ ଆକୃଷ୍ଟ କରିନେଲା । ଏହି ମସ୍ତକଟିକୁ ନଚିହ୍ନିବା କି ମୋ’ପକ୍ଷରେ କେବେହେଲେ ସମ୍ଭବ ହୋଇପାରେ ? ଏହି ବ୍ୟକ୍ତଟି ଦିନେ ଆମ ସମସ୍ତଙ୍କୁ ହସରେ ଗଡ଼ାଇ ଦେଉଥିଲା, ଅଥଚ ଆପଣାର ବ୍ରାହ୍ମଣ-ମୁଖକୁ ଏତେ ଟିକିଏ ମଧ୍ୟ କୁଞ୍ଚିତ କରୁନଥିଲା । ଏଠାରେ ସବୁ ମୁଣ୍ଡ ଅପେକ୍ଷା ବାଜଶ୍ରବାଙ୍କର ମୁଣ୍ଡଟି ସବୁଠାରୁ ପ୍ରଧାନ ହୋଇ ଝୁଲୁଥିଲା । ଅଙ୍ଗୁଳିମାଳାର ମୁଣ୍ଡଟି ନିଶ୍ଚୟ ନଗରର ପୂର୍ବତୋରଣରେ ଝୁଲାଇ ଦିଆଯାଇଥିବ । ବିଭିନ୍ନ ପ୍ରକାରର ମୃତ୍ୟୁଦଣ୍ଡ ବିଷୟରେ ଯେଉଁଦିନ ବାଜଶ୍ରବା ଆମକୁ ବିଶଦ ଭାବରେ ବୁଝାଇ ଏକ ଭାଷଣ ଦେଇଥିଲେ, ସେହି ଦିନର କଥାମାନ ମନେପଡ଼ି ହଠାତ୍‍ ବଡ଼ ଅଦ୍ଭୁତ ପ୍ରକାର ଅନୁଭବ କରିବାକୁ ଲାଗିଲି । ନାନାପ୍ରକାର ଯୁକ୍ତି ଦେଖାଇ ସେ ସେହିଦିନ ଏକଥା ପ୍ରମାଣ କରି ଦେଇଥିଲେ ଯେ ଦସ୍ୟୁର କୌଣସି ପରିସ୍ଥିତିରେ ମଧ୍ୟ କଦାପି ଧରାଦେବା ଉିଚତ ନୁହେଁ ଏବଂ ତଥାପି ଦୁର୍ଭାଗ୍ୟବଶତଃ ଧରାପଡ଼ିଲେ ମଧ୍ୟ ଖସି ପଳାଇଯିବା ଲାଗି ସବୁପ୍ରକାର ଉଦ୍ୟମ କରିବା ଉଚିତ । ହାୟ ହାୟ, ତାଙ୍କର ବିଜ୍ଞାନ ତାଙ୍କୁ ହେଲେ ଏତେଟିକିଏ ସାହାଯ୍ୟ କରିଥାନ୍ତା ! ମଣିଷ ତା’ର ଭାଗ୍ୟକୁ ଏଡ଼ିଦେଇ କୁଆଡ଼େ ଯାଇ ପାରିବନାହିଁ । ଯେପରି ହେଲେ ତାଙ୍କୁ ତାହାର କର୍ମର ଫଳ ଅବଶ୍ୟ ଭୋଗିବାକୁ ପଡ଼ିବ–ତାହା ଏହି ଜନ୍ମର କର୍ମ ହୋଇଥାଉ ବା ପୂର୍ବଜନ୍ମର କର୍ମ ହୋଇଥାଉ ।

 

ହଠାତ୍‍ ମୋର ମନେହେଲା, ସତେ ଯେପରି ବାଜଶ୍ରବା ତାଙ୍କର ଶୁନ୍ୟ ଚକ୍ଷୁକୋଟର ଭିତରୁ ମୋ’ଆଡ଼କୁ ଲକ୍ଷ୍ୟ କରି ବଡ଼ ଗମ୍ଭୀର ଭାବରେ ଇସାରା କରୁଚନ୍ତି, ତାଙ୍କର ଦରମେଲା ପାଟିଟା ଯେପରି ମୋ’ ଉଦ୍ଦେଶ୍ୟରେ ଚିତ୍କାର କରି କହୁଚି–‘‘କାମନୀତ, କାମନୀତ, ମୋ’ଆଡ଼କୁ ସ୍ଥିରହୋଇ ଅନାଇ ଦେଖ, ଏହି ଦୃଷ୍ଟିକୁ ଭଲ କରି ନିରୀକ୍ଷଣ କର ! ବତ୍ସ, ତୁ ମଧ୍ୟ ଦସ୍ୟୁଗ୍ରହର ବେଳାରେ ଜନ୍ମଲାଭ କରିଚୁ, ତୁ ମଧ୍ୟ ଦିନେ କାଳୀଙ୍କର ସେବା କରିବୁ, ଠିକ୍‍ ମୋ’ରି ପରି ତୋତେ ମଧ୍ୟ ଏକଦା କୌଣସି ସ୍ଥାନରେ ଏହିପରି ଦଶା ଭୋଗିବାକୁ ପଡ଼ିବ !’’

 

ଯେତେ କଳ୍ପନାପ୍ରସୂତ ହେଲେ ମଧ୍ୟ ତଥାପି ମନେହେଉଥିଲା, ଯେପରି ମୁଁ ପ୍ରକୃତରେ ଆପଣା ଆଖିରେ ଏସବୁ ଦେଖୁଚି ଓ ଆପଣା କାନରେ ଏସବୁ ଶୁଣୁଚି । ତଥାପି ଏହାଦ୍ୱାରା ମୋର ମନଭିତରେ କୌଣସି ପ୍ରକାର ଭୀତି ବା ଆତଙ୍କ ଜାତ ହେଲାନାହିଁ । ମୁଁ ଦସ୍ୟୁଗ୍ରହର ବେଳାରେ ଜନ୍ମଲାଭ କରିଚି ଏବଂ ତେଣୁ ଦିନେ-ନା-ଦିନେ ଦସ୍ୟୁବୃତ୍ତି ଅବଲମ୍ବନ କରିବା ମୋ’ଭାଗ୍ୟରେ ଲେଖାହୋଇ ରହିଚି ଆଗେ ଏପରି ଏକ ଭାବନାରେ ମୁଁ ଆଦୌ କୌଣସି ଗୁରୁତ୍ୱ ଦେଉନଥିଲି । କିନ୍ତୁ ଆଜି ହଠାତ୍‍ ଯେପରି ମୋ’ ଜୀବନରେ ତାହାର ଗୁରୁତ୍ୱ ଅତ୍ୟନ୍ତ ବଢ଼ିଯିବାକୁ ଲାଗିଲା ଏବଂ ଅଧିକନ୍ତୁ ଦୂରରେ ଠିଆହୋଇ ଯେପରି ଏହି ଜୀବନ ମୋତେ ପ୍ରଲୁବ୍ଧ ଓ ଆକର୍ଷିତ କରିବାକୁ ଲାଗିଲା ।
 

 

ମୁଁ ଦସ୍ୟୁଦଳର ସର୍ଦ୍ଦାର ହେବି–ମୋ’ର ଜୀବନରେ ଏହାଠାରୁ ବଳି ଅଧିକ ଉଚ୍ଚାକାଂକ୍ଷା ଆଉ କଅଣ ହୋଇପାରେ ? ପିଲାଟି ଦିନରୁ ମୁଁ କେତେ ପ୍ରକାର ବିଦ୍ୟା ଓ କଳାକୁଶଳତା ଶିଖିଚି, ମୋର ସମ୍ମାନନୀୟ ବାଜଶ୍ରବା ମଧ୍ୟ ମୋତେ ଆହୁରି କେତେକେତେ ବିଦ୍ୟା ଶିଖାଇ ଦେଇଚନ୍ତି । ତେଣୁ ଯେକୌଣସି ଦଳର ଦଳପତି ହେବାଲାଗି ଯେ ମୋ’ଠାରେ ସମସ୍ତ ଯୋଗ୍ୟତା ପୂର୍ଣ୍ଣ ହୋଇ ରହିଥିଲା, କ୍ଷଣକପାଇଁ ମଧ୍ୟ ମୁଁ ଏ ବିଷୟରେ କେବେ ସଂଶୟ ପ୍ରକାଶ କରିନଥିଲି । ଏବଂ କୌଣସି ଦସ୍ୟୁଦଳର ଦଳପତି ହେବା ଅପେକ୍ଷା ଆଉ କେଉଁଦଳର ଦଳପତି ହେଲେ ଜୀବନରେ ଅଧିକ ସାର୍ଥକତା ମିଳିପାରିବ ? ଦସ୍ୟୁଦଳର ଦଳପତି ଆଗରେ ରାଜାର ରାଜାଗରି ମଧ୍ୟ ହାର ମାନିଯିବ । ଏହି ଜୀବନମାର୍ଗକୁ ଅବଲମ୍ବନ କରିପାରିଲେ ସମ୍ଭବତଃ ମୁଁ ଦିନେ ଶତଗୀରଉପରେ ଉପଯୁକ୍ତ ପ୍ରତିଶୋଧ ନେଇପାରିବି ! ସମ୍ଭବତଃ ଏହି ଉପାୟରେ ହିଁ ଦିନେ ମୋର ପ୍ରାଣପିୟତମା ପୁଣି ମୋର ଅଙ୍କକୁ ଲେଉଟି ଆସିପାରିବ । ଗହନ ଅରଣ୍ୟଭିତରେ ମୁଁ ଶତଗୀର ସହିତ ସଂଗ୍ରାମରେ ପ୍ରବୃତ୍ତ ରହିଚି, ଏକ ତୀକ୍ଷ୍‍ଣ ତରବାରି ଦେଇ ମୁଁ ତାର ମସ୍ତକକୁ ଶରୀରରୁ ଛିନ୍ନ କରି ତଳେ ପକାଇ ଦେଉଚି, ଏକ ଜଳନ୍ତା ରାଜପ୍ରସାଦରୁ ମୁଁ ସଂଜ୍ଞାହୀନ ବଶିଷ୍ଠୀକୁ ଉଦ୍ଦାର କରି ନେଉଚି, ରାଜପ୍ରାସାଦର ଚାରିଆଡ଼ୁ ଦସ୍ୟୁମାନଙ୍କର ଉଲ୍ଲାସ ଚିତ୍କାର ଶୁଣାଯାଉଚି, ମୋର କଳ୍ପନାର ଚକ୍ଷୁ ସମ୍ମୁଖରେ ମୁଁ ଏହି ସବୁ ଦୃଶ୍ୟ ଦେଖିବାକୁ ଲାଗିଲି ।

 

ସେଦିନର ସେହି ଦୁଃଖପୂର୍ଣ୍ଣ ମୁହୂର୍ତ୍ତପରେ ଆଜି ପ୍ରଥମଥର ପାଇଁ ମୋର ହୃଦୟ ଏକ ସାହସ ଓ ଆଶାମୟ ଭବିଷ୍ୟତର ସମ୍ଭାବନାରେ ଉଦ୍‍ବେଳିତ ହୋଇଉଠିଲା । ଆଜି ଅନେକଦିନ ପରେ ମନରୁ ସମସ୍ତପ୍ରକାର ମୃତ୍ୟୁଚିନ୍ତା ଦୂର ହୋଇଗଲା ।

 

ଏହିପରି ନାନା ଚିତ୍ରରେ ମନଃପଟକୁ ପୂର୍ଣ୍ଣ କରି ମୁଁ ପ୍ରାୟ ହଜାର ପହଣ୍ଡ ଆଗକୁ ଆସିଚି, ହଠାତ୍ ଆଉ ଗୋଟିଏ ଶକଟବାହିନୀ ଦେଖିବାକୁ ପାଇଲି । ଶକଟବାହିନୀଟି ଠିକ୍‍ ସେହି ସମୟରେ ସେଠାରେ ପହଞ୍ଚି ବିଶ୍ରାମ ନେଇଥିଲା ଏବଂ ବାହିନୀପତି ମାର୍ଗର ଅନତିଦୂରରେ ଥିବା ଏକ ମୁଣ୍ଡିଆ ଉପରେ କାହା ଉଦ୍ଦେଶ୍ୟରେ ଗୋଟିଏ ବଳି ଦେବାରେ ବ୍ୟସ୍ତ ଥିଲେ ।

 

ମୁଁ ତାଙ୍କ ପାଖକୁ ଗଲି ଓ ସମ୍ଭ୍ରମ ପ୍ରଣାମ କରି ସେ କେଉଁ ଦେବତାଙ୍କ ଉଦ୍ଦେଶ୍ୟରେ ବଳି ଦେଉଚନ୍ତି ବୋଲି ପ୍ରଶ୍ନ କଲି ।

 

ଏହି ସମାଧି ଭିତରେ ପୁଣ୍ୟନାମ ବାଜଶ୍ରବାଙ୍କର ଦେହାବଶେଷ ବିଶ୍ରାମ କରୁଚି । ତାଙ୍କରି କୃପାରୁ ହିଁ ଆଜି ମୁଁ ଏକ ଘୋର ବିପଦପୂର୍ଣ୍ଣ ଅଞ୍ଚଳ ମଧ୍ୟଦେଇ ନିରାପଦରେ ଯାତ୍ରାକରି ଘରକୁ ଫେରିଆସି ପାରିଚି, ବାଟରେ ମୋର ବାଣିଜ୍ୟପଣ୍ୟ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୋଇନାହିଁ । ତୁମକୁ ମଧ୍ୟ ମୁଁ ଏଠାରେ ଏକ ଉପଯୁକ୍ତ ବଳି ଦେଇଯିବାର ପରାମର୍ଶ ଦେବି । ତୁମେ ଏଥିରେ ଆଦୌ ହେଳା କରନାହିଁ । ଅବଶ୍ୟ ତୁମ ସହିତ ଶତଶତ ପ୍ରହରୀ ରହିଥିବେ, ଅରଣ୍ୟପଥ ଅତିକ୍ରମ କଲାବେଳେ ସେମାନେ ନିଶ୍ଚୟ ତୁମକୁ ନିରାପଦରେ ପାର କରାଇଦେବାକୁ ଚେଷ୍ଟା କରିବେ । ତଥାପି ଏହି ବୀରପୁରୁଷଙ୍କର ଆତ୍ମା ପରି ଆଉ କେହି ତୁମକୁ ଦସ୍ୟୁକବଳରୁ ଏତେ ସଫଳ ଭାବରେ ରକ୍ଷାକରି ପାରିବେନାହିଁ ।

 

ତାଙ୍କର ଭ୍ରମ ବୁଝିପାରି ମୁଁ ଈଷତ୍‍ ହସି କହିଲି : –

 

ଭଦ୍ର ! ଏହି ସମାଧିଟିକୁ ଦେଖି ମୋର ଏହା ଅତି ଅଳ୍ପଦିନର ବୋଲି ମନେହେଉଚି । ଯଦି ଏହା ଭିତରେ ପ୍ରକୃତରେ କୌଣସି ବାଜଶ୍ରବାଙ୍କର ଦେହାବଶେଷ ସମାଧିସ୍ଥ ହୋଇ ରହିଥାଏ, ତେବେ ସେହି ବାଜଶ୍ରବା କୌଣସି ମହାପୁରୁଷ ନୁହନ୍ତି, କିନ୍ତୁ ଏହି ନାମର ଜଣେ ଦସ୍ୟୁ ।

 

ବଣିକ ଶାନ୍ତଭାବରେ ମୋ ଆଡ଼କୁ ଦୃଷ୍ଟିପାତ କରିବାକୁ ଲାଗିଲେ ।

 

ନିଶ୍ଚୟ । ତୁମର ଅନୁମାନ ବିଲକୁଲ୍ ଠିକ୍‍ । ଠିକ୍ ଏହି ସ୍ଥାନରେ ଯେଉଁଦିନ ତାଙ୍କୁ ଶୂଳୀ ଦିଆଗଲା, ସେଦିନ ମୁଁ ନିଜେ ଦେଖିଚି । ଏବଂ ତାଙ୍କର ମସ୍ତକ ମଧ୍ୟ ଏପର୍ଯ୍ୟନ୍ତ ନଗରର ତୋରଣଦ୍ୱାରରେ ଝୁଲୁଚି । କିନ୍ତୁ ରାଜାଙ୍କର ଆଦେଶକ୍ରମେ ଏହିସବୁ କଠୋର ଶାସ୍ତି ଭୋଗ କରିବାପରେ ତାଙ୍କର ସକଳ ପାପରୁ ମୁକ୍ତ ହୋଇ ସେ ନିଶ୍ଚୟ ସ୍ୱର୍ଗପୁରକୁ ପ୍ରସ୍ଥାନ କରିଚନ୍ତି ଏବଂ ତାଙ୍କର ଆତ୍ମା ପଥିକମାନଙ୍କୁ ଦସ୍ୟୁକବଳରୁ ବଞ୍ଚାଇ ରଖୁଚି । ଅଧିକନ୍ତୁ ଲୋକମାନେ କହନ୍ତି ଯେ ଦସ୍ୟୁଜୀବନ ଯାପନ କରୁଥିବା ସମୟରେ ମଧ୍ୟ ଜଣେ ବଡ଼ ପଣ୍ଡିତ ଓ ବିଜ୍ଞ ବ୍ୟକ୍ତି ଥିଲେ, ମୁନିଋଷିଙ୍କର ସମକକ୍ଷ ଥିଲେ । ବେଦର ଗୁହ୍ୟାଂଶଗୁଡ଼ିକର ତତ୍ତ୍ୱ ଓ ଅର୍ଥ ଜାଣିବାରେ ସେ ଅତ୍ୟନ୍ତ ପାରଙ୍ଗମ ଥିଲେ ବୋଲି ମଧ୍ୟ ଲୋକମୁଖରେ ଶୁଣାଯାଏ ।

 

ମୁଁ ଉତ୍ତର ଦେଇ କହିଲି–ହଁ, ତୁମେ ଯାହାସବୁ ଶୁଣିଚ, ତାହା ପ୍ରକୃତରେ ସତ । କାରଣ ବାଜଶ୍ରବାଙ୍କ ସହିତ ମୋର ଘନିଷ୍ଠ ପରିଚୟ ଥିଲା, ଏପରିକି ଆପଣାକୁ ମୁଁ ତାଙ୍କର ଜଣେ ବନ୍ଧୁ ବୋଲି କହିଲେ ଆଦୌ ଭୁଲ ହେବନାହିଁ ।

 

ମୋର କଥା ଶୁଣିବା ମାତ୍ରକେ ବଣିକ ଟିକିଏ ଭୟ ପାଇଲାପରି ମୋ’ଆଡ଼କୁ ଅନାଇଲେ । ଏହା ଲକ୍ଷ୍ୟ କରିପାରି ମୁଁ ପୁଣି କହିଲି-ବାଜଶ୍ରବା ଯେଉଁ ଦସ୍ୟୁଦଳର ଅନ୍ତର୍ଭୁକ୍ତ ଥିଲେ, ମୁଁ ଥରେ ସେହିଦଳ ହାତରେ ବନ୍ଦୀ ହୋଇ ରହିଥିଲି ଓ ସେହି ସମୟରେ ବାଜଶ୍ରବା ଦୁଇଥର ମୋର ଜୀବନ ରକ୍ଷା କରିଥିଲେ ।

 

ବଣିକଙ୍କର ମନରୁ ଭୟ ବିଦୂରିତ ହେଲା ଏବଂ ସେ ଏକ ବିସ୍ମିତ ବିଦ୍ୱେଷର ଆବେଶ ଭିତରେ ନିମଗ୍ନ ହୋଇ ରହିଲେ ।

 

ତେବେ ତୁମକୁ ଆପଣାକୁ ଅତ୍ୟନ୍ତ ଭାଗ୍ୟବାନ୍‍ ବୋଲି କହିବାକୁ ହେବ ! ଯଦି ମୁଁ ତୁମପରି କେବେ ବାଜଶ୍ରବାଙ୍କର କୃପାକଟାକ୍ଷର ପାତ୍ର ହୋଇଥିାନ୍ତି, ତେବେ ମାତ୍ର କେତେଟା ବର୍ଷ ମଧ୍ୟରେ ମୁଁ କୌସାମ୍ବି ନଗରରେ ସବୁଠାରୁ ବଡ଼ ଧନୀ ହୋଇଯାଇଥାନ୍ତି । ତୁମେ ପ୍ରକୃତରେ ମୋର ସର୍ବତଃ ଶ୍ଳାର୍ଘ, ମୁଁ ତୁମ ଯାତ୍ରାର ସଫଳତା କାମନା କରୁଚି ।

 

ଏତିକି କହି ସେ ଆପଣାର ଶକଟବାହିନୀକୁ ଅଗ୍ରସର କରାଇଲେ ।

 

ମୋର ପ୍ରଖ୍ୟାତ ସଖାଙ୍କର ସମାଧି ସ୍ଥାନରେ ଗୋଟିଏ ବଳି ଅର୍ପଣ କରିବାରେ ଅବଶ୍ୟ ମୁଁ କୌଣସି ପ୍ରକାରେ ଅବହେଳା କରିନଥିଲି । କିନ୍ତୁ ତାଙ୍କୁ ମୁଁ ଏ କିଭଳି ବର ମାଗିଲି ? ମୁଁ ମୋ ମନର ମନାସ ଜଣାଇ ତାଙ୍କୁ ପ୍ରାର୍ଥନା କଲି ଯେ ଯେପରି ସେ ଆମକୁ ସବୁଠାରୁ ପ୍ରଖ୍ୟାତ ଏକ ଦସ୍ୟୁଦଳର ହାବୁଡ଼ରେ ନେଇ ପକାଇଦିଅନ୍ତି, ଯେପରି ତାଙ୍କରିଠାରୁ ବରପାଇ ମୁଁ ସେହି ଦଳରେ ଯୋଗଦିଏ ଏବଂ ଅଳ୍ପଦିନ ପରେ ସେହି ଦଳର ଦଳପତିତ୍ୱ ଯେପରି ଆପଣାଛାଏଁ ଆସି ମୋର ହାତରେ ସମର୍ପଣ କରାଯାଏ ।

 

କିନ୍ତୁ ମୁଁ ଏକ ଦସ୍ୟୁନକ୍ଷତ୍ରର ବେଳାରେ ଜନ୍ମଗ୍ରହଣ କରିଚି, ଏପରି ଅନୁମାନ କରି ମୋର ବିଜ୍ଞ ଓ ମହାନ୍ ବନ୍ଧୁ ବାଜଶ୍ରବା ଯେ ଭାରି ଭୁଲ ଅନୁମାନ କରିଥିଲେ, ଅତିଶୀଘ୍ର ମୋତେ ଏହାର ସୂଚନା ମିଳିଯାଇଥିଲା । କାରଣ ଉଜ୍ଜୟିନୀରେ ଯାଇ ପହଞ୍ଚିବା ପର୍ଯ୍ୟନ୍ତ ମାର୍ଗରେ କୌଣସି ଦସ୍ୟୁର ହାବୁଡ଼ରେ ପଡ଼ି ନଥିଲୁ । ଯେଉଁ ବଣିକଙ୍କର ଶକଟବାହିନୀ ସହିତ ଆମର ଠିକ୍‍ ଉଜ୍ଜୟିନୀର ନଗରପ୍ରାଚୀର ବାହାରେ ସାକ୍ଷାତ ହୋଇଥିଲା, ଅବନ୍ତୀରାଜ୍ୟର ସୀମାଞ୍ଚଳରେ ଅବସ୍ଥିତ ଏକ ଅରଣ୍ୟ ଭିତରେ ସେହି ବଣିକ ଦସ୍ୟୁମାନଙ୍କର କବଳରେ ପଡ଼ିଥିଲେ; ଅଥଚ ତାହାର ମାତ୍ର ଏକ ସପ୍ତାହ ପୂର୍ବରୁ ଆମେ ଠିକ୍ ସେହି ଅରଣ୍ୟ ମଧ୍ୟ ଦେଇ ନିରାପଦରେ ଯାତ୍ରା କରି ଆସିଥିଲୁ ।

 

ମୋର ହୃଦୟର ସମସ୍ତ ବାସନା ସହିତ ମୁଁ ଦସ୍ୟୁର ଜୀବନ ଯାପନ କରିବାକୁ ଚାହୁଥିଲି, କିନ୍ତୁ ମୋ’ ଭାଗ୍ୟରେ ତାହା ନଘଟି ଉଜ୍ଜୟିନୀର ନାଗରିକ ସମାଜରେ ମୋତେ ଏକ ସାଧାରଣ ଜୀବନ ଅତିବାହିତ କରିବାକୁ ପଡ଼ିଲା, ଏହି କଥା ଭାବିଭାବି ମୁଁ ଅଧିକରୁ ଅଧିକ ବିସ୍ମିତ ହେବାକୁ ଲାଗିଲି । ହୃଦୟଯନ୍ତ୍ରରୁ ବାହାରିଥିବା ଶତାଧିକ ନାଡ଼ି ଭିତରୁ କେବଳ ଗୋଟିଏ ନାଡ଼ି ଉର୍ଦ୍ଧ୍ୱମୁଖ ହୋଇ ମସ୍ତିଷ୍କ ପର୍ଯ୍ୟନ୍ତ ଯାଇଚି, ମୃତ୍ୟୁ ସମୟରେ ଏହି ନାଡ଼ି ଦେଇ ହିଁ ଆତ୍ମା ଶରୀର ଛାଡ଼ି ବାହାରିଯାଏ । ଠିକ୍ ସେହିପରି ମନ୍ଦିର ପଥର ଗୋଟିଏ ପାହାଚ ହୁଏତ କାଳୀଙ୍କର ମନ୍ଦିର ଅଭିମୁଖରେ ପଡ଼ିଚି । ତେବେ ମୁଁ ଦସ୍ୟୁର ଜୀବନ ଗ୍ରହଣ କରେ ବା ନକରେ, ଆଜିଠାରୁ ମୋତେ ତୀର୍ଥଯାତ୍ରାର ପଥରେ ପଥିକ ହୋଇ ବାହାରିବାକୁ ପଡ଼ିବ ଏବଂ ମୋର ମୋକ୍ଷର ସନ୍ଧାନ କରିବାକୁ ପଡ଼ିବ । ମୋକ୍ଷ ପ୍ରାପ୍ତ ହେବାମାତ୍ରକେ ମଣିଷ ଆପଣାର ସତକର୍ମ ତଥା ଅକର୍ମ ଉଭୟର ବନ୍ଧନରୁ ମୁକ୍ତ ହୋଇଯିବ, ଜ୍ଞାନର ଉଦୟ ହୋଇ ତାହାର ସମସ୍ତ କର୍ମ କ୍ଷୟ ହୋଇଯିବ ।

 

ଏହିପରି ବଡ଼ ଗମ୍ଭୀର ଭାବରେ ଆପଣାର କଥାଗୁଡ଼ିକ ଶେଷ କରି କାମନୀତ ନୀରବ ହୋଇ ରହିଲେ ଏବଂ ଭାବମୟ ନୟନରେ ପୂର୍ଣ୍ଣିମାକାଶର ଚନ୍ଦ୍ରମା ଉପରେ ଦୃଷ୍ଟି ନିବଦ୍ଧ କଲେ । ସେତେବେଳକୁ ଚନ୍ଦ୍ର ଦୂର ଅରଣ୍ୟର ଦାଢ଼ ପାର ହୋଇ ଆକାଶ ଭିତରକୁ ଉଠି ଆସୁଥାଏ । ଏହି ଅରଣ୍ୟ ହେଉଚି ଦସ୍ୟୁମାନଙ୍କର ନିବାସ । କୁମ୍ଭକାରର ଘରଭିତରକୁ ଉଜ୍ଜ୍ୱଳକରି ଚନ୍ଦ୍ରକିରଣ ବିଞ୍ଚିହୋଇ ପଡ଼ୁଥାଏ ଏବଂ ବୁଦ୍ଧଙ୍କର ପୀତବର୍ଣ୍ଣ ଅଙ୍ଗବସ୍ତ୍ରକୁ ସ୍ୱର୍ଣ୍ଣବର୍ଣ୍ଣ କରି ଦେଉଥାଏ । ସୁବର୍ଣ୍ଣବର୍ଣ୍ଣ ବସନ ପରିଧାନ କରି ସତେଅବା କୌଣସି ଦେବତା ସେଠାରେ ବସିଥିବାପରି ବୋଧ ହେଉଥାଏ-

 

କାମନୀତ ବୁଦ୍ଧଙ୍କ ଆଡ଼କୁ ଏକ ଆଖିରେ ଅନାଇ ରହିଥାନ୍ତି । ଏହି ସମୟରେ ଭଗବାନ ବୁଦ୍ଧ ମୁଣ୍ଡ ହଲାଇ କହିଲେ : –

 

ହେ ଯାତ୍ରୀ, ତଥାପି ମୁଁ ଯାହା ଅନୁମାନ କରିପାରୁଚି, ତୁମେ ତାପରେ ସନ୍ନ୍ୟାସୀ ନହୋଇ ଗୃହୀ ହୋଇ ହିଁ ରହିଲ, ଅବଶ୍ୟ ସନ୍ନ୍ୟାସପଥ ଅତି ସ୍ପଷ୍ଟଭାବରେ ତୁମ ଆଗରେ ଉନ୍ମୃକ୍ତ ହୋଇ ରହିଥିଲା ।

 

ମହାଭାଗ, ପ୍ରକୃତରେ ତାହାହିଁ ଘଟିଥିଲା । ସନ୍ନ୍ୟାସପଥ ଉନ୍ମୃକ୍ତ ଥିଲେ ମଧ୍ୟ ମୁଁ ତଥାପି ଗୃହଧର୍ମ ଗ୍ରହଣ କରିଥିଲି ।

 

ତାପରେ ପୁଣି ଏକ ଦୀର୍ଘନିଶ୍ୱାସ ପକାଇ ଯାତ୍ରୀ ଟିକିଏ ଉତ୍ସାହିତ ହେବାପରି ପୁଣି ନିମ୍ନଲିଖିତ ପ୍ରକାରେ ଆପଣାର କାହାଣୀ କହିବାକୁ ଆରମ୍ଭ କଲା ।

Image

 

୧୩

ଉଜ୍ଜୟିନୀର ଆମୋଦ

 

ତାପରେ ପିତାମାତାଙ୍କ ସହିତ ମୁଁ ଉଜ୍ଜୟିନୀରେ ବାସକଲି ।

 

ହେ ପାନ୍ଥ, ଉଜ୍ଜୟିନୀ ନଗର ହେଉଚି ମୋର ଜନ୍ମସ୍ଥାନ । ଏହି ନଗରଟି ସମଗ୍ର ଭାରତବର୍ଷରେ ଆପଣାର ଚିରାନନ୍ଦପୂର୍ଣ୍ଣ ପୌରଜୀବନ ଲାଗି ଯେପରି ପ୍ରସିଦ୍ଧ, ଏହି ନଗର ଭିତରେ ଥିବା ସୁଦୃଶ୍ୟ ରାଜପ୍ରସାଦ ଓ ବିରାଟ ମନ୍ଦିରଗୁଡ଼ିକ ସକାଶେ ମଧ୍ୟ ସେହିପରି ପ୍ରସିଦ୍ଧ । ଦିବାକାଳରେ ଏହାର ପ୍ରଶସ୍ତ ପଥମାନ ଅଶ୍ୱ ଓ ହସ୍ତୀମାନଙ୍କର ହ୍ରେଷା ଓ ବୃଂହିତର କୋଳାହଳମୟ ହୋଇ ରହିଥାଏ, ନିଶିଥ ସମୟରେ ମଧୁର ବଂଶୀସ୍ୱନ ଓ ସୁରାପାନମତ୍ତ ଲୋକମାନଙ୍କର ସଙ୍ଗୀତରେ ସମସ୍ତ ନଗର ଉଛୁଳି ଉଠୁଥାଏ ।

 

କିନ୍ତୁ ବିଶେଷ ଭାବରେ ଉଜ୍ଜୟିନୀର ବାରନାରୀମାନଙ୍କ ଚତୁର୍ଦ୍ଦିଗରେ ଏକ ଅସାଧାରଣ ନାମଖ୍ୟାତି ରହିଚି । ଏମାନଙ୍କ ଭିତରୁ ଯେଉଁ ରମଣୀମାନେ ରାଜପ୍ରସାଦମାନଙ୍କରେ ବାସ କରନ୍ତି, ଦେବତାମାନଙ୍କ ମାନମରେ ଦେବାଳୟ ଓ ନଗରବାସୀମାନଙ୍କ ପାଇଁ ପ୍ରମୋଦଉଦ୍ୟାନମାନ ଉତ୍ସର୍ଗ କରନ୍ତି ଏବଂ ଯେଉଁମାନଙ୍କର ଘରକୁ କବି, କଳାକାର, ଅଭିନେତା, ବିଶିଷ୍ଟ ବିଦେଶୀ ଓ ଏପରିକି ରାଜକୁମାରମାନେ ମଧ୍ୟ ଅତିଥି ହୋଇ ଆସନ୍ତି, ସେମାନଙ୍କଠାରୁ ଆରମ୍ଭ କରି ନଗର ମାର୍ଗରେ ପ୍ରଣୟ ବ୍ୟାପାର କରୁଥିବା ବେଶ୍ୟାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଅପୂର୍ବ ଦେହସୌନ୍ଦର୍ଯ୍ୟ ରହିଚି ଏବଂ ସେମାନଙ୍କର ଚାଲିକୁ ପ୍ରକୃତରେ ଭାଷା ଦେଇ ବର୍ଣ୍ଣନା କରାଯାଇ ପାରିବନାହିଁ । ଉତ୍ସବ, ଶୋଭାଯାତ୍ରା ବା ଅଭିନୟ ପ୍ରଭୃତି ସମୟରେ ପୁଷ୍ପବିଭୂଷିତ ନଗର ମାର୍ଗରେ ଏହି ରମଣୀମାନେ ହିଁ ଶୋଭା ବଢ଼ାଇଦିଅନ୍ତି । ଦେହରେ ଉଜ୍ଜ୍ୱଳ ରକ୍ତବର୍ଣ୍ଣର ଶାଢ଼ୀ, ହାତରେ ସୁରଭିତ ପୁଷ୍ପହାର, ଦେହସାରା ଚନ୍ଦନର ସୁଗନ୍ଧ ନାନା ହୀରକ ଓ ଅଳଙ୍କାରରେ ବିଭୂଷିତ ହୋଇ ସେମାନେ ଆପଣା ଆପଣାର ଗୃହଦ୍ୱାରରେ ଏକ ଅନିନ୍ଦ୍ୟସୁନ୍ଦର ଠାଣିରେ ବସି ରହିଥାନ୍ତି, ଅଥବା ନଗରମାର୍ଗରେ ବିଚରଣ କରି ନୟନର ଚାହାଣି ହାଣି କେତେପ୍ରକାର ଅଙ୍ଗଭଙ୍ଗୀ ଓ ରହସ୍ୟକଥା ସାହାଯ୍ୟରେ ରସଲିପ୍‍ସୁ ରସିକମାନଙ୍କର କାମଅଗ୍ନିକୁ ପ୍ରଜ୍ଜ୍ୱଳିତ କରିବାରେ ଲାଗିଥାନ୍ତି । ନିଜେ ରାଜା ମଧ୍ୟ ସେମାନଙ୍କୁ କେତେ ସମ୍ମାନ ଦେଖାନ୍ତି, ପୁରବାସୀମାନେ ସେମାନଙ୍କର ସ୍ତୁତି କରୁଥାନ୍ତି ଓ କବିମାନେ ସେମାନଙ୍କର ପ୍ରଶସ୍ତି ଗାନ କରନ୍ତି । ଏହି ରମଣୀମାନଙ୍କୁ ସାଧାରଣତଃ ପର୍ବତ ବନ୍ଧୁର ଉଜ୍ଜୟିନୀର ବିଚିତ୍ରବରନ ପୁଷ୍ପକେଶର ବୋଲି ଅଭିହିତ କରାଯାଏ ଏବଂ ପ୍ରତିବେଶୀ ନଗରଗୁଡ଼ିକର ଅଧିବାସୀମାନେ ଆମର ଏହି ସୌଭାଗ୍ୟରେ ଭାରି ବିଦ୍ୱେଷ ପ୍ରଦର୍ଶନ କରିଥାନ୍ତି ।

 

ଏହି ରମଣୀମାନେ ବର୍ତ୍ତମାନ ଅତି ବିଭବପୂର୍ଣ୍ଣ ଭାବରେ ଭୋଗର ପାନପାତ୍ରକୁ ମୋର ମୁଖକୁ ବଢ଼ାଇଦେଲେ ଏବଂ ମୋର ସବୁ ଦୁଃଖ ଭୁଲାଇନେଲେ । ମୋତେ ତ ସବୁପ୍ରକାର ବିଦ୍ୟା ଓ କ୍ରୀଡ଼ାର ଚାରୁ କଳାକୌଶଳ ଜଣାଥିଲା, ତେଣୁ ନଗରର ପ୍ରସିଦ୍ଧ ପ୍ରସିଦ୍ଧ ବାରନାରୀଙ୍କ ବାସଭବନକୁ ଯିବାଲାଗି ମୋ’ ପାଖକୁ କେତେ ନିମନ୍ତ୍ରଣ ଆସିଲା । ସେମାନଙ୍କର ଭିତରୁ ଜଣେ ଏତେଦୂର ମୋ ପ୍ରତି ଆକୃଷ୍ଟ ହୋଇଥିଲା ଯେ ଥରେ କେବଳ ମୋହରିପାଇଁ ସେ କୌଣସି ଦେଶର ଜଣେ ଯୁବରାଜଙ୍କ ସହିତ କଳହ କରି ତାଙ୍କୁ ବର୍ଜନ କରିଥିଲା । ଏହି ରୂପସୀ ରମଣୀର ମୋ’ପ୍ରତି ଜାଗୃତ ହୋଇଥିବା ଅନୁକମ୍ପାକୁ କେବଳ ସୁବର୍ଣ୍ଣ ସହିତ ସମତୁଲ କରାଯାଇ ପାରିବ । ଠାରଭାଷାରେ ପୂର୍ବରୁ ଚରମ ନୈପୁଣ୍ୟ ଲାଭ କରିଥିବାରୁ ମୁଁ କ୍ରମେ ନଗରମାର୍ଗର ବେଶ୍ୟାମାନଙ୍କର ମଧ୍ୟ ବିଶ୍ୱାସଭାଜନ ହୋଇଯାଇଥିଲି । ଜୀବନର ପ୍ରଶସ୍ତ ଭୋଗମାର୍ଗ ଉପରେ ଏମାନଙ୍କର ସଂସର୍ଗ ଓ ସଙ୍ଗକୁ ମୁଁ କଦାପି ହୀନଚକ୍ଷୁରେ ଦେଖୁନଥିଲି, ସେମାନଙ୍କ ମଧ୍ୟରୁ କେତେକ ମୋଠାରେ ସତକୁସତ ଆପଣାର ହୃଦୟ ମଧ୍ୟ ସମର୍ପଣ କରି ଦେଇଥିଲେ ।

 

ଏହିପରି ଭାବରେ ମୁଁ ମୋର ଜନ୍ମ ନଗରୀରେ ସମ୍ଭୋଗର ଜନଘୂର୍ଣ୍ଣି ଭିତରେ ଆପଣାକୁ ସମ୍ପୂର୍ଣ୍ଣ ଭାବେ ହଜାଇ ଦେଇଥିଲି ଏବଂ ହେ ପ୍ରବାସୀ, ମୁଁ ତୁମକୁ ସେସବୁ କଥା କିପରି ବର୍ଣ୍ଣନା କରି କହିବି- ‘ଜୀବନକୁ ଉପଭୋଗ କରିବ ତ କାମନୀତ ପରି’- ସମଗ୍ର ଉଜ୍ଜୟିନୀରେ ଏହା ଏକ ଲୋକପ୍ରବାଦରେ ପରିଣତ ହେଲା ।

 

ହଁ, ଅପଥରେ ଗଲାବେଳେ ବା କୌଣସି କୁକର୍ମ ଭିତରେ ଲିପ୍ତ ରହିଥିବାବେଳେ ସମ୍ପୂର୍ଣ୍ଣଭାବେ ସେହିଥିରେ ମଜ୍ଜି ରହିବାଭଳି ଏପରି ସୁଯୋଗମାନ ଆସି ଉପସ୍ଥିତ ହୁଏ ଓ ମଣିଷର ମନକୁ ଭୁଲାଇନିଏ ଯେ ଏହିସବୁ ପ୍ରବୃତ୍ତି କେତେଦୂର ଭଲ ବା ମନ୍ଦ, ଏକଥା ନିର୍ଣ୍ଣୟ କରି ପାରିବା ସାଧାରଣ ସଂସାରୀ ମନୁଷ୍ୟ ପକ୍ଷରେ ଆଦୌ ସହଜ ହୁଏ ନାହିଁ ।

 

ବେଶ୍ୟାମାନଙ୍କ ସହିତ ବିଶ୍ୱସ୍ତତାର ସମ୍ବନ୍ଧଥିବାରୁ ଥରେ ମୋର ପ୍ରକୃତରେ ଭାରି ଉପକାର ହୋଇଥିଲା । ଥରେ ପିତାଙ୍କର ବାସଭବନରେ ଚୋର ପଶିଲେ ଏବଂ ତାହାଫଳରେ ତାଙ୍କୁ ମୂଲ କରିବାକୁ ଦିଆଯାଇଥିବା ଅନେକ ମଣିମୁକ୍ତା ଘରୁ ଚୋରି ହୋଇଗଲା । ଏହିସବୁକୁ ପୁଣିଥରେ କିଣି କ୍ଷତିର ପୂରଣ କରିବାକୁ ପିତାଙ୍କର ଆଦୌ ସାମର୍ଥ୍ୟ ନଥିଲା । ଏହି ଘଟଣା ଘଟିବାପରେ ମୋତେ ଚାରିଆଡ଼ ଅନ୍ଧାର ଦେଖାଗଲା ଆମେ ଯେ ଏଥର ସର୍ବସ୍ୱାନ୍ତ ହୋଇଯିବୁ, ଏଥିରେ ଆଉ କୌଣସି ସନ୍ଦେହ ରହିଲାନାହିଁ । ଅରଣ୍ୟରେ ଦସ୍ୟୁଦଳ ପାଖରେ ଥିବାବେଳେ ମୁଁ ଯେତେବେଳେ ବିଦ୍ୟା ଶିଖିଥିଲି, ବର୍ତ୍ତମାନ ସେ ସବୁକୁ କାର୍ଯ୍ୟରେ ଲଗାଇଲି, କିନ୍ତୁ ମୋର ସବୁ ପ୍ରୟାସ ବୃଥା ହୋଇଗଲା । ସିନ୍ଧିଗାତଗୁଡ଼ାକ ଯେପରି ଭାବରେ ଖୋଳାହୋଇଥିଲା, ସେଗୁଡ଼ାକୁ ପରୀକ୍ଷା କରି ଦେଖି କିପରି ଧରଣର ଦସ୍ୟୁ ଆମଘରେ ପଶି ଏ କାଣ୍ଡ କରିଚନ୍ତି, ଅବଶ୍ୟ ମୁଁ ସେହିକଥା କହି ପାରିଥିଲି । କିନ୍ତୁ ଏତେବଡ଼ ଗୋଟାଏ ସୁରାଖ ବତାଇଦେବା ସତ୍ତ୍ୱେ ମଧ୍ୟ ରାଜକୀୟ ପ୍ରହରୀମାନେ କିଛି କରି ପାରିଲେନାହିଁ । ନଗରର ବେଶ୍ୟାମାନେ ହୁଏତ ଉଜ୍ଜୟିନୀର ପ୍ରହରୀବାହିନୀ ଅପେକ୍ଷା ସମଧିକ କର୍ମକୁଶଳ ଥିଲେ ଓ ସେମାନଙ୍କ ମଧ୍ୟରେ ଭଲ ସଙ୍ଗଠନ ମଧ୍ୟ ରହିଥିଲା । ଥରେ ବିଭିନ୍ନ ପ୍ରକାରର ପ୍ରେମଜୀବନ ବିଷୟରେ ଏକ ଅତି ଚମତ୍କାର ଭାଷଣରେ ମୁଁ ଶୁଣିଥିଲି, ‘‘ରାତିରେ ପହରା ଦେଉଥିବାବେଳେ ପ୍ରହରୀମାନେ ଆପଣା ପ୍ରେମପ୍ରସଙ୍ଗର ଉଦ୍‍ଯୋଗମାନ କରୁଥାନ୍ତି ଏବଂ ସାଧାରଣତଃ ବାରନାରୀମାନଙ୍କ ସହିତ ସେମାନଙ୍କର ଏହିପରି ସମ୍ବନ୍ଧ ସ୍ଥାପିତ ହୋଇଥାଏ ।’’ ପ୍ରହରୀଦଳଙ୍କୁ ଫାନ୍ଦରେ ପକାଇବାକୁ ହେଲେ କିପରି ବେଶ୍ୟାମାନଙ୍କୁ ଚମତ୍କାର ଭାବେ କାମରେ ଲଗାଯାଇ ପାରିବ, ଥରେ ବାଜଶ୍ରବାଙ୍କଠାରୁ ମଧ୍ୟ ମୁଁ ଏହିପରି ଏକ ଭାଷଣ ଶୁଣିଥିଲି ଏବଂ ସେତେବେଳେ ଦସ୍ୟୁଦଳ ଭିତରେ ଅପେକ୍ଷା କରି ରହିଥିବାବେଳେ ମୁଁ ଏ ବିଷୟରେ ଭାରି ଗମ୍ଭୀର ଭାବରେ ଚିନ୍ତା କରିଥିଲି ।

 

ଆପଣା ମୁଣ୍ଡରେ ଗୋବର ଖର୍ଚ୍ଚକରି ନଗରରକ୍ଷୀଦଳ ଯେଉଁ ଫଳ ଫଳାଇ ପାରୁନଥିଲେ, ଉଜ୍ଜୟିନୀର ସୁନ୍ଦରୀ ପୁଷ୍ପବତୀମାନେ ମୋ’ହାତରେ ସେହି ଫଳଟି ଆଣିଦେଲେ । ଏହି ମହାବିପଦର ତ୍ରାସରେ ସଂତ୍ରସ୍ତ ଓ ବିମୂଢ଼ ହୋଇ ବସିଥିବାବେଳେ ସେମାନେ ଚୋରି କରିଥିବା ବ୍ୟକ୍ତିମାନଙ୍କୁ ଖୋଜି ଖୋଜି ବାହାର କଲେ ଏବଂ ସେହି ଲୋକମାନଙ୍କୁ ଆଉ ପାଖରେ ପୂରାଇବେ ନାହିଁ ବୋଲି ଭୟ ଦେଖାଇ ସେମାନେ ଚୋରି କରି ନେଇଥିବା ଯାବତୀୟ ଦ୍ରବ୍ୟ ଆଣି ଫେରାଇ ଦେବାଲାଗି ସେମାନଙ୍କୁ ବାଧ୍ୟ କରିଥିଲେ । ଏହି ଉପାୟରେ ଆମେ ଅଧିକାଂଶ ଅପହୃତ ଦ୍ରବ୍ୟଗୁଡ଼ିକୁ ପୁଣି ଫେରିପାଇଲୁ । ତଥାପି ଏହି ଘଟଣାଟି ମୋର ମନରେ ଏକ ଭୟର ସୃଷ୍ଟି କରିଥିଲା ଏବଂ ମୋ’ଉପରେ ତା’ର ଭଲ ଫଳ ମଧ୍ୟ ଫଳିଥିଲା ।

 

ଏହି ଘଟଣାଟି ମୋତେ ମୋର ବିନାଶମୁଖୀ ଜୀବନ ଭିତରୁ ଉଦ୍ଧାର କରି ନେଇଆସିଲା । ଏହି ଜୀବନରେ ଭୋଳ ହୋଇ ମୁଁ ମୋର ସମୟ ଓ ଯୌବନର କେବଳ ଅପଚୟ ହିଁ କରୁଥିଲି । ଏହି ଭ୍ରଷ୍ଟ ଜୀବନ ବର୍ତ୍ତମାନ ଏପରି ଏକ ସୀମାରେଖା ଉପରେ ଆସି ପହଞ୍ଚି ଯାଇଥିଲା ଯେ ହୁଏତ ଏଥର ମୁଁ ପାପର ଅବଲିପ୍ତତା ପାଖରେ ସମ୍ପୂର୍ଣ୍ଣ ଭାବରେ ବଶ୍ୟତା ସ୍ୱୀକାର କରିବାକୁ ବାଧ୍ୟ ହେବି ଅଥବା ଏଥିରେ ତଥାପି ଲିପ୍ତ ହୋଇ ରହିବାକୁ ଏଣିକି ମୋତେ ଚିକିଟା ଲାଗିବ । ଏହି ଶେଷ ଘଟଣାଟି ଘଟିବାପରେ ପାପମାର୍ଗରୁ ପ୍ରକୃତରେ ମୋର ମନ ଛାଡ଼ିଗଲା । ଏଥର ମୁଁ ଆପଣାର ଆଖିଆଗରେ ସର୍ବସ୍ୱାନ୍ତ ହେବାର ଭୀଷଣ ରୂପ ଦେଖିବାକୁ ପାଇଲି । ମୋର ଜୀବନ ମୋତେ କିଛିଦିନ ପରେ ଅତି ନିରସ୍ତ୍ର ଓ ନିରବଲମ୍ବନ ଭାବରେ ସେହି ଭୀଷଣ ଦୁର୍ଗତି ପାଖରେ ଆଣି ପହଞ୍ଚାଇ ଦେଇଥାନ୍ତା ଏବଂ ଶେଷରେ ମୋତେ ଏକାକୀ ବର୍ଜନ କରି ଚାଲିଯାଇଥାନ୍ତା । ସେଦିନ ବାଜଶ୍ରବାଙ୍କର ସମାଧିସ୍ଥାନରେ ସେହି ବଣିକବନ୍ଧୁ ମୋ’ଆଗରେ ଯେଉଁ ବାକ୍ୟ ଉଚ୍ଚାରଣ କରିଥିଲେ, ଆଜି ମୋର ସେହି ବାକ୍ୟଟି ମନେ ପଡ଼ିଗଲା, ଯଦି ମୁଁ ତୁମପରି ବାଜଶ୍ରବାଙ୍କର କୃପାଦୃଷ୍ଟିରେ ଆସିଥାନ୍ତି, ତେବେ ଅଳ୍ପ କେତେବର୍ଷ ଭିତରେ ମୁଁ କୌସାମ୍ୱି ନଗରର ସବୁଠାରୁ ଅଧିକ ଧନଶାଳୀ ବ୍ୟକ୍ତି ହୋଇପାରିଥାନ୍ତି । ମୁଁ ପ୍ରତିଜ୍ଞା କଲି, ମୋତେ ଉଜ୍ଜୟିନୀରେ ସବୁଠାରୁ ଅଧିକ ବଡ଼ ଧନବାନ ବ୍ୟକ୍ତି ହେବାକୁ ହିଁ ପଡ଼ିବ । ଏହି ଉଦ୍ଦେଶ୍ୟର ସାଧନ ଲାଗି ମୋର ସମସ୍ତ ଶକ୍ତିଦେଇ ମୁଁ ଶକଟବାହିନୀ ନେଇ ବ୍ୟାପାର କରିବାରେ ଲାଗିପଡ଼ିଲି ।

 

ଅଦୃଶ୍ୟରେ ରହି ମଧ୍ୟ ଯେ ମୋର ସଖା ଓ ମୋର ଗୁରୁ ବାଜଶ୍ରବା ମୋର ବାଣିଜ୍ୟବ୍ୟାପାରରେ ମୋତେ ସାହାଯ୍ୟ କରୁଥିଲେ, ହୁଏତ ମୁଁ ସେକଥା ଦୃଢ଼ହୋଇ କହି ପାରିବିନାହିଁ, କିନ୍ତୁ ମନେମନେ ମୁଁ ପ୍ରକୃତରେ ଏହି ବିଶ୍ୱାସ ହିଁ କରୁଥିଲି । କିନ୍ତୁ ଏକଥା ମୁଁ ନିଶ୍ଚୟ ସ୍ୱୀକାର କରିବି ଯେ ତାଙ୍କର ବାଣୀ ମୋ ଲାଗି ଏକ ସତତ ପ୍ରେରଣା ହୋଇ ରହିଥିଲା । ବିଭିନ୍ନ ପ୍ରକାର ଦସ୍ୟୁଦଳର ରୀତିନୀତି ଓ ନିୟମ ବିଷୟରେ ମୁଁ ତାଙ୍କଠାରୁ ଯାହାସବୁ ଶିକ୍ଷା କରିଥିଲି, ତାହାସବୁ ମୋତେ ବର୍ତ୍ତମାନ ଭାରି ସାହାଯ୍ୟ କଲା ଏବଂ ମୁଁ ଅଧିକ ନିଶ୍ଚିତ ଓ ନିରାପଦ ଭାବରେ ନୂଆନୂଆ ବ୍ୟବସାୟ ଆରମ୍ଭ କରି ପାରିଥିଲି । ଅନ୍ୟମାନେ ହୁଏତ ଏପରି ଦୁଃସାହସମାନ କରିବାକୁ ସାହସୀ ହୋଇନଥାନ୍ତେ ।

 

ଏହି ସମୟରେ ମୋର ବାଣିଜ୍ୟବାହିନୀ ନେଇ ମୁଁ ଏପରି ଏକ ନଗରୀରେ ଆସି ପହଞ୍ଚିଲି, ଯେଉଁଠାରେ ଆସି ପହଞ୍ଚିବା କି ଅନ୍ୟମାନଙ୍କ ପକ୍ଷରେ ଅସମ୍ଭବ ହୋଇଥାନ୍ତା । କାରଣ ଠିକ୍‍ ସେହି ସମୟରେ ସେହି ଅଞ୍ଚଳରେ ଦସ୍ୟୁଦଳ ଅତ୍ୟନ୍ତ ପ୍ରବଳ ହୋଇ ପଡ଼ିଥିଲେ । ଫଳରେ ନଗରବାସୀମାନେ ଅତ୍ୟନ୍ତ ଆଗ୍ରହ ଦେଖାଇ ମୋର ପଣ୍ୟଦ୍ରବ୍ୟମାନ କ୍ରୟ କରିବାକୁ ଆସିଥିଲେ ଏବଂ ମୁଁ ପ୍ରାୟ ଦଶଗୁଣ ଅଧିକ ମୂଲ୍ୟରେ ସେଗୁଡ଼ିକୁ ବିକ୍ରୟ କରି ପାରିଥିଲି । ଖାଲି ସେତିକି ନୁହେଁ, ଉଚ୍ଚ ତଥା ନିମ୍ନପଦସ୍ଥ କର୍ମଚାରୀମାନଙ୍କଠାରେ କି କି ଲକ୍ଷଣ ଦେଖି ସେମାନଙ୍କୁ ଲାଞ୍ଚ ଦେଇ ବଶ କରିବା ସମ୍ଭବ ବୋଲି ଜାଣିହେବ ଏବଂ କାହାକୁ କେତେ ପରିମାଣରେ ଅର୍ଥ ଦେଇ ସନ୍ତୁଷ୍ଟ କରିହେବ, ଏହିସବୁ କଥା ଆଗରୁ ଜାଣିଥିବାରୁ ବର୍ତ୍ତମାନ ମୋର ଭାରି ସୁବିଧା ହେଲା । ଏହିସବୁ କୌଶଳ ପ୍ରୟୋଗ କରି ମୁଁ ଏହି ଅଳ୍ପ କେତେବର୍ଷ ମଧ୍ୟରେ ଯେତିକି ଅର୍ଥ ଉପାର୍ଜନ କରିପାରିଲି, କେବଳ ସେତିକି ଅର୍ଥକୁ ମଧ୍ୟ ଏକ ଯଥେଷ୍ଟ ସମ୍ପତ୍ତି ବୋଲି କୁହାଯାଇ ପାରିବ ।

 

ଉଜ୍ଜୟିନୀରେ ଉପଲବ୍ଧ ହେଉଥିବା ସକଳ ସମ୍ଭୋଗସୁଖର ଆନନ୍ଦ ଆସ୍ୱାଦନ କରି ଏବଂ ଅତି ସଫଳ ବାଣିଜ୍ୟଯାତ୍ରାରେ ପ୍ରଭୂତ ଅର୍ଥ ଉପାର୍ଜନ କରି ଏହିପରି ବେଶ୍‍ କେତେବର୍ଷ ଅତିବାହିତ ହୋଇଗଲା । ଯାତ୍ରାକାଳରେ ମଧ୍ୟ ସମସ୍ତ ବିପଦ ଓ ବ୍ୟସ୍ତତା ସତ୍ତ୍ୱେ ଉପଭୋଗର କୌଣସି ଅଭାବ ନଥିଲା । ପ୍ରବାସରେ ବିଭିନ୍ନ ନଗରରେ ଅବସ୍ଥାନ କାଳରେ ମଧ୍ୟ ମୁଁ କୌଣସି-ନା-କୌଣସି ପୁରରମଣୀ ପାଖକୁ ଅବଶ୍ୟ ଯାଉଥିଲି, ଉଜ୍ଜୟିନୀରେ ଥିବା ମୋର ସଙ୍ଗିନୀମାନଙ୍କଠାରୁ ସେମାନଙ୍କ ପାଖକୁ ପରିଚୟପତ୍ର ମୋତେ ମିଳିଯାଉଥିଲା । ଏହା ଫଳରେ ଯେକୌଣସି ସହରରେ ମଧ୍ୟ ମୋତେ ମୋର ବାଣିଜ୍ୟକ୍ଷେତ୍ରରେ ଅତ୍ୟନ୍ତ ସହାୟତା ପାପ୍ତ ହେଉଥିଲା ।

 

ଦିନେ ପୂର୍ବାହ୍ନସମୟରେ ମୋର ପିତା ମୋର ଗୃହଭିତରେ ଆସି ପ୍ରବେଶ କଲେ । ସେତେବଳକୁ ମୁଁ ଲାଖରଙ୍ଗରେ ମୋର ଅଧର ରଞ୍ଜିତ କରିବାରେ ବ୍ୟସ୍ତ ଥାଏ ଏବଂ ସଙ୍ଗେ ସଙ୍ଗେ ମଧ୍ୟ ମୋର ଭୃତ୍ୟକୁ ନିର୍ଦ୍ଦେଶମାଦ ଦେଉଥାଏ । ଭୃତ୍ୟଟି ବାତାୟନ ସେକଡ଼କୁ ଥିବା ପ୍ରାଙ୍ଗଣରେ ମୋର ପ୍ରିୟ ଘୋଡ଼ାଟିକୁ ସଜ କରୁଥାଏ । ଏଥର ଘୋଡ଼ାକୁ ଅତ୍ୟନ୍ତ ଯତ୍ନର ସହିତ ସଜ କରିବାଲାଗି ମୁଁ ଭୃତ୍ୟକୁ ଆଦେଶ ଦେଉଥିଲି । ଘୋଡ଼ାର ପିଠି ଉପରେ ଭଲ କରି ଗଦି ପଡ଼ିବ, ଯେପରିକି ମୁଁ ଆଉଜଣେ ମୃଗନୟନୀକୁ ମୋ’ସହିତ ବସାଇ ନେଇପାରିବି । କୌଣସି ଏକ ପ୍ରମୋଦ-ଉପବନକୁ ଥରେ ପରିଭ୍ରମଣରେ ଯିବାଲାଗି ମୁଁ ମୋର କେତେକ ବନ୍ଧୁ ଓ ବାନ୍ଧବୀଙ୍କ ସହିତ କଥାବାର୍ତ୍ତା ହୋଇ ସାରିଥିଲି ।

 

ପିତାଙ୍କ ଲାଗି ମୁଁ କିଛି ଜଳଯୋଗର ବ୍ୟବସ୍ଥା କରିବାକୁ ଉଦ୍ୟତ ହେବାରୁ ସେ ସେଥିରେ ଅନିଚ୍ଛା ପ୍ରକାଶ କଲେ । ତାପରେ ମୋର ସୁବର୍ଣ୍ଣ ଡିବାଭିତରୁ ମୁଁ ତାଙ୍କୁ ସୁଗନ୍ଧଯୁକ୍ତ ମୁଖବାସ ଯାଚିଲି । କିନ୍ତୁ ତାହା ଗ୍ରହଣ କରିବାକୁ ମଧ୍ୟ ସେ ଅନିଚ୍ଛା ପ୍ରକାଶ କଲେ ଏବଂ କେବଳ ବିଡ଼ାଏ ତାମ୍ବୁଳ ଗ୍ରହଣ କଲେ । ଏଥିରେ ଅବଶ୍ୟ କୌଣସି ପ୍ରକାରେ ଉଦ୍‍ବ୍ୟଗ୍ର ହୋଇନପଡ଼ି ମୁଁ ମନେ ମନେ ଜାଣିଲି ଯେ ଆଜି ତାଙ୍କର ମୋ’ସହିତ କୌଣସି ଗମ୍ଭୀର ବିଷୟ ଆଲୋଚନା କରିବାର ଅଛି ।

 

ତାଙ୍କ ଲାଗି ମୁଁ ଆସନ ବଢ଼ାଇଦେଲି ଏବଂ ଉପବେଶନ କରି ସେ କହିବାକୁ ଆରମ୍ଭ କଲେ–ବତ୍ସ, ତୁ ଏବେ କେଉଁଠାକୁ ଏକ ବିଳାସ ବିହାରରେ ଯିବାର ବ୍ୟବସ୍ଥା କରୁଥିବାର ମୁଁ ବେଶ୍‍ ଦେଖିପାରୁଚି । ଅବଶ୍ୟ ମୁଁ ତୋର ଇଚ୍ଛାରେ କୌଣସି ପ୍ରକାରେ ବାଧା ଦେବାକୁ ଚାହୁଁନାହିଁ, କାରଣ ମୁଁ ଭଲକରି ଜାଣିଚି ଯେ ତୁ ବର୍ତ୍ତମାନ ଏକ ଦୀର୍ଘ ବାଣିଜ୍ୟଯାତ୍ରାରୁ ପରିଶ୍ରାନ୍ତ ହୋଇ ଘରକୁ ଫେରିଚୁ । ତୋର ଆଜି କୁଆଡ଼କୁ ଯିବାର ବରାଦ ଅଛି କି ?

 

ପିତୃଦେବ, କେତେକ ବନ୍ଧୁ ଓ ବାନ୍ଧବୀଙ୍କୁ ସାଙ୍ଗରେ ନେଇ ଆଜି ମୁଁ ଶତପଦ୍ମସର ଉଦ୍ୟାନକୁ ଭ୍ରମଣରେ ଯିବି ବୋଲି ଭାବିଚି । ସେଠାକୁ ଯାଇ କିଛିଦିନ କ୍ରୀଡ଼ାଦିରେ କାଳ ଅତିବାହିତ କରି ଆସିବାକୁ ମଧ୍ୟ ମୋର ଇଚ୍ଛା ଅଛି ।

 

ଅତି ଉତ୍ତମ, ବତ୍ସ, ଚମତ୍କାର ! ଶତପଦ୍ମସର ଉଦ୍ୟାନଭଳି ଏକ ଅଧିକ ଆକର୍ଷଣ ପୂର୍ଣ୍ଣ ସ୍ଥାନ ଆଉ କେଉଁଠି ସମ୍ଭବ ହୋଇନପାରେ । ବୃକ୍ଷରାଜିର ଘନଚ୍ଛାୟା ଓ ସରୋବରର ସୁଶୀତଳ ଜଳ ଥରେ ସେହି ମନୋହର ସ୍ଥାନରେ ପଦାର୍ପଣ କଲେ ଆଉ ଫେରିଆସିବାକୁ ମନ ହେବନାହିଁ । ସେଠାରେ ତୁମମାନଙ୍କର କ୍ରୀଡ଼ାଦି କରିବାର ଯୋଜନା ରହିଚି ଶୁଣି ମୁଁ ଅତିଶୟ ପ୍ରୀତ ହେଲି, କାରଣ କ୍ରୀଡ଼ା ଶରୀର ଓ ମନ ଉଭୟକୁ ସତେଜ ଓ ସଜୀବନ କରିଥାଏ । ଆମେ ଯୁବକ ଥିବାବେଳେ ଯେଉଁସବୁ କ୍ରୀଡ଼ାର ପ୍ରଚଳନ ଥିଲା, ଏବେ ଯୁବକମାନେ ସେହିସବୁ କ୍ରୀଡ଼ାର ଆଦର କରୁଚନ୍ତି କି ନାହିଁ, ଅବଶ୍ୟ ମୋତେ ସେକଥା ଜଣାନାହିଁ । କାମନୀତ, ତୁମେମାନେ ଆଜି କି ଖେଳ ଖେଳିବ, ଜାଣିଚୁ କି ?

 

ପିତୃଦେବ, ଆମଭିତରୁ ଆଜି କାହାର ପ୍ରସ୍ତାବକୁ ସମସ୍ତେ ଗ୍ରହଣ କରିବେ, ଆଜିର କ୍ରୀଡ଼ା ତାହାରି ଉପରେ ହିଁ ନିର୍ଭର କରୁଚି । ତଥାପି ମୁଁ ଅନୁମାନ କରୁଚି ଯେ ଆଜି ଜଳକ୍ରୀଡ଼ାର ପ୍ରସ୍ତାବ ଆସିବ ।

 

ବାପା କହିଲେ–ମୋତେ ସେ ଖେଳ ଜଣାନାହିଁ ।

 

ଏହି ଖେଳଟି ଦକ୍ଷିଣରେ ପ୍ରଚଳିତ ଅଛି, ମୋର ଜଣେ ବନ୍ଧୁ ଦକ୍ଷିଣରୁ ଏହା ଶିଖିକରି ଆସିଚି । ଏହି ଖେଳର ଖେଳାଳିମାନେ ବାଉଁଶ ଭିତରେ ପାଣି ପୂରାଇ ତାହାକୁ ପରସ୍ପର ଉପରେ ନିକ୍ଷେପ କରିବାକୁ ଚେଷ୍ଟା କରନ୍ତି । ଯିଏ ସବୁଠାରୁ ଅଧିକ ତିନ୍ତିଯାଏ ଖେଳରେ ସେଇ ହାରେ । ଭାରି ମଜାର ଖେଳ ଇଏ । କିନ୍ତୁ କୋକିଳା ହୁଏତ କଦମ୍ବକ୍ରୀଡ଼ା ଲାଗି ପ୍ରସ୍ତାବ ଦେବ !

 

ମୁଣ୍ଡ ହଲାଇ ବାପା କହିଲେ : –

ଏ ଖେଳ ମଧ୍ୟ ମୋତେ ଜଣାନାହିଁ ।

 

ଏଇ ଖେଳ ବର୍ତ୍ତମାନ ଚାରିଆଡ଼େ ପ୍ରଚଳିତ ହେଉଚି । ଖେଳାଳିମାନେ ପ୍ରଥମେ ଦୁଇପକ୍ଷ ହୋଇଯିବେ, ତା’ପରେ ପୁଷ୍ପଚୂଡ଼ କଦମ୍ବଡାଳମାନଙ୍କୁ ଅସ୍ତ୍ରରୂପେ ବ୍ୟବହାର କରି ସେମାନେ କ୍ରୀଡ଼ାରେ ପ୍ରବୃତ୍ତ ହେବେ । ଯେଉଁମାନଙ୍କ ଦେହରେ କଦମ୍ବଡାଳର ମାଡ଼ମାନ ବସିବ, ସୁରଙ୍ଗ କଦମ୍ବକେଶର ଲାଗି ସେମାନେ ଅତି ସହଜରେ ଧରା ପଡ଼ିଯିବେ, ଏବଂ ସେଇଥିରୁ ବିଚାରପତିମାନେ କେଉଁପକ୍ଷ ହାରିଲା ଓ କେଉଁପକ୍ଷ ଜିତିଲା, ସେକଥା ନିର୍ଣ୍ଣୟ କରିଦେଇ ପାରିବେ-। ଏହି ଖେଳରେ ଆନନ୍ଦ ଭାରି ମିଳେ ଏବଂ ଦେହହାତ ମଇଳା ମଧ୍ୟ ହୁଏ ନାହିଁ । କିନ୍ତୁ ଯଦି କେହି ମୋର ମତ ପଚାରିବାକୁ ଆସେ ତେବେ ମୁଁ ବିବାହକ୍ରୀଡ଼ାର ପ୍ରସ୍ତାବ ଦେବି ।

 

ହଠାତ୍‍ ସୁପ୍ରସନ୍ନ ହୋଇ ଉଠିଲାପରି ବାପା କହିଲେ ଏଇଟା ତ କୋଉ ପୁରୁଣା ଯୁଗର ଖେଳ । ତୁ ଏହି ଖେଳଟି ଖେଳିବାର ପ୍ରସ୍ତାବ ଦେବୁବୋଲି ଶୁଣି ମୁଁ ବିଶେଷ ପ୍ରୀତ ହେଲି । ଖେଳରୁ ସତକୁ ଆସିବାଲାଗି ଆଦୌ ବେଶୀଦୂର ଆସିବାକୁ ପଡ଼େନାହିଁ ।

 

ଏତିକି କହି ସେ ଭାରି ଖୁସୀ ହେଲାପରି ହସିବାକୁ ଆରମ୍ଭ କଲେ ଏବଂ ତାଙ୍କୁ ଏପରି ଖୁସୀ ହେବାର ଦେଖି ମୁଁ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇ ଉଠିଲି ।

 

ସେ କହିଲେ ହଁ ବତ୍ସ, ବର୍ତ୍ତମାନ ମୁଁ ଖାସ୍ ଯେଉଁ ବିଷୟଟି ପାଇଁ ଏଠାକୁ ଆସିଥିଲି, ବର୍ତ୍ତମାନ ତୋତେ ସେହି କଥାଟି କହିଦିଏ । ତୋର ସୌଭାଗ୍ୟ ଓ ଚତୁର ବୁଦ୍ଧିର ବଳରୁ ତୁ ବାଣିଜ୍ୟଯାତ୍ରାମାନଙ୍କରେ ଅତିଶୟ ଲାଭବାନ୍ ହୋଇଚୁ ଏବଂ ତା’ଫଳରେ ଆମର ସମ୍ପତ୍ତି ଓ ସମୃଦ୍ଧିରେ ଅତ୍ୟନ୍ତ ବୃଦ୍ଧି ହୋଇପାରିଚି । ଆମର ବାଣିଜ୍ୟ ଯେପରି ଭାବରେ ଉତ୍ତରୋତ୍ତର ବିକଶିତ ଓ ବିସ୍ତୃତ ହେବାରେ ଲାଗିଚି, ସମସ୍ତ ଉଜ୍ଜୟିନୀର ପୁରବାସୀମାନେ ଆଜି ତାହାରି ବିଷୟରେ କଥୋପକଥନ କରିବାକୁ ଆରମ୍ଭ କଲେଣି । କିନ୍ତୁ ଅପରପକ୍ଷରେ ଦେଖିବାକୁ ଗଲେ ମଧ୍ୟ ତୁ’ ତୋ’ର ଯୌବନସୁଲଭ ସ୍ୱତନ୍ତ୍ରତାର ପରିପୂର୍ଣ୍ଣ ଉପଭୋଗ କରିବାରେ ମଧ୍ୟ କୌଣସି ତ୍ରୁଟି କରିନାହୁଁ । ପ୍ରଥମ ଘଟଣାଟିରୁ ପ୍ରମାଣ ମିଳୁଚି ଯେ ବର୍ତ୍ତମାନ ଆପଣାର ସ୍ୱତନ୍ତ୍ର ସଂସାର କରିବାଲାଗି ତୋର ସମ୍ପୂର୍ଣ୍ଣ ସାମର୍ଥ୍ୟ ଆସିଗଲାଣି ଏବଂ ଅପର କଥାଟିକୁ ସୂଚନା ମିଳୁଚି ଯେ ବର୍ତ୍ତମାନ ତୋର ସଂସାର କରିବାର ଓ ବଂଶରକ୍ଷା ଲାଗି ସୁସନ୍ତାନ ପ୍ରସବ କରାଇବାର ସମୟ ମଧ୍ୟ ଆସି ଉପସ୍ଥିତ ହୋଇଚି । ଏହି କାର୍ଯ୍ୟରେ ତୋତେ ଯଥାସମ୍ଭବ ସହାୟତା କରିବା ଉଦ୍ଦେଶ୍ୟରେ ମୁଁ ତୋ’ଲାଗି ଆଗରୁ ଗୋଟିଏ ଉପଯୁକ୍ତା କନ୍ୟା ମଧ୍ୟ ଠିକ୍‍ କରି ରଖିଚି । ନଗରର ସୁପ୍ରସିଦ୍ଧ ଶ୍ରେଷ୍ଠୀ ସନୟଙ୍କର ଜ୍ୟେଷ୍ଠା କନ୍ୟା ଲାଗି ମୁଁ ସମ୍ବନ୍ଧ ପକାଇଚି । ସେହି କନ୍ୟା ଉତ୍ତମ ବଂଶରୁ ଜାତ ହୋଇଚି ଏବଂ ଅତି ଅଳ୍ପଦିନ ହେଲା ପରିଣତା ହୋଇଚି । ତାର ମାତୃ ଓ ପିତୃ ଉଭୟ କୁଳରେ ଅନେକ ବଡ଼ ବଡ଼ ଲୋକ ଜନ୍ମଗ୍ରହଣ କରିଚନ୍ତି । କନ୍ୟାଟି ରୂପବତୀ, ଭ୍ରମରର ରଙ୍ଗପରି ନୀଳ ତାର କେଶଗୁଚ୍ଛ, ଚନ୍ଦ୍ରପରି ମୁଖ, ମୃଗଶାବକପରି ନୟନ, ତିଳପୁଷ୍ପପରି ନାସିକା, ମୁକ୍ତାପରି ଦନ୍ତପଂକ୍ତି, ଅଧର ବିମ୍ବଫଳ ପରି, କଣ୍ଠ କୋକିଳର କଣ୍ଠପରି । ତା’ର ଜଙ୍ଘଦୁଇଟି ରମ୍ଭାତରୁ ପରି, ଉଚ୍ଚ ନିତମ୍ବ ହେତୁ ତାର ଚାଲି ଠିକ୍‍ ବିହଗର ଚାଲିପରି । ତା’ବିଷୟରେ କୌଣସି ଜାଗାରେ କିଛିହେଲେ ବାଛିବାକୁ ନାହିଁ ।

 

ମୋର ମଧ୍ୟ ପ୍ରକୃତରେ ସେହି କନ୍ୟା ବିଷୟରେ ଆପତ୍ତି ପ୍ରକାଶ କରି କୌଣସି କଥା କହିବାର ନଥିଲା । ତା’ର ରୂପ ଓ ଗୁଣକୁ ଯେପରି କବିତ୍ୱପୂର୍ଣ୍ଣ ଭାବରେ ମୋ’ଆଗରେ ବର୍ଣ୍ଣନା କରାଗଲା, ତାହାସବୁ ଶୁଣି ମୁଁ ସ୍ତମ୍ଭିତପ୍ରାୟ ହୋଇଗଲି । ନାହିଁ ବୋଲି କହିବାକୁ କୌଣସି ବାଟ ନଥିଲା । ବିବାହପରେ ଯେଉଁ ତିନୋଟି ରାତ୍ରି ଆମକୁ ଏକତ୍ର ଅତିବାହିତ କରିବାକୁ ପଡ଼ିଥିଲା, ତାହାକୁ ହିଁ ବିବାହ-ସଂସ୍କାରର ଯାବତୀୟ ବିଧାନଠାରୁ ଅଧିକ ପୀଡ଼ାଦାୟକ ବୋଲି ମୋତେ ସ୍ୱୀକାର କରିବାକୁ ହେବ । କାରଣ ଏକତ୍ର ବାସକଲେ ମଧ୍ୟ ଏହି ସମୟରେ ପରସ୍ପରକୁ ସ୍ପର୍ଶ କରିବା ନିଷିଦ୍ଧ ଥିଲା । ଆମକୁ ତଳେ ଚଟାଣ ଉପରେ ଶୋଇବାକୁ ହେଉଥିଲା, ପ୍ରଦୀପକୁ ନିରନ୍ତର ଜଳାଇ ରଖିବାକୁ ହେଉଥିଲା । କିନ୍ତୁ କୌଣସି ପ୍ରକାରର ମସଲା ପଡ଼ିଥିବ କିଛି ଗ୍ରହଣ କରିବା ମଧ୍ୟ ମନା ଥିଲା ।

 

ହେ ଭିକ୍ଷୁକବନ୍ଧୁ, ଯେଉଁ ପତ୍ନୀ ପତିଠାରୁ କୌଣସି ପ୍ରୀତି ନପାଏ, ସେ ପତିର ଘରକୁ କେବେହେଲେ ପ୍ରୀତିଯୁକ୍ତ ଭାବରେ ଦେଖି ପାରେନାହିଁ କି ଗୃହରେ କୌଣସି ପ୍ରକାର ଆକର୍ଷଣ ସୃଷ୍ଟି କରି ପାରେନାହିଁ । ତେଣୁ ମୁଁ ଅଧିକ ଉତ୍ସାହ ସହକାରେ ମୋର ବାଣିଜ୍ୟଯାତ୍ରାରେ ବ୍ୟସ୍ତ ରହିଥିଲି ,ଏବଂ ମୋର ସମ୍ପତ୍ତି କ୍ରମେ ଉତ୍ତରୋତ୍ତର ବୃଦ୍ଧି ପାଇବାରେ ଲାଗିଥିଲା ।

 

କିନ୍ତୁ ଏଣେ ଆପଣା ସଂସାରରେ ସ୍ୱାମୀ ଓ ପିତା ହିସାବରେ ମଧ୍ୟ ମୋର ସମୟର ଉପଭୋଗ କରିବାରେ ମୁଁ କୌଣସି ତ୍ରୂଟି କରିନଥିଲି । ଏହାଭିତରେ ମୋର ଦୁଇଟି କନ୍ୟାସନ୍ତାନ ଜାତ ହୋଇ ସାରିଥିଲେ ଏବଂ ପ୍ରତିବେଶୀମାନଙ୍କ ପାଖରେ ଏହା ମୋ’ଲାଗି ଏକ ଗୌରବର ବିଷୟ ହୋଇଥିଲା । ନଗରର ଉପକଣ୍ଠରେ ଭୂମି ନେଇ ସେଠାରେ ଏକ ସୁଦୃଶ୍ୟ ବିଳାସ-ଉଦ୍ୟାନ ତିଆରି କରି ତାହାରି ମଝିରେ ମୁଁ ମର୍ମର ସ୍ତମ୍ଭପରି ଶୋଭିତ ଏକ ପ୍ରଶସ୍ତ ଭବନ ମଧ୍ୟ ନିର୍ମାଣ କରିଦେଲି । ଏହି ବିଭବଟି ସମଗ୍ର ଉଜ୍ଜୟିନୀ ଲାଗି ବିସ୍ମୟକର ସମ୍ପଦ ହୋଇ ରହିଲା ଏବଂ ସ୍ୱୟଂ ରାଜା ମଧ୍ୟ ଏହାକୁ ପରିଦଶର୍ନ କରିବାକୁ ଆସିଥିଲେ ।

 

ଏହିଠାରେ ମୁଁ ସମୟ ସମୟରେ ଉଦ୍ୟାନ-ଆପ୍ୟାୟନର ବ୍ୟବସ୍ଥା କରି ଅତିଥିମାନଙ୍କୁ ନିମନ୍ତ୍ରଣ କରି ଆଣୁଥିଲି । ଭୋଜନସଭାରେ ବସି ଅତିଥିମାନେ ପରମପ୍ରୀତ ହୋଇଯାଉଥିଲେ, ବର୍ଷର ଯେଉଁ ସମୟରେ ଯେଉଁ ସବୁ ପଦାର୍ଥ ଅତ୍ୟନ୍ତ ମହାର୍ଘ ହୋଇପଡ଼େ, ମୋର ଭୋଜିସଭାରେ ସେହିସବୁ ପଦାର୍ଥ ପ୍ରତ୍ୟହ ଆସି ପରିବେଶଣ କରାଯିବାର ବ୍ୟବସ୍ଥା ଥାଏ ।

 

ବର୍ତ୍ତମାନ ଆପଣ ମୋତେ ଭାରି କ୍ଷୀଣ ଓ କୃଶ ଦେଖୁଚନ୍ତି । କିନ୍ତୁ ସେତେବେଳେ ମୁଁ ଆଦୌ ଏପରି ନଥିଲି । ଅରଣ୍ୟବାସର ବୈରାଗ୍ୟ ଓ ଦୀର୍ଘ ପ୍ରବ୍ରଜ୍ୟାର କୌଣସି ଅନୁଭୂତି ମୋର ସେତେବେଳେ ହୋଇନଥିଲା । ତେଣୁ ସେତେବେଳେ ମୋର ଶରୀର ଏକ ପ୍ରସ୍ଫୁଟିତ ଫୁଲ ପରି ସୁନ୍ଦର ଓ ସୁଦୃଶ୍ୟ ଥିଲା, ସୁପୁଷ୍ଟ ଦେହର ପରିଚୟ ଦେବାକୁ ପେଟଟି ମଧ୍ୟ ଟିକିଏ ଓହଳି ପଡ଼ିଥିଲା-

 

ସେ ପ୍ରବାସୀ ଅତିଥି, ସେତେବେଳେ ଉଜ୍ଜୟିନୀର ଲୋକମାନେ କହୁଥିଲେ ଯଦି ଖାଇବ ତ ଶ୍ରେଷ୍ଠପୁତ୍ର କାମନୀତର ଅତିଥି ହୋଇ ଖାଇବ ।

Image

 

୧୪

ଦାମ୍ପତ୍ୟଜୀବନ

 

ଦିନେ ପ୍ରଭାତ ସମୟରେ ମୁଁ ମୋର ପ୍ରଧାନ ମାଳୀ ସହିତ ଉଦ୍ୟାନରେ ବୁଲି କେଉଁଠି କଣ ପରିବର୍ତ୍ତନ କରିବାକୁ ହେବ କି ନାହିଁ ଦେଖୁଚି, ଏହି ସମୟରେ ମୋର ପିତା ତାଙ୍କର ପୁରାତନ ଗର୍ଦ୍ଦଭଉପରେ ଆରୋପଣ କରି ସେଠାରେ ପହଞ୍ଚିଲେ ।

 

ତାଙ୍କୁ ଅବତରଣ କରିବାରେ ସାହାଯ୍ୟ କରିବାଲାଗି ମୁଁ ତତ୍‍କ୍ଷଣାତ୍‍ ତାଙ୍କ ପାଖକୁ ଦଉଡ଼ିଗଲି ଏବଂ ତାପରେ ତାଙ୍କୁ ଉଦ୍ୟାନ ବୁଲାଇ ନେଲି । କାରଣ ମୁଁ ଭାବିଥିଲି ଯେ ସେ ନିଶ୍ଚୟ ଉଦ୍ୟାନଟିର ପୁଷ୍ପମୟ ଶୋଭା ଦେଖିବେ ବୋଲି ଆଜି ଏଠାକୁ ଆସିଚନ୍ତି । କିନ୍ତୁ ସେ ସେଠାରେ ଅବସ୍ଥିତ ସବୁଠାରୁ ସୁନ୍ଦର ପ୍ରକୋଷ୍ଠଟିକୁ ଯିବାକୁ ଇଚ୍ଛା ପ୍ରକାଶ କଲେ ଏବଂ ଜଳଯୋଗର ବ୍ୟବସ୍ଥା କରିବାପାଇଁ ମୁଁ ଭୃତ୍ୟକୁ ଆଦେଶ ଦେବାରୁ ସେ ସବୁ ନାସ୍ତି କରି ଦେଇଥିଲେ । ସେ କେବଳ ମୋ ସହିତ ଏକାନ୍ତରେ କିଛି କଥାବାର୍ତ୍ତା ହେବାକୁ ଚାହାନ୍ତି ।

 

ହଠାତ୍ ମୁଁ ଟିକିଏ ଅପ୍ରତିଭ ବୋଧ କରିବାକୁ ଲାଗିଲି ଏବଂ କୌଣସି ଗୁପ୍ତ ଶତ୍ରୁର ପାଖରେ ବସିବାପରି ଏକ ନିମ୍ନତର ଆସନରେ ଯାଇ ତାଙ୍କ ପାଖରେ ବସିଲି ।

 

ମୁଖମଣ୍ଡଳ ଗମ୍ଭୀର କରି ସେ ତାଙ୍କର ବକ୍ତବ୍ୟ ଆରମ୍ଭ କଲେ ବତ୍ସ, ତୋର ପତ୍ନୀ ଏପର୍ଯ୍ୟନ୍ତ କେବଳ ଦୁଇଟି କନ୍ୟାସନ୍ତାନ ହିଁ ଜାତ କରିଚନ୍ତି ଏବଂ ସେ ତୋତେ ଏକ ପୁତ୍ରସନ୍ତାନ ମଧ୍ୟ ପ୍ରସବ କରି ଦେବେ ବୋଲି ବର୍ତ୍ତମାନ ମୁଁ କୌଣସି ସୂଚନା ପାଇପାରୁନାହିଁ । ପୁତ୍ରହୀନ ଜୀବନ ବଡ଼ ଦାରିଦ୍ର୍ୟମୟ ଜୀବନ; ଯାହାର ପିଣ୍ଡ ଦେବାକୁ ବଂଶରେ କୌଣସି ପୁତ୍ରସନ୍ତାନ ନାହାନ୍ତି, ସେ ପ୍ରକୃତରେ ବଡ଼ ଦରିଦ୍ର, ବଡ଼ ହତଭାଗ୍ୟ, ଆମକୁ ଏହି ସତ୍ୟଟି ଅବଶ୍ୟ ସ୍ୱୀକାର କରିବାକୁ ପଡ଼ିବ । ଅବଶ୍ୟ ଏହି ଦୁର୍ଭାଗ୍ୟପାଇଁ ମୁଁ ତୋତେ କୌଣସି ଦୋଷ ଦେବାକୁ ଯାଉନାହିଁ- ମୋତେ ହଠାତ୍‍ ଟିକିଏ ଅସ୍ଥିର ହୋଇ ପଡ଼ିବାର ଲକ୍ଷ୍ୟ କରିପାରି ସେ କହିଲେ । ଏ ପ୍ରସଙ୍ଗରେ ମୁଁ ବା କିପରି କଣ ଦୋଷୀ ହେବି, ତାହାର କୌଣସି ଉତ୍ତର ନପାଇ ମୁଁ ଟିକିଏ ବ୍ୟତିଗ୍ରସ୍ତ ହୋଇପଡ଼ିଥିଲି-। କିନ୍ତୁ ସେ ଏପରି ସ୍ନେହପୂର୍ଣ୍ଣ ଓ କୋମଳ ଭାବରେ ଶେଷ ବାକ୍ୟଟି ଉଚ୍ଚାରଣ କରୁକରୁ ମୁଁ ଅତ୍ୟନ୍ତ ବିନୟର ସହିତ ତାଙ୍କୁ ଧନ୍ୟବାଦ ଜଣାଇଲି ଏବଂ ତାଙ୍କର ହସ୍ତକୁ ଚୁମ୍ବନ କଲି-

 

ନାଇଁ, ଏଥିପାଇଁ ଦୋଷୀ ମୁଁ ନିଜେ, କାରଣ ମୁହିଁ ତୋ’ପାଇଁ ଏହି କନ୍ୟାଟିକୁ ନିର୍ବାଚନ କରିଥିଲି । ତୋର ସାଂସାରିକ ଓ ପାରିବାରିକ ଜୀବନରେ ଏତେଦୂର ହସ୍ତକ୍ଷେପ କରିବା ମୋର ଆଦୌ ଉଚିତ ନଥିଲା, ଭଲମନ୍ଦ ବିଷୟରେ ମଧ୍ୟ ମୁଁ ସେତେବେଳେ ଏତେ ବେଶୀ ଚିନ୍ତା କରିନଥିଲି । କିନ୍ତୁ ଏଥର ମୁଁ ତୋ’ପାଇଁ ଯେଉଁ କନ୍ୟାଟି ସ୍ଥିରକରି ରଖିଚି, ଅବଶ୍ୟ ସେ ଖୁବ୍‍ ଗୋଟାଏ ଧନୀ ବା ସମ୍ପନ୍ନ ପରିବାରରୁ ସମ୍ଭୂତ ହୋଇନାହିଁ, ବାହାରୁ ଦେଖିବା ଲୋକ ଅବଶ୍ୟ ସେହି କନ୍ୟାକୁ ରୂପବତୀ ବୋଲି କହି ପାରିବନାହିଁ । କିନ୍ତୁ ତା’ର ନାଭି ଦକ୍ଷିଣ ଦିଗକୁ ଟିକିଏ ଢଳିକରି ରହିଚି, ତାର ହାତ ଓ ପାଦରେ ପଦ୍ମ, କଳସ ଓ ଚକ୍ରର ଚିହ୍ନମାନ ଅଛି, ତାର ମସ୍ତକର ପୃଷ୍ଠଦେଶରେ ଦୁଇଟି ଛୋଟଛୋଟ କୁଣ୍ଡଳିତ କେଶଗୁଚ୍ଛ ମଧ୍ୟ ଦକ୍ଷିଣଦିଗକୁ ମୋଡ଼ିହୋଇ ଯାଇଚି । ଜ୍ଞାନୀ ଲୋକମାନେ କହନ୍ତି, ଯେଉଁ କନ୍ୟାଠାରେ ଏହିସବୁ ଲକ୍ଷଣ ରହିଥାଏ, ସେ ନିଶ୍ଚୟ ପାଞ୍ଚଟି ବୀରପୁତ୍ରଙ୍କର ଜନନୀ ହୁଏ ।

 

ମୁଁ ଏସବୁ ପ୍ରସ୍ତାବରେ ସମ୍ପୂର୍ଣ୍ଣ ସମ୍ମତ ଅଛି ବୋଲି ପିତାଙ୍କୁ ଉତ୍ତର ଦେଇଥିଲି ଏବଂ ସେ ମୋର ମଙ୍ଗଳ ବିଷୟରେ ଏତେଦୂର ଚିନ୍ତା କରୁଥିବାରୁ ତାଙ୍କପ୍ରତି କୃତଜ୍ଞତା ଜ୍ଞାପନ କରିଥିଲି । ମୁଁ ପ୍ରସ୍ତୁତ ଅଛି । କାରଣ ଏଥିପାଇଁ ଆଉ କେତେଦିନ ଅପେକ୍ଷା କରି ରହିବାକୁ ପଡ଼ିବ, ମୁଁ ସେହିକଥା ଚିନ୍ତା କରୁଥିଲି ।

 

ଆଶଙ୍କିତ ହେଲାପରି ବାପା ଉତ୍ତର ଦେଲେ ଏହିକ୍ଷଣି ? କିନ୍ତୁ ପୁଅ ତୋର ଏହି ଅଧୀର ସ୍ୱଭାବକୁ ଧିକ୍ । ବର୍ତ୍ତମାନ ଭଗବାନ ସୂର୍ଯ୍ୟ ଦକ୍ଷିଣାୟନ ହୋଇଚନ୍ତି । ସେ ଉତ୍ତରାୟଣ ହେବାପରେ ମାସର ଶୁକ୍ଳପକ୍ଷ ପଡ଼ିଲେ ତେବେ ଯାଇ ହସ୍ତଗଣ୍ଠି ପଡ଼ିବାର ଏକ ଶୁଭଦିନ ସ୍ଥିର କରାଯିବ, ତା ପୂର୍ବରୁ କୌଣସି ପ୍ରକାରେ ସମ୍ଭବ ହୋଇ ପାରିବନାହିଁ । କାରଣ ତାହେଲେ କନ୍ୟାର ଶୁଭଲକ୍ଷଣଗୁଡ଼ିକର ଆଉ କୌଣସି ଶକ୍ତି ରହିବ ନାହିଁ ।

 

ପିତାଙ୍କୁ ଏହି ବିଷୟରେ ନିଶ୍ଚିତ ରହିବାକୁ ଅନୁରୋଧ କରି ମୁଁ ଏତିକି ସମୟ ଅବଶ୍ୟ ଅପେକ୍ଷା କରିପାରିବି ଏବଂ ସମସ୍ତ ପ୍ରସଙ୍ଗରେ କେବଳ ତାଙ୍କର ସୁଚିନ୍ତିତ ପରାମର୍ଶ ଅନୁସାରେ କାର୍ଯ୍ୟ କରିବି ପ୍ରତିଶ୍ରୁତି ଦେଇଥିଲି । ଏକଥା ଶୁଣି ସେ ଅତିଶୟ ପ୍ରସନ୍ନ ହେଲେ ଏବଂ ମୋତେ ଆପଣାର ଆଶୀର୍ବାଦ ଦେଇ ଜଳଯୋଗର ବ୍ୟବସ୍ଥା କରିବାକୁ କହିଲେ ।

 

ତା’ପରେ ସେହି ଉଦ୍‍ବେଗ ପ୍ରତ୍ୟାଶିତ ଶୁଭଦିନଟି କ୍ରମେ ନିକଟବର୍ତ୍ତୀ ହୋଇଆସିଲା । ଏଥର ଉତ୍ସବଟି ଆହୁରି ଅଧିକ ବିଧିବଦ୍ଧ ଭାବରେ ଅନୁଷ୍ଠିତ ହୋଇଥିଲା । ପୂରାପୂରି ଚଉଦଟି ଦିନ ମୁଁ ସବୁ ଭାଷାଗୁଡ଼ିକ ଆୟତ୍ତ କରିବାରେ ଲାଗିପଡ଼ିଥିଲି । ହସ୍ତଗ୍ରନ୍ଥି ଉପଲକ୍ଷରେ ଶ୍ୱଶୁରାଳୟରେ ମୋତେ ସେହି ସମୟଟି ଯେପରି ଭୟର ସହିତ କଟାଇବାକୁ ପଡ଼ିଥିଲା, ମୁଁ ଠିକ୍‍ଠିକ୍ ଆବୃତ୍ତ କରି ପାରିବିନାହିଁ ବା ଠିକ୍‍ ଛନ୍ଦରେ ଉଚ୍ଚାରଣ କରି ପାରିବି ନାହିଁ, ଏହି ଆଶଙ୍କାରେ ମୁଁ ଭୟରେ କମ୍ପିଲାପରି ହେଉଥାଏ । କାରଣ ଏପରି କୌଣସି ଭୁଲ କରିବସିଲେ ମୋର ପିତା ସେଥିପାଇଁ ମୋତେ କଦାପି କ୍ଷମା କରିବେ ନାହିଁ । ପୁଣି ସବୁଠାରୁ ଅସଲ କଥାଟି ମଧ୍ୟ ମୁଁ ଭୁଲିଯାଇଥିଲି । କନ୍ୟାର ବୁଢ଼ା ଆଙ୍ଗୁଠିଟି ନଧରି ମୁଁ ତାହାର ଅନାମିକା ଆଙ୍ଗୁଠିଟି ଧରିବାକୁ ହାତ ବଢ଼ାଉଥିଲି । ଏହି ଆଙ୍ଗୁଠିଟି ଧରିଥିଲେ କନ୍ୟା ଦୁହିତା ପ୍ରସବ କରୁ ବୋଲି ମୁଁ ଚାହୁଥିବାର ପ୍ରମାଣ ମିଳିଥାନ୍ତା । କିନ୍ତୁ ମୋ’ର ଭାଗ୍ୟ ଭଲ, ବୁଦ୍ଧିମତୀ କନ୍ୟା ମୋର ଭ୍ରମକୁ ଠଉରାଇ ନେଇ ଆପଣା ହାତର ବୁଢ଼ା ଆଙ୍ଗୁଠିକୁ ମୋ ଆଡ଼କୁ ବଢ଼ାଇ ଦେଇଥିଲା ।

 

ମୋର ନବବିବାହିତା ପତ୍ନୀ ଯୁଆଳିର ଦୁଇପାଖରେ କୌଣସି ଫଳନ୍ତି ଗଛର ଦୁଇଟି ଡାଳ ବାନ୍ଧିଦେବା ପରେ ଯେତେବେଳେ ଘରକୁ ଫେରିବା ଉଦ୍ଦେଶ୍ୟରେ ମୁଁ ଶକଟ ଚାଳନା କରିବାକୁ ଗଲି, ସେତେବେଳେ ମୋର ଶରୀରଟାଯାକ ଝାଳରେ ବୁଡ଼ି ଯାଇଥାଏ । ସେତେବେଳେ ଯେଉଁ ଶ୍ଳୋକଟି ଆବୃତ୍ତି କରିବା କଥା, ସେହିଟିକୁ ଆବୃତ୍ତି କରୁକରୁ ମୁଁ ଆପଣାକୁ ସାନ୍ତ୍ୱନା ଦେଇ ଭାବୁଥାଏ, ଯାହାହେଉ, ଏଥରକ ଅସଲ ପରୀକ୍ଷା ସରିଲା । କିନ୍ତୁ ସେପରି ଭାବିବା ମୋ’ପକ୍ଷରେ କେବଳ ଭ୍ରମମାତ୍ର ଥିଲା । ଅବଶ୍ୟ ଆମକୁ ସାଧାରଣତଃ ଏହିପରି ଉପଲକ୍ଷମାନଙ୍କରେ ରାସ୍ତାରେ ଘଟୁଥିବା କୌଣସି ଦୁର୍ଯୋଗର ସମ୍ମୁଖୀନ ହେବାକୁ ପଡ଼ିନଥିଲା ଏବଂ ଆମେ ଆସି ଆମ ଘରପାଖରେ ପହଞ୍ଚିଥିଲୁ । ଆମେ ଆସି ଗୃହର ଦ୍ୱାରଦେଶରେ ଠିଆହେଲୁ ଏବଂ ତିନିଜଣ ପୁତ୍ରବତୀ ସଧବା ବ୍ରାହ୍ମଣୀ ଆସି କନ୍ୟାକୁ ଶକଟରୁ ଓହ୍ଲାଇନେଲେ । ଏପର୍ଯ୍ୟନ୍ତ କୌଣସି ବିଧିରେ କୌଣସି ବ୍ୟାଘାତ ଘଟିନଥିଲା । କିନ୍ତୁ ଗୃହରେ ପ୍ରବେଶ କରୁକରୁ କନ୍ୟାର ପାଦ ଦୁଆରବନ୍ଧରେ ବାଜିଯିବାକୁ ଯାଉଥିଲା । ଏଥିରେ ମୁଁ କିପରି ତ୍ରସ୍ତ ହୋଇ ପଡ଼ିଥିବି, ସେକଥା ଆପଣ ବେଶ୍ ଅନୁମାନ କରିପାରୁଥିବେ । ତରତର କରି ମୁଁ କନ୍ୟାକୁ ଆପଣା ହାତରେ ଉପରକୁ ଟେକିଧରିଲି ଏବଂ ଫଳରେ ଏହି ଅଶୁଭ ଘଟଣାକୁ ଏଡ଼ିପାରିବା ସମ୍ଭବ ହୋଇଥିଲା । କିନ୍ତୁ ତଥାପି ଗୃହପ୍ରବେଶ ବେଳର ଏହି ବ୍ୟାଘାତ ଯଥେଷ୍ଟ ଅଶୁଭର ସୂଚନା ଦେଇଥିଲା ଏବଂ ମୁଁ ନିଜେ ମଧ୍ୟ ଘର ଭିତରକୁ ଆଗ ଡାହାଣ ପାଦଟି ପକାଇବାକୁ ଭୁଲି ଯାଇଥିଲି । କିନ୍ତୁ ମୋର ପରମ ସୌଭାଗ୍ୟ, ଦୁଆର ବନ୍ଧରେ ଗୋଡ଼ ବାଜିବା ବିଷୟରେ ମୋର ପିତା ଓ ଅନ୍ୟସମସ୍ତେ ଏପରି ଉଦ୍‍ବିଗ୍ନ ହୋଇପଡ଼ିଥିଲେ ଯେ ମୁଁ ଭୁଲ ପାଦଟି ପକାଇବାଟା ଆଉ କାହାରି ଆଖିରେ ପଡ଼ି ପାରିଲାନାହିଁ ।

 

ଘରମଝିକୁ ଯାଇ ଆମେ ଏକ ରକ୍ତବର୍ଣ୍ଣ ଚର୍ମାସନ ଉପରେ ଉପବେଶନ କଲୁ, ଆସନଟିର ମୁଣ୍ଡପାଖଟା ପୂର୍ବଦିଗକୁ କରି ଆସନ ପକାଯାଇଥିଲା । ମୁଁ କନ୍ୟାର ବାମପାଖକୁ ବସିଲି । ଅନେକଆଡ଼େ ଖୋଜିଖୋଜି ବାପା କେବଳ ଭାଇ ଥିବା ଓ କୌଣସି ଭଉଣୀ ନଥିବା ଛୋଟ ପିଲାଟିଏ ଯୋଗାଡ଼ କରି ଆଣିଥିଲେ, ସେ ପିଲାଟିର ଉପରେ ବା ତଳେ କୌଣସି ଭାଇ ବା ଭଉଣୀ ମରି ନଥିଲେ । ଏହି ପିଲାଟିର ବାପାର ମଧ୍ୟ କେବଳ ଭାଇଥିଲେ, ଭଉଣୀ ନଥିଲେ, ବାପର ବାପା ମଧ୍ୟ କେବଳ ଭାଇ ଥିଲେ, ଭଉଣୀ ନଥିଲେ । ସେହି ଶିଶୁଟିକୁ ବର୍ତ୍ତମାନ କନ୍ୟାଟିର କୋଳରେ ବସାଇ ଦିଆଗଲା । କନ୍ୟାପାଖରେ ଆଗରୁ ତାମ୍ରପାତ୍ରରେ ପଦ୍ମଫୁଲ ରଖାଯାଇଥିଲା । ତା’ପରେ ପିଲାଟି ଦୁଇହାତକୁ ଆଞ୍ଜୁଳି କରି ଦେଖାଇବ ଏବଂ କନ୍ୟା ତା’ର ହାତରେ ପଦ୍ମଫୁଲ ନେଇ ରଖିଦେବ । କିନ୍ତୁ ଏତିକିବେଳେ ପିଲାଟି ସେଠାରୁ କୁଆଡ଼େ ଅଦୃଶ୍ୟ ହୋଇଗଲା । ତାହାକୁ ଖୋଜିକରି ଆଣି ବସାଉ ବସାଉ ଏଣେ ବେଳା ମଧ୍ୟ ଗଡ଼ି ଯାଇଥିଲା । ହଠାତ୍‍ ଗୋଟିଏ ଭୃତ୍ୟ ଦେଖିବାକୁ ପାଇଲା ଯେ ପିଲାଟି ହୋମଲାଗି ପ୍ରସ୍ତୁତ କରାଯାଇଥିବା ବେଦୀଆଡ଼କୁ ଆକୃଷ୍ଟ ହୋଇ ଚାଲିଯାଇଚି ଏବଂ ତା’ପରେ ସେଠାରେ ଥିବା ଘାସ ଉପରେ ଯାଇ ଗଡ଼ୁଚି । ଘାସଗୁଡ଼ିକ ଉଚ୍ଚହୋଇ ବଢ଼ିଥିବାରୁ ପିଲାଟି ତା’ଭିତରେ ଅଛି ବୋଲି ବାହାରକୁ ଆଦୌ ମନେହେଉନାହିଁ । ବର୍ତ୍ତମାନ ଏ ବେଦୀ ମାରା ହୋଇଯିବାରୁ ନୂଆ କରି ଆଉ ଗୋଟିଏ ବେଦୀ ତିଆରି ହେଲା ଏବଂ ଆଉଥରେ ଯାଇ କୁଶ ସଂଗ୍ରହ କରି ଅଣାଗଲା । କିନ୍ତୁ ବର୍ତ୍ତମାନ କୁଶସଂଗ୍ରହ କରିବାଟା ହିଁ ଅନିୟମ, କାରଣ ବିଧି ଅନୁସାରେ କେବଳ ସକାଳ ସମୟରେ ହିଁ କୁଶ ସଂଗ୍ରହ କରିବାର କଥା । ପୁଣି କୁଶ ସଂଗ୍ରହ କରିବାର ମନ୍ତ୍ର ମଧ୍ୟ ବର୍ତ୍ତମାନ ବେଳାକୁ ଆଦୌ ଖାପ ଖାଇଲାନାହିଁ ।

 

ଏସବୁ ଆୟୋଜନରେ ଏତେ ବିଘ୍ନ ଆସି ପହଞ୍ଚିବାରୁ ବର୍ତ୍ତମାନ ଆଉ ଗୋଟିଏ ପିଲାକୁ ଖୋଜିକରି ସଙ୍ଗେ ସଙ୍ଗେ ଅଣାଗଲା । ଏହି ପିଲାଟିର କେବଳ ଭାଇ ଥିଲେ, ଭଉଣୀ ନଥିଲେ । କିନ୍ତୁ ବାପା ଆଗରୁ ଯେଉଁ ନିଷ୍ଠା ଓ କାମନାରେ ଏତେ ପରିଶ୍ରମ କରି ସବୁ ବରାଦ କରି ରଖିଥିଲେ, ସେଥିରେ ଆସି ଅଯୋଗ ପଡ଼ିବାରୁ ସେ ଭାରି ବିଚଳିତ ହୋଇପଡ଼ିଲେ । ମୋର ଭାରି ଭୟ ହେଲା ଯେ ହୁଏତ କୌଣସି ଆକସ୍ମିକ ଦୁର୍ଯୋଗ ଘଟିଲେ ସେ ଅତିରିକ୍ତ ତ୍ରସ୍ତ ହୋଇ ବସିବେ ଏବଂ ତାଙ୍କର ହୃତ୍‍ସ୍ପନ୍ଦନ ବନ୍ଦ ହୋଇଯିବ । ତାଙ୍କର ପ୍ରାଣବାୟୁ ଉଡ଼ିଗଲେ ବର୍ତ୍ତମାନ ସମସ୍ତ ଉତ୍ସବଟି ସ୍ଥଗିତ ହୋଇଯିବ, ଏହି ଭୟରେ ବୋଧହୁଏ ସେ ଏହି ପ୍ରମାଦ ଘଟିବାକୁ ଦେବାକୁ ଚାହୁନଥିଲେ । କିନ୍ତୁ ଏହା ଉପରେ ମୁଁ ବର୍ତ୍ତମାନ ଅଧିକ ଭରସା କରି ପାରିଲିନାହିଁ । ଦ୍ୱିତୀୟ ପିଲାଟି ଖୋଜାହୋଇ ଅଣାହେବା ପର୍ଯ୍ୟନ୍ତ ମଝିରେ ଯେଉଁ ସମୟଟି କେବଳ ଅପେକ୍ଷା କରି ରହିବାକୁ ପଡ଼ିଲା, ସମସ୍ତେ ଚୁପ୍‍ଚାପ୍‍ ହୋଇ ବସିରହିଲେ କାଳେ ପିତାଙ୍କର ଭୟ ଆହୁରି ଅଧିକ ହୋଇ ଉଠିବ, ସେହି ଭୟରେ ମୁଁ ଉପଲକ୍ଷକୁ ଖାପ ଖାଇଲାଭଳି ଅଖଣ୍ଡ ବେଦମନ୍ତ୍ର ଉଚ୍ଚାରଣ କରିବାରେ ଲାଗିଥାଏ ଓ ସମସ୍ତଙ୍କର ଧ୍ୟାନକୁ ନିବିଷ୍ଟ କରି ରଖିଥାଏ ।

 

ଠିକ୍ଏହି ସମୟରେ ମୁଁ ମନେମନେ ଆପଣା ପାଖରେ ପ୍ରତିଜ୍ଞା କରିଥିଲି ଯେ ଏଣିକି ଯାହା ଘଟିବାର ଘଟୁ ପଛକେ, କିନ୍ତୁ ମୁଁ ଭବିଷ୍ୟତରେ ଆଉ କଦାପି ଅନ୍ୟ ସ୍ତ୍ରୀ ଗ୍ରହଣ କରିବି ନାହିଁ-

 

ଉତ୍ସବମାନ ସମାପ୍ତ ହେବାପରେ ମୁଁ ମୋର ନୂତନ ପତ୍ନୀଙ୍କ ସହିତ ବାରଟି ରାତ୍ର ସମ୍ପୂର୍ଣ୍ଣ ସମ୍ଭୋଗ ଓ ଉପଭୋଗରେ ଅତିବାହିତ କରିଥିଲି । ସେତେବେଳେ ଆମକୁ କେବଳ ମାଟି ଉପରେ ଶୋଇବାକୁ ହେଉଥିଲା । ବାରଦିନ ପର୍ଯ୍ୟନ୍ତ ମୋତେ କୌଣସି ପ୍ରକାର ମସଲା ସ୍ପର୍ଶ କରିବାକୁ ଦିଆଯାଇ ନଥିଲା ।

 

ଏହିସବୁ ବିଧିବନ୍ଧନ ସରିବାପରେ ଜୀବନ ପୁଣି ଆପଣାର ସାବଲୀଳ ପଥରେ ଗତି କରିବାକୁ ଲାଗିଲା, ତଥାପି ବର୍ତ୍ତମାନ ମୋର ଜୀବନରେ ମୁଁ ଏକ ବଡ଼ ପାର୍ଥକ୍ୟ ଲକ୍ଷ୍ୟ କରିବାକୁ ଲାଗିଲି । ବାପା ଯେଉଁଦିନ ମୋର ଦ୍ୱିତୀୟବାର ପରିଗ୍ରହର ପ୍ରସ୍ତାବ ଆଣି ମୋପାଖକୁ ଆସିଥିଲେ, ସେଦିନ ମୁଁ ଅନୁଭବ କରିଥିବା ଆଶଙ୍କା ଯେ ଆଦୌ ମିଥ୍ୟା ଆଶଙ୍କା ନୁହେଁ, ବର୍ତ୍ତମାନ ସେହି କଥାଟି ମୋ ଆଗରେ ଅଧିକ ସ୍ପଷ୍ଟ ହେବାକୁ ଲାଗିଲା । ସେଦିନ ମୁଁ ମନେମନେ ଏହିକଥା ଭାବି ସାନ୍ତ୍ୱନା ଦେଇଥିଲି -ହଁ, ଗୋଟାଏ ସ୍ତ୍ରୀ ଯାହା ଦୁଇଟା ସ୍ତ୍ରୀ ମଧ୍ୟ ସେଇଆ । କିନ୍ତୁ ସେପରି ଭାବି ମୁଁ ସତେ କେତେ ଭ୍ରମରେ ପଡ଼ିନଗଲି !

 

ମୋର ପ୍ରଥମ ପତ୍ନୀଙ୍କର ସ୍ୱଭାବ ଆଗରୁ ବଡ଼ ମିଷ୍ଟ ଓ କୋମଳ ଥିଲା । ଏଥର ସେ ଉଗ୍ରସ୍ୱଭାବ ହେଲେ ବୋଲି ମୁଁ କଦାପି କହିବି ନାହିଁ, କିନ୍ତୁ କ୍ରମେ ବଡ଼ ନିଷ୍କ୍ରିୟ ହୋଇପଡ଼ିଲେ, ତାଙ୍କର ସ୍ଫୂର୍ତ୍ତିଶକ୍ତି କ୍ରମେ ହ୍ରାସ ହେବାକୁ ଲାଗିଲା । କିନ୍ତୁ ମୋର ଦ୍ୱିତୀୟ ସ୍ତ୍ରୀଙ୍କୁ ସମସ୍ତେ ତାଙ୍କର ସ୍ତ୍ରୀସୁଲଭ ଶାନ୍ତ ସ୍ୱଭାବ ସକାଶେ ପ୍ରଶଂସା କରିବାକୁ ଲାଗିଲେ । ଭାଇ, ଆପଣ ତ ଜାଣିଥିବେ, ନିଆଁ ଆଉ ପାଣି ପ୍ରତ୍ୟେକେ କେତେ ଉପକାରୀ ପଦାର୍ଥ । କିନ୍ତୁ ଯେତେବେଳେ ଚୁଲିମୁଣ୍ଡରେ ନିଆଁ ଆଉ ପାଣିର ଭେଟ ହୁଏ, ସେତେବେଳେ ସେଁ ସେଁ ଶବ୍ଦ ବାହାରେ । ଠିକ୍ ସେହିପରି ସେହି ଅଶୁଭ ଦିନଟିଠାରୁ ମୋର ସଂସାରରେ ସେଁ ସେଁ ଆରମ୍ଭ ହୋଇଥିଲା ।

 

ମୋର ସୁଲକ୍ଷଣା ଦ୍ୱିତୀୟା ପତ୍ନୀ ମୋତେ ପାଞ୍ଚୋଟି ପୁତ୍ରସନ୍ତାନ ପ୍ରସବ କରି ଦେବେ ବୋଲି ବିଚାରକରି ମୁଁ ତାଙ୍କର ପାଣିଗ୍ରହଣ କରିଥିଲି । ଯେଉଁଦିନ ଏହି ଆଶା ସତକୁସତ ଫଳବତୀ ହେଲା ଏବଂ ଯେଉଁଦିନ ସେ ପ୍ରଥମ ପୁତ୍ରସନ୍ତାନ ପ୍ରସବ କଲେ, ସେଦିନ ମୋ ଘରେ କି ପରିବର୍ତ୍ତନ ନ ଘଟିଲା ? ମୋର ପ୍ରଥମ ପତ୍ନୀ ଭାବିଲେ ଯେ ମୁଁ ଆଉ ତାଙ୍କଠାରୁ କୌଣସି ପୁତ୍ରର ଆଶା କରୁନାହିଁ ଏବଂ ସେହି ବାହାନାରେ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିଚି । ଏହିପରି ଭାବି ସେ ମୋତେ ଏଥିପାଇଁ ଦୋଷ ଦେବାକୁ ଲାଗିଲେ । ଏଣେ ମୋର ପ୍ରଥମା ସ୍ତ୍ରୀ ସନ୍ତାନବତୀ ହେବାର ଅହଙ୍କାରରେ ଦ୍ୱିତୀୟା ସ୍ତ୍ରୀଙ୍କ ପ୍ରତି ନିରଙ୍କୁଶ ବିଦ୍ୱେଷ ପ୍ରଦର୍ଶନ କରିବାକୁ ଲାଗିଲେ । ଦ୍ୱିତୀୟା ସ୍ତ୍ରୀ ପ୍ରଥମେ ପୁତ୍ର ପ୍ରସବ କରିଚନ୍ତି ବୋଲି କହି ପ୍ରଥମାଙ୍କୁ ଭର୍ତ୍ସନା କଲେ । ପ୍ରଥମ ସ୍ତ୍ରୀ ମଧ୍ୟ ପ୍ରଥମେ ମାଆ ହୋଇଚନ୍ତି ବୋଲି କହି ଉଲୁଗୁଣା ଦେଲେ ।

 

କିନ୍ତୁ କିଛିଦିନ ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା ।

 

ଦିନେ ମୋର ଦ୍ୱିତୀୟ ସ୍ତ୍ରୀ ରାଗରେ ତମତମ ହୋଇ ମୋ’ ପାଖକୁ ଆସି କହିଲେ, ସେ ପହିଲି ସ୍ତ୍ରୀକୁ ତୁମେ ଆଉ କେଉଁଠାକୁ ପଠାଇଦିଅ, କାରଣ କେଉଁଦିନ ହୁଏତ ସେ ମୋ’ ପୁଅକୁ ଜହର ଗୋଳି ଦେବ, ସେକଥା କିଏ କହିପାରିବ ? ଆଜି ସକାଳୁ ମୋର ପୁଅର ପେଟ କଣ ହେଉଚି । ଏକଥା ଶୁଣି ମୁଁ ତାଙ୍କୁ ଅନେକ ଆକଟ କରି ବିଦା କରିଦେଲି । ଅଳ୍ପ ସମୟପରେ ପ୍ରଥମା ଆସି ପହଞ୍ଚିଲେ ଓ ଗର୍ଜନ କରି କହିଲେ, ସେଇ ଡାଆଣୀଟା ଏ ଘରେ ଥିବାତକ କୋଉଦିନ ଯେ ମୋ ପିଲାଙ୍କୁ କି ଅରିଷ୍ଟ ପଡ଼ିବ, ସେକଥା କିଏ କହିପାରିବ ? ବେଳଥାଉଁ ସେ ଯାଆ ମୋ’ ଝିଅଗୁଡ଼ାଙ୍କର ଜୀବନ ନେଇ ବାଟ ସଫା କରିଦେବ ଯେପରିକି ବାହାଘରବେଳେ ଏମାନଙ୍କୁ ଯୌତୁକ ଦେଇ ପୁଅର ସମ୍ପତ୍ତିକୁ ଊଣା କରିଦେବାର ଆଉ କୌଣସି ଆଶଙ୍କା ପଛକୁ ନଥିବ ।

 

ମୋର ସଂସାରରେ ଏଣିକି ଆଉ କୌଣସି ଶାନ୍ତି ରହିଲାନାହିଁ । ଭିକ୍ଷୁ, ଯଦି ଆପଣ ଏଠାରୁ ଅଳ୍ପ ଦୂରରେ ଥିବା ଧନୀ ବ୍ରାହ୍ମଣର ଦାଣ୍ଡ ଦେଇ ଏଠାକୁ ଆସିଥିବେ, ତେବେ ତା’ର ଦୁଇଟିଯାକ ପତ୍ନୀ କିପରି କଳହ ଓ ଗର୍ଜନ କରୁଚନ୍ତି, କିପରି ପରସ୍ପରକୁ ସମ୍ପିକାଟି ଥୋଇ ଦେଉଚନ୍ତି, ତାହା ଅବଶ୍ୟ ଶୁଣିବାକୁ ପାଇଥିବେ । ମୋର ପରିବାରକୁ ଯାଇଥିଲେ ଆପଣ ଠିକ୍ ଏହି ଦୃଶ୍ୟ ହିଁ ଦେଖିବାକୁ ପାଇଥାଆନ୍ତେ ।

 

ଏହି କୁଖ୍ୟାତି କ୍ରମେ ବଢ଼ିବାକୁ ଲାଗିଲା ଓ ‘କାମନୀତର ଦୁଇ ସ୍ତ୍ରୀ ପରି ଏମାନେ କଜିଆ କରୁଚନ୍ତି’- ଏପରି କହିବା ଉଜ୍ଜୟିନୀରେ ଏକ ଲୋକପ୍ରବାଦରେ ପରିଣତ ହେଲା ।

Image

 

୧୫

ଲଣ୍ଡାମୁଣ୍ଡିଆ ବାବାଜୀ

 

ମୋର ସଂସାର ଅବସ୍ଥା ଦିନକୁଦିନ ଏହିପରି ଅଶାନ୍ତ ହୋଇ ପଡ଼ୁଥିବା ସମୟରେ ଦିନେ ମୁଁ ଖଞ୍ଜାର ଆରପାଖରେ ଥିବା ଏକ ପ୍ରଶସ୍ତ ଘରେ ଯାଇ ବସିଥିଲି । ଏହି ଘରେ ମୁଁ ସାଧାରଣତଃ ମୋର ବାଣିଜ୍ୟ ସଂକ୍ରାନ୍ତୀୟ ବିଷୟମାନ ବୁଝାବୁଝି କରେ । ତେଣୁ ଯେପରିକି ମୁଁ ସବୁକଥା ଉପରେ ଆଖି ପକାଇ ଦେଖିପାରିବି, ସେହି ଉଦ୍ଦେଶ୍ୟରେ ଏହି ଘରର କବାଟ ପ୍ରାଙ୍ଗଣ ଆଡ଼କୁ ମୁହଁକରି ତିଆରି ହୋଇଥିଲା । ମୋର ସମସ୍ତ ବାଣିଜ୍ୟଯାତ୍ରାରେ ମୋ’ ସଙ୍ଗେ ସଙ୍ଗେ ଯାଇଥିବା ଏକ ପୁରାତନ ବିଶ୍ୱସ୍ତ ଭୃତ୍ୟ ମୋ ପାଖରେ ଠିଆ ହୋଇଥାଏ । ଏଥର ଏକ ଅତିଦୂରସ୍ଥ ସହରକୁ ବାଣିଜ୍ୟ କରିଯିବାର କଥା ଥିଲା । ତେଣୁ ସେହି ସହର ପର୍ଯ୍ୟନ୍ତ ଶକଟବାହିନୀକୁ କିପରି ଚାଳନା କରିନେବାକୁ ହେବ, ଫେରିବା ସମୟରେ ସେଠାକୁ କି କି ସାମଗ୍ରୀ କିଣି ସଙ୍ଗରେ ଆଣିବାକୁ ହେବ, ସେଠାରେ କେଉଁ କେଉଁ ଜାଗାରେ ବାଣିଜ୍ୟସମ୍ପର୍କ ସ୍ଥାପନ କରିବାକୁ ହେବ, ଏହିପରି ନାନାଦି ବିଷୟରେ ମୁଁ ସେହି ଭୃତ୍ୟକୁ ନିର୍ଦ୍ଦେଶମାନ ଦେଉଥାଏ । କାରଣ ଏଥର ଯାତ୍ରାର ସମସ୍ତ ଭାର ମୁଁ ତାହାରି ଉପରେ ହିଁ ନ୍ୟସ୍ତ କରିବାକୁ ଚାହୁଥାଏ ।

 

ଆଜିକାଲି ମୋର ପାରିବାରିକ ସଂସାର ମୋତେ ଆଗପରି ଏତେ ଆକର୍ଷଣରେ ବାନ୍ଧିକରି ରଖି ପାରୁନଥିଲା ଏବଂ ବିଦେଶଯାତ୍ରାର କୌଣସି ସୁଯୋଗ ଆସି ପହଞ୍ଚିବା ମାତ୍ରକେ ଯେ ମୁଁ ଆନନ୍ଦରେ ସେହି ସୁଯୋଗ ଗ୍ରହଣ କରିବି, ହୁଏତ ସମସ୍ତେ ସାଧାରଣତଃ ଏହିପରି ବିଶ୍ୱାସ କରିବେ । କିନ୍ତୁ ପ୍ରକୃତରେ ମୁଁ କ୍ରମେ ଟିକିଏ ଆଳସ୍ୟପରାୟଣ ଓ ଭୋଗପ୍ରିୟ ହୋଇ ପଡ଼ିଲି ଏବଂ ସେଥିଲାଗି ଦୀର୍ଘ ବାଣିଜ୍ୟଯାତ୍ରାରେ ବାହାରିବାକୁ କ୍ରମେ ମୋର ମନରେ ଅନିଚ୍ଛା ଜାତ ହୋଇଥିଲା-। କେବଳ ଯାତ୍ରାପଥର କଠିନତା ସକାଶେ ଯେ ଏପରି ହେଉଥିଲା ତା’ ନୁହେଁ, ରାସ୍ତାରେ ପ୍ରାପ୍ତ ହେଉଥିବା ଖାଦ୍ୟପେୟ ମୋତେ ଆଦୌ ଆନନ୍ଦ ଦେଉନଥିଲା ବୋଲି ମଧ୍ୟ ମୁଁ ଅନିଚ୍ଛା ପ୍ରକାଶ କରୁଥିଲି । କୌଣସି ବଡ଼ ନଗର ଓ ଜନପଦରେ ପହଞ୍ଚି ଅବଶ୍ୟ ମନୋମତ ଖାଦ୍ୟସାମଗ୍ରୀ କିଣି ଆଣିବାର ସୁଯୋଗ ରହିଥିଲା; ତଥାପି ସେଥିରେ ମଧ୍ୟ ଅନେକ ସମୟରେ ଭାରି ନିରାଶ ହେବାକୁ ପଡ଼ୁଥିଲା ଏବଂ ସେଥିଲାଗି ଆପଣା ଘରେ ବସି ମୁଁ ଯେତେ ଶାନ୍ତି ଓ ଆରାମରେ ଖାଇ ପାରୁଥିଲି, ଅନ୍ୟ କୌଣସି ସ୍ଥାନରେ ସେପରି ସମ୍ଭବ ହେଉନଥିଲା ।

 

ତେଣୁ ଏଣିକି ମୁଁ ମୋର ଶକଟବାହିନୀଗୁଡ଼ିକୁ ପାରଙ୍ଗମ ଓ ବିଶ୍ୱସ୍ତ ପରିକରମାନଙ୍କର ଦାୟିତ୍ୱରେ ବାଣିଜ୍ୟଯାତ୍ରାରେ ପଠାଇ ଦେଉଥିଲି ଏବଂ ସ୍ୱୟଂ ଘରେ ବସି ଶାନ୍ତିରେ କାଳାତିପାତ କରୁଥିଲି ।

 

ଭୃତ୍ରଟିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେବାରେ ଏହିପରି ବ୍ୟସ୍ତ ରହିଥିବା ବେଳେ ହଠାତ୍ ମୁଁ ଅନ୍ତଃପୁର ଭିତରୁ ମୋର ଦୁଇ ସ୍ତ୍ରୀଙ୍କର ପ୍ରଚଣ୍ଡ ଗର୍ଜନତର୍ଜନ ଶୁଣିବାକୁ ପାଇଲି । ଆଜି ଏହି ଗର୍ଜନଟା ଯେପରି ଅନ୍ୟଦିନ ତୁଳନାରେ ଅଧିକ ଉତ୍ତେଜିତ ମନେହେଉଥିଲା, ମନେହେଉଥିଲା ଯେପରି କାନକୁ ଫଟାଇ ଦେଉଥିବା ଏହି ଶବ୍ଦସ୍ରୋତର କୌଣସି ଅନ୍ତ ହିଁ ନାହିଁ ! ଏହିପରି ଏକ ବ୍ୟାଘାତରେ ମୁଁ ବଡ଼ ବିକ୍ଷୁବ୍ଧ ହୋଇ ପଡ଼ିଲି ଓ ଅଧିକ ସହ୍ୟ କରି ନପାରି ଉଠି ଠିଆହେଲି, ପ୍ରଥମେ ଝରକାବାଟେ ଅନାଇଲି ଓ ତାପରେ ଅନ୍ତଃପୁରର ପ୍ରାଙ୍ଗଣରେ ଆସି ଉପସ୍ଥିତ ହେଲି ।

 

ଦୁଆରପାଖରେ ହିଁ ମୁଁ ମୋର ପତ୍ନୀଦ୍ୱୟକୁ ପ୍ରାୟ ପ୍ରମତ୍ତ ଅବସ୍ଥାରେ ଏକତ୍ର ଦେଖିବାକୁ ପାଇଲି । ମୁଁ ଭାବିଥିଲି, ସବୁଦିନପରି ଆଜି ମଧ୍ୟ ଏମାନେ ପରସ୍ପର ସହିତ କଳହରେ ମତ୍ତ ରହିଥିବେ । କିନ୍ତୁ ଆଜି ବିପରୀତ କଥା ଦେଖି ଅବାକ୍ ହୋଇଗଲି । ମୁଁ ଦେଖିଲି, ଆଜି ଦୁହେଁଯାକ ଏକାଠି ହୋଇ ଏକ ସାଧାରଣ ପରିପନ୍ଥୀ ଉପରେ କ୍ରୋଧପୂର୍ଣ୍ଣ ବାକ୍ୟଗଣ ନିକ୍ଷେପ କରିବାରେ ଲାଗିଯାଇଚନ୍ତି । ସେମାନଙ୍କର ପରିପନ୍ଥୀ ବିଚାର ଜଣେ ଭିକ୍ଷୁ କବାଟ ଚଉକାଠକୁ ଆଉଜି ଠିଆ ହୋଇଚନ୍ତି ଏବଂ କୌଣସି ପ୍ରକାରର ପ୍ରତିବାଦ ନକରି ସେମାନଙ୍କର ସମସ୍ତ ବାଣବର୍ଷଣକୁ ସହିବାରେ ଲାଗିଚନ୍ତି । ହଠାତ୍‍ ସେମାନେ ଜଣେ ସନ୍ନ୍ୟାସୀ ଉପରେ କାହିଁକି ଏପରି ପ୍ରଚଣ୍ଡ ହୋଇପଡ଼ିଲେ, ମୁଁ ତାହାର କୌଣସି କାରଣ ଭାବି ସ୍ଥିର କରି ପାରିଲିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମୁଁ ସେ ବିଷୟରେ କିଛି ସ୍ପଷ୍ଟ କରି ଜାଣିନାହିଁ । ମୋର ଅନୁମାନ ହେଉଚି, ମନୁଷ୍ୟ ସଂସାର ଓ ସନ୍ତାନସମ୍ଭବ ପ୍ରତି ବିଶ୍ୱାସଘାତ କରି ସଂସାର ଛାଡ଼ି ଯାଇଥିବା ଏକ ପୁରୁଷକୁ ଦୁଆର ମୁହଁରେ ଠିଆ ହୋଇଥିବାର ଦେଖି ମୋର ଦୁଇ ପତ୍ନୀଙ୍କର ମାତୃତ୍ୱ-ପ୍ରବୃତ୍ତି ଅତି ପ୍ରବଳ ଭାବରେ ଆହତ ହୋଇ ଉଠିଚି, ସେମାନେ ତାହାକୁ ସ୍ତ୍ରୀଜାତିର ଶତ୍ରୁ ବୋଲି ମନେ କରିଚନ୍ତି ଓ ଦୁଇଟି ନେଉଳ ଏକାଠି ଗୋଟିଏ ନାଗସାପକୁ ଆକ୍ରମଣ କଲାପରି ସେମାନେ ସନ୍ନ୍ୟାସୀଙ୍କୁ ଯାଇ ଆକ୍ରମଣ କରିଚନ୍ତି ।

 

ପଳା ଏଠୁ, ଲଣ୍ଡାମୁଣ୍ଡିଆ ବବାଜୀ, ଘରଛାଡ଼ା ଭିକମଗା ଯୋଗୀ । ତୋ’ ମୁହଁକୁ ଟିକିଏ ହେଲେ ଲାଜ ନାହିଁ । ଦେଖିବଟି ତାକୁ, ସେ କିପରି କାନ୍ଧ ଦୁଇଟାକୁ ବଙ୍କାକରି ସେଠି ଠିଆ ହୋଇଚି ଓ ବଲବଲ କରି ଅନାଇ ରହିଚି ! ତପସ୍ୱୀ ନା ଭଣ୍ଡତପସ୍ୱୀ ! ପଳା ଏଠୁ, କାଙ୍ଗାଳ ଭିକାରି, ଅଳସୁଆ, ଲଣ୍ଡାମୁଣ୍ଡିଆ ବାବାଜୀ !

 

ଏହିସବୁ ଗାଳି ଓ ଭର୍ତ୍ସନାର ଶିକାର ହେଉଥିବା ଭିକ୍ଷୁଟି ଆଡ଼କୁ ମୁଁ ଦୃଷ୍ଟିପାତ କରି ଦେଖିଲି । ଅସାଧାରଣ ଭାବରେ ଉଚ୍ଚ ମଣିଷ, ଅତି ଶାନ୍ତ ଓ ଅବିଚଳିତ ଭାବରେ ସେ ଦୁଆର ଚଉକାଠକୁ ଆଉଜି ଠିଆ ହୋଇଥାନ୍ତି । କର୍ଣ୍ଣିକାର ପୁଷ୍ପର ରଙ୍ଗପରି ହଳଦିଆ ରଙ୍ଗର ଗୋଟିଏ ଉତ୍ତରୀୟ ସେ ଦେହଉପରେ ପକାଇଥାନ୍ତି, ଠିକ୍ ଆପଣଙ୍କ ଉତ୍ତରୀୟପରି ଗୋଟିଏ ଉତ୍ତରୀୟ । ଉତ୍ତରୀୟଟି ବଡ଼ ସୁନ୍ଦର ଭାଙ୍ଗରେ ତାଙ୍କର ବାମକାନ୍ଧରୁ ପାଦପର୍ଯ୍ୟନ୍ତ ଲମ୍ବିକରି ରହିଥାଏ । ତାହାରି ଅନ୍ତରାଳରୁ ମୁଁ ତାଙ୍କର ସବଳ ଓ ସୁଗଠିତ ଶରୀର ବିଷୟରେ ଅନେକ ଅନୁମାନ କରିପାରିଲି । ତଳକୁ ଝୁଲିକରି ରହିଥିବା ଦକ୍ଷିଣ ହାତଟି ଅନାଚ୍ଛାଦିତ ଥାଏ, ସେହି ହସ୍ତ ଓ ସେହି ବାହୁର ମାଂସପେଶୀ ଦେଖି ମୁଁ ଅବାକ୍‍ ନହୋଇ ରହି ପାରିଲିନାହିଁ । କେବଳ ଜଣେ ସର୍ବଗୁଣସମ୍ପନ୍ନ କ୍ଷତ୍ରିୟର ହିଁ ଏପରି ଦେହାକୃତି ସମ୍ଭବ ହୋଇପାରିବ । କିନ୍ତୁ ଏହି ସନ୍ନ୍ୟାସୀ ଏପରି ଏକ ଦେହ କେଉଁଠୁ ପାଇଲେ ? ତାଙ୍କର ଲୌହଦଣ୍ଡସମ ସୁପୁଷ୍ଟ ହାତରେ ମୃତ୍ତିକାନିର୍ମିତ ଭିକ୍ଷାପାତ୍ରଟି ଦେଖି ମଧ୍ୟ ମୋତେ ଭାରି ଅଦ୍ଭୁତ ଲାଗିଲା । ଆନତ ଦୃଷ୍ଟିରେ ସେ ଟିକିଏ ଆଗକୁ ଢଳିପଡ଼ି ଠିଆ ହୋଇ ରହିଥାନ୍ତି, ତାଙ୍କର ମୁଖରୁ ସେ କୌଣସି କଥା କହିବାକୁ ଇଚ୍ଛା କରୁଥିବାର କୌଣସି ଇଙ୍ଗିତ ମିଳୁନଥାଏ । ତାଙ୍କୁ ସେହିପରି ନିଷ୍ପଦ ଅବିଚଳିତ ଭାବରେ ସେଠାରେ ଠିଆ ହୋଇଥିବାର ଦେଖି ମନେ ହେଉଥାଏ, ଯେପରି କୌଣସି ମୂର୍ତ୍ତିକାର ଜଣେ ପରିବ୍ରାଜକ ସନ୍ନ୍ୟାସୀଙ୍କର ଏକ ପ୍ରସ୍ତରମୂର୍ତ୍ତି ଗଢ଼ି ଥୋଇଦେଇଚି ଏବଂ ପରେ ସେହି ମୂର୍ତ୍ତିରେ ରଙ୍ଗଦେଇ ତା’ପରେ ଲୁଗା ପିନ୍ଧାଇ ଦେଇଚି । ଏବଂ ଆପଣାର ଉଦାର ଦାନଶୀଳତାର ପରିଚୟ ଦେବା ଉଦ୍ଦେଶ୍ୟରେ ମୁଁ ସେହି ମୂର୍ତ୍ତିଟିକୁ ଆଣି ମୋର ଦ୍ୱାରଦେଶରେ ଠିଆ କରାଇ ଦେଇଚି ।

 

ସନ୍ନ୍ୟାସୀଙ୍କର ଏହି ଅବିଚଳିତ ବ୍ୟବହାର ଦେଖି ମୁଁ ତାଙ୍କର ବିନୟଶକ୍ତିର ପରିଚୟ ପାଇଲି । କିନ୍ତୁ ଠିକ୍ ଏଇ ଲକ୍ଷଣକୁ ମୋର ଦୁଇ ପତ୍ନୀ ତାଙ୍କୁ କପଟୀ ଭଣ୍ଡ ବୋଲି ମନେକଲେ ଏବଂ ତାଙ୍କ ପ୍ରତି ଅଧିକ ଅଶ୍ରଦ୍ଧା ପ୍ରଦର୍ଶନ କରିବାକୁ ଲାଗିଲେ । ଏବଂ ମୁଁ ଯଦି ତତ୍‍କ୍ଷଣାତ୍‍ ସେଠାରେ ପ୍ରବେଶ କରି ମୋର ଦୁଇ ପତ୍ନୀଙ୍କୁ ଏହି କଳହରୁ ନିବୃତ୍ତ କରି ସେମାନଙ୍କୁ ଅନ୍ତଃପୁର ଭିତରକୁ ପଠାଇଦେଇ ନଥାନ୍ତି, ତେବେ ସେମାନେ ହୁଏତ ସନ୍ନ୍ୟାସୀଙ୍କର ଶରୀର ଉପରେ ମଧ୍ୟ ଆଘାତ ପହୁଞ୍ଚାଇବାକୁ କଦାପି ପଶ୍ଚାତ୍‍ପଦ ହୋଇ ନଥାନ୍ତେ । ସ୍ତ୍ରୀ ଦୁହେଁ ଚାଲିଯିବାପରେ ମୁଁ ସନ୍ନ୍ୟାସୀଙ୍କର ପାଖକୁ ଯାଇ ଭକ୍ତିଭରେ ପ୍ରଣାମ କଲି ଓ ପଚାରିଲି :

 

ହେ ଭଦ୍ର, ଏକ ଦୁଇ ରମଣୀ ଉତ୍ତେଜିତ ହୋଇ ଆପଣଙ୍କ ପ୍ରତି ଯେଉଁ କୁବାକ୍ୟମାନ ପ୍ରୟୋଗ କରିଚନ୍ତି, ଆପଣ ଅନୁଗ୍ରହ କରି ସେଗୁଡ଼ାକୁ ଦେହକୁ ନେବେ ନାହିଁ । ସେମାନଙ୍କର ବୁଦ୍ଧି ଓ ବୋଧଶକ୍ତି ଅତି ଅଳ୍ପ । ତେଣୁ ମୁଁ ବିନୀତ ଭାବରେ ପ୍ରାର୍ଥନା କରୁଚି, ଯେପରି ସନ୍ନ୍ୟାସୀଙ୍କର କ୍ରୋଧବହ୍ନିର କୌଣସି ଦାହ ମୋ’ର ସଂସାର ଉପରେ ନ ଲାଗେ ! ମୋର ଭଣ୍ଡାରର ସର୍ବଶ୍ରେଷ୍ଠ ସମ୍ପଦ ଦେଇ ମୁଁ ଆପଣଙ୍କର ଶୂନ୍ୟ ଭିକ୍ଷାପାତ୍ର ଭରିଦେବାକୁ ପ୍ରସ୍ତୁତ ଅଛି । ମୁଁ ଏହାକୁ ଠିକ୍‍ ଫନ୍ଦ ପର୍ଯ୍ୟନ୍ତ ପୂର୍ଣ୍ଣ କରିଦେବି, ଯେପରିକି ଆୁ କାହାରିଠାରୁ କିଛି ଗ୍ରହଣ କରିବାଲାଗି ଏଥିରେ ଆଉ କୌଣସି ସ୍ଥାନ ନଥିବ ଏବଂ ଯେପରି ମୋ ବ୍ୟତୀତ ଆଜି କୌଣସି ପ୍ରତିବେଶୀ ଆପଣଙ୍କୁ ଆପ୍ୟାୟିତ କରିଥିବାର ଶ୍ରେୟ ନେଇ ପାରିବନାହିଁ । ମହାଭାଗ, ଆପଣ ଆସି ଦୁର୍ଭାଗ୍ୟବଶତଃ ଏକ ଅନୁଦାର ଗୃହସ୍ଥର ଦ୍ୱାରରେ ଆସି ପହଞ୍ଚି ଯାଇଚନ୍ତି ବୋଲି କଦାପି ମନରେ ବିଚାର କରନ୍ତୁ ନାହିଁ । ମୋ’ର ଭିକ୍ଷା ଆପଣଙ୍କର ଗ୍ରାହ୍ୟ ହେବବୋଲି ମୁଁ ଆଶା କରୁଚି–‘କାରଣ ଭୋଜନ କରିବ ତ ଠିକ୍‍ ଶ୍ରେଷ୍ଠୀପୁତ୍ର କାମନୀତର ଗୃହରେ ଭୋଜନ କଲାପରି କରିବ’–ସମସ୍ତ ଉଜ୍ଜୟିନୀରେ ଲୋକମୁଖରେ ଏହିପରି ଏକ ପ୍ରବାଦ ରହିଚି । ମୁଇଁ ହେଉଚି କାମନୀତ । ମୋର ଏକାନ୍ତ ପ୍ରାର୍ଥନା, ଯାହା ହୋଇଯାଇଚି ସେଥିରେ ଆପଣ କୌଣସି ପ୍ରକାଶ କରନ୍ତୁନାହିଁ ଓ ମୋର ଗୃହକୁ ବର୍ଜନ କରି ଚାଲି ଯାଆନ୍ତୁ ନାହିଁ ।

 

ସନ୍ନ୍ୟାସୀ ମୁଖ ଖୋଲିଲେ । ସେ ପ୍ରକୃତରେ ଅପ୍ରସନ୍ନ ହୋଇ ପଡ଼ିଥିଲେ ବୋଲି କଦାପି କୁହାଯାଇ ପାରିବ ନାହିଁ । ସେ କହିଲେ : –

 

ହେ ଗୃହସ୍ୱାମୀ, ଏହାଠାରୁ ଆହୁରି ଅଧିକ କର୍କଶ ଓ ଅପ୍ରୀତିପୂର୍ଣ୍ଣ ବ୍ୟବହାର ମୋତେ କେତେଥର ସହିବାକୁ ହୋଇଚି, ତେଣୁ ଏହି ସାମାନ୍ୟ ବ୍ୟାପାରରେ ମୁଁ କ୍ରୁଦ୍ଧ ହେବାର ପ୍ରଶ୍ନ ଉଠୁଚି କୁଆଡ଼ୁ ? ଥରକର କଥା ଶୁଣ । ଦିନେ ଦେହରେ ଉତ୍ତରୀୟ ପକାଇ ଓ ହାତରେ ଭିକ୍ଷାପାତ୍ର ଧରି ମୁଁ ସକାଳେ ଭିକ୍ଷାସଂଗ୍ରହ କରିବାକୁ ଏକ ସହର ଭିତରକୁ ଗଲି । କିନ୍ତୁ ଠିକ୍‍ ସେହିସମୟରେ ମାର ବ୍ରାହ୍ମଣ ଓ ଗୃହସ୍ୱାମୀମାନଙ୍କୁ ଭିକ୍ଷୁ ସମ୍ପ୍ରଦାୟ ବିରୁଦ୍ଧରେ ଉତ୍ତେଜିତ କରି ରଖିଥିଲା–‘‘ଓଃ, ଏଇ ଧାର୍ମିକ ଓ ଉଦାର ହୃଦୟ ବୋଲାଇଥିବା ଭିକ୍ଷୁଗୁଡ଼ାକ ? ସେମାନଙ୍କୁ ନଗରରୁ ବାହାର କରିଦିଅ, ଯାବତୀୟ ପ୍ରକାରେ ସେମାନଙ୍କର ଅପମାନ କର, ସେମାନଙ୍କୁ ଧରି କଠୋର ଶାସ୍ତି ଦିଅ ।’’ ଏବଂ ସେଦିନ ଠିକ୍‍ ତାହାହିଁ ହେଲା । ମୁଁ ସହର ଭିତରେ ପ୍ରବେଶ କଲାମାତ୍ରକେ ହଠାତ୍‍ ମୋ’ ମୁଣ୍ଡରେ ଗୋଟାଏ ପଥର ଆସି ବାଜିଲା, ଏପାଖରୁ ଖଣ୍ଡେ ଖପରା ଆସି ମୁହଁ ଉପରେ ପଡ଼ିଲା, ମୋର ବାହୁ ଉପରେ ଠେଙ୍ଗାର ପ୍ରହାର ହେଲା । ମୋର ମୁଣ୍ଡରୁ ଧାରଧାର ହୋଇ ରକ୍ତ ବୋହିଯାଉଥାଏ, ଭଙ୍ଗା ଭିକ୍ଷାପାତ୍ର ଏବଂ ଛିଣ୍ଡା ଅଙ୍ଗବସ୍ତ୍ର ନେଇ ମୁଁ ଗୁରୁଦେବଙ୍କ ପାଖକୁ ଫେରିଆସିଲି । ମୋତେ ଆଶ୍ୱାସନା ଦେଇ ସେ କହିଲେ–‘‘ଭିକ୍ଷୁ, ଅଧୀର ହୁଅନାହିଁ, ଅବଚଳିତ ଭାବରେ ଏହାକୁ ସହନ କର-। ଆପଣାର ଯେଉଁ ସବୁ କର୍ମ ସକାଶେ ତୁମକୁ ଦିନେ-ନା-ଦିନେ ନରକରେ ଭୟାବହ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ, ବର୍ତ୍ତମାନ ଏହି ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ, ବର୍ତ୍ତମାନ ଏହି ଜନ୍ମର ଏହିସବୁ କଷ୍ଟଭୋଗରେ ସେହି ଦଣ୍ଡଭୋଗ କଟି କଟି ଯିବାକୁ ଆରମ୍ଭ କରୁଚି ।’’

 

ତାଙ୍କର ମୁଖରୁ ଉଚ୍ଚାରିତ ଏହି କଥାପଦକ ଶୁଣିବା ସଙ୍ଗେ ସଙ୍ଗେ ହଠାତ୍ ମୁଁ ଆପାଦମସ୍ତକ ଭୟାଭିଭୂତ ହୋଇପଡ଼ିଲି, ତା’ପରେ ତାଙ୍କର ପ୍ରତ୍ୟେକଟି ଶବ୍ଦରେ ମୋ’ର ଶରୀର ଭିତରଟାଯାକ ଅଧିକରୁ ଅଧିକ କାଠ ହୋଇଗଲା ପରି ମନେହେଲା । ମୁଁ ଭାବିଲି, ଇଏତ ଅବିକଳ ଦସ୍ୟୁଦଳପତି ଅଙ୍ଗୁଳିମାଳାର କଣ୍ଠସ୍ୱର ପରି ଶୁଣାଯାଉଚି ! ସନ୍ଦେହ କରିବାର ଆଉ କୌଣସି ଅବକାଶ ନଥିଲା । ସେଇଠୁ ମୁଁ ଡରିଡରି ସନ୍ନ୍ୟାସୀଙ୍କର ମୁଖମଣ୍ଡଳ ଉପରେ ଦୃଷ୍ଟିପାତ କରି ଦେଖିଲି । ସେହି ମୁଖରେ ଆଗରୁ ଏଡ଼େ ଏଡ଼େ ନିଶଦାଢ଼ି ଥିଲା । ବର୍ତ୍ତମାନ ସନ୍ନ୍ୟାସୀ ମୁଣ୍ଡିତ ମସ୍ତକ ଓ ତାଙ୍କର ମୁହଁରେ ଦାଢ଼ିନିଶ କିଛି ନାହିଁ । ତଥାପି ମୁଁ ଅଙ୍ଗୁଳିମାଳାର ମୁହଁକୁ ଠିକ୍‍ ଚିହ୍ନି ପାରିଥିଲି । ସେହି ମୁଖରେ ଥିବା ଘନ ଭୂରୁତଳର ସେହି ଆଖିଦୁଇଟିର ମୁଁ ମୁହଁଟିକୁ ଆହୁରି ଭଲକରି ଚିହ୍ନିପାରିଲି, କିନ୍ତୁ ଏହି ଆଖି ଆଗପରି ମୋ’ ଉପରେ କ୍ରୋଧାଗ୍ନି ବର୍ଷଣ କରୁନଥିଲା । ଅଙ୍ଗୁଳିମାଳା ଅତ୍ୟନ୍ତ ସୁହୃତ୍‍ ସୁଲଭ ଦୃଷ୍ଟିରେ ମୋଆଡ଼କୁ ଅନାଇ ରହିଥିଲା ଏବଂ ଆପଣାର ଆଙ୍ଗୁଠିଗୁଡ଼ିକୁ ମେଲାଇ ସେ ଭିକ୍ଷାପାତ୍ରଟି ଧରିଥିଲା । ଦିନେ ଏହି ଆଙ୍ଗୁଠିଗୁଡ଼ିକ ସଇତାନର ପଞ୍ଝାପରି ମୋର ତଣ୍ଟିକୁ ଚିପି ମୋତେ ମାରିଦେବାକୁ ବସିଥିଲା ।

 

ଅପ୍ରସ୍ତୁତ ହୋଇ ମୋର ଅତିଥି କହିଲେ–ଗୃହସ୍ୱାମୀ, ଏହି ସାମାନ୍ୟ ଗାଳିକୁ ସହ୍ୟକରି ନପାରି ମୁଁ କ୍ରୁଦ୍ଧ ହେବାକୁ ଯିବି କାହିଁକି ? ମୋର ଗୁରୁଦେବ ମୋତେ କହିଛନ୍ତି–‘‘ହେ ମୋର ଶିଷ୍ୟ, ଦସ୍ୟୁ ଓ ଘାତକମାନେ ଆସି ତୁମର ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ କରତ ସାହାଯ୍ୟରେ କାଟି ପକାଇଲେ ମଧ୍ୟ ଯିଏ ସେଥିରେ କ୍ରୋଧ ପ୍ରକାଶ କରିବ, ସେ ନିଶ୍ଚୟ ମୋର ଉପଦେଶକୁ ଲଙ୍ଘନ କରିବ ।’’

 

ଏହିସବୁ କଥା ଶୁଣିସାରିବା ବେଳକୁ ଭୟରେ ମୋର ସର୍ବାଙ୍ଗ ଶରୀର କମ୍ପିବାରେ ଲାଗିଥିଲା ଏବଂ କାଳେ ତଳେ ପଡ଼ିଯିବି, ଏହି ଆଶଙ୍କାରେ ମୁଁ କାନ୍ଥକୁ ଢିରା ଦେଇ ଠିଆହୋଇ ରହିଲି । ପ୍ରାଣପଣ ଚେଷ୍ଟାକରି ଆପଣାକୁ ପ୍ରକୃତିସ୍ଥ କରିବାକୁ ସଂଗ୍ରାମ କରୁଥିଲେ ମଧ୍ୟ ତଥାପି ମୋର ମୁଖରୁ ଗୋଟିଏ ହେଲେ ଶବ୍ଦ ବାହାରିଲା ନାହିଁ ଏବଂ ମୁଁ ଘରକୁ ଯାଇ ଭିକ୍ଷା ଆଣି ଦେବାପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ମୁଁ ଭିକ୍ଷୁବେଶଧାରୀ ସେହି ଭିକ୍ଷୁକଙ୍କୁ ଇସାରା ଦେଇ ଜଣାଇଥିଲି ।

 

ମୋର ଗୋଡ଼ଦୁଇଟା ଠକଠକ ହୋଇ କମ୍ପୁଥାଏ । ତଥାପି ମୁଁ ଦୁଆରବାଟେ ତରତର ହୋଇ ପାକଶାଳାକୁ ଦଉଡ଼ିଗଲି । ସେତେବେଳେକୁ ମୋର ପରିବାର ଓ ଲୋକବାକଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥାଏ । ତରତର ହୋଇ ମୋତେ ଭିକ୍ଷୁକପାଇଁ କେତେଟା ସୁସ୍ୱାଦୁ ଖାଦ୍ୟ ବାଛି ନେବାକୁ ହେଲା । ମୁଁ ଆଗରେ ସୁନାର ଡଙ୍କା ଧରି ଚାଲିଲି ଓ ମୋର ପଛେପଛେ ଦଳେ ଭୃତ୍ୟ ଖାଦ୍ୟପାତ୍ର ନେଇ ଆସିବାକୁ ଲାଗିଲେ । ମୋର ଭୟଙ୍କର ଅତିଥିଙ୍କର ସେବା ଓ ସତ୍କାରଲାଗି ଆମେ ସମସ୍ତେ ବାହାରକୁ ଆସି ପ୍ରାଙ୍ଗଣରେ ପହଞ୍ଚିଲୁ ।

 

କିନ୍ତୁ ସେତେବେଳକୁ ଅଙ୍ଗୁଳିମାଳା ସେଠାରୁ ଅନ୍ତର୍ହିତ ହୋଇଯାଇଥିଲା ।

Image

 

୧୬

Unknown

ସଜବାଜ

 

ମୋର ଶରୀରରୁ ଅଧା ପ୍ରାଣ ଛାଡ଼ିଗଲା ପରି ମନେହେଲା । ମୁଁ ସେହିଠାରେ ଥିବା ଗୋଟିଏ ବେଞ୍ଚ୍ ଉପରେ ନଥ୍‍କରି ବସିପଡ଼ିଲି । ତଥାପି ମସ୍ତିଷ୍କ ଅଙ୍ଗୁଳିମାଳା, ଏଥିରେ ଆଉ ଲେଶମାତ୍ର ସନ୍ଦେହ ନାହିଁ । ସେ କାହିଁକି ଏଠାକୁ ଆସିଥିଲା, ତାହାର କାରଣ ମଧ୍ୟ ମୋ’ ଆଗରେ ଅତ୍ୟନ୍ତ ସ୍ପଷ୍ଟ ହୋଇଗଲା । ତାର କ୍ରୋଧ ଏବଂ ପ୍ରତିଶୋଧ ନେବାର ପ୍ରବଳ ପିପାସା ବିଷୟରେ ମୁଁ କେତେକେତେ କାହାଣୀ ନ ଶୁଣିଚି ! ଦୁର୍ଭାଗ୍ୟବଶତଃ ମୁଁ ଅଙ୍ଗୁଳିମାଳାର ସବୁଠାରୁ ଅନ୍ତରଙ୍ଗ ବନ୍ଧୁକୁ ହତ୍ୟା ମଧ୍ୟ କରିଚି । ମୁଁ ଯେତେବେଳେ ତା’ର ହାତରେ ବନ୍ଦୀ ହୋଇ ରହିଥିଲି, ସେତେବେଳେ ମୋତେ ହତ୍ୟା କରିବା ତା’ର ଦଳର ବିଧାନବିରୁଦ୍ଧ ଥିଲା । ତଥାପି ସେ ମୋତେ ମାରିବାଲାଗି ଦୁଇଥର ଉଦ୍ୟମ କରିଚି । ସେପରି କରିଥିଲେ ଦସ୍ୟୁ ହିସାବରେ ରହିଥିବା ତା’ର ସମ୍ମାନ ଉପରେ ଚିରଦିନ ଲାଗି ଏକ କଳଙ୍କ ଲାଗିଯାଇ ଥାଆନ୍ତା । ବର୍ତ୍ତମାନ ସେ ଆପଣାର ଅଞ୍ଚଳ ଛାଡ଼ି ଏହି ଅଞ୍ଚଳକୁ ଆସିଚି ସେତେବେଳେ ସେ ଯାହାକୁ ହାତରୁ ଛାଡ଼ିବାକୁ ବାଧ୍ୟ ହୋଇଚି ପୁଣି ତାହାକୁ ହିଁ ସେ ବର୍ତ୍ତମାନ ଧରିବାର ଉଦ୍ୟମ କରୁଚି । ସନ୍ନ୍ୟାସୀର ବେଶ ଧରି ସେ ବର୍ତ୍ତମାନ ସ୍ଥାନଟିକୁ ଦେଖିଯିବାପାଇଁ ଆସିଥିଲା ଏବଂ ଆଜି ରାତିରେ ଯେ ସେ ଦଳବଳ ଘେନି ଏଠାକୁ ଆସିବ, ଏଥିରେ ଆଉ ସନ୍ଦେହ କରିବାର କ’ଣ ଅଛି ? ଅବଶ୍ୟ ମୁଁ ତାକୁ ଚିହ୍ନିପାରିଚି ବୋଲି ସେ ନିଶ୍ଚୟ ଲକ୍ଷ୍ୟ କରିଥିବ । ତଥାପି ଆଜି ହେଉଚି ଅମାବାସ୍ୟା ରାତି, ଏହି ସୁଯୋଗ ସେ କଦାପି ଛାଡ଼ିବ ନାହିଁ । କାରଣ ଶୁକ୍ଳପକ୍ଷରେ ଡକାଇତି କଲେ ସେ ପୁଣି ଆପଣା ଦଳର ନିୟମଭଙ୍ଗ କରିବ ଏବଂ ତାହାଫଳରେ କରାଳମୂର୍ତ୍ତି ଦେବୀ କାଳୀଙ୍କର କ୍ରୋଧ ଅବଶ୍ୟ ତାହା ଉପରେ ଆସି ପଡ଼ିବ ।

 

ସଙ୍ଗେ ସଙ୍ଗେ ମୁଁ ଘୋଡ଼ାଚଢ଼ି ରାଜପ୍ରସାଦକୁ ବାହାରିଗଲି । ରାଜାଙ୍କ, ସହିତ ସାକ୍ଷାତ କରିବା ମୋ’ ପକ୍ଷରେ ଆଦୌ କଷ୍ଟକର ହୋଇନଥାନ୍ତା । କିନ୍ତୁ ସେଠାକୁ ଯାଇ ଶୁଣିଲି ଯେ ରାଜା ବର୍ତ୍ତମାନ ଅନ୍ୟତ୍ର ତାଙ୍କର ଏକ ଶିକାର-ଦୁର୍ଗ ଶିବିରରେ ଅବସ୍ଥାନ କରୁଛନ୍ତି । ଏକଥା ଶୁଣି ମୋତେ ଅତ୍ୟନ୍ତ ନିରାଶ ହେବାକୁ ପଡ଼ିଲା । ତେବେ ମୋତେ ବାଧ୍ୟ ହୋଇ ମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବାକୁ ହେବ । ଯେଉଁ ରାଜଦୂତଙ୍କ ଗହଣରେ ମୁଁ ପ୍ରଥମଥର ବାଣିଜ୍ୟଯାତ୍ରାରେ କୌସାମ୍ବି ଯାଇଥିଲି, କିନ୍ତୁ ଯାହାଙ୍କ ସହିତ ପୁଣି ଉଜ୍ଜୟିନୀ ଫେରିବାକୁ ଅମଙ୍ଗ ହୋଇଥିଲି, ସେହି ବର୍ତ୍ତମାନ ରାଜ୍ୟର ମନ୍ତ୍ରୀ ହୋଇଥିଲେ । ସେଦିନଠାରୁ ସେ ମୋ’ ଉପରେ ଭାରି ଅପ୍ରସନ୍ନ ଥିଲେ ଏବଂ ମୋର ସ୍ୱଭାବ ଓ ଚରିତ୍ର ବିଷୟରେ ସେ କେତେ ଜଗାରେ କେତେକ ମତ ପ୍ରକାଶ କରିଥିବା ବିଷୟ ମଧ୍ୟ ମୋତେ ଜଣାଥିଲା । ତେଣୁ ବର୍ତ୍ତମାନ ଯାଇ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ବାଦଟି ତାଙ୍କୁ ଦେବା ମୋର ଉଚିତ ମନେ ହେଲାନାହିଁ । ଏବଂ ତଥାପି ଏହି ଘଟଣାଟି ଏତେ ଜରୁରୀ ଥିଲା ଏବଂ ଏତେଶୀଘ୍ର ପ୍ରତିକାର ଆବଶ୍ୟକ କରୁଥିଲା ଯେ ଏଥିରେ ବ୍ୟକ୍ତିଗତ ମତାମାତଲାଗି କୌଣସି ସ୍ଥାନ ନଥିଲା ।

 

ଯଥାସମ୍ଭବ ସଂକ୍ଷିପ୍ତ ଓ ସ୍ପଷ୍ଟ କରି ମୁଁ ତାଙ୍କୁ ସମସ୍ତ ବୃତ୍ତାନ୍ତଟି କହିଲି । ବର୍ତ୍ତମାନ ମୋ’ ଘରେ ଯେଉଁ ଘଟଣାଟି ଘଟିଲା ଏବଂ ଏଥିରୁ ଯେଉଁ ଅବଶ୍ୟମ୍ଭାବୀ ଘଟଣା ଘଟିବବୋଲି ମୁଁ ଆଶଙ୍କା କରୁଚି, ମୁଁ ତାଙ୍କୁ ସେହି ବିଷୟରେ ସବୁକଥା ବୁଝାଇ କହିଥିଲି ଏବଂ ଆଜି ରାତିରେ ମୋର ଗୃହକୁ ଦସ୍ୟୁଦଳର ଆକ୍ରମଣରୁ ରକ୍ଷା କରିବାପାଉଁ ମୋର ଗୃହ ଓ ଉଦ୍ୟାନରେ ଦଳେ ସୈନ୍ୟଙ୍କୁ ନିଯୁକ୍ତ କରାଯାଉ ବୋଲି ଅନୁରୋଧ କରିଥିଲି ।

 

ମନ୍ତ୍ରୀ ମହାଶୟ ନୀରବରେ ମୋର କଥା ଶୁଣୁଥିଲେ । ତାଙ୍କର ଓଷ୍ଠ ଉପରେ ଏକ ଦରସ୍ମିତର ରେଖା ଅଙ୍କିତ ହୋଇ ରହିଥିଲା । ତା’ପରେ ସେ ଉତ୍ତର ଦେଲେ : –

 

ବାକୁ କାମନୀତ, ମୋର ମନେହେଉଚି ତୁମେ ଆଜି ସକାଳୁ ବୋଧହୁଏ କୌଣସି ଉତ୍ତେଜକ ସୁରାପାନ କରି ଏଠାକୁ ଆସିଚ ବା କାଲି ରାତିରେ ସେବନ କରିଥିବା ସୁରାର ନିଶା ଏପର୍ଯ୍ୟନ୍ତ ତୁମଠାରୁ ଛାଡ଼ି ଯାଇନାହିଁ, ଅଥବା ନାନାପ୍ରକାର ରାଜସିକ ଭୋଜନରେ ତୁମର ପେଟ ଏପରି ଖରାପ ହୋଇଯାଇଚି ଯେ, କେବଳ ରାତିରେ ନୁହେଁ, ଦିନରେ ମଧ୍ୟ ତୁମେ ବିକୃତ ସ୍ୱପ୍ନମାନ ଦେଖିବାକୁ ଆରମ୍ଭ କରିବ । ତୁମର ଚମତ୍କାର ଗପଟିକୁ ଶୁଣିବାପରେ ମୁଁ ଠିକ୍ଏହିପରି ଅନୁମାନ କରିବାକୁ ବାଧ୍ୟ ହେଉଚି, କାରଣ ଆମେ ସମସ୍ତେ ଜାଣିଚୁ ଯେ ଅଙ୍ଗୁଳିମାଳା କୋଉଦିନୁ ନିହତ ହୋଇସାରିଚି !

 

ଏହି ଜନରବ ଏକ ମିଥ୍ୟା ଜନରବ–ମୁଁ ଅଧୀର ହୋଇ ଉତ୍ତର ଦେଲି ।

 

ଅତି କର୍କଶ କଣ୍ଠରେ ସେ ତୀକ୍ଷ୍ମ ଭାବରେ ଉତ୍ତର ଦେଲେ -କିନ୍ତୁ ମୁଁ ଏହା ମାନିବାକୁ ପ୍ରସ୍ତୁତ ନୁହେଁ । ଏହି ଜନରବ କଦାପି ମିଥ୍ୟ ଜନରବ ନୁହେଁ । କାରଣ ଘଟଣାଟି ଘଟିବାର ଅଳ୍ପ କେତେଦିନ ପରେ ନିଜେ ଶତଗୀର କୌସାମ୍ବିରେ ମୋତେ କହିଚି ଯେ ମନ୍ତ୍ରୀନିବାସର ଭୂମିତଳ ବର୍ତ୍ମରେ ଅଙ୍ଗୁଳିମାଳାକୁ ନିହତ କରାଯାଇଚି । ସହରର ପୂର୍ବତୋରଣରେ ମଧ୍ୟ ମୁଁ ଅଙ୍ଗୁଳିମାଳାର ଛିନ୍ନମୁଣ୍ଡ ଝୁଲୁଥିବାର ନିଜେ ଦେଖିଆସିଚି ।

 

ମୁଁ ପୁଣି କହିଲି–ଆପଣ ପ୍ରକୃତରେ କାହାର ମୁଣ୍ଡ ଦେଖିଚନ୍ତି, ମୁଁ ସେକଥା କହି ପାରିବିନାହିଁ । କିନ୍ତୁ ମୁଁ ତଥାପି ଦୃଢ଼ ଭାବରେ କହିପାରିବି ଯେ ପ୍ରାୟ ଘଣ୍ଟାକ ପୂର୍ବେ ମୁଁ ଅଙ୍ଗୁଳିମାଳାକୁ ଜୀବନ୍ତ ଦେଖିଆସିଲି । ଆପଣ ମୋର କଥାକୁ ହସରେ ଉଡ଼ାଇ ଦେଇପାରନ୍ତି, କିନ୍ତୁ ଏହି ସୁଯୋଗ…..

 

ମନ୍ତ୍ରୀ ବିଦ୍ରୂପ କରି କହିଲେ–ସୁଯୋଗ ? ଗୋଟାଏ ମୃତ ବ୍ୟକ୍ତିକୁ ପୁଣି ହତ୍ୟାକରିବାର ଆୟୋଜନ କରି ହାସ୍ୟାସ୍ପଦ ହେବାର ସୁଯୋଗ ? ଏହି ପରାମର୍ଶ ସକାଶେ ତୁମକୁ ଅନେକ ଧନ୍ୟବାଦ !

 

କିନ୍ତୁ ଆପଣଙ୍କୁ ମୁଁ ବିନୀତ ପ୍ରାର୍ଥନା କରି କହୁଚି ଯେ ମୋର ବାସଗୃହ ଓ ଉଦ୍ୟାନ ବର୍ତ୍ତମାନ ବଡ଼ ବିପଦଗ୍ରସ୍ତ ହେବାକୁ ଯାଉଚି । ଏହି ବାସଗୃହଟି ଉଜ୍ଜୟିନୀର ଏକ ଅମୂଲ୍ୟ ସମ୍ପଦ ବୋଲି ସର୍ବତ୍ର ସ୍ୱୀକୃତ ହୋଇଆସିଚି । ନିଜେ ରାଜା ମଧ୍ୟ ଏହିକଥା ସ୍ୱୀକାର କରି ସେହି ବାସଗୃହଟି ଦେଖିବାଲାଗି ସେଠାରେ ପଦାର୍ପଣ କରିଚନ୍ତି । ତାଙ୍କ ରାଜଧାନୀର ଏପରି ଏକ ସମ୍ପଦ ଅଙ୍ଗୁଳିମାଳା ହାତରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲେ ସେ ଆପଣଙ୍କ ଉପରେ କଦାପି ପ୍ରସନ୍ନ ହେବେନାହିଁ ।

 

ମନ୍ତ୍ରୀ ନିର୍ଲଜ୍ଜ ଭାବରେ ହସିକରି କହିଲେ–ସେଥିପାଇଁ ମୋର କୌଣସି ଚିନ୍ତା ନାହିଁ । ମୁଁ ଯେପରି କହୁଚି, ବର୍ତ୍ତମାନ ତୁମେ ସେହିପରି କର । ଆପଣା ଘରକୁ ଯାଇ ଟିକିଏ ଶୋଇପଡ଼ । ଶୋଇପଡ଼ିଲେ ତୁମର ମୁଣ୍ଡ ଅନେକ ପରିମାଣରେ ଥଣ୍ଡା ହୋଇଯିବ । ଅଙ୍ଗୁଳିମାଳା ବିଷୟରେ ଆଉ ଏତେବେଶୀ ଚିନ୍ତା କରିବା ଦରକାର ନାହିଁ । ମୋ’ ସାଙ୍ଗରେ ନ ଫେରି ମୋ’କଥା ନମାନି ତୁମେ କୌସାମ୍ବିରେ ରହିଲ ଓ ସେଠାରେ ଯେଉଁସବୁ ଦୁଃସାହସିକ କାଣ୍ଡମାନ ଭିଆଇଲ, ବୋଧହୁଏ ତାହାରି ଫଳସ୍ୱରୂପ ତୁମର ମୁଣ୍ଡ ଏପରି ଭ୍ରମରେ ପଡ଼ିଯାଇଚି । କିନ୍ତୁ ମୋର କଥା ମାନି ମୋ ସହିତ ଫେରିଆସିଥିଲେ ତୁମକୁ କଦାପି ଅଙ୍ଗୁଳିମାଳାର କବଳରେ ପଡ଼ିବାକୁ ହୋଇନଥାନ୍ତା ଏବଂ ବର୍ତ୍ତମାନ ମଧ୍ୟ ଏପରି ଏକ ଶୂନ୍ୟ ନିରର୍ଥକ ଆତଙ୍ଗରେ ଆତଙ୍କିତ ହେବାକୁ ପଡ଼ୁନଥାନ୍ତା । ଦସ୍ୟୁଦଳ ସହିତ ଏକତ୍ର ରହିବାଟା ମଧ୍ୟ ତୁମର ଆଚରଣ ଓ ଚରିତ୍ର ଦୃଷ୍ଟିରୁ ଆଦୌ ଅନୁକୂଳ ହୋଇନାହିଁ, ଆମେ ସମସ୍ତେ ବର୍ତ୍ତମାନ ତାର ପ୍ରମାଣ ପାଉଚୁ ।

 

ଏହାପରେ ସେ ଆହୁରି କେତେ କଣ ନୀତିବାଦ ବଖାଣିବାକୁ ଲାଗିଲେ ଯେଉଁଗୁଡ଼ିକୁ କି ଏଠାରେ ବର୍ଣ୍ଣନା କରି କହିବା ଆଦୌ ଆବଶ୍ୟକ ହେବନାହିଁ । ତା’ପରେ ସେ ମୋତେ ଘରକୁ ବିଦା କରିଦେଲେ ।

 

ଘରକୁ ଫେରିବା ବାଟରେ ମୁଁ ମୋର ବର୍ତ୍ତମାନ କର୍ତ୍ତବ୍ୟ ବିଷୟରେ ଚିନ୍ତା କରୁଥାଏ । ଘରେ ପହଞ୍ଚି ମୁଁ ମୋର ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ବାହାରକରି ପ୍ରାଙ୍ଗଣକୁ ନେଇଆସିଲି ଓ ଶକଟରେ ବୋଝାଇ କରାଇଲି । ଭାବିଲି ଏହିସବୁ ଜିନିଷକୁ ମୁଁ ସହର ଭିତରକୁ ନେଇଯିବି । ସେଠାରେ ଏଗୁଡ଼ିକ ଅଧିକ ନିରାପଦ ଭାବରେ ରହିପାରିବ । ତା’ପରେ ମୁଁ ମୋର ଲୋକମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ଦେଇ ସେମାନଙ୍କୁ ପ୍ରସ୍ତୁତ କରି ରଖିଲି । ତଥାପି ଏତିକିରେ ମୋର ମନ ବୋଧ ହେଲାନାହିଁ । ତାପରେ ପ୍ରଥମେ କେତେକ ବିଶ୍ୱସ୍ତ ଭୃତ୍ୟକୁ ନଗର ଭିତରକୁ ପଠାଇଦେବାକୁ ହେଲା । ସେମାନେ ବହୁତ ପାରିଶ୍ରମିକ ଦେଇ ରାତିରେ ପହରା ଦେବାଲାଗି ଏପରି ସାହସୀ ଲୋକମାନଙ୍କୁ ଠିକ୍‍ କରି ଆଣିବାକୁ ଗଲେ, ଯେଉଁମାନେ କି ଅସ୍ତ୍ରଶସ୍ତ୍ର ଚଳାଇବାରେ ଅତ୍ୟନ୍ତ କୁଶଳ ଥିଲେ । ଅନ୍ୟ କୌଣସି ବ୍ୟକ୍ତି ପକ୍ଷରେ ଏପରି ଏକ ଦୁଃସାହସ କରିବା ବଡ଼ ବିପଜ୍ଜନକ ହୋଇଥାନ୍ତା । କାରଣ ଅସଲ ବେଳରେ ଏହିସବୁ ଲୋକମାନେ ହୁଏତ ଦସ୍ୟୁମାନଙ୍କ ସହିତ ମିଳିଯିବେ, ଏପରି ଆଶଙ୍କା ମଧ୍ୟ ସବୁବେଳେ ରହିଥିଲା । କିନ୍ତୁ ଏହି ପ୍ରସଙ୍ଗରେ ନଗରରେ ଥିବା ମୋର ସଙ୍ଗିନୀମାନେ ମୋତେ ଭାରି ସାହାଯ୍ୟ କରିଥିଲେ ଏବଂ ବଛାବଛି ଅତି ବିଶ୍ୱସ୍ତ ଲୋକଙ୍କୁ ଆଣି ମୋ’ପାଖରେ ପହୁଞ୍ଚାଇଥିଲେ ।

 

ଏହିପରି ନାନା ସତର୍କତା ଅବଲମ୍ବନ କରିବାରେ ବ୍ୟସ୍ତ ରହି ମୁଁ ମୋର ପତ୍ନୀମାନଙ୍କ ପାଖକୁ ଯିବାଲାଗି ଆଉ କୌଣସି ସମୟ ପାଇଲିନାହିଁ । ତେଣୁ ଶେଷକୁ ପ୍ରତ୍ୟେକଙ୍କ ପାଖକୁ ଜଣେଜଣେ ଭୃତ୍ୟ ହାତରେ କହି ପଠାଇଲି ଯେ ଆଜି ରାତିରେ ସହର ମଧ୍ୟରେ ଅବସ୍ଥିତ ପିତାଙ୍କର ବାସଗୃହକୁ ଯେକୌଣସି ମୁହୂର୍ତ୍ତରେ ଯିବାଲାଗି ସେମାନେ ପ୍ରସ୍ତୁତ ରହିଥିବେ । ପୁତ୍ରକନ୍ୟାମାନେ ମଧ୍ୟ ସାଙ୍ଗରେ ଯିବେ । କେବଳ ଯେ ଗୋଟାଏ ରାତି ଲାଗି ସେଠାକୁ ଯିବାକୁ ପଡ଼ିବ, ଏ ବିଷୟରେ ମୁଁ ସେମାନଙ୍କୁ କୌଣସି ସମ୍ବାଦ ଦେଇନଥିଲି। କାରଣ ମୁଁ ଭାବିଥିଲି ଯେ ସେଠାକୁ ଯିବାପରେ ସମ୍ଭବତଃ ସେମାନେ ସେଠାରେ ସପ୍ତାହେ କିମ୍ବା ଦୁଇ ସପ୍ତାହ ରହି ଆସିବେ ଏବଂ ଏଣେ ମୁଁ ଟିକିଏ ଶାନ୍ତିରେ କାଳାତିପାତ କରିପାରିବି । ଅବଶ୍ୟ ଆଜି ରାତିର ଦସ୍ୟୁ ଆକ୍ରମଣରୁ ପ୍ରତ୍ୟାହତ କରିପାରିଲେ ଯାଇ ମୋର ଏହି ଶାନ୍ତ ସମ୍ଭବ ହୋଇପାରିବ । ମୁଁ ସେମାନଙ୍କୁ ଏପରି ହଠାତ୍‍ କାହିଁକି ସହରକୁ ଯିବାଲାଗି ନିର୍ଦ୍ଦେଶ ଦେଉଚି, ଏହାର କାରଣ ବିଷୟରେ ମୁଁ ସେମାନଙ୍କୁ କୌଣସି ସୂଚନା ଦେଇନଥିଲି, କାରଣ ଏହିସବୁ କଥାମାନ ସ୍ତ୍ରୀମାନଙ୍କଠାରୁ ସର୍ବଥା ଗୁପ୍ତ କରି ରଖିବା ଉଚିତ-

 

ପ୍ରତ୍ୟେକ ଥର ବାଣିଜ୍ୟଯାତ୍ରା କରି ବାହାରିବାବେଳେ ମୁଁ ଯେପରି କରୁଥିଲି, ଆଜି ମଧ୍ୟ ମୋର ସଶସ୍ତ୍ର ଭୃତ୍ୟମାନଙ୍କୁ ଡାକି ଏକ ଉତ୍ତେଜନା ଗର୍ଭକ ଭାଷଣ ଦେବାକୁ ସ୍ଥିର କଲି । କିନ୍ତୁ ଠିକ୍ ଏତିକିବେଳେ ଅନ୍ତଃପୁରର ଦୁଇଟି ଦ୍ୱାରଭିତରୁ ବାହାରି ମୋ’ର ଦୁଇ ପତ୍ନୀ ସେଠାରେ ପ୍ରବେଶ କଲେ । ସେମାନେ ବଡ଼ ଆତଙ୍କିତ ହୋଇପଡ଼ିଥାନ୍ତି ଓ ଉଚ୍ଚସ୍ୱରରେ ଚିତ୍କାର କରିବାରେ ଲାଗିଥାନ୍ତି-। ଏହାଦେଖି ସମସ୍ତେ ସେମାନଙ୍କୁ ବୋଧ କରିବାରେ ବ୍ୟସ୍ତ ରହିଲେ ଏବଂ ମୋତେ ବାଧ୍ୟ ହୋଇ ମୋର ଭାଷଣଟି ସ୍ଥଗିତ ରଖିବାକୁ ହେଲା । ମୋର ସନ୍ତାନମାନେ ମଧ୍ୟ ଆପଣାଆପଣାର ମାଆଙ୍କ ପାଖରେ ଉପସ୍ଥିତ ଥିଲେ ।

 

ତା’ପରେ ଦୁଇପତ୍ନୀ ମୋ’ ପାଖକୁ ଆସିଲେ ଓ ପରସ୍ପର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏକାବେଳେକେ ଚିତ୍କାର କରି କହିଲେ : –

 

ଶେଷକୁ ଏଇ ଅଲକ୍ଷଣୀ ତୁମର ହୃଦୟକୁ ବଶ କରି ମୋ’ ପାଖରୁ ଛଡ଼ାଇ ନେଇଗଲା-? ଶେଷକୁ ତୁମେ ବିଶ୍ୱାସଘାତକ ହୋଇ ତୁମର ବିଶ୍ୱସ୍ତା ପତ୍ନୀକୁ ଏହି ନିରୀହ ଝିଅ ଦୁଇଟିଙ୍କ ସହିତ (ତୁମର ସାନ ପୁଅଟି ସହିତ) ବାପଘରକୁ ପଠାଇଦେବାକୁ ସ୍ଥିର କଲ ?

 

କ୍ରୋଧରେ ସେମାନଙ୍କର ବୁଦ୍ଧି ବଣା ହୋଇଯାଇଥାଏ, ଜନ୍ମରୁ ମଧ୍ୟ ସେମାନଙ୍କର ବୁଝିବାଶକ୍ତି କେବେ ଅଧିକ ଥିଲା ବୋଲି କୁହାଯାଇ ପାରିବନାହିଁ । ତେଣୁ ସେମାନେ ପରସ୍ପରକୁ କିପରି ସମାନ ଦୋଷରେ ଦୋଷୀ କରାଉଚନ୍ତି, ଏଥିରେ ଯେ ନିଶ୍ଚୟ କେଉଁଠି କିଛି ବୁଝିବାର ଭୁଲ ରହିଥିବ, ଏକଥା ସେମାନେ ଆଦୌ ଲକ୍ଷ୍ୟ କରି ପାରିଲେନାହିଁ ଏବଂ ଓଲଟି ଅଧିକରୁ ଅଧିକ କ୍ରୁଦ୍ଧ ଭାବରେ ଚିତ୍କାର କରିବାକୁ ଲାଗିଲେ, କେତେବେଳେ ମୁଣ୍ଡର ବାଳକୁ ଓଟାରି ଓ ପୁଣି କେତେବେଳେ ହାତରେ ଛାତିକୁ ବାଡ଼େଇ ଶେଷରେ ପରସ୍ପର ଉଦ୍ଦେଶ୍ୟରେ ବାକ୍ୟବାଣ ପ୍ରୟୋଗ କରିବାକୁ ଲାଗିଲେ । ଦୁଇଜଣ ମାଇପେ କଜିଆ କରିବସିଲେ ତାହା କ୍ରମେ ଯେଉଁ ଯୁଦ୍ଧର ଆକାର ଧାରଣ କରେ ବୋଲି ମୁଁ ଆଗରୁ କାନରେ ଶୁଣିଥିଲି, ଆଜି ଆଖିଆଗରେ ଠିକ୍ ସେହିକଥା ଦେଖିବାକୁ ପାଇଲି ।

 

ଶେଷରେ ମୋତେ ମୁହଁ ଖୋଲି କିଛି କହିବାର ସୁଯୋଗ ମିଳିଲା । ଅବଶ୍ୟ ଏଥିଲାଗି ମୋତେ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଲା, କିନ୍ତୁ ତଥାପି ସେମାନଙ୍କୁ ମୁଁ ଏହିକଥା ବୁଝାଇ କହିଦେଇ ପାରିଲି ଯେ ସେମାନେ ଭୃତ୍ୟର କଥାକୁ ଭୁଲ ବୁଝିଚନ୍ତି ଓ ସେଥିଲାଗି ଏହିପରି ଭ୍ରମରେ ପଡ଼ିଯାଇଛନ୍ତି । ସେମାନଙ୍କୁ ମୁଁ ପ୍ରକୃତରେ ସେମାନଙ୍କର ବାପଘରକୁ ପଠାଇବାକୁ ଚାହୁଁ ନାହିଁ, କିନ୍ତୁ ଦୁହିଁଙ୍କୁ ମୋର ବାପାଙ୍କର ନିବାସକୁ ଯିବାକୁ ନିର୍ଦ୍ଦେଶ ଦେଉଚି । କୌଣସି ଦଣ୍ଡବିଧାନ ସ୍ୱରୂପ ବା ସେମାନଙ୍କର ପ୍ରତି କୌଣସି ଅଶ୍ରଦ୍ଧା ପ୍ରକାଶ କରି ମୁଁ ଏପରି କରିବାକୁ ଯାଉନାହିଁ, ମାତ୍ର କେବଳ ସେମାନଙ୍କର ଓ ପିଲାମାନଙ୍କର ନିରାପତ୍ତା ଦୃଷ୍ଟିରୁ ମୁଁ ଏପରି କରୁଚି । ସେମାନେ ମୋର କଥାକୁ କ୍ରମେ ଠିକ୍‍ ରୂପେ ବୁଝୁଥିବାର ଲକ୍ଷ୍ୟ କରିପାରି ମୁଁ ବଡ଼ପାଟିରେ କହିବାକୁ ଲାଗିଲି : –

 

ତୁମେ ଦୁହିଁଙ୍କୁ ଦୁହେଁ କେଡ଼େ ଦୁଷ୍ଟ, କେଡ଼େ ରାହାବାଳ, କହିଲ ! ଆପଣାକୁ ଅନ୍ତତଃ ଏଣିକି ଭଲମଣିଷଙ୍କ ପରି ବ୍ୟବହାର କରିବାକୁ ଶିଖାଅ ! ସକାଳେ ତୁମେମାନେ ଯାହାକୁ ଲଣ୍ଡାମୁଣ୍ଡିଆ ବାବାଜୀ କହି ନିକାଲି ଦେଉଥିଲ, ସେହି ଲୋକଟି ପ୍ରକୃତରେ କିଏ କହିଲ ! ସିଏ ହେଉଚି ଦସ୍ୟୁ ଅଙ୍ଗୁଳିମାଳା । ତା’ର ନାଆଁ ଶୁଣିଚଟି କି ? ସେ ଜଣେ ଭାରି ଭୟଙ୍କର ମଣିଷ, ମଣିଷଙ୍କୁ ହତ୍ୟାକରି ସେମାନଙ୍କ ହାତର ବୁଢ଼ାଆଙ୍ଗୁଠିକୁ ମାଳା ଗୁନ୍ଥି ସେ ଆପଣା ବେକରେ ପିନ୍ଧେ-। ଆଜି ସକାଳେ ତୁମେମାନେ ତାହାକୁ ହିଁ ଗାଳି ଦେଇଚ, ତାହାକୁ ହିଁ ରଗାଇଚ । ସେ ତୁମ ଦୁହିଁକୁ କିପରି ସେହିଠାରେ ଆପଣା ଭିକ୍ଷାପାତ୍ରରେ ମାରି ଛତୁ କରି ନଦେଲା, ତାହା ଭାବି ପ୍ରକୃତରେ ମୋତେ ଭାରି ଆଶ୍ଚର୍ଯ୍ୟ ଲାଗୁଚି । ଆମଭିତରୁ ଯଦି କେହି ତା’ର ହାତରେ ପଡ଼ିବେ, ତେବେ ଆମର ଦଶା ଯେ କ’ଣ ହେବ, ତାହା କଳ୍ପନା କରି କହିବା ଅସମ୍ଭବ । ମୋର ପିତାଙ୍କର ନିବାସକୁ ଚାଲିଗଲେ ଯେ ସେଠାରେ ତୁମେମାନେ ନିରାପଦ ରହିବ, ସେକଥା ମଧ୍ୟ କିଏ ନିଶ୍ଚୟ କରି କହିପାରିବ ?

 

ମୋର ପତ୍ନୀ ଦୁହେଁ ମୋର କଥାର ମର୍ମକୁ ସମ୍ପର୍ଣ୍ଣ ରୂପେ ବୁଝିପାରିଲେ ଏବଂ ପୁଣି ସଙ୍ଗେସଙ୍ଗେ ଭୋ’ ଭୋ’ କରି କାନ୍ଦିବାକୁ ଲାଗିଲେ । ସତେ ଯେପରି ସେମାନଙ୍କର ତଣ୍ଟି ଭିତରେ ସତକୁ ସତ ଦସ୍ୟୁ ଆସି ଛୁରା ଭୁସି ଦେଇଗଲା । ସେମାନେ ତତ୍‍କ୍ଷଣାତ୍ ପିଲାମାନଙ୍କୁ ନେଇ ସେଠାରୁ ଚାଲିଯିବାକୁ ଅଳି କରି ବସିଲେ । ସେମାନଙ୍କୁ ମୁଁ ପୁଣି ବୁଝାଇ କହିଲି ଯେ ବର୍ତ୍ତମାନ ବିପଦ ଆସି ପହଞ୍ଚିବାକୁ ଅନେକ ବିଳମ୍ବ ଅଛି, କାରଣ ମୁଁ ଭଲକରି ଜାଣିଚି ଯେ ଦସ୍ୟୁଦଳର ଭୟ ରହିଥିବା ପର୍ଯ୍ୟନ୍ତ ହୁଏତ ସେମାନଙ୍କୁ ବର୍ତ୍ତମାନ କିଛିଦିନ ପାଇଁ ନଗର ଭିତରେ ରହିବାକୁ ପଡ଼ିବ; ତେଣୁ ପିଲାମାନଙ୍କୁ ଚଳାଇବା ଲାଗି ଯେଉଁସବୁ ଜିନିଷ ସାଙ୍ଗରେ ନେଇଯିବା ଦରକାର, ସେଗୁଡ଼ିକୁ ବାନ୍ଧି ପ୍ରସ୍ତୁତ ହେବାକୁ ମୁଁ ସେମାନଙ୍କୁ ଆଦେଶ ଦେଇଥିଲି । ସେମାନେ ମୋ’କଥା ମାନି ଘର ଭିତରକୁ ଗଲେ ଓ ସଜବାଜ ହେବାକୁ ଲାଗିଲେ ।

 

କିନ୍ତୁ ମୋର ଲୋକବାକମାନଙ୍କ ଉପରେ ଏହିସବୁ କଥାର କିପରି ପ୍ରଭାବ ପଡ଼ିବ, ମୁଁ ତାହା ଭାବିବାକୁ ଏକାବେଳକେ ଭୁଲିଯାଇଥିଲି । ଏହାର ପରିଣାମ ପ୍ରକୃତରେ ଆଦୌ ଅନୁକୂଳ ହୋଇନଥିଲା । ମୋ’ର କଥାରୁ ସେମାନେ ଜାଣିପାରିଲେ ଯେ ଯେଉଁ ଭୟଙ୍କର ଦସ୍ୟୁ ଅଙ୍ଗୁଳିମାଳା ନିହତ ହୋଇଚି ବୋଲି ସମସ୍ତେ ବିଶ୍ୱାସ କରିଥିଲେ, ସେ ପ୍ରକୃତରେ ଏପର୍ଯ୍ୟନ୍ତ ମଧ୍ୟ ଜୀବନରେ ରହିଚି । ରାତିରେ ଲୁଣ୍ଠନ କରିବାର ମତଲବ ରଖି ଆଜି ସକାଳେ ସେହି ମୋର ଗୃହକୁ ଆସିଥିଲା-। ଏହିକଥା ଜାଣିପାରି ସେମାନେ ଗୋଟିକପରେ ଗୋଟିଏ ହୋଇ ସେଠାରୁ ଖସିଯିବାକୁ ବସିଲେ ଏବଂ ସବୁ ଅସ୍ତ୍ରଶସ୍ତ୍ର ଲେଉଟାଇ ଦେଇ କହିଲେ, ନାଇଁରେ ବାବା, ଏହି ପ୍ରବଳ ଦସ୍ୟୁର ସମ୍ମୁଖୀନ ହେବା ଆମ ପକ୍ଷରେ ସମ୍ଭବ ହେବନାହିଁ । ଆମେ ଏହି କାମକୁ ଆଦୌ ପାରିବୁନାହିଁ । ସହରରୁ ନିଯୁକ୍ତ ହୋଇ ଅଣାଯାଇଥିବା ଲୋକମାନେ ମଧ୍ୟ ଠିକ୍‍ ସେତିକିବେଳେ ଆସି ସେଠାରେ ପହଞ୍ଚିଲେ ଏବଂ ସମସ୍ତ ବିଷୟଟି ଶୁଣିବାପରେ ସେମାନଙ୍କୁ ଆଗରୁ ଦିଆଯାଇଥିବା ବକସିସ୍ ପଇସା ଫିଙ୍ଗିଦେଇ ଆପଣା ଆପଣାର ଘରକୁ ପଳାଇଲେ । କେବଳ ମୋର ଆପଣା ଭୃତ୍ୟମାନଙ୍କ ଭିତରୁ କେତେକ ମୋ’ପାଖରେ ସାହସର ସହିତ ଠିଆହୋଇ ରହିଲେ ଏବଂ ମୋତେ ସେମାନେ କଦାପି ପରିତ୍ୟାଗ କରି ଯିବେନାହିଁ ଓ ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ମୋର ବାସଗୃହକୁ ରକ୍ଷା କରିବେ ବୋଲି ମୋ ଆଗରେ ଶପଥ କଲେ । କାରଣ ସେମାନେ ଭଲକରି ଜାଣିଥିଲେ ଯେ ଏପରି ଏକ ଦୁର୍ଘଟଣା ଘଟିଲେ ମୋର ପରମପ୍ରିୟ ସମସ୍ତ ସମ୍ପଦ ମୋ’ଠାରୁ ଅପହୃତ ହୋଇଯିବ ଏବଂ ତାହା ଫଳରେ ମୁଁ ସର୍ବସ୍ୱାନ୍ତ ହୋଇପଡ଼ିବି ।

 

ନଗରରୁ ଆଉ କେତେକ ବଳୁଆ ଯୁବକ ମଧ୍ୟ ଆସି ପହଞ୍ଚିଲେ, ପଇସା ପ୍ରତି ସେମାନଙ୍କର ସେତେ ଲୋଭ ନଥିଲା, ଏପରି ଏକ କୌଶଳପୂର୍ଣ୍ଣ ସଂଗ୍ରାମର ସୁଯୋଗ ପାଇବେ ବୋଲି ସେମାନେ ଅଧିକ ଆକର୍ଷଣ ଅନୁଭବ କରୁଥିଲେ, ଅଙ୍ଗୁଳିମାଳାର ନାମ ଶୁଣି ସେମାନେ ଆଦୌ ତ୍ରସ୍ତ ହୋଇ ପଡ଼ୁନଥିଲେ ସେମାନେ ମନେମନେ ଭାବୁଥିଲେ ଯେ ସାହସ ସହିତ ଯୁଦ୍ଧ କରିବାପରେ ଦସ୍ୟୁମାନେ ଯେତେବେଳେ ସେମାନଙ୍କୁ ବନ୍ଦୀ କରିନେବେ, ସେତେବେଳେ ସେମାନେ ଦସ୍ୟୁଦଳରେ ଯାଇ ଯୋଗଦେବେ ଏହିପରି କେତେଜଣ ଲୋକ ଆମ ସହିତ ରାତିରେ ରହିବାକୁ ରାଜି ହେଲେ । ଏହିପରି ଭାବରେ ଶେଷକୁ ମୁଁ ଚବିଶଜଣ ସଶସ୍ତ୍ର ଓ ସାହସୀ ବ୍ୟକ୍ତିଙ୍କୁ ମୋ ସହିତ ପାଇପାରିଥିଲି ।

 

କ୍ରମେ ସନ୍ଧ୍ୟା ଆସି ଉପଗତ ହେଲା ଓ ମୁଁ ମୋର ପତ୍ନୀ ଦୁହିଁଙ୍କୁ ଶକଟରେ ବସାଇ ବିଦାକରି ଦେଲି । ସେମାନେ ପିଲାମାନଙ୍କ ସହିତ ଶାନ୍ତଭାବରେ ଗାଡ଼ିରେ ବସିବାକୁ ଆସିଥିଲେ । କିନ୍ତୁ ମୁଁ ଘର ଛାଡ଼ି ସେମାନଙ୍କ ସହିତ ଯିବିନାହିଁ ବୋଲି ଜାଣିବାକୁ ପାଇବା ମାତ୍ରକେ ସେମାନେ ପୁଣି ବିକଳ ସ୍ୱରରେ ରୋଦନ କରିବାକୁ ଲାଗିଲେ । ମୋର ଗୋଡ଼ତଳେ ଆଣ୍ଠୁମାଡ଼ି ବସି ସେମାନେ ମୋର ଅଙ୍ଗବସ୍ତ୍ର ଧରି ଟାଣିବାକୁ ଲାଗିଲେ ଏବଂ ସେମାନଙ୍କ ସହିତ ଯିବାଲାଗି ଅଶ୍ରୁ-ଉଚ୍ଛଳିତ ନୟନରେ ଅଳିକରି ବସିଲେ– ‘‘ସ୍ୱାମୀ, ତୁମେ ଆମକୁ ଏପରି ଛାଡ଼ି ଚାଲିଯାଅ ନାହିଁ, ଆପଣାକୁ ଏପରି ମରଣମୁହଁରେ ପକାଇ ଦିଅନାହିଁ !’’ ମୁଁ ସେମାନଙ୍କୁ ବୁଝାଇ କହିବାକୁ ଚେଷ୍ଟା କଲି ଯେ ମୁଁ ମଧ୍ୟ ଘର ଛାଡ଼ି ପଳାଇଗଲେ ଦସ୍ୟୁମାନେ ଘରେ ନିଆଁ ଲଗାଇଦେବେ ଓ ସମସ୍ତ ସମ୍ପତ୍ତିକୁ ଛାରଖାର କରିଦେବେ । ପରିଣାମରେ ମୋର ଭାବୀ ଉତ୍ତରାଧିକାରୀ ଅର୍ଥାତ୍ ମୋର ପୁତ୍ର ତାର ପୈତୃକ ସମ୍ପତ୍ତିରୁ ଅନେକ ହରାଇବସିବ । ତେଣୁ ଏହି ସମ୍ପତ୍ତିକୁ ଭକ୍ଷା କରିପାରିବାର କୌଣସି ସମ୍ଭବନା ରହିଥିବା ପର୍ଯ୍ୟନ୍ତ ମୋ ପକ୍ଷରେ ଘର ଛାଡ଼ି ଚାଲିଯିବା ଆଦୌ ଉଚିତ ହେବନାହିଁ । ଆମେ ସାହସର ସହିତ ପ୍ରସ୍ତୁତ ହୋଇ ରହିଲେ ହୁଏତ ଅଙ୍ଗୁଳିମାଳା ଆଜି ଏହି ଘରକୁ ଲୁଣ୍ଠନ କରିବାରୁ ହୁଏତ ନିବୃତ୍ତ ମଧ୍ୟ ହୋଇପାରେ ।

 

କିନ୍ତୁ ସେମାନଙ୍କୁ ତଥାପି ସମ୍ଭାଳି ହେଲାନାହିଁ । ସେମାନେ ଏଡ଼େପାଟିରେ ଚିତ୍କାର କରି କହିଲେ- ହେ ଭଗବାନ୍, ଆମକୁ ଶତବାର ଧିକ୍ ! ଆମର ସ୍ୱାମୀ ଓ ଗୃହକର୍ତ୍ତା ଆମକୁ ଛାଡ଼ି ଏଠାରେ ଏକାକୀ ରହୁଚନ୍ତି ! ସେହି ଭୀଷଣ ଦସ୍ୟୁ ଅଙ୍ଗୁଳିମାଳା ଆଜି ଏଠାକୁ ଆସି ତାଙ୍କୁ ପ୍ରାଣରେ ହତ୍ୟା କରିବ ଏବଂ ତାଙ୍କ ହାତରେ ବୁଢ଼ାଆଙ୍ଗୁଠିକୁ ମାଳ କରି ବେକରେ ପିନ୍ଧିବ ! ପ୍ରଚଣ୍ଡ କ୍ରୋଧରେ ଗର୍ଜନ କରି ସେ ଆମର ସ୍ୱାମୀଙ୍କର ଜୀବନ ନାଶ କରିବ ! କେବଳ ଆମ ହାତଭାଗିନୀଗୁଡ଼ାଙ୍କ ସକାଶେ ସିନା ଏସବୁ ହେବ ! ଆମେସବୁ ଉଚ୍ଚାରଣ କରିଥିବା ଅବବାକ୍ୟ ସକାଶେ ଆମର ସଂସାର ଛାରଖାର ହୋଇଯିବ ଏବଂ ଶେଷକୁ ଏଥିଲାଗି ଆମକୁ ନରକର ସବୁ ଯାତନା ଭୋଗିବାକୁ ପଡ଼ିବ ।

 

ମୋର ପ୍ରାଣପଣ ଚେଷ୍ଟା କରି ମୁଁ ସେମାନଙ୍କୁ ଶାନ୍ତ କରିବାକୁ ଲାଗିଲି । ଶେଷକୁ ମୋତେ ଅବିଚଳିତ ଦେଖି ସେମାନେ ଗାଡ଼ିରେ ଯାଇ ବସିବାକୁ ନିଷ୍ପତ୍ତି କଲେ । କିନ୍ତୁ ଗାଡ଼ିଭିତରେ ଆସନ ଗ୍ରହଣ କରି ବସିବା ମାତ୍ରକେ ସେମାନେ ପରସ୍ପରକୁ ଗାଳି ଓ ଭର୍ତ୍ସନା କରି ଆପଣାଆପଣାର କ୍ରୋଧ ମେଣ୍ଟାଇବାକୁ ଲାଗିଲେ : –

 

ତୁଇ ଅଲକ୍ଷଣୀ ସବୁ ଆରମ୍ଭ କଲୁ । –ମୁଁ ? ଆଉ ତୁ ଭାରି ଭଲ ? ତୁଇ ତ ଆଗ ମୋତେ ଡାକିଆଣି ଚଉକାଠ ପାଖରେ ଠିଆ ହୋଇଥିବା ସେଇ ଲୋକଟାକୁ ଦେଖାଇଦେଲୁ–ଆଙ୍ଗୁଳିରେ ଇସାରା କରି ଦେଖାଇଦେଲୁ । -ଆଉ ତାକୁ ଅନାଇ ପାନପିକ ପକାଇଲା କିଏ ? ମୁଁ ତ ସେ ପର୍ଯ୍ୟନ୍ତ ପାନ ଖାଇ ନଥିଲି ! ସକାଳେ ମୋତେ କେବେ ପାନ ଖାଇବାର ତୁ ଦେଖିଚୁ ? –ଆଉ ତୁ ତାକୁ ବାରବୁଲା ଭିକାରି ବୋଲି କହିଚୁ କି ନାହିଁ ? –ଆଉ ତୁ ? ଲଣ୍ଡାମୁଣ୍ଡିଆ ବାବାଜୀ ବୋଲି କିଏ କହିଚି ?

 

ଏ ପାଲା ଏମିତି ବଢ଼ିଚାଲିଲା । କିନ୍ତୁ କ୍ରମେ ବଳଦମାନେ ଚାଲିବାକୁ ଆରମ୍ଭ କଲେ ଓ ଶଗଡ଼ର ଘରଘର ଶବ୍ଦରେ ସୋନଙ୍କର ତୁଣ୍ଡଶବ୍ଦ ଆଉ ଶୁଣାଗଲା ନାହିଁ ।

Image

 

୧୭

ଗୃହତ୍ୟାଗ

 

ଲୋକମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ସ୍ଥାନରେ ଜଗାଇ ଦେବାପରେ ମୁଁ ଟିକିଏ ଶାନ୍ତିରେ ନିଶ୍ୱାସ ମାରିଲି ଏବଂ ତା’ପରେ ଅନ୍ତଃପୁର ଭିତରକୁ ଫେରିଆସିଲି । ଭାଗ୍ୟବଶତଃ ମୋତେ ଆଉ ପତ୍ନୀ ଦୁହିଁଙ୍କର ତୁଣ୍ଡ ଢାଉଁଢାଉଁ ଶୁଣୁବାକୁ ପଡ଼ିଲାନାହିଁ । ସେତେବେଳକୁ ଶକଟ ଫାଟକ ପାରହୋଇ କେତେଦୂର ଯାଇସାରିବଣି । ତେଣୁ ଏ ଦୁଆରରୁ ଜଣେ ଓ ସେ ଦୁଆରରୁ ଜଣେ ଏହିପରି ଶାର୍ଦ୍ଦୁଳ ପରି ବାହାରିଆସି କଥାରେ କଥା ବଜାଇ ସବୁଦିନ ଯେପରି ସେମାନେ ଏକ କଳହର ଦୈତ୍ୱ ଅଭିନୟ ଆରମ୍ଭ କରିଦିଅନ୍ତି, ବର୍ତ୍ତମାନ ଆଉ ସେପରି କିଛି ଘଟିଲାନାହିଁ । ଏହାଫଳରେ ଅନେକଦିନ ପରେ ମୋର ବାସଗୃହରେ ଆଜି ଏକ ବର୍ଣ୍ଣନାତୀତ ଶାନ୍ତି ବିରାଜମାନ କରୁଥିଲା ।

 

ମୋର ଏହି ସୁଦୃଶ୍ୟ ରାଜପ୍ରାସାଦତୁଲ୍ୟ ଭବନ ମଧ୍ୟ ବର୍ତ୍ତମାନ ମୋତେ ଅତ୍ୟନ୍ତ ମୂଲ୍ୟବାନ୍ ମନେହେଲା । ଆଉ ମାତ୍ର କେତେଟା ଘଡ଼ି ପରେ ଏହି ରମଣୀୟତା ଦସ୍ୟୁପିଶାଚମାନଙ୍କ ହାତରେ ପଡ଼ି ଛାରଖାର ହୋଇଯିବ, ଏହା ଚିନ୍ତା କରିବା ମାତ୍ରକେ ମୋର ହୃଦୟ ଶିହରି ଉଠୁଥାଏ । ଏହି ସୁସଜ୍ଜିତ ଉଦ୍ୟାନବିତାନଗୁଡ଼ିକ ନଷ୍ଟଭ୍ରଷ୍ଟ ହୋଇଯିବ, ଏହି କାରୁକାର୍ଯ୍ୟମଣ୍ଡିତ ମର୍ମର ସ୍ତମ୍ଭମାନ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯିବ, ଏତେ ବ୍ୟୟ ଓ ପରିଶ୍ରମରେ ନିର୍ମିତ ହୋଇଥିବା ଓ ମୋତେ ଚିରଦିନ ଏତେ ଆନନ୍ଦ ଦେଇଆସିଥିବା ଏହି ବିଳାସପୁରୀ କାଲି ସୂର୍ଯୋଦୟ ସମୟକୁ ଶୂନ୍ୟ ଭଗ୍ନାବଶେଷ ହୋଇ ପଡ଼ି ରହିଥିବ, ଏହି କଥା କଳ୍ପନା କରିବା ମୋତେ ଅସହ୍ୟପ୍ରାପ୍ତ ମନେହେଲା । ମୋର ଆପଣାର ଜୀବନ ବିପନ୍ନ ହେବାକୁ ଯାଉଚି ବୋଲି ମୁଁ ଆଦୌ ଏତେଦୂର ଚିନ୍ତିତ ନଥିଲି । ଅଙ୍ଗୁଳିମାଳା ଓ ତା’ର ଦସ୍ୟୁଦଳର ସମସ୍ତ ବାଗବୃତ୍ତ ମୋତେ ଖୁବ୍ ଭଲକରି ଜଣାଥିଲା ।

 

ବର୍ତ୍ତମାନ କେବଳ ଅପେକ୍ଷା କରି ରହିବା ବ୍ୟତୀତ ଆଉ କିଛି କରିବାର ନଥିଲା ଏବଂ ଅର୍ଦ୍ଧରାତ୍ରି ହେବାପାଇଁ ଏପର୍ଯ୍ୟନ୍ତ ଅନେକ ସମୟ ବାକି ଥିଲା ।

 

ଏହି କେତେଦିନ ହେଲା ମୁଁ ଜୀବନସମ୍ଭୋଗ ଓ ବାଣିଜ୍ୟ ଭିତରେ ଏପରି ଭାବରେ ନିମଗ୍ନ ହୋଇ ରହିଥିଲି ଯେ ଅନ୍ୟ କୌଣସି ବିଷୟ ପ୍ରତି ଧ୍ୟାନ ଦେବାକୁ ମୋର କେତେବେଳେ ହେଲେ କୌଣସି ସମୟ ନଥିଲା । ଆଜି ଅନେକଦିନ ପରେ ମୁଁ ମୋର ବାସଭବନସ୍ଥ ଏହି ପ୍ରକୋଷ୍ଠରେ ଟିକିଏ ବସିବାର ସମୟ ପାଇଲି -ଏହିଠାରୁ ଅନାଇଲେ ମୋର କକ୍ଷ ଓ ଉଦ୍ୟାନ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଥିଲା- ମୃତ୍ୟୁପରି ନିଷ୍ପନ୍ଦ ହୋଇ ରହିଥିବା ଏହି ପ୍ରାସାଦ ଭିତରେ ମୁଁ ଚୁପ୍ ହୋଇ ବସି ରହିଥିଲି । ମୋର ଯୌବନାବସ୍ଥାର ଆଜି ପ୍ରଥମଥର ପାଇଁ ଏହି ସମୟକୁ ମୁଁ ଆପଣାର କରି ପାଇଲି । ଆଜି ପ୍ରଥମ କରି ମୋର ଭାବନାଗୁଡ଼ିକ ମଧ୍ୟ ଉନ୍ମୁକ୍ତ ଓ ବନ୍ଧନହୀନ ଭାବରେ ବିଚରଣ କରିବାର ସୁବିଧା ପାଇଲା ଏବଂ ମୋ’ର ଚକ୍ଷୁ ସମକ୍ଷରେ ମୁଁ ମୋର ସମସ୍ତ ଜୀବନର ଚଳଚିତ୍ରଟିକୁ ଦେଖିବାକୁ ଲାଗିଲି ! ଆପଣାଠାରୁ ବାହାରେ ଠିଆହୋଇ ମୁଁ ମୋର ଜୀବନକୁ ତଟସ୍ଥ ଦୃଷ୍ଟିରେ ଅବଲୋକନ କରିବାକୁ ଲାଗିଲି, ମନଭିତରଟା ସେତେବେଳେ ଭାରି ନିରାସକ୍ତ ଓ ଉଦାସୀନ ବୋଧ ହେଉଥିଲା ।

 

ଏହିସବୁ ଭାବକୁ ମୋର ଅନ୍ତରରୁ ବହିଷ୍କୃତ କରିଦେବାପାଇଁ ଏକାଧିକ ବାର ଚେଷ୍ଟାକରି ମୁଁ ମୋର ଗୃହ ଓ ଉଦ୍ୟାନ ଭିତରେ ପଦଚାଳନା କରିବାକୁ ଲାଗିଲି ଏବଂ ପ୍ରହରୀମାନେ ସଜାଗ ଅଛନ୍ତି କି ନାହିଁ, ତାହା ଯାଇ ଦେଖିଆସିଲି । ମର୍ମରସ୍ତମ୍ଭଗୁଡ଼ିକର ମଧ୍ୟଦେଇ ତିନିଚାରିଥର ବୁଲିଆସିବା ପରେ ମୁଁ ଆଖି ପକାଇ ଆକାଶକୁ ଅନାଇଲି ଏବଂ ତାରାପୁଞ୍ଜର ଅବସ୍ଥିତିକୁ ନିରୀକ୍ଷଣ କରି ମଧ୍ୟରାତ୍ରି ହେବାକୁ ଆଉ ମୋଟେ ଅଧଘଣ୍ଟା ବାକୀ ଅଛି ବୋଲି ଜାଣିପାରିଲି । ବାଣିଜ୍ୟଯାତ୍ରାରେ ବାହାରିବାର ଅଭିଜ୍ଞତା ହେତୁ ତାରା ଦେଖି ସମୟ ଜାଣିବାରେ ମୋର ସମ୍ପୂର୍ଣ୍ଣ ଦକ୍ଷତା ରହିଥିଲା । ସଙ୍ଗେସଙ୍ଗେ ଆସିଲି । ମୁଁ ଅନୁଭବ କଲି ଯେପରି ମୋ’ ଦେହର ସମସ୍ତ ରକ୍ତ କାନମୁଣ୍ଡା ପାଖରେ ଆସି ତରଙ୍ଗିତ ହେବାକୁ ଲାଗିଲା, କେଉଁ ଏକ ଆସନ୍ନ ଆଶଙ୍କାରେ ଉତ୍ତେଜିତ ହୋଇ ଉଠିଲାପରି ମୋର ଗଳଦେଶ ଶକ୍ତ ହୋଇଗଲା । ଆପଣାର ପ୍ରକୋଷ୍ଠକୁ ଫେରିଆସି ମୁଁ ପୁଣି ପୂର୍ବପରି ସେଠାରେ ବସିପଡ଼ିଲି । କିନ୍ତୁ ମୁଣ୍ଡ ଭିତରେ ଆଉ କୌଣସି ପ୍ରକାର ଭାବନା ପ୍ରବେଶକରି ପାରିଲାନାହିଁ । ମୋର ମନେହେଲା ଯେପରି ଛାତିଭିତରେ ମୋତେ କିଏ ଦାବିକରି ଧରିଚି- ନିଶ୍ୱାସ ରୁଦ୍ଧହୋଇ ମେର ପ୍ରାଣବାୟୁ ବାହାରି ଯିବାପରି ଲାଗିଲା-

 

ଟିକିଏ ଖୋଲା ପବନ ପାଇବା ଉଦ୍ଦେଶ୍ୟରେ ମୁଁ ଉଠି ଠିଆହେଲି ଓ ସ୍ତମ୍ଭଗୁଡ଼ିକ ଭିତରେ ଥରେ ବୁଲି ଆସିଲି । ମୋର ମୁଖମଣ୍ଡଳ ଉପରେ ଯେପରି କାହାର ବିଭୀଷିକାମୟ ସ୍ପର୍ଶ ବାଜିଗଲାପରି ଲାଗିଲା, ଠିକ୍ ଏହି ସମୟରେ ବାହାରୁ ପେଚକର ଚିତ୍କାର ଶୁଣାଗଲା ଏବଂ ତାହାର କିୟତ୍‍କ୍ଷଣ ପରେ ଉଦ୍ୟାନସ୍ଥ ସରୋବରରୁ ନିଶିଥପଦ୍ମର ସୁଗନ୍ଧ ପବନସହିତ ଭାସିଆସି ଗୃହଭିତରେ ପ୍ରବେଶ କଲା । ମୁଁ ଉପରକୁ ଦୃଷ୍ଟିପାତ କରି ପୁଣିଥରେ ନକ୍ଷତ୍ରପୁଞ୍ଜକୁ ଅନାଇଲି । କୃଷ୍ଣ ବୃକ୍ଷଶିଖରର ଉପରେ ସୁବିସ୍ତୀର୍ଣ୍ଣ ସୁନୀଳ ଆକାଶଖଣ୍ଡର ହୃଦୟ ଭେଦକରି ଛାୟାପଥର ଆଲୋକିତ ସରଣୀ ପ୍ରସାରିତ ହୋଇ ରହିଥିଲା ।

 

‘‘ଏହି ହେଉଚି ଆକାଶଗଙ୍ଗା’’ ଅଜାଣତରେ ମୋର ପାଟିର ବାହାରିଗଲା । ଏବଂ ହଠାତ୍ ଯେପରି ମୋର ଛାତି ଭିତରଟାକୁ ଛାପିଧରିଥିବା କାହାର ହାତ କ୍ରମେ ଶିଥିଳ ଆସିଲା ଏବଂ ଏକ ଉଷ୍ଣ ତରଙ୍ଗରୂପେ ଉପରକୁ ଆସି ଶେଷକୁ ଦୁଇଧାର ତପ୍ତ ଲୋତକ ହୋଇ ମୋର ଦୁଇଆଖି ଦେଇ ବାହାରକୁ ବାହାରି ଆସିଲା ।

ମୋର ଜୀବନର କେତେକେତେ ଚିତ୍ର ଏହି ଦୁଇଧାର ଲୁହ ଭିତରେ ପ୍ରତିବିମ୍ବିତ ହୋଇ ଉଠିଲା । ମୋର ବଶିଷ୍ଠୀ, ମୋର ସେହି ପ୍ରୀତିମୟ ଜୀବନପର୍ଯ୍ୟାୟ ଆଜି ଯେପରି ସବୁ ମୋଠାରୁ ଅତି ଦୂରକୁ ଅପସରି ଯାଇଥିଲାପରି ମନେହେଲା, ସବୁ ଏକ ସ୍ୱପ୍ନବିଭ୍ରମ ପରି ଲାଗିଲା । କିନ୍ତୁ ଏହାକୁ ଯାଇଥିଲାପରି ମନେହେଲା, ସବୁ ଏକ ପାରିବିନାହିଁ, ସତେଅବା ଏହିସବୁ ଅନୁଭୂତି ଯେପରି ଦ୍ୱିତୀୟଥର ପାଇ ପୁଣି ମୋର ଜୀବନରେ ଅନୁଭୂତ ହେଉଥିଲା ! ବର୍ତ୍ତମାନର ମୋର ଜୀବନ ସହିତ ମୁଁ ସେତେବେଳର ଜୀବନକୁ ତୁଳନା କରିବାକୁ ଲାଗିଲି । ଦୁହିଁଙ୍କୁ ଭିତରେ କି ଆକାଶ ଓ ପାତାଳର ପ୍ରଭେଦ ! ସେତେବେଳେ ମୋର ଆପଣା ବ୍ୟତୀତ ମୋର ନିଜର ବୋଲି କହିବାକୁ କିଛି ନଥିଲା, ମୋର ପ୍ରେମ ମୋର ଆପଣାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା । କିନ୍ତୁ ଆଜି ? ଆଜି ମୋର କଣ ଅଭାବ ରହିଚି ? ସ୍ତ୍ରୀ ଓ ସନ୍ତାନ, ହସ୍ତୀ, ଅଶ୍ୱ ଓ ଗୋଧନ, ଭୃତ୍ୟ ଓ ପରିଚାରକବର୍ଗ, ପରିପୂର୍ଣ୍ଣ ସମ୍ପଦର ଭଣ୍ଡାର, ସୁବର୍ଣ୍ଣ ଓ ମଣିମୁକ୍ତା, ପ୍ରମୋଉଦ୍ୟାନ ଏବଂ ପ୍ରାସାଦଗୃହ ମୋର ପ୍ରତିବେଶୀମାନଙ୍କ ଆଖିରେ ମୋର ଏହିସବୁ ଐଶ୍ୱର୍ଯ୍ୟ ଏକ ବିସ୍ମୟପ୍ରାୟ ହୋଇ ରହିଚି । ଆଜି ମୁଁ ଏ ସମସ୍ତ ସମ୍ପଦର ଅଧିକାରୀ, କିନ୍ତୁ ମୁଁ ନିଜେ ଆଜି କୋଉଠି ବିସ୍ମୃତ ହୋଇ ରହିଚି, କୋଉଠି ହଜିଯାଇଚି ?

ଭାଗ୍ୟହୀନ ବୃକ୍ଷଫଳଟି ପରି ମୋର ସମସ୍ତ ସାର ଶୁଷ୍କ ହୋଇଯାଇଛି ଏବଂ ଉପରେ କେବଳ ଚୋପାଟା ହିଁ ସାର ହୋଇ ରହିଚି…...

ସତେ ଯେପରି ନିଦରୁ ଉଠିଥିବା ପରି ମୁଁ ଆପଣା ଉପରେ ଆଖି ବୁଲାଇ ଦେଖିବାକୁ ଲାଗିଲି ।

ଏହି ପ୍ରସାରିତ ବୃହତ୍ ଉଦ୍ୟାନ, ନକ୍ଷତ୍ରଖଚିତ ନୀଳକାଶ ଭିତରକୁ ଉତ୍ତୋଳିତ ହୋଇଥିବା ଏହାର କୃଷ୍ଣୋଚ୍ଚ ତରୁଶିଖରମାନ, ଏହି ବିପୁଳ ଗୌରବମୟ କକ୍ଷ, ସ୍ତମ୍ଭଗୁଡ଼ିକର ଅନ୍ତରାଳରୁ ଆଲୋକ ବିକିରଣ କରୁଥିବା ମୁକ୍ତାନିର୍ମିତ ପ୍ରଦୀପମାନ ସବୁ ଯେପରି ଆଜି ମୋର ଆଖିକୁ ଅନ୍ୟପ୍ରକାର ପ୍ରତୀତ ହେବାକୁ ଲାଗିଲା । ଯେପରି ଏସବୁ କେହି ମୋର ନୁହନ୍ତି, ଯେପରି ଏମାନେ ପ୍ରେତମୂର୍ତ୍ତି ହୋଇ ମୋତେ ଭୟ ଦେଖାଇବାକୁ ଆସୁଚନ୍ତି, ଯେପରି ମୋର ହୃଦୟରୁ ସମସ୍ତ ରକ୍ତ ପାନ କରିସାରିବାପରେ ବର୍ତ୍ତମାନ ଏହାର ଶେଷ ରକ୍ତବିନ୍ଦୁ ନିଃଶେଷ କରିବେ ବୋଲି ଲୋଭସକ୍ତ ଆଖିରେ ମୋଆଡ଼କୁ ଅନାଇ ରହିଚନ୍ତି । ମୋର ସମସ୍ତ ରକ୍ତ ପାନ କରିସାରିବାପରେ ଯେପରି ସେମାନେ ମୋର ଶୁଖିଲା ଧଡ଼ଟାକୁ, ଏକ ନିଷ୍ଫଳକାମ ମଣିଷର ସାରହୀନ ଶରୀରଟାକୁ ଏହିଠାରେ ଫୋପାଡ଼ି ଦେଇଯିବେ !

ହଠାତ୍ ଅନେକ ଦୂରରେ ଏକ ଅସ୍ପଷ୍ଟ କୋଳାହଳର ଶବ୍ଦ ଶୁଣିପାରି ମୁଁ ଆତଙ୍କିତ ହୋଇ ଉଠିଲି । ମନେହେଲା ଯେପରି କେତେଲୋକ ଏକାଠି ମିଶି କେଉଁଠି ଚିତ୍କାର କରିବାରେ ଲାଗିଚନ୍ତି । କୋଷମୁକ୍ତ ଖଡ଼ଗକୁ ହାତରେ ଧରି ମୁଁ କେତେ ପାହାଚ ସଦର୍ପ ତଳକୁ ଓହ୍ଲାଇ ଆସିଲି ଏବଂ କାନ ଡେରି ଠିଆହୋଇ ରହିଲି ! ଦସ୍ୟୁଦଳ ଆସି ପହଞ୍ଚିଗଲେ କି ? ନା । ମୋର ମନର ଭ୍ରମ ! ଚର୍ତୁର୍ଦ୍ଦିଗ ଶାନ୍ତ ଓ ସ୍ଥିର, ନିକଟରେ ବା ଦୂରରେ କେଉଁଠି କିଛିହେଲେ ସୋରଶବ୍ଦ ନାହିଁ । କେବଳ ନିଶାକାଳର ଅବିଚ୍ଛନ୍ନ ନୀରବତା ହିଁ ସାଇଁସାଇଁ ଗର୍ଜନ କରିବାରେ ଲାଗିଚି । ଏଇ ଗର୍ଜନରେ ମୁଁ ମୋର ବାଣିଜ୍ୟଯାତ୍ରା ସମୟରେ କେତେକେତେ ବାର ସଂତ୍ରସ୍ତ ହୋଇ ଉଠିଚି ! ନା କେଉଁଠି କିଛିହେଲେ ଶୁଣିବାକୁ ମିଳୁନାହିଁ ! କିନ୍ତୁ ମୋର ଭିତରେ ହଠାତ୍ ଏ କି ପରିବର୍ତ୍ତନ ହୋଇଗଲା ? ଏହାକୁ ମୁଁ ପ୍ରକୃତରେ ଭୟ ବୋଲି କହି ପାରିବିନାହିଁ, ଏହା ସଂଶୟ ବା କିଂକର୍ତ୍ତବ୍ୟବିମୂଢ଼ତା ମଧ୍ୟ ନୁହେଁ, ଏ ଯେ ଆନନ୍ଦ : –

ଆସ ଦସ୍ୟୁମାନେ ! ଭିତରକୁ ଆସ, ଅଙ୍ଗୁଳିମାଳା ! ସବୁ ଛାରଖାର କରିପକାଅ, ପୋଡ଼ି ପାଉଁଶ କରିଦିଅ ! ଏସବୁ ମୋର ଐଶ୍ୱର୍ଯ୍ୟ ନୁହେଁ, ଏହା ମୋର ଶତ୍ରୁ, ମରଣଠାରୁ ବଳି ମାରାତ୍ମକ ଶତ୍ରୁ । ମୋତେ ଯେଉଁସବୁ ଜିନିଷ ତଳକୁ ଚାପିଧରିଚି, ଯାହାସବୁ ମୋର ତଣ୍ଟି ଚିପିଧରିଚି, କେବଳ ସେହିସବୁକୁ ତୁମେମାନେ ମୋଠାରୁ ଅପହରଣ କରିନେଉଚି । ଭିତରକୁ ଆସ, ମୋର ରକ୍ତ ଭିତରକୁ ତୁମର ଛୁରିକା ଭୁସିଦିଅ । ଏହି ଶରୀର ମୋର ସବୁଠାରୁ ବଳି ମାରାତ୍ମକ ଶତ୍ରୁ, ଏହା ନାନାପ୍ରକାର ସମ୍ଭୋଗରେ ଅବଲିପ୍ତ ହୋଇ ରହିଚି, ପେଟୁଙ୍କ ପରି ଖାଇଖାଇ ମୋଟା ହୋଇ ରହିଚି । ଏହି ଜୀବନଟା ହେଉଚି ମୋର ହୀନତମ ସମ୍ପତ୍ତି । ତୁମେ ମୋଠାରୁ ଏହି ଜୀବନକୁ ଛଡ଼ାଇ ନେଇଯାଅ । ମୁଁ ତୁମମାନଙ୍କୁ ସ୍ୱାଗତ ଜଣାଉଚି, ଦସ୍ୟୁଦଳ, ମୋର ସୁହୃତ୍, ମୋର ପୁରାତନ ସହଚରବର୍ଗ ।

କ୍ରମେ ଅର୍ଦ୍ଧରାତ୍ରି ଅତୀତ ହୋଇଗଲା । ମୁଁ ଅତି ଆନନ୍ଦର ସହିତ ସଂଗ୍ରାମଲାଗି ଅପେକ୍ଷା କରି ରହିଥାଏ । ଅଙ୍ଗୁଳିମାଳା ବର୍ତ୍ତମାନ ଗୃହରେ ପ୍ରବେଶ କରିବ ଓ ମୋତେ ଖୋଜିବାକୁ ଲାଗିବ । ଏଥର ଦେଖିବି, କିପରି ସେ ମୋହାତରୁ ଖଣ୍ଡା କାଢ଼ିନେଇ ପାରିବ। ଆହା ଯେଉଁ ଲୋକଟା ମୋର ଯାବତୀୟ ଦୁର୍ଭାଗ୍ୟର କାରଣ ହୋଇଚି, ତାହାର ଶରୀରରେ ତରବାରୀ ବିଦ୍ଧ କରି ସାରିବା ପରେ ମରିବାଟା ପ୍ରକୃତରେ କେଡ଼େ ଆନନ୍ଦଦାୟକ ନହେବ ?

ନା-ଆଉ ବେଶୀ ଡ଼େରିନାହିଁ ! ସେଦିନ ରାତିରେ ମୁଁ କେତେଥର ଏହି ବାକ୍ୟଟି ଉଚ୍ଚାରଣ କରି ଆପଣା ମନକୁ ସାନ୍ତ୍ୱନା ନଦେଇଚି !

ଏତେବେଳେକେ ହଁ, ଆସିଲେ ନା, ଏ ଶବ୍ଦଟା କେବଳ ବୃକ୍ଷଶିଖରରେ ପବନର ମର୍ମର ଶବ୍ଦ ଏହି ଶବ୍ଦଟା ଅନେକ ଦୂରରେ ଯାଇ ମିଳାଇଗଲା ଏବଂ ପୁଣି ନୂତନ ମର୍ମରଶବ୍ଦ ଆରମ୍ଭ ହେଲା । ଶବ୍ଦ ଶୁଣି ମନେହେଲା ଯେପରି ଗୋଟାଏ ବୃହଦାକାର ଲୋମଶ ପ୍ରାଣୀ ଆପଣାର ଦେହକୁ ଝାଡ଼ି ହେଉଚି । ବାରବାର ସେହିପରି ଏକ ଶବ୍ଦ ଆସି କାନରେ ବାଜୁଚି । ହଠାତ୍ ଦୂରରୁ କୌଣସି ପକ୍ଷୀର ଚିତ୍କାରଶବ୍ଦ ମଧ୍ୟ ମୁହୂର୍ତ୍ତକଲାଗି ଶୁଣାଗଲା ଓ ପୁଣି ନୀରବ ହୋଇଗଲା ।

ଏସବୁ ପାହାନ୍ତର ହୋଇଆସୁଥିବାର ପୂର୍ବସୂଚନା ନୁହେଁ ତ ?

ଭୟରେ ମୋର ସମସ୍ତ ଶରୀର ପାଣିପରି ହୋଇଯାଉଥାଏ । ଆଜି କଣ ମୋତେ ସତକୁସତ ନିରାଶା ହେବାକୁ ପଡ଼ିବ ? ଏହା କଣ ପ୍ରକୃତରେ ସମ୍ଭବ ? ହୁଏତ ଆଜିରାତିରେ ଦସ୍ୟୁମାନେ ଏଠାକୁ ଆସିବେନାହିଁ, ଏହି ଆଶଙ୍କାରେ ମୁଁ ଗୋଟାସୁଦ୍ଧା କମ୍ପିବାକୁ ଲାଗିଲି । ମୁଁ ଭାବିଥିଲି, ଏଥର ଅନ୍ତଃକାଳ ନିକଟ ହୋଇଆସିଲା, ଏଥର ସବୁ ଶେଷ ହୋଇଯିବ; ପ୍ରଥମେ କିଛିକ୍ଷଣ ପାଇଁ ଭାରି ଉତ୍ତେଜନା ସହିତ ସଂଗ୍ରାମ ହେବ, ତାପରେ ଆଖି ପିଛୁଳାକ ପରି ମୃତ୍ୟୁ ଆସି ପହଞ୍ଚିଯିବ । କିନ୍ତୁ ବର୍ତ୍ତମାନ ଯେ ସବୁ ନିଷ୍ଫଳ ହେବାକୁ ବସିଚି ! ଆଉଟିକିଏ ଗଲେ ସିନ୍ଦୂରା ଫାଟିବ, ସକାଳ ହେବ, ସେହି ପୁରାତନ ନିତ୍ୟନୈମିତ୍ତିକ ସଂସାର ସହିତ ପୁଣି ସାକ୍ଷାତ ହେବ, ସେହି ପୁରାତନ ଜୀବନକୁ ପୁଣି ବଞ୍ଚିବାକୁ ପଡ଼ିବ ଏହିକଥା ଭାବିଲାବେଳକୁ ମୋର ଭିତରଟା ଯେପରି ହାହାକାର କରିଉଠିଲା । ପ୍ରକୃତରେ କଣ ଠିକ୍ ଏହାହିଁ ଘଟିବ ? ମୋର ପରିତ୍ରାଣକାରୀମାନେ କଣ ପ୍ରକୃତରେ ଆଜି ଆସିବେନାହିଁ ? ବର୍ତ୍ତମାନ ତ ଅନେକ ରାତି ହୋଇଯିବଣି । ଠିକ୍ କେତେ ରାତି ହେଲାଣି, ଆକାଶକୁ ଚାହିଁ ଦେଖିବାକୁ ମୋର ସାହସ ହେଉନଥାଏ । କିନ୍ତୁ ଏହା କି କେବେହେଲେ ସମ୍ଭବ ହୋଇପାରେ ? ଆଉ କଣ ମୁଁ ଆପଣାର ମନେମନେ ଭ୍ରମରେ ପଡ଼ିଗଲି କି, ଭ୍ରମରେ କଣ ମୁଁ ସେହି ସନ୍ନ୍ୟାସୀଙ୍କୁ ଅଙ୍ଗୁଳିମାଳା ବୋଲି ଅନୁମାନ କରି ପକାଇଲି କି ? ମୁଁ ଆପଣାକୁ ଏହି ପ୍ରଶ୍ନଟି ବାରବାର ପଚାରିବାକୁ ଲାଗିଲି ଏବଂ ଏହା ପ୍ରକୃତରେ ସତ୍ୟ ହୋଇଥିବ ବୋଲି ଆଦୌ ବିଶ୍ୱାସ କରି ପାରିଲିନାହିଁ । କିନ୍ତୁ ତାହେଲେ ତାହାର ବର୍ତ୍ତମାନ ଏଠାରେ ଆସି ପହଞ୍ଚିବା ଉଚିତ । କୌଣସି ମତଲବ ନଥାଇ ସନ୍ନ୍ୟାସୀ ବେଶରେ ସେ କାହିଁକି ମୋର ବାସଭବନକୁ ଆସିଥାନ୍ତା, ସତେଅବା ପୃଥିବୀ ଗର୍ଭରେ କୁଆଡ଼େ ଲୁଚିଗଲା ପରି କାହିଁକି ପୁଣି ସଙ୍ଗେସଙ୍ଗେ ଅଦୃଶ୍ୟ ହୋଇଯାଇଥାନ୍ତା । ମୁଁ ପରେ ମଧ୍ୟ ଅନୁସନ୍ଧାନ କରି ଜାଣିବାକୁ ପାଇଚି ଯେ ସେ ଏଠାରୁ ଚାଲିଗଲାପରେ ଆଉ କାହାରି ଘରକୁ ଭିକ୍ଷା ସଂଗ୍ରହ କରିବାକୁ ଯାଇନାହିଁ ।

ପ୍ରାଙ୍ଗଣଭିତରୁ ଗୋଟିଏ କୁକୁଡ଼ାର ନିଦ୍ରାବେଶଦ୍ରବିତ ଡ଼ାକରେ ମୋର ଧ୍ୟାନ ଭାଙ୍ଗିଗଲା-। ଆକାଶକୁ ଅନାଇ ଦେଖିଲି ମୁଁ ଖୋଜୁଥିବା ନକ୍ଷତ୍ରପୁଞ୍ଜର ଦୁଇଟି ନକ୍ଷତ୍ର ବୃକ୍ଷ-ଅନ୍ତରାଳରେ ଅଦୃଶ୍ୟ ହୋଇଗଲେଣି । ତାରାସବୁ କ୍ରମେ ମ୍ଳାନ ଦିଶିବାକୁ ଆରମ୍ଭ କଲେଣି, କେବଳ ମୁଣ୍ଡଉପରେ ଥିବା କେତେଟା ତାରା ଏପର୍ଯ୍ୟନ୍ତ ଚକଚକ କରୁଚନ୍ତି । ଆଉ ସନ୍ଦେହ କରିବାକୁ କୌଣସି ଅବକାଶ ହିଁ ନାହିଁ । ସିନ୍ଦୂରା ଫାଟିବାକୁ ଆଉ ଖୁବ୍‍ବେଶୀ ଡ଼େରି ନାହିଁ । ଆଜି ରାତିରେ ଅଙ୍ଗୁଳିମାଳା ଏଠାକୁ ଲୁଣ୍ଠନ କରିବାକୁ ଆସିବାର ଆଉ କୌଣସି ଆଶା ନାହିଁ ।

କିନ୍ତୁ ଆଜି ରାତିରେ ଘଟିଥିବା ଯାବତୀୟ ଘଟଣା ଅପେକ୍ଷା ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ଯାଇ ଘଟିଲା ।

ଦସ୍ୟୁଦଳ ଆକ୍ରମଣ କରିବାର ଆଉ କୌଣସି ଆଶା ନାହିଁ, ଏକଥା ଭଲକରି ଜାଣିସାରିବା ପରେ ମୋତେ ନିରାଶ ଲାଗିଲାନାହିଁ କି ଉଶ୍ୱାସ ମଧ୍ୟ ଲାଗିଲାନାହିଁ । ମାତ୍ର ଏକ ସମ୍ପୂର୍ଣ୍ଣ ନୂତନ ଭାବନା ଆସି ମୋର ମନକୁ ଗୋଟାସୁଦ୍ଧା ଅଧିକାର କରି ବସିଲା : –

‘‘ଏହି ଦସ୍ୟୁମାନଙ୍କଠାରେ ମଧ୍ୟ ଆଉ ମୋର କି କାମ ଅଛି ? ସେମାନେ ଆସି ମୋତେ ମୋର ଏହି ଅତୁଳ ଐଶ୍ୱର୍ଯ୍ୟରୂପୀ ପାପରୁ ପରିତ୍ରାଣ କରିନେବେ, ହୁଏତ ମୁଁ ଏଥିପାଇଁ ସେମାନଙ୍କର ଅପେକ୍ଷା କରି ବସିଥିଲି । କିନ୍ତୁ ଏହି ସଂସାରରେ ଜଣେଜଣେ ବ୍ୟକ୍ତି ତ ପୁଣି ଆପଣା ଇଚ୍ଛାରେ ସମସ୍ତ ଧନସମ୍ପତ୍ତି ତ୍ୟାଗ କରି ସନ୍ନ୍ୟାସୀ ହୋଇ ଯାଉଚନ୍ତି ! ଠିକ୍ ଯେପରି ଚଢ଼େଇ ଆପଣାର ଡ଼େଣାଦୁଇଟିର ସାହାଯ୍ୟରେ ଯେଉଁଆଡ଼େ ଖୁସି ସେଆଡ଼କୁ ଉଡ଼ି ଚାଲିଯାଇପାରେ, ସନ୍ନ୍ୟାସୀର ଜୀବନ ଠିକ୍ ସେହିପରି ମୁକ୍ତ, ସେହିପରି ବନ୍ଧନହୀନ । ତାର ଅଙ୍ଗରେ ପଡ଼ିଥିବା ଅଙ୍ଗବସ୍ତ୍ର ଏବଂ ଜୀବନ ଧାରଣ ଲାଗି ସେ ସଂଗ୍ରହ କରୁଥିବା ଭିକ୍ଷାନ୍ତ ଏହିଥିରେ ହିଁ ସେ ସବୁବେଳେ ପରିତୃଷ୍ଟ ରହିଥାଏ । ସେମାନଙ୍କୁ ମୁଁ ଅନେକଥର କହିବାର ଶୁଣିଚି, ତାହା ପ୍ରକୃତରେ ଏକ ବନ୍ଦିଶାଳା । କିନ୍ତୁ କେବଳ ସନ୍ନ୍ୟାସୀ ହିଁ ମୁକ୍ତ ହୋଇ ଉନ୍ମୁକ୍ତ ଶୂନ୍ୟରେ ବିଚରଣ କରିପାରେ ।

ଆଉ ଏହି ଶରୀରଟାକୁ ହତ୍ୟା କରିବାଲାଗି ମୁଁ ଦସ୍ୟୁମାନଙ୍କୁ ଅପେକ୍ଷା କରି ରହିଥିଲି । ଯେଉଁଦିନ ଏହି ଶରୀର ଧୂଳିରେ ପରିଣତ ହୋଇଯିବ, ସେଦିନ ଏହା ପୁଣି ଏକ ନୂତନ ଶରୀରର ରୂପ ଗ୍ରହଣ କରିବ, ଏହି ଜୀବନର ଫଳସ୍ୱରୂପ ଆଉ ଏକ ଜୀବନ ଜନ୍ମଲାଭ କରିବ । କିନ୍ତୁ ମୋର ଏହି ଜୀବନରୁ ପୁଣି କିଭଳି ଜୀବନର ଉଦ୍‍ଭବ ହେବ ? ସ୍ୱର୍ଗର ପଶ୍ଚିମାଞ୍ଚଳରେ ଅବସ୍ଥିତ କମଳସରଃ ଗୁଡ଼ିକୁ ଆପଣାର ରଜତ ତରଙ୍ଗରେ ପୂର୍ଣ୍ଣ କରି ରଖିଥିବା ସେହି ଆକାଶଗଙ୍ଗା ତଳେ ଠିଆହୋଇ ସେଦିନ ମୁଁ ଓ ବଶିଷ୍ଠୀ କେଡ଼େ ଉଚ୍ଛ୍ୱସିତ ଭାବରେ ପରସ୍ପର ପାଖରେ ଶପଥ କରିଥିଲୁ ଯେ ସେହି କଲ୍ୟାଣମୟ ରାଜ୍ୟରେ ପୁଣି ଦିନେ ଆମର ଅବଶ୍ୟ ମିଳନ ହେବ ଏବଂ ତାହାରି କିହଥିବା ଅନୁସାରେ କେଉଁ ପବିତ୍ର ସାଗରର ସ୍ୱଚ୍ଛ ଜଳସମତଳ ଉପରେ ଆମେ ଦୁଇଟି କମଳକଳି ହୋଇ ସେଦିନ ବିକଶିତ ହୋଇ ଉଠିଥିଲୁ । ପ୍ରତ୍ୟେକଟି ବିଶୁଦ୍ଧ ଭାବନା ଓ ପ୍ରତ୍ୟେକଟି ସତ୍‍କାର୍ଯ୍ୟର ବଳରେ ଏହି କଳିଦୁଇଟି କ୍ରମେ ବିକଶିତ ହୋଇଥିବ ଏବଂ ଆମ ଜୀବନର ଯାବତୀୟ ପାପ ଓ ତୁଚ୍ଛ କାର୍ଯ୍ୟମାନ ସେଥିରେ ଗୋଟିଏ ଗୋଟିଏ କୀଟାଣୁ ହୋଇ ଜନ୍ମଲାଭ କରିଥିବ । ହାୟ, ମୋର ଜୀବନର କଳିଟିକୁ କେଉଁଦିନ କୀଟାଣୁମାନେ ଖାଇ ଶେଷ କରି ସାରିବେଣି । ଅନେକ ଥର ମୁଁ ମୋର ଆପଣା ଜୀବନକୁ ବିଚାର କରି ଦେଖିବାର ଚେଷ୍ଟା କରିଚି । ମୋର ସମସ୍ତ ଜୀବନକୁ ମୁଁ କେବଳ ବ୍ୟର୍ଥ ଭାବରେ ଅତିବାହିତ କରିଚି, ଏଥିରୁ ଯେଉଁ ଜୀବନର ଉଦ୍‍ଭବ ହେବ, ତାହା ମଧ୍ୟ ଏହିପରି ବ୍ୟର୍ଥ ହୋଇଯିବ । ତେବେ ଏହି ଜୀବନରୁ ମୁଁ ଆଉ କି ଲାଭ ପାଇଚି ?

କିନ୍ତୁ ଏ ଜଗତରେ ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ କି ଆପଣାର ତପସ୍ୟା ବଳରେ ଏହି ଜନ୍ମରେ ମଧ୍ୟ ସାଂସାରିକ ପୁନର୍ଜନ୍ମର ଜାଲରୁ ଆପଣାକୁ ମୁକ୍ତ କରି ପାରୁଚନ୍ତି, ବୋଧିପ୍ରାପ୍ତ ହେଉଚନ୍ତି ଓ ଶାଶ୍ୱତ କଲ୍ୟାଣର ଅଧିକାରୀ ହେଉଚନ୍ତି । ଏହି ବ୍ୟକ୍ତିମାନେ ହିଁ ସନ୍ନ୍ୟାସୀ ହୋଇ ପ୍ରବ୍ରଜା ବ୍ରତ ଅବଲମ୍ବନ କରିଚନ୍ତି, ଏହିମାନେ ହିଁ ସର୍ବସ୍ୱ ତ୍ୟାଗ କରିଚନ୍ତି ।

ତେଣୁ ଦସ୍ୟୁଦଳର ନିଆଁହୁଳା ଓ ତରବାରି ମୋର କି କାମରେ ଲାଗିବ ?

ଆଉ ମୁଁ–ଯିଏ କି ପ୍ରଥମେ ଦସ୍ୟୁମାନଙ୍କର ନାମ ଶୁଣି ଭୟରେ କମ୍ପୁଥିଲା ଏବଂ ତାପରେ ବଡ଼ ଅଧୀର ଭାବରେ ସେମାନଙ୍କର ଆସିବାକୁ ଅପେକ୍ଷା କରି ରହିଥିଲା–ପ୍ରକୃତରେ ମୁଁ ସେମାନଙ୍କୁ ଭୟ କରୁନଥିଲି ଆକାଂକ୍ଷାରୁ ମୁକ୍ତ ହୋଇ ମୁଁ ଆପଣାର ହୃଦୟରେ ଏକ ମହାନ୍ ଶାନ୍ତଭାବ ଅନୁଭବ କରିଥିଲି । ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରି ନିରନ୍ତର ପ୍ରବ୍ରଜା କରି ବୁଲୁଚନ୍ତି, ଏହି ଶାନ୍ତଭାବରେ ନିମଗ୍ନ ଥିବା ସମୟରେ ସତେ ଯେପରି ମୁଁ ସେହିମାନଙ୍କର ଲକ୍ଷ୍ୟସ୍ଥାନରେ ଯାଇ ଉପନୀତ ହେବାର ପୂର୍ବସ୍ୱାଦ ଅନୁଭବ କରି ପାରିଥିଲି ! ବର୍ତ୍ତମାନ ମୁଁ ଦସ୍ୟୁମାନଙ୍କ ଉପରେ ଯେତିକି ନିର୍ଭର କରନ୍ତି । ସନ୍ନ୍ୟାସୀମାନେ ସେହିପରି ସମସ୍ତ ଜଗତର ଈଶ୍ୱର ଉପରେ ନିର୍ଭର କରନ୍ତି । ସେମାନେ କଦାପି ଭୀତ ହୁଅନ୍ତିନାହିଁ, କୌଣସିଥିରେ ଆଶା ମଧ୍ୟ କରନ୍ତି ନାହିଁ ଏବଂ ପରମ ଶାନ୍ତିରେ ଅବସ୍ଥାନ କରନ୍ତି ।

ଆଉ ମୁଁ ? ଠିକ୍ ଚବିଶ ଘଣ୍ଟା ପୂର୍ବରୁ ମୁଁ ବାଣିଜ୍ୟଯାତ୍ରାରେ ମଧ୍ୟ ଘରଛାଡ଼ି ଯିବାକୁ ଅନିଚ୍ଛୁକ ଥିଲି, ବାଟରେ ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଶକଟବାହିନୀ ସହିତ ଗଲେ ଆବଶ୍ୟକ ସାମଗ୍ରୀମାନ ପାଇବାଲାଗି ଅନେକ ଅର୍ଥ ବ୍ୟୟ କରିବାକୁ ହେବ, ଏହିସବୁ କାରଣ ଦେଖାଇ ମୁଁ ଘରେ ରହିବାଲାଗି ଆପଣାକୁ ପ୍ରବର୍ତ୍ତାଇ ପାରୁଥିଲି ! ସେହି ମୁଁ କୌଣସି ପ୍ରକାର ବିଚାର ନକରି ବର୍ତ୍ତମାନ ନିଷ୍ପତ୍ତି କରୁଚି ଯେ ଏହି ଦେହରୁ ଜୀବନ ଯିବା ପର୍ଯ୍ୟନ୍ତ ମୁଁ ପରିବ୍ରାଜକ ହୋଇ ବୁଲିବି, ଯେଉଁଠାରେ ଯେପରି ଅବସ୍ଥାରେ ରହିବାକୁ ପଡ଼ିବ, ସେହି ଅବସ୍ଥାରେ ହିଁ ଜୀବନ ପୋଷଣ କରିବି ।

ଆଉ ଘର ଭିତରକୁ ଯିବାଲାଗି ମନ ହେଲାନାହିଁ, ତେଣୁ ମୁଁ ଉଦ୍ୟାନ ଓ ପ୍ରାଙ୍ଗଣର ମଝିରେ ଥିବା ଗୋଟିଏ ଗୃହ ଆଡ଼କୁ ଯିବାକୁ ଲାଗିଲି, ସେହି ଗୃହରେ ପ୍ରତ୍ୟେକ ରକମର ସାମଗ୍ରୀ ସଂରକ୍ଷିତ ହୋଇ ରହିଥିଲା । ସେହି ଘରକୁ ଯାଇ ମୁଁ ଶକଟଚାଳକମାନେ ବ୍ୟବହାର କରୁଥିବା ଗୋଟିଏ ବାଡ଼ି ସଂଗ୍ରହ କରିନେଲି ଏବଂ ଏହାର ଅଗ କାଟି ମୁନିଆ କରିଦେଲି । ମୋର ପରିବ୍ରଜରେ ଏହି ଯଷ୍ଟି ହିଁ ମୋର ସହାୟ ହେବ । ବଗିଚାର ମାଳୀ ଓ କୃଷକମାନଙ୍କ ପରି ଗୋଟିଏ ପତରର ଠୋଲା ମଧ୍ୟ ମୁଁ ଆପଣାର କାନ୍ଧରେ ଝୁଲାଇ ରଖିଲି ।

ପ୍ରାଙ୍ଗରେ ଥିବା କୂଅପାଖକୁ ଯାଇ ମୁଁ ସେହି ପାତ୍ରଟିରେ ଜଳ ଭରିଆଣିଲି ।

ଠିକ୍ ସେତିକିବେଳେ ମୋର ଜଣେ ପରିକର ଆସି ମୋତେ ପଚାରିଲା : –

ସ୍ୱାମୀ, ଅଙ୍ଗୁଳିମାଳା ଓ ତା’ର ଦସ୍ୟୁଦଳ ଆଜି ରାତିରେ ଆଉ ଆସିବେ ବୋଲି ମନେ ହେଉନାହିଁ ।

ନା, ଆଉ ସେମାନେ ଆସିବେ ନାହିଁ ।

କିନ୍ତୁ, ସ୍ୱାମୀ, ଆପଣ ଏଡ଼େ ବେଗି କୁଆଡ଼େ ବାହାରିଚନ୍ତି ?

ହଁ, ମୁଁ ବାହାରିଚି ! କେବଳ ଏତିକି ବ୍ୟତୀତ ମୁଁ ତୋତେ ଆଉ ଅଧିକ କିଛି କହି ପାରିବିନାହିଁ । ମୁଁ ଆଜି ଯେଉଁ ପଥରେ ପଥିକ ହୋଇ ବାହାରିଚି, ଲୋକମାନେ ତାହାକୁ ଉଚ୍ଚତମ ବିହଙ୍ଗପଥ ବୋଲି କହିଥାନ୍ତି । ଏହି ପଥର ପଥିକ ହେଲେ ଆଉ ଫେରି ଆସିବାକୁ ପଡ଼େ ନାହିଁ । ମୃତ୍ୟୁ ପରେ ପୁଣି ଏହି ସଂସାରକୁ ଫେରି ଆସିବାକୁ ପଡ଼େ ନାହିଁ, ତେଣୁ ଏହି ଜୀବନରେ ପୁଣି ଏହି ଗୃହକୁ ଫେରିଆସିବାର ପ୍ରଶ୍ନ ହିଁ ଉଠୁଚି କୁଆଡ଼ୁ ? ଆଜିଠାରୁ ଏହି ଗୃହକୁ ମୁଁ ତୋ’ର ତତ୍ତ୍ୱବଧାନରେ ଛାଡ଼ିଦେଇ ଯାଉଚି, କାରଣ ତୁ ଅତ୍ୟନ୍ତ ବିଶ୍ୱସ୍ତ ଭାବରେ ଏହି ଗୃହର ଦାୟିତ୍ୱ ବହନ କରି ଆସିଚୁ । ଏହି ଗୃହ ଓ ଏହି ସମ୍ପତ୍ତିର ପରିଚାଳନା ତୁ କରିବୁ, ମୋର ପୁଅ ବଡ଼ ହୋଇ ଏସବୁ ଦାୟିତ୍ୱ ସ୍ୱୟଂ ଗ୍ରହଣ କଲା ପର୍ଯ୍ୟନ୍ତ ଏହି ଭାର ତୋ’ଉପରେ ରହିଲା । ମୋର ବାପା ଓ ପତ୍ନୀମାନଙ୍କୁ ମୋର ଯଥାଯୋଗ୍ୟ ସମ୍ଭାଷଣ ଜଣାଇଦେବୁ । ଶେଷରେ ମୁଁ ତୋର କୁଶଳ କାମନା କରୁଚି ।

ମୋର ବାକ୍ୟ ଶେଷ ନହେଉଣୁ ପରିକରଟି କାନ୍ଦିକାନ୍ଦି ମୋର ହାତରେ ମୁହୁର୍ମୁହୁଃ ଚୁମ୍ବନ କରିବାକୁ ଲାଗିଲା । ଶେଷରେ ତା’ର ଆଦର ପାଶରୁ ସେହି ହାତଟିକୁ ମୁକ୍ତ କରି ମୁଁ ତୋରଣ ଆଡ଼କୁ ଯିବାକୁ ଲାଗିଲି । ବାହାରକୁ ବାହାରି ଗଲାବେଳେ ମୁଁ ଭାବୁଥାଏ–ସେହି ଭିକ୍ଷୁକକୁ ଅଙ୍ଗୁଳିମାଳା ବୋଲି ବିଶ୍ୱାସ କରିବାଟା ଯଦି ପ୍ରକୃତରେ ମୋର ଚକ୍ଷୁର ଭ୍ରମ ହୋଇଥାଏ, ଯଦି ଏପରି ଏକ ଭ୍ରମ ମୋତେ ବଞ୍ଚନା କରିଥାଏ, ତେବେ ଏହି ଭ୍ରମରେ ପଡ଼ି ଓ ଏହିପରି ଭାବରେ ବଞ୍ଚିତ ହୋଇ ମୁଁ ମୋର ଯଥାର୍ଥ କର୍ତ୍ତବ୍ୟ ହିଁ କରିଚି ।

ଆଉ ୟାଡ଼େସାଡେ ନ ଅନାଇ ମୁଁ ସତ୍ୱର ଗତିରେ ଆଗେଇ ଯାଉଥାଏ । କ୍ରମେ ନଗରର ଉପଣ୍ଠରେ ଥିବା ଉଦ୍ୟାନଗୁଡ଼ିକ ମଧ୍ୟ ପଛକୁ ଅତିକ୍ରାନ୍ତ ହୋଇଗଲା । ସେତେବେଳେ ଆଗକୁ ମୁଁ ଆକାଶ ଉପରେ ପ୍ରଭାତର ପ୍ରଥମ ରକ୍ତଛଟା ଦେଖିବାକୁ ପାଇଲି, ସମସ୍ତ ଦିଗନ୍ତ ପୂର୍ଣ୍ଣକରି ଏହି ସୀମାହୀନ ଛଟା ପ୍ରସାରିତ ହୋଇ ରହିଥିଲା ।

ମହାଭାଗ, ମୁଁ ଏହିପରି ଭାବରେ ଗୃହ ତ୍ୟାଗ କରି ଚାଲିଆସିଲି ।

Image

 

୧୮

କୁମ୍ଭାରଘରର ଅତିଥିଶାଳା

 

ଯାତ୍ରା କାମନୀତ ଏତିକିରେ ଆପଣାର କାହାଣୀ ଶେଷ କଲେ, କ୍ଷଣକପାଇଁ ନୀରବ ହୋଇ ସମ୍ମୁଖରେ ପ୍ରସାରିତ ଧରଣୀ ଉପରକୁ ଦୃଷ୍ଟିପାତ କଲେ ।

 

ତଥାଗତ ମଧ୍ୟ ସେହିପରି ନୀରବରେ ସମ୍ମୁଖରେ ପ୍ରସାରିତ ଧରଣୀ ଆଡ଼କୁ ଦୃଷ୍ଟିପାତ କରୁଥାନ୍ତି ।

 

ଦୂର ଏବଂ ନିକଟ ଚତୁର୍ଦ୍ଦିଗରେ ବିଶାଳ ଦ୍ରୁମମାନ ଦଣ୍ଡାୟମାନ ରହିଥାନ୍ତି, କେତେକ ଏକାଠି ଅବସ୍ଥିତ ରହି ସ୍ତୂପୀକୃତ କୃଷ୍ଣଛାୟାର ଭ୍ରମ ଉପୁଜାଉଥାନ୍ତି, କେତେକ ଏକାଠି ଅବସ୍ଥିତ ରହି ସ୍ତୂପୀକୃତ କୃଷ୍ଣଛାୟାର ଭ୍ରମ ଉପୁଜାଇଥାନ୍ତି, ଅନ୍ୟଗୁଡ଼ିକ ଆକାଶରେ ଉଠିଥିବା ମେଘଖଣ୍ଡପରି ଦେଖାଯାଉଥାନ୍ତି ବା କୁହୁଡ଼ିପରି ଦୂରସ୍ଥ ଗର୍ଭରେ ଅଦୃଶ୍ୟପ୍ରାୟ ହୋଇଯାଉଥାନ୍ତି ।

 

ଗୃହ ଛାତର ଉପରେ ଏପର୍ଯ୍ୟନ୍ତ ଚନ୍ଦ୍ରମା ଭାସି ଭାସି ଯାଉଥାଏ, ତାହାର କିରଣ ଏପର୍ଯ୍ୟନ୍ତ ଚନ୍ଦ୍ରମା ଭାସି ଭାସି ଯାଉଥାଏ; ତାହାର କିରଣ ଏପର୍ଯ୍ୟନ୍ତ ମଧ୍ୟ ଘର ଭିତରେ ଧୋବଲୁଗାପରି ବିଛାଇ ହୋଇ ପଡ଼ିଥାଏ, ରୂପା ଛାଉଣୀ ହୋଇଥିଲାପରି ଘରର ସ୍ତମ୍ଭଗୁଡ଼ିକ ଆଲୋକରେ ଚକଚକ କରୁଥାଏ ।

 

ସେହି ନିସ୍ତବ୍ଧତା ଭିତରୁ କେଉଁ ପ୍ରତିବେଶୀ ଗୃହରେ ଥିବା ଗୋଟିଏ ମହିଷ ଘାସ ଚୋବାଉଥିବାର କ୍ଷୀଣ ଅଥଚ ସଚ୍ଛନ୍ଦ ଶବ୍ଦ ବେଶ୍‍ ବାରିହୋଇ ଯାଉଥାଏ ।

 

ତଥାଗତ ଆପଣାର ମନେମନେ ଭାବୁଥାନ୍ତି–ବଶିଷ୍ଠୀ ବିଷୟରେ ଯେଉଁସବୁ ବୃତ୍ତାନ୍ତ ମୋତେ ଜଣାଅଛି, ଏହି ଯାତ୍ରୀକୁ ବର୍ତ୍ତମାନ ସେହିକଥା କହିବା ଉଚିତ ହେବ କି ? ବଶିଷ୍ଠୀ ପ୍ରକୃତରେ ତାହାର ପ୍ରିୟତମ ପ୍ରତି କିପରି ଅନୁରକ୍ତ ରହିଥିଲା, କିପରି ନାନା ପ୍ରବଞ୍ଚନାଦ୍ୱାରା ତାହାକୁ ଶତଗୀର ସହିତ ବିବାହ କରିବାକୁ ବାଧ୍ୟ କରାଗଲା–କିପରି ସେ ଅଙ୍ଗୁଳିମାଳାକୁ ଉଜ୍ଜୟିନୀ ପଠାଇଥିଲା ଏବଂ କାମନୀତ ଯେ ବାହାରିଆସି ପାରିଲା, କିପରି କେବଳ ବଶିଷ୍ଠୀ ହିଁ ସେହି ଗୌରବର ଅଧିକାରିଣୀ ହୋଇପାରିବ, ଏସବୁ କଥା ଖୋଲିକରି କହିଦେବା ବର୍ତ୍ତମାନ ଉଚିତ ହେବ କି ? ବଶିଷ୍ଠୀ ବର୍ତ୍ତମାନ କେଉଁଠି କିପରି ଅବସ୍ଥାରେ ଅଛି ଏବଂ ଆପଣାର ଆତ୍ମସାଧନା ପଥରେ ତାକୁ କିପରି ସଂଗ୍ରାମମାନ କରିବାକୁ ପଡ଼ୁଚି, କାମନୀତ ଆଗରେ ମୁଁ ସବୁ ପ୍ରକାଶ କରି କହିଦେବି କି ?

 

ଅନେକ ବିଚାର କରି ତଥାଗତ ନିଷ୍ପତ୍ତି କଲେ, ନା–ତାହାର ଉପଯୁକ୍ତ ସମୟ ଏପର୍ଯ୍ୟନ୍ତ ଆସି ଉପସ୍ଥିତ ହୋଇନାହିଁ ଏବଂ ଏସବୁ ଜାଣିବାଦ୍ୱାରା ବର୍ତ୍ତମାନ କାମନୀତର କୌଣସି ଉପକାର ହେବନାହିଁ ।

 

ସେହି ନିସ୍ତବ୍ଧତା ଭିତରେ କେତେ ଘଡ଼ି ଅତିବାହିତ ହୋଇଗଲା ପରେ ତଥାଗତ କହିଲେ : –

 

ମଣିଷ ଯାହାକୁ ଭଲପାଏ, ତାହାଠାରୁ ବିଚ୍ଛିନ୍ନ ହୋଇଗଲେ ସେ ଦୁଃଖ ପାଏ; ସେ ଯାହାକୁ ଭଲ ନପାଏ ତାହା ସହିତ ଏକତ୍ର ବାସ କରିବାକୁ ବାଧ୍ୟ ହେଲେ ସେ ଦୁଃଖ ପାଏ । ଯିଏ ଏକଥା କହିଚନ୍ତି, ସେ ବଡ଼ ଯଥାର୍ଥରେ ହିଁ ଏହିକଥା କହିଛନ୍ତି ।

 

ବଡ଼ ବ୍ୟାକୁଳ ଓ ଭାବାବେଗମୟ ହୋଇପଡ଼ି କାମନୀତ କହିଉଠିଲେ–କେଡ଼େ ବଡ଼ ସତକଥା ଆପଣ କହିଲେ, କି ଗଭୀର ସତ୍ୟକଥା ! ଏହି ମହାନ୍‍ ବାକ୍ୟ କେଉଁ ମହାପୁରୁଷଙ୍କର ମୁଖରୁ ନିଃସୃତ ହୋଇଚି, ମୋତେ ଆପଣ ଅନୁଗ୍ରହ କରି କହନ୍ତୁ ।

 

ଯାତ୍ରୀ, ଯାହା ମୁଖରୁ ନିଃସୃତ ହୋଇଚି, ତାହା ଜାଣି କୌଣସି ଲାଭ ନାହିଁ । ଏହି ବାକ୍ୟଟିର ନିହିତ ସତ୍ୟଟିକୁ ଅନୂଭବ କରିବା ଓ ବୁଝିବା ହେଉଚି ସବୁଠାରୁ ବଡ଼ କଥା ।

 

କିପରି ମୁଁ ଏକଥା ନକରିବି କହିଲେ ! ଏହି ମାତ୍ରା କେତୋଟି ଶବ୍ଦ ଭିତରେ ମୋର ସମଗ୍ର ଜୀବନର ଦୁଃଖକୁ ପ୍ରକାଶିତ କରି ଦିଆଯାଇଚି । ଏପର୍ଯ୍ୟନ୍ତ ମୁଁ କାହାରି ଶିଷ୍ୟତ୍ୱ ଗ୍ରହଣ କରିନାହିଁ । ଏହି ଶବ୍ଦଗୁଡ଼ିକୁ ଉଚ୍ଚାରଣ କରିଥିବା ଗୁରୁଙ୍କର ଅନୁଗ୍ରହ ମୁଁ ଯଦି ପାଇବି, ତେବେ ଅନ୍ୟ ଗୁରୁ ଅନ୍ୱେଷଣ କରି ଯିବାଲାଗି ଆଉ କୌଣସି ଆବଶ୍ୟକତା ରହିବନାହିଁ ।

 

ଯାତ୍ରୀ, ତୁମର ଏପରି କେହି ଗୁରୁ ଅଛନ୍ତି କି, ତୁମେ ଯାହାଙ୍କଠାରୁ ଦୀକ୍ଷା ଗ୍ରହଣ କରିଚ ଏବଂ ଯାହାଙ୍କର ପନ୍ଥା ଅନୁସରଣ କରୁଚ ?

 

ଭଦ୍ର, ମୁ ଏପର୍ଯ୍ୟନ୍ତ କୌଣସି ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରିନାହିଁ । ବରଂ ଆପଣାର ପଥରେ ଆପଣାର ଲକ୍ଷ୍ୟକୁ ଆପେ ଅନୁସନ୍ଧାନ କରିବାକୁ ମୁଁ ଏପର୍ଯ୍ୟନ୍ତ ମୋର ନୀତି ବୋଲି ଗ୍ରହଣ କରିଚି । ଯେଉଁଦିନ କୌଣସି ଗ୍ରାମର ଅନ୍ତଃପାତି କୌଣସି ସ୍ଥାନରେ, କୌଣସି ବୃକ୍ଷତଳେ ବା କୌଣସି ଅରଣ୍ୟରେ ରାତ୍ରିବିଶ୍ରାମ ଲାଗି ଆଶ୍ରୟ ଗ୍ରହଣ କରିଚି, ସେତେବେଳେ ମୁଁ ଗଭୀର ବିଚାର ସମୁଦ୍ର ଭିତରେ ନିମଗ୍ନ ହୋଇ ରହିଚି । ଏବଂ ସେତେବେଳେ ଏହିସବୁ ପ୍ରଶ୍ନ ମୋର ମନରେ ଉଦିତ ହୋଇ ମୋତେ ବଡ଼ ଆନ୍ଦୋଳିତ କରି ପକାଇଚି–ଆତ୍ମା ବୋଇଲେ ଆମେ କଅଣ ବୁଝିବା ? ସଂସାରର ପ୍ରକୃତ ଅର୍ଥ କଣ ? ଏହି ସଂସାର କଣ ପ୍ରକୃତରେ ଚିରନ୍ତନ ? ଆତ୍ମା କଣ ପ୍ରକୃତରେ ଅବିନାଶୀ ? ସଂସାର କ’ଣ କ୍ଷଣଭଙ୍ଗୁର, ଏହି ଆତ୍ମା କ’ଣ କ୍ଷଣଭଙ୍ଗୁର ? ଅଥବା ସଂସାର ଅବିନାଶୀ ଓ ଆତ୍ମା କ୍ଷଣସ୍ଥାୟୀ କି ? କିମ୍ବା ଆତ୍ମା ଅବିନାଶୀ ଓ ସଂସାର କ୍ଷଣସ୍ଥାୟୀ କି ? ପୁଣି–କି ଉଦ୍ଦେଶ୍ୟରେ ପରଂବ୍ରହ୍ମ ଆପଣା ଭିତରୁ ଏହି ସଂସାରର ସୃଷ୍ଟି କରିଚନ୍ତି ? ଯଦି ପରଂବ୍ରହ୍ମ ପ୍ରକୃତରେ ପରିପୂର୍ଣ୍ଣ ସତ୍ତା ହୋଇଥାନ୍ତି, ଯଦି ସେ ପରମ ମଙ୍ଗଳମୟ ହୋଇଥାନ୍ତି, ତେବେ ତାଙ୍କରିଦ୍ୱାରା ସୃଷ୍ଟ ହୋଇଥିବା ଏହି ସଂସାର ଏପରି ଅପୂର୍ଣ୍ଣ, ଏପରି ଦୁଃଖବଦ୍ଧ ହେଲା କିପରି ? ଭଦ୍ର, ଏହିପରି ମୁଁ ନାନା ପ୍ରଶ୍ନର ଜାଲଭିତରେ ଛନ୍ଦି ହୋଇଯାଏ, କୌଣସି ଗୋଟିଏ ପ୍ରଶ୍ନର ମଧ୍ୟ ସନ୍ତୋଷଜନକ ସାମାଧାନ ପାଇପାରେନାହିଁ, ଓଲଟି ଯେତିକି ବେଶୀ ଭାବେ, ସେତିକି ନୂଆ ନୂଆ ସଂଶୟ ଉପସ୍ଥିତ ହୋଇ ମୁଣ୍ଡ ଭିତରଟାକୁ ଆହୁରି ଅଡ଼ୁଆ କରି ଦେଇଯାଏ । ଏବଂ ଯେଉଁ ଲକ୍ଷ୍ୟର ସନ୍ଧାନରେ ବ୍ୟାକୁଳ ହୋଇ କେଡ଼େ କେଡ଼େ ଉଚ୍ଚ ବଂଶର ସନ୍ତାନମାନେ ଗୃହତ୍ୟାଗ କରି ବାହାରି ଆସନ୍ତି, ମୁଁ ପାଦେହେଲେ ସେହି ଲକ୍ଷ୍ୟର ଅଧିକ ସମୀପବର୍ତ୍ତୀ ହେଲାପରି କେବେହେଲେ ଅନୁଭବ କରିପାରେନାହିଁ ।

 

–ଯାତ୍ରୀ, ‘ଆଜି ବା କାଲି ମୁଁ ନିଶ୍ଚୟ ଦିଗ୍‍ବଳୟର ସୀମାରେଖା ପାଖରେ ପହଞ୍ଚି ପାରିବି’, ଏହିପରି ମନରେ ଭାବି କେହି ବ୍ୟକ୍ତି ଦିଗ୍‍ବଳୟ ଆଡ଼କୁ ଦଉଡ଼ିବାକୁ ଆରମ୍ଭ କଲେ ତାହାର ଯେଉଁ ଦଶା ହୁଏ ଏହିସବୁ ପ୍ରଶ୍ନ ପଛରେ ଦଉଡ଼ିବା ବ୍ୟକ୍ତିର ମଧ୍ୟ ଠିକ୍ ସେହି ଦଶା ହୁଏ । ସେ ଯେତିକି ଅନ୍ଧ ହୋଇ ଆଗକୁ ଦଉଡ଼େ, ତା’ର ଲକ୍ଷ୍ୟ ତାହାଠାରୁ ସେତିକି ଆଗକୁ ଦଉଡ଼ି ପଳାଏ ।

 

ଚିନ୍ତିତ ଓ ବିସ୍ମିତ ହେଲାପରି ଯାତ୍ରୀ କାମନୀତ କିୟତ୍‍କ୍ଷଣ ତତାଗତଙ୍କ ଆଡ଼କୁ ଅନାଇଲେ ଏବଂ ପୁଣି କହିବାକୁ ଆରମ୍ଭ କଲେ :

 

ବର୍ତ୍ତମାନ ମୁଁ ଆପଣଙ୍କୁ ଗୋଟିଏ ଦିନର ଘଟଣା କହିବାକୁ ଯାଉଚି । ସେତେବେଳେ ଛାଇ ଲେଉଟିଗଲାଣି, ଗଛର ଛାଇସବୁ ଦୀର୍ଘ ହୋଇଗଲାଣି, ଠିକ୍ ଏତିକିବେଳେ ମୁଁ ଅରଣ୍ୟ ଭିତରେ ଗୋଟିଏ ଉନ୍ମୁକ୍ତ ସ୍ଥାନରେ ଆସି ପହଞ୍ଚିଲି । ଦେଖିଲି ଶୁକ୍ଳବସ୍ତ୍ର ପରିଧାନ କରିଥିବା ବାଳକ ବ୍ରହ୍ମଚାରୀମାନେ ଗାଈ ଦୁହିଁବାରେ ଲାଗିଚନ୍ତି, କିଏ କାଠ ଚିରୁଚି ତ ଆଉ କିଏ ଝରଣା ପାଖରେ ବାସନ ମାଜିବାରେ ବ୍ୟସ୍ତ ଅଛି । କକ୍ଷର ସମ୍ମୁଖସ୍ଥ ଦୁଆରେ ଗୋଟିଏ ଚଟାଇ ଉପରେ ବୃଦ୍ଧ ବ୍ରାହ୍ମଣ ଉପବିଷ୍ଟ ଅଛନ୍ତି, ତାଙ୍କରି ପାଖରୁ ଏହି ବାଳକ-ବିଦ୍ୟାର୍ଥୀମାନେ ବେଦମନ୍ତ୍ର ଓ ବେଦର ଭାଷା ଶିକ୍ଷା କରନ୍ତି । ମୋତେ ଦେଖି ବୃଦ୍ଧ ଅତି ଶ୍ରଦ୍ଧାର ସହିତ ଅଭିବାଦନ କଲେ । ସେ କହିଲେ ଯେ ନିକଟବର୍ତ୍ତୀ ଗ୍ରାମରେ ଯାଇ ପହଞ୍ଚିବାକୁ ବର୍ତ୍ତମାନ ଘଣ୍ଟାଏ ସମୟ ଲାଗିବ । ଦିନ ତ ପ୍ରାୟ ଯିବାକୁ ବସିଲାଣି, ତେଣୁ ଆଜି ରାତିରେ ତାଙ୍କର ଅତିଥି ହୋଇ ଆଶ୍ରମବାସୀଙ୍କ ସହିତ ଏକତ୍ର ଭୋଜନ କରିବାକୁ ସେ ମୋତେ ଅନୁରୋଧ କରିଥିଲେ । ଅତ୍ୟନ୍ତ ଆନନ୍ଦ ସହିତ ମୁଁ ତାଙ୍କର ଅନୁରୋଧ ରକ୍ଷା କରିଥିଲି ଏବଂ ରାତିରେ ଶୋଇବାକୁ ଯିବା ପୂର୍ବରୁ ଅନେକ ପ୍ରଜ୍ଞାପୂର୍ଣ୍ଣ ବାକ୍ୟ ଶୁଣିବାର ସୁଯୋଗ ପାଇଥିଲି । ରାତି ପାହି ସକାଳ ହେଲା ଏବଂ ମୁଁ ବୃଦ୍ଧ ବ୍ରାହ୍ମଣଙ୍କ ପାଖରୁ ବିଦାୟ ନେଇ ଯିବାକୁ ଆସିବାରୁ ସେ ମୋତେ ପଚାରିଲେ–ଯାତ୍ରୀ, ତୁମର ଗୁରୁ କିଏ ଏବଂ ତୁମେ କାହାର ଅନୁସରଣ କରୁଚ ? ଆପଣଙ୍କୁ ମୁଁ ବର୍ତ୍ତମାନ ଯେଉଁ ଉତ୍ତର ଦେଲି, ତାଙ୍କୁ ମଧ୍ୟ ସେଦିନ ସେହି ଉତ୍ତର ଦେଇଥିଲି । ମୋ’ କଥା ଶୁଣିସାରି ବ୍ରାହ୍ମଣ କହିଲେ :

 

ଯାତ୍ରୀ, ହସ୍ତୀପରି ଯୂଥରେ ବିଚରଣ ନକରି ଗଣ୍ଡାର ପରି ଏକାକୀ ଭ୍ରମୁଥିବା ପର୍ଯ୍ୟନ୍ତ ତୁମେ କିପରି ଆପଣାର ଉଚ୍ଚ ଓ ମହାନ୍‍ ଲକ୍ଷ୍ୟରେ ଉପନୀତ ହେବାକୁ ସମର୍ଥ ହେବ ? ଏହି ଯାତ୍ରାରେ ଜଣେ ପରିଚାଳକ ରହିବା ଅତ୍ୟନ୍ତ ଆବଶ୍ୟକ ।

 

ଯୂଥ ଶବ୍ଦଟି ଉଚ୍ଚାରଣ କଲାବେଳେ ସେ ସପ୍ରତିଭ ନୟନରେ ତାଙ୍କର ଚଉପାଶରେ ଠିଆହୋଇ ରହିଥିବା ତରୁଣ ବିଦ୍ୟାର୍ଥୀମାନଙ୍କ ଆଡ଼କୁ ଅନାଇଲେ ଏବଂ ପରିଚାଳକ ବୋଲି କହିଲାବେଳେ ସେ ଆପଣାର ମନେମନେ ବଡ଼ ଆତ୍ମପ୍ରସନ୍ନ ଭାବରେ ହସିଲାପରି ଦେଖା ଯାଉଥିଲେ ।

 

ସେ ପୁଣି କହିବାକୁ ଆରମ୍ଭ କଲେ–କେବଳ ଆପଣାର ଗଭୀର ଚିନ୍ତାଦ୍ୱାରା ଏହି ଅତ୍ୟୁଚ୍ଚ ଲକ୍ଷ୍ୟକୁ କେହି ଅଧିଗମି ପାରିବନାହିଁ, ଗୁରୁ ବ୍ୟତିରେକେ କେହି ଏହାଭିତରେ ପ୍ରବେଶ ହିଁ କରିପାରିବ ନାହିଁ । ଶ୍ୱେତକେତୁ ଉପାଖ୍ୟାନରେ ବେଦରେ ମଧ୍ୟ ଠିକ୍ ଏହି କଥାର ଉଲ୍ଲେଖ ରହିଚି–‘‘ଜଣେ ବ୍ୟକ୍ତିର ଆଖିରେ ଅନ୍ଧପୁଟୁଳା ବାନ୍ଧିଦେଇ ଯଦି ତାକୁ ଗାନ୍ଧାରଦେଶରୁ ଆଣି ମରୁଭୂମି ଭିତରେ ଛାଡ଼ିଦିଆଯାଏ, ତେବେ ସେହି ବ୍ୟକ୍ତି ପୂର୍ବଦିଗ କେଉଁଟା, ଦକ୍ଷିଣଦିଗ କେଉଁଟା ବା ଉତ୍ତର ଦିଗ କେଉଁଟା, ସେକଥା ଆଦୌ ଠିକ୍‍ କରିନପାରି ବଣା ହୋଇଯିବ । କାରଣ ସେହି ବ୍ୟକ୍ତିର ଆଖିରେ ଅନ୍ଧପୁଟୁଳି ବନ୍ଧାହୋଇ ତାକୁ ସେଠାକୁ ଅଣାଯାଇଚି ଏବଂ ଅନ୍ଧପୁଟୁଳା ବନ୍ଧାହୋଇ ମଧ୍ୟ ତାକୁ ସେଠାରେ ଛାଡ଼ି ଦିଆଯାଇଚି । ମନେକର, ଠିକ୍‍ ସେତିକିବେଳେ ଆଉଜଣେ ବ୍ୟକ୍ତି ଯଦି ସେଠାକୁ ଆସିବ ଏବଂ ପ୍ରଥମ ବ୍ୟକ୍ତିର ଆଖିରୁ ପଟି ଖୋଲିଦେଇ କହିବ, ‘‘ଗାନ୍ଧାରଦେଶକୁ ଯିବାକୁ ହେଲେ ତୁମକୁ ଏଇ ରାସ୍ତା ଦେଇ ଯିବାକୁ ହେବ’’, ତେବେ ସେହି ଲୋକଟି ଗ୍ରାମକୁ ଗ୍ରାମ ବାଟ ପଚାରି ବାଟ ଚିହ୍ନି ପୁଣି ଗାନ୍ଧାରଦେଶକୁ ଫେରିଆସି ପାରିବ–ଏହି ସଂସାରରେ ଗୁରୁର ଅନୁଗ୍ରହ ଲାଭ କରିଥିବା ବ୍ୟକ୍ତି ଠିକ୍ ଏହିପରି–ସେ ଭଲକରି ଜାଣିଚି ଯେ ବାସନା ରହିଥିବା ପର୍ଯ୍ୟନ୍ତ ତାକୁ ଏହି ସଂସାରରେ ରହିବାକୁ ପଡ଼ିବ ଏବଂ ବାସନା ମରିଗଲେ ସେ ପୁଣି ଆପଣାର ଅସଲ ବାସସ୍ଥାନକୁ ଲେଉଟିଯାଇ ପାରିବ ।

 

ମୁଁ ବେଶ୍‍ ଭଲକରି ଠଉରାଇ ପାରିଲି ଯେ ମୁଁ ଶିଷ୍ୟତ୍ୱ ସ୍ୱୀକାର କରେ ବୋଲି ବ୍ରାହ୍ମଣ ଭାରି ମନ ବଳାଇଚନ୍ତି । କିନ୍ତୁ ତାଙ୍କଠାରୁ ଏହି ଲାଳସାଟା ଦେଖି ହିଁ ତାଙ୍କଠାରୁ ମୋର ବିଶ୍ୱାସ ତୁଟିଗଲା । ବରଂ ତାଙ୍କ ମୁହଁରୁ ଶୁଣୁଥିବା ବେଦବାକ୍ୟଗୁଡ଼ିକ ମଧ୍ୟ ମୋତେ ପିତା ଲାଗିଲା ଏବଂ ସେଗୁଡ଼ିକ ସ୍ମରଣରେ ରଖିବାଲାଗି ବାଟରେ ଗଲାବେଳେ ମୋତେ ସେଗୁଡ଼ିକୁ ଭଲକରି ଆବୃତ୍ତି କରିବାକୁ ପଡ଼ିଥିଲା । ଠିକ୍‍ ସେତିକିବେଳେ ଆଉଜଣେ ଗୁରୁଙ୍କ ସମ୍ବନ୍ଧରେ ମୁଁ ଆଗରୁ ଶୁଣିଥିବା ଗୋଟିଏ କଥା ମୋର ମନେ ପଡ଼ିଗଲା–‘‘ତଥାଗତଙ୍କଠାରେ ଶିଷ୍ୟଲାଗି ଆକାଂକ୍ଷା ନାହିଁ, କିନ୍ତୁ ଶିଷ୍ୟର ତଥାଗତଙ୍କ ଲାଗି ଅବଶ୍ୟ ଆକାଂକ୍ଷା ରହିଚି । ମୁଁ ଭାବିଲି, ଅରଣ୍ୟର ଆଶ୍ରମରେ ବାସ କରୁଥିବା ଉକ୍ତ ବ୍ରାହ୍ମଣଙ୍କ ଅପେକ୍ଷା ତଥାଗତ ସମ୍ପୂର୍ଣ୍ଣ ଭିନ୍ନ ପ୍ରକୃତିର ବ୍ୟକ୍ତି ହୋଇଥିବେ, ଏବଂ ହେ ଭଦ୍ର, ସେହିଦିନଠାରୁ ଏହି ଅନାକାଂକ୍ଷୀ ଗୁରୁଙ୍କୁ ପାଇବାପାଇଁ ମୋ’ ଭିତରେ ଏକ ପ୍ରବଳ ଆକାଂକ୍ଷା ଜାଗ୍ରତ ହୋଇଚି ।

 

ଯାହାଙ୍କ ବିଷୟରେ ତୁମେ ଏତେ ପ୍ରଶଂସା ଶୁଣିଚ, ସେହି ଗୁରୁ ପ୍ରକୃତରେ କିଏ ? ସେ କେଉଁ ନାମରେ ଆପଣାର ପରିଚୟ ଦିଅନ୍ତି, କହିପାରିବ ?

 

ସୁହୃତ୍‍ବର, ସେ ହେଉଚନ୍ତି ଶାକ୍ୟପୁତ୍ର ସନ୍ନ୍ୟାସୀ ଗୌତମ । ଶାକ୍ୟବଂଶର ରାଜଭୋଗ ଓ ଉତ୍ତରାଧିକାର ତ୍ୟାଗ କରି ସେ ସନ୍ନ୍ୟାସୀ ହୋଇଚନ୍ତି । ଏହି ମହାପୁରୁଷ ଗୌତମଙ୍କୁ ଲୋକେ ସବୁଆଡ଼େ ପ୍ରଶଂସା କରନ୍ତି । ସେ ବୋଧିପ୍ରାପ୍ତ ହୋଇଚନ୍ତି, ଆପଣାର ଜୀବନାଚରଣ ଉପରେ ସମ୍ପୂର୍ଣ୍ଣ ବିଜୟ ହାସଲ କରିଚନ୍ତି । ସେ ହେଉଚନ୍ତି ଦେବତା ତଥା ମନୁଷ୍ୟ ସମସ୍ତଙ୍କର ଗୁରୁ, ସେ ହେଉଚନ୍ତି ପୂର୍ଣ୍ଣପ୍ରବୃଦ୍ଧ ତଥାଗତ ବୁଦ୍ଧ । ସେହି ତତାଗତଙ୍କର ନାମକୁ ଧ୍ୟାନର ସମ୍ପଦ କରି ବର୍ତ୍ତମାନ ମୁଁ ପରିବ୍ରଜରେ ବାହାରିଚି ଏବଂ ତାଙ୍କରି ମହାବୀଣାରେ ଦୀକ୍ଷିତ ହେବାଲାଗି ମୋର ପ୍ରବଳ ଆକାଂକ୍ଷା ରହିଚି ।

 

ଯାତ୍ରୀ, ତୁମେ କେବେହେଲେ ସେହି ତଥାଗତଙ୍କୁ ଆପଣା ଆଖିରେ ଦେଖିଚ କି ? ତାଙ୍କ ସହିତ ଆଉଥରେ ଦେଖାହେଲେ ତୁମେ ତାଙ୍କୁ ଚିହ୍ନିପାରିବ କି ?

 

ନା ଭଦ୍ର । ଏପର୍ଯ୍ୟନ୍ତ ମୁଁ ତଥାଗତଙ୍କର ଦର୍ଶନ ଲାଭ କରିବାର ସୌଭାଗ୍ୟ ପାଇନାହିଁ । ବର୍ତ୍ତମାନ ତାଙ୍କ ସହିତ ଦେଖାହେଲେ ମଧ୍ୟ ମୁଁ ତାଙ୍କୁ ଚିହ୍ନି ପାରିବିନାହିଁ ।

 

ଯାତ୍ରୀ, ସେ ବର୍ତ୍ତମାନ କେଉଁଠାରେ ଅବସ୍ଥାନ କରୁଚନ୍ତି, ସେହି ପ୍ରବୁଦ୍ଧ ମହାପୁରୁଷ ?

 

ଉତ୍ତର ଦିଗରେ କୋଶଳ ରାଜ୍ୟରେ ଶ୍ରାବସ୍ତି ନାମକ ଏକ ନଗର ଅଛି ଏବଂ ନଗରର ଉପକଣ୍ଠରେ ଜେତବନ ନାମକ ଗୋଟିଏ ଉଦ୍ୟାନ ଅଛି । ସେହି ଉଦ୍ୟାନରେ ବିରାଟକାୟ କୃଷ୍ଣଚ୍ଛାୟାଘନ ବୃକ୍ଷମାନ ରହିଚି । ସେହି ବୃକ୍ଷତଳେ ମଣିଷ ବସିପାରିବ, ଧ୍ୟାନ ମଧ୍ୟ କରିପାରିବ । ଉଦ୍ୟାନରେ ଅନେକ ସ୍ୱଚ୍ଛଜଳ ଶୀତଳ ସରୋବରମାନ ମଧ୍ୟ ରହିଚି, ସବୁଜ ମଣିପରି ଝଲଝଲ ହେଉଥିବା ସୁସଜ୍ଜିତ ତୃଣଭୂମି ମଧ୍ୟ ଅଛି, ଆଉ ଚତୁର୍ଦ୍ଦିଗରେ ନାନା ଭଳିର ଓ ନାନା ବର୍ଣ୍ଣର ପୁଷ୍ପମାନ ଫୁଟି ଉଦ୍ୟାନଟିକୁ ଭରାଇ ରଖିଚି । ନଗରର ଧନୀଶ୍ରେଷ୍ଠୀ ଅନାଥପିଣ୍ଡିକ କେତେବର୍ଷ ପୂର୍ବେ ଅଜସ୍ର ସ୍ୱର୍ଣ୍ଣମୁଦ୍ରା ଦେଇ ଏହି ଉଦ୍ୟାନକୁ ରାଜକୁମାର ଜେତଙ୍କଠାରୁ କିଣି ନେଇଥିଲେ । ଅନାଥପିଣ୍ଡିକ ଏହି ଉଦ୍ୟାନଟିକୁ ଭଗବାନ ବୁଦ୍ଧଙ୍କର ନାମରେ ଉତ୍ସର୍ଗ କରି ଦେଇଚନ୍ତି । ଅଗଣିତ ସନ୍ନ୍ୟାସୀ ଓ ପ୍ରବୁଦ୍ଧ ବ୍ୟକ୍ତିମାନଙ୍କର ଅଧ୍ୟୁଷିତ ଏହି ଜେତବନରେ ଭଗବାନ ତଥାଗତ ବୁଦ୍ଧ ବର୍ତ୍ତମାନ ଅବସ୍ଥାନ କରୁଚନ୍ତି । ଆଗାମୀ ଚାରି ସପ୍ତାହ ଭିତରେ ମୁଁ ଅଖଣ୍ଡ ପରିବ୍ରଜରେ ଶ୍ରୀବସ୍ତିରେ ଯାଇ ପହଞ୍ଚି ପାରିବି ଏବଂ ତାଙ୍କର- ସେହି ତଥାଗତଙ୍କର- ଚରଣତଳେ ବସିବାର ସୌଭାଗ୍ୟ ଲାଭ କରିବି ବୋଲି ଆଶା କରୁଚି ।

 

ତଥାଗତ ପୁଣି ମଉନ ହୋଇ ଭାବିବାକୁ ଲାଗିଲେ -ଏହି ଯାତ୍ରୀ ମୋହରି ଅନ୍ୱେଷଣରେ ବହାରିଚି, ସେ ମୋତେ ଗୁରୁ ବୋଲି ଗ୍ରହଣ କରିନେଇଚି । ତେଣୁ ବର୍ତ୍ତମାନ ତାକୁ ଧର୍ମୋପଦେଶ ଦେବା କଣ ଅନୁଚିତ ହେବ କି ?

 

କାମନୀତ ଆଡ଼କୁ ମୁଖ ବୁଲାଇ ବୁଦ୍ଧ କହିଲେ : –

 

ଏହି ଅଳ୍ପ ସମୟ ପୂର୍ବେ ଚନ୍ଦ୍ରମା ଘରର ଛାତ ଉପରକୁ ଉଠିଚି । ରାତ୍ରି ଏପର୍ଯ୍ୟନ୍ତ ଅଧିକ ହୋଇନାହିଁ ଏବଂ ଅଧିକ ସମୟ ଶୟନ କରିବା ଅଧ୍ୟାତ୍ମ ଜୀବନପାଇଁ ଆଦୌ ଉପଯୋଗୀ ନୁହେଁ । ଯଦି ତୁମର କୌଣସି ଆପତ୍ତି ନଥାଏ, ତେବେ ତୁମେ ମୋତେ ଶୁଣାଇଥିବା କାହାଣୀର ପ୍ରତିବଦଳରେ ମୁଁ ତୁମକୁ ବୁଦ୍ଧଙ୍କର ମହାବାଣୀ ଶୁଣାଇବି ।

 

ମୋର କୌଣସି ଆପତ୍ତି ନାହିଁ, ଭଦ୍ର ! ଆପଣଙ୍କୁ ମୁଁ ଏଥିପାଇଁ ବିନୀତ ଅନୁରୋଧ କରୁଚି-

 

ଯାତ୍ରୀ, ତେବେ ମୁଁ ଯାହା କହୁଚି ଶୁଣ ଏବଂ ମୋର ଶବ୍ଦଗୁଡ଼ିକ ପ୍ରତି ଧ୍ୟାନ ଦିଅ ।

Image

 

୧୯

ଦୀକ୍ଷାଗୁରୁ

 

ଏବଂ ବୁଦ୍ଧ କହିବାକୁ ଆରମ୍ଭ କଲେ :

 

ପୂର୍ଣ୍ଣପ୍ରବୁଦ୍ଧ ତଥାଗତ ବରାଣାସୀର ସାରନାଥରେ ଅବସ୍ଥିତ ମୃଗବନରେ ଧର୍ମଚକ୍ରର ପ୍ରବର୍ତ୍ତନ କରିଚନ୍ତି । ଏହାର ବିରୁଦ୍ଧାଚରଣ କରିବାକୁ ସନ୍ନ୍ୟାସୀ ବା କୌଣସି ପୁରୋହିତ, କୌଣସି ଦେବତା ବା କୌଣସି ଦୈତ୍ୟର କୌଣସି କ୍ଷମତା ନାହିଁ । ସେଠାରେ ତଥାଗତ ଚାରୋଟିଯାକ ଆର୍ଯ୍ୟସତ୍ୟର ରହସ୍ୟ ଉଦ୍‍ଘାଟନ କରିଚନ୍ତି । କେଉଁ ଚାରୋଟି ତୁମେ ଜାଣିଚ ?

 

ଏହି ଚାରୋଟି ଆର୍ଯ୍ୟସତ୍ୟ ହେଉଚି ଦୁଃଖ, ଦୁଃଖର ନିଦାନ, ଦୁଃଖର ନିଦାନର ନିରାକରଣ ଏବଂ ଦୁଃଖର ନିଦାନର ନିରାକରଣ ଉପାୟ ।

 

ଦୁଃଖ କଣ ? ଜନ୍ମହେବା ହେଉଚି ଦୁଃଖ, ବୃଦ୍ଧ ହେବା ହେଉଚି ଦୁଃଖ, ରୋଗରେ ପୀଡ଼ିତ ହେବା ହେଉଚି ଦୁଃଖ, ମୃତ୍ୟୁ ହେଉଚି ଦୁଃଖ । ଚିନ୍ତା, ଶୋଚନା, ଯନ୍ତ୍ରଣା, କ୍ରୋଧ ଏବଂ ସଂଶୟ–ଏହିସବୁ ହେଉଚି ଦୁଃଖ । ମଣିଷ ଯାହାକୁ ଭଲପାଏ, ତାହାଠାରୁ ବିଚ୍ଛିନ୍ନ ହେଉଚି ଦୁଃଖ; ଯାହାକୁ ମଣିଷ ଅଶ୍ରଦ୍ଧା କରେ, ତାହାରି ସହିତ ଏକତ୍ର ହେବା ହେଉଚି ଦୁଃଖ । ଯାହାଲାଗି ମଣିଷ ଆକାଂକ୍ଷିତ ହୋଇ ବସିଥାଏ, ତାହାକୁ ନପାଇବା ହେଉଚି ଦୁଃଖ । ସଂକ୍ଷିପ୍ତ ଭାବରେ କବିବାକୁ ଗଲେ ଜୀବନପ୍ରତି ଆସକ୍ତି ରଖିବା ହେଉଚି ଦୁଃଖ । ଏହାହିଁ ହେଉଚି ଦୁଃଖ ସମ୍ବନ୍ଧରେ ତଥାଗତଙ୍କର ପ୍ରଚାରିତ ପ୍ରଥମ ଆର୍ଯ୍ୟସତ୍ୟ ।

 

ଦୁଃଖର ନିଦାନ କଣ ? ଏହି ଦୁଃଖ କାହିଁକି ଆସେ ? ଏହି ନିଦାନ ହେଉଚି ତୃଷ୍ଣା, ଏହି ତୃଷ୍ଣାଲାଗି ହିଁ ମନୁଷ୍ୟକୁ ଜନ୍ମପରେ ଜନ୍ମ ଘୂରି ବୁଲିବାକୁ ପଡ଼େ । ଏହାର ଅନ୍ୟନାମ ବାସନା, ଏହି ଉଦ୍‍ବେଗ ଦ୍ୱାରା ପରିଚାଳିତ ହୋଇ ମନୁଷ୍ୟ ସକଳପ୍ରକାରେ ପରିତୃପ୍ତି ଲାଭ କରିବାକୁ ଚାହେ, ସବୁ ଉପଭୋଗ କରିବାକୁ ଚାହେ । ଜନ୍ମଗ୍ରହଣ କରିବାର ତୃଷ୍ଣା, କ୍ଷଣଭଙ୍ଗୁର ଜଗତପ୍ରତି ତୃଷ୍ଣା । ଦୁଃଖର ଏହି ନିଦାନକୁ ହିଁ ତଥାଗତ ଦ୍ୱିତୀୟ ଆର୍ଯ୍ୟସତ୍ୟ ବୋଲି ଘୋଷଣା କରିଚନ୍ତି ।

 

ଦୁଃଖର ନିଦାନର ନିରାକରଣର ଅର୍ଥର କଣ ? ତୃଷ୍ଣାର ନିରାକରଣ, ତୃଷ୍ଣାର ଜାଲଭିତରୁ ଆପଣାକୁ ସମ୍ପୂର୍ଣ୍ଣରୂପେ ମୁକ୍ତ କରିବା ଏହାହିଁ ହେଉଚି ତଥାଗତଙ୍କର ତୃତୀୟ ଆର୍ଯ୍ୟସତ୍ୟ ।

 

ଦୁଃଖର ନିଦାନର ନିରାକରଣର ଉପାୟ ପୁଣି କଣ ? ଏହା ହେଉଚି ସେହି ପବିତ୍ର ଅଷ୍ଟାଙ୍ଗ ମାର୍ଗ । ଏହି ମାର୍ଗର ଆଠୋଟି ଅଙ୍ଗ ହେଉଛି ସମ୍ୟକଦୃଷ୍ଟି, ସମ୍ୟକ୍‍ ସଂକଳ୍ପ, ସମ୍ୟକ୍‍ ବଚନ, ସମ୍ୟକ୍‍ କର୍ମ, ସମ୍ୟକ୍ ଆଜୀବ, ସମ୍ୟକ୍‍ ଚେଷ୍ଟା, ସମ୍ୟକ୍‍ ସ୍ମୃତି ଓ ସମ୍ୟକ୍‍ ସମାଧି । ଏହାକୁ ହିଁ ତଥାଗତ ତାଙ୍କର ଚତୁର୍ଥ ଆର୍ଯ୍ୟସତ୍ୟ ବୋଲି କହିଚନ୍ତି ।

 

ଏହି ଚାରୋଟି ସତ୍ୟକୁ ଚାରୋଟି ସ୍ତମ୍ଭରୂପେ ସ୍ଥାପନ କରି ସାରିବାପରେ ତଥାଗତ ଆପଣା ଧର୍ମସନ୍ଦେଶଗୁଡ଼ିକର ଏକ ସମ୍ପୂର୍ଣ୍ଣ ଅଟ୍ଟାଳିକା ନିର୍ମାଣ କରି ଦେଇଥିଲେ, ଏହି ପ୍ରଶସ୍ତ ଅଟ୍ଟାଳିକା ଭିତରେ ଶିଷ୍ୟର ବିଚାର ଓ ସ୍ୱତନ୍ତ୍ର ପ୍ରବୃତ୍ତିଗୁଡ଼ିକୁ ଆଶ୍ରୟ ଦେବାଲାଗି ଯଥେଷ୍ଟ ସ୍ଥାନ ରହିଥିଲା । ଗୃହ ନିର୍ମାଣ କରୁଥିବା କାରିଗର ପ୍ରତ୍ୟେକଟି ପଥରକୁ ଠିକ୍‍ ଜାଗାରେ ଗୋଟିଗୋଟି କରି ବସାଇଲା ପରି ତଥାଗତ ତାଙ୍କର ଧର୍ମବାଣୀର ପ୍ରତ୍ୟେକ ବାକ୍ୟକୁ ଅତି ପ୍ରାଞ୍ଜଳ ଭାବରେ ବୁଝାଇ ଦେଇଥିଲେ । ପୁଣି କାରିଗର ପଥର ଉପରେ ପଥର ବସାଇ ଘର ଗଢ଼ିଲାପରି ସେ ସୂତ୍ର ସହିତ ସୂତ୍ର ଯୋଡ଼ି ଅତ୍ୟନ୍ତ ଯତ୍ନ ସହକାରେ ଧର୍ମର ମୂଳଦୁଆକୁ ସୁପ୍ରତିଷ୍ଠିତ କରିଦେଇଥିଲେ । ଦୁଃଖସମ୍ବନ୍ଧୀୟ ବିଚାରର ସ୍ତମ୍ଭ ପାଖରେ ସେ କ୍ଷଣଭଙ୍ଗୁରତାସମ୍ବନ୍ଧୀୟ ବିଚାରର ସ୍ତମ୍ଭକୁ ନେଇ ବସାଇଥିଲେ, ଠିକ୍‍ ଜଣେ ନିପୁଣ କାରିଗରର ରୀତି ଅନୁସରଣ କରି ଉକ୍ତ ଦୁଇ ସ୍ତମ୍ଭକୁ ସେ ଇନ୍ଦ୍ରିୟଲବ୍ଧ ଜଗତର ଭ୍ରମାତ୍ମକତାରୂପକ ସଂଯୋଗକକାଷ୍ଠ ଦ୍ୱାରା ଏକାଠି ସଂଯୋଜିତ କରି ଦେଇଥିଲେ । ଏହି ବୃହତ୍ତୋରଣଦ୍ୱାର ଦେଇ ଭିତରେ ପ୍ରବେଶ କରି ସେ ଶିକ୍ଷ୍ୟର ହାତକୁ ଆପଣା ହାତରେ ଧରି ସେ ତାକୁ ଧର୍ମସଦନର ଆହୁରି କେତେ ପାହାଚ ଉପରକୁ ପରିଚାଳିତ କରି ନେଇଯାଇଥିଲେ ।

 

ଏକ ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରି ସାରିବାପରେ ଯେପରି ଜଣେ ସୁଦକ୍ଷ କାରିଗର ଉଚିତ ସ୍ଥାନକୁ ନାନାପ୍ରକାର ଚିତ୍ରଶିଳ୍ପଦ୍ୱାରା ସଜାଇରଖେ ଏବଂ ତଦ୍ଦ୍ୱାରା ଅଟ୍ଟାଳିକାର ଶୋଭା ବଢ଼ାଇବା ସଙ୍ଗେ ସଙ୍ଗେ ଯେପରି ତାହାକୁ ଅଧିକ ଆଦରଣୀୟ କରିଦିଏ, ସେହିପରି ଆପଣା ଉପଦେଶର ଯେଉଁସବୁ ସ୍ଥାନରେ ଉପମା ଦେଇ ବୁଝାଇଲେ ତାହା ଅଧିକ ସୁବୋଧ୍ୟ ସ ସହଜଗ୍ରହଣୀୟ ହୋଇପାରିବ, ତଥାଗତ ସେହିସବୁ ସ୍ଥାନରେ ନାନା ଚାତୁରୀପୂର୍ଣ୍ଣ ଉପମାମାନ ଖଞ୍ଜିଦେଇଥିଲେ ।

 

ଏକ ବିରାଟ ଓ ଉଜ୍ଜ୍ୱଳ ଗମ୍ଭୁଜଦ୍ୱାରା ଅଟ୍ଟାଳିକାର ଉପରିଭାଗକୁ ଆବୃତକରି ସେ ଥରେ ସମଗ୍ର ଭାବରେ ତାହାରି ଉପରକୁ ଦୃଷ୍ଟିପାତ କଲେ ଓ କହିଲେ : –

 

ଜୀବନର ତୃଷ୍ଣା ବଞ୍ଚି ରହିଥିବା ପର୍ଯ୍ୟନ୍ତ ମନୁଷ୍ୟ ବାରବାର ଜନ୍ମଲାଭ କରୁଥିବ । ତୃଷ୍ଣାକୁ ଜୟ କରିପାରିଲେ ଜନ୍ମଚକ୍ରରୁ ମଧ୍ୟ ନିଷ୍କୃତି ମିଳିପାରିବ ।

 

ଯେଉଁ ସନ୍ନ୍ୟାସୀ ଆପଣାକୁ ସବୁଥିରୁ ନିଷ୍କ୍ରାନ୍ତ କରିଆଣିଚି, ଯାହାର କୌଣସି ତୃଷ୍ଣା ନାହିଁ, ଶାନ୍ତ ଓ ସମାହିତ ହୋଇ ସେହି ସନ୍ନ୍ୟାସୀ ବୋଧି ପ୍ରାପ୍ତ ହୋଇପାରିଚି । ମୋର ମୁକ୍ତକୁ ସେହି ଟାଳିପାରିବ ନାହିଁ, ଏହି ଜନ୍ମ ହେଉଚି ମୋର ଶେଷ ଜନ୍ମ, ମୋତେ ଆଉ କୌଣସି ସଂସାରକୁ ଯିବାକୁ ପଡ଼ିବନାହିଁ କେବଳ ବିଶ୍ୱାସର ସହିତ ଏହି ଘୋଷଣା କରିପାରିବ ।

 

ଯିଏ ଏହି ସଂସାରରେ ଜନ୍ମଗ୍ରହଣ କରିଥିଲେ, ବାର୍ଦ୍ଧକ୍ୟ ଓ ମରଣ ଭୋଗ କରିବା ଯାହାଙ୍କର ଭାଗ୍ୟରେ ଲେଖା ହୋଇଥିଲା, ସେ ବର୍ତ୍ତମାନ ଏହି ପ୍ରାକୃତିକ ସଂସାର ନିୟମର ଅସାରତା ଉପଲବ୍ଧି କରିପାରିଚନ୍ତି ଏବଂ ସୁନିଶ୍ଚିତ ମୁକ୍ତ ଅବସ୍ଥାରେ ଉପନୀତ ହୋଇପାରିଚନ୍ତି । ସେଠାରେ ଜନ୍ମ, ବାର୍ଦ୍ଧକ୍ୟ ବା ମୃତ୍ୟୁର କୌଣସି ବନ୍ଧନ ନାହିଁ । ଯିଏ ରୋଗ, ଆବର୍ଜନା ଓ ପାପଭିତରେ ଜନ୍ମଲାଭ କରିଥିଲେ, ସେ ବର୍ତ୍ତମାନ ପବିତ୍ର ଓ ଚିରନ୍ତନ ନିର୍ଭରର ଆଶ୍ରୟ ଲାଭ କରିଚନ୍ତି ।

 

ସେହି ବିମୁକ୍ତ ମନୁଷ୍ୟଭିତରେ ହିଁ ମୁକ୍ତି ଅବସ୍ଥାନ କରୁଚି, ତାର ଜୀବନତୃଷ୍ଣା ବିଦୂରିତ ହୋଇଚି, ତାର ଜୀବନରେ ସକଳ ସଂସାରର ସମ୍ପୂର୍ଣ୍ଣ ବିଲୟ ଘଟିଚି ।

 

ହେ ଯାତ୍ରୀ, ଏହି ମନୁଷ୍ୟକୁ ‘ନିରାକୃତ’ ବୋଲି କୁହାଯାଇଚି, କାରଣ ତାହାର ଜୀବନରେ ଯାବତୀୟ ଦୁଃଖର ନିରାକରଣ ହୋପାରିଚି ।

 

ହେ ଯାତ୍ରୀ, ଏହି ମନୁଷ୍ୟକୁ ‘ନିର୍ବାପିତ’ ବୋଲି କୁହାଯାଇଚି, କାରଣ ତାହାର ଜୀବନରେ ଅହଂବିଷୟକ ସକଳ ଭ୍ରମ ନିର୍ବାପିତ ହୋଇଯାଇଚି ।

 

ହେ ଯାତ୍ରୀ, ଏହି ମନୁଷ୍ୟକୁ ‘ସମୁତ୍ପାଟକ’ ବୋଲି କୁହାଯାଇଛି, କାରଣ ତାହାର ଜୀବନରୁ ସେ ସକଳପ୍ରକାର ଜୀବନତୃଷ୍ଣାକୁ ସମୁତ୍ପାଟିତ କରିପାରିଚି, ସେଠାରେ ଆଉ କୌଣସି ତୃଷ୍ଣାର ଉଦ୍ରେକ ହେବାର କୌଣସି ଆଶଙ୍କା ନାହିଁ ।

 

ହେ ଯାତ୍ରୀ, ଯେତେଦିନଯାଏ ଏହି ମନୁଷ୍ୟ ଦେହ ଧାରଣ କରି ରଖିଚି, ସେତେଦିନଯାଏ ମନୁଷ୍ୟ ଓ ଦେବତାମାନେ ତାହାକୁ ଅବଶ୍ୟ ଦେଖିବାକୁ ପାଇବେ । କିନ୍ତୁ ମୃତ୍ୟୁ ଆସି ତାହାର ଶରୀରକୁ ସମାପ୍ତ କରିଦେବା ପରେ ମନୁଷ୍ୟ ବା ଦେବତା କେହି ତାକୁ ଆଉ ଦେଖି ପାରିବେନାହିଁ । ସବୁ ଦେଖୁଥିବା ଏହି ପ୍ରକୃତିର ଆଖିକୁ ଅନ୍ଧ କରିଦେଇଚି, ପାପର କବଳରୁ ସେ ଆପଣାକୁ ମୁକ୍ତି କରିନେଇଚି । ସେ ଜନ୍ମସ୍ରୋତକୁ ଅତିକ୍ରମ କରି ଚାଲିଯାଇଚି । ସେ ସମସ୍ତ ଅବସ୍ଥା, ସମସ୍ତ ଜୀର୍ଣ୍ଣତା ଓ ସମସ୍ତ ମୃତ୍ୟୁର ଅତୀତ ଏକ ଦ୍ୱୀପରେ ଉପନୀତ ହୋଇପାରିଚି, ସେ ନିର୍ବାଣରେ ପହଞ୍ଚିପାରିଚି ।

Image

 

୨୦

ଅବିବେକୀ ବାଳକ

 

ତଥାଗତ ଏହିପରି ଭାବରେ ତାଙ୍କର ଉପଦେଶବାଣୀ ସମାପ୍ତ କଲେ । ଯାତ୍ରୀ କାମନୀତ ସେହିପରି ନିଶ୍ଚଳ ଓ ନିଷ୍ପନ୍ଦ ଭାବରେ ବସିରହିଥାନ୍ତି, ଆପଣାର ଚିନ୍ତାଭିତରେ ନିମଗ୍ନ ରହିଥାନ୍ତି । ଶେଷରେ ସେ ମୁଖ ଫିଟାଇ କହିଲେ : –

 

ହେ ଭଦ୍ର, ଏହି ଜୀବଦ୍ଦଶାରେ କିପରି ସନ୍ନ୍ୟାସୀ ଦୁଃଖର ନିରୋଧ କରିପାରିବ, ଆପଣ ମୋତେ ସେ ବିଷୟରେ ଅନେକ କଥା କହିଚନ୍ତି । କିନ୍ତୁ ଯେତେବେଳେ ସନ୍ନ୍ୟାସୀର ଶରୀରରୁ ପ୍ରାଣ ଛାଡ଼ି ଚାଲିଯାଏ ଏବଂ ଶରୀର ପୁଣି ପଞ୍ଚଭୁତ ସହିତ ଲୀନ ହୋଇଯାଏ, ସେତେବେଳେ ସେ କେଉଁ ଅବସ୍ଥା ପ୍ରାପ୍ତ ହୁଏ, ସେ ବିଷୟରେ ଆପଣ ମୋତେ କିଛି କହିନାହାନ୍ତି । ଆପଣ କେବଳ ଏତିକି କିହିଚନ୍ତି ଯେ ସେହି ଅବସ୍ଥାରେ ତାକୁ ଦେବତା, ମନୁଷ୍ୟ ଅଥବା ପ୍ରକୃତି କେହି ଦେଖିପାରନ୍ତି ନାହିଁ । କିନ୍ତୁ ଶାଶ୍ୱତ ଜୀବନ, ଚରମ ଆନନ୍ଦ ଏବଂ ଅମୃତ କଲ୍ୟାଣମୟତା ବିଷୟରେ ଆପଣ ମୋତେ କିଛି କହିନାହାନ୍ତି । ତଥାଗତ କଣ ଏ ବିଷୟରେ କେବେହେଲେ କୌଣସି ରହସ୍ୟ ଉଦ୍‍ଘାଟନ କରିନାହାନ୍ତି ?

 

ତୁମେ ଠିକ୍ କଥା କହିତ, ଭାଇ । ଏ ବିଷୟରେ ତଥାଗତ କୌଣସି ରହସ୍ୟ ଉଦଘାଟନ କରିନାହାନ୍ତି ।

 

ତା ହେଲେ ଏଥିରୁ ଜଣାଯାଉଚି ଯେ ଏହିସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକ ବିଷୟରେ ତଥାଗତ ମୋଠାରୁ ଅଧିକ କିଛିହେଲେ ଜାଣିନାହାନ୍ତି–ନିରାଶ ହେଲାପରି କାମନୀତ ଉତ୍ତରଦେଲେ ।

 

ଯାତ୍ରୀ, ତେବେ ତୁମେ କଣ ଠିକ୍ ଏହିପରି ଭାବୁଚ ? ତାହେଲେ ଶୁଣ, କୌସାମ୍ବିର ଅନ୍ତଃପାତୀ ଯେଉଁ ଶିଂଶପାବନରେ ତୁମେ ଓ ତୁମର ବଶିଷ୍ଠୀ ପରସ୍ପର ପାଖରେ ଚିରନ୍ତନ ପ୍ରଣୟପାଶରେ ଆବଦ୍ଧ ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲ ଏବଂ ସ୍ୱର୍ଗରେ ପୁଣି ମିଳନ ହେବ ବୋଲି ପ୍ରତିଜ୍ଞା କରିଥିଲ, ଥରେ ସେହି ଶିଂଶପାବନରେ ହିଁ ତଥାଗତ ଅବସ୍ଥାନ କରୁଥିଲେ । ହାତରେ ଗୋଟିଏ ଗୁଚ୍ଛ ଶିଂଶପାପତ୍ର ଧରି ତଥାଗତ ବନଭିତରୁ ବାହାରକୁ ଆସିଲେ ଏବଂ ଶିଷ୍ୟମାନଙ୍କୁ କହିଲେ–‘‘ହେ ଶିଷ୍ୟମଣ୍ଡଳି, କେଉଁଠି ଅଧିକ ପତ୍ର ରହିଚି, ମୋ’ ହାତରେ ଥିବା ଏହି ପତ୍ରଗୁଚ୍ଛରେ ନା ଅରଣ୍ୟରେ ଥିବା ବୃକ୍ଷମାନଙ୍କରେ ?’’–‘‘ତଥାଗତ ଆପଣା ହାତରେ ଯେଉଁ ଗଚ୍ଛଟି ଧରିଚନ୍ତି, ସେଥିରେ କେବଳ କେତୋଟିମାତ୍ର ପତ୍ର ରହିଚି, କିନ୍ତୁ ଶିଂଶପାବନର ବୃକ୍ଷମାନଙ୍କରେ ରହିଥିବା ପତ୍ରର ସଂଖ୍ୟାକୁ ଗଣନାକରି କହିବା ସମ୍ଭବ ନୁହେଁ ।’’ –‘‘ଠିକ୍ ସେହିପରି ତୁମେମାନେ ସ୍ମରଣ ରଖିଥାଅ, ଶିଷ୍ୟମାନେ, ମୁଁ ଯାହାସବୁ ଜ୍ଞାନ ପ୍ରାପ୍ତ ହୋଇଚି ଅଥଚ ଏଠାରେ ତୁମମାନଙ୍କର ଆଗରେ ପ୍ରଚାର କରିନାହିଁ, ମୁଁ ପ୍ରଚାର କରିଥିବା ଜ୍ଞାନଠାରୁ ତାହାର ପରିମାଣ ଅନେକ ଅଧିକ । କିନ୍ତୁ ସେହିସବୁ ଜ୍ଞାନକୁ ମୁଁ କାହିଁକି ତୁମମାନଙ୍କୁ ପ୍ରଚାର କରିନାହିଁ ? କାରଣ ସେହି ଜ୍ଞାନ ତୁମଲାଗି ଫଳଦାୟୀ ହୋଇନଥାନ୍ତା, ଭିକ୍ଷୁଜୀବନରେ ତୁମର କୌଣସି ସହାୟତା କରିନଥାନ୍ତା, କାରଣ ସଦ୍ଧର୍ମଦୀକ୍ଷାରେ ଏହା କୌଣସି ବାଟ ଦେଖାଇନଥାନ୍ତା, ଏହାଦ୍ୱାରା ବମୁକ୍ତି ପ୍ରାପ୍ତ ହୋଇନଥାନ୍ତା, ଅଜ୍ଞାନ ଅନ୍ତର୍ହିତ ହୋଇନଥାନ୍ତା ।’’

 

କାମନୀତ ଉତ୍ତର ଦେଲେ–ଯଦି ବୁଦ୍ଧ କୌସାମ୍ୱିର ନିକଟବର୍ତ୍ତୀ ଶିଂଶପାବନରେ ପ୍ରକୃତରେ ଏହିପରି କଥାମାନ କହିଚନ୍ତି, ତେବେ ମୁଁ ତାହାକୁ ଏକ ଅଧିକ ଖରାପ କଥା ବୋଲି ବିଚାରୁଚି । କାରଣ ସମ୍ଭବତଃ ତଥାଗତ ଏହି ସମସ୍ୟାଟି ସମ୍ପର୍କରେ ନୀରବ ରହିବା ଉଚିତ ମନେ କରିଚନ୍ତି, ତାଙ୍କର ସର୍ବଶେଷ ସତ୍ୟ ଅର୍ଥାତ୍ ପରିପୂର୍ଣ୍ଣ ନିର୍ବାଣର ଅବସ୍ଥାରେ ଉପନୀତ ହେବାର ଉପାୟ ବତାଇଲାବେଳେ ଶିଷ୍ୟମାନେ ଯେପରି ଭୟଭୀତ ହୋଇ ନପଡ଼ିବେ ବା ସାହସ ହରାଇ ନବସିବେ, ସେହି ଉଦ୍ଦେଶ୍ୟରେ ତଥାଗତ ଏପରି କରିଚନ୍ତି । ଆପଣ ମୋତେ ବର୍ତ୍ତମାନ ଯାହାସବୁ ବୁଝାଉଥିଲେ, ଏହି କଥାଟି ସେହିସବୁର ଅତି ସ୍ୱାଭାବିକ ଅନୁସିଦ୍ଧାନ୍ତ ବୋଲି ମୋର ମନେହେଉଚି-। କାରଣ ପଞ୍ଚ ଇନ୍ଦ୍ରିୟ ଓ ଭାବନାର ଲବ୍ଧ ପ୍ରତ୍ୟେକ ବସ୍ତୁକୁ ଯେତେବେଳେ ତଥାଗତ ଅସାର, ଅସ୍ଥାୟୀ ଓ ତେଣୁ ଦୁଃଖମୟ ବୋଲି କହୁଚନ୍ତି, ତେବେ ଏହି ସଂସାରରେ ସତ୍ୟ, ସାର ବା ସ୍ଥିର ବୋଲି ଆଉ ରହିଲା କଣ ? ତେବେ ଆଉ କାହା ସାହାଯ୍ୟରେ କୌଣସି ଜ୍ଞାନଲାଭ ସମ୍ଭବ ହୋଇପାରିବ ? ତେଣୁ ମହାଶୟ, ଆପଣ ମୋଆଗରେ ବୁଝାଇ କହିଥିବା ଧର୍ମୋପଦେଶରୁ ମୁଁ ଏହିକଥା ବୁଝୁଚି ଯେ ଯେଉଁ ଭିକ୍ଷୁ ସମସ୍ତପ୍ରକାର ଅଶୁଦ୍ଧତାର ଦାଗକୁ ଲିଭାଇ ଦେଇପାରିଚି, ସେହି ଭିକ୍ଷୁର ଶରୀର ଯେତେବେଳେ ମୃତ୍ୟୁମୁଖରେ ପତିତ ହୁଏ ସେତେବେଳେ ସେ ନିର୍ବାଣପ୍ରାପ୍ତ ହୁଏ, ତାର ଜୀବନ ନିର୍ବାପିତ ହୁଏ ।

 

ଯାତ୍ରୀ, ତୁମେ ମୋତେ କହୁଥିଲ ନା, ଏହି ମାସକ ଭିତରେ ତୁମେ ଶ୍ରାବସ୍ତି ଯିବ ଓ ସେଠାରେ ଜେତବନରେ ତଥାଗତଙ୍କର ଚରଣସନ୍ନିଧାନରେ ବସି ତାଙ୍କର ଉପଦେଶ ଶୁଣିବ ?

 

ମହାଶୟ, ଏଥିପାଇଁ ତ ମୁଁ ଆଶା କରି ରହିଚି । କିନ୍ତୁ ଆପଣ କାହିଁକି ମୋତେ ବର୍ତ୍ତମାନ ଏହି ପ୍ରଶ୍ନଟି ପଚାରିଲେ ?

 

ଯେଉଁଦିନ ତୁମେ ବୁଦ୍ଧଙ୍କର ଚରଣପାର୍ଶ୍ୱରେ ଯାଇ ବସିବ, ତେବେ ସେଦିନ ଯେଉଁ ଶରୀରକୁ ତୁମେ ଦେଖିବାକୁ ପାଇବ ଓ ହାତରେ ଯେଉଁ ଶରୀରକୁ ସ୍ପର୍ଶ କରିବ, ସେହି ଶରୀର କଣ ତଥାଗତ ? ତୁମେ କଣ ପ୍ରକୃତରେ ଏହିପରି ଭାବୁଚ ?

ନା ମହାଭାଗ, ମୁଁ ଏପରି ଆଦୌ ଭାବୁନାହିଁ ।

ଯେତେବେଳେ ବୁଦ୍ଧ ତୁମସହିତ କଥାବାର୍ତ୍ତା କରିବେ–ତେବେ ତାଙ୍କର ସେହି ଚେତନାଶକ୍ତି ତାଙ୍କର ଅନୁଭୂତି, ତାଙ୍କର ନିରୀକ୍ଷଣ ଓ ତାଙ୍କର କଳ୍ପନା ମଧ୍ୟଦେଇ ପ୍ରକଟିତ ହେଉଥିବା ତାଙ୍କର ଚେତନାଶକ୍ତି–ତାହାହିଁ କଣ ତଥାଗତ ? ତୁମେ କଣ ଏହିପରି ବିଚାର କରୁଚ ?

ନା, ମହାଭାଗ, ମୁଁ ଏପରି ଆଦୌ ବିଚାର କରୁନାହିଁ ।

ତେବେ ତାଙ୍କର ଶରୀର ଓ ତାଙ୍କର ଚେତନାଶକ୍ତି ଏକାଠି ମିଶିଲେ କଣ ତାହାକୁ ତଥାଗତ ବୋଲି କୁହାଯାଇ ପାରିବ ?

ନା, ମହାଭାଗ ମୁଁ କଦାପି ଏକଥା କହିବିନାହିଁ ।

ତେବେ ତଥାଗତ କଣ ତାଙ୍କର ଶରୀରଠାରୁ ଭିନ୍ନ ବା ତାଙ୍କର ଚେତନାଶକ୍ତିଠାରୁ ଭିନ୍ନ କି ? ବା ଉଭୟଠାରୁ ଭିନ୍ନ କି ? ତୁମେ କଣ ଏହିକଥାକୁ ସମର୍ଥନ କରିବ ?

ଏ ସବୁଠାରୁ ସେ ଏତେଦୂର ଭିନ୍ନ ଯେ ଏହିସବୁ ନିର୍ଣ୍ଣୟ ଦ୍ୱାରା ଆମେ ତାଙ୍କର ଜୀବନର ରହସ୍ୟ ଉଦଘାଟନ କରି ପାରିବାନାହିଁ ।

ତେବେ ଇନ୍ଦ୍ରିୟଶକ୍ତି ସମ୍ବଳିତ ଶରୀର ଏବଂ ଅନୁଭୂତି, ନିରୀକ୍ଷଣ କରିବା ଶକ୍ତି ଓ କଳ୍ପନାଶକ୍ତି ସମ୍ବଳିତ ଚୈତନ୍ୟ ବ୍ୟତୀତ ଆଉ କି ନିର୍ଣ୍ଣୟ ତୁମପାଖରେ ରହିଚି, ଯାହା ସାହାଯ୍ୟରେ କି ତୁମେ ତଥାଗତଙ୍କର ଜୀବନର ସମସ୍ତ ରହସ୍ୟ ଓ ସଂଜ୍ଞାର ଉଦ୍‍ଘାଟନ କରିପାରିବ, ଯେଉଁସବୁ ରହସ୍ୟ କି ଶରୀର ଓ ଚୈତନ୍ୟଶକ୍ତି ଦ୍ୱାରା ଉଦଘାଟିତ ହୋଇ ପାରିବନାହିଁ ?

ମହାଭାଗ, ଏପରି କୌଣସି ନିର୍ଣ୍ଣୟ ଓ ପରିମାପକ ମୋତେ ଜଣାନାହିଁ ।

ତେବେ କାମନୀତ, ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଇନ୍ଦ୍ରିୟଶକ୍ତିଦ୍ୱାରା ସୀମାବଦ୍ଧ ଜଗତ ଭିତରେ ଥାଇ ତଥାଗତଙ୍କ ଜୀବନର ସତ୍ୟ ଓ ସାରର କଳନା କରିବାକୁ ଆମେମାନେ କଦାପି ସମର୍ଥ ହୋଇ ପାରିବାନାହିଁ । ତେବେ ତଥାଗତ ବା ପରିଶୁଦ୍ଧ କୌଣସି ଭିକ୍ଷୁ ଯେତେବେଳେ ଶରୀରର ବନ୍ଧନକୁ କାଟି ମୁକ୍ତ ହୋଇଯିବେ, ସେତେବେଳେ ସେ ନିର୍ବାଣପ୍ରାପ୍ତ ହେବେ, ଅର୍ଥାତ୍ ତାଙ୍କର ଜୀବନ ସମ୍ପୂର୍ଣ୍ଣ ନିର୍ବାପିତ ହୋଇଯିବ, ଏପରି ଏକ ମତ ପୋଷଣ କରିବା ତୁମପକ୍ଷରେ ଯୁକ୍ତଯୁକ୍ତ ହେବ କି ? ତଥାଗତଙ୍କର ସତ୍ୟରୂପ ଓ ସାରରୂପକୁ ଜାଣିବାଲାଗି ତୁମପାଖରେ କୌଣସି ସାଧନ ବା ମାଧ୍ୟମ ନାହିଁ, କେବଳ ଏହି କାରଣରୁ କଣ ତୁମେ ଏପରି ମତ ପୋଷଣ କରିବ ?

ଏହିପରି ଏକ ପ୍ରଶ୍ନରେ ଅଡ଼ୁଆରେ ପଡ଼ିଗଲାପରି କାମନୀତ ଅନେକ ସମୟ ଯାବତ୍ ନୀରବ ହୋଇ ବସିରହିଲେ, ତାଙ୍କର ଶରୀର ଆଗକୁ ନଇଁ ପଡ଼ିଲା, ମୁଣ୍ଡ ତଳକୁ ପୋତି ହୋଇଗଲା ।

ଶେଷକୁ ନୀରବତା ଭଙ୍ଗକରି ସେ କହିଲେ–ଅବଶ୍ୟ ଏପରି ଏକ ନିର୍ଣ୍ଣୟରେ ପହଞ୍ଚିବାକୁ ମୋର କୌଣସି ଅଧିକାର ନାହିଁ, କିନ୍ତୁ ତଥାପି ଏହାହିଁ ତଥାଗତଙ୍କର ନୀରବତାର ପରିଷ୍କାର କାରଣ ବୋଲି ମନେହେଉଚି । ଯଦି ତାଙ୍କ ପାଖରେ କୌଣସି ସନ୍ତୋଷଦାୟକ ଉତ୍ତର ଥାଆନ୍ତା, ତାହେଲେ ସେ କଦାପି ଉତ୍ତର ନଦେଇ ଚୁପ୍ ହୋଇ ରହିଯାଆନ୍ତେ ନାହିଁ । କାରଣ ତଥାଗତ ଯଦି ଜାଣିଥାଆନ୍ତେ ଯେ ଦୁଃଖକୁ ଜୟ କରିଥିବା ଭିକ୍ଷୁ ମୃତ୍ୟୁ ଅନ୍ତେ ପ୍ରକୃତରେ ଲୁପ୍ତ ବା ନିଶ୍ଚିହ୍ନ ହୋଇଯାଏନାହିଁ, ମାତ୍ର ଏକ ଚିରନ୍ତନ କଲ୍ୟାଣମୟ ଜୀବନରାଜ୍ୟରେ ବିହାର କରିବାର ସୌଭାଗ୍ୟ ଲାଭ କରେ, ତେବେ ସେ କଦାପି ଚୁପ୍ ହୋଇ ରହିଯାଆନ୍ତେ ନାହିଁ । ତାଙ୍କର ମୁଖରୁ ଏପରି ଏକ ବାଣୀ ଶୁଣିବାକୁ ପାଉଥିଲେ ଆପଣାର ପଥଚର୍ଯ୍ୟା ଓ ସାଧନାରେ ଶିଷ୍ୟମାନେ ଅନେକ ଉତ୍ସାହ ପାଇଥାଆନ୍ତେ ।

 

ତୁମେ କଣ ପ୍ରକୃତରେ ଏହିପରି ବିଚାର କରୁଚ, ସୁହୃତ୍ ? ତୁମେ ତ ଜାଣିଚ, ତଥାଗତ ସ୍ୱୟଂ ସକଳ ପ୍ରକାର ଦୁଃଖର ପାଶରୁ ଆପଣାକୁ ମୁକ୍ତ କରି ପାରିଚନ୍ତି । ଭାବିଦେଖି, ଯଦି ସେ ଦୁଃଖର ପାଶରୁ ଆପଣାକୁ ମୁକ୍ତ କରି ପାରିଚନ୍ତି । ଭାବିଦେଖ, ଯଦି ସେ ଦୁଃଖର ନିରାକାରଣକୁ ଭିକ୍ଷୁଜୀବନର ସର୍ବଶେଷ ଲକ୍ଷ୍ୟ ବୋଲି ଘୋଷଣା କରିନଥାନ୍ତେ, ମୃତ୍ୟୁଅନ୍ତେ ଆହୁରି ଏକ ଶାଶ୍ୱତ କଲ୍ୟାଣମୟ ଜୀବନର ସମ୍ଭୋଗ ବାକୀ ଅଛି ବୋଲି ଯଦି ସେ ସୂଚନା ଦେଇଥାନ୍ତେ, ତେବେ ତାହାର ପରିଣାମ କଣ ହୋଇଥାନ୍ତା, କହିଲ । ଭିକ୍ଷୁମାନେ ଏହିପରି ଏକ ସୁଖଦ ଭବିଷ୍ୟତର କଳ୍ପନାରେ ନିରନ୍ତର ମଜ୍ଜିତ ହୋଇ ରହିଥାନ୍ତେ, ଏହି କଳ୍ପନାରେ ସେମାନେ ଏକାବେଳେକି ଲିପ୍ତ ହୋଇପଡ଼ିଥାନ୍ତେ ଏବଂ ଏକ ବଳବତୀ ତୃଷ୍ଣାର ସନ୍ତାପ ସହିତ ଆତୁର ଭାବରେ ଏହି ସୁଖର ପ୍ରତୀକ୍ଷା କରି ବସିଥାନ୍ତେ । ଏହାଦ୍ୱାରା ସେମାନଙ୍କର ମାନସିକ ଶାନ୍ତି ଓ ବିଚାରର ସ୍ଥିରତା ନଷ୍ଟ ହେବାହିଁ ସାର ହୋଇଥାନ୍ତା । ଏହିପରି ମନୋବସ୍ଥାର ଚକ୍ରାନ୍ତରେ ପଡ଼ି ହୁଏତ ସେମାନେ ଅଜାଣତରେ ଯେ ପୁନରାୟ ଜୀବନତୃଷ୍ଣାର ଜାଲଭିତରେ ପଡ଼ିଯାଇ ଥଆନ୍ତେ, ଏଥିରେ ଆଶ୍ଚର୍ଯ୍ୟ ହେବାର ଆଉ କଣ ଅଛି ? ମୃତ୍ୟୁପରେ ସେମାନଙ୍କ ଲାଗି ଅପେକ୍ଷା କରୁଥିବା ସୌଭାଗ୍ୟପୂର୍ଣ୍ଣ ସ୍ଥିତି ବିଷୟରେ ସେମାନେ ଯେ ଏପରି ଆତୁର ଆକାଂକ୍ଷିକ ଭାବରେ ଚିନ୍ତା କରୁଚନ୍ତି, ଏହା ଯେପରି ଅନ୍ୟମାନଙ୍କର ନଜରରେ ନପଡ଼ିବ, ସେଥିପାଇଁ ହୁଏତ ସେମାନେ ଏହି ଜୀବନର ନାନା ଛଳରଙ୍ଗ ଦ୍ୱାରା ଆପଣାକୁ ରଙ୍ଗାଇ ରଖିବାକୁ ଚେଷ୍ଟା କରୁଥାନ୍ତେ । ଫଳତଃ ମୃତ୍ୟୁପର ସୌଭାଗ୍ୟପ୍ରାପ୍ତି ବିଷୟରେ ସେମାନଙ୍କର ଆକାଂକ୍ଷା ବଢ଼ିବା ସଙ୍ଗେସଙ୍ଗେ ସେମାନେ ଏହି ଜୀବନର ଅଡ଼ୁଆ ଭିତରେ ଅଧିକ ଛନ୍ଦିହୋଇ ଯାଉଥାଆନ୍ତେ । କୌଣସି କୁକୁରକୁ ଜଞ୍ଜିର ଦେଇ ଗୋଟାଏ ଖୁଣ୍ଟରେ ବାନ୍ଧିଦିଅ, ଦେଖିବ, ଖୁଣ୍ଟରୁ ଛିଡ଼ାଇ ପଳାଇବାକୁ କୁକୁରଟି ଯେତିକି ବ୍ୟଗ୍ର ଭାବରେ ଚେଷ୍ଟା କରୁଥିବ, ଆପଣାର ଅଜାଣତରେ ଖୁଣ୍ଟ ଚାରିପାଖରେ ବୁଲିବୁଲି ସେ ଖୁଣ୍ଟସହିତ ସେତିକି ଅଧିକ ବାନ୍ଧିହୋଇ ଯାଉଥିବ । ଠିକ୍, ସେହିପରି ଭାବରେ ଇହଜୀବନ ପ୍ରତି ବିତୃଷ୍ଣା ପ୍ରକାଶ କରୁଥିବା ଉକ୍ତ ଭିକ୍ଷୁମାନେ ଇହଜୀବନର ଆବର୍ତ୍ତ ଭିତରେ ସେତିକି ସେତିକି ଅଧିକ ପଡ଼ିଯାଇଥିବେ ।

 

କାମନୀତ ଉତ୍ତର ଦେଲେ–ହଁ, ଏପରି ଏକ ବିପଦର ଆଶଙ୍କା ରହିଚି ବୋଲି ମୁଁ ଅବଶ୍ୟ ସ୍ୱୀକାର କରିବି, ତଥାପି ମୁଁ କହିବି ଯେ ତଥାଗତ ଚୁପ୍ ରହିଯିବା ଫଳରେ ଶିଷ୍ୟମାନଙ୍କର ମନରେ ଯେଉଁ ଅନିଶ୍ଚିତତାର ସଂଶୟ ରହିଯାଉଚି, ସେଥିରୁ ମଧ୍ୟ ଅନେକ ବିପଦ ଘଟିବାର ଆଶଙ୍କା ରହିଚି । ଦ୍ୱିତୀୟ ବିପଦଟିକୁ ମୁଁ ଅଧିକ ମାରାତ୍ମକ ବୋଲି କହିବି, କାରଣ ଏହା ଭିକ୍ଷୁମାନଙ୍କର ଆଗ୍ରହକୁ ଏକାବେଳେକେ ନିଷ୍କ୍ରିୟ କରି ପକାଉଚି । ଦୁଃଖର ବନ୍ଧନରୁ ମୁକ୍ତ ହୋଇଯିବା ପରେ ପ୍ରକୃତରେ ତାକୁ କି ଫଳ ମିଳିବ, ସେ ପ୍ରକୃତରେ ଶାଶ୍ୱତ ଜୀବନ ଲାଭ କରିବ ନା ମୃତ୍ୟୁର ଗ୍ରାସରେ ପଡ଼ି ମରିହଜି ଯିବ, ଏହି ବିଷୟରେ କିଛି ନିଶ୍ଚିତ ଜୀବନ ଲାଭ କରିବ ନା ମୃତ୍ୟୁର ଗ୍ରାସରେ ପଡ଼ି ମରିହଜି ଯିବ, ଏହି ବିଷୟରେ କିଛି ନିଶ୍ଚିତ କରି ନଜାଣିଲେ ଆପଣାର ସମସ୍ତ ଶକ୍ତି ଓ ସାଧନା ଦେଇ ଦୁଃଖମୁକ୍ତ ହେବାଲଗି କେଉଁ ଭିକ୍ଷୁ କାହିକିଁ ମନ ବଳାଇବ, ଆପଣ କହିଲେ !

 

ବନ୍ଧୁ, ମନେକର ଜଣକର ଗୃହରେ ହଠାତ୍ ନିଆଁ ଲାଗିଲା । ଗୃହର ଭୃତ୍ୟ ମାଲିକଙ୍କ ପାଖକୁ ଦଉଡ଼ିଯାଇ କହିଲା–‘ବାବୁ, ଉଠ ବାବୁ, ଘରେ ନିଆଁ ଲାଗିଗଲାଣି–ବାହାରକୁ ପଳାଇଚାଲ, କଡ଼ିକାଠରେ ନିଆଁ ଧରିଗଲାଣି, ଆଉ ଟିକିଏ ଗଲେ ଛାତଟା ମଧ୍ୟ ତଳକୁ ଖସିପଡ଼ିବ । ମନେକର ବାବୁ ଉତ୍ତର ଦେଲେ, ରଇଥା, ତୁ ଗଲୁ ଦେଖିବୁ ବାହାରେ ବର୍ଷା କି ଝରିପାଗ କରିନାହିଁତ, ଝଡ଼ ହେଉନାହିଁ ତ ? ଜହ୍ନ ପଡ଼ିଚି ନା ନାହିଁ ? ହଁ, ଯଦି ଜହ୍ନ ପଡ଼ିଥାଏ, ତେବେଯାଇ ଆମେ ବାହାରକୁ ଯିବା, ନହେଲେ ନାହିଁ । ଏହି ବିଷୟରେ ତୁମେ କିପରି ମତ ଦେବ କହିଲ ।

 

କିନ୍ତୁ ମହାଭାଗ, ଗୃହସ୍ୱାମୀ ପକ୍ଷରେ ପ୍ରକୃତରେ ଏପରି ଉତ୍ତର ଦେବା ସମ୍ଭବ କି ? ଭୃତ୍ୟ ଯେତେବେଳେ ତାଙ୍କୁ ଏଡ଼େବଡ଼ ଚିତ୍କାର କରି କହିବ, ବାହାରିୁଚାଲ ବାବୁ । ଘରେ ନିଆଁ ଲାଗିଲାଣି । ନିଆଁ ଆସି କଡ଼ିକୁ ଧରିଲାଣି, ଛାତଟା ମଧ୍ୟ ଆଉ ଟିକିଏ ଗଲେ ତଳକୁ ପଡ଼ିଯିବ ସେତେବେଳେ ବାବୁ କଦାପି ସେପରି ଉତ୍ତର ଦେବେନାହିଁ ।

 

ହଁ, ଭୃତ୍ୟ ଅବଶ୍ୟ ଚିତ୍କାର କରି ଗୃହସ୍ୱାମୀଙ୍କୁ ସମ୍ବାଦ ଦେଇଚି । ତଥାପି ଯଦି ଗୃହସ୍ୱାମୀ ଉତ୍ତର ଦେଲେ, ‘ରଇଥା, ଆଗ ତୁ ଯାଆ ଦେଖିଆସିବୁ ବାହାରେ ପାଣି ବରଷୁଚି, ଝଡ଼ ହେଉଚି ନା ଜହ୍ନ ଆଲୁଅ ପଡ଼ିଚି । ଯଦି ଜହ୍ନ ପଡ଼ିଥାଏ, ତେବେଯାଇ ଆମେ ବାହାରକୁ ଯିବା’–ତେବେ ଗୃହସ୍ୱାମୀ ପ୍ରକୃତରେ ବିଶ୍ୱସ୍ତ ଭୃତ୍ୟର କଥା ଶୁଣିଚନ୍ତି ବୋଲି ତୁମେ କହିପାରିବ କି ? ମୁଣ୍ଡଉପରେ ଯେ ବର୍ତ୍ତମାନ କେଡ଼େବଡ଼ ବିପଦ ଆସି ପହଞ୍ଚିଲାଣି, ସେକଥା ସେ ଭଲକରି ହୃଦୟଙ୍ଗମ କରିଚନ୍ତି କି ?

 

ଭଦ୍ର, ମୁଁ ଏପରି ଏକ ନିର୍ଣ୍ଣୟରେ ପହଞ୍ଚିବାକୁ ଅବଶ୍ୟ ବାଧ୍ୟ ହେବି । କିନ୍ତୁ ସେହି ଗୃହସ୍ୱାମୀକୁ ମଧ୍ୟ ଅତ୍ୟନ୍ତ ନିର୍ବୋଧ ବୋଲି ଅବଶ୍ୟ କହିବାକୁ ପଡ଼ିବ !

 

ଯାତ୍ରୀ, ଠିକ୍‍ ସେହିପରି ତୁମର ମୁଣ୍ଡ ଚାରିପାଖରେ ନିଆଁ ଜଳୁଚି ବୋଲି ତୁମେ କଳ୍ପନା କର । ତୁମ ଚତୁର୍ଦ୍ଦିଗରେ ରହିଥିବା ଏହି ଗୃହ ପ୍ରକୃତରେ ଜଳୁଚି । କେଉଁ ଗୃହ ? ସଂସାରରୂପୀ ଗୃହ-। ଏହି ଗୃହରେ କେଉଁ ନିଆଁ ଜଳୁଚି ? ବାସନାର ନିଆଁ ଜଳୁଚି, କ୍ରୋଧର ନିଆଁ ଜଳୁଚି, ପ୍ରବଞ୍ଚନାର ନିଆଁ ଜଳୁଚି । ସମସ୍ତ ସଂସାର ଆଜି ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଚି । ସମସ୍ତ ସଂସାର ଧୂମମୟ ହୋଇ ରହିଚି, ସମସ୍ତ ସଂସାର ଥରଥର ହୋଇ କମ୍ପୁଚି ।

 

ତଥାଗତଙ୍କର ମୁଖରୁ ଏହି ଗମ୍ଭୀର ବାକ୍ୟମାନ ଶୁଣୁଶୁଣୁ କାମନୀତ ସତେଅବା ତ୍ରସ୍ତ ହୋଇପଡ଼ିଲାପରି କମ୍ପିବାକୁ ଲାଗିଲେ । ଅରଣ୍ୟଭିତରେ ପ୍ରଥମ ଥରପାଇଁ ସିଂହର ଗର୍ଜନ ଶୁଣି କଅଁଳା ମଇଁଷି ଯେପରି କମ୍ପିବାକୁ ଲାଗେ, ଠିକ୍ ସେହିପରି । ଅନେକ ସମୟ ପର୍ଯ୍ୟନ୍ତ ସେ ନିର୍ବାକ୍ ହୋଇ ବସିରହିଥିଲେ, ତାଙ୍କର ମୁଣ୍ଡ ତଳକୁ ପୋତିହୋଇ ଯାଇଥାଏ, ଦେହଟା ଆଗକୁ ଝୁଲିପଡ଼ିଥାଏ, ତାଙ୍କର ମୁଣ୍ଡ ତଳକୁ ପୋତିହୋଇ ଯାଇଥାଏ, ଦେହଟା ଆଗକୁ ଝୁଲିପଡ଼ିଥାଏ, ତାଙ୍କର ମୁଖମଣ୍ଡଳ ଲଜ୍ଜାରେ ଆରକ୍ତ ଦେଖାଯାଉଥାଏ । ସେହିପରି ଉଦାସ ଭାବରେ, ତଥାପି କମ୍ପିତ ସ୍ୱରରେ ସେ କହିବାକୁ ଲାଗିଲେ : –

 

ଯଦି ତଥାଗତଙ୍କୁ ଭବିଷ୍ୟ ବିଷୟରେ କିଛି ଜଣାଅଛି, ତେବେ ସେ କାହିଁକି କିଛି ନକହି ଚୁପ୍ ରହିଯିବେ, ମୋତେ ଏହି କଥାଟା ତଥାପି ବଡ଼ ଅସ୍ୱସ୍ତିକର ମନେହେଉଚି । କିନ୍ତୁ ହୁଏତ ତାଙ୍କର ଉତ୍ତର ଭିକ୍ଷୁମାନଙ୍କୁ ନିରାଶ ଓ ଆତଙ୍କିତ କରିଦେବ ବୋଲି ଆଶଙ୍କା କରି ଯଦି ସେ ନୀରବ ରହୁଥିବେ, ବା ଏହା କୌଣସି ଉତ୍ତର ଦେବାକୁ ଆପଣାକୁ ଅସମର୍ଥ ଜାଣି ଯଦି ସେ ନୀରବ ରହୁଥିବେ, ଏହାଦ୍ୱାରା ସେ ଉଚିତ କାର୍ଯ୍ୟ କରୁଚନ୍ତି ବୋଲି ମୁଁ ତଥାପି ସ୍ୱୀକାର କରିପାରୁନାହିଁ । କାରଣ ଆନନ୍ଦ ଓ କଲ୍ୟାଣଲାଭ ହେଉଚି ମନୁଷ୍ୟର ସମସ୍ତ କଳ୍ପନା ଓ ଆକାଂକ୍ଷାର ଲକ୍ଷ୍ୟ, ଏହା ମନୁଷ୍ୟର ସ୍ୱଭାବଗତ, ଏହା କଦାପି ଅନ୍ୟପ୍ରକାର ହୋଇପାରିବନାହିଁ । ବ୍ରାହ୍ମଣ ପୁରୋହିତମାନଙ୍କଠାରୁ ମଧ୍ୟ ମୁଁ ଠିକ୍ ଏହିକଥା ଶୁଣିଚି :

 

ଏହିପରି ଗୋଟିଏ ଅତିଚଞ୍ଚଳ ଓ ଅତିବଳବାନ୍ ଯୁବକର କଳ୍ପନା କର, ଗୋଟିଏ ସୁନ୍ଦର ଯୁବକର କଳ୍ପନା କର ଯିଏ କି ଦିନେ ସମସ୍ତ ପୃଥିବୀ ଓ ସମସ୍ତ ପାର୍ଥିବ ସମ୍ପଦର ଅଧିକାରୀ ଥିଲା । ଏହାକୁ ହିଁ ଆମେ ମନୁଷ୍ୟଜୀବନର ସୁଖ ବୋଲି କଳ୍ପନା କରିପାରିବା । କିନ୍ତୁ ଶହେଜଣ ମନୁଷ୍ୟର ସୁଖ ଏକାଠି ମିଶିଲେ ତାହା ସ୍ୱର୍ଗବାସୀ ମହାପୁରୁଷର ସୁଖସହିତ ସମାନ ହେବ, ଶହେଜଣ ସ୍ୱର୍ଗବାସୀ ମହାପୁରୁଷଙ୍କର ସୁଖ ଏକାଠି ମିଶିଲେ ତାହା ତେତ୍ରିଶକୋଟି ଦେବତାଙ୍କର ସୁଖ ସହିତ ସମାନ ହେବ । ତେତ୍ରିଶକୋଟି ଦେବତାଙ୍କର ସୁଖକୁ ଶହେଗୁଣ କଲେ ତାହା ଦେବରାଜ ଇନ୍ଦ୍ରର ସୁଖ ସହିତ ସମାନ ହେବ ଏବଂ ଇନ୍ଦ୍ରସୁଖକୁ ପୁଣି ଶହେଗୁଣ କଲେତାହା ବ୍ରହ୍ମଙ୍କର ସୁଖର ସମତୁଲ ହେବ । ଏହି ବ୍ରହ୍ମସୁଖ ହେଉଚି ସର୍ବଶ୍ରେଷ୍ଠ ଓ ସର୍ବୋତ୍ତମ ସୁଖ, ଏହାହିଁ ହେଉଚି ସେହି ସୁଖରେ ଉପନୀତ ହେବାର ପଥ ।’’

 

ହେ ଯୁବକ, ବିବେକର ସହିତ ସମସ୍ତ ବିଷୟ ବିଚାର କରିବାକୁ ଅସମର୍ଥ ଏକ ଅନିଭିଜ୍ଞ ବାଳକ ବିଷୟରେ ଠିକ୍ ସେହିପରି କୁହାଯାଇ ପାରିବ । ଏହି ବାଳକଟି ଦିନେ ଆପଣାର ଦାନ୍ତରେ ଅସହ୍ୟ ଓ ଦାରୁଣ ବେଦନା ଅନୁଭବ କଲା । ତାର ମନେହେଲା, ସତେ ଯେପରି ତାର ଦାନ୍ତଭିତରକୁ କିଏ କୋରିକରି କଣା କରିଦେଇଚି ! ସେ ତତକ୍ଷଣାତ୍ ଜଣେ ପ୍ରବୀଣ ଚିକିତ୍ସକଙ୍କ ପାଖକୁ ଦଉଡ଼ିଯାଇ ଆପଣାର ଯନ୍ତ୍ରଣା ବିଷୟରେ କହିଲା, ଚିକିତ୍ସକ ମହାଶୟ, ତୁମର ବିଦ୍ୟାରେ ଏପରି କୌଣସି ଉପାୟ ନାହିଁ, ଯାହାବଳରେ କି ମୋର ଦାନ୍ତରୁ ଯନ୍ତ୍ରଣା ଦୂର ହୋଇଯିବ ଏବଂ ତତପରିବର୍ତ୍ତରେ ମୁଁ ସୁଖ ଓ ଆରାମ ଅନୁଭବ କରିପାରିବି ? ଏକଥା ଶୁଣି ଚିକିତ୍ସକ ଉତ୍ତର ଦେଲେ, ବାବୁରେ, କେବଳ ଯନ୍ତ୍ରଣା ଦୂର କରିଦେବାର ବାଟ ମୋର ବିଦ୍ୟାରେ କୁହାଯାଇଚି, ସୁଖ ଅନୁଭବ କରିବାର ବାଟ କୁହାଯାଇନାହିଁ । କିନ୍ତୁ ଅବିବେକୀ ବାଳକଟି କ୍ଷୁବ୍ଧ ହୋଇ କହିଲା, ମୋର ଏହି ଦାନ୍ତଟିରେ ମୁଁ ଏପର୍ଯ୍ୟନ୍ତ ଭୟଙ୍କର ଯନ୍ତ୍ରଣା ଅନୁଭବ କରିଲିଣି । ତେଣୁ ତାହାର ପରିବର୍ତ୍ତରେ ଯଦି ବର୍ତ୍ତମାନ ସେହି ଦାନ୍ତରୁ ମୋତେ ସୁଖ ଓ ଆରାମର ଅନୁଭୂତି ମିଳିପାରନ୍ତା, ତେବେ ଭାରି ଭଲ ହୁଅନ୍ତା । ଏହା ସମ୍ଭବ କରିପାରିଲା ଭଳି ଉପଯୁକ୍ତ ପ୍ରବୀଣ ଓ ସୁଦକ୍ଷ ଚିକିତ୍ସକ ଅଛନ୍ତି ବୋଲି ମଧ୍ୟ ମୁଁ ଆଗରୁ ଶୁଣିଚି । ମୁଁ ଭାବିଥିଲି, ଆପଣ ମଧ୍ୟ ସେମାନଙ୍କ ଭିତରୁ ଜଣେ ହୋଇଥିବେ। ସେଠାରୁ ବାଳକଟି ଯାଇ ଗାନ୍ଧାରଦେଶରୁ ଆସିଥିବା ଆଉଜଣେ ଖ୍ୟାତନାମା ଚିକିତ୍ସକଙ୍କ ପାଖରେ ପହଞ୍ଚିଲା । ସେ ଅଲୌକିକ ସାଧନମାନ ଜାଣିଚନ୍ତି ବୋଲ ସମସ୍ତେ କହୁଥିଲେ । ରାସ୍ତାର ଛକମାନଙ୍କରେ ଠିଆ ହୋଇ ଢୋଲ ପିଟି ଓ ତୂରୀ ବଜାଇ ସେ ଏଡ଼େବଡ଼ ପାଟିରେ ଉପଦେଶ ଦେଇ କହୁଥିଲେ, ସ୍ୱାସ୍ଥ୍ୟ ହେଉଚି ମନୁଷ୍ୟର ସର୍ବପରମ ସମ୍ପଦ, ସ୍ୱାସ୍ଥ୍ୟ ହେଉଚି ମନୁଷ୍ୟର ସର୍ବପରମ ଗତି । ଦେହର ସର୍ବାଙ୍ଗରେ ସ୍ୱାସ୍ଥ୍ୟ ବିକଶିତ ହୋଇଥିବ, ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ଓ ସବଳ ରହିଥବ, ସକଳ ବୟସରେ ଶରୀରର ପ୍ରତ୍ୟେକ ସ୍ଥାନରେ ସ୍ୱାସ୍ଥ୍ୟ ପ୍ରସ୍ପୁଟିତ ହୋଇପଡ଼ୁଥିବ ଯେଉଁ ଲୋକ ଯେଉଁ ରୋଗରେ ଯେତେଦିନ ହେଲା ଭୋଗିଥାଉ ପଛକେ, ମୋତେ ଏପରି ବିଦ୍ୟା ଜଣାଅଛି ଯେ ମୁଁ ତାକୁ ଯମଦ୍ୱାରରୁ ଫେରାଇ ନେଇଆସିବି ଏବଂ ତାକୁ ଦେବତାମାନଙ୍କର ଈପ୍‍ସିତ ସ୍ୱାସ୍ଥ୍ୟର ଅଧିକାରୀ କରି ଦେଇପାରିବି । ବାଳକଟି ଅଲୌକିକ କ୍ଷମତାସମ୍ପନ୍ନ ଏହି ଚିକିତ୍ସକଙ୍କ ପାଖକୁ ଧାଇଁଯାଇ ଆପଣାର ଅବସ୍ଥା ଜଣାଇ କହିଲା, ‘‘ମହାଶୟ, ତୁମର ବିଦ୍ୟାବଳରେ ତୁମେ ଏପରି କିଛି କରିଦେଇ ପାରିବ, ଯାହାଫଳରେ କି ଏହି ଅସହ୍ୟ ଯନ୍ତ୍ରଣା ପରିବର୍ତ୍ତରେ ମୁଁ ମୋର ଦାନ୍ତରେ ସୁଖ ଓ ଆରାମ ଅନୁଭବ କରିପାରିବି ?’’ ଏବଂ କିମିଆଁ ଜାଣିଥିବା ଚିକିତ୍ସକ ଉତ୍ତର ଦେଲେ, ‘‘ବାବୁ ରେ, ତାହା ହିଁ ତ ମୋ’ ବିଦ୍ୟାର ବୈଶିଷ୍ଟ୍ୟ !’’ ତାପରେ ଆଗ ବାଳକଠାରୁ ଉଚିତ ମୁଦ୍ରା ନେଇ ସେ ଆପଣାର ଆଙ୍ଗୁଠି ସାହାଯ୍ୟର ଦାନ୍ତଟିକୁ ହଲାଇଦେଲେ ଏବଂ ତତକ୍ଷଣାତ୍ ବାଳକଟି ଅତ୍ୟନ୍ତ ଆରାମ ବୋଧ କରିବାକୁ ଲାଗିଲା । ତାର ସମସ୍ତ ଯନ୍ତ୍ରଣା ତତକ୍ଷଣାତ୍ ଅନ୍ତର୍ହିତ ହୋଇଗଲା । ଅବିବେକୀ ବାଳକ ଭାରି ଖୁସୀ ହୋଇ ଘରକୁ ଫେରିଲା । କିନ୍ତୁ ମାତ୍ର କିଛିସମୟ ପରେ ଦାନ୍ତର ସବୁ ସୁଖାନୁଭୂତି କୁଆଡ଼େ ଉଭେଇଗଲା ଓ ପୁଣି ଯନ୍ତ୍ରଣା ଆରମ୍ଭ ହେଲା । କିନ୍ତୁ ଏପରି ହେଲା କାହିଁକି କହିଲ ? କାରଣ ଯନ୍ତ୍ରଣାର ମୂଳକାରଣଟି ଏପର୍ଯ୍ୟନ୍ତ ଯେଉଁଠି ସେଇଠି ରହିଥିଲା ।

 

ଯାତ୍ରୀ, କିନ୍ତୁ ମନେକର, ଆଉଜଣେ ବିବେକୀ ବ୍ୟକ୍ତି ମଧ୍ୟ ଆପଣାର ଦାନ୍ତରେ ସେହିପରି ବଡ଼ ଅସହ୍ୟ ଓ ଦାରୁଣ ଯନ୍ତ୍ରଣା ଅନୁଭବ କରୁଥିଲା । ତେଣୁ, ସେ ସେହି ପ୍ରବୀଣ ଚିକିତ୍ସକଙ୍କ ପାଖକୁ ଯାଇ ଆପଣାର ରୋଗର କଥା ଜଣାଇଲା, ‘‘ମହାଶୟ, ମୋର ଏହି ଯନ୍ତ୍ରଣା ଦୂର କରି ପାରିବାଭଳି କୌଣସି ଉପାୟ ଆପଣଙ୍କର ବିଦ୍ୟାରେ ଅଛି କି ?’’–ଚିକିତ୍ସକ ଉତ୍ତର କଲେ, ‘‘ବାବୁ ଯଦି ତୁମେ ମୋ’ଠାରୁ କେବଳ ଏତିକି ଚାହୁଥାଅ, ତେବେ ମୋର ବିଦ୍ୟାବଳରେ ମୁଁ ତୁମର ଯନ୍ତ୍ରଣା ଦୂର କରିଦେବି ବୋଲି ପ୍ରତିଶ୍ରୁତି ଦେଇପାରିବି । ‘‘କିନ୍ତୁ ଏହାଠାରୁ ଅଧିକ ଚାହିବାର ଆଉ କଣ ଅଛି ? ବିବେକୀ ଲୋକଟି ଚିକିତ୍ସକଙ୍କୁ ପଚାରିଲା । ତାପରେ ଚିକିତ୍ସକ ଦାନ୍ତକୁ ପରୀକ୍ଷା କରି ଦେଖିଲେ ଯେ ଦାନ୍ତମୂଳ ଫୁଲିଥିବାରୁ ରୋଗୀ ଏପରି ଯନ୍ତ୍ରଣା ଭୋଗ କରୁଚି । ରୋଗୀକୁ କହିଲେ, ‘‘ବର୍ତ୍ତମାନ ଘରକୁ ଯାଅ ଏବଂ ସେହି ଦାନ୍ତମୂଳରେ ଗୋଟିଏ ଜୋକ ଆଣି ଲଗାଇଦିଅ । ରକ୍ତ ପିଇ ଯେତେବେଳେ ଜୋକ ମୋଟା ହୋଇ ଆପଣାଛାଏଁ ଖସିପଡ଼ିବ, ସେତେବେଳେ ଏହି ଚେରକୁ ଘୋରି ସେହି ସ୍ଥାନରେ ବୋଳିଦିଅ । ତା’ହେଲେ ବିଷ ଓ ବଦରକ୍ତ ସବୁ ବାହାରିଯିବ ଏବଂ ଯନ୍ତ୍ରଣାର ଉପଶମ ହୋଇଯିବ ।’’ ବିବେକୀ ଲୋକଟି ଘରକୁ ଯାଇ ଚିକିତ୍ସକ ଯେପରି କରିବାକୁ କହିଥିଲେ, ଠିକ୍ ସେହିପରି କଲା । ଫଳରେ ଯନ୍ତ୍ରଣାର ଉପଶମ ହେଲା ଓ ପୁଣି ତାହା ଲେଉଟି ଆସିଲାନାହିଁ । ଏପରି କାହିଁକି ହେଲା କହିଲ ? କାରଣ ଏଥର ଯନ୍ତ୍ରଣାର ମୂଳକାରଣଟିକୁ ଉତ୍ପାଟିତ କରି ଦିଆଗଲା ।

 

ଉପମାଟି ଦେଇସାରି ତଥାଗତ ନୀରବ ରହିଲେ । ମୁଣ୍ଡକୁ ତଳକୁ ପୋତି କାମନୀତ ମଧ୍ୟ ଚୁପ ହୋଇ ବସିରହିଲେ, ଲଜ୍ଜାରେ ତାଙ୍କର ମୁଖମଣ୍ଡଳ ରକ୍ତିମ ହୋଇଗଲା, ଭୟ ହେତୁ ତାଙ୍କର କପାଳରେ ସ୍ୱେଦବିନ୍ଦୁମାନ ସ୍ପଷ୍ଟ ହୋଇ ଆସିଲା । ସତେ ଯେପରି ତାହାକୁ ହିଁ ଜଣେ ଅବିବେକୀ ବାଳକ ସହିତ ତୁଳନା କରାଗଲା, ସେ ଠିକ୍ ସେହିପରି ଅନୁଭବ କରିବାକୁ ଲାଗିଲେ । ଅନେକ ଚେଷ୍ଟା କରି ସେ ତଥାପି କୌଣସି ଉତ୍ତର ଖୋଜି ପାଇଲେ ନାହିଁ, ବଡ଼ ବିବଶ ହୋଇ ତାଙ୍କୁ କାନ୍ଦ ମାଡ଼ିଆସିଲା ପରି ମନେହେଲା ।

 

ଶେଷକୁ ଆପଣାର କଣ୍ଠକୁ ଯେକୌଣସି ପ୍ରକାରେ ଆୟତ୍ତକୁ ଆଣି ସେ ବଡ଼ ହତାଶ ଭାବରେ ପଚାରିଲେ : –

 

ମହାଭାଗ, ଆପଣ କଣ ଏସବୁ କଥା ପ୍ରକୃତରେ ତଥାଗତଙ୍କର ମୁଖରୁ ଶୁଣିଚନ୍ତି ?

 

ସାଧାରଣତଃ ଖୁବ୍ କ୍ୱଚିତ ବୁଦ୍ଧଙ୍କର ମୁଖରେ ସ୍ମିତହାସ୍ୟ ଦେଖାଦେଇଥାଏ । କିନ୍ତୁ ଏହି ପ୍ରଶ୍ନଟି ଶୁଣି ତଥାଗତଙ୍କର ଅଧର ଉପରେ ଏକ ସ୍ମିତହାସ୍ୟର ରେଖା ଉକୁଟି ଉଠିଲା ।

 

ଭିକ୍ଷୁ, ଏହାକୁ ଠିକ୍ ଶୁଣିଚି ବୋଲି କୁହାଯାଇ ପାରିବନାହିଁ ।

 

ଏହିକଥା ଶୁଣିବାପରେ ଯାତ୍ରୀ କାମନୀତ ଅତ୍ୟନ୍ତ ସପ୍ରତିଭ ହୋଇଉଠିଲେ, ତାଙ୍କର ନୟନଯୁଗଳ ଦପଦପ ହୋଇ ଜଳିଉଠିଲା ପରି ଦେଖାଗଲା ଏବଂ ସେ ଉତ୍ସାହିତ କଣ୍ଠରେ କହିଲେ-: –

 

ଆଗରୁ ମୁଁ ଠିକ୍ ଏଇକଥା ଅନୁମାନ କରିଥିଲି । ମୁଁ ଏକଥା ଭଲକରି ଜାଣିଥିଲି ଯେ ତଥାଗତ କଦାପି ଏପରି ଧର୍ମୋପଦେଶ ଦେଇନଥିବେ, ହୁଏତ ଆପଣ ସ୍ୱକଳ୍ପନାରୁ ଏସବୁ ପ୍ରସ୍ତୁତ କରି ତଥାଗତଙ୍କର ନାମରେ ମୋତେ କହୁଚନ୍ତି । ଆପଣ ନିଶ୍ଚୟ ତଥାଗତଙ୍କର ଉପଦେଶକୁ ଭୁଲ ବୁଝିଚନ୍ତି । କାରଣ ସମସ୍ତେ କହନ୍ତି ବୁଦ୍ଧଙ୍କର ବାଣୀ ଆଦ୍ୟରୁ ଶେଷଯାଏ କେବଳ ମୁକ୍ତିଦାୟକ । କିନ୍ତୁ ଯେଉଁ ଉପଦେଶ ମନୁଷ୍ୟକୁ ପରମ କଲ୍ୟାଣମୟ ଏକ ଶାଶ୍ୱତ ଜୀବନର କୌଣସି ପ୍ରତିଶ୍ରୁତି ଦେଇ ନପାରିଚି, ସେହି ଉପଦେଶକୁ କିପରି ମୁକ୍ତିଦାୟକ ବୋଲି କୁହାଯାଇ ପାରିବ ? କିନ୍ତୁ ଦେଖିବ, ଆଉ ମାତ୍ର କେତେଟା ସପ୍ତାହ ପରେ ମୁଁ ନିଜେ ତଥାଗତଙ୍କର ସାକ୍ଷାତ କରିବି, ତାଙ୍କର ଚରଣ ପାରୁଶରେ ବସି ତାଙ୍କର ଶ୍ରୀମୁଖରୁ ମୁକ୍ତିର ଉପାୟମାନ ଜାଣିବାକୁ ପାଇବି, ଠିକ୍ ଏକ ସରଳଚପଳ ବାଳକପରି ମୁଁ ତାଙ୍କର ମାତୃ ବକ୍ଷସମ ଉପଦେଶରୁ ମଧୁର ଜୀବନରସ ପାନ କରିବି-। ଆପଣ ମଧ୍ୟ ଚାଲନ୍ତୁ, ସେଠାକୁ ଯାଇ ତାଙ୍କର ପ୍ରକୃତ ଉପଦେଶମାନ ଶୁଣିଆସନ୍ତୁ ଏବଂ ଆପଣାର ଭ୍ରମରୁ ମୁକ୍ତିଲାଭ କରନ୍ତୁ । କିନ୍ତୁ ଏଣେ ଦେଖିଲେ, ଜହ୍ନର ଆଲୁଅ ଏହି ଗୃହର ଦ୍ୱାରଦେଶ ପର୍ଯ୍ୟନ୍ତ ଘୁଞ୍ଚିଗଲାଣି । ରାତ୍ରି ନିଶ୍ଚୟ ଅନେକ ହୋଇଗଲାଣି । ବର୍ତ୍ତମାନ ଶୟନ କରିବା ଉଚିତ ।

 

ଅତି ପ୍ରସନ୍ନ ସହୃଦୟ ଭାବରେ ତଥାଗତ ଉତ୍ତର ଦେଲେ–ତେବେ ତାହାହିଁ ହେଉ ।

 

ଆପଣାର ଅଙ୍ଗବସ୍ତ୍ରକୁ ଆପଣାର ଶରୀର ଉପରେ ଭଲକରି ଆଚ୍ଛାଦିତ କରି ଦେଉଦେଉ ଠିକ୍ ଏକ ଶୟାନ ସିଂହର ମୁଦ୍ରାରେ ବୁଦ୍ଧ ଶଯ୍ୟା ଉପରେ ଆପଣାର ଗାତ୍ରକୁ ପ୍ରସାରିତ କରିଦେଲେ ଏବଂ ଦକ୍ଷିଣ ବାହୁ ଉପରେ ମୁଣ୍ଡ ଦେଇ ଓ ବାମ ପାଦକୁ ଦକ୍ଷିଣ ପାଦ ଉପରେ ରଖି ବିଶ୍ରାମ ନେଲେ ।

 

କାଲି ସକାଳେ କେତେବେଳେ ଉଠିବାକୁ ହେବ, ଏହି କଥା ଭାବୁଭାବୁ ତଥାଗତ ଗଭୀର ନିଦ୍ରାରେ ଅଭିଭୂତ ହୋଇପଡ଼ିଲେ ।

Image

 

୨୧

ଅର୍ଦ୍ଧମାର୍ଗରେ

 

ପରଦିନ ପ୍ରଭାତରେ ଶଯ୍ୟାତ୍ୟାଗ କରିବା ସମୟରେ ତଥାଗତ ଯାତ୍ରୀ କାମନୀତକୁ ଅତିଶୟ ଆଗ୍ରହ ସହକାରେ ବିଛଣା ଉଠାଉଥିବାର ଦେଖିଲେ । ବିଛଣା ଉଠାଇସାରି କାମନୀତ ଆପଣାର ପାନପାତ୍ରଟିକୁ କାନ୍ଧଉପରେ ନେଇ ଝୁଲାଇଲେ, ଗୃହକୋଣରେ ଥୁଆ ହୋଇଥିବା ତାଙ୍କର ଯଷ୍ଟିଟିକୁ ହାତରେ ଧରିଲେ । ତାଙ୍କୁ ଦେଖି ମନେ ହେଉଥିଲା, ଯେପରି କେଉଁଠାକୁ ଯାତ୍ରା କରିବାଲାଗି ସେ ଭାରି ତରତର ହେଉଚନ୍ତି ।

 

ଚଟାଇ ଉପରେ ଉଠିବସି ତଥାଗତ ତାଙ୍କୁ ଅଭିବାଦନ ଜଣାଇଲେ ।

କ’ଣ ଏଡ଼େବେଗି ବାହାରି ପଡ଼ିଲ, ଭାଇ ?

 

ବଡ଼ ପାଟିରେ କାମନୀତ ଉତ୍ତର ଦେଲେ–ହଁ, ହଁ । ଅସଲ ଖବର କଣ ଆପଣ ଜାଣିଲେଣି ନା ? ଶୁଣିଲେ ପ୍ରଥମେ ଆଦୌ ବିଶ୍ୱାସ ହେବନାହିଁ । ସତ୍ୟଠାରୁ ମଧ୍ୟ ଏହା ଅଧିକ ଅଦ୍ଭୁତ । ଏହାକୁ ମୋର ପରମ ସୌଭାଗ୍ୟ ବୋଲି କହିବାକୁ ହେବ । ଏଇ ଅଳ୍ପ କେତେ ଖଣ୍ଡ ପୂର୍ବରୁ ମୁଁ ନିଦରୁ ଉଠିଲି । କାଲି ରାତିରେ ଅନେକ ସମୟ ଧରି ଅନେକ କଥା କହିଥିବାରୁ ସକାଳେ ଉଠିବା ମାତ୍ରକେ ମୋତେ ଭାରି ଶୋଷ ଲାଗିଲା । ତଣ୍ଟି ଶୁଖିଗଲା ପରି ମନେହେଲା । ତେଣୁ ମୁଁ ପାଣି ପିଇବାଲାଗି ରାସ୍ତା ସେ ପାଖରେ ଅବସ୍ଥିତ ତେନ୍ତୁଳିଗଛ ମୂଳରେ ଥିବା କୂଅପାଖକୁ ଦଉଡ଼ିଗଲି । ମୁଁ ପହଞ୍ଚିବା ଆଗରୁ ଗୋଟିଏ ଯୁବତୀ ବାଳିକା ଆସି ସେହି କୂଅ ପାଖରେ କଳସୀରେ ପାଣି ଭରୁଥିଲା । ସେ ମୋତେ କଣ କହିଲା ଜାଣନ୍ତି ? ସେ କହିଲା ଯେ ତଥାଗତ ବର୍ତ୍ତମାନ ଶ୍ରାବସ୍ତିରେ ନାହାନ୍ତି । କିନ୍ତୁ ଆଉ କେଉଁଠି ଅଛନ୍ତି ବୋଲି ପଚାରିବାରୁ ସେ କହିଲା ଯେ ତିନିଶହ ଶିଷ୍ୟଙ୍କର ଗହଣରେ ତଥାଗତ କାଲି ଆସି ରାଜଗୃହରେ ପହଞ୍ଚିଚନ୍ତି । ନଗରର ଉପକଣ୍ଠରେ ଥିବା ଆମ୍ରବନରେ ସେ ବର୍ତ୍ତମାନ ଅବସ୍ଥାନ କରୁଚନ୍ତି । ଆମ୍ରବନ ଏଠାରୁ ମୋଟେ ଗୋଟିଏ ଘଣ୍ଟାର ବାଟ–ଆଉ ମୁଁ ଭାବୁଥିଲି ବର୍ତ୍ତମାନ ଚାରି ସପ୍ତାହକାଳ ପଦବ୍ରଜରେ ଯାଇ ତାଙ୍କର ଦଶର୍ନ କରିବି ! ବାଳିକାଟି କହିଲା, ପ୍ରଧାନ ରାସ୍ତାରେ ନଯାଇ ଗଳିଭିତରେ ସିଧାରାସ୍ତା ଦେଇ ଗଲେ ସେଠାରେ ପହଞ୍ଚିବାକୁ ମୋଟେ ଅଧଘଣ୍ଟାଏ ସମୟ ଲାଗିବ । ଏକଥା ମୁଁ କଳ୍ପନା ସୁଦ୍ଧା କରିପାରୁନାହିଁ । ଏଠାରେ ଆଉ ମୁହୂର୍ତ୍ତେ ମଧ୍ୟ ଡେରି କରିବାକୁ ମୋର ବେଳ ନାହିଁ । ଆପଣ ଭଲରେ ରହିଥାନ୍ତୁ, ଭାଇ । ଆପଣଙ୍କ ସହିତ ମୋର ସମୟ ଭାରି ଭଲରେ କଟିଚି । ଅବଶ୍ୟ ଆପଣଙ୍କୁ ମଧ୍ୟ ତଥାଗତଙ୍କ ପାଖକୁ ସାଙ୍ଗରେ ନେଇକରି ଯିବାଲାଗି ମୋର ଭାରି ଇଚ୍ଛା ହେଉଚି, କିନ୍ତୁ ଏଠାରେ ଆଉ ମୁହୁର୍ତ୍ତେ ମଧ୍ୟ ଡେରି କରିବାକୁ ମନ ହେଉନାହିଁ ।

 

ଗୃହକୁ ବିଦାୟ ନେଇ ଯାତ୍ରୀ କାମନୀତ ନଗର ପଥରେ ଅବତରଣ କଲେ ଏବଂ ଯଥାସମ୍ଭବ କ୍ଷିପ୍ର ପଦରେ ଦଉଡ଼ିବାକୁ ଲାଗିଲେ । ରାଜଗୃହର ତୋରଣଦ୍ୱାରରେ ପହଞ୍ଚିଲା ବେଳକୁ ସେପର୍ଯ୍ୟନ୍ତ କବାଟ ଫିଟିନଥିଲା । ତେଣୁ ସେଠାରେ ତାଙ୍କୁ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କରିବାକୁ ପଡ଼ିଲା । ସେହି ଘଣ୍ଟାଏ ତାଙ୍କୁ ଠିକ୍‍ ଗୋଟିଏ ଯୁଗପରି ମନେହେଲା ଏବଂ ତାଙ୍କର ଧୈର୍ଯ୍ୟର ସୀମା ରହିଲାନାହିଁ ।

 

ଏହି ଅବସରରେ ସେ ରାସ୍ତା ବିଷୟରେ ପ୍ରକୃତ ଖବର ଜାଣିବାକୁ ଚେଷ୍ଟା କରିଥିଲେ । ସହର ଭିତରକୁ ପରିବା ନେଇ ଯାଉଥିବା ଗୋଟିଏ ବୁଢ଼ୀ ମଧ୍ୟ ତାଙ୍କପରି ସେଠାରେ ଅପେକ୍ଷା କରୁଥିଲା । କାମନୀତଙ୍କୁ କେଉଁ ଗଳିପରେ ପୁଣି କେଉଁ ଗଳି ଧରି ଯିବାକୁ ହେବ, ତାପରେ ଗୋଟିଏ ଛୋଟିଆ ଦେଉଳ ପାଖରେ ଡାହାଣକୁ ଯାଇ ପୁଣି ଗୋଟିଏ କୂଆପାଖରେ ବାଆଁକୁ ଯିବାକୁ ହେବ, ବୁଢୀ ତାଙ୍କୁ ସବୁ କଥା ବତାଇଦେଲା । କିନ୍ତୁ ସବୁବେଳେ ନଗରର ଗମ୍ବୁଜକୁ ଆଖିଆଗରେ ରଖି ତାଙ୍କୁ ଯିବାକୁ ପଡ଼ିବ, ତା’ହେଲେ ଅତି ଅଳ୍ପ ସମୟରେ ଯାଇ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ।

 

ତୋରଣର କବାଟ ଖୋଲିବା ମାତ୍ରକେ କାମନୀତ ବୁଢ଼ୀ ବତାଇ ଦେଇଥିବା ରାସ୍ତାମାନ ଧରି ଅଗ୍ରସର ହେବାକୁ ଲାଗିଲେ । କେଉଁଠି ରାସ୍ତାରେ ଖେଳୁଥିବା ପିଲାଙ୍କ ସହିତ ତାଙ୍କର ଧକ୍କା ଲାଗିଲା, ନାଳୀପାଖରେ ବସି ହାଣ୍ଡି ଧୋଉଥିବା ଗୋଟିଏ ସ୍ତ୍ରୀଲୋକ ସହିତ ଧକ୍କା ଲାଗିଯିବାରୁ ଗୋଟିଏ ହାଣ୍ଡି ତଳକୁ ଗଡ଼ିଯାଇ ଦୁଇଖଣ୍ଡ ହୋଇଗଲା । ଆଉ ଏକ ସ୍ଥାନରେ ପାଣିଭାର ନେଇ ଯାଉଥିବା ଗୋଟିଏ ଲୋକ ସହିତ ମଧ୍ୟ ତାଙ୍କର ଧକ୍କା ଲାଗିଲା । ସମସ୍ତେ ତାଙ୍କ ଉପରେ କ୍ରୁଦ୍ଧ ହୋଇ ତାଙ୍କୁ ଗାଳି ଦେବାକୁ ଲାଗିଲେ କିନ୍ତୁ ଶୀଘ୍ର ବୁଦ୍ଧଙ୍କ ସହିତ ଦେଖାହେବ, ଏହି ଭାବନାରେ ତାଙ୍କର ଚିତ୍ତ ଏତେଦୂର ନିମଗ୍ନ ଥିଲା ଯେ ଏହିସବୁ ଗାଳି ତାଙ୍କ କାନରେ ମଧ୍ୟ ବାଜିପାରିଲା ନାହିଁ ।

 

ଆପଣା ମନକୁମନ ସେ କହିବାରେ ଲାଗିଥାନ୍ତି–ଆଜି ମୋର ପ୍ରକୃତରେ କେଡ଼େ ସୌଭାଗ୍ୟ ! କେତେ କେତେ ପୁରୁଷ ଅନ୍ତେ ଯାଇ ସଂସାରରେ ଜଣେ ବୁଦ୍ଧଙ୍କର ଆବିର୍ଭାବ ହୁଏ ! ଏବଂ ସେହି ପୁରୁଷ ବୁଦ୍ଧଙ୍କର ସମସାମୟିକ ହେବାର ସୌଭାଗ୍ୟ ଲାଭକରେ, ସେହି ପୁରୁଷର କେତେ ଅଳ୍ପସଂଖ୍ୟକ ଲୋକ ବୁଦ୍ଧଙ୍କର ଦଶର୍ନ ଲାଭ କରନ୍ତି । ଆଜି ମୋର ପରମ ସୌଭାଗ୍ୟ ଯେ ମୁଁ ସେହି ବୁଦ୍ଧଙ୍କର ଦର୍ଶନ ଲାଭ କରିବାକୁ ଯାଉଚି । ଦୂର ଶ୍ରାବସ୍ତି ନଗରକୁ ଯିବାକୁ ହୋଇଥିଲେ କାଳେ ଅରଣ୍ୟପଥରେ ବନ୍ୟଜନ୍ତୁ ବା ଦସ୍ୟୁମାନଙ୍କର କବଳରେ ପଡ଼ି ମୁଁ ଏହି ସୌଭାଗ୍ୟକୁ ବଞ୍ଚିତ ହୋଇଥାନ୍ତି, ଏପରି କେତେ ଆଶଙ୍କା ମୁଁ ଆଗରୁ କରିନାହିଁ ? କିନ୍ତୁ ଆଜି ମୋତେ କୌଣସି ଶକ୍ତି ଏହି ସୌଭାଗ୍ୟକୁ ବଞ୍ଚିତ କରି ପାରିବନାହିଁ ।

 

ଏହିସବୁ କଥା ଭାବିଲାବେଳେ ସେ ଗୋଟିଏ ଅତି ଅଣଓସାରିଆ ଗଳିଦେଇ ଯାଉଥାନ୍ତି-। ସେ ଏପରି ଅନ୍ଧପ୍ରାୟ ହୋଇ ବାଟ ଚାଲୁଥିଲେ ଯେ ଆଗପଟୁ ହୁରୁଡ଼ିକରି ଗୋଟିଏ ଗାଈ ତାଙ୍କୁ ହାବୁଡ଼ି ଯିବାକୁ ଆସୁଥିବାର ମଧ୍ୟ ସେ ଦେଖି ପାରିଲେନାହିଁ । ଗାଈଟିର ଭୟରେ କାମନୀତଙ୍କର ଆଗରେ ଯାଉଥିବା ଦୁଇଜଣ ମଣିଷ ତରତର ହୋଇ ରାସ୍ତାକଡ଼ର ଗୋଟିଏ ଘରଭିତରେ ଯାଇ ଲୁଚିଗଲେ, ପିଣ୍ଡାରେ ଠିଆହୋଇଥିବା ଜଣେ ସ୍ତ୍ରୀଲୋକ ମଧ୍ୟ ପାଟିକରି କାମନୀତଙ୍କୁ ସତର୍କ କରିଦେବାକୁ ଚେଷ୍ଟା କଲା । କିନ୍ତୁ କାମନୀତଙ୍କର କାନରେ କାହାରି କଥା ବାଜିଲା ନାହିଁ । ବାଟବଣା ହୋଇଯିବା ଭୟରେ ସେ କେବଳ ଗମ୍ବୁଜଚୂଡ଼ା ଉପରେ ଦୃଷ୍ଟି ନିବଦ୍ଧ କରି ବାଟ ଚାଲୁଥିଲେ ।

 

ଗାଈଟି ଆସି ସମ୍ମୁଖରେ ହାବୁଡ଼ି ଗଲାଣି, ଆଉ କୁଆଡ଼କୁ ଆଡ଼େଇ ହୋଇ ଯିବାକୁ ବେଳ ନାହିଁ । ଆଖିଆଗରେ ସେ ଗାଈ ନାକ, ନାଲି ଟହଟହ ଆଖି ଏବଂ ମୁନିଆଁ ଶିଙ୍ଗଦୁଇଟି ଦେଖିବାକୁ ପାଇଲେ; ସଙ୍ଗେସଙ୍ଗେ ଗାଈଟି ତାର ଶିଙ୍ଗକୁ କାମନୀତଙ୍କ ଦେହରେ ଭୁସିଦେଲା ।

 

ବଡ଼ପାଟିରେ ଚିତ୍କାର କରି ସେ ପାଚେରି ପାଖରେ ତଳେ ପଡ଼ିଗଲେ । ଗାଈଟି ପୁଣି ଆଗକୁ ଦଉଡ଼ି ପଳାଇ ଗୋଟିଏ ଗଳିରାସ୍ତାରେ ଅଦୃଶ୍ୟ ହୋଇଗଲା ।

 

ତାଙ୍କୁ ଏହି ଅବସ୍ଥାରେ ପଡ଼ିଥିବାର ଦେଖି ଚାରିଆଡ଼ୁ ଅନେକ ଲୋକ ଦଉଡ଼ି ଆସିଲେ । କିଏ କେବଳ କୌତୂହଳୀ ହୋଇ ଆସିଲା, ଆଉ କିଏ ତାଙ୍କୁ ସାହାଯ୍ୟ କରିବାକୁ ଆସିଲା । ତାଙ୍କୁ ଆଗରୁ ସତର୍କ କରି ଦେଇଥିବା ସ୍ତ୍ରୀଲୋକଟି ତାଙ୍କର କ୍ଷତସ୍ଥାନଟିକୁ ଧୋଇଦେବାକୁ ପାଣି ନେଇଆସିଲା ଅନ୍ୟମାନେ ତାଙ୍କର ଅଙ୍ଗବସ୍ତ୍ରଟିକୁ ଦୁଇଖଣ୍ଡ କରି ତାଙ୍କ ଦେହରେ ବାନ୍ଧିହେଲେ ଓ ରକ୍ତସ୍ରାବ ବନ୍ଦ କରିବାକୁ ଚେଷ୍ଟା କଲେ । ତାଙ୍କର ଦେହରୁ ସେତେବେଳକୁ ସ୍ରୋତ ପରି ରକ୍ତ ବାହାରି ଆସୁଥାଏ ।

 

ଏ ପର୍ଯ୍ୟନ୍ତ କାମନୀତଙ୍କର ଚେତା ବୁଡ଼ିଯାଇ ନଥିଲା । ଏଥର ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି ଜାଣିବାକୁ ଆଉ କୌଣସି ସଂଶୟ ରହିଲା ନାହିଁ । କିନ୍ତୁ ମୃତ୍ୟୁର କଳ୍ପନା ବା ଶରୀରର ଯନ୍ତ୍ରଣାରେ ସେ ଆଦୌ ବିଚଳିତ ହେଉନଥିଲେ । ହୁଏତ ବର୍ତ୍ତମାନ ବୁଦ୍ଧଙ୍କର ଦର୍ଶନ ଲାଭ କରିବା ଆଉ ସମ୍ଭବ ହେବ ନାହିଁ, ଏହି ଆଶଙ୍କା ତାଙ୍କୁ ବଡ଼ ବିଚଳିତ କରି ପକାଇଲା । ଥରଥର କଣ୍ଠରେ ସେ ସେଠାରେ ତାଙ୍କୁ ଘେରି ଠିଆ ହୋଇଥିବା ଲୋକମାନଙ୍କୁ ତାଙ୍କୁ ବୁଦ୍ଧଙ୍କର ଆମ୍ରବନକୁ ନେଇଯିବାଲାଗି ପ୍ରାର୍ଥନା କଲେ ।

 

ଭାଇମାନେ ! ଆଜିଯାଏ ଯେଉଁ ଲକ୍ଷ୍ୟର ସନ୍ଧାନରେ ମୁଁ ଭ୍ରମଣ କରୁଥିଲି, ଆଜି ସେହି ଲକ୍ଷ୍ୟ ମୋର ଅତି ନିକଟରେ । ମୋ’ଠାରେ ଏତିକି କରୁଣା କର, ମୋତେ ସେଠାକୁ ବହିକରି ନେଇଯିବାକୁ ତୁମେମାନେ ଆଉ କୁଣ୍ଠିତ ହୁଅନାହିଁ । ମୋର ଯନ୍ତ୍ରଣା ସକାଶେ ଏତେ ଟିକିଏ ଚିନ୍ତା କରିବା ଦରକାର ନାହିଁ । ସେହି ଯନ୍ତ୍ରଣା ମୋର କିଛି କରି ପାରିବନାହିଁ । ତୁମେମାନେ ମୋତେ ଏଠାରୁ ନେଇ ତଥାଗତଙ୍କର ପଦପ୍ରାନ୍ତରେ ନ ପହୁଞ୍ଚାଇବା ପର୍ଯ୍ୟନ୍ତ ମୁଁ କଦାପି ମରିବି ନାହିଁ । ସେହିଠାରେ ପହଞ୍ଚି ମୁଁ ଅତି ଶାନ୍ତିରେ ମରିବି ଓ ଶାନ୍ତିରେ ସଂସାରରୁ ବିଦାୟ ନେବି ।

 

କେତେକ ଲୋକ ଦଉଡ଼ିଯାଇ ବାଉଁଶ ଓ ଗୋଟିଏ ଚଟାଇ ଆଣିବାକୁ ଗଲେ । ଜଣେ ସ୍ତ୍ରୀଲୋକ କାମନୀତଙ୍କ ପାଇଁ କଣ ଗୋଟିଏ ଉତ୍ତେଜକ ପାନୀୟ ପ୍ରସ୍ତୁତ କରି ଆଣିଲା, କାମନୀତ ସେଥିରୁ ଦୁଇଚାମଚ ପିଇଲେ । ଆମ୍ରବନରେ ଯେଉଁଠି ବୁଦ୍ଧଦେବ ଅବସ୍ଥାନ କରୁଚନ୍ତି, ସେଠାରେ ପହଞ୍ଚିବାକୁ ହେଲେ ସବୁଠାରୁ ଅଳପବାଟ କେଉଁଟା, କିଛିବାଟ ଯିବାପରେ ଏ ବିଷୟରେ ଲୋକମାନଙ୍କ ଭିତରେ ଟିକିଏ ମତଭେଦ ହୋଇଥିଲା । ସମସ୍ତେ ଭଲକରି ଜାଣିସାରିଥିଲେ ଯେ ଯାତ୍ରୀର ଶେଷସମୟ ଆସି ଉପସ୍ଥିତ ହୋଇଚି ଓ ଏଣୁ ତାକୁ ଯଥାସମ୍ଭବ ଶୀଘ୍ର ସେଠାରେ ନେଇ ପହଞ୍ଚାଇବାକୁ ପଡ଼ିବ ।

 

ଏହି ସମୟରେ ଜଣେ ଲୋକ ରାସ୍ତାଆଡ଼କୁ ଇଙ୍ଗିତ କରି କହିଲା–ହେଇ ବୁଦ୍ଧଙ୍କର ଜଣେ ଶିଷ୍ୟ ଏଇଆଡ଼କୁ ଆସୁଚନ୍ତି । ଆମକୁ ସେ ସମୟ ଖବର ଦେଇପାରିବେ ।

 

କିୟତ୍‍କ୍ଷଣ ପରେ ବୁଦ୍ଧଙ୍କର ଏକ ଶିଷ୍ୟମଣ୍ଡଳି ସେଠାରେ ପହଞ୍ଚିଲେ । ସେମାନଙ୍କର ଦେହଉପରେ ପୀତବର୍ଣ୍ଣର ଉତ୍ତରୀୟ, ସମସ୍ତଙ୍କର ଦକ୍ଷିଣହସ୍ତ ଅନାଚ୍ଛାଦିତ ରହିଚି, ସମସ୍ତଙ୍କ ହାତରେ ଭିକ୍ଷାପାତ୍ର, ସେମାନଙ୍କ ଭିତରୁ ଅଧିକାଂଶ ଭିକ୍ଷୁ ଯୌବନାବସ୍ଥା ଅତିକ୍ରମ କରିନାହାନ୍ତି, କିନ୍ତୁ ସେମାନଙ୍କ ମଝିରେ ଦୁଇଜଣ ବେଶ୍‍ ବୟସ୍କ ପରି ଦେଖାଯାଉଚନ୍ତି । ତାଙ୍କଭିତରୁ ଜଣକର ଗମ୍ଭୀର କଠିନ ମୁଖ, ତୀକ୍ଷ୍‍ଣ ନୟନଯୁଗଳ ଓ ଉନ୍ନତ ଗଣ୍ଡଦେଶ ସ୍ୱତଃ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଚି । ଆର ଜଣକର ବୟସ ମଧ୍ୟମ ଅବସ୍ଥାର, ତାଙ୍କର ମୁଖମଣ୍ଡଳରୁ ଉଚ୍ଛୁଳି ପଡ଼ୁଥିବା କୋମଳ କାନ୍ତି ଦେଖି ତାଙ୍କୁ ଜଣେ ତରୁଣ ଯୁବକ ବୋଲି ମନେହେଉଚି । ତାଙ୍କର ବୀରପରି ଚାଲି ଏବଂ ଦପଦପ କରୁଥିବା ଚାହାଣି ଦେଖି ଯେକୌଣସି ଜାଣିବା ଶୁଣିବା ଲୋକ ଅବଶ୍ୟ କହିବ ଯେ ସେ ନିଶ୍ଚୟ କ୍ଷତ୍ରିୟ କୁଳରେ ଜାତ ହୋଇଚନ୍ତି ଏବଂ ପ୍ରଥମ ଜଣକର ଶାନ୍ତ ପ୍ରସନ୍ନ ଭାବ ଦେଖି ତାଙ୍କୁ ବ୍ରାହ୍ମଣ ବୋଲି ଅବଶ୍ୟ ଅନୁମାନ ହେବ । ଦୁହିଁଙ୍କର ଶରୀର ବେଶ୍ ଉନ୍ନତ, ଦୁହିଁଙ୍କର ଚେହେରା ଠିକ୍ ରାଜାର ଚେହେରା ପରି ।

 

ଭିକ୍ଷୁର ଦଳ ଆସି ଆହତ କାମନୀତଙ୍କୁ ଘେରି ଠିଆ ହୋଇଥିବା ଜନସମୂହ ପାଖରେ ପହଞ୍ଚିବା ମାତ୍ରକେ କେତେକ ମୁଖର ବ୍ୟକ୍ତି ସେମାନଙ୍କ ଆଗରେ ସମସ୍ତ ଘଟଣାଟି ବର୍ଣ୍ଣନା କରି କହିଦେଲେ । ଦୁର୍ଘଟଣାଟି କିପରି ଘଟିଲା, ଆହତ ବ୍ୟକ୍ତିଙ୍କର ଅବସ୍ଥା ବର୍ତ୍ତମାନ କିପରି ଅଛି, ବାଉଁଶ ବାନ୍ଧି ସେମାନେ କିପରି ଏହି ଆହତ ଯାତ୍ରୀଙ୍କୁ ଆମ୍ରବନରେ ଅବସ୍ଥାନ କରୁଥିବା ବୁଦ୍ଧ ଭଗବାନଙ୍କ ପାଖକୁ ବହନ କରି ନେଇଯାଉଚନ୍ତି, ବୁଦ୍ଧଙ୍କ ପାଖକୁ ନେଇଯିବାଲାଗି ଦୁର୍ଭାଗ୍ୟ ଯାତ୍ରୀ କିପରି ବିକଳ ହୋଇ ସେମାନଙ୍କୁ ଅନୁନୟ କରି କହିଥିଲେ, ଭିକ୍ଷୁକମାନେ ଗୋଟିଗୋଟି କରି ସମସ୍ତ କଥା ଶୁଣିବାକୁ ପାଇଲେ । ଜଣେ ଯୁବକ ଭିକ୍ଷୁ ଯଦି ସେମାନଙ୍କୁ ସିଧା ରାସ୍ତା ଦେଖାଇନେଇ ତଥାଗତ ବର୍ତ୍ତମାନ ଅବସ୍ଥାନ କରୁଥିବା ସ୍ଥାନକୁ ଅନୁଗ୍ରହ କରି ନେଇଯାଇପରନ୍ତି, ତେବେ ଭାରି ଉପକାର ହୁଅନ୍ତା ବୋଲି ସେମାନେ ଭିକ୍ଷୁମାନଙ୍କୁ କହିଥିଲେ ।

 

କଠିନ ଓ ଗମ୍ଭୀର ମୁଖମଣ୍ଡଳବିଶିଷ୍ଟ ସେହି ବୁଦ୍ଧ ଭିକ୍ଷୁ ଉତ୍ତର ଦେଲେ–କିନ୍ତୁ ତଥାଗତ ବର୍ତ୍ତମାନ ଆମ୍ରବନରେ ଆସି ପହଞ୍ଚିନାହାନ୍ତି । ଏବଂ ସେ ବର୍ତ୍ତମାନ ଠିକ୍ କେଉଁଠାରେ ଅବସ୍ଥାନ କରୁଚନ୍ତି, ସେକଥା ଆମ କାହାରିକୁ ଜଣାନାହିଁ ।

 

ଏହି ଉତ୍ତର ଶୁଣି କାମନୀତଙ୍କର ଆହତ ବକ୍ଷସ୍ଥଳ ଭିତରୁ ଏକ ବିକଳ ଚିତ୍କାର ବାହାରି ଆସିଲା, ସତେ ଯେପରି ସେ ପୁଣି କେଉଁ ସଂଶୟ ଭିତରେ ପଡ଼ିଗଲେ ।

 

ଏତିକିବେଳେ କେମଳ ମୁଖକାନ୍ତିବିଶିଷ୍ଟ ଦ୍ୱିତୀୟ ଭିକ୍ଷୁଜଣକ କହିବାକୁ ଲାଗିଲେ–କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ତଥାଗତ ନିକଟବର୍ତ୍ତୀ କୌଣସି ଏକ ସ୍ଥାନରେ ଅଛନ୍ତି । ଗତକାଲି ତଥାଗତ ଭିକ୍ଷୁମାନଙ୍କୁ ଆଗରେ ପଠାଇଦେଇ ପଛରେ ଏକାକୀ ଆସୁଥିଲେ । ସମ୍ଭବତଃ ପଥରେ ସନ୍ଧ୍ୟା ହୋଇଯିବାରୁ ସେ ବାଟରେ କେଉଁଠି ରାତ୍ରିଯାପନ କରିବାକୁ ରହିଯାଇଚନ୍ତି । ସେ ନଗରର ଉପକଣ୍ଠରେ ଥିବେ ବୋଲି ଅନୁମାନ କରି ଆମେ ତାଙ୍କୁ ଖୋଜିବାକୁ ଯାଉଚୁ ।

 

ହଁ ହଁ, ଯାଅ ତାଙ୍କୁ ଖୋଜି ଆଣିବ ।

 

ବୃଦ୍ଧ ପୁଣି କହିଲେ ତଥାଗତ କେଉଁଠାରେ ଅବସ୍ଥାନ କରୁଚନ୍ତି, ସେକଥା ଜାଣିବାକୁ ପାଇଲେ ମଧ୍ୟ ଏହି ଆହତ ବ୍ୟକ୍ତିଙ୍କୁ ତାଙ୍କ ପାଖକୁ ବହିକରି ନେବା ଆଦୌ ଉଚିତ ହେବନାହିଁ । କାରଣ ବାଟରେ ଧକଡ଼ଚକଡ଼ ହୋଇ ତାଙ୍କର ଅବସ୍ଥା ଆହୁରି ଖରାପ ହୋଇଯିବ ଏବଂ ଏହି ଯାତ୍ରାକୁ ସହ୍ୟ କରିନେଲେ ମଧ୍ୟ ସେ ସେଠାରେ ଯାଇ ପ୍ରାୟ ମୁମୂର୍ଷୁ ଅବସ୍ଥାରେ ପହଞ୍ଚିବେ ଏବଂ ତଥାଗତଙ୍କର ମୁଖର ଉପଦେଶକୁ ଗ୍ରହଣ କରିବାକୁ ତାଙ୍କର ଆଉ କୌଣସି ଶକ୍ତି ନଥିବ । କିନ୍ତୁ ତାହା ନକରି ଯଦି ତାହାଙ୍କୁ ଜଣେ ପ୍ରବୀଣ ଚିକିତ୍ସକଙ୍କର ଚିକିତ୍ସାରେ ରଖାଯାଆନ୍ତା ଏବଂ ଯତ୍ନସହକାରେ ତାଙ୍କର ଚିକିତ୍ସା କରାଯାଆନ୍ତା, ତେବେ ହୁଏତ ସେ ପୁଣି ସୁସ୍ଥ ହୋଇ ବୁଦ୍ଧଙ୍କର ପ୍ରବଚନ ଶୁଣିପାରନ୍ତେ ବୋଲି ଆଶା କରାଯାଇପାରନ୍ତା ।

 

କିନ୍ତୁ ବାହକମାନଙ୍କୁ ଇଙ୍ଗିତ କରି କାମନୀତ ଅତ୍ୟନ୍ତ ଅଧୀର ଭାବରେ କହିଲେ : –

 

ନା, ଆଉ ସମୟ ନାହିଁ ଆଉ ବଞ୍ଚିବି ନାହିଁ–ମୋତେ ତାଙ୍କରି ପାଖକୁ ନେଇଚାଲ–କେବଳ ତାଙ୍କରି ଦର୍ଶନ–କେବଳ ତାଙ୍କରି ଚରଣସ୍ପର୍ଶ କରିବି ଶାନ୍ତିରେ ମରିବି !

 

ଗାତ୍ରକୁଞ୍ଚନ କରି ବୃଦ୍ଧ ଭିକ୍ଷୁ କନିଷ୍ଠ ଭିକ୍ଷୁଙ୍କୁ କହିଲେ :

 

ଏହି ହତଭାଗ୍ୟ ବ୍ୟକ୍ତିଟି ଜିନ ତଥାଗତଙ୍କୁ ଠିକ୍‍ ଦେବତାତୁଲ୍ୟ କଳ୍ପନା କରୁଚନ୍ତି, ତାଙ୍କର ଚରଣ ସ୍ପର୍ଶ କଲେ ସବୁ ପାପ କ୍ଷାଳିତ ହୋଇଯିବ ବୋଲି ବିଶ୍ୱାସ କରୁଚନ୍ତି ।

 

ସାରିପୁତ୍ତ, ସେ ବୁଝନ୍ତୁ ବା ନବୁଝନ୍ତୁ, ତଥାଗତଙ୍କ ପ୍ରତି ତାଙ୍କର ଅଟଳ ବିଶ୍ୱାସ ରହିଚି–ଏତିକି କହି ଦ୍ୱିତୀୟ ଭିକ୍ଷୁ ତଳକୁ ନଇଁପଡ଼ି ଆହତ ଯାତ୍ରୀଙ୍କର ଶରୀରରେ ପ୍ରକୃତରେ ଆଉ କେତେଦୂର ଶକ୍ତି ରହିଚି, ତାହା ପରୀକ୍ଷା କରି ଦେଖିବାକୁ ଆରମ୍ଭ କଲେ । ତା’ପରେ କହିଲେ–ହୁଏତ ଚେଷ୍ଟା କରି ଦେଖିଲେ ମନ୍ଦ ହୁଅନ୍ତା ନାହିଁ । ଏହି ବ୍ୟକ୍ତିଙ୍କୁ ଦେଖି ମୋର ମନରେ ଭାରି ଦୁଃଖ ଜାତ ହେଉଚି । ତାଙ୍କୁ ଥରେ ତଥାଗତଙ୍କ ପାଖକୁ ବହି ନେଇଯିବାର ଚେଷ୍ଟା କଲେ ହିଁ ଆମେ ତାଙ୍କର ସବୁଠାରୁ ଅଧିକ ଉପକାର କରିପାରିବା ।

 

ଯାତ୍ରୀ କାମନୀତ ସଜଳ ଦୃଷ୍ଟିପାତରେ ତାହାଙ୍କପ୍ରତି ଆପଣାର କୃତଜ୍ଞତା ଜ୍ଞାପନ କଲେ-

 

ଠିକ୍ ଏହିସମୟରେ ନଗରର ଉପକଣ୍ଠ ଅଭିମୁଖରୁ ଜଣେ କୁମ୍ଭାର ଆସି ସେଠାରେ ପହଞ୍ଚିଲା । ତାହାର ମୁଣ୍ଡ ଉପରେ ଗୋଟିଏ ବେତାରେ ନାନାପ୍ରକାର ମାଟିର ପାତ୍ର ଲଦାହୋଇ ରହିଥିଲା । ଠିକ୍‍ ସେହିସମୟରେ ବାହକମାନେ କାମନୀତଙ୍କୁ ପୁଣି ଉପରକୁ ଉଠାଇଲେ । ଅତି ସାବଧାନତା ସହକାରେ ତାଙ୍କୁ ଉଠାଯାଇଥିଲେ ମଧ୍ୟ କାମନୀତ ହଠାତ୍ ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ । ଏହି ଚିତ୍କାର ଶୁଣି କୁମ୍ଭାରର ପାଦ ହଠାତ୍ ଅଟକିଗଲା । ସେ ଏତେ ଜୋରରେ ଅଟକି ଠିଆ ହୋଇଗଲା ଯେ ଏହାଫଳରେ ତାହାର ମୁଣ୍ଡର ବୋଝ ହଲିଗଲା, ବୋଝଟି ମୁଣ୍ଡଉପରୁ ତଳେ ପଡ଼ିଗଲା ଓ ପାତ୍ରଗୁଡ଼ିକ ଖଣ୍ଡଖଣ୍ଡ ହୋଇ ଭାଙ୍ଗି ଚୂନା ହୋଇଗଲା ।

 

ହାୟରେ ବିଧାତା, ଏଠି ପୁଣି ଇଏ କଣ ଘଟିଚି ? ଏହି ଯାତ୍ରା ତ କାଲି ରାତିରେ ମୋର ଗୃହରେ ରାତ୍ରିଯାପନ କରିଥିଲେ । ଚତୁର୍ଦ୍ଦିଗରେ ଜମା ହୋଇଥିବା ଲୋକମାନଙ୍କ ଆଡ଼କୁ ଅନାଇ ସେ ପୁଣି କହିଲା–ହଁ, କାଲି ଇଏ ମୋ’ ଘରେ ରାତ୍ରିଯାପନ କରିଥିଲେ । ତାଙ୍କ ସହିତ ଆଉଜଣେ ସନ୍ନ୍ୟାସୀ ଥିଲେ, ସେ ମଧ୍ୟ ୟାଙ୍କରିପରି ଏକାରଙ୍ଗର ପୋଷାକ ପିନ୍ଧିଥିଲେ ।

 

ସାରିପୁର ପଚାରିଲେ–ସେହି ଦ୍ୱିତୀୟ ସନ୍ନ୍ୟାସୀ ଏହାଙ୍କଠାରୁ ଅଧିକ ବୟସର ଓ ଦେଖିବାକୁ ଅନେକ ଉଚ୍ଚ, ନୁହେଁ ?

 

ହଁ, ମହାଭାଗ । ମୋର ଅନୁମାନ ହେଉଚି ଠିକ୍ ଆପଣଙ୍କର ଉଚ୍ଚ ହେବେ ।

 

ତଥାଗତଙ୍କୁ ଯେ ଆଉ ଖୋଜିବାର କୌଣସି ଆବଶ୍ୟକତା ନାହିଁ, ଭିକ୍ଷୁମାନେ ସ୍ପଷ୍ଟ ଭାବରେ ସେହିକଥା ଜାଣି ପାରିଲେ । ତେବେ ତଥାଗତ ଏହି କୁମ୍ଭାରର ଘରେ ଅବସ୍ଥାନ କରୁଚନ୍ତି-!

 

କ୍ଷତଜନିତ ଦାରୁଣ ଯନ୍ତ୍ରଣାରେ କାମନୀତ ପ୍ରାୟ ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଥାନ୍ତି-। କୁମ୍ଭାର ସେଠାରେ ଆସି ପହଞ୍ଚିବା ସେ ଆଦୌ ଜାଣି ପରିନାହାନ୍ତି । ଏତିକିବେଳେ ଆନନ୍ଦ କହିଲେ–କିନ୍ତୁ ଏକଥା କଣ ପ୍ରକୃତରେ ସମ୍ଭବ ? ପ୍ରକୃତରେ କଣ କାଲି ଏହି ବ୍ୟକ୍ତି ତଥାଗତଙ୍କ ସହିତ ଏକତ୍ର ରାତ୍ରିଯାପନ କରିଚନ୍ତି ଏବଂ ସେହି ସୌଭାଗ୍ୟ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞାତ ଥିବାରୁ ବର୍ତ୍ତମାନ ବିକଳ ହୋଇ ତଥାଗତଙ୍କର ଦର୍ଶନ ଲାଭ କରିବାକୁ ରହୁଚନ୍ତି ଏକଥା କଣ ପ୍ରକୃତରେ ସମ୍ଭବ ?

 

ସାରିପୁତ୍ତ କହିଲେ–ଏହାହିଁ ହେଉଚି ନିର୍ବୋଧ ମଣିଷର ରୀତି । କିନ୍ତୁ ବର୍ତ୍ତମାନ ଯିବାକୁ ହେବ ।

 

ଆନନ୍ଦ ଆପତ୍ତି କରି ଉତ୍ତର ଦେଲେ–ନା, ଟିକିଏ ରହିଯାଅ । ଅସହ୍ୟ ଯନ୍ତ୍ରଣାରେ ଯାତ୍ରାଟି ବର୍ତ୍ତମାନ ଅତ୍ୟନ୍ତ ବିବଶ ହୋଇ ପଡ଼ିଚି ।

 

କାମନୀତଙ୍କର ଶୂନ୍ୟ ଦୃଷ୍ଟିରୁ ମନେ ହେଉଥିଲା ଯେ ତାଙ୍କର ଚାରିପାଖରେ କଣସବୁ ଘଟଣା ଘଟୁଚି, ସେସବୁ ଜାଣିବାଲାଗି ଆଉ ତାଙ୍କର କୌଣସି ଶକ୍ତି ନଥିଲା । ତାଙ୍କର ଆଖିଆଗରେ କ୍ରମେ ସବୁ କଳା ହୋଇ ଆସୁଥିଲା । କିନ୍ତୁ ତଥାପି ସେହି ପ୍ରଭାତ-ଆକାଶର ପ୍ରଶସ୍ତ ସମତଳଟି ବିଷୟରେ ତାଙ୍କର ଅବଶ୍ୟ ଜ୍ଞାନ ଥିଲା ଏବଂ ସେ ଭ୍ରମରେ ତାହାକୁ ରାତ୍ରିଆକାଶର ଛାୟାପଥ ବୋଲି ଭାବୁଥିଲେ ।

 

ତାଙ୍କର ଅଧର ଟିକିଏ କୁଞ୍ଚିତ ହୋଇ ଆସିଲା, ସତେ ଯେପରି ସେ କଣ କହିବାକୁ ଯାଉଚନ୍ତି !

 

ଗଙ୍ଗା ! –ଅତି ଅସ୍ପଷ୍ଟ ଭାବରେ ତାଙ୍କର ମୁଖରୁ ବାହାରିଗଲା ।

ତାଙ୍କର ଇନ୍ଦ୍ରିୟର ବୋଧଶକ୍ତି ବାଉଳା ହେବାକୁ ଆରମ୍ଭ କଲାଣି–ଆନନ୍ଦ କହିଲେ ।

 

କିନ୍ତୁ ଯେଉଁ ଲୋକମାନେ କାମନୀତଙ୍କର ଅତି ପାଖରେ ଠିଆ ହୋଇଥିଲେ, ସେମାନେ ଏହି ଶବ୍ଦଟିର ଅନ୍ୟପ୍ରକାର ଅର୍ଥ କଲେ ।

 

ରୋଗୀ ବର୍ତ୍ତମାନ ଗଙ୍ଗାକୂଳକୁ ଯିବାକୁ ଚାହୁଚି । ପବିତ୍ର ନଦୀକୂଳରେ ପ୍ରାଣ ଗଲେ ସେ ସକଳ ପାପରୁ ମୁକ୍ତ ହୋଇଯିବ ବୋଲି ବିଚାରୁଚି । କିନ୍ତୁ ଗଙ୍ଗାମାତା ତ ଏଠାରୁ ଅନେକ କ୍ରୋଶ ଦୂରରେ । ତାଙ୍କୁ ଏତେବାଟ କିଏ ବୋହିକରି ସେଠାକୁ ନେବ ?

 

ଗୋଟିଏ ଅନ୍ଧବିଶ୍ୱାସ ଛାଡ଼ି ଆଉ ଗୋଟିଏ ଅନ୍ଧବିଶ୍ୱାସକୁ ଆଶ୍ରୟ କରି ବସୁଥିବା ଏକ ନିର୍ବୋଧ ବ୍ୟକ୍ତି ପ୍ରତି ସହାନୁଭୂତି ପ୍ରକାଶ କରି ବିଜ୍ଞ ସାରିପୁତ୍ତ କହିଲେ–ପ୍ରଥମେ ବୁଦ୍ଧ, ତା’ପରେ ଗଙ୍ଗା !

 

କିନ୍ତୁ କାମନୀତଙ୍କର ନୟନଯୁଗଳ ହଠାତ୍ ଉଜ୍ଜ୍ୱଳ ହୋଇଉଠିଲା, ତାଙ୍କର ମୁଖଉପରେ ଏକ ସ୍ମିତହାସ୍ୟ ସ୍ପଷ୍ଟ ହୋଇ ଉଠିଲା । ସେ ଉଠିବାକୁ ଚାହୁଚନ୍ତି । ଆନନ୍ଦ ତାଙ୍କୁ ସାହାଯ୍ୟ କରିବାକୁ ଗଲେ ।

 

ଅତ୍ୟନ୍ତ କ୍ଷୀଣ ଅଥଚ ଆନନ୍ଦପ୍ରସନ୍ନ କଣ୍ଠସ୍ୱରରେ କାମନୀତ ଡାହାଣ ହାତରେ ଆକାଶଆଡ଼କୁ ଇଙ୍ଗିତ କରି ଫୁସ୍‍ଫୁସ୍‍ କରି କହିଲେ–ଆକାଶଗଙ୍ଗା–ସେହି ଆକାଶଗଙ୍ଗାକୁ ସାକ୍ଷୀ ରଖି ଆମେ ଶପଥ କରିଥିଲୁ–ବଶିଷ୍ଠୀ….. !

 

ତାଙ୍କର ସମସ୍ତ ଗାତ୍ର ହଠାତ୍‍ ଥରଥର କମ୍ପିବାକୁ ଲାଗିଲା, ତାଙ୍କର ମୁଖ ଦେଇ ରକ୍ତ ବାହାରି ଆସିଲା ଏବଂ ସେ ଆନନ୍ଦଙ୍କର ବାହୁ ଉପରେ ଢଳିପଡ଼ିଲେ ।

 

ଏହି ଘଟଣାର ଅତି ଅଳ୍ପ ସମୟ ପରେ ଭିକ୍ଷୁମାନଙ୍କ ଗହଣରେ ଆନନ୍ଦ ଓ ସାରିପୁତ୍ତ ଯାଇ କୁମ୍ଭାରର ବାସଗୃହରେ ପ୍ରବେଶ କଲେ, ଭକ୍ତିଭରେ ତଥାଗତଙ୍କର ଚରଣବଦନା କଲେ ଏବଂ ତାଙ୍କର ପାଖରେ ଯାଇ ଉପବେଶନ କଲେ ।

ପ୍ରତ୍ୟଭିନନ୍ଦନ ଜଣାଇ ତଥାଗତ ପ୍ରସନ୍ନ ହୋଇ ପଚାରିଲେ–ଚିରଞ୍ଜୀବ ସାରିପୁତ୍ତ, ତୁମର ନେତୃତ୍ୱରେ ଆସୁଥିବା ବ୍ରହ୍ମଚାରୀ ଭିକ୍ଷୁଦଳ ଯାତ୍ରାପଥର ସମସ୍ତ କଠିନତା ପାର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଚନ୍ତି କି ? ବାଟରେ କୌଣସି ଦୁର୍ଘଟଣା ଘଟିନାହିଁ ତ ? ଖାଦ୍ୟ ଓ ଔଷଧର କୌଣସି ଅଭାବ ହୋଇନାହିଁ ତ ? ଶିଷ୍ୟମାନେ କଣ ଉଚିତ ଉତ୍ସାହର ସହିତ ମୋକ୍ଷପଥରେ ଅଗ୍ରସର ହେଉଚନ୍ତି ?

ମହାଭାଗ, ଏହିକଥା ଜଣାଇ ମୁଁ ଆପଣାକୁ ଅତି ଭାଗ୍ୟବାନ୍‍ ମନେ କରୁଚି ଯେ ଯାତ୍ରାପଥରେ ଭିକ୍ଷୁଦଳର କୌଣସି ଅସୁବିଧା ହୋଇନାହିଁ ଏବଂ ବ୍ରହ୍ମଚାରୀ ଭିକ୍ଷୁମାନେ ବର୍ତ୍ତମାନ ଗଭୀର ଶ୍ରଦ୍ଧା ଓ ବିଶ୍ୱାସ ସହିତ ତଥାଗତଙ୍କର ସଙ୍ଗଲାଭ କରିବେ ବୋଲି ପ୍ରତୀକ୍ଷା କରୁଚନ୍ତି । ଏମାନେ ଆପଣଙ୍କର ଉପଦେଶମାନ ଶୁଣିଚନ୍ତି, ଆପଣଙ୍କର ମାର୍ଗ ଅନୁସରଣ କରୁଚନ୍ତି, ସେମାନଙ୍କୁ ତଥାଗଥଙ୍କର ସମ୍ମୁଖରେ ଉପସ୍ଥାପିତ କରିବାଲାଗି ମୁଁ ମୋ’ ସହିତ ଏଠାକୁ ନେଇଆସିଚି ।

ଆନନ୍ଦ ଏହି କଥା କହିସାରିବା ମାତ୍ରକେ ତିନିଜଣ ବ୍ରହ୍ମଚାରୀ ଭିକ୍ଷୁ ଆସନରୁ ଉଠି ହାତ ଯୋଡ଼ି ତଥାଗତଙ୍କୁ ପ୍ରଣାମ କଲେ : –

ତଥାଗତଙ୍କୁ ପ୍ରଣାମ–ପ୍ରବୁଦ୍ଧ ବୁଦ୍ଧଙ୍କୁ ପ୍ରଣାମ ।

ମୁଁ ଆପଣମାନଙ୍କର ସ୍ୱାଗତ କରୁଚି–କହି ତଥାଗତ ହାତରେ ଇସାରା ଦେଇ ସେମାନଙ୍କୁ ପୁଣି ଆସନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ ।

ଆନନ୍ଦ ପଚାରିଲେ–କାଲି ପ୍ରବ୍ରଜ୍ୟା ସମାପ୍ତ କରି କଣ ତଥାଗତ ଏହିଠାରେ ପହଞ୍ଚିଥିଲେ । ତଥାଗତ ଅତ୍ୟଧିକ କ୍ଳାନ୍ତ ବା ଅବଶ ହୋଇପଡ଼ିନଥିଲେ ତ ? ବାଟରେ ଅନ୍ୟକୌଣସି ଦୁର୍ଘଟଣା ଘଟି ନଥିଲା ତ ? ଏହି ଗୃହକକ୍ଷରେ ତଥାଗତଙ୍କର ରାତ୍ରିଟି ଶାନ୍ତିରେ ଉଦ୍‍ଯାପିତ ହୋଇଥିଲା ତ ?

ହଁ, ଭିକ୍ଷୁ । ପ୍ରାୟ ସନ୍ଧ୍ୟାଗତ ହେବା ସମୟକୁ ମୁଁ ଆସି ଏଠାରେ ପହଞ୍ଚିଥିଲି । ଅବଶ୍ୟ ବାଟ ଚାଲି ଭାରି କ୍ଳାନ୍ତ ହୋଇପଡ଼ିଥିଲି, କିନ୍ତୁ ବାଟରେ କୌଣସି ପ୍ରକାର ଅନିଷ୍ଟ ଘଟିନଥିଲା । ଜଣେ ଅପରିଚିତ ଯାତ୍ରୀସହିତ କାଲି ରାତ୍ରିଟି ମଧ୍ୟ ଏଠାରେ ଭାରି ଶାନ୍ତିରେ କଟିଲା ।

ସାରିପୁତ୍ତ କହିଲେ–ଏହି ଯାତ୍ରୀଜଣକ ରାଜଗୃହରେ ନଗରମାର୍ଗରେ ଯାଉଯାଉ ଗାଈ ଭୁସିଦେବା ଦ୍ୱାରା ସାଙ୍ଘାତିକ ଭାବରେ ଆହତ ହେଲେ ଓ ଶେଷରେ ମୃତ୍ୟୁମୁଖରେ ପତିତ ହେଲେ-

ଆନ୍ଦନ୍ଦ କହିଲେ–କିନ୍ତୁ କାହା ସହିତ ସେ କାଲି ଏକତ୍ର ରାତ୍ରିଯାପନ କଲେ, ତାଙ୍କୁ ସେହିକଥା ଆଦୌ ଜଣାନଥିଲା । ଅଥଚ ଆହତ ହେବାପରେ ସେ ବଡ଼ ବିକଳ ହୋଇ ତଥାଗତଙ୍କର ପାଖକୁ ଆସିବାକୁ ଚାହୁଥିଲେ ।

ସାରିପୁତ୍ତ ପୁଣି କହିଲେ–କିନ୍ତୁ ଶେଷରେ ଗଙ୍ଗାକୂଳକୁ ଯିବାପାଇଁ ମଧ୍ୟ ସେ ଇଚ୍ଛା ପ୍ରକାଶ କରୁଥିଲେ ।

ସଂଶୋଧନ କରିବାକୁ ଯାଇ ଆନନ୍ଦ ଉତ୍ତର ଦେଲେ–ନାହିଁ, ପ୍ରିୟ ସାରିପୁତ୍ତ । ସେ ଆକାଶଗଙ୍ଗା ବିଷୟରେ କହୁଥିଲେ । ସପ୍ରତିଭ ନୟନରେ ସେ ଅତୀତର ଏକ ଶପଥ ସ୍ମରଣ କରିବାକୁ ଲାଗିଲେ, ବଶିଷ୍ଠୀ ବୋଲି ଗୋଟିଏ ନାରୀର ନାମ ଉଚ୍ଚାରଣ କଲେ ଏବଂ ତା’ ପରେ ଶେଷ ନିଶ୍ୱାସ ତ୍ୟାଗକଲେ ।

ସାରିପୁତ୍ତ କହିଲେ–ହଁ, ଶେଷ ସମୟକୁ କୌଣସି ନାରୀର ନାମ ତାଙ୍କର ମୁଖରୁ ଉଚ୍ଚାରିତ ହୋଇଥିଲା । ହୁଏତ ଇତିମଧ୍ୟରେ ସେ ଆଉକେଉଁଠି ଜନ୍ମଲାଭ କରିସାରିବେଣି ।

ଯାତ୍ରୀ କାମନୀତ ପ୍ରକୃତରେ ବଡ଼ ନିର୍ବୋଧ ଥିଲେ । ଠିକ୍‍ ଗୋଟିଏ ଅବିବେକୀ ବାଳକପରି । ଏହି ଯାତ୍ରୀ ମୋର ନାମରେ ପରିବ୍ରଜରେ ବାହାରିଥିଲେ ଏବଂ ବୁଦ୍ଧଙ୍କର ଧର୍ମରେ ଦୀକ୍ଷିତ ହେବବୋଲି ଆକାଂକ୍ଷା ପୋଷଣ କରୁଥିଲେ । ତାଙ୍କୁ ମୁଁ ଧର୍ମୋପଦେଶ ଶୁଣାଇବାର ଚେଷ୍ଟା କରିଥିଲି, କିନ୍ତୁ ଏସବୁ ଶୁଣି ସେ ଟିକିଏ ବିରକ୍ତି ପ୍ରକାଶ କରିଥିଲେ । ସମସ୍ତ ହୃଦୟ ଦେଇ ସେ ଏକ ଉଚ୍ଚତର ଜୀବନର କାମନା କରୁଥିଲେ, ପରମ କଲ୍ୟାଣ ଓ ସ୍ୱର୍ଗର ଆନନ୍ଦ କାମନା କରୁଥିଲେ । ଶୁଣ ଶିକ୍ଷ୍ୟମାନେ, ଯାତ୍ରୀ କାମନୀତ ବର୍ତ୍ତମାନ ସ୍ୱର୍ଗର ପଶ୍ଚିମ ଭାଗରେ ପୁଣି ଜନ୍ମଲାଭ କରି ସାରିଲେଣି, ସେହିଠାରେ ହିଁ ସେ ଅନେକ ସହସ୍ର ବର୍ଷ ଧରି ସ୍ୱର୍ଗରାଜ୍ୟର ଆନନ୍ଦ ଆସ୍ୱାଦନ କରିବେ ।

Image

 

୨୨

Unknown

ସ୍ୱର୍ଗର ପଶ୍ଚିମ ଭାଗରେ

 

ଏଣେ ତଥାଗତ କୁମ୍ଭାରର ବାସଗୃହରେ ଏହିସବୁ କଥା କହୁଚନ୍ତି, ତେଣେ ଯାତ୍ରୀ କାମନୀତ ଯାଇ ଆମରାବତୀର ପଶ୍ଚିମ ଭାଗରେ ପହଞ୍ଚିଲେ ।

 

ସେ ଦେଖିଲେ ସେ ଯାଇ ଗୋଟିଏ ରକ୍ତବର୍ଣ୍ଣ ବୃହତ୍‍ ପଦ୍ମପୁଷ୍ପ ଉପରେ ପଦ୍ମାସନରେ ଆସୀନ ଅଛନ୍ତି, ତାଙ୍କର ଦେହଉପରେ ପଦ୍ମବର୍ଣ୍ଣର ଏକ ଉତ୍ତରୀୟ ପଡ଼ିଚି, ସତେ ଯେପରି କେଉଁ ପଦ୍ମଫୁଲର ପାଖୁଡ଼ାପରି ଝଲସି ଉଠୁଛି । ସମ୍ପୂର୍ଣ୍ଣ ହ୍ରଦଟି ଲୋହିତ, ନୀଳ ଓ ଶୁଭ୍ର ପଦ୍ମଫୁଲରେ ପରିପୂର୍ଣ୍ଣ ହୋଇ ରହିଚି, କେତେକେତେ କଢ଼ି ଧରିଚି, ଆହୁରି କେତେକେତେ ପୂର୍ଣ୍ଣ ପ୍ରସ୍ଫୁଟିତ ହୋଇ ହ୍ରଦର ଶୋଭାକୁ ମଣ୍ଡାଇ ରଖିଚି । ଏବଂ ପ୍ରସ୍ଫୁଟିତ ପ୍ରତ୍ୟେକଟି ଫୁଲ ଉପରେ ଗୋଟିଏ ଗୋଟିଏ ମନୁଷ୍ୟମୂର୍ତ୍ତି ଆସୀନ ଅଛନ୍ତି, ସେମାନଙ୍କର ଅଙ୍ଗବସ୍ତ୍ର ପୁଷ୍ପକୋରକରୁ ବିକଶିତ ହୋଇ ଉଠିଥିଲାପରି ମନେ ହେଉଚି ।

 

ଈଷତ୍‍ ଢାଲୁ ହୋଇ ଆସିଥିବା ହ୍ରଦଟିର ଚତୁଷ୍ପ୍ରାନ୍ତରେ ହରିତବର୍ଣ୍ଣର ତୃଣଶଯ୍ୟା ଉପରେ କେତେକେତେ ରଙ୍ଗର ଫୁଲ ଫୁଟିଚି । ଦେଖିଲେ ମନେହେଉଚି, ସତେ ଯେପରି ସମସ୍ତ ପୃଥିବୀର ସର୍ବବିଧ ବର୍ଣ୍ଣର ମଣିମୁକ୍ତାମାନ ଏଠାରେ ପୁଷ୍ପମୂର୍ତ୍ତି ହୋଇ ଜନ୍ମଲାଭ କରିଚି । ସେମାନଙ୍କର ପୂର୍ବର ସେହି ଉଜ୍ଜ୍ୱଳ ବର୍ଣ୍ଣ ଏଠାରେ ମଧ୍ୟ ଠିକ୍‍ ସେହିପରି ରହିଚି, କିନ୍ତୁ ପାର୍ଥିବ ଜୀବନଦଶାର କଠିନତା ଯେପରି ଏଠାରେ କୋମଳ, ନମନୀୟ ଓ ଜୀବନ୍ତ ପତ୍ରସମ୍ଭାରରେ ରୂପାନ୍ତରିତ ହୋଇଯାଇଚି । ଅନେକ ଦିନରୁ ଶିଶିଭିତରେ ସାଇତାହୋଇ ରହିଥିବା ସୁଗନ୍ଧ ନିର୍ଯ୍ୟାସଠାରୁ ଏହି ଫୁଲଗୁଡ଼ିକର ସୁଗନ୍ଧ ଅଧିକ ଶକ୍ତିଶାଳୀ ବୋଲି ମନେହେଉଚି ଏବଂ ପ୍ରାକୃତିକ ପୁଷ୍ପଗନ୍ଧର ସକଳ ସତେଜତାରେ ଏହା ଚହଟି ଉଠୁଚି ।

 

ଦୂରକୁ ଦୃଷ୍ଟି ପ୍ରସାରିତ କଲେ ଆହୁରି ଅଗଣିତ ଉଚ୍ଚ ବୃକ୍ଷ ଦୃଷ୍ଟିଗୋଚର ହେଉଚି । ସେହିସବୁ ବୃକ୍ଷର ଡାଳରେ ମଧ୍ୟ ଫୁଲ ଲଦିହୋଇ ରହିଚି । କେଉଁଠି ଗୋଟିଏ ଗୋଟିଏ ଗଛ ଠିଆହୋଇ ରହିଚି, ପୁଣି କେଉଁଠି ଅନେକ ଗଛ ଏକାଠି ହୋଇ କୁଞ୍ଜ ତିଆରି ହୋଇଚି । କୁଞ୍ଜ ସେପାଖକୁ ଛୋଟିଆ ଶୈଳଟିଏ, ସେଥିରେ ନାନାପ୍ରକାର ମର୍ମର ନାନା ଆକାରରେ ସଜ୍ଜିତ ହୋଇ ରହିଚି ଏବଂ ପୁଷ୍ପଶଯ୍ୟାରେ ଆଚ୍ଛାଦିତ ହୋଇଚି । ବୃକ୍ଷକୁଞ୍ଜ ଓ ଶୈଳଟିର ମଧ୍ୟବର୍ତ୍ତୀ ହୋଇ ସୁନ୍ଦର ନଦୀଟିଏ ହ୍ରଦ ଭିତରକୁ ବହିଆସୁଚି, ତାହାର ଜଳସ୍ରୋତ ଯେପରି ନକ୍ଷତ୍ରର ଆଲୋକରେ ତିଆରି ହୋଇଚି ।

 

ଏହିପରି ଏକ ଶୋଭାମୟ ସମତଳ ଉପରେ ପ୍ରସାରିତ ହୋଇ ରହିଥିବା ନୀଳାକାଶର ନୀଳିମା ଯେପରି ଦିଗ୍‍ବଳୟ ଆଡ଼କୁ ଘନତର ହୋଇ ଆସିଚି, ଏହି ଆକାଶର ବକ୍ଷରେ ଶୁଭ୍ର ମେଘଖଣ୍ଡମାନ କ୍ଷିପ୍ର ଗତିରେ ଧାଇଁବାରେ ଲାଗିଚନ୍ତି । ସେହି ମେଘଖଣ୍ଡଗୁଡ଼ିକ ଉପରେ ବସି ବାଦ୍ୟକାରମାନେ ବାଦ୍ୟ ବଜାଉଚନ୍ତି, ସେହି ବାଦ୍ୟଯନ୍ତ୍ରର ଝଙ୍କାରରେ ସମସ୍ତ ଶୂନ୍ୟମଣ୍ଡଳ ଧ୍ୱନିତ ହୋଇଉଠୁଚି ।

 

ଏହି ଆକାଶ ଉପରେ ସୂର୍ଯ୍ୟ ଥିବାର କୌଣସି ଲକ୍ଷଣ ଦେଖାଯାଉ ନଥିଲା । ହୁଏତ ଏଠାରେ କୌଣସି ସୂର୍ଯ୍ୟର ଆବଶ୍ୟକତା ହିଁ ନଥିଲା । କାରଣ ମେଘଉପରୁ ଓ ବାଦ୍ୟକାରମାନଙ୍କଠାରୁ, ଶୈଳଶିଖରରୁ ଓ ପୁଷ୍ପଭଣ୍ଡାରରୁ, ଜଳସମତଳରୁ ଓ ପଦ୍ମବନରୁ, ପୂଣ୍ୟାତ୍ମାମାନଙ୍କର ଅଙ୍ଗବସ୍ତ୍ରରୁ ଏବଂ ସର୍ବୋପରି ସେମାନଙ୍କର ମୁଖମଣ୍ଡଳରୁ ଏକ ଅପୂର୍ବ ଜ୍ୟୋତି ଉତ୍ସରିତ ହେଉଥିଲା । ଏହି ସ୍ଥାନର ସୁରଭିତ ଓ ସୁଶୀତଳ ପବନକୁ ନିଶ୍ୱାସରେ ଗ୍ରହଣ କଲାବେଳକୁ ଏକ ଅପାର୍ଥିବ ଆନନ୍ଦ ଅନୁଭୂତ ହେଉଥିଲା ।

 

ଆପଣାକୁ ହଠାତ୍ ଏହି ସୁରମ୍ୟ ପରିବେଶ ଭିତରେ ପାଇ କାମନୀତ ପ୍ରଥମେ ଭାବାଭିଭୂତ ହୋଇପଡ଼ିଲେ । ଏହି ଭାବାବେଶ କ୍ରମେ କଟିଯିବା ସଙ୍ଗେସଙ୍ଗେ ସେ ଆପଣାକୁ ଏହି ପରିବେଷ୍ଟନୀ ଅନୁସାରେ ଖାପ ଖୁଆଇ ନେବାକୁ ଆରମ୍ଭ କଲେ । ଦୃଷ୍ଟି ପ୍ରସାରିତ କରି ସେ ତାଙ୍କରି ପରି ଅନ୍ୟ କମଳପୁଷ୍ପଗୁଡ଼ିକ ଉପରେ ଉପବିଷ୍ଟ ରହିଥିବା ମନୁଷ୍ୟମୂର୍ତ୍ତିମାନଙ୍କୁ ଦେଖିବାକୁ ଲାଗିଲେ । କିଛି ସମୟ ନିରୀକ୍ଷଣ କରିବାପରେ ସେ ବେଶ୍‍ ଜାଣିବାକୁ ପାଇଲେ ସେ ରକ୍ତବର୍ଣ୍ଣ ବସ୍ତ୍ର ଧାରଣ କରିଥିବା ମୂର୍ତ୍ତିଗୁଡ଼ିକ ହେଉଚି ସ୍ତ୍ରୀମୂର୍ତ୍ତି । ଏବଂ ନୀଳବର୍ଣ୍ଣ ବସ୍ତ୍ର ପରିହିତ ମୂର୍ତ୍ତିଗୁଡ଼ିକ ଉଭୟ ଲିଙ୍ଗର । ସେମାନେ କେତେବେଳେ ପୁରୁଷ ମୂର୍ତ୍ତି ଧାରଣ କରୁଥାନ୍ତି ତ ପୁଣି କେତେବେଳେ ସ୍ତ୍ରୀମୂର୍ତ୍ତି ଧାରଣ କରୁଥାନ୍ତି । କିନ୍ତୁ ରକ୍ତ, ଶୁଭ୍ର ବା ନୀଳ ଯେକୌଣସି ବର୍ଣ୍ଣର ହୋଇଥାଆନ୍ତୁ ପଛକେ, ସେମାନେ ସମସ୍ତେ ଯୌବନକାଳୀନ ତରୁଣିମାରେ ପରିପୂର୍ଣ୍ଣ ହୋଇ ରହିଥିଲେ, ସବୁରିଠାରେ ଏକ ପ୍ରସନ୍ନ ମୁଖମଣ୍ଡଳ ଢଳଢଳ ହେଉଥିଲା । ସେମାନେ ସମସ୍ତେ ପରମ ବନ୍ଧୁପରି ମନେ ହେଉଥିଲେ ।

 

ଗୋଟିଏ ନୀଳପଦ୍ମ ଉପରେ ସମାସୀନ ଥିବା ଜଣେ ପ୍ରତିବେଶୀଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରାଯାଇ ପାରିବ ବୋଲି ଭାବି କାମନୀତ ତାଙ୍କ ସହିତ କଥୋପକଥନ କରିବାକୁ ମନସ୍ଥ କଲେ ।

 

ସେ ଭାବିଲେ–ସେ ମୋତେ କିଛି ପଚାରିବା ପୂର୍ବରୁ ମୋ’ ଆଡ଼ୁ ମୁଁ ଆଗ ତାଙ୍କସହିତ କଥାବାର୍ତ୍ତା କଲେ କଣ କିଛି ଖରାପ ହେବ ? ମୁଁ ବର୍ତ୍ତମାନ କେଉଁଠାରେ ଅଛି, ହୁଏତ ଏ ବିଷୟରେ ସେ ମୋତେ ସମସ୍ତ ସମ୍ବାଦ ଦେଇପାରିବେ ।

 

କିନ୍ତୁ କି ଅଦ୍ଭୁତ କଥା, କାମନୀତ ପ୍ରଶ୍ନଟିକୁ ମନରେ ଭାବୁଭାବୁ ତତ୍‍କ୍ଷଣାତ୍‍ ସେହି ନୀଳପଦ୍ମ ଉପରୁ ଉତ୍ତର ଆସି ପହଞ୍ଚିଗଲା । ନୀଳପଦ୍ମ ଉପରେ ବସିଥିବା ମୂର୍ତ୍ତିଙ୍କର ଅଧରରେ ତଥାପି କୌଣସିପ୍ରକାର ଗତିର କ୍ଷୀଣତମ ସୂଚନା ମଧ୍ୟ ମିଳିଲାନାହିଁ ।

 

ତୁମେ ବର୍ତ୍ତମାନ ଅମରାବତୀରେ, ସ୍ୱର୍ଗର ପଶ୍ଚିମ ଭାଗରେ ।

ଅତି ଅଜାଣତରେ କାମନୀତ ମନେମନେ ପୁଣି ପଚାରିବାକୁ ଲାଗିଲେ : –

 

ମହାଶୟ, ମୁଁ ଏଠାରେ ପହଞ୍ଚି ଆଖି ଖୋଲିବା ମାତ୍ରକେ ଆପଣଙ୍କୁ ଦେଖିବାକୁ ପାଇଲି-। ଆପଣ କଣ ମୋ’ ସହିତ ଏକା ସମୟରେ ଏଠାକୁ ଆସିଲେ ନା ଆଗରୁ ଏଠାରେ ଥିଲେ ।

 

ନୀଳପଦ୍ମରୁ ଉତ୍ତର ଆସିଲା–ମୁଁ ଏଠାରେ ରହିବାପରେ ଯୁଗଯୁଗ ବିତିଗଲାଣି । କେତେ କମଳକଳିକୁ ଏହିପରି ବିକସିତ ହେବାର ଏବଂ ତାହାଭିତରୁ ଗୋଟିଏ ମନୁଷ୍ୟ ମୂର୍ତ୍ତିକୁ ପରିଦୃଶ୍ୟମାନ ହେବାର ମୁଁ କେଉଁ ଅତୀତ ଯୁଗରୁ ଦେଖିଆସୁଚି । ତା’ପରେ ପ୍ରବାଳବୃକ୍ଷର ସୁରଭି ମଧ୍ୟ ଏଠାରେ ରହିଚି ।

 

ପ୍ରବାଳବୃକ୍ଷର ସୁରଭି ପୁଣି କ’ଣ ?

 

ତୁମେ ଅତିଶୀଘ୍ର ତାହାକୁ ସ୍ୱୟଂ ଆବିଷ୍କାର କରିପାରିବ । ସ୍ୱର୍ଗପୁରୀରେ ଏହି ପ୍ରବାଳବୃକ୍ଷ ହେଉଚି ସବୁଠାରୁ ବଡ଼ ବିସ୍ମୟ ।

 

ଏହି ଶବ୍ଦହୀନ କଥୋପକଥନ ସହିତ ସମଛନ୍ଦ ଭାବରେ ସ୍ୱର୍ଗୀୟ ବାଦ୍ୟକାରମାନଙ୍କର ବାଦ୍ୟଝଙ୍କାର ମଧ୍ୟ ଶୁଣିବାକୁ ମିଳୁଥାଏ । ମନେହେଉଥାଏ କଥୋପକଥନର ପ୍ରତ୍ୟେକଟି ଶବ୍ଦ ଯେପରି ଏହି ସଙ୍ଗୀତ ଭିତରୁ ହିଁ ଝଙ୍କୃତ ହୋଇ ଉଠୁଥାଏ, ଯେପରି ଶବ୍ଦଗୁଡ଼ିକର ଅର୍ଥ ପରିପୂର୍ଣ୍ଣ ବାଞ୍ଛନାରେ ପ୍ରକଟିତ ହୋଇଯାଉଥାଏ । ପ୍ରବାଳବୃକ୍ଷ ସମ୍ବନ୍ଧରେ କଥୋପକଥନ ଆରମ୍ଭ ହେବା ମାତ୍ରକେ ଏହି ସଙ୍ଗୀତ ମଧ୍ୟରେ ହଠାତ୍ ଏକ ଅତ୍ୟନ୍ତ ରହସ୍ୟମୟ ଧ୍ୱନିଚିତ୍ର ପ୍ରତିଭାତ ହୋଇଉଠିଲା । ଏହାକୁ କାନଡେରି ଶୁଣୁଶୁଣୁ କାମନୀତଙ୍କର ମନେହେଲା ଯେପରି ଯେ ତାଙ୍କ ହୃଦୟରେ ଆହୁରି ଅନେକ ଅନାବିଷ୍କୃତ ଗଭୀର ତଳକୁ ପ୍ରବେଶ କରିକରି ଯାଉଚନ୍ତି ଏବଂ ସେହି ଗଭୀର ତଳର ଛାୟା ଭିତରେ ଯେପରି କେତେକେତେ ଅଶରୀରୀ ସ୍ମୃତିମାନ ମନ୍ଥର ଭାବରେ ବିଚରଣ କରିବାରେ ଲାଗିଚନ୍ତି ।

 

ଅଳ୍ପ ସମୟ ପରେ ସେ କହିଲେ–ସ୍ୱର୍ଗରାଜ୍ୟର ସବୁଠାରୁ ବଡ଼ ବିସ୍ମୟ ! ସେହି ଯେଉଁ ଛୋଟିଆ ନଦୀସ୍ରୋତଟି କୁଳୁକଳୁ ହୋଇ ହ୍ରଦଭିତରକୁ ବହିଆସୁଚି, ମୁଁ ତାହାକୁହିଁ ଏହି ସ୍ଥାନର ସବୁଠାରୁ ବଡ଼ ବିସ୍ମୟ ବୋଲି ମନେ କରିଥିଲି ।

 

ନୀଳପଦ୍ମରୁ ଉତ୍ତର ଆସିଲା ସେଇଟି ହେଉଚି ଆକାଶଗଙ୍ଗା ।

 

ଏକଥା ଶୁଣି ସତେଅବା ସ୍ୱପ୍ନାବିଷ୍ଟ ଭାବରେ କାମନୀତ ପଚାରିଲେ ଏହି ହେଉଚି ଆକାଶଗଙ୍ଗା ? ହଠାତ୍‍ ହୃଦୟ ଭିତରେ କେଉଁ କରୁଣ ଅନୁଭୂତିର ସ୍ପର୍ଶ ପାଇ ସେ ଆତଙ୍କିତ ହୋଇ ଉଠିଲେ । ତାଙ୍କର ମନେହେଲା, ଏହି ଅନୁଭୂତିଟି ଯେପରି ତାଙ୍କର ଅତି ପରିଚିତ କିନ୍ତୁ ତଥାପି ଯେପରି ସେ ଆଜି ଏହାକୁ ଚିହ୍ନି ପାରିଲେନାହିଁ । ଏବଂ ସେହି ଗଭୀର ରହସ୍ୟମୟ ଧ୍ୱନିର ମୂର୍ଚ୍ଛନା ଯେପରି ତାଙ୍କ ଆପଣା ଜୀବନର ଗଭୀରତମ ତଳେ ଅବସ୍ଥିତ ଥିବା ଏକ ନଦୀସ୍ରୋତର ଉଦ୍‍ଗମସ୍ଥାନକୁ ଦ୍ୱାର ଉନ୍ମୋଚିତ କରି ଦେଇଗଲା !

Image

 

୨୩

ଅମରାବତୀର ନୃତ୍ୟ

 

କାମନୀତଙ୍କଠାରୁ ଅନତି ଦୂରରେ ଥିବା ଆଉ ଗୋଟିଏ ପଦ୍ମଉପରେ ଅବସ୍ଥିତ ଶୁଭ୍ର ମନୁଷ୍ୟ ମୂର୍ତ୍ତିଟି କିପରି ହଠାତ୍‍ ବଡ଼ ହେବାକୁ ଆରମ୍ଭ କରିବାକୁ ଲାଗିଲେ, କାମନୀତ ବିସ୍ମିତ ହୋଇ ସେହିକଥା ଦେଖୁଥିଲେ । ମୂର୍ତ୍ତିଟିର ଦେହଉପରେ ଥିବା ବସ୍ତ୍ର କ୍ରମେ ତରଙ୍ଗାୟିତ ହୋଇ ଉଠିଲା । ମୂର୍ତ୍ତିଟି କ୍ରମେ ପୁଷ୍ପାସନ ତ୍ୟାଗ କରି ହ୍ରଦ ଉପରେ ଭାସିବାକୁ ଆରମ୍ଭ କଲେ ଓ ଶେଷରେ ତୀରରେ ପହଞ୍ଚି ବୃକ୍ଷଗୁଡ଼ିକ ଭିତରେ ଅନ୍ତର୍ହିତ ହୋଇଗଲେ ।

 

କାମନୀତ ଭାବୁଥାନ୍ତି–କେଡ଼େ ସୌଭାଗ୍ୟବନ୍ତ ଏମାନେ ! କିନ୍ତୁ ଏହି କଳା ଶିଖିବା ଆଦୌ ଏକ ସହଜ ବ୍ୟାପାର ନୁହେଁ । ମୁଁ ମଧ୍ୟ କେବେ ଏହି କଳା ଶିଖିବାର ସୁଯୋଗ ପାଇବି କି ନାହିଁ କେଜାଣି ?

 

ନୀଳପଦ୍ମଟି ଉପରେ ଆସୀନ ଥିବା ମୂର୍ତ୍ତି ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ–ନିଶ୍ଚୟ ! ଇଚ୍ଛା କରିବା ମାତ୍ରକେ ତୁମେ ମଧ୍ୟ ଏହି କଳାରେ ପାରଙ୍ଗମ ହୋଇପାରିବ ।

 

ଠିକ୍‍ ସେହି ମୁହୂର୍ତ୍ତରେ କାମନୀତ ଅନୁଭବ କଲେ, ସତେ ଯେପରି ତାଙ୍କର ଶରୀର ଶୂନ୍ୟ ଭିତରକୁ ଉତ୍ତୋଳିତ ହେବାକୁ ଲାଗିଲା । ମୁହୂର୍ତ୍ତକ ପରେ ଜଳ ଉପରେ ଭାସିଭାସି ସେ ତଟଆଡ଼କୁ ଯିବାକୁ ଲାଗିଲେ ଏବଂ ଶେଷରେ ଶ୍ୟାମଳ ବନଭୂମିରେ ଅବତୀର୍ଣ୍ଣ ହେଲେ । ଆପଣାର ଇଚ୍ଛାମତେ ସେ ଯେଉଁଆଡ଼କୁ ଯିବେବୋଲି ଭାବିଲେ, ତତ୍‍କ୍ଷଣାତ୍ ଯାଇ ସେଠାରେ ଉପସ୍ଥିତ ହୋଇଗଲେ । ଦେଖିଲେ, ଏଠାରେ ଆହୁରି ଅନେକ ମନୋହର କମଳ ହ୍ରଦମାନ ରହିଅଛି । କେତେ ସୁରମ୍ୟ ଓ ସୁରଙ୍ଗ ବନଭୂମି ଅତିକ୍ରମ କଲାବେଳେ ସେ ବହୁ ବିଚିତ୍ର ପକ୍ଷୀ ଶାଖାରୁ ଶାଖାନ୍ତର ହୋଇ ମଧୁର ସଙ୍ଗୀତ ଗାଉଥିବାର ଶୁଣିବାକୁ ପାଇଲେ, ସେହି ସଙ୍ଗୀତଧ୍ୱନି ପତ୍ରାଳିକାର ମର୍ମରଧ୍ୱନି ସହିତ କେଡ଼େ ମଧୁର ଭାବରେ ମିଶି ଯାଉଥାଏ । କେଉଁଠି ପୁଷ୍ପ ବିଚ୍ଛୁରିତ ସମତଳ ଭୂମି ଉପରେ ହରିଣମାନେ ଚରୁଥାନ୍ତି, କାମନୀତଙ୍କୁ ଦେଖି ସେମାନଙ୍କର ମନରେ ଲେଶମାତ୍ର ଭୟର ସଞ୍ଚାର ହେଉଥାଏ ବୋଲି ମନେ ହେଲାନାହିଁ । ତାପରେ ଅନେକ ବନଭୂମି ଅତିକ୍ରମ କରି ସେ ଆଉ ଗୋଟିଏ ସରୋବର ପାଖରେ ଆସି ପହଞ୍ଚିଲେ । ସେହି ସରୋବରରେ ବୃହଦାକାର ପଦ୍ମମାନ ପୂର୍ଣ୍ଣ ବିକସିତ ହୋଇ ଶୋଭା ପାଉଥାଏ–କେତେକ ଫୁଲଉପରେ ଗୋଟିଏ ଗୋଟିଏ ମୂର୍ତ୍ତି ଅସୀନ ରହିଥାନ୍ତି, କିନ୍ତୁ ଅଧିକାଂଶ ପୁଷ୍ପ ଏପର୍ଯ୍ୟନ୍ତ ଶୂନ୍ୟ ପଡ଼ିଥାଏ ।

 

ଠିକ୍ ଏତିକିବେଳେ ଏହି ସ୍ଥାନଟି ଲୋକସମୂହରେ ପରିପୂର୍ଣ୍ଣ ହୋଇଯିବାର ସମୟ ଆସି ପହଞ୍ଚିଲା । ଯେପରି ଗ୍ରୀଷ୍ମରାତ୍ରିରେ ଜୁଳୁଜୁଳିଆ ପୋକମାନଙ୍କର ସମୂହ କୌଣସି ବୃକ୍ଷ ବା କୌଣସି ଗୁଳ୍ମରେ ମେଞ୍ଚାମେଞ୍ଚା ହୋଇ ଆଲୋକଚମକର ରୋଶନି ଲଗାଇ ଦେଇଥାନ୍ତି, ଠିକ୍‍ ସେହିପରି ମନୁଷ୍ୟମୂର୍ତ୍ତିମାନଙ୍କର ସମୂହ ଆସି ସେହି ସରୋବର କୂଳରେ ପହଞ୍ଚିଲେ । କେହି ଏକାକୀ ଆସିଲେ, କେହି ଯୁଗଳମୂର୍ତ୍ତି ହୋଇ ଆସିଲେ, ପୁଣି କେହି ଏକତ୍ର ଗୋଷ୍ଠୀ ବା ଧାଡ଼ି ବାନ୍ଧି ବନପଥ ଅତିକ୍ରମ କରି ଆସି ସେଠାରେ ପହଞ୍ଚିଲେ । ସେମାନେ ଯେ ଆନନ୍ଦବିନୋଦନ କରିବାକୁ ଆସିଚନ୍ତି, ସେମାନଙ୍କର ମୁଖମଣ୍ଡଳକୁ ଅନାଇଲେ ଏହା ଅତ୍ୟନ୍ତ ସ୍ପଷ୍ଟ ହୋଇଯାଉଥିଲା । ସେମାନଙ୍କ ଭିତରେ ସହର୍ଷ କଥୋପକଥନର ଏକ ଅଦୃଶ୍ୟ ସୂତ୍ର ସମସ୍ତଙ୍କୁ ବାନ୍ଧି ରଖିଥିବାର ବେଶ୍ ଅନୁମତି ହେଉଥିଲା ।

 

କାମନୀତ ଆନନ୍ଦବିଭୋର ହୋଇ ଏହି ନୃତ୍ୟାଭିନୟ ଉପଭୋଗ କରିବାକୁ ଲାଗିଲେ । ପରିଶେଷରେ–ସେ ନିଜେ ମଧ୍ୟ ଏହି ବାର୍ତ୍ତାଳାପରେ ଯୋଗ ଦେବେବୋଲି ତାଙ୍କର ଅଭିଳାଷ ଜାତ ହୋଇଥିଲା ।

 

ମୁହୂର୍ତ୍ତକ ମଧ୍ୟରେ ତାଙ୍କ ଚାରିପାଖରୁ ଏକ ମନୁଷ୍ୟସମୂହ ତାଙ୍କୁ ପରିବେଷ୍ଟନ କରି ପକାଇଲେ । ନବାଗତ ହିସାବରେ ତାଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଲେ ।

 

କାମନୀତଙ୍କର ଆଉ ବିସ୍ମୟର ସୀମା ରହିଲାନାହିଁ । ସେ ସ୍ୱର୍ଗପୁରରେ ଆସି ପହଞ୍ଚିବା ପୂର୍ବରୁ କଣ ଏଠାରେ ଅନ୍ୟମାନେ ତାଙ୍କର ଆସିବାର ସମ୍ବାଦ ପାଇଥିଲେ- ସେ ଉତ୍କଣ୍ଠିତ ହୋଇ ସମସ୍ତଙ୍କୁ ପଚାରିଲେ ।

 

ଏହି ସମ୍ବାଦ ପାଇବା ତ ଅତି ସହଜ କଥା । ଯେତେବେଳେ କୌଣସି ପଦ୍ମ ନୂଆ କରି ପାଖୁଡ଼ା ମେଲି ଫୁଟିଉଠେ, ସେତେବେଳେ ଅମରାବତୀର ପ୍ରତ୍ୟେକ ହ୍ରଦରେ ଫୁଟିଥିବା ପ୍ରତ୍ୟେକ ପଦ୍ମରେ ଏକ ଆନ୍ଦୋଳନ ଅନୁଭୂତ ହୁଏ । ସେହି ପଦ୍ମଉପରେ ଗୋଟିଏ ନୂତନ ମୂର୍ତ୍ତି ଆସି ଆସୀନହେବା ମାତ୍ରକେ ଅନ୍ୟ ପଦ୍ମଗୁଡ଼ିକ ଉପରେ ଆସୀନ ମୂର୍ତ୍ତିମାନେ ମଧ୍ୟ ତାହା ଅନୁଭବ କରିପାରନ୍ତି ।

 

କିନ୍ତୁ ମୁଇଁ ନୂଆ କରି ଆସିଚି ବୋଲି ଆପଣମାନେ କିପରି ଜାଣିପାରିଲେ ?

ପାଖରେ ବେଢ଼ିକରି ରହିଥିବା ଅନ୍ୟମାନେ ହୋ’ ହୋ’ କରି ହସିବାକୁ ଲାଗିଲେ : –

କିନ୍ତୁ ତୁମେ ତ ଏପର୍ଯ୍ୟନ୍ତ ମଧ୍ୟ ପୂର୍ଣ୍ଣ ବିକସିତ ହୋଇନାହଁ ।

 

ତୁମେ ସତେଅବା ସ୍ୱପ୍ନପ୍ରତିମାମାନ ଦେଖିଥିବାପରି ଆମଆଡ଼କୁ ଅନାଉଚ; କାଳେ ଏହି ପ୍ରତିମାଗୁଡ଼ିକ ହଠାତ୍‍ କେଉଁଆଡ଼େ ଅଦୃଶ୍ୟ ହୋଇଯିବେ, ସେଥିପାଇଁ ତୁମ ମନରେ ଭୟ ମଧ୍ୟ ରହିଚି !

 

ମୁଣ୍ଡ ହଲାଇ କାମନୀତ କହିଲେ :

 

ଆପଣମାନଙ୍କର, କଥାକୁ ମୁଁ ସମ୍ପୂର୍ଣ୍ଣରୂପେ ବୁଝି ପାରୁନାହିଁ । ସ୍ୱପ୍ନପ୍ରତିମା ପୁଣି କ’ଣ ?

 

ଜଣେ ଶୁଭ୍ରବାସଧାରୀ ମୂର୍ତ୍ତି କହିଲେ–ସେ ଏପର୍ଯ୍ୟନ୍ତ ପ୍ରବାଳବୃକ୍ଷ ପାଖକୁ ଯାଇନାହାନ୍ତି, ତୁମେସବୁ ଏକଥା ଭୁଲିଯାଉଚ କାହିଁକି ?

 

ହଁ, ମୁଁ ପ୍ରବାଳବୃକ୍ଷ ପାଖକୁ ଏପର୍ଯ୍ୟନ୍ତ ଯାଇନାହିଁ ବୋଲି ଭଲକରି ଜାଣିଚି । କିନ୍ତୁ ପ୍ରବାଳବୃକ୍ଷ ବିଷୟରେ ମୁଁ ଅବଶ୍ୟ ଶୁଣିସାରିଚି । ହ୍ରଦଭିତରେ ଥିବା ମୋର ପ୍ରତିବେଶୀ ମୋତେ ଏହିକଥା କହିଚନ୍ତି । ଏହି ବୃକ୍ଷ ପ୍ରକୃତରେ ଏକ ଅଦ୍ଭୁତ ବୃକ୍ଷ ହୋଇଥିବ । ସେ ବିଷୟରେ ମୋତେ ଆପଣମାନେ ସବୁ ଖବର କହନ୍ତୁ ।

 

କିନ୍ତୁ ସେମାନେ ସମସ୍ତେ ଏକଥା ଶୁଣି ଚୁପ୍‍ଚୁପ୍‍ ହସିବାକୁ ଲାଗିଲେ, ପରସ୍ପର ଆଡ଼କୁ ଅନାଇ ମୁଣ୍ଡ ହଲାଇବାକୁ ଲାଗିଲେ ।

 

ମୁଁ ସଙ୍ଗେସଙ୍ଗେ ସେଠାକୁ ଯିବାକୁ ଇଚ୍ଛା କରୁଚି । ଆପଣମାନଙ୍କ ଭିତରୁ କେହି ମୋତେ ସେଠାକୁ ଯିବାର ରାସ୍ତା ଦେଖାଇଦେଇ ପାରିବେ କି ?

 

ସମୟ ଆସିଲେ ସେଠାକୁ ଯିବାର ରାସ୍ତା ତୁମକୁ ବଳେ ମାଲୁମ ହୋଇଯିବ ।

କାମନୀତ ଆପଣା ହାତରେ ଆଖିର ଭ୍ରୂଲତା ପୋଛୁପୋଛୁ କହିଲେ : –

 

ଆମର ହ୍ରଦପାଖରେ ମୁଁ ଆଉଗୋଟିଏ ବିସ୍ମୟ ଦେଖିଆସିଚି । ତାହା ହେଉଚି ଆକାଶଗଙ୍ଗା । ଆପଣମାନଙ୍କର ହ୍ରଦରେ କୌଣସି ଆକାଶଗଙ୍ଗା ଆସି ମିଶିଚି କି ?

 

ସେହି ଶୁଭ୍ରବସନଧାରୀ ମୂର୍ତ୍ତିଟି ହାତ ଦେଖାଇ ଗୋଟିଏ ସ୍ୱଚ୍ଛଧାରା ନଦୀଆଡ଼କୁ ଇଙ୍ଗିତ କଲେ । ନଦୀଟି ପାହାଡ଼ର ପାଦଦେଶରୁ ବହିଆସି କୁଳୁକୁଳୁ ଧ୍ୱନି କରି ହ୍ରଦରେ ଆସି ପଡ଼ିଥିଲା ।

 

ଏଇଟି ହେଉଚି ଆମର ଉପନଦୀ । ଏହିପରି ଅଗଣିତ ଜଳଧାରାରେ ଏହି କ୍ଷେତ୍ରଟି ପରିପୂର୍ଣ୍ଣ ହୋଇ ରହିଚି । ତୁମେ ଆଗରୁ ଯେଉଁଟି ଦେଖିଚ, ସେଇଟି ମଧ୍ୟ ଏହିପରି ଗୋଟିଏ ଉପନଦୀ, ଅବଶ୍ୟ ଆକାରରେ ଟିକିଏ ବଡ଼ । କିନ୍ତୁ ଆକାଶଗଙ୍ଗା ସମସ୍ତ ଅମରବତୀର ଚତୁର୍ଦ୍ଦିଗରେ ବହିଯାଉଚି ।

 

ଆପଣ ସ୍ୱୟଂ ଏହି ଆକାଶଗଙ୍ଗା ଦେଖିଚନ୍ତି ?

ଶ୍ୱେତବସନ ମୂର୍ତ୍ତିଟି ମୁଣ୍ଡ ହଲାଇଲେ ।

ତା’ହେଲେ କଣ ସେଠାକୁ କେହି ଯାଇପାରିବେ ନାହିଁ ?

 

ସମସ୍ତେ ଉତ୍ତର ଦେଲେ -ଅବଶ୍ୟ, ଅବଶ୍ୟ । କିନ୍ତୁ ଆମଭିତରୁ କେହି ସେଠାକୁ ଯାଇନାହାନ୍ତି । ସେଠାକୁ ଯିବାର ଦରକାର ବା କ’ଣ ? ଏହି ସ୍ଥାନଠାରୁ ତାହା ଆଦୌ ଅଧିକ ସୁନ୍ଦର ନୁହେଁ । କେହି କେହି ହୁଏତ ଥରେ ଅଧେ ସେଠାକୁ ଯାଇ ଦେଖି ଆସିଥିବେ । କିନ୍ତୁ ସେଠାରେ ରହିବାକୁ କେହି ଆଦୌ ଇଚ୍ଛା କରିବେନାହିଁ ।

 

କାରଣ ?

ଶ୍ୱେତବସନ ପରିହିତ ମୂର୍ତ୍ତିଟି ସରୋବର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦିଷ୍ଟ କରି କହିଲେ : –

 

ହେଇ ସେକୂଳରେ ପ୍ରାୟ ତୀରପାଖରେ ଭାସୁଥିବା ଲୋହିତ ମୂର୍ତ୍ତିଟିକୁ ତୁମେ ଦେଖିପାରୁଚ ? ସେ ଅମରବତୀ ଦେଖିଚନ୍ତି । କିନ୍ତୁ ତାହା ଅନେକ ଦିନ ପୂର୍ବର କଥା । ୟା ଭିତରେ ସେ ଆଉ ଆକାଶଗଙ୍ଗା ଆଡ଼େ ଯାଇଚନ୍ତି କି ନାହିଁ, ଚାଲ ତାଙ୍କୁ ପଚାରିବା ।

 

ଲୋହିତ ମୂର୍ତ୍ତିଟିଠାରୁ ତତ୍‍କ୍ଷଣାତ୍ ଉତ୍ତର ଆସି ପହଞ୍ଚିଲା–ନାହିଁ ।

କିନ୍ତୁ କାହିଁକି ?

ନିଜେ ଯାଅ, କାରଣ ଜାଣିପାରିବ ?

ଆମେ ଯିବା କି ? ତୁମ ସହିତ ଯିବାକୁ ମୁଁ ପ୍ରସ୍ତୁତ ଅଛି ।

ଅବଶ୍ୟ ସେଠାକୁ ମୁଁ ଖୁସିରେ ଯିବି, କିନ୍ତୁ ବର୍ତ୍ତମାନ ନୁହେଁ ।

 

ସନ୍ନିକଟସ୍ଥ ଏକ ଉପବନରୁ ଆଉରି କେତେକ ମୂର୍ତ୍ତିଙ୍କର ଏକ ସମୂହ ବାହାରି ଆସିଲା-। ସେହି ମୂର୍ତ୍ତିମାନେ ଠିକ୍ ଅପ୍‍ସରାମାନଙ୍କ ପରି ନାଚିନାଚି ଆସୁଥାଆନ୍ତି । ହଠାତ୍‍ ସେହି ସମୂହ ଭିତରେ ଥିବା ଈଷତ୍‍ ନୀଳବର୍ଣ୍ଣର ଗୋଟିଏ ମୂର୍ଣ୍ଣି ଆସି ଶୁଭ୍ରବସନଧାରୀ ମୂର୍ତ୍ତିଙ୍କର ହାତ ଧରି ପକାଇଲେ ଓ ଆରହାତଟି ପରମ ସ୍ନେହ ସହିତ କାମନୀତଙ୍କ ଆଡ଼କୁ ବଢ଼ାଇଦେଲେ ।

 

ସ୍ମିତହାସ୍ୟ ହସି କାମନୀତ ସେହି ନାରୀମୂର୍ତ୍ତିଙ୍କୁ ଧନ୍ୟବାଦ ଦେଲେ, କିନ୍ତୁ ମୁଣ୍ଡ ହଲାଇ କହିଲେ : –

 

ନା, ବର୍ତ୍ତମାନ ନୁହେଁ । ମୁଁ ଆଗ ଭଲକରି ଏହି ରାଜ୍ୟଟି ଦେଖିସାରେ ।

ଆଚ୍ଛା, ଭଲ କଥା, ତେବେ ଥାଉ । ପରେ ଦେଖାହେବ ।

 

ଏବଂ ଈଷତ୍‍ ନୀଳବର୍ଣ୍ଣର ସେହି ମୂର୍ତ୍ତିଟି ସହିତ ସେ ନୃତ୍ୟ ସମାରୋହରେ ସମ୍ମିଳିତ ହୋଇଗଲେ । ଅନ୍ୟମାନେ ମଧ୍ୟ କାମନୀତଙ୍କ ପାଖକୁ ଆସିଲେ, ତାଙ୍କୁ ଅଭିବାଦନ ଜଣାଇ ପୁଣି ଚାଲିଗଲେ ।

Image

 

୨୪

ପ୍ରବାଳ ବୃକ୍ଷ

 

ଅନେକ ସମୟ ପର୍ଯ୍ୟନ୍ତ କାମନୀତ ସେମାନଙ୍କ ଆଡ଼କୁ ବିସ୍ମିତ ନୟନରେ ଅନାଇ ରହିଥିଲେ ।

 

ତା’ପରେ ଆପଣାର ବିସ୍ମୟପ୍ରତି ବିସ୍ମୟ ପ୍ରକାଶ କରି ସେ କହିଲେ : –

 

କିନ୍ତୁ ଏଠାରେ ମୋତେ ସମସ୍ତ କଥା ଏପରି ବିସ୍ମୟପୂର୍ଣ୍ଣ ମନେ ହେଉଚି କାହିଁକି ? ମୁଁ ତ ବର୍ତ୍ତମାନ ସ୍ୱର୍ଗର ଅଧିବାସୀ, ତେଣୁ ଏହି ସ୍ଥାନର ସକଳ ବିଷୟ ମୋତେ କାହିଁକି ସ୍ୱାଭାବିକ ବୋଲି ବୋଧ ହେଉନାହିଁ ? କିନ୍ତୁ ଏଠି ଯାହାଉପରେ ବା ଯେଉଁଠାରେ ଏହି ସୁବାସଟି–ହଠାତ୍‍ ପବନରେ ଭାସିଆସି ମୋର ନାସିକାକୁ ସ୍ପର୍ଶ କରି ଚାଲିଯାଉଚି । ଏଠାରେ ଏତେପ୍ରକାର ସୁବାସିତ ପୁଷ୍ପଉଦ୍ୟାନ ରହିଚି, କିନ୍ତୁ ଖାସ୍ ଏହି ଫୁଲଟିର ସୁବାସ କେଡ଼େ ବିଚିତ୍ର, କେଡ଼େ ଅନନ୍ୟ ସାଧାରଣ-! ତାହାର ଆକର୍ଷଣ ଯେପରି ମନକୁ ଭାରି ଚଞ୍ଚଳ କରିଦେଇ ଯାଉଚି । ଏହି ସୁବାସ କେଉଁଆଡ଼ୁ ଆସୁଚି କେଜାଣି ?

 

କିନ୍ତୁ ମୁଁ ନିଜେ ବା ଏଠାରେ କେଉଁଠାରୁ ଓ କିପରି ଆସି ପହଞ୍ଚିଲି ? ମୋର ମନେହେଉଚି ଯେପରି ମାତ୍ର ଅଳ୍ପସମୟ ପୂର୍ବରୁ ମୁଁ କୌଣସି ଆକାରରେ ନଥିଲି । ବା ହୁଏତ ଥିଲି; କିନ୍ତୁ ଏଠାରେ ନଥିଲି, ତେବେ ଆଉ କେଉଁଠାରେ ଥିଲି । ଏବଂ ସେଠାରୁ ଏଠାକୁ ଆସିଲି ବା କିପରି ?

 

ଏହିସବୁ ପ୍ରଶ୍ନର ଅଡ଼ୁଆଭିତରେ ପଡ଼ିଥିବା ସମୟରେ ଅତି ଅଲକ୍ଷ୍ୟରେ କାମନୀତଙ୍କର ଶରୀରଟି ସେହି ଶ୍ୟମଳ ବନଭୂମିରୁ କ୍ରମେ ଚାଲିଯିବାକୁ ଆରମ୍ଭ କଲା । କିନ୍ତୁ ଅନ୍ୟମାନେ ଯେଉଁଆଡ଼େ ଯାଇଥିଲେ, ସେହିଆଡ଼କୁ ନଯାଇ ସେ ଊର୍ଦ୍ଧ୍ୱାଭିମୁଖରେ ପର୍ବତଆଡ଼କୁ ଗତି କରିବାକୁ ଲାଗିଲେ । ସେହି ଅଞ୍ଚଳଟି ଅତିକ୍ରମ କରୁଥିବା ସମୟରେ ସେହି ନିର୍ଦ୍ଦିଷ୍ଟ ସୁବାସିତ ତାଙ୍କର ଅଧିକ ନିକଟବର୍ତ୍ତୀ ହେଲାପରି ମନେହେଉଥାଏ ।

 

କାମନୀତ ଶୂନ୍ୟରେ ଭାସିଭାସି ଚାଲିଯାଉଥାନ୍ତି ।

 

ଏପାଖରେ ଭୂଭାଗର ଦୃଶ୍ୟ ସେତେ ସୁନ୍ଦର ବୋଲି ମନେହେଲା ନାହିଁ । ଫୁଲର ସଂଖ୍ୟା କମ୍ ହୋଇଆସିଲା, ଗୁଳ୍ମ ଓ ଅରଣ୍ୟ କ୍ରମେ ଘନ ହୋଇଆସିଲା । ପାହାଡ଼ଟି ମଧ୍ୟ ଅଧିକ ଉଚ୍ଚ ହୋଇଆସିଲା । ସେ ଯୂଥଯୂଥ ହରିଣ ଦେଖିବାକୁ ପାଇଲେ, କିନ୍ତୁ ଜଣେହେଲେ ମନୁଷ୍ୟମୂର୍ତ୍ତି ଦେଖିଲେନାହିଁ ।

 

ଉପତ୍ୟକାଟି କ୍ରମେ ଅଧିକ ସଂକୀର୍ଣ୍ଣ ହୋଇଆସିଲା, କାମନୀତ ହଠାତ୍ ଆସି ଏକ ଭୀମଗର୍ଭ ପାଖରେ ପହଞ୍ଚିଗଲେ । ଏଠାରେ ସେହି ସୁବାସଟି ଆସି ନାକ ଫଟାଇ ଦେଲାପରି ମନେ ହେଉଥାଏ । ସେ ଯେତିକି ଯେତିକି ସତ୍ୱର ଗତିରେ ଆଗକୁ ଯାଉଥାନ୍ତି, ସେହି ପର୍ବତଭୂମି ସେତିକି ସେତିକି ଅଧିକ ସଂକୀର୍ଣ୍ଣ, ବୃକ୍ଷଶୂନ୍ୟ ଓ ରୁକ୍ଷ ଦେଖାଯାଉଥାଏ । ଶେଷରେ ସେ ଏପରି ଏକ ସ୍ଥାନରେ ଆସି ପହଞ୍ଚିଲେ, ଯେଉଁଠାରୁ ଆଗକୁ ଯିବାଲାଗି ଆଉ କୌଣସି ବାଟ ନଥିଲା ।

 

ଆଉ ଦୁଇପାହାଚ ତଳକୁ ଗଡ଼ିଯିବାପରେ ଭୀମଗର୍ତ୍ତ ଆରମ୍ଭ ହୋଇଚି ।

 

ଚାରିପାଖରେ ପର୍ବତଶ୍ରେଣୀ ଠିଆହୋଇ ରହିଚି, ଆଗକୁ ଯିବାଲାଗି ଆଉ ବାଟ ନାହିଁ । ଏହି ସମୟରେ ଠିକ୍‍ ମଝିଜାଗାରେ କାମନୀତ ଅଦ୍ଭୁତ ବୃକ୍ଷଟିକୁ ଦେଖିବାକୁ ପାଇଲେ ।

 

ଗଛର ଗଣ୍ଡି ଓ ଶାଖାଗୁଡ଼ିକ ରକ୍ତବର୍ଣ୍ଣ ପ୍ରବାଳରେ ନିର୍ମିତ ହୋଇଚି । ପତ୍ରଗୁଚ୍ଛଗୁଡ଼ିକରେ ଏକ ପୀତାଭ ରଙ୍ଗବିନ୍ୟାସ ଉକୁଟି ଉଠୁଚି, ଏହି ଗୁଚ୍ଛଭିତରୁ ଘନ ସିନ୍ଦୂରରଙ୍ଗର ପୁଷ୍ପସ୍ତବକମାନ ବାହାରି ଆସିଚି ।

 

ଉପରେ ଏହି ଗିରିଭୂମି ଓ ବୃକ୍ଷଟିର ଊର୍ଦ୍ଧ୍ୱବେଶରେ ଘନନୀଳ ଆକାଶ, କେଉଁଠିହେଲେ ମେଘର ଲେଶମାତ୍ର ସଙ୍କେତ ମଧ୍ୟ ନାହିଁ । ଦୂରରୁ କେଉଁ ଅଦୃଶ୍ୟ ସ୍ଥାନରୁ ଯେପରି କେଉଁ ସଙ୍ଗୀତଧ୍ୱନି ଭାସିଭାସି ଆସୁଥାଏ, ଏହି ସଙ୍ଗୀତକୁ ସତେ ଯେପରି ଆଉ କେଉଁଠି ଶୁଣିଥିଲା ପରି ମନେହେଉଥାଏ ।

 

କେବଳ ତିନୋଟି ରଙ୍ଗ–ଆକାଶର ଉଜ୍ଜ୍ୱଳ ନୀଳରଙ୍ଗ, ପର୍ବତଭୂମିର ଶ୍ୟାମଳ ହରିତ ରଙ୍ଗ ଓ ବୃକ୍ଷଟିର ଲୋହିତ ରଙ୍ଗ । ଏବଂ କେବଳ ଗୋଟିଏ ସୁବାସ–ସିନ୍ଦୂର ରଙ୍ଗର ଫୁଲଗୁଡ଼ିକରୁ ଭାସି ଆସୁଥିବା ସେହି ରହସ୍ୟମୟ ସୁବାସ । ସେହି ସୁବାସ ହିଁ କାମନୀତଙ୍କୁ ଦୂରରୁ ସେଠାକୁ ଆକୃଷ୍ଟ କରି ଆଣିଚି ।

 

ଏତେବେଳେକେ କାମନୀତ ସେହି ସୁବାସର ବୈଶିଷ୍ଟ୍ୟମାନ ଜାଣିବାକୁ ପାଇଲେ :

 

ସେହି ସୁବାସକୁ ଏଠାରେ ଆଘ୍ରାଣ କରିବା ସଙ୍ଗେସଙ୍ଗେ କାମନୀତଙ୍କର ଚେତନା ହଠାତ୍‍ ସୁଦୂର ପ୍ରସାରିତ ହୋଇଗଲା, କୌଣସିପ୍ରକାର ବାଧା ବା ବ୍ୟବଧାନ ନମାନି ତାହା ଚତୁର୍ଦ୍ଦିଗକୁ ପ୍ରଲମ୍ବିତ ହେଲା ।

 

ସେ ତତ୍‍କ୍ଷଣାତ୍ ଆପଣାର ବ୍ୟତୀତ ଜୀବନର ସମସ୍ତ ଚିତ୍ରଟି ଆଖିଆଗରେ ଦେଖିବାକୁ ପାଇଲେ ।

 

ସେ ପ୍ରଥମେ ଦେଖିଲେ, କୁମ୍ଭାରର ବାସଗୃହରେ ବସି ସେ ସେହି ନିର୍ବୋଧ ବୌଦ୍ଧଭିକ୍ଷୁଙ୍କ ସହିତ କଥାବାର୍ତ୍ତା ହେଉଚନ୍ତି । ତା’ପରେ ସେ ଆପଣାକୁ ରାଜଗୃହର ନଗରମାର୍ଗ ଦେଇ ତରତର ହୋଇ ଦଉଡ଼ିବାର ଦେଖିବାକୁ ପାଇଲେ । ତାପରେ ଆଗରୁ ହଠାତ୍‍ ସେହି ଗାଈଟି ତାଙ୍କ ଆଡ଼କୁ ମାଡ଼ିଆସିଲା–ତା’ପରେ ଲୋକମାନେ ବଡ଼ ବ୍ୟସ୍ତଭାବରେ ତାଙ୍କ ଆଡ଼କୁ ଦଉଡ଼ି ଆସିଲେ, ପୀତବସ୍ତ୍ର ପିନ୍ଧିଥିବା ସନ୍ନ୍ୟାସୀମାନେ ମଧ୍ୟ ଆସି ପହଞ୍ଚିଲେ । ତା’ପରେ କିପରି କେତେ ଅରଣ୍ୟପଥ ଅତିକ୍ରମ କରି ସେ ଯାତ୍ରୀ ହୋଇ ଆସିଥିଲେ, ତାହା ମଧ୍ୟ ସେ ଦେଖିବାକୁ ପାଇଲେ । ତା’ପରେ ତାଙ୍କର ପ୍ରାସାଦତୁଲ୍ୟ ବାସଭବନ, ତାଙ୍କର ଦୁଇ ପତ୍ନୀ, ଉଜ୍ଜୟିନୀ ନଗରରେ ଥିବା ତାଙ୍କର ସଙ୍ଗିନୀମାନେ, ଦସ୍ୟୁଦଳ, କୃଷ୍ଣବନ ଏବଂ ବଶିଷ୍ଠୀ ସହିତ ସେହି ଅଶୋକ-ଉଦ୍ୟାନ, ପିତାଙ୍କର ନିବାସସ୍ଥାନ ଇତ୍ୟାଦି ଇତ୍ୟାଦି ।

 

ଏହିସବୁ ଜୀବନଚିତ୍ର ଦେଖିସାରିବା ପରେ ସେ ତତ୍‍ପୂର୍ବ ଜୀବନଟିକୁ ମଧ୍ୟ ଦେଖିବାକୁ ପାଇଲେ । ପରପର ହୋଇ ବ୍ୟତୀତ ଅନେକ ଜୀବନର ଘଟଣାମାନ ଚଳଚିତ୍ର ପରି ତାଙ୍କ ଆଗରେ ଭାସିଯିବାକୁ ଲାଗିଲା । ରାଜପଥରେ ଦୂରକୁ ଅନାଇଲେ ଦୁଇପାଖରେ ଥିବା ଗଛମାନ ପଛକୁପଛ ହୋଇ ଠିକ୍ ଏହିପରି ଦେଖାଯାନ୍ତି । ଅତି ଦୂରରେ ଗଛଗୁଡ଼ିକ ଗୋଟିଏ ଗୋଟିଏ ବିନ୍ଦୁରେ ପରିଣତ ହୋଇ ଗଲାପରି ଦେଖାଯାଆନ୍ତି ଓ ଶେଷରେ ଆହୁରି ଅନେକ ଗଛ ଗୋଟିଏ କୃଷ୍ଣବର୍ଣ୍ଣ ଛାୟାରେଖାରେ ମିଳାଇ ଯାଇଥାନ୍ତି ।

 

ଏହିସବୁ ଦେଖି ତାଙ୍କର ମୁଣ୍ଡ କଣ ହୋଇଗଲା ପରି ମନେହେଲା । ପଲକମାତ୍ରକେ ଠିକ୍‍ ବାୟୁତରଙ୍ଗରେ ଉଡ଼ିଆସୁଥିବା ଗୋଟିଏ ପତ୍ରପରି ସେ ପୁଣି ଆସି ସେହି ଭୀମଗର୍ତ୍ତ ପାଖରେ ପହଞ୍ଚିଲେ । କାରଣ ପ୍ରବାଳ ବୃକ୍ଷର ସୁବାସକୁ ଅଧିକ ସମୟ ପର୍ଯ୍ୟନ୍ତ ଆଘ୍ରାଣ କରିବା କାହାରି ପକ୍ଷରେ ସମ୍ଭବ ହୁଏ ନାହିଁ ଏବଂ ମୁଣ୍ଡ ବୁଲାଇବା ପରି ଲାଗିଲା ବେଳକୁ ମନୁଷ୍ୟ ଭିତରେ ରହିଥିବା ବଞ୍ଚିବାର ମୂଳପ୍ରବୃତ୍ତି ତାକୁ ସେଠାରୁ ଦୂରକୁ ନେଇ ଚାଲିଆସେ । ଉନ୍ମୁକ୍ତ ଉପତ୍ୟକା ମଧ୍ୟରେ ଭାସିଯାଉଥିବା ସମୟରେ କାମନୀତ ଭାବୁଥାନ୍ତି : –

 

ସେହି ଶୁଭ୍ରବସ୍ତ୍ରଧାରୀ ମୂର୍ତ୍ତିଟି ଏପର୍ଯ୍ୟନ୍ତ ପ୍ରବାଳବୃକ୍ଷ ପାଖକୁ ଆସିନାହାନ୍ତି ବୋଲି କାହିଁକି କହୁଥିଲେ, ମୁଁ ଏତେବେଳେକେ ତା’ର କାରଣ ଜାଣିଲି । ସେତେବେଳେ ସ୍ୱପ୍ନପ୍ରତିମା ବୋଇଲେ ସେ କଣ ବୁଝୁଥିଲେ, ମୁଁ ସେକଥା ଆଦୌ ବୁଝିପାରୁନଥିଲି । କିନ୍ତୁ ବର୍ତ୍ତମାନ ଜାଣିଲି, କାରଣ ବର୍ତ୍ତମାନ ତ ମୁଁ ନିଜେ ସେସବୁ ଦେଖିବାକୁ ପାଇଲି ଏବଂ ବର୍ତ୍ତମାନ ମୁଁ ଏଠାକୁ କିପରି ଆସିଲି, ସେକଥା ମଧ୍ୟ ବେଶ୍‍ ବୁଝିପାରୁଚି । ରାଜଗୃହର ଆମ୍ରବନରେ ମୁଁ ବୁଦ୍ଧଙ୍କର ଦର୍ଶନ ଲାଭ କରିବାକୁ ଚାହୁଥିଲି ନା ? କିନ୍ତୁ ଅତି ଆକସ୍ମିକ ଭାବରେ ମୋର ମୃତ୍ୟୁ ଘଟିବାରୁ ଆଉ ତାହା ସମ୍ଭବ ହୋଇ ପାରିଲାନାହିଁ । କିନ୍ତୁ ମୋର ଉଚ୍ଚ ଆକାଂକ୍ଷାର ଫଳ ଅବଶ୍ୟ ଫଳିଲା ଏବଂ ତାହାରି ବଳରେ ମୁଁ ଅମରାବତୀକୁ ଆସିପାରିଲି । ସତେ ଯେପରି ମୁଁ ବୁଦ୍ଧଙ୍କର ଚରଣପାର୍ଶ୍ୱରେ ବସି ତାଙ୍କର ପୁଣ୍ୟମୟ ଉପଦେଶ ଶୁଣିବାକୁ ପାଇଚି, ମୋତେ ତାହାରି ସୌଭାଗ୍ୟ ପ୍ରାପ୍ତ ହେଲା । ଏହି ଦୃଷ୍ଟିରୁ ଦେଖିଲେ ମୋର ଯାତ୍ରୀଜୀବନ ଆଦୌ ନିଷ୍ଫଳ ହୋଇନାହିଁ ।

 

ଏହିପରି ଭାବୁଭାବୁ କାମନୀତ ତାଙ୍କର ହ୍ରଦଟି ପାଖରେ ଯାଇ ପହଞ୍ଚିଲେ ଏବଂ ଚଢ଼େଇ ତା’ର ଆପଣା ନୀଡ଼ରେ ଯାଇ ପଶିଗଲା ପରି ସେ ଆପଣାର ପଦ୍ମପୁଷ୍ପ ଉପରକୁ ଅବତରଣ କଲେ ।

Image

 

୨୫

କୁସୁମବିକାଶ

 

ହଠାତ୍‍ କାମନୀତ ଅନୁଭବ କଲେ, ଯେପରି ତାଙ୍କର ଆସନତଳେ କୌଣସି ଗତି ବା ଜୀବନର ସଞ୍ଚାର ହେଲା । ସ୍ୱଚ୍ଛ ଗଭୀର ଭିତରୁ ସେ ଯେପରି କୌଣସି ଏକ ଅସ୍ପଷ୍ଟ ଛାୟା ଉପରକୁ ଉଠି ଆସୁଥିବାର ଅନୁଭବ କଲେ । ସେହି ଗତିର ପ୍ରତିକ୍ରିୟା ଦ୍ୱାରା ଜଳଉପରେ ହଠାତ୍‍ ତରଙ୍ଗମାନ ସୃଷ୍ଟି ହେବାକୁ ଲାଗିଲା ଏବଂ ଜଳଭିତରୁ ଗୋଟିଏ ରକ୍ତବର୍ଣ୍ଣ କମଳକଢ଼ି ଉପରକୁ ଉଠିଆସିଲା, ଠିକ୍‍ ଯେପରି ଗୋଟିଏ ମାଛ ଜଳଭିତରୁ ଶୂନ୍ୟମଣ୍ଡଳ ଡେଇଁପଡ଼େ, ଠିକ୍‍ ସେହିପରି । କମଳକଢ଼ିଟି ଉଠିଆସି ପ୍ରଥମେ ଜଳସମତଳର ଏଣେତେଣେ ଭାସି ବୁଲିବାକୁ ଆରମ୍ଭ କଲା, ଜଳ ଉପରେ ଶତହୀରକର ଶୋଭା ଖେଳାଇଦେଲା ।

ଏଣେ କାମନୀତଙ୍କର ମାନସ–ସମତଳ ଉପରେ ମଧ୍ୟ କେତେକେତେ ରଙ୍ଗର ବିଚିତ୍ର ଖେଳ ଆରମ୍ଭ ହୋଇଗଲା, ଆପଣାର ହୃଦୟ ଭିତରେ ସେ କେଉଁ ଆନନ୍ଦମୟ ଗତିଶୀଳତାର ପ୍ରତିଚ୍ଛବିର ନୃତ୍ୟ ଅନୁଭବ କରିବାକୁ ଲାଗିଲେ ।

ଇଏ ପୁଣି କଣ ?–ଦୃଷ୍ଟିଦ୍ୱାରା ସେ ଆପଣାର ନୀଳବର୍ଣ୍ଣ ପ୍ରତିବେଶୀକୁ ପଚାରିଲେ ।

ଠିକ୍ ଏହି ମୁହୂର୍ତ୍ତରେ ତଳେ ତମସାଚ୍ଛନ୍ନ ମର୍ତ୍ତ୍ୟଲୋକରେ କୌଣସି ମାନବାତ୍ମା ଆପଣାର ସମସ୍ତ ହୃଦୟବେଦନା ଓ ଅଭିଳାଷ ଦେଇ ଅମରାବତୀର ପଶ୍ଚିମ ଭାଗରେ ଜନ୍ମଲାଭ କରିବାକୁ ଆସୁଚି । ଏହି କଢ଼ଟି ଆଡ଼କୁ ଚାହିଁ ରହିଯାଅ, ହୁଏତ ଅତି ଅଳ୍ପସମୟ ମଧ୍ୟରେ ଏହା ପୂର୍ଣ୍ଣ ବିକଶିତ ହୋଇ ଉନ୍ମୋଚିତ କୁସୁମ ରୂପରେ ଫୁଟି ଉଠିବ । କାରଣ ମର୍ତ୍ତ୍ୟଲୋକର ଅନେକ ଆତ୍ମା ଏହି ଐଶ୍ୱର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଲାଭ କରିବାକୁ ଇଚ୍ଛା କରନ୍ତି, କିନ୍ତୁ ସେଥିଲାଗି ସମସ୍ତେ ସମର୍ଥ ହୋଇପାରନ୍ତିନାହିଁ । ଅନେକେ ପୁଣି ସଂସାରର ଅଳୀକ ଦୁଃଖଜାଲ ଭିତରେ ଗୁଡ଼ାଇ ହୋଇ ରହନ୍ତି, ଦେହର କାମନାରେ ନିମଗ୍ନ ରହି ପୁଣି ସାଂସାରିକ ଆବର୍ଜନାମାନଙ୍କରେ ଲିପ୍ତ ହୋଇପଡ଼ନ୍ତି-। ଏହାଫଳରେ କଢ଼ଟି ପୁଣି ଏଠାରୁ ଅଦୃଶ୍ୟ ହୋଇଯାଏ । ଖୁବ୍‍ ସମ୍ଭବ ଏହା ଏକ ପୁରୁଷ ଆତ୍ମା । ଏହି ସରୋବରରେ ପୁରୁଷ ଓ ସ୍ତ୍ରୀ ଆତ୍ମା ପ୍ରାୟ ସମାନ ସଂଖ୍ୟାରେ ଅଛନ୍ତି । କିନ୍ତୁ ନୀଳବର୍ଣ୍ଣ ଆତ୍ମାଭିତରୁ ଉଜ୍ଜ୍ୱଳ ନୀଳବର୍ଣ୍ଣର ସ୍ତ୍ରୀ ଆତ୍ମାଗୁଡ଼ିକର ସଂଖ୍ୟା ଅନେକ ଅଧିକ ।

ଏହି କଥା ଶୁଣି କାମନୀତଙ୍କର ହୃଦୟ ନାନା ବିହ୍ୱଳ ଆବେଗରେ ସ୍ପନ୍ଦିତ ହେବାକୁ ଲାଗିଲା, ସତେ ଯେପରି ତହିଁ ସଙ୍ଗେସଙ୍ଗେ ଏକ ସବେଦନ ଆନନ୍ଦ ଓ ଆନନ୍ଦମୟ ବେଦନା ତାଙ୍କର ହୃଦୟକୁ ଆନ୍ଦୋଳିତ କରିବାକୁ ଆରମ୍ଭ କଲା । ସତେଅବା କେଉଁ ରହସ୍ୟର ଉଦ୍‍ଘାଟନ କଲାପରି ସେ ଗୋଟିଏ କମଳକଢ଼ି ପ୍ରତି ଦୃଷ୍ଟିପାତ କରିବାକୁ ଲାଗିଲେ । ଠିକ୍ ଏକ ରାଜହଂସର ବକ୍ଷପରି ସ୍ୱଚ୍ଛ ଶୁଭ୍ରବର୍ଣ୍ଣର ସେହି କଳିଟି ତାଙ୍କର ଅତି ନିକଟରେ ଜଳତରଙ୍ଗ ଉପରେ ଅତ୍ୟନ୍ତ ଶୋଭାମୟ ଭାବରେ ଭାସି ବୁଲିବାକୁ ଲାଗିଲା ।

କାମନୀତ ପ୍ରତିବେଶୀଙ୍କ ଆଡ଼କୁ ଅନାଇ ପଚାରିଲେ : –

ମୋର ପଦ୍ମକଢ଼ଟି ଯେତେବେଳେ ଗଭୀର ଜଳଭିତରୁ ବାହାରକୁ ବାହାରିଥିଲା, ଆପଣ ସେତେବେଳେ ତାହାକୁ ଦେଖିଥିଲେ କି ? ସେ ବିଷୟରେ ଆପଣଙ୍କର କୌଣସି କଥା ମନେଅଛି କି ?

ହଁ ହଁ, ମୋର ଭଲକରି ମନେଅଛି । ବର୍ତ୍ତମାନ ଯେଉଁ ଶ୍ୱେତ କମଳଟି ଆଡ଼କୁ ତୁମେ ଅନାଇ ରହିଚ, ସେଇଟି ଏବଂ ତୁମର କଢ଼ିଟି ଏକାବେଳେକେ ପାଣିଭିତରୁ ଉପରକୁ ଉଠିଆସିଲେ-। ଏହି କଢ଼ି ଦୁଇଟିକୁ ନିରୀକ୍ଷଣ କରି ଦେଖିଲାବେଳେ ଅନେକ ସମୟରେ ମୋର ମନରେ ଟିକିଏ ସଂଶୟ ଜାତ ହେଉଥିଲା । ପ୍ରଥମେ ତୁମର କଢ଼ିଟି ହଠାତ୍‍ ବଡ଼ ସଙ୍କୁଚିତ ହୋଇଗଲା, ମନେହେଲା ଯେପରି ଏହା ପୁଣି ପାଣି ଭିତର ବୁଡ଼ିଯିବ ଓ ଅଦୃଶ୍ୟ ହୋଇଯିବ- କିନ୍ତୁ ହଠାତ୍ ଏହି ସମୟରେ ଏହା ପୁନରାୟ ଉପରକୁ ଉଠିଲା ଏବଂ କ୍ଷଣକ ଭିତରେ ପୂର୍ଣ୍ଣ ପ୍ରସ୍ଫୁଟିତ ହେଲା । ମାତ୍ର ଶୁଭ୍ର କଢ଼ିଟି ବିଧିବଦ୍ଧ ଭାବରେ ତା’ର ଆପଣା ସମୟରେ ଫୁଟି ଉଠିଥିଲା, କିନ୍ତୁ ମଝିରେ ଥରେ ଏହା ଅତ୍ୟନ୍ତ କୀଟଦଂଶ ହୋଇପଡ଼ିଥିଲା । ସୌଭାଗ୍ୟବଶତଃ ଏହାର ପୂର୍ବ ଶକ୍ତି ପୁଣି ଫେରିଆସିଲା ଏବଂ ଗୋଟାଏ ସୁନ୍ଦର ଫୁଲହୋଇ ଏହା ଶୋଭା ପାଇବାକୁ ଲାଗିଲା । ତାହାର ସୌନ୍ଦର୍ଯ୍ୟକୁ ତୁମେ ନିଜେ ମଧ୍ୟ ଲକ୍ଷ୍ୟ କରି ଦେଖିପାରୁଥିବ ।

ଏହି କଥା ଶୁଣି କାମନୀତଙ୍କର ହୃଦୟରେ ପୁଣି ଆନନ୍ଦର ସ୍ପନ୍ଦନମାନ ଜାଗିଉଠିଲା । ତାଙ୍କର ମନେହେଲା, ଯେପରି ସେ ଏତେବେଳଯାଏ ଏକ ଅନ୍ଧକାରାଚ୍ଛନ୍ନ ସ୍ଥାନରେ କେବଳ ଏକ ଅଜ୍ଞାନ ଅତିଥି ହୋଇ ରହିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ଚତୁର୍ଦ୍ଦିଗର ଯାବତୀୟ ପଦାର୍ଥ ଆଲୋକିତ, ସୁଗନ୍ଧମୟ ଓ ଶବ୍ଦଝଙ୍କୃତ ହୋଇ ଉଠିଲାପରି ମନେହେଲା ।

ଏବଂ ଏହିପରି ଭାବରେ ସେଇ ଶୁଭ୍ର ପଦ୍ମଟି ଉପରେ ଦୃଷ୍ଟିପାତ କରୁକରୁ ସତେ ଯେପରି କାହାର କାଉଁରୀକାଠି ବୁଲିଗଲା ପୁଣି ଫୁଲଟି ଉପରେ ଏକ ଅପୂର୍ବ କମ୍ପନ ସୃଷ୍ଟି ହେଲା ।       

ପାଖୁଡ଼ାଗୁଡ଼ିକ ଗୋଟିଗୋଟି ହୋଇ ମୁକୁଳିତ ହୋଇଉଠିଥିଲେ ଏବଂ ତଳକୁ ଝୁଲିପଡ଼ିଲେ । ଏବଂ ତା’ପରେ କ’ଣ ହେଲା, ଦେଖ ! ସେହି ପୁଷ୍ପଦଳଦ୍ୱାରା ପରିବେଷ୍ଟିତ ହୋଇ ବଶିଷ୍ଠୀ ଆସୀନ ରହିଥିଲା । ତାହାର ସ୍ମିତ ଆଖିର ଚାହାଣି ସହିତ କାମନୀତଙ୍କର ଦୃଷ୍ଟି ମିଳିତ ହେଲା ।

ତତ୍‍କ୍ଷଣାତ୍ ଦୁହେଁ ଦୁହିଁଙ୍କ ଆଡ଼କୁ ବିହ୍ୱଳ ବାହୁ ପ୍ରସାରିତ କରିଦେଲେ ଏବଂ ହାତରେ ହାତ ମିଳିତହେବା ମାତ୍ରକେ ତଟଭୂମି ଆଡ଼କୁ ଭାସିଯିବାକୁ ଲାଗିଲେ ।

କାମନୀତ ବେଶ୍ ଲକ୍ଷ୍ୟ କରି ପାରିଲେ ଯେ ବଶିଷ୍ଠୀ ତାଙ୍କୁ ଏପର୍ଯ୍ୟନ୍ତ ଚିହ୍ନି ପାରିନାହିଁ । ସୂର୍ଯ୍ୟମୁଖୀ ଫୁଲ ଆପେଆପେ ସୂର୍ଯ୍ୟଙ୍କ ଆଡ଼କୁ ଢଳିପଡ଼ିଲା ପରି ସେ କେବଳ ଅଜାଣତରେ ତାଙ୍କ ଆଡ଼କୁ ଢଳି ପଡ଼ିଥାଏ । କିପରି ବା ସେ ତାଙ୍କୁ ଚିହ୍ନି ପାରିଥାନ୍ତା ? ଏହି ହ୍ରଦରେ ଫୁଟିଉଠିବା ସଙ୍ଗେ ସଙ୍ଗେ ହୁଏତ ସେ ତାହାର ଅତୀତ ଜୀବନର ସମସ୍ତ ଘଟଣାକୁ ସ୍ମରଣ କରିପାରିନାହିଁ, ହୁଏତ ତାଙ୍କୁ ଦେଖିବାମାତ୍ରକେ ତାହାର ମନର ଗଭୀରରେ ଏକ ଅନ୍ଧକାର ଛାୟାବେଶ ଅନୁଭୂତ ହେଲା ପରି ମନେ ହୋଇଚି । ପ୍ରତିବେଶୀଠାରୁ ଆକାଶଗଙ୍ଗା ବିଷୟରେ ଶୁଣିଲାବେଳେ ମଧ୍ୟ ତାଙ୍କ ମନରେ ଏହିପରି ଏକ ଅନୁଭୂତି ଜାତ ହୋଇଥିଲା ।

ହ୍ରଦ ଭିତରକୁ କୁଳୁକୁଳୁ ହୋଇ ବହିଆସୁଥିବା ନଦୀଟିକୁ ଇସାରା କରି କାମନୀତ ବଶିଷ୍ଠୀକୁ ଦେଖାଇବାକୁ ଲାଗିଲେ ।

ଏହି ସ୍ୱର୍ଗୀୟଭୂମିରେ ଠିକ୍ ଏହିପରି ଭାବରେ ଆକାଶଗଙ୍ଗାର ଜଳସ୍ରୋତ ସମସ୍ତ ହ୍ରଦ ଓ ସରୋବର ଭିତରକୁ ବହିଆସୁଚି ।

ଆକାଶଗଙ୍ଗା ? –ପଚାରି ବଶିଷ୍ଠୀ ଆପଣାର ହାତକୁ କପାଳଉପରେ ଘଷିବାକୁ ଲାଗିଲା ।

ଚାଲ, ଆମେ ବର୍ତ୍ତମାନ ପ୍ରବାଳବୃକ୍ଷ ପାଖକୁ ଯାଇ ଦେଖିଆସିବା । ଅନ୍ୟ ଏକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବଳିଷ୍ଠୀ କହିଲା : –

ସେଇଆଡ଼େ କେଡ଼େ ସୁନ୍ଦର ଜାଗାମାନ ରହିଚି, ସେଠି ସମସ୍ତେ ଖେଳୁଚନ୍ତି ।

ସେଠାକୁ ଆମେ ପରେ ଯିବା । ପ୍ରଥମେ ପ୍ରବାଳବୃକ୍ଷ ପାଖକୁ ଯିବା, ତେବେଯାଇ ତୁ ଏହାର ଅଦ୍ଭୁତ ସୁବାସର ଅନୁଭୂତି ଲାଭ କରିପାରିବୁ ।

ନୂଆ ଖେଳନାର ଲୋଭ ଦେଖାଇ ପିଲାଙ୍କୁ ଡାକିଲେ ପିଲାମାନେ ଯେପରି ସ୍ୱାଭାବିକ ଭାବରେ ପଛରେ ଯିବାକୁ ଲାଗନ୍ତି, ଠିକ୍ ସେହିପରି ବଶିଷ୍ଠୀ କାମନୀତଙ୍କର ପଛେପଛେ ଯିବାକୁ ଆରମ୍ଭ କଲା । କ୍ରମେ ପ୍ରବାଳବୃକ୍ଷର ସୁବାସ ଆସି ତାର ନାକରେ ବାଜିବାମାତ୍ରକେ ତାର ଆଗ୍ରହ ଆହୁରି ବଢିବାକୁ ଆରମ୍ଭକଲା ।

ଗିରିଗର୍ତ୍ତ ପାଖରେ ଆସି ପହଞ୍ଚିଲାବେଳେ ସେ ପଚାରିଲା ତୁମେ ମୋତେ କେଉଁଆଡ଼କୁ ଡ଼ାକି ନେଇଯାଉଚ ? ମୋତେ ସବୁ ବିଷୟ ବଡ଼ ବିସ୍ମିତ ଓ ଚକିତ ମନେହେଉଚି । ମୋତେ ଲାଗୁଚି, ଯେପରି କଣସବୁ ଅସମ୍ଭବ ଘଟଣାମାନ ଏହି ଅଳ୍ପସମୟ ଭିତରେ ଘଟିଯିବାକୁ ଯାଉଚି । ମୁଁ ଯେ ଏ ପର୍ଯ୍ୟନ୍ତ ଚୈତନ୍ୟ ଲାଭ କରିନାହିଁ, ତୁମର ହସରୁ ମୁଁ ଏହିକଥା ବେଶ୍ ଭଲଭାବରେ ଜାଣିପାରୁଚି । କିନ୍ତୁ ତୁମେ ନିଶ୍ଚୟ ବାଟବଣା ହୋଇସାରିଲଣି, ଏଠାରୁ ତୁ ଆଗକୁ ଆଉ ବାଟ ଥିଲାପରି ବୋଧ ହେଉନାହିଁ ।

ହସି ହସି କାମନୀତ ଉତ୍ତରଦେଲେ ଅନେକ, ଅନେକ ଦୂରକୁ ବାଟ ରହିଚି । ଏଠାରୁ ଯେ ମଣିଷ କେତେକେତେ ଆଡ଼କୁ ଯାଇପାରିବ, ତାହା କଳ୍ପନା କରି କୁହାଯାଇ ପାରିବନାହିଁ । ମୋର ପ୍ରିୟତମା ବଶିଷ୍ଠୀ, ତୁ ଅଳ୍ପସମୟ ଭିତରେ ସବୁକଥା ନିଜେ ଜାଣି ପାରିବୁ ।

ସେତେବେଳକୁ ସେହି ଶ୍ୟାମଳ ଗିରିଭୂମି, ଲୋହିତବର୍ଣ୍ଣ ପ୍ରବାଳବୃକ୍ଷ ଏବଂ ଘନନୀଳ ଆକାଶ ଦୃଷ୍ଟିଗୋଚର ହୋଇସାରିଲାଣି । ଚତୁର୍ଦ୍ଦିଗ କେତେ ମହକରେ ଫାଟିପଡ଼ୁଚି । ବକ୍ଷଉପରେ ହାତ ରଖି ବଶିଷ୍ଠୀ ପ୍ରାଣଭରି ଏହି ସୁଗନ୍ଧ ପାନ କରିବାକୁ ଲାଗିଲା । ତାହାର ମୁଖମଣ୍ଡଳ ଉପରେ ଆଲୋକ ଓ ଛାୟାର ଛବିମାନ ପରପରହୋଇ ଭାସିଯିବା ପରି ମନେହେଲା, କେତେ ଅତୀତ ଜୀବନର କେତେ ସ୍ମୃତିଆସି ତାହାର ମାନସ–ଅଙ୍ଗନକୁ ପରିପୂର୍ଣ୍ଣ କରିଦେଲା ।

ତତ୍‍କ୍ଷଣାତ୍ ଆପଣାର ବାହୁଦ୍ୱୟ ଭତ୍ତୋଳିତ କରି ସେ ଆପଣାକୁ କାମନୀତଙ୍କର ବକ୍ଷ ଉପରେ ଅଜାଡ଼ି ଦେଲା ।

କାମନୀତ, ମୋର ପ୍ରିୟତମ କାମନୀତ ।

ଏବଂ କାମନୀତ ଆପଣାର ବାହୁଭିତରେ ତାହାକୁ ବହନ କରି ଗିରିଗର୍ଭ ପାର ହୋଇ ଆସିଲେ ।

ବାଟରେ ଏକ ଉନ୍ମୃକ୍ତ ତୃଣଭୂମି ଉପରେ କୁରଗଯୂଥ କ୍ରୀଡ଼ା କରୁଥାନ୍ତି । ସେହି ନିବିଡ଼ ନିର୍ଜନତାକୁ କୌଣସି ପ୍ରକାରେ ବ୍ୟାହତ କରିବାକୁ କେଉଁଠି ଜଣେ ହେଲେ ମନୁଷ୍ୟମୂର୍ତ୍ତି ଦୃଷ୍ଟିଗୋଚର ହେଉନଥାନ୍ତି । ଗୋଟିଏ ଗଛମୂଳରେ ବଶିଷ୍ଠୀ ସହିତ ସେ ଏକତ୍ର ଉପବେଶନ କଲେ-

ବଶିଷ୍ଠୀ ବଡ଼ ବିକଳ ହୋଇ କହିବାକୁ ଆରମ୍ଭ କଲା–ହାୟ ହତଭାଗ୍ୟ କାମନୀତ ! ତୁମକୁ କେଡ଼େକେଡ଼େ ଦୁଃଖ ଭୋଗ କରିବାକୁ ନହେଲା । ଏବଂ ମୋ’ ବିଷୟରେ ତୁମେ କଣସବୁ ଭାବିସାରିଚ କହିଲ ! ତୁମେ ଭାବିଚ, ମୁଁ ଶତଗୀରକୁ ବିବାହ କରିଚି, ନୁହେଁ ?

କାମନୀତ କହିଲେ–ମୁଁ କେବଳ ଅନ୍ୟମାନଙ୍କଠାରୁ ଶୁଣିନାହିଁ, ମାତ୍ର କୌସାମ୍ବିର ପ୍ରଧାନ ମାର୍ଗରେ ମୁଁ ଆପଣା ଆଖିରେ ସ୍ୱୟଂ ଏହି ବିବାହର ଶୋଭାଯାତ୍ରା ଦେଖିଚି । ତୋର ମୁଖମଣ୍ଡଳକୁ ଆଚ୍ଛାନ୍ନ କରିଥିବା ଗଭୀର ବିଷର୍ଣ୍ଣ ଭାବ ଦେଖି ମୁଁ ଜାଣିବାକୁ ପାଇଚି ଯେ ପିତାମାତାଙ୍କ ଦ୍ୱାରା ବାଧ୍ୟ ହୋଇ ତୁ ଏହି ବିବାହରେ ଆପଣାର ସମ୍ମତି ଦେଇଚୁ ।

କିନ୍ତୁ ତୁମେ ଆଉ ଏହି ଜୀବନରେ ନାହଁ, ଏଥିରେ ମୋର ପ୍ରତ୍ୟୟ ଜନ୍ମାଇବାକୁ ମୋତେ ଯେଉଁ ପ୍ରମାଣ ସବୁ ଦିଆଗଲା, ସେହି ପ୍ରମାଣଗୁଡ଼ିକ ଉପରେ ବିଶ୍ୱାସ କରିନଥିଲେ ସଂସାରର କୌଣସି ଶକ୍ତି ମୋତେ କଦାପି ଏହି ବିବାହପାଇଁ ବାଧ୍ୟ କରିପାରି ନଥାନ୍ତା ।

ତାପରେ ବଶିଷ୍ଠୀ ଏହିପରି ଭାବରେ ଆପଣାର ଅନୁଭୂତିମାନ କହିବାକୁ ଆରମ୍ଭ କଲା-

Image

 

୨୬

ବ୍ୟାଘ୍ରଚକ୍ଷୁସୂଚିତ ଶୃଙ୍ଖଳ

 

ପ୍ରିୟତମ, ତୁମେ କୌସାମ୍ୱି ପରିତ୍ୟାଗ କରି ଚାଲିଗଲା ପରେ ମୋର ଦିନରାତି ବଡ଼ ଦୁଃଖଦ ଭାବରେ ଅତିବାହିତ ହୋଇଥିଲା । ମୁଁ ବିରହର ଜ୍ୱରରେ ଜର୍ଜର ରହି କାଳାତିପାତ କରୁଥାଏ । ମୋର ପ୍ରାଣ ପ୍ରିୟତମ ପ୍ରକୃତରେ ଆଉ ଜୀବନରେ ଅଛନ୍ତି କି ନାହିଁ, ଏହିକଥା ଭାବିଭାବି ମୁଁ ନାନା ଭୟରେ ସତତ ଶଙ୍କିତ ହୋଇ ରହିଥିଲି । ବାଣିଜ୍ୟର ଯାତ୍ରାପଥରେ ଯେ କେତେକେତେ ଭୀଷଣ ବିପଦର ସମ୍ମୁଖୀନ ହେବାକୁ ହୁଏ ମୁଁ ସେକଥା ଭଲକରି ଜାଣିଥିଲି । ତୁମେ ଠିକ୍ ସମୟରେ ରାଜଦୂତଙ୍କ ସହିତ ଯାତ୍ରା କରିଥିଲେ କେଡ଼େ ନିରାପଦରେ ଯାଇଥାନ୍ତ ! କିନ୍ତୁ ମୁହିଁ ନିର୍ବୋଧଙ୍କ ପରି କେବଳ ଆପଣାକୁ ଅପରାଧୀ କରିବାରେ ଲାଗିଥାଏ । ତଥାପି ମୋର ଏହି ଅସାବଧାନତା ସକାଶେ ମୁଁ ଆଦୌ ଦୁଃଖପ୍ରକାଶ କରିପାରୁନଥାଏ କାରଣ ତୁମ ସହିତ ଏକତ୍ର ଯାପନ କରିଥିବା ସେହି ସୁଖମୟ ମୁହୂର୍ତ୍ତଗୁଡ଼ିକର ସ୍ମୃତି ମୋତେ ସବୁବେଳେ ଅଭିଭୂତ କରି ରଖିଥାଏ ।

 

ମେଦିନୀ ମୋତେ କେତେ କଥା କହି କେତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥାଏ, କିନ୍ତୁ ତାହା କ୍ୱଚିତ୍ ମୋର ହୃଦୟକୁ ସ୍ପର୍ଶ କରୁଥାଏ । ସେହି ଅଶୋକ ଗଛଟି ହିଁ ବର୍ତ୍ତମାନ ମୋର ସବୁଠାରୁ ବିଶ୍ୱାସୀ ବନ୍ଧୁ ହୋଇ ରହିଲା । ତୁମର ମନେଅଛି, ଦିନେ ଏକ ଅପୂର୍ବ ଜ୍ୟୋତ୍ସାମୟୀ ରଜନୀରେ ଆମେ ଦୁହେଁ ସେହି ସୁନ୍ଦର ଅଶୋକଗଛର ତଳେ ଠିଆ ହୋଇଥିଲୁ । ନା–ତୁମେ ନିଶ୍ଚୟ ସେକଥା ପାସୋରି ପକାଇଚ । ସେହି ଅଶୋକଗଛକୁ ମୁଁ ସେଦିନ ଦମୟନ୍ତୀର ବାକ୍ୟ ପ୍ରୟୋଗ କରି ସମ୍ଭାଷଣ କରିଥିଲି । ଏହି ବୃକ୍ଷର ପତ୍ରମର୍ମର ଭିତରେ ମୋର ସନ୍ତପ୍ତ ହୃଦୟର ପ୍ରଶ୍ନଲାଗି ଉତ୍ତର ପାଇବି ବୋଲି ମୁଁ ବାରବାର ଚେଷ୍ଟା କରିଚି । କେଉଁଠି ଫୁଲଟିଏ ଶାଖାଛାଡ଼ି ତଳକୁ ଖସିପଡ଼ିଲେ ବା କେଉଁଠି ମାଟିଉପରେ ଆଲୋକ ଓ ଛାଇର ଆଲିମ୍ପନ-କ୍ରୀଡ଼ା ଆରମ୍ଭ ହୋଇଗଲେ, ସେଥିରୁ ମୁଁ କୌଣସି-ନା-କୌଣସି ଇଙ୍ଗିତ ପାଇବାକୁ କେତେ ଚେଷ୍ଟା ନକରିଚି । କେଉଁଦିନ ହୁଏତ କୌଣସି ଇଙ୍ଗିତର ସୂଚନା ପାଇ ମୁଁ ଦିନମାନ ଆପଣାକୁ କେଡ଼େ ଭାଗ୍ୟବତୀ ମନେକରି କେତେ ଆଶ୍ୱସନା ପାଇଚି ଏବଂ କେତେ ଆଶାରେ ଭବିଷ୍ୟତକୁ ପ୍ରତୀକ୍ଷା କରି ରହିଛି । କିନ୍ତୁ ଏହାଦ୍ୱାରା ମୋର ଆତୁର ହୃଦୟର ଆକାଂକ୍ଷା କେବଳ ବୃଦ୍ଧି ପାଇବା ହିଁ ସାର ହୋଇଚି ଏବଂ ଜ୍ୱରରୋଗୀ ଭୟଙ୍କର ସ୍ୱପ୍ନମାନ ଦେଖି ଚମକିଉଠିଲା ପରି ମୁଁ ଅଧିକ ତ୍ରାସ ଓ ଅଧିକ ଚିନ୍ତାରେ ଆହୁରି ବିବଶ ହୋଇ ପଡ଼ିଚି ।

 

କିନ୍ତୁ ଭଲ ହେଲା ଯେ ମୋର ପ୍ରେମକୁ ଏହିପରି ଅଧିକଦିନ ଆଳସ୍ୟରେ କେବଳ ସନ୍ତପ୍ତ ହୋଇ ପଡ଼ି ରହିବାକୁ ପଡ଼ିଲା ନାହିଁ । କାରଣ କିଛି ଦିନ ପରେ ଏହାକୁ ନାନା ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ପୂର୍ଣ୍ଣଶକ୍ତିରେ ସଂଗ୍ରାମ କରିବାକୁ ପଡ଼ିଲା । ଅବଶ୍ୟ ଏହାଦ୍ୱାରା ମୋର ଆତ୍ମୀୟସ୍ୱଜନଙ୍କଠାରୁ ମୁଁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇପଡ଼ିଥିଲି ।

 

ଠିକ୍ ଏହିସମୟରେ ମନ୍ତ୍ରୀପୁତ୍ର ଶତଗୀର ମୋ’ ପ୍ରତି ରହିଥିବା ତାହାର ପ୍ରେମାକାଂକ୍ଷାର ପ୍ରମାଣ ଦେଖାଇବାକୁ ଅତ୍ୟନ୍ତ ତତ୍ପର ହୋଇଉଠିଲା । ବାନ୍ଧବୀମାନଙ୍କ ଗହଣରେ ଏକାଠି ପ୍ରମୋଦ ଉଦ୍ୟାନକୁ ଯିବା ଆଉ ମୋ’ ପକ୍ଷରେ ସମ୍ଭବ ହେଲାନାହିଁ, ମୁଁ ନଦୀଘାଟକୁ ମଧ୍ୟ ଯାଇପାରିଲିନାହିଁ । କାରଣ ମୁଁ ଯେଉଁଠାକୁ ଗଲି, ଶତଗୀର ସେଠାକୁ ମଧ୍ୟ ମୋର ଅନୁସରଣ କଲା ଏବଂ ମୋତେ ଲକ୍ଷ୍ୟ କରି ନାନାପ୍ରକାରେ ଇସାରା କରିବାକୁ ଚେଷ୍ଟା କଲା । ମୁଁ କେବେ ସେହିସବୁ ଇସାରାର ପ୍ରତି ଇସାରା ଦେଇନଥିଲି ଏବଂ ଏସବୁ ବ୍ୟବହାରକୁ ମୁଁ ଘୃଣା କରୁଚି, ସ୍ପଷ୍ଟ ସୂଚନାମାନ ଦେଇ ଏକଥା ମଧ୍ୟ ଜଣାଇଦେବାକୁ ଚେଷ୍ଟା କରିଥିଲି । କିନ୍ତୁ ସେହି ନିର୍ଲଜ୍ଜ ଉପରେ ଏହିସବୁ ସୂଚନାରେ କୌଣସି ପ୍ରଭାବ ପଡ଼ିଲାନାହିଁ ।

 

ଏହାର ଅଳ୍ପଦିନ ପରେ ମୋର ପିତାମାତା ମଧ୍ୟ ମୋତେ ତା’ ବିଷୟରେ ନାନାପ୍ରକାର ସୂଚନା ଦେବାକୁ ଆରମ୍ଭ କଲେ, ତା’ପରେ ସିଧା ତାହାରି କଥା ମୋ’ ଆଗରେ ବାରବାର ଆସି କହିଲେ ଏବଂ ଶେଷରେ ଦିନେ ଶତଗୀର ଖୋଲାଖୋଲି ମୋ’ପ୍ରତି ପ୍ରୀତିପ୍ରଦର୍ଶନ କରିବାରୁ ସେମାନେ ମୋତେ ତା’ସହିତ ବିବାହ ପ୍ରସ୍ତାବରେ ରାଜି ହେବାକୁ ବାଧ୍ୟ କଲେ । ମୋର ଆଖିରୁ ଧାରଧାର ଲୁହ ବହିଯାଉଥାଏ, ମୁଁ କହିଲି ଯେ ମୁଁ ମନ୍ତ୍ରୀପୁତ୍ର ଶତଗୀରକୁ ଆଦୌ ଭଲ ପାଏନାହିଁ । କିନ୍ତୁ ଏହାଦ୍ୱାରା ମୋର ପିତାମାତା ମୋ’ପ୍ରତି ଅଧିକ ଅପ୍ରସନ୍ନ ହୋଇପଡ଼ିଲେ । କିନ୍ତୁ ସେମାନେ ଯେତେ ବୁଝାଇବାକୁ ଚେଷ୍ଟା କଲେ, ଯେତେ ଅନୁନୟ କଲେ ବା ରାଗରୋଷ ଦେଖାଇଲେ, ମୋର ମାଆ ଯେତେ ରାଣନିୟମ ପକାଇଲେ, ମୋର ବାପା ଯେତେ ଭୟ ଦେଖାଇଲେ ତଥାପି ମୁଁ କୌଣସିଥିରେ ମୋର ମତରୁ ବିଚଳିତ ହୋଇନଥିଲି। ଶେଷରେ ବିକଳ ଓ ବ୍ୟାକୁଳ ହୋଇ ମୁହେଁମୁହେଁ କହି ପକାଇଲି ଯେ ମୁଁ ଆଗରୁ ତୁମ ପାଖରେ ବାଗ୍‍ଦତ୍ତା ହୋଇସାରିଚି ଏବଂ ସଂସାରର କୌଣସି ଶକ୍ତି ବର୍ତ୍ତମାନ ମୋର ସତ୍ୟରୁ ମୋତେ ବିଚ୍ୟୁତ କରି ପାରିବନାହିଁ ଓ ଆଉ ଅନ୍ୟଜଣକୁ ବିବାହ କରିବାକୁ ବାଧ୍ୟ କରି ପାରିବନାହିଁ । ତୁମ ବିଷୟରେ ସେମାନେ ଆଗରୁ ଶତଗୀରଠାରୁ ଶୁଣିବାକୁ ପାଇଥିଲେ । ଶେଷକୁ ମୁଁ ଭୟ ଦେଖାଇ କହିଲି ଯେ ମୋତେ, ମୋର ଇଚ୍ଛା ବିରୁଦ୍ଧରେ ଯିବାକୁ ବାଧ୍ୟ କରାଗଲେ ମୁଁ ଅନ୍ନଜଳ ସ୍ପର୍ଶ କରିବିନାହିଁ ଓ ଉପବାସରେ ପ୍ରାଣ ହରାଇଦେବି ।

 

ମୁଁ ଯାହା କହୁଚି, ତାହା ନିଶ୍ଚୟ ପାଳନ କରିବି, ଏକଥା ଲକ୍ଷ୍ୟ କରିପାରି ଦୁଃଖରେ ହେଉ କି ରାଗରେ ହେଉ, ମୋର ପିତାମାତା ଆଉ ମୋ’ ଆଗରେ ଏହି ପ୍ରସଙ୍ଗ ଉଠାଇଲେ ନାହିଁ । ସମ୍ଭବତଃ ଶତଗୀର ମଧ୍ୟ ଆପଣାର ଏହି ପ୍ରେମ ପ୍ରସଙ୍ଗରେ ପରାଜୟ ସ୍ୱୀକାର କରି ତାହାର ସମସ୍ତ ଚେଷ୍ଟାରୁ କ୍ଷାନ୍ତ ହେଲା ଓ କେଉଁଠାକୁ ଯୁଦ୍ଧଯାତ୍ରା କରି ଯିବାରେ ମନ ବଳାଇଲା ।

 

ଏହି ସମୟରେ କୌସାମ୍ୱି ସହରରେ ଆମେ ଦସ୍ୟୁ ଅଙ୍ଗୁଳିମାଳା ସମ୍ବନ୍ଧରେ ଅନେକ ଲୋମହର୍ଷଣକାରୀ ଜନରବମାନ ଶୁଣିବାକୁ ପାଇଲୁ । ସେତେବେଳେ ସେ ଆପଣାର ଦଳବଳ ନେଇ ଦେଶଯାକ ସର୍ବତ୍ର ଆପଣାର ଦୌରାତ୍ମ୍ୟ ଆରମ୍ଭ କରି ଦେଇଥାଏ । କେଉଁଠି ସେ ଗ୍ରାମ ଓ ଜନପଦମାନଙ୍କରେ ନିଆଁ ଲଗାଇ ଦେଉଥାଏ ଏବଂ ରାଜମାର୍ଗଗୁଡ଼ିକୁ ଏପରି ଭାବରେ ଘେରିକରି ରହିଥାଏ ଯେ କୌସାମ୍ବିଠାରୁ ଦକ୍ଷିଣ ଆଡ଼କୁ କୁଆଡ଼େ ଯାତ୍ରାକରି ଯିବାଲାଗି କେହି ଆଉ ସାହସ କରୁନଥାନ୍ତି । ଏସବୁ ଶୁଣି ମୋ ଚିତ୍ତ ସତତ ଭୟବ୍ୟାକୁଳିତ ହୋଇ ରହିଥାଏ । ମୁଁ ଭାବୁଥାଏ, ତୁମେ ତ ବର୍ତ୍ତମାନ ସେହି ରାସ୍ତାରେ ଆପଣାର ବିପଣି ନେଇ ଘରକୁ ଫେରୁଥିବ, ତେଣୁ କାଳେ ଶେଷରେ ତୁମକୁ ମଧ୍ୟ ଦସ୍ୟୁର କବଳରେ ପଡ଼ିବାକୁ ହେବ, ସେକଥା କିଏ କହିପାରିବ ? ଠିକ୍ ଏତିକିବେଳେ ଲୋକମୁଖରୁ ଶୁଣାଗଲା ଯେ କୌସାମ୍ୱି ଓ ନିକଟବର୍ତ୍ତୀ ଅଞ୍ଚଳରୁ ଦସ୍ୟୁମାନଙ୍କୁ ବିତାଡ଼ିତ କରିବାଲାଗି ଶତଗୀରକୁ ରାଜ୍ୟତରଫରୁ ଏକ ସୈନ୍ୟଦଳର ଅଧିନାୟକତ୍ୱ ଦିଆଯାଇଚି ଏବଂ ସମ୍ଭବ ହେଲେ ଅଙ୍ଗୁଳିମାଳା ଓ ଦଳର ଅନ୍ୟ ସର୍ଦ୍ଦାରମାନଙ୍କୁ ବନ୍ଦୀ କରି ନେଇ ଆସିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଚି । ଶତଗୀର ମଧ୍ୟ ଏହି ନିର୍ଦ୍ଦେଶକୁ ଗ୍ରହଣ କରିଚି ଏବଂ ପ୍ରାଣପାତ କରି ମଧ୍ୟ ଏହା ପାଳନ କରିବାକୁ ପ୍ରତିଶ୍ରୁତି ଦେଇଚି ବୋଲି ଶୁଣିବାକୁ ମିଳିଲା ।

 

ମନ୍ତ୍ରୀପୁତ୍ର ଉପରେ ଆଗରୁ ମୋର ଯେତେ ବିରକ୍ତି ଓ ବିତୃଷ୍ଣା ରହିଥିଲେ ମଧ୍ୟ ତଥାପି ଏହି ଦୁଃସାହସିକ କାର୍ଯ୍ୟରେ ସେ ସଫଳତା ଲାଭ କରନ୍ତୁ ବୋଲି ମୁଁ ମନେମନେ କାମନା କରିବାକୁ ଲାଗିଲି ଏବଂ ତାଙ୍କ ଯାତ୍ରାରେ ଶୁଭ ମନାସିଥିଲି ।

 

ତା’ପରେ ପ୍ରାୟ ଗୋଟିଏ ସପ୍ତାହ ଗତ ହୋଇଗଲା । ଦିନେ ମୁଁ ଆଉ ମେଦିନୀ ଉଦ୍ୟାନରେ ବସିଚୁ, ଏହି ସମୟରେ ନଗରମାର୍ଗରୁ ହଠାତ୍ ଭୀଷଣ ଚିତ୍କାର ଓ କୋଳାହଳ ଶୁଣିବାକୁ ମିଳିଲା । ଘଟଣା କଣ ବୋଲି ଜାଣିବାଲାଗି ମେଦିନୀ ନଗର ମାର୍ଗକୁ ଧାଇଁଗଲା ଏବଂ ଫେରିଆସି ସମ୍ବାଦ ଦେଲା ଯେ ଶତଗୀର ବିଜୟୀ ହୋଇ ନଗରକୁ ପ୍ରତ୍ୟାବର୍ତ୍ତନ କରିଚି । ଅନେକ ଦସ୍ୟୁଙ୍କୁ ସେ ପ୍ରାଣରୁ ମାରିଦେଇଚି, ଅବଶିଷ୍ଟଙ୍କୁ ବନ୍ଦୀ କରି ଆଣିଚି । ଦଳର ସର୍ଦ୍ଦାର ଦୁର୍ଦ୍ଦମ ଅଙ୍ଗୁଳିମାଳା ମଧ୍ୟ ଜିଅନ୍ତା ତା’ର ହାତରେ ପଡ଼ିଚି । ବିଜୟୀ ଯୋଦ୍ଧାମାନେ କିପରି ବନ୍ଦୀ ହୋଇଥିବା ଦସ୍ୟୁମାନଙ୍କ ସହିତ ନଗରମାର୍ଗରେ ଶୋଭାଯାତ୍ରା କରି ବାହାରିଚନ୍ତି, ସୋମଦତ୍ତ ଓ ତା’ସହିତ ଏକାଠି ତାହା ଦେଖିବାକୁ ଯିବାଲାଗି ମେଦିନୀ ମୋତେ ଅନୁରୋଧ କଲା । କିନ୍ତୁ ମୁଁ ରାଜି ହେଲିନାହିଁ, ଶତଗୀର ଉପରେ ତଥାପି ମୋର ବିଶ୍ୱାସ ହେଉନଥିଲା । କାଳେ ଦର୍ଶକମାନଙ୍କ ଭିତରୁ ଶତଗୀର ମୋତେ ଦେଖିପାରିବ, ଏଥିପାଇଁ ମୁଁ ଭାରି ଆଶଙ୍କା କରୁଥିଲି । ତେଣୁ ମୁଁ ସେମାନଙ୍କ ସହିତ ନଯାଇ ଏକାକୀ ବସିରହିଲି ଏବଂ ମୋର ପ୍ରିୟତମ କାମନୀତର ପଥରୁ ବର୍ତ୍ତମାନ ଏଡ଼େବଡ଼ ପ୍ରମାଦ ଦୂର ହୋଇଗଲା ବୋଲି ମନେମେନେ ଅଦୃଷ୍ଟକୁ ଧନ୍ୟବାଦ ଦେବାକୁ ଲାଗିଲି । କିନ୍ତୁ ଅଦୃଷ୍ଟର ଅଭିସନ୍ଧି ମଣିଷ କିପରି ଜାଣିପାରିବ ? ଯେଉଁଦିନଟିକୁ ଏକ ସୌଭାଗ୍ୟର ଦିନ ବୋଲି ମନେକରି ଆମେ ଖୁସୀ ହୋଇ ଅଭିନନ୍ଦନ କରୁଥାଉ, ହୁଏତ ଠିକ୍ ସେହିଦିନ ହିଁ ଆମ ଜୀବନର ଗତିପଥରେ ହଠାତ୍ ସବୁ ଅନ୍ୟଗତି ହୋଇଯାଏ ଏବଂ ପ୍ରଥମଥର ପାଇଁ ଆମର ପଥଉପରେ କେଉଁ କଳା ଅନ୍ଧାରର ଛାଇ ପଡ଼ିବାକୁ ଆରମ୍ଭ କରେ ।

 

ପରଦିନ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବରେ ମୋର ପିତା ହଠାତ୍ ଆସି ମୋ’ଗୃହରେ ପ୍ରବେଶ କଲେ । ବ୍ୟାଘ୍ରର ଚକ୍ଷୁଦ୍ୱାରା ସୂଚିତ ହୋଇଥିବା ଗୋଟିଏ ମୋତିର ହାର ଦେଖାଇ ମୁଁ ସେଇଟିକୁ ଚିହ୍ନିପାରୁଚି କି ନାହିଁ ବୋଲି ସେ ମୋତେ ପଚାରିଲେ । ହାରଟିକୁ ଦେଖୁଦେଖୁ ମୋର ହାଲୁକ ଶୁଖିଗଲା, ତଥାପି ବାହାରେ ମୋର ସମସ୍ତ ଶକ୍ତି ସଂଗ୍ରହ କରିବାକୁ ଚେଷ୍ଟା କରି ମୁଁ କହିଲି ହାରଟି ଠିକ୍ କାମନୀତର ବେକରେ ଥିବା ହାର ପରି ଦେଖାଯାଉଚି ।

 

ମୋର ପିତା ଗମ୍ଭୀର ଓ ବିରକ୍ତ ଭାବରେ ଉତ୍ତର ଦେଲେ–ଖାଲି ତାହାରି ପରି ଦେଖାଯାଉଚି ନୁହେଁ, ଏହି ହେଉଚି ସେଇ ହାରଟି । ଅଙ୍ଗୁଳିମାଳାକୁ ବନ୍ଦୀ କରି ନିଆହେବାବେଳେ ଏହି ହାରଟି ତା’ର ବେକରେ ଥିଲା ଏବଂ ଶତଗୀର ଏହିଟିକୁ ତତ୍‍କ୍ଷଣାତ୍ ଚିହ୍ନି ପାରିଥିଲା । ସେ ମୋତେ କହୁଥିଲା ଯେ ଥରେ ତୋର ପେଣ୍ଡୁଟି ନେଇ ପ୍ରମୋଦ-ଉଦ୍ୟାନରେ କାମନୀତ ସହିତ ତାର କଳହ ହୋଇଥିଲା । ଦୁହେଁ ପରସ୍ପର ସହିତ ଲଢ଼ୁଥିବାବେଳେ ଶତଗୀର ଜାଣିଜାଣି କାମନୀତର ଏହି ହାରଟିକୁ ଧରି ପକାଇଲା । ଫଳରେ ହାରଟି ଦୁଇଖଣ୍ଡ ହୋଇ ଛିଡ଼ିଗଲା ଓ ଶତଗୀରର ହାତରେ ଆସି ପଡ଼ିଲା । ସେତିକିବେଳେ ଶତଗୀର ହାରଟିକୁ ଖୁବ୍ ଭଲକରି ଦେଖିଚି-। ତେଣୁ ଭୁଲ ହେବାର କୌଣସି ଆଶଙ୍କା ହିଁ ନାହିଁ । ଏବଂ ଅଙ୍ଗୁଳିମାଳା ମଧ୍ୟ ତଲାସୀବେଳେ ଘୋଷଣା କରି କହିଚି ଯେ ପ୍ରାୟ ଦୁଇବର୍ଷ ପୂର୍ବେ ସେ ଅରଣ୍ୟଭିତରେ କାମନୀତର ବାଣିଜ୍ୟବିପଣିକୁ ଆକ୍ରମଣ କରିଥିଲା । ସେତେବେଳେ କାମନୀତ କୌସାମ୍ୱିରୁ ଉଜ୍ଜୟିନୀକୁ ଫେରିଯାଉଥିଲା । ଏହି ଆକ୍ରମଣ ଫଳରେ କାମନୀତର ଅନେକ ପରିକର ନିହତ ହୋଇଥିଲେ ଏବଂ ଆପଣାର ଜଣେ ଭୃତ୍ୟସହିତ କାମନୀତକୁ ବନ୍ଦୀ କରି ନିଆଯାଇଥିଲା । ତାପରେ କ୍ଷତିପୂରଣର ଅର୍ଥ ନେଇଆସିବାଲାଗି ଭୃତ୍ୟଟି ଅର୍ଥନେଇ ଫେରି ନଆସିବାରୁ ଦସ୍ୟୁଦଳର ନିୟମ ଅନୁସାରେ କାମନୀତକୁ ହତ୍ୟା କରାଗଲା ।

 

ଏହି ଭୟାବହ ସମ୍ବାଦ ଶୁଣୁଶୁଣୁ ମୋର ମନ ଓ ଇନ୍ଦ୍ରିୟର ସମସ୍ତ ଶକ୍ତି ମୋତେ ଛାଡ଼ିଦେଇ କୁଆଡ଼େ ଚାଲିଗଲା ପରି ମନେହେଲା । କିନ୍ତୁ ତଥାପି ଆଶା ବିରୁଦ୍ଧରେ ଆଶା ପୋଷଣ କରିବାଲାଗି ମୁଁ ମୋର କାତର ଭାବନାଭିତରୁ ଆଉ ଏକ ସମ୍ଭାବନାରେ ବାଟ ପାଇଲି ।

 

ଶତଗୀର ଏକ ଖଳ ଓ ଖରାପ ପ୍ରକୃତିର ମଣିଷ–ବାହାରେ ଅତ୍ୟନ୍ତ ଶାନ୍ତ ରହି ମୁଁ ଉତ୍ତର ଦେଲି–ଆପଣାର ଉଦ୍ଦେଶ୍ୟସିଦ୍ଧି ଲାଗି ସେ ଯେକୌଣସି ହୀନକାର୍ଯ୍ୟ କରିବାକୁ ମଧ୍ୟ କେବେହେଲେ ପଶ୍ଚାତ୍‍ପଦ ହୁଏନାହିଁ । ମୁଁ ବେଶ୍‍ ବୁଝିପାରୁଚି ଯେ ସେ ବିଜୟୋନ୍ମତ୍ତ ହୋଇ ମୋତେ ବିବାହ କରିବାକୁ ପୁଣି ମନ ବଳାଇଚି । ଯଦି ହାରଟିକୁ ସେ ଏପରି ଭଲଭାବରେ ଚିହ୍ନିଚି ବୋଲି ଆପଣ କହୁଚନ୍ତି, ତେବେ ସେ ଅବିକଳ ଗୋଟିଏ ନୂଆ ହାର ତିଆରି କରି ଆମକୁ ପ୍ରବଞ୍ଚନା କରିବାକୁ ବସିଚି ବୋଲି କାହିଁକି କୁହାଯାଇ ନପାରିବ ? ମୋର ଅନୁମାନ ହେଉଚି ଯେ ଅଙ୍ଗୁଳିମାଳା ବିଷୟରେ ଶୁଣିବା ଦିନଠାରୁ ଏହି କୁଚକ୍ରାନ୍ତଟି ତାହାର ମନରେ ପ୍ରବେଶ କରିଚି । ଅଙ୍ଗୁଳିମାଳାକୁ ବନ୍ଦୀ କରି ନଆଣିଥିଲେ ମଧ୍ୟ ତଥାପି ସେ ଦସ୍ୟୁମାନଙ୍କଠାରୁ ହାରଟି ମିଳିଲା ବୋଲି ନିଶ୍ଚୟ ଆସି କହିଥାନ୍ତା, ଦସ୍ୟୁମାନେ ଏହାକୁ କାମନୀତର ହାର ବୋଲି ସ୍ୱୀକାର କରିଚନ୍ତି ବୋଲି କହିଥାନ୍ତା ।

 

ମୁଣ୍ଡହଲାଇ ମୋର ପିତା ଉତ୍ତର ଦେଲେ–ଏହା କଦାପି ସମ୍ଭବ ହୋଇନପାରେ । କାରଣ ହୁଏତ ତୁ ଏକଥା ଠଉରାଇ ପାରିବୁନାହିଁ । କିନ୍ତୁ ତୋର ପିତା ହେଉଚି ଜଣେ ସ୍ୱର୍ଣ୍ଣକାର–ସେ ଅବଶ୍ୟ ଜାଣିପାରିବ । ହାରଟିକୁ ଦେଖି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ହେଉଚି ଯେ ଏହା ଦକ୍ଷିଣାଞ୍ଚଳର ପାର୍ବତୀୟ ରାଜ୍ୟରେ ତିଆରି ହୋଇଚି ।
 

ରୋଷଭର ହୋଇ ମୁଁ ଆହୁରି କଣ କହିବାକୁ ଯାଉଥିଲି, କିନ୍ତୁ ଆତ୍ମସମ୍ବରଣ କରି କହିଲି ଯେ ତଥାପି କେବଳ ଏହି ହାରଟି ଦେଖି କାମନୀତ ଆଉ ଜୀବନରେ ନାହିଁ ବୋଲି ମୁଁ କଦାପି ବିଶ୍ୱାସ କରିପାରିବିନାହିଁ ।

 

ଅତ୍ୟନ୍ତ କୋପରେ ପିତା ସେଠାରୁ ପ୍ରସ୍ଥାନ କଲେ ଏବଂ ମୁଁ ମୋର ଗୃହରେ ଏକାକିନୀ ବସିବସି ଅପଣାର ସଂଶୟର ଜାଲ ଭିତରେ ଛନ୍ଦି ହେବାରେ ଲାଗିଲି ।

Image

 

୨୭

ସତ୍ୟର ପରୀକ୍ଷା

 

ରାତ୍ରିର ପ୍ରଥମ ପ୍ରହରଟି ମୁଁ ସାଧାରଣତଃ ଅଶୋକ-ଉଦ୍ୟାନରେ ଅତିବାହିତ କରେ । କେଉଁଦିନ ଏକାକୀ, ଆଉ କେଉଁଦିନ ମେଦିନୀ ମଧ୍ୟ ମୋ’ସାଙ୍ଗରେ ଥାଏ । ସେଦିନ ସନ୍ଧ୍ୟାବେଳେ ମୁଁ ଉଦ୍ୟାନକୁ ଏକାକୀ ଯାଇଥାଏ, ସେହି ଦାରୁଣ ମାନସିକ ଅବସ୍ଥାରେ ଏକାକୀ ରହିବାକୁ ହିଁ ମୋତେ ସବୁଠାରୁ ଭଲ ଲାଗୁଥାଏ । ସେଦିନ ପୂର୍ଣ୍ଣିମା ତିଥି, ଚାରିଆଡ଼ ଚନ୍ଦ୍ରକିରଣ ବିଞ୍ଚିହୋଇ ପଡ଼ିଥାଏ । ଉଦ୍‍ବେଳିତ ହୃଦୟରେ ପୁଷ୍ପିତ ଅଶୋକବୃକ୍ଷ ତଳେ ଠିଆହୋଇ ହୃଦୟରେ ଟିକିଏ ହେଲେ ଶାନ୍ତି ପାଇବି ବୋଲି ମୁଁ ସତ୍ୟର ଏକ ପରୀକ୍ଷା ନେବାକୁ ମନ ବଳାଇଲି । ମନେମନେ କହିଲି, ମୁଁ ଏକରୁ ଶହେ ପର୍ଯ୍ୟନ୍ତ ଗଣିବା ଭିତରେ ଯଦି ଶାଖାରୁ କେଶରୀରଙ୍ଗର ଗୋଟିଏ ଫୁଲ ଆସି ଗଛ ଓ ମୋ’ଭିତରେ ରହିଥିବା ଭୂଇଁ ଉପରେ ଝରିପଡ଼େ, ତେବେ ମୋର ପ୍ରିୟତମ କାମନୀତ ନିଶ୍ଚୟ ଜୀବନରେ ଅଛି ବୋଲି ମୁଁ ଜାଣିବି ।

 

ଏକ, ଦୁଇ, ତିନି କରି ମୁଁ ଶହେଯାଏ ଗଣିବାକୁ ଲାଗିଲି । ପଚାଶ ପାଖରେ ପହଞ୍ଚିଲା ବେଳକୁ କମଳାରଙ୍ଗର ଗୋଟିଏ ଫୁଲ ଆସି ତଳେ ପଡ଼ିଲା । ଗଣିଗଣି ମୁଁ ଅଶୀଯାଏ ଗଲାପରେ ଆସ୍ତେ ଆସ୍ତେ ସଂଖ୍ୟାଗୁଡ଼ିକୁ ଗଣିବାକୁ ଆରମ୍ଭ କରୁଥାଏ । ସଂଖ୍ୟା ଯହୁଁ ଅଧିକ ହେଉଥାଏ, ମୋର ଗତି ତହୁଁ ଅଧିକ ମନ୍ଥର ହେବାରେ ଲାଗିଥାଏ । ହଠାତ୍ ଉଦ୍ୟାନର ଗୋଟିଏ ଦ୍ୱାରରୁ ଖଡ଼୍‍ କରି ଶବ୍ଦ ହେଲା ଏବଂ ଉଦ୍ୟାନ ଓ ପାଚେରି ମଧ୍ୟରେ ଅବସ୍ଥିତ ଦ୍ୱାରଟି ହଠାତ୍ ଖୋଲିଗଲା ।

 

ମୋର ପିତା ସେହି ଦ୍ୱାରଦେଇ ଉଦ୍ୟାନ ଭିତରେ ପ୍ରବେଶ କଲେ । ତାଙ୍କ ପଛରେ ଶତଗୀର । ତା’ପଛକୁ ଦୁଇତିନିଜଣ ସଶସ୍ତ୍ର ସୈନ୍ୟ ମଧ୍ୟ ଆସି ସେଠାରେ ପହଞ୍ଚିଲେ । ମୁଁ ଏହି ଅଭିଯାନର କୌଣସି ରହସ୍ୟ ବୁଝିପାରୁନଥାଏ । ପ୍ରଥମେ ଦୁଇଜଣ ସୈନ୍ୟ ଦ୍ୱାର ଜଗି ରହିଲେ ଏବଂ ଅନ୍ୟମାନେ ମୋ’ ଆଡ଼କୁ ଅଗ୍ରସର ହେଲେ । ମୁଁ ଭଲକରି ଜାଣିପାରିଲି ଯେ ଏମାନଙ୍କ ହାତରୁ ବଞ୍ଚିବାକୁ ମୋତେ ବର୍ତ୍ତମାନ ସଂଗ୍ରାମ କରିବାକୁ ପଡ଼ିବ । ଶତଗୀରର ପ୍ରତ୍ୟେକଟି ପଦକ୍ଷେପ ଯେପରି ମୋ’ର ହୃଦୟ ଭିତରେ କେତେ ଅଶୁଭ ଚିନ୍ତା ଭରି ଦେଉଥାଏ ।

 

ଠିକ୍ ଏହିସମୟରେ କେଶରୀରଙ୍ଗର ଗୋଟିଏ ଅଶୋକଫୁଲ ଶାଖାରୁ ଖସିଆସି ମୋର ପାଦପାଖରେ ଆସି ପଡ଼ିଲା । କିନ୍ତୁ ବିଚଳିତ ହୃଦୟରେ ଭ୍ରମିଯାଇ ମୁଁ ସଂଖ୍ୟା ଗଣିବା ଭୁଲି ଯାଇଥିଲି ଏବଂ ପ୍ରକୃତରେ ଶହେ ଗଣିବା ଭିତରେ ଫୁଲଟି ପଡ଼ିଲା ବା ପରେ ପଡ଼ିଲା, ମୁଁ ଆଉ ସେହିକଥା ଠିକ୍‍ କରି ଜାଣିପାରିଲିନାହିଁ ।

 

ନିର୍ମଳ ଜହ୍ନଆଲୁଅରେ ସେହି ମନୁଷ୍ୟସମୂହଟି କ୍ରମେ ମୋ’ଆଡ଼କୁ ଅଗ୍ରସର ହୋଇ ଆସୁଥାନ୍ତି । ଭୟବିହ୍ୱଳ ହୋଇ ମୁଁ ଦେଖିବାକୁ ପାଇଲି, ମଝିରେ ଥିବା ସେହି ଅତିକାୟ ମଣିଷଟି ଦେହରେ ଲୁହାର ଶାଙ୍କୁଳି ବନ୍ଧାହୋଇଚି । ତାର ହାତ ଦୁଇଟାକୁ ପିଠିପଟକୁ ବାନ୍ଧି ଦିଆଯାଇଚି, ତାର ଆଣ୍ଠୁରେ ଦୁଇଟା ଲୁହାକଡ଼ା ଗଳାଇ ଦିଆହୋଇ ତାହାକୁ ଦୁଇଟା ଲୁହାର ଜଞ୍ଜିରକୁ ଦୁଇପାଖରେ ଦୁଇଜଣ ସୈନ୍ୟ କଷିକରି ଧରିଚନ୍ତି । ଠିକ୍ କୌଣସି ଅପରାଧୀକୁ ବିଚାରାଳୟକୁ ନେଇଯାଉଥିବା ପରି ତାହାର ବେକରୁ ଛାତିଯାଏ ଗୋଟିଏ କନିଅର ଫୁଲର ମାଳା ଲମ୍ୱାଇ ଦିଆଯାଇଚି । ନାଲିଆ ଟାଇଲ୍‍ର ଧୂଳିକୁ ତାହାର ମୁଣ୍ଡ ଓ ମୁହଁଯାକ ବୋଳି ଦିଆଯାଇଥିବାରୁ ତାହାର ମୁଣ୍ଡର ବାଳ ଓ ମୁହଁର ନିଶଦାଢ଼ି ଆହୁରି ଭୀଷଣ ରୂପ ଧାରଣ କରିଚି । ଏହି ଭୀଷଣ ଆକୃତିର ଆଖିଦୁଇଟା ମୋ’ ଆଡ଼କୁ ଅନାଇ ଜଳଜଳ କରି ଜଳିବାରେ ଲାଗିଥାଏ, ଠିକ୍ ବିଜୁଳିପରି କ୍ଷଣକେ ଝଟକିଯାଇ ପୁଣି କ୍ଷଣକେ ଲୁଚି ଯାଉଥାଏ । ମୋ’ଠାରୁ ଦୃଷ୍ଟି ଫେରାଇ ସେ ଠିକ୍ ଏକ ହିଂସ୍ରଜନ୍ତୁ ପରି ଭୂମି ଉପରକୁ ଦୃଷ୍ଟିପାତ କରୁଥାଏ ।

 

ଏହି ଲୋକଟା ଯେ ପ୍ରକୃତରେ କିଏ ସେକଥା ପଚାରି ବୁଝିବାର କୌଣସି ଆବଶ୍ୟକତା ନଥିଲା । ଅବଶ୍ୟ ତାହାର ଛାତି ଉପରେ ପଡ଼ିଥିବା କନିଅର ମାଳଟି ଯୋଗୁଁ ତାହାର ‘ଅଙ୍ଗୁଳିମାଳା’ ନାମଟି ଗୁପ୍ତ ହୋଇ ରହିଯାଉଥିଲା ।

 

ନୀରବତା ଭଙ୍ଗ କରି ଶତଗୀର ଆଦେଶ ଦେଲା–ଅଙ୍ଗୁଳିମାଳା, ଉଜ୍ଜୟିନୀ ନିବାସୀ ଯୁବକ ବଣିକ କାମନୀତକୁ ହତ୍ୟା କରିବା ବିଷୟରେ ତୁମ ଆଗରୁ ଯାହାସବୁ ସ୍ୱୀକାର କରିଚୁ, ଏଠାରେ ତୋତେ ତାହାର ପୁନରାବୃତ୍ତି କରିବାକୁ ହେବ ।

 

ଦସ୍ୟୁ ଉତ୍ତର ଦେଲା–କାମନୀତକୁ ହତ୍ୟା କରାଯାଇନାହିଁ । ତାହାକୁ ପ୍ରଥମେ ବନ୍ଦୀକରି ରଖାଯାଇଥିଲା ଏବଂ ଆମ ଦଳର ନିୟମ ଅନୁସାରେ ପରେ ସେ ନିହତ ହୋଇଚି ।

 

ବାପା ଏ ବିଷୟରେ ଯାହା ଆଗରୁ କହିଥିଲେ, ଦସ୍ୟୁ ସଂକ୍ଷେପରେ ତାହାହିଁ କହିଲା ।

 

ସେତେବେଳେ ମୁଁ ଅଶୋକଗଛଟିକୁ ଆଉଜି ଠିଆହୋଇ ରହିଥାଏ ଏବଂ ଗଛଟିକୁ ମୋର ଦୁଇହାତରେ ଜାବୁଡ଼ି ଧରିଥାଏ । ଦସ୍ୟୁର କଥା ଶେଷ ହେବା ମାତ୍ରକେ ମୋର ଚତୁର୍ଦ୍ଦିଗର ସମସ୍ତ ପୃଥିବୀରେ ଯେପରି ପ୍ରବଳ ଘୂର୍ଣ୍ଣନ ଆରମ୍ଭ ହୋଇଗଲା । କିନ୍ତୁ ତଥାପି ମୁଁ ବଶ୍ୟତା ସ୍ୱୀକାର କଲିନାହିଁ ।

 

ମୁଁ କହିଲି, ତୁ ହେଉଚୁ ଗୋଟାଏ ଦସ୍ୟୁ, ହତ୍ୟାକାରୀ, ତୋ’ କଥାରେ କି ମୂଲ୍ୟ ରହିଚି ଯେ ମୁଁ ତାହାକୁ ସତ୍ୟ ବୋଲି ସ୍ୱୀକାର କରିବି ? ତାଙ୍କର କବଳରେ ପଡ଼ି ତୋ’ର ପ୍ରକୃତରେ କି ଦଶା ହେଲା, ସେହି ସତ୍ୟକଥା ତୁ କହୁନୁ କାହିଁକି ?

 

ହଠାତ୍ ମୋ’ର ହୃଦୟରେ ଏକ ଅଦ୍ଭୁତ ଭାବାବେଗ ଜାତ ହେଲା । ସେହି ଭାବାବେଗରେ ବିସ୍ମିତ ଅଥଚ ଆଶ୍ୱାନ୍ୱିତ ହୋଇ ମୁଁ ପୁଣି କହିଲି :

 

ତୋତେ ସମସ୍ତ ଜଗତ ଆତଙ୍କପ୍ରାୟ ମନେ କରେ, ମୁଁ ତ କେବଳ ଏକ ଅବଳା ବାଳିକା, ତୁ ମୋ’ ଆଡ଼କୁ ସେପରି ଭୟଙ୍କର ଆଖି କରି ଅନାଇ ରହିଚୁ କାହିଁକି ? ମୁଁ ଭଲକରି ଜାଣିଚି ଯେ ଏହି ଲୋକଟାର ଶିକ୍ଷାରେ ପଡ଼ି, ତୁ ଏଠାରେ ଏକ ଶୁଦ୍ଧ ମିଥ୍ୟାକଥା କହିବାକୁ ବସିଚୁ !

 

ଅଙ୍ଗୁଳିମାଳା ସେହିପରି ତଳକୁ ଅନାଇଥାଏ । ଉପରକୁ ଦୃଷ୍ଟି ନଫେରାଇ ମୁଖଉପରେ ଏକ ଭାବଶୂନ୍ୟ ଅସ ଖେଳାଇଦେଇ ଜଞ୍ଜିରରେ ବନ୍ଧା ହୋଇଥିବା କୌଣସି ହିଂସ୍ରଜନ୍ତୁପରି ଗର୍ଜନ କରି କହିଲା : –

 

ତୋ’ ଆଡ଼କୁ ଅନାଇ କଣ ଲାଭ ହେବ ? ସେପରି କରିବା ତ ଯୁବକମାନଙ୍କର କାମ ! ତେବେ ତୁ ଗୋଟାଏ ପାଷଣ୍ଡ ଦସ୍ୟୁର କଥାକୁ ବା ଚାହାଣିକୁ ବିଶ୍ୱାସ କରିବାକୁ ଚାହୁନାହୁଁ ? ତା’ର ଶପଥ ଉପରେ ମଧ୍ୟ କଣ ତୋର କୌଣସି ବିଶ୍ୱାସ ହେବନାହିଁ ।

 

ସେ ଆହୁରି ପାଦେ ପାଖକୁ ଅଗ୍ରସର ହୋଇ ଆସିଲା ।

ଆଚ୍ଛା ବାଳିକା, ତାହେଲେ ମୁଁ ସତ୍ୟର ପରୀକ୍ଷା ଦେଉଚି, ତୁ ଦେଖ୍ !

 

କହି ସୋ ତା’ର ବିଜୁଳିର ଆଲୁଅପରି ଜଳଜଳ ଆଖିରେ ଥରେ ମୋ’ ଆଡ଼କୁ ଅନାଇଲା । ତା’ପରେ ଜହ୍ନଆଡ଼କୁ ମୁହଁ କରି ଚାହିଁ ଦେଖିଲା । ସେତେବେଳେ ତାହାର ବାଳ ଓ ନିଶଦାଢ଼ି ଭିତରୁ ମୁଁ କେବଳ ଆଖିର ତାରାଦୁଇଟି ଦେଖିବାକୁ ପାଉଥାଏ । ତା’ପରେ ତା’ର ବକ୍ଷରେ ଦ୍ରୁତ ସ୍ପନ୍ଦନ ଆରମ୍ଭ ହେଲା ଓ ବକ୍ଷ ଉପରେ ପଡ଼ିଥିବା ଫୁଲର ମାଳା କମ୍ପିବାକୁ ଆରମ୍ଭ କଲା ଏବଂ ମେଘ ଭିତରୁ ବଜ୍ର ଗର୍ଜନ କରି ଉଠିବାପରି କହିଲା :

 

‘‘ହେ ମା’ ବ୍ୟାଘ୍ରବାହିନୀ, ସର୍ପକିରୀଟିନୀ କାଳୀ କରାଳୀ ଦେବୀ ! ତୁଇ ମାଆ ଚନ୍ଦ୍ରକିରଣରେ ପର୍ବତଭୂଇଁରେ ନୃତ୍ୟକରି ବୁଲୁ, ତୁଇ ମାଆ ଆପଣାର ବକ୍ଷ ଉପରେ ମଣିଷମୁଣ୍ଡର ମାଳା ଲମ୍ବାଇ ନୃତ୍ୟ କରୁ, ହାତରେ ରକ୍ତପାତ୍ର ଧରି ମତ୍ତ ହୋଇ ନୃତ୍ୟ କରୁ ! ହେ ମାଆ କାଳୀ, ଦସ୍ୟୁମାନଙ୍କର ଅଧିଷ୍ଠାତ୍ରୀ ଦେବୀ, ତୁଇ ମାଆ ମୋତେ ସହସ୍ର ସହସ୍ର ବିପଦକୁ ଲଙ୍ଘନ କରାଇ ନେଇଚୁ । ତୁ ମୋ’ କଥା ଶୁଣ ମାଆ ! କେବେହେଲେ ମୁଁ ତୋ’ର ବଳିରେ କୌଣସି ବ୍ୟାଘାତ ଜନ୍ମାଇନାହିଁ, କୌଣସି ଦିନ ମୁଁ ଦସ୍ୟୁଦଳର ବିଧିକୁ ଲଙ୍ଘନ କରିନାହିଁ ! କ୍ଷତିପୂରଣର ଅର୍ଥ ଆସି ଠିକ୍‍ ସମୟରେ ନ ପହଞ୍ଚିବାରୁ ମୁଁ ସେହି ବିଧି ଅନୁସାରେ ହିଁ ବନ୍ଦୀ କାମନୀତକୁ ନିହତ କରି ତା’ର ଶରୀରର ପ୍ରଭିନ୍ନ ଅଂଶଗୁଡ଼ିକୁ ରାଜମାର୍ଗରେ ନେଇ ପକାଇଦେଇ ଆସିଚି ! ଆଜି ମୋର ବିପଦ ସମୟରେ ମୋ’ପ୍ରତି କୃପା କର ମାଆ ! ଏହି ଜଞ୍ଜିରକୁ ଛିଡ଼ାଇ ବର୍ତ୍ତମାନ ମୁଁ ମୋର ଶତ୍ରୁମାନଙ୍କର କବଳରୁ ରକ୍ଷା ପାଇବାକୁ ଇଚ୍ଛା କରୁଚି, ତୁ ମୋର ସହାୟ ହୁଅ ମାଆ !

 

ଏତିକି କହି ସେ ପ୍ରଚଣ୍ଡ ବେଗରେ ଜଞ୍ଜିରକୁ ଛିଡ଼ାଇବାକୁ ଆରମ୍ଭ କଲା–ଶେଷକୁ ଜଞ୍ଜିର କଡ଼ମଡ଼ କରି ଛିଡ଼ିଗଲା–ତାହାର ହାତ ଓ ଗୋଡ଼ ପାଶମୁକ୍ତ ହୋଇଗଲା । ତାକୁ ଧରିଥିବା ଦୁଇଜଣ ସୈନ୍ୟ ମାଟି ଉପରେ ମୁହଁ ମାଡ଼ି ପଡ଼ିଲେ, ତୃତୀୟ ସୈନ୍ୟକୁ ସେ ଆପଣା ହାତର କଡ଼ା ପିଟି ତଳେ ପକାଇଦେଲା ଏବଂ ପ୍ରକୃତ ଘଟଣା ବିଷୟରେ କେହି କିଛି ଧାରଣା କରିବା ପୂର୍ବରୁ ଅଙ୍ଗୁଳିମାଳା ଯାଇ ପାଚେରି ପାଖରେ ପହଞ୍ଚି ଯାଇଥିଲା । ବିକଟ ଚିତ୍କାର କରି ଶତଗୀର ତାର ପଛରେ ଧାଇଁବାକୁ ଲାଗିଲା । ଏହାପରେ ମୁଁ ଆଉ କିଛି ଶୁଣିନାହିଁ କି ଦେଖିନାହିଁ ।

 

ତା’ପରେ ମୁଁ ସମ୍ବାଦ ପାଇଥିଲି ଯେ ଅଙ୍ଗୁଳିମାଳା ପାଚେରି ଉପରୁ ତଳକୁ ଡେଇଁଲାବେଳେ ତା’ର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା ଏବଂ ଜଗୁଆଳମାନେ ତାକୁ ପୁଣି ସେଠାରେ ବନ୍ଦୀ କରି ନେଇଥିଲେ । ବନ୍ଦୀଶାଳାରେ ତାହାକୁ ନାନାପ୍ରକାର ଉତ୍ପୀଡ଼ନ ସାହାଯ୍ୟରେ ମାରି ଦିଆଯାଇଥିଲା ଓ ପୂର୍ବପଟର ନଗରତୋରଣରେ ତାହାର ଛିନ୍ନ ମସ୍ତକକୁ ଝୁଲାଇ ଦିଆଯାଇଥିଲା । ମେଦିନୀ ଓ ସୋମଦତ୍ତ ସେକଥା ଆପଣା ଆଖିରେ ଦେଖିଆସିଚନ୍ତି ।

 

ଅଙ୍ଗୁଳିମାଳର ଏହି ‘ସତ୍ୟର ପରୀକ୍ଷା’ ପରେ ମୋର ଭିତରେ ଜଳୁଥିବା ଆଶାର ଶେଷ କ୍ଷୀଣ ଶିଖାଟି ମଧ୍ୟ ଲିଭିଗଲା । ମୁଁ ଭାବିଲି, ଏହି ଦସ୍ୟୁ ଯଦି ପ୍ରକୃତରେ ସତ୍ୟବାଦୀ ହୋଇନଥାନ୍ତା, ତେବେ ସ୍ୱୟଂ କାଳୀ ଆସି ତାକୁ ବନ୍ଧନମୁକ୍ତ କରିବାରେ କଦାପି କୌଣସି ସାହାଯ୍ୟ କରିନଥାନ୍ତେ ।

 

ଏଥର ମୋର ଦଶା ଯେ କ’ଣ ହେବ, ମୁଁ ଆଉ ସେ ବିଷୟରେ କୌଣସି ଚିନ୍ତା କଲିନାହିଁ । କାରଣ ଏ ସଂସାରରେ ଆଉ ମୋ’ର ବୋଲି କ’ଣ ରହିଲା ? କେବଳ ମୃତ୍ୟୁଅନ୍ତେ ସ୍ୱର୍ଗର ପଶ୍ଚିମ ଭାଗରେ ଆମର ପୁଣି ସାକ୍ଷାତ ହେବ, ଏତିକି ଆଶା ହିଁ ବାକି ଥିଲା । ତୁମେ ଆଗରୁ ଯାଇଚ, ଏଥର ତୁମର ପଛେପଛେ ମୋତେ ଯିବାକୁ ହେବ । ମୋର ସୌଭାଗ୍ୟଲାଗି ତାହାହିଁ ଏକମାତ୍ର ବାଟ ଉନ୍ମୁକ୍ତ ରହିଥିଲା ।

 

ଶତଗୀର ପୁନରାୟ ତାହାର ଶୃଙ୍ଗାର-ପ୍ରସଙ୍ଗମାନ ଆରମ୍ଭ କରିଦେଲା । ମୋର ମାଆ ମଧ୍ୟ ଅତି ଦୁଃଖରେ କାନ୍ଦିକାନ୍ଦି ଆସି ମୋତେ ବାରବାର କହିଲେ ଯେ ସେ ଏହି ବୟସରେ ବିବାହ ନକରି ବାପଘରେ ବସି ରହିଲେ ସେହି ଲଜ୍ଜାରେ ସେ ଆଉ ବେଶୀଦିନ ବଞ୍ଚି ପାରିବେନାହିଁ । ଏପରି ଏକ ଅମାନିଆ ଝିଅକୁ କୌସାମ୍ବି ନଗରରେ ଜନ୍ମ ଦେଇଥିବାରୁ ଅପବାଦ ସହିବା ଅପେକ୍ଷା ଏ ସଂସାରରୁ ବିଦାୟ ନେଇ ଯିବା ବରଂ ଭାରି ଭଲ । ଏହିସବୁ ଶୁଣିଶୁଣି କ୍ରମେ ମୋର ସମସ୍ତ ବଳ ଭାଙ୍ଗିପଡ଼ିବାକୁ ଆରମ୍ଭ କଲା । ଆଜିକାଲି ମଧ୍ୟ ଶତଗୀର ପ୍ରତି ମୋର ଆଗପରି ଏତେ ଅଶ୍ରଦ୍ଧାଭାବ ନଥିଲା । ମୋର ପାଣିଗ୍ରହଣ କରିବାକୁ ତାର ବଳବତୀ ଆକାଂକ୍ଷାକୁ ସ୍ୱୀକାର କରିବା ବ୍ୟତୀତ ମୋର ଆଉ ଗତ୍ୟନ୍ତର ରହିଲାନାହିଁ । ମୋର ପ୍ରାଣପ୍ରିୟତମ କାମନୀତର ମୃତ୍ୟୁର ପ୍ରତିଶୋଧ ନେଇଥିବାରୁ ତା’ପ୍ରତି ଏକ କୃତଜ୍ଞଭାବ ମଧ୍ୟ ଜାତ ହୋଇଥିଲା ।

 

ଏହିପରି ଭାବରେ ବରଷକ ପରେ ମୁଁ ମନ୍ତ୍ରୀପୁତ୍ର ଶତଗୀରର ପାଣିଗ୍ରହଣ କରିଥିଲି ।

Image

 

୨୮

ଆକାଶଗଙ୍ଗାର ତଟରେ

 

କାମନୀତ ଲକ୍ଷ୍ୟ କରି ଦେଖିଲେ ଯେ ଚିରକଲ୍ୟାଣମୟ ଏହି ସ୍ୱର୍ଗରାଜ୍ୟରେ ମଧ୍ୟ ପୂର୍ବଜୀବନର ସ୍ମୃତିଗୁଡ଼ିକୁ ବର୍ଣ୍ଣନା କଲାବେଳେ ତାଙ୍କର ପ୍ରିୟତମା ତଥାପି ବଡ଼ ଶଙ୍କିତ ଅନୁଭବ କଲାପରି ମନେହେଉଚି, ତାହାର ନୂତନସମ୍ଭୂତ ଆତ୍ମା ଉପରେ ଯେପରି କାହାର ତାମସ ଛାୟା ମାଡ଼ିମାଡ଼ି ଆସୁଚି । ଏକଥା ଲକ୍ଷ୍ୟ କରି ସେ ବଶିଷ୍ଠୀର ହାତଧରି ଅଗ୍ରସର ହେବାକୁ ଲାଗିଲେ ଏବଂ ଏକ ଅତୀବ ମନୋହର ଶୈଳଶିଖରରେ ଯାଇ ପହଞ୍ଚିଲେ । ଆପାତତଃ ବର୍ତ୍ତମାନ ପାଇଁ ଦୁହେଁ ଏହିଠାରେ ଅବସ୍ଥାନ କଲେ । ରକ୍ତ, ନୀଳ ଓ ଶୁଭ୍ରବର୍ଣ୍ଣର କେତେ ଭାସମାନ ମୂର୍ତ୍ତି ଆସି ସେଠାରେ ନବାଗତମାନଙ୍କୁ ଅଭିବାଦନ ଜଣାଇଗଲେ ଓ ନାନାପ୍ରକାର କ୍ରୀଡ଼ା କରିବାକୁ ଲାଗିଲେ-। କାମନୀତ ଓ ବଶିଷ୍ଠୀ ମଧ୍ୟ ଅଳ୍ପ ସମୟ ମଧ୍ୟରେ ସେହି କ୍ରୀଡ଼ାରେ ସମ୍ମିଳିତ ହୋଇଗଲେ ।

 

ଅନେକ ସମୟ ପର୍ଯ୍ୟନ୍ତ ପର୍ବତସ୍ଥ ଉପବନରେ ଭାସିବୁଲିବା ପରେ ସେମାନେ ପଦ୍ମସରଃ ଅଭିମୁଖରେ ଅଗ୍ରସର ହେଲେ, ସେହିଠାରେ ଏପର୍ଯ୍ୟନ୍ତ ନୃତ୍ୟୋତ୍ସବ ଲାଗି ରହିଥିଲା । ସେଥର କାମନୀତଙ୍କୁ ସାଙ୍ଗରେ ନେଇ ଆକାଶଗଙ୍ଗା ଦେଖିଯିବାର ପ୍ରସ୍ତାବ ଦେଇଥିବା ଶୁଭ୍ରବାସଧାରୀ ସ୍ତ୍ରୀ ମୂର୍ତ୍ତିଟି ସହିତ ସେମାନଙ୍କର ଏହିଠାରେ ଦେଖାହେଲା । ନୃତ୍ୟସ୍ଥାନକୁ ଆସି କାମନୀତ ତାହାରି ଆଡ଼କୁ ହସ୍ତ ପ୍ରସାରିତ କରିବାରୁ ସେ ଆନନ୍ଦରେ ହସିହସି ପଚାରିଲା : –

 

ତୁମେ ଗଙ୍ଗାତଟ ଦେଖିଆସିଲଣି ? ବର୍ତ୍ତମାନ ତ ତୁମେ ଜଣେ ସହଚରୀ ମଧ୍ୟ ପାଇସାରିଲାଣି !

 

କାମନୀତ ଉତ୍ତର ଦେଲେ–ନା, ଗଙ୍ଗାତଟ ଏପର୍ଯ୍ୟନ୍ତ ଦେଖା ହୋଇନାହିଁ ।

ବଶିଷ୍ଠୀ ପଚାରିଲା–ଏହି ଗଙ୍ଗାତଟଟି ପୁଣି କ’ଣ ?

କାମନୀତ ତାକୁ ସବୁ ବିଷୟ ବୁଝାଇ କହିଦେଲେ ।

 

ଶୁଣି ବଶିଷ୍ଠୀ କହିଲା–ଚାଲ, ଆମେ ସେଇଠାକୁ ଯିବା । ମର୍ତ୍ତ୍ୟଗଙ୍ଗାର ଅନ୍ଧକାରାଚ୍ଛନ୍ନ ତଟଭୂମି ଉପରେ ବସି ମୁଁ କେତେଥର ଏହି ଆକାଶଗଙ୍ଗାକୁ ଅନାଇ ନ ଦେଖିଚି ଏବଂ ଏହି ଗଙ୍ଗାର ଅବବାହିକାରେ ଅବସ୍ଥିତ ଥିବା ପ୍ରଣ୍ୟମୟ ରାଜ୍ୟ ବିଷୟରେ କେତେ କଳ୍ପନା ନକରିଚି ? ହୁଏତ ଦିନେ ଏହି ଆକାଶଗଙ୍ଗାର ତଟରେ ଆମଦୁହିଁଙ୍କର ପୁଣି ମିଳନ ହେବ, ଏହି କଥା ଆପଣା ହୃଦୟକୁ ମୁଁ କେତେ ନ ପଚାରିଚି ? ତୁମ ସହିତ ସେହି ଈପ୍‍ସିତ ସୁନ୍ଦର ସ୍ଥାନକୁ ଯିବାର ପ୍ରଲୋଭନ ମୁଁ ଆଦୌ ସମ୍ବରଣ କରିପାରୁନାହିଁ ।

 

ନୃତ୍ୟସଭାରୁ ବିଦାୟ ନେଇ ସେମାନେ ଆପଣା ହ୍ରଦଠାରୁ ଅଧିକ ଦୂରକୁ ଦୂରକୁ ଯିବାକୁ ଲାଗିଲେ । କିଛି ସମୟ ଅତିକ୍ରାନ୍ତ ହୋଇଯିବାପରେ ମଉ ମନୁଷ୍ୟମୂର୍ତ୍ତି ଆସୀନ ଥିବା ପଦ୍ମପୁଷ୍ପର ସରୋବରମାନ ଦୃଷ୍ଟିଗୋଚର ହେଲାନାହିଁ । ପୁଷ୍ପବାଟିକାମାନ କ୍ରମେ ବିରଳ ହୋଇଆସିଲା । ଉନ୍ମୁକ୍ତ ପ୍ରାନ୍ତର ଭିତରେ କୁରଙ୍ଗଯୂଥମାନ ଏଣେତେଣେ ଦଉଡ଼ିବାରେ ଲାଗିଥାନ୍ତି, କୃଷ୍ଣଜଳ ସରୋବରମାନଙ୍କରେ ରାଜହଂସ ସନ୍ତରଣ କରୁଥାନ୍ତି । ପାର୍ବତ୍ୟ ଭୂଇଁ କ୍ରମେ ଅଦୃଶ୍ୟପ୍ରାୟ ହୋଇଆସିଲା ।

 

ଘାସ ଓ ଗୁଳ୍ମପୂର୍ଣ୍ଣ ଏକ ଭୂମି ଉପରେ ସେ ଦୁହେଁ ଭାସି ଯାଉଥାନ୍ତି । ସମ୍ମୁଖରେ ତାଳବନର ଶ୍ୟାମଳ ରେଖା ଦିଗନ୍ତ ପ୍ରସାର କରି ରହିଥାଏ ।

 

ତା’ପରେ ଅରଣ୍ୟ ପଡ଼ିଲା । ମୁଣ୍ଡଉପରେ ମେଘଖଣ୍ଡମାନ କ୍ରମେ ଅଧିକ କଳା ହୋଇ ଆସିଲେ । ଗଛର ଗଣ୍ଡିଗୁଡ଼ାକ ପିତଳପରି ଚକଚକ ଦେଖାଯାଉଥାଏ । ଉପରେ ଶାଖାଗୁଡ଼ିକରୁ ଏକପ୍ରକାର ଝଣଝଣ ଶବ୍ଦ ଶୁଣାଯାଉଥାଏ ।

 

ହଠାତ୍‍ ସେମାନଙ୍କ ସମ୍ମୁଖରେ ବିଜୁଳି ଝଟକି ଉଠିଲା । ହାତର ଅଙ୍ଗୁଳି ଦେଇ ସେମାନେ ଆପଣାର ଆଖିକୁ ଆବୃତ କରି ରଖିଲେ । ମନେହେଉଥାଏ ଯେପରି ଅରଣ୍ୟଭିତରେ ଥିବା ଏକ ରଜତସ୍ତମ୍ଭରୁ ସୂର୍ଯ୍ୟର କିରଣମାନ ବିଚ୍ଛୁରିତ ହୋଇ ପଡ଼ୁଚି । ଆଖିଉପରୁ ହାତ ଅପସରାଇ ନେବାବେଳକୁ ସେମାନେ ତାଳବନ ପାର ହେବାକୁ ଯାଉଥିଲେ ।

 

ତାଳବନ ପରେ ଆକାଶଗଙ୍ଗା ଦୃଷ୍ଟିଗୋଚର ହେଲା । ଏହାର ରଜତବର୍ଣ୍ଣ ଜଳସ୍ରୋତ ଆଦିଗନ୍ତ ବିସ୍ତୃତ ହୋଇ ରହିଥାଏ, ନଦୀର ତରଙ୍ଗମାନ ଭାସମାନ ତାରାଲୋକ ସଦୃଶ ନଦୀଶଯ୍ୟାରେ ଧୂସରୋଜ୍ଜ୍ୱଳ ସୈକତ ଭୂମିଉପରେ ପ୍ରତିଫଳିତ ହେବାରେ ଲାଗିଥାଏ ।

 

ଏଠାରେ ପାରିଜାତ ଫୁଲର ସୁଗନ୍ଧର କୌଣସି ସୂଚନା ମିଳିଲାନାହିଁ । କିନ୍ତୁ ପ୍ରବାଳବୃକ୍ଷର ଚତୁର୍ଦ୍ଦିଗରେ ଥିବା ପାର୍ବତ୍ୟଭୂମିରେ ଏକ ଅପୂର୍ବ ସୁବାସ ପୂର୍ଣ୍ଣହୋଇ ରହିଥିବାପରି ଏହି ତଟିନୀର ତଟେ ତଟେ ଏକ ଶୀତଳ ମଧୁର ସମୀରଣର ଉଲ୍ଲାସ ପୂର୍ଣ୍ଣହୋଇ ରହିଥିଲା, ଇନ୍ଦ୍ରିୟଜଗତର ସମସ୍ତ ସୁବାସ ମିଳାଇଯାଇ ଯେପରି ଏକ ବାସମୁକ୍ତ ବିଶୁଦ୍ଧତାରେ ପରିଣତ ହୋଇଯାଇଥିଲା । କେଉଁ ଅପୂର୍ବ ପାନୀୟରସ ପାନ କଲାପରି ବଶିଷ୍ଠୀ ବିଭୋର ଭାବରେ ଏହି ସମୀରଣକୁ ସେବନ କରିବାକୁ ଲାଗିଲା ।

 

ଅପ୍ସରାମାନେ କେଉଁଠି ସଙ୍ଗୀତ ଗାଉଥିବାର କୌଣସି ସୂଚନା ଏଠାରେ ନଥିଲା । କିନ୍ତୁ ନଦୀର ସ୍ରୋତଧାରାକୁ ଏକ ବଜ୍ରସମ ନିର୍ଘୋଷ ଉବ୍ଧିତ ହେବାର ଲାଗିଥିଲା ।

 

ହାତ ଉଠାଇ ଡାକିକରି ବଶିଷ୍ଠୀ କହିଲା–ଶୁଣ !

 

କାନଡ଼େରି କାମନୀତ ଶୁଣିବାକୁ ଲାଗିଲେ ଓ କହିଲେ କି ଅଦ୍ଭୁତ ! ଥରେ ମୋର ପରିବ୍ରଜ କାଳରେ ମୁଁ ଏକ ପର୍ବତର ପାଦଭୂମିରେ ଅବସ୍ଥିତ ଥିବା ଗୋଟିଏ କୁଟୀରରେ ବିଶ୍ରାମ ନେଇଥିଲି । ମୋର ସମ୍ମୁଖରେ ଗୋଟିଏ ଛୋଟିଆ ନଦୀ ପ୍ରବାହିତ ହେଉଥାଏ । ଦିନଯାକର ଯାତ୍ରା ପରେ ମୁଁ ବଡ଼ କ୍ଲାନ୍ତ ହୋଇପଡ଼ିଥିଲି ଏବଂ ସେଠାରେ ପହଞ୍ଚି ପ୍ରଥମେ ନଦୀର ସ୍ୱଚ୍ଛ ଜଳରେ ମୁଁ ଗୋଡ଼ ଧୋଇବାକୁ ଗଲି । ରାତିରେ ମୁଁ ଗଭୀର ନିଦ୍ରାରେ ଶୋଇଚି, ଏହିସମୟରେ ଝଡ଼ସହିତ ପ୍ରବଳ ବୃଷ୍ଟିପାତ ଆରମ୍ଭ ହେଲା । ମୁଁ ନିଦରୁ ଉଠି କୁଟୀର ଭିତରେ ବସିଥାଏ ଓ ଏଡ଼େଟିକିଏ ନଦୀ କିପରି ବନ୍ୟାଜଳରେ ସ୍ଫୀତ ହୋଇ କ୍ରମେ ପ୍ରବଳତର ହେବାରେ ଲାଗିଥାଏ, ମୁଁ ତାହାରି ଶବ୍ଦ ଶୁଣୁଥାଏ । କିନ୍ତୁ ତାହା ସହିତ ମୁଁ ଆହୁରି ଏ କୋଳାହଳ ଶବ୍ଦ ଶୁଣିବାକୁ ପାଇଲି । କିନ୍ତୁ ସେହି କୋଳାହଳ ଯେ କେଉଁଠୁ ଆସୁଥିଲା, ତାହା କୌଣସି ଅନ୍ତ ପାଇଲିନାହିଁ । ସକାଳେ ଉଠି ଦେଖିଲି, ଛୋଟିଆ ପର୍ବତୀୟ ଜଳସ୍ରୋତଟିଏ ଭୀଷଣ ଆକାର ଧାରଣକରି ପ୍ରଚଣ୍ଡ ବେଗରେ ଧାଇଁବାରେ ଲାଗିଚି, କେଡ଼େକେଡ଼େ ପଥରଖଣ୍ଡମାନ ଭସାଇନେଇ ଚାଲିଯାଉଚି । ରାତିରେ ଏହି ପଥରଗୁଡ଼ାକର ଶବ୍ଦ ହିଁ ମୁଁ ଶୁଣିବାକୁ ପାଇଥିଲି । ଆଜି ଆକାଶଗଙ୍ଗାର ଏହି ଶବ୍ଦ ଶୁଣି ମୋର ପ୍ରବ୍ରଜ୍ୟାକାଳର ସେହି ରାତ୍ରିଟିର ଅଭିଜ୍ଞତା ହଠାତ୍‍ କାହିଁକି ମନେପଡ଼ିଯାଉଚି କେଜାଣି ?

 

ବଶିଷ୍ଠୀ ଉତ୍ତର ଦେଲା–ଏହାର ଅର୍ଥ ହେଉଚି ଯେ ମର୍ତ୍ତଲୋକର ସେହି ନଦୀରେ ପଥରଖଣ୍ଡମାନ ତଳକୁ ବହିଯିବାଦ୍ୱାରା ସେହି ଶବ୍ଦ ହେଉଥିଲା । କିନ୍ତୁ ଏହି ଆକାଶଗଙ୍ଗାର ସ୍ରୋତମୁଖରେ କେତେକେତେ ପୃଥିବୀ ଉପରଖଣ୍ଡ ପରି କୁଆଡ଼େ ଭାସି ଚାଲିଯାଉଚି ଏବଂ ଆମେ ବର୍ତ୍ତମାନ ତଜ୍ଜନିତ ପ୍ରଚଣ୍ଡ ଶବ୍ଦ ହିଁ ଶୁଣିବାକୁ ପାଉଚୁ ।

 

ଭୟ ପାଇଲାପରି କାମନୀତ ପଚାରିଲେ ପୃଥିବୀ ?

 

ଏକ ରହସ୍ୟଭରା ହସ ହସି ବଶିଷ୍ଠୀ ଟିକିଏ ଆଗକୁ ଘୁଞ୍ଚିଯାଇ ଠିଆହେଲା । କିନ୍ତୁ ତାର ପଣନ୍ତକାନି ଧରି କାମନୀତ ତାକୁ ପୁଣି ପଛକୁ ଟାଣିଆଣିଲେ ।

 

ସାବଧାନ, ବଶିଷ୍ଠୀ ! ଗୋଟାଗୋଟା କରି କେତେ ପୃଥିବୀକୁ ଭସାଇ ନେଇ ଯାଉଥିବା ସେହି ପ୍ରବଳ ନଦୀସ୍ରୋତରେ ଯେ କି ଶକ୍ତି, କି ପ୍ରବଳ ଭୟଙ୍କର ପରାକ୍ରମ ପ୍ରଚ୍ଛନ୍ନ ହୋଇ ରହିଚି, ସେକଥା କିଏ କହିପାରିବ ? ଏବଂ ଏହି ନଦୀତଟରୁ ଅନ୍ୟତ୍ର ଗଲାପରେ ତୁ ଯେ କାହାର କବଳରେ ପଡ଼ିବୁ, ସେକଥା ମଧ୍ୟ କାହାକୁ ଜଣାଅଛି ? କେଉଁ ନିର୍ଦ୍ଦୟ ଶକ୍ତି ହଠାତ୍ ଆସି ମୋଠାରୁ ତୋତେ ବିଚ୍ଛିନ୍ନ କରି ନେଇଯିବ ନାହିଁ ତ ?

 

ମୋର ମନ ଏହି ଆଶଙ୍କାରେ ବଡ଼ ତ୍ରସ୍ତ ହୋଇ ପଡ଼ୁଚି !

ତେବେ କଣ ତୁମେ ସାହସ ଧରି ମୋ’ ପଛେପଛେ ଯିବନାହିଁ ?

 

ଅବଶ୍ୟ ଯିବି । କିନ୍ତୁ କିଏ ଜାଣିଚି ମୁଁ ତୋତେ ପୁଣି ଫେରି ପାଇବି କି ନାହିଁ ! କାଳେ କେଉଁ ପ୍ରବଳ ଶକ୍ତି ଆସି ଆମକୁ ପରସ୍ପରଠାରୁ ଅନ୍ତର କରି ନେଇଯିବ ! ଏହି ମିଳନ ପରେ ପୁଣି ଅସୀମ ଅଜ୍ଞାତ ଭିତରକୁ ବିଚ୍ଛିନ୍ନ ହୋଇ ଚାଲିଗଲେ, ଏହି ସ୍ୱର୍ଗରାଜ୍ୟରୁ ବିଚ୍ୟୁତ ହୋଇ ଚାଲିଗଲେ ତାହା କେଡ଼େବଡ଼ ଦୁର୍ଦ୍ଦଶା ନହେବ କହିଲୁ ।

 

ଅସୀମ ଭିତରକୁ ? ଚିନ୍ତିତ ଗମ୍ଭୀର ଭାବରେ ବଶିଷ୍ଠୀ ପଚାରିଲା ଓ ଦିଗନ୍ତପ୍ରସାରିତ ଆକାଶଗଙ୍ଗାର ତଟଆଡ଼କୁ ବିସ୍ଫାରିତ ଦୃଷ୍ଟିରେ ଅନାଇ ରହିଲା । ନଦୀର ରଜତଗାରଟି ଯେଉଁଠି କୃଷ୍ଣବର୍ଣ୍ଣ ସ୍ୱର୍ଗସମତଳ ସହିତ ଏକ ହୋଇ ମିଶିଯାଇଚି, ସେହିଠାକୁ ଅନାଇ ତା’ର ଅନ୍ତର ଆହୁରି ଦୂରକୁ ଯିବାକୁ ବ୍ୟାକୁଳ ହୋଇ ଉଠିଲା । ଯେଉଁଠି ସୀମାର ବନ୍ଧନ ରହିଚି, ସେଠାରେ ଚିରନ୍ତନ କଲ୍ୟାଣ ଓ ସୁଖ ଉପଲବ୍ଧ ହୋଇପାରିବ କୁଆଡ଼ୁ ?

 

ଭୀତତ୍ରସ୍ତ ହେଲାପରି କାମନୀତ ଗର୍ଜନ କରି କହିଲେ ବଶିଷ୍ଠୀ ! ଏକତା ଜାଣିଥିଲେ ମୁଁ କଦାପି ତୋତେ ଏଠାକୁ ନେଇ ଆସିନଥାନ୍ତି । ଆ ମୋର ପ୍ରିୟତମା, ମୋର ପାଖକୁ ଆ !

 

ସେ ହାତଧରି ତାକୁ ଆପଣାର ସଙ୍ଗକୁ ଟାଣିଆଣିଲେ । ତାଙ୍କର ହୃଦୟ ନାନାପ୍ରକାର ଭୟାଶଙ୍କାରେ ଉଦ୍‍ବେଳିତ ହୋଇ ଉଠୁଥାଏ ।

 

ବଶିଷ୍ଠୀ ତାଙ୍କର ପଛେପଛେ ଚାଲିବାକୁ ଲାଗିଲା । କ୍ରମେ ସେମାନେ ତାଳବନ ଭିତରେ ପ୍ରବେଶ କଲେ । ଏହିସମୟରେ ଆକାଶଗଙ୍ଗାକୁ ଶେଷଥର ପାଇଁ ଦେଖିବାକୁ ବଶିଷ୍ଠୀ ମୁହଁ ବୁଲାଇ ପଛକୁ ଚାହିଁଲା ।

 

ପୁନରାୟ ସେମାନେ ଆପଣାର ସ୍ଫଟିକସ୍ୱଚ୍ଛ ସରୋବରରେ ଥିବା ପଦ୍ମାସନ ଉପରକୁ ଫେରି ଆସିଲେ, ପୁନରାୟ ସେମାନେ ପୁଷ୍ପୋତ୍ସବମତ୍ତ ସମ୍ମିଳିତ ହେଲେ ଏବଂ ସ୍ୱର୍ଗସୁଖ ଉପଭୋଗ କରି ଆପଣାର ମଧୁର ପ୍ରେମରସର ପୀୟୂଷ ପାନ କରିବାକୁ ଲାଗିଲେ ।

 

କିନ୍ତୁ ଥରେ ନୃତ୍ୟୋତ୍ସବରେ ସେମାନଙ୍କର ପୁଣି ସେହି ଶ୍ୱେତବସ୍ତ୍ରଧାରିଣୀ ସହିତ ସାକ୍ଷାତ ହେଲା ।

 

ସେ ପଚାରିଲା–ତାହେଲେ ତୁମେମାନେ ଆକାଶଗଙ୍ଗା ବି ଦେଖିଆସିଲଣି ?

ସେକଥା ତୁମେ କିପରି ଜାଣିଲ ?

 

ଯେଉଁମାନେ ସେଠାକୁ ଯାଆନ୍ତି, ସେମାନଙ୍କର ଭ୍ରୁଲତାତଳେ ଗୋଟିଏ କଳାଚିହ୍ନ ରହିଯାଏ । ତେଣୁ ମୁଁ ସେଠାକୁ କେବେହେଲେ ଯିବାକୁ ମନ ବଳାଏନାହିଁ । ସେଠାକୁ ମୁଁ ଥରେହେଲେ ଦେଖିଆସିବାକୁ ମଧ୍ୟ ଯିବିନାହିଁ । ସେଠାକୁ ଯିବାକୁ କେହି ରାଜି ହେବେନାହିଁ ।

Image

 

୨୯

ପ୍ରବାଳବୃକ୍ଷର ସୁବାସ

 

ସେମାନେ ମଧ୍ୟ ଆକାଶଗଙ୍ଗାର ଅନୁଦାର ତଟଭୂମିକୁ ବାରବାର ଯିବାରୁ ନିବୃତ୍ତ ହୋଇଥିଲେ ।

 

କିନ୍ତୁ ପର୍ବତର ଉପତ୍ୟକାକୁ ସେମାନେ ଅନେକ ସମୟରେ ବୁଲି ଯାଉଥିଲେ । ପ୍ରବାଳବୃକ୍ଷର ଛାୟାଘନ ଚନ୍ଦ୍ରାତପ ତଳେ ବିଶ୍ରାମ ନେଇନେଉ ସେମାନେ ସିନ୍ଦୂର ରଙ୍ଗର ସେହି ଫୁଲଗୁଡ଼ିକରୁ ଚହଟି ପଡ଼ୁଥିବା ସୁବାସକୁ ସେବନ କରୁଥିଲେ । ଏବଂ ସେମାନଙ୍କର ସ୍ମୃତିର ଗଭୀରଭିତରେ ସେମାନଙ୍କର ଅତୀତ ଜୀବନର କେତେକେତେ ଚିତ୍ର ଉନ୍ମୋଚିତ ହୋଇଯାଉଥିଲା-

 

କେତେବେଳେ ସେମାନେ ଆପଣାକୁ ରାଜପ୍ରସାଦରେ ଦେଖିବାକୁ ପାଉଥିଲେ, ଆଉ କେତେବେଳେ କୁଟୀରରେ ମଧ୍ୟ ଦେଖିବାକୁ ପାଉଥିଲେ; କେତେବେଳେ ସେମାନେ ରେଶମ ବା ମଖମଲର ପୋଷାକ ପିନ୍ଧିଥିଲେ, ପୁଣି କେତବେଳେ ଗ୍ରାମର ତନ୍ତୀହାତର ବୁଣା ମୋଟା ଖଦୀ ପିନ୍ଧିଥିଲେ କିନ୍ତୁ ସକଳ ଅବସ୍ଥାରେ ମଧ୍ୟ ସେମାନଙ୍କର ପରସ୍ପର ପ୍ରତି ପ୍ରେମ ସେହିପରି ଅନାବିଳ ହୋଇ ରହିଥିଲା । କେତେବେଳେ ମିଳନର ସୌଭାଗ୍ୟ ସେମାନଙ୍କୁ ପରମ ସୁଖରେ ବାନ୍ଧି ରଖିଥିଲା, କେତେବେଳେ ବିରହ ବା ମୃତ୍ୟୁଦ୍ୱାରା ସେମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଉଥିଲେ । କିନ୍ତୁ ସୌଭାଗ୍ୟ ହେଉ ବା ଦୁର୍ଭାଗ୍ୟ ହେଉ, ସବୁ ଅବସ୍ଥାରେ ସେମାନଙ୍କର ପାରସ୍ପରିକ ପ୍ରେମ ଅଗୁଣ ଓ ପରିପୂର୍ଣ୍ଣ ରହିଥିଲା ।

 

ଦୂର ବ୍ୟତୀତ ଯୁଗମାନଙ୍କରେ ମଧ୍ୟ ସେମାନେ ଆପଣାକୁ ଦେଖିବାକୁ ପାଇଲେ । ସେତେବେଳେ ମନୁଷ୍ୟମାନେ ଆଜି ଅପେକ୍ଷା ଯଥେଷ୍ଟ ଅଧିକ ଶକ୍ତିଶାଳୀ ଥିଲେ । ଅବିସ୍ମରଣୀୟ ସେହି ବୀରଗାଥାର ଯୁଗରେ ଥରେ କାମନୀତକୁ ବଶିଷ୍ଠୀର ବାହୁପାଶ ଛାଡ଼ି ଯୁଦ୍ଧହସ୍ତୀ ଆରୋହଣ କରି ହସ୍ତିନାପୁର ଯିବାକୁ ପଡ଼ିଥିଲା, କୁରୁକ୍ଷେତ୍ରର ଯୁଦ୍ଧରେ ସଖା ପାଣ୍ଡବମାନଙ୍କ ପକ୍ଷରେ ରହି ଯୁଦ୍ଧ କରିବାକୁ ପଡ଼ିଥିଲା । କୁରୁକ୍ଷତ୍ରର ରଣଭୂମିରେ ଅର୍ଜ୍ଜୁନ ଓ କୃଷ୍ଣଙ୍କର ପାର୍ଶ୍ୱରେ ରହି ଯୁଦ୍ଧ କରୁକରୁ ସେହିଠାରେ ହିଁ ବୀରପରି ତାଙ୍କୁ ଆପଣାର ପ୍ରାଣବଳି ଦେବାକୁ ପଡ଼ିଥିଲା । ତାଙ୍କର ମୃତ୍ୟୁସମ୍ବାଦ ଯେତେବେଳେ ବଶିଷ୍ଠୀ ପାଖରେ ପହଞ୍ଚିଲା, ସେ ରାଜପ୍ରାସାଦର ସମ୍ମୁଖରେ ଆପଣା ହାତରେ ଏକ ଚିତା ଜଳାଇଲା ଓ ଆପଣାର ସମସ୍ତ ବହୁମୂଲ୍ୟ ଅଳଙ୍କାର ପିନ୍ଧି ସେହି ଚିତାରେ ପ୍ରବେଶ କଲା ।

 

ଆଉଥରେ ସେମାନେ ଆଉ ଏକ ରାଜ୍ୟରେ ଏକ ଭିନ୍ନ ପ୍ରାକୃତିକ ପରିବେଶ ଭିତରେ ଆପଣାକୁ ଦେଖିବାକୁ ପାଇଲେ । ସେଠାରେ ଗଙ୍ଗା ବା ଯମୁନାର ଅବବାହିକାରେ ଥିବା ସୁରମ୍ୟ ହର୍ମ୍ୟଶୋଭିତ ନଗରମାନ ନଥିଲା । ସେଠାରେ ଶସ୍ତ୍ରାସ୍ତ୍ରସଜ୍ଜିତ କ୍ଷତ୍ରିୟ, ନାନାବିଦ୍ୟାରେ ପଣ୍ଡିତ ପ୍ରତାପୀ ବ୍ରାହ୍ମଣ, ଧନୀ ଓ ସମ୍ପନ୍ନ ବୈଶ୍ୟ ବା କର୍ମକୁଶଳ ଶୂଦ୍ରମାନେ ନଗରମାର୍ଗମାନ ପରିପୂର୍ଣ୍ଣ କରି ରହିନଥିଲେ । ଏଠାରେ ଧାନ୍ୟକେଦାର ନଥିଲା ବା ଶତପଦୀ ବଟବୃକ୍ଷ ନଥିଲା, ତାଳବନ ନଥିଲା ବା ଘନ ଅରଣ୍ୟ ନଥିଲା, ହସ୍ତୀବ୍ୟାଘ୍ର ନଥିଲେ ବା ହିମାବତର ତୁଷାରଚୂଡ଼ ଶୃଙ୍ଗମାନ ନଥିଲେ । ଗ୍ରୀଷ୍ମମଣ୍ଡଳୀୟ ସଦୃଶ୍ୟ ଓ ସୁରଙ୍ଗ ଭୂଭାଗରେ ହିଁ ସେମାନଙ୍କର ସମ୍ମିଳିତ ପ୍ରେମଜୀବନର ଅଧିକାଂଶ ସମୟ ଅତିବାହିତ ହୋଇଥିଲା, ଜୀବନର ଏହି ରଙ୍ଗମଞ୍ଚଟି ସହିତ ଅତ୍ୟନ୍ତ ପରିଚିତ ଓ ଅଭ୍ୟସ୍ତ ରହିଥିବା ହେତୁ ସେମାନେ ଆଉ କେଉଁଠି କୌଣସି ଅନ୍ୟ ପରିଚିତ ଓ ଅଭ୍ୟସ୍ତ ରହିଥିବା ହେତୁ ସେମାନେ ଆଉ କେଉଁଠି କୌଣସି ଅନ୍ୟ ପରିଚିତ ଓ ଅଭ୍ୟସ୍ତ ରହିଥିବା ହେତୁ ସେମାନେ ଆଉ କେଉଁଠି କୌଣସି ଅନ୍ୟ ପ୍ରକାରର ପୃଥିବୀ ଅଛି ବୋଲି, ଏକାବେଳେକେ ପାସୋରି ପକାଇଥିଲେ । କିନ୍ତୁ ଏଥର ହଠାତ୍‍ ସେହି ପରିଚିତ ଭୂମି କୁଆଡ଼େ ଅଦୃଶ୍ୟ ହୋଇଗଲା ଏବଂ ତାହା ପରିବର୍ତ୍ତରେ ଏକ ଇଷର ଶୁଷ୍କଭୂମି ଦୃଷ୍ଟିଗୋଚର ହେବାକୁ ଲାଗିଲା ।

 

ଠିକ୍‍ ଗାଙ୍ଗେୟ ସମତଳଭୂମି ପରି ଏଠାରେ ମଧ୍ୟ ସୂର୍ଯ୍ୟଙ୍କର କିରଣ ଅତ୍ୟନ୍ତ ପ୍ରଖର ରହିଥିଲା, ସେହି କିରଣରେ ନଦୀଜଳ ଓ ତୃଣଭୂମି ସବୁ ଶୁଷ୍କ ହୋଇଯାଉଥିଲା । କିନ୍ତୁ ଶୀତଋୁତୁରେ ଅରଣ୍ୟରୁ ସମସ୍ତ ଜୀବନ ଅନ୍ତର୍ହିତ ହୋଇଯାଉଥିଲା । ଏବଂ ପ୍ରାନ୍ତରଭୂମିମାନ ହିମାଚ୍ଛାଦିତ ହୋଇ ରହୁଥିଲା । ଏଠାରେ ଉଚ୍ଚ ଅଟ୍ଟାଳିକାଦ୍ୱାରା ପରିପୂର୍ଣ୍ଣ ବଡ଼ ସହର ବା ନଗର ନଥିଲା, କିନ୍ତୁ ଶାନ୍ତିମୟ ମାଟିର ରାସ୍ତାର କଡ଼େକଡ଼େ ପ୍ରାଚୀର-ପରିବେଷ୍ଟିତ ବହୁସଂଖ୍ୟକ ଗ୍ରାମ ଅବସ୍ଥିତ ଥିଲା । ଚାରିପାଖରେ ବୁଲିଥିବା ଖାଇ ଏହିସବୁ ଗ୍ରାମକୁ ଠିକ୍‍ ଦୁର୍ଗପରି ସୁରକ୍ଷିତ କରି ରଖିଥିଲା । ଏହି ଅଞ୍ଚଳରେ କ୍ଷତ୍ରିୟ ଜନସମୂହ ବାସ କରୁଥିଲେ । ପର୍ବତରେ ହେଟାବାଘ ପୁର୍ଣ୍ଣ ହୋଇ ରହିଥିଲେ, କ୍ରୋଶକ ଦୂରରୁ ଏମାନଙ୍କର ଭୟଙ୍କର ଗର୍ଜନ ଶୁଣିପାରି ଥରେ ଜଣେ ଶଙ୍କିତ ପଥିକ ମନରେ ଭୟର ସଞ୍ଚାର ହୋଇଥିଲା । ଦୀର୍ଘ ପଥ ଅତିକ୍ରମ କରି ସେ ଅତି ଅପରିଚିତ ଭାବରେ ଶେଷରେ ଏକ ଗ୍ରାମରେ ଆସି ପହଞ୍ଚିଲା ଏବଂ ଗ୍ରାମବାସୀ ଅତିଥିଭାବରେ ତାଙ୍କର ସବୁପ୍ରକାର ଚର୍ଚ୍ଚା କରିଥିଲେ । ଏକମାତ୍ର ସମ୍ପତ୍ତି ହିସାବରେ କାନ୍ଧଉପରେ ତାଙ୍କର ବୀଣାଟି ଝୁଲୁଥାଏ, କିନ୍ତୁ ତାଙ୍କର ମସ୍ତିଷ୍କ ଭିତରେ ତାଙ୍କ ପୂର୍ବପୁରୁଷମାନଙ୍କଠାରୁ ପ୍ରାପ୍ତ ବହୁମୂଲ୍ୟ ଉତ୍ତରାଧିକାର ସଞ୍ଚିତ ହୋଇ ରହିଥାଏ ଅଗ୍ନି, ଇନ୍ଦ୍ର, ବରୁଣ, ସୂର୍ଯ୍ୟ ଓ ଆହୁରି ଅନେକ ଅଜ୍ଞାତ ଦେବତାଙ୍କର ଉଦ୍ଦେଶ୍ୟରେ ରଚିତ ହୋଇଥିବା ସ୍ତୋତ୍ରମାନ ତାଙ୍କର କଣ୍ଠସ୍ଥ ଥାଏ–ପୁରୁଷମାନଙ୍କର ଯୁଦ୍ଧକାଳୀନ ଓ ସୁରାପାନକାଳୀନ ଗୀତମାନ ଓ ବାଳିକାମାନଙ୍କର ପ୍ରେମସଙ୍ଗୀତମାନ, ଗୋପାଳମାନଙ୍କର ଠାରଭାଷା ସବୁ ସେ ଆୟତ୍ତ କରି ରଖିଥାନ୍ତି ।

 

ଗୋଧୂଳି ସମୟ, ଗୋରୁମାନେ ଘରକୁ ଫେରିଆସୁଚନ୍ତି, ଗୋଠଭିତରୁ ଢଳଢଳ ଯୌବନା କୁମାରୀ ବାଳିକାର ଡାକ ଶୁଣାଯାଉଚି–ତାର ପାଖରେ ତାର ଆପଣା ପସନ୍ଦର ଗାଈଟି ମଧ୍ୟ ଚାଲିଚାଲି ଯାଉଚି, ତାହାର ବେକରେ ବନ୍ଧା ହୋଇଥିବା ଘଣ୍ଟିର ଶବ୍ଦକୁ ଅନ୍ୟମାନେ ଅନୁସରଣ କରି ଚାଲିଚନ୍ତି, ଗାଈଟି କେତେବେଳେ ବାଳିକାଟିର ହାତକୁ ଚାଟିବାରେ ଲାଗିଚି । ବାଟୋଇ ବାଳିବାଟିକୁ ଦେଖି ଅଭିନନ୍ଦନ ଜଣାଇଲେ, ବାଳିକାଟି ମଧ୍ୟ ପ୍ରତିଅଭିବାଦନ ଜଣାଇଲା–ସ୍ମିତ ହସ ହସ ଦୁହେଁ ଦୁହିଁଙ୍କ ଆଡ଼କୁ ଅନାଇବାକୁ ଲାଗିଲେ । କୌସାମ୍ବିର ପ୍ରମୋଦ-ଉଦ୍ୟାନରେ କନ୍ଦୁକକ୍ରୀଡ଼ାରତା ବାଳିକା ଏବଂ ବିଦେଶାଗତ ବଣିକ ଦର୍ଶକ ଭିତରେ ସେଦିନ ଯେଉଁ ଚାହାଣିର ବିନିମୟ ହୋଇଥିଲା, ଏହା ହେଉଚି ସେଇ ଚାହାଣି ।

 

ଗାଙ୍ଗେୟ ଅବବାହିକା ଅନ୍ତର୍ହିତ ହୋଇଗଲାପରି ପଞ୍ଚନଦୀର ଦେଶ ମଧ୍ୟ ଦୃଷ୍ଟିପଥରୁ ଅନ୍ତର୍ହିତ ହୋଇଗଲା ଏବଂ ଅନ୍ୟ ଏକ ଭୂମି ଚକ୍ଷୁସମ୍ମୁଖରେ ଆସି ଅବତୀର୍ଣ୍ଣ ହେଲା । ଏଠାରେ ମଣିଷ ଅନ୍ୟପ୍ରକାର, ସାମଜିକ ଜୀବନ ଓ ରୀଜିନୀତି ଅନ୍ୟପକାର ଏହି ରାଜ୍ୟଟି ଆହୁରି ଆଦିମ, ଆହୁରି କଠିନ ଓ ଆହୁରି ଦରିଦ୍ର ।

 

ରାସ୍ତାଉପରେ ଘୋଡ଼ା ଚାଲିଚନ୍ତି, ଗାଡ଼ି ଚାଲିଚି, ପଦଚାରୀ ପଥିକମାନେ ମଧ୍ୟ ଚାଲିଚନ୍ତି । ବରଫ ପଡ଼ି ରାସ୍ତା ଶ୍ୱେତବର୍ଣ୍ଣ ଧାରଣ କରିଚି । ତୁଷାରକଣିକାମାନ ତଷୁ ଉଡ଼ିଲାପରି ଗଗନମଣ୍ଡଳରେ ଉଡ଼ିବାରେ ଲାଗିଚି । କଳା ପର୍ବତ ଦୂରରୁ କାହାର ଛାଇପରି ଦେଖାଯାଉଚି । ଗୋଟିଏ କୁମାରୀ ବାଳିକା ଶକଟଭିତରୁ ବାହାରକୁ ଢଳି ଅନାଇଲା ବେଳକୁ ତାହାର ଶରୀରରେ ଏପରି ଗତିର ସଞ୍ଚାର ହେଉଚି ରୋମରେ ତିଆରି ହେଉଥିବା ତାହାର କୋଟ୍‍ଟି ଗୋଟିଏ ପାଖକୁ ଟାଣିହୋଇ ଯାଉଚି ଏବଂ ତାହାର ସ୍ୱର୍ଣ୍ଣବର୍ଣ୍ଣ ଚୂର୍ଣ୍ଣକୁନ୍ତଳଗୁଡ଼ିକ ତାହାର ମୁଖ, ଗଳଦେଶ ଓ ବକ୍ଷଉପରେ ତରଙ୍ଗ ଖେଳାଇ ଦେଉଚି । ହଠାତ୍ଆଗକୁ ଅନାଇ ତାହାର ନୟନଯୁଗଳ ଯେପରି କେଉଁ ଶଙ୍କାରେ ଚମକି ଉଠିଲା । ରାସ୍ତାର ସମସ୍ତ ପଥିକ ସେହି ଆଡ଼କୁ ଅନାଇଥାନ୍ତ, ସେହି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥାନ୍ତି । ଏହି ସମୟରେ ପବନରେ ଉଡ଼ିଯାଉଥିବା ଖଣ୍ଡେ କଳାମେଘ କରି ଅଶ୍ୱାରୋହୀଙ୍କର ଏକ ଦଳ ଆସି ସେଠାରେ ପହଞ୍ଚିଲା । କିନ୍ତୁ ରଥର କଡ଼େକଡ଼େ ଗୋଟିଏ କୃଷ୍ଣବର୍ଣ୍ଣ ବୃକ୍ଷଭ ଉପରେ ଚଢ଼ି ଯାଉଥିବା ଏକ ଯୁବକର ଆଖି ସହିତ ତାହାର ଆଖି ମିଳିଗଲା ମାତ୍ରକେ ବାଳିକାଟି ସତେଅବା ନିର୍ଭର ପାଇଲା ପରି ମୁରୁକି ହସିବାକୁ ଲାଗିଲା । ଏହି ଚାହାଣି ମଧ୍ୟ ଠିକ୍‍ ସେହି ଚାହାଣି ପରି ।

 

ପ୍ରବାଳବୃକ୍ଷର ସୁବାସ ଦ୍ୱାରା ପ୍ରଚଳିତ ହୋଇ ସେମାନେ ଆଉରି କେତେକେତେ ପରିବର୍ତ୍ତନ ଦେଖିଆସିଲେ, ଆଉରି କେତେକେତେ ରାଜ୍ୟରେ ଭ୍ରମଣ କରିଆସିଲେ ।

 

ତା’ପରେ ସେମାନେ ପରସ୍ପରକୁ ଏକ ନିବିଡ଼ ଗହନ ଭିତରେ ହରିଣ ଓ ହରିଣୀରୂପରେ ଦେଖିବାକୁ ପାଇଲେ । ସେମାନଙ୍କର ପ୍ରେମକୁ ବର୍ଣ୍ଣନା କରିବାକୁ ପ୍ରକୃତରେ ଶବ୍ଦ ହିଁ ମିଳିବନାହିଁ । ଯେତେବେଳେ ସେମାନେ ପରସ୍ପରକୁ ଏକ ପ୍ରେମବିହ୍ୱଳ ଚାହାଣିରେ ଅନାଇ ରହିଥାନ୍ତି, ସେତେବେଳେ ସେମାନଙ୍କର ଘନକୃଷ୍ଣ ନୟନର ଉଜ୍ଜ୍ୱଳ ତାରା ଭିତରୁ ସେହି ପୁରାତନ ଚାହାଣିଟି ହିଁ ଉଛୁଳି ପଡ଼ୁଥାଏ, ଜଣେ ମଣିଷ ଆଉଜଣେ ମଣିଷଆଡ଼କୁ ଅନାଇଲେ ଯେଉଁ ଆଲୋକ ଉଛୁଳି ପଡ଼େ, ଠିକ୍‍ ସେହି ଆଲୋକ ।

 

ଏକାଠି ହୋଇ ସେମାନେ ଘାସ ଚରିବାକୁ ଯାଆନ୍ତି, ସ୍ୱଚ୍ଛନୀର ଅରଣ୍ୟନଦୀର ଜଳଧାରାରେ ଏକାଠି ଯାଇ ସ୍ନାନ କରନ୍ତି, କଅଁଳ ଶସ୍ୟଳ ଘାସ ଉପରେ ଦେହକୁ ଦେହ ଲଗାଇ ଏକାଠି ବିଶ୍ରାମ କରନ୍ତି । ଏକାଠି ଖୁସୀ ହୁଅନ୍ତି, ଭୟର ଆଶଙ୍କାରେ ଏକାଠି କମ୍ପିବାକୁ ଲାଗନ୍ତି, ହଠାତ୍‍ କୌଣସି ବୃକ୍ଷଶାଖା ଜୀବନ ଥିବାପରି ଦୋହଲିଗଲେ ବା କୌଣସି ଅଜଗର ମୁଖ ବ୍ୟାଦାନ କରି ସେମାନଙ୍କ ଆଡ଼କୁ ଅନାଇଲେ ଦୁହେଁ ଏକାଠି ଭୀତ ହୋଇ ପଡ଼ନ୍ତି । ରାତ୍ରିର ନିସ୍ତବ୍ଧ ନୀରବତା ଭିତରେ ସେମାନଙ୍କର ସତତସଜାଗ କାନ ଦୂରର କୌଣସି ଶବ୍ଦ ବା ଗତିର ସ୍ପର୍ଶ ପାଇଲେ ସେମାନେ ଏକାଠି ସଂତ୍ରସ୍ତ ହୋଇଉଠନ୍ତି । କୌଣସି ହିଂସ୍ର ଜନ୍ତୁର ଗନ୍ଧ ବାରିପାରିଲେ, କେଉଁ କ୍ଷୁଧାର୍ତ୍ତ ବ୍ୟାଘ୍ରର ଗର୍ଜନରେ ସମସ୍ତ ଅରଣ୍ୟ ପ୍ରକମ୍ପିତ ହୋଇ ଉଠିଲେ, ସେମାନଙ୍କର ଦୁଇଟିଯାକ ହୃଦୟ ଏକାଠି ପ୍ରମାଦ ଗଣିବାକୁ ଲାଗେ ।

 

ଏହିପରି ବର୍ଷବର୍ଷ ଧରି ସେମାନେ ଏକତ୍ର ଅରଣ୍ୟବାସର ଆନନ୍ଦ ଓ ଭୟଙ୍କରତାକୁ ଅନୁଭବ କରିଚନ୍ତି । ଦିନେ ଗୋଟିଏ ନିକାଞ୍ଚନ ଛାଇ ଜାଗାରେ ସେମାନେ ଏକାଠି କଅଁଳିଆ ଘାସ ଚରିବାରେ ଲାଗିଥାନ୍ତି । ଏହି ସମୟରେ ହରିଣୀ ଅଜାଣତରେ ବ୍ୟାଧର ଫାଶରେ ଆସି ପଡ଼ିଗଲା-। ଜାଲକୁ ଛିଣ୍ଡାଇବା ଲାଗି ହରିଣ ଦାନ୍ତ ଲଗାଇ ଅନେକ ଚେଷ୍ଟା କଲା । ବ୍ୟାଧ ଆସି ସେଠାରେ ପହଞ୍ଚିଲା ପରେ ମଧ୍ୟ ସେ ହରିଣୀକୁ ଛାଡ଼ି ଗଲାନାହିଁ । ଶେଷକୁ ସେ ହରିଣୀର ଶିଙ୍ଗରେ ଶିଙ୍ଗ ଯୋଡ଼ି ସେହିଠାରେ ଶୋଇରହିଲା ଓ ବ୍ୟାଧ ଦୁହିଁଙ୍କୁ ବଧ କରିଥିଲା ।

 

ଆଉଥରେ ଶଙ୍ଖଚିଲ ଚଢ଼େଇ ହୋଇ ସେମାନେ ପର୍ବତ ଉପରେ ବାସ କରୁଥିଲେ, ହିମାବତର ନୀଳ ପୃଷ୍ଠଭୂମି ଉପରେ ତୁଷାରମଣ୍ଡିତ ଶିଖର ଦେଶରେ ବିହାର କରି ବୁଲୁଥିଲେ ।

 

ଦୁଇଟି ମଗର ହୋଇ ସେମାନେ ମହାସମୁଦ୍ରର ସୀମାହୀନ ଲବଣଜଳରେ ସନ୍ତରଣ ମଧ୍ୟ କରୁଥିଲେ ।

 

ଥରେ ମହୋଦଧିର ମଧ୍ୟରେ ଅବସ୍ଥିତ ଏକ ଦ୍ୱୀପଉପରେ ସେମାନେ ଦୁଇଟି ତାଳଗଛ ହୋଇ ଦଣ୍ଡାୟମାନ ରହିଥିଲେ, ଶୀତଳ ବେଳାଭୂମିର ସିକତା ଭିତରେ ଚେରକୁ ଚେର ଛନ୍ଦିଦେଇ ଠିଆ ହୋଇଥିଲେ, ସମୁଦ୍ରପବନର ତରଙ୍ଗରେ ସେମାନଙ୍କର ଅଗ୍ରଭାଗ ପରସ୍ପର ଉପରେ ଲୋଟିଯିବା ପରି ମନେ ହେଉଥିଲା ।

 

କାମନୀତ ଓ ବଶିଷ୍ଠୀ ଅନୁଭବ କରିବାକୁ ଲାଗିଲେ, ଏହି ସ୍ଥାନକୁ ଆମେ ଯେତେଥର ଆସିଲେ ମଧ୍ୟ ସବୁଥର ମନେ ହେଉଚି ଯେପରି ଆମେ ଯୁଗଯୁଗ ଧରି ଏହିପରି ଏକାଠି ରହି ଆସିଚୁ । ଏହି ପ୍ରବାଳବୃକ୍ଷର ସୁବାସ ଯେ କେଉଁଦିନ ସରିଯିବ, ଏପରି ଭୟ କରିବାର ମଧ୍ୟ କୌଣସି କାରଣ ନାହିଁ । ଅତୀତର ଗର୍ଭଭିତରେ ପ୍ରବେଶ କରି ଆମେ ଯେତିକି ପଛକୁ ପଛକୁ ଯାଉଛୁ, ଅତୀତ ମଧ୍ୟ ସେତିକି ସେତିକି ପଛକୁ ବିସ୍ତାରିତ ହେବାରେ ଲାଗିଚି ।

 

ଏହି କଥା ଚିନ୍ତା କରି ସେମାନେ ଅତିଶୟ ବିସ୍ମିତ ହେବାକୁ ଲାଗିଲେ ।

 

ବଶିଷ୍ଠୀ କହିଲା ଏହି ପୃଥିବୀ ଯେତିକି ପ୍ରାଚୀନ, ଆମେଦୁହେଁ ମଧ୍ୟ ଠିକ୍‍ ସେତିକି ପ୍ରାଚୀନ ।

Image

 

୩୦

ଜନ୍ମ ହେଲେ ହିଁ…

 

କାମନୀତ କହିଲେ–ହଁ, ପ୍ରକୃତରେ ଆମେ ଦୁହେଁ ଏହି ପୃଥିବୀପରି ପ୍ରାଚୀନ । କିନ୍ତୁ ଏପର୍ଯ୍ୟନ୍ତ ଆମେ କେବଳ ଅବିଶ୍ରାନ୍ତ ଭାବରେ ବୁଲିବାରେ ହିଁ ଲାଗିଥିଲୁ, ମରଣ ଆସି ଆମକୁ ବାରବାର ଗୋଟାଏ ଜନ୍ମରୁ ଆଉ ଗୋଟାଏ ଜନ୍ମ ଭିତରକୁ ଡିଆଁଇ ନେଉଥିଲା । କିନ୍ତୁ ବର୍ତ୍ତମାନ ଆମେ ଏପରି ଏକ ଅବସ୍ଥାରେ ଆସି ଉପନୀତ ହୋଇଚୁ, ଯେଉଁଠାରେ କି ମରଣ ଆମକୁ ସ୍ପର୍ଶ କରି ପାରିବନାହିଁ ଏବଂ ଆମେ ଚିରନ୍ତନ ସୁଖଭୋଗର ଅଧିକାରୀ ହୋଇ ରହିବୁ ।

 

କାମନୀତ ଏହି କଥାଟି ସମାପ୍ତ କରିବା ପରେ ସେମାନେ ପ୍ରବାଳବୃକ୍ଷ ପାଖରୁ ଆପଣାର ନିବାସସ୍ଥଳ ସେହି ହ୍ରଦକୁ ପ୍ରତ୍ୟାବର୍ତ୍ତନ କଲେ । ଆପଣାର ପଦ୍ମ ଉପରେ ସତେଜତା ଓ ଉଜ୍ଜ୍ୱଳତା ଟିକିଏ ହ୍ରାସ ହୋଇଗଲା ପରି ମନେ ହେଉଚି । ହଁ, ତାଙ୍କର ଆଶଙ୍କା ପ୍ରକୃତରେ ସତ୍ୟରେ ପରିଣତ ହେଲା । ପଦ୍ମ ଉପରେ ବସିବାବେଳକୁ ସେ ଦେଖିଲେ ଯେ ପାଖୁଡ଼ାଗୁଡ଼ିକ କଳା ପଡ଼ିଯାଇଚି, ଦାଢ଼ଗୁଡ଼ାକ ସିଝି ଯାଇଥିବା ପରି ଦେଖାଯାଉଚି ଏବଂ ଗେଣ୍ଡୁଟି ଯେପରି ଅତି ଦୁର୍ବଳ ହୋଇ ପଡ଼ିଚି ।

 

ବଶିଷ୍ଠୀର ପଦ୍ମଟିରେ ମଧ୍ୟ ଠିକ୍‍ ସେହିସବୁ ଲକ୍ଷଣ ଦେଖିବାକୁ ମିଳିଲା । ସେସବୁ ଲକ୍ଷ୍ୟ କରି ବଶିଷ୍ଠୀ ମଧ୍ୟ ସ୍ତମ୍ଭିତ ହୋଇ ସେହିକଥା ଚିନ୍ତା କରିବାକୁ ଲାଗିଲା ।

 

ଦୃଷ୍ଟି ଫେରାଇ କାମନୀତ ଆପଣାର ନୀଳବର୍ଣ୍ଣ ପ୍ରତିବେଶୀଙ୍କ ଆଡ଼କୁ ଅନାଇ ଦେଖିଲେ । ତାଙ୍କର ପଦ୍ମଟିର ମଧ୍ୟ ସେହିପରି ଦଶା ହୋଇଥିବା ପରି ତାଙ୍କର ମନେହେଲା । ପ୍ରଥମ ଦିନ ସାକ୍ଷାତ ହେଲାବେଳେ ପ୍ରତିବେଶୀଙ୍କର ମୁଖମଣ୍ଡଳ ଯେପରି ଆନନ୍ଦୋଦ୍‍ଦ୍ଭାସିତ ହୋଇ ଉଠୁଥିଲା, ଆଜି ସେପରି ଯେ ହେଲାନାହିଁ, ଏକତା ମଧ୍ୟ କାମନୀତ ଅତି ସ୍ପଷ୍ଟଭାବରେ ଲକ୍ଷ୍ୟ ନଥିଲା, ଯେପରି ଆପଣାର ସମ୍ପର୍କରେ ସେ ଟିକିଏ ସଙ୍କୁଚିତ ହୋଇ ପଡ଼ିଥିଲେ, ତାଙ୍କର ଆଖିଭିତରେ ସେ ଏକ ଅସ୍ଥିର ବିସ୍ମୟ ଲକ୍ଷ୍ୟ କରି ପାରିଲେ । ସେ ଏବଂ ବଶିଷ୍ଠୀ ଏହି ବିସ୍ମୟର କାରଣ ଚିନ୍ତା କରିବାକୁ ଲାଗିଲେ ।

 

ଏବଂ ସେ ସରୋବରର ଯେଉଁଆଡ଼କୁ ଅନାଇ ଦେଖିଲେ, ସବୁଠାରେ ଠିକ୍ ଏହି ଭାବ ଅନୁଭବ କଲେ । ମନେହେଉଥିଲା, ଯେପରି ଏହାରି ଭିତରେ ପଦ୍ମଫୁଲ ଏବଂ ସେଗୁଡ଼ିକ ଉପରେ ଆସୀନ ଥିବା, ମନୁଷ୍ୟମୂର୍ତ୍ତିଗୁଡ଼ିକରେ ଅନେକ ପରିବର୍ତ୍ତନ ଘଟିଯାଇଚି ।

 

ନୟନ ଫେରାଇ ଆଣି ପୁଣି ସେ ଆପଣାର ପଦ୍ମଟି ଦୃଷ୍ଟିପାତ କରିବାକୁ ଲାଗିଲେ । ହଠାତ୍‍ ସେହି ଫୁଲର ଗୋଟିଏ ପାଖୁଡ଼ା ମୋଡ଼ିମୋଡ଼ି ହୋଇ ଆସିଲା, ଧୀରେଧୀରେ ମଉଳିଗଲା ଏବଂ କୋରକରୁ ଖସି ତଳେ ପାଣିଉପରେ ଆସି ପଡ଼ିଗଲା ।

 

ସରୋବରର ପ୍ରତ୍ୟେକଟି ପଦ୍ମରୁ ଗୋଟିଏ ଲେଖାଏଁ ପାଖୁଡ଼ା ଖସିପଡ଼ିଲା । ସେଗୁଡ଼ିକ ଜଳସମତଳ ଉପରେ ଛୋଟଛୋଟ ନଉକା ହୋଇ ଭାସିବାକୁ ଲାଗିଲେ । ସରୋବରର ତଟସୀମାରେ ଥିବା ଉପବନରେ ଯେପରି ହଠାତ୍ ଏକ ହିମଶୀତଳ ବାୟୁ ପ୍ରବାହିତ ଏବଂ ମାଟିଉପରେ ଝରିପଡ଼ୁଥିବା ଫୁଲରୁ ପାଖୁଡ଼ାର ବରଷା ହେବାକୁ ଲାଗିଲା । ମନେହେଲା, ଯେପରି ସମସ୍ତେ ଗଭୀର ଦୀର୍ଘଶ୍ୱାସ ପକାଉଚନ୍ତି ଏବଂ ଅପସ୍‍ରାମାନଙ୍କର ସଙ୍ଗୀତ ଭିତରେ ମଧ୍ୟ ଯେପରି ଏକ ଛନ୍ଦଭଙ୍ଗ ଉପସ୍ଥିତ ହୋଇଚି ।

 

ବିକଳ ଭାବରେ କାମନୀତ ବଶିଷ୍ଠୀ ହାତ ଧରିପକାଇ କହିଲେ ବଶିଷ୍ଠୀ, ପ୍ରିୟତମା ମୋର, ତୁ କିଛି ଦେଖିପାରୁଚୁ, ସବୁ ଶୁଣିପାରିଚୁ ? ଏସବୁର ଅର୍ଥ କଣ ହୋଇପାରେ, କହିଲୁ !

 

କିନ୍ତୁ ଧୀର ନିଶ୍ଚଳ ସ୍ମିତହାସ୍ୟ ହସି ବଶିଷ୍ଠୀ ତାଙ୍କ ଆଡ଼କୁ କେବଳ ଚାହିଁ ରହିଥାଏ : –

 

ସେ କଣ କହିଥିଲେ ତୁମେ ଶୁଣିନାହଁ ? ଶରୀରଧାରୀ ମାତ୍ରକେ ହିର୍ ମୃତ୍ୟୁର ସମ୍ମୁଖୀନ ହୁଏ, ଜନ୍ମ ହେଲେ ହିଁ ମରଣ ଆସେ, ନନ୍ଦନକାନନର ପୁଷ୍କଶୋଭା ମଧ୍ୟ ଠିକ୍ ପୃଥିବୀର ଉପବନପରି ଦିନେ-ନା-ଦିନେ ମଉଳିଯାଏ ।

 

ମଣିଷର ସମସ୍ତ ଆଶାକୁ ଚୂର୍ଣ୍ଣ କରିଦେଉଥିବା ଏହି ଭୟଙ୍କର ବାଣୀ କାହାମୁଖରୁ ନିଃସୃତ ହୋଇଚି ?

 

ସେହି ମୁକ୍ତପୁରୁଷ, ପୃଥିବୀର ଶାନ୍ତି ଓ ମୁକ୍ତି ପାଇଁ ଉପଦେଶ ଦେଇ ବୁଲୁଥିବା ସେହି ପବିତ୍ର ଓ କରୁଣାମୟ ବୁଦ୍ଧଙ୍କ ବ୍ୟତୀତ ଆଉ କାହା ମୁଖରୁ ଏପରି ବାକ୍ୟ ନିଃସୃତ ହୋଇପାରେ ? ସଂସାରରେ ସାର କଣ ଅସାର କଣ, ଦେବା, ମନୁଷ୍ୟ ଓ ରାକ୍ଷସର ପ୍ରକୃତ ଅର୍ଥ କଣ, ସେ ପୃଥିବୀ ଆଗରେ ଏହି ରହସ୍ୟମାନ ଉଦ୍‍ଘାଟନ କରି କହିଦେଇଚନ୍ତି । ସେ ପ୍ରତ୍ୟେକ ଜୀବକୁ ଜନ୍ମଚକ୍ରରୁ ଉଦ୍ଧାର ପାଇବାର ବାଟ ବତାଇ ଦେଇଚନ୍ତି–ସେହି ମୁକ୍ତପୁରୁଷ, ତଥାଗତ, କରୁଣାମୟ ବୁଦ୍ଧ !

 

ବୁଦ୍ଧ ? ବୁଦ୍ଧ କି କେବେହେଲେ ଏପରି କଥା କହିପାରନ୍ତି ? ନା ବଶିଷ୍ଠୀ, ଏହି କଥାରେ ମୋର ଆଦୌ ବିଶ୍ୱାସ ହେଉନାହିଁ । ମହାପୁରୁଷମାନଙ୍କର ବାକ୍ୟକୁ ଆମେ ଠିକ୍ ଏହିପରି ଭାବରେ ଭୁଲ ଅର୍ଥ ଦେଇ ବୁଝିଥାଉ ଏବଂ ସେଥିରେ ଭ୍ରମ ମିଶାଇ କହିଥାଉ । ମୁଁ ଭଲକରି ଜାଣିଚି, ବୁଦ୍ଧଙ୍କର ଦୃଷ୍ଟାନ୍ତରେ ମଧ୍ୟ ଠିକ୍ ଏହାହିଁ ଘଟିଚି । ଥରେ ରାଜଗୃହରେ ଜଣେ କୁମ୍ଭାରର ନିବାସଗୃହରେ ମୁଁ ରାତ୍ରିବିଶ୍ରାମ କରିବାକୁ ଅଟକିଥିଲି । ସେଦିନ ସେଠାରେ ମୋତେ ଜଣେ ନିର୍ବୋଧ ବୃଦ୍ଧ ସନ୍ନ୍ୟାସୀଙ୍କ ସହିତ ଏକତ୍ର ରାତ୍ରି ଅତିବାହିତ କରିବାକୁ ପଡ଼ିଥିଲା । ସନ୍ନ୍ୟାସୀ ମୋତେ ଭାରି ଆଗ୍ରହରେ ବୁଦ୍ଧଙ୍କର ଉପଦେଶମାନ ଶୁଣାଇବାକୁ ବସିଲେ । କିନ୍ତୁ ଉପଦେଶ ଶୁଣାଇବାକୁ ଯାଇ ସେ ଯେପରି ଦିଅଁଙ୍କୁ ମାଙ୍କଡ଼ କରି ଥୋଇଦେଲେ ! ଅବଶ୍ୟ ମୁଁ ବେଶ୍‍ ଭଲକରି ଅନୁମାନ କରି ପାରୁଥିଲି ଯେ ସେ ବୁଦ୍ଧଙ୍କର ମୌଳିକ ଉପଦେଶମାନ କେଉଁଠି ଶୁଣିଚନ୍ତି ଓ ତାହାକୁ ହିଁ ଭିତ୍ତି କରି ମୋତେ ଶୁଣାଉଚନ୍ତି । କିନ୍ତୁ ଆପଣା ମୁଣ୍ଡରୁ ଆହୁରି କେତେ କଥା ବାହାର କରି ସେ ସବୁ ଗୋଳମାଳିଆ କରି ଦେଉଚନ୍ତି । ତେଣୁ ମୁଁ ଭଲକରି ଜାଣେ ଯେ ବୁଦ୍ଧଙ୍କର ଉପଦେଶମାନ ଅଜ୍ଞାନ ମଣିଷ ହାତରେ ପଡ଼ି କିମ୍ଭୂତକିମାକାର ଧାରଣ କରିଚି ।

 

ନାହିଁ ନାହିଁ, ଏହାକୁ ମୁଁ ନିଜେ ତଥାଗତଙ୍କର ମୁଖରୁ ଉଚ୍ଚାରିତ ହୋଇଥିବାର ଶୁଣିଚି ।

 

କିନ୍ତୁ କିପରି ? ତୁମେ କେବେ ତାଙ୍କର ପାର୍ଶ୍ୱରେ ଯାଇ ବସିବାର ସୌଭାଗ୍ୟ ଲାଭ କରିଚୁ ?

 

ନିଶ୍ଚୟ ମୁଁ କେତେଥର ତାଙ୍କର ଚରଣସାନ୍ନିଧ୍ୟର ପ୍ରସାଦ ପାଇଚି ।

 

ତୁ ଧନ୍ୟ ବଶିଷ୍ଠୀ, ତୁ ପ୍ରକୃତରେ ଧନ୍ୟ ! ଧନ୍ୟ ତୋର ଅତୀତ ଜୀବନ ! ମୁଁ ମଧ୍ୟ ତୋ’ରିପରି ଏକ ସୌଭାଗ୍ୟର ଆକାଂକ୍ଷା କରିଥିଲି, କିନ୍ତୁ ମୋର ଦୁର୍ଭାଗ୍ୟ ଶେଷ ମୁହୂର୍ତ୍ତରେ ମୋତେ ଆକାଂକ୍ଷାକୁ ପୂରଣ କରାଇ ଦେଲାନାହିଁ, ମୋର ପାପାସକ୍ତ ଅତୀତ ଜୀବନର କର୍ମଫଳ ଏହା କରାଇ ଦେଲାନାହିଁ । ବୁଦ୍ଧଙ୍କର ଦର୍ଶନଲାଭ କରିବାର ସୌଭାଗ୍ୟରୁ ମୁଁ ବଞ୍ଚିତ ହୋଇ ରହିଲି-। ଯେଉଁ ନଗରରେ ସେ ଅବସ୍ଥାନ କରୁଥିଲେ, ସେହି ନଗରରେ ତାଙ୍କର ଦର୍ଶନଲାଭ କରିବାକୁ ଯାଉଥିବାବେଳେ ଅତି ଅପ୍ରତ୍ୟାଶିତ ଭାବରେ ମୋତେ ନିର୍ମମ ମରଣର କବଳରେ ପଡ଼ିବାକୁ ହୋଇଥିଲା । ରାଜଗୃହରେ ସେହି ନିର୍ବୋଧ ସନ୍ନ୍ୟାସୀଙ୍କ ସହିତ କଥାବାର୍ତ୍ତା ହେବା ପରେ ମୁଁ ବଡ଼ିସକାଳୁ ଉଠି ବୁଦ୍ଧଙ୍କର ଦର୍ଶନଲାଗି ଯାଉଥିଲି । ତଥାଗତ ଅବସ୍ଥାନ କରୁଥିବା ଆମ୍ରବନରେ ପହଞ୍ଚିବା ଲାଗି ଆଉ ମାତ୍ର କେତେ ଦଣ୍ଡ ବାକି ଥିଲା, କିନ୍ତୁ ମୋର ଦୁର୍ଭାଗ୍ୟ ମୋତେ ତାହା କରାଇ ଦେଲାନାହିଁ । କିନ୍ତୁ ଏହାହିଁ ମୋଲାଗି ଏକ ବଡ଼ ଆଶ୍ୱାସନା ହୋଇ ରହିଲା ଯେ ମୁଁ ଯେଉଁ ପ୍ରସାଦରୁ ବଞ୍ଚିତ ହୋଇଚି, ମୋର ବଶିଷ୍ଠୀ ସେହି ପ୍ରସାଦ ଲାଭ କରିପାରିଚି । କିନ୍ତୁ ତୁ କିପରି ତାଙ୍କର ଚରଣପ୍ରାନ୍ତରେ ଯାଇ ପହଞ୍ଚିପାରିଲୁ, ମୋତେ ଗୋଟିଗୋଟି କରି ସବୁକଥା କହିବାକୁ ହେବ । ତୋକଥା ଶୁଣି ମୋର ମନ ପବିତ୍ର ହେବ, ମୁଁ ମଧ୍ୟ ବଳ ପାଇବି । ଏବଂ ଯେଉଁସବୁ ଉପଦେଶବାକ୍ୟକୁ ମୁଁ ବଡ଼ ଭୟାନକ ଓ ଧ୍ୱଂସକାରୀ ବୋଲି ମନେକରୁଚି, ତାହାର ଯଥାର୍ଥ ମର୍ମ ମୁଁ ବୁଝିବାକୁ ସମର୍ଥ ହେବି । ହୁଏତ ଏହି ଅର୍ଥୋପଲବ୍ଧି ମୋର ଅନ୍ତର୍ଚକ୍ଷୁ ଖୋଲି ଦେଇପାରିବ ଓ ମୋତେ ସାନ୍ତ୍ୱନା ଦେଇପାରିବ ।

 

ବଶିଷ୍ଠୀ କହିଲା–ଅତି ଆନନ୍ଦରେ ମୁଁ ତୁମକୁ ସବୁକଥା କହୁଚି, ଶୁଣ !

 

ସେମାନେ ଆପଣା ଆପଣା ପଦ୍ମ ଉପରେ ଯାଇ ଉପବିଶ୍ଟ ହେଲେ ଏବଂ ବଶିଷ୍ଠୀ ନିମ୍ନଲିଖିତ ପ୍ରକାରେ ଆପଣାର ଅଭିଜ୍ଞତାମାନ ବର୍ଣ୍ଣନା କରିବାକୁ ଆରମ୍ଭ କଲା ।

Image

 

୩୧

ଉଦ୍ୟାନରେ ମନୁଷ୍ୟମୂର୍ତ୍ତି

 

ମୋତେ ଭାର୍ଯ୍ୟା କରି ପାଇବାଲାଗି ଶତଗୀରର ମନରେ ଯେଉଁ କାମନା ରହିଥିଲା, ସେହି କାମନା ବର୍ତ୍ତମାନ ସଫଳ ହେବାକୁ ବସିଲା । କିନ୍ତୁ ଏହି ଉଦ୍ଦେଶ୍ୟ ସାଧନ ପରେ ତାର ପ୍ରେମର ଉଷ୍ମତା କ୍ରମେ ହ୍ରାସ ହେବାକୁ ଲାଗିଲା ଏବଂ ମୋ’ଠାରୁ ମଧ୍ୟ କୌଣସି ପ୍ରକାର ଆଗ୍ରହ ଅନୁଭବ କରିନପାରି ଏହା ଶୀତଳପ୍ରାୟ ହୋଇଗଲା । ମୁଁ ପତ୍ନୀ ରୂପେ ତା’ର ଅନୁଗତା ହୋଇ ରହିବି ବୋଲି ତାକୁ ପ୍ରତିଶ୍ରୁତି ଦେଇଥିଲି ଏବଂ ସେ ମଧ୍ୟ ଏହି ପ୍ରତିଶ୍ରୁତିକୁ ବିଶ୍ୱାସର ସହିତ ଗ୍ରହଣ କରିଥିଲା । କିନ୍ତୁ ତା’ଠାରୁ ଅଧିକ କିଛି କରିପାରିବା ମୋର ସାଧ୍ୟର ଅତୀତ ଥିଲା ।

 

ତାଙ୍କର ଔରସରେ ମୋର ଗୋଟିଏ କନ୍ୟାସନ୍ତାନ ଜାତ ହୋଇଥିଲା । ମାତ୍ର ଦୁଇବର୍ଷ ବୟସରେ ସନ୍ତାନଟି ସଂସାରରୁ ବିଦାୟ ନେଇ ଚାଲିଯିବାରୁ ଶତଗୀର ଦ୍ୱିତୀୟ ଦାରପରିଗ୍ରହ କଲା-। ତାହାର ଏହି ଆଚରଣରେ କେହି ବିସ୍ମୟ ପ୍ରକାଶ କରିନଥିଲେ । ମୁଁ ମଧ୍ୟ ଆଦୌ ବିସ୍ମିତ ହୋଇନଥିଲି । ଦ୍ୱିତୀୟ ପତ୍ନୀର ଗର୍ଭରୁ ତାର ଈପ୍‍ସିତ ପୁତ୍ରସନ୍ତାନ ଜାତ ହୋଇଥିଲା ଫଳରେ ସେ ଶତଗୀରର ସଂସାରରେ ଆମ ଦୁହିଁଙ୍କ ଭିତରେ ପ୍ରଥମ ସ୍ଥାନ ଅଧିକାର କଲା ଏବଂ ମୁଁ ଜାଣିଶୁଣି ହରାଇ ବସିଥିବା ପତିପ୍ରେମକୁ ଆପଣାର ବଶରେ ରଖିବାଲାଗି ସେ ସବୁପ୍ରକାର ଚେଷ୍ଟା କରିବାକୁ ଲାଗିଲା । ମୋର ପତି ମଧ୍ୟ ପ୍ରାୟ ସର୍ବଦା ଆପଣାର କାର୍ଯ୍ୟାଦିରେ ବଡ଼ ବ୍ୟସ୍ତ ହୋଇ ରହୁଥିଲେ, କାରଣ ତାଙ୍କ ପିତାଙ୍କର ମୃତ୍ୟୁଅନ୍ତେ ତାହାଙ୍କୁ ହିଁ ରାଜା ଉଦ୍ଦାନଙ୍କର ପରମବିଶ୍ୱସ୍ତ ମନ୍ତ୍ରୀପଦର ଦାୟିତ୍ୱ ଗ୍ରହଣ କରିବାକୁ ହୋଇଥିଲା ।

 

ଏହିପରି ଆହୁରି କେତେ ବର୍ଷ ଅତିବାହିତ ହୋଇଗଲା ଓ ମୁଁ କ୍ରମେ ଅଧିକ ଏକାକିନୀ ହୋଇପଡ଼ିଲି । ମୁଁ ଏହିପରି ଏକାକିନୀ ହୋଇ ରହିବାକୁ ଇଚ୍ଛା ମଧ୍ୟ କରୁଥିଲି । ମୁଁ ମୋର ଦୁର୍ଭାଗ୍ୟକୁ ଆଦରି ଅତୀତର ସୁଖସ୍ମୃତି ଭିତରେ ନିମଗ୍ନ ହୋଇ ରହିଲି । ସ୍ୱର୍ଗରାଜ୍ୟରେ ପୁଣି ଆମଦୁହିଁଙ୍କର ମିଳନ ହେବ, ଏହି ଆଶାରେ ହିଁ ବଞ୍ଚି ରହିଥିଲି । ସେ ବିଷୟରେ ମୋତେ ନିରାଶ ମଧ୍ୟ ହେବାକୁ ପଡ଼ିଲାନାହିଁ ।

 

ତୁମେ ଯେଉଁ ସାନ ପର୍ବତଟି ଡେଇଁ ଅନେକ ସମୟରେ ଅଶୋକ-ଉଦ୍ୟାନକୁ ଯାଉଥିଲ, ଶତଗୀରର ପ୍ରାସାଦ ସେହି ପର୍ବତର ଦାଢ଼ରେ ଅବସ୍ଥିତ ଥିଲା । ପ୍ରାସାଦ ସହିତ ଅଶୋକ-ଉଦ୍ୟାନପରି ଏକ ଅତିସୁନ୍ଦର ଉଦ୍ୟାନ ମଧ୍ୟ ସଂଲଗ୍ନ ହୋଇ ରହିଥିଲା । ସବୁଦିନେ ମୁଁ ଏହି ସ୍ଥାନରେ ସନ୍ଧ୍ୟା ସମୟଟି ଅତିବାହିତ କରୁଥିଲି । ହଁ, ଦିନେଦିନେ ସେହିଠାରେ ହିଁ ମୋର ରାତ୍ରି କଟିଯାଉଥିଲା । ଉନ୍ମୁକ୍ତ ଆକାଶତଳେ ମୁଁ ବିଛଣା ପକାଇ ଶୋଇପଡ଼ୁଥିଲି । ଉଦ୍ୟାନର ଚାରିପାଖରେ ପାଚେରି ରହିଥିଲା, ପାହାଡ଼ ଉପରକୁ ଉଠିବାର ବାଟ ମଧ୍ୟ ବଡ଼ ତିଖ ଥିଲା, ତେଣୁ ସେଠାରେ ବାହାରୁ କୌଣସି ମଣିଷ ଆସିପାରିବେ ବୋଲି କୌଣସି ଭୟ ନଥିଲା ।

 

ଦିନେ ନିର୍ମଳ ଚନ୍ଦ୍ରକିରଣ ପଡ଼ି ଚତୁର୍ଦ୍ଦିଗ ଧବଳ ହୋଇ ରହିଥାଏ । ମୁଁ ଉଦ୍ୟାନ ଭିତରେ ବିଛଣା ପାରି ଶୋଇରହିଥାଏ । କିନ୍ତୁ ଆଖିକୁ ନିଦ ଆସିବାକୁ ନାହିଁ । ଏକାକୀ ଅତି ନିବିଷ୍ଟ ଭାବରେ ମୁଁ ତୁମରି କଥା ଚିନ୍ତା କରୁଥାଏ ଏବଂ ଦିନେ ସନ୍ଧ୍ୟାରେ ଉଦ୍ୟାନ ଭିତରେ ଆମର ଯେଉଁ ପ୍ରଥମ ସାକ୍ଷାତ ହୋଇଥିଲା, ତାହାରି ସ୍ମୃତି ଭିତରେ ବୁଡ଼ି ରହିଥାଏ । ସେଦିନର ସବୁ ଦୃଶ୍ୟ ମୋର ନୟନପଟରେ ଜଳଜଳ ହୋଇ ଝଲସି ଉଠୁଥାଏ । ଉଦ୍ୟାନର ସେହି ମର୍ମର ବେଞ୍ଚ୍‍ ଉପରେ ମୁଁ ମେଦିନୀ ସହିତ ବସିଥିଲି, ତୁମେମାନେ ଆସି ପହଞ୍ଚିବ ବୋଲି ଅପେକ୍ଷା କରି ରହିଥିଲି ଏବଂ ହଠାତ୍ ବଡ଼ ଅସତର୍କ ଭାବରେ ପାଚେରି ଉପରେ ତୁମରି ମୂର୍ତ୍ତିର ଆବିର୍ଭାବ ହେଲା । କାରଣ ଆପଣା ମନର ଅତ୍ୟୁତ୍ସୁକତା ହେତୁ ତୁମେ ସୋମଦତ୍ତକୁ ପଛରେ ପକାଇ ଆଗ ଚାଲିଆସିଥିଲ ।

 

ସେଦିନର ସେହିସବୁ ସୁଖମୟ ସ୍ୱପ୍ନଚ୍ଛବି ଭିତରେ ଆପଣାକୁ ହଜାଇଦେଇ ମୁଁ ଅଜାଣତରେ ପାଚେରି ଆଡ଼କୁ ଚାହିଁଦେଲି ଏବଂ ଦେଖିଲି ଯେ ଗୋଟିଏ ମନୁଷ୍ୟମୂର୍ତ୍ତି ହଠାତ୍ ସେପାଖରୁ ପାଚେରି ଉପରକୁ ଉଠିଆସିଲା ।

 

ଏବାଟ ଦେଇ ପାଚେରି ଉପରକୁ ଉଠିବା ଯେ କୌଣସି ମନୁଷ୍ୟପକ୍ଷରେ ସମ୍ଭବ ହେବ, ଏହା ମୁଁ କଦାପି ବିଶ୍ୱାସ କରିପାରିଲିନାହିଁ । ତେଣୁ ମୁଁ ଭାବିଲି ନିଶ୍ଚୟ ତୁମର ଆତ୍ମା ମୋର ବିରହ ବେଦନାରେ ବ୍ୟଥିତ ହୋଇ ମୋତେ ସାନ୍ତ୍ୱନା ଦେବାକୁ ଏଠାରେ ଆସି ଉପସ୍ଥିତ ହୋଇଚି; ସ୍ୱର୍ଗରାଜ୍ୟରୁ ହୁଏତ ମୋ’ଲାଗି କୌଣସି ସନ୍ଦେଶ ବହନ କରି ଆସିଚି । ହୁଏତ ତାହା ହାତରେ ତୁମେ ମୋ’ ପାଖକୁ କୌଣସି ସନ୍ଦେଶ ପଠାଇଚ । ତେଣୁ ମୁଁ ଆଉ କୌଣସିପ୍ରକାର ଭୟ ପାଇଲିନାହିଁ ଏବଂ ଆଗନ୍ତୁକଙ୍କର ଉଦ୍ଦେଶ୍ୟରେ ଆପଣାର ବାହୁ ପ୍ରସାରିତ କରି ରଖିଲି ।

 

ମନୁଷ୍ୟମୂର୍ତ୍ତିଟି ବର୍ତ୍ତମାନ ଉଦ୍ୟାନଭିତରେ ପ୍ରବେଶ କରି ଦ୍ରୁତ ପଦରେ ମୋ’ ଆଡ଼କୁ ଆସିବାକୁ ଆରମ୍ଭ କରି ଦେଇଥିଲା । ତୁମର ଶରୀରଠାରୁ ଏହି ମୂର୍ତ୍ତିର ଶରୀରଟି ମୋତେ ଅତିରିକ୍ତ ବଡ଼ ପରି ମନେହେଲା । ହଁ, ସେହି ବିରାଟ ଅତିକାୟ ମୂର୍ତ୍ତିଟାକୁ ଦେଖି ମୋର ବିଶ୍ୱାସ ହେଲା ଯେ ସମ୍ଭବତଃ ଦସ୍ୟୁ ଅଙ୍ଗୁରିମାଳାର ଆତ୍ମା କୌଣସି ଉଦ୍ଦେଶ୍ୟରେ ମୋ’ପାଖକୁ ଆସିଚି । ଏହି ଆଶଙ୍କାଟି ଉଦୟ ହେବା ମାତ୍ରକେ ମୁଁ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଲି ଓ ତଳେ ପଡ଼ିଯିବା ଭୟରେ ମୋର ବିଛଣାକୁ ଜାବୁଡ଼ିକରି ଧରିଲି ।

 

ମୋର ଆଉରି ପାଖକୁ ଆସି ସେହି ଭୀଷଣ ମୂର୍ତ୍ତିଟି ପଚାରିଲା–ତୁମେ ଏଠାରେ କାହାଲାଗି ଅପେକ୍ଷା କରି ବସିଥିଲ ?

 

ମୁଁ ଉତ୍ତର ଦେଲି–ଜଣକର ଆତ୍ମାଲାଗି, କିନ୍ତୁ ତୋ’ର ନୁହେଁ ।

କାମନୀତର ?

ମୁଁ ହଁ ବୋଲି ସୂଚାଇ ମୁଣ୍ଡ ହଲାଇଲି ।

 

ମୂର୍ତ୍ତିଟି ପୁଣି କହିବାକୁ ଲାଗିଲା–ସତେ ଯେପରି ତୁମେ କାହାକୁ ସ୍ୱାଗତ ଜଣାଇବାକୁ ଯାଉଚ, ତୁମର ଅଙ୍ଗଭଙ୍ଗୀରୁ ଏହିକଥା ଜାଣିପାରି ମୁଁ ଅନୁମାନ କଲି ଯେ ହୁଏତ ତୁମର ଜଣେ ପ୍ରେମିକ ପ୍ରତିଦିନ ରାତିରେ ଏଠାରେ ତୁମ ସହିତ ସାକ୍ଷାତ କରିବାକୁ ଆସେ । ତେଣୁ ତୁମେ କାଳେ କୌଣସି ସାହାଯ୍ୟ କରିବନାହିଁ ବୋଲି ମୋର ଭାରି ଭୟ ହେଲା । କିନ୍ତୁ ତୁମେ ଯେପରି ମୋ’ର ସାହାଯ୍ୟ ଦରକାର କରୁଚ, ଠିକ୍ ସେହିପରି ମୁଁ ମଧ୍ୟ ତୁମର ସାହାଯ୍ୟ ଦରକାର କରୁଚି ।

 

ଏହି ଅଦ୍ଭୁତ କଥାମାନ ଶୁଣି ମୁଁ ସାହସ କରି ଉପରକୁ ଅନାଇ ଦେଖିଲି । ମନେହେଲା ଯେପରି ସମ୍ମୁଖରେ ଠିଆ ହୋଇଥିବା ଏହି ମୂର୍ତ୍ତି କାହାରି ପ୍ରେତାତ୍ମା ନୁହେଁ, ମାଂସ ଓ ରକ୍ତରେ ତିଆରି ଏକ ଜୀବନ୍ତ ମନୁଷ୍ୟ । ମୁଁ ଜହ୍ନଆଡ଼କୁ ପିଠିକରି ଠିଆ ହୋଇଥିଲି । ଜହ୍ନ ଆଲୁଅର ଭ୍ରମରେ ପଡ଼ି ବଡ଼ ବ୍ୟସ୍ତ ଓ ଭୟତ୍ରସ୍ତ ଭାବରେ ସେହି ମୂର୍ତ୍ତିଉପରେ ଦୃଷ୍ଟିପାତ କରୁକରୁ ମୁଁ ତାର ବିଶାଳ ଶରୀରର ପରିସୀମାକୁ ଦେଖିବାକୁ ପାଇଲି । ସେହି ଶରୀର ଠିକ୍ ଗୋଟିଏ ରାକ୍ଷସର ଶରୀର ପରି ଦେଖାଯାଉଥିଲା ।

 

ମୋର ମନର ସନ୍ଦେହକୁ ଠଉରାଇଲା ଭଳି ସେ କହିଲା ମୁଁ ଅଙ୍ଗୁଳିମାଳାର ପ୍ରତାତ୍ମା ନୁହେଁ, ମୁଁ ହେଉଚି ସ୍ୱୟଂ ଅଙ୍ଗୁଳିମାଳା, ଠିକ୍ ତୁମରିପରି ଗୋଟିଏ ଜିଅନ୍ତା ମଣିଷ !

 

ଏକଥା ଶୁଣି ମୁଁ ଗୋଟାସୁଦ୍ଧା କମ୍ପିବାକୁ ଲାଗିଲି । କିନ୍ତୁ ଭୟରେ ନୁହେଁ–ଯେଉଁ ଲୋକଟା ମୋର ପ୍ରୟତମଙ୍କୁ ହତ୍ୟା କରିଚି, ସେହି ଲୋକଟାର ଏତେ ନିକଟରେ ଠିଆହୋଇଥିବାରୁ ମୁଁ କମ୍ପିବାକୁ ଲାଗିଲି ।

 

ସେ ପୁଣି କହିଲା–ନାରୀ, ତୁମେ କୌଣସି ଭୟ କରନାହିଁ । ମୋତେ ଭୟ କରିବାର କୌଣସି କାରଣ ନାହିଁ । ସଂସାରରେ ତୁମ ବ୍ୟତୀତ ମୁଁ ଆଉ କାହାରିକୁ କଦାପି ଭୟ କରିନାହିଁ । ମୁଁ ତୁମପ୍ରତି ଯେଉଁ ବିଶ୍ୱାସଘାତକତା କରିଚି, ତାରି ଲଜ୍ଜାରେ ମୁଁ ତୁମର ଚକ୍ଷୁସମକ୍ଷରେ ଠିଆ ମଧ୍ୟ ହୋଇପାରୁନାହିଁ ।

 

ମୁଁ ବିହ୍ୱଳ ହେଲାପରି ପଚାରିଲି–ତୁ ମୋ’ ପ୍ରତି ବିଶ୍ୱାସଘାତକତା କରିଚୁ ? ମୋର ପ୍ରାଣପ୍ରିୟତମ, ତୁମେ ଯେ ଏପର୍ଯ୍ୟନ୍ତ ଜୀବନରେ ରହିଚ ଏହି ଆଶାର ଆନନ୍ଦରେ ମୋର ସମସ୍ତ ହୃଦୟ ଉଦ୍‍ବେଳିତ ହୋଇଉଠିଲା । ତୁମେ ବଞ୍ଚି ଥାଉଁଥାଉଁ ମୁଁ ହତଭାଗିନୀ ଯେ ତୁମଠାରୁ ବିଚ୍ଛିନ୍ନ ହୋଇ ରହିଚି, ମୁଁ ଯେ ଅନ୍ୟର ପ୍ରଲୋଭନରେ ପଡ଼ିଯାଇଚି, ସେଥିଲାଗି ମୁଁ ମନେମନେ ଏକପ୍ରକାର ଗ୍ଲାନି ମଧ୍ୟ ଅନୁଭବ କଲି ।

 

ସେ ଉତ୍ତର ଦେଲା–ହଁ, ମୁଁ ବିଶ୍ୱାସଘାତକତା କରିଚି । ସେଥିପାଇଁ ଆଜି ଦୈବକ୍ରମେ ଆମେ ଦୁଇଜଣ ପୁଣି ଏଠାରେ ଏକତ୍ର ହୋଇଚୁ । ଆମ ଦୁହିଁଙ୍କୁ ଆଜି ପ୍ରତିଶୋଧ ନେବାକୁ ହେବ, ସେହି ଶତଗୀର ଉପରେ ହିଁ ପ୍ରତିଶୋଧ ନେବାକୁ ହେବ ।

 

ଏକ ରାଜାର ପରାକ୍ରମ ଦେଖାଇଲା ପରି ଦସ୍ୟୁ ହସ୍ତ-ସଞ୍ଚାଳନ କଲା ଏବଂ ମୋତେ ବସିବାଲାଗି ଇଙ୍ଗିତ ଦେଲା । ସତେ ଯେପରି ମୋ’ଆଗରେ ତା’ର କେତେ କ’ଣ କହିବାର ଅଛି ! ମୁଁ ଆପଣାକୁ ପ୍ରକୃତିସ୍ଥ କରି ରଖିବାକୁ ପ୍ରାଣପଣେ ଚେଷ୍ଟା କରି ଗୋଟାଏ ବେଞ୍ଚ୍‍ ଉପରେ ନଥ୍‍କରି ବସିପଡ଼ିଲି ଏବଂ ଉଦ୍‍ବିଗ୍ନ ନୟନରେ ତାହାର କଥା ଶୁଣିବାପାଇଁ ଅନାଇ ରହିଲି । ଏହାର କଥାମାନ ନିଶ୍ଚୟ ମୋର ପ୍ରିୟତମଙ୍କର ଭାଗ୍ୟ ବିଷୟରେ ଅନେକ ସମ୍ବାଦ ଦେବ, ଏହା ଭାବି ମୁଁ ବଡ଼ ଆଶାୟୀ ହୋଇ ରହିଥାଏ ।

 

ବିଦିଶାର ମନ୍ୟଭୂମିରେ କାମନୀତ ପ୍ରକୃତରେ ତାହାର ଶକଟବାହିନୀ ସହିତ ମୋର କବଳରେ ପଡ଼ିଥିଲା । ସେ ସାହସର ସହିତ ପ୍ରଥମେ ଖୁବ୍ ପ୍ରତିଶୋଧ କଲା, କିନ୍ତୁ ଶେଷରେ ଆମହାତରେ ବନ୍ଦୀ ହୋଇଥିଲା । କିନ୍ତୁ କ୍ଷତିପୂରଣର ଅର୍ଥ ଯଥାସମୟରେ ଆସି ପହଞ୍ଚିବାରୁ ସେ ନିର୍ବିଘ୍ନରେ ଘରକୁ ଯିବାର ଅନୁମତି ପାଇଲା ଓ ନିରାପଦରେ ଯାଇ ଘରେ ପହଞ୍ଚିଥିଲା ।

 

ଏହି ସମ୍ବାଦଟି ଶୁଣିବା ମାତ୍ରକେ ମୁଁ ଶ୍ୱସ୍ତିର ନିଶ୍ୱାସ ତ୍ୟାଗ କଲି । ସେହି ମୁହୂର୍ତ୍ତରେ ମୁଁ କେବଳ ଆନନ୍ଦ ହିଁ ଅନୁଭବ କରିଥିଲି, କାରଣ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ହେଲା ଯେ ତୁମେ ଏପର୍ଯ୍ୟନ୍ତ ଜୀବଦ୍ଦଶାରେ ରହିଚ । ଅବଶ୍ୟ ସେହି ବିଶ୍ୱାସ ଏକ ନିର୍ବୋଧ ବିଶ୍ୱାସ ହିଁ ଥିଲା ।

 

ଅଙ୍ଗୁଳିମାଳା ପୁଣି କହିବାକୁ ଆରମ୍ଭ କଲା–‘ଯେତେବେଳେ ମୁଁ ଶତଗୀରର କବଳରେ ଆସି ପଡ଼ିଲି, ସେତେବେଳେ ସେ ତତ୍‍କ୍ଷଣାତ୍ ବ୍ୟାଘ୍ରଚକ୍ଷୁ ସୂଚିତ ହୋଇଥିବା ମଣିମାଳାଟିକୁ ଚିହ୍ନି ପାରିଥିଲେ । ମୁଁ ସେହି ମାଳାଟିକୁ ଆପଣା ବେକରେ ପିନ୍ଧୁଥିଲି ଓ ତାହା କାମନୀତର ବୋଲି ଜାଣିଥିଲି । ପରଦିନ ସନ୍ଧ୍ୟା ସମୟରେ ସେ ଏକାକୀ ଆସି ମୋର ବନ୍ଦୀଶାଳାରେ ପ୍ରବେଶ କଲା ଏବଂ ଗୋଟିଏ ଯୁବତୀ ବାଳିକା ଆଗରେ ମୁଁ କାମନୀତକୁ ନିହତ କରିଚି ବୋଲି ଘୋଷଣା କଲେ ସେ ମୋତେ ମୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ତାହାର ଏହି ପ୍ରତିଶ୍ରୁତିରେ ମୁଁ ବଡ଼ ବିସ୍ମୟ ପ୍ରକାଶ କଲି । ଶତଗୀର କହିଲା, ‘‘ଏହିପରି ଏକ ସାମାନ୍ୟ ପ୍ରତିଶ୍ରୁତିକୁ ହୁଏତ ସେହି ବାଳିକା ଆଦୌ ବିଶ୍ୱାସ କରିବ ନାହିଁ’’, କିନ୍ତୁ ସତ୍ୟର ପରୀକ୍ଷା ଦେଲେ ବିଶ୍ୱାସ ନ କରିବାକୁ ଆଉ ତାହାର ବାଟ ରହିବନାହିଁ । ସେ ମୋତେ ପରାମର୍ଶ ଦେଇ କହିଲା । ଯେ ରାତ୍ରିର ପ୍ରଥମ ପ୍ରହରରେ ମୋତେ ଏକ ଉଦ୍ୟାନ ଭିତରକୁ ନିଆଯିବ । ସେହି ବାଳିକା ସେହି ଉଦ୍ୟାନରେ ଉପସ୍ଥିତ ରହିଥିବ-। ମୋ ଦେହରେ ଥିବା ଜଞ୍ଜିର ଓ କଡ଼ିମାନ ହୁଗୁଳା ହୋଇ ବନ୍ଧା ହୋଇଥିବ, ଯେପରିକି ମୁଁ ଏହାକୁ ଟାଣିକରି ଛିଡ଼ାଇଦେଇ ପାରିବି । ତା’ପରେ ମୁଁ ସଙ୍ଗେସଙ୍ଗେ ପାଚେରି ଉପରେ ଚଢ଼ିଯିବ ଏବଂ ସେପାଖକୁ ଡେଇଁପଡ଼ିବି । ପାଚେରି ସେପାଖରେ ଥିବା ଛୋଟ ନଦୀଟି ଯାଇ ଗଙ୍ଗାନଦୀ ସହିତ ମିଶିଚି । ତେଣୁ ଏହିବାଟ ଦେଇ ମୁଁ ସହଜରେ ପଳାଇ ଯାଇପାରିବି । ମୁଁ କୌସାମ୍ବି ନଗରରୁ ପଳାୟନ କରି ଯିବାରେ ସେ କୌଣସି ପ୍ରକାରେ ପ୍ରତିବନ୍ଧକ ସୃଷ୍ଟି କରିବନାହିଁ ବୋଲି ମୋତେ ନିର୍ଭର ଜବାବ ଦେଇଥିଲା ।

 

ଅବଶ୍ୟ ତାହାର କଥାରେ ମୋର ସମ୍ପୂର୍ଣ୍ଣ ପ୍ରତ୍ୟୟ ହେଲାନାହିଁ, କିନ୍ତୁ ତା’ର କବଳରୁ ଖସିବାଲାଗି ମୋ’ ପାଇଁ ଅନ୍ୟ କୌଣସି ବାଟ ନଥିଲା । କୌଣସି ପରିସ୍ଥିତିରେ ମଧ୍ୟ ଏକ ଛଳସତ୍ୟର ପରୀକ୍ଷା ଦେବା ମୋ’ପକ୍ଷରେ ଅବଶ୍ୟ ଆଦୌ ସମ୍ଭବ ହୋଇନଥାନ୍ତା; କାରଣ ସେପରି କଲେ ଯେ ଦେବୀର କୋପଦୃଷ୍ଟି ମୋ’ଉପରେ ପଡ଼ିବ, ମୁଁ ସେକଥା ଖୁବ୍ ଭଲକରି ଜାଣିଥିଲି । କିନ୍ତୁ ଟିକିଏ ଚିନ୍ତାକରି ମୁଁ ଦେଖିଲି ଯେ ଟିକିଏ ଚତୁରତାର ସହିତ ମୁଁ ବାକ୍ୟଗୁଡ଼ିକୁ ଉଚ୍ଚାରଣ କଲେ ମୁଁ ବିଶୁଦ୍ଧ ମିଥ୍ୟାକଥା କହିବାର ପାପରୁ ବେଶ୍ ରକ୍ଷା ପାଇଯିବି, କିନ୍ତୁ ଅନ୍ୟମାନେ ମୁଁ ପ୍ରକୃତରେ କାମନୀତକୁ ବଧ କରିଚି ବୋଲି ବିଶ୍ୱାସ କରିଯିବେ । ମୋର ଭାରି ଭରସା ହେଲା ଯେ ସ୍ୱୟଂ କାଳୀ ମଧ୍ୟ ଚତୁରତା ଓ ଧୂର୍ତ୍ତତା ପ୍ରତି ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି, ତେଣୁ ମୋର ଏହି କୌଶଳପୂର୍ଣ୍ଣ ଅଭିନୟରେ ସେ ଅବଶ୍ୟ ମୋ’ପକ୍ଷରେ ରହିବେ ଏବଂ ମୋତେ ସମସ୍ତ ବିଘ୍ନରୁ ଅତିକ୍ରମ କରାଇନେବେ । ଶତଗୀରର ବିଶ୍ୱାସଘାତକତା ହେତୁ ମୋ’ଉପରେ ପଡ଼ିବା ବିପଦରୁ ମଧ୍ୟ ସେ ଖଣ୍ଡନ କରିଦେବେ ।

 

ପ୍ରକୃତ କ୍ଷେତ୍ରରେ ମଧ୍ୟ ଠିକ୍ ବରାଦ ଅନୁସାରେ ସବୁକଥା ଘଟିଥିଲା । ମୁଁ କିପରି ଲୁହାଜଞ୍ଜିରମାନ ଛିଡ଼ାଇଦେଲି, ସେକଥା ତ ତୁମେ ଆପଣା ଆଖିରେ ଦେଖିଚ । କିନ୍ତୁ ଶରଗୀର ପ୍ରକୃତରେ ଜଞ୍ଜିରକୁ ଆଗରୁ ହୁଗୁଳା କରି ରଖିଥିଲା କିମ୍ବା କାଳୀ ମୋ’ଉପରେ ସଦୟ ହୋଇ ମୋର ଦେହରେ ଅଲୌକିକ ବଳ ଆଣି ଦେଇଥିଲେ, ଏକଥା ଏପର୍ଯ୍ୟନ୍ତ ମଧ୍ୟ ମୋ’ପାଖରେ ଏକ ରହସ୍ୟ ହୋଇ ରହିଚି । ଅବଶ୍ୟ ପ୍ରଥମ ଘଟଣାଟି ସତ୍ୟ ବୋଲି ମୋର ଖୁବ୍ ଅନୁମାନ ହେଉଚି । ନଦୀସ୍ରୋତ ମୋତେ ଭସାଇ ଭସାଇ କୌସାମ୍ବି ନଗରର ସୀମା ପାର କରାଇନେବ, ଏହିକଥା ଭାବି ମୁଁ ପ୍ରଥମେ କିଛିଦୂର ପର୍ଯ୍ୟନ୍ତ ନଦୀସ୍ରୋତରେ ସନ୍ତରଣ କରିବାକୁ ଲାଗିଲି । କିନ୍ତୁ ଠିକ୍ ସେହି ସମୟରେ ସଶସ୍ତ୍ର ସୈନ୍ୟମାନଙ୍କର ଏକ ନଉକା ମୋର ଅନୁଧାବନ କରୁଥିବାର ମୁଁ ଦେଖିବାକୁ ପାଇଲି । ମୋତେ ନିର୍ବିଘ୍ନରେ କୌସାମ୍ବି ପାର କରାଇଦେବ ବୋଲି ପ୍ରତିଶ୍ରୁତି ଦେଲାବେଳେ ଶତଗୀର ନିଶ୍ଚୟ ଏହିପରି ଏକ ଆକ୍ରମଣ ଉପରେ ଭାରି ଭରସା ରଖିଥିଲା । କିନ୍ତୁ ବର୍ତ୍ତମାନ କାଳୀଙ୍କର କୃପା ହିଁ ମୋତେ ଏହି ଆକ୍ରମଣରୁ ରକ୍ଷା କରିପାରିଲା । ମୋର ହାତରେ ଏପର୍ଯ୍ୟନ୍ତ ରହିଥିବା ଦୁଇଟି ଲୁହାକଡ଼ା ବ୍ୟତୀତ ଆତ୍ମରକ୍ଷା କରିବାଲାଗି ମୋ’ପାଖରେ ବର୍ତ୍ତମାନ କୌଣସି ଅନ୍ୟ ଅସ୍ତ୍ରଶସ୍ତ୍ର ନଥିଲା । ତଥାପି ତାହାରି ବଳରେ ମୁଁ ନଉକାଟିକୁ ପାଣି ଭିତରେ ଲେଉଟାଇ ଦେଇ ପାରିଲି ଏବଂ ତାହାର ପରିଣାମ ସ୍ୱରୂପ ନଉକାରେ ଥିବା ସୈନ୍ୟମାନେ ସମସ୍ତେ ପ୍ରାଣ ହରାଇଲେ-। ତାପରେ ସେହି ଓଲଟି ପଡ଼ିଥିବା ଡଙ୍ଗାଟିର ସାହାଯ୍ୟରେ ମୁଁ ଗଙ୍ଗାର ଉତ୍ତର ତୀରରେ ଯାଇ ନିରାପଦରେ ପହଞ୍ଚିଥିଲି । ଅବଶ୍ୟ ସେତେବେଳକୁ ମୋର ଶରୀରର ନାନାସ୍ଥାନରେ ବଡ଼ ବଡ଼ କ୍ଷତମାନ ହୋଇ ସେଥିରୁ ରକ୍ତ ବୋହିବାରେ ଲାଗିଥାଏ । ସେହିସବୁ କ୍ଷତରୁ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିବାକୁ ମୋତେ ପୂରାପୂରି ଗୋଟିଏ ବର୍ଷ ଲାଗିଥିଲା । ଶତଗୀରକୁ ଯେ ଦିନେ-ନା-ଦିନେ ଏହି ଧୂର୍ତ୍ତତାର ପରିଣାମ ଭୋଗିବାକୁ ପଡ଼ିବ, ମୁଁ ପ୍ରାୟ ସବୁବେଳେ ଏହି କଥା ଚିନ୍ତା କରୁଥିଲି । ବର୍ତ୍ତମାନ ସେହି ସମୟ ଆସି ଉପସ୍ଥିତ ହୋଇଚି ।

 

ମୋ’ପ୍ରତି କରାଯାଇଥିବା ଏହି ନୃଶଂସ ବିଶ୍ୱାସଘାତକତାରେ ମୋର ହୃଦୟ ବିତୃଷ୍ଣା ଓ କ୍ରୋଧରେ ଜଳିଉଠିଲା ପରି ମନେହେଲା । ଏହିପରି ଏକ ଉପାୟ ଅବଲମ୍ବନ କରି ଦସ୍ୟୁ ଆପଣାର ଜୀବନ ରକ୍ଷା କରିଚି ବୋଲି ତାକୁ ମୁଁ ଆଦୌ ଦୋଷ ଦେଇ ପାରିଲିନାହିଁ । ମୋର ପ୍ରିୟତମର ରକ୍ତରେ ସେ ଆପଣାର ହସ୍ତ ରଞ୍ଜିତ କରିନାହିଁ, ତେବେ ସେ ଆଗରୁ କେତେ ନିରୀହ ଲୋକଙ୍କୁ ଯେ ହତ୍ୟା କରିଚି, ସେକଥା ଜାଣିବାରେ ମୋର କି ଲାଭ ? ମୋର କାମନୀତ ବର୍ତ୍ତମାନ ମଧ୍ୟ ଜୀବିତ ଅବସ୍ଥାରେ ଏହି ସଂସାରରେ ରହିଚନ୍ତି, ମୋତେ ଏହି ସମ୍ବାଦଟି ଆଣି ଦେଇଥିବା ଲୋକଟି ପ୍ରତି ମୋର ପ୍ରକୃତରେ କୌଣସି ଅଶ୍ରଦ୍ଧା ବା ଘୃଣା ଜାତ ହେଲାନାହିଁ । କିନ୍ତୁ ଯାହାର ଅମାନୁଷିକ କୁଚକ୍ରାନ୍ତ ଆମ ଦୁହିଙ୍କୁ ଏହି ସଂସାରରେ ପରସ୍ପରଠାରୁ ବିଚ୍ଛିନ୍ନ କରି ରଖିଚି, ତାହାପ୍ରତି ମୋର ଭାରି ଘୃଣା ଜାତ ହେବାକୁ ଲାଗିଲା । ସେହି ଲୋକଟାର ଜୀବନନାଶ କରିବାକୁ ଅଙ୍ଗୁଳିମାଳା ବର୍ତ୍ତମାନ ଯେଉଁ ପ୍ରସ୍ତାବ ନେଇ ଆସିଚି, ସେହି ପ୍ରସ୍ତାବରେ ମୁଁ ଏକପ୍ରକାର ଆନନ୍ଦ ଅନୁଭବ କଲି ଏବଂ ଏହି ଆନନ୍ଦକୁ ଗୋପନ କରି ରଖିବାକୁ ମୁଁ ଆଦୌ କୌଣସି ଚେଷ୍ଟା କଲିନାହିଁ-

 

ସହାନୁଭୂତିରେ ଆର୍ଦ୍ର ହୋଇଆସିଥିବା କଣ୍ଠରେ ଦସ୍ୟୁ ପୁଣି କହିଲା : –

 

ନାରୀ, ତୁମର ବ୍ୟାକୁଳିତ ପ୍ରାଣ ମଧ୍ୟ ସେ ପ୍ରତିଶୋଧ ଲାଗି ତୃଷିତ ହୋଇ ରହିଚି, ସେକଥା ମୁଁ ବେଶ୍ ଲକ୍ଷ୍ୟ କରିପାରୁଚି । ସେଥିପାଇଁ କୌଣସି ଶୋଚନା କରନାହିଁ, ତୁମର ସେହି ତୃଷା ମୁଁ ଅତିଶୀଘ୍ର ନିବାରିତ କରିବି । ଠିକ୍ ସେହି ସଂକ୍ରାନ୍ତରେ ହିଁ ଆଜି ମୁଁ ଏଠାକୁ ଆସିଥିଲି । ଆଜିକୁ ଅନେକ ସପ୍ତାହ ହେଲା ମୁଁ କୌସାମ୍ବି ନଗରରେ କେବଳ ଶତଗୀରର ସନ୍ଧାନ କରି ବୁଲୁଚି-। ଏକ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମଧ୍ୟ ପାଇଚି ଯେ ସେ ଏହି କେତେଦିନ ଭିତରେ ରାଜଧାନୀ ତ୍ୟାଗ କରି ରାଜ୍ୟର ପୂର୍ବପ୍ରାନ୍ତକୁ ଯାତ୍ରା କରିବ ଏବଂ ସେଠାରେ ଦୁଇଟି ଜନପଦ ଭିତରେ ହୋଇଥିବା ବିବାଦର ମୀମାଂସା କରିବ । ମୋ’ଉପରେ ତାକୁ ଆକ୍ରମଣ କରିବାକୁ ବାଧ୍ୟ କରି ମୁଁ ସେହି ସୁଯୋଗରେ ତାହାକୁ ବନ୍ଦୀ କରିନେବି, ମୋର ଯୋଜନା ଏହିପରି ରହିଚି । ଶତଗୀରର ଏହି ଯାତ୍ରା ମୋ’ର ଉଦ୍ଦେଶ୍ୟସିଦ୍ଧିରେ ଅଧିକ ଅନୁକୂଳ ହେବ । ମୁଁ ଯେ ବର୍ତ୍ତମାନ କୌସାମ୍ବି ରାଜ୍ୟରେ ଅଛି, ମୁଁ ଯେ ପୁଣି ଫେରିଆସି ପ୍ରବଳ ପରାକ୍ରମରେ ମୋର ଦସ୍ୟୁବୃତ୍ତି ଆରମ୍ଭ କରିଦେଇଚି, ଏକଥା ଚତୁର୍ଦ୍ଦିଗର ପ୍ରଚାରିତ ହୋଇଗଲାଣି । ଅଙ୍ଗୁଳିମାଳା ବର୍ତ୍ତମାନ ଜଣେ କାହାଉପରେ ପ୍ରତିଶୋଧ ନେବ ବୋଲି କ୍ରୁଦ୍ଧ ହୋଇ ବୁଲୁଚି, ତେଣୁ ସଶସ୍ତ୍ର ବାହିନୀ ସଙ୍ଗରେ ନେଇ ନଗଲେ ପୂର୍ବପ୍ରାନ୍ତରେ ଯାତ୍ରାକରି ଯିବା ଆଦୌ ସମ୍ଭବ ନୁହେଁ, ଚାରିଆଡ଼େ ଏହିପରି ଏକ ଆତଙ୍କ ମଧ୍ୟ ଖେଳିଯାଇଚି । ତୁମେ ଏହିସବୁ ବିଷୟରେ କିଛି ଶୁଣିଥିଲାପରି ମୋର ମନେ ହେଉନାହିଁ । ତୁମେ ତ ଆପଣା ଦୁଃଖର ଦହନରେ ଏଠାରେ ଦଗ୍ଧ ହୋଇ କାଳାତିପାତ କରୁଚ । ଆପଣାର ସୁଖ ଓ ସୌଭାଗ୍ୟରୁ ପ୍ରବଞ୍ଚିତ ହୋଇଥିବା ଜଣେ ପ୍ରୀତିଅନୁଗତା ନାରୀପକ୍ଷରେ ଆଉ କି ଗତ୍ୟନ୍ତର ରହିଚି ?

 

ଉତ୍ତର ଦେଇ ମୁଁ କହିଲି–ଏକ ଦୁର୍ବୃତ୍ତ ଦସ୍ୟୁଦଳର ପ୍ରାଦୁର୍ଭାବ ବିଷୟରେ ମୁଁ ଅବଶ୍ୟ ଶୁଣିବାକୁ ପାଇଚି, କିନ୍ତୁ ମୁଁ ତୋର ନାମ ଶୁଣିନଥିଲି । ସେଇଥିପାଇଁ ତ ତୋତେ ଦେଖି ତୋ’ର ପ୍ରେତାତ୍ମା ଆସିଲା ବୋଲି ମୋର ଭ୍ରମ ହୋଇଥିଲା !

 

ଦସ୍ୟୁ କହିଲା–କିନ୍ତୁ ଶତଗୀର ମୋର ନାମ ଶୁଣିବାକୁ ପାଇଚି । ସେ ଭଲକରି ଜାଣିଚି ଯେ ଅଙ୍ଗୁଳିମାଳାର ନେତୃତ୍ୱରେ ହିଁ ଏହି ଦସ୍ୟୁଦଳର ଉତ୍ପାତ ପୁଣି ଆରମ୍ଭ ହୋଇଚି । ତେଣୁ ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଏଥର ଯାତ୍ରାକାଳରେ ସେ ଯେ କେବଳ ଏକ ସଶସ୍ତ୍ର ରକ୍ଷାବାହିନୀ ସଙ୍ଗରେ ନେଇ ବାହାରିବ ତା’ନୁହେଁ, ଅଧିକନ୍ତୁ ଅନ୍ୟ ନାନାପ୍ରକାର ସତର୍କତା ମଧ୍ୟ ଅବଲମ୍ବନ କରିବ । ଅବଶ୍ୟ ମୋର ଦସ୍ୟୁଦଳରେ ବର୍ତ୍ତମାନ ଆଗପରି ଅଧିକ ସଂଖ୍ୟକ ଦସ୍ୟୁ ନାହାନ୍ତି, କିନ୍ତୁ ତଥାପି ଏହାଦ୍ୱାରା ଶତଗୀରକୁ କୌଣସି ସୁଯୋଗ ମିଳିବନାହିଁ । କାରଣ ସେ କେଉଁଦିନ କେତେବେଳେ ଓ କେଉଁ ଦିଗରେ ଯାତ୍ରାକରି ବାହାରିବ, ମୁଁ ଏହି ସମ୍ବାଦମାନ ଆଗରୁ ପାଇସାରିଚି । ଠିକ୍ ଏହି ପ୍ରସଙ୍ଗରେ ହିଁ ମୁଁ ତୁମର ସହାୟତା ଭିକ୍ଷା କରିବାକୁ ଆସିଚି ।

 

ଏପର୍ଯ୍ୟନ୍ତ ଗୋଟିଏ ହେଲେ ଶବ୍ଦ ଉଚ୍ଚାରଣ ନକରି ମୁଁ କେବଳ ଦସ୍ୟୁର କଥାମାନ ଶୁଣିବାରେ ଲାଗିଥିଲି । ତାହାର କଥାରେ ବଶୀଭୂତ ହୋଇ ମୁଁ ଯେ କେତେଦୂର ଅଗ୍ରସର ହୋଇଯାଇଥିଲି, ସେ ବିଷୟରେ ମୋର ଆଉ କୌଣସି ଧ୍ୟାନ ନଥିଲା । ଦସ୍ୟୁର ଶେଷବାକ୍ୟଟି ଶୁଣିବା ମାତ୍ରକେ ମୋର ମୋହ ଭାଙ୍ଗିଗଲା ଓ ମୁଁ ସଚେତନ ହୋଇ ଉଠିଲି । ମୁଁ ଯେ ଗୋଟାଏ ଚୋର ଦସ୍ୟୁ ସହିତ ଏକଜୁଟ ହୋଇ ତାକୁ ସହାୟତା କରିବାକୁ ରାଜି ଅଛି, ଏହିକଥା ବିଶ୍ୱାସ କରିବାକୁ ସେ ମୋ’ଠାରୁ କିପରି କି ସୂଚନା ପାଇଲା, ମୁଁ ଦସ୍ୟୁକୁ ଏହିକଥା ପଚାରିଥିଲି ।

 

ଅବିଚଳିତ ଭାବରେ ଅଙ୍ଗୁଳିମାଳା ଉତ୍ତର ଦେଲା–ଯେଉଁଠାରେ ବିଶ୍ୱାସ ଥାଏ, ସେଠାରେ ଅବଶ୍ୟ ସହାୟତା ମିଳିଥାଏ । ଏହି ପ୍ରସଙ୍ଗରେ ତୁମର ଯେ ମୋ’ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଚି, ଏକଥା ତୁମେ ନିଶ୍ଚୟ ଅନୁଭବ କରୁଥିବ । ମୁଁ ମଧ୍ୟ ତୁମର ସହାୟତା ଭିକ୍ଷା କରି ଆସିଚି, କାରଣ ତୁମରି ସହାୟତା ପାଇଲେ ହିଁ ମୁଁ ଯାହା ଜାଣିବାକୁ ଇଚ୍ଛା କରୁଚି ତାହା ଜାଣିବାକୁ ପାଇବି । ଅବଶ୍ୟ ସମ୍ବାଦ ସଂଗ୍ରହ କରିବାଲାଗି ମୋର ଅନ୍ୟଏକ ସୂତ୍ର ରହିଚି, ସେହି ସୂତ୍ରରୁ ମୁଁ ଶତଗୀରର ଯାତ୍ରା ସମ୍ବନ୍ଧରେ ସମସ୍ତ ସମ୍ବାଦ ଆଗରୁ ଯୋଗାଡ଼କରି ରଖିଚି । କିନ୍ତୁ ସେହି ସୂତ୍ର ସାହାଯ୍ୟରେ ମୁଁ ମୋ’ ବିଷୟରେ ମିଥ୍ୟା ଜନରବମାନ ପ୍ରଚାର କରୁଚି, ତେଣୁ ତାହାର ସଂଗୃହୀତ ଏହି ସମ୍ବାଦଟି ଯେ ମିଥ୍ୟା ହୋଇଥିବ, ସେକଥା କିଏ ଜାଣିଚି ? ତୁମର ମଧ୍ୟ ମୋ’ଠାରେ ଯଥେଷ୍ଟ ଆବଶ୍ୟକତା ରହିଚି । କାରଣ ତୁମପରି ଜଣେ ସାହସିନୀ ନାରୀର ହୃଦୟ ଆପଣାର ପ୍ରବଞ୍ଚକର ନିଧନରେ କେବଳ ସନ୍ତୋଷ ହିଁ ପ୍ରକାଶ କରିବା କଥା । ତୁମେ ଯଦି ପୁରୁଷ ହୋଇଥାନ୍ତ, ତେବେ ଆପଣା ହାତରେ ହିଁ ସେହି ବିଶ୍ୱାସଘାତକକୁ ହତ୍ୟା କରିଥାନ୍ତ । କିନ୍ତୁ ତମେ ନାରୀ, ସେଥିପାଇଁ ତୁମକୁ ମୋ’ର ସହାୟତାର ଆବଶ୍ୟକତା ରହିଚି ।

 

ମୁଁ ପ୍ରାଣପଣେ ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କଲି; କିନ୍ତୁ ସମ୍ମୁଖକୁ ହାତ ବଢ଼ାଇ ସେ ଏପରି ଏକ ଭାବ ବ୍ୟକ୍ତ କରିବାକୁ ଲାଗିଲା, ଯେପରି ତା’ର କଥା ଏପର୍ଯ୍ୟନ୍ତ ସରିନାହିଁ, ଯେପରି ଅସଲ କଥାଟି ଏପର୍ଯ୍ୟନ୍ତ କହିବାକୁ ବାକୀ ଅଛି । ଇଚ୍ଛା ବିରୁଦ୍ଧରେ ମଧ୍ୟ ନୀରବ ହୋଇ ମୁଁ ତା’ର କଥା ଶୁଣିବା ଲାଗି ଅପେକ୍ଷା କରି ରହିଲି ।

 

ନାରୀ, ଏପର୍ଯ୍ୟନ୍ତ ମୁଁ ତୁମକୁ କେବଳ ପ୍ରତିଶୋଧ ନେବାକଥା ହିଁ କହିଛି । କିନ୍ତୁ ତା’ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଆଉ ଗୋଟିଏ କଥା ମଧ୍ୟ ରହିଚି, ଶୁଣ ! ତାହା ହେଉଛି, ତୁମଲାଗି ସୌଭାଗ୍ୟର ପ୍ରାପ୍ତି ଓ ମୋ’ଲାଗି ଅତୀତର ପ୍ରାୟଶ୍ଚିତ୍ତ । ସମସ୍ତେ ଯେ ମୋତେ ନୃଶଂସ ବୋଲି କହନ୍ତି, ମଣିଷ ବା ପଶୁ କାହାରି ପ୍ରତି ମୋର କୌଣସି କରୁଣା ନାହିଁ ବୋଲି ଯେ ଅପବାଦ ଦେଇଥାନ୍ତି, ତାହା ପ୍ରକୃତରେ ଅତ୍ୟନ୍ତ ଯଥାର୍ଥ । ଏହି ଜୀବନରେ ମୁଁ ହଜାର ପାପ କରିଚି, ସେଥିରୁ ଗୋଟିଏ ଗୋଟିଏ କର୍ମପାଇଁ ହୁଏତ ମୋତେ ହଜାର ବର୍ଷ ବା ତତୋଽଧିକ କାଳପାଇଁ ନରକ ଭୋଗ କରିବାକୁ ପଡ଼ିବ । ବାଜଶ୍ରବା ବୋଲି ମୋର ଜଣେ ମିତ୍ର ଅଛନ୍ତି, ଲୋକମାନେ ତାହାଙ୍କୁ ମହାପୁରୁଷ କହି ସମ୍ମାନ ଦେଖାଇଥାନ୍ତି । ତାଙ୍କର ସମାଧି ସ୍ଥାନରେ ମୁଁ ପୂର୍ଣ୍ଣ ସନ୍ତର୍ପଣରେ ପୂଜା କରିଆସିଚି । ମୃତ୍ୟୁ ଅନ୍ତେ ପ୍ରକୃତରେ କୌଣସି ନରକ ଭୋଗ କରିବାକୁ ପଡ଼େନାହିଁ ବୋଲି ସେ ନାନା ପ୍ରମାଣ ଦେଖାଇ ଆମକୁ ବୁଝାଉଥିଲେ, ଦସ୍ୟୁମାନେ ସବୁଠାରୁ ଶ୍ରେଷ୍ଠ ବ୍ରହ୍ମବାଦୀ ଓ ସୃଷ୍ଟିର ସର୍ବଶ୍ରେଷ୍ଠ ମନୁଷ୍ୟ ବୋଲି ପ୍ରମାଣ କରୁଥିଲେ । ତଥାପି ତାଙ୍କ କଥାରେ ମୋର କଦାପି ସମ୍ପୂର୍ଣ୍ଣ ହୃଦ୍‍ବୋଧ ହେଉନଥିଲା ।

 

ନରକ ଭୋଗ କରିବା ପ୍ରକୃତର ସତ କି ମିଛ, ବର୍ତ୍ତମାନ ମଧ୍ୟ ସେ ବିଷୟରେ କିଏ ଚରମ ମୀସାଂସା କରି କହିଦେଇ ପାରିବ ? ମୋର କରିଥିବା ଯାବତୀୟ ପାପକର୍ମ ଭିତରୁ ଗୋଟିଏ ଘଟଣା ନିରନ୍ତର ମୋ’ ମନ ଉପରେ ପଥରପରି ଲଦା ହୋଇ ରହିଚି । ଏକ ଛଳ ସତ୍ୟର ପରୀକ୍ଷା ଦେଇ ମୁଁ ତୁମପ୍ରତି ବିଶ୍ୱାସଘାତକ ଆଚରଣ ପ୍ରଦର୍ଶନ କରିଚି, ଏହାହିଁ ନିୟତ ମୋତେ ଦଗ୍ଧ କରିବାରେ ଲାଗିଚି । ସେଦିନ ତୁମକୁ ଆଖି ଟେକି ଅନାଇବାକୁ ମଧ୍ୟ ମୋର ସାହସ ହୋଇନଥିଲା, ଆଜିମଧ୍ୟ ତାହାରି ଦୁଃଖଦ ସ୍ମୃତି ମୋର ମାଂସ ଭିତରେ କୀଳକପରି ବିଦ୍ଧ ହୋଇ ରହିଚି । ସେଥିପାଇଁ ମୁଁ ଭାବିଚି, ଯେ ମୋତେ ସେଦିନ ତୁମପ୍ରତି ଆଚରଣ କରିଥିବା ବିଶ୍ୱାସଘାତକତାର ଯଥାସମ୍ଭବ କ୍ଷତିପୂରଣ କରିବାକୁ ହିଁ ପଡ଼ିବ । ବର୍ତ୍ତମାନ କାମନୀତଠାରୁ ବିଚ୍ଛିନ୍ନ ହୋଇ ତୁମେ ସେହି ଦୁଷ୍ଟ ଶତଗୀରର ପାଶ ଭିତରେ ପଡ଼ିଯାଇଚ । ଆଜି ସେହି ପାଶକୁ ଛିଡ଼ାଇ ମୋତେ ତୁମକୁ ମୁକ୍ତ କରିବାକୁ ପଡ଼ିବ, ତେବେଯାଇ ତୁମେ ପୁଣି ତୁମର ପ୍ରିୟତମ ସହିତ ସମ୍ମିଳିତ ହୋଇପାରିବ । ମୁଁ ନିଜେ ଉଜ୍ଜୟିନୀ ଯାଇ କାମନୀତକୁ ନିରାପଦରେ ଏଠାକୁ ନେଇଆସିବି । ତେଣୁ ଆଉ କୌଣସି କୁଣ୍ଠା ନକରି ବର୍ତ୍ତମାନ ତୁମକୁ ତୁମର କର୍ତ୍ତବ୍ୟ କରିବାକୁ ହିଁ ହେବ । ମୁଁ ମୋର କର୍ତ୍ତବ୍ୟ ଅବଶ୍ୟ କରିବି । ଆପଣା ସ୍ୱାମୀଠାରୁ କେତେଟା ସମ୍ବାଦ ସଂଗ୍ରହ କରିବା କୌଣସି ନାରୀପକ୍ଷରେ ଆଦୌ କଷ୍ଟକର ହେବନାହିଁ । କାଲି ସନ୍ଧ୍ୟାବେଳେ ଅନ୍ଧାର ହୋଇ ଆସିଲେ ପୁଣି ମୁଁ ଏଠାକୁ ଆସିବି ଏବଂ ତୁମଠାରୁ ସମ୍ବାଦଟି ଶୁଣିବି ।

 

ସେ ନତ ଶରୀରରେ ମୋତେ ଅଭିବାଦନ ଜଣାଇଲା । ବିଚଳିତ ମନକୁ ସଂବୃତ କରି ମୁଁ କୌଣସି କଥାକହିବା ପୂର୍ବରୁ ସେ ଯେତିକି ତ୍ୱରାରେ ପାଚେରି ଡେଇଁ ଉଦ୍ୟାନ ଭିତରକୁ ଆସିଥିଲା, ସେତିକି ତ୍ୱରାରେ ପୁଣି ଅଦୃଶ୍ୟ ହୋଇଗଲା ।

Image

 

୩୨

ଶତଗୀର

 

ଅନାଗତ ଅଜ୍ଞାତ ଅଭିଳାଷମାନଙ୍କର କବଳରେ ପଡ଼ି ବଡ଼ ଅସ୍ଥିର ଭାବରେ ମୋର ସେହି ରାତ୍ରିଟି ଉଦ୍ୟାନ ଭିତରେ ଅତିବାହିତ ହୋଇଥିଲା । ଘୂର୍ଣ୍ଣିବାୟୁରେ ପଡ଼ିଥିବା ଗୋଟିଏ ପତ୍ର ପରି ମୁଁ କେବଳ ସେହି ଅଭିଳାଷ ଗୁଡ଼ିକର ଆବର୍ତ୍ତନରେ ଆବର୍ତ୍ତିତ ହେବାରେ ଲାଗିଥିଲି ।

 

ତେବେ କାମନୀତ ପ୍ରକୃତରେ ଜୀବନରେ ଅଛନ୍ତି । ଦୂରଦେଶସ୍ଥ ତାଙ୍କର ପିତୃଗୃହରେ ସେ ମୋର ବିବାହର ସମ୍ବାଦ ଅବଶ୍ୟ ପାଇଥିବେ । ସେ ମୋତେ ସତରେ କେଡ଼େ ହୀନ ଓ କେଡ଼େ ଦୁର୍ବଳ ବୋଲି ମନେ କରିନଥିବେ ! ଏବଂ ଏହି ସମସ୍ତ ଦୁର୍ଭାଗ୍ୟଲାଗି କେବଳ ଶତଗୀର ହିଁ ଦାୟୀ । ଶତଗୀର ପ୍ରତି ମୋର ଘୃଣା ପ୍ରତିମୁହୂର୍ତ୍ତରେ ଅଧିକ ତୀବ୍ର ହେବାକୁ ଲାଗିଲା ଏବଂ ଅଙ୍ଗୁଳିମାଳାର କଥାଗୁଡ଼ିକୁ ମୁଁ କ୍ରମେ ଅଧିକ ସତ୍ୟ ବୋଲି ବିଶ୍ୱାସ କରିବାକୁ ଲାଗିଲି । ହଁ, ପୁରୁଷ ହୋଇଥିଲେ ମୁଁ ନିଶ୍ଚୟ ଶତଗୀରକୁ ହତ୍ୟା କରିଥାନ୍ତି ।

 

ହିଁ, ଏପର୍ଯ୍ୟନ୍ତ ମଧ୍ୟ ମୁକ୍ତିର ଉପାୟ ଥିଲା, ଅଙ୍ଗୁଳିମାଳା ମୋତେ ସେହି ଉପାୟର ସୂଚନା ଦେଇଯାଇଚି । ଏଠାରୁ ମୁକ୍ତ ହୋଇ ମୁଁ ଅବଶ୍ୟ କାମନୀତକୁ ବିବାହ କରି ପାରିବି । ଏହିକଥା ଭାବିଲା ବେଳକୁ ମୋର ସମସ୍ତ ପ୍ରାଣ ଯେପରି ବଡ଼ ଉତ୍ତେଜିତ ହୋଇ ବିଦ୍ରୋହ କରି ଉଠିଲା, ମୋର ଦେହର ରକ୍ତ ବକ୍ଷ ଓ କପୋଳ ଫଟାଇ ବାହାରି ଆସିବାପରି ମନେହେଲା । ଆପଣାକୁ ଆଉ ସମ୍ଭାଳି ନପାରି ମୁଁ ସେହିଠାରେ ସେହି ମର୍ମରପଥରର ଚଟାଣ ଉପରେ ଦୁଲକରି ପଡ଼ିଗଲି ।

 

ସକାଳର ଶୀତଳ ପବନ ବାଜି ମୁଁ ପୁଣି ମୋର ସଚେତ ଜୀବନକୁ ଫେରିଆସିଲି ଏବଂ ଏକ ଭୀଷଣ ପ୍ରଶ୍ନର ସମ୍ମୁଖୀନ ହେଲି ।

 

ତେବେ ପ୍ରକୃତରେ କଣ ଏହିକଥା ହେବ ଯେ ହଜାର ହଜାର ମନୁଷ୍ୟଙ୍କୁ ହତ୍ୟା କରିଥିବା ଗୋଟାଏ ଦସ୍ୟୁ ସହିତ ସମ୍ମିଳିତ ହୋଇ ମୁଁ ଅଗ୍ନିକୁ ସାକ୍ଷୀ ରଖି ମୋତେ ବିବାହ କରିଥିବା ପୁରୁଷର ପ୍ରାଣନାଶରେ ଭାଗୀ ହେବି ?

 

କିନ୍ତୁ ମୋର ସ୍ୱାମୀ ପ୍ରକୃତରେ କେଉଁଦିନ ଯାତ୍ରାକରି ଯିବେ ଏବଂ କେଉଁ ବାଟ ଦେଇ ଯିବେ, ଏ ବିଷୟରେ ମୁଁ କୌଣସି କଥା ଜାଣିନଥିଲି ।

 

‘‘ଆପଣା ସ୍ୱାମୀଠାରୁ କେତେଟା ସମ୍ବାଦ ସଂଗ୍ରହ କରିବା କୌଣସି ନାରୀପକ୍ଷରେ ଆଦୌ କଷ୍ଟକର ହେବନାହିଁ–ଦସ୍ୟୁର ଏହି ବାକ୍ୟଟି ମୋର କାନପାଖରେ ବାରବାର ଆସି ବାଜୁଥିଲା ଏବଂ ଏହିପରି ଏକ ଜଘନ୍ୟ କାର୍ଯ୍ୟ କରିବା ମୋ’ପକ୍ଷରେ ଯେ କେତେଦୂର ଅସମ୍ଭବ, ତାହାରି ସୂଚନା ଦେଇ ଯାଉଥିଲା । ନାନାପ୍ରକାର ପ୍ରୀତିର ଅଭିନୟ କରି ମୁଁ ସ୍ୱାମୀଙ୍କର ମନ ନେବି ଏବଂ ସେହି ଉପାୟରେ ତାଙ୍କୁ ଏକ ମାରାତ୍ମକ ଶତ୍ରୁର କବଳରେ ନେଇ ପକାଇଦେବି, ଏହି ଭାବନା ମୋତେ ଭାରି ଅଶାନ୍ତ କରିଦେବାକୁ ଲାଗିଲା । ନା–ଏହି ହୀନ ବିଶ୍ୱାସଘାତକ କାର୍ଯ୍ୟ ମୋ’ଦ୍ୱାରା କଦାପି ହୋଇପାରିବନାହିଁ, କଦାପି ସମ୍ଭବ ହେବନାହିଁ । କିନ୍ତୁ ଅପର ପକ୍ଷରେ ଏହିସବୁ ଗୁପ୍ତ ବିବରଣମାନ ଯେଉଁଠି ଲେଖାହୋଇ ସୁରକ୍ଷିତ ହୋଇ ରହିଚି, ସେଠାକୁ ଅତି ଅନାୟାସରେ ଯାଇ ମୁଁ ସେହିସବୁ ବିବରଣ ସଂଗ୍ରହ କରିପାରିବି ଏବଂ ଅଙ୍ଗୁଳିମାଳାକୁ ଦେଇପାରିବି । ମୋର ଚିତ୍ତ ଆହୁରି ବିଚଳିତ ହୋଇପଡ଼ିଲା ।

 

ଭୟତ୍ରସ୍ତ ହୋଇ ମୁଁ ଭାବିଲି, ଯେପରି ଶତଗୀରର ମୃତ୍ୟୁଜନିତ ପାପରେ ମୁଁ ବର୍ତ୍ତମାନ ମଧ୍ୟ ଭାଗୀ ହୋଇ ସାରିଲିଣି । ଭଗବାନଙ୍କ କୃପାରୁ ତାର ଯାତ୍ରା ବିଷୟରେ କୌଣସି ସମ୍ବାଦ ଜାଣିବାର କୌଣସି ସମ୍ଭାବନା ନାହିଁ, ଭାରି ଭଲ ହୋଇଚି । କାରଣ ସେ କେତେବେଳେ ଯାତ୍ରାକରି ଯିବ, ଏହିକଥା ମୁଁ ଜାଣିଲେ, ମଧ୍ୟ, ସେ କେଉଁ ପଥ ବା କେଉଁମାର୍ଗରେ ଯିବ, ସେକଥା କେବଳ ତାକୁ ଓ ତା’ର ଅତିବିଶ୍ୱସ୍ତ ଅନୁଚରମାନଙ୍କୁ ହିଁ ଅବଗତ ଥିବ ।

 

କୌସାମ୍ବିର ହର୍ମ୍ୟଶିଖରଗୁଡ଼ିକୁ ସୁନାକିରଣରେ ଛାଇଦେଇ ସୂର୍ଯ୍ୟୋଦୟ ହେଲା । ତୁମ ସହିତ ରାତ୍ରିର ସୁଖ ପ୍ରହରମାନ ଏକତ୍ର ଅତିବାହିତ କରିବାପରେ ଅଶୋକ ଉଦ୍ୟାନରେ ମୁଁ କେତେଥର ଏହି ବିସ୍ମୟକାରୀ ଅଦ୍ଭୁତ ଦୃଶ୍ୟଭିନୟକୁ ଆଖି ପୂରାଇ ନ ଦେଖିଚି, ଏହି ଶୋଭା ଭିତରେ କେତେ ନିମଗ୍ନ ହୋଇ ନ ଯାଇଚି । କିନ୍ତୁ ଆଜି ଏହି ସୂର୍ଯ୍ୟୋଦୟ ଦେଖି ମନଭିତରେ ଅନ୍ୟପ୍ରକାର ଅନୁଭୂତି ସବୁର ଆବିର୍ଭାବ ହେବାକୁ ଲାଗିଲା । ଆଗରୁ ମୁଁ ଆପଣାକୁ କେବେହେଲେ ଏପରି ଅଭାଗ୍ୟ ଓ ଦରିଦ୍ର ବୋଲି ଅନୁଭବ କରିନଥିଲି, ଏହି ଗୋଟିଏ ରାତିରେ ଯେପରି ମୁଁ ଦଶବର୍ଷ ବୁଢ଼ା ହୋଇଗଲି । ଉଦ୍ୟାନ ତ୍ୟାଗକରି ମୁଁ ପ୍ରାସାଦ ଭିତରେ ପ୍ରବେଶ କଲି । ଆପଣାର ପ୍ରକୋଷ୍ଠରେ ପହଞ୍ଚିବା ଲାଗି ମୋତେ ଏକ ଦୀର୍ଘ ବାରଣ୍ଡା ଅତିକ୍ରମ କରି ଆସିବାକୁ ହେଲା । ସେଠାରେ ଅବସ୍ଥିତ ଗୋଟିଏ ଗବାକ୍ଷ ଭିତରୁ ହଠାତ୍ ମୁଁ କଣ୍ଠସ୍ୱରମାନ ଶୁଣିବାକୁ ପାଇଲି । ଗୋଟିଏ ସ୍ୱର ହେଉଚି ମୋର ସ୍ୱାମୀଙ୍କର । ସେ କହୁଥିଲେ : –

 

ତାହେଲେ ଏହି କଥା ରହିଲା ଯେ ଆଜି ମଧ୍ୟରାତ୍ରି ଗତ ହେବାର ଘଡ଼ିକପରେ ଆମେ ବାହାରିବା ।

 

ଅଜାଣତରେ ସେଇଠି ମୋର ଗୋଡ଼ ବନ୍ଦ ହୋଇଗଲା ଏବଂ ମୁଁ କାନଡ଼େରି ଶୁଣିବାକୁ ଲାଗିଲି । ତା’ହେଲେ ସେମାନେ ଆଜି ବାହାରିବେ । କିନ୍ତୁ କେଉଁ ମାର୍ଗରେ ଯିବେ ? ଦୁଆର ପାଖରେ ଠିଆ ହୋଇ ମୁଁ ଏପରି ଶୁଣୁଚି ବୋଲି ମୋର ମୁଖ ଲଜ୍ଜାରେ ଲାଲ ହୋଇଯାଇଥାଏ । ମୋ’ଭିତରୁ ସତେ ଅବା କିଏ ଚିତ୍କାର କରି କହିଲା–‘‘ପଳା, ପଳା, ବର୍ତ୍ତମାନ ମଧ୍ୟ ସମୟ ରହିଚି ।’’ କିନ୍ତୁ ତଥାପି ମୁଁ ନଯାଇ ଠିଆହୋଇ ରହିଲି । ସତେଅବା ସେଇଠାରେ ମୋର ଚେର ଲାଗିଯାଇଥିଲା ।

 

ଶତଗୀର ଆଉ ଅଧିକ କିଛି କହିଲା ନାହିଁ । ଖୁବ୍‍ ସମ୍ଭବ ସେ ମୋ’ର ପଦଶବ୍ଦ ଶୁଣିପାରିଥିଲା, ସେହି ପଦଶବ୍ଦ ଆସି ଦୁଆର ପାଖରେ ଅଟକି ଯିବାର ମଧ୍ୟ ସେ ଅନୁଭବ କରିଥିଲା । ହଠାତ୍ ଦୁଆରଟା ମେଲା ହୋଇଗଲା ଓ ମୁଁ ଦେଖିଲି, ମୋର ସ୍ୱାମୀ ମୋର ସମ୍ମୁଖରେ ଠିଆ ହୋଇଛନ୍ତି ।

 

ତାଙ୍କୁ ଦେଖି ମୁଁ ହଠାତ୍ ପାଞ୍ଚ କରି କହିଲି–ଏହିବାଟେ ଯାଉଯାଉ ମୁଁ ତୁମର କଣ୍ଠସ୍ୱର ଶୁଣିବାକୁ ପାଇଲି । ତୁମେ ଏତେଶୀଘ୍ର କାର୍ଯ୍ୟବ୍ୟସ୍ତ ହୋଇସାରିଲଣି ବୋଲି ଜାଣିପାରି ବର୍ତ୍ତମାନ ଜଳଯୋଗ ଆଣି ଦେଇଯିବି କି, ଏହିକଥା ପଚାରିବାକୁ ଆସିଲି । ତା’ପରେ ଭାବିଲି, ତୁମର କାମରେ ବାଧା ଦେବା ବୋଧହୁଏ ଉଚିତ ହେବ ନାହିଁ, ଏଣୁ ପଚାରିବା ଉଚିତ ମନେ କଲିନାହିଁ ।

 

କୌଣସି ପ୍ରକାର ସନ୍ଦେହ ବା ଅବିଶ୍ୱାସ ପ୍ରକଟ ନକରି ଶତଗୀର ପ୍ରସନ୍ନ ହୋଇ କହିଲା-: –

 

ଅଶେଷ ଧନ୍ୟବାଦ । ଅବଶ୍ୟ ବର୍ତ୍ତମାନ ଜଳଯୋଗର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ତୁମେ ଏଠାକୁ ଆସିବାଦ୍ୱାରା ମୋର କାର୍ଯ୍ୟରେ କୌଣସି ବାଧା ଉପସ୍ଥିତ ହୋଇନାହିଁ । ବରଂ ଠିକ୍ ଏହିକ୍ଷଣି ହିଁ ମୁଁ ତୁମକୁ ଡକାଇ ପଠାଇବି ବୋଲି ବିଚାରୁଥିଲି । ହୁଏତ ତୁମେ ଶଯ୍ୟାତ୍ୟାଗ କରିନଥିବ ବୋଲି ମୋର ଭୟ ହେଉଥିଲା । ଶୁଣ, ବର୍ତ୍ତମାନ ତୁମେ ମୋତେ ଗୋଟାଏ ବଡ଼ କାର୍ଯ୍ୟରେ ସାହାଯ୍ୟ କରିପାରିବ ।

 

ଶତଗୀର ମୋତେ ଘର ଭିତରକୁ ଡାକିନେଲା । ମୁଁ ଅବାକ୍ ହୋଇ ତା’ ପଛେପଛେ ଯାଉଥାଏ । ବର୍ତ୍ତମାନ ତାକୁ ହତ୍ୟା କରିବାର ଏକ ଅଭିସନ୍ଧି ନେଇ ମୋର ମସ୍ତିଷ୍କ ଉତ୍ତପ୍ତ ହୋଇ ରହିଚି । ଠିକ୍ ଏହି ମୁହୂର୍ତ୍ତରେ ମୋ’ଦ୍ୱାରା ତାର କଣ ଉପକାର ହୋଇପାରିବ ବୋଲି ସେ ଅପେକ୍ଷା କରୁଚି, ତାହା ଜାଣିବାକୁ ମୁଁ ବଡ଼ ଉତ୍‍କଣ୍ଠିତ ହୋଇପଡ଼ିଲି ।

 

ଘର ଭିତରେ ଥିବା ଲୋକମାନଙ୍କ ଭିତରୁ ମୁଁ ଜଣଙ୍କୁ ବେଶ୍ ଭଲକରି ଚିହ୍ନିପାରିଲି । ସେ ହେଉଚି ଶତଗୀରର ଜଣେ ଅତି ବିଶ୍ୱସ୍ତ ଅଶ୍ୱଚାଳକ, ତଳେ ଗୋଟିଏ ଆସନ ଉପରେ ସେ ବସିଥାଏ । ମୁଁ ଗୃହଭିତରେ ପ୍ରବେଶ କରିବା ମାତ୍ରକେ ସେ ଆସନରୁ ଉଠି ମୋତେ ପ୍ରଣାମ କଲା-। ଆପଣାର ଆସନ ପାଖରେ ପଡ଼ିଥିବା ଆଉ ଏକ ଆସନ ଉପରେ ବସିବାଲାଗି ମୋତେ ଶତଗୀର ଇଙ୍ଗିତ କରିଦେଲା, ଇସାରା ଦେଇ ଅଶ୍ୱଚାଳକକୁ ବସିବାକୁ କହିଲା ଓ ତା’ପରେ ମୋ ଆଡ଼କୁ ମୁହଁ ବୁଲାଇ କହିବାକୁ ଆରମ୍ଭ କଲା : –

 

ପ୍ରିୟତମା ବଶିଷ୍ଠୀ, କଥାଟି ହେଉଚି ଯେ ରାଜ୍ୟର ପୂର୍ବପ୍ରାନ୍ତରେ ଏକ ଜନପଦ ବିବାଦର ସୀମାଂସା କରିବାଲାଗି ମୋତେ ଯଥାଶୀଘ୍ର ସମ୍ଭବ ଯାତ୍ରା କରି ବାହାରିବାକୁ ହେବ । ଏହି କେତେଦିନ ହେଲା କୌସାମ୍ୱିର ପୂର୍ବଦିଗକୁ ଅବସ୍ଥିତ ଅରଣ୍ୟ ଭିତରେ ପୁଣି ପ୍ରବଳ ଦସ୍ୟୁର ଉତ୍ପାତ ଆରମ୍ଭ ହୋଇଚି । ଜନରବରୁ ଶୁଣାଯାଉଚି ଯେ ଦସ୍ୟୁ ଅଙ୍ଗୁଳିମାଳା ହିଁ ଏହି ଦସ୍ୟୁଦଳର ସର୍ଦ୍ଦାର ହୋଇଚି । ଏହି କାରଣରୁ ଅବାଧ୍ୟ ଦୁଷ୍ଟ ଲୋକମାନେ କହିବାକୁ ଆରମ୍ଭ କଲେଣି ଯେ ଅଙ୍ଗୁଳିମାଳାକୁ ପ୍ରକୃତରେ ହତ୍ୟା କରାଯାଇନାହିଁ, ସେ ବନ୍ଦୀଶାଳାରୁ ଖସି ପଳାଇଚି ଏବଂ ମୁଁ ଆଉ କାହାର ଛିନ୍ନମୁଣ୍ଡକୁ ଅଙ୍ଗୁଳିମାଳାର ମୁଣ୍ଡ ବୋଲି କହି ନଗରଦ୍ୱାରରେ ଆଣି ଲଟକାଇ ଦେଇଚି । ଏହିସବୁ ଦୁଷ୍ଟ ଲୋକଙ୍କର କଥାଗୁଡ଼ାକୁ ଅବଶ୍ୟ କେବଳ ହସିବାକୁ ହି ମନ ହେଉଚି । ତଥାପି ଏକଥା ସ୍ୱୀକାର କରିବାକୁ ହେବ ଯେ ବିଖ୍ୟାତ ଦସ୍ୟୁ ଅଙ୍ଗୁଳିମାଳାଠାରୁ ଏହି ଦସ୍ୟୁଟି କୌଣସି ପ୍ରକାରେ ଊଣା ହେବନାହିଁ। ହୁଏତ ଆଉ କେଉଁ ଦସ୍ୟୁ ଆପଣା ଦଳରେ ବହୁସଂଖ୍ୟକ ସଙ୍ଗୀ ପାଇବ ବୋଲି ଆପଣାକୁ ଅଙ୍ଗୁଳିମାଳା ବୋଲି ପରିଚୟ ଦେଉଚି । ଏହାଫଳରେ ସେ ନିଶ୍ଚୟ ଏକ ଶକ୍ତିଶାଳୀ ଦସ୍ୟୁଦଳ ଗଠନ କରିପାରିଚି । ଏହିସବୁ ଦୃଷ୍ଟିରୁ ବିଚାରକରି ଦେଖିଲେ ଏଥର ଯାତ୍ରାରେ ଅଧିକ ସତର୍କତା ଅବଲମ୍ବନ କରିବାର ଯଥେଷ୍ଟ କାରଣ ରହିଚି ।

 

ଶତଗୀରର ପାଖରେ ପଡ଼ିଥିବା ଗୋଟିଏ ପଥରବସା ଟେବୁଲ ଉପରେ ରେଶମ ରୁମାଲଟିଏ ଥୁଆ ହୋଇଥିଲା । ସେଇଟିକୁ ଉଠାଇନେଇ ଶତଗୀର ସେଥିରେ ଆପଣାର ମୁହଁରୁ ଝାଳ ପୋଛିବାକୁ ଆରମ୍ଭ କଲା । ବଡ଼ସକାଳର ସମୟ ହୋଇଥିଲେ ମଧ୍ୟ ସେଦିନ ଭାରି ଗରମ ହେଉଥାଏ । ମୁଁ ଭଲକରି ଭୁଝିପାରିଲି ଯେ ଗରମ ସକାଶେ ନୁହେଁ, ଅଙ୍ଗୁଳିମାଳା ପ୍ରତି ଜାତ ହେଉଥିବା ଭୟ ହେତୁ ମୁଁ ଶତଗୀରର ଶୀରରରୁ ଝାଳ ବୋହୁଚି । ଏହି ଦୃଶ୍ୟ ଦେଖି ମୋର ମନରେ ସହାନୁଭୂତି ପରିବର୍ତ୍ତେ ଶତଗୀର ପ୍ରତି ବଡ଼ ଅଶ୍ରଦ୍ଧା ଜାତ ହେଲା । ଏହିପରି ଲୋକଙ୍କୁ କେହି କଦାପି ବୀରପୁରୁଷ ବୋଲି କହିବନାହିଁ । ଏହି ଭୀରୁ ଶତଗୀର କିପରି ଯେ ଅଙ୍ଗୁଳିମାଳା ପରି ଦସ୍ୟୁକୁ ବନ୍ଦୀକରି ଆଣିବାକୁ ସମର୍ଥ ହୋଇଥିଲା, ସେହିକଥା ଭାବି ମୁଁ ଆଶ୍ଚର୍ଯ୍ୟ ହେବାକୁ ଲାଗିଲି । ଅଙ୍ଗୁଳିମାଳାକୁ ଦେଖିଲାଦିନ ତ ମୁଁ ତାକୁ ମହାଭାରତର ଭୀମ ବୋଲି ଭାବି ଭାରି ଭୟଭୀତ ହୋଇପଡ଼ିଥିଲି । କାମନୀତ, ପ୍ରିୟତମ, କୁରୁକ୍ଷେତ୍ରର ସମରାଙ୍ଗନରେ ତୁମେ ଭୀମପକ୍ଷରେ ରହି ଯୁଦ୍ଧ କରିଥିଲ ନା ?

 

ଶତଗୀରର ପୁଣି କହିଲା–ଗୋଟିଏ ଛୋଟିଆ ରକ୍ଷାବାହିନୀ ନେଇ ସେହି ଜନପଦକୁ ଯିବାଲାଗି ଏଥର ମୋର ଆଦୌ ସାହସ ହେଉନାହିଁ । ଅବଶ୍ୟ ତିରିଶରୁ ଅଧିକ ଅଶ୍ୱାରୋହୀ ସୈନ୍ୟ ସାଙ୍ଗରେ ନେଇ ଯିବାକୁ ମୁଁ ଇଚ୍ଛା କରୁନାହିଁ । ତଥାପି ମୋତେ ଏଥର ଅଧିକ ସତର୍କ ରହିବାକୁ ପଡ଼ିବ ଓ ଆବଶ୍ୟକ ପଡ଼ିଲେ ଯେ କୌଣସି ପ୍ରକାର ଧୂର୍ତ୍ତତା ଅବଳମ୍ବନ କରିବାକୁ ହେବ-। ଏ ବିଷୟରେ ମୁଁ ମୋର ବିଶ୍ୱସ୍ତ ଭୃତ୍ୟ ପାଣ୍ଡୁକ ସହିତ ମଧ୍ୟ ପରାମର୍ଶ କରିସାରିଚି । ସେ ମୋତେ ଯେଉଁ ଉତ୍ତମ ପ୍ରସ୍ତାବଟି ଦେଇଚି, ସେହି ପ୍ରସ୍ତାବଟି ମଧ୍ୟ ମୁଁ ତୁମକୁ ଫିଟାଇକରି କହିଦେଉଚି । କାରଣ ମୋ’ର ଚିନ୍ତାରେ ତୁମେ ଅତିରିକ୍ତ ତ୍ରସ୍ତ ଓ ଆତଙ୍କିତ ହୋଇ ରହିବ ବୋଲି ମୁଁ ଆଦୌ ଇଚ୍ଛା କରୁନାହିଁ ।

 

ଶତଗୀରର ଏହି ସହାନୁଭୂତି ସକାଶେ ମୁଁ ତାକୁ ଧନ୍ୟବାଦ ଦେଲି ।

 

ସେ କହିଲା–ଦସ୍ୟୁମାନଙ୍କୁ ବନ୍ଦୀକରି ଆଣିବା ଉଦ୍ଦେଶ୍ୟରେ ଏକ ବିରାଟ ସୈନ୍ୟବାହିନୀ ନେଇ ମୁଁ କାଲି ସକାଳେ ପୂର୍ବଦିଗକୁ ଯାତ୍ରା କରିବି, ଏହିପରି ଏକ ଜନରବ ପ୍ରଚାର କରିବାପାଇଁ ପାଣ୍ଡୁକ ସକଳପ୍ରକାର ଆୟୋଜନ କରିବ । କିନ୍ତୁ ଏଣେ ମଧ୍ୟରାତ୍ରି ଗତ ହେବାର ଏକଘଡ଼ି ପରେ ମୁଁ ତିରିଶ ଜଣ ଅଶ୍ୱାରୋହୀଙ୍କ ସହିତ ଯାତ୍ରା କରି ବାହାରିଯିବି । ପୂର୍ବତୋରଣ ବାଟେ ନଯାଇ ମୁଁ ଦକ୍ଷିଣ ଦ୍ୱାରଦେଇ କୌସାମ୍ବିରୁ ବାହାରିବି ଏବଂ ପାର୍ବତୀୟ ଭୂମି ପାରହୋଇ ବୁଲାଣି ବାଟରେ ପୂର୍ବପ୍ରାନ୍ତରେ ଯାଇ ପହଞ୍ଚିବ । ଏହାଫଳରେ କୌସାମ୍ବିଠାରୁ କେତେ କ୍ରୋଶ ପଥ ଅତିକ୍ରମ କଲାପର୍ଯ୍ୟନ୍ତ ମୋତେ ଆଉ ପ୍ରଧାନ ମାର୍ଗକୁ ଆସିବାକୁ ପଡ଼ିବନାହିଁ । ସେହି ପାର୍ବତୀୟ ଅଞ୍ଚଳରେ ହିଁ ତୁମ ପିତାଙ୍କର ଗ୍ରାଷ୍ମନିବାସ ଅବସ୍ଥିତ । ତେଣୁ ପିଲାଦିନରୁ ତୁମେ ସେହି ଅଞ୍ଚଳର ପ୍ରତ୍ୟେକ ମାର୍ଗ ଓ ପଥସହିତ ନିଶ୍ଚୟ ପରିଚିତ ଥିବ । ଏବଂ ମୁଁ ଆଶା କରୁଚି ଯେ ତୁମେ ଆମକୁ ଏ ବିଷୟରେ ଅନେକ ସୁପରାମର୍ଶ ଦେଇପାରିବ ।

 

ଶତଗୀରର ନିର୍ଦ୍ଦେଶମତେ କାର୍ଯ୍ୟ କରିବାକୁ ମୁଁ ତତ୍‍କ୍ଷଣାତ୍‍ ପ୍ରସ୍ତୁତ ହୋଇଗଲି । ପଟାଉପରେ ମୋର ପିତାଙ୍କର ଗ୍ରୀଷ୍ମନିବାସ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଗୋଟିଏ ମାନଚିତ୍ର ଅଙ୍କନ କରିଦେଲି ଏବଂ କେଉଁ କେଉଁ ସ୍ଥାନରେ ଟିକିଏ ସାବଧାନ ହୋଇ ଯିବାକୁ ପଡ଼ିବ, ସେସବୁକୁ ଛକି କାଟି ଦେଖାଇଦେଲି । ସେହି ଅଞ୍ଚଳରେ ଅବସ୍ଥିତ ଗୋଟିଏ ଗିରିଗର୍ତ୍ତ ମଧ୍ୟଦେଇ ଯାଇଥିବା ଏକ ପଥଦେଇ ଯିବା ସବୁଠାରୁ ନିରାପଦ ହେବ ବୋଲି ମୁଁ ଶତଗୀରକୁ ପରାମର୍ଶ ଦେଇଥିଲି । ଏହି ପଥଟି ଏତେ ଅଣଓସାରିଆ ଯେ ଦୁଇଜଣ ଅଶ୍ୱାରୋହୀ ମଧ୍ୟ ଏହିବାଟେ ଏକାବେଳେକେ ଯିବା ସମ୍ଭବ ହେବନାହିଁ । ଏହି ବାଟଟି ସାଧାରଣତଃ କାହାରିକୁ ଜଣାନଥିଲା । ଏପରିକି ସେ ସେହି ବାଟେ ଯାଉଚି ବୋଲି ଜାଣିବାକୁ ପାଇଲେ ମଧ୍ୟ ଦସ୍ୟୁମାନେ ତଥାପି ସେଠାକୁ ଯିବାକୁ ସାହସ କରିବେନାହିଁ ।

 

କିନ୍ତୁ ଏହି ଗିରିଗର୍ତ୍ତ ଭିତରେ ପିଲାଦିନେ ମେଦିନୀ, ଚାଷୀମାନଙ୍କର ଝିଅ ଓ ମୋର ଭାଇମାନଙ୍କ ସହିତ ମୁଁ କେତେ ଖେଳ ନ ଖେଳିଚି !

 

ପଟାଉପରେ ମାନଚିତ୍ର କାଟିଲାବେଳେ ମୋର ହାତ ଥରୁଥିବାର ଲକ୍ଷ୍ୟ କରି ଶତଗୀର ମୋତେ ଜ୍ୱର ହୋଇଚି କି ବୋଲି ପଚାରିଲା । ମୁଁ କହିଲି ଯେ କାଲି ରାତିରେ ମୋର ମୋଟେ ନିଦ ହୋଇନାହିଁ ଏବଂ ସେହି କାରଣରୁ ସକାଳୁ ଭାରି କ୍ଲାନ୍ତ ଲାଗୁଚି । କିନ୍ତୁ ସେ ହଠାତ୍‍ ମୋର ହାତଟାକୁ ଧରିପକାଇଲା, ହାତଟାରୁ ସେତେବେଳେ ଝାଳ ବୋହୁଥାଏ, ତାହା ଏକାବେଳକେ କାଲୁଆ ହୋଇଯାଇଥାଏ । ଏଥିରେ ଶତଗୀର ବଡ଼ ଚିନ୍ତିତ ହୋଇପଡ଼ିଲାପରି ମନେହେଲା । ମୋର କିଛି ହୋଇନାହିଁ କହି ମୁଁ ହାତଟାକୁ ଟାଣିନେଇ ଆସିବାକୁ ଚେଷ୍ଟାକଲି । କିନ୍ତୁ ସେ ନଛାଡ଼ି କହିଲା ଯେ ମୋତେ ମୋର ଶରୀର ବିଷୟରେ ଅଧିକ ସାବଧାନ ରହିବାକୁ ପଡ଼ିବ । ତାହାର ଚାହାଣି ଓ କଣ୍ଠସ୍ୱର ଭିତରେ ହଠାତ୍ ମୁଁ ଏକ କେମଳତା ଲକ୍ଷ୍ୟ କରିପାରଇଲି । ଅତୀତରେ ଯେତେବେଳେ ସେ ମୋତେ ପାଇବବୋଲି ବୃଥା ମୋ’ ପଛେ ପଛେ ଧାଉଁଥିଲା ସେତେବେଳେ ସେ ଠିକ୍ ଏହିପରି ଏକ କେମଳତା ପ୍ରଦର୍ଶନ କରୁଥିଲା । ବର୍ତ୍ତମାନ ତାର ଏହି କୋମଳ ଭାବ ଲକ୍ଷ୍ୟ କରି ମୁଁ ବଡ଼ ଅପ୍ରସନ୍ନ ଓ ଶଙ୍କିତ ହେଲାପରି ଅନୁଭବ କଲି । ତେଣୁ ସଙ୍ଗେ ସଙ୍ଗେ କହିଲି ଯେ ମୋତେ ବର୍ତ୍ତମାନ ପ୍ରକୃତରେ କିଛି ଭଲ ଲାଗୁନାହିଁ । କହି ସେଠାରୁ ଉଠି ଚାଲିଗଲି ।

 

ମୁଁ ବାରଣ୍ଡା ଦେଇ ଯାଉଥିବା ସମୟରେ ଶତଗୀର ମଧ୍ୟ ମୋ’ ପଛେପଛେ ଆସିଲା ଏବଂ ଆଉ ତୃତୀୟ ବ୍ୟକ୍ତି କେହି ନଥିବାର ଦେଖି ମୋ’ ପାଖରେ କ୍ଷମାପ୍ରାର୍ଥନା କରିବାକୁ ଲାଗିଲା- ପୁଅର ମାଆକୁ ଅତିରିକ୍ତ ଆଦର ଦେଖାଇ ସେ ମୋତେ ପ୍ରକୃତରେ ବଡ଼ ଅବହେଳା କରିଆସିଚି, କିନ୍ତୁ ଏଥର ଘରକୁ ଫେରିଆସିବା ପରେ ସେ କଦାପି ତାହା କରିବନାହିଁ ଏବଂ ମୋତେ କଦାପି ଉଦ୍ୟାନ ଭିତରେ ଏକାକୀ ରାତ୍ରିଯାପନ କରିବାକୁ ପଡ଼ିବନାହିଁ, ଇତ୍ୟାଦି ଇତ୍ୟାଦି ।

 

ଶତଗୀରର ଏହି ଅକାଳ ପ୍ରଦର୍ଶିତ କେମଳତା ସତେଅବା ତାହାର ଯୌବନର ସମାଧି ଭିତରୁ ଉଠି ଆସିଥିଲା ପରି ମୋର ମନେହେଲା । ଏତେ କଥାରେ ମଧ୍ୟ ତଥାପି ମୋ’ର ହୃଦୟ ତା ଆଡ଼କୁ ଟିକିଏ ହେଲେ ନଇଁଲାନାହିଁ ବା ମୋର ଉଦ୍ଦେଶ୍ୟରୁ ମୋତେ କୌଣସି ପ୍ରକାରେ ବିଚଳିତ କରି ପାରିଲାନାହିଁ । ଓଲଟି ମିଠା ଖୋସାମଦ ଏବଂ ଘୃଣାପୂର୍ଣ୍ଣ ପ୍ରତ୍ୟୟ ସହିତ ଯେତେବେଳେ ସେ ତାର ଶେଷ ବାକ୍ୟଟି ଉଚ୍ଚାରଣ କଲା, ସେତେବେଳେ ମୋର ହୃଦୟ ତାହାପ୍ରତି ଅଧିକ କ୍ରୁଦ୍ଧ ହେବାକୁ ଲାଗିଲା, ଅତି ହୀନ ପ୍ରବଞ୍ଚନ ଦ୍ୱାରା ସେ ଯେ ମୋ’ ଉପରେ ତାହାର ଅଧିକାର ବିସ୍ତାର କରିଚି, ଏହିକଥା ମୋର ତତ୍‍କ୍ଷଣାତ୍‍ ତ୍ସ୍ମରଣ ହୋଇଗଲା ।

Image

 

୩୩

ଅଙ୍ଗୁଳିମାଳା

 

ମୋର ପ୍ରକୋଷ୍ଠରେ ପ୍ରବେଶ କରି ମୁଁ ହଠାତ୍ ଏକ ଭୀତିଦାୟକ ଶାନ୍ତଭାବ ଅନୁଭବ କରିବାକୁ ଲାଗିଲି । ବର୍ତ୍ତମାନ ଆଉ କୌଣସି ବିଷୟରେ କିଛି ଦ୍ୱିଧା କରିବାକୁ ନାହିଁ, କୌଣସି ସଂଶୟ ସହିତ ସଂଗ୍ରାମ କରିବାକୁ ନାହିଁ, କୌଣସି ପ୍ରଶ୍ନର ଉତ୍ତର ଦେବାକୁ ନାହିଁ । ସବୁକଥା ବର୍ତ୍ତମାନ ଠିକ୍ ହୋଇ ରହିଚି । ତାହାର କର୍ମ ହିଁ ଏହିପରି, ତାହାକୁ କିଏ ନିବାରି ରଖିପାରିବ ? ଦୁଇଜଣଙ୍କ ପ୍ରତି ବିଶ୍ୱାସଘାତକତା କରିବା ଦ୍ୱାରା ସେ ବର୍ତ୍ତମାନ ମୁଁ ଏବଂ ଅଙ୍ଗୁଳିମାଳା ଦୁହିଁଙ୍କର କବଳରେ ଆସି ପଡ଼ିଚି ।

 

ବିଛଣା ଧରିବା ମାତ୍ରକେ ମୁଁ ତତ୍‍କ୍ଷଣାତ୍‍ ନିଶ୍ଚିତ ହୋଇ ଶୋଇପଡ଼ିଲି । ମଝିରେ ଥିବା ଏହି କେତେ ପ୍ରହର ସମୟ କିପରି କଟିବ, ଏଥିପାଇଁ ମୋତେ ସ୍ୱଭାବତଃ ଭାରି ଅଧୀର ଲାଗୁଥିଲା-

 

କ୍ରମେ ସନ୍ଧ୍ୟା ଆସି ଉପଗତ ହେଲା । ଅନ୍ଧାର ହୋଇ ଆସିଲାରୁ ମୁଁ ଉଦ୍ୟାନରେ ଯାଇ ପହଞ୍ଚିଲି । ସେତେବେଳକୁ ଜହ୍ନ ଉଠିନଥାଏ । ମୋତେ ଆଦୌ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଲାନାହିଁ । ପାଚେରିର ସେପାଖରୁ ହଠାତ୍ ଅଙ୍ଗୁଳିମାଳାର ଶରୀର ଦୃଷ୍ଟିଗୋଚର ହେଲା । ପାଚେରି ଡେଇଁ ସେ ଆସି ମୋ’ପାଖରେ ପହଞ୍ଚିଲା । ତଳକୁ ମୁହଁପୋତି ମୁଁ ଗୋଟିଏ ବେଞ୍ଚ୍ ଉପରେ ବସି ରହିଥିଲି ।

 

ମୁଁ ଆଦୌ ହଲଚଲ ନହୋଇ ମର୍ମର ପଥରର ଚଟାଣ ଆଡ଼କୁ ଅନାଇ କହିବାକୁ ଆରମ୍ଭ କଲି ତୁ ଯାହାସବୁ ଜାଣିବାକୁ ଆସିଚୁ, ମୁଁ ସେସବୁ କଥା ଜାଣିସାରିଚି । ସେ କେତେବେଳେ ଯାତ୍ରା କରି ବାହାରିବେ, କେତେ ସୈନ୍ୟ ସାଙ୍ଗରେ ନେଇ ଯିବେ, କେଉଁ ଦିଗରେ ବାହାରିବେ ଏବଂ କେଉଁ ମାର୍ଗ ଦେଇ ଯିବେ, ମୁଁ ସବୁ ଜାଣିଚି । ତାଙ୍କର ମନ୍ଦକର୍ମ ଦ୍ୱାରା ପରିଚାଳିତ ହୋଇ ସେ ଅତ୍ୟନ୍ତ ବିଶ୍ୱାସର ସହିତ ସ୍ୱୟଂ ମୋତେ ଏହିସବୁ ସମ୍ବାଦ ଦେଇଛନ୍ତି । ନହେଲେ ଏସବୁ ଜାଣିବା ମୋ ପକ୍ଷରେ ଆଦୌ ସମ୍ଭବ ହୋଇନଥାନ୍ତା । କାରଣ ପ୍ରେମର ଛଦ୍ମ ଅଭିନୟ କରି ମୁଁ କଦାପି ତାଙ୍କଠାରୁ ଏତେଗୁଡ଼ିଏ କଥା ନେଇ ପାରିନଥାନ୍ତି ।

 

କ୍ଷଣକପାଇଁ ଚୁପ୍‍ ରହି ମୁଁ ପୁଣି କହିଲି–କିନ୍ତୁ ଆଗ ମୋ’ପାଖରେ କେତୋଟି ପ୍ରତିଜ୍ଞା ନକଲେ ମୁଁ ସେହିସବୁ ବିଷୟରେ ତୋତେ ଗୋଟିଏ ଶବ୍ଦ ସୁଦ୍ଧା କହିବିନାହିଁ । ତୁ ତାଙ୍କୁ କେବଳ ହତ୍ୟା କରିବୁ, ଉତ୍ପୀଡ଼ନ କରିବୁ ନାହିଁ; କେବଳ ତାହାଙ୍କୁ ହିଁ ତୁ ହତ୍ୟା କରିବୁ, ମାତ୍ର ତାଙ୍କ ସାଙ୍ଗରେ ଥିବା କୌଣସି ବ୍ୟକ୍ତିର କୌଣସି ଅନିଷ୍ଟ କରିବୁ ନାହିଁ । ଅବଶ୍ୟ ଆତ୍ମରକ୍ଷା କରିବାପାଇଁ ନିତାନ୍ତ ବାଧ୍ୟ ହୋଇ ତୁ ଏପରି କରିପାରୁ । କିନ୍ତୁ ମୁଁ ତୋତେ ଏପରି ଗୋଟିଏ ସ୍ଥାନ ଦେଖାଇଦେବି ଯେ ସେଠାରେ ତୁ ଶତଗୀରକୁ ଏକାକୀ ତୋର କବଳରେ ପାଇପାରିବୁ, ତାର ସୈନ୍ୟସାମନ୍ତଙ୍କ ସହିତ ତୋତେ କୌଣସି ଯୁଦ୍ଧ କରିବାକୁ ପଡ଼ିବନାହିଁ । କିନ୍ତୁ ଆଗ ମୋ’ପାଖରେ ଏହିସବୁ ପ୍ରତିଶ୍ରୁତି ଦେବାକୁ ପଡ଼ିବ । ତା’ ନହେଲେ ଏହିଠାରେ ମୋତେ ହତ୍ୟା କଲେ ମଧ୍ୟ ମୁଁ ତୋତେ ଗୋଟିଏ ହେଲେ କଥା କହିବିନାହିଁ ।

 

ମୋକଥା ଶୁଣି ଅଙ୍ଗୁଳିମାଳା ଉତ୍ତର ଦେଲା–ମୁଁ ଆଜିଯାଏ ଅତ୍ୟନ୍ତ ନିଷ୍ଠାପର ଭାବରେ ମାଆ କାଳୀଙ୍କର ସେବା କରିଆସିଚି । ସେହି କାଳୀଙ୍କୁ ସାକ୍ଷୀ ରଖି ମୁଁ କହୁଚି, ଯେ ମୁଁ ଶତଗୀର ବ୍ୟତୀତ ତାହା ସହିତ ଥିବା ଆଉ ଜଣେ ହେଲେ କାହାକୁ ହତ୍ୟା କରିବି ନାହିଁ, ପ୍ରତିଜ୍ଞାକରି କହୁଛି ଯେ ଶତଗୀରକୁ କୌଣସି ପ୍ରକାରେ ଉତ୍ପୀଡ଼ନ ଭୋଗ କରିବାକୁ ଦେବି ନାହିଁ ।

 

ମୁଁ କହିଲି ଏଥର ତୋ’ଉପରେ ବିଶ୍ୱାସ କରାଯାଇ ପାରିବ । ବର୍ତ୍ତମାନ ଯାହା କହୁଚି ଶୁଣ ଏବଂ ଗୋଟିଗୋଟି କରି ମନେରଖ । ଯଦି ଏହି ନଗରରେ ତୋର ଚର ରହିଥିବେ, ତେବେ ତୁ ନିଶ୍ଚୟ ଖବର ପାଇସାରିବୁଣି ଯେ କାଲି ସକାଳେ ଶତଗୀର ଦସ୍ୟୁମାନଙ୍କୁ ବନ୍ଦୀ କରି ଆଣିବାପାଇଁ ଯାତ୍ରା କରିବ । ମାତ୍ର ଲୋକମାନଙ୍କୁ କେବଳ ଭ୍ରମରେ ପକାଇବା ପାଇଁ ଏହିପରି ଜନରବ ପ୍ରଚାର କରାଯାଉଛି । ପ୍ରକୃତ ସମ୍ବାଦ ହେଉଚି ଆଜି ମଧ୍ୟରାତ୍ରି ଗତ ହେବାର ଘଡ଼ିକ ପରେ ଶତଗୀର ସାଙ୍ଗରେ ତିରିଶଜଣ ଅଶ୍ୱାରୋହୀ ସୈନ୍ୟ ନେଇ ନଗରର ଦଷିଣଦ୍ୱାର ଦେଇ ବାହାରିବ ଏବଂ ପାର୍ବତ୍ୟ ପ୍ରଦେଶ ଭିତରେ ବୁଲିକରି ପୂର୍ବପ୍ରଦେଶକୁ ଯିବ ।

 

ସେହି ଅଞ୍ଚଳଟି ବିଷୟରେ ମୁଁ ଦସ୍ୟୁକୁ ସବୁ କଥା ଠିକେ ଠିକେ ବତାଇଦେଲି । ସେଠାରେ ଗୋଟିଏ ଗିରିଗର୍ତ୍ତ ଭିତରେ ଥିବା ପଥଦେଇ ଶତଗୀର ଯିବ ଏବଂ ସେହିଠାରେ ହିଁ ଅଙ୍ଗୁଳିମାଳା ଆପଣା ବର୍ଚ୍ଛା ଦେଇ ଅତି ସହଜରେ ତାହାକୁ ହତ୍ୟା କରିପାରିବ ।

 

ମୋର କଥା ସରିବାପରେ ଆମେ ଦୁହେଁଯାକ କିଛି ସମୟ ପାଇଁ ନିସ୍ତବ୍ଧ ରହିଲୁ । କେବଳ ମୋର ଆପଣାର ଗମ୍ଭୀର ଦୀର୍ଘନିଶ୍ୱାସ ବ୍ୟତୀତ ମୁଁ ସେତବେଳେ ଆଉ କିଛି ଶୁଣି ପାରୁନଥାଏ । ଯେପରି ସେଠାରୁ ଉଠି କୁଆଡ଼କୁ ଯିବାର ସମସ୍ତ ଶକ୍ତି ଅନ୍ତର୍ହିତ ହୋଇଯାଇଚି, ମୋର ସେହିପରି ମନେ ହେଉଥାଏ ।

 

ଶେଷକୁ ଅଙ୍ଗୁଳିମାଳାର କଣ୍ଠସ୍ୱର ସେହି ନିସ୍ତବ୍ଧତା ଭଙ୍ଗ କଲା । ତା’ର କଣ୍ଠସ୍ୱରରେ ହଠାତ୍ ଏକ କୋମଳ ସବେଦନତା ଥିବାର ଅନୁଭବ କରିପାରି ମୁଁ ଯେପରି ଏ ଅସ୍ପଷ୍ଟ ଭୟରେ ଆଚ୍ଛନ୍ନ ହୋଇପଡ଼ିଲି ।

 

ସେ କହିଲା ତୁମପରି ଜଣେ ନିରୀହା ଓ କେମଳହୃଦୟା ନାରୀ, ଯିଏ କି ସୃଷ୍ଟିର ସବୁଠାରୁ ନିକୃଷ୍ଟ ଜୀବକୁ ମଧ୍ୟ ଜାଣିଜାଣି କେବେ କୌଣସି ପ୍ରକାର ଦୁଃଖ ବା ଯନ୍ତ୍ରଣା ଦେଇନଥିବ, ଶେଷକୁ ସିଏ ଆଜି ସଂସାରର ସବୁଠାରୁ ବଡ଼ ଅମଣିଷ ଏହି ଦସ୍ୟୁଟା ସହିତ ହାତ ମିଳାଇ ପାରିଲା-! ଏହି ଦସ୍ୟୁର ହାତରେ ଏପର୍ଯ୍ୟନ୍ତ ମଧ୍ୟ ମନୁଷ୍ୟରକ୍ତ ବୋଳାହୋଇ ରହିଚି । ତୁମର ସ୍ୱାମୀଙ୍କର ହତ୍ୟା କର ପ୍ରକୃତରେ ତୁମର ବିବେକକୁ ଦଂଶନ କରିବନାହିଁ, ତାହାର କାଳିମାମୟ କର୍ମସୂତ୍ରକୁ ଅଧିକ ପ୍ରଲମ୍ବିତ କରି ତୁମକୁ ମଧ୍ୟ କଣ ନରକ ଭିତରକୁ ଟାଣିନେବ ନାହିଁ ? ଆଜି ତୁମେ ଦସ୍ୟୁ ଅଙ୍ଗୁଳିମାଳା ଆଗରେ ଯାହାସବୁ କହିଲ, ତାହାର ପରିଣାମ ସ୍ୱରୂପ ଏହା ଫଳିବ ହିଁ ଫଳିବ ।

 

ମୋର କାନକୁ ମୁଁ ଆଦୌ ବିଶ୍ୱାସ କରିପାରିଲି ନାହିଁ । ତେବେ ମୁଁ କ୍ଷଣକ ପୂର୍ବରୁ ଯାହାସବୁ କହିଲି, ତାହା ପ୍ରକୃତରେ କାହାକୁ କହିଲି ? ତାହାର ସ୍ୱର ତ ଠିକ୍ ଅଙ୍ଗୁଳିମାଳାର କଣ୍ଠସ୍ୱର ପରି ଶୁଭୁଥିଲା ! ହଁ ଅବଶ୍ୟ ତାହାର ଧ୍ୱନିରେ ଆଜି କୌଣସି ଅଦ୍ଭୁତ ପରିବର୍ତ୍ତନ ହୋଇଚି ବୋଲି ମନେ ହେଉଥିଲା ବଡ଼ ବିଚଳିତ ହୋଇ ମୁଁ ସମ୍ମୁଖଦିଗକୁ ଦୃଷ୍ଟିପାତ କଲି । ଦେଖିଲି, କୌଣସି ଭ୍ରମର କୌଣସି ଅବକାଶ ହିଁ ନାହିଁ, ଦସ୍ୟୁଦଳପତି ଅଙ୍ଗୁଳିମାଳା ହିଁ ସ୍ୱଶରୀରରେ ମୋ ଆଗରେ ଠିଆ ହୋଇଚି । କାଲି ଯେଉଁ ଅଙ୍ଗୁଳିମାଳା ମୋତେ ଆପଣାର ପ୍ରବଳ ଶକ୍ତିଦ୍ୱାରା ବଶୀଭୂତ କରି ଦେଇଥିଲା, ତା’ର ଚରିତ୍ରରେ କଣ ଦିନକ ଭିତରେ ଏହି ଅଦ୍ଭୁତ ପରିବର୍ତ୍ତନ ଘଟିଚି-?

 

ସେ ପୁଣି କହିଲା–ନାରୀ, ତୁମେ ବିଚଳିତ ହୁଅନାହିଁ । ଏପର୍ଯ୍ୟନ୍ତ କୌଣସି ଘଟଣା ଘଟିନାହିଁ । କେବଳ ତୁମେ ତୁମର କଥାଗୁଡ଼ିକ ଏହି ବୃକ୍ଷ ଆଗରେ କହିଚ–ଏହା ବ୍ୟତୀତ ଏପର୍ଯ୍ୟନ୍ତ ଆଉ କୌଣସି ଘଟଣା ଘଟିନାହିଁ ।

 

ଦସ୍ୟୁର ଏହି କଥାଗୁଡ଼ିକ ମଧ୍ୟ ମୋତେ ପୂର୍ବପରି ସମ୍ପୂର୍ଣ୍ଣ ପ୍ରହେଳିକାମୟ ବୋଧ ହେଲା-। କିନ୍ତୁ ତଥାପି ମୁଁ ବୁଝିପାରିଲି ଯେ ହୁଏତ କୌଣସି କାରଣବଶତଃ ସେ ଶତଗୀର ଉପରେ ପ୍ରତିଶୋଧ ନେବାର ଯୋଜନା ସ୍ଥଗିତ କରିଦେଇଚି । କିନ୍ତୁ ମୋର ଏଣେ ହେଲା କଣ ? ଆପଣାର ବିରୁଦ୍ଧରେ ତଥାପି ଆପଣାକୁ ପ୍ରସ୍ତୁତ କରି ମୁଁ ଅପରାଧର ଚରମ ସୀମାକୁ ସ୍ପର୍ଶ କଲାମାତ୍ରକେ ଶେଷରେ ସବୁ ପାଣି ଫାଟିଗଲା, ଶେଷରେ ମୋତେ ଏହିପରି ନିରାଶ ହେବାକୁ ପଡ଼ିଲା । ହାୟରେ ଦୁର୍ଭାଗ୍ୟ !

 

ମୋର ହତାଶ–ସନ୍ତାପିତ ମନର ଉତ୍ତେଜନା ଭର୍ସନା ହୋଇ ଅଙ୍ଗୁଳିମାଳା ଉପରେ ବର୍ଷିବାକୁ ଲାଗିଲା । ମୁଁ ତାହାକୁ କହିଲି, ଦୁଷ୍ଟ ପାଷଣ୍ଡ ଦସ୍ୟୁ, ତୁ ଏପର୍ଯ୍ୟନ୍ତ କେବଳ ମୋ’ ପାଖରେ ବୃଥା ଆସ୍ଫାଳନ କରୁଥିଲୁ । ତୁ ଗୋଟାଏ କୁକୁର, କୁକୁରଠାରୁ ମଧ୍ୟ ହୀନ ! ମୋର ମନକୁ ଯାହା ଆସିଲା, ମୁଁ ତାହାକୁ ସେହିସବୁ ଶବ୍ଦରେ ଗାଳିଦେବାକୁ ଲାଗିଲି । ମୁଁ ଭାବିଥିଲି ଯେ ଆପଣାର ନୃଶଂସ ପ୍ରକୃତି ସକାଶେ ସମସ୍ତ ଭାରତ ବର୍ଷରେ କୁଖ୍ୟାତ ଏହି ଦସ୍ୟୁ ମୋର ଭର୍ସନାକୁ ସହି ନପାରି ଅତି ଉତ୍ତ୍ୟକ୍ତ ହୋଇପଡ଼ିବ ଏବଂ ଆପଣାର ତରବାରିରେ ମୋତେ ତତ୍‍କ୍ଷଣାତ୍ ହତ୍ୟାକରି ତଳେ ପକାଇଦେବ ।

 

ଧଇଁସଇଁ ହୋଇପଡ଼ି ମୁଁ ଚୁପ୍ ହୋଇଗଲି ଏବଂ ଶାନ୍ତଭାବରେ ଅଙ୍ଗୁଳିମାଳା କହିବାକୁ ଲାଗିଲା : –

 

ତୁମପାଖରେ ମୁଁ ଯେଡ଼େ ବଡ଼ ଅପରାଧ କରିଚି, ତାହାର ତୁଳନାରେ ଏହିସବୁ ଭର୍ସନାର ଦଶଗୁଣ ଦଣ୍ଡ ମୋତେ ଦିଆଗଲେ ମଧ୍ୟ ତାହା କଦାପି ଯଥେଷ୍ଟ ହେବନାହିଁ । ଆଉ ତୁମ କଥାରେ ଉତ୍ତ୍ୟକ୍ତ ହୋଇ ଅଙ୍ଗୁଳିମାଳା ତୁମକୁ ହତ୍ୟା କରିବ ବୋଲି ତୁମେ ଯେଉଁ ଆଶା କରି ବସିଚ, ତାହା ସଫଳ ହେବବୋଲି ମୋର ଆଦୌ ବିଶ୍ୱାସ ହେଉନାହିଁ । କିନ୍ତୁ ଯଦି ତୁମେ ନହୋଇ ଆଉ କେହି ମୋତେ ଏହାଠାରୁ ତୀବ୍ରତର ଭାବରେ ଭର୍ସନା କରିଥାନ୍ତା, ତେବେ ମଧ୍ୟ ମୁଁ ତାକୁ ଧୀରଭାବରେ ସହନ କରିଥାନ୍ତି ମୋତେ ଏଡ଼େବଡ଼ ଲାଭଦାୟକ ପରୀକ୍ଷାର ସମ୍ମୁଖୀନ କରାଇଲା ବୋଲି ମୁଁ ବରଂ ତାହାପ୍ରତି କୃତଜ୍ଞତା ପ୍ରକାଶ କରିଥାନ୍ତି । କାରଣ ସ୍ୱୟଂ ମୋର ଗୁରୁ ମୋତେ ଶିଖାଇଛନ୍ତି–‘‘ଅଙ୍ଗୁଳିମାଳା ସହିବାରେ ତୁ ଠିକ୍ ବସୁଧାପରି ହେବୁ ।’’ ବସୁଧା ଉପରେ ଆମେ ଶୁଦ୍ଧ ଅଶୁଦ୍ଧ ଯାବତୀୟ ପଦାର୍ଥ ନେଇ ପକାଇଦେଉ, କିନ୍ତୁ ତଥାପି ବସୁଧା ସେଥିରେ କ୍ରୁଦ୍ଧ ହୁଏନାହିଁ କି ତାର ପ୍ରତିବାଦ କରେନାହିଁ । ଠିକ୍ ସେହିପରି ଅଙ୍ଗୁଳିମାଳା, ସହିବାରେ ତୁ ବସୁଧାପରି ହେବୁ ।’’ ବଶିଷ୍ଠୀ, ତୁମେ ବର୍ତ୍ତମାନ ଦସ୍ୟୁ ଅଙ୍ଗୁଳିମାଳା ସହିତ କଥାବାର୍ତ୍ତା କରୁନାହଁ, ଶିଷ୍ୟ ଅଙ୍ଗୁଳିମାଳା ସହିତ କଥାବାର୍ତ୍ତା କରୁଚ ।

 

ଶିଷ୍ୟ ? କାହାର ଶିଷ୍ୟ ତୁ ? ତୋର ଗୁରୁ କିଏ ? ମୁଁ ଅତ୍ୟନ୍ତ ଅଧୀର ହୋଇ ପଚାରିଲି । ତଥାପି ଏପରି ଏକ ଅଦ୍ଭୁତ ମଣିଷର ମୁଖରୁ ଏହି ଶାନ୍ତ ଗମ୍ଭୀର କଥାମାନ ଶୁଣି ମୁଁ ବଡ଼ ବିସ୍ମିତ ହୋଇଯାଇଥିଲି ।

 

ସେ ଉତ୍ତର ଦେଲା–ତାଙ୍କୁ ସମସ୍ତେ ତଥାଗତ ବୋଲି କହନ୍ତି । ସେ ହେଉଛନ୍ତି ପରମଜ୍ଞାନୀ, ପ୍ରବୁଦ୍ଧ ବୁଦ୍ଧ । ସେହି ହେଉଛନ୍ତି ମୋର ଗୁରୁ । ତୁମେ ନିଶ୍ଚୟ ଆଗରୁ ତାଙ୍କ ବିଷୟରେ ଶୁଣିଚ ?

 

ମୁଁ ମୁଣ୍ଡ ହଲାଇ ନାହିଁ କଲି ।

 

ଅଙ୍ଗୁଳିମାଳା କହିଲା–ଅହୋ, ମୋର କେଡ଼େବଡ଼ ଭାଗ୍ୟ, ଆଜି ତୁମେ ମୋର ମୁଖରୁ ପ୍ରଥମଥର ପାଇଁ କଲ୍ୟାଣମୟ ବୁଦ୍ଧଙ୍କର ନାମ ଶୁଣିବାକୁ ପାଇଲ ! ଏକଦା ଦସ୍ୟୁ ଅଙ୍ଗୁଳିମାଳା ତୁମର ସର୍ବନାଶ କରିବାକୁ ଏଠାକୁ ଆସିଥିଲା, ଆଜି ବୁଦ୍ଧଶିଷ୍ୟ ଅଙ୍ଗୁଳିମାଳା ତୁମର ସବୁଠାରୁ ବଡ଼ ଉପକାର କରି ସେହି ପୂର୍ବକୃତର ପ୍ରାୟଶ୍ଚିତ୍ତ କରିବାକୁ ଆସିଚି ।

 

ଅତ୍ୟନ୍ତ ଜିଜ୍ଞାସୁ ଭାବରେ ମୁଁ ପୁଣି ପଚାରିଲି–ଏହି ବୁଦ୍ଧ କିଏ ? ତୋର ଏହି ରହସ୍ୟମୟ ଜୀବନାଚରଣ ସହିତ ତାଙ୍କର କି ସମ୍ବନ୍ଧ ଅଛି ? ତାଙ୍କର ନାମ ଶୁଣିଲେ ମୋର କିପରି କି ଉପକାର ହେବ ?

 

ଅଙ୍ଗୁଳିମାଳା ଉତ୍ତର ଦେଲା–ସେହି ତଥାଗତଙ୍କ ନାମ ଶୁଣିବା ମାତ୍ରକେ ଅନ୍ଧାରରେ ବସିଥିବା ମଣିଷକୁ ପ୍ରଥମ ଆଲୋକର ଦର୍ଶନରେ ଯାହା ମିଳେ, ସେହିପରି ଫଳ ମିଳିବ । କିନ୍ତୁ ଆଜି ଦିନଟି ଭିତରେ ମୁଁ ଯାହାସବୁ ଅଭିଜ୍ଞତା ଅର୍ଜନ କରିଚି, ସେସବୁ ତୁମକୁ କହୁଚି, ଶୁଣ । ମୋର ଜୀବନରେ କିପରି ଆଜି ଏକ ବିରାଟ ଗତି ପରିବର୍ତ୍ତନ ହୋଇଚି, ମୁଁ ବର୍ତ୍ତମାନ ସେହିକଥା ତୁମକୁ କହିବି । ଏହିସବୁ ଘଟଣା ଯେ ଆଜି ଘଟିଲା, ଏହି ଗୌରବରେ ତୁମର ମଧ୍ୟ ଅନେକ ଭାଗ ରହିଚି-

 

ସେହି ପ୍ରଥମ ସନ୍ଧ୍ୟାରେ ମୁଁ ତାହାର ମୁଖରୁ ଯେଉଁସବୁ କଥା ଶୁଣିଲି, ତାହା ମୋତେ ପ୍ରକୃତରେ ବଡ଼ ଅବାକ୍ କରିଦେଲା । ତାହାର ସମସ୍ତ ଅତୀତ ଜୀବନ ଓ ଆଚରଣ ସହିତ ଏହିସବୁ କାହାଣୀର ଯେପରି କୌଣସି ସମ୍ବନ୍ଧ ହିଁ ନଥିଲା । ପୁଣି ଯେତେବେଳେ ବିନା କୌଣସି ସଙ୍କୋଚରେ ସେ ମୋ’ପାଖରେ ବେଞ୍ଚ୍‍ ଉପରେ ଆସି ବସିଲା, ସେତେବେଳେ ମୋର ଆଉ ବିସ୍ମୟର ସୀମା ରହିଲାନାହିଁ ।

Image

 

୩୪

Unknown

ନରକଦର୍ଶନ

 

ସେ କହିବାକୁ ଆରମ୍ଭ କଲା–ଆଜି ସକାଳେ ସୂର୍ଯ୍ୟୋଦୟର ପ୍ରାୟ ଦୁଇଘଣ୍ଟା ପରେ ମୁଁ ଅରଣ୍ୟ ସୀମାନ୍ତରେ ଠିଆ ହୋଇ କୌସାମ୍ୱି ନଗରର ଗୃହଚୂଡ଼ାମାନଙ୍କ ଉପରେ ଦୃଷ୍ଟିପାତ କରୁଥିଲି । ଶତଗୀର ଉପରେ ପ୍ରତିଶୋଧ ନେବାର ଆକାଂକ୍ଷାରେ ସେତେବେଳେ ମୋର ମନ ପୂର୍ଣ୍ଣ ହୋଇ ରହିଥିଲା । ତୁମେ ଆଜି ପ୍ରକୃତରେ ମୋତେ ଆବଶ୍ୟକ ସମ୍ୱାଦମାନ ଦେବ କି ନାହିଁ, ମୁଁ ଏହିକଥା ବିଚାର କରି ଦେଖୁଥିଲି । ଏତିକିବେଳେ ନଗରର ପୂର୍ବଦ୍ୱାରରୁ ଅରଣ୍ୟ ପଡ଼ିଥିବା ମାର୍ଗଉପରେ ଜଣେ ପଥିକକୁ ମୁଁ ଏକାକୀ ଆସୁଥିବାର ଦେଖିବାକୁ ପାଇଲି । ପୀତ ଅଙ୍ଗବସ୍ତ୍ର ଦେହରେ ପକାଇ ସେ ଭାରି ଜୋର୍‍ରେ ଆଗକୁ ଚାଲିବାରେ ଲାଗିଥାଏ । ମାର୍ଗର ଦୁଇପାର୍ଶ୍ୱରେ ଲୋକମାନେ ଆପଣା ଆପଣା କାର୍ଯ୍ୟରେ ବ୍ୟସ୍ତ ଥା’ନ୍ତି । ମୁଁ ଲକ୍ଷ୍ୟ କରିପାରିଲି ଯେ ମାର୍ଗର ଅତି ନିକଟରେ ଥିବା ଲୋକମାନେ ଏହି ପଥିକଟିର ଉଦ୍ଦେଶ୍ୟରେ କଣସବୁ ବଡ଼ ପାଟି କରି କହିବାକୁ ଲାଗିଲେ; ଯେଉଁମାନେ ଦୂରରେ କାମ କରୁଥିଲେ, ସେମାନେ ପଥିକଟି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଅନାଇ ରହିଲେ । କିନ୍ତୁ ତଥାପି ପଥିକ ସେହିପରି ଆଗକୁ ଯିବାରେ ଲାଗିଥାନ୍ତି । ମୁଁ ଦେଖିଲି ସେ ଅଧିକ ଆଗକୁ ଅଗ୍ରସର ହେବା ସଙ୍ଗେସଙ୍ଗେ ଲୋକମାନେ ତାଙ୍କୁ ସତର୍କ କରିଦେବାକୁ ଉଦ୍‍ବିଗ୍ନ ହୋଇଉଠିଲେ, ଅନେକେ ତାଙ୍କୁ ଅଟକାଇବାକୁ ଇଚ୍ଛା ପ୍ରକାଶ କଲେ, ଆଉ କେତେ ଲୋକ ପଛରୁ ଦଉଡ଼ିଯାଇ ତାଙ୍କର ଅଙ୍ଗବସ୍ତ୍ର ଧରି ତାଙ୍କୁ ଅଟକାଇ ରଖିଲେ ଏବଂ ଅରଣ୍ୟ ଆଡ଼କୁ ହାତ ଦେଖାଇ ସତେଅବା ତାଙ୍କୁ କୌଣସି ବିପଦରୁ ବଞ୍ଚାଇ ରଖିବାକୁ ଚେଷ୍ଟା କଲେ । ସେମାନେ କହୁଥିବାର ମୁଁ ଶୁଣିବାକୁ ପାଇଲି–ଆପଣ ଆଗକୁ ଯାଆନ୍ତୁ ନାହିଁ, ଅରଣ୍ୟ ଭିତରେ ପ୍ରବେଶ କରନ୍ତୁ ନାହିଁ, ଏହି ଅରଣ୍ୟ ଭିତରେ ପ୍ରବଳ ଦସ୍ୟୁ ଅଙ୍ଗୁଳିମାଳା ଅଛି ।

କିନ୍ତୁ ତଥାପି ପରିବ୍ରାଜକ ଅବିଚଳିତ ଚିତ୍ତରେ ଅରଣ୍ୟ ଆଡ଼କୁ ମାଡ଼ି ଚାଲିଥାଏ । ତା’ର ଅଙ୍ଗବସ୍ତ୍ର ଓ ମଣ୍ଡିତମସ୍ତକ ଦେଖି ମୁଁ ଜାଣିପାରିଲି ଯେ ସେ ହେଉଚି ଜଣେ ସନ୍ନ୍ୟାସୀ, ଶାକ୍ୟପୁତ୍ରଙ୍କର ସମ୍ପ୍ରଦାୟଭୁକ୍ତ ଜଣେ ଭିକ୍ଷୁ ।

ଏବଂ ମୁଁ ମନେମନେ ଭାବିବାକୁ ଲାଗିଲି–ଏହା ପ୍ରକୃତରେ କେଡ଼େ ଅସ୍ୱାଭାବିକ, କେଡ଼େ ଅସମ୍ଭବ କଥା ନୁହେଁ । ଏହିବାଟରେ ଦଶ, ତିରିଶ, ଏପରିକି ପଚାଶଜଣ ସଶସ୍ତ୍ର ବ୍ୟକ୍ତି ଦଳବାନ୍ଧି ମୋର ଆଦେଶ ପାଇଁ ଅପେକ୍ଷା କରି ରହିଚନ୍ତି । ଆଉ ଏହି ଭିକ୍ଷୁ ଏକାକୀ ସେହି ଅରଣ୍ୟ ଭିତରେ ପ୍ରବେଶ କରିବାକୁ ଯାଉଚି, ସତେ ଯେପରି କାହାପାଖରୁ କଣ ଛଡ଼ାଇନେବାକୁ ଆଗକୁ ମାଡ଼ି ଚାଲିଚି !

ମୋର ପ୍ରତାପକୁ ଛାର ଏହି ଭିକ୍ଷୁଟା ଏତେଦୂର ଆସ୍ଫାଳନ କରିପାରେ, ଏହିକଥା ଚିନ୍ତା କରି ମୋ’ ମନରେ କ୍ରୋଧ ଜାତହେଲା । ଭାବିଲି, ଏହିକ୍ଷଣି ଯାଇ ମୁଁ ତାକୁ ହତ୍ୟା କରିବି । ମୋର ସନ୍ଦେହ ହେଲା, ହୁଏତ ଶତଗୀର ଏହାକୁ ଛଦ୍ମବେଶରେ ଗୁପ୍ତଚର କରି ଅରଣ୍ୟ ଭିତରକୁ ପଠାଇଚି-। କାରଣ ଏହି ଭିକ୍ଷୁଗୁଡ଼ାକ ସମ୍ପୂର୍ଣ୍ଣ ଭଣ୍ଡ ଓ ଲମ୍ପଟୀ ବୋଲି ମୋର ଆଗରୁ ବିଶ୍ୱାସ ଥିଲା-। ଏମାନଙ୍କ ଦ୍ୱାରା ପ୍ରତ୍ୟେକ ଅପକର୍ମ ସମ୍ଭବ ହୋଇପାରେ । ଲୋକମାନେ ଏମାନଙ୍କୁ ଅନ୍ଧଭାବରେ ବିଶ୍ୱାସ କରନ୍ତି ବୋଲି ଏମାନେ ନିଶ୍ଚିନ୍ତ ହୋଇ ସବୁକଥା କରିବାକୁ ସାହସ କରିଥାନ୍ତି-। ମୋର ବିଜ୍ଞ ବନ୍ଧୁ ବାଜଶ୍ରବାଙ୍କଠାରୁ ମୁଁ ଆଗରୁ ଏହି ସମସ୍ତ ବିଷୟ ଜାଣିବାକୁ ପାଇଥିଲି ।

ଏହିପରି ବିଚାର କରି ମୁଁ ହାତରେ ବର୍ଚ୍ଛା ଧରିଲି, କାନ୍ଧ ଉପରେ ତୀରଧନୁ ପକାଇଲି ଓ ଭିକ୍ଷୁଆଡ଼କୁ ପହୁଣ୍ଡ ପହୁଣ୍ଡ କରି ଅଗ୍ରସର ହେବାକୁ ଲାଗିଲି । ସେତେବେଳକୁ ଭିକ୍ଷୁ ଅରଣ୍ୟ ଭିତରେ ପ୍ରବେଶ କରି ସାରିଥିଲା ।

ଆଗକୁ ଆସି ମୁଁ ଗୋଟିଏ ସୁବିଧାଜନକ ସ୍ଥାନ ଦେଖି ଠିଆ ହେଲି । ସେତେବେଳକୁ ଭିକ୍ଷୁ ଏବଂ ମୋ’ଭିତରେ ଆଉ କୌଣସି ବୃକ୍ଷର ଅନ୍ତରାୟ ନଥାଏ । ମୋର ତୀରଟା ଯେପରି ବାଆଁପାଖ ପିଠିରେ ଗଳି କଲିଜା ପର୍ଯ୍ୟନ୍ତ ଭେଦ କରିଯିବ ମୁଁ ସେହିପରି ଭାବରେ ଧନୁରେ ତୀର ଯୋଖି ମାରିଲି । କିନ୍ତୁ ତୀରଟି ତା’ର ଦେହରେ ନବାଜି ମୁଣ୍ଡ ଉପରଦେଇ ଚାଲିଗଲା ।

ମୁଁ ଭାବିଲି, ଏହି ଶରଟା ବୋଧହୁଏ ଭଲ ଶର ନଥିଲା । ଏଥର ତୂଣୀର ଭିତରୁ ଗୋଟିଏ ବଢ଼ିଆ ଶର ବାହାରକରି ପଥିକର ବେକକୁ ଲକ୍ଷ୍ୟକରି ମାରିଲି । କିନ୍ତୁ ଏ ଶରଟା ମଧ୍ୟ ବଙ୍କେଇଯାଇ ବାଆଁପାଖରେ ଥିବା ଗୋଟିଏ ଗଛରେ ବିଦ୍ଧ ହୋଇଗଲା । ତୃତୀୟ ଶବ୍ଦଟି ତା’ର ଡାହାଣ ଆଡ଼କୁ ବାହାରିଗଲା । ଏହିପରି ଗୋଟିଗୋଟି କରି ମୋର ସମସ୍ତ ଶର ବ୍ୟର୍ଥ ହୋଇଗଲା, ଶରମୁଣିରେ ଶେଷକୁ ଆଉ ଗୋଟିଏ ହେଲେ ଶର ରହିଲାନାହିଁ ।

ଆପଣା ମନେମନେ ମୁଁ କହିବାକୁ ଲାଗିଲି–ଇଏତ ବଡ଼ ଅଦ୍ଭୁତ କଥା । ମୋ ଜୀବନରେ ତ କେବେ ଏପରି ଘଟଣା ଘଟିନାହିଁ । କେତେଥର ଶର ବିନ୍ଧିବାର ସରାଗରେ ମୁଁ କୌଣସି ବନ୍ଦୀକୁ କାଠର ପାଚେରିପାଖରେ ପିଠି କରି ଠିଆ କରାଇଚି ଓ ଶର ମାରି ତାହାକୁ ପାଚେରି ସହିତ ଏକାବେଳେକେ ଗୁନ୍ଥିଦେଇ ପାରିଚି ! କେତେକେତେ ଦୂରରୁ ଏପରି ଶରମାରି ମୁଁ ସଫଳ ହୋଇପାରିଚି । ଶରମାରି ମୁଁ ଉଡ଼ନ୍ତା ବାଜପକ୍ଷୀକୁ ଆକାଶମାର୍ଗରୁ ତଳକୁ ଖସାଇ ଆଣିଚି, କିନ୍ତୁ ଆଜି ମୋ’ ହାତର ଇଏ କି ଦଶା ହେଲା ?

ଏହି ସମୟରେ ଭିକ୍ଷୁଟି ଯେପରି ଅଧିକ ଜୋର୍‍ରେ ଚାଲିବାପରି ମୋର ମନେହେଲା । ବର୍ଚ୍ଛା ଭୁସି ତାକୁ ହତ୍ୟା କରିବା ଉଦ୍ଦେଶ୍ୟରେ ମୁଁ ତାହା ନିକଟକୁ ଦଉଡ଼ିବାକୁ ଲାଗିଲି । କିନ୍ତୁ ତା’ଠାରୁ ପ୍ରାୟ ପଚାଶ ପହୁଣ୍ଡ ଦୂରକୁ ଆସି ଯେତେ ଜୋର୍‍ରେ ଦଉଡ଼ିଲେ ମଧ୍ୟ ମୁଁ ଆଉ ତାର ଅଧିକ ନିକଟବର୍ତ୍ତୀ ହୋଇ ପାରିଲିନାହିଁ । ଅଥଚ ମୁଁ ମୋର ସମସ୍ତ ଶକ୍ତି ଦେଇ ଦଉଡ଼ିବାରେ ଲାଗିଥିଲି ଏବଂ ଭିକ୍ଷୁଟି ତା’ର ସ୍ୱାଭାବିକ ଗତିରେ ଚାଲିକରି ଯାଉଥିବା ପରି ମନେ ହେଉଥିଲା ।

ହତାଶ ହୋଇ ମୁଁ ଭାବିଲି–ଏହାଠାରୁ ବଳି ଆଶ୍ଚର୍ଯ୍ୟ ଘଟଣା ମୁଁ ଆଉ କେବେ ଘଟିବାର ଦେଖିନଥିଲି । କେତେବାର ମୁଁ ହାତୀ ପଛରେ ଦଉଡ଼ି ତାକୁ ଧରିଚି, ହରିଣ ପଛରେ ଦଉଡ଼ି ତାକୁ ମଧ୍ୟ ଧରିଚି । କିନ୍ତୁ ଏହି ଭିକ୍ଷୁଜଣକ ଜଣେ ସାଧାରଣ ମଣିଷ ଚାଲିକରି ଯିବାପରି ଚାଲିକରି ଯାଉଚି, ଅଥଚ ମୋର ପାରୁପର୍ଯ୍ୟନ୍ତ ତା ପଛରେ ଦଉଡ଼ିକରି ଗଲେ ମଧ୍ୟ ମୁଁ ତା’ପାଖରେ ପହଞ୍ଚି ପାରୁନାହିଁ । ଆଜି ମୋ’ଗୋଡ଼ ଦୁଇଟାର ଆଉ କ’ଣ ହେଲା କି ?

ଶେଷରେ ଠିଆହୋଇ ମୁଁ ପଛରୁ ଚିତ୍କାର କରି କହିଲି : –

ହେ ହେ ସନ୍ନ୍ୟାସୀ, ଠିଆ ହ !

କିନ୍ତୁ ତଥାପି ଅବିଚଳିତ ଶାନ୍ତ ଭାବରେ ଅଗ୍ରସର ହେଉହେଉ ସନ୍ନ୍ୟାସୀ ଉତ୍ତର ଦେଲେ-: –

ମୁଁ ଠିଆ ହୋଇଚି ଅଙ୍ଗୁଳିମାଳା ! ତୁ ମଧ୍ୟ ଠିଆହେଉନୁ କାହିଁକି ?

 

ମୋର ବିସ୍ମୟର ଆଉ ସୀମା ରହିଲା ନାହିଁ । ମୁଁ ଭାବିଲି- ନିଶ୍ଚୟ ଏହି ସନ୍ନ୍ୟାସୀ କୌଣସି ନା କୌଣସି ଯାଦୁବଳରେ ମୋର ଶରକୁ ଲକ୍ଷ୍ୟଭ୍ରଷ୍ଟ କରିଚନ୍ତି, ଠିକ୍ ସେହିପରି ଆଉ କୌଣସି ଯାଦୁ ପ୍ରୟୋଗ କରି ମୋର ଗୋଡ଼କୁ ମଧ୍ୟ ବାନ୍ଧି ପକାଇଚନ୍ତି । କିନ୍ତୁ ବର୍ତ୍ତମାନ ସେ ପୁଣି ମିଥ୍ୟାକଥା କହୁଚନ୍ତି କିପରି ? ସେ ଅଟକି ଠିଆ ହୋଇଚନ୍ତି । ବୋଲି ଘୋଷଣା କରୁଚନ୍ତି, ଅଥଚ ପ୍ରକୃତରେ ଅଗ୍ରସର ହେବାରେ ଲାଗିଚନ୍ତି ଏବଂ ମୁଁ ଅଟକି ଠିଆ ହୋଇଥିବାର ଦେଖୁଥିଲେ ମଧ୍ୟ ମୋତେ ଠିଆହେବାକୁ ଆଦେଶ ଦେଉଚନ୍ତି । ଉଡ଼ି ଚାଲିଯାଉଥିବା ହଂସପକ୍ଷୀ ଠିଆ ହୋଇଥିବା ବରଗଛକୁ ଠିଆହେବାକୁ କହିଲେ ତାହା ଯେପରି ହାସ୍ୟାସ୍ପଦ ହୁଅନ୍ତା, ଏହା ଠିକ୍ ସେହିପରି ହେଉଚି । ନିଶ୍ଚୟ ଏଠି କୌଣସି ନା କୌଣସି କିମିଆଁ ରହିଚି । ଜଣେ ବୃଦ୍ଧ ଭିକ୍ଷୁକୁ ପ୍ରାଣରୁ ମାରିଦେବା ଅପେକ୍ଷା ତାହାଠାରୁ ଏହି ବାକ୍ୟର ଗୁପ୍ତାର୍ଥ ଜାଣିବା ମୋ’ପକ୍ଷରେ ଅଧିକ ଲାଭଦାୟକ ହେବ । ମୁଁ ଚିତ୍କାର କରି ପୁଣି ଡ଼ାକିବାକୁ ଆରମ୍ଭ କଲି : –

 

ଚାଲିବାରେ ଲାଗିଥିଲେ ମଧ୍ୟ ତୁମେ ଆପଣାକୁ ଠିଆହୋଇଚ ବୋଲି ଭାବୁଚ । ଅଥଚ ମୁଁ ଏଠାରେ ଠିଆହୋଇ ରହିଥିଲେ ମଧ୍ୟ ତୁମେ ଭାବୁଚ ମୁଁ ଚାଲିଚି । ସନ୍ନ୍ୟାସୀ, ମୋତେ ଏହି କଥାର ରହସ୍ୟ ବୁଝାଇ କହ । ତୁମେ କିପରି ସ୍ଥିର ହୋଇ ଠିଆହୋଇଚ ଆଉ ମୁଁ କିପରି ଚାଲିଚି ?

 

ଏବଂ ସନ୍ନ୍ୟାସୀ ଉତ୍ତର ଦେଇ କହିଲେ : –

 

ମୁଁ କୌଣସି ପ୍ରାଣୀର କୌଣସି ଅମଙ୍ଗଳ ବା ଅନିଷ୍ଟ କରେନାହିଁ । ତେଣୁ ମୁଁ ଅବିଚଳିତ, ଅଚଳ । କିନ୍ତୁ ଦେହଧାରୀମାନଙ୍କ ପ୍ରତି ତୋ’ର ଅସୂୟା ରହିଚି, ତେଣୁ ତୋତେ ଗୋଟିଏ ଦୁଃଖକୁ ଆଉ ଗୋଟିଏ ଦୁଃଖକୁ ନିରନ୍ତର ଦଉଡ଼ିବାକୁ ପଡ଼େ ।

 

ମୁଁ ଉତ୍ତର ଦେଇ କହିଲି : –

 

ଆମ ସମସ୍ତଙ୍କୁ ନିରନ୍ତର ଦଉଡ଼ିବାକୁ ପଡ଼େ, ନିରନ୍ତର ଭ୍ରମିବାକୁ ପଡ଼େ, ଏକଥା ମୁଁ ବୁଝିଲି । କିନ୍ତୁ ତୁମେ ଯେଉଁ ଅବିଚଳିତ ଓ ଅଚଳ ରହିବା ବିଷୟରେ କହୁଚ, ମୁଁ ସେକଥାର ମର୍ମ ଆଦୌ ବୁଝିପାରୁନାହିଁ । ମହାଶୟ, ସଂକ୍ଷେପରେ କହିଥିବା ଏହି କଥାଟିକୁ ମୋତେ ବିସ୍ତୃତ ଭାବରେ ବୁଝାଇ କହ । ଦେଖ, ମୁଁ ମୋର ବର୍ଚ୍ଛାକୁ ଦୂରକୁ ଫିଙ୍ଗିଦେଉଚି, ଉଚିତ ସମ୍ମାନ ଦେଇ ତୁମକୁ ସମ୍ଭାଷଣ କରୁଚି । ମୁଁ ତୁମର କୌଣସି ଅନିଷ୍ଟ କରିବିନାହିଁ ବୋଲି ଶପଥ କରୁଚି ।

 

ସନ୍ନ୍ୟାସୀ କହିଲେ ଅଙ୍ଗୁଳିମାଳା, ତେବେ ତୁମେ ଦ୍ୱିତୀୟଥର ପାଇଁ ମିଛ ଶପଥ କରି କହୁଚ ?

 

ଦ୍ୱିତୀୟଥର ପାଇଁ ?

 

ଅଶୋକ ଉଦ୍ୟାନରେ ସତ୍ୟର ପରୀକ୍ଷା ଦେଲାବେଳେ ତୁମେ ପ୍ରଥମଥର ପାଇଁ ମିଛ ଶପଥ କରିଥିଲ ।

 

ମୋର ଜୀବନରେ ମୁଁ କରିଥିବା କୌଣସି ଶଠତା ଓ କୌଣସି ପ୍ରବଞ୍ଚନା ଯେ ତାଙ୍କପାଖରେ ଗୁପ୍ତ ହୋଇ ନାହିଁ, ଏ ବିଷୟରେ ମୋର ଆଉ ଲେଶମାତ୍ର ସନ୍ଦେହ ରହିଲା ନାହିଁ । କିନ୍ତୁ ତଥାପି ମୋର ଅପକର୍ମଗୁଡ଼ାକୁ ଘୋଡ଼ାଇ ରଖିବାକୁ ପ୍ରୟାସ କରି ମୁଁ କହିଲି:

 

ମହାଶୟ, ସେଥର ତ ମୁଁ ଧନ୍ଦାରେ ମୋର ବାକ୍ୟ ଉଚ୍ଚାରଣ କରିଥିଲି । ମୁଁ ଯେଉଁସବୁ ଶବ୍ଦ ଉଚ୍ଚାରଣ କରିଥିଲି, ସେଥିରେ କୌଣସି ମିଥ୍ୟାବଚନ ନଥିଲା, କେବଳ ଯାହା ତାହାର ଅର୍ଥ ହିଁ ନୈରାଶ୍ୟଜନକ ଥିଲା । କିନ୍ତୁ ବର୍ତ୍ତମାନ ମୁଁ ତୁମଆଗରେ ଯେଉଁ ଶପଥବାକ୍ୟ ଉଚ୍ଚାରଣ କଲି, ତାହା ସମ୍ପୂର୍ଣ୍ଣ ସତ୍ୟ, ଏଥିରେ ତିଳେହେଲେ ମିଥ୍ୟା ନାହିଁ ।

 

ସେ ଉତ୍ତର ଦେଲେ–ନା, ତୁମେ ମିଛକଥା କହୁଚ । କାରଣ ମୋତେ ଶାନ୍ତି ଦେବାର ଶକ୍ତି ହିଁ ତୁମପାଖରେ ନାହିଁ । ଶାନ୍ତି ଦେଇପାରିବାର ଉପାୟ ଜାଣିବାକୁ ଇଚ୍ଛା ଅଛି ତ ମୋ’ପାଖରୁ ଶୁଣ !

 

ଏତେବେଳେକେ ସେ ମୁହଁ ବୁଲାଇ ମୋ’ ଆଡ଼କୁ ଅନାଇଲେ ଏବଂ ମୋର ପାଖକୁ ଆସିଲେ । ମୁଁ ବିନୀତ ଭାବରେ ଉତ୍ତର ଦେଲି ଅବଶ୍ୟ ଶୁଣିବି, ମହାଭାଗ !

 

ତେବେ ମନୋଯୋଗ ଦେଇ ଶୁଣ ।

 

ଗୋଟିଏ ବଡ଼ଗଛର ଛାଇରେ ବସିପଡ଼ି ସେ ମୋତେ ତାଙ୍କର ଚରଣପାର୍ଶ୍ୱରେ ବସିବାକୁ ନିର୍ଦ୍ଦେଶ ଦେଲେ ।

 

ତା’ପରେ ସେ ମୋତେ ସତ୍‍କର୍ମ ଓ ଅସତ୍‍କର୍ମ ଓ ଉଭୟର ପରିଣାମ ବିଷୟରେ ଉପଦେଶ ଦେବାକୁ ଲାଗିଲେ । ଠିକ୍ କୌଣସି ବୟସ୍କ ବିଜ୍ଞ ବ୍ୟକ୍ତି ଛୋଟପିଲାଟି ଆଗରେ ବୁଝାଇ କହିଲାପରି ସେ ନାନାପ୍ରକାର ଗଳ୍ପଛଳରେ ଓ ପୁନରାବୃତ୍ତିଦ୍ୱାରା ମୋତେ ସବୁକଥା ସ୍ପଷ୍ଟ ଭାବରେ ବୁଝାଇଦେଲେ । ମୁଁ ତ ବାଲ୍ୟକାଳରୁ ଗଜମୂର୍ଖ ଥିଲି, କିନ୍ତୁ ସନ୍ନ୍ୟାସୀ ଖୁବ୍ ସମ୍ଭବ ବ୍ରାହ୍ମଣ କୁଳରୁ ଜାତ ହୋଇଥିଲେ ଏବଂ ବେଦଶାସ୍ତ୍ରରେ ମଧ୍ୟ ତାଙ୍କର ଗଭୀର ପ୍ରବେଶ ଥିଲା । ଆଗରୁ କେବେହେଲେ ମୁଁ ଏପରି ସାରଗର୍ଭ କଥାମାନ ଶୁଣିନଥିଲି । ଆମର ରାତ୍ରିସଭାମାନଙ୍କରେ ବାଜଶ୍ରବା ମଧ୍ୟ କୌଣସି ଦିନ ଏସବୁ କଥା କହିନଥିଲେ । ତୁମେ ନିଶ୍ଚୟ ବାଜଶ୍ରବାଙ୍କର ନାମ ଆଗରୁ ଶୁଣିଥିବ ।

 

ସନ୍ନ୍ୟାସୀ ମୋର ଅଜ୍ଞାନ ଦୂର କରି କହିଲେ ଯେ ମଣିଷକୁ ପରିଚାଳିତ କରୁଥିବା କୌଣସି ଐଶ୍ୱରିକ ଶକ୍ତି ବୋଲି କିଛି ନାହିଁ, ମାତ୍ର ଆମର ଆପଣାର ହୃଦୟ ହିଁ ଆପଣାର ଭାବନା ଓ କର୍ମ ଅନୁସାରେ ଆମକୁ କେତେବେଳେ ପୃଥିବୀକୁ ଟାଣିଆଣେ, କେତେବେଳେ ସ୍ୱର୍ଗକୁ ନେଇଯାଏ, ପୁଣି କେତେବେଳେ ପାତାଳ ଓ ନରକରେ ନେଇ ପଶୁଯୋନିରେ ପକାଇଦିଏ । କେତେବେଳେ ମନୁଷ୍ୟଜନ୍ମ ଦିଏ, ପୁଣି କେତେବେଳେ ନେଇ ପଶୁଯୋନିରେ ପକାଇଦିଏ । ସନ୍ନ୍ୟାସଙ୍କର କଥା ଶୁଣି ମୁଁ ଆମ ବାଜଶ୍ରବାଙ୍କର କଥା ଭାବୁନଥାଏ । ନାନାପ୍ରକାର ବୁଦ୍ଧି, ଯୁକ୍ତି ଓ ଶାସ୍ତ୍ରବଚନ ଖଟାଇ ସେ ଆମଆଗରେ ପ୍ରମାଣ କରି ଦେଉଥିଲେ ଯେ ନରକ ବୋଲି ପ୍ରକୃତରେ କୌଣସି ସ୍ଥାନ ବା କୌଣସି ବସ୍ତୁ ନାହିଁ । ଶାସ୍ତ୍ରମାନଙ୍କରେ ଯେଉଁସବୁ ସ୍ଥାନରେ ନରକର ବର୍ଣ୍ଣନା ଦିଆଯାଇଚି, ନିଶ୍ଚୟ ଦୁର୍ବଳ ହୃଦୟ ବ୍ୟକ୍ତିମାନେ ସେହିସବୁ ସ୍ଥାନକୁ ପ୍ରକ୍ଷିପ୍ତ କରି ଶାସ୍ତ୍ରଭିତରକୁ ନେଇ ଆସିଚନ୍ତି । ନରକର ଭୟ ଦେଖାଇବା ଦ୍ୱାରା ବଳବାନ୍‍ ଓ ସାହସୀମାନଙ୍କୁ ଦବାଇରଖି ଏମାନଙ୍କର ଅତ୍ୟାଚାରରୁ ଆପଣାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ସେମାନେ ଏପରି କରିଚନ୍ତି ।

 

ମୁଁ ଭାବୁଥାଏ, ଯେତେ ଯୁକ୍ତି ଦେଖାଇଲେ ମଧ୍ୟ ବାଜଶ୍ରବା କେବେହେଲେ ଏସବୁ କଥାପ୍ରତି ମୋର ପ୍ରତ୍ୟୟ ଜନ୍ମାଇ ପାରିନଥିଲା । କିନ୍ତୁ ଏହି ସନ୍ନ୍ୟାସୀ ମୋର ପ୍ରତ୍ୟୟ ଜନ୍ମାଇବାରେ ସମର୍ଥ ହେଲେ କିପରି ? ଏଠି ଯେପରି ମୋ’ଆଗରେ ପଣ୍ଡିତ ସହିତ ପଣ୍ଡିତର ଏବଂ ଅର୍ଥ ସହିତ ଅର୍ଥର ଲଢ଼ାଇ ଆରମ୍ଭ ହୋଇଗଲା । ଅବଶ୍ୟ ଏହି ସନ୍ନ୍ୟାସୀ ଶାକ୍ୟପୁତ୍ରଙ୍କର ଜଣେ ବିଖ୍ୟାତ ଶିଷ୍ୟ ହୋଇଥିବେ, କିନ୍ତୁ ବାଜଶ୍ରବା ମଧ୍ୟ ସେହିପରି କେତେକେତେ ଶିଷ୍ୟ ଓ ଭକ୍ତଙ୍କର ଗୁରୁ ଥିଲେ, ତାଙ୍କର ମୃତ୍ୟୁଅନ୍ତେ ମଧ୍ୟ ଅନେକ ଲୋକ ତାଙ୍କୁ ଏପର୍ଯ୍ୟନ୍ତ ପୂଜା କରୁଚନ୍ତି । ତେବେ ବର୍ତ୍ତମାନ କାହାର କଥା ସତ୍ୟ ହେବ ? କେଉଁଟା ସତ, କେଉଁଟା ମିଛ, ଏକଥା କିପରି ଜଣାପଡ଼ିବ-?

 

ସନ୍ନ୍ୟାସୀ କହିଲେ–ଅଙ୍ଗୁଳିମାଳା, ବର୍ତ୍ତମାନ ତୁମେ ଅନ୍ୟମନସ୍କ ହୋଇପଡ଼ିଚ । ତୁମେ ସେହି ବାଜଶ୍ରବାଙ୍କ ବିଷୟରେ ଚିନ୍ତା କରିବାରେ ଲାଗିଚ ।

 

ଅତ୍ୟନ୍ତ ବିସ୍ମିତ ହୋଇ ମୁଁ ସେହିକଥା ସ୍ୱୀକାର କଲି ।

ତେବେ ମହାଶୟଙ୍କର କ’ଣ ମୋର ବନ୍ଧୁ ବାଜଶ୍ରବାଙ୍କ ସହିତ ପରିଚୟ ଥିଲା ?

 

ନଗରଦ୍ୱାର ବାହାରେ ଥିବା ତାଙ୍କର ସମାଧି ମୁଁ ଦେଖିଚି । ତାଙ୍କୁ ଜଣେ ସନ୍ଥପୁରୁଷ ବୋଲି ଭ୍ରମ କରି ନିର୍ବୋଧ ଯାତ୍ରୀମାନେ କିପରି ତାଙ୍କର ସମାଧିକୁ ପୂଜା କରିବାକୁ ଯାଆନ୍ତି, ମୁଁ ସେକଥା ମଧ୍ୟ ଦେଖିଚି ।

 

ତେବେ ସେ କଣ ସନ୍ଥପୁରୁଷ ନୁହନ୍ତି ?

 

ଯଦି ତୁମର ଇଚ୍ଛା ଥାଏ, ତେବେ ବାଜଶ୍ରବା କିପରି ସନ୍ଥପୁରୁଷ, ସେକଥା ଚାଲ ଆମେ ତାଙ୍କୁ ପଚାରିକରି ଦେଖିବା ।

 

ଗୋଟିଏ ଘରୁ ବାହାରି ମଣିଷ ଯେତିକି ସହଜରେ ଆଉ ଗୋଟିଏ ଘରକୁ ଚାଲିଯାଏ, ଠିକ୍ ସେହିପରି ସହଜ ଭାବରେ ସନ୍ନ୍ୟାସୀ ଏକଥା କହିଥିଲେ ।

 

ମୁଁ ଅତିଶୟ ବିଚଳିତ ହୋଇପଡ଼ି ଉତ୍କଣ୍ଠିତ ଦୃଷ୍ଟିରେ ତାଙ୍କ ଆଡ଼କୁ ଅନାଇ ରହିଲି ।

ପଚାରିକରି ? ବାଜଶ୍ରବାଙ୍କୁ ? ଏହା କି କେବେ ସମ୍ଭବ ହୋଇପାରେ ?

 

ସେ କହିଲେ–ତୁମର ହାତ ମୋ’ପାଖକୁ ଆଣ । ମୁଁ ବର୍ତ୍ତମାନ ସମାଧିମଗ୍ନ ହେବି । ତାହାହେଲେ କିଛିକ୍ଷଣ ପରେ ଦେବଲୋକକୁ ଯାଇଥିବା ଓ ଅସୁରଲୋକକୁ ଯାଇଥିବା ଦୁଇଟିଯାକ ରାସ୍ତା ଆମେ ଆମର ଆଖିଆଗରେ ଦେଖିବାକୁ ପାଇବା । ଆମେ ବାଜଶ୍ରବା ଯାଇଥିବା ପଥଟିକୁ ଅନୁସରଣ କରିଯିବା । ଏବଂ ମୁଁ ଯାହା ଦେଖିପାରିଚି, ତୁମେ ମଧ୍ୟ ତାହା ଦେଖିବାକୁ ପାଇବ ।

 

ମୁଁ ତାଙ୍କ ଆଡ଼କୁ ମୋର ହାତ ବଢ଼ାଇଦେଲି । ସେ ଅନେକସମୟ ପର୍ଯ୍ୟନ୍ତ ନିଶ୍ଚଳ ଓ ନୀରବ ହୋଇ ବସିଲେ । ଅର୍ଦ୍ଧନିମୀଳିତ ନୟନର ତାରାଗୁଡ଼ିକ ଅନ୍ତର୍ମୁଖ ହୋଇ ରହିଥାଏ । ବାହାରୁ ମୁଁ କିଛି ଲକ୍ଷ୍ୟ କରି ପାରିଲିନାହିଁ । କିନ୍ତୁ ହଠାତ୍ ମୁଁ ଅନୁଭବ କରିବାକୁ ଲାଗିଲି ଯେପରି ମୋତେ ବାହୁଧରି କିଏ ଜବରଦସ୍ତ କୁଆଡ଼କୁ ଟାଣି ନେଇଗଲା । କୌଣସି ଜଳାଶୟରେ ସନ୍ତରଣ କରୁଥିବା ସମୟରେ ସେହି ଗଭୀର ଜଳରୁ ଏକ ଦୈତ୍ୟ ହଠାତ୍ ଆବିର୍ଭୂତ ହୋଇ ସନ୍ତରଣକାରୀର ବାହୁଧରି ତାକୁ ଜବରଦସ୍ତି ଜଳର ଅତଳତଳକୁ ଟାଣି ନେଇଗଲେ ଯେପରି ହୁଏ, ଠିକ୍ ସେହିପରି । ମୋର ମନେହେଲା, ଯେପରି ମୋର ଦୃଷ୍ଟିପଥରୁ ନୀଳଆକାଶ ଓ ଅରଣ୍ୟସବୁ କୁଆଡ଼େ ଅଦୃଶ୍ୟ ହୋଇଗଲା, ଯେପରି ମୋର ମସ୍ତକ ଉପରେ କେଉଁ ଭୀଷଣ ସମୁଦ୍ରର ତରଙ୍ଗମାନ ଆସି ଆଘାତ କରିବାକୁ ଲାଗିଲେ, ମୋର ଚତୁର୍ଦ୍ଦିଗରୁ ଘନ ଅନ୍ଧାର ମାଡ଼ିଆସିଲା ।

 

ହଠାତ୍ ଆଖିଆଗରେ ମୁଁ ହୁତୁହୁତୁ ହୋଇ ଜଳୁଥିବା ଅଗ୍ନିର ଶିଖାମାନ ଦେଖିବାକୁ ପାଇଲି । କୌଣସି ଏକ ଭୟଙ୍କର ଶବ୍ଦ ମୋର କାନ ଭିତରଟାକୁ ବଧିର କରିଦେଲାପରି ମନେହେଲା ।

 

ହଠାତ୍ ମନେହେଲା, ଯେପରି ମୁଁ ଏକ ଅନ୍ଧକାରାଚ୍ଛନ୍ନ ଗଭୀର ଗର୍ତ୍ତଭିତରେ ଯାଇ ପ୍ରବେଶ କରିଚି । କିନ୍ତୁ ସେହି ଅନ୍ଧକାର ଭିତରେ ମଧ୍ୟ ବାରବାର ବିଜୁଳି ଚମକି ଚତୁର୍ଦ୍ଦିଗ ବାରବାର ଉଦ୍‍ଭାସିତ ଓ ପ୍ରକାଶିତ ହୋଇ ଉଠୁଚି । କ୍ରମେ ସେହି ଅନ୍ଧାର ସହିତ ଅଭ୍ୟସ୍ତ ହୋଇଯିବା ପରେ ମୁଁ ଭଲକରି ନିରୀକ୍ଷଣ କରି ଜାଣିପାରିଲି ଯେ ଏହି ଆଲୁଅ ପ୍ରକୃତରେ ବିଜୁଳିର ଆଲୁଅ ନୁହେଁ । ଗୋଟାଏ ମୁହୂର୍ତ୍ତ ଭିତରେ ଅନେକସଂଖ୍ୟକ ଅଦୃଶ୍ୟ ହାତରୁ ନାନାଦିଗକୁ ମରାହେଉଥିବା ବର୍ଚ୍ଛାର ମୁନମାନ ବିଜୁଳିର ଆଲୁଅପରି ଚିକ୍‍ଚିକ୍ କରି ଉଠୁଚି । ମୁଁ ବିକଟ ଚିତ୍କାରମାନ ମଧ୍ୟ ଶୁଣିବାକୁ ପାଇଲି । କିନ୍ତୁ ତାହା ଯୁଦ୍ଧରତ ଓ ସଂଗ୍ରାମ ମତ୍ତ ଯୋଦ୍ଧାମାନଙ୍କର ହର୍ଷ ଓ ଅଟ୍ଟହାସ୍ୟପୂର୍ଣ୍ଣ ଚିତ୍କାର ନୁହେଁ, ତାହା ହୋଇଚି କ୍ଷତବିକ୍ଷତ ଦାରୁଣ ଯନ୍ତ୍ରଣାରେ ଉତ୍ପୀଡ଼ିତ ଦେହଧାରୀମାନଙ୍କର କରୁଣ କାକୁସ୍ତ ଚିତ୍କାର । କେଉଁମାନେ ଦାରୁଣ ଅସହ୍ୟ ଯନ୍ତ୍ରଣାରେ ଏପରି ଆର୍ତ୍ତନାଦ କରୁଚନ୍ତି, ମୁଁ ସେମାନଙ୍କୁ ଆଦୌ ଦେଖି ପାରୁନଥାଏ । ଏହିସବୁ ବିକଟ ଶବ୍ଦ ଯେପରି ଶୂନ୍ୟଭିତରୁ ଅଜାଡ଼ିହୋଇ ପଡ଼ୁଥିଲା, ବର୍ଚ୍ଛାମୁନର ଉଦ୍‍ଭାସମାନ ଏହି ଶୂନ୍ୟର ପୃଷ୍ଠଭୂମିକୁ ଯେପରି ଏକ ପ୍ରକମ୍ପିତ କୁହେଳିକାର ମେଘରେ ଆଚ୍ଛନ୍ନ କରି ରଖିଥିଲା । କିନ୍ତୁ ସମ୍ମୁଖ ଦିଗଟା ସମ୍ପୂର୍ଣ୍ଣ ଶୂନ୍ୟ ହୋଇ ପଡ଼ିଥିଲା ।

 

ହଠାତ୍ ସେହିଠାରେ ମୁଁ ତିନୋଟି ଶରୀର ଦେଖିବାକୁ ପାଇଲି । ମନେହେଲା, ଏହି ଶରୀରଗୁଡ଼ିକ ଯେପରି ଦକ୍ଷିଣପାର୍ଶ୍ୱରେ ଥିବା ଏକ କୃଷ୍ଣବର୍ଣ୍ଣ ନରକ କୁଣ୍ଡଭିତରୁ ହଠାତ୍ ଛିଡ଼ିକିଆସି ଏଠାରେ ପଡ଼ିଲେ । ମଝିଟି ହେଉଚି ବାଜଶ୍ରବାଙ୍କର–ଶରୀର କିନ୍ତୁ ତାଙ୍କର ସେହି ସଦର୍ପ ଶରୀରର ପ୍ରଭା କୁଆଡ଼େ ଗଲା, ତାଙ୍କର ସେହି ଦପଦପ ବ୍ରାହ୍ମଣସୁଲଭ ଜ୍ୟୋତି କୁଆଡ଼େ ଗଲା । ତାଙ୍କର ଅନାବୃତ ଶରୀରଟା ତାଳୁରୁ ତଳିପାଯାଏ କେବଳ କମ୍ପିବାରେ ଲାଗିଥାଏ, ଯେପରି ଶୀତରେ ବା କମ୍ପ ଜ୍ୱରରେ କୌଣସି ମଣିଷ ଠକଠକ ହୋଇ ଥରୁଚି ! ତାଙ୍କ ସହିତ ଆସିଥିବା ଅନ୍ୟ ଦୁଇଜଣ ମଧ୍ୟ ମନୁଷ୍ୟର ଶରୀର ଧାରଣ କରିଥିଲେ, କିନ୍ତୁ ଏଇ ଶରୀରକୁ ଯେପରି କେଉଁ ଚଢ଼େଇର ଭୟଙ୍କର ନଖମାନ ରାମ୍ପିଦେଇ ଯାଇଥିଲା । ଜଣକର ଶରୀର ଉପରେ ମୁଁ ମାଛର ମୁଣ୍ଡ ଓ ଆଉଜଣକର ଶରୀର ଉପରେ କୁକୁରର ମୁଣ୍ଡ ଦେଖିବାକୁ ପାଇଲି । ପ୍ରତ୍ୟେକର ହାତରେ ଗୋଟିଏ ଲେଖାଏଁ ବର୍ଚ୍ଛା ମଧ୍ୟ ରହିଥିଲା ।

 

ମାଛର ମୁଣ୍ଡ ଥିବା ଶରୀରଟି ପ୍ରଥମେ କଥା କହିଲା : –

 

ମହାଶୟ, ଏହି ସ୍ଥାନର ନାମ ହେଉଚି ବର୍ଚ୍ଛାନରକ । ନର୍କରାଜ୍ୟର ବିଚାରପତିମାନଙ୍କର ବିଧାନ ଅନୁସାରେ ଏଠାରେ ପ୍ରତ୍ୟେକଙ୍କୁ ଏକ ସହସ୍ର ବର୍ଷର ଶାସ୍ତି ଭୋଗିବାକୁ ପଡ଼ିବ । ସେଠାରେ ଯେଉଁସବୁ ବର୍ଚ୍ଛା ଏପାଖକୁ ଓ ସେପାଖକୁ ଚମକି ଧାଇଁ ଯାଉଥିବାର ତୁମେ ଦେଖିପାରୁଚ, ସେହି ବର୍ଚ୍ଛା ତୁମର ଶରୀରକୁ ବାରବାର ବିଦ୍ଧ କରି ଚାଲିଯାଉଥିବ । ସହସ୍ର ବର୍ଷର ଦଣ୍ଡଭୋଗ ଶେଷ ହେଲାପରେ ଜୀବ ଏଠାରୁ ନିଷ୍କୃତି ପାଇବ ଏବଂ ଆପଣାର ଅବଶିଷ୍ଟ କର୍ମ ଅନୁସାରେ କୌଣସି ଏକ ଯୋନିରେ ଜନ୍ମଗ୍ରହଣ କରିବ ।

 

ସେଇଠୁ କୁକୁର ମସ୍ତକ ଧାରଣ କରିଥିବା ଶରୀରଟି କହିଲା : –

 

ବେଳେବେଳେ ହୁଏତ ଦୁଇଆଡ଼ୁ ଦୁଇଟି ବର୍ଚ୍ଛା ଆସି କଲିଜାକୁ ବିଦ୍ଧ କରି ଚାଲିଯିବେ । ତୁମେ ସେତିକିବେଳେ ଜାଣିବ ଯେ ସହସ୍ରବର୍ଷର ଦଣ୍ଡଭୋଗ ବର୍ତ୍ତମାନ ସମାପ୍ତ ହେଲା ।

 

ଏତକ କହିସାରିବା ମାତ୍ରକେ ଦୁହେଁଯାକ ଯାଇ ବାଜଶ୍ରବାଙ୍କର ଶରୀରକୁ ବର୍ଚ୍ଛାଦ୍ୱାରା ବିଦ୍ଧ କଲେ । ସତେଅବା ସଙ୍କେତ ପାଇଲାପରି ଅନ୍ୟ ବର୍ଚ୍ଛାଗୁଡ଼ିକ ମଧ୍ୟ ତତ୍‍କ୍ଷଣାତ୍‍ ସେଠାକୁ ଧାଇଁଆସିଲେ ଏବଂ ଚତୁର୍ଦ୍ଦିଗରୁ ଏକାବେଳେକେ ଆକ୍ରମଣ କରି ଆପଣାର ସୁତୀକ୍ଷ୍‍ଣ ଅଗ୍ରଭାଗ ଦ୍ୱାରା ବାଜଶ୍ରବାଙ୍କର ଶରୀରକୁ ବିଦ୍ଧ କରିବାକୁ ଲାଗିଲେ । ଓଃ, ସେ କି ଭୟଙ୍କର ବୀଭତ୍ସ ଦୃଶ୍ୟ, ସତେ ଯେପରି ଚତୁର୍ଦ୍ଦିଗରୁ ଶତସଂଖ୍ୟକ ଶକୁନି ଆସି ଗୋଟିଏ ଶବଉପରେ ପଡ଼ୁଚନ୍ତି ଏବଂ ଆପଣାର ସୁତୀକ୍ଷ୍‍ଣ ଚଞ୍ଚୁଦ୍ୱାରା ଶବଟିର ମାଂସକୁ ଛିନ୍ନଭିନ୍ନ କରି ପକାଉଚନ୍ତି । ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଓ ବାଜଶ୍ରବାଙ୍କର ଆର୍ତ୍ତବିକଳ ଚିତ୍କାର ଶୁଣି ମୋର ହଂସା ଉଡ଼ିଗଲା ପରି ଲାଗିଲା, ମୋର ଇନ୍ଦ୍ରିୟର ସକଳ ବୋଧଶକ୍ତି ଅନ୍ତର୍ହିତ ହୋଇଗଲା ।

 

ପୁଣି ଚେତା ଆସିଲାପରେ ମୁଁ ଦେଖିଲି, ମୁଁ ସନ୍ନ୍ୟାସୀଙ୍କର ପାଦପାର୍ଶ୍ୱରେ ଅରଣ୍ୟର ସେହି ପକାଣ୍ଡ ବୃକ୍ଷର ଛାୟାରେ ବସି ରହିଚି ।

 

ଦେଖିଲ, ଅଙ୍ଗୁଳିମାଳା ?

ଦେଖିଲ, ମହାଭାଗ !

 

‘ମୋତେ ଉଦ୍ଧାର କର’ ବୋଲି କହିବାକୁ ମଧ୍ୟ ଆଉ ମୋର ସାହସ ହେଲାନାହିଁ । କାରଣ ଉଦ୍ଧାରର ଆଶା ପୋଷଣ କରିବାକୁ ମଧ୍ୟ ମୋର କି ଅଧିକାର ରହିଥିଲା ?

 

ତୁମର ପିଣ୍ଡରୁ ପ୍ରାଣ ଛାଡ଼ିଯିବା ମାତ୍ରକେ ଆପଣାର ଅର୍ଜିତ କର୍ମ ଅନୁସାରେ ତୁମକୁ ମଧ୍ୟ ଏହି ରସାତଳର ମାର୍ଗଦେଇ ନିମ୍ନକୁ ଯିବାକୁ ହେବ, ପ୍ରେତଲୋକର ବିଚାରମାନେ ତୁମପାଇଁ ମଧ୍ୟ ଠିକ୍ ଏହିପରି ଶାସ୍ତି ବିଧାନ କରିବେ ଏବଂ ନରକରାଜ୍ୟର କର୍ତ୍ତାମାନେ ତୁମକୁ ସେହି ଦଣ୍ଡଭୋଗ କରିବା ଲାଗି ବର୍ଚ୍ଛାନରକକୁ ନେଇଯିବେ । କିନ୍ତୁ ଅଙ୍ଗୁଳିମାଳା, ଏ ଜୀବନରେ ତୁମେ ଯାହାସବୁ କରିଚ, ତାହା ତୁଳନାରେ କଣ ଏହା ଯଥେଷ୍ଟ ହେବ ?

 

ନାହିଁ, ଭଗବାନ୍ !

 

ଅଙ୍ଗୁଳିମାଳା, ଯେଉଁପରି କର୍ମ କଲେ ସ୍ୱାଭାବିକ ପରିଣାମ ଅନୁସାରେ ଏହିପରି ଅଭାବନୀୟ ଯନ୍ତ୍ରଣାମାନ ଭୋଗ କରିବାକୁ ହୁଏ ସେପରି କର୍ମରୁ ନିବୃତ୍ତ ନହେବାକୁ କଣ ତୁମେ ଉଚିତ ବୋଲି ବିଚାର କରୁଚ ?

 

ନାଇଁ, ମହାଭାଗ ! ମୁଁ ଆଉ କଦାପି ଏପରି କର୍ମ କରିବିନାହିଁ । ତୁମଠାରୁ ପଦେ କଥା ଶୁଣିଲେ ମୁଁ ମୋର ଆଚରିତ ସମସ୍ତ ପାପମାର୍ଗ ପରିତ୍ୟାଗ କରି ଆସିବି ।

 

ଅଙ୍ଗୁଳିମାଳା, ଆଉ ଗୋଟିଏ କଥା ମୁଁ ତୁମକୁ କହୁଚି, ଶୁଣ ! ଅନେକ କାଳ ପୂର୍ବେ ପ୍ରେତଲୋକର ବିଚାରକ ଏକାକୀ ବସି ମନେମନେ ବିଚାର କରୁଥିଲେ–ଯିଏ ମର୍ତ୍ତ୍ୟଜୀବନରେ କୁକର୍ମର ଆଚରଣ କରୁଚି, ତାହାପାଇଁ ପାତାଳପୁରରେ ନାନାବିଧ ଦଣ୍ଡଭୋଗର ବିଧାନ ରହିଚି । କିନ୍ତୁ ଆହା, ଯଦି ମୁଁ ଥରକପାଇଁ ମନୁଷ୍ୟଯୋନିରେ ମର୍ତ୍ତ୍ୟଭୁବନରେ ଜନ୍ମଗ୍ରହଣ କରିପାରନ୍ତି, ସେହି ମର୍ତ୍ତ୍ୟରେ ଜଣେ ତଥାଗତ ପରିପୂର୍ଣ୍ଣ ବୁଦ୍ଧଙ୍କର ଆବିର୍ଭାବ ହୁଅନ୍ତା, ମୁଁ ସୌଭାଗ୍ୟବଶତଃ ତାଙ୍କର ସଙ୍ଗପ୍ରସାଦ ଲାଭ କରିପାରନ୍ତି, ତଥାଗତ ମୋତେ ଧର୍ମୋପଦେଶ ଶୁଣାନ୍ତେ ଏବଂ ଯଦି ମୁଁ ତାହାର ଯଥାର୍ଥ ଅର୍ଥମାନ ବୁଝିପାରନ୍ତି !

 

ସେଦିନ ପ୍ରେତଲୋକର ସେହି ବିଚାରପତି ଯାହା ଇଚ୍ଛା କରିଥିଲେ, ଅଙ୍ଗୁଳିମାଳା, ତୁମରି ଜୀବନରେ ଠିକ୍‍ ସେହି ସବୁ ଇଚ୍ଛାର ପୂରଣ ହୋଇଚି । ତୁମେ ମନୁଷ୍ୟ ଯୋନିରେ ଜନ୍ମ ଲାଭ କରିଚ । କିନ୍ତୁ ଅଙ୍ଗୁଳିମାଳା, ଏହି ଭାରତବର୍ଷରେ ଭୀଷଣରୂପା ନଦୀ, ଆଦିମ ଅରଣ୍ୟ, ଭୟଙ୍କର ଗିରିଶିଖର ଓ ଶୁଷ୍କ ମରୁଭୂମି ତୁଳନାରେ ସୁଖଦାୟକ ଇଦ୍ୟାନ, ସୁଦୃଶ୍ୟ ବନ, ସୁନ୍ଦର ଶିଳାଭୂମି ଏବଂ ନୟନମୁଗ୍ଧକର କମଳସରୋବର ଅତ୍ୟନ୍ତ ଅଳ୍ପ ସଂଖ୍ୟାରେ ରହିଚି

 

ଠିକ୍ ସେହିପରି ନାନାବିଧ ଇତର ଯୋନିରେ ଜନ୍ମଲାଭ କରୁଥିବା ପ୍ରାଣୀମାନଙ୍କ ତୁଳନାରେ ଅତି ଅଳ୍ପସଂଖ୍ୟକ ଜୀବ ମନୁଷ୍ୟ ଯୋନିରେ ଜନ୍ମଲାଭ କରନ୍ତି -

 

ଠିକ୍‍ ସେହିପରି ହୁଏତ କେତେକେତେ ଯୁଗ ଓ କେତେକେତେ ପୁରୁଷ ବିତିଯାଏ କିନ୍ତୁ ସବୁ ଯୁଗ ବା ସବୁ ପୁରୁଷରେ ଜଣେ ବୁଦ୍ଧଙ୍କର ଅବତାର ସମ୍ଭବ ହୁଏ ନାହିଁ । କୌଣସି ସୌଭାଗ୍ୟବନ୍ତ ଯୁଗ ବା ପୁରୁଷ କ୍ୱଚିତ୍‍ ଜଣେ ବୁଦ୍ଧଙ୍କୁ ସମକାଳୀନ ଭାବରେ ଲାଭ କରିଥାଏ

 

ଠିକ୍‍ ସେହିପରି ସେହି ବିଶିଷ୍ଟ ଯୁଗ ବା ବିଶିଷ୍ଟ ପୁରୁଷର ସମସ୍ତ ଜନସମୂହ ବୁଦ୍ଧଙ୍କର ଦର୍ଶନ ଲାଭକରି ପାରନ୍ତିନାହିଁ । କେବଳ ଅତି ଅଳ୍ପସଂଖ୍ୟକ ଭାଗ୍ୟବନ୍ତ ଏହି ସୌଭାଗ୍ୟ ଲାଭ କରିଥାନ୍ତି–

 

କିନ୍ତୁ ଅଙ୍ଗୁଳିମାଳା, ତୁମେ ମନୁଷ୍ୟଯୋନିରେ ଜନ୍ମଲାଭ କରିଚ, ତଥାଗତ ବୁଦ୍ଧ ଏଇ ମର୍ତ୍ତ୍ୟଲୋକରେ ବିଚରଣ କରୁଥିବା ସମୟରେ ତୁମେ ଜନ୍ମଲାଭ କରିଚ । ତୁମେ ତାଙ୍କର ଦର୍ଶନ ଲାଭ କରିଚ, ତାଙ୍କ ସହିତ ଅବସ୍ଥାନ କରି ତାଙ୍କର ଅନୁଗ୍ରହ ପାଇଚ ।

 

ଏହିସବୁ ଶୁଣି ମୋର ଭାବାନ୍ତର ଜାତ ହେଲା । ହାତ ଯୋଡ଼ି ମୁଁ ଆକୁଳ ଭାବରେ କହିଲି : –

 

ହେ ପବିତ୍ର, ହେ ମୁକ୍ତ, ତୁମରି ଜୟ ହେଉ । ତେବେ ତୁମେ କଣ ସାକ୍ଷାତ ସେହି ତଥାଗତ ପ୍ରବୁଦ୍ଧ ବୁଦ୍ଧ ? ତେବେ ସେହି ମହିମାମୟ ମହାପୁରୁଷଙ୍କର କଣ ସତରେ ଏହି ଅଧମ ଅକିଞ୍ଚନପ୍ରତି କରୁଣା ହୋଇଚି ? ହେ ମହାଭାଗ, ସତେ କ’ଣ ତୁମେ ମୋତେ ତୁମସହିତ ଅବସ୍ଥାନ କରିବାର ଅନୁମତି ଦେଉଚ, ତୁମର ସଙ୍ଗସୁଧାର ସୌଭାଗ୍ୟ ଦେଉଚ ?

 

ତଥାଗତ ଉତ୍ତର ଦେଲେ–ହଁ ! ତାପରେ ଟିକିଏ ନୀରବ ରହି ପୁଣି କହିଲେ : –

 

ସେହି ଅତି ଅଳ୍ପସଂଖ୍ୟକ ମନୁଷ୍ୟ ବୁଦ୍ଧଙ୍କର ଦର୍ଶନ ଲାଭ କରନ୍ତି, ଆହୁରି ଅଳ୍ପସଂଖ୍ୟକ ମନୁଷ୍ୟ ତାହା ହୃଦୟଙ୍ଗମ କରିପାରନ୍ତି ଏବଂ ତାହାଭିତରୁ ଅତି ଅଳ୍ପସଂଖ୍ୟକ ମନୁଷ୍ୟ ତାହା ହୃଦୟଙ୍ଗମ କରିପାରନ୍ତି । କିନ୍ତୁ ତୁମେ ବର୍ତ୍ତମାନ ସେହି ଉପଦେଶମାନ ଶ୍ରବଣ କରିବ ଏବଂ ତାହାକୁ ହୃଦୟଙ୍ଗମ କରିବ । ତେବେ ଶୁଣିବ ଆସ, ଶିକ୍ଷ୍ୟ !

 

ଆପଣାର ପୋଷାହାତୀ ଉପରେ ବସି ହାତୀ ଶିକାରୀ ଅରଣ୍ୟ ଭିତରେ ପବେଶ କଲାପରି ତଥାଗତ ଅରଣ୍ୟ ଭିତରେ ପ୍ରବେଶ କରିଥିଲେ । କିନ୍ତୁ ପୋଷ ମାନିଥିବା ଗୋଟାଏ ବଣୁଆ ହାତୀକୁ ପଛରେ ଧରି ହାତୀଶିକାରୀ ଆଗେଆଗେ ଜଙ୍ଗଲଭିତରୁ ବାହାରି ଆସିବାପରି ତଥାଗତ ମଧ୍ୟ ଠିକ୍‍ ସେହିପରି ଅରଣ୍ୟର ବାହାରକୁ ବାହାରି ଆସିଲେ ।

 

ତେଣୁ ବଶିଷ୍ଠୀ, ବର୍ତ୍ତମାନ ମୁଁ ଦସ୍ୟୁ ଅଙ୍ଗୁଳିମାଳା ରୂପରେ ତୁମପାଖକୁ ଆସିନାହିଁ, ମାତ୍ର ବୁଦ୍ଧଶିଷ୍ୟ ଅଙ୍ଗୁଳିମାଳା ରୂପରେ ଆସିଚି । ମୋ’ଆଡ଼କୁ ଅନାଇଦେଖ, ମୁଁ ମୋର ବର୍ଚ୍ଛା ଓ ବଲ୍ଲମ, ଖଡ୍‍ଗ ଓ ଧନୁ ସମସ୍ତ ଫିଙ୍ଗିଦେଇ ଆସିଚି, ମୁଁ ହତ୍ୟା ଓ ଉତ୍ପୀଡ଼ନର ମାର୍ଗ ବର୍ଜନ କରି ଆସିଚି ଏବଂ ସକଳ ପ୍ରାଣୀପ୍ରତି ମୋର ହୃଦୟରେ କେବଳ ଶାନ୍ତ ଓ ସଦିଚ୍ଛା ହିଁ ରହିଚି ।

Image

 

୩୫

ସର୍ବଶ୍ରେଷ୍ଠ ଉପହାର

 

କେତେବେଳ ହେଲା ଯେ ସେହିପରି ନୀରବ ରହି ମୁଁ ଅଙ୍ଗୁଳିମାଳାର କଥା ଶୁଣିଥିଲି, ସେକଥା ମୋର ମନେନାହିଁ । କିନ୍ତୁ ମୁଁ ତାହାର ଗୋଟିଏ ପରେ ଗୋଟିଏ କଥା ଶୁଣିବା ସଙ୍ଗେ ସଙ୍ଗେ ଯେପରି ମୁଁ ଚିନ୍ତାମଗ୍ନ ଓ ବିସ୍ମିତ ହେବାରେ ହିଁ ଲାଗିଥିଲି । ଅଲୌକିକ ଐଶ୍ୱରିକ କ୍ଷମତା ବିଷୟରେ ପୂର୍ବକାଳରୁ ପ୍ରଚଳିତ ଥିବା କେତେକେତେ କାହାଣୀ ମୁଁ ଆଗରୁ ଶୁଣିଥିଲି; ଭଗବାନ୍‍ କୃଷ୍ଣ ମର୍ତ୍ତ୍ୟ ଅବତାରରେ କେକତେକେତେ ଅଦ୍ଭୁତ କାଣ୍ଡମାନ ଘଟାଇଚନ୍ତି, ମୁଁ ସେସବୁ ଆଗରୁ ଜାଣିଥିଲି । କିନ୍ତୁ ଅଙ୍ଗୁଳିମାଳାର ଜୀବନରେ ଅରଣ୍ୟ ଭିତରେ ଯେଉଁସବୁ ଅଦ୍ଭୁତ ଅଲୌକିକ ଘଟଣାମାନ ଘଟିଥିଲା, ତାହାର ତୁଳନାରେ ମୋର ଶୁଣିଥିବା କାହାଣୀଗୁଡ଼ିକର କୌଣସି ମହତ୍ତ୍ୱ ହିଁ ନଥିଲାପରି ମୋର ମନେହେବାକୁ ଲାଗିଲା ।

 

ମୁଁ ଆପଣାର ମନକୁ ପଚାରିଲି, ଏହି ଯେଉଁ ମହନୀୟ ପୁରୁଷ ମାତ୍ର କେତେ ଘଡ଼ି ସମୟ ମଧ୍ୟରେ ଏକ ଭୟଙ୍କର ଦସ୍ୟୁକୁ ଜଣେ ସଜ୍ଜନରେ ପ୍ରବର୍ତ୍ତିତ କରିଦେଇ ପାରିଲେ, ଇହଜଗତର ସବୁଠାରୁ ଅଧିକ ବନ୍ୟ ଓ ଅବାଧ୍ୟକୁ ଯିଏ ବାଧ୍ୟ କରି ପୋଷ ମନାଇ ପାରିଲେ, ସିଏ କଣ ମୋର ଜର୍ଜର ହୃଦୟର ଅଶାନ୍ତ ଦୁଃଖଗୁଡ଼ାକୁ ଶାନ୍ତ କରି ପାରିବେ ନାହିଁ ? ଆପଣାର ଅଭୟବାଣୀ ଶୁଣାଇ ଦୁଃଖର କୃଷ୍ଣ ମେଘମାଳାକୁ ଦୂର କରି ଦେଇ ପାରିବେ ନାହିଁ ? ଏହା କରିପାରିବା କଣ ଦସ୍ୟୁର ହୃଦୟ ପରିବର୍ତ୍ତନ କରିବାଠାରୁ ଅଧିକ କଷ୍ଟକର, ଅଧିକ କଠିନ, ଏହି ସମସ୍ୟାର ସମାଧାନ କରିବା କଣ ସବୁଠାରୁ ପବିତ୍ର ସେହି ମହାତ୍ମାଙ୍କର ଶକ୍ତିର ମଧ୍ୟ ଅସାଧ୍ୟ ? ହୁଏତ ପ୍ରକୃତରେ ତାହାହିଁ ହୋଇଥିବ ଭାବି ମୁଁ ମନେମନେ ଅତ୍ୟନ୍ତ ଭୀତ ହୋଇ ପଡ଼ିଲି, ତଥାପି ସାହସ ସଂଗ୍ରହ କରି ଅଙ୍ଗୁଳିମାଳାକୁ ପଚାରିଲି–ତୁମର ଗୁରୁ ସେହି ମହାନ୍‍ ସନ୍ନ୍ୟାସୀ ବର୍ତ୍ତମାନ କେଉଁଠାରେ ଅବସ୍ଥାନ କରୁଚନ୍ତି ? ମୋ’ ପକ୍ଷରେ କଣ ତାଙ୍କର ଦର୍ଶନ ଲାଭ କରିବା ସମ୍ଭବ ହେବ-?

 

ଅଙ୍ଗୁଳିମାଳା ଉତ୍ତର ଦେଲା–ତୁମର ଏହି ପଶ୍ନଟି ପଚାରିବା ବଡ଼ ଯଥାର୍ଥ ହୋଇଚି । କାରଣ ଏହି ପ୍ରଶ୍ନଟି ବ୍ୟତୀତ ବର୍ତ୍ତମାନ ଆଉ ପଚାରିବାକୁ ବା କ’ଣ ଥିଲା ? ମୁଁ ମଧ୍ୟ କେବଳ ସେହି ସକାଶେ ବର୍ତ୍ତମାନ ତୁମପାଖକୁ ଆସିଚି । ଏକ ହୀନକର୍ମ କରିବାଲାଗି ଆମେ ଏକତ୍ର ହାତ ମିଳାଇ ବହାରିଥିଲେ, ବର୍ତ୍ତମାନ ଏକ ସତ୍‍କର୍ମ ଲାଗି ଏକତ୍ର ହେବାର ସୁଯୋଗ ଆସି ପହଞ୍ଚିଚି । ବର୍ତ୍ତମାନ ତଥାଗତ ଶିଂଶପାବନରେ ଅବସ୍ଥାନ କରୁଚନ୍ତି । କାଲି ସନ୍ଧ୍ୟାବେଳକୁ ତୁମେ ସେଠାକୁ ଚାଲ । କାରଣ ଠିକ୍‍ ସେତିକିବେଳେ ସନ୍ନ୍ୟାସୀମାନେ ଆପଣାର ଧ୍ୟାନଧାରଣ ସମାପ୍ତ କରି ପୁରାତନ କୃଷ୍ଣମନ୍ଦିର ସମୀପରେ ଆସି ସମବେତ ହୁଅନ୍ତି ଏବଂ ତଥାଗତ ସେହିଠାରେ ସେମାନଙ୍କୁ ଓ ସେଠାରେ ଉପସ୍ଥିତ ଥିବା ଅନ୍ୟମାନଙ୍କୁ ଆପଣାର ଉପଦେଶ ଦିଆନ୍ତି । ପ୍ରତ୍ୟହ ଠିକ୍ ଏହି ସମୟରେ ନଗରର ଅନେକ ନରନାରୀ ତଥାଗତଙ୍କର ଦର୍ଶନଲାଭ କରିବାକୁ ଓ ତାଙ୍କର ପବିତ୍ର ପ୍ରବଚନ ଶୁଣିବାକୁ ସେଠାକୁ ଯାଆନ୍ତି । ଦିନକୁଦିନ ଏହି ଦର୍ଶକମାନଙ୍କର ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାପରେ ଲାଗିଚି । ଅନେକ ସମୟରେ ପ୍ରବଚନ ସରୁସରୁ ରାତ୍ରି ଅନେକ ହୋଇଯାଏ । ଏଥିରେ ମୁଁ ମନେମନେ ବଡ଼ ବିଚଳିତ ହୋଇପଡ଼େ । ରାତ୍ରିକାଳରେ ଗୋଟିଏ ସ୍ଥାନରେ ଏତେଗୁଡ଼ାଏ ଲୋକ ଦେଖି ହଠାତ୍‍ ମୋର ହୃଦୟରେ ପାପ ଛୁଏଁ ଏବଂ ଆପଣାର ଦଳ ନେଇ ଏମାନଙ୍କୁ ଆକ୍ରମଣ କରିବାର ଚିତ୍ରମାନ ମୋ ଆଗରେ ଭାସିଭାସି ଯାଏ । ଦର୍ଶକମାନେ ତଥାଗତଙ୍କର ପାଖରେ ଲାଗି କରିବାକୁ ଓ ସଂଘକୁ ସମର୍ପଣ ଆଣିଥାଏ ତ ଆଉକିଏ ବସ୍ତ୍ରାଦି ଆଣି ଆସିଥାଏ । ମୁଁ ମନେମନେ ଭାବେ, ଏମାନଙ୍କୁ ଭିତରୁ କେତେଜଣଙ୍କୁ ମୁଁ ଅପହରଣ କରି ନେଇଯିବି, କ୍ଷତିପୂରଣ ଲାଗି ବହୁପରିମାଣ ଅର୍ଥ ଦାବି କରିବି । ଏବଂ ନଗରର ଦ୍ୱାରଦେଶରେ ଏହିପରି ଉଗ୍ର ଆଚରଣମାନ ଦେଖାଇ ମୁଁ ଦିନେ-ନା-ଦିନେ ଶତଗୀରକୁ ମଧ୍ୟ ନଗରପ୍ରାଚୀରର ବାହାରକୁ ବାହର କରି ଆଣିବି ବୋଲି ଆଶା ବାନ୍ଧି ରହିଥାଏ । ଏହି ଯୋଜନା କଲାବେଳେ ଶତଗୀର ପ୍ରବାସକୁ ଯାତ୍ରା କରି ଯାଉଚି ବୋଲି ମୁଁ କୌଣସି ସମ୍ବାଦ ପାଇନଥିଲି । ନାରୀ, ତୁମେ କାଲି ସନ୍ଧ୍ୟାବେଳେ ଅବଶ୍ୟ କୃଷ୍ଣମନ୍ଦିର ସମୀପରେ ଯାଇ ଉପସ୍ଥିତ ହେବ, ଏକଥା କଦାପି ଭୁଲିବନାହିଁ । ମୁଁ ବର୍ତ୍ତମାନ ସେଠାକୁ ଫେରିଯିବାଲାଗି ବଡ଼ ତରତର ହେଉଚି, ହୁଏତ ତଥାଗତଙ୍କର ପ୍ରବଚନର କିୟବଂଶ ମୁଁ ତଥାପି ଶୁଣିବାକୁ ପାଇବି । ଦେଖ, ଆଜି କି ସୁନ୍ଦର ଜହ୍ନଆଲୁଅ ପଡ଼ିଚି, ଭିକ୍ଷୁମାନେ ଆସି ଅନେକବେଳୁଁ ସମବେତ ହୋଇ ସାରିବେଣି ଓ ଧର୍ମବିଷୟକ କେତେ ଚର୍ଚ୍ଚାମାନ ଆରମ୍ଭ ହୋଇ ଯାଇଥିବ । ଅନ୍ୟ କୌଣସି ଲୋକ ସେଠାରେ ଉପସ୍ଥିତ ରହି ସେହିସବୁ ଚର୍ଚ୍ଚା ଶୁଣିଲେ ସେମାନେ କୌଣସି ଆପର୍ତ୍ତି କରନ୍ତିନାହିଁ ।

 

ମୋତେ ଅଭିବାଦନ ଜଣାଇ ଅଙ୍ଗୁଳିମାଳା ସେଠାରୁ ସତ୍ୱର ପ୍ରସ୍ଥାନ କଲା ।

 

ପରଦିନ ପୂର୍ବାହ୍ନ ସମୟରେ ମୁଁ ମେଦିନୀ ପାଖକୁ ଖବର ପଠାଇଲି । ସେ ଓ ତା’ର ସ୍ୱାମୀ ସେମାଦତ୍ତ ଦୁହେଁଯାକ ମୋ ସହିତ କୃଷ୍ଣବନକୁ ଯିବାକୁ ପ୍ରସ୍ତୁତ ରହିଥିଲେ । ମେଦିନୀ ଆଗରୁ ମଧ୍ୟ ଆପଣାର ସ୍ୱାମୀ ଆଗରେ କେଉଁଦିନ ସନ୍ଧ୍ୟାବେଳେ ସେହି ସ୍ଥାନକୁ ଯବାଲାଗି ଆପଣାର ଇଚ୍ଛା ପ୍ରକାଶ କରିଥିଲା । କାରଣ ସେ ଏଡ଼େବଡ଼ ସୁଯୋଗକୁ ଆଦୌ ହରାଇବାକୁ ଚାହୁନଥିଲା । କିନ୍ତୁ ଆପଣାର କୁଳପୁରୋହିତଙ୍କ ଭୟରେ ସୋମଦତ୍ତ ତାହାର ଇଚ୍ଛା ପୂରଣ କରିବାକୁ ସଙ୍କୋଚ ବୋଧ କରୁଥିଲା । କିନ୍ତୁ ବର୍ତ୍ତମାନ ମନ୍ତ୍ରୀ ପତ୍ନୀ ସହିତ ଏକାଠି ହୋଇ ଗଲେ ତାକୁ ଆଉ କାହାରି ଭର୍ତ୍ସନା ଶୁଣିବାକୁ ପଡ଼ିବ ନାହିଁ, ଏଥିପାଇଁ ମେଦିନୀ ଅତି ଆନନ୍ଦରେ ମୋର ପ୍ରସ୍ତାବରେ ଏକମତ ହୋଇଗଲା ।

 

ତାପରେ ଆମେଦୁହେଁ ଗାଡ଼ି ଚଢ଼ି ନଗର ବିପଣିକୁ ଯାଇଥିଲୁ । ଆପଣାର ବ୍ୟାପାର ସଂକ୍ରାନ୍ତରେ ସେମାଦତ୍ତ ସେହିଠାରେ ଉପସ୍ଥିତ ଥିଲା । ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କଲାଗି ବସ୍ତ୍ରାଦି କିଣିକରି ନେବାରେ ସେ ଆମକୁ ଅନେକ ସାହାଯ୍ୟ କରିଥିଲା । ମୁଁ ମଧ୍ୟ ସେଠାରେ ଅନେକ ପ୍ରକାର ଔଷଧ କିଣିଥିଲି । ନଗରରୁ ଫେରିଆସି ଆମେ ଭଣ୍ଡାରଘରକୁ ଗଲୁ । ଆମ ସାଙ୍ଗରେ ନେଇକରି ଯିବାଲାଗି ଭଲଭଲ ତୈଳରେ ପୂର୍ଣ୍ଣ ରହିଥିବା ପାତ୍ରମାନ, ମଧୁ, ଲହୁଣୀ ଏବଂ ଶର୍କରାର ଭାଣ୍ଡମାନ ଏବଂ ନାନାପ୍ରକାର ଫଳଦ୍ୱାରା ଭରିରହିଥିବା ଚାଙ୍ଗୁଡ଼ିମାନ ସଜହୋଇ ରହିଲା । ମୋର ପସରାଗୁଡ଼ିକ ମଧ୍ୟ ସବୁଠାରୁ ଭଲଭଲ ପଦାର୍ଥରେ ପୂର୍ଣ୍ଣ ହୋଇ ରହିଲା; ସୁଗନ୍ଧ ଜଳ, ଚନ୍ଦନଗୁଣ୍ଡ ଏବଂ କର୍ପୂର କୌଣସିଟି ବାକୀ ରହିଲା ନାହିଁ । ବଗିଚାରୁ ଭଳିଭଳି ଫୁଲ ମଧ୍ୟ ତୋଳାହୋଇ ଆସିଲା ।

 

ସବୁ ସଜକରି ଆମେ ଅଧୀର ଭାବରେ ଅପେକ୍ଷା କରି ରହିଲୁ । ସବୁ ସାମଗ୍ରୀକୁ ନେଇ ଗୋଟିଏ ଗାଡ଼ିରେ ଲଦି ଦିଆଗଲା । ଆମେ ସମସ୍ତେ ଯାଇ ଆଉ ଗୋଟିଏ ଗାଡ଼ିରେ ବସିଲୁ । ଆମ ଗାଡ଼ିରେ ଯୋଚା ହୋଇଥିବା ଘୋଡ଼ାକୁ ମୁଁ ପ୍ରତିଦିନ ସକାଳେ ନିଜ ହାତରେ ପୁରୁଣା ଚାଉଳ ଖାଇବାକୁ ଦେଉଥିଲି । ତା’ପରେ ଆମେ ନଗରଦ୍ୱାର ପାର ହୋଇ ବାହାରକୁ ଗଲୁ ।

 

ସେତେବେଳକୁ ସୂର୍ଯ୍ୟଦେବ ନଗରର ଗୃହ ଚୂଡ଼ା ଉପରକୁ ନଇଁ ଆସିଲେଣି ଏବଂ ତାଙ୍କର ରଶ୍ମିମାନ ବାୟୁମଣ୍ଡଳର ଧୂଳିରେ ଚକ୍‍ଚକ୍‍ କରୁଚି । କେତେକେତେ ଲୋକ ପାଦରେ ଚାଲି ଯାଉଚନ୍ତି, କିଏ ପୁଣି ଆମପରି ଗାଡ଼ିରେ ଯାଉଚି । ସମସ୍ତେ ବୁଦ୍ଧଙ୍କର ଦର୍ଶନ ଲାଭ କରିବାକୁ ଏବଂ ତାଙ୍କର ପ୍ରବଚନ ଶୁଣିବାକୁ ଯାଉଚନ୍ତି । ସେହିମାନଙ୍କର ପାଦତଳୁ ଉତ୍‍ଥିତ ହେଉଥିବା ଧୂଳିର ପଟଳ ଆକାଶକୁ ପୂର୍ଣ୍ଣ କରି ରଖିଚି ।

 

କ୍ରମେ ଆମେ ଆସି ଅରଣ୍ୟର ଧାରରେ ପହଞ୍ଚିଗଲୁ । ଏହିଠାରେ ଗାଡ଼ିକୁ ରଖି ପାଦରେ ଚାଲି ଆଗକୁ ଯିବାକୁ ପଡ଼ିଲା । ଆମପଛରେ ଉପହାର-ସାମଗ୍ରୀମାନ ନେଇ ଭୃତ୍ୟମାନେ ଭାର ବୋହି ଚାଲିବାକୁ ଲାଗିଲେ ।

 

ସେଦିନ ରାତିରେ ତୁମଠାରୁ ବିଦାୟ ନେଇ ଯିବାପରେ ମୁଁ ଆଉ କେବେ ଏହି ଅରଣ୍ୟକୁ ଯାଇନଥିଲି । ଆଜି ଠିକ୍ ସେହି ସେହି ମଣିଷଙ୍କ ସହିତ ସେହି ଅରଣ୍ୟରେ ପ୍ରବେଶ କଲାବେଳକୁ ମୋର ପ୍ରାଣ ଯେପରି କେତେକେତେ ସ୍ମୃତିର ସୁରଭିରେ ପରିପୂର୍ଣ୍ଣ ହୋଇ ଉଠିଲା । ମନେହେଲା ସତେଯେପରି ଅତୀତ ଅନେକ ବର୍ଷର ବିଚ୍ଛେଦ ବେଦନା ସେହି ସୁରଭିର ମିଷ୍ଟତାକୁ ବିଷରେ ପରିଣତ କରିଦେଇଚି ଏବଂ ସେହି ବିଷର କଟୁଗନ୍ଧରେ ଅଚେତପ୍ରାୟ ହୋଇ ମୁଁ ଆଉ ଆଗକୁ ପାଦ ପକାଇ ପାରୁନାହିଁ । ସତେ ଯେପରି ମୋର ପ୍ରେମ ହଠାତ୍ ପୂର୍ଣ୍ଣଶକ୍ତିରେ ସମୁଜ୍ଜିତ ହୋଇ ମୋର ବାଟକୁ ଓଗାଳି ଠିଆହୋଇ ରହିଚି, ଯେପରି ଏହା ମୋତେ ମୋର ଶଠତାପାଇଁ ଦୋଷ ଦେବାକୁ ଆସିଚି । କିନ୍ତୁ ଆଜି ତ ମୁଁ ମୋର ଅତୀତ ସ୍ମୃତିର ସୁରଭିରେ ମାଦକିତ ହେବାଲାଗି ଏଠାକୁ ଆସିନାହିଁ, ମୁଁ ଆଜି ମୋର ନିରାଶ ଓ ପୀଡ଼ିତ ହୃଦୟଲାଗି ଶାନ୍ତିର ସନ୍ଧାନ କରିବାକୁ ଆସିଚି । କିନ୍ତୁ ଏପରି କରିବାକୁ ହେଲେ ମୋତେ ମୋର ପ୍ରେମକୁ ଭୁଲିବାକୁ ପଡ଼ିବ ନାହିଁ ତ ? ମୋର ପ୍ରେମକୁ ଅସ୍ୱୀକାର କରିବାକୁ ପଡ଼ିବ ନାହିଁ ତ ? ଏହାଦ୍ୱାରା ମୁଁ ପ୍ରକୃତରେ ମୋର ପ୍ରେମପ୍ରତି ବିଶ୍ୱାସଘାତକତା କରିବି ନାହିଁ ତ ?

 

ଏହିପରି ଏକ ଭୟ ବିମିଶ୍ରିତ ସକୁଣ୍ଠ ସଂଶୟରେ ମୁଁ ସେହିଠାରେ ଠିଆହୋଇ ରହିଲି । ମୁଁ ଆଗକୁ ଗୋଡ଼ ପକାଇବି ନା ସେହିଠାରୁ ଫେରିଆସିବି, ଏହି ଦ୍ୱନ୍ଦର କୌଣସି ସମାଧାନ କରି ପାରିଲି ନାହିଁ । ମୋର କୁଣ୍ଠିତ ଭାବ ଦେଖି ମେଦିନୀ ମଧ୍ୟ ବଡ଼ ନିରାଶ ହୋଇପଡ଼ିଲା । ଅନ୍ୟମାନେ ଆମକୁ ପଛରେ ପକାଇ ଚାଲି ଯାଉଚନ୍ତି ଦେଖି ତାହାର ଆଉ ଧୈର୍ଯ୍ୟର ସୀମା ରହିଲାନାହିଁ ।

 

ଅପରାହ୍ନର ଅସ୍ତୋନ୍ମୁଖ ସୂର୍ଯ୍ୟକିରଣରେ ଅରଣ୍ୟଭିତରଟା ସୁନାରଙ୍ଗରେ ଆଲୋକିତ ହୋଇ ଉଠିଥାଏ । ଗଛର ପତ୍ରଶାଖାରୁ ଏକ ଚମତ୍କାର ମର୍ମର ଶବ୍ଦ ଶୁଣା ଯାଉଥାଏ । ଲୋକମାନେ ଦଳଦଳ ହୋଇ ଅରଣ୍ୟ ଭିତରେ ପ୍ରବେଶ କରୁଥାନ୍ତି, ନୀରବ ହୋଇ ଆକାଙ୍କିତ ଦୃଷ୍ଟିରେ ଏଠାକୁ ସେଠାକୁ ଅନାଇ ଦେଖୁଥାନ୍ତି । ଏଠିସେଠି କୌଣସି ବୃକ୍ଷର ମୂଳରେ ଜଣେ ଜଣେ ଭିକ୍ଷୁ ଦେହରେ ହଳଦିରଙ୍ଗର ଉତ୍ତରୀୟ ପକାଇ ପଦ୍ମାସନରେ ଧ୍ୟାନସ୍ଥ ହୋଇ ବସିଥାନ୍ତି, ଅନତିଦୂରରେ ଆଉଜଣେ ଭିକ୍ଷୁଙ୍କୁ ଧ୍ୟାନ ସାରି ଉଠିବାର ଦେଖି ସେ ମଧ୍ୟ ଆପଣା ଆସନରୁ ଉଠୁଥାନ୍ତି ଏବଂ ସେହି ଗୋଟିଏ ଦିଗକୁ ଅଗ୍ରସର ହେଉଥାନ୍ତି । ଆଜି ସମସ୍ତେ ସେହି ଏକ ଉଦ୍ଦେଶ୍ୟରେ ଏକ ଦିଗକୁ ଚାଲିଚନ୍ତି, ବର୍ତ୍ତମାନ ଲକ୍ଷ୍ୟସ୍ଥାନଟି ତଥାପି ଦୃଷ୍ଟିଗୋଚର ହୋଇନାହିଁ । ଏହିସବୁ ଦୃଶ୍ୟ ଦେଖି ମନେ ହେଉଥାଏ ଯେପରି ଅଳ୍ପ ସମୟ ପରେ ଏକ ଅଦ୍ଭୁତ ଅସାଧାରଣ ଘଟଣା ଘଟିବାକୁ ଯାଉଚି, ଯେପରି ସଂସାରର କୌଣସି ଶକ୍ତି ମଧ୍ୟ ଏହି ଘଟଣାଟିର ଗତିରୋଧ କରି ପାରିବନାହିଁ, ଯେପରି ସ୍ୱୟଂ ପ୍ରେମ ମଧ୍ୟ ଏହାର ଅନ୍ତରାୟ ହୋଇ ଠିଆହେଲେ ଶେଷରେ ଆପଣାର ସମସ୍ତ ଈଶ୍ୱରୀୟ ଅଧିକାର ହରାଇ ବସିବା ହିଁ ସାର ହେବ ।

 

ଏହିପରି ବିଚାର କରି ମୁଁ ପୁଣି ଆଗକୁ ଗୋଡ଼ ବଢ଼ାଇଲି । ଅଙ୍ଗୁଳିମାଳାକୁ ତଥାଗତ ଯେଉଁସବୁ କଥା କହିଥିଲେ, ସେହିସବୁ କଥା ମୋର ମନେ ପଡ଼ିଗଲା । କେତେକେତେ ଯୁଗ ବିତିଯାଏ, ପୁରୁଷ ବିତିଯାଏ, ତଥାପି ସଂସାରରେ ବୁଦ୍ଧଙ୍କର ଆବିର୍ଭାବ ହୁଏନାହିଁ । ପୁଣି ଯେଉଁମାନେ ବୁଦ୍ଧଙ୍କର ସମକାଳୀନ ହେବାର ସୌଭାଗ୍ୟ ନେଇ ଜନ୍ମଲାଭ କରନ୍ତି, ସେମାନଙ୍କ ଭିତରୁ ଅତି ଅଳ୍ପସଂଖ୍ୟକ ଲୋକ ବୁଦ୍ଧଙ୍କର ବାଣୀ ଶ୍ରବଣ କରିବାର ଓ ତାଙ୍କୁ ଦର୍ଶନ କରିବାର ସୁଯୋଗ ପାଆନ୍ତି–ଏହି କଥାଗୁଡ଼ିକ ସତେଅବା କେଉଁ ଦେବତାମନ୍ଦିରର ଘଣ୍ଟାପରି ମୋର କାନପାଖରେ ଟିଣ୍‍ଟିଣ୍‍ ହୋଇ ବାଜି ଉଠିବାକୁ ଲାଗିଲା । ଏହିପରି ଏକ ମହାର୍ଘ ସୌଭାଗ୍ୟ ଲାଭ କରିବାକୁ ଯାଉଥିବାରୁ ମୁଁ ଆପଣାକୁ ବଡ଼ ଭାଗ୍ୟବାନ୍ ଅନୁଭବ କରିବାକୁ ଲାଗିଲି, ଭାବିଲି ମୋର ଏହି ସୌଭାଗ୍ୟ ହେତୁ ଆଗାମୀ କାଳର ମନୁଷ୍ୟମାନେ ମୋ’ପ୍ରତି ନିଶ୍ଚୟ ଈର୍ଷା ଅନୁଭବ କରିବେ-

 

ଶେଷରେ ଆମେ ଯାଇ ମନ୍ଦିରର ଭଗ୍ନାବଶେଷ ନିକଟରେ ପହଞ୍ଚିଲୁ । ସେଠାରେ ସେତେବେଳକୁ ଅନେକ ମଣିଷ ଜମା ହୋଇ ସାରିଥିଲେ, କେତେ ବୈଦ୍ୟ ଓ କେତେ ଭିକ୍ଷୁ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ଦଳଦଳ ହୋଇ ମନ୍ଦିରର ଭଗ୍ନାବଶେଷ ପାଖରେ ଠିଆହୋଇ ରହିଥିଲେ । ଅରଣ୍ୟ ଭିତରକୁ ପ୍ରବେଶ କଲାବେଳେ ମୁଁ ଭିକ୍ଷୁମାନଙ୍କର ଯେଉଁ ବଡ଼ ଦଳଟି ଦେଖିଥିଲି, ତାହା ଭିତରେ ଗୋଟିଏ ପ୍ରକାଣ୍ଡକାୟ ମନୁଷ୍ୟମୂର୍ତ୍ତି ମଧ୍ୟ ଅତି ସହଜରେ ମୋର ଦୃଷ୍ଟି ଆକର୍ଷଣ କରିଥିଲା । କାରଣ ଅନ୍ୟମାନଙ୍କର ମୁଣ୍ଡଠାରୁ ଅନେକ ଉଚ୍ଚରେ ତାହାର ମୁଣ୍ଡ ଦୂରକୁ ମଧ୍ୟ ଦେଖାଯାଉଥିଲା ।

 

ଆମେସବୁ କେଉଁଠି ଯାଇ ବସିବୁ, ଚାରିଆଡ଼କୁ ଆଖିବୁଲାଇ ଏହିକଥା ସ୍ଥିର କରୁଥିବା ସମୟରେ ଆମର ଓ ଭିକ୍ଷୁମାନଙ୍କର ମଝିରେ ପଡ଼ିଥିବା ବାଟ ଦେଇ ଅରଣ୍ୟ ବାହାରୁ ଜଣେ ବୃଦ୍ଧବୟସ୍କ ସନ୍ନ୍ୟାସୀ ଆସି ସେଠାରେ ପହଞ୍ଚିଲେ । ତାଙ୍କର ଉନ୍ନତ ଓ ପ୍ରତିଭାମୟ ଚେହେରା ଦେଖି ତାଙ୍କୁ ଠିକ୍ ରାଜାପରି ମନେ ହେଉଥିଲା । ସେ ଆସିବା ମାତ୍ରକେ ଚାରିଆଡ଼େ ସମସ୍ତେ ଶାନ୍ତ ହୋଇଗଲେ । ମୁଁ ମନେ ମନେ ଭାବିବାକୁ ଲାଗିଲି–ତେବେ ଏହି ଜଣକ କ’ଣ ସ୍ୱୟଂ ଶାକ୍ୟପୁତ୍ର ହେବେ କି, ଏହାଙ୍କୁ କ’ଣ ସମସ୍ତେ ବୁଦ୍ଧ ବୋଲି କହନ୍ତି କି ?

 

ବୁଦ୍ଧ ସନ୍ନ୍ୟାସୀ ହାତରେ କେତୋଟି ଶିଂଶପା ପତ୍ର ଧରିଥାନ୍ତି । ଭିକ୍ଷୁମାନଙ୍କ ଆଡ଼କୁ ଲକ୍ଷ୍ୟ କରି ସେ କହିଲେ : –

 

ଭିକ୍ଷୁସଘଂ, ମୁଁ ହାତରେ ଧରିଥିବା ଏହି ଶିଂଶପା ପତ୍ରର ସଂଖ୍ୟ ଅଧିକ ନା ଅରଣ୍ୟର ଅନ୍ୟାନ୍ୟ ବୃକ୍ଷମାନଙ୍କରେ ଥିବା ଶିଂଶପା ପାତ୍ରର ସଂଖ୍ୟା ଅଧିକ ?

 

ଭିକ୍ଷୁମାନେ ଉତ୍ତର ଦେଲେ : –

 

ତଥାଗତ ଯେଉଁ ପତ୍ରଗୁଚ୍ଛ ହାତରେ ଧରିଚନ୍ତି, ସେଥିରେ ପତ୍ରର ସଂଖ୍ୟା ଅତି ଅଳ୍ପ । କିନ୍ତୁ ଅରଣ୍ୟର ବୃକ୍ଷମାନଙ୍କରେ ରହିଥିବା ପତ୍ରର ସଂଖ୍ୟା ଅନେକ ଅଧିକ ।

 

ସେ କହିଲେ–ବୁଦ୍ଧଙ୍କ ଜୀବନରେ ମଧ୍ୟ ଠିକ୍ ସେହିପରି । ଶିଷ୍ୟବର୍ଗ, ମୁଁ ଯାହାସବୁ ତୁମମାନଙ୍କର ଆଗରେ ପ୍ରଚାର କରି କହିଚି, ତାହାର ପରିମାଣ ଅତି ଅଳ୍ପ । କିନ୍ତୁ ଯାହାସବୁ ପ୍ରଚାର କରି କହିନାହିଁ, ସେଗୁଡ଼ିକର ସଂଖ୍ୟା ଅନେକ ଅଧିକ । କିନ୍ତୁ ଶିଷ୍ୟବର୍ଗ, କେଉଁ କାରଣ ହେତୁ ମୁଁ ଏହିସବୁ କଥା ପ୍ରଚାର କରି କହିନାହିଁ ? କାରଣ ଏସବୁ ବିଷୟ ଆଦୌ ଶୁଭଦାୟୀ ନୁହେଁ, ଏସବୁ ସନ୍ନ୍ୟାସୀର ଗ୍ରହଣଯୋଗ୍ୟ ନୁହେଁ, ଏହାଦ୍ୱାରା ମୁକ୍ତିଲାଭ ହୁଏ ନାହିଁ, ଏହାଦ୍ୱାରା ବୋଧିପ୍ରାପ୍ତ ହୁଏ ନାହିଁ, ଏହାଦ୍ୱାରା ନିର୍ବାଣ ମିଳେ ନାହିଁ ।

 

କାମନୀତ ହଠାତ୍ କହିଉଠିଲେ–ତେବେ ସେହି ନିର୍ବୋଧ ବୃଦ୍ଧ ସନ୍ନ୍ୟାସୀ ମଧ୍ୟ ମୋତେ ଠିକ୍ କଥା କହିଥିଲେ ।

 

ବଶିଷ୍ଠୀ ପଚାରିଲା–କେଉଁ ବୃଦ୍ଧ ସନ୍ନ୍ୟାସୀ ?

 

ଯାହାଙ୍କ ବିଷୟରେ ମୁଁ ଆଗରୁ ତୋତେ କହୁଥିଲି । ରାଜଗୃହ ନଗରର ଉପକଣ୍ଠରେ ଥିବା ଜଣେ କୁମ୍ଭାରର ନିବାସରେ ଆମେ ଏକାଠି ରାତ୍ରିଯାପନ କରିଥିଲୁ ! ପାର୍ଥିବ ଜୀବନରେ ମୋର ସେହି ରାତ୍ରି ହିଁ ଶେଷରାତ୍ରି ଥିଲା । ବୃଦ୍ଧ ମୋତେ ତଥାଗତଙ୍କର ଉପଦେଶ ଶୁଣାଇବାକୁ ବସିଲେ, କିନ୍ତୁ ସେ ସେଥିରେ ଖୁବବେଶୀ ସଫଳ ହୋଇ ପାରିଲେନାହିଁ । ମାତ୍ର ବର୍ତ୍ତମାନ ତୋ’ଠାରୁ ମୁଁ ଯାହାସବୁ ଶୁଣିଲି, ବୃଦ୍ଧ ସନ୍ନ୍ୟାସୀ କହିଥିବା କଥା ଭିତରେ ମଧ୍ୟ ଠିକ୍ ସେହିପରି ଅନେକ କଥା ଥିଲା । ଏପରିକି ସେ ସ୍ଥାନର ନାମ ମଦ୍ୟ ନିର୍ଭୁଲ ଭାବରେ ବତାଇଥିଲେ । କିନ୍ତୁ ତୁ ମଧ୍ୟ ସେହି ପ୍ରବଚନ ସ୍ଥଳରେ ଉପସ୍ଥିତ ରହିଥିଲୁ ବୋଲି ଜାଣିଥିଲେ, ଏହି ପ୍ରବଚନଗୁଡ଼ିକୁ ମୁଁ ସେତେବେଳେ ଅଧିକ ଗଭୀର ଭାବରେ ନିଶ୍ଚୟ ଗ୍ରହଣ କରିଥାନ୍ତି ।

 

ବଶିଷ୍ଠୀ କହିଲା–ହୁଏତ ସେହି ବୃଦ୍ଧ ସନ୍ନ୍ୟାସୀ ମଧ୍ୟ ସେଦିନ ପ୍ରବଚନସଭାରେ ପ୍ରକୃତରେ ଉପସ୍ଥିତ ରହିଥିଲେ । କିନ୍ତୁ ସେ ଯାହାହେଉ ପଛକେ, ସନ୍ନ୍ୟାସୀ ଯେ ସେଦିନ ତୁମ ଆଗରେ ତଥାଗତଙ୍କର ପ୍ରବଚନମାନ କହିଚନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ହଁ, ତଥାଗତ ପୁଣି କହିବାକୁ ଲାଗିଲେ : –

 

ଶିଷ୍ୟବର୍ଗ, ତୁମମାନଙ୍କୁ ମୁଁ କେଉଁ ଉପଦେଶମାନ ଦେଇଚି ? ଦୁଃଖର ଅର୍ଥ ବିଷୟରେ ମୁଁ ତୁମମାନଙ୍କୁ ଉପଦେଶ ଦେଇଚି । ଦୁଃଖର ନିଦାନ କ’ଣ, ଦୁଃଖର ନିରାକରଣ କ’ଣ ଓ ଦୁଃଖ ନିରାକରଣର ଉପାୟ ମଧ୍ୟ କଣ, ମୁଁ ସେସବୁ ବିଷୟରେ ତୁମମାନଙ୍କୁ ଉପଦେଶ ଦେଇଚି । ତେଣୁ ଶିଷ୍ୟବର୍ଗ, ମୁଁ ଯେଉଁସବୁ ସତ୍ୟ ପ୍ରକାଶିତ କରିଚି, ସେହିସବୁ ହିଁ ପ୍ରକାଶିତ ହୋଇ ରହିଥାଉ । ଯାହାସବୁ ପ୍ରକାଶିତ କରିନାହିଁ, ସେସବୁ ଅପ୍ରକାଶିତ ରହିଥାଉ ।

 

ଏତିକି କହିସାରିବା ପରେ ସେ ହାତମୁଠା ଫିଟାଇଦେଲେ ଓ ତାଙ୍କର ହାତରେ ଥିବା ପତ୍ରକେଣ୍ଡାଟି ତଳେ ମାଟି ଉପରେ ପଡ଼ିଗଲା । ତା’ଭିତରୁ ଗୋଟିଏ ପତ୍ର ମୋ’ର ଅତିପାଖରେ ଉଡ଼ି ଉଡ଼ି ଯାଉଥିଲା । ମୁଁ ଅତି ସରାଗରେ ଦଉଡ଼ିଯାଇ ସେଇଟିକୁ ସାଉଁଟି ଆଣିଲି, ମାଟିରେ ଆସି ପଡ଼ିବା ପୂର୍ବରୁ ସେଇଟିକୁ ସାଉଁଟି ଆଣିଲି । ମତେଅବା ତାଙ୍କର ପବିତ୍ର ହସ୍ତରୁ ମୁଁ ଏହି ପତ୍ରଟିକୁ ଗ୍ରହଣ କରିଚି, ଏହିପରି ଭାବି ମୁଁ ତାହାକୁ ଏକ ଅମୂଲ୍ୟ ସ୍ମୃତିସମ୍ପଦ ରୂପେ ମୋର ବକ୍ଷପାଖରେ ସାଇତି ରଖିଲି । ତଥାଗତ ବର୍ତ୍ତମାନ ଯେଉଁ ଉପଦେଶଟି ଦେଲେ, ତାହାରି ପ୍ରତୀକ ସ୍ୱରୂପ ପତ୍ରଟି ମୋ’ର ବକ୍ଷରେ ସାଇତା ହୋଇ ରହିଲା । ମୋର ମୃତ୍ୟୁପର୍ଯ୍ୟନ୍ତ ମଧ୍ୟ ତାହା ସେହିପରି ସେହିଠାରେ ହିଁ ସାଇତା ହୋଇ ରହିଥିଲା ।

 

ଦଉଡ଼ିଯାଇ ପତ୍ରଟିକୁ ସାଉଁଟି ଆଣିବାବେଳେ ତାହା ମୋ’ପ୍ରତି ତଥାଗତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଠିକ୍ ଏହିସମୟରେ ସେହି ବିଶାଳବପୁ ଭିକ୍ଷୁ ଜଣକ ଆସି ତଥାଗତଙ୍କୁ ଅଭିନନ୍ଦନ କଲେ ଏବଂ ତାଙ୍କର କାନପାଖରେ କଣ ସବୁ କହିଦେଲେ । ତାଙ୍କର କଥା ଶୁଣିବାପରେ ତଥାଗତ ପୁଣିଥରେ ମୋ’ଆଡ଼କୁ ଅନାଇଲେ ଏବଂ ଭିକ୍ଷୁଙ୍କୁ କଣ ଇସାରା କରି କହିଲେ ।

 

ଭିକ୍ଷୁ ସେଠାରୁ ଉଠି ଆମଆଡ଼କୁ ଆସିବାକୁ ଲାଗିଲେ ।

 

ଆମେ ସମସ୍ତେ ତାଙ୍କୁ ସଭକ୍ତି ଅଭିବାଦନ ଜଣାଇଲୁ । ମନ୍ତ୍ରୀ ଶତଗୀରର ଭାର୍ଯ୍ୟା ହିସାବରେ ମୁଁ ମୋର ପରିଚୟ ଦେଇ କହିଲି ଯେ ପବିତ୍ର ଭିକ୍ଷୁସଘଂ ସକାଶେ ମୁଁ କିଛି ସାମାନ୍ୟ ଭେଟି ସଙ୍ଗରେ ନେଇ ଆସିଚି ଏବଂ ସେଗୁଡ଼ିକ ଭିକ୍ଷୁସଘଂଦ୍ୱାରା ଗୃହୀତ ହେଲେ ମୁଁ ଆପଣାକୁ ବଡ଼ ଭାଗ୍ୟବତୀ ମନେ କରିବି । ଆମେ ସମସ୍ତେ ଆଜି ତଥାଗତଙ୍କର ପୁଣ୍ୟ ପ୍ରବଚନ ଶୁଣିବାକୁ ଆସିଚୁ ବୋଲି ମୁଁ ତାଙ୍କୁ କହିଲି ।

 

ଆହୁରି ପାଖକୁ ଚାଲ, ମାଆ ! –ଭିକ୍ଷୁ କହିଲେ । ତାଙ୍କର ମୁଖର କଥା ଶୁଣି ମୁଁ ତତ୍‍କ୍ଷଣାତ୍ ସେ ଅଙ୍ଗୁଳିମାଳା ବୋଲି ଚିହ୍ନିନେଇ ପାରିଲି । ଭିକ୍ଷୁ କହିଲେ–ତଥାଗତ ତୁମର ଉପହାରକୁ ସ୍ୱୟଂ ଗ୍ରହଣ କରିବାକୁ ଚାହୁଚନ୍ତି ।

 

ତଥାଗତଙ୍କର ସମୀପବର୍ତ୍ତୀ ହୋଇ ଆମେ ସମସ୍ତେ ଭୂମିଷ୍ଠ ପ୍ରଣାମ ଜଣାଇଲୁ, ତା’ପରେ ହାତଯୋଡ଼ି ନମସ୍କାର କଲୁ । ଭାବାବେଶରେ ମୋର ମୁଖରୁ ଗୋଟିଏ ହେଲେ ଶବ୍ଦ ମଧ୍ୟ ନିଃସୃତ ହୋଇ ପାରିଲାନାହିଁ ।

 

ତଥାଗତ କହିଲେ–ମାଆ, ତୁମର ଉପହାରଗୁଡ଼ିକ ବହୁମୂଲ୍ୟ ଏବଂ ମୋର ଭିକ୍ଷୁମାନଙ୍କର ଆବଶ୍ୟକତା ଅତି ସାମାନ୍ୟ । ସେମାନେ ହେଉଚନ୍ତି ସତ୍ୟର ସନ୍ଦେଶବାହକ, ଆବଶ୍ୟକତାର ନୁହନ୍ତି । କିନ୍ତୁ ପୂର୍ବକାଳରେ ବୁଦ୍ଧମାନେ ଏହି ପ୍ରଥା ଅନୁସରଣ କରି ଆସିଚନ୍ତି, ସେମାନେ ଅନୁଗାମୀ ଭକ୍ତମାନଙ୍କଠାରୁ ଉପହାରମାନ ଗ୍ରହଣ କରିବାକୁ କେବେ ଆପତ୍ତି କରିନାହାନ୍ତି, ଏହାଦ୍ୱାରା ସେମାନେ ଭକ୍ତମାନଙ୍କୁ ଭିକ୍ଷାଦାନର ପୁଣ୍ୟଲାଭ କରିବାର ସୁଯୋଗ ହିଁ ଦାନ କରିଚନ୍ତି । କାରଣ ସବୁ ମନୁଷ୍ୟ ଯଦି ଠିକ୍ ମୋ’ରି ପରି କରୁଣାର ମୂଲ୍ୟ ହୃଦୟଙ୍ଗମ କରିପାରନ୍ତେ, ଆପଣାଠାରୁ ଅଧିକ ଦରିଦ୍ରଲାଗି ଅଧ ମୁଠାଏ ଦାନ ନକରି ଯଦି ସେମାନେ ଆପଣା ପାଖରେ ଅବଶିଷ୍ଟ ଥିବା ଏକମୁଠା ଅନ୍ନକୁ କଦାପି ଗ୍ରହଣ ନକରନ୍ତେ, ତେବେ ଆଜି ସେମାନଙ୍କର ଜୀବନକୁ ଭ୍ରମାଚ୍ଛନ୍ନ କରି ରଖିଥିବା ଏହି ସ୍ୱାର୍ଥଭାବନା ଅବଶ୍ୟ ବିଦୂରିତ ହୋଇଯାଆନ୍ତା । ତେଣୁ ଆଜି ବୁଦ୍ଧସଘଂ ତୁମର ଏହି ଦାନକୁ ଅଶେଷ କୃତଜ୍ଞତାର ସହିତ ଗ୍ରହଣ କରୁଚନ୍ତି, ଏକ ବିଶୁଦ୍ଧ ଦାନ ବୋଲି ଗ୍ରହଣ କରୁଚନ୍ତି । କୌଣସି ଦାନ ଯେତେବେଳେ ଦାତା ଓ ଗ୍ରହୀତା ଉଭୟଙ୍କୁ ଶୁଦ୍ଧ କରି ଦେଇଯାଏ, ସେହିପରି ଦାନକୁ ହିଁ ମୁଁ ବିଶୁଦ୍ଧ ଦାନ ବୋଲି ଗ୍ରହଣ କରିଥାଏ । କିନ୍ତୁ ଏହା ସମ୍ଭବ ହୁଏ କିପରି ? ବଶିଷ୍ଠୀ, ଯେତେବେଳେ ଗ୍ରହୀତା ମଧ୍ୟ ଶୁଦ୍ଧ ଜୀବନଯାପନ କରନ୍ତି ଓ ଆଚରଣରେ ସମ୍ଭ୍ରମ ରଖିଥାନ୍ତି, କେବଳ ସେତିକିବେଳେ ହିଁ ଦାତା ଓ ଗ୍ରହୀତା ଉଭୟେ ଶୁଦ୍ଧ ହୋଇଯାଆନ୍ତି । ବଶିଷ୍ଠୀ, କେବଳ ସେତିକିବେଳେ ହିଁ କୌଣସି ଦାନକୁ ସର୍ବଶ୍ରେଷ୍ଠ ଓ ବିଶୁଦ୍ଧ ଦାନ ବୋଲି କୁହାଯାଏ । ତୁମେ ଆଜି ଏହିପରି ଏକ ଦାନ ନେଇ ଏଠାକୁ ଆସିଚ ।

 

ତା’ପରେ ଅଙ୍ଗୁଳିମାଳାକୁ ଉଦ୍ଦେଶ୍ୟ କରି ତଥାଗତ କହିଲେ :

 

ଯାଅ ଭଦ୍ର, ଏହିସବୁ ଦାନକୁ ଗ୍ରହଣକରି ଭଣ୍ଡାରକୁ ନେଇଆସ । କିନ୍ତୁ ତାହା ପୂର୍ବରୁ ଆମର ସମ୍ମାନାସ୍ପଦ ଅତିଥିମାନଙ୍କ ଲାଗି ମନ୍ଦିରର ପାହାଚ ଉପରେ ଜାଗା କରିଦେଇ ଯାଅ । କାରଣ ଆଜି ସମବେତ ହୋଇଥିବା ଆଗନ୍ତୁକମାନଙ୍କ ପାଇଁ ମୁଁ ଆଜି ସେହିଠାରେ ବସି ପ୍ରବଚନ କରିବି ।

 

ଭୃତ୍ୟମାନଙ୍କୁ ଅପେକ୍ଷା କରିବାକୁ କହି ଅଙ୍ଗୁଳିମାଳା ଅଗ୍ରସର ହେଲେ । ଆମେ ତାଙ୍କର ପଛେ ପଛେ ଯାଉଥାଉ । ସମବେତ ଜନସମୂହ ଭିତରେ ବାଟକାଟି ସେ ଆମକୁ ମନ୍ଦିରର ପାବଚ୍ଛ ପାଖକୁ ନେଇଗଲେ ଓ ସେଠାରେ ଆମପାଇଁ ବସିବାର ଜାଗା କରିଦେଲେ ।

 

ସେଠାକୁ ଯାଇ ଆମେ ମନ୍ଦିର ପାହାଚ ଉପରେ ଆସନ ବିଛାଇଦେଲୁ, ମନ୍ଦିରର ପୁରୁଣା ସ୍ତମ୍ଭମାନଙ୍କରେ ଫୁଲର ମାଳା ଟଙ୍ଗାଇଦେଲୁ । ତା’ପରେ ମୁଁ ଓ ମେଦିନୀ ଗୋଟିଏ ଚାଙ୍ଗୁଡ଼ିରୁ ସୁନ୍ଦର ଗୋଲାପଫୁଲମାନ ନେଇ ପାଖୁଡ଼ାଗୁଡ଼ିକୁ ଆସନଉପରେ ସିଞ୍ଚିଦେଲୁ । ତାହାରିଉପରେ ଠିଆହୋଇ ହିଁ ତଥାଗତଙ୍କର ପ୍ରବଚନ କରିବାର ଥିଲା ।

 

ଇତ୍ୟବସରରେ ସମବେତ ଜନତା ଅର୍ଦ୍ଧବୃତ୍ତାକାର ହୋଇ ବସି ସାରିଥିଲେ । ବୈଦ୍ୟମାନେ ବାମପାଖକୁ, ଭିକ୍ଷୁ ଓ ଭିକ୍ଷୁଣୀମାନେ ମନ୍ଦିରର ଡ଼ାହାଣ ପାଖକୁ । ଅବଶିଷ୍ଟ ଲୋକେ ତରଳ ଘାସଉପରେ ଯାଇ ବସିଥିଲେ । ପାବଚ୍ଛଠାରୁ ଅନତିଦୂରରେ ଗୋଟିଏ ଭଙ୍ଗା ସମ୍ଭପାଖରେ ଆମେ ଆସନ ଗ୍ରହଣ କରିଥିଲୁ ।

 

ସେଠାରେ ସମବେତ ହୋଇଥିବା ଲୋକମାନଙ୍କର ସଂଖ୍ୟା ପାଞ୍ଚଶହରୁ କଦାପି କମ୍ ହେବନାହିଁ, ତଥାପି ସମସ୍ତେ ଅଦ୍ଭୁତ ଭାବରେ ନୀରବ ଓ ନିଶ୍ଚଳ ହୋଇ ବସିଥାନ୍ତି । କେଉଁଠୁହେଲେ ଗୋଟିଏ ହେଲେ ଶବ୍ଦ ଶୁଣାଯାଉ ନଥାଏ । କେବଳ ଅରଣ୍ୟଭିତରୁ ପତ୍ରଶାଖାର ମର୍ମରଶବ୍ଦ ଯାହା ଶୁଣାଯାଉଥାଏ, ସେତିକି ।

Image

 

୩୬

ବୁଦ୍ଧ ଓ କୃଷ୍ଣ

 

ବୃକ୍ଷମାନଙ୍କର ସେପାଖରୁ ଆସୁଥିବା ଅସ୍ତରତ ସୂର୍ଯ୍ୟର କିରଣଧାରାରେ ବନଭୂମି ପ୍ଲାବିତ ହୋଇ ରହିଥାଏ । ମନେହେଉଥାଏ, ଅରଣ୍ୟଭିତରେ ସମବେତ ହୋଇଥିବା ଏହି ଶ୍ରୋତୃମଣ୍ଡଳୀ ଉଦ୍ଦେଶ୍ୟରେ ଯେପରି ସୂର୍ଯ୍ୟ ଅଭିନନ୍ଦନ ଜଣାଇବାକୁ ଆସିଚି । ବୃକ୍ଷଶାଖାଉପରେ ରକ୍ତାଭ ମେଘଖଣ୍ଡମାନ ଭାସି ବୁଲୁଥାନ୍ତି, ନୀଳକାଶର କେତେଆଡ଼ୁ ମେଘଖଣ୍ଡମାନ ଉଡ଼ିଆସି ଏକାଠି ହେଉଥାନ୍ତି ।

 

ମୋର ସମ୍ମୁଖରେ ଥିବା ମନ୍ଦିରର ଅଟ୍ଟାଳିକାଟି ଆପଣାର କଳା ପଥରଗୁଡ଼ିକର ମୁଖଦେଇ ଏହି ଦିନଶେଷର କିରଣଧାରାକୁ ପାନ କରିବାରେ ଲାଗିଥାଏ, ତାହାକୁ ଦେଖି କୌଣସି ସ୍ଥବିର ବୃଦ୍ଧ ପୁନଃଯୌବନ ଲାଭ କରିବାର ମନ୍ଦିର ରସ ପାନ କରୁଥିବା ପରି ମନେହେଉଥାଏ । ଆରକ୍ତ ସ୍ୱର୍ଣ୍ଣାଭ ସୂର୍ଯ୍ୟକିରଣ ଓ ରକ୍ତବର୍ଣ୍ଣ ମେଘଖଣ୍ଡର ସ୍ପର୍ଶ ବାଜି ଯେପରି ମନ୍ଦିରର ଦେହଟି ଏକ ଅଦ୍ଭୁତ ଜୀବନରେ ସଂଜୀବିତ ହୋଇ ଉଠୁଥାଏ । ମନ୍ଦିରର ସର୍ବତ୍ର ଯେପରି କେଉଁ ମୂର୍ତ୍ତିରେ ଅନେକ ମୁଣ୍ଡ ଓ ଅନେକ ହାତ ରହିଥାଏ, କେଉଁ ମୂର୍ତ୍ତି କେବଳ କବନ୍ଧ ହୋଇ ପଡ଼ିଥାଏ, ଆଉ କେଉଁଠି ପାପୁଲି କଟିଯାଇଥିବା ବାହୁମାନ ଏକାଠି ଗଦାହୋଇ ରହିଥାଏ । କେଉଁଠି କେଉଁ ଦେବୀମୂର୍ତ୍ତି ଆନନ୍ଦ ମୁଖରେ ଓ ପ୍ରସନ୍ନ ନୟନରେ ଅନାଇ ରହିଥାନ୍ତି, ତାଙ୍କର ଅଧରଉପରେ ସ୍ମିତହାସ୍ୟର ରହସ୍ୟମୟ ଛଟା ଉଛୁଳି ଉଠୁଥାଏ । ଅସୁର, କିନ୍ନର ଓ ନାଗମାନଙ୍କର ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳୁଥାଏ, ହାତୀର ଶୁଣ୍ଡ, ଘୋଡ଼ାର ମୁଣ୍ଡ, ବୃଷଭ ଓ ହରିଣର ଶିଙ୍ଗ, ମଗରର ମୁହଁ, ବାନର ଓ ବ୍ୟାଘ୍ରର ନାନା ଅଙ୍ଗପ୍ରତ୍ୟଙ୍ଗମାନ ଆଖିଆଗରେ ନାଚିଯାଉଥାଏ ।

 

ଦିନେ ଏହିସବୁ ସ୍ଥପତିଚିତ୍ର ମନ୍ଦିରର ସମସ୍ତ ଶରୀରକୁ ମଣ୍ଡିତ କରି ରଖିଥିଲା । ଆଜି ମନେହେଲା, ସତେ ଯେପରି ଏହିସବୁ ମୂର୍ତ୍ତିର ଏକ ସମ୍ପୂର୍ଣ୍ଣ ସଂସାର ବର୍ତ୍ତମାନ ସେମାନଙ୍କର ପ୍ରସ୍ତରସୁପ୍ତି ତ୍ୟାଗ କରି ହଠାତ୍ ଜୀବନ ପାଇ ଉଠିଚନ୍ତି ଏବଂ ମନ୍ଦିରର ପାବଚ୍ଛ ଉପରେ ଦଣ୍ଡାୟମାନ ରହିଥିବା ମହାପୁରୁଷଙ୍କର ପ୍ରବଚନ ଶୁଣିବାଲାଗି ଉତ୍‍କର୍ଣ୍ଣ ହୋଇ ରହିଚନ୍ତି । ଏକ ପୀତବର୍ଣ୍ଣର ଉତ୍ତରୀୟରେ ତାଙ୍କର ଦେହର କାନ୍ତି ଝଲସି ଉଠୁଚି, ଏହି ବିପୁଳ ଜନସମୂହଦ୍ୱାରା ପରିବେଶ୍ଟିତ ହୋଇ ସେ ଆପଣାର ପ୍ରବଚନ ଆରମ୍ଭ କରିବାକୁ ଯାଉଚନ୍ତି । ମନେ ହେଉଚି ଯେପରି କେବଳ ସେହି ହେଉଚନ୍ତି ଯଥାର୍ଥ ଜୀବନର ଏକମାତ୍ର ପ୍ରତିନିଧି, ସ୍ୱପ୍ନମୟ ଅସ୍ଥିର ଜୀବନର ଜୀବନହୀନତା ଭିତରେ ଶାନ୍ତ ଜୀବନର ଏକମାତ୍ର ପ୍ରତୀକ ।

 

ସମବେତ ଶ୍ରୋତୃମଣ୍ଡଳୀ ଏଥର ଆଉରି ଅଧିକ ନୀରବ ହୋଇଆସିଲେ । ସେହି ନିସ୍ତବ୍ଧତା ଭିତରେ ଅରଣ୍ୟର ବୃକ୍ଷମାନେ ମଧ୍ୟ ପତ୍ରମର୍ମର ବନ୍ଦକରି ପ୍ରବଚନ ଶୁଣିବାକୁ ଏକାଗ୍ର ଚିତ୍ତରେ ଅନାଇ ରହିଲେ ବୋଲି ମୋର ମନେ ହେଲା ।

 

ଏହି ସମୟରେ ତଥାଗତ ଆପଣାର ପ୍ରବଚନ ଆରମ୍ଭ କଲେ ।

 

ଯେଉଁ ମନ୍ଦିରର ପାବଚ୍ଛ ଉପରେ ଠିଆହୋଇ ସେ ପ୍ରବଚନ ଦେଉଚନ୍ତି, ଆଜି ତାହାରି ବିଷୟରେ କହି ସେ ପ୍ରବଚନ ଆରମ୍ଭ କଲେ । ଏହି ମନ୍ଦିରରେ କେତେ ବର୍ଷ ହେଲା ଆମର ପୂର୍ବପୁରୁଷ କୃଷ୍ଣଙ୍କର ପୂଜା କରି ଆସିଚନ୍ତି । କୃଷ୍ଣଙ୍କର ବୀରୋଚିତ ଘଟଣାମୟ ଜୀବନଚରିତକୁ ଆପଣାର ମାନସପଟ ଉପରେ ଆଦର୍ଶ କରି ରଖି ସେମାନେ ଏହି ସଂସାରର ଜୀବନକୁ ସେହିପରି ସଫଳ ଓ ଘଟଣାମୁଖର କରିବେ ବୋଲି କେତେ କାମନା କରିଚନ୍ତି । କୃଷ୍ଣଙ୍କର ଦୟାରୁ ସଂସାରରେ ସୁଖୀ ହେବାପାଇଁ ଓ ମୃତ୍ୟୁଅନ୍ତେ ତାଙ୍କର ସୁଖମୟ ବୈକୁଣ୍ଠଭୁବନରେ ବାସ କରିବାପାଇଁ କେତେ ପ୍ରାର୍ଥନା ଜଣାଇଚନ୍ତି । ସେହିମାନଙ୍କର ବଂଶଧର ଆମେ ଆଜି ଜଣେ ପୂର୍ଣ୍ଣତ୍ୱପ୍ରାପ୍ତ ବୁଦ୍ଧଙ୍କର ମୁଖରୁ ସତ୍ୟର ସନ୍ଦେଶ ଶୁଣିବାଲାଗି ମଧ୍ୟ ଠିକ୍ ସେହିସ୍ଥାନରେ ଆସି ସମବେତ ହୋଇଚୁ; ଏକ ଶୁଦ୍ଧ ଜୀବନଯାପନ କରି ଓ ପରିଶେଷରେ ସକଳ ବାସନାରୁ ମୁକ୍ତ ହୋଇ ଦୁଃଖର ନିରାକରଣ କରିବାକୁ, ନିର୍ବାଣ ଲାଭ କରିବାକୁ ସମବେତ ହୋଇଚୁ । ଠିକ୍ ଯେଉଁଭଳି ତଥାଗତ ବୁଦ୍ଧ ସ୍ୱପ୍ନଚାରୀ ଦେବତାର କରଣିକୁ ସମ୍ପୂର୍ଣ୍ଣ କରିବାକୁ ଆସିଚନ୍ତି, ଠିକ୍ ସେହିପରି ଆମର ପୂର୍ବପୁରୁଷମାନେ ଏକ ବାଳକସୁଲଭ ଚପଳତାର ବଶବର୍ତ୍ତୀ ହୋଇ ସହସ୍ର ସଂଖ୍ୟାରେ ଏଠାକୁ ଆସି ଯାହା ଆରମ୍ଭ କରିଥିଲେ, ଆଜି ସେହିମାନଙ୍କର ବଂଶଧରରୂପେ ଆମେମାନେ ମଧ୍ୟ ତାହାକୁ ସମ୍ପୂର୍ଣ୍ଣ କରିବାକୁ ଆସିଚୁ ।

 

ସେ କହିଲେ–ମନ୍ଦିରର କାନ୍ଥକୁ ଚାହିଁଦେଖ । କେଉଁ ପୁରାତନ ସୁଦକ୍ଷ ଶିଳ୍ପୀ ସେଠାରେ କୃଷ୍ଣଙ୍କର ହାତୀ ସହିତ ଯୁଦ୍ଧ କରିବାର ଚିତ୍ରଟି ଅବିକଳ ଫୁଟାଇଦେଇ ଯାଇଚନ୍ତି–କହି ସେ ମୁଁ ବସିଥିବା ଜାଗାଠାରୁ ମାତ୍ର କେତେ ପହୁଣ୍ଡ ଦୂରରେ ଥିବା ଗୋଟିଏ ଶିଳାଶିଳ୍ପ ଆଡ଼କୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ପଥରମୁର୍ତ୍ତିଟି ସେଠାରେ ପଡ଼ିପଡ଼ି ପ୍ରାୟ ସବୁଜବର୍ଣ୍ଣ ଧାରଣ କରିଥିଲା-। ତଥାପି ଦିନଶେଷର ସୂର୍ଯ୍ୟାଲୋକ ପଡ଼ି ଫଳକଟି ଉପରେ ଖୋଦିତ ହୋଇଥିବା ଶିଳ୍ପ ବେଶ୍ ସ୍ପଷ୍ଟରୂପେ ଦୃଷ୍ଟିଗୋଚର ହେଉଥିଲା । ସେଥିରେ ଏକ ବାଳକମୂର୍ତ୍ତି ଆପଣାର ଗୋଡ଼କୁ ଗୋଟିଏ ହାତୀର ମୁଣ୍ଡଉପରେ ରଖି ତାହାକୁ ତଳକୁ ଚାପି ଦେଉଥିଲେ ଏବଂ ହାତୀର ଗୋଟିଏ ଦାନ୍ତକୁ ଭାଙ୍ଗି ଖଣ୍ଡଖଣ୍ଡ କରି ଦେଉଥିଲେ ।

 

ମଥୁରାର ଅତ୍ୟାଚାରୀ ରାଜା କଂସ କିପରି କୃଷ୍ଣଙ୍କୁ ଆପଣା ଦରବାରରେ ହେଉଥିବା ଏକ କ୍ରୀଡ଼ା ପ୍ରତିଯୋଗିତା ଦେଖିବାର ଛଳରେ ଭୁଲାଇ ଆଣିଥିଲା ଏବଂ ସବୁଠାରୁ ଦୁଷ୍ଟ ଗୋଟିଏ ହାତୀକୁ ଦ୍ୱାରଦେଶରେ ଛାଡ଼ିଦେବାକୁ କିପରି ମାହୁନ୍ତକୁ ଗୁପ୍ତ ନିର୍ଦ୍ଦେଶ ଦେଇ ରଖିଥିଲା, ତଥାଗତ ସେହିକଥା କହିବାକୁ ଲାଗିଲେ । କଂସର ମତଲବ ଥିଲା ଯେ ଅଜ୍ଞାନ ବାଳକ କୃଷ୍ଣ ଦରବାରର ପ୍ରବେଶଦ୍ୱାରରେ ଆସି ପହଞ୍ଚିବା ମାତ୍ରକେ ମତ୍ତହସ୍ତୀ ତାଙ୍କପାଖକୁ ଧାଇଁଆସିବ ଏବଂ ତାଙ୍କୁ ଗୋଡ଼ରେ ଦଳିଦେବ । କିନ୍ତୁ କୃଷ୍ଣ ଅଶେଷ ପରାକ୍ରମ ଦେଖାଇ ଏହି ଭୟଙ୍କର ହସ୍ତୀଟିକୁ ସଂହାର କରିଥିଲେ ଏବଂ ରାଜା କଂସକୁ ଅତିଶୟ ବିସ୍ମିତ କରି ରକ୍ତାକ୍ତ ଦେହରେ ହାତରେ ହସ୍ତୀର ଗୋଟିଏ ଦାନ୍ତକୁ ଧରି କ୍ରୀଡ଼ା ଭୂମିରେ ପ୍ରବେଶ କରିଥିଲେ ।

 

ତଥାଗତ କହିଲେ, ଥରେ ତାଙ୍କର ଶତ୍ରୁମାନେ ମଧ୍ୟ ତାଙ୍କୁ ମାରିବା ଉଦ୍ଦେଶ୍ୟରେ ସେହିପରି ଗୋଟିଏ ମତ୍ତହସ୍ତୀ ଛାଡ଼ି ଦେଇଥିଲେ ଏବଂ ପାଗଳା ହୋଇ ଆଗକୁ ଚମକି ଆସୁଥିବା ଏହି ଭୀଷଣ ଜନ୍ତୁଟିକୁ ଦେଖିବା ମାତ୍ରକେ ତଥାଗତଙ୍କର ମନରେ କରୁଣାର ଉଦ୍ରେକ ହୋଇଥିଲା । କାରଣ ଆଗରୁ ହସ୍ତୀର କାନ୍ଧରେ ବର୍ଚ୍ଛାର ଆଘାତ ବାଜି କ୍ଷତଗୁଡ଼ିକରୁ ରକ୍ତ ବୋହିବାରେ ଲାଗିଥିଲା-। କିନ୍ତୁ ଏଡ଼େ ଅତିକାୟ ଓ ଏଡ଼େ ସାହସୀ ଜନ୍ତୁ ଏହି ହାତୀ, ମାତ୍ର ମୁଣ୍ଡରେ ବୋଧଶକ୍ତିର ଅଭାବ ଥିବାରୁ ତାହାକୁ ଦୁଷ୍ଟ ମନୁଷ୍ୟମାନଙ୍କର ନୃଶଂସତାର ଶିକାର ହେବାକୁ ପଡ଼ୁଥିଲା, ଯାହାଫଳରେ କି ସେ ପାଗଳ ହୋଇ ବର୍ତ୍ତମାନ ଜଣେ ବୁଦ୍ଧଙ୍କୁ ମଧ୍ୟ ସଂହାର କରିବାକୁ ଯାଉଥିଲା, ଏହି ଅଜ୍ଞାନ ଜନ୍ତୁର ଦୁଃଖପୂର୍ଣ୍ଣ ଶୋଚନୀୟ ଦଶା ଦେଖି ତଥାଗତ ଦୟାରେ ଆହୁରି ଅଧିକ ବିଗଳିତ ହୋଇପଡ଼ିଲେ । ଏହି ବନ୍ୟ ଜନ୍ତୁଟି ହୁଏତ ଅଗଣିତ କେତେ ଜନ୍ମ ପାର ହୋଇ କେବେ ମନୁଷ୍ୟଯୋନିରେ ଜନ୍ମଲାଭ କରିବ ଏବଂ ତା’ପରେ ଯାଇ ନିର୍ବାଣମାର୍ଗର ସନ୍ଧାନ ପାଇବ-! ହସ୍ତୀଟିର ଦୁର୍ଦ୍ଦଶା ଚିନ୍ତାକରି ତଥାଗତ ଏପରି କରୁଣାର୍ଦ୍ର ହୋଇପଡ଼ିଲେ ଯେ ହସ୍ତୀପ୍ରତି ତାଙ୍କର ହୃଦୟରେ ଆଉ ଭୟର ଲେଶମାତ୍ର ରହିଲାନାହିଁ, ତାଙ୍କର ଆପଣା ଉପରକୁ ଆସନ୍ନ ବିପଦ ବିଷୟରେ ତାଙ୍କ ମନରେ ଆଉ କୌଣସି ଖିଆଲ ସୁଦ୍ଧା ରହିଲାନାହିଁ । ସେ ମନେମନେ ଭାବିବାକୁ ଲାଗିଲେ–ଯଦି ମୁଁ ଏହି ଘନୀଭୂତ ଅନ୍ଧକାର ଭିତରେ ଏକ କ୍ଷୀଣତମ ଆଲୋକରେଖା ନିକ୍ଷେପ କରିପାନନ୍ତି, ତେବେ ସେଥିରୁ ଏକ ଆଲୋକକୋଷ ଜନ୍ମଲାଭ କରି କ୍ରମେ ବୃଦ୍ଧି ପାଇବାକୁ ଲାଗନ୍ତି, ତେବେ ସେଥିରୁ ଏକ ଆଲୋକକୋଷ ଜନ୍ମଲାଭ କରି କ୍ରମେ ବୃଦ୍ଧି ପାଇବାକୁ ଲାଗନ୍ତି । ଏହି ପ୍ରାଣୀଟି ସେହି ଏକ ଆଲୋକକୋଷ ଅନୁସରଣ କରି ଜନ୍ମପରେ ଜନ୍ମ ପାରହୋଇ ମାନବଜନ୍ମରେ ଉପନୀତ ହୋଇପାରନ୍ତା ଏବଂ ତା’ହେଲେ ଆଜି ଏହି ହସ୍ତୀ ଯେଉଁ ତଥାଗତଙ୍କୁ ସଂହାର କରିବାକୁ ଆସିଚି, ସେ ମନୁଷ୍ୟ ହୋଇ ତାଙ୍କରି ଉପଦେଶ ଶ୍ରବଣ କରିବାର ସୌଭାଗ୍ୟ ଲାଭକରି ପାରନ୍ତା ଏବଂ ଏହି ଉପଦେଶ ବଳରେ ସେ ନିର୍ବାଣପ୍ରାପ୍ତି ଅଭିମୁଖରେ ନିଶ୍ଚୟ ଅଗ୍ରସର ହୋଇ ପାରନ୍ତା ।

 

ଏହିପରି ଭାବନାରେ ନିମଗ୍ନ ହୋଇ ତଥାଗତ ମଝି ରାସ୍ତାରେ ଠିଆ ହୋଇ ରହିଲେ, ଅତି ଶାନ୍ତ ଭାବରେ ଆପଣାର ହସ୍ତ ଉତ୍ତୋଳନ କଲେ ଏବଂ ଶ୍ରଦ୍ଧାନତ ନୟନରେ ଏହି ଉନ୍ମତ୍ତ ପ୍ରାଣୀଉପରେ ଦୃଷ୍ଟିପାତ କରିବାକୁ ଲାଗିଲେ । ତାଙ୍କର ମଧୁର କଣ୍ଠରୁ ନିଃସୃତ ହେଉଥିବା କୋମଳ ଶବ୍ଦମାନ ହସ୍ତୀର ହୃଦୟକୁ ସ୍ପର୍ଶ କଲା । ଏହାପରେ ଅତିକାୟ ଜନ୍ତୁଟି ଧାଇଁବା ବନ୍ଦକରି ଆପଣାର ପର୍ବତସମାନ ମସ୍ତକଟିକୁ ବଡ଼ ସନ୍ଦିଗ୍ଧ ଭାବରେ ଏଣେତେଣେ ବୁଲାଇବାକୁ ଲାଗିଲା ଏବଂ ବୃହିଂତ ପରିବର୍ତ୍ତରେ ଏକପ୍ରକାର ଭୟଙ୍କର ତୂରୀଶବ୍ଦ କରିବାକୁ ଲାଗିଲା । ତା’ପରେ ସତେଅବା କାହାକୁ ଖୋଜୁଥିଲାପରି ସେ ଆପଣାର ଶୁଣ୍ଢଟିକୁ ଚାରିଆଡ଼କୁ ବୁଲାଇଲା । ସେତେବେଳେ ତାକୁ ଦେଖି ମନେହେଉଥାଏ ଯେପରି ଲୁକ୍କାୟିତ ଶତ୍ରୁର ସନ୍ଧାନ ପାଇନପାରି କୌଣସି ବନ୍ୟହସ୍ତୀ ଅରଣ୍ୟରେ ଆଉ ଏକ ସୁଯୋଗଲାଗି ଅପେକ୍ଷା କରି ଠିଆ ହୋଇଚି । ତା’ପରେ ସେ ଅତିଧୀର ପଦକ୍ଷେପରେ ତଥାଗତଙ୍କର ସମୀପବର୍ତ୍ତୀ ହେଲା ଏବଂ କେତେ ପାହୁଣ୍ଡ ଦରୂରେ ଥାଇ ସେହିଠାରେ ଆଣ୍ଠୁଭାଙ୍ଗି ବସିରହିଲା । ଆପଣାର ମାଲିକକୁ ପିଠିରେ ବସାଇବା ପୂର୍ବରୁ ସେ ଯେପରି କରୁଥିଲା, ଠିକ୍ ସେହିପରି । ଏବଂ, ଏହି ଅନୁଗତ ହସ୍ତୀଉପରେ ଆରୋହଣ କରି ତଥାଗତ ସେଦିନ ଯେଉଁ ଉପବନରେ ଅବସ୍ଥାନ କରିବା କଥା, ସେହିଠାରେ ଆସି ପହଞ୍ଚିଲେ । ତାଙ୍କର ଶତ୍ରୁମାନେ ତାଙ୍କର ଏହି ବିଜୟରେ ଅତିଶୟ ଲଜ୍ଜିତ ହୋଇପଡ଼ିଥିଲେ ।

 

ତୁଳନାଟିର ଉପସଂହାର କରି ବୁଦ୍ଧ କହିଲେ–ଠିକ୍ ଏହିପରି ଭାବରେ ତଥାଗତ ମଧ୍ୟ କୃଷ୍ଣଙ୍କ ପରି ମତ୍ତହସ୍ତୀର ସମ୍ମୁଖୀନ ହୋଇଥିଲେ, ତାହାର ହୃଦୟ ପରିବର୍ତ୍ତନ କରିଥିଲେ ଓ ତାହାକୁ ପରିପୂର୍ଣ୍ଣ କରିଥିଲେ ।

 

ଏହି ପ୍ରବଚନଟି ଶୁଣିବା ସମୟରେ ମୁଁ ବାରବାର ଅଙ୍ଗୁଳିମାଳା ବିଷୟରେ ଚିନ୍ତା କରୁଥିଲି । ତାହାଠାରୁ ଅଧିକ ହିଂସ୍ର ଓ ଅଧିକ ପାଶବିକ ଆଚରଣ ଏ ସଂସାରରେ ଆଉ କାହାର ହୋଇପାରେ ? କାଲିକା କଥାପରି ମନେହେଉଚି, ସିଏ ମଧ୍ୟ ସ୍ୱୟଂ ବୁଦ୍ଧଙ୍କର ପ୍ରାଣ ନେବବୋଲି ପ୍ରସ୍ତୁତ ହୋଇ ବାହାରିଥିଲା । କିନ୍ତୁ ତାହାର ମଧ୍ୟ ହୃଦୟ ପରିବର୍ତ୍ତନ ହେଲା, ସେ ମଧ୍ୟ ପୋଷା ମାନିଲା, ବୁଦ୍ଧ ବ୍ୟକ୍ତିତ୍ୱର ଅପ୍ରତିରୋଧ୍ୟ ଶକ୍ତିଦ୍ୱାରା ସେ ମଧ୍ୟ ଧର୍ମରେ ଦୀକ୍ଷିତ ହୋଇପାରିଲା । ସେହି ଅଙ୍ଗୁଳିମାଳା ଆଜି ଅନ୍ୟ ରୂପରେ ଭିକ୍ଷୁ ଗହଣରେ ବସିଚି ! ଅନ୍ୟ ଭିକ୍ଷୁମାନଙ୍କଠାରୁ ତାକୁ ଅଲଗା କରି ଚିହ୍ନିବାକୁ ମଧ୍ୟ କୌଣସି ଉପାୟ ନାହିଁ । ମୁଁ ମଧ୍ୟ ବର୍ତ୍ତମାନ ଠିକ୍ ସେହିପରି ଅନୁଭବ କରୁଚି । ମୋର ମନେହେଉଚି ତଥାଗତ ଯେପରି ଖାସ୍ ମୋତେ ହିଁ ସମ୍ବୋଧନ କରି ଏହିସବୁ ପ୍ରବଚନ କରୁଚନ୍ତି, ଭିକ୍ଷୁ ସଘଂରେ ବାହାରେ ଥିବା ଲୋକମାନଙ୍କୁ ସମ୍ବୋଧନ କରି କହୁଚନ୍ତି, ଯିଏ ଏହିସବୁ ବିଷୟରେ କିଞ୍ଚିତ୍ ଜ୍ଞାନ ଅର୍ଜନ କରିଚି ଓ ପ୍ରବଚନର ଗୂଢ଼ ମର୍ମ ବୁଝିବାର ଶକ୍ତି ଯାହାର ଅଛି, ତାହାକୁ ହିଁ ସମ୍ବୋଧନ କରି କହୁଚନ୍ତି ।

 

ଆମର ପୂର୍ବପୁରୁଷମାନେ କୃଷ୍ଣଙ୍କୁ ଷୋଳସହସ୍ର ଗୋପୀଙ୍କର ସ୍ୱାମୀ ରୂପରେ ମଧ୍ୟ ପୂଜା କରି ଆସିଚନ୍ତି, ତଥାଗତ ବର୍ତ୍ତମାନ ସେହି ବିଷୟଟି ଚର୍ଚ୍ଚା କରୁଥିଲେ । ମୁଁ ଭାବିଲି ଏହି ବିଷୟଟିର ମଧ୍ୟ ମୋ’ର ଜୀବନପ୍ରତି ନିଶ୍ଚୟ କୌଣସି ପରୋକ୍ଷ ଆବେଦନ ରହିଚି । କୃଷ୍ଣ କିପରି ଏହି ଗୋପୀମାନଙ୍କୁ ଅସୁରରାଜ ନାରକର ପ୍ରାସାଦରୁ ନେଇ ଆସିଥିଲେ ଏବଂ ସେମାନଙ୍କର ସ୍ୱାମୀ ହୋଇ ରହିଲେ, ଈଷତ୍ ବ୍ୟଙ୍ଗଭାବ ପ୍ରକାଶ କରି ତଥାଗତ ସେହି ଉପାଖ୍ୟାନଟି ବର୍ଣ୍ଣନା କରିଥିଲେ-। ପୁରାଣରେ କଥିତ ଅଛି ଯେ ଦିନେ କୃଷ୍ଣ ଏକାବେଳେକେ ଷୋଳସହସ୍ର ଗୋପୀଙ୍କ ସହିତ କେଳି କରିବାକୁ ମନ ବଳାଇଥିଲେ ଏବଂ ମାୟା ଭିଆଇ ପ୍ରତ୍ୟେକ ଗୋପୀର ଆଖିକୁ ତାହାର ଆପଣାର ବଲ୍ଲଭରୂପରେ ଦେଖାଦେବାକୁ ଲାଗିଲେ । କିନ୍ତୁ ତାଙ୍କର ନାୟିକାମାନଙ୍କର ସଂଖ୍ୟା ଷୋଳସହସ୍ର ଥିବାରୁ ଭଗବାନ ଷୋଳସହସ୍ର ନାୟକଙ୍କର ଶରୀର ଧାରଣ କଲେ, ‘ଆଜି ଭଗବାନ କେବଳ ମୋତେ ତାଙ୍କର ନାୟିକାରୂପେ ଗ୍ରହଣ କରିଚନ୍ତି’–ପ୍ରତ୍ୟେକ ଗୋପୀ ଏହିପରି ଭାବିବାକୁ ଲାଗିଲେ-

 

ତଥାଗତ କହୁଥାନ୍ତି–କିନ୍ତୁ ମୁଁ ଯେତେବେଳେ ଧର୍ମର ପ୍ରବଚନ କରେ ଏବଂ ମୋର ସମ୍ମୁଖରେ ସ୍ତ୍ରୀପୁରୁଷ ନିର୍ବିଶେଷରେ ଶତଶତ ଭିକ୍ଷୁ, ଭିକ୍ଷୁଣୀ ଓ ବୈଦ୍ୟମାନେ ବସି ସେହି ପ୍ରବଚନ ଶ୍ରବଣ କରୁଥାନ୍ତି, ସେତେବେଳେ ଶ୍ରୋତୃମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରନ୍ତି ଯେପରି ସନ୍ନ୍ୟାସୀ ଗୌତମ କେବଳ ତାହାଙ୍କୁ ହିଁ ତାଙ୍କର ଧର୍ମୋପଦେଶମାନ ଦେଉଚନ୍ତି । ଆପଣାର ଆତ୍ମଶକ୍ତିକୁ ମୁଁ ପ୍ରତ୍ୟେକ ଶାନ୍ତିକାମୀ ଶ୍ରୋତାଙ୍କ ଲାଗି ଉଦ୍ଦିଷ୍ଟ କରି ରଖିଥାଏ, ତାହାଙ୍କର ଅଶାନ୍ତ ଚିତ୍ତକୁ ଶାନ୍ତ କରେ, ତାଙ୍କର ବିକ୍ଷିପ୍ତ ହୃଦୟକୁ ଏକତ୍ର ଓ ସ୍ଥିର କରେ, ତାହାଙ୍କର ମନକୁ ଦୃଢ଼ କରେ ଏବଂ ଏହିପରି ଭାବରେ ହିଁ ମୁଁ ଷୋଳସହସ୍ର ଗୋପୀଙ୍କ ସହିତ କୃଷ୍ଣ କରିଥିବା ଲୀଳାର ପୁନରଭିନୟ କରିଥାଏ, ଏହି ଲୀଳାକୁ ପିରଶୁଦ୍ଧ କରେ ଓ ପରିପୂର୍ଣ୍ଣ କରିଦିଏ ।

 

ମୁଁ ଭାବୁଥାଏ, ତଥାଗତ ସତେଅବା ମୋର ମନର କଥା ଜାଣି ଏସବୁ କହୁଚନ୍ତି। ମୁଁ ଏଡ଼େବଡ଼ ଲୋକର ପତ୍ନୀ ବା ଏଡ଼େବଡ଼ ଘରର ବୋହୂ ବୋଲି ଯେପରି ମୋ’ର ମନରେ କୌଣସି ପ୍ରକାର ହାନିକାରକ ବୃଥା ଦମ୍ଭର ଉଦୟ ନହୁଏ, ସତେ ଯେପରି ତଥାଗତ ମୋତେ ଏଥିଲାଗି ସତର୍କ କରି ଦେଉଚନ୍ତି ।

 

ବୁଦ୍ଧ ପୁଣି କହିଲେ–କୃଷ୍ଣ ହେଉଚନ୍ତି ସ୍ୱୟଂ ପରମେଶ୍ୱର, ସେ ଏହି ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତା । ତଥାପି ପ୍ରାଣୀମାନଙ୍କର ଉଦ୍ଧାର ଲାଗି କରୁଣା ବିଗଳିତ ହୋଇ ସେ ବୈକୁଣ୍ଠପୁର ଛାଡ଼ି ଆପଣାର ଗୋଟିଏ ଅଂଶକୁ ମନୁଷ୍ୟ ସମାଜରେ ମନୁଷ୍ୟ ରୂପରେ ଅବତୀର୍ଣ୍ଣ କରାଇଥିଲେ । ଆମର ପୂର୍ବପୁରୁଷମାନେ ଚିରଦିନ ଏହିକଥା ବିଶ୍ୱାସ କରି ଆସିଚନ୍ତି । କିନ୍ତୁ ବୋଧିପ୍ରାପ୍ତ ହେବା ପୂର୍ବରୁ ତଥାଗତଙ୍କୁ ଅନେକ କାଳ ଧରି ନାନା ସଂଗ୍ରାମର ସମ୍ମୁଖୀନ ହେବାକୁ ହୋଇଚି । ଅକ୍ଷୟ କଲ୍ୟାଣମୟ ନିର୍ବାଣ ଲାଭ କରିବା ପରେ ତଜ୍ଜନିତ ଶାନ୍ତିର ପୂର୍ଣ୍ଣ ଉପଭୋଗ କରିବାକୁ ଏବଂ ଅନ୍ୟମାନଙ୍କ ପାଇଁ ଧର୍ମଚକ୍ରର ପ୍ରବର୍ତ୍ତନ ନ କରିବାକୁ ସେ ଏକ ପ୍ରଲୋଭନ ମଧ୍ୟ ଅନୁଭବ କରିଚନ୍ତି । ମୁଁ ଭାବିଲି–‘‘ଏହି ସଂସାର ନାନା ଉପଭୋଗର ଲାଳସାରେ ଜର୍ଜର ଓ ପୀଡ଼ିତ ହୋଇ ରହିଚି; ସମସ୍ତପ୍ରକାର ଜନ୍ମରୁ ମୁକ୍ତିଲାଭ କରିବା, ସମସ୍ତପ୍ରକାର ତୃଷ୍ଣାର ନିର୍ବାପନ କରିବା, ଏହି ଅଧୋଗତ ବିକ୍ଷେପିତ ଜୀବନର ଉଦ୍ଧାର କରିବା–ଏହିସବୁ ଉପଦେଶର ଅର୍ଥ ହୃଦୟଙ୍ଗମ କରିପାରିବା ଲାଗି ଏହି ସଂସାରର ସାମର୍ଥ୍ୟ କାହିଁ ? ଏମାନଙ୍କ ଆଗରେ ଉପଦେଶ ଦେଲେ କେବଳ ଉପଦେଶର ଅପମାନ କରିବାର ଦୁଃଖ ହିଁ ମୋତେ ଭୋଗିବାକୁ ପଡ଼ିବ । ଏହିପରି ଭାବି ମୁଁ ଧର୍ମପ୍ରଚାର ନ କରିବାକୁ ମନସ୍ଥ କରିଥିଲି । ଏବଂ ପୁଣି ଶେଷଥର ପାଇଁ ମୁଁ ମୋର ସଂବୁଦ୍ଧ ଦୃଷ୍ଟିରେ ସଂସାରଆଡ଼କୁ ଅନାଇ ଦେଖିବାକୁ ଲାଗିଲି । ଯେକୌଣସି ପଦ୍ମପୋଖରୀକୁ ଗଲେ ଆମେ କଣ ଦେଖିବାକୁ ପାଇବା ? ଆମେ ଦେଖିବା, କେତେକ ପଦ୍ମକଢ଼ ପାଣିଭିତରେ ରହି ବଢ଼ୁଚନ୍ତି, କିନ୍ତୁ ତଥାପି ଏପର୍ଯ୍ୟନ୍ତ ପାଣିତଳେ ରହିଚନ୍ତି; ଆଉ କେତେକ ଠିକ୍ ଜଳସମତଳ ପର୍ଯ୍ୟନ୍ତ ଆସି ସେହିଠାରେ ସନ୍ତରଣ କରିବାରେ ଲାଗିଚନ୍ତି, ପୁଣି ଆଉ କେତେକ ଜଳସମତଳରୁ ଉପରକୁ ମୁଖ ଟେକି ଠିଆହୋଇ ରହିଚନ୍ତି । ଜଳ ସେମାନଙ୍କୁ ଆଦୌ ସ୍ପର୍ଶ କରି ପାରୁନାହିଁ । ସଂସାରରେ ମଧ୍ୟ ଆମେ ଠିକ୍ ଏହିପରି ତିନି ଅବସ୍ଥାର ମନୁଷ୍ୟ ଦେଖିବାକୁ ପାଇବା । ଏଠାରେ କେତେକ ମନୁଷ୍ୟ ସମ୍ପୂର୍ଣ୍ଣ ଡାମରା ପ୍ରକୃତିର, ଆହୁରି କେତେକ କିଞ୍ଚିତ୍ ସାତ୍ତ୍ୱିକ ପ୍ରକୃତିର ଏବଂ ପୁଣି ଆହୁରି କେତେକ ଅଧିକ ସାତ୍ତ୍ୱିକ ପ୍ରକୃତିର । ଏଣୁ ମୁଁ ଭାବିଲି, ଯଦି ଏମାନେ ଧର୍ମ ଉପଦେଶ ଶୁଣିବାକୁ ନପାଇବେ, ତେବେ ଏମାନଙ୍କର ପରିତ୍ରାଣ ଆଦୌ ସମ୍ଭବ ହୋଇ ପାରିବନାହିଁ । ଏହିମାନେ ନିଶ୍ଚୟ ଧର୍ମୋପଦେଶର ମର୍ମ ବୁଝିପାରିବେ । ଏବଂ ସଂସାରର ପ୍ରାଣୀମାନଙ୍କ ପ୍ରତି କରୁଣାରେ ବିଗଳିତ ହୋଇ ମୁଁ ଅନ୍ତତଃ ବର୍ତ୍ତମାନ ପାଇଁ ନିର୍ବାଣଜନିତ ଶାନ୍ତି ଉପଭୋଗ କରିବାରୁ କ୍ଷାନ୍ତ ହେଲି ଏବଂ ସଂସାରର କଲ୍ୟାଣ ଲାଗି ଧର୍ମଚକ୍ର ପ୍ରବର୍ତ୍ତନ କରିବାକୁ ନିଷ୍ପତ୍ତି କଲି ।

 

ଠିକ୍ କୃଷ୍ଣ ଯେପରି ଆପଣାର ବୈକୁଣ୍ଠନିବାସ ଛାଡ଼ି ସଂସାରକୁ ଅବତରଣ କରିଥିଲେ ଓ ମନୁଷ୍ୟଜନ୍ମ ଗ୍ରହଣ କରିଥିଲେ, ତଥାଗତ ବୁଦ୍ଧ ମଧ୍ୟ ସେହିପରି ଅବତରଣ କରନ୍ତି, ଏହି ଅବତାରର ମର୍ମ ଘୋଷଣା କରନ୍ତି ଓ ଏହାକୁ ପରିପୂର୍ଣ୍ଣ କରନ୍ତି ।

 

ଏହିସବୁ ଶୁଣି ମୁଁ ଆପଣାର ହୃଦୟ ଭିତରେ ଏକ ଅନିର୍ବଚନୀୟ ଆନନ୍ଦ ଅନୁଭବ କରିବାକୁ ଲାଗିଲି । ମୁଁ ଭାବିଲି ଯେ ବୁଦ୍ଧ ମୋତେ ଜଳସମତଳ ପର୍ଯ୍ୟନ୍ତ ଆସି ପହଞ୍ଚିଥିବା ପଦ୍ମକଢ଼ ସହିତ ତୁଳନା କରୁଚନ୍ତି । ତାଙ୍କରି ସାହାଯ୍ୟରେ ମୁଁ ନିଶ୍ଚୟ ଉପରକୁ ଉଠିଯାଇ ପାରିବି ଏବଂ ଭୌତିକ ଜୀବନର ଧୂଳିମଳିନତାକୁ ମୁକ୍ତ ହୋଇ ଠିଆହୋଇ ପାରିବି ।

 

କୃଷ୍ଣ ଆପଣାର ବୀରତ୍ୱ ଓ ପରାକ୍ରମଦ୍ୱାରା ଜଗତକୁ ରାକ୍ଷସ ଏବଂ ଦୁଷ୍ଟ ଶାସକମାନଙ୍କର ଦୌରାତ୍ମ୍ୟରୁ ମୁକ୍ତ କରିଚନ୍ତି ବୋଲି ଯେଉଁସବୁ କାହାଣୀ ପ୍ରଚଳିତ ଅଛି, ଏଥର ତଥାଗତ ତାହାରି ବିଷୟରେ କହିବାକୁ ଆରମ୍ଭ କଲେ । କାଳିନ୍ଦୀଜଳରେ କୃଷ୍ଣ କାଳୀୟଦମନ କରିଚନ୍ତି, ଅଘା ଓ ବକାସୁରକୁ ବଧ କରିଚନ୍ତି, ଧେନୁକ ଓ ରାକ୍ଷସରାଜ ନାରକର ଗର୍ବ ଚୂର୍ଣ୍ଣ କରିଚନ୍ତି, କଂସ, ଲୌଣ୍ଡ୍ରକ ଓ ଆହୁରି କେତେ ଦୁଷ୍ଟ ରାଜାମାନଙ୍କୁ ପରାଭୂତ କରିଚନ୍ତି, ନିରାଶ୍ରୟ ପ୍ରପୀଡ଼ିତ ପ୍ରଜାଙ୍କର ଆତଙ୍କ ଦୂର କରିଚନ୍ତି ଏବଂ ଏହିପରି ନାନା ଭାବରେ ମନୁଷ୍ୟ ସଂସାରର ଦୁଃଖଭାର ଲଘୁ କରି ଦେଇଚନ୍ତି । କିନ୍ତୁ ତଥାଗତ କୌଣସି ବାହ୍ୟଶତ୍ରୁ ସହିତ କୌଣସି ଯୁଦ୍ଧ କରି ନାହାନ୍ତି । ମଣିଷର ମନଭିତରେ ରହି ଯେଉଁସବୁ ପ୍ରବଳ ଦୈତ୍ୟ ମଣିଷକୁ ଯାତନା ଦେବାରେ ଲାଗିଚନ୍ତି ଅର୍ଥାତ୍ ବାସନା, ବିଦ୍ୱେଷ, ଉନ୍ମତ୍ତତା, ସ୍ୱାର୍ଥପରତା ଏବଂ ଅଳୀକ କ୍ଷଣସ୍ଥାୟୀ ସୁଖ ଓ ସମ୍ଭୋଗର ତୃଷ୍ଣା ପ୍ରଭୃତି ଦୈତ୍ୟଙ୍କ ବିରୁଦ୍ଧରେ ହିଁ ସେ ସଂଗ୍ରାମ ଘୋଷଣା କରିଚନ୍ତି । ମଣିଷକୁ ସେ ଏ ଦୁଃଖରୁ ବା ସେ ଦୁଃଖରୁ ଉଦ୍ଧାର ନକରି ଦୁଃଖର ନିଦାନକୁ ହିଁ ସମୂଳେ ଉତ୍ପାଟିତ କରିଚନ୍ତି ।

 

ଏହାପରେ ତଥାଗତ ଦୁଃଖ ବିଷୟରେ କହିଲେ । ମଣିଷର ଜୀବନରେ ଦୁଃଖ ସବୁବେଳେ ଲାଗି ରହିଚି, ଜୀବନର ପଛେପଛେ ଏହା ନିରନ୍ତର ଛାୟାପରି ହୋଇ ରହିଚି । ମୋର ମନେହେଲା, ସତେ ଯେପରି କାହାର ଉଦାର ସକରୁଣ ହାତ ଆସି ମୋର ହୃଦୟକୁ ସ୍ପର୍ଶ କଲା ଏବଂ ପ୍ରେମଜନିତ ମୋର ସମସ୍ତ ଦୁଃଖ ଓ ଯନ୍ତ୍ରଣାକୁ କାଢ଼ିନେଇ ସେହି ବିରାଟ ଦୁଃଖସ୍ତୁପ ଉପରକୁ ଫିଙ୍ଗିଦେଲା, ସେହି ସ୍ତୂପରେ ପଡ଼ି ମୋର ଦୁଃଖ ମୋର ଦୃଷ୍ଟିରୁ ଏକାବେଳେକେ ଅଦୃଶ୍ୟ ହୋଇଗଲା । ମୋର ଅନ୍ତର୍ମନର ଅତିଗଭୀର ସ୍ତରରେ ମୁଁ ଅନୁଭବ କଲି ଯେ ଯେଉଁଠି ସମସ୍ତେ କେବଳ ଦୁଃଖ ହିଁ ବୋଧ କରୁଚନ୍ତି, ସେଠି ମୋ’ପକ୍ଷରେ ଅକ୍ଷର ସୁଖର କାମନା କରିବା ହିଁ ବୃଥା । ମୁଁ ମୋ’ ଜୀବନରେ ସୁଖର ସ୍ୱାଦ ପାଇସାରିଚି, ଏହି ସୁଖ କେଉଁଦିନୁଁ ଆବିର୍ଭୂତ ଓ ବିକଶିତ ହୋଇ ପୁଣି କେଉଁଦିନୁଁ ମୋତେ ଛାଡ଼ି ଚାଲିଯାଇଚି । ସ୍ୱୟଂ ବୁଦ୍ଧ ମଧ୍ୟ ଠିକ୍ ଏହିପରି ଉପଦେଶ ଦେଉଥିଲେ । ସେ କହୁଥିଲେ, ସଂସାରରେ ଉତ୍ପନ୍ନ ହେଉଥିବା ସକଳ ପଦାର୍ଥର କୌଣସି-ନା-କୌଣସି କାରଣ ଅବଶ୍ୟ ରହିଚି, ସେଗୁଡ଼ିକ କିଛି ସମୟ ପାଇଁ ଏହି ସଂସାରରେ ରହୁଚି, କିଏ ଅଳ୍ପ ସମୟପାଇଁ ରହୁଚି, କିଏ ବା ଟିକିଏ ଅଧିକ ସମୟପାଇଁ ରହୁଚି, କିନ୍ତୁ ଆପଣାର ସମୟ ଶେଷ ହେଲେ ସବୁ ଅନ୍ତର୍ହିତ ହୋଇଯାଉଚି ଏବଂ ଏହି କ୍ଷଣଭଙ୍ଗୁରତା ହିଁ ପ୍ରତ୍ୟେକ ପଦାର୍ଥର ଅସତ୍ୟତା ଓ ନିଃସାରତାକୁ ପ୍ରମାଣିତ କରୁଚି । ଏହି ଭଙ୍ଗୁରତା ହିଁ ସକଳ ଦୁଃଖର କାରଣ । ଯେପର୍ଯ୍ୟନ୍ତ ଜୀବନର ତୃଷ୍ଣା ସମୂଳେ ନିରାକୃତ ହୋଇନାହିଁ, ଯେପର୍ଯ୍ୟନ୍ତ ଆମକୁ ଦୁଃଖଭୋଗ କରିବାକୁ ହିଁ ପଡ଼ିବ । ମୁଁ ଭାବିଲି, ଯେଉଁମାନେ ସଂସାରର ବାସନା ନେଇ ଏହି ସଂସାରରେ ଜୀବନଧାରଣ କରିଚନ୍ତି, ସଂସାରର ଦୁଃଖସ୍ତୂପରେ ସେମାନଙ୍କର ସବୁରି ଭାଗ ଅବଶ୍ୟ ରହିଚି । ଯଦି ମୁଁ ଏଇ ଦୁଃଖର ଯନ୍ତ୍ରଣାରୁ ନିଷ୍କୃତି ପାଇଚି, ମାତ୍ର ଯଦି ତଥାପି ଏହି ଦୁଃଖଭାର ବହନ କରିବାର ଏକ ବାସନା ଏପର୍ଯ୍ୟନ୍ତ ମୋ’ଭିତରେ ଜୀବିତ ରହିଚି, ତେବେ ମୋତେ ସଂସାରର ଦୁଃଖର ଦୁଇଗୁଣ ଭାଗୀହେବାକୁ ପଡ଼ିବ । ତେଣୁ ଆପଣା ଦୁଃଖର ଭାର ସକାଶେ ରୋଦନ କଲେ ଆଉ କୌଣସି ଲାଭ ନାହିଁ । ତଥାଗତଙ୍କର ବାଣୀରେ ମୋର ହୃଦୟରେ ଏହିପ୍ରକାର ଭାବନା ଜାଗୃତ ହେବାକୁ ଲାଗିଲା; କିନ୍ତୁ ପ୍ରାଣୀମାନଙ୍କୁ ଆଉ ଦୁଃଖଭୋଗ କରିବାକୁ ପଡ଼ିବନାହିଁ, ଏହି ପବିତ୍ର ପୁରୁଷ ଆପଣାର ପରିତ୍ରାଣ-ସନ୍ଦେଶ ଦ୍ୱାରା ମନୁଷ୍ୟର ହୃଦୟକୁ ଏପରି ପରିବର୍ତ୍ତିତ କରିଦେବେ ଯେ ଏହି ସଂସାରରେ ସମସ୍ତଙ୍କର ଚୈତନ୍ୟ ଆସିବ, ସମସ୍ତେ ମୁକ୍ତି ପାଇବେ, ସମସ୍ତଙ୍କର ଜୀବନରେ ଦୁଃଖର ଅନ୍ତ ହେବ !

 

ତା’ପରେ ତଥାଗତ ଦୁଃଖ ଓ ସଂସାରର ପରିସମାପ୍ତି ବିଷୟରେ କହିଲେ । ସବୁପ୍ରକାର ଜନ୍ମରୁ ଉତ୍ତୀର୍ଣ୍ଣ ହୋଇ ଶେଷକୁ ବାସନାମୁକ୍ତ ମାନସାବସ୍ଥାକୁ ଆସିଲେ ପରିତ୍ରାଣ ସମ୍ଭବ ହେବ, ଭ୍ରମ ତୁଟିଯିବ ଏବଂ ନିର୍ବାଣର ଉପଲବ୍ଧି ହେବ । ସେ କି ଅପୂର୍ବ କଥା, କି ଅସାଧାରଣ ସେହି ପ୍ରବଚନ ! ସଂସାରର ତରଙ୍ଗ ବିକ୍ଷୁବ୍ଧ ସମୁଦ୍ରରେ ତାହା ଯେପରି ଏକମାତ୍ର ଦ୍ୱୀପ, ଏକମାତ୍ର ଆଶ୍ରୟସ୍ଥଳ ! ଏହି ସଂସାରର ମରଣାନ୍ତକ ଜ୍ୱାଳା ତରଙ୍ଗ ହୋଇ ଯେପରି ପାର୍ବତ୍ୟ ବେଳାଭୂମିକୁ ଅବିରାମ ଆହତ ଓ ବ୍ୟାକୁଳିତ କରିବାରେ ଲାଗିଚି, ଏହି ଅନନ୍ତ ବିପଦସଙ୍କୁଳ ଜଳଧିରେ ଯେପରି ତଥାଗତଙ୍କର ଉପଦେଶ ପାର ହୋଇଯିବା ପାଇଁ ଏକ ନିର୍ଭରଯୋଗ୍ୟ ଭେଳୀ ଯୋଗାଇ ଦେଉଚି । ତା’ପରେ ତଥାଗତ ପରମ ଶାନ୍ତିର କଲ୍ୟାଣମୟ ସ୍ଥାନ ବିଷୟରେ କହିବାକୁ ଲାଗିଲେ । ଅନ୍ୟକେଉଁ ଲୋକଠାରୁ ବା ପୁରୋହିତଙ୍କଠାରୁ କେବଳ ଶୁଣିଥିବା କଥା କହିଲାଭଳି ନୁହେ, ଆପଣାର କଳ୍ପନାବିଳାସରେ ଭାସିଯାଇ ନାନା କଥା ଗାଇଯାଉଥିବା କବି ବା ଭାଟପରି ନୁହେଁ, ମାତ୍ର ସେ ସ୍ୱୟଂ ଯାହା ଦେଖିଚନ୍ତି ଓ ଅଙ୍ଗେ ଲିଭାଇଚନ୍ତି, ତଥାଗତ ସେହିସବୁ କଥା କହିବାକୁ ଲାଗିଲେ ।

 

ସେ ଏପରି ଅନେକ ବିଷୟ ମଧ୍ୟ କହିଲେ, ଯାହା ବୁଝିପାରିବା କି ମୋ’ପରି ଜଣେ ସାଧାରଣ ନାରୀପକ୍ଷରେ ଆଦୌ ସମ୍ଭବ ନଥିଲା । ଖୁବ୍ ଜ୍ଞାନ ଅର୍ଜନ କରିଥିବା ପଣ୍ଡିତମାନଙ୍କ ପକ୍ଷରେ ମଧ୍ୟ ଏହିସବୁ ବୁଝିପାରିବା ଆଦୌ ସହଜ ନଥିଲା । କିନ୍ତୁ ତଥାଗତଙ୍କର ବାକ୍ୟମାନ ଶୁଣି ମୋତେ ଏକ ନୂତନ ସଙ୍ଗୀତ ଶୁଣିବାପରି ଲାଗିଲା, ଯେଉଁ ଗୀତ କି ମୁଁ ଆଉ କାହାରିଠାରୁ ଶୁଣିନଥିଲି। ଏହି ନୂତନ ସଙ୍ଗୀତରେ ଥିବା କଥାଗୁଡ଼ିକୁ ମୁଁ ଅବଶ୍ୟ ସମ୍ପୂର୍ଣ୍ଣରୂପେ ବୁଝି ପାରିଲିନାହିଁ, କିନ୍ତୁ ଏହି ସଙ୍ଗୀତର ନୂତନ ରାଗଟି ସିଧା ଯାଇ ମୋର ହୃଦୟକୁ ସ୍ପର୍ଶ କରିଥିଲା । ସେହି ରାଗ ପ୍ରକୃତରେ କି ଅପୂର୍ବ ! ଏହି ରାଗର ସ୍ୱଚ୍ଛ ଆବେଦନ ଆଗରେ ସଂସାରର ଆଉ ସକଳ ରାଗ ଓ ଶବ୍ଦ କେବଳ ଏକ ଛନ୍ଦହୀନ କୋଳାହଳ ପରି ହିଁ ମନେହେବ । ଏହି ରାଗ ଯେପରି କେତେ ଦୂରରୁ କେଉଁ ଅପାର୍ଥିବ ରାଜ୍ୟରୁ ଭାସି ଆସୁଥିଲା, ଏହାର ଶ୍ରବଣମାତ୍ରକେ ହୃଦୟରେ ଏକ ଅଜ୍ଞାତ ଆକାଂକ୍ଷାର ମୂର୍ଚ୍ଛନା ଜାତ ହେଉଥିଲା । ଏହାକୁ ଶ୍ରବଣ କରି ମନେ ହେଉଥିଲା ଯେପରି ପୃଥିବୀର କୌଣସି ରାଗ କଦାପି ଏହାର ସମତୁଲ ହେବନାହିଁ ।

 

ଏହିପରି ପ୍ରବଚନ ଶୁଣୁଶୁଣୁ କ୍ରମେ ରାତ୍ରି ହୋଇଗଲା । ମନ୍ଦିରର ପୃଷ୍ଠଭାଗରୁ ଚନ୍ଦ୍ରମାର ଧୂସର ଆଲୋକ ଅରଣ୍ୟ ଭୂମିକୁ ଛାୟାମୟ କରି ସଜାଇଦେଲା । ପ୍ରବକ୍ତାଙ୍କର ଶରୀର ଆଉ ସ୍ପଷ୍ଟଭାବରେ ଦୃଷ୍ଟିଗୋଚର ହେଲାନାହିଁ । ଏହି ଅତିମାନୁଷିକ ପ୍ରବଚନ କୌଣସି ଶାନ୍ତ ସମାଧି ପ୍ରାଙ୍ଗଣରୁ ନିଃସୃତ ହେଉଥିବା ପରି ବୋଧ ହେଲା, ମନେହେଉଥିଲା ଯେପରି କେତେକେତେ ବ୍ୟଥିତ, ବ୍ୟାକୁଳ ଓ ମୁହ୍ୟମାନ ମନୁଷ୍ୟମୂର୍ତ୍ତି ଆଜି ଏହି ପ୍ରାଙ୍ଗଣଟିରେ ଏକତ୍ର ଓ ଶାନ୍ତ ହୋଇଯାଇଚନ୍ତି, ସମସ୍ତ ପାର୍ଥିବ ଓ ଅପାର୍ଥିବ ଜୀବନର ସୀମା ପାରହୋଇ ଯେପରି ଏମାନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ସମାଧିସ୍ତମ୍ଭରେ ରୂପାନ୍ତରିତ ହୋଇ ଯାଇଚନ୍ତି ।

 

ଦୁଇହାତକୁ ଦୁଇ ଆଣ୍ଠୁ ଉପରେ ଛନ୍ଦିଦେଇ ମୁଁ ବସିଥାଏ ଓ ଏକମନରେ ତଥାଗତଙ୍କର ପ୍ରବଚନ ଶୁଣୁଥାଏ । ଉପରକୁ ଅନାଇ ଦେଖିଲି, କୃଷ୍ଣ ବୃକ୍ଷଶିଖର ଉପରେ ରାତ୍ରିର ନକ୍ଷତ୍ରମାନ ଆକାଶରେ ଜୁଳୁଜୁଳୁ ହେଉଚନ୍ତି, ସେହି ଧୂସର ଭୂମିର ମଧ୍ୟଦେଇ ଆକାଶଗଙ୍ଗା ଆଡ଼କୁ ହାତ ବଢ଼ାଇ ସ୍ୱର୍ଗର ପଶ୍ଚିମ ଭାଗରେ ଆମର ଅବଶ୍ୟ ମିଳନ ହେବବୋଲି ଆମେ ଶପଥ କରିଥିଲୁ । କୃଷ୍ଣଙ୍କର ବୈକୁଣ୍ଠପୁର ପରି ଏହି ପଶ୍ଚିମସ୍ୱର୍ଗ ମଧ୍ୟ ଅତ୍ୟନ୍ତ ଆନନ୍ଦମୟ । ତଥାଗତ ବର୍ତ୍ତମାନ ଏହି ସ୍ୱର୍ଗଟି ବିଷୟରେ ବର୍ଣ୍ଣନା କରି କହୁଥିଲେ । ପ୍ରତ୍ୟେକ ଧର୍ମବିଶ୍ୱାସୀ ବ୍ୟକ୍ତି ଏହି ସ୍ୱର୍ଗରେ ସ୍ଥାନ ପାଇବାଲାଗି ଅଭିଳାଷୀ ହୋଇଥାଆନ୍ତି । ଏହିସବୁ ଭାବିଲାବେଳକୁ ମୋର ହୃଦୟ ଯେପରି ଅତି ବ୍ୟଥିତ ହୋଇ ଉଠିଲା । କିନ୍ତୁ ତଥାପି ଏହିପରି ଏକ ସ୍ୱର୍ଗବସ୍ଥାନର ସୁଖ ଭୋଗ କରିବାପାଇଁ ମଧ୍ୟ ମୋ’ଭିତରେ କୌଣସି ବାସନା ନଥିଲା, କାରଣ ଆହୁରି ଉଚ୍ଚ ଏକ ଅଦ୍ଭୁତ ଭାବର ଉଦ୍‍ଭାସ ଯେପରି ସେତେବେଳେ ମୋର ନୟନକୁ ଉଦ୍‍ଭାସିତ କରି ରଖିଥିଲା ।

 

ମୁଁ କୌଣସି ପ୍ରକାର ନୈରାଶ୍ୟ ବା ବ୍ୟଥା ଅନୁଭବ କଲିନାହିଁ- ମୋର ସମସ୍ତ ବହୁମୂଲ୍ୟ ଆଶା ନିଷ୍ଫଳ ହୋଇଗଲା ବୋଲି ମୋର ଭିତରେ କୌଣସିପ୍ରକାର ଅଭିମାନ ବା ଅଭିଯୋଗ ନଥିଲା । ସେତେବେଳେ ତଥାଗତ କହୁଥାନ୍ତି : –

 

ଶରୀରଧାରୀ ମାତ୍ରକେ ହିଁ ମୃତ୍ୟୁର ସମ୍ମୁଖୀନ ହୁଏ

ଜନ୍ମହେଲେ ହିଁ ମରଣ ଆସେ,

ନନ୍ଦନକାନନର ପୁଷ୍ପଶୋଭା ମଧ୍ୟ ଠିକ୍ ପୃଥିବୀର ଉପବନ ପରି ଦିନେ-ନା-ଦିନେ ମଉଳିଯାଏ ।

Image

 

୩୭

ସ୍ୱର୍ଗରୁ ବିଦାୟ

 

ବଶିଷ୍ଠୀ କହିଲା–କୌଣସି ପ୍ରକାର ଦୁଃଖ ବା ଶୋଚନା ଅନୁଭବ ଅନୁଭବ ନକରି ମୁଁ ତଥାଗତଙ୍କର ପ୍ରବଚନମାନ ଶୁଣୁଥାଏ । ଠିକ୍ ସେହି ସବୁ ପ୍ରବଚନ ବାକ୍ୟ ଶୁଣି ତୁମର ସଳକ ଆଶା ଚୂର୍ଣ୍ଣ ହୋଇଗଲା ପରି ମନେ ହୋଇଥିଲା ନା ? କିନ୍ତୁ ତଥାଗତଙ୍କର ସେହି ମହାବାକ୍ୟମାନ ବର୍ତ୍ତମାନ ଆମର ଚତୁର୍ଦ୍ଦିଗରେ କିପରି ସତକୁସତ ଫଳିବାକୁ ଯାଉଚି, ତାହା ଦେଖୁଥିବା ବେଳେ ମଧ୍ୟ ମୋ’ର ମନରେ କୌଣସି ଦୁଃଖ ଜାତ ହେଉନାହିଁ, ମୋର ହୃଦୟ ସମ୍ପୂର୍ଣ୍ଣ ପ୍ରସନ୍ନ ରହଚି ।

 

ବଶିଷ୍ଠୀ ଏହି କଥାମାନ କହୁଥିବାବେଳେ ଚତୁର୍ଦ୍ଦିଗରେ ଏହି ଦୁର୍ଗତି ଅବଶ୍ୟ ଅତ୍ୟନ୍ତ ଧୀରଭାବରେ ଘଟିବାରେ ଲାଗିଥିଲା, କିନ୍ତୁ ତଥାପି ଅବିରାମ ଭାବରେ ଚାଲିଥିଲା । କ୍ରମେ ଚତୁର୍ଦ୍ଦିଗରେ ବିରାଜୁଥିବା ଏହି ମନୁଷ୍ୟମୂର୍ତ୍ତିମାନ ଓ ଏହି ସୁନ୍ଦର ପରିବେଶ ଏଥର ବିଲୟପ୍ରାପ୍ତ ହେବାକୁ ଯାଉଚି, ଏହି ବିଷୟରେ ଆଉ କୌଣସି ସନ୍ଦେହ ରହିଲାନାହିଁ ।

 

ପଦ୍ମଫୁଲଗୁଡ଼ିକରୁ ସେତେବେଳେ ପ୍ରାୟ ଅଧିକରୁ ଅଧିକ ପାଖୁଡ଼ା ତଳକୁ ଖସି ସାରିଥିଲା, ଏହିସବୁ ଫୁଲପାଖୁଡ଼ାର ଭେଳାରେ ଜଳସମତଳ କ୍ରମେ ଅଦୃଶ୍ୟ ହେବାକୁ ବସିଥିଲା ଏବଂ ଗୋଟିଏ ନୂତନ ପାଖୁଡ଼ା ଆସି ପଡ଼ିବା ମାତ୍ରକେ ତାହା ଶିହରି ଉଠୁଥିଲା ।

 

ପାଖୁଡ଼ା ଝରିପଡ଼ୁଥିବା ପୁଷ୍ପର ସିଂହାସନ ଉପରେ ମନୁଷ୍ୟମୂର୍ତ୍ତିମାନ ସତେଅବା ମଉଳି ଝାଉଁଳି ପଡ଼ିଥିବାପରି ବସି ରହିଥିଲେ । ସେମାନଙ୍କର ମସ୍ତକ ବକ୍ଷ ଉପରକୁ ଢଳି ପଡ଼ିଥିଲା, ଜ୍ୱରାକ୍ରାନ୍ତ ହେଲାପରି ସମସ୍ତେ କମ୍ପିବାରେ ଲାଗିଥିଲେ । ମଝିରେ ମଝିରେ ହଠାତ୍ ପବନର ଗୋଟିଏ ହାଲୁପା ଆସି ବନଭୂମିକୁ ଦୋହଲାଇ ଦେଇ ଯାଉଥିଲା ଏବଂ ବୃକ୍ଷମାନଙ୍କରୁ ଫୁଲର ଅସରାମାନ ଅଜାଡ଼ିଦେଇ ଯାଉଥିଲା । ଅପ୍‍ସରାମାନଙ୍କର ସଙ୍ଗୀତ ଭିତରେ ଯେପରି କେଉଁ ଦୁଃଖ ଓ ବ୍ୟଥାର ମୂର୍ଚ୍ଛନାମାନ ଭରି ରହିଥିଲା । ଚାରିପାଖରୁ ଗଭୀର ଦୀର୍ଘଶ୍ୱାସ ଓ ବିକଳ ଚିତ୍କାରମାନ ଶୁଣାଯାଉଥିଲା । ଅପ୍‍ସରାମାନଙ୍କର ଢଳଢଳ ମୁଖ, ପରିଚ୍ଛଦ, ଉପବନ ଓ ରାଶିରାଶି ଫୁଲ–ଯେପରି ଆଜି ସମସ୍ତେ ଆପଣାର କାନ୍ତି ହରାଇ ବସିଥିଲେ, କେଉଁ ଦୂରର ଦିଗ୍‍ପ୍ରାନ୍ତରୁ ଯେପରି ଏକ କୃଷ୍ଣବର୍ଣ୍ଣ କୁଜ୍‍ଝଟିକା ଘୋଟିଘୋଟି ଆସୁଥିଲା । ଯେଉଁ ପୁଷ୍ପସୁବାସ ଆଗରୁ ସକଳ ସ୍ଥଳ ଓ ସକଳ ହୃଦୟକୁ ଚହଟାଇ ରଖିଥିଲା, ବର୍ତ୍ତମାନ ସେହି ସୁବାସ ନାକରେ ବାଜି ଯେପରି ଅଣନିଶ୍ୱାସୀ ହୋଇଗଲା ପରି ଲାଗିଲା, ଯେପରି ନିଦ ଲାଗିଆସିଲା ପରି ମନେହେଲା ।

 

ଚାରିଆଡ଼କୁ ହାତବୁଲାଇ ଦେଖାଉ ଦେଖାଉ କାମନୀତ କହିଲେ : –

ବଶିଷ୍ଠୀ, ଏପରି ଏକ ଦୃଶ୍ୟ ଦେଖି ତଥାପି କେଉଁ ମଣିଷ ଆନନ୍ଦ ଅନୁଭବ କରିବ ?

 

ପ୍ରିୟତମ, ଯଦି ଏହିସବୁ ଭୋଗବସ୍ତୁ ଚିରନ୍ତନ ହୋଇଥାନ୍ତା, ତେବେ ଏହାଠାରୁ ଉଚ୍ଚତର ଆଉ କୌଣସି ଅନୁଭୂତି ଆଉ ସମ୍ଭବ ହୁଅନ୍ତା ନାହିଁ । କିନ୍ତୁ ଏହାଠାରୁ ଆହୁରି ଉଚ୍ଚ ଆଉ ଏକ ଉପଲବ୍ଧିର ସ୍ତର ମଧ୍ୟ ରହିଚି, ତାହା ଅକ୍ଷୟ, ତାହା ଅଜାତ । ତେଣୁ ତଥାଗତ ଏହି ସ୍ୱର୍ଗର ଆନନ୍ଦକୁ କେବଳ ଏକ ଅନିତ୍ୟ ଆନନ୍ଦ ବୋଲି କହିଚନ୍ତି । ସେ କହିଚନ୍ତି–‘‘ଯାବତୀୟ ସୃଷ୍ଟ ପଦାର୍ଥର କ୍ଷଣଭଙ୍ଗୁରତା ସହିତ ପରିଚୟ ହେଲେ ଯାଇ ଅସୃଷ୍ଟ ଓ ନିତ୍ୟସହିତ ପରିଚୟ ସମ୍ଭବ ହେବ ।’’

 

ଏହି ବିଶ୍ୱାସମୟ ନିର୍ଭରବାଣୀ ଶୁଣି ଅନାବୃଷ୍ଟିସନ୍ତପ୍ତ ଫୁଲ ବରଷାର ସ୍ପର୍ଶରେ ସଞ୍ଜୀବିତ ହୋଇ ଉଠିଲାପରି କାମନୀତଙ୍କର ମୁଖ ଉଜ୍ଜ୍ୱଳ ହୋଇଉଠିଲା ।

 

ବଶିଷ୍ଠୀ, ତୋତେ ଅନେକ ଧନ୍ୟବାଦ, ଆଜି ତୁ ମୋତେ ମୋର ମୁକ୍ତିର ଉପାୟ ବତାଇଦେଲୁ । ହଁ, ମୁଁ ମଧ୍ୟ ବର୍ତ୍ତମାନ ନିଜେ ଏକଥା ଅନୁଭବ କରିବାକୁ ଆରମ୍ଭ କରୁଚି- ଆମର ଆକାଂକ୍ଷା ଯେ ଅଧିକ ଉଚ୍ଚକୁ ନଯାଇ ଅଳପକରେ ଛନ୍ଦିହୋଇ ପଡ଼ିଚି, ଏହା ଆମ ନିଜର ଦୋଷ । ଏକ ପୁଷ୍ପମୟ ସ୍ୱର୍ଗଲୋକରେ ଆମର ମିଳନ ହେବବୋଲି ଦିନେ ଆମେଦୁହେଁ ଆକାଂକ୍ଷା କରିଥିଲୁ, କିନ୍ତୁ ପୁଷ୍ପକୁ ତ ଆପଣାର ପ୍ରାକୃତିକ ଧର୍ମ ଅବଶ୍ୟ ପାଳନ କରିବାକୁ ହିଁ ହେବ । କିନ୍ତୁ ନକ୍ଷତ୍ରମାନେ ହେଉଚନ୍ତି ଅବିନାଶୀ, ଏକ ଚିରନ୍ତୟ ବିଧାନ ଅନୁସାରେ ସେମାନେ ଆପଣା ଆପଣାର ସମସ୍ତ କକ୍ଷ ଉପରେ ଗତି କରୁଚନ୍ତି । ଆଉ ତେଣେ ଚାହିଁ ଦେଖ, ବଶିଷ୍ଠୀ । ଚତୁର୍ଦ୍ଦିଗର ସମସ୍ତ ବସ୍ତୁର ବିଲୟ ଘଟିବାକୁ ଯାଉଥିବାବେଳେ ଆକାଶଗଙ୍ଗାର ସେହି ଧାରଟିର ଜଳପ୍ରବାହ ପୂର୍ବପରି ଅବ୍ୟାହତ ଭାବରେ ବହିବାରେ ହିଁ ଲାଗିଚି । କାରଣ ଏହାର ଉତ୍ପତ୍ତି ହେଉଚି ନକ୍ଷତ୍ରଲୋକରୁ । ପୁଣି ଯାଇ ନକ୍ଷତ୍ରଲୋକରେ ଅବସ୍ଥାନ କରିବା ଯାହା ପକ୍ଷରେ ସମ୍ଭବ ହୋଇପାରିବ, କେବଳ ସେହି ଏହି ବିନାଶୀ ଜନ୍ମଚକ୍ରର ଉପରକୁ ଉଠିଯାଇ ପାରିବ ।

 

ବଶିଷ୍ଠୀ ପଚାରିଲା–କିନ୍ତୁ ଆମଦୁହିଁଙ୍କ ପାଇଁ ଏହା କାହିଁକି ସମ୍ଭବ ନହେବ ? ମୃତ୍ୟୁଅନ୍ତେ ସହସ୍ରାର ବ୍ରହ୍ମଲୋକରେ ବାସ କରିବାର ଅଭିଳାଷ ରଖିଥିବା ସନ୍ନ୍ୟାସୀମାନଙ୍କର ବିଷୟରେ ମୁଁ ଆଗରୁ ଶୁଣିଚି, ବର୍ତ୍ତମାନ ମଧ୍ୟ ଆମର ସମସ୍ତ ସମ୍ଭାବନା ସମାପ୍ତ ହୋଇଯାଇନାହିଁ, କାରଣ ପ୍ରାଚୀନ ଶାସ୍ତ୍ରରେ ଅଛି :

 

ମରଣକାଳରେ ପ୍ରାଣୀ ଯାହା ହେବାଲାଗି ଆଶା ପୋଷଣ କରେ–

ନୂତନ ଜନ୍ମରେ ସେ ସେହି ଜୀବନର ଆସ୍ୱାଦ ହିଁ ଲାଭ କରିବ ।

 

ବଶିଷ୍ଠୀ, ତୋର କଥାଗୁଡ଼ିକ ମୋ’ଭିତରେ ଅମିତ ଅତିମାନୁଷିକ ସାହସ ଭରିଦେଇ ଯାଉଚି । ଚାଲ, ସହସ୍ରାର ବ୍ରହ୍ମର ସାମ୍ରାଜ୍ୟରେ ଜୀବନ ଗ୍ରହଣ କରିବାଲାଗି ଆମେ ଆମର ସମସ୍ତ ଇଚ୍ଛାଶକ୍ତି ଓ ଆକାଂକ୍ଷାକୁ ଉଦ୍ଦିଷ୍ଟ କରି ରଖିବା ।

 

ସେମାନେ ଏହିପରି ଏକ ସଂକଳ୍ପ କରିବାର ମାତ୍ର କିଛିକ୍ଷଣ ପରେ ବନ୍ୟାଞ୍ଚଳଆଡ଼ୁ ହଠାତ୍ ପ୍ରବଳ ଝଡ଼ ମାଡ଼ିଆସିଲା ଓ ସରୋବରକୁ କମ୍ପାଇଦେଲା । ଏହି ଝଡ଼ର ଖରବେଗରେ ଚତୁର୍ଦ୍ଦିଗର ପୁଷ୍ପ ଓ ପତ୍ରମାନ ଆକାଶମାର୍ଗରେ ଉଡ଼ିବାକୁ ଲାଗିଲେ । ପଦ୍ମ ଉପରେ ଆସୀନ ମୂର୍ତ୍ତିମାନେ ବ୍ୟାକୁଳ ଭାବରେ ଆପଣାର ଅଙ୍ଗବସ୍ତ୍ର ଦ୍ୱାରା ଥରଥର କମ୍ପିତ ଶରୀରକୁ ଘୋଡ଼ାଇ ରଖିବାକୁ ଚେଷ୍ଟାକଲେ ।

 

କିନ୍ତୁ କୌଣସି ଘରଭିତରେ ବନ୍ଦ ହୋଇ ଅଣନିଶ୍ୱାସୀ ହୋଇ ରହିଥିବା କୌଣସି ମଣିଷ ହଠାତ୍ ବାହାରକୁ ଆସି ପୂର୍ଣ୍ଣ ବକ୍ଷରେ ସମୁଦ୍ରର ପବନକୁ ଗ୍ରହଣକରି ନେଲାପରି, ଆକାଶଗଙ୍ଗାର ତଟଭୂମିରେ ସେବନ କରିଥିବା ସେହି ସୁବାସର ସ୍ପର୍ଶ ପାଇ କାମନୀତ ଓ ବଶିଷ୍ଠୀ ହରଷ ହୋଇ ଉଠିଲେ ।

 

ବଶିଷ୍ଠୀ ପଚାରିଲା–ମନେ ପଡ଼ୁଚି ?

କାମନୀତ ଉତ୍ତର ଦେଲେ–ହଁ, ଇଏ ହେଉଚି ଗଙ୍ଗାର ସମ୍ଭାଷଣ । ତୁ ଶୁଣିପାରୁଚୁ ?

 

ଆନନ୍ଦବିହ୍ୱଳ ଭାବେ ବଶିଷ୍ଠୀ କହିଲା–ଆମର କେଡ଼େ ସୌଭାଗ୍ୟ ଯେ ଆମେ ଠିକ୍ ବାଟରେ ଅଗ୍ରସର ହେଉଚୁ ? ତୁମକୁ କଣ ବର୍ତ୍ତମାନ ମଧ୍ୟ ଭୟ ଲାଗୁଚି ?

 

ନା, ଭୟ ଲାଗିବାର ଆଉ କି କାରଣ ଅଛି ? ଆ–

ନୀଡ଼ ଛାଡ଼ି ଦୁଇଟି ପକ୍ଷୀ ଆକାଶମାର୍ଗରେ ଉଡ଼ିଯିବା ପରି ସେମାନେ ଉଡ଼ି ଚାଲିଲେ ।

 

ପ୍ରତିକୂଳ ପବନରେ ଏହିପରି ଉଡ଼ି ଯାଉଯାଉ ବାଟରେ ହଠାତ୍ ଏକ ଘୂର୍ଣ୍ଣିବାୟୁ ଆସି ପହଞ୍ଚିଲା ଏବଂ ସ୍ୱର୍ଗଲୋକର ଯାବତୀୟ ଜୀବନକୁ ବିନଷ୍ଟ କରିଦେଇଗଲା ।

 

କ୍ଷଣକପରେ ତାଳବନ ପହଞ୍ଚିଲା, କ୍ଷଣକ ଭିତରେ ସେମାନେ ତାହାକୁ ପାର ହୋଇଗଲେ । ବର୍ତ୍ତମାନ ସେମାନଙ୍କ ସମ୍ମୁଖରେ ଗଙ୍ଗାନଦୀର ରଜତସ୍ରୋତ ଆକାଶପ୍ରାନ୍ତର ନୀଳିମା ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଥିଲା ।

 

ସେମାନେ ଏହି ସ୍ରୋତର ତରଙ୍ଗଉପରେ ଉଡ଼ି ଚାଲିଥାନ୍ତି । କିନ୍ତୁ ଶୀଘ୍ର ସେମାନେ ସେହିସ୍ଥାନର ବାୟୁସ୍ରୋତର କବଳରେ ଯାଇ ପଡ଼ିଗଲେ ଏବଂ ଝଡ଼ମୁଖରେ ଦୂରକୁ ଦୂରକୁ ଉଡ଼ିଗଲେ । ଏହି ଖର ଗତି ଓ ବଜ୍ରଶବ୍ଦର କୋଳାହଳ ଭିତରେ ସେମାନଙ୍କର ସଂଜ୍ଞାଶକ୍ତି ହଜିଯାଇଥିଲା ।

Image

 

୩୮

ସହସ୍ରାର ବ୍ରହ୍ମଲୋକରେ

 

ଏବଂ ଦୁଇଟି ନକ୍ଷତ୍ର ସମନ୍ୱିତ ଏକ ଦେବତା ଦମ୍ପତି ରୂପରେ କାମନୀତ ଓ ବଶିଷ୍ଠୀ ପୁଣି ସହସ୍ରାର ବ୍ରହ୍ମଲୋକରେ ପ୍ରବେଶ କଲେ ।

 

କାମନୀତଙ୍କର ସୂକ୍ଷ୍ମ ସତ୍ତା ଯେଉଁ ଉଜ୍ଜ୍ୱଳ ଆଲୋକ-ଉପାଦନାରେ ତିଆରି ହୋଇଥିଲା, ସେହି ଉପାଦାନଦ୍ୱାରା ସେ ଆପଣାର ଶକ୍ତି ବଳରେ ପ୍ରସୂତ ନକ୍ଷତ୍ରପିଣ୍ଡକୁ ଆଚ୍ଛାଦିତ କରି ରଖିଲେ ଏବଂ ଆପଣାର ଇଚ୍ଛାଶକ୍ତି ଦ୍ୱାରା ସେହି ପିଣ୍ଡକୁ ଚଳାଇବାକୁ ଲାଗିଲେ । ଏହି ଇଚ୍ଛାଶକ୍ତି ବଳରେ ନକ୍ଷତ୍ରଟି ପ୍ରଥମେ ଆପଣାର କକ୍ଷଉପରେ ପରିଚାଳିତ ହେଲା; ଏହି ଆବର୍ତ୍ତନକୁ ତାଙ୍କର ଆପଣା ଜୀବନ ବା ଆପଣାର ଜୀବନପ୍ରତି ତାଙ୍କର ବାସନାଶକ୍ତି ବୋଲି କୁହାଯାଇ ପାରିବ ।

 

ସେ ଆପଣାକୁ ବଶିଷ୍ଠୀର ଜ୍ୟୋତି ଭିତରେ ପ୍ରତିଫଳିତ କଲେ ଓ ବିଶିଷ୍ଠୀର ଜ୍ୟୋତିକୁ ଆପଣା ଭିତରେ ମଧ୍ୟ ପ୍ରତିଫଳିତ କରିବାକୁ ଲାଗିଲେ । ପରସ୍ପରର ଜ୍ୟୋତିକୁ ଏହିପରି ଭାବରେ ପରସ୍ପର ଭିତରେ ପ୍ରତିଫଳିତ କରି ସେ ଦୁହେଁ ଆପଣା ଦୁଇ ଜ୍ୟୋତିର ମିଳନବିନ୍ଦୁର ଚତୁର୍ଦ୍ଦିଗରେ ପ୍ରଦକ୍ଷିଣ କରିବାକୁ ଲାଗିଲେ । ଏହି ମିଳନବିନ୍ଦୁ ହେଉଚି ସେମାନଙ୍କର ପ୍ରେମ, ସେମାନଙ୍କର ପ୍ରେମମୟ ଜୀବନ ହେଉଚି ସେମାନଙ୍କର କକ୍ଷ ଏବଂ ପରସ୍ପରର ଜ୍ୟୋତିଭିତରେ ପରସ୍ପର ପ୍ରତିଫଳିତ ହେବା ହେଉଚି ସେମାନଙ୍କର ପ୍ରେମବାସନା ।

 

କେବଳ ଏକ ନେତ୍ରରେ ହିଁ ସେମାନେ ନିଃସୀମ ଶୂନ୍ୟମଣ୍ଡଳର ଚତୁର୍ଦ୍ଦିଗକୁ ଏକାବେଳେକେ ଦେଖିପାରିବାକୁ ସମର୍ଥ ହେଲେ । ସେମାନଙ୍କର ଚତୁର୍ଦ୍ଦିଗରେ ଅଗଣିତ ନକ୍ଷତ୍ର, ଠିକ୍‍ ସେମାନଙ୍କର ନକ୍ଷତ୍ର ଦୁଇଟି ପରି–ଏହି ନକ୍ଷତ୍ରଗୁଡ଼ିକ ଭିତରେ ଅବିରାମ ଭାବରେ ଜ୍ୟୋତିର୍ମୟ ପଲକ-ବିନିମୟ ଚାଲିଚି ଏବଂ ଏହି ପଲକ- ବିନିମୟ ଜରିଆରେ ଭାବ ବିନିମୟ ହେଉଚି । କେତେକ ବହୁସଂଖ୍ୟକ ନକ୍ଷତ୍ର ଏକାଠି ହୋଇ ଗୋଟିଏ ନକ୍ଷତ୍ରପୁଞ୍ଜ ସୃଷ୍ଟି କରିଚନ୍ତି, ଗୋଟିଏ ନକ୍ଷତ୍ରପୁଞ୍ଜକୁ ପରିବେଷ୍ଟନ କରି ଆହୁରି କେତେକେତେ ନକ୍ଷତ୍ରପୁଞ୍ଜ ରହିଚି ଏବଂ ସମସ୍ତେ ଏକତ୍ର ମିଶି ଏକ ବ୍ରହ୍ମାଣ୍ଡ ସୃଷ୍ଟି କରିଚନ୍ତି । ଗୋଟିଏ ବ୍ରହ୍ମାଣ୍ଡର ସେପାଖକୁ ଆହୁରି ଗୋଟିଏ ବ୍ରହ୍ମାଣ୍ଡ ଅବସ୍ଥିତ ରହିଚି, ମାଳ ମାଳ ବ୍ରହ୍ମାଣ୍ଡମିଳି ଗୋଟିଏ ବ୍ରହ୍ମାଣ୍ଡସୂତ୍ରର ସୃଷ୍ଟି ହୋଇଚି, ଏହିପରି ଅନେକ ସୂତ୍ର ଏକାଠି ମିଶି ଗୋଟିଏ ମଣ୍ଡଳ ତିଆରି ହୋଇଚି ଏବଂ ବହୁ ମଣ୍ଡଳ ମିଶି ଶୁନ୍ୟଲୋକର ସୃଷ୍ଟି ହୋଇଚି ।

 

ଆପଣା ମଣ୍ଡଳର ନକ୍ଷତ୍ରମାନଙ୍କ ଭିତରେ କାମନୀତ ଓ ବଶିଷ୍ଠୀ ଆପଣାର ଦ୍ୱୈତନକ୍ଷତ୍ର ସହିତ ଆଗକୁ ଆଗକୁ ଭାସିଯିବାରେ ଲାଗିଥାନ୍ତି । ସୃଷ୍ଟିଲୀଳାର ଏହି ଛନ୍ଦୋମୟ ନୃତ୍ୟରେ ସମ୍ମିଳିତ ହୋଇ ସେମାନେ କେତେବେଳେ କେଉଁ ପ୍ରତିବେଶୀ ନକ୍ଷତ୍ରର ଅତ୍ୟନ୍ତ ସନ୍ନିକଟ ହୋଇ ଆସୁଥାନ୍ତି, ପୁଣି କେତେବେଳେ ସେମାନଙ୍କଠାରୁ ବହୁଦୂରକୁ ଚାଲିଯାଉଥାନ୍ତି । ସତେଅବା ପ୍ରତ୍ୟେକେ ପରସ୍ପର ପ୍ରତି ଏକ ମମତା ଭାବରେ ଆକୃଷ୍ଟ ହୋଇ ପରସ୍ପରକୁ ଉଚିତ ଦିଗ ଏବଂ ଆବର୍ତ୍ତନର ଉଚିତ ବେଗ ମଧ୍ୟ ବତାଇ ଦେଉଥାନ୍ତି । ଏହାଫଳରେ ଏକ ସାମୂହିକ ଇଚ୍ଛା ଉତ୍ପନ୍ନ ହୋଇ ସମସ୍ତ ନକ୍ଷତ୍ରପୁଞ୍ଜକୁ ଶୂନ୍ୟମଣ୍ଡଳ ଭିତରେ ପରିଚାଳିତ କରି ନେଉଥାଏ ।

 

ଏବଂ ବିପୁଳ ବ୍ରହ୍ମାଣ୍ଡଲୀଳାରେ ସେମାନଙ୍କର ଏହି ଅଂଶଗ୍ରହଣ, ଏହି ଅବିରାମ ଓ ସମନ୍ୱିତ ଗତି–ଏହାକୁ ହିଁ ସେମାନଙ୍କର ଆଚରିତ ଜୀବନ ବୋଲି କହିବାକୁ ହେବ, ସେମାନଙ୍କର ସର୍ବବ୍ୟାପୀ ଓ ସର୍ବଭେଦୀ ପ୍ରତିବେଶୀ-ପ୍ରେମ ବୋଲି କହିବାକୁ ହେବ ।

 

ବ୍ରହ୍ମଲୋକରେ ସମସ୍ତ ଗତି କେବଳ ଛନ୍ଦୋମୟ । ନକ୍ଷତ୍ରଲୋକର ନିମ୍ନସ୍ତରରେ ଅବସ୍ଥିତ ବାୟୁଲୋକର ଦେବତାମାନଙ୍କୁ ଏହା କେବଳ ଏକ ଛନ୍ଦୋମୟ ଧୂନିଜଗତ ବୋଲି ପ୍ରତୀତ ହୋଇଥାଏ, ସ୍ୱର୍ଗଲୋକର ଅପ୍‍ସରାମାନେ ଆପଣାର ନୃତ୍ୟ ଓ ସଙ୍ଗୀତରେ କେବଳ ଏହି ଛନ୍ଦୋମୟତାର ଅନୁକରଣ ହିଁ କରିଥାନ୍ତି । ଏହି ଛନ୍ଦୋମୟତାର କ୍ଷୀଣ ଶବ୍ଦଟିଏ ଆହୁରି ନିମ୍ନକୁ ଆସି ଧରାତଳ ସ୍ପର୍ଶ କରିପାରିଲେ ମହାସମୁଦ୍ରଗୁଡ଼ିକ ଅତ୍ୟନ୍ତ ରହସ୍ୟମୟ ଭାବରେ ଏହି ଛନ୍ଦୋମୟତାରେ କଲ୍ଲୋଳିତ ହୋଇଉଠନ୍ତି, ମହାବିଶାରଦ ସଙ୍ଗୀତ କଳାକାରମାନେ ଏହି ଛନ୍ଦୋମୟତାର ଅନୁକରଣ କରିବାକୁ ଚେଷ୍ଟା କରନ୍ତି ଏବଂ ବିସ୍ମୟାଭିଭୂତ ହୋଇ ଏହି ଛନ୍ଦକୁ କାନଡେରି ଶୁଣିବାକୁ ଲାଗନ୍ତି । ଏହାହିଁ ହେଉଚି ମନୁଷ୍ୟ ଜୀବନର ପରମ ଆନନ୍ଦ । ସତ୍ୟମୟ ସୂକ୍ଷ୍ମସତ୍ତା ସହିତ ସତ୍ୟର ପ୍ରତୀତିର ଯେଉଁ ସମ୍ବନ୍ଧ ରହିଚି, ନକ୍ଷତ୍ରଲୋକର ପରମ କଲ୍ୟାଣମୟ ଜୀବନ ସହିତ ମନୁଷ୍ୟଲୋକରେ ଅନୁଭୂତ ହେଉଥିବା ଶବ୍ଦ, ରାଗ ଓ ସଙ୍ଗୀତଜନିତ ପରମ ଆନନ୍ଦର ଠିକ୍‍ ସେହିପରି ସମ୍ବନ୍ଧ ରହିଚି ।

 

କାରଣ ଏହାହିଁ ହେଉଚି ସେମାନଙ୍କର ପ୍ରାଣର ଆକାଂକ୍ଷା, ସେମାନଙ୍କର ଜୀବନର ଆନନ୍ଦ ।

 

କିନ୍ତୁ କେବଳ ଏକ ଅଦ୍ୱିତୀୟ ସତ୍ତାକୁ କେନ୍ଦ୍ରକରି ଏହି ଗତି ଏବଂ ଏହି ସୃଷ୍ଟିଲୀଳାର ନୃତ୍ୟ ଚାଲିଥିଲା । ବହ୍ମାଣ୍ଡର କେନ୍ଦ୍ରରେ ଅବସ୍ଥିତ ସିଂହାସନ ଉପରେ ସହସ୍ରାର ବ୍ରହ୍ମ ବିରାଜିତ ରହିଥିଲେ, ଯାହାଙ୍କର ଅତୁଳନୀୟ ଜ୍ୟୋତିରେ ସକଳ ନକ୍ଷତ୍ରପୁଞ୍ଜ ଜ୍ୟୋତିର୍ମୟ ହୋଇ ଉଠିଥିଲା, ନକ୍ଷତ୍ରମାନେ କେବଳ ତାଙ୍କରି ଆଲୋକକୁ ଆପଣାଠାରୁ ବିକୀର୍ଣ୍ଣ କରୁଥିଲେ, ସତେ ଯେପରି ଆପଣା ଆପଣାର ଦର୍ପଣ ଉପରେ ସେମାନେ କେବଳ ତାଙ୍କରି ମହିମାକୁ ହିଁ ପ୍ରତିଫଳିତ କରୁଥିଲେ । କେବଳ ତାଙ୍କରି ଅମିତ ଶକ୍ତିର ଅସରନ୍ତି ଉତ୍ସରୁ ଶକ୍ତି ନେଇ ସେମାନେ ଆପଣା ଆପଣାର କକ୍ଷରେ ଗତି କରୁଥିଲେ, ଆପଣା ଆପଣାର ସମସ୍ତ ଗତିକୁ କେବଳ ତାଙ୍କରି ମଧ୍ୟରେ ହିଁ କେନ୍ଦ୍ରିତ କରି ରଖିଥିଲେ ।

 

ସର୍ବୋଚ୍ଚ ପରମେଶ୍ୱରଙ୍କ ସହିତ ଆପଣାକୁ ଏହିପରି ଭାବରେ ସଂଯୁକ୍ତ କରି ସେମାନେ ଧନ୍ୟ ହେଉଥିଲେ, ସେମାନେ କରୁଣାର ଅଧିକାରୀ ହେଉଥିଲେ ।

 

ମାତ୍ର ବ୍ରହ୍ମା ସମସ୍ତଙ୍କର କେନ୍ଦ୍ରସ୍ୱରୂପ ବିରାଜମାନ ରହିଥିଲେ ହେଁ ତଥାପି ଗୋଟିଏ ଦୃଷ୍ଟିରୁ ଦେଖିଲେ ଏହି ବ୍ରହ୍ମଲୋକକୁ ଏକ ସୀମିତ ଲୋକ ବୋଲି କୁହାଯାଇ ପାରିବ । ଯେପରି ମନୁଷ୍ୟମାନେ ବହୁକାଳରୁ ସ୍ୱର୍ଗରାଜ୍ୟରେ ଏକ ରାଶିଚକ୍ରର ଆବିଷ୍କାର କରି ଆସିଚନ୍ତି, ନକ୍ଷତ୍ରମାନେ ମଧ୍ୟ ପରସ୍ପର ଭିତରେ ସେହିପରି ଅସଂଖ୍ୟ ରାଶିଚକ୍ର ଅଙ୍କିତ ହୋଇ ରହିଥିବାର ଦେଖିବାକୁ ପାଆନ୍ତି । ଏହିପରି ଭାବରେ ଶୂନ୍ୟମଣ୍ଡଳରେ ସବୁବେଳେ ଏକ ଚିତ୍ରଜାଲ ବ୍ୟାପ୍ତ ହୋଇ ରହିଥାଏ ଏବଂ ଦୂରଦୂରାନ୍ତରେ ଅବସ୍ଥିତ ତାରାଛବିଗୁଡ଼ିକ ଏକାଠି ଉଦ୍‍ଦ୍ଭାସରେ ଜାଜ୍ୱଲ୍ୟମାନ ହୋଇ ଦେଖାଯାଉଥାନ୍ତି, ପରସ୍ପର ଭିତରେ ପ୍ରତିଫଳିତ ହୋଇ ଏବଂ ପରସ୍ପର ଦ୍ୱାରା ଉଦ୍‍ଦ୍ଭାସିତ ହୋଇ ଜ୍ୟୋତିର୍ମୟ ରୂପ ଧାରଣ କରିଥାନ୍ତି ।

 

ନିର୍ନିମେଷ ଓ ଏକାଗ୍ର ନୟନରେ ଏହି ନକ୍ଷତ୍ରମାନେ ଈଶ୍ୱରଙ୍କର ଏକତ୍ୱ ଏବଂ ପ୍ରାର୍ଥିବ-ଜୀବନର ବହୁତ୍ୱ ଆବଲୋକନ କରୁଥିଲେ । ଏମାନଙ୍କଲାଗି ଈଶ୍ୱରଜ୍ଞାନ ଓ ବିଶ୍ୱଜ୍ଞାନ ଭିତରେ କୌଣସି ପ୍ରଭେଦ ନଥିଲା । କିନ୍ତୁ ଜଣେ ସାଧାରଣ ମନୁଷ୍ୟ ଯେତେବଳେ ପରମେଶ୍ୱରଙ୍କର ଏକତ୍ୱ ଆଡ଼କୁ ଆପଣାର ଧ୍ୟାନଦୃଷ୍ଟିକୁ ନିର୍ଦ୍ଦିଷ୍ଟ କରେ, ସେତେବେଳେ ସଂସାରର ବହୁତ୍ୱ ତାହାର ଦୃଷ୍ଟିପଥ ଏଡ଼ାଇ ଚାଲିଯାଏ । ଏବଂ ସଂସାରର ବହୁତ୍ୱ ବିଷୟରେ ଚିନ୍ତା କରୁଥିବାବେଳେ ସେ ପରମେଶ୍ୱରଙ୍କର ଏକତ୍ୱ ଭାବନାକୁ ହରାଇ ବସେ । ପରିଣାମତଃ ମନୁଷ୍ୟର ଜ୍ଞାନ ସାଧାରତଃ ଖଣ୍ଡିତ ହୋଇ ରହେ, ତାହାର ଜ୍ଞାନ ନିରନ୍ତର ନାନା ସଂଶୟଦ୍ୱାରା ଆପନ୍ନ ହୋଇ ରହିଥାଏ । କିନ୍ତୁ ବ୍ରହ୍ମଲୋକର ଅଧିବାସୀମାନେ ଏକାବେଳେକେ କେନ୍ଦ୍ର ତଥା ବୃତ୍ତ ଉଭୟକୁ ଦେଖିପାରନ୍ତି, ତେଣୁ ସେମାନଙ୍କର ଜ୍ଞାନ ଆଉ ଖଣ୍ଡିତ ହୋଇ ପଡ଼ିବାର କୌଣସି ଭୟ ନଥାଏ, ସେମାନଙ୍କର ଜ୍ଞାନରେ କେବେହେଲେ କୌଣସି ପ୍ରକାର ସନ୍ଦିଗ୍ଧତା ପ୍ରବେଶ କରିପାରେନାହିଁ ।

 

ଆଲୋକମୟ ଏହି ବ୍ରହ୍ମଲୋକରେ ସମୟର ସ୍ରୋତ ଅତି ଧୀର ଓ ଅଲକ୍ଷ୍ୟ ଭାବରେ ପ୍ରବାହିତ ହେଉଥାଏ । ପୂର୍ଣ୍ଣତୋୟ ଶାନ୍ତ, ଅପ୍ରତିହତ ଓ ଅତି ଧୀର ପ୍ରବାହିତ ଜଳସ୍ରୋତର ଗତି ଯେପରି ସହଜରେ ଆଖିଆଗରେ ଧରା ପଡ଼େନାହିଁ , ଠିକ୍‍ ସେହିପରି ଅତି ଅଲକ୍ଷ୍ୟ ଭାବରେ ବ୍ରହ୍ମଲୋକରେ ସମୟର ସ୍ରୋତ ପ୍ରବାହିତ ହେଉଚି, କାରଣ କେତେବେଳେ ହେଲେ କୌଣସି ପ୍ରକାର ଉତ୍ତ୍ୟକ୍ତ ବା ଅଧୋଗତ ଭାବନା ଏହାର ଗତିପଥକୁ କୌଣସି ପ୍ରକାରେ ବ୍ୟାହତ କରୁନାହିଁ-

 

ସମୟର ଅଲକ୍ଷ୍ୟ-ବହମାନତା ହିଁ ବ୍ରହ୍ମଲୋକର ଶାଶ୍ୱତତାର ସୂଚନା ଦେଉଚି ।

ଏବଂ ଏହି ଶାଶ୍ୱତତା ହିଁ ବଡ଼ ନୈରାଶ୍ୟଦାୟକ ।

 

ଠିକ୍ ଏହିପରି ଭାବରେ ବହ୍ମଲୋକର ଯାବତୀୟ ବିଷୟ-ଜ୍ଞାନ ଓ କଲ୍ୟାଣମୟତା, ଏହାର ନିରାପତ୍ତା ଓ ଏହାର ଜୀବନ, ଏହାର ପ୍ରେମ ଓ ଏହାର ଅଧିବାସୀମାନଙ୍କର ଜୀବନ–ସବୁ ଯେପରି ଏକ ନୈରାଶ୍ୟର ଦ୍ୱାରା ଆଚ୍ଛନ୍ନ ହୋଇ ରହିଥିଲା, ଯେପରି ସବୁଟି ଉପରେ ଏକ ନୈରାଶ୍ୟର ରଙ୍ଗ ବୋଳିହୋଇ ରହିଥିଲା ।

Image

 

୩୯

ସୃଷ୍ଟିର ସନ୍ଧ୍ୟା

 

ଦିନେ ହଠାତ୍ କାମନୀତ ଆପଣାର ହୃଦୟ ଭିତରେ ଏକପ୍ରକାର ଅସ୍ୱସ୍ତି ଅନୁଭବ କରିବାକୁ ଲାଗିଲେ, ଯେପରି ଏକପ୍ରକାର ଅଭାବ ବା ଅସମ୍ପୂର୍ଣ୍ଣତା ଅନୁଭବ କଲେ । ସେତିକିବେଳେ ଅତି ସ୍ୱାଭାବିକ ଭାବରେ ତାଙ୍କର ଦୃଷ୍ଟି ସମସ୍ତ ଶକ୍ତି ଓ ସମସ୍ତ ସମ୍ପୂର୍ଣ୍ଣତାର ଉତ୍ସ ସହସ୍ରାର ବ୍ରହ୍ମାଙ୍କ ଉଦ୍ଦେଶ୍ୟରେ ଉତ୍ତୋଳିତ ହୋଇଗଲା ।

 

କିନ୍ତୁ ତାଙ୍କର ଅନୁଭୂତି ସେତିକିରେ ଅନ୍ତ ହୋଇ ଗଲାନାହିଁ । ଅଧିକରୁ ଅଧିକ ପ୍ରଲମ୍ବିତ ହୋଇ ତାହା ଶତାବ୍ଦୀ-ଦଶକଠାରୁ ଶତାବ୍ଦୀ-ଦଶକ ପର୍ଯ୍ୟନ୍ତ ବ୍ୟାପିବାକୁ ଲାଗିଲା ।

 

ଏହି ଅନୁଭୂତିର ଆଘାତ ବାଜି କାଳସ୍ରୋତରେ ହଠାତ୍‍ ବାଧା ପହଞ୍ଚିଲା । କୌଣସି ନଦୀର ସ୍ରୋତ ହଠାତ୍ ଆସି ଗୋଟାଏ ଦ୍ୱୀପରେ ବାଧା ପାଇଲେ ଯେଉଁ ବ୍ୟତିକ୍ରମ ଉପସ୍ଥିତ ହୁଏ, ବର୍ତ୍ତମାନ ତାହାହିଁ ହେଲା । ହଠାତ୍‍ କାଳର ଅବ୍ୟାହତତା ଭିତରେ ଅତୀତ ଓ ଭବିଷ୍ୟତର ଖଣ୍ଡିତ ଭାବନା ଆସି ପ୍ରବେଶ କଲା । ଏବଂ କାମନୀତ ଅନାଇ ଦେଖିଲେ ଯେ ସହସ୍ରାର ବ୍ରହ୍ମାଙ୍କର ଆଉ ପୂର୍ବର ସେହି କାନ୍ତି ନାହିଁ ଓ ସେ ବଡ଼ ଅସ୍ପଷ୍ଟ ଓ ନିଷ୍ପ୍ରଭ ଦେଖାଯାଉଚନ୍ତି ।

 

ପଚାଶଲକ୍ଷ ବର୍ଷକାଳ ଏହିପରି ବ୍ରହ୍ମାଙ୍କୁ ଅବଲୋକନ କରିବାପରେ ସେ ଜାଣିବାକୁ ପାଇଲେ ଯେ ଏତେ କାଳ ନିରୀକ୍ଷଣ କରିବାସତ୍ତ୍ୱେ ମଧ୍ୟ ତଥାପି ତାଙ୍କର ଜ୍ଞାନରେ କୌଣସି ବିକାଶ ହୋଇପାରିନାହିଁ ।

 

ଏଥର ଦୃଷ୍ଟି ଫେରାଇ ସେ ବଶିଷ୍ଠୀ ଆଡ଼କୁ ଅନାଇଲେ । ଦେଖିଲେ, ବଶିଷ୍ଠୀ ମଧ୍ୟ ଏକଗ୍ର ଦୃଷ୍ଟିରେ ବ୍ରହ୍ମାଙ୍କ ଆଡ଼କୁ ଅନାଇ ରହିଚି । ଏହା ଦେଖି ସେ ଅତିଶୟ ବିସ୍ମିତ ହୋଇପଡ଼ିଲେ-। ଏବଂ ଏହି ବିସ୍ମୟ ସହିତ ନାନା ଅନୁଭୂତିର ମଧ୍ୟ ଉଦ୍ରେକ ହେଲା । ଅନୁଭୂତି ପଛେପଛେ ଭାବନା ଉତ୍ପନ୍ନ ହେଲା ଏବଂ ଭାବନା ସହିତ ଭାଷାର ସ୍ଫୁରଣ ହେଲା ।

 

ଏବଂ ସେ ପଚାରିଲେ : –

 

ବଶିଷ୍ଠୀ, ତୁ ମଧ୍ୟ କ’ଣ ତାହାଙ୍କୁ ହିଁ ଅବଲୋକନ କରୁଚୁ ? ତେବେ ଏହି ସହସ୍ରାର ବ୍ରହ୍ମାଙ୍କର ଏପରି ପରିବର୍ତ୍ତନ କାହିଁକି ହେଲା କହିଲୁ ?

 

ଶତସହସ୍ର ବର୍ଷର ନିସ୍ତବ୍ଧତା ପରେ ବଶିଷ୍ଠୀ ଉତ୍ତର ଦେଲା : –

 

ହଁ, ମୁଁ ମଧ୍ୟ ସହସ୍ରାର ବ୍ରହ୍ମାଙ୍କଠାରେ ଭାରି ପରିବର୍ତ୍ତନ ଲକ୍ଷ୍ୟ କରିପାରୁଚି । ତାଙ୍କର ଜ୍ୟୋତି କ୍ରମେ ନିଷ୍ପ୍ରଭ ହୋଇ ଆସୁଥିବାପରି ଲାଗୁଚି ।

 

କାମନୀତ କହିଲେ–ମୋତେ ମଧ୍ୟ ଠିକ୍‍ ସେହିପରି ଲାଗୁଚି । ହୁଏତ ଏହା ଏକ ଅଳ୍ପକ୍ଷଣସ୍ଥାୟୀ ଘଟଣା ମଧ୍ୟ ହୋଇପାରେ । କିନ୍ତୁ ତଥାପି ମୋର ଭାରି ସନ୍ଦେହ ଜାତ ହେଉଚି ଯେ ସହସ୍ରାର ବ୍ରହ୍ମାଙ୍କଠାରେ କୌଣସି କିଛି ପରିବର୍ତ୍ତନ ଘଟିବାକୁ ଆରମ୍ଭ ହେଲାଣି ।

 

ତା’ପରେ ପୁଣି କିୟତ୍‍କାଳ ଅତିବାହିତ ହୋଇଗଲା । ପ୍ରାୟ କେତେକ ନିୟୁତ ବର୍ଷର ବିରତି ପରେ ପୁଣି କାମନୀତ ପ୍ରଶ୍ନ କଲେ : –

 

ମୋର ଆଖି କଣ ଇତିମଧ୍ୟରେ ଅନ୍ଧ ହୋଇଗଲା କି ? ବ୍ରହ୍ମାଙ୍କର ଜ୍ୟୋତି ପୁଣି ବୃଦ୍ଧି ପାଇବାକୁ ଆରମ୍ଭ କଲାଣି, ତୁ ଏହିକଥା ଲକ୍ଷ୍ୟ କରି ପାରୁଚୁ କି ?

 

ଏବଂ ତା’ପରେ ପୁଣି ପାଞ୍ଚଲକ୍ଷ ବର୍ଷ ଅତିକ୍ରାନ୍ତ ହେବାପରେ ବଶିଷ୍ଠୀ ଉତ୍ତର ଦେଇ କହିଲା : –

 

ନାହିଁ ତ ! ବ୍ରହ୍ମାଙ୍କର ଜ୍ୟୋତିରେ ମୁଁ କୌଣସି ବୃଦ୍ଧି ଲକ୍ଷ୍ୟ କରିପାରୁନାହିଁ । ମୋର ତ ମନେ ହେଉଚି, ଯେପରି ତାହା ଏପର୍ଯ୍ୟନ୍ତ ମଧ୍ୟ କ୍ଷୟ ହେବାରେ ଲାଗିଚି ।

 

ଲୁହା ସାଧାରଣତଃ ଧଳା ଚକଚକ ଦେଖାଯାଏ, କିନ୍ତୁ ଚୁଲିରେ ପକାଇଦେବା ପରେ ତାହା ନାଲି ଚକ୍‍ଚକ୍‍ ରଙ୍ଗ ଧାରଣ କରେ । ଠିକ୍‍ ସେହିପରି ବ୍ରହ୍ମାଙ୍କର ଜ୍ୟୋତି ଈଷତ୍‍ ରକ୍ତାଭ ଦେଖାଯାଉଥିଲା ।

 

କାମନୀତ କହିଲେ ବଡ଼ ବିସ୍ମୟର କଥା । ଏହି ପରିବର୍ତ୍ତନର ଆଉ କୌଣସି ଅର୍ଥ ଅଛି କି ?

 

ଏହାର ଅର୍ଥ ହେଉଚି ଯେ ସହସ୍ରାର ବ୍ରହ୍ମାଙ୍କର ଜ୍ୟୋତି କ୍ରମେ ହ୍ରାସ ହୋଇଯାଉଚି ।

 

ଅସମ୍ଭବ ବଶିଷ୍ଠୀ, ଅସମ୍ଭବ ! ତାହାହେଲେ ଏହି ସମସ୍ତ ବ୍ରହ୍ମଲୋକର ଜ୍ୟୋତି ଏବଂ ଅନିର୍ବଚନୀୟ ଦୃଶ୍ୟର କି ଦଶା ହେବ କହିଲୁ !

 

ସେ ଏହି କଥାଟି ଭଲକରି ଜାଣିଥିଲେ । ସେ କହିଥିଲେ : –

ଯେଉଁଠି ଜୀବନର ଉନ୍ମେଷ ହେଉଚି, ସେଠାରେ ମୃତ୍ୟୁର ବଜ୍ରଧ୍ୱନି ବାଜିଉଠୁଚି : -

 

ବ୍ରହ୍ମଲୋକର ଜ୍ୟୋତିର୍ମୟତା ମଧ୍ୟ ଦିନେ ପ୍ରମୋଦଶାଳାର ଆଲୋକ ପରି ନିର୍ବାପିତ ହୋଇଯିବ !

 

ପୁଣି କେତେ ସହସ୍ର ବର୍ଷପରେ କାମନୀତ ଅତ୍ୟନ୍ତ ଭୟଭୀତ ହେଲାପରି ପଚାରିଲେ-:-

 

ସଂସାରର ସବୁ ଆଶାକୁ ଚୂର୍ଣ୍ଣ କରି ଦେଉଥିବା ଏହି ବାକ୍ୟ କାହା ମୁଖରୁ ଉଚ୍ଚାରିତ ହୋଇଚି ?

 

ଯିଏ ଏହି ସଂସାରର ସବୁ କଥା ଜାଣିଚନ୍ତି, ସେହି ତଥାଗତ ପୂର୍ଣ୍ଣକାମ ବୁଦ୍ଧ ।

ଏକଥା ଶୁଣି କାମନୀତ ଗଭୀର ଭାବରେ ଚିନ୍ତାମଗ୍ନ ହୋଇ ରହିଲେ ।

 

ଅନେକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ସେ ଏହି ବାକ୍ୟଟିକୁ ମନନ କରିବାକୁ ଲାଗିଲେ ଏବଂ ଏହି ସମୟରେ ତାଙ୍କର ଅନେକାନେକ କଥା ମନେ ପଡ଼ିଗଲା ।

 

ସେ କହିଲେ : –

 

ବଶିଷ୍ଠୀ, ସ୍ୱର୍ଗଲୋକର ପଶ୍ଚିମ ଭାଗରେ ବାସ କଲାବେଳେ ତୁ ଦିନେ ମୋତେ ବୁଦ୍ଧଙ୍କର ଗୋଟିଏ ବାକ୍ୟ କହିଥିଲୁ, ସେହି ବାକ୍ୟଟି ଆମର ନୟନ ଭରାଇ ଦେଇଥିଲା । ମୋର ବେଶ୍‍ ସ୍ମରଣ ହେଉଚି, ସେଥର ତୁ ତଥାଗତଙ୍କର ଏକ ସମ୍ପୂର୍ଣ୍ଣ ପ୍ରବଚନ ମୋ’ଆଗରେ କହୁଥିଲୁ । ବାକ୍ୟଟି ସେହି ପ୍ରବଚନ ଭିତରେ ଥିଲା । କିନ୍ତୁ ସଂସାରର ସବୁ ଆଶାକୁ ଚୂର୍ଣ୍ଣ କରି ଦେଉଥିବା ଏହି ଭୟାନକ ବାକ୍ୟଟି ସେଥିରେ ନଥିଲା । ତେବେ ବଶିଷ୍ଠୀ, ତୁ କ’ଣ ତଥାଗତଙ୍କର ଅନ୍ୟାନ୍ୟ ପ୍ରବଚନମାନ ମଧ୍ୟ ଶୁଣିଚୁ ?

 

ଅନେକବାର ଶୁଣିଚି । କାରଣ ମୁଁ ପ୍ରାୟ ଛଅମାସ ସମୟ ତାଙ୍କ ପାଖରେ ଅତିବାହିତ କରିଚି । ଦ୍ୱିତୀୟ ବାକ୍ୟଟି ମଧ୍ୟ ମୁଁ ତାଙ୍କର ମୁହଁରୁ ହିଁ ଶୁଣିଚି ।

 

ଶ୍ରଦ୍ଧା ଓ ବିସ୍ମୟାବିଷ୍ଟ ନୟନରେ କାମନୀତ ତା’ଆଡ଼କୁ ଅନାଇ ରହିଲେ ।

 

ତେଣୁ ମୋର ମନେହେଉଚି ଯେ ଏହି ବ୍ରହ୍ମଲୋକରେ ତୋର ବୋଧଶକ୍ତି ଅନ୍ୟ ସମସ୍ତଙ୍କଠାରୁ ଅଧିକ । କାରଣ ଏହି ବ୍ରହ୍ମଲୋକରେ ବାସ କରୁଥିବା ନକ୍ଷତ୍ରମୂର୍ତ୍ତିମାନେ ଆଜି ସମସ୍ତେ ବଡ଼ ବିସ୍ମୟରେ ପଡ଼ି ଯାଇଚନ୍ତି । ସେମାନେ ସମସ୍ତେ ଆଖି ମିଟିମିଟି କରୁଚନ୍ତି, ଅସ୍ଥିର ହୋଇ ଉଠୁଚନ୍ତି । ଏପରିକି ସ୍ୱୟଂ ସହସ୍ରାର ବ୍ରହ୍ମା ମଧ୍ୟ ଯେପରି ଅସ୍ଥିର ହୋଇ ପଡ଼ିଲେଣି ଏବଂ କ୍ରମେ ହ୍ରାସ ହୋଇ ଆସୁଥିବା ତାଙ୍କର ଜ୍ୟୋତି ଠିକ୍ ମର୍ତ୍ତ୍ୟଲୋକର ବିଜୁଳିପରି ପ୍ରକମ୍ପିତ ହୋଇ ଉଠୁଚି । କିନ୍ତୁ ତଥାପି ତୋ’ର ଜ୍ୟୋତି ପୂର୍ବପରି ସମାନ ଓ ସ୍ଥିର ରହିଚି, ଠିକ୍ ଏକ ନିର୍ବାତ ଦୀପପରି ଜଳିବାରେ ଲାଗିଚି । ମନେ ହେଉଚି, ଯେପରି ଏହି ଲୋକର ଶେଷ ଆସି ପହଞ୍ଚିବାକୁ ଆଉ ଅଧିକ ବିଳମ୍ବ ହେବନାହିଁ । ତୋ’ର ମନେ ଅଛି, ଥରେ ସ୍ୱର୍ଗଲୋକରେ ଆକାଶଗଙ୍ଗାର ତଟରେ ଠିଆ ହୋଇଥିବାବେଳେ ଆମେ ଏହିପରି ବଜ୍ର ଓ ଘଣ୍ଟାଶବ୍ଦମାନ ଶୁଣିବାକୁ ପାଇଥିଲୁ ? ଆଜି ଏଠାରେ ମଧ୍ୟ ଚତୁର୍ଦ୍ଦିଗରୁ ସେହିପରି ଶବ୍ଦମାନ ଶୁଣିବାକୁ ମିଳିଲାଣି । ସୃଷ୍ଟିପଥର ଛନ୍ଦୋମୟତାରେ ଯେ କୌଣସି ବ୍ୟାଘାତ ଆସି ଉପସ୍ଥିତ ହେଲାଣି, ବର୍ତ୍ତମାନ ଏହି କଥାର ହିଁ ସବୁପ୍ରକାର ଲକ୍ଷଣ ପ୍ରକାଶ ପାଉଚି, ଶକ୍ତିର ସମାବସ୍ଥିତତାରେ କେଉଁଠି କୌଣସି ଦ୍ୱନ୍ଦ ଓ ବ୍ୟାଘାତ ସୃଷ୍ଟି ହୋଇ ସାରିଲାଣି । ଶାସ୍ତ୍ରରେ ଯଥାର୍ଥ ଭାବରେ କୁହାଯାଇଚି–‘‘ଯେଉଁଠି କୌଣସି ଅଭାବ ବା ଅସମ୍ପୂର୍ଣ୍ଣତା ରହିଥାଏ, ସେହିଠାରେ ହିଁ କୋଳାହଳ ଓ ସଂଘାତ ସମ୍ଭବ ହୁଏ । ଯାହା ପରିପୂର୍ଣ୍ଣ, ତାହା ଶାନ୍ତ, ତାହା ଦ୍ୱନ୍ଦରହିତ ।’’ ତେଣୁ ତୋ’କଥା ଯେ ଅବଶ୍ୟ ସତ୍ୟ ହୋଇଥିବ, ଏଥିରେ ମୋର ଆଦୌ ସନ୍ଦେହ ହେଉନାହିଁ । କିନ୍ତୁ ବଶିଷ୍ଠୀ, ଆମର ଚତୁର୍ଦ୍ଦିଗରେ ଯେତେବେଳେ ଏହି ବ୍ରହ୍ମଲୋକ ନିର୍ବାପିତ ଏବଂ ବିଲୟପ୍ରାପ୍ତ ହୋଇଆସୁଚି, ସେତେବେଳେ ତୁ ମୋତେ ତଥାଗତଙ୍କ ସମ୍ବନ୍ଧରେ ଗୋଟିଗୋଟି କରି ସବୁକଥା କହ । ତା’ହେଲେ ମୁଁ ମଧ୍ୟ ତୋପରି ଶାନ୍ତ ହୋଇ ରହିପାରିବି, ବିଚଳିତ ହୋଇପଡ଼ିବିନାହିଁ । ତୋର ଜୀବନର ସମସ୍ତ ଘଟଣା ମୋତେ ତୁ ଗୋଟି ଗୋଟି କରି କହ । ହୁଏତ ପରିସ୍ପରରର କଥା ଶୁଣିପାରିବା ପାଇଁ ଯେ ଏହାହିଁ ହେଉଚି ଆମର ସର୍ବଶେଷ ସ୍ଥାନ, ହୁଏତ ଏହାପରେ ଯେ ଏପରି କହିବା ବା ଶୁଣିବା ସମ୍ଭବ ହୋଇପାରିବ ନାହିଁ, ସେକଥା କିଏ ନାହିଁ କରିପାରିବ ? ଏବଂ ଅଙ୍ଗୁଳିମାଳା ମଧ୍ୟ କାହିଁକି ସନ୍ନ୍ୟାସୀ ବେଶରେ ଉଜ୍ଜୟିନୀରେ ଥିବା ମୋର ବାସଭବନକୁ ଆସିଥିଲା, ସେକଥା ଏପର୍ଯ୍ୟନ୍ତ ମୋର ବଡ଼ ଅବୋଧ୍ୟ ରହିଚି । କିନ୍ତୁ ସେ ମୋ’ ଦ୍ୱାରକୁ ଆସିଲା ବୋଲି ତ ମୁଁ ଯାତ୍ରୀ ହୋଇ ବାହାରିଯିବାର ପ୍ରଥମ ପ୍ରେରଣା ପାଇଲି, ତାହାରି ସକାଶେ ହିଁ ମୁଁ ଅଧିକ ଭ୍ରଷ୍ଟ ହୋଇଯିବାରୁ ରକ୍ଷାପାଇଲି । ତାହାରି ଫଳରେ ହିଁ ସ୍ୱର୍ଗଲୋକର ପଶ୍ଚିମ ଭାଗରେ ସ୍ଥାନ ପାଇଲି, ଏବଂ ପୁଣି ତୋର ସାହାଯ୍ୟ ହେତୁ ସ୍ୱର୍ଗର ସର୍ବୋଚ୍ଚ ସ୍ଥାନ ଏହି ବ୍ରହ୍ମଲୋକକୁ ଆସି ଅନନ୍ତ କାଳ ପାଇଁ ଈଶ୍ୱରୀୟ ଜୀବନର ଆସ୍ୱାଦ ଲାଭ କଲି । କିନ୍ତୁ ମୋର ଭାରି ଅନୁମାନ ହେଉଚି ଯେ ତୁଇ ହେଉଛୁ ମୋର ଜୀବନରେ ଏହି ଅଦ୍ଭୁତ ପରିବର୍ତ୍ତନର ପ୍ରଧାନ କାରଣ, ଏହାର ମୂଳରେ ତୋର ହାତ ଅବଶ୍ୟ ରହିଚି । ଏବଂ ଏକଥା କିପରି ଘଟିଲା ଯେ ତୁ ଅନ୍ୟ କୌଣସି ଉଚ୍ଚତର ଲୋକକୁ ନଯାଇ କେବଳ ମୋରି ପରିତ୍ରାଣପାଇଁ ମୋତେ ସ୍ୱର୍ଗଲୋକରେ ଅପେକ୍ଷା କରି ରହିଥିଲୁ ? ବର୍ତ୍ତମାନ ସେ ସମସ୍ତ ବିଷୟ ଶୁଣିବାଲାଗି ମୋର ଭାରି ଆଗ୍ରହ ହେଉଚି ।

 

ଏବଂ ଯେତେବେଳେ ସହସ୍ରଶତାବ୍ଦୀରୁ ସହସ୍ରଶତାବ୍ଦୀ ଯାବତ୍ ବ୍ରହ୍ମାଙ୍କର ଜ୍ୟୋତି କ୍ରମେ ହୀନପ୍ରଭ ହୋଇ ଆସୁଥିଲା, ଯେତେବେଳେ ଚତୁର୍ଦ୍ଦିଗରେ ଅବସ୍ଥିତ ନକ୍ଷତ୍ରଦେବତାମାନେ କ୍ରମଶଃ ପାଣ୍ଡୁର ହୋଇ ଆସୁଥିଲେ–

 

ଯେତେବେଳେ ବ୍ରହ୍ମାଙ୍କର ରକ୍ତାଭ ଜ୍ୟୋତିଭିତରୁ ଅଗ୍ନିକଣାମାନ ନିଃସୃତ ହୋଇ ଶୂନ୍ୟମଣ୍ଡଳକୁ ପୂର୍ଣ୍ଣ କରି ରଖିଥିଲା, ଯେତେବେଳେ ସତେଅବା ଶତଶତ ଯୁଦ୍ଧାସ୍ତ୍ର ଧରି ଦେବତାମାନେ ଭୟାକୁଳ ଚିତ୍ତରେ କେଉଁ ଅଦୃଶ୍ୟ ଶତ୍ରୁର ସନ୍ଧାନ କରିବାରେ ଲାଗିଥିଲେ–

 

ଯେତେବେଳେ ନକ୍ଷତ୍ରବାସୀମାନଙ୍କର ଗତିରେ ଛନ୍ଦୋଭଙ୍ଗ ଉପସ୍ଥିତ ହେବାରୁ ତାହାର ଫଳସ୍ୱରୂପ ଭୀଷଣ ଘୂର୍ଣ୍ଣିବାୟୁମାନ ଜାତ ହୋଉଥିଲା ଏବଂ ଏହି ଘୂର୍ଣ୍ଣିବାୟୁ ଫଳରେ ବ୍ରହ୍ମଲୋକର ପୁଞ୍ଜପୁଞ୍ଜ ନକ୍ଷତ୍ର ଛିନ୍ନଭିନ୍ନ ହୋଇ ଗତିପଥରୁ ଖସି ପଡ଼ୁଥିଲେ, ଜାହାଜରେ ଛିଦ୍ର ହୋଇଗଲେ ତାହା ଭିତରେ ସମୁଦ୍ରର ଜଳ ପଶିଗଲାପରି ଯେତେବେଳେ ମହାଶୂନ୍ୟର ତମିସ୍ର ସ୍ରୋତମାନ ବ୍ରହ୍ମଲୋକରେ ପ୍ରବେଶ କରିବାକୁ ଲାଗିଲେ, ଯେତେବେଳେ ଅନ୍ୟାନ୍ୟ ସ୍ଥାନରେ ନକ୍ଷତ୍ରପୁଞ୍ଜ ସହିତ ନକ୍ଷତ୍ରପୁଞ୍ଜର ଧକ୍କା ଲାଗି ପ୍ରବଳ ବିଶ୍ୱମୟ ଅଗ୍ନି ସଂଜାତ ହୋଇଥିଲା ଏବଂ ମାଳମାଳ ହୋଇ ସେଗୁଡ଼ିକ ବ୍ରହ୍ମଙ୍କର ଅଗ୍ନିଗର୍ଭ ଭିତରେ ନିକ୍ଷିପ୍ତ ହେବାକୁ ଲାଗିଲେ–

 

ଯେତେବେଳେ ସମସ୍ତ ଛନ୍ଦୋମୟତା ନଷ୍ଟ ହୋଇ ବଜ୍ରନିନାଦରେ ମହାଶୂନ୍ୟରେ ମରଣର ଭୀଷଣ ଗର୍ଜନ ନିର୍ଘୋଷିତ ହୋଇଉଠିଲା, ଗୋଟିଏ ସ୍ୱର୍ଗଲୋକରୁ ଆଉ ଗୋଟିଏ ସ୍ୱର୍ଗଲୋକକୁ ବ୍ୟାପ୍ତ ହୋଇ ଯେତେବେଳେ ତାହା କେବଳ ଭୟ ଓ ଆତଙ୍କ ଜାତ କରିବାକୁ ଲାଗିଲା–

 

ସେତେବେଳେ ତଥାପି ଶାନ୍ତ ଓ ସମାହିତ ଚିତ୍ତରେ ବଶିଷ୍ଠୀ କାମନୀତଙ୍କ ସମକ୍ଷରେ ଆପଣା ପାର୍ଥିବ ଜୀବନର ସ୍ମୃତିମାନ ବର୍ଣ୍ଣନା କରୁଥିଲା ।

Image

 

୪୦

Unknown

କୃଷ୍ଣବନରେ

 

ସେଦିନ ସନ୍ଧ୍ୟାପରେ ମୁଁ କୃଷ୍ଣବନକୁ ଯିବାର କୌଣସି ସୁଯୋଗ ହରାଇନଥିଲି । ତଥାଗତଙ୍କର ମୁଖରୁ ନିଃସୃତ ହୋଉଥିବା ବାକ୍ୟ ବା ତାଙ୍କର କୌଣସି ପ୍ରଧାନ ଶିଷ୍ୟଙ୍କର ବାକ୍ୟଦ୍ୱାରା ଗଭୀର ଭାବରେ ମୁଁ ଧର୍ମୋପଦେଶଗୁଡ଼ିକୁ ବୁଝିବାକୁ ଆରମ୍ଭ କଲି ।

ମୋର ସ୍ୱାମୀ ସେପର୍ଯ୍ୟନ୍ତ ପ୍ରବାସରେ ଥଆନ୍ତି । କିନ୍ତୁ ଏଣେ କୌସାମ୍ବି ନଗରରେ ଦସ୍ୟୁ ଅଙ୍ଗୁଳିମାଳାର ଭୟ ବୃଦ୍ଧି ପାଇବାରେ ଲାଗିଥାଏ । ଆଜିକାଲି ଆଉ କୌଣସି ସ୍ଥାନରେ ଲୁଣ୍ଠନ ହେବାର କୌଣସି ନୂତନ ଖବର ମିଳୁନାହିଁ, ଖାସ୍‍ ଏଇଥିପାଇଁ ଲୋକମାନେ ନାନାପ୍ରକାର କାଳ୍ପନିକ ପ୍ରମାଦ ଗଣିବାକୁ ଆରମ୍ଭ କଲେ । ଦିନେ ହଠାତ୍ ଗୋଟାଏ ଜନରବ ଶୁଣାଗଲା ଯେ କୌଣସି ସନ୍ଧ୍ୟାସମୟରେ ଅଙ୍ଗୁଳିମାଳା କୃଷ୍ଣବନ ଉପରେ ଆକ୍ରମଣ କରିବ ଏବଂ ବୁଦ୍ଧ ସମେତ ସେଠାରେ ସମବେତ ଲୋକମାନଙ୍କୁ ଅପହରଣ କରି ନେଇଯିବ । ଏହି ଜନରବ ଶୁଣିବାପରେ ନାଗରିକମାନଙ୍କର ଆଉ ଭୟର ସୀମା ରହିଲାନାହିଁ । ଲୋକମାନେ ଅତ୍ୟନ୍ତ ବ୍ୟସ୍ତ ଭାବରେ ଚିନ୍ତା କରିବାକୁ ଲାଗିଲେ ଯେ ଯଦି ବିବେକ ଶକ୍ତିବିହୀନ ଦସ୍ୟୁଦଳ କୌସାମ୍ବିର ଅନ୍ତଃପାତି କୌଣସି ସ୍ଥାନରେ ତଥାଗତଙ୍କୁ କୌଣସି ଅନିଷ୍ଟ ପହୁଞ୍ଚାଇବେ, ତେବେ ସମସ୍ତ ନଗର ଉପରେ ଦେବତାମାନଙ୍କର କୋପଦୃଷ୍ଟି ପଡ଼ିବ ହିଁ ପଡ଼ିବ ।

ନଗରମାର୍ଗରେ ଏବଂ ରାଜପ୍ରାସାଦ ସମ୍ମୁଖରେ ଅଗଣିତ ଜନସମୂହ ରୁଣ୍ଡ ହେବାକୁ ଲାଗିଲେ, ସେମାନେ ଦୃଢ଼ଭାବରେ ଦାବି କଲେ ଯେ ଏହି ଦୁର୍ଭାଗ୍ୟରୁ ନଗରକୁ ରକ୍ଷା କରିବାଲାଗି ରାଜା ଉଦ୍ଦାନଙ୍କର ଅବଶ୍ୟ କିଛି ନା କିଛି କରିବା ଉଚିତ ଏବଂ ଅଙ୍ଗୁଳିମାଳାର ଉପଦ୍ରବକୁ ଶାନ୍ତ କରିବା ଉଚିତ ।

ତା’ର ପରଦିନ ଶତଗୀର ପ୍ରବାସରୁ ପ୍ରତ୍ୟାବର୍ତ୍ତନ କଲା ।

ଯାତ୍ରାକାଳରେ ମୁଁ ତାକୁ ଯେଉଁ ପରାମର୍ଶମାନ ଦେଇଥିଲି, ସେଥିପାଇଁ ସେ ମୋତେ ଫେରିବାମାତ୍ରକେ ଅନେକ ଧନ୍ୟବାଦ ଦେଇଥିଲା । କେବଳ ସେହି ପରାମର୍ଶ ହେତୁ ହିଁ ସେ ନିରାପଦରେ ଘରକୁ ଫେରିଆସି ପାରିଲା ବୋଲି କହି ସେ ମୋର ଭାରି ପ୍ରଶଂସା କଲା । ଏହି ସମୟରେ ତା’ର ଦ୍ୱିତୀୟ ପତ୍ନୀ ଆପଣାର ପୁତ୍ରକୁ କାଖରେ ନେଇ ପତିର ସ୍ୱାଗତ କରିବାଲାଗି ସେହି ଗୃହରେ ଆସି ପ୍ରବେଶ କଲା । କିନ୍ତୁ ମୋ’ସହିତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥାବାର୍ତ୍ତା କରିବାକୁ ଅଛି ବୋଲି ଶତଗୀର ସଂକ୍ଷେପରେ କେତେଟା କଥା କହି ତାକୁ ସେଠାରୁ ଫେରାଇଦେଲା ।

ମୋର ସଉତୁଣୀ ସେଠାରୁ ଚାଲିଯିବା ପରେ ଶତଗୀର ହଠାତ୍ ମୋ’ପ୍ରତି ତାର ପ୍ରେମ ବିଷୟରେ କହିବାକୁ ଆରମ୍ଭ କଲା । ତାହାର କଥା ଶୁଣି ମୋ’ର ମନରେ ତୀବ୍ର ଘୃଣାଭାବ ଜାଗ୍ରତ ହୋଇ ଉଠୁଥାଏ । ପ୍ରବାସର କିପରି ତା’ର ବାରବାର ମୋ’କଥା ମନେପଡ଼ୁଥିଲା, ଫେରିଆସିବାର ମୂହୁର୍ତ୍ତଟି ପାଇଁ ସେ କିପରି ବ୍ୟାକୁଳ ହୋଇ ଅପେକ୍ଷା କରି ରହିଥିଲା, ଏହିପରି ସେ କେତେଜଣ କହିବାକୁ ଲାଗିଲା ।

ତା’ମନରେ ଅନ୍ୟାନ୍ୟ ଚିନ୍ତା ଜାଗୃତ କରିବା ଉଦ୍ଦେଶ୍ୟରେ ତାକୁ ମୁଁ ନଗର ଭିତରେ ବଢ଼ୁଥିବା ଅଶାନ୍ତି ବିଷୟରେ କହିବାକୁ ଯାଉଚି, ଏହି ସମୟରେ ଜଣେ ପ୍ରହରୀ ଆସି ତାକୁ ରାଜାଙ୍କ ପାଖକୁ ଡାକି ନେଇଗଲା ।

ପ୍ରାୟ ଘଣ୍ଟାକପରେ ସେ ପୁଣି ଫେରିଆସିଲା । କିନ୍ତୁ ଏଥର ଯେପରି ସେ ସମ୍ପୂର୍ଣ୍ଣ ଆଉ ଏକ ମନୁଷ୍ୟ ହୋଇ ଫେରିଆସିବା ପରି ମନେହେଲା । ତାହାର ମୁଖମଣ୍ଡଳ ଏକାବେଳେକେ ପାଣ୍ଡୁର ଓ ସଂଶୟାଚ୍ଛନ୍ନ ହୋଇଯାଇଥାଏ । ମୋର ସମୀପକୁ ଆସି ଗୋଟାଏ ବେଞ୍ଚ୍‍ ଉପରେ ନଥ୍‍କରି ବସିପଡ଼ି ସେ ଚିତ୍କାର କରି କହିଲା ଯେ ସମଗ୍ର ରାଜ୍ୟରେ ତାହାପରି ହତଭାଗ୍ୟ ବ୍ୟକ୍ତି ଆଉ ଦ୍ୱିତୀୟ କେହି ନାହିଁ । ତାହାର ସମସ୍ତ ପୌରୁଷ ବର୍ତ୍ତମାନ ମାଟିରେ ମିଶିଯାଇଚି । କାରାଦଣ୍ଡ ବା ନିର୍ବାସନ ଭୋଗ କରିବାକୁ ବାଧ୍ୟ ନହେଲେ ମଧ୍ୟ ସେ ଅତିଶୀଘ୍ର ଏକ ଦରିଦ୍ର ଭିକାରିର ଜୀବନ ଯାପନ କରିବାକୁ ବାଧ୍ୟ ହେବାକୁ ଯାଉଚି । ଏବଂ ମୋ’ପ୍ରତି ତାହାର ଯେଉଁ ପ୍ରେମ ରହିଚି, ଯେଉଁ ପ୍ରେମର କି ମୁଁ ଥରେହେଲେ କୌଣସି ସହାନୁଭୂତି ସୂଚକ ପ୍ରତ୍ୟୁତ୍ତର ଦେଇନାହିଁ, କେବଳ ସେହି ପ୍ରେମ ହେତୁ ହିଁ ସେ ଏହି ଦାରୁଣ ଦୁର୍ଦ୍ଦଶା ଭୋଗ କରିବାକୁ ଯାଉଚି । ପ୍ରକୃତ ଘଟଣାଟି ମୋତେ ଖୋଲିକରି କହିବାଲାଗି ମୁଁ ତାକୁ ବାରବାର ଅନୁରୋଧ କରିଥିଲି । ଅତି କଷ୍ଟରେ ସେ କିଞ୍ଚିତ୍‍ ପ୍ରକୃତିସ୍ଥ ହୋଇ ତଥାପି ଅତି ବିଚଳିତ ଚିତ୍ତରେ କପୋଳରୁ ସ୍ୱେଦବିନ୍ଦୁ ପୋଛୁପୋଛୁ ରାଜପ୍ରାସାଦର ଘଟିଥିବା ଘଟଣାଟି ମୋ’ଆଗରେ ବର୍ଣ୍ଣନା କରିବାକୁ ଲାଗିଲା ।

 

ରାଜା ଉଦ୍ଦାନ ଅତି ଅପ୍ରସନ୍ନ ଭାବରେ ଶତଗୀରର ସ୍ୱାଗତ କରିଥିଲେ ଏବଂ ବିବଦମାନ ଜନପଦ ଦୁଇଟିର ବିବାଦକୁ ସେ କିପରି ଚିମତ୍କାର ଭାବରେ ମୀମାଂସିତ କରିଦେଇ ଆସିଚି, ସେ ବିଷୟରେ କୌଣସି କଥା ଶୁଣିବାକୁ ଇଚ୍ଛୁକ ନହୋଇ ନାନାପ୍ରକାର ଭୟ ଦେଖାଇ ଅଙ୍ଗୁଳିମାଳା ବିଷୟରେ ପ୍ରକୃତ ସତ୍ୟ କଥାମାନ କହିବାଲାଗି ଶତଗୀରକୁ ଆଦେଶ ଦେଇଥିଲେ । ଏହିସବୁ ବିଷୟରେ ମୁଁ ଆଗରୁ ସବୁକଥା ଭଲକରି ଜାଣିଚି, ଏହିକଥା ନ ଜାଣିଥିବାରୁ ଶତଗୀର ମୋ ଆଗରେ ସେକଥା ଗୋଟିଗୋଟି କରି ବଖାଣିବାରେ ଲାଗିଲା । ମୋ’ପ୍ରତି ଯେ ପ୍ରକୃତରେ ତାର କି ପ୍ରଗାଢ଼ ପ୍ରେମ ରହିଚି, ତାର କଥା ଭିତରୁ ବାରବାର ଏହାର ପ୍ରମାଣ ମିଳୁଥିଲା । ତୁମପ୍ରତି ରହିଥିବା ମୋର ପ୍ରେମକୁ ସେ ଯୌବନକାଳୀନ କେବଳ ଏକ ନିର୍ବୋଧ ଉନ୍ମାଦ ବୋଲି କହି ଉଡ଼ାଇ ଦେବାର ଚେଷ୍ଟା କଲା । ଏହି ପ୍ରେମର ଯେ କଦାପି କୌଣସି ଫଳ ଫଳିନଥାନ୍ତା, ତାହାର କଥାରୁ ଏହିପରି ଏକ ଭାବ ପ୍ରକାଶ ପାଉଥିଲା ।

 

ସମସ୍ତ କଥାଟି ଭାବରେ ରାଜାଙ୍କର କାନକୁ ଆସିଥିଲା ।

 

ଶତଗୀର ପ୍ରବାସରେ ଥିବା ସମୟରେ ନଗରରକ୍ଷୀ ଦଳ କୌସାମ୍ୱିରେ ଅଙ୍ଗୁଳିମାଳା ଓ ଦସ୍ୟୁଦଳର ଗତିବିଧି ଲକ୍ଷ୍ୟ କରିବାକୁ ଆରମ୍ଭ କଲେ ଏବଂ ଭଲକରି ପରୀକ୍ଷା ଓ ଅନୁସନ୍ଧାନ କରିବାପରେ ଜାଣିବାକୁ ପାଇଲେ ଯେ ଅଙ୍ଗୁଳିମାଳା ହେଉଚି ପ୍ରକୃତରେ ଏହି ଦସ୍ୟୁଦଳର ଦଳପତି-। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଗଲା ଯେ ସେଥିର ଅଙ୍ଗୁଳିମାଳାର ମୃତ୍ୟୁ ହୋଇଚି ବୋଲି ମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ, ସେହି ଘୋଷଣା ପ୍ରକୃତରେ ସତ୍ୟ ନୁହେଁ । ପ୍ରକୃତ ଘଟଣା ହେଉଚି ଯେ ଅଙ୍ଗୁଳିମାଳା ମନ୍ତ୍ରୀଙ୍କ ହାତରୁ ଖସି ପଳାଇଯାଇଥିଲା । ଅଙ୍ଗୁଳିମାଳା କୃଷ୍ଣବନ ଉପରେ ଆକ୍ରମଣ କରିବାକୁ ଆୟୋଜନ କରୁଚି ବୋଲି ସେହି ଜନରବ ମଧ୍ୟ ରାଜା ଆଗରୁ ଶୁଣିବାକୁ ପାଇଥିଲେ । ତେଣୁ ଏହି ପ୍ରମାଣମାନ ପାଇ ରାଜାଙ୍କର ଆଉ କ୍ରୋଧର ସୀମା ରହିଲାନାହିଁ । ତା’ହେଲେ ସେତେବେଳେ ଶତଗୀର ଦସ୍ୟୁ ଅଙ୍ଗୁଳିମାଳାକୁ ଖସି ପଳାଇଯିବାର ସୁଯୋଗ ଦେଇଚି ଏବଂ ନଗରଦ୍ୱାରରେ ଆଉ କାହାର ଏକ ଛିନ୍ନ ମସ୍ତକ ଝୁଲାଇଦେଇ ସମସ୍ତ କୌସାମ୍ବି ଏବଂ ତାହାର ଅଧିପତିଙ୍କୁ ଭୁଲାଇ ରଖିବାର ଫିସାଦ କରିଚି ! ଶତଗୀରଠାରୁ ସେ ଆଉ କୌଣସି କଥା ଶୁଣିବାକୁ ଇଚ୍ଛା କଲେନାହିଁ । ଯଦି ଆଗାମୀ ତିନିଦିନ ଭିତରେ ଶତଗୀର ଅଙ୍ଗୁଳିମାଳାର ଉପଦ୍ରବ ଦୂର କରିବାକୁ ସମର୍ଥ ନହୁଏ, ତେବେ ରାଜକୋପର ସମସ୍ତ ତୀବ୍ର ପରିଣାମ ତାହାକୁ ଭୋଗିବାକୁ ହିଁ ପଡ଼ିବ ।

ଏତିକି କଥା କହିସାରି ଶତଗୀର ଟଳଟଳ ହୋଇ ବେଞ୍ଚ୍‍ଉପରୁ ତଳକୁ ପଡ଼ିଗଲା । ହାତରେ ମୁଣ୍ଡର ବାଳକୁ ଓଟାରି ଉନ୍ମତ୍ତପ୍ରାୟ ହେବାକୁ ଲାଗିଲା ।

ମୁଁ ସାନ୍ତ୍ୱନା ଦେଇ କହିଲି- ସ୍ୱାମୀ, ତୁମେ ଅଧୀର ହୁଅନାହିଁ ଏବଂ ମୁଁ ଯାହା ପରାମର୍ଶ ଦେଉଚି, ସେହି ଅନୁସାରେ କାର୍ଯ୍ୟକର । ତେବେ ତିନିଦିନ ପାଇଁ ମଧ୍ୟ ତୁମକୁ ଅପେକ୍ଷା କରିବାକୁ ପଡ଼ିବନାହିଁ, ଆଜି ମଧ୍ୟ ତୁମେ ପୁନଃ ରାଜାନୁଗ୍ରହ ଲାଭ କରିପାରିବ । ଏବଂ ଏଥର ସେହି ଅନୁଗ୍ରହ ପୂର୍ବ ଅପେକ୍ଷା ତୁମର ଭାଗ୍ୟକୁ ଅଧିକ ଉଜ୍ଜ୍ୱଳ କରିଦେବ ।

ମାଟିରୁ ଉଠି ଶତଗୀର ପୁଣି ବେଞ୍ଚ୍‍ଉପରେ ବସିଲା ଏବଂ ବିସ୍ମୟ ବିହ୍ୱଳ ଚକ୍ଷୁରେ ମୋତେ ଅନାଇ ରହିଲା ।

ବର୍ତ୍ତମାନ ତୁମେ ମୋତେ କି ପରାମର୍ଶ ଦେବ ?

ବର୍ତ୍ତମାନ ତୁମେ ପୁଣି ରାଜାଙ୍କ ପାଖକୁ ଯିବ ଏବଂ ନଗରର ବହିର୍ଦେଶରେ ଥିବା ଶିଂଶପାବନକୁ ଯିବାଲାଗି ଅନୁରୋଧ କରିବ । ସେଠାରୁ ସେ ପ୍ରାଚୀନ କୃଷ୍ଣ ମନ୍ଦିରକୁ ଯାଇ ବୁଦ୍ଧଙ୍କର ଦର୍ଶନ କରିବେ ଏବଂ ତାଙ୍କର ପରାମର୍ଶ ଭିକ୍ଷା କରିବେ । ତା’ପରେ ଅବଶିଷ୍ଟ ଘଟଣା ଆପଣା ମନକୁ ହିଁ ଘଟିବ ।

ତୁମେ ପ୍ରକୃତରେ ଭାରି ବୁଦ୍ଧିମାନ, କାରଣ ପ୍ରତ୍ୟେକ କ୍ଷେତ୍ରରେ ତୁମର ପରାମର୍ଶ ହେଉଚି ସର୍ବଶ୍ରେଷ୍ଠ ପରାମର୍ଶ । କାରଣ ବୁଦ୍ଧଙ୍କ ଅପେକ୍ଷା ଅଧିକ ବିଜ୍ଞ ବ୍ୟକ୍ତି ଆଉ ମନୁଷ୍ୟ ସମାଜରେ କିଏ ଅଛି ? ଏହାଫଳରେ ମୋର ଭାଗ୍ୟର ଅନୁକୂଳ କୌଣସି ପରିଣାମ ଘଟିବ ବୋଲି ତୁମେ ଯେତେବେଳେ ଭାବୁଚ, ସେତେବେଳେ ମୁଁ ଅବଶ୍ୟ ଏଥିପାଇଁ ଉଦ୍ୟମ କରି ଦେଖିବି-

ମୁଁ ଉତ୍ତର ଦେଲି–ଏହାର ସୁପରିଣାମ ଅବଶ୍ୟ ଫଳିବ, ଏକଥା ମୁଁ ନିୟମ କରି କହୁଚି । ସେ ମୋର ହାତ ଧରି ପକାଇ ଉଲ୍ଲସିତ ଭାବରେ କହିଲା–ବଶିଷ୍ଠୀ, ତୁମ ଉପରେ ମୋର ସମ୍ପୂର୍ଣ୍ଣ ଆସ୍ଥା ରହିଚି । ତୁମକୁ ଅବିଶ୍ୱାସ କରିବା କି ମୋ’ପକ୍ଷରେ କେବେହେଲେ ସମ୍ଭବ ହୋଇପାରେ ? ତୁମେ ହେଉଚ ଜଣେ ଅପୂର୍ବ ଗୁଣବତୀ ନାରୀ, କେବଳ ଦେବରାଜ ଇନ୍ଦ୍ର ହିଁ ସେକଥା ଜାଣନ୍ତି । ଆଜି ମୋର ସେହି ଅନଭିଜ୍ଞ ଯୌବନ ସମୟର କଥାମାନ ମନେପଡ଼ୁଚି । କୌସାମ୍ବିରେ ଏତେଏତେ ପୂର୍ଣ୍ଣ ପ୍ରସ୍ଫୁଟିତା ବାଳିକା ଥାଉଥାଉ ସତେ ଯେପରି ହୃଦୟର କୌଣସି ମୂଳପ୍ରବୃତ୍ତି ଦ୍ୱାରା ପରିଚାଳିତ ହୋଇ ସେତେବେଳେ ମୁଁ କେବଳ ତୁମକୁ ହିଁ ଆପଣାର ବୋଲି ଗ୍ରହଣ କରିଥିଲି ଏବଂ ତୁମର କନ୍ଦୁକ କଦାପି ମୋର ପ୍ରିୟତମାଠାରୁ ମୋତେ ଦୂରକୁ ଫିଙ୍ଗିଦେଇ ନଥିଲା ।

ଯେଉଁ ପୁଲକିତ ଉତ୍ସାହ ସହିତ ସେ ମୋର ପ୍ରଶଂସା କରିବାରେ ଲାଗିଥାଏ ତାହା ଦେଖି କାହିଁକି ଯେ ମୁଁ ତାକୁ କୌଣସି ପରାମର୍ଶ ଦେଲି, ସେଥିଲାଗି ମୋର ମନେମନେ ଭାରି ରାଗ ହେଉଥାଏ । ମୁଁ ତାକୁ ଯାହା ମାଗିବି, ମୋ’ପ୍ରତି ରହିଥିବା କୃତଜ୍ଞତାର ନିଦର୍ଶନ ସ୍ୱରୂପ ତାହା ସେ ମୋତେ ଅବଶ୍ୟ ଦେବାକୁ ପ୍ରସ୍ତୁତ ଅଛି, ତା’ଠାରୁ ଏହିକଥା ଶୁଣିବା ମାତ୍ରକେ ମୁଁ ଟିକିଏ ଶାନ୍ତ ହୋଇଗଲି ।

ଉତ୍ତର ଦେଇ ମୁଁ କହିଲି–ମୋର କେବଳ ଗୋଟିଏ ବର ମାଗିବାର ଅଛି, ସେଇ ବରଟି ମୋତେ ଦେଇପାରିଲେ ତୁମ କୃତଜ୍ଞତାର ଯଥେଷ୍ଟ ପ୍ରମାଣ ମୋତେ ମିଳିଯିବ ।

ଶତଗୀର ତତ୍‍କ୍ଷଣାତ୍‍ କହିଲା–ତୁମେ କେଉଁ ବର ମାଗିବାକୁ ଇଚ୍ଛା କରୁଚ ମୋତେ ଅତିଶୀଘ୍ର କହ । ଏପରିକି ତୁମେ ମୋର ଦ୍ୱିତୀୟ ପତ୍ନୀକୁ ପୁତ୍ରସହିତ ତାହାର ବାପଘରକୁ ପଠାଇଦେବାକୁ ଦାବି କଲେ ମଧ୍ୟ ମୁଁ ସଙ୍ଗେ ସଙ୍ଗେ ତାହା କରିବାକୁ ପ୍ରସ୍ତୁତ ଅଛି ।

 

ମୁଁ ଯାହା ବର ମାଗିବି, ତାହା ବଡ଼ ନ୍ୟାୟସଙ୍ଗତ । ସେଥିରେ ଅନ୍ୟାୟର ଲେଶମାତ୍ର ନାହିଁ । କିନ୍ତୁ ମୁଁ ତୁମକୁ ଯେଉଁ ପରାମର୍ଶ ଦେଇଚି, ଆଗ ସେଥିରୁ ତୁମର ଈପ୍‍ସିତ ଫଳ ଫଳିସାରିଲେ ଯାଇ ମୁଁ ମୋର ବର ମାଗିବି, ବର୍ତ୍ତମାନ ନୁହେଁ । ତେଣୁ ବର୍ତ୍ତମାନ ତୁମେ ରାଜପ୍ରାସାଦକୁ ଯାଇ ବୁଦ୍ଧ ଦର୍ଶନରେ ଯିବାଲାଗି ରାଜାଙ୍କୁ ସମ୍ମତ କର ।

 

କିଛି ସମୟପରେ ଶତଗୀର ପୁଣି ଫେରିଆସିଲା ଏବଂ କହିଲା ଯେ ରାଜା ତାହାର ପ୍ରସ୍ତାବରେ ସମ୍ମତ ହୋଇଚନ୍ତି ।

 

ସେ କହିଲା–ଏହି ପରାମର୍ଶ ତୁମେ ଦେଇଚ ଓ ଏହାର ଫଳ ଅବଶ୍ୟ ଫଳିବ ବୋଲି ତୁମଠାରୁ ପ୍ରତିଶ୍ରୁତି ମଳିଚି ବୋଲି ଯେତେବେଳେ ରାଜା ଶୁଣିବାକୁ ପାଇଲେ, ସେତେବେଳେ ସେ ତତ୍‍କ୍ଷଣାତ୍ ରାଜି ହୋଇଗଲେ । କାରଣ ତୁମର କଥାଉପରେ ସେ ସବୁବେଳେ ଅନେକ ମୂଲ୍ୟ ଦେଇ ଆସିଚନ୍ତି । ତୁମପରି ଜଣେ ସ୍ତ୍ରୀ ପାଇ ମୁଁ ଆପଣାକୁ ପରମ ଭାଗ୍ୟବାନ୍ ମନେ କରୁଚି ।

 

ତାହାର ଅନର୍ଗଳ ପ୍ରଶଂସା ବାକ୍ୟମାନ ମୋର ହୃଦୟରେ କଣ୍ଟା ଫୋଡ଼ି ଦେଉଥିଲା । ଅବଶ୍ୟ ଏହି ବିଷୟରେ ମୋର ସ୍ୱକୀୟ ଗୋପନୀୟ ବିଚାରମାନ ରହିଥିଲା ବୋଲି ମୁଁ ଦମ୍ଭ ଧରି ରହିପାରିଲି ।

 

ଆମେ ଦୁହେଁ ସଜହୋଇ ସଙ୍ଗେସଙ୍ଗେ ରାଜପ୍ରାସାଦକୁ ଗଲୁ । ସେଠାରେ ସମସ୍ତେ ଯାତ୍ରା କରିବାଲାଗି ପ୍ରସ୍ତୁତ ହୋଇ ରହିଥିଲେ ।

 

କ୍ରମେ ସୂର୍ଯ୍ୟର କିରଣ କଅଁଳ ହୋଇଆସିଲା । ରାଜା ଉଦ୍ଦାନ ଆପଣାର ବିଖ୍ୟାତ ହସ୍ତୀ ଭଦ୍ରବର୍ତ୍ତିକର ପୃଷ୍ଠରେ ଯାଇ ଆରୋହଣ କଲେ । ହସ୍ତୀର ବୟସ ଅଧିକ ହୋଇଯାଇଥିବାରୁ କେବଳ ବିଶେଷ ଉପଲକ୍ଷମାନଙ୍କରେ ତାହାକୁ ବ୍ୟବହାର କରାଯାଉଥିଲା । ଆମେ ସମସ୍ତେ ସଭାସଦ ଓ ବଡ଼ ବଡ଼ କର୍ମଚାରୀଙ୍କ ଗହଣରେ ପଛରେ ଗାଡ଼ି ଉପରେ ବସି ବାହାରିଲୁ । ସବାଆଗରେ ଓ ସବାପଛରେ ଦୁଇଶତ ଲେଖାଏଁ ଅଶ୍ୱାରୋହୀ ସୈନ୍ୟ ଆମ ସହିତ ବାହାରିଥିଲେ-

 

ଅରଣ୍ୟରେ ପହଞ୍ଚିବା ମାତ୍ରକେ ଭଦ୍ରବର୍ତ୍ତିକ ଆଣ୍ଠୁମାଡ଼ି ବସିଲା ଏବଂ ରାଜା ତଳକୁ ଓହ୍ଲାଇଗଲେ । ଆମେମାନେ ମଧ୍ୟ ଗାଡ଼ିରୁ ଓହ୍ଲାଇ ରାଜାଙ୍କର ପଛେପଛେ କୃଷ୍ଣମନ୍ଦିର ଆଡ଼କୁ ଯିବାକୁ ଲାଗିଲୁ । ରାଜା ଆସୁଥିବାର ସମ୍ବାଦ ଆଗରୁ ବୁଦ୍ଧଙ୍କ ପାଖରେ ପହଞ୍ଚି ସାରିଥିଲା, ତେଣୁ ସେ ଶିଷ୍ୟବର୍ଗ ପରିବେଷ୍ଟିତ ହୋଇ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ । ସେଠାରେ ପହଞ୍ଚି ରାଜା ତଥାଗତଙ୍କୁ ସବିନୟ ଅଭିବାଦନ ଜଣାଇଲେ ଏବଂ ତାଙ୍କ ପାରୁଶରେ ଯାଇ ବସିଲେ । ଅନ୍ୟ ସମସ୍ତେ ଆପଣା ଆପଣାର ଆସନ ଗ୍ରହଣ କରିବାପରେ ତଥାଗତ ପ୍ରଶ୍ନ କଲେ : –

 

ନରପତି, ରାଜ୍ୟର କୌଣସି ବିଶେଷ ସମସ୍ୟା ଆସି ଉପସ୍ଥିତ ହୋଇଚି କି ? କାଶୀ କିମ୍ବା ଅନ୍ୟ କୌଣସି ପ୍ରତିବେଶୀ ରାଜ୍ୟର କେହି ରାଜା ଆପଣଙ୍କର ରାଜ୍ୟସହିତ ଯୁଦ୍ଧରେ ପ୍ରବୃତ୍ତ ହେବାକୁ ମନ ବଳାଇଚନ୍ତି କି ?

 

ଭଗବାନ୍‍, କାଶୀ ବା ଅନ୍ୟ କୌଣସି ରାଜ୍ୟର ରାଜା ମୋତେ କୌଣସି ପ୍ରକାରେ ବିପନ୍ନ କରିବାକୁ ମନ ବଳାଇ ନାହାନ୍ତି । କିନ୍ତୁ ମୋ’ ରାଜ୍ୟରେ ଅଙ୍ଗୁଳିମାଳା ନାମରେ ଜଣେ ଦୁର୍ବୃତ୍ତ ଦୁର୍ଦ୍ଧଷ ଦସ୍ୟୁ ଅବସ୍ଥାନ କରୁଚି । ଲୋକହତ୍ୟା କରିବା ହିଁ ହେଉଚି ତାର ପେଶା । ମନୁଷ୍ୟ ବା ଇତର ପ୍ରାଣୀ କାହାରିପ୍ରତି ତାହାର କୌଣସି ଦୟା ନାହିଁ । ସେ କେତେକେତେ ଗ୍ରାମ ଓ ସହର ଛାରଖାର କରି ସାରିଲାଣି । ତାହାରି ପ୍ରକୋପରେ ରାଜ୍ୟର ମାର୍ଗମାନ ଅତ୍ୟନ୍ତ ବିପନ୍ନ ହୋଇପଡ଼ିଚି । ଲୋକମାନଙ୍କୁ ହତ୍ୟା କରି ଏହି ଦସ୍ୟୁ ସେମାନଙ୍କ ହାତର ବୁଢ଼ାଆଙ୍ଗୁଠିକୁ ନେଇ ମାଳାକରି ଆପଣା ବେକରେ ପିନ୍ଧେ । ଆପଣା ହୃଦୟର ଦୁଷ୍ଟ ପ୍ରବୃତ୍ତିଦ୍ୱାରା ପ୍ରଚାଳିତ ହୋଇ ଦସ୍ୟୁ ବର୍ତ୍ତମାନ ପାଞ୍ଚ କରିଚି ଯେ ଦଳବଳ ନେଇ ସେ ଏହି ପବିତ୍ର ବନକୁ ଆକ୍ରମଣ କରିବ ଏବଂ ଶିଷ୍ୟ ସମେତ ତଥାଗତଙ୍କୁ ଅପହରଣ କରି ନେଇଯିବ । ମୋର ରାଜ୍ୟର ପ୍ରଜାକୁଳ ଏହି ଭୀଷଣ ବିପତ୍ତିର ଆଶଙ୍କାରେ ସଂତ୍ରସ୍ତ ହୋଇ ପଡ଼ିଲେଣି । ଆତଙ୍କିତ ହୋଇ ସେମାନେ ମୋର ରାଜପ୍ରାସାଦର ଦ୍ୱାରଦେଶରେ ରୁଣ୍ଡହୋଇ ଅଙ୍ଗୁଳିମାଳାର ଏହି ଉପଦ୍ରବ ଦୂର କରିବାଲାଗି ମୋ’ପାଖରେ ଦାବି କରୁଚନ୍ତି । ଏହି ସମସ୍ୟାଟି ବର୍ତ୍ତମାନ ମୋର ମନକୁ ସତତ ବିଚଳିତ କରି ରଖିଚି ।

 

ନରପତି, ଯଦି ତୁମେ ବର୍ତ୍ତମାନ ଅଙ୍ଗୁଳିମାଳାକୁ ମୁଣ୍ଡିତମସ୍ତକ ଓ ମୁଣ୍ଡିତଶ୍ମଶ୍ରୁ ଭାବରେ ଦେଖିବାକୁ ପାଇବ, ଯଦି ସେ ପୀତବର୍ଣ୍ଣ ଅଙ୍ଗବସ୍ତ୍ର ଧାରଣ କରିଥିବ, ଯଦି ତାହାର ମନରୁ ହତ୍ୟା, ଲୁଣ୍ଠନ ଓ ମିଥ୍ୟାର ସକଳ ପାପଚିନ୍ତା ଦୂର ହୋଇଯାଇଥିବ, ଯଦି ସେ ବର୍ତ୍ତମାନ ଦିନକୁ ଏକବାର ଆହାର ଗ୍ରହଣକରି ସନ୍ତୁଷ୍ଟ ରହୁଥିବ, ଯଦି ତାହାର ଆଚରଣ ଶୁଦ୍ଧ ହୋଇଥିବ, ଯଦି ତାହାର ଚରିତ୍ର ସଜ୍ଜନର ଚରିତ୍ର ହୋଇଥିବ, ତେବେ ତା’ସହିତ ତୁମେ କିପରି ଆଚରଣ କରିବ ?

 

ଭଗବାନ, ସମସ୍ତ ସମ୍ମାନ ସହକାରେ ଆମେ ତାହାକୁ ଅଭିନନ୍ଦନ ଜଣାଇବୁ, ତାଙ୍କ ପାଖକୁ ଯାଇ ତାଙ୍କୁ ଉପଯୁକ୍ତ ଆସନରେ ବସାଇବୁ, ଆମଠାରୁ ବସ୍ତ୍ର, ଅନ୍ନ, ଆଶ୍ରୟ ଓ ପୀଡ଼ିତହେବା ସମୟରେ ଔଷଧ ଗ୍ରହଣ କରିବାଲାଗି ତାଙ୍କୁ ଅନୁରୋଧ କରିବୁ, ତାଙ୍କର ସୁରକ୍ଷା ଓ ସାହାଯ୍ୟଲାଗି ଆମେ କୌଣସି ପ୍ରକାରେ ତ୍ରୁଟି କରିବୁ ନାହିଁ । କିନ୍ତୁ, ଭଗବାନ୍ ଏପରି ଜଣେ ଭୟଙ୍କର ଅପରାଧ ଦୁଷ୍ଟ ହିଂସ୍ର ମନୁଷ୍ୟ କି କେବେ ଏପରି ଭାବରେ ପରିବର୍ତ୍ତିତ ହୋଇପାରେ ?

 

ଅଙ୍ଗୁଳିମାଳା ତଥାଗତଙ୍କଠାରୁ ଅନତିଦୂରରେ ଉପବେଶନ କରିଥିଲେ । ତାଙ୍କରିଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ତଥାଗତ ରାଜା ଉଦ୍ଦାନଙ୍କୁ କହିଲେ : –

 

ରାଜା, ସେହି ହେଉଚି ଅଙ୍ଗୁଳିମାଳା !

 

ଭୟରେ ରାଜାଙ୍କର ମୁଖମଣ୍ଡଳ ତତ୍‍କ୍ଷଣାତ୍ ପାଂଶୁବର୍ଣ୍ଣ ହୋଇଗଲା । କିନ୍ତୁ ଶତଗୀର ରାଜାଙ୍କଠାରୁ ଆହୁରି ଅଧିକ ଭୟଗ୍ରସ୍ତ ହୋଇପଡ଼ିଥିଲା । ତାର ଆଖିର ତାରା ଯେପରି କୋଟରଭିତରୁ ଆହୁରି ଅଧିକ ଭୟଗ୍ରସ୍ତ ହୋଇପଡ଼ିଥିଲା । ତାର ଆଖିର ତାରା ଯେପରି କୋଟରଭିତରୁ ବାହାରି ପଡ଼ିବ ସେହିପରି ମନେହେଲା, ତାର ମୁଣ୍ଡର ବାଳ ଠିଆହୋଇ ରହିଲା, କପୋଳରୁ ଶୀତଳ ସ୍ୱେଦବିନ୍ଦୁ ଖସିବାକୁ ଆରମ୍ଭ କଲା ।

 

ସେ ଚିତ୍କାର କରି କହିଲା–ହେ ଭଗବାନ୍‍ ଏ ଯେ ସତକୁ ସତ ଅଙ୍ଗୁଳିମାଳା ! ଆଉ ମୁଁ ହତଭାଗ୍ୟ ରାଜାଙ୍କ ସହିତ କି କୌଶଳ ନଖେଳିଲି ! ତାଙ୍କୁ ଶେଷକୁ ଆଣି ଏହି ଦସ୍ୟୁର କବଳରେ ପକାଇଦେଲି !

 

କିନ୍ତୁ ମୁଁ ଦୂରରୁ ମଧ୍ୟ ବେଶ୍ ଭଲକରି ଲକ୍ଷ୍ୟ କରିପାରୁଥାଏ ଯେ ଆପଣାର ମାରାତ୍ମକ ଶତ୍ରୁର ସମ୍ମୁଖରେ ପଡ଼ି ସ୍ୱୟଂ ଶତଗୀର ହିଁ ଭୟତ୍ରସ୍ତ ହୋଇପଡ଼ିଥାଏ ।

 

ପୁଣି ଚିତ୍କାର କରି ସେ କହିଲା -ଏହି ଭୟଙ୍କର ଲୋକଟା ଆମ ସମସ୍ତଙ୍କ ସହିତ ବିଶ୍ୱାସଘାତକତା କରିଛି । ସେ ସ୍ୱୟଂ ତଥାଗତଙ୍କ ପ୍ରତି ମଧ୍ୟ ବିଶ୍ୱାସଘାତକତାର ଆଚରଣ କରିଚି, ମୋର ପତ୍ନୀକୁ ମଧ୍ୟ ପ୍ରବଞ୍ଚନା କରିଚି, ସ୍ୱଭାବତଃ ଯେକୌଣସି ନାରୀ ପରି ମୋର ପତ୍ନୀ ମଧ୍ୟ ଏହି ସବୁ ହୃଦୟ ପରିବର୍ତ୍ତନର ଫମ୍ପା ଗଳ୍ପ ଉପରେ ଅନେକ ଗୁରୁତ୍ୱ ଦେଇଚି । ଏହିପରି ଆମେ ସମସ୍ତେ ଏହାରି ଫାନ୍ଦରେ ପଡ଼ିଯାଇଚୁ ।

 

ଶତଗୀରର ଦୃଷ୍ଟି ବଡ଼ ଚଞ୍ଚଳ ବିକ୍ଷେପରେ ଏପାଖସେପାଖ ହେଉଥାଏ- ମନେହେଉଥାଏ, ସତେ ଯେପରି ସେ ପ୍ରତ୍ୟେକ ବୃକ୍ଷର ଅନ୍ତରାଳରେ ଅଧଡଜନ ଲେଖାଏଁ ଦସ୍ୟୁଙ୍କର ଛାଇ ଦେଖିବାକୁ ପାଉଚି । ଥରଥର କଣ୍ଠ ଓ କମ୍ପିତ ହସ୍ତ ସଙ୍କେତ ଦ୍ୱାରା ସେ ରାଜାଙ୍କୁ ତତ୍‍କ୍ଷଣାତ୍ ସେଠାରୁ ପଳାଇ ଆତ୍ମରକ୍ଷା କରିବାଲାଗି କହିବାକୁ ଚେଷ୍ଟାକଲା । ଏତିକିବେଳେ ମୁଁ ଆଗକୁ ଆସି କହିଲି : –

 

ସ୍ୱାମୀ, ଆପଣ ପ୍ରକୃତିସ୍ଥ ହୁଅନ୍ତୁ । ମୁଁ ଆପଣଙ୍କୁ ଏବଂ ମାନ୍ୟବର ନରପତିଙ୍କୁ ନିର୍ଭର ବିଶ୍ୱାସ ଦେଇ କହୁଚି ଯେ ଏଠାରେ ଆପଣମାନେ କୌଣସି ଫାନ୍ଦରେ ଆସି ପଡ଼ିନାହାନ୍ତି ବା ଏଠାରେ କୌଣସି ବିପଦର ଆଶଙ୍କା ନାହିଁ ।

 

ଦସ୍ୟୁ ଅଙ୍ଗୁଳିମାଳାର ପ୍ରବର୍ତ୍ତନାରେ ପଡ଼ି ମୁଁ କିପରି ମୋର ସ୍ୱାମୀଙ୍କର ଜୀବନ ନେବାଲାଗି ଏକ ଷଡ଼ଯନ୍ତ୍ରରେ ଲିପ୍ତ ହୋଇ ବସିଥିଲି ଏବଂ ଅଙ୍ଗୁଳିମାଳାର ହୃଦୟ ପରିବର୍ତ୍ତନ ହେତୁ ହିଁ କିପରି ସେହି ଦୁଷ୍କର୍ମ ସମ୍ଭବ ହୋଇ ପାରିଲାନାହିଁ, ସେହିକଥା ମୁଁ ସେଠାରେ ବର୍ଣ୍ଣନା କରି କହିଥିଲି ।

 

ଆପଣାର ମୃତ୍ୟୁ ଆସି କେତେ ନିକଟରେ ପହଞ୍ଚିଥିଲା, ଏହିକଥା ଶୁଣୁଶୁଣୁ ଶତଗୀର ବିହ୍ୱଳପ୍ରାୟ ହୋଇପଡ଼ିଲା ଏବଂ ତଳେ ପଡ଼ିଯିବା ଭୟରେ ଆପଣାର ପ୍ରହରୀର ବାହୁକୁ ଧରି ଠିଆହେଲା ।

 

ମୋର ସ୍ୱାମୀଙ୍କର ଦୋଷ ମାର୍ଜନା ହେଉ ବୋଲି ମୁଁ ରାଜାଙ୍କ ଆଗରେ ଜାନୁପାତପୂର୍ବକ ପ୍ରାର୍ଥନା କରିବାକୁ ଲାଗିଲି । ପ୍ରୀତିର ଜ୍ଜ୍ୱାଳାରେ ଦଗ୍ଧ ହୋଇ ସେ ମୋ’ପାଖରେ ମଧ୍ୟ ଯେଉଁ ଅପରାଧ କରିଥିଲେ, ମୁଁ ତାହାକୁ ମାର୍ଜନା କରିଚି ବୋଲି ରାଜାଙ୍କୁ ନିବେଦନ କରିଥିଲି । ବିଧିର ଅଦ୍‍ଭୁତ ବିଧାନ ଅନୁସାରେ ଆମ ଆଖିଆଗରେ ଏପରି ଏକ ବିରାଟ ବିସ୍ମୟ ସଘଂଟିତ କରାଇବା ଲାଗି ସେପରି ଏକ ଘଟଣା ଘଟାଇବା ହୁଏତ ଭଗବାନଙ୍କର ଉଦ୍ଦେଶ୍ୟ ଥିଲା । ଏତେବଡ଼ ଦସ୍ୟୁକୁ ସଂହାର କରିବାଲାଗି ଆଉ କୌଣସି ଆବଶ୍ୟକତା ରହିଲାନାହିଁ, ଆପଣାର ଦସ୍ୟୁଜୀବନ ପରିତ୍ୟାଗ କରି ସେ ଜଣେ ପବିତ୍ର ମନୁଷ୍ୟରେ ପରିଣତ ହେଲା, ଏହା ପ୍ରକୃତରେ ଏକ ବିରାଟ ବିସ୍ମୟ ନୁହେଁ କି ?

 

ରାଜାଙ୍କଠାରୁ ମାର୍ଜନାର ପ୍ରତିଶ୍ରୁତି ପାଇସାରିବା ପରେ ମୁଁ ଶତଗୀରକୁ କହିଲି :–

 

ବର୍ତ୍ତମାନ ମୁଁ ମୋର ପ୍ରତିଜ୍ଞା ପାଳନ କରିଚି । ବର୍ତ୍ତମାନ ତୁମକୁ ମଧ୍ୟ ତୁମର ପ୍ରତିଜ୍ଞାଟି ପାଳନ କରିବାକୁ ହେବ । ମୋ’ପାଖରେ ସତ୍ୟ କରିଥିବା ବରଟି ବର୍ତ୍ତମାନ ମୋତେ ଦେବାକୁ ହେବ । ସେହି ବରଟି ହେଉଚି, ବୁଦ୍ଧଙ୍କର ଅନୁଗାମୀ ଭିକ୍ଷୁସଂଘରେ ପ୍ରବେଶ କରିବାଲାଗି ମୁଁ ତୁମର ଅନୁମତି ପ୍ରାର୍ଥନା କରୁଚି ।

 

ସତେଅବା ଅସମ୍ମତ ହେବାର କୌଣସି ବାଟ ନପାଇ ଶତଗୀର ମୋର ପ୍ରାର୍ଥନା ସ୍ୱୀକାର କରିଥିଲା । କିନ୍ତୁ ରାଜା ଉଦ୍ଦାନ ବର୍ତ୍ତମାନ ସମ୍ପୂର୍ଣ୍ଣ ଶାନ୍ତ ଓ ପ୍ରକୃତିସ୍ଥ ହୋଇସାରିଥିଲେ । ସେ ଅଙ୍ଗୁଳିମାଳା ନିକଟକୁ ଯାଇ ତାହା ସହିତ ଖୁବ୍ ସମ୍ଭ୍ରମର ସହିତ କଥାବାର୍ତ୍ତା କଲେ ଏବଂ ତାହାକୁ ରାଜାଶ୍ରୟର ନିର୍ଭର ଦେଇଥିଲେ । ତା’ପରେ ବୁଦ୍ଧଙ୍କର ପାର୍ଶ୍ୱକୁ ଆସି ନତ ହୋଇ ପ୍ରଣାମ କରି କହିଲେ : –

 

ଭଗବାନ୍‍, ପ୍ରକୃତରେ ସଂସାରର ଏହା ସବୁଠାରୁ ବିରାଟ ବିସ୍ମୟ । ଯିଏ ପୋଷ ମାନିବ ବୋଲି ସବୁଠାରୁ ଅଧିକ ଅସମ୍ଭବ ମନେ ହେଉଥିଲା, ଆପଣ ତାହାକୁ ପୋଷ ମନାଇ ପାରିଲେ । ଏହି ଅଙ୍ଗୁଳିମାଳାକୁ ଦମନ କରିବାକୁ ଆମେ ଦଣ୍ଡ ଓ ତରବାରି ସମସ୍ତ ପ୍ରୟୋଗ କରି ତଥାପି ବିଫଳ ହୋଇଥିଲୁ, କିନ୍ତୁ କୌଣସି ଦଣ୍ଡ ବା ତରବାରିର ଆଶ୍ରୟ ନନେଇ ଆଜି ତଥାଗତ ତାହାକୁ ଦମନ କରିପାରିଚନ୍ତି । ଏହି ପବିତ୍ର ଚିରସ୍ମରଣୀୟ ଉପବନରେ ଆଜି ଏତେବଡ଼ ବିସ୍ମୟ ସଂଘଟିତ ହୋଇଚି, ତେଣୁ ଏହି ବନ ଆଜିଠାରୁ ଭିକ୍ଷୁସଂଘର ସମ୍ପତ୍ତି ହୋଇ ରହିଲା ବୋଲି ମୁଁ ଘୋଷଣା କଲି-। ଭିକ୍ଷୁମାନଙ୍କର ନିବାସଲାଗି ମୁଁ ଏଠାରେ ଏକ ବାସଭବନ ନିର୍ମାଣ କରିଦେବି, ଭିକ୍ଷୁଣୀମାନଙ୍କ ଲାଗି ମଧ୍ୟ ତଦନୁରୂପ ଆଉଗୋଟିଏ ଗୃହ ନିର୍ମାଣ କରିଦେବି ତଥାଗତଙ୍କଠାରୁ ମୁଁ ଏହି ଅନୁମତି ଭିକ୍ଷା କରୁଚି ।

 

ଗମ୍ଭୀର ମୌନ ଅବଲମ୍ବନ କରି ତଥାଗତ ରାଜାଙ୍କର ଏହି ଦାନକୁ ସାଦର ଗ୍ରହଣ କରିଥିଲେ । ଏହାପରେ ରାଜା ଉଦ୍ଦାନ ତଥାଗତଙ୍କଠାରୁ ବିଦାୟନେଇ ଅନୁଚାରୀମାନଙ୍କ ଗହଣରେ ନଗରକୁ ପ୍ରତ୍ୟାବର୍ତ୍ତନ କଲେ ।

 

ମୁଁ ସେହିଦିନଠାରୁ ଭିକ୍ଷୁଣୀମାନଙ୍କର ତତ୍ତ୍ୱାବଧାନରେ ରହିଲି ଓ ପରଦିନ ହିଁ ଭିକ୍ଷୁଣୀସଂଘରେ ପ୍ରବେଶ କରିଥିଲି ।

Image

 

୪୧

ଅତି ସହଜ ଓ ସଂକ୍ଷିପ୍ତ ବାକ୍ୟ

 

ସେହିଦିନଠାରୁ ମୁଁ ଭିକ୍ଷୁଣୀସଘଂରେ ଜଣେ ଭିକ୍ଷୁଣୀ ହୋଇ ରହିଲି । ପ୍ରତିଦିନ ସକାଳେ ହାତରେ ଭିକ୍ଷାପାତ୍ର ଧରି ମୁଁ କୌସାମ୍ବି ନଗରକୁ ଆସେ ଏବଂ ଘରଘର ହୋଇ ଭିକ୍ଷା କରିବୁଲେ । ଭିକ୍ଷାପାତ୍ର ପୂର୍ଣ୍ଣହେବା ପର୍ଯ୍ୟନ୍ତ ମୋତେ ଏହିପରି ଘରଘର ବୁଲିବାକୁ ହୁଏ । ଅବଶ୍ୟ ମୋତେ ଏପରି ଭିକାରୁଣୀର ବେଶରେ ଦେଖିବା ଶଗଗୀରର ଆଦୌ ଇଚ୍ଛା ନଥିଲା । ମୋର ବୟୋଜ୍ୟେଷ୍ଠା ଭିକ୍ଷୁଣୀମାନଙ୍କର ନିଦ୍ଦେର୍ଶରେ ଦିନେ ମୁଁ ତାହାର ପ୍ରାସାଦଦ୍ୱାରରେ ଭିକ୍ଷା ଉଦ୍ଦେଶ୍ୟରେ ଠିଆହୋଇ ରହିଥିଲି । ଠିକ୍ ସେହି ସମୟରେ ଶତଗୀର ଘରଭିତରୁ ବାହାରକୁ ଆସିଲା, କିନ୍ତୁ ମୋତେ ଦେଖି ଲଜ୍ଜିତ ଓ କ୍ଷୁନ୍ନ ହେଲାପରି ମୁହଁ ଲୁଚାଇ ବାହାରକୁ ଚାଲିଗଲା । ଏହାର ଅଳ୍ପ ସମୟପରେ ଭଣ୍ଡାରୀ ବାହାରକୁ ଆସିଲା ଏବଂ ଅଶ୍ରୁପୂର୍ଣ୍ଣ ନୟନରେ କହିବାକୁ ଲାଗିଲା ଯେ ମୁଁ ଅନୁମତି ଦେଲେ ମୋର ଯେଉଁ ପରିମାଣରେ ଭିକ୍ଷା ସଂଗ୍ରହ କରିବା ଆବଶ୍ୟକ, ତାହା ଭଣ୍ଡାରଘରୁ ମୋପାଖକୁ ପଠାଇ ଦିଆଯିବ । କିନ୍ତୁ ମୁଁ ଉତ୍ତର ଦେଇ କହିଲା ଯେ ଭିକ୍ଷା ସଂଗ୍ରହ କରିବା ହେଉଚି ସଂଘର ନିୟମ ଏବଂ ମୁଁ କଦାପି ଏହି ନିୟମ ପାଳନ କରିବାରେ ବ୍ୟତିକ୍ରମ କରି ପାରିବିନାହିଁ ।

 

ଭିକ୍ଷାସଂଗ୍ରହ ସାରି ମୁଁ ସଘଂକୁ ଲେଉଟି ଆସୁଥିଲି । ପ୍ରତ୍ୟହ ମୁଁ ଯେତିକି ସଂଗ୍ରହ କରି ପାରୁଥିଲି, ତାହାହିଁ ମୋର ସମସ୍ତ ଦିନର ଖାଦ୍ୟ ହେଉଥିଲା । ରାତିରେ ସଂଘରେ ବସି କେଉଁଦିନ ସ୍ୱୟଂ ତଥାଗତ ବା ଆଉ କେଉଁଦିନ ସାରିପୁତ୍ତ ବା ଆନନ୍ଦ ପ୍ରଭୃତି ପ୍ରଧାନ ପ୍ରଧାନ ଶିଷ୍ୟଙ୍କର ଭାଷଣ ଶୁଣିବାର ସୁଯୋଗ ମିଳୁଥିଲା । ତା’ପରେ ହୁଏତ ଜଣେ ଭିକ୍ଷୁଣୀ ଆଉଜଣକୁ କହୁଥିଲା–‘‘ଭଉଣୀ ଏହି ଶିଂଶପାବନ ପ୍ରକୃତରେ ଏକ ରମଣୀୟ ଓ ପ୍ରେରଣାଦାୟକ ସ୍ଥାନ । କି ସୁନ୍ଦର ଏହି ସ୍ୱଚ୍ଛ ଜହ୍ନରାତି । ସ୍ୱର୍ଗୀୟ ସୁରଭିପୂର୍ଣ୍ଣ ପୁଷ୍ଠଶୋଭାରେ ବୃକ୍ଷରାଜି ଉଲ୍ଲସିତ ହୋଇ ଉଠୁଚି-। ଚାଲ, ବର୍ତ୍ତମାନ ଆମେ ଭଗିନୀ ସୁମେଧା ପାଖକୁ ଯିବା । ସେ ହେଉଚନ୍ତି ସଘଂର ଗୋଟିଏ ମଣି, ଜ୍ଞାନର ଖଣି । ତାଙ୍କର ଭାଷଣ ଶିଂଶପାବନର ଏହି ସୁଷମାକୁ ଦୁଇଗୁଣ ଉଜ୍ଜ୍ୱଳ କରିଦେବ ।’’

 

ଏହିପରି ନାନାପ୍ରକାର ସାରଗର୍ଭକ ଓ ଶିକ୍ଷଣୀୟ କଥୋପକଥନରେ ଆମେ ରାତ୍ରିର ଅଧିକାଂଶ ସମୟ ଅତିବାହିତ କରୁଥିଲୁ ।

 

ମୁକ୍ତ ପ୍ରକୃତିର କୋଳରେ ଏହି ହରଷିତ ଜୀବନ, ଆଧ୍ୟାତ୍ମିକ ଅଭିବୃଦ୍ଧି ଏହି ଅନୁକୂଳ ବାତାବରଣ, ଭାବନାର ସତତ ଆଦାନପ୍ରଦାନ–ଏହିପରି ଭାବରେ ଆପଣାକୁ ସଂପୂର୍ଣ୍ଣ ସମର୍ପିତ କରିଦେବାପରେ ଆପଣାର ଦୁଃଖ ନେଇ ଶୋଚନା କରିବାକୁ ଏବଂ ଅନାବଶ୍ୟକ ଦିବାସ୍ୱପ୍ନରେ ସମୟ ଅତିବାହିତ କରିବାକୁ ଆମକୁ ଆଉ କୌଣସି ସମୟ ମିଳୁନଥିଲା । ଏହାର ଫଳସ୍ୱରୂପ ଆମର ମାନସିକ ସ୍ତର କ୍ରମଶଃ ଉତ୍ତୋଳିତ ହେବାରେ ଲାଗିଥିଲା ଏବଂ ସତ୍ୟର ଶକ୍ତିଦ୍ୱାରା ଆମର ଅନ୍ତର ଦିନକୁଦିନ ଅଧିକ ପରିଶୁଦ୍ଧ ହୋଇଯାଉଥିଲା । ଏହାଦ୍ୱାରା ମୁଁ ମୋର ଶରୀର ତଥା ମୋର ମନ ଭିତରେ ଅମିତ ଶକ୍ତି ଅନୁଭବ କରିବାକୁ ଲାଗିଲି । ମୋର ସମକ୍ଷରେ ଜୀବନର ଏକ ନବୀକୃତ ସମ୍ଭାବନା ଆସି ଉପସ୍ଥିତ ହେଲାପରି ମନେହେଲା, ଏକ ଅପୂର୍ବ ସୁଖାନୁଭୂତିରେ ମୋର ଅନ୍ତରମନ ନିମଗ୍ନ ହୋଇ ରହିଥିଲା । ମାତ୍ର କେତେ ସପ୍ତାହ ପୂର୍ବରୁ ଏସବୁ କଥା ସ୍ୱପ୍ନରେ ଦେଖିବା ମଧ୍ୟ ମୋ’ପକ୍ଷରେ କେବେ ସମ୍ଭବ ନଥିଲା ।

 

ଚତୁର୍ମାସ୍ୟା ଆସି ପହଞ୍ଚିବା ବେଳକୁ ଭିକ୍ଷୁଣୀ ନିବାସର ନିର୍ମାଣକାର୍ଯ୍ୟ ମଧ୍ୟ ସମାପ୍ତ ହୋଇଯାଇଥିଲା । ମଝିରେ ସତ୍‍ସଙ୍ଗ ଲାଗି ପ୍ରଶସ୍ତ ସଭାଗୃହ ଏବଂ ଜଣେ ଜଣେ ଭିକ୍ଷୁଣୀଙ୍କର ରହିବାଲାଗି ଗୋଟିଏ ଗୋଟିଏ କୋଠରି । କୌସାମ୍ବିର ଅନେକ ଧନୀ ନାଗରିକଙ୍କର ଆତ୍ମୀୟାମାନେ ମଧ୍ୟ ବର୍ତ୍ତମାନ ଭିକ୍ଷୁଣୀସଘଂରେ ଯୋଗ ଦେଇଥିଲେ । ମୋର ସ୍ୱାମୀ ଏବଂ ସେହି ନାଗରିକମାନେ ଏହି ଭିକ୍ଷୁଣୀ-ନିବାସକୁ ଆସନ, ଗାଲିଚା ଏବଂ ଦୈନନ୍ଦିନ ଜୀବନକୁ ଆରାମଦାୟକ କରିବାଲାଗି ଆବଶ୍ୟକ ଯାବତୀୟ ସାମଗ୍ରୀଦ୍ୱାରା ସୁସଜ୍ଜିତ କରି ରଖିବାରେ କୌଣସି ତ୍ରୁଟି କରିନଥିଲେ । ଏହିପରି ଭାବରେ ଧର୍ମସମ୍ବନ୍ଧୀ ପ୍ରଶ୍ନଗୁଡ଼ିକର ଚର୍ଚ୍ଚା ଏବଂ ଏକାନ୍ତ ଧ୍ୟାନ ଓ ସମାଧିରେ ଆମର ସମସ୍ତ ସମୟ କଟିଯାଉଥିଲା । କିନ୍ତୁ ଦିନେଦିନେ ପାଗ ଭଲଥିଲେ ଆମେ ଭିକ୍ଷୁମାନଙ୍କର ବୃହତ୍ ସଭାକକ୍ଷକୁ ଯାଉଥିଲୁ ଏବଂ ତଥାଗତଙ୍କର ଭାଷଣ ଶୁଣୁଥିଲୁ । କିମ୍ବା ସ୍ୱୟଂ ତଥାଗତ ବା ତାଙ୍କର କୌଣସି ଜଣେ ପ୍ରଧାନ ଶିଷ୍ୟ ଭାଷଣ ଦେବାଲାଗି ଆମର ନିବାସକୁ ମଧ୍ୟ ଆସୁଥିଲେ ।

 

ତଥାଗତଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ଏହି ବନଟି ଘନ ପତ୍ରପୁଷ୍ପସମାହାରରେ ସବୁବେଳେ ସଜୀବ ହୋଇ ରହିଥିଲା ଏବଂ ଏହାରି ମୁକ୍ତ ଚନ୍ଦ୍ରାତପ ତଳେ ଆମର ସାମୂହିକ ଚର୍ଚ୍ଚାର ଗୋଷ୍ଠୀମାନ ବସୁଥିଲା ବା ଆମେ ଏକାନ୍ତରେ ଧ୍ୟାନସ୍ଥ ହୋଇ ବସୁଥିଲୁ । ଏହି ସମୟରେ ଦିନେ ଏକ ଦୁଃଖଦାୟକ ସମ୍ବାଦ ଆସି ପହଞ୍ଚିଲା ଯେ ବର୍ତ୍ତମାନ ତଥାଗତ ପୂର୍ବଦିଗକୁ ପ୍ରବ୍ରଜ୍ୟା କରି ବାହାରିବାଲାଗି ପ୍ରସ୍ତୁତ ହେଉଚନ୍ତି । ଅବଶ୍ୟ ସେ ଯେ ସବୁଦିନ କୌସାମ୍ବିରେ ହିଁ ରହିଥିବେ, ଆମେ ଏକଥା କଦାପି ଆଶା କରିନଥିଲୁ । ଯାହା ଦିନେ-ନା-ଦିନେ ଅବଶ୍ୟ ଘଟିବ, ସେଥିପାଇଁ ଶୋଚନା କରିବା ଯେ କେଡ଼େ ବଡ଼ ନିର୍ବୋଧତା, ଆମେ ସମସ୍ତେ ସେକଥା ଭଲକରି ଜାଣିଥିଲୁ । ତେଣୁ ଆମେ ଦୁଃଖରେ ମୁହ୍ୟମାନ ହୋଇପଡ଼ିଲେ କେବଳ ଗୁରୁନିନ୍ଦା ହେବ ସିନା ! ତେଣୁ ଦିନେ ଅପରାହ୍ନ ସମୟରେ ଆମେ ଶାନ୍ତଭାବରେ ଆସି କୃଷ୍ଣମନ୍ଦିରରେ ସମବେଦ ହୋଇଥିଲୁ । ସେଦିନ ତଥାଗତଙ୍କର ଆପାତତଃ ଅନ୍ତିମ ପ୍ରବଚନ ଶୁଣି ତାଙ୍କୁ ବିଦାୟ ଦେବାର କାର୍ଯ୍ୟକ୍ରମ ଥିଲା ।

 

ମନ୍ଦିରର ପାବଚ୍ଛ ଉପରେ ଦଣ୍ଡାୟମାନ ରହି ତଥାଗତ ପ୍ରବଚନ କରୁଥିଲେ । ସେ କହୁଥିଲେ, ଜନ୍ମ ହେଲେ ହିଁ ମୃତ୍ୟୁ ଅବଶ୍ୟମ୍ଭାବୀ । ଯାହା ଆଜି ଅଛି, ତାହା କାଲିକୁ ରହିବନାହିଁ । ସଂସାରରେ ସବୁକଥା ଏହିପରି ଭଙ୍ଗୁର, ଏହିପରି କ୍ଷଣିକ, ସବୁ ଏହିପରି ସାରହୀନ । ଜୀବନତୃଷ୍ଣାର ତୃପ୍ତିଲାଗି କୌଣସି ଚିରସ୍ଥାୟୀ ସ୍ଥାନ ନାହିଁ, ଏ ସଂସାରରେ ନାହିଁ କି ଆଉ କୌଣସି ସଂସାରରେ ନାହିଁ, କୌଣସି ଦେଶ ବା କୌଣସି କାଳରେ ମଧ୍ୟ ନାହିଁ, ଏହି କଥାଟି ଦର୍ଶାଇଦେବା ପରେ ତଥାଗତ ସଂସାରର ବିଲୟ ବିଷୟରେ କହିବାକୁ ଆରମ୍ଭ କଲେ । ତୁମେ ଯଥାର୍ଥରେ ଏହାକୁ ବିଲୟ ବୋଲି କହୁଥିଲ । ବର୍ତ୍ତମାନ ଆମର ଚତୁର୍ଦ୍ଦିଗରେ ଏହି ବିଲୟ ହିଁ ଘଟିବାକୁ ଯାଉଚି ।

 

ତଥାଗତଙ୍କ ପ୍ରବଚନ ଶେଷ ହେବାପରେ ଆମେ ଭିକ୍ଷୁଣୀମାନେ ଯାଇ ତାଙ୍କଠାରୁ ବିଦାୟ ନେଇ ଆସିବୁ ବୋଲି ସଘଂର ଜଣେ ଶିଷ୍ୟ ଆଗରୁ ଆମକୁ ପରାମର୍ଶ ଦେଇଥିଲେ । ସେହି ବିଦାୟ ସମୟରେ ତଥାଗତ ଆମ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ମନ୍ତ୍ରବାକ୍ୟ ଦେଇଯିବେ ଯାହାକୁ କି ଆମେ ନିରନ୍ତର ମନେ କରିବୁ ଏବଂ ହୃଦୟରେ ଶକ୍ତି ଲାଭ କରୁଥିବୁ । ଭିକ୍ଷୁଣୀମାନଙ୍କ ଭିତରେ ବୟସରେ ମୁଁ ସବା ସାନଥିଲି ଏବଂ ସ୍ୱଭାବତଃ ସବୁବେଳେ ମୁଁ ସମସ୍ତଙ୍କର ପଛରେ ରହୁଥିଲି । ତେଣୁ ତଥାଗତଙ୍କ ପାଖକୁ ଯିବାଲାଗି ମୋର ପାଳି ସବାଶେଷରେ ପଡ଼ିଲା । ମୋ’ପରେ ତଥାଗତଙ୍କୁ ଭେଟିବାଲାଗି ଆଉ କେହି ଅପେକ୍ଷା କରି ରହିନାହାନ୍ତି, ଏଥିପାଇଁ ଅଧିକ ଶାନ୍ତ ମନୋମୁଦ୍ରାରେ ତାଙ୍କ ପାଖକୁ ଯିବାର ସୁଯୋଗ ମୋତେ ମିଳିଲା ବୋଲି ମୁଁ ମନେମନେ ଭାରି ଖୁସୀ ହୋଇଥିଲି ।

 

ତଳେ ମୁଣ୍ଡ ଲଗାଇ ମୁଁ ଯାଇ ତଥାଗତଙ୍କୁ ଭକ୍ତିଭରେ ପ୍ରଣାମ କଲି । ତଥାଗତ ମୋ’ଆଡ଼କୁ ଅନାଇ ରହିଥାନ୍ତି । ତାଙ୍କର ସେହି ଦୃଷ୍ଟିର ଆଲୋକ ଯେପରି ମୋ’ ହୃଦୟର ଗଭୀରତମ ପ୍ରଦେଶକୁ ମଧ୍ୟ ଆଲୋକିତ କରି ଦେଉଥାଏ । ସେ କହିଲେ :–

 

ବଶିଷ୍ଠୀ, ଷୋଳସହସ୍ର ଗୋପୀଙ୍କର ନାୟକ ଏହି ଦେବତାଙ୍କର ମନ୍ଦିରଦ୍ୱାରରେ ବସି ମୁଁ ତୁମକୁ ଆଜି ଯେଉଁ ମନ୍ତ୍ରଟି ଦେବି, ତୁମେ ଶିଂଶପାବନର ଏକାନ୍ତ ନୀରବ ପରିବେଶରେ ସେହି ମନ୍ତ୍ରଟିର ମନନ କରିବ । ତୁମର ହୃଦୟର ସମୀପରେ ତୁମେ ଏପର୍ଯ୍ୟନ୍ତ ଗୋଟିଏ ଶିଂଶପାପତ୍ର ସାଇତି ରଖିଚ, ତୁମ ହୃଦୟରେ ଏପର୍ଯ୍ୟନ୍ତ ସେହି ପତ୍ରର ଛାଇ ପଡ଼ିକରି ରହିଚି । ତୁମର ମନ୍ତ୍ରଟି ହେଉଚି : –

 

‘‘ଯେଉଁଠି ପ୍ରେମ ରହିଚି, ସେଠାରେ ଦୁଃଖ ଅବଶ୍ୟ ରହିଚି ।’’

ନିର୍ବୋଧଙ୍କ ପରି ମୁଁ ପଚାରିଲି–ଏତିକି ?

ହଁ, ସେତିକି । ଏତିକି ହିଁ ଯଥେଷ୍ଟ ।

 

କିନ୍ତୁ ଯେତେବେଳେ ମୋର ଏହି ବାକ୍ୟଟିର ମନନ ସମାପ୍ତ ହେବ, ଯେତେବେଳେ ମୁଁ ଏହାର ସମ୍ପୂର୍ଣ୍ଣ ଅର୍ଥ ଉପଲବ୍ଧି କରିପାରିବି, ସେତେବେଳେ ତଥାଗତଙ୍କ ସମୀପକୁ ଯାଇ ଆଉ ଗୋଟିଏ ନୂତନ ମନ୍ତ୍ର ଗ୍ରହଣ କରିବାର ଅନୁମତି ମୋତେ ମିଳିବ ତ ?

 

ହଁ, ଯଦି ଏଥିଲାଗି ତୁମର ଆକାଂକ୍ଷା ଥାଏ, ତେବେ ନିଶ୍ଚୟ ମିଳିବ ।

 

କିନ୍ତୁ ଆକାଂକ୍ଷା ନରହିବ କିପରି ? ଭଗବାନ୍‍, ତୁମେ ହିଁ ତ ଆମର ଆଶ୍ରୟ ଆମର ଅବଲମ୍ବନ !

 

ତୁମକୁ ଆପଣାର ଆଶ୍ରୟ ନେବାକୁ ହେବ, ଧର୍ମର ଆଶ୍ରୟ ଗ୍ରହଣ କରିବାକୁ ପଡ଼ିବ ।

 

ହଁ, ମୁଁ ସ୍ୱୀକାର କରୁଚି । କିନ୍ତୁ ଭଗବାନ୍, ତୁମେ ହିଁ ତ ହେଉଚ ଶିଷ୍ୟସଘଂର ଆତ୍ମାସ୍ୱରୂପ, ତୁମେ ହେଉଚ ସାକ୍ଷାତ ଧର୍ମ । ତୁମେ ତ କହିଲ ଯେ ମୋତେ ଅନୁମତି ମିଳିବ ।

 

ହଁ, ଯଦି ପଥରେ ତୁମେ ପରିଶ୍ରାନ୍ତ ହୋଇ ନପଡ଼ ।

କୌଣସି ପଥ ମୋତେ ପରିଶ୍ରାନ୍ତ କରି ପାରିବନାହିଁ ।

 

ଏ ପଥ ଅତି ଦୀର୍ଘ, ବଶିଷ୍ଠୀ ! ତୁମେ ଯେତେ ଦୀର୍ଘ ବୋଲି କଳ୍ପନା କରୁଚ, ତାହାଠାରୁ ଅନେକ ଦୀର୍ଘ । ମଣିଷର ମନ ସେହି ଦୀର୍ଘତାର କଳ୍ପନା ହିଁ କରିପାରିବ ନାହିଁ ।

 

ଏହି ପଥ ସହସ୍ର ଜନ୍ମ ବା ସହସ୍ର ସଂସାର ଦେଇ ଅତିକ୍ରମ କରିବାକୁ ପଡ଼ିଲେ ମଧ୍ୟ ତାହା ମୋତେ କଦାପି ପରିଶ୍ରାନ୍ତ କରି ପାରିବନାହିଁ ।

 

ତଥାସ୍ତୁ ବଶିଷ୍ଠୀ, ଆପଣାର ମନ୍ତ୍ର ମନେ କରୁଥିବ । ମୁଁ ତୁମର କୁଶଳ କାମନା କରୁଚି ।

 

ଏତିକିବେଳେ ତଥାଗତଙ୍କଠାରୁ ବିଦାୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ସଭାସଦ୍ ଓ ଅନୁଚରବର୍ଗଙ୍କ ଗହଣରେ ରାଜା ଉଦ୍ଦାନ ମଧ୍ୟ ସେଠାରେ ଆସି ଉପସ୍ଥିତ ହେଲେ ।

 

ସେଠାରୁ ଘୁଞ୍ଚିଯାଇ ମୁଁ ପଛଧାଡ଼ିରେ ଆସି ବସିଲି । ସେଠାରେ ବସି ମୋ’ର ସମ୍ମୁଖରେ ଘଟୁଥିବା ପ୍ରତ୍ୟେକ ଘଟଣାକୁ ମୁଁ ଅତି ପରିଷ୍କାର ଭାବରେ ଦେଖିପାରୁଥାଏ । ତଥାଗତ ମୋତେ ଏଡ଼େ ସହଜ ଏକ ମନୋବାକ୍ୟ ଦେଲେ ବୋଲି ମନଟା ଟିକିଏ ଖରାପ ବି ହୋଇଯାଇଥାଏ । ଭିକ୍ଷୁଣୀସଘଂର ଅନ୍ୟ ଭଗିନୀମାନେ ମନନ ଲାଗି କେଡ଼େକେଡ଼େ କଠିନ ବାକ୍ୟମାନ ପାଇଲେ । ମୁଁ ହତଭାଗିନୀ ସେସବୁଥିରୁ ବଞ୍ଚିତ ହେଲି ଭାବି ମୋତେ ବଡ଼ ବ୍ୟଥିତ ଲାଗିଲା । କିନ୍ତୁ କିଛିସମୟ ଗଭୀର ଭାବରେ ଚିନ୍ତା କରିବାପରେ ମୋର ମନେହେଲା ଯେପରି ଆପଣାର ଯୋଗ୍ୟତା ବିଷୟରେ ମୋର ଟିକିଏ ଅତିରଞ୍ଜିତ ଧାରଣା ରହିଚି ବୋଲି ତଥାଗତ ଜାଣିପାରିଚନ୍ତି ଏବଂ ଏହି ଉପାୟରେ ସେ ତାହାକୁ ନଷ୍ଟ କରିଦେବାକୁ ଇଚ୍ଛା କରୁଚନ୍ତି । ଏହିକଥା ଭାବି ମୁଁ ଆପଣାର କର୍ତ୍ତବ୍ୟପାଳନ କରିବାରେ ଲାଗିଲେ, କୌଣସିପ୍ରକାର ଦମ୍ଭ ବା ଅଭିମାନ ଆସି ଯେପରି ମୋର ଆଧ୍ୟାତ୍ମିକ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ନକରେ, ସେଥିପାଇଁ ସର୍ବଦା ସତର୍କ ରହିଲି । ଭାବିଲି ଏହି ବାକ୍ୟଟିର ମନନ ଶୀଘ୍ର ଶେଷ କରିଦେଲେ ମୁଁ ପୁଣି ତଥାଗତଙ୍କ ପାଖକୁ ଯାଇ ଆଉଗୋଟିଏ ନୂତନ ବାକ୍ୟ ନେଇଆସିବି ।

 

ମନଭିତରେ ଏହିପରି ଦୃଢ଼ ବିଶ୍ୱାସ ବାନ୍ଧି ରଖିଲାପରେ ମୁଁ ପରଦିନ ପ୍ରତ୍ୟୁଷ ସମୟରେ ଅନେକ ଶିଷ୍ୟଙ୍କର ଗହଣରେ ତଥାଗତଙ୍କୁ ପ୍ରବ୍ରଜ୍ୟାରେ ବାହାରିଯିବାର ଦେଖିଥିଲି । ଏମାନଙ୍କ ମଧ୍ୟରେ ଶିଷ୍ୟ ଆନନ୍ଦ ମଧ୍ୟ ଥିଲେ । ସେ ସର୍ବଦା ତଥାଗତଙ୍କର ସଙ୍ଗେସଙ୍ଗେ ରହୁଥିଲେ ଓ ତାଙ୍କର ସେବା କରୁଥିଲେ । ଇତିମଧ୍ୟରେ ଆନନ୍ଦଙ୍କ ପ୍ରତି ମୋର ହୃଦୟରେ ଏତେଦୂର ଶ୍ରଦ୍ଧାଭାବ ଜାତ ହୋଇଥିଲା ଯେ ସେ ଚାଲିଯିବା ପରେ ତାଙ୍କ ଆଖିର ବିନମ୍ର ଉଦାର ଦୃଷ୍ଟି ବାରବାର ମୋର ମନେପଡ଼ିବାକୁ ଲାଗିଲା । ସାରିପୁତ୍ତ ମଧ୍ୟ ତଥାଗତଙ୍କ ସହିତ ଯାତ୍ରାରେ ବାହାରିଗଲେ । ସାରିପୁତ୍ତଙ୍କର ବୁଦ୍ଧି କି ତୀକ୍ଷଣ୍ ତାଙ୍କର ବିଚାର କି ସ୍ପଷ୍ଟ ଓ କି ଶକ୍ତିମନ୍ତ୍ର ! ଧର୍ମର କୌଣସି ବାକ୍ୟକୁ ଭଲକରି ବୁଝିବାରେ ସେ ମୋତେ କେତେଥର ସାହାଯ୍ୟ କରିଚନ୍ତି । ଏଥର ମୋତେ ଆପଣା ଶକ୍ତିଉପରେ ହିଁ ନିର୍ଭର କରିବାକୁ ପଡ଼ିବ ।

 

ସେଦିନ ଭିକ୍ଷାସଂଗ୍ରହରୁ ଫେରିଆସି ଆହାର ସମାପନାନ୍ତେ ମୁଁ ଅରଣ୍ୟମଝିରେ ଥିବା ଗୋଟିଏ ବୃକ୍ଷମୂଳରେ ଧ୍ୟାନ କରି ବସିଲି ।

 

ସେଠାରେ ବସି ମୁଁ ମୋର ମନ୍ତ୍ରବାକ୍ୟଟିର ମନନ କରୁଥିଲି । ସନ୍ଧ୍ୟା ହୋଇଯିବାପରେ ସେଠାରୁ ଆସି ମୁଁ ସଭାଗୃହକୁ ଗଲି । ଏହି ମନ୍ତ୍ରଟିର ଯେ ପ୍ରକୃତ ଅର୍ଥ କଣ ହୋଇପାରେ, ଏକଥା ଭାବି ସେତେବେଳକୁ ମନଟା ଭାରି ଅଶାନ୍ତ ଲାଗୁଥାଏ । କିନ୍ତୁ ଏହି ମନନବାକ୍ୟଟି ଦେଲାବେଳେ ତଥାଗତଙ୍କର ମନରେ ପ୍ରକୃତରେ କଣ ଥିଲା, ପରଦିନ ସନ୍ଧ୍ୟାବେଳେ ଯାଇ ମୁଁ ତାହା ଠିକ୍ ଠିକ୍ ଜାଣିପାରିଲି ।

 

ମୋର ବିଶ୍ୱାସ ଥିଲା ଯେ ମୋର ବନ୍ଧୁର ଜୀବନପଥ ଅତିକ୍ରମ କରି ମୁଁ ବର୍ତ୍ତମାନ ଆସି ସମ୍ପୂର୍ଣ୍ଣ ଶାନ୍ତି ପ୍ରାପ୍ତ ହୋଇଚି ଓ ଆପଣାର ସମସ୍ତ ଦୁଃଖପୂର୍ଣ୍ଣ ଜ୍ୱାଳାସହିତ ମୋର ପ୍ରେମକୁ ମୁଁ ପଛରେ ଛାଡ଼ିଦେଇ ଆସିଚି । କିନ୍ତୁ ତଥାଗତଙ୍କୁ କି କେବେ କାହାର ହୃଦୟର କଥା କଦାପି ଅଜ୍ଞାତ ରହିପାରେ ? ସେ ଜାଣିପାରିଚନ୍ତି ଯେ ମୁଁ ମୋର ପ୍ରେମତୃଷ୍ଣାକୁ ଏପର୍ଯ୍ୟନ୍ତ ମଧ୍ୟ ଜୟ କରି ପାରିନାହିଁ, ନୂତନ ଜୀବନର ଅପ୍ରତିହତ ଶକ୍ତିଦ୍ୱାରା ଏହି ପ୍ରେମ କେବଳ ଭୟତ୍ରସ୍ତ ହୋଇ ହୃଦୟର କେଉଁ ଅନାମେଧେୟ କୋଣରେ ଆପଣାର ସମୟ ଲାଗି ଅପେକ୍ଷା କରି ପଡ଼ିରହିଚି । ତେଣୁ, ଏହି ପ୍ରେମକୁ ତାହାର ଗୋପନ ଆଶ୍ରୟରୁ ବାହାର କରିଆଣି ମୁଁ ଯେପରି ତାହାକୁ ଜୟ କରି ପାରିବି ଏହି ଉଦ୍ଦେଶ୍ୟରେ ତଥାଗତ ମୋତେ ଏହିପରି ଏକ ମନନବାକ୍ୟ ଦେବା ଉଚିତ ମନେ କରିଥିଲେ-

 

ଏବଂ ଶେଷରେ ସେହି ପ୍ରେମ ପ୍ରକୃତରେ ବାହାରକୁ ଆସିଥିଲା, କିନ୍ତୁ ଏପରି ଏକ ପ୍ରବଳ ପରାକ୍ରମ ସହିତ ତାର ଆବିର୍ଭାବ ହୋଇଥିଲା ଯେ ତାହାସହିତ ମୋତେ ଅତ୍ୟନ୍ତ ତୁମୁଳ ସଂଗ୍ରାମ କରିବାକୁ ପଡ଼ିଲା ଏବଂ ତାହାକୁ ଜୟ କରିବା ଯେ ମୋ’ପକ୍ଷରେ ଆଦୌ ସହଜ ବ୍ୟାପାର ନୁହେଁ, ମୁଁ ଏକଥା ମଧ୍ୟ ଆବିଷ୍କାର କରିପାରିଲି ।

 

ମୋର ପ୍ରିୟତମ ପ୍ରକୃତରେ ନିହତ ହୋଇନାହାନ୍ତି, ଠିକ୍ ମୋ’ରି ପରି ଆଉ କେଉଁ ସ୍ଥାନରେ ଏହି ପୃଥିବୀର ପବନକୁ ନିଶ୍ୱାସରେ ଗ୍ରହଣ କରୁଚନ୍ତି -ପ୍ରାୟ ଛଅମାସ ପୂର୍ବରୁ ମୁଁ ଏହି ସମ୍ବାଦ ପାଇଥିଲୁ ଓ ଅତିଶୟ ବିସ୍ମିତ ହୋଇପଡ଼ିଥିଲି । ସେଦିନ ସନ୍ଧ୍ୟାବେଳେ ସେହି ଉଦ୍ୟାନରେ ମୁଁ ସେତେବେଳେ ଅଙ୍ଗୁଳିମାଳାର ମୁହଁରୁ ହଠାତ୍ ଏହି କଥା ଶୁଣିବାକୁ ପାଇଥିଲି, ସେତେବେଳେ ମୋର ମନଭିତରେ ହଠାତ୍ କେତେକେତେ ଭାବନାର ଉତ୍ତାଳ ତରଙ୍ଗମାନ ଉତ୍ଥିତ ହୋଇ ଆପଣାର ପରାକ୍ରମଦ୍ୱାରା ସମ୍ବାଦଟିର ସମସ୍ତ ମହତ୍ତ୍ୱକୁ କୁଆଡ଼େ ଗିଳି ପକାଇଥିଲା । ଘୃଣା, ପ୍ରତିଶୋଧ ନେବାର ଦୁର୍ଦମ ବାସନା, କେତେ କେତେ ଭୀଷଣ ଯୋଜନାକୁ କାର୍ଯ୍ୟକାରୀ କରିବାର ଚିନ୍ତା- ସବୁ ଏକାଠି ହୋଇ ଯେପରି ମୋର ମନଭିତରେ ରାକ୍ଷସନୃତ୍ୟ ଆରମ୍ଭ କରିଦେଲେ । ତାପରେ ଅଙ୍ଗୁଳିମାଳାର ହୃଦୟ ପରିବର୍ତ୍ତନ ହେଲା ଓ ବୁଦ୍ଧଙ୍କର ଶକ୍ତିମାନ ଅତିମହାନ୍ ବ୍ୟକ୍ତିତ୍ୱ ସହିତ ମୋର ପରିଚୟ ହୋଇଥିଲା । ତା’ପରେ ଏକ ନୂତନ ଜୀବନ, ନୂତନ ପ୍ରଭାତ ପରି ଏକ ସମ୍ପୂର୍ଣ୍ଣ ଅଜ୍ଞାତ ଓ ଅପରିଚିତ ପୃଥିବୀର ଆବିର୍ଭାବ । ଏହି ଆବିର୍ଭାବ ଫଳରେ ପୁରାତନ ପୃଥିବୀର ସମସ୍ତ ସ୍ତମ୍ଭ ଓ ସମସ୍ତ ଉପାଦାନ କୁଆଡ଼େ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା । କିନ୍ତୁ ନୂତନ ଆବିର୍ଭାବର ପ୍ରଥମ ବାତ୍ୟା ବର୍ତ୍ତମାନ ଶାନ୍ତ ହୋଇଯାଇଚି, ଏହି ପବିତ୍ର ପ୍ରବର୍ତ୍ତନକୁ ସମ୍ଭବ କରିଥିବା ମହାପୁରୁଷ ମଧ୍ୟ ବର୍ତ୍ତମାନ ମୋର ଦୃଷ୍ଟିପରିସରର ବହୁଦୂରକୁ ଚାଲିଯାଇଚନ୍ତି ଏବଂ ଏହି ପ୍ରେମ ମୋର ପ୍ରେମ-ଉପରେ ସମସ୍ତ ଧ୍ୟାନଦୃଷ୍ଟି ନିବଦ୍ଧ କରି ମୁଁ ଏଠାରେ ଏକାକିନୀ ବସିରହିଚି । ହଠାତ୍ ଏହି ସମୟରେ ସେହି ସମ୍ବାଦଟି ମୋର ହୃଦୟ ଭିତରେ ଅତି ସ୍ପଷ୍ଟ ହୋଇ ଆବିର୍ଭୂତ ହେଲା ଏବଂ ମୋଠାରୁ ଅନେକ ଦୂରରେ ଏବଂ ତଥାପି ଜୀବଦ୍ଦଶାରେ ରହିଥିବା ପ୍ରିୟତମଙ୍କ ଲାଗି ମୋ’ର ମନୋବାସନା ଅତି ପ୍ରବଳ ହୋଇ ଉଠିଲା ।

 

କିନ୍ତୁ ପ୍ରକୃତରେ କଣ ସେ ବର୍ତ୍ତମାନ ମଧ୍ୟ ଜୀବଦ୍ଦଶାରେ ଅଛନ୍ତି ? ପ୍ରକୃତରେ କଣ ସେ ଏପର୍ଯ୍ୟନ୍ତ ମୋତେ ଭଲପାଉଚନ୍ତି ? ଏହିସବୁ ପ୍ରଶ୍ନ ମୋର ବାସନାକୁ ଅଧିକ ଅଦ୍ୟମ କରିବାରେ ହିଁ ସାହାଯ୍ୟ କଲା, ଏହି ଅନିଶ୍ଚିତତା ମୋତେ ସେହି ପ୍ରେମଆଡ଼କୁ ଅଧିକ ପରାକ୍ରମରେ ଟାଣିନେବାକୁ ଲାଗିଲା । ଫଳରେ ମୋର ପ୍ରେମଉପରେ ବିଜୟଲାଭ କରିବା ଆଉ ସମ୍ଭବ ହେଲା ନାହିଁ, ମୋର ମନନବାକ୍ୟ ପ୍ରତି ମୁଁ ଆଉ ନିଷ୍ଠାପର ରହିପାରିଲିନାହିଁ । ବାରବାର ସେହି ପ୍ରେମ ହିଁ ମୋର ମାନସପାତ୍ରକୁ ଉଦ୍‍ବେଳିତ କରିବାରେ ଲାଗିଲା, ଦୁଃଖ ବା ଦୁଃଖର ନିଦାନ ବିଷୟରେ ସମସ୍ତ ଚିନ୍ତା ମୋ’ର ମନଃପଟରୁ ଅନ୍ତର୍ହିତ ହୋଇଗଲା ।

 

ମୋର ଅନ୍ତର ଭିତରେ ଚାଲିଥିବା ଏହି ତୁମୂଳ ସଂଗ୍ରାମ ଫଳ ସଘଂର ଅନ୍ୟାନ୍ୟ ଭିକ୍ଷୁଣୀଙ୍କର ମଧ୍ୟ ଅଛପା ରହିଲା ନାହିଁ । ସେମାନେ ପରସ୍ପର ଭିତରେ କଥାବାର୍ତ୍ତା ହେବାକୁ ଲାଗିଲେ : –

 

ସେଇ ମନ୍ତ୍ରୀପତ୍ନୀ ବଶିଷ୍ଠୀ, ଧର୍ମର କଠିନ ମର୍ମକୁ ସେ କେତେଶୀଘ୍ର ହୃଦୟଙ୍ଗମ କରିପାରିଚି ବୋଲି ସାରିପୁତ୍ତ ଆମଆଗରେ କେତେ ପ୍ରଶଂସା କରି କହିଚନ୍ତି- ସେ ବର୍ତ୍ତମାନ ମଧ୍ୟ ତାହାର ମନ୍ତ୍ରମନନ ସମାପ୍ତ କରିପାରୁନାହିଁ । ଏହି ସହଜ ମନ୍ତ୍ରବାକ୍ୟଟି ମଧ୍ୟ ତା’ର ଏତେ ସମୟ ନେଉଚି ।

 

ଏସବୁ ଶୁଣି ମୁଁ ଆହୁରି ଅଧୀର ହୋଇପଡ଼ିଲି । ଲଜ୍ଜା ଏବଂ ଗ୍ଲାନିରେ ମୋର ଭିତରଟା ଖାଲି ଜଳିପୋଡ଼ି ଯାଉଥାଏ । ମୁଁ ଭାବୁଥାଏ, ଏହି ବିଷମ ଅବସ୍ଥାରୁ ପରିତ୍ରାଣ ପାଇବା ଆଉ ମୋ ପକ୍ଷରେ କଦାପି ସମ୍ଭବ ହୋଇ ପାରିବନାହିଁ ।

Image

 

୪୨

ପୀଡ଼ିତା ଭିକ୍ଷୁଣୀ

 

ଏହି ସମୟରେ ପ୍ରତ୍ୟେକ ସପ୍ତାହରେ ଜଣେ ଜଣେ ଭିକ୍ଷୁ ଆସି ଆମକୁ ଧର୍ମୋପଦେଶ ଦେଇଯାଉଥିଲେ ।

 

ଦିନେ ଅଙ୍ଗୁଳିମାଳାଙ୍କର ମଧ୍ୟ ପାଳି ପଡ଼ିଲା । ସେଦିନ ମୁଁ ସଭାକକ୍ଷକୁ ଗଲିନାହିଁ ଏବଂ ଆପଣା ପ୍ରକୋଷ୍ଠରେ ରହିଲି । ଆଉଜଣେ ଭିକ୍ଷୁଣୀ ହାତରେ ଅଙ୍ଗୁଳିମାଳାଙ୍କୁ କହିପଠାଇଲି : –

 

ମହାଶୟ, ଭଗିନୀ ବଶିଷ୍ଠୀ ପୀଡ଼ିତ ହୋଇଥିବାରୁ ଆଜି ସଭାକୁ ଆସି ପାରିବନାହିଁ । ସେ ଆପଣାର ପ୍ରକୋଷ୍ଠରେ ଶଯ୍ୟାଶାୟିନୀ ହୋଇ ରହିଚି । ଏଠାରେ ପ୍ରବଚନ ସାରି ଥରେ ଯଦି ଆପଣ ସେଠାକୁ ଯାଇ ବଶିଷ୍ଠୀକୁ ଦେଖିଆସନ୍ତେ ଏବଂ ସେହିଠାରେ ହିଁ ତାକୁ ଧର୍ମୋପଦେଶ ଦେଇଆସନ୍ତେ, ତେବେ ଭାରି ଭଲ ହୁଅନ୍ତା ।

 

ପ୍ରବଚନ ସାରି ଶିଷ୍ୟ ଅଙ୍ଗୁଳିମାଳା ମୋର ପ୍ରକୋଷ୍ଠକୁ ଆସିଲେ ଓ ସମ୍ମାନର ସହିତ ମୋତେ ପ୍ରଣାମ କରି ମୋର ଶଯ୍ୟାପାଖରେ ଆସି ବସିଲେ ।

 

ମୁଁ ତାଙ୍କୁ କହିଲି–ମହାଶୟ, ଆଜି ତୁମେ ଯାହା ଦେଖିବାକୁ ଆସିଚ, ଆଉ କାହାର ସେକଥା ଦେଖିବା ଉଚିତ ହୋଇନଥାନ୍ତା । ତୁମଆଗରେ ଆଜି ପ୍ରେମଜ୍ୱାଳାରେ ଏକ ପୀଡ଼ିତା ଭିକ୍ଷୁଣୀ ଶଯ୍ୟାଶାୟିନୀ ହୋଇ ପଡ଼ିଚି ଏବଂ ତୁମେ ହେଉଚ ସେହି ପୀଡ଼ାର କାରଣ । ତୁମେ ହିଁ ମୋତେ ମୋର ପ୍ରେମାସ୍ପଦଠାରୁ ବଞ୍ଚିତ କରିଚ । ଅବଶ୍ୟ ତା’ପରେ ତୁମେ ମୋତେ ଏପରି ଜଣେ ଚିକିତ୍ସକଙ୍କ ପାଖକୁ ବାଟ କଢ଼ାଇ ନେଇଯାଇଚ, ଯେ କି ଜୀବନର ସମସ୍ତ ପ୍ରକାର ପୀଡ଼ାରୁ ମଣିଷର ଆରୋଗ୍ୟ କରାଇ ପାରନ୍ତି । କିନ୍ତୁ ଏଡ଼େବଡ଼ ଚିକିତ୍ସକଙ୍କ ଔଷଧ ମଧ୍ୟ ବର୍ତ୍ତମାନ ମୋ’ ଉପରେ କୌଣସି ପ୍ରକାର କାର୍ଯ୍ୟ କରିପାରୁନାହିଁ । ସେ ବିଜ୍ଞ ପୁରୁଷ, ତେଣୁ ସେ ମୋର ଅବସ୍ଥାକୁ ଖୁବ୍ ଭଲକରି ଜାଣିଚନ୍ତି, ତେଣୁ ସେ ମୋର ରୋଗର ନିଦାନକୁ ଦୂରକରିବା ଲାଗି ଏକ ଉପାୟ ମଧ୍ୟ ବତାଇ ଦେଇଚନ୍ତି । ଏହିପରି ତୀବ୍ର ଜ୍ଜ୍ୱାଳାରେ ଦଗ୍ଧ ହେଲେ ଯାଇ ସେହି ନିଦାନ ଦୂର ହେବ ବୋଲି ସେ ବୁଝିପାରିଚନ୍ତି । ତୁମେ ଦେଖିପାରୁଥିବ, ବିରହର ଜ୍ୱଳାରେ ମୁଁ କିପରି ଜର୍ଜର ହୋଇ ପଡ଼ିରହିଚି । ଥରେ ତୁମେ ମୋ’ ଆଗରେ ଯେଉଁ ପ୍ରତିଜ୍ଞା କରିଥିଲି, ଆଜି ମୁଁ ସେହି ପ୍ରତିଜ୍ଞାଟିକୁ ତୁମର ସ୍ମରଣ କରାଇଦେବାକୁ ଇଚ୍ଛା କରୁଚି । ଯେଉଁଦିନ ରାତିରେ ତୁମେ ମୋତେ ଏକ ଭୟାବହ ଅପରାଧରେ ଲିପ୍ତ ହେବାକୁ ପ୍ରବର୍ତ୍ତାଇଥିଲ, ସେହିଦିନ ରାତିରେ ତୁମେ ଏହି ପ୍ରତିଜ୍ଞାଟି କରିଥିଲ । ଅବଶ୍ୟ ମଝିରେ ତଥାଗତ ଆସି ଆମ ଦୁହିଙ୍କୁ ସେହି ଅପରାଧରୁ ନିବୃତ୍ତ କରି ରଖିଲେ । ସେଥର ତୁମେ କହିଥିଲ ଯେ ନିଜେ ଉଜ୍ଜୟିନୀ ଯାଇ ତୁମେ କାମନୀତ ସମ୍ବନ୍ଧରେ ଠିକ୍ ଠିକ୍ ସମ୍ବାଦ ଆଣି ମୋତେ ଦେବ; ସେ ପ୍ରକୃତରେ ଜୀବନରେ ଅଛନ୍ତି କି ନାହିଁ, କିପରି ଭାବରେ କାଳତିପାତ କରୁଚନ୍ତି, ମୋତେ ସବୁକଥା କହିବ । ଦିନେ ଦସ୍ୟୁ ଅଙ୍ଗୁଳିମାଳା ମୋ’ଆଗରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ଆଜି ଭିକ୍ଷୁ ଅଙ୍ଗୁଳିମାଳାଙ୍କୁ ମୁଁ ସେହି ପ୍ରତିଶ୍ରୁତିଟି ପୂରଣ କରିବାଲାଗି ଆହ୍ୱାନ କରୁଚି । କାମନୀତ ଏପର୍ଯ୍ୟନ୍ତ ଜୀବନରେ ଅଛନ୍ତି କି ନାହିଁ, ଥିଲେ ସେ କିପରି ଭାବରେ ଜୀବନଯାପନ କରୁଚନ୍ତି, ଏକଥା ଜାଣିବାର ଆକାଂକ୍ଷା ବର୍ତ୍ତମାନ ଏତେ ପ୍ରବଳ ହୋଇ ଉଠିଲାଣି ଯେ, ସେହି ଆକାଂକ୍ଷାର ପୂରଣ ନହେବା ପର୍ଯ୍ୟନ୍ତ ମୋର ସମ୍ଭବ ହୋଇପାରୁନାହିଁ । ତେଣୁ ମୁକ୍ତିର ମାର୍ଗରେ ପାଦେମାତ୍ର ଅଗ୍ରସର ହେବାଲାଗି ମଧ୍ୟ ଆଉ ମୋର କୌଣସି ଶକ୍ତି ନାହିଁ । ତେଣୁ ତୁମକୁ ଏହି ଶପଥଟି ଅବଶ୍ୟ ପାଳନ କରିବାକୁ ପଡ଼ିବ ଏବଂ ଯେକୌଣସି ଉପାୟରେ ମୋର ପୀଡ଼ିତ ମନକୁ ଶାନ୍ତ କରିବାକୁ ପଡ଼ିବ ।

 

ମୋର କଥା ସମାପ୍ତ ହେବାରୁ ଅଙ୍ଗୁଳିମାଳା ଉତ୍ତର ଦେଇ କହିଲେ : –

 

ଭଗିନୀ ବଶିଷ୍ଠୀ, ଯଦି ତୁମେ ମୋଠାରୁ ଏହିପରି ଏକ ଶପଥରକ୍ଷାର ଦାବି କରୁଚ–ପ୍ରଣାମ କରି ସେ ବିଦାୟ ନେଇ ଚାଲିଗଲେ ।

 

ସିଧା ଆପଣାର ପ୍ରକୋଷ୍ଠକୁ ଯାଇ ସେ ଆପଣାର ଭିକ୍ଷାପାତ୍ରଟି ଆଣିଲେ ଏବଂ ସେହି ମୁହୂର୍ତ୍ତରେ ଶିଂଶପାବନ ପରିତ୍ୟାଗ କଲେ । ସମସ୍ତେ ଭାବିଲେ ଯେ ବୋଧହୁଏ ତଥାଗତଙ୍କୁ ସାକ୍ଷାତ କରିବାଲାଗି ସେ ଏଡ଼େ ସତ୍ୱର ଯାତ୍ରାରେ ବାହାରିଗଲେ । କିନ୍ତୁ ତାଙ୍କ ଯାତ୍ରାର ଅସଲ କାରଣ କେବଳ ମୋତେ ହିଁ ଜଣାଥିଲା ।

 

ଏହି ଘଟଣାପରେ ଅବଶ୍ୟ ମୁଁ ମନେମନେ ଟିକିଏ ଆଶ୍ୱସ୍ତ ଅନୁଭବ କଲି । ତାଙ୍କ ହାତରେ କାମନୀତଙ୍କ ପାଖକୁ ମୋର କୌଣସି ଖବର ଦେବା ନିତାନ୍ତ ଉଚିତ ଥିଲା, ପଛରେ ଅବଶ୍ୟ ଏଥିପାଇଁ ମନଟା ଟିକିଏ ଗୋଳେଇଘାଣ୍ଟି ହୋଇଥିଲା । ଜଣେ ଭିକ୍ଷୁଙ୍କୁ ମୁଁ ଏପରିଭାବରେ ମୋର ପ୍ରେମାକାଂକ୍ଷା ପୂରଣ କରିବାର କାର୍ଯ୍ୟରେ ଲଗାଇଲି ବୋଲି ମନରେ ଭାରି ଗ୍ଲାନି ମଧ୍ୟ ଆସିଲା । ତା’ପରେ ଭାବିଲି, ମୋ’ଠାରୁ କୌଣସି ସନ୍ଦେଶ ନନେଇ ଯାଇଥିବାରୁ ହୁଏତ ଅଙ୍ଗୁଳିମାଳା ଆପଣା ବିଚାରରୁ ଯାହା ଆସିବ, ତାହା କହିବେ ଏବଂ ତଦ୍ଦ୍ୱାରା ହୁଏତ ଫଳ ମଧ୍ୟ ଓଲଟା ଫଳିବ ।

 

‘‘ମୋତେ ସ୍ୱୟଂ ଉଜ୍ଜୟିନୀ ଯାଇ ତାଙ୍କ ସହିତ ସାକ୍ଷାତ କରିବାକୁ ହେବ’’–ମୋର ଅନ୍ତର ଭିତରେ ବାରବାର ଏହି ବାକ୍ୟଟି ଆଘାତ କରିବାକୁ ଲାଗିଲା । ଦସ୍ୟୁ ଥିଲାବେଳେ କରିଥିବା ଶପଥକୁ କଣ ବର୍ତ୍ତମାନ ଭିକ୍ଷୁର ଜୀବନ ଯାପନ କରୁଥିବା ଅଙ୍ଗୁଳିମାଳା ସତରେ ରକ୍ଷା କରିବେ ? କିନ୍ତୁ କାହିଁକି ନକରିବେ ? ଆମ ଦୁହିଁଙ୍କର ସାକ୍ଷାତ ଓ କଥାବାର୍ତ୍ତା ହେବା ଅତ୍ୟାବଶ୍ୟକ ବୋଲି କଣ ସେ ନିଜେ ବୁଝି ପାରୁନାହାନ୍ତି ?

 

ଏହପରି ଚିନ୍ତା କରୁକରୁ ମନଭିତରେ ଏକ ନୂଆ ଚିନ୍ତାର ଉଦୟ ହେଲା । ଏକ ଅଜ୍ଞାତ ଆଶାର ଝଲକ ଦେଖାଇ ଏହା ମୋତେ ପ୍ରଥମେ ବଡ଼ ବିଚଳିତ କରି ପକାଇଲା । ଯଦି କାମନୀତ ପ୍ରକୃତରେ ଫେରିଆସିବେ, ତେବେ ଭିକ୍ଷୁଣୀସଂଘ ପରିତ୍ୟାଗ କରି ପୁଣି ତାଙ୍କର ପାଣିଗ୍ରହଣ କରିବାରେ କୌଣସି ପ୍ରତିବନ୍ଧକ ରହିଚି କି ?

 

ମନଭିତରେ ଏହି ପ୍ରଶ୍ନଟିର ଉଦୟ ହେବାମାତ୍ରକେ ମୋର ମୁଖମଣ୍ଡଳ ଆରକ୍ତ ହୋଇଉଠିଲା । କାଳେ କାହାର ଆଖିରେ ପଡ଼ିଯିବ ବୋଲି ମୁଁ ଭୟରେ ମୋର ଦୁଇହାତ ଦେଇ ମୁଁହଁକୁ ଲୁଚାଇ ରଖିବାକୁ ଚେଷ୍ଟା କଲି । ମୋର ଏପରି କାଣ୍ଡମାନ ଦେଖିଲେ କିଏ କେତେପ୍ରକାର ସନ୍ଦେହ ନକରିବ ? ସମସ୍ତେ ବେଶ୍ ଅନୁମାନ କରିନେବେ ଯେ ଗୋଟାଏ ପତିକୁ ଭଲ ପାଉନଥିବାରୁ ଭଲପାଉଥିବା ଅନ୍ୟ ପତିପାଖକୁ ପୁଣି ଫେରିଯିବା ଉଦ୍ଦେଶ୍ୟରେ କୌଶଳ କରି ମୁଁ ସଘଂକୁ କେବଳ ଏକ ସାଧନରୂପେ ହିଁ ବ୍ୟବହାର କରିଚି । ଅନେକ ଲୋକ ନିଶ୍ଚୟ ଏହିପରି ଅନୁମାନ କରିବେ, ମାତ୍ର ଏମାନଙ୍କର ଅନୁମାନରେ ମୋର କଣ ଯାଏଆସେ ? କିନ୍ତୁ ଏହିପରି ବିଚ୍ଛେଦଜ୍ୱାଳାରେ ଦହି ହୋଇ ମରୁଥିବା ଭିକ୍ଷୁଣୀର ଜୀବନ ଅପେକ୍ଷା ସଘଂପ୍ରତି ସମସ୍ତ ଶ୍ରଦ୍ଧା ରଖିଥିବା ଜଣେ ସାଧାରଣ ଗୃହିଣୀର ଜୀବନଯାପନ କରିବା ଶତଗୁଣେ ଶ୍ରେୟସ୍କର ନୁହେଁ କି ?

 

ହିଁ, ମୋର କାମନୀତ ଏପର୍ଯ୍ୟନ୍ତ ଜୀବଦ୍ଦଶାରେ ଅଛନ୍ତି ଓ ଏ ପର୍ଯ୍ୟନ୍ତ ମୋ’ପ୍ରତି ଅନୁରକ୍ତ ରହିଚନ୍ତି, ଯଦି ଅଙ୍ଗୁଳିମାଳା ଏହିପରି ଏକ ସମ୍ବାଦ ଆଣି ଦିଅନ୍ତି, ତେବେ ମୋତେ ସ୍ୱୟଂ ଏଠାରୁ ଉଜ୍ଜୟିନୀ ଯାତ୍ରାକରିବାକୁ ହେବ । ମୁର୍ ମନେମନେ କଳ୍ପନା କରିବାକୁ ଲାଗିଲି ଯେ ମୁଁ ଦିନେ ଭିକ୍ଷୁଣୀବେଶରେ ତୁମର ନିବାସଗୃହର ଦ୍ୱାରଦେଶରେ ଯାଇ ଉପସ୍ଥିତ ହେବି, ତୁମେ ଭିକ୍ଷା ଦ୍ୱାରା ମୋର ଭିକ୍ଷାପାତ୍ର ଭରି ଦେଉଦେଉ ମୋତେ ଚିହ୍ନି ପାରିବ ଏବଂ ତା’ପରେ ଦୁହେଁ ମିଳି ପୁନର୍ମିଳନର ଅନିର୍ବଚନୀୟ ଆନନ୍ଦ ଅନୁଭବ କରିବା ।

 

କିନ୍ତୁ ଉଜ୍ଜୟିନୀ ପର୍ଯ୍ୟନ୍ତ ଯିବାର ଦୀର୍ଘପଥ ଏକାକୀ ଅତିକ୍ରମ କରିବା ଜଣେ ଭିକ୍ଷୁଣୀ ପକ୍ଷରେ ଆଦୌ ସହଜ ନୁହେଁ । ଅବଶ୍ୟ ଜଣେ ସାଥୀ ଖୋଜିବାକୁ ମୋର ଆଦୌ ବିଳମ୍ବ ହେଲାନାହିଁ । ଠିକ୍ ଅଳ୍ପଦିନ ପୂର୍ବରୁ ଅତି ଆକସ୍ମିକ ଭାବରେ ସୋମଦତ୍ତର ମୃତ୍ୟୁ ଘଟିଥାଏ । ଦାରୁଣ ଶିରଃପୀଡ଼ାରେ ଦୀର୍ଘକାଳ କଷ୍ଟ ଭୋଗିବାପରେ ଦିନେ ଆଉ ସହି ନପାରି ସୋମଦତ୍ତ ଗଙ୍ଗାକୁ ଡେଇଁପଡ଼ି ପ୍ରାଣ ହରାଇ ଦେଇଥିଲା । ତା’ପରେ ମେଦିନୀ ଆସି ଭିକ୍ଷୁଣୀ ସଘଂରେ ଯୋଗ ଦେଲା । ଧର୍ମଜୀବନର ଉଚ୍ଚ ଉଦ୍ଦେଶ୍ୟର ଉପଲବ୍ଧି କରିବାପାଇଁ ନୁହେଁ, ମୋ’ସହିତ ଏକତ୍ର କାଳାତିପାତ କରିବାର ଅଧିକତର ଲୋଭରେ ହିଁ ସେ ଏହି ପବିତ୍ର ବନସ୍ଥଳୀରେ ପ୍ରବେଶ କରିଥିଲା-। ତାହାର ଶିଶୁସୁଲଭ ହୃଦୟଟି ଏପର୍ଯ୍ୟନ୍ତ ମଧ୍ୟ ପ୍ରଗାଢ଼ ପ୍ରେମ ନେଇ ମୋତେ ଆଶ୍ରୟ କରି ରହିଥିଲା । ତେଣୁ ମୁଁ ତାକୁ ସମସ୍ତ ଘଟଣା ଖୋଲି କହିବା ପରେ ଯେ ସେ ମୋ’ସହିତ ଉଜ୍ଜୟିନୀ ଯିବାକୁ କଦାପି ଅସମ୍ମତ ହେବନାହିଁ, ଏ ବିଷୟରେ କୌଣସି ସନ୍ଦେହ ନଥିଲା । ଖାଲି ଉଜ୍ଜୟିନୀ କାହିଁକି, ପୃଥିବୀର ଶେଷପ୍ରାନ୍ତ ପର୍ଯ୍ୟନ୍ତ ଯିବାକୁ ମଧ୍ୟ ସେ ଅସମ୍ମତ ହେବନାହିଁ । ତାହାର ଦାରୁଣ ଦୁଃଖରେ ମୁଁ ଯେପରି ତାହାକୁ ସତେ ସାନ୍ତ୍ୱନା ଦେଉଥିଲି, ତାହା ସହିତ ଏକାଠି ଦିନ କଟୁଥିବାରୁ ମୋତେ ମଧ୍ୟ ସେହିପରି ଅନେକ ସାନ୍ତ୍ୱନା ମିଳୁଥିଲା ।

 

କ୍ରମେ ଅଙ୍ଗୁଳିମାଳା ଉଜ୍ଜୟିନୀରୁ ଫେରିଆସିବାର ସମୟ ହୋଇଆସିଲା । ସେହି ପ୍ରତ୍ୟାଶାରେ ମୁଁ ପ୍ରତ୍ୟହ ଅପରାହ୍ନ ସମୟରେ ଅରଣ୍ୟପ୍ରାନ୍ତ ପର୍ଯ୍ୟନ୍ତ ଯିବାକୁ ଆରମ୍ଭ କରିଦେଲି । ସେଠାକୁ ଯାଇ ମୁଁ ଗୋଟିଏ ଉଚ୍ଚଜାଗା ଉପରେ ଥିବା ଗୋଟିଏ ଗଛ ମୂଳରେ ବସେ । ସେଠାରୁ ଅନାଇଲେ ଉଜ୍ଜ୍ୱୟିନୀରୁ ଆସିବା ରାସ୍ତାର ଅନେକଦୂର ପର୍ଯ୍ୟନ୍ତ ଦେଖାଯାଏ । ମୁଁ ଭାବିଥାଏ ଯେ ଏହିପରି ଦିନେ ସନ୍ଧ୍ୟା ବୁଡ଼ି ଆସିଲା ବେଳକୁ ସେ ଆସି ଏଠାରେ ପହଞ୍ଚିଯିବେ ।

 

ଏହିପରି ଗୋଟାଏ ସପ୍ତାହ ଚାଲିଗଲା, ଅଥଚ ଅଙ୍ଗୁଳିମାଳା ଫେରିଲେ ନାହିଁ । ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମୁଁ ମନେମନେ ସ୍ଥିର କରି ରଖିଲି । କିନ୍ତୁ ଅଷ୍ଟମଦିନ ସନ୍ଧ୍ୟାବେଳେ ଏକ ବ୍ୟତିକ୍ରମ ଘଟିଲା । ସେତେବେଳକୁ ସୂର୍ଯ୍ୟ ଅନେକ ତଳକୁ ଗଡ଼ି ଆସିଲେଣି, ତାଙ୍କର କିରଣରୁ ରକ୍ଷା ପାଇବାକୁ ମୁଁ ଆଖିଉପରେ ହାତଦେଇ ଦୂରକୁ ଅନାଉଚି, ହଠାତ୍ ଗୋଟିଏ ମନୁଷ୍ୟମୂର୍ତ୍ତିକୁ ଅରଣ୍ୟ ଆଡ଼କୁ ଆସୁଥିବାର ଦେଖିବାକୁ ପାଇଲି । ତା’ପରେ ପୀତବର୍ଣ୍ଣ ଅଙ୍ଗବସ୍ତ୍ର ଦୃଷ୍ଟିଗୋଚର ହେଲା । ଜଣେ କାଠୁରିଆକୁ ଟପି ଆଗକୁ ଆସିବା ସମୟରେ ମୂର୍ତ୍ତିଟିର ଅତ୍ୟଧିକ ଉଚ୍ଚତା ବିଷୟରେ ମଧ୍ୟ ମୋର ଜ୍ଞାନ ହୋଇଗଲା । ତେମେ ଏ ପ୍ରକୃତରେ ଅଙ୍ଗୁଳିମାଳା–କିନ୍ତୁ ଏକା କାହିଁକି ? ମୋର କାମନୀତ କାହିଁକି ତାଙ୍କର ସଙ୍ଗରେ ଆସିଲେ ନାହିଁ ? ଅଙ୍ଗୁଳିମାଳା ଆଉ କଅଣ କଲେ ? ନା–ସେ ଜୀବନରେ ଅଛନ୍ତି ବୋଲି ଖବରପାଇଲେ ମୋତେ ସ୍ୱୟଂ ଯାଇ ତାଙ୍କ ପାଖରେ ପହଞ୍ଚିବାକୁ ହେବ ।

 

ହୃଦୟଟା ସେତେବେଳକୁ ଧଡ଼ଧଡ଼ ହୋଇ ପଡ଼ିବାରେ ଲାଗିଥାଏ । ଏହି ସମୟରେ ଅଙ୍ଗୁଳିମାଳା ଆସି ମୋର ସମ୍ମୁଖରେ ଦଣ୍ଡାୟମାନ ହେଲେ ଏବଂ ସସମ୍ମାନ ପ୍ରଣାମ କଲେ ।

 

ସେ କହିଲେ–ବର୍ତ୍ତମାନ କାମନୀତ ଆପଣାର ଜନ୍ମନଗରରେ ଅତି ସୁଖରେ ବାସ କରୁଚି । ମୁଁ ନିଜେ ତାହା ସହିତ ଦେଖା ଓ କଥାବାର୍ତ୍ତା କରି ଆସିଚି ।

 

ଦିନେ ପ୍ରଭାତ ସମୟରେ ସେ କିପରି ତୁମର ପ୍ରାସାଦତୁଲ୍ୟ ବାସଭବନକୁ ଯାଇଥିଲେ, ତୁମର ଦୁଇ ପତ୍ନୀ କିପରି ତାଙ୍କପ୍ରତି କଟୂକ୍ତିମାନ ପ୍ରୟୋଗ କରିଥିଲେ, ତାପରେ ତୁମେ କିପରି ଆସି ସେମାନଙ୍କୁ ସେଠାରୁ ଘର ଭିତରକୁ ପଠାଇଦେଲେ ଏବଂ କ୍ଷମାପ୍ରାର୍ଥନା କରି ତାଙ୍କସହିତ କଥାବାର୍ତ୍ତା କଲ, ଅଙ୍ଗୁଳିମାଳା ଗୋଟିଗୋଟି କରି ମୋତେ ସବୁକଥା କହିଥିଲେ ।

 

ସବୁକଥା କହିସାରିବା ପରେ ଅଙ୍ଗୁଳିମାଳା ମୋତେ ପୁଣି ପ୍ରଣାମ କରି କାନ୍ଧଉପରେ ଅଙ୍ଗବସ୍ତ୍ରଟି ପକାଇ ପୁଣି ଯିବାକୁ ବାହାରିଲେ ।

 

ବିସ୍ମିତ ହୋଇ ମୁଁ ପଚାରିଲି–ତୁମେ କଣ ଆଜି ଭିକ୍ଷୁନିବାସକୁ ଯିବନାହିଁ ?

 

ସେ ଉତ୍ତର ଦେଲେ–ତୁମେ ମୋ’ଉପରେ ଯେଉଁ କର୍ତ୍ତବ୍ୟର ଦାୟିତ୍ୱ ଦେଇଥିଲ, ମୁଁ ସେହି ଦାୟିତ୍ୱକୁ ଅତି ବିଶ୍ୱସ୍ତ ଭାବରେ ପୂରଣ କରିଚି । ବର୍ତ୍ତମାନ ପୂର୍ବଦିଗକୁ ଯାତ୍ରା କରି କାଶୀ ବା ରାଜଗୃହରେ ତଥାଗତଙ୍କର ଦର୍ଶନଲାଭ କରିବାରେ ଆଉ କୌଣସି ଅନ୍ତରାୟ ନାହିଁ ।

 

ଏତିକି କହି ସେ ଅରଣ୍ୟର ଧାରେ ଧାରେ ଆଗକୁ ଯିବାକୁ ଲାଗିଲେ ।

 

ମୁଁ ପଛରୁ ଅନାଇ ରହିଥାଏ । ତାଙ୍କର ଦେହର ଦୀର୍ଘଛାଇ ତାଙ୍କର ଆଗେଆଗେ ଦଉଡ଼ିବାରେ ଲାଗିଥାଏ । ମନେ ହେଉଥାଏ ସତେଅବା ତାଙ୍କର ଆକାଂକ୍ଷା ଆଗରେ ଯାଇ ତାଙ୍କୁ ବାଟ କଢ଼ାଇ ନେଇଯାଉଚି । ମୁଁ ଏକାକୀ ପଛରେ ଠିଆ ହୋଇ ରହିଥାଏ । ମନେ ହେଉଥାଏ ସତେ ଯେପରି ମୋର କୌଣସି ଆକାଂକ୍ଷା ନାହିଁ, କୌଣସି ପ୍ରିୟ ଆକାଂକ୍ଷାର ପୂରଣଲାଗି କୌଣସି ସ୍ଥଳ ମଧ୍ୟ ନାହିଁ ।

 

ମୋର ହୃଦୟଟା ନିର୍ଜୀବ ହୋଇ ପଡ଼ି ରହିଥାଏ । ମୋର ସ୍ୱପ୍ନଚ୍ଛବିମାନ ଝାପ୍‍ସା ହୋଇ ଆସୁଥାଏ । ‘ଗୃହସ୍ଥର ସଂସାର ଏକ ଆବର୍ଜନାପୂର୍ଣ୍ଣ ସଂସାର’ ଏହି ସନ୍ନ୍ୟାସବାକ୍ୟଟି ମୋର ଛିନ୍ନଭିନ୍ନ ଆତ୍ମାଭିତରେ ବାରବାର ପ୍ରତିଧ୍ୱନିତ ହୋଇ ଉଠୁଥାଏ । ସେହି ଅଶୋକ-ଉଦ୍ୟାନର ମୁକ୍ତ ତାରାମୟ ଏବଂ ଚନ୍ଦ୍ରିକାଚର୍ଚ୍ଚିତ ଆକାଶତଳେ ହିଁ ମୋର ପ୍ରେମର ପ୍ରକୃତ ନିବାସ ଥିଲା । ଏହି ନିବାସକୁ ବର୍ଜନକରି ଉଜ୍ଜୟିନୀର ସେହି ଆବର୍ଜନାମୟ ଘରକୁ ମୁଁ ଘରବୋଲି କିପରି ଗହଣ କରିପାରିବି; କାମନୀତର ଦୁଇ ଭାର୍ଯ୍ୟା ଏକାଠି ମିଶି ସ୍ୱାମୀ ଉପରେ ଗାଳିବର୍ଷଣ କରିବାରେ ଲାଗିଥିବେ, ଏକଥା ମୁଁ କିପରି ସହ୍ୟ କରିପାରିବି ?

 

ଅତି ଆକୁଳ ଭାବରେ ମୁଁ ମୋର ପ୍ରକୋଷ୍ଠକୁ ଫେରିଆସିଲି ଏବଂ ଶଯ୍ୟାଶୟିନୀ ହୋଇ ରହିଲି । ମୋର ସକଳ ଆଶା ଏପରି ଦାରୁଣ ଭାବରେ ଚୂର୍ଣ୍ଣୀଭୂତ ହୋଇଯିବ, ଏହା ଦେଖି ହୃଦୟ ଧରି ରହିବାକୁ ମୋର ଆଉ ବଳ ନଥିଲା । ଏହି କେତେଦିନର ସଂଗ୍ରାମ ପରେ ଆଉ ଏତେ ବଳ ମୋର ହୃଦୟରେ ଆଉ କୁଆଡ଼ୁ ଆସନ୍ତା ? ମେଦିନୀ ଆପଣାର ସମସ୍ତ ନିଷ୍ଠା ଦେଇ ଦିନରାତି ମୋର ସେବା କରିବାକୁ ଲାଗିଲା । କିନ୍ତୁ ଏହି ବ୍ୟଥା ଓ ଜ୍ୱାଳାର କିଞ୍ଚିତ୍ ଉପଶମ ହେବା ମାତ୍ରକେ ଆଗରୁ ମୁଁ କରିଥିବା ଯାତ୍ରାର ଯୋଜନା ଏକ ନୂତନ ରୂପ ଧାରଣ କଲା । ଯେଉଁଠାକୁ ମୁଁ ଅଙ୍ଗୁଳିମାଳାଙ୍କୁ ପଠାଇଥିଲି, ସେଠାକୁ ନିଜେ ଯିବାରେ ଆଉ କୌଣସି ଫଳ ନାହିଁ । କିନ୍ତୁ ସେଠୁ ଫେରିଆସି ସେ ଯାହା ଅଭିମୁଖରେ ଯାତ୍ରା କଲେ, ମୁଁ ମଧ୍ୟ ସେହି ଅଭିମୁଖରେ ଯାତ୍ରା କରିବି । ତଥାଗତଙ୍କର ଦର୍ଶନ ଲାଭ କରିବା ପର୍ଯ୍ୟନ୍ତ ମୁଁ ତାଙ୍କରି ସନ୍ଧାନରେ ବାହାରିଯିବି । ମୋର ମନନବାକ୍ୟର ମନନ କଣ ବର୍ତ୍ତମାନ ପ୍ରକୃତରେ ସମାପ୍ତ ହୋଇନାହିଁ ? ପ୍ରେମସହିତ କିପରି ଦୁଃଖର ଉଦୟ ହୁଏ,ଏହିକଥା ମୁଁ ଅତି ଗଭୀରଭାବରେ ଅଙ୍ଗେ ନିଭାଇ ସାରିଲିଣି । ତେଣୁ ବର୍ତ୍ତମାନ ମୋତେ ପୁଣି ସେହି ବୁଦ୍ଧଙ୍କର ଅନ୍ୱେଷଣରେ ବହାରିବାକୁ ପଡ଼ିବ, ତାଙ୍କ ପବିତ୍ର ଓ ମହାନ୍ ବ୍ୟକ୍ତିତ୍ୱର ସାନ୍ନିଧ୍ୟ ଲାଭ କରି ମୋତେ ନୂତନ ଶକ୍ତି ସଂଗ୍ରହ କରିବାକୁ ପଡ଼ିବ । ତେବେଯାଇ ମୁଁ ଉଚ୍ଚତମ ଉଦ୍ଦେଶ୍ୟର ପ୍ରାପ୍ତିଦିଗରେ ଅଗ୍ରସର ହୋଇପାରିବି ।

 

ମନର ଏହିସବୁ କଳ୍ପନାଜଳ୍ପନାକୁ ମୁଁ ଯାଇ ମେଦିନୀ ଆଗରେ କହିଲି । ସେ ଅତ୍ୟନ୍ତ ଆଗ୍ରହର ସହିତ ମୋର ସମସ୍ତ କଥା ଶୁଣିଲା ଏବଂ ଚପଳ ଶିଶୁଟି ପରି ମୋତେ କହିଲା ଯେ କେତେକେତେ ସୁନ୍ଦର ଦେଶ ପାରହୋଇ ମୋ’ସହିତ ଏକାଠି ଗଲେ ସେ ଭାରି ଆନନ୍ଦ ପାଇବ । ମୁକ୍ତ ଆକାଶରେ ପକ୍ଷୀପରି ମୁକ୍ତ ହୋଇ ଯିବାକୁ ହେବ, ଦୀର୍ଘ ଯାତ୍ରାପଥ ଦୂର ଚକ୍ରବାଳ ଆଡ଼କୁ ଗୋଡ଼ କଢ଼ାଇ ନେଉଥିବ, ତାହା ପ୍ରକୃତରେ ବଡ଼ ଆନନ୍ଦଦାୟକ ହେବ ।

 

କିନ୍ତୁ ପ୍ରଥମେ ମୁଁ ସମ୍ପୂର୍ଣ୍ଣ ଭାବରେ ପ୍ରକୃତିସ୍ଥ ହେଲାପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ମୋର ଅବସ୍ଥା ଟିକିଏ ଭଲ ହୋଇ ଆସିବାବେଳକୁ ଚତୁର୍ମାସ୍ୟା ଆସି ପହଞ୍ଚିଗଲା ଏବଂ ଆମକୁ ଧୈର୍ଯ୍ୟର କଠିନ ପରୀକ୍ଷା ଦେବାକୁ ପଡ଼ିଥିଲା ।

 

ତାଙ୍କର ଶେଷ ପ୍ରବଚନରେ ତଥାଗତ ଆମକୁ କହିଥିଲେ : –

 

‘‘ଚତୁର୍ମାସ୍ୟାର ଶେଷ ମାସରେ ଯେତେବେଳେ ଶରତଋତୁ ସମାଗତ ହେଉଥାଏ, ଆକାଶରେ ଜଳଭାରି ମେଘଖଣ୍ଡମାନ କ୍ରମେ ଅନ୍ତର୍ହିତ ହୋଇଯାଉଥାଏ, ସେତେବେଳେ ସମସ୍ତ ଆକାଶ ଭରି ସୂର୍ଯ୍ୟଙ୍କର କିରଣ ବିକୀର୍ଣ୍ଣ ହୋଇ ପଡ଼ୁଥାଏ ଏବଂ ବାୟୁମଣ୍ଡଳରୁ ସମସ୍ତ କୁଜ୍‍ଝଟିକାକୁ ଉଡ଼ାଇ ନେଉଥାଏ । ଠିକ୍ ସେହିପରି ଯିଏ ଶୀଳବ୍ରତ ଆଚରଣ କରେ, ତାହାର ବର୍ତ୍ତମାନ କଲ୍ୟାଣମୟ ହୁଏ, ଭବିଷ୍ୟତ ମଧ୍ୟ କଲ୍ୟାଣମୟ ହୁଏ, ପାରମ୍ପରିକ ସନ୍ନ୍ୟାସୀ ଓ ପୁରୋହିତମାନଙ୍କର ଶବ୍ଦଜାଲ କୁଆଡ଼େ ଉଡ଼ି ଅନ୍ତର୍ହିତ ହୋଇଯାଏ ।’’

 

ଶେଷରେ ଚତୁର୍ମାସ୍ୟା ଗତ ହୋଇଗଲା ଓ ଆମ ଚତୁର୍ଦ୍ଦିଗ ପ୍ରକୃତି ଏହିପରି ଉଜ୍ଜ୍ୱଳ ରୂପରେ ଝଟକିବାକୁ ଲାଗିଲା । ଆମେ କୃଷ୍ଣବନ ତ୍ୟାଗ କରି କୌସାମ୍ୱି ବାଟଦେଇ ପୂର୍ବଦିଗକୁ ଗତି କରିବାକୁ ଲାଗିଲୁ, ଜୀବନର ଶୀଳବ୍ରତ ଗ୍ରହଣ କରିବା ଉଦ୍ଦେଶ୍ୟରେ ସେହି ମହାନ୍ ସୂର୍ଯ୍ୟଙ୍କର ସାକ୍ଷାତ ଲାଗି ଅଗ୍ରସର ହେଲୁ ।

Image

 

୪୩

ମହାପରିନିର୍ବାଣ

 

ମୋର ଶରୀରଶକ୍ତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବାରୁ ଆମେ ଦିନକୁ ଖୁବ୍ ବେଶୀ ବାଟ ଚାଲି ପାରୁନଥାଇ, ମଝିରେ ମଝିରେ ବାଟରେ ଗୋଟିଏ ଦିନ ପୂର୍ଣ୍ଣ ବିଶ୍ରାମ କରୁଥାଉ । ଏହିପରି ଯାତ୍ରା କରି ଶେଷରେ ଆମେ ମାସକରେ ଆସି ବୈଶାଳୀ ନଗରରେ ପହଞ୍ଚିଲୁ । ସେଠାରେ ପହଞ୍ଚି ଶୁଣିବାକୁ ପାଇଲୁ ଯେ ତଥାଗତ ଅନେକଦିନ ପର୍ଯ୍ୟନ୍ତ ବୈଶାଳୀରେ ଅବସ୍ଥାନ କରିବାପରେ ପ୍ରାୟ ଛଅ ସପ୍ତାହ ପୂର୍ବେ ଅନ୍ୟତ୍ର ପ୍ରସ୍ଥାନ କରିଚନ୍ତି ।

 

ବୈଶାଳୀଠାରୁ ଅଳ୍ପଦୂରରେ ଗୋଟିଏ ଗାଆଁ ଥିଲା, ଯେଉଁଠାରେ କି ବୁଦ୍ଧମାର୍ଗର କେତେକ ଧର୍ମାବଲମ୍ୱୀ ବାସ କରୁଥିଲେ । ସାରିପୁତ୍ତ ଓ ମୋଗ୍‍ଗଲାନ ନିର୍ବାଣପ୍ରାପ୍ତ ହୋଇଥିବାର ସମ୍ବାଦ ଆମେ ସେହି ଗାଆଁରେ ପାଇଥିଲୁ । ଏହି ଦୁଇଜଣ ପ୍ରଧାନ ଶିଷ୍ୟଙ୍କୁ ଆମେ ସମସ୍ତେ ସଘଂର ପରିଚାଳକ ବୋଲି କହୁଥିଲୁ । ଏ ଦୁହେଁ ଆଉ, ମର୍ତ୍ତ୍ୟଧାମରେ ନାହାନ୍ତି, ଏହିକଥା ଭାବିଲାବେଳକୁ ମୋର ଅନ୍ତର ଭିତରଟା କଅଣ ହୋଇଗଲା । ଆମେ ଅବଶ୍ୟ ଏକଥା ଭଲ କରି ଜାଣିଥିଲୁ ଯେ ଆମେ ସମସ୍ତେ ମନୁଷ୍ୟ, ସ୍ୱୟଂ ବୁଦ୍ଧ ମଧ୍ୟ ଜଣେ ମନୁଷ୍ୟ । କିନ୍ତୁ ସେମାନେ ଯେ ଦିନେ-ନା-ଦିନେ ଆମକୁ ଛାଡ଼ିକରି ଏହି ସଂସାରରୁ ଚାଲିଯିବେ, ଏହିକଥା ଯେ ଆମର ମନରେ କେବେହେଲେ ସ୍ଥାନ ପାଇନଥିଲା । ସାରିପୁତ୍ତଙ୍କର ବିଚାରଶକ୍ତି ବଡ଼ ପ୍ରଖର ଥିଲା, କେତେ ଶାନ୍ତ ଭାବରେ ସେ ମୋର କେଡ଼େକେଡ଼େ କଠିନ ପ୍ରଶ୍ନର ସମାଧାନ କରିଦେଇ ନାହାନ୍ତି ! ସେହି ସାରିପୁତ୍ତ ବର୍ତ୍ତମାନ ଆଉ ଇହଧାମରେ ନାହାନ୍ତି । ଅନେକ ସମୟରେ ଏହି ସାରିପୁତ୍ତଙ୍କୁ ତଥାଗତଙ୍କର ସମକକ୍ଷ ବୋଲି ମନେ ହେଉଥିଲା, ତଥାଗତଙ୍କ ପରି ସେ ମଧ୍ୟ ଅଶୀତିତମ ବର୍ଷ ବୟସରେ ପଦାର୍ପଣ କରିଥିଲେ । ହୁଏତ ସ୍ୱୟଂ ବୁଦ୍ଧ ମଧ୍ୟ ଆଉ କେତେଦିନ ଗଲେ ଇହସଂସାରରୁ ବିଦାୟ ନେଇଯିବେ, ଏହା କି କେବେ ସମ୍ଭବ ହୋଇପାରେ ?

 

ଏହି ଭୟଜନିତ ଅସ୍ଥିରତା ଯେପରି ମୋତେ ଏକ ତୀବ୍ର ଜ୍ୱରର ଜ୍ୱାଳାରେ ସନ୍ତପ୍ତ କରି ପକାଇଲା । ମୁଁ ପୀଡ଼ିତ ଓ ଅଶକ୍ତ ଅବସ୍ଥାରେ ବୈଶାଳୀକୁ ଫେରିଆସିଲି । ଏଠାରେ ଜଣେ ଧନାଢ଼୍ୟା ଗୃହିଣୀ ଭକ୍ତ ବାସ କରୁଥିଲେ ଓ ସେ ପରିବ୍ରଜରେ ବାହାରିଥିବା ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କର ସମସ୍ତ ପ୍ରକାର ଆଦରପୂର୍ଣ୍ଣ ସତ୍କାର କରୁଥିଲେ । ନଗରରେ ଜଣେ ପୀଡ଼ିତା ଭିକ୍ଷୁଣୀ ଆସି ପହଞ୍ଚିଚନ୍ତି ଖବର ପାଇ ସେ ତତ୍‍କ୍ଷଣାତ୍ ଆସି ମୋ’ପାଖରେ ଉପସ୍ଥିତ ହୋଇଥିଲେ ଏବଂ ମୋତେ ଓ ମେଦିନୀକୁ ଆପଣାର ଘରକୁ ଡାକି ନେଇଥିଲେ । ସେଠାରେ ଆମର ସତ୍କାରର କୌଣସି ପ୍ରକାର ତ୍ରୁଟି ହୋଇନଥିଲା ।

 

ବର୍ତ୍ତମାନ ମୁଁ ମୋ’ମନର ଆଶଙ୍କାଟି ତାଙ୍କ ଆଗରେ ଖୋଲି କହିଲି- ସାରିପୁତ୍ତଙ୍କୁ ଯେତିକି ବୟସ ହୋଇଥିଲା, ତଥାଗତଙ୍କୁ ତ ସେତିକି ବୟସ ହୋଇଚି । ସାରିପୁତ୍ତଙ୍କ ପରି ସ୍ୱୟଂ ତଥାଗତ ମଧ୍ୟ ଅତିଶୀଘ୍ର ଆମକୁ ଛାଡ଼ି ଚାଲିଯିବେ ନାହିଁ ତ ?

 

ମୋର କଥା ଶୁଣି ଧର୍ମଭୀରୁ ଗୃହିଣୀ ଆଉ ଲୁହ ସମ୍ଭାଳି ପାରିଲେନାହିଁ ଓ କାନ୍ଦିକାନ୍ଦି ମୋତେ କହିବାକୁ ଲାଗିଲେ : –

 

ହାୟ ହାୟ, ତୁମେ କଣ ଏପର୍ଯ୍ୟନ୍ତ ଏକଥା ଜାଣି ନାହଁ ? ପ୍ରାୟ ଦୁଇମାସ ତଳେ, ଯେତେବେଳେ ତଥାଗତ ଏହି ବୈଶାଳୀରେ ଅବସ୍ଥାନ କରୁଥିଲେ, ତଥାଗତ ନିଜେ କହିଚନ୍ତି ଯେ ତିନିମାସ ପରେ ତାଙ୍କର ମଧ୍ୟ ନିର୍ବାଣର ସମୟ ଆସି ପହଞ୍ଚିବ । ଏଠାରେ ଆମେ ସମସ୍ତେ ତାଙ୍କୁ ଅନ୍ତିମ ଥରପାଇଁ ଦର୍ଶନ କରିଚୁ । କିନ୍ତୁ ଭାବିଦେଖିଲ ଭଉଣୀ, ଶିଷ୍ୟ ଆନନ୍ଦଙ୍କର ଯଦି ଆଗତଭବିଷ୍ୟ ଜାଣିବାର ବୁଦ୍ଧି ଥାଆନ୍ତା ଏବଂ ସେ ଉଚିତ ସମୟରେ ତଥାଗତଙ୍କୁ ଏ ବିଷୟରେ ଅନୁରୋଧ ଜଣାଇଥାନ୍ତେ, ତେବେ ଏହି ନିର୍ବାଣକୁ ଏଡ଼ିବା ସମ୍ଭବ ହୋଇପାରିଥାନ୍ତା ଏବଂ ଯୁଗ ଶେଷହେବା ପର୍ଯ୍ୟନ୍ତ ତଥାଗତ ଏହି ଧରାଧାମରେ ମନୁଷ୍ୟ ଦେହ ଧାରଣକରି ରହିପାରିଥାନ୍ତେ ।

 

ମୁଁ ପଚାରିଲି, ଏହି ବିଷୟରେ ଶିଷ୍ୟ ଆନନ୍ଦଙ୍କର କଅଣ କରିବା ଉଚିତ ଥିଲା ଏବଂ ସେ ସେହି କର୍ତ୍ତବ୍ୟ କରିବାରେ କେଉଁ ତ୍ରୁଟି କଲେ କିପରି ?

 

ଗୃହିଣୀ ଉତ୍ତର ଦେଇ କହିଲେ- ତେବେ ମୁଁ କହୁଚି ଶୁଣ । ଥରେ ନଗରର ବାହାରେ ଥିବା ଏକ ମନ୍ଦିରରେ ତଥାଗତ ଶିଷ୍ୟ ଆନନ୍ଦଙ୍କ ସହିତ ଏକତ୍ର ଅବସ୍ଥାନ କରୁଥିଲେ । ସେତିକିବେଳେ ଦିନେ ତଥାଗତ ଆନନ୍ଦଙ୍କୁ କହିଲେ ଯେ ଯେଉଁ ବ୍ୟକ୍ତି ଆପଣାର ଆଧ୍ୟାତ୍ମିକ ଶକ୍ତିଗୁଡ଼ିକର ପରିପୂର୍ଣ୍ଣ ବିକାଶ କରିପାରିଚନ୍ତି, ସେ ଇଚ୍ଛା କଲେ ଗୋଟାଏ ଯୁଗ ସମାପ୍ତ ହେବା ପର୍ଯ୍ୟନ୍ତ ମଧ୍ୟ ପୃଥିବୀରେ ଦେହଧାରଣ କରି ରହିପାରିବେ । ଏହି କଥା ଶୁଣି ଆନନ୍ଦ ତତ୍‍କ୍ଷଣାତ୍ ପଚାରିଥାନ୍ତେ–‘‘ସଂସାରରେ ଆହୁରି ଅନେକ ବ୍ୟକ୍ତିଙ୍କର ପରିତ୍ରାଣ ପାଇଁ କଣ ତଥାଗତ ମଧ୍ୟ ଯୁଗଶେଷ ପର୍ଯ୍ୟନ୍ତ ମରଦେହରେ ରହିବାକୁ ଇଚ୍ଛା କରିବେ ନାହିଁ ?’’ କିନ୍ତୁ ମୁଁ ଭାବୁଚି, ନିଶ୍ଚୟ ମାର ବା ଅପଦେବତା ଆସି ଆନନ୍ଦଙ୍କର ମନକୁ ଅଧିକାର କରିଥିଲା, ନହେଲେ ସେ ଏହି ପ୍ରଶ୍ନଟି କରିବାକୁ କଦାପି ଭୁଲିଯାଇ ନଥାନ୍ତେ, କଦାପି ବିଳମ୍ବ କରିନଥାନ୍ତେ ।

 

ମୁଁ ପଚାରିଲି ଏତେ ବିଳମ୍ବ ଆଉ ହେଲା କଅଣ ? ତଥାଗତ ତ ଏପର୍ଯ୍ୟନ୍ତ ମଧ୍ୟ ସଂସାର ଛାଡ଼ି ଯାଇନାହାନ୍ତି ।

 

ତେବେ କହୁଚି ଶୁଣ । ତୁମେ ତ ନିଶ୍ଚୟ ଜାଣିଥିବ ଯେ ଆଜିକୁ ପଚାଶବର୍ଷ ପୂର୍ବେ ଯେତେବେଳେ ତଥାଗତ ଉରୁବେଳଠାରେ ବୋଧିପ୍ରାପ୍ତ ହୋଇଥିଲେ, ସାତବର୍ଷର କଠିନ ସାଧନା ପରେ ପରମ ପ୍ରଶାନ୍ତି ଲାଭ କରି ଛାଗଳପାଳକମାନଙ୍କ ସହିତ ଅବସ୍ଥାନ କରୁଥିଲେ, ସେତେବେଳେ ମାର ବା ଅପଦେବତା ଆସି ତାଙ୍କପାଖରେ ଉପସ୍ଥିତ ହୋଇଥିଲା । ବୁଦ୍ଧଙ୍କର ତପସ୍ୟା ଫଳରେ ଆପଣାର ରାଜ୍ୟ ଟଳମଳ ହେବାରୁ ମାର ବୁଦ୍ଧଙ୍କୁ ପ୍ରଲୁବ୍ଧ କରିବାକୁ ଆସିଥିଲା । ସେ ଆସି ବୁଦ୍ଧଙ୍କୁ କହିଲା–‘‘ନମସ୍କାର, ବର୍ତ୍ତମାନ ତଥାଗତଙ୍କର ନିର୍ବାଣପ୍ରାପ୍ତିର ସମୟ ଆସି ଉପସ୍ଥିତ ହୋଇଚି ।’’ କିନ୍ତୁ ବୁଦ୍ଧ ଉତ୍ତର ଦେଲେ–‘‘ମାର, ବର୍ତ୍ତମାନ ନିର୍ବାଣରେ ପ୍ରବେଶ କରିବାଲାଗି ମୋର କୌଣସି ଅଭିଳାଷ ନାହିଁ । ମୁଁ ଆଗ ମନୁଷ୍ୟ ସମାଜରେ ମୋର ଧର୍ମ ପ୍ରଚାର କରିବାକୁ ଇଚ୍ଛା କରୁଚି । ଏହି ଧର୍ମର ରକ୍ଷା କରିବାଲାଗି ଓ ଏହାକୁ ଅଧିକ ପ୍ରସାରିତ କରିବାଲାଗି ଯେପର୍ଯ୍ୟନ୍ତ ମୁଁ ମୋର ଶିଷ୍ୟମାନଙ୍କୁ ତିଆରି କରି ନପାରିବି, ସେପର୍ଯ୍ୟନ୍ତ ମୁଁ ନିର୍ବାଣ ଗ୍ରହଣ କରିବାକୁ ଚାହୁଁ ନାହିଁ । ସଦ୍ଧର୍ମର ସାମ୍ରାଜ୍ୟ ଦୃଢ଼ଭାବରେ ପ୍ରତିଷ୍ଠିତ ହୋଇସାରିଲେ ଯାଇ ମୁଁ ନିର୍ବାଣରେ ପ୍ରବେଶ କରିବି ।’’

 

ତଥାଗତ ଏହି ବିଷୟଟି ପରେ ଶିଷ୍ୟ ଆନନ୍ଦଙ୍କୁ କହିଥିଲେ । କିନ୍ତୁ ଆନନ୍ଦ ବୋଧହୁଏ ଏହାର ମର୍ମକୁ ଯଥାର୍ଥ ଭାବରେ ବୁଝିପାରିଲେନାହିଁ ଏବଂ କିଛି ନକହି ଅନ୍ୟତ୍ର ଚାଲିଗଲେ । ଏହି ଅବସରରେ ମାର ପୁଣି ଆସି ତଥାଗତଙ୍କ ପାଖରେ ପହଞ୍ଚିଲା ଓ କହିଲା–‘‘ନମସ୍କାର । ତଥାଗତ ଲାଗି ବର୍ତ୍ତମାନ ନିର୍ବାଣରେ ପ୍ରବେଶ କରିବାର ସମୟ ଉପସ୍ଥିତ ହୋଇଚି । ଉରୁବେଳରେ ଥିଲାବେଳେ ତଥାଗତ ମୋତେ ନିର୍ବାଣ ଗ୍ରହଣ କରିବାର ଯେଉଁ ସର୍ତ୍ତ ଦେଇଥିଲେ, ସେହି ସର୍ତ୍ତ ବର୍ତ୍ତମାନ ପରିପୂର୍ଣ୍ଣ ହୋଇଅଛି । ସଦ୍ଧର୍ମର ସାମ୍ରାଜ୍ୟ ଦୃଢ଼ ପ୍ରତିଷ୍ଠିତ ହୋଇସାରିଲାଣି । ତେବେ ତଥାଗତ ବର୍ତ୍ତମାନ ନିର୍ବାଣ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ତ ?’’ ବୁଦ୍ଧ ଉତ୍ତର ଦେଇ କହିଲେ–‘‘ମାର, ତୁ ଆଉ ଚିନ୍ତା କରନା, ତଥାଗତଙ୍କର ନିର୍ବାଣ ଗ୍ରହଣ ଲାଗି ଆଉ ଅଧିକ ବିଳମ୍ବ ହେବନାହିଁ । ଆଜିଠାରୁ ତିନିମାସ ପରେ ତଥାଗତ ନିର୍ବାଣରେ ପ୍ରବେଶ କରିବେ ।’’ ତଥାଗତଙ୍କର ମୁଖରୁ ଏହି ବାକ୍ୟ ଉଚ୍ଚାରିତ ହେବାମାତ୍ରକେ ପୃଥିବୀ କମ୍ପିଉଠିଲା । ତୁମେ ମଧ୍ୟ ଏହି ଭୂକମ୍ପ ଅବଶ୍ୟ ଅନୁଭବ କରିଥିବ ।

 

କୌସାମ୍ବିରେ ମଧ୍ୟ ଆମେ ଏହି ଭୂକମ୍ପକୁ ଅନୁଭବ କରିଥିଲୁ । ସେ ପ୍ରାୟ ମାସକର କଥା ହେବ ।

 

ଅତି ବିଚଳିତ ହେବାପରି ସେ କହିଉଠିଲେ–ଦେଖିଲ ତ ? ମୁଁ ଠିକ୍ ସେହିକଥା ଅନୁମାନ କରିଥିଲି ! ସଂସାରର ସବୁଆଡ଼େ ଲୋକମାନେ ଏହି ଭୂକମ୍ପ ଅନୁଭବ କରିଚନ୍ତି । ତଥାଗତଙ୍କର ଏହି ବାକ୍ୟରେ ସାରା ପୃଥିବୀ କମ୍ପିଉଠିଲା, ଦେବତାମାନଙ୍କର ସିଂହାସନ ଟଳମଳ ହେଲା । ବିଚାରା ଆନନ୍ଦ ସମୟ ଥାଉଁ ଥାଉଁ ବୁଦ୍ଧଙ୍କର ଏହି ଇଙ୍ଗିତକୁ ବୁଝିପାରିଥିଲେ ଏହା କଦାପି ହୋଇନଥାନ୍ତା । ଭୂକମ୍ପହେତୁ ଆନନ୍ଦଙ୍କର ଧ୍ୟାନ ଭାଙ୍ଗିଗଲା ଏବଂ ସେ ତଥାଗତଙ୍କର ସମୀପକୁ ଆସି ଯୁଗାବଧି ସଂସାରରେ ରହିବାପାଇଁ ତଥାଗତଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସେତେବେଳକୁ ତ ତଥାଗତ ମାରପାଖରେ ଜବାବ ଦେଇସାରିଥିଲେ । ଆପଣାର କଥାରେ ସେ ଅସତ୍ୟ ହୁଅନ୍ତେ କିପରି ?

 

ଗୃହିଣୀଙ୍କର ଧର୍ମପ୍ରତି ନିଷ୍ଠା ଥିଲା, ତଥାପି ଟିକିଏ ଅନ୍ଧବିଶ୍ୱାସ ମଧ୍ୟ ରହିଥିଲା । କିନ୍ତୁ ତଥାଗତଙ୍କର ଜୀବନକାଳ ଯେ ସମ୍ପୂର୍ଣ୍ଣ ହୋଇ ଆସିଲା, ଅତିଶୀଘ୍ର ସେ ଏହି ସଂସାରରୁ ବିଦାୟ ନେଇ ଯିବେ ବୋଲି ଯେ ଶିଷ୍ୟମାନଙ୍କୁ ସୂଚନା ଦେଇସାରିଲେଣି, ଗୃହିଣୀଙ୍କର କଥାରୁ ମୁଁ ଏହି କଥା ଜାଣି ପାରିଥିଲି ।

 

ଏହିକଥା ଶୁଣିବାପରେ ସେଠାରେ ରହି ଆରାମ ଓ ଯତ୍ନ ପାଇବାଲାଗି ମୋର ଆଦୌ ମନ ବଳିଲାନାହିଁ । ବୁଦ୍ଧ ଏହି ସଂସାରରୁ ବିଦାୟ ନେଇ ଯିବାପୂର୍ବରୁ ମୋତେ ତାଙ୍କ ପାଖରେ ଅବଶ୍ୟ ଯାଇ ପହଞ୍ଚିବାକୁ ହେବ । ଆମେ ତାଙ୍କର ପାଖେପାଖେ ରହିଚୁ, ସତ୍ୟର ଅଶେଷ ଉତ୍ସ ଆମର ପାଖେପାଖେ ରହିଚି, ଏତେଦିନଯାଏ ଏହି ନିର୍ଭର ଆମକୁ ସତତ ସାନ୍ତ୍ୱନା ଦେଇ ଆସିଥିଲା । କେବଳ ତାଙ୍କରି ପାଖରେ ବସି ହିଁ ମୋର ଭୟାର୍ତ୍ତ ଆତ୍ମାର ସମସ୍ତ ସଂଶୟର ସମାଧାନ ହୋଇପାରୁଥିଲା । କୌସାମ୍ୱି ନଗରର ଅନ୍ତଃପାତି ଶିଂଶପାବନର କୃଷ୍ଣମନ୍ଦିରରେ ତାଙ୍କର ଚରଣପ୍ରାନ୍ତରେ ବସି ମୁଁ ଯେଉଁ ଶାନ୍ତିର ଆସ୍ୱାଦନ ଲାଭ କରିଥିଲି, କେବଳ ତାଙ୍କଛଡ଼ା ସମସ୍ତ ପୃଥିବୀ ବୁଲିଆସିଲେ ମଧ୍ୟ ମୁଁ ଆଉ କାହାଠାରୁ ସେହି ଶାନ୍ତି ପାଇ ପାରିବିନାହିଁ ।

 

ଦେହରେ ଟିକିଏ ଶକ୍ତି ଫେରିପାଇବା ମାତ୍ରକେ ମୁଁ ପ୍ରାୟ ସପ୍ତାହକ ପରେ ସେଠାରୁ ବିଦାୟ ନେଲି । ଏହି ଭଗ୍ନ ଶରୀର ନେଇ ବାହାରୁଥିବାରୁ ମୋର ପାଳିକା ସେହି ଗୃହିଣୀ ମନେମନେ ଟିକିଏ ଅସ୍ୱସ୍ତି ଅନୁଭବ କରୁଥିଲେ । ମୁଁ ତଥାଗତଙ୍କୁ ତାଙ୍କ ପ୍ରଣାମ ମଧ୍ୟ ଯାଇ ଜଣାଇବି ବୋଲି ସାନ୍ତ୍ୱନା ଦେଇ ତାଙ୍କଠାରୁ ବିଦାୟ ଗ୍ରହଣ କରିଥିଲି ।

 

ସେଠାରୁ ଆମେ ଉତ୍ତରପଶ୍ଚିମ ଦିଗକୁ ଯାତ୍ରା କରିଥିଲୁ ଓ ପ୍ରତ୍ୟେକ ସ୍ଥାନରେ ବାଟ ପଚାରି ତଥାଗତଙ୍କର ପଥ ଅନୁସରଣ କରିଥିଲୁ ଛୋଟ ଜନପଥ ଅମ୍ବାଗ୍ରାମରେ ଆମେ ପହଞ୍ଚିଲା ବେଳକୁ ତଥାଗତ ମାତ୍ର ଆଠଦିନ ପୂର୍ବରୁ ସେହି ସ୍ଥାନରୁ ଅନ୍ୟତ୍ର ଯାତ୍ରା କରିଥିଲେ । ଆମେ ଆସି ଭୋଗନଗରର ଶାଳବନରେ ପହଞ୍ଚିଲା ବେଳକୁ ମାତ୍ର ତିନିଦିନ ପୂର୍ବରୁ ସେ ସେଠାରୁ ପାଓ୍ୱା ଅଭିମୁଖରେ ବାହାରି ଯାଇଥିଲେ ।

 

ବଡ଼ କ୍ଳାନ୍ତ ଓ ପରିଶ୍ରମ ହୋଇ ଶେଷକୁ ଦିନେ ଅପରାହ୍ନ ସମୟରେ ଆମେ ପାଓ୍ୱାରେ ପହଞ୍ଚିଲୁ ।

 

ଗ୍ରାମର ପ୍ରଥମ ଘରଟି ଜଣେ କଂସାରିର । କାନ୍ଥରେ ନାନାପ୍ରକାର ଧାତୁନିର୍ମିତ ବାସନ ଟଙ୍ଗା ହୋଇଥାଏ । କୁଆଡ଼ୁହେଲେ କୌଣସି କୋଳାହଳ ଶୁଣାଯାଉ ନଥାଏ । ମନେହେଉଥାଏ, ଯେପରି କାଲି ଏଠାରେ କୌଣସି ଏକ ଉତ୍ସବ ପାଳିତ ହେଉଥିଲା । କୂଅ ପାଖରେ ବସି ଭୃତ୍ୟମାନେ ଥାଳିବାସନ ମାଜିବାରେ ବ୍ୟସ୍ତ ଥା’ନ୍ତି ।

 

ଏହି ସମୟରେ ଉତ୍ସବର ପରିଧାନ ପରିହିତ ଜଣେ ବ୍ୟକ୍ତି ଆମଆଡ଼କୁ ଆସିଲା ଓ ଆମର ଭିକ୍ଷାପାତ୍ରରେ ଭିକ୍ଷା ଦେବାର ଅନୁମତି ପ୍ରାର୍ଥନା କଲା ।

 

ସେ କହିଲା–ଯଦି ଆପଣମାନେ ଆଉ କେତେ ଘଡ଼ି ଆଗରୁ ଆସି ପହଞ୍ଚିଥାନ୍ତେ, ତେବେ ମୁଁ ମୋର ଭୋଜ୍ୟସଭାରେ ଆଉ ଦୁଇଜଣ ମହାନ୍ ଅତିଥିଙ୍କୁ ପାଇବାର ସୌଭାଗ୍ୟ ଲାଭ କରିଥାନ୍ତି । କାରଣ ଆପଣମାନଙ୍କର ତଥାଗତ ଆଜି ଶିଷ୍ୟଗହଣରେ ଏଠାକୁ ଦିବାଭୋଜନ କରିବାକୁ ଆସିଥିଲେ ।

 

ତାହାହେଲେ ତଥାଗତ ବର୍ତ୍ତମାନ ଏହି ପାଓ୍ୱାରେ ଅଛନ୍ତି ।

 

କଂସାରି ଉତ୍ତର ଦେଇ କହିଲା–ନା ମହାଶୟ । ଭୋଜନ ସମାପନାନ୍ତେ ତଥାଗତ ହଠାତ୍ ପୀଡ଼ିତ ହୋଇ ଦାରୁଣ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ । ଏହି ଅବସ୍ଥାରେ ଆମେ ସମସ୍ତେ ବଡ଼ ଆତଙ୍କିତ ହୋଇପଡ଼ିଲୁ । କିନ୍ତୁ କିଛି ସମୟ ପରେ ତଥାଗତ ଏହି ଯନ୍ତ୍ରଣାରୁ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ପ୍ରାୟ ଘଡ଼ିକ ପୂର୍ବରୁ କୁଶୀନାରା ଅଭିମୁଖରେ ଯାତ୍ରା କଲେ ।

 

ପାଓ୍ୱାଠାରୁ କୁଶୀନାରାକୁ ଯିବାଲାଗି ବାଟବଣା ହୋଇଯିବାର କୌଣସି ଆଶଙ୍କା ନଥିଲା । ଆଗ ବିସ୍ତୃତ ଚାଷଜମି, ତା’ପରେ ଗୁଳ୍ମ ଓ ଘାସର ଜଙ୍ଗଲ, ତା’ପରେ ଅତି ଗହନ ଅରଣ୍ୟ-। ମଝିରେ ଗୋଟିଏ ନଦୀ ପାରହୋଇ ଯିବାକୁ ହେଲା । ସେଠାରେ ସ୍ନାନ କରିବାପରେ ମୋତେ ଟିକିଏ ଭଲ ଲାଗିଲା । କିଛି ସମୟ ବିଶ୍ରାମ କରିବାପରେ ଆମେ ପୁଣି ଆଗକୁ ଚାଲିଲୁ । ପ୍ରାୟ ସନ୍ଧ୍ୟା ହେବାକୁ ବସିଥାଏ, ମୁଁ ଯେକୌଣସି ପ୍ରକାରେ ଶରୀରଟାକୁ ଆଗକୁ ଟାଣିଟାଣି ନେଉଥାଏ ।

 

ଗୋଟିଏ ଛୋଟ ମୁଣ୍ଡିଆ ଦେଖି ସେହିଠାରେ ରାତ୍ରିଯାପନ କରିବାଲାଗି ମେଦିନୀ ପ୍ରସ୍ତାବ କଲା । ଆଉ ତରତର ହେବାର କଣ ଦରକାର ?

 

କୁଶୀନାରା ନିଶ୍ଚୟ ଗୋଟିଏ ଛୋଟିଆ ଗାଆଁ ହୋଇଥିବ । ସେହି ଗାଆଁଟି ନିଶ୍ଚୟ ଏହି ଜଙ୍ଗଲ ଭିତରେ ଥିବ । ଏଠାରେ ତଥାଗତ ଦେହ ଛାଡ଼ିବେ ବୋଲି ତୁ କିପରି ବିଶ୍ୱାସ କରୁଚୁ ? ମୁଁ ଭାବୁଚି, ସେ ଶ୍ରାବସ୍ତି ପାଖରେ ଥିବା ଜେତବନକୁ ଯିବେ ବା ରାଜଗୃହରେ ଥିବା ତାଙ୍କର ଉଦ୍ୟାନକୁ ଯିବେ । କିନ୍ତୁ ସେ କଦାପି ଏହି ଅମଡ଼ା ଭିତରକୁ ଆସିବେନାହିଁ । କୁଶୀନାରା ବୋଲି ଗୋଟାଏ ଗାଆଁ କେଉଁଠି ଅଛି ବୋଲି ଆଗରୁ କେହି କେବେ ଶୁଣିଚି ?

 

ହୁଏତ ବର୍ତ୍ତମାନଠାରୁ ଲୋକେ କୁଶୀନାରା ବିଷୟରେ ଶୁଣିବାକୁ ପାଇବେ–କହି ମୁଁ ପୁଣି ଆଗକୁ ଚାଲିଲି ।

 

କିନ୍ତୁ ଆଉ ମୋର ବଳ ପାଇଲାନାହିଁ ଏବଂ ଶେଷରେ ମୁଁ ମଧ୍ୟ ପାଖରେ ଥିବା ଗୋଟିଏ ନଣ୍ଡାମୁଣ୍ଡିଆ ଉପରକୁ ଉଠିବାକୁ ସମ୍ମତ ହୋଇଥିଲି । ଆଶା ହେଲା ଯେ ମୁଣ୍ଡିଆ ଉପରକୁ ଉଠିଗଲେ ଆମେ ଚତୁର୍ଦ୍ଦିଗର ପ୍ରବେଶ ଦେଖିବାକୁ ପାଇବୁ ଓ କୁଶୀନାରା କେଉଁଠି ଅଛି, ତାହା ନିର୍ଣ୍ଣୟ କରିପାରିବୁ । ନହେଲେ ସେହିଠାରେ ହିଁ ଆମକୁ ଆଜି ରାତିଟା ରହିଯିବାକୁ ହେବ । ଉପରେ ହିଂସ୍ରଜନ୍ତୁ ଓ ସର୍ପର ଭୟ ଅପେକ୍ଷାକୃତ କମ୍, ସେହି ସ୍ଥାନଟି ମଧ୍ୟ ତଳପରି ଏତେ ସନ୍ତସନ୍ତିଆ ନୁହେଁ ।

 

ମୁଣ୍ଡଆ ଉପରକୁ ଉଠି ଆମେ ଚାରିଆଡ଼କୁ ଅନାଇଲୁ, କିନ୍ତୁ କୌଣସି ସ୍ଥାନରେ କୌଣସି ଗାଆଁଗଣ୍ଡା ଥିବାର ଚିହ୍ନମଧ୍ୟ ଦେଖି ପାରିଲୁନାହିଁ । ଦିଗ୍‍ବଳୟ ପର୍ଯ୍ୟନ୍ତ କେବଳ ଏହି ଅରଣ୍ୟ ବ୍ୟାପି ରହିଥିଲା ଏବଂ କ୍ରମେ ଉପରକୁ ଉଠିଯାଇଥିଲା । ଦେଖି ମନେ ହେଉଥିଲା, ଯେପରି କିଏ ଗୋଟିଏ ଗାଲିଚାକୁ ତଳୁ ଉଠାଇବାକୁ ଯାଉଚି । କିନ୍ତୁ ଗୁଳ୍ମର ଜଙ୍ଗଲ ପରେ କ୍ରମେ ବଡ଼ବଡ଼ ଗଛର ଜଙ୍ଗଲ ଆରମ୍ଭ ହୋଇଥିଲା, ଗହନ ଅରଣ୍ୟର ଘନ ସବୁଜ ସମତଳ ଯାଇ ଏକ ପର୍ବତଶ୍ରେଣୀର କୃଷ୍ଣବର୍ଣ୍ଣ ଉପତ୍ୟକାରେ ମିଳିତ ହୋଇଯାଇଥିଲା ।

 

ସେଦିନ ଦିନମାନ ଭାରି ଗୁଳୁଗୁଳି କରିଥିଲା । କିନ୍ତୁ ମୁଣ୍ଡିଆ ଉପରକୁ ଆସି ଆମେ ଖୋଲା ପବନର ସ୍ପର୍ଶ ଅନୁଭବ କଲୁ । ଆମର ଆଖିଆଗରୁ ଗୋଟିକପରେ ଗୋଟିଏ ପର୍ଦ୍ଦା ଉଠିଗଲାପରି ଲାଗୁଥାଏ ।

 

ଅରଣ୍ୟର ସେପାଖରେ ଭୟଙ୍କର ଶୈଳଶ୍ରେଣୀ ଠିଆହୋଇ ରହିଥାନ୍ତି, ତା ସେପାଖକୁ ଆହୁରି ଉଚ୍ଚ ଶ୍ୟାମଳବର୍ଣ୍ଣ ପର୍ବତମାନ ଦୃଷ୍ଟିଗୋଚର ହେଉଥାଏ । ସେହି ପର୍ବତ ଉପରେ ଅବଶ୍ୟ ଗହନ ଅରଣ୍ୟମାନ ରହିଥିବ । କିନ୍ତୁ ଦୂରରୁ ଅନାଇଲେ ଏଗୁଡ଼ିକ ଅବିକଳ ଶିଉଳିରେ ତିଆରି ହୋଇଥିବା ତକିଆପରି ଦେଖାଯାଉଥାଏ । କ୍ରମେ ଅଧିକରୁ ଅଧିକ ଉଚ୍ଚକୁ ଉଠି ଏହି ପର୍ବତମାନ ଆକାଶ ଭିତରେ ଅଦୃଶ୍ୟ ହୋଇଯାଇଥାଏ ।

 

ତା’ ସେପାଖକୁ ଆଉ କିଛି ନାହିଁ- କେବଳ ଏକ ଅବିଚ୍ଛିନ୍ନ ବହୁ ଦୂର ପ୍ରସାରିତ ଆରକ୍ତ ମେଘ । ଏହି ମେଘଖଣ୍ଡ ଆଡ଼କୁ ଆମେ ଅନାଇ ରହିଚୁ, ହଠାତ୍ ତାହା ଅପୂର୍ବ ପ୍ରଭାରେ ଝଟକି ଉଠିଲା । ମୋର ବାପା ଯେପରି ଚୁମୁଟା ସାହାଯ୍ୟରେ ଅଗ୍ନିପାତ୍ର ଭିତରୁ ଖଣ୍ଡେ ଝଟକୁଥବା ସୁନାପାତିଆ ନେଇ ଉଜ୍ଜ୍ୱଳ ନୀଳରଙ୍ଗର ଏକ ରେଶମୀ ଗାଲିଚା ଉପରେ ଲଗାଇ ଦିଅନ୍ତି, ଠିକ୍ ସେହିପରି । ଉପରିଭାଗ ଯେତିକି ସ୍ୱର୍ଣ୍ଣାଭ ହେବାରେ ଲାଗିଥାଏ, ନିମ୍ନଭାଗ ଠିକ୍ ସେତିକି ଉଜ୍ଜ୍ୱଳ ଶ୍ୟାମଳ ବର୍ଣ୍ଣରେ ଝଟକି ଉଠୁଥାଏ ।

 

କିନ୍ତୁ ଇଏ ତ ମେଘ ନୁହେଁ ।

ମେଦିନୀ ଫୁସ୍‍ଫୁସ୍ କରି ମୋର କାନରେ କହିଲା–ଇଏ ହେଉଚି ହିମାବତ !

 

ହଁ–ଏହି ହେଉଚି ସେହି ପର୍ବତରାଜ, ଦେବତାତ୍ମା, ତାପସ–ଅଧ୍ୟୁଷିତ ଶାଶ୍ୱତ ହିମର ଆଳୟ ହିବାବତ ! ପିଲାଦିନରୁ ଏହି ନାମଟି ମୋର ଅତି ପରିଚିତ । କେତେଥର ଏହାର ନାମ ଶୁଣିବା ମାତ୍ରକେ ମୋର ହୃଦୟ ଶ୍ରଦ୍ଧା ଓ ବିନୟରେ ପରିପୂର୍ଣ୍ଣ ହୋଇ ଉଠିଚି । କେତେକେତେ ବ୍ୟକ୍ତି ସଂସାର ତ୍ୟାଗ କରି ଏହି ହିମାଳୟକୁ ସନ୍ନ୍ୟାସୀ ହୋଇ ଆସିଥିବାର କାହାଣୀ ମୁଁ ନଶୁଣିଚି ! ମୋକ୍ଷକାମୀ ସହସ୍ର ସହସ୍ର ବ୍ୟକ୍ତି ଏହି ଶୈଳାଶ୍ରୟର ଏକାନ୍ତରେ ବସି କଠୋର ସାଧନା ଓ ତପସ୍ୟାରେ ଜୀବନ ବ୍ୟତୀତ କରିଚନ୍ତି । ପ୍ରତ୍ୟେକେ ଆପଣାର କଳ୍ପନା ନେଇ ଏହି ହିମବତ ପାଖକୁ ଆସିଚନ୍ତି । କିନ୍ତୁ ଆଜି ସେ ଆମର ଚକ୍ଷୁସମକ୍ଷରେ ଦଣ୍ଡାୟମାନ । କିନ୍ତୁ ଏହା ତ କଳ୍ପନା ନୁହେଁ, ଏହା ଯେ ପ୍ରତ୍ୟକ୍ଷ ଦର୍ଶନ !

 

ଏହିପରି ଭାବନିମଗ୍ନ ଭାବରେ ଅନାଇ ରହିଥିବାବେଳେ ହଠାତ୍ ସେହି ଉଜ୍ଜ୍ୱଳ ଚିତ୍ରଚ୍ଛବିଟି ନିଭିନିଭି ଆସିଲା, ଯେପରି ଆକାଶର ଗର୍ଭଭିତରେ ବିଲୀନ ହୋଇ ଆସିଲା ।

 

କିନ୍ତୁ ଏହି ଦୃଶ୍ୟଟି ମୋତେ ଏପରି ଭାବରେ ଜାଗୃତ କରି ଦେଇଥିଲା ଯେ ମୋର ସମସ୍ତ ହୃଦୟ ହଠାତ୍ ବଡ଼ ଅଧୀର ହୋଇଉଠିଲା ।

 

ମୁଁ ମେଦିନୀକୁ କହିଲି : –

 

ତଥାଗତ ଆମର ଆଗେଆଗେ ଏହି ପର୍ବତ ଉପରେ ଆରୋହଣ କରିଚନ୍ତି ଏବଂ ସେଠାରୁ ସେ ନିର୍ବାଣରେ ପ୍ରବେଶ କରିବେ । କିନ୍ତୁ ମୁଁ ଯାଉଚି ତାଙ୍କ ପଛେ ପଛେ ଯିବି ଏବଂ ତାଙ୍କୁ ଲୋଉଟାଇ ଆଣିବି ।

 

ମୁଁ ପୁଣି ଆଗକୁ ପାଦ ପକାଇଲି । ପ୍ରାୟ ଅଧଘଡ଼ିଏ ବାଟ ଚାଲିବାପରେ ହଠାତ୍ ବନଭୂମି ଶେଷହୋଇ ଆସିଲା । ଆମର ସମ୍ମୁଖରେ ଚାଷଜମିମାନ ପ୍ରସାରିତ ହୋଇ ରହିଥାଏ । ସେତେବେଳକୁ ଅନ୍ଧାର ହୋଇ ସାରିଲାଣି, ଅରଣ୍ୟର ଉପରି ଭାଗରେ ବୃହଦାକାର ପୂର୍ଣ୍ଣଚନ୍ଦ୍ର ଦୃଷ୍ଟିଗୋଚର ହେଲାଣି । ଠିକ୍ ଏହି ସମୟରେ ଆମେ କୁଶୀନାରାରେ ପହଞ୍ଚିଲୁ । ଗ୍ରାମଟି ଆଦୌ ବଡ଼ ନୁହେଁ । ଅଧିକାଂଶ ଅଧିବାସୀ ହେଉଚନ୍ତି ମଲ୍ଲ । ମାଟି ଛଟାହୋଇଥିବା ବାଡ଼ତିଆଡ଼ି ଘରକାନ୍ଥମାନ ।

 

ଗାଆଁ ଭିତରେ ପହଞ୍ଚିବା ମାତ୍ରକେ ମୋର ମନେହେଲା ସତେ ଯେପରି ମହାମାରୀରେ ଗାଁ ପ୍ରାୟ ଜନଶୂନ୍ୟ ହୋଇଯାଇଚି । ଏଠିସେଠି ଦାଣ୍ଡକବାଟ ପାଖରେ ହୁଏତ ଜଣେଅଧେ ବୃଦ୍ଧ ବା ପୀଡ଼ିତ ବ୍ୟକ୍ତି ବସି ବିକଳ ରୋଦନ କରିବାରେ ଲାଗିଥାନ୍ତି ।

 

ପ୍ରକୃତ ଘଟଣା କଣ ଜାଣିବାକୁ ଆମେ ସେମାନଙ୍କୁ ଯାଇ ପଚାରିଲୁ ।

 

ହାତ କଚାଡ଼ି ସେମାନେ ଉତ୍ତର ଦେଲେ- ଏପର୍ଯ୍ୟନ୍ତ କଣ ତୁମକୁ ଜଣାନାହିଁ । ଆଉ ମାତ୍ର କେତେଦଣ୍ଡ ଗଲେ ତଥାଗତଙ୍କର ମୃତ୍ୟୁ ହେବ, ପୃଥିବୀର ଆଲୁଅ ନିଭିଯିବ । ଗ୍ରାମବାସୀ ମଲ୍ଲମାନେ ସେହି ପବିତ୍ର ମହାପୁରୁଷଙ୍କୁ ଦର୍ଶନ ଓ ପ୍ରଣାମ କରିଆସିବାକୁ ଶାଳବନକୁ ଯାଇଚନ୍ତି । ସୂର୍ଯ୍ୟ ଅସ୍ତ ହେବାର ଘଡ଼ିକ ପୂର୍ବରୁ ଆନନ୍ଦ ଗ୍ରାମ ଭିତରକୁ ଆସିଥିଲେ ଏବଂ ମଣ୍ଡପଘରେ ଏକତ୍ରିତ ହୋଇଥିବା ମଲ୍ଳମାନଙ୍କୁ କହିଲେ, ‘‘ଶୁଣ, ଗ୍ରାମବାସୀ ମଲ୍ଲମାନେ ! ଆଜି ଅଧରାତି ହେବା ପୂର୍ବରୁ ତଥାଗତ ନିର୍ବାଣପ୍ରାପ୍ତ ହେବେ । ତେଣୁ ପଛରେ ଯେପରି ଆପଣାକୁ ଧିକ୍କାର ଦେଇ ନକହ- ବୁଦ୍ଧ ଆମରି ଗାଆଁରେ ଆସି ଦେହ ଛାଡ଼ିଲେ, ଅଥଚ ସେହି ଶେଷ ସମୟରେ ମଧ୍ୟ ଆମେ ତାଙ୍କର ଦର୍ଶନଲାଭର ସୌଭାଗ୍ୟ ପାଇ ପାରିଲୁନାହିଁ । ତେଣୁ ଯାଅ, ବର୍ତ୍ତମାନ ତାଙ୍କର ଦର୍ଶନ କରିଆସ । ଏକଥା ଶୁଣି ସ୍ତ୍ରୀପିଲାଙ୍କୁ ସାଙ୍ଗରେ ଧରି ମଲ୍ଲମାନେ କାନ୍ଦିକାନ୍ଦି ଶାଳବନକୁ ଯାଇଚନ୍ତି । ଆମେ ଯେଉଁମାନେ ରହିଯାଇଚୁ, ଆମେ ଅତି ବୃଦ୍ଧ ବା ପୀଡ଼ିତ ଥିବାରୁ ଶେଷକାଳରେ ତଥାଗତଙ୍କର ଦର୍ଶନଲାଭ କରିବାରୁ ବଞ୍ଚିତ ରହିଚୁ ।

 

ତତ୍‍କ୍ଷଣାତ୍ ଆମେ ଶାଳବନ ଉଦ୍ଦେଶ୍ୟରେ ବାହାରି ପଡ଼ିଲୁ । ସେତେବେଳକୁ ମଲ୍ଲମାନେ ସେହି ରାସ୍ତାଦେଇ ଶାଳବନରୁ ଘରକୁ ଫେରି ଆସୁଥାନ୍ତି । ତେଣୁ ଆମେ ଆଉ ରାସ୍ତାରେ ନଯାଇ ସିଧା କିଆରି ଭିତରେ ବାଟ କାଟି ବନର ଗୋଟିଏ କୋଣରେ ଯାଇ ପହଞ୍ଚିଲୁ ।

 

ସେଠାରେ ଗୋଟିଏ ଗଛକୁ ଆଉଜି ଠିଆହୋଇ ଜଣେ ଭିକ୍ଷୁ କାନ୍ଦିବାରେ ଲାଗିଥିଲେ । ମୁଁ ଅତ୍ୟନ୍ତ ଶୋକାଭିଭୁତ ଭାବରେ ସେହିଠାରେ ଆସି ଠିଆହୋଇ ଯିବାରୁ ସେ ମୁହଁ ଟେକି ଆକାଶ ଆଡ଼କୁ ଅନାଇଲେ । ପୂଣ୍ଣିମାର ଜହ୍ନଆଲୁଅ ଆସି ତାଙ୍କର ବ୍ୟଥିତ ବିଷର୍ଣ୍ଣ ମୁଖମଣ୍ଡଳ ଉପରେ ପଡ଼ିଲା ଏବଂ ମୁଁ ଶିଷ୍ୟ ଆନନ୍ଦଙ୍କୁ ଭଲକରି ଚିହ୍ନି ପାରିଲି ।

 

ତେବେ ମୁଁ ହତଭାଗିନୀ ଅତି ବିଳମ୍ବରେ ଆସ ପହଞ୍ଚିଲି–ମନେମନେ ମୁଁ ଏହିକଥା ଚିନ୍ତା କରୁଥାଏ । ସତେ ଯେପରି ମୋର ସମସ୍ତ ଦେହଶକ୍ତି ତତକ୍ଷଣାତ୍ ଅନ୍ତର୍ହିତ ହୋଇଗଲା । ଠିକ୍ ଏହି ସମୟରେ ବଣ ଭିତରୁ ଖସ୍‍ଖସ୍‍ ଶବ୍ଦ ଶୁଣାଗଲା । ଜଣେ ବିଶାଳବପୁ ଭିକ୍ଷୁ ବୃକ୍ଷଗହନରୁ ବାହାରି ଆସି ଆନନ୍ଦଙ୍କର କାନ୍ଧଉପରେ ହାତ ରଖି କହିଲେ : –

 

ଭାଇ ଆନନ୍ଦ, ତଥାଗତ ତୁମକୁ ଡାକୁଚନ୍ତି ।

 

ତେବେ ମୋର ଭାଗ୍ୟ ଏକାବେଳେକେ ମନ୍ଦ ନୁହେଁ । ତେବେ ମୁଁ ତଥାଗତଙ୍କୁ ତାଙ୍କ ଜୀବନର ଅନ୍ତିମ ମୁହୂର୍ତ୍ତରେ ଦେଖିବାର ସୁଯୋଗ ପାଇଚି । ହଠାତ୍ ମୋର ବିଲୁପ୍ତ ଶକ୍ତି ଫେରିଆସିବା ପରି ଲାଗିଲା ଏବଂ ମୁଁ ସେମାନଙ୍କର ଅନୁଗମନ କଲି । ଏହି ସମୟରେ ଅଙ୍ଗୁଳିମାଳା ଆମକୁ ଦେଖି ଚିହ୍ନି ପାରିଥିଲେ । ତାଙ୍କର ସଂଶୟପୂର୍ଣ୍ଣ ଦୃଷ୍ଟିରୁ ତାଙ୍କର ମନୋଭାବ ଅନୁମାନ କରିପାରି ମୁଁ କହିଲି ।

 

ଭାଇ, ତୁମେ କୌଣସି ଭୟ କରନାହିଁ । ତଥାଗତଙ୍କର ଜୀବନର ଏହି ଶେଷ ମୁହୂର୍ତ୍ତରେ ଆମେ କଦାପି ସାଧାରଣ ନାରୀଙ୍କ ପରି ବଡ଼ପାଟିରେ ବାହୁନି କାନ୍ଦି କୌଣସି ବାଧା ସୃଷ୍ଟି କରିବୁନାହିଁ । ବୈଶାଳୀରୁ ବାହାରି ଏଠାରେ ଆସି ପହଞ୍ଚିବା ପର୍ଯ୍ୟନ୍ତ ବାଟରେ ଆମେ କେଉଁଠିହେଲେ ମୁହୂର୍ତ୍ତେ ବିଶ୍ରାମ ନକରି ତଥାଗତଙ୍କୁ ଦେଖିବୁ ବୋଲି ଧାଇଁଆସିଚୁ । ଆମକୁ ତୁମେ ମନା କରନାହିଁ, ଆମେ ଅବଶ୍ୟ ଧୈର୍ଯ୍ୟ ଧରି ରହିବୁ ।

 

ଇସାରା ଦେଇ ସେ ଆମକୁ ଅନୁମତି ଦେଲେ ।

ଆମକୁ ଖୁବ୍‍ବେଶୀ ବାଟ ଯିବାକୁ ପଡ଼ିଲା ନାହିଁ ।

 

ବନସ୍ଥଳୀର ଏକ ଉନ୍ମୁକ୍ତ ସ୍ଥାନରେ ପ୍ରାୟ ଦୁଇଶହ ଭିକ୍ଷୁ ଜମା ହୋଇଥାନ୍ତି । ସେମାନେ ଏକ ଅର୍ଦ୍ଧବୃତ୍ତ ଆକାରରେ ବସିଥାନ୍ତି । ମଝିରେ ଦୁଇଟି ଶାଳଗଛ, କେବଳ ଏହି ଦୁଇଟି ଗଛରେ ହିଁ ଶୁଭ୍ରବର୍ଣ୍ଣର ଶାଳଫୁଲ ଲଦିହୋଇ ରହିଥାଏ । ଦୁଇ ଗଛର ମଝିରେ ପୀତବର୍ଣ୍ଣର ଅଙ୍ଗବସ୍ତ୍ରକୁ ବିଛଣାପରି ପାରି ଦିଆଯାଇଥାଏ, ସେହି ବିଛଣା ଉପରେ ଡାହାଣ ବାହୁରେ ମୁଣ୍ଡଦେଇ ତଥାଗତ ବିଶ୍ରାମ ନେଉଥାନ୍ତି । ଥିରିଥିରି ହୋଇ ତାଙ୍କର ଦେହ ଉପରେ ଶାଳଫୁଲର ପାଖୁଡ଼ାମାନ ଝରି ପଡ଼ୁଥାଏ । ତାଙ୍କର ପଛକୁ ଦୂରକୁ ଅନାଇଲେ ହିମାବତର ଶାଶ୍ୱତ ତୁଷାରରେଖା ସ୍ପଷ୍ଟ ଦୃଷ୍ଟିଗୋଚର ହେଉଥାଏ । ରାତିରେ ଅଭେଦ୍ୟ ଅନ୍ଧାର ଭିତରେ ମଧ୍ୟ ତଥାପି ଝଟକି ଉଠୁଥାଏ । ମୁଁ ଭାବିଲି, ତଥାଗତଙ୍କର ଚରଣପ୍ରାନ୍ତରେ ବସିଥିବାରୁ ବୋଧହୁଏ ମୁଁ ଏହା ଦେଖିପାରୁଚି । ସେହିସବୁ ତୁଷାରଚୂଡ଼ାରୁ ଯେଉଁ ଅପାର୍ଥିବ ଜ୍ୟୋତି ଅଜାଡ଼ି ହୋଇ ପଡ଼ୁଥାଏ, ବର୍ତ୍ତମାନ ତଥାଗତଙ୍କର ମୁଖମଣ୍ଡଳରୁ ମଧ୍ୟ ମୁଁ ସେହି ଜ୍ୟୋତି ନିଃସୃତ ହେଉଥିବାର ଅନୁଭବ କଲି । ପର୍ବତ ଉପରେ ଜମାଟ ବାନ୍ଧି ରହିଥିବା ଠିକ୍ ଏକ ମେଘଖଣ୍ଡ ପରି ତଥାଗତଙ୍କୁ ଅନାଇଲେ ସେ ଆଉ ଏ ପୃଥିବୀର ବୋଲି ଆଦୌ ମନେ ହେଉନଥାନ୍ତି । ଏହି ପୃଥିବୀରୁ ଉତ୍ତୀର୍ଣ୍ଣ ହୋଇ ଯେପରି ସେ କେଉଁ ଆଧ୍ୟାତ୍ମିକ ଉତ୍ତୁଙ୍ଗତାରେ ଯାଇ ଉପନୀତ ହୋଇଥାନ୍ତି, ମନୁଷ୍ୟ ତଥା ଦେବତାମାନଙ୍କର ଦୃଷ୍ଟି ଏଡ଼ାଇ କେଉଁ ଦୂରକୁ ଚାଲିଯାଇଥାନ୍ତି ।

 

ଆନନ୍ଦ ସେହିଠାରେ ତଥାଗତଙ୍କ ମମ୍ମୁଖରେ ଠିଆ ହୋଇଥାନ୍ତି । ତାଙ୍କୁ ଉଦ୍ଦେଶ୍ୟ କରି ତଥାଗତ କହୁଥାନ୍ତି : –

 

ଆନନ୍ଦ, ମୁଁ ବେଶ୍ ଜାଣିପାରୁଚି ତୁମେ ବର୍ତ୍ତମାନ କେଉଁଠାରେ ଏକୁଟିଆ ବସି ଆକୁଳ ହୋଇ କାନ୍ଦୁଥିଲ । ଭାବୁଥିଲ–‘‘ଏପର୍ଯ୍ୟନ୍ତ ମୁଁ ନାନା ପାପରେ ବିଦ୍ଧ ହୋଇ ରହିଚି, ଏପର୍ଯ୍ୟନ୍ତ ମୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିନାହିଁ ଏବଂ ଏପର୍ଯ୍ୟନ୍ତ ମୋର ଯେଉଁ ଗୁରୁ ମୋତେ ଆଶ୍ରୟ ଦେଇ ରଖିଥିଲେ, ବର୍ତ୍ତମାନ ସେ ନିର୍ବାଣରେ ପ୍ରବେଶ କରିବାକୁ ଯାଉଚନ୍ତି ।’’ କିନ୍ତୁ ଆନନ୍ଦ, ଏପରି ଆକୁଳ ହେବା ଆଦୌ ଉଚିତ ନୁହେଁ । ଆପଣାର ଭାଗ୍ୟକୁ ଦୋଷ ଦିଅନାହିଁ, ମନଭିତରେ କୌଣସି ପ୍ରକାର ଦୁଃଖକୁ ସ୍ଥାନ ଦିଅନାହିଁ । ମୁଁ କଣ ଏକଥା ବହୁବାର ତୁମକୁ କହିନାହିଁ- ମନୁଷ୍ୟର ଜୀବନରେ ଆଜି ଯେତେ ପ୍ରିୟ ପଦାର୍ଥ ଅଛି, ଦିନେ-ନା-ଦିନେ ସେସବୁଥିରୁ ତାହାକୁ ଅଲଗା ହେବାକୁ ପଡ଼ିବ । ଯାହାର ଜନ୍ମ ହୋଇଚି, ତାହାର ମୃତ୍ୟୁ ନହେବା କିପରି ସମ୍ଭବ କହିଲ ? କିନ୍ତୁ ତୁମେ ଅନେକଦିନ ତଥାଗତଙ୍କୁ ଭକ୍ତି କରି ଆସିଚ, ପ୍ରେମ ଓ ଆନନ୍ଦର ସହିତ ତାଙ୍କର ସେବା କରି ଆସିଚ କେବେହେଲେ ତାଙ୍କ ପ୍ରତି ଅସତ୍ୟ ଆଚରଣ କରିନାହିଁ । ଯାହା ଭଲ, ଯାହା କର୍ତ୍ତବ୍ୟ, ତୁମେ କେବଳ ତାହାହିଁ କରିଚ । ଆହୁରି ଅଧିକ ସାଧନା କର, ତୁମେ ମଧ୍ୟ ଶେଷରେ ସମସ୍ତ ତୃଷ୍ଣାରୁ ମୁକ୍ତହେବ, ତୁମେ ମଧ୍ୟ ସକଳପ୍ରକାର ଆତ୍ମପୀଡ଼ା ଏବଂ ଭ୍ରମରୁ ମୁକ୍ତ ହୋଇଯିବ ।

 

ଏକଥା ଶୁଣି ଆନନ୍ଦ ଆତ୍ମସମ୍ବରଣ କଲେ ଓ ପ୍ରାଣପଣେ ଆପଣାର କଣ୍ଠସ୍ୱରକୁ ଆୟତ୍ତରେ ରଖିବାକୁ ଚେଷ୍ଟା କରି ଶିଷ୍ୟମାନେ ତଥାଗତଙ୍କର ଦେହର କିଭଳି ସଂସ୍କାର କରାଇବେ, ସେହିକଥା ତଥାଗତଙ୍କୁ ପଚାରିଲେ ।

 

ବୁଦ୍ଧ ଉତ୍ତର ଦେଲେ–ସେ ବିଷୟରେ ତୁମେମାନେ କୌଣସି ଭାବନା କରନାହିଁ । ତଥାଗତଙ୍କର ଗୃହସ୍ଥମାନଙ୍କ ଭିତରେ ଅନେକ ନିଷ୍ଠାପର ଭକ୍ତ ରହିଚନ୍ତି, ଅନେକ ବ୍ରାହ୍ମଣ ଓ ଶ୍ରେଷ୍ଠୀ ରହିଚନ୍ତି । ସେମାନେ ଅବଶ୍ୟ ତଥାଗତଙ୍କର ମୃତ୍ୟୁ ଅନ୍ତେ ତାଙ୍କର ଶରୀରର ଉପଯୁକ୍ତ ସଂସ୍କାର କରାଇବାର ଉଚିତ ବ୍ୟବସ୍ଥା କରିବେ । ତୁମମାନଙ୍କ ଚିନ୍ତା କରିବାଲାଗି ଅଧିକ ମହତ୍ତ୍ୱପୂର୍ଣ୍ଣ ବିଷୟମାନ ରହିଚି-। ଯାହାର କ୍ଷୟ ହୋଇଯିବ, ସେହି ଶରୀରଟା ବିଷୟରେ ଏତେ ଚିନ୍ତା କରନାହିଁ-। ଯାହା ଅକ୍ଷୟ, ତାହାରି ଚିନ୍ତା ହିଁ କର । ଆଗକୁ ଅଗ୍ରସର ହୁଅ, ପଛକୁ ଅନାଇ ରହିଯାଅନାହିଁ ।

 

ଚାରିଆଡ଼କୁ ଦୃଷ୍ଟି ଫେରାଇ ସେ ଉପସ୍ଥିତ ଭିକ୍ଷୁମାନଙ୍କୁ ଲକ୍ଷ୍ୟ କରି କହିଲେ : –

 

ଶିଷ୍ୟମାନେ, ବର୍ତ୍ତମାନ ତୁମେମାନେ ହୁଏତ ଭାବୁଥିବ, ‘‘ସଘଂର ଗୁରୁ ଆଜି ଚାଲିଯାଉଚନ୍ତି, ଆମର ଗୁରୁ ହୋଇ ଆଉ କେହି ରହିବେ ନାହିଁ ।’’ କିନ୍ତୁ ଏପରି ଭାବିବା ଆଦୌ ଉଚିତ ନୁହେଁ । ମୁଁ ତୁମମାନଙ୍କୁ ଯେଉଁ ସବୁ ଧର୍ମସନ୍ଦେଶ ଦେଇଚି ମୋ ଅନ୍ତେ ତାହାହିଁ ବର୍ତ୍ତମାନ ତୁମମାନଙ୍କର ଗୁରୁ ହେବ, ତୁମମାନଙ୍କର ପଥପ୍ରଦର୍ଶକ ହେବ । କୌଣସି ବାହ୍ୟ ଆଶ୍ରୟ ଉପରେ ତୁମେମାନେ ଅବଲମ୍ବନ କରି ରହନାହିଁ । ଆତ୍ମଦୀପୋଭବ, ଆପେ ଆପଣାର ଦୀପ ହୁଅ, ଆପେ ଆପଣାର ଅବଲମ୍ବନ ହୁଅ ।

 

ହଠାତ୍ ତାଙ୍କର ଆଖିଆସି ମୋ’ଉପରେ ପଡ଼ିଗଲା । କି ସହାନୁଭୂତିଭରା ଆଖି ସେ, ସତେଅବା ସେହି ଦୃଷ୍ଟିଦ୍ୱାରା ସେ ମୋର ଶୀତଳ ପ୍ରାଣକୁ ପୁଣି ଉଷ୍ମ ଓ ପ୍ରାଣବନ୍ତ କରାଇବାକୁ ଚାହୁଁଥିଲେ । ମୁଁ ଭାବୁଥାଏ, ମୋର ଏହି ଦୀର୍ଘ ପରିବ୍ରଜ ଆଦୌ ନିଷ୍ଫଳ ହୋଇନାହିଁ । କିଛିକ୍ଷଣ ନୀରବ ରହି ସେ ପୁଣି କହିଲେ : –

 

ଶିଷ୍ୟମାନେ, ତୁମମାନଙ୍କ ଭିତରୁ କାହାର ମନରେ ହୁଏତ ତଥାଗତ ବା ତାଙ୍କର ଧର୍ମୋପଦେଶ ସମ୍ବନ୍ଧରେ କୌଣସି ସଂଶୟ ରହିଯାଇଥାଇପାରେ ତେବେ ନିର୍ଭୟ ହୋଇ ବର୍ତ୍ତମାନ ତାହା ଜିଜ୍ଞାସା କର । କାରଣ ପଛରେ ଯେପରି ଆପଣାକୁ ଦୋଷ ଦେଇ କୌଣସି ଧିକ୍କାର କରିବାକୁ ନପଡ଼େ–ତଥାଗତ ଆମର ଏତେ ନିକଟରେ ଥିଲେ, ଆମର ମୁହାଁମୁହିଁ ହୋଇ ବସିଥିଲେ ତଥାପି ଆମେ ତାଙ୍କୁ ଏହି ପ୍ରଶ୍ନଟି ପଚାରି ପାରିଲୁନାହିଁ ।

 

ସେ ଏହି ପ୍ରଶ୍ନଟି ପଚାରିବା ପରେ ସମସ୍ତେ ନୀରବ ହୋଇ ରହିଲେ ।

 

ମୁମୂର୍ଷ ତଥାଗତଙ୍କ ବିଷୟରେ କାହାରି ମନରେ ଆଉ କୌଣସି ସଂଶୟ ରହିବା କିପରି ସମ୍ଭବ ହୁଅନ୍ତା । ସେ ସେହିଠାରେ ଶଯ୍ୟାଶାୟୀ ହୋଇ ରହିଥାନ୍ତି, ତାଙ୍କର ଦେହଉପରେ ଚନ୍ଦ୍ରକିରଣ ବିଞ୍ଚିହୋଇ ପଡ଼ୁଥାଏ । ମନେ ହେଉଥାଏ ସତେଅବା ସ୍ୱର୍ଗରୁ ଅପ୍‍ସରାମାନେ ଆସି ତାଙ୍କୁ ଶେଷସ୍ନାନ କରାଇ ଦେଉଚନ୍ତି । ଶାଳଗଛରୁ ଶାଳଫୁଲମାନ ଝରି ପଡ଼ୁଥାଏ–ସତେଅବା ଦୁଃଖରେ ପୃଥିବୀର ଆଖିରୁ ଅଶ୍ରୁବିନ୍ଦୁ ଖସି ପଡ଼ୁଥାଏ । ମଝିରେ ଭିକ୍ଷୁସଘଂ ନୀରବ, ନିଷ୍ପନ୍ଦ ଓ ପ୍ରସନ୍ନ ମୁଦ୍ରାରେ ବସିରହିଥାନ୍ତି । ସମସ୍ତେ ଭାବୁଥାନ୍ତି, ତଥାଗତ ଆଜି ସବୁଦିନ ପାଇଁ ସମସ୍ତ ପ୍ରକାର ଅପୂର୍ଣ୍ଣତାକୁ ବିସର୍ଜନ କରିଦେଇ ଯାଉଚନ୍ତି, ସମସ୍ତ ପ୍ରକାର ପାପଉପରେ ବିଜୟୀ ହୋଇ ଯାଉଚନ୍ତି । ସଂସାରରୁ ବିଦାୟନେଇ ଯାଉଥିବା ବୁଦ୍ଧଙ୍କର ମୁଖମଣ୍ଡଳ ଉପରେ ଆମେ ନିର୍ବାଣ ଅବସ୍ଥାର ସାକ୍ଷାତ ଦର୍ଶନ ଲାଭ କରୁଥାଉ ।

 

ଆନନ୍ଦ ହାତଯୋଡ଼ି ଗଭୀର ଭାବବିଷ୍ଟ ହୋଇ କହିଲେ : –

 

ଭଗବାନ, ଏହି ଦୃଶ୍ୟ କି ଅଦ୍ଭୁତ, ଏହି ଅନୁଭୂତି ପ୍ରକୃତରେ କି ଅପୂର୍ବ । ମୁଁ ନିଶ୍ଚୟ କରି କହୁଚି ଯେ ଏଠାରେ ଉପସ୍ଥିତ ରହିଥିବା ଭିକ୍ଷୁମଣ୍ଡଳୀ ଭିତରେ ଆଉ କାହାରି ହୃଦୟରେ କୌଣସି ସଂଶୟ ନାହିଁ ।

 

ତଥାଗତ ତାଙ୍କୁ ଉତ୍ତର ଦେଇ କହିଲେ : –

 

ଆନନ୍ଦ, ଧର୍ମପ୍ରତି ତୁମର ସମ୍ପୂର୍ଣ୍ଣ ଆସ୍ଥା ରହିଚି ବୋଲି ହୁଏତ ତୁମେ ଭାବପ୍ରବଣ ହୋଇ ଏପରି କହୁଚ । କିନ୍ତୁ ତଥାପି ମୁଁ ଭଲକରି ଜାଣେ ଯେ କାହାରି ହୃଦୟ ଭିତରେ ଆଉ କୌଣସି ସଂଶୟ ନାହିଁ । ଏପରିକି ଯିଏ ସମସ୍ତଙ୍କର ପଛରେ ଥିଲା, ସେ ମଧ୍ୟ ଆଜି ଜ୍ଞାନଲାଭ କରିପାରିଚି ଏବଂ ସେ ମଧ୍ୟ ଶେଷରେ ଯାଇ ଲକ୍ଷ୍ୟ ସ୍ଥଳରେ ଉପନୀତ ହେବ ।

 

ଏହିପରି ଅଭୟବାଣୀ ଶୁଣାଇବା ପରେ ସେ ଆପଣା ହାତରେ ତାଙ୍କର ସମ୍ମୁଖରେ ଥିବା ଶାଶ୍ୱତ ଜୀବନର ଦ୍ୱାର ଖୋଲି ଦେଲେ । ଆମ ପ୍ରତ୍ୟେକଙ୍କ ହୃଦୟରେ ଆମେ ମଧ୍ୟ ଠିକ୍ ଏହିପରି ଅନୁଭବ କରୁଥାଉ ।

 

ପୁଣି ଆଉଥରକ ପାଇଁ ସେହି ଅଧର ଖୋଲିଲା; ଯେଉଁ ଅଧରରୁ ପୃଥିବୀ ସକାଶେ ସବୁଠାରୁ ଉଚ୍ଚ, ମହାନ୍ ଓ ସର୍ବଶେଷ ସତ୍ୟ ପ୍ରଚାରିତ ହୋଇଥିଲା, ସେହି ଅଧର ଶେଷଥର ପାଇଁ ପୁଣି ଖୋଲିଗଲା ।

 

ମନେରଖ ଶିଷ୍ୟମାନେ ! ପ୍ରତ୍ୟେକ ଶରୀରକୁ ଏହିପରି ଦିନେ-ନା-ଦିନେ ବିଦାୟ ନେଇ ଯିବାକୁ ହେବ । ଏହି ଶରୀର କ୍ଷଣକ ଲାଗି, ଏହା କ୍ଷଣସ୍ଥାୟୀ । ତେଣୁ ଅବିରତ ସଂଗ୍ରାମ କର, ଅବିରତ ଅଗ୍ରସର ହୁଅ । କ୍ଳାନ୍ତ ହୋଇ ଅଟକି ଯାଅନାହିଁ ।

 

ଏହାହିଁ ତଥାଗତଙ୍କର ଶେଷ ସନ୍ଦେଶ ଥିଲା ।

Image

 

୪୪

ବଶିଷ୍ଠୀ ଯେଉଁ ସମ୍ପଦ ଦେଇଗଲା

 

ପୃଥିବୀରେ ଥିବାତକ ମୁଁ ଏହାପରେ ଥାଉ କିଛି ଶୁଣିନାହିଁ ।

ମୋର ଜୀବନଶକ୍ତି ବର୍ତ୍ତମାନ ନିଃଶେଷିତ ହୋଇଯାଇଥିଲା । ପ୍ରବଳ ଜ୍ୱରରୋଗ କ୍ରମେ ମୋର ସମସ୍ତ ଇନ୍ଦ୍ରିୟାନୁଭୂତିକୁ ବିବଶ କରି ପକାଇଲା । ମୋର ସ୍ୱପ୍ନରେ ମୁଁ ଅଦ୍‍ଭୁତ ଦୃଶ୍ୟମାନ ଦେଖିବାକୁ ଲାଗିଲି । ମେଦିନୀର ମୁହଁ ସର୍ବଦା ମୋର ପାଖେ ପାଖେ ରହିଥିଲା । ତା’ପରେ ସବୁ ଅନ୍ଧାର ହୋଇଗଲା ।

ତା’ପରେ ହଠାତ୍ ମନେହେଲା ଯେପରି କେଉଠିଁ ଅତି ଶୀତଳ ଜଳରେ ସ୍ନାନକରି ମୋର ଜ୍ୱରଜନିତ ଉତ୍ତାପ ଅନ୍ତର୍ହିତ ହୋଇଯାଉଚି ପୁଣି ଅନୁଭବ କଲି, ଯେପରି ମୁଁ ବାଟୋଇ ହୋଇ ବାଟରେ ଯାଉଥିବା ସମୟରେ କୌଣସି ଏକ ସରୋବର ତଟରେ ଖରାରେ ଠିଆହୋଇ ରହିଚି । ଏପର୍ଯ୍ୟନ୍ତ ଯେଉଁ କମଳ ଲତାଟି ତଥାପି ପାଣିଭିତରେ ଗୁପ୍ତ ହୋଇ ରହିଚି, ସେ କିପରି ଆପଣାର ସମସ୍ତ ତନ୍ତୁ ଦେଇ ଶୀତଳ ଜଳପାନ କରିବାରେ ଲାଗିଥିବ, ମୁଁ ସେହିକଥା ହିଁ କଳ୍ପନା କରୁଚି । ହଠାତ୍ ଯେପରି ସରୋବରର ଉପରିଭାଗ ଉଦ୍‍ଭାସିତ ହୋଇଉଠିଲା । ହଠାତ୍ ଜଳର ସମତଳ ଉପରେ ଏକ ରକ୍ତବର୍ଣ୍ଣ କମଳପୁଷ୍ପ ସନ୍ତରଣ କରିବାକୁ ଲାଗିଲା ଏବଂ ଏହାରି ପ୍ରାନ୍ତରେ ତୁମର ମୁଖଛବି ଝଟକି ଉଠିଲା । ତା’ପରେ ମୁଁ ଯନ୍ତ୍ରଚାଳିତ ହେଲାପରି ଆହୁରି ଉପରକୁ ଉଠିବାକୁ ଆରମ୍ଭ କଲି ଏବଂ ସ୍ୱର୍ଗଲୋକର ପଶ୍ଚିମ ଭାଗରେ ତୁମ ସହିତ ଜାଗୃତ ହୋଇଉଠିଲି ।

କାମନୀତ ଅଧୀର ହୋଇ ଉତ୍ତର ଦେଲା- ତୁ ପ୍ରକୃତରେ ଧନ୍ୟ ବଶିଷ୍ଠୀ । ତୁ ଆପଣାର ପ୍ରେମକୁ ସଞ୍ଚୟ କରି ରଖି ଶେଷକୁ ସେହି ମାର୍ଗର ଅନୁସରଣ କଲୁ, କିନ୍ତୁ ହଠାତ୍ ଏକାବେଳେକେ ଆହୁରି ଉପରକୁ ଉଠିଯିବାକୁ ମନ ବଳାଇଲୁନାହିଁ । ତୁ ମୋତେ ନେଇ ଆପଣା ସହିତ ବାନ୍ଧି ରଖିନଥିଲେ ମୁଁ ବର୍ତ୍ତମାନ କେଉଁଠାରେ ଥଆନ୍ତି, କହିଲୁ । କିନ୍ତୁ ବର୍ତ୍ତମାନ ଆମେ କିପରି ଯେ ଏହି ବିଲୟର ମୁଖରୁ ନିସ୍ତାର ପାଇପାରିବା, ସେଥିପାଇଁ ମୋତେ କୌଣସି ବୁଦ୍ଧି ଦେଖାଯାଉନାହିଁ । କିନ୍ତୁ ତୁ ଏପର୍ଯ୍ୟନ୍ତ ମୋତେ ଭରସା ଦେଇ ରଖିଚୁ, ମୋର ହୃଦୟରେ ବିଶ୍ୱାସ ଭରାଇ ରଖିଚୁ । ପ୍ରବଳ ଝଡ଼ତୋଫାନର ମୁଖରେ ସୂର୍ଯ୍ୟର ରଶ୍ମିରେଖା ତଥାପି ଅଚଳ ଓ ଅଟଳ ରହିଲାପରି ତୁ ଏପର୍ଯ୍ୟନ୍ତ ମଧ୍ୟ ଅଟଳ ରହିଚୁ ।

ପ୍ରିୟତମ, ଯିଏ ସବୁଠାରୁ ମହାନ୍‍ର ଦର୍ଶନ ଲାଭ କରିଚି, ସେ କଦାପି ଏହି ସାମାନ୍ୟ କଥାରେ ବିଚଳିତ ହୋଇପଡ଼ିବନାହିଁ । ସହସ୍ର ପରେ ସହସ୍ର ସଂଖ୍ୟାରେ ଏହିପରି କେତେକେତେ ବ୍ରହ୍ମାଣ୍ଡର ବିଲୟ ହୋଇଯିବ, କିନ୍ତୁ ଜଣେ ପରିପୂର୍ଣ୍ଣ ବୁଦ୍ଧ ନିର୍ବାଣଲାଭ କରିବାର ଘଟଣା ତୁଳନାରେ ଏସବୁ ଘଟଣାର ମହତ୍ତ୍ୱ ଅତି ସାମାନ୍ୟ । ବର୍ତ୍ତମାନ ଆମର ଚତୁର୍ଦ୍ଦିଗରେ ଆମେ କେବଳ ପରିବର୍ତ୍ତନ ହିଁ ଦେଖିବାକୁ ପାଉଛୁ । ଏହି ସମସ୍ତ ଜୀବନ ବର୍ତ୍ତମାନ ପୁଣି ସଂସାରକୁ ଫେରିଯିବେ, ପୁଣି ଦେହଗ୍ରହଣ କରିବେ । ସେହି ସହସ୍ରାର ବ୍ରହ୍ମା, ଯିଏ ଆସନ୍ନ ବିଲୟକୁ ରୋଧିବାଲାଗି ଅସମର୍ଥ ହୋଇ ରାଗରେ ଥରହର ହେଉଚନ୍ତି ଏବଂ ବିଦ୍ୱେଷପୂର୍ଣ୍ଣ ଦୃଷ୍ଟିରେ ଆମଆଡ଼େ ଅନାଉଚନ୍ତି, ସେ ମଧ୍ୟ ବର୍ତ୍ତମାନ କୌଣସି ନ୍ୟୂନତର ଯୋନିରେ ଜନ୍ମଲାଭ କରିବେ । ହୁଏତ ଆଉଜଣେ ସାଧକ-ପ୍ରବର ମନୁଷ୍ୟାତ୍ମା ବର୍ତ୍ତମାନ ଏଠାକୁ ଆସି ବ୍ରହ୍ମାଙ୍କର ଆସନ ଗ୍ରହଣ କରିବେ । କିନ୍ତୁ ଯାହାର ହୃଦୟରେ ଯେଉଁଭଳି ଆକାଂକ୍ଷା ଥିବ ଏବଂ ଯାହାର ଆତ୍ମଶକ୍ତି ଯାହାକୁ ଯେଉଁଆଡ଼କୁ ନେଇଯିବ, ସେ ସେହିପରି ଏକ ଯୋନିରେ ହିଁ ଜନ୍ମଲାଭ କରିବ । କିଏ ଉପରକୁ ଉଠିଆସିବ, ପୁଣି କିଏ ତଳକୁ ଖସିଯିବ, ସଂସାର ଠିକ୍ ଯେଉଁପରି ଥିଲା, ଠିକ୍ ସେହିପରି ହୋଇ ରହିବ । ସେଥିଲାଗି ମୁଁ ଏହି ଘଟଣାଟିକୁ ଏକ ମହତ୍ତ୍ୱହୀନ ଘଟଣା ବୋଲି କହୁଚି । ସୃଷ୍ଟିର ଏହି ବିଲୟ ଦେଖିବାରେ ଭୟଭୀତ ହେବାର ମଧ୍ୟ କୌଣସି କାରଣ ନାହିଁ । ବରଂ ଏଥିରେ ଆନନ୍ଦ ପ୍ରକାଶ କରିବାର କଥା । କାରଣ ବ୍ରହ୍ମାଙ୍କର ଏହି ସୃଷ୍ଟି ଯଦି ଶାଶ୍ୱତ ହୋଇଥାନ୍ତା, ତେବେ ଏହାଠାରୁ ଉଚ୍ଚତର ଆଉ କେଉଁଠି ହେଲେ କିଛି ନଥାନ୍ତା ।

ତେବେ ବ୍ରହ୍ମାଙ୍କର ସୃଷ୍ଟିଠାରୁ ଆଉ କେଉଁଠି କିଛି ଉଚ୍ଚତର ଅଛି ବୋଲି ତୁ ଜାଣିଚୁ ?

ତୁମେ ତ ନିଜେ ଦେଖିପାରୁଚ ଯେ ବ୍ରହ୍ମାଙ୍କର ଏହି ସୃଷ୍ଟି ଆଦୌ ଶାଶ୍ୱତ ନୁହେଁ । କାରଣ ଏହାର ମଧ୍ୟ ବିଲୟ ରହିଚି । କିନ୍ତୁ ତଥାପି ଏହାଉପରେ ଏକ ଶାଶ୍ୱତ ଓ ଚିରନ୍ତନ ସମ୍ପଦ ଅବଶ୍ୟ ରହିଚି । ତଥାଗତଙ୍କର କହିବା ଅନୁସାରେ ଏପରି ଏକ ସ୍ଥାନ ଅଛି, ଯେଉଁଠି ସ୍ଥଳ ନାହିଁ କି ଜଳ ନାହିଁ, ଆଲୁଅ ନାହିଁ କି ପବନ ନାହିଁ, ଶୂନ୍ୟର ଅସୀମତା ନାହିଁ ବା କାଳର ଅନନ୍ତତା ନାହିଁ; ସେଠାରେ କୌଣସି କଳ୍ପନା ନାହିଁ କି କୌଣସି ବିକଳ୍ପତା ନାହିଁ । ସେଠାରେ ସମସ୍ତ ଦୁଃଖର ଅନ୍ତ ହୋଇଚି, ତାହା ହେଉଚି ଶାଶ୍ୱତ ବିଶ୍ରାମ ଓ ଶାଶ୍ୱତ ଶାନ୍ତିର ସ୍ଥାନ, ତାହାହିଁ ହେଉଚି ଅଦୃଶ୍ୟ ନିର୍ବାଣର ସ୍ଥାନ ।

ପୁଣ୍ୟତମା, ତୁ ମୋର ସହାୟ ହୁଅ, ଯେପରି ଆମେ ଦୁହେଁ ଏହି ଅସ୍ତିତ୍ୱ ନେଇ ସେହି ଶାନ୍ତିର ରାଜ୍ୟରେ ପ୍ରବେଶ କରିପାରିବା ।

‘‘ଅସ୍ତିତ୍ୱ’’ । ଭଗବାନ୍‍ ବୁଦ୍ଧ କହିଚନ୍ତି ଯେ ସେହି ରାଜ୍ୟରେ ଅସ୍ତିତ୍ୱର କୌଣସି ଅର୍ଥ ହିଁ ନାହିଁ । ଅନସ୍ତିତ୍ୱର ମଧ୍ୟ କୌଣସି ଅର୍ଥ ନାହିଁ । ଇନ୍ଦ୍ରିୟର ସାହାଯ୍ୟରେ ଯାହା ଜାଣିବା ଓ ଅନୁଭବ କରିବା ସମ୍ଭବ, ସେଠାରେ ସେହିସବୁର କୌଣସି ଅର୍ଥନାହିଁ ।

କିନ୍ତୁ ଯେଉଁଠାରେ କିଛି ଧରି ରଖି ହେବନାହିଁ କି କିଛି ଅନୁଭବ କରି ହେବନାହିଁ, ସେ ସ୍ଥାନ ମୋର କିଭଳି କି ଉପକାର କରିବ ?

ବରଂ ଏପରି ପଚାରିବା ଉଚିତ, ଯାହାକୁ ଧରିହେବ, ତାହାଆଡ଼କୁ ହାତ ବଢ଼ାଇବାରେ କଣ ପ୍ରକୃତରେ କୌଣସି ଉପକାର ହେବ ?

ହାୟ, ବଶିଷ୍ଠୀ ! ସଂସାରର ଏହି ଜନ୍ମରେ ମୁଁ ନିଶ୍ଚୟ ବ୍ରହ୍ମହତ୍ୟା ବା ସେହିପରି କୌଣସି ଗୁରୁତର ପାପ ବା ଅପରାଧ କରିଚି । ବୋଧହୁଏ ସେହି ପାପଫଳରେ ମୋତେ ରାଜଗୃହର ନଗରମାର୍ଗରେ ଏପରି ଆକସ୍ମିକ ଭାବରେ ମୃତ୍ୟୁମୁଖରେ ପଡ଼ିବାକୁ ହେଲା । ସେଠାରେ ଏପରି ଶୋଚନୀୟ ଭାବରେ ମୋର ଜୀବନ ସାଙ୍ଗ ହୋଇଯାଇନଥିଲେ ମୁଁ ମଧ୍ୟ ତଥାଗତଙ୍କର ପାଦପାର୍ଶ୍ୱରେ ଯାଇ ବସିବାର ସୌଭାଗ୍ୟ ଲାଭ କରିଥାନ୍ତି, ମୁଁ ମଧ୍ୟ ଠିକ୍‍ ତୋ’ରି ପରି ତାଙ୍କର ନିର୍ବାଣ ଅବସ୍ଥା ଦର୍ଶନ କରି ନୟନ ପବିତ୍ର କରିଥାନ୍ତି । ତେବେଯାଇ ମୁଁ ତୋ’ପରି ବର୍ତ୍ତମାନ ଧୈର୍ଯ୍ୟ ଧରି ରହିପାରୁଥାନ୍ତି । କିନ୍ତୁ ବଶିଷ୍ଠୀ, ଯେପର୍ଯ୍ୟନ୍ତ ଆମଠାରେ ଭାବନା ଓ କଳ୍ପନାର ଶକ୍ତି ତଥାପି ରହିଚି, ତାହା ପୂର୍ବରୁ ତୋତେ ମୋ ପାଇଁ ଆଉଗୋଟିଏ କାର୍ଯ୍ୟ କରିବାକୁ ହେବ–ତଥାଗତ ଦେଖିବାକୁ କିପରି ଥିଲେ, ମୋ’ଆଗରେ ଅବିକଳ ସେହିପରି ବର୍ଣ୍ଣନା କରି କହିବାକୁ ହେବ । ତାହାହେଲେ ମୁଁ ଅନ୍ତତଃ ମାନସପଟରେ ତାଙ୍କର କଳ୍ପନା କରିପାରିବି ଏବଂ ସଂସାରରୁ ମୁକ୍ତ ହେବାର ବାଟ ପାଇବି । ତେବେଯାଇ ମୋର ହୃଦୟ ଶାନ୍ତ ହୋଇପାରିବ ।

ବଶିଷ୍ଠୀ ଉତ୍ତର ଦେଇ କହିଲା–ଅବଶ୍ୟ କହିବି । ଏବଂ ତା’ପରେ ସେ ତଥାଗତଙ୍କର ଶରୀରକୁ ବର୍ଣ୍ଣନା କରି କହିବାକୁ ଲାଗିଲା । ଗୋଟିଗୋଟି କରି ତାଙ୍କ ଶରୀରର ସମସ୍ତ ଲକ୍ଷଣ ବର୍ଣ୍ଣନା କଲା, କୌଣସି ଗୋଟିଏ ମଧ୍ୟ ବାଦ୍ ଦେଲାନାହିଁ ।

 

କିନ୍ତୁ ହତାଶ ହୋଇ କାମନୀତ କହିଲେ : –

 

ହାୟ ହାୟ । ଏସବୁ ବର୍ଣ୍ଣନାରୁ ମୋତେ କି ଉପକାର ମିଳିବ ? ତୁ ଯାହାସବୁ କହୁଚୁ, ସେସବୁ ଲକ୍ଷଣ ସେହି ବୃଦ୍ଧ ସନ୍ନ୍ୟାସୀଙ୍କର ଦେହଲକ୍ଷଣ ସହିତ ଅବିକଳ ମିଳିଯାଉଚି । ରାଜଗୃହଠାରେ ମୁଁ ଯେଉଁ ସନ୍ନ୍ୟାସୀଙ୍କ ସହିତ ଏକତ୍ର ରାତ୍ରି ଯାପନ କରିଥିଲି, ସେହି ସନ୍ନ୍ୟାସୀଙ୍କ କଥା ମୁଁ ତୋତେ ଆଗରୁ କହିଚି । ତୋର ନିଶ୍ଚୟ ମନେଥିବ । କିନ୍ତୁ ମୁଁ ତାଙ୍କୁ ଯେଡ଼େ ନିର୍ବୋଧ ବୋଲି ମନେ କରିଥିଲି, ସେ ଆଦୌ ସେତେ ନିର୍ବୋଧ ନୁହନ୍ତି । କାରଣ ବର୍ତ୍ତମାନ ବେଶ୍ ଭଲକରି ବୁଝିପାରୁଚି ଯେ ସେଦିନ ସେ ମୋତେ ଅନେକ ଠିକ୍ କଥା କହିଚନ୍ତି । ତେଣୁ ବଶିଷ୍ଠୀ, ମୋତେ ଆଉ ଅଧିକ କିଛି କିହବା ଆବଶ୍ୟକ ନାହିଁ । ତୁ ମନଭିତରେ ତଥାଗତଙ୍କର ମୂର୍ତ୍ତିଟି କଳ୍ପନାକର; ଶେଷଥର ପାଇଁ ମୁହାଁମୁହିଁ ହୋଇ ତାଙ୍କପାଖରେ ବସିଥିଲାବେଳେ ତାଙ୍କୁ ତୁ ଯେଉଁପରି ଦେଖିଥିଲୁ, ଠିକ୍ ସେହିପରି । ଆମ ଦୁହିଁଙ୍କ ମଧ୍ୟରେ ଯେଉଁ ମାନସିକ ଅନ୍ତରଙ୍ଗତା ରହିଚି, ତାହାରି ବଳରେ ତୋର ମାନସପଟ ଉପରେ ମୁଁ ଏହି କଳ୍ପନା ମୂର୍ତ୍ତିଟିକୁ ଦେଖିବାକୁ ଚେଷ୍ଟା କରିବି ।

 

ଆଚ୍ଛା, ତାହାହିଁ ହେଉ ।

 

ଏବଂ ବଶିଷ୍ଠୀ ଆପଣାର ମନେମନେ ତଥାଗତଙ୍କର ମୂର୍ତ୍ତିଟିକୁ କଳ୍ପନା କରିବାକୁ ଲାଗିଲା- ନିର୍ବାଣଲାଭ କଲାବେଳେ ତାଙ୍କର ମୂର୍ତ୍ତି ଯେପରି ଥିଲା, ଠିକ୍ ସେହି ମୂର୍ତ୍ତଟି ।

 

ତୁମେ ଦେଖିପାରୁଚ, ପ୍ରିୟତମ ?

ନା ବଶିଷ୍ଠୀ ।

 

ବଶିଷ୍ଠୀ ଭାବିଲା–ବର୍ତ୍ତମାନ ମୋତେ ଏହି ମୂର୍ତ୍ତିଟିକୁ ଏପରି ସ୍ପଷ୍ଟ କରିବାକୁ ପଡ଼ିବ, ଯେପରିକି ତାହାକୁ ଇନ୍ଦ୍ରିୟ ଦ୍ୱାରା ଦେଖିବା ସମ୍ଭବ ହୋଇପାରିବ ।

 

ଏହିପରି ଭାବି ସେ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କଲା । ସେତେବେଳକୁ ବ୍ରହ୍ମାଙ୍କର ସୃଷ୍ଟି ବିଲୁପ୍ତ ହେବାକୁ ବସିଲାଣି ।

 

ଠିକ୍ ଯେପରି ପିତଳମୂର୍ତ୍ତି ତିଆରି କରୁଥିବା କୌଣସି କାରିଗର କୌଣସି ଏକ ସୁନ୍ଦର ଦେବତାର ମୂର୍ତ୍ତିଟିଏ ଗଢ଼ିବା ଉଦ୍ଦେଶ୍ୟରେ ଆଗ ଛାଞ୍ଚଟିଏ ଗଢ଼ି ସେଥିରେ ଢାଳିବାପାଇଁ ପିତଳ ଖୋଜୁଥାଏ, ଆପଣା କାରଖାନାର ଚାରିଆଡ଼କୁ ଅନାଇ ସେ ଆପଣା ହାତର ଗଢ଼ା ଯାବତୀୟ ଦେବତାମୂର୍ତ୍ତି ଓ ପାତ୍ରାଦି ଦେଖିବାକୁ ପାଏ, ତାହାର ଜୀବନର ସମସ୍ତ ସୃଷ୍ଟି ଓ ସମ୍ପତ୍ତିକୁ ଦେଖିବାକୁ ପାଏ, ତା’ପରେ ହଠାତ୍ କଅଣ ଭାରି ଆପଣା କଳ୍ପନାର ସେହି ସୁନ୍ଦର ଦେବତାମୂର୍ତ୍ତିକୁ ଗଢ଼ିପାରିବା ଲାଗି ସେ ଆଗରୁ ଗଢ଼ିଥିବା ସମସ୍ତ ସାମଗ୍ରୀକୁ ଆଣି ବିଗଳନ- ପାତ୍ର ଭିତରେ ପକାଇଦିଏ–ଠିକ୍ ସେହିପରି ବଶିଷ୍ଠୀ ଚତୁର୍ଦ୍ଦିଗକୁ ଅନାଇ ନିଃସୀମ ଶୂନ୍ୟମଣ୍ଡଳକୁ ଦୃଷ୍ଟିପାତ କରିବାକୁ ଲାଗିଲା–ଏବଂ ତାହାର ଚାରିପାଖରେ ସେ ଯାହା ପାଇଲା, ବ୍ରହ୍ମାଙ୍କର ସୃଷ୍ଟିର ସେହିସବୁ ମୂର୍ତ୍ତି ଓ ଗଠନକୁ ସେ ଆଧ୍ୟାତ୍ମିକ ଶକ୍ତିବଳରେ ଆପଣା ପାଖକୁ ଟାଣିଆଣିଲା, ଶୂନ୍ୟମଣ୍ଡଳର ଯାବତୀୟ ପଦାର୍ଥକୁ ସଂଗ୍ରହକରି ଆଣି ସେ ଏକାଠି ଆପଣାର ମାନସ ଛାଞ୍ଚଭିତରେ ପକାଇଦେଲା ଏବଂ ସେହି ଶୂନ୍ୟମଣ୍ଡଳର ବକ୍ଷରେ ତଥାଗତଙ୍କର ଏକ ପ୍ରକାଶ ମୂର୍ତ୍ତି ଗଠନ କରି ଥୋଇଦେଲା, ତଥାଗତ ନିର୍ବାଣରେ ପ୍ରବେଶ କଲାବେଳେ ଯେପରି ମୂର୍ତ୍ତି ଧାରଣ କରିଥିଲେ, ଠିକ୍ ସେହିପରି ।

 

ଆପଣାର ନୟନ ସମକ୍ଷରେ ଏହି ଅପୂର୍ବ ମୂର୍ତ୍ତିଟିକୁ ଦର୍ଶନ କରିବା ମାତ୍ରକେ ତାହାଠାରୁ ସକଳ ପ୍ରକାର ବାସନା ଓ ଦୁଃଖ କୁଆଡ଼େ ଅନ୍ତର୍ହିତ ହୋଇଗଲା । ବୌଦ୍ଧଗୁରୁ ଉପଗୁପ୍ତ ମଧ୍ୟ ମାରର ଯାଦୁବିଦ୍ୟାର ସାହାଯ୍ୟ ନେଇ ବୁଦ୍ଧଙ୍କର ଦେହାବସାନର ଦୀର୍ଘକାଳ ପରେ ତାଙ୍କର ମୂର୍ତ୍ତିଟିକୁ ଦେଖିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମୂର୍ତ୍ତିଟିକୁ ଦେଖିବାମାତ୍ରକେ ତାଙ୍କର ମନରେ ବାସନାର ଉଦ୍ରେକ ହୋଇଥିଲା ଏବଂ ସେ ତତ୍‍କ୍ଷଣାତ୍ ମୂର୍ତ୍ତିଟିର ଗୋଡ଼ତଳେ ଲମ୍ବହୋଇ ପଡ଼ିଗଲେ ଏବଂ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ହୃଦୟରେ କହିବାକୁ ଲାଗିଲେ–‘‘ଏହି ହୃଦୟହୀନ କ୍ଷଣଭଙ୍ଗୁରତାକୁ ଶତଧିକ୍–ଏପରି ଅପୂର୍ବ ମୂର୍ତ୍ତିକୁ ମଧ୍ୟ ଏହା ଗ୍ରାସ କରି ପକାଉଚି । ପରମପବିତ୍ର ତଥାଗତଙ୍କର ସର୍ବଲକ୍ଷଣ ସମ୍ପନ୍ନ ଶରୀର ମଧ୍ୟ ଏହି କ୍ଷଣଭଙ୍ଗୁରତାର କବଳରେ ପଡ଼ିଯାଉଚି ଏବଂ ବିଲୟ ଭଜୁଚି !’’

 

କିନ୍ତୁ ବଶିଷ୍ଠୀର ମନରେ ଏପରି କୌଣସି ବାସନା ବା ସନ୍ତାପ ଜାତ ହୋଇନଥିଲା ।

 

ଅତ୍ୟନ୍ତ ଶାନ୍ତ ଓ ସମାହିତ ଭାବରେ ବଶିଷ୍ଠୀ ମୂର୍ତ୍ତିଟି ଉପରେ ଦୃଷ୍ଟିପାତ କରିବାକୁ ଲାଗିଲା, ଠିକ୍ ଯେପରି କୌଣସି କଳାକାର ଆପଣାର କଳାକୃତି ଉପରେ ଦୃଷ୍ଟିପାତ କରେ । ଏହି ମୂର୍ତ୍ତିଟିକୁ ସେ କିଭଳି କାମନୀତଙ୍କର ଦୃଷ୍ଟିଗୋଚର କରାଇ ପାରିବ, ସେ କେବଳ ସେହିକଥା ଭାବୁଥାଏ ।

 

ହଁ ହଁ, ବର୍ତ୍ତମାନ ମୁଁ କିଛି ଦେଖୁଥିବା ପରି ମନେହେଉଚି । ଉହୁଁ, ତୁ ଆହୁରି ଦୃଢ଼କରି ଧରିରଖ, ଯେପରିକି ମୁଁ ଅଧିକ ସ୍ପଷ୍ଟଭାବରେ ତାହାକୁ ଦେଖିପାରିବି ।

 

ଏକଥା ଶୁଣି ବଶିଷ୍ଠୀ ପୁଣି ମହାଶୂନ୍ୟ ଆଡ଼କୁ ଅନାଇଲା ।

 

ଏପର୍ଯ୍ୟନ୍ତ ମଧ୍ୟ ଶୂନ୍ୟମଣ୍ଡଳରେ ବ୍ରହ୍ମାଙ୍କର ରକ୍ତବର୍ଣ୍ଣ, କୋପମୟ ଏକ ଜ୍ୟୋତି ଅବଶିଷ୍ଟ ରହିଯାଇଥିଲା ।

 

ଆପଣାର ଆଧ୍ୟାତ୍ମିକ ଶକ୍ତିବଳରେ ବଶିଷ୍ଠୀ ଦେବତାଙ୍କର ସେହି ଅବଶେଷ ଟିକକୁ ସ୍ଥାନଚ୍ୟୁତ କରିଆଣିଲା ଏବଂ ତାହାକୁ ବୁଦ୍ଧମୂର୍ତ୍ତି ସହିତ ଆଣି ମିଶାଇଦେଲା । ବର୍ତ୍ତମାନ ବୁଦ୍ଧମୂର୍ତ୍ତି ଜୀବନ୍ତ ପ୍ରଭାରେ ଝଟକି ଉଠିବାକୁ ଆରମ୍ଭ କଲା ।

 

କାମନୀତ କହିଲେ–ହଁ, ଏଥର ମୁଁ ଅତି ସ୍ପଷ୍ଟଭାବରେ ଦେଖିବାକୁ ପାଇଲି । ବଶିଷ୍ଠୀର ମନେହେଲା, ସତେଅବା ବୁଦ୍ଧମୂର୍ତ୍ତି ତାହାସହିତ କଥାବାର୍ତ୍ତା କରୁଚନ୍ତି ।

 

ମାଆ, ତେବେ ତୁ ମଧ୍ୟ ଏଠାକୁ ଆସିସାରିଲୁଣି । ତୋର ମନନବାକ୍ୟର ମନନ ସରିଲା-? ସ୍ୱପ୍ନବିଭୋର ଅବସ୍ଥାରେ ସ୍ୱପ୍ନପ୍ରତିମାକୁ ଉତ୍ତର ଦେଲାପରି ବଶିଷ୍ଠୀ କହିଲା : –

 

ଭଗବାନ୍‍, ମୋର ମନନ ସମାପ୍ତ ହୋଇଚି ।

 

ଖୁବ୍ ଭଲ କଥା, ମାଆ ! ଏହି ଦୀର୍ଘପଥ ଅତିକ୍ରମ କରି ତୁ କ୍ଲାନ୍ତ ହୋଇ ପଡ଼ିନାହୁଁ ତ ? ଆଉ ତୋର ତଥାଗତଙ୍କର କୌଣସି ସାହାଯ୍ୟ ଲୋଡ଼ା ନାହିଁ ?

 

ନା ଭଗବନ୍ ଆଉ କୌଣସି ଲୋଡ଼ା ନାହିଁ ।

 

ଖୁବ୍ ଭଲକଥା, ମାଆ ! ବର୍ତ୍ତମାନ ତୁ ଆପଣା ଭିତରେ ଆଶ୍ରୟ ନେଇଚୁ, ଆପଣା ଭିତରେ ବିହାର କରୁଚୁ ।

 

ଭଗବନ୍‍ ଆପଣଙ୍କର ଅଶେଷ କରୁଣାରୁ ମୋର ଆତ୍ମପରିଚୟ ଲାଭ ହୋଇଚି । ବର୍ତ୍ତମାନ ମୁଁ ସକଳ ପ୍ରକାର ଅହଂଭାବନାକୁ ପରିତ୍ୟାଗ କରି ଆସିଚି । ‘ଇଏ ମୁଁ ନୁହେଁ, ଏହା ମୋର ନୁହେଁ’- ବର୍ତ୍ତମାନ ମୁଁ ଏହି ଭାବନାକୁ ଏହିପରି ବିଚାର କରୁଚି ।

 

ଖୁବ୍ ଭଲକଥା, ମାଆ ! କେବଳ ଧର୍ମ ଉପରେ ନିର୍ଭର କରି ହିଁ ତୁ ଆପଣାକୁ ଦୃଢ଼ ରଖିପାରିବୁ ।

 

ହେ ଭଗବନ୍, ଏହି ଧର୍ମ ହିଁ ମୋତେ ଲକ୍ଷ୍ୟସ୍ଥଳରେ ଆଣି ପହଞ୍ଚାଇ ପାରିଚି । ଠିକ୍ ଯେପରି କୌଣସି ମନୁଷ୍ୟ ନଉକା ଉପରେ ବସି ନଦୀ ପାର ହୋଇ ଆସେ, କିନ୍ତୁ ଏପାଖରେ ଆସି ପହଞ୍ଚିବାପରେ ତା’ର ଆଉ ନଉକାର କୌଣସି ଆବଶ୍ୟକତା ନଥାଏ ଏବଂ ସେଥିଲାଗି ସେ ତାହାକୁ ସେହି ନଈକୂଳରେ ଛାଡ଼ିଦେଇ ଯାଏ, ସେହିପରି ବର୍ତ୍ତମାନ ମୋର ଧର୍ମରେ ମଧ୍ୟ କୌଣସି ଆବଶ୍ୟକତା ନାହିଁ, ମୁଁ ଧର୍ମକୁ ତାହାର ଆପଣା ବାଟରେ ଯିବାକୁ ଛାଡ଼ିଦେଇଚି ।

 

ଖୁବ୍ ଭଲକଥା, ମାଆ ! ଯଦି ତୁ ବର୍ତ୍ତମାନ ସମସ୍ତ ପ୍ରକାର ଆଶ୍ରୟର ବନ୍ଧନରୁ ମୁକ୍ତ ହୋଇପାରିଚୁ, ଆଉ କୌଣସି ଆଶ୍ରୟ ଆବଶ୍ୟକ କରୁନାହୁଁ, ତେବେ ମୋ’ସହିତ ଶାନ୍ତିଧାମରେ ତୋ’ଲାଗି ମଧ୍ୟ ସ୍ଥାନ ରହିବ, ତୁ ସେହି ସ୍ଥାନକୁ ହିଁ ପ୍ରାପ୍ତ ହେବୁ ।

 

ଭଗବନ୍ ଆପଣ ତ କହିଚନ୍ତି ଯେ ସେହି ଧାମରେ ଅସ୍ତିତ୍ୱର କୌଣସି ଅର୍ଥ ହିଁ ନାହିଁ ଅନସ୍ତିତ୍ୱର ମଧ୍ୟ କୌଣସି ଅର୍ଥ ନାହିଁ । ଆପଣ କହିଥିବା ଏହି ଧର୍ମବାକ୍ୟର ମଧ୍ୟ ସେଠାରେ କୌଣସି ଅର୍ଥ ନାହିଁ । ସେଠାରେ କୌଣସି କଥାର କୌଣସି ଅର୍ଥ ନାହିଁ ।

 

ସେଠାରେ ସବୁ ଶୂନ୍ୟତା ପ୍ରାପ୍ତ ହୋଇଚି । ବର୍ତ୍ତମାନ ମୁଁ ଏହି ସତ୍ୟର ମର୍ମ ବୁଝିବାକୁ ସମର୍ଥ ହୋଇଚି ।

 

ଏହିକଥା ଶୁଣି ବୁଦ୍ଧମୂର୍ତ୍ତିଙ୍କର ଅଧର ଉପରେ ଏକ ଦରସ୍ମିତ ଉଦ୍‍ଭାସିତ ହୋଇଉଠିଲା-

 

ବର୍ତ୍ତମାନ ମୁଁ ମୂର୍ତ୍ତିଟିକୁ ସ୍ପଷ୍ଟଭାବରେ ଜାଣିପାରୁଚି, ଜଳସ୍ରୋତ ଉପରେ ପ୍ରତିଫଳିତ ପ୍ରତିବିମ୍ବପରି ମୁଁ ତାହାକୁ ଦେଖିପାରୁଚି । ବଶିଷ୍ଠୀ, ତୁ ଆହୁରି ସ୍ପଷ୍ଟକରି ମୂର୍ତ୍ତିଟିକୁ ଧରିରଖ ।

 

ବଶିଷ୍ଠୀ ଚତୁର୍ଦ୍ଦିଗକୁ ଅନାଇ ମହାଶୂନ୍ୟକୁ ଦେଖିବାକୁ ଲାଗିଲା ।

ମହାଶୂନ୍ୟ ବର୍ତ୍ତମାନ ଶୂନ୍ୟ ହିଁ ହୋଇଯାଇଥିଲା ।

 

ବର୍ତ୍ତମାନ ବଶିଷ୍ଠୀ ଆପଣାର ଦେହସାରୂପ୍ୟକୁ ମଧ୍ୟ ସେହି ମୂର୍ତ୍ତିଟିର ଶରୀର ସହିତ ମିଶାଇଦେଲା ।

 

କାମନୀତ ବେଶ୍ ଲକ୍ଷ୍ୟ କରିପାରିଲେ ଯେ ବଶିଷ୍ଠୀ କ୍ରମେ ଅନ୍ତର୍ହିତ ହୋଇ ଚାଲିଯାଉଚି । କିନ୍ତୁ ମୃତବ୍ୟକ୍ତି ଯେପରି ଆପଣା ପଛରେ ତାହାର ସମସ୍ତ ସମ୍ପତ୍ତି ରଖିଦେଇଯାଏ, ବଶିଷ୍ଠୀ ଠିକ୍ ସେହିପରି ତାଙ୍କଲାଗି ବୁଦ୍ଧମୂର୍ତ୍ତିଟି ରଖିଦେଇ ଯାଇଥିଲା । କାମନୀତ ବର୍ତ୍ତମାନ ମହାଶୂନ୍ୟ ଭିତରେ ଏହି ମୂର୍ତ୍ତିଟି ବ୍ୟତୀତ ଆଉ କିଛି ଦେଖି ପାରୁନଥିଲେ । ଏହି ମୂର୍ତ୍ତିଟିକୁ ସେ ଏକାବେଳେ ଯାଇ ଭଲକରି ଚିହ୍ନିପାରିଲେ ।

 

ହଁ, ସେହି ବୃଦ୍ଧ ସନ୍ନ୍ୟାସୀ, ସେହି ବୃଦ୍ଧ ଭିକ୍ଷୁ, ଯାହାଙ୍କ ସହିତ ମୁଁ ରାଜଗୃହରେ ରାତ୍ରି ଯାପନ କରିଥିଲି, ଯାହାଙ୍କର ମୁଁ ନିର୍ବୋଧ ବୋଲି ମନେ କରିଥିଲି ତେବେ ସେହି ହେଉଚନ୍ତି ସ୍ୱୟଂ ତଥାଗତ ? ହାୟ, କି ନିର୍ବୋଧ ହତଭାଗ୍ୟ ମୁଁ ! ମୋପରି ଆଉ ଏତେବଡ଼ ନିର୍ବୋଧ କେଉଁଠି ଅଛନ୍ତି ? ପିରତ୍ରାଣ ପାଇବାର ଆକାଂକ୍ଷାରେ ମୁଁ ବ୍ୟାକୁଳ ଚିତ୍ତରେ ଯାହାଙ୍କର ଅନୁସରଣ କରୁଥିଲି, ଯାହାଙ୍କୁ ଖୋଜି ବୁଲୁଥିଲି, କୋଟି ବର୍ଷପୂର୍ବରୁ ମଧ୍ୟ ସେ ମୋ’ପାଖରେ ଆସି ଧରା ଦେଇଥିଲେ ।

 

ସମୀପବର୍ତ୍ତୀ ହୋଇଆସୁଥିବା ଏକ ମେଘଖଣ୍ଡପରି ମୂର୍ତ୍ତଟି ତାଙ୍କର ସମୀପବର୍ତ୍ତୀ ହୋଇଆସିଲା ଏବଂ ଏକ ଉଜ୍ୱଳ ପ୍ରଭାମଣ୍ଡଳ ଭିତରେ ତାହାଙ୍କୁ ଆବୃତ କରିଦେଲା ।

Image

 

୪୫

ସୃଷ୍ଟିର ସନ୍ଧ୍ୟା ଓ ସୃଷ୍ଟିର ପ୍ରଭାତ

 

ଉତ୍ସବଶାଳାର ସମସ୍ତ ପ୍ରଦୀପ ଲିଭିସାରିବା ପରେ ଯେପରି ଗୋଟିଏ କଣକୁଥିବା ଦେବତା ମୂର୍ତ୍ତିର ସମ୍ମୁଖରେ ଗୋଟିଏ ମାତ୍ର ଦୀପ ତଥାପି ମଞ୍ଜିମଞ୍ଜି ହୋଇ ଜଳୁଥାଏ, ସୃଷ୍ଟିର ସେହି ସନ୍ଧ୍ୟାକାଳରେ କାମନୀତ ସେହିପରି ଏକାକୀ ଅବଶିଷ୍ଟ ରହିଗଲେ ।

ତାଙ୍କର ଦେହସାରୂପ୍ୟ ବୁଦ୍ଧମୂର୍ତ୍ତିଦ୍ୱାରା ଆବୃତ ହୋଇ ରହିଥିବା ପରି ତାଙ୍କର ମାନସପଟ ମଧ୍ୟ କେବଳ ବୁଦ୍ଧଙ୍କର ଭାବନାରେ ହିଁ ଆବୃତ ହୋଇ ରହିଥିଲା । ଏହାହିଁ ତୈଳ ହୋଇ ତାଙ୍କର ଦୀପଟିକୁ ଜଳାଇ ରଖିଥିଲା ।

କୁମ୍ଭାରର ବାସଗୃହରେ ବସି ରାଜଗୃହଠାରେ ସେଦିନ ରାତିରେ ତଥାଗତଙ୍କ ସହିତ ସେ ଯାହାସବୁ କଥାବାର୍ତ୍ତା କରିଥିଲେ, ବର୍ତ୍ତମାନ ସେହି କଥାବାର୍ତ୍ତାର ପ୍ରତ୍ୟେକ ବାକ୍ୟ ଓ ପ୍ରତ୍ୟେକ ଶବ୍ଦ ତାଙ୍କର ସ୍ମରଣ ହେବାକୁ ଲାଗିଲା । ଥରେ ମୂଳରୁ ଶେଷଯାଏ ସେହିସବୁ କଥାକୁ ସ୍ମରଣ କରିସାରିବା ପରେ ସେ ପୁଣି ଆଉଥରେ ମୂଳରୁ ସ୍ମରଣ କରିବାକୁ ଲାଗିଲେ। କଥୋପକଥନର ପ୍ରତ୍ୟେକଟି ବାକ୍ୟ ତାଙ୍କୁ ଠିକ୍ ଏକ ତୋରଣଦ୍ୱାର ପରି ମନେହେଲା, ସେହି ତୋରଣଦ୍ୱାରଗୁଡ଼ିକରୁ ନୂତନ ଭାବନାରେ ନାନା ପଥ ନାନାଆଡ଼କୁ ଚାଲିଯାଇଥିବାର ସେ ଅନୁଭବ କରିବାକୁ ଲାଗିଲେ, ସେହି ପଥଗୁଡ଼ିକରୁ ପୁଣି କେତେକେତେ ଶାଖାପଥ ବାହାରିଯାଇଥିବାର ମଧ୍ୟ ଦେଖିପାରିଲେ । ଭାବନାଗମ୍ଭୀର ପଦକ୍ଷେପରେ ସେ ପ୍ରତ୍ୟେକଟି ପଥ ଉପରେ ବିଚରଣ କରିବାକୁ ଲାଗିଲେ ଏବଂ କୌଣସି ପଥ ଉପରେ ମଧ୍ୟ ସେ କୌଣସି ଅନ୍ଧକାର ଥିବାର ଅନୁଭବ କରି ପାରିଲେ ନାହିଁ ।

ଆପଣାର ଚିତ୍ତଭୂମିକୁ ବୁଦ୍ଧଭାବନାଦ୍ୱାରା ସମାବୃତ କରି ରଖି ସେ ଚତୁର୍ଦ୍ଦିଗରେ ତାଙ୍କୁ ବେଷ୍ଟନ କରି ରହିଥିବା ପ୍ରଭାମଣ୍ଡଳଦ୍ୱାରା ଆପଣାର ଶରୀରକୁ ପ୍ରଭାନ୍ୱିତ କରିବାକୁ ଚେଷ୍ଟାକଲେ । କ୍ରମେ ତାଙ୍କର ଶରୀର ସ୍ୱଚ୍ଛ ସ୍ଫଟିକବତ୍ ଉଜ୍ଜ୍ୱଳହୋଇ ଉଠିଲା । ଏବଂ ସୃଷ୍ଟିସନ୍ଧ୍ୟାର ଅନ୍ଧକାର କ୍ରମେ ନୀଳବର୍ଣ୍ଣରୁ ଅଧିକରୁ ଅଧିକ ତମିସ୍ରବର୍ଣ୍ଣ ହେବାକୁ ଲାଗିଲା ।

କାମନୀତ ଭାବିବାକୁ ଲାଗିଲେ–ସେଠାରେ ଶୂନ୍ୟ ଭିତରେ ସୃଷ୍ଟିସନ୍ଧ୍ୟାର ଘନ ତମିସ୍ରା ପରିବ୍ୟାପ୍ତ ହୋଇ ରହିଚି । କିନ୍ତୁ ତଥାପି ଭବିଷ୍ୟତର ଏକ ଶୁଭକ୍ଷଣରେ ଏହି ରାତ୍ରି ପ୍ରଭାତ ହେବ ଏବଂ ଏକ ନୂତନ ବ୍ରହ୍ମା ସୃଷ୍ଟିରେ ପ୍ରବୃତ୍ତ ହେବେ । ମୋର ସ୍ୱପ୍ନ ଓ ମୋର ଆକାଂକ୍ଷା ଯଦି ସହସ୍ରାର ବ୍ରହ୍ମା ହୋଇ ଜନ୍ମଲାଭ କରେ ଏବଂ ସେହି ବ୍ରହ୍ମାକୁ ଯଦି ଜଗତ୍ ସୃଷ୍ଟି କରିବାକୁ ପଡ଼େ, ତେବେ ମୁଁ କିପରି ସେହି ଦାୟିତ୍ୱ ବହନ କରିବି, ତାହା ମୋତେ ଆଦୌ ଜଣାନାହିଁ । ଏପର୍ଯ୍ୟନ୍ତ ଯେଉଁ ବ୍ରହ୍ମାଙ୍କର ସୃଷ୍ଟି ଏଠାରେ ଥିଲା, ସେହି ସୃଷ୍ଟିର ସମସ୍ତ ଦେହଧାରୀ ବର୍ତ୍ତମାନ ଅନସ୍ତିତ୍ୱ ଭିତରେ ବିଲୀନ ହୋଇ ଯାଇଚନ୍ତି, କେବଳ ମୁଁ ସମସ୍ତ ଆଧ୍ୟାତ୍ମିକ ଶକ୍ତି ସହିତ ଏଠାରେ ଜାଗ୍ରତ ରହିଚି । ହଁ, ମୁଁ ଇଚ୍ଛାକଲେ ପୁଣି ସମସ୍ତ ଦେହଧାରୀଙ୍କୁ ଏଠାକୁ ଫେରାଇନେଇ ଆସିପାରିବି ଏବଂ ଏହିପରି ଭାବରେ ହିଁ ପରବର୍ତ୍ତୀ ସୃଷ୍ଟି ଆରମ୍ଭ ହେବ । କିନ୍ତୁ ତଥାପି ଗୋଟିଏ କଥା ସମ୍ଭବ କରିବାକୁ ମୋର କୌଣସି ସାମର୍ଥ୍ୟ ନାହିଁ । ମୁଁ କୌଣସି ପ୍ରକାରେ ମଧ୍ୟ ବଶିଷ୍ଠୀକୁ ଏହି ଜୀବନ ଭିତରକୁ ଲେଉଟାଇ ଆଣି ପାରିବି ନାହିଁ । ବଶିଷ୍ଠୀ ଯେଉଁ ପଥରେ ଯାଇଚି, ସେହି ପଥରେ ଗଲେ ଆଉ କେହି କଦାପି ଅସ୍ତିତ୍ୱ ଭିତରକୁ ଫେରିଆସେ ନାହିଁ । ତାର ଅନ୍ତ ପାଇବାଲାଗି କୌଣସି ବ୍ରହ୍ମା ବା ଅନ୍ୟକୌଣସି ଦେବତାର କୌଣସି ଶକ୍ତନାହିଁ । କିନ୍ତୁ ସେହି ପ୍ରିୟତମା ବଶିଷ୍ଠୀ ବ୍ୟତୀତ ମୋର ଜୀବନରେ କି ଦଶା ହେବ ? ଏ ବ୍ରହ୍ମା ହେବାରେ ମୋର କଣ ଲାଭ ହେବ ? ଏହି ବ୍ରହ୍ମାର ତ ମଧ୍ୟ ବିଲୟ ରହିଚି-। କାଳାତୀତତା ଥାଉଥାଉ ଏହି କାଳାନ୍ତର୍ଗତତା ନେଇ ମୁଁ କଣ କରିବି ?

ହଁ, କାଳାତୀତତା ଅବଶ୍ୟ ରହିଚି ଓ ସେଠାରେ ଯାଇ ପହଞ୍ଚିବା ଲାଗି ପଥ ମଧ୍ୟ ରହିଚି-। ଥରେ ଅରଣ୍ୟରେ ଜଣେ ବ୍ରାହ୍ମଣଙ୍କ ସହିତ ମୋର ସାକ୍ଷାତ ହୋଇଥିଲା । ସେ କହୁଥିଲେ ଯେ ହୃଦୟ ଭିତରେ ଶହେଟି ସୂକ୍ଷ୍ମ ନାଡ଼ୀ ଜାଲପରି ହୋଇ ରହିଚି । ଶରୀର ଛାଡ଼ି ଗଲାବେଳେ ଆତ୍ମା ଏହି ନାଡ଼ୀଟିର ବାଟଦେଇ ବାହାରିଯାଏ । ଠିକ୍ ସେହିପରି ଇହସଂସାରରେ ଶତ, ସହସ୍ର ବା ଶତସହସ୍ର ବିଭିନ୍ନ ପଥ ରହିଚି, ଗୋଟିଏ ଦୁଃଖସ୍ଥାନ ସହିତ ଆଉଗୋଟିଏ ଦୁଃଖସ୍ଥାନକୁ ସଂଯୁକ୍ତ କରି ସଂସାରରେ ଅସଂଖ୍ୟ ପଥ ଜାଲପରି ଛନ୍ଦିହୋଇ ରହିଚି, ଅତିଦୀର୍ଘ ଓ ଅନତିଦୀର୍ଘ ପଥମାନ ରହିଚି, ସୁସଜ୍ଜିତ ଓ କୁତ୍ସିତ ବା ବୀଭତ୍ସ ପଥମାନ ମଧ୍ୟ ରହିଚି–କେତେକେତେ ସ୍ୱର୍ଗ, ମର୍ତ୍ତ୍ୟ, ପଶୁଲୋକ ଓ ନରକଭିତରକୁ ଏହି ପଥମାନ ପଡ଼ିଚି । କିନ୍ତୁ ସଂସାର ବାହାରକୁ କେବଳ ଗୋଟିଏ ପଥ ପଡ଼ିଛି । ତାହା ହେଉଚି ଶାଶ୍ୱତତାର ପଥ, ଅନଧିଗମ୍ୟ ଲୋକକୁ ପଡ଼ିଥିବା ପଥ । ବର୍ତ୍ତମାନ ମୁଁ ଏହି ପଥଉପରେ ଆସି ପହଞ୍ଚିଚି । ମୋତେ ସର୍ବଶେଷ ସୀମାପର୍ଯ୍ୟନ୍ତ ଯିବାକୁ ହେବ ।

ଯେଉଁ ପଥରେ ବିଚରଣ କରିଗଲେ ସକଳ ଦୁଃଖର ଅବସାନ ହୁଏ, ବୁଦ୍ଧ ସେହି ପଥ ବିଷୟରେ କେତେକେତେ ବିଚାର ପ୍ରକଟ କରି ଯାଇଚନ୍ତି । କାମନୀତ ପଥ ଚାଲି ଯାଉଯାଉ ସହିସବୁ ବିଚାରକୁ ନିରନ୍ତର ମନଭିତରେ ଧାରଣ କରି ରଖିଥିଲେ ।

ଇତ୍ୟବସରରରେ ସୃଷ୍ଟି ସନ୍ଧ୍ୟାର ନୀଳିମା ଅଧିକ ତମିସ୍ର ଓ ଘନତର ହେବାରେ ଲାଗିଥିଲା ।

କିନ୍ତୁ ସେହି ନୀଳିମା କୃଷ୍ଣବର୍ଣ୍ଣ ଧାରଣ କରିବାକୁ ଆରମ୍ଭ କରିବା ମାତ୍ରକେ ହଠାତ୍ ନୂତନ ବ୍ରହ୍ମା ଆବିର୍ଭୂତ ହୋଇ ଉଠିଲେ, ଶତସହସ୍ର ବ୍ରହ୍ମାଣ୍ଡକୁ ଗୋଟିଏ ସୃଷ୍ଟିସୂତ୍ରରେ ବାନ୍ଧି ରଖିଥିବା ବ୍ରହ୍ମା ଉଦ୍‍ଭୂତ ହେଲେ ।

ଏବଂ ସେହି ବ୍ରହ୍ମାଙ୍କର ମୁଖରୁ ଏକ ଆନନ୍ଦମୟ ଜାଗରଣ ସନ୍ଦେଶ ନିନାଦିତ ହୋଇଉଠିଲା : –

ସଂସାରର ସମସ୍ତ ପ୍ରାଣୀ, ତୁମେମାନେ ଜାଗ୍ରତ ହୁଅ; ସୃଷ୍ଟିସନ୍ଧ୍ୟାର ଘନ ଅନ୍ଧକାର ତଳେ ଅନସ୍ତିତ୍ୱର କୋଳରେ ଯେଉଁମାନେ ଶୋଇପଡ଼ିଥିଲ, ସମସ୍ତେ ଜାଗ୍ରତ ହୁଅ । ଆସ, ନୂତନ ବ୍ରହ୍ମାଙ୍କର ସୃଷ୍ଟିରେ ସମ୍ମିଳିତ ହୁଅ, ଆପଣା ଆପଣାର ସ୍ଥାନ ଗ୍ରହଣ କର, ଆପଣା ଆପଣାର ଶକ୍ତି ଅନୁସାରେ ଆପଣା ଆପଣା କର୍ତ୍ତବ୍ୟ ପୂରଣ କର ।

ଏହି ଜାଗରଣର ଆହ୍ୱାନ ଶ୍ରବଣ କରି ପ୍ରାଣୀ ଓ ପୃଥିବୀମାନେ ଅନସ୍ତତ୍ୱର ଅନ୍ଧକାରଗର୍ଭରୁ ସମୁତଥିତ ହେବାକୁ ଲାଗିଲେ, ଗୋଟିଗୋଟି ହୋଇ ତାରାମାନେ ଜଳିଉଠିଲେ । ଏବଂ କୌଣସି ଉତ୍ସବ-ସମାରୋହରେ ଶତସହସ୍ର ଦୁନ୍ଦୁଭି ଓ ଶଙ୍ଖ ଏକତ୍ର ବାଜିଉଠିବା ପରି ଶବ୍ଦ ଶୁଣାଗଲା : –

ଏହି କୋଟିକୋଟି ବ୍ରହ୍ମାଣ୍ଡର କରତା ବ୍ରହ୍ମାଙ୍କର ଜୟ ହେଉ, ନୂତନ ସୃଷ୍ଟିର ଏହି ନବପ୍ରଭାତରେ ଯିଏ ଆମକୁ ଜାଗରଣର ସନ୍ଦେଶ ଶୁଣାଇଲେ, ତାଙ୍କର ଜୟ ହେଉ । ଓହୋ, ଆମର କେଡ଼େ ଭାଗ୍ୟ ଯେ ତାଙ୍କ ସହିତ ଆମେ ମଧ୍ୟ ନୂତନ ସୃଷ୍ଟିର ପ୍ରଭାତକୁ ଅବଲୋକନ କରିବାର ଅବସର ପାଇଲୁ, ତାଙ୍କର ଈଶ୍ୱରୀୟ ଜ୍ୟୋତିକୁ ଆପଣାର ଶରୀର ଉପରେ ପ୍ରତିଫଳିତ କରିବାର ସୌଭାଗ୍ୟ ଲାଭ କଲୁ !

ଏହିସବୁ ଦୃଶ୍ୟ ଦେଖୁଥିବା ସମୟରେ ଓ ଏହିସବୁ ଶବ୍ଦ ଶୁଣୁଥିବା ସମୟରେ କାମନୀତ କରୁଣାରେ ବିଗଳିତ ହୋଇପଡ଼ିଲେ : –

ଆହା, ଏହି ପ୍ରାଣୀ ଓ ପୃଥିବୀମାନଙ୍କର ଏହି ସମୂହ, ଏହି ନକ୍ଷତ୍ରମଣ୍ଡଳୀ ଏବଂ ସ୍ୱୟଂ ଏହି ସହସ୍ରାର ବ୍ରହ୍ମା- ସୃଷ୍ଟିର ଏହି ପ୍ରାତଃକାଳରେ ଏମାନେ ସମସ୍ତେ ହର୍ଷୋତ୍‍ଫୁଲ୍ଲ ହୋଇ ଉଠୁଚନ୍ତି, ନବଜୀବନ ଲାଭକରି ପୁଲକିତ ହୋଇ ଉଠୁଚନ୍ତି କାହିଁକି ? କାରଣ ସେମାନେ ଏହାର ପରିଚୟ ପାଇନାହାନ୍ତି ।

ସଂସାର, ଦେବଗଣ ଏବଂ ବ୍ରହ୍ମାଙ୍କପ୍ରତି ଏହି କରୁଣା ପ୍ରଦର୍ଶନ କରିବାଦ୍ୱାରା କାମନୀତଙ୍କର ହୃଦୟ ସମସ୍ତ ପ୍ରକାର ଅପସାରିତ ହୋଇଗଲା ।

କିନ୍ତୁ ସେ ଆପଣାର ମନେମନେ ବିଚାର କରିବାକୁ ଲାଗିଲେ : –

ଏହି ସୃଷ୍ଟିରେ ମଧ୍ୟ ତଥାଗତ ବୁଦ୍ଧଗଣଙ୍କର ଆବିର୍ଭାବ ହେବ, ସେମାନେ ଏହି ସଂସାରକୁ ଅବତରଣ କରି ସଦ୍ଧର୍ମର ପ୍ରଚାର କରିବେ । ଏହି ଦେବତାମାନେ ଯେତେବେଳେ ସେହି ବୁଦ୍ଧମାନଙ୍କର ମୁଖରୁ ମୁକ୍ତିର ସନ୍ଦେଶ ଶ୍ରବଣ କରିବେ, ସୃଷ୍ଟିର ପ୍ରଥମ ପ୍ରଭାତ ସମୟରେ ଏହି ସୃଷ୍ଟିରୁ ବିଦାୟ ନେଇଯିବାର ଦେଖିଥିବା ଏକ ମନୁଷ୍ୟତ୍ମାର କଥା ସେମାନଙ୍କର ମନେ ପଡ଼ିଯିବ ଏବଂ ଏହିପରି ସ୍ମରଣ କରି ସେମାନେ ନିଶ୍ଚୟ ଲାଭବାନ୍ ହେବେ । ସେମାନେ ଭାବିବେ, ‘‘ଆମଭିତରୁ ଜଣେ ଆମେ ଆଗରୁ ଏହି ପଥ ଦେଇ ଚାଲିଯାଇଚି ଏବଂ ଏହି ଭାବନା ସେମାନଙ୍କଲାଗି ମଧ୍ୟ ମୁକ୍ତିର ଦ୍ୱାର ଉନ୍ମୋଚିତ କରିଦେବ । ଏହିପରି ଭାବରେ ଆପଣାଲାଗି ମୁକ୍ତିପଥ ଫିଟାଇ ମୁଁ ଆଉ ସମସ୍ତଙ୍କଲାଗି ମୁକ୍ତିପଥ ଫିଟିଯିବାରେ ନିଶ୍ଚୟ ସାହାଯ୍ୟ କରିବି । ହଁ, ଏହାହିଁ ତ ହେଉଚି ଧର୍ମର ରୀତି । ଅନ୍ୟମାନଙ୍କର କଲ୍ୟାଣ ନକରି କେହି କଦାପି ଆପଣାର କଲ୍ୟାଣବିଧାନ କରିପାରିବ ନାହିଁ ।

ଠିକ୍ ଏହିସମୟରେ କେତୋଟି ନକ୍ଷତ୍ର ଲକ୍ଷ୍ୟ କରିପାରିଲେ ଯେ ସେମାନଙ୍କ ଭିତରୁ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରମାନଙ୍କ ପରି ଅଧିକରୁ ଅଧିକ ପ୍ରଭାନ୍ୱିତ ହେବା ପରିବର୍ତ୍ତରେ ସତେ ଯେପରି ନିର୍ବାପିତ ଓ ଅପସାରିତ ହୋଇଯାଉଚି । କ୍ରମେ ଅଧିକସଂଖ୍ୟକ ନକ୍ଷତ୍ର ମଧ୍ୟ ଏହି ଘଟଣାଟି ଦେଖିବାକୁ ପାଇଲେ ।

ଏବଂ ନିଭି ଆସୁଥିବା ନକ୍ଷତ୍ରଟିକୁ ଉଦ୍ଦେଶ୍ୟ କରି ସେମାନେ ଚିତ୍କାର କରି ଉଠିଲେ : –

ହୋ ଭାଇ, ଶୁଣ, ଶୁଣ ! ତୁମେ ଶୀଘ୍ର ଦୃଷ୍ଟି ଫେରାଇ ସହସ୍ରାର ବ୍ରହ୍ମାଙ୍କ ଆଡ଼କୁ ଚାହିଁବାକୁ ଚେଷ୍ଟାକର । ତେବେଯାଇ ତୁମର ଜ୍ୟୋତି ନିର୍ବାପନ-ମୁଖରୁ ରକ୍ଷା ପାଇପାରିବେ । ତେବେଯାଇ ତୁମେ ଠିକ୍ ଆମରିମାନଙ୍କ ପରି ଉଜ୍ଜ୍ୱଳ ହୋଇ ଜଳି ଉଠିପାରିବ । ସର୍ବୋଚ୍ଚ ଈଶ୍ୱରଙ୍କର ଜ୍ୟୋତିକୁ ଆପଣାର ସତ୍ତା ଭିତର ଦେଇ ପ୍ରତିଫଳିତ କରିବାଲାଗି ତୁମର ମଧ୍ୟ କର୍ତ୍ତବ୍ୟ ରହିଚି ।

ଦେବତାମାନେ ଏପରି ଚିତ୍କାର କରୁଥିଲେ ମଧ୍ୟ କାମନୀତ ଥରେ ସେହିଆଡ଼କୁ ଅନାଇଲେ ମଧ୍ୟ ନାହିଁ, ସେହିସବୁ କଥାକୁ ଶୁଣିଲେ ମଧ୍ୟ ନାହିଁ ।

ଯହୁଁ ଯହୁଁ ସେ ଅଧିକରୁ ଅଧିକ କଳା ହୋଇ ଆସୁଥାନ୍ତି, ତାଙ୍କର ଗତିବିଧି ଦେଖି ଦେବତାମାନେ ତହୁଁ ତହୁଁ ଅଧିକ ଚିନ୍ତିତ ହୋଇପଡ଼ୁଥାନ୍ତି । ଶେଷକୁ ଉପାୟାନ୍ତର ନଦେଖି ସେମାନେ ବ୍ରହ୍ମାଙ୍କୁ ଅନୁନୟ କରି କହିଲେ :

ହେ ମହାନ୍ ଦେବାଦିଦେବ ଆପଣାର–ଜ୍ୟୋତି ପ୍ରସାରିତ କରି ତୁମେ ଏହି ସତ୍ତାଟିକୁ ବଞ୍ଚାଅ । ଏହି ହତଭାଗ୍ୟ ସତ୍ତାଟି ବୋଧହୁଏ ଅତ୍ୟନ୍ତ କ୍ଷୀଣବଳ ଥିବାରୁ ତୁମର ଜ୍ୟୋତିକୁ ଆପଣା ଉପରେ ପ୍ରତିଫଳିତ କରିପାରୁନାହିଁ ଏବଂ କ୍ରମେ ଅଧିକ ଅନ୍ଧକାରରେ ନିମଗ୍ନ ହେବାରେ ଲାଗିଚି । ଥରେ ତାହାଉପରେ ତୁମର ଶୁଭଦୃଷ୍ଟି ନିକ୍ଷିପ୍ତ କର, ତାହାକୁ ଆଲୋକିତ କର, ତାହାକୁ ସଂଜୀବିତ କର । ସେ ମଧ୍ୟ ତୁମର ଈଶ୍ୱରୀୟ ଜ୍ୟୋତିକୁ ଆପଣା ଭିତରେ ପ୍ରତିଫଳିତ କରୁ, ଏହି ଉଦ୍ଦେଶ୍ୟରେ ତୁମେ ତାକୁ ଜାଗୃତ କରିଥିଲ ନା ?

ସମସ୍ତ ସତ୍ତାପ୍ରତି ଅଜସ୍ର କରୁଣାମୟ ବ୍ରହ୍ମା ବର୍ତ୍ତମାନ କାମନୀତଙ୍କ ଆଡ଼କୁ ଆପଣାର ପ୍ରସନ୍ନ ଦୃଷ୍ଟିକୁ ନିର୍ଦ୍ଦିଷ୍ଟ କରି ରଖିଲେ, ତାଙ୍କୁ ଆଲୋକିତ ଓ ସଂଜୀବିତ କରିବାକୁ ଚେଷ୍ଟା କଲେ ।

କିନ୍ତୁ ତଥାପି କାମନୀତଙ୍କର ଜ୍ୟୋତି ସେହିପରି କ୍ରମେ ଲିଭିବାରେ ଲାଗିଥାଏ ।

ଏହି ସତ୍ତାଟି ତାଙ୍କଠାରୁ ଜ୍ୟୋତି ନେଇ ଆଲୋକିତ ହେଉନାହିଁ, ଏହା ଦେଖିପାରି ବ୍ରହ୍ମା ମନେମନେ ଦୁଃଖ ପ୍ରକାଶ କଲେ । ତାଙ୍କର ସମ୍ମୁଖରେ ଶତସହସ୍ର ବ୍ରହ୍ମାଣ୍ଡ ଆଲୋକୋଦ୍‍ଭାସିତ ହୋଇ ଯେଉଁ ଆନନ୍ଦ-ସମାରୋହରେ ସମ୍ମିଳିତ ହୋଇ ରହିଥିଲେ ଓ ତାଙ୍କର ଜୟଗାନ କରୁଥିଲେ, ତଜ୍ଜନିତ ଆନନ୍ଦ ଅପେକ୍ଷା ତାଙ୍କର ଏହି ଦୁଃଖ ଅଧିକ ବଳିପଡ଼ିଲା ।

ତା’ପରେ ସେ ଆପଣାର ଏକ ଅଜସ୍ର ପରିମିତ ଆଲୋକଶକ୍ତି ବ୍ରହ୍ମାଣ୍ଡଗୁଡ଼ିକ ଉପରୁ ଅପସାରିତ କରିଆଣିଲେ ଏବଂ ଏହାକୁ କାମନୀତ ଉପରେ ନିକ୍ଷିପ୍ତ କରିବାକୁ ଲାଗିଲେ ।

କିନ୍ତୁ କାମନୀତଙ୍କର ଜ୍ୟୋତି ତଥାପି କ୍ରମେ ଲିଭି ଆସୁଥାଏ, ମନେହେଉଥାଏ ସତେ ଯେପରି ଆଉ ମାତ୍ର କିୟତ୍‍କାଳ ପରେ ସେ ସମ୍ପୂର୍ଣ୍ଣ ନିର୍ବାପିତ ହୋଇଯିବେ ।

ଏହି ଅଦ୍ଭୁତ ବ୍ୟାପାର ଦେଖି ବ୍ରହ୍ମା ଅତ୍ୟନ୍ତ ଭୀତ ଓ ବିଚଳିତ ହୋଇପଡ଼ିଲେ :–

ଏହି ଛାର ସତ୍ତାଟା ମଧ୍ୟ ମୋର ସମସ୍ତ ପରାକ୍ରମକୁ ଆସ୍ଫାଳନ କରି ଚାଲିଯାଉଚି ? ତେବେ ମୁଁ କଣ ପ୍ରକୃତରେ ସର୍ବଶକ୍ତିମାନ ନୁହେଁ ? ସେ ଯେଉଁ ପଥ ଅନୁସରଣ କରି ଯାଉଚି, ସେହି ପଥ ବିଷୟରେ ମୋର କୌଣସି ଜ୍ଞାନ ନାହିଁ । ତେବେ ମୋ’ଠାରେ କଣ ସବୁକଥା ଜାଣିବାର ଶକ୍ତି ମଧ୍ୟ ନାହିଁ ? ନୂତନ ସୃଷ୍ଟିରେ ପୁଣି ଜନ୍ମଲାଭ କରିବାଲାଗି ସତ୍ତାମାନେ ପ୍ରତ୍ୟେକେ ମରଣ ଭିତରେ ବିଲୀନ ହୋଇଯାଆନ୍ତି, ଆପଣା ଆପଣା କର୍ମ ଅନୁସାରେ ସେମାନେ ପୁଣି ଜନ୍ମ ନିଅନ୍ତ । ବ୍ରହ୍ମାଣ୍ଡଗୁଡ଼ିକ ମଧ୍ୟ ସେହିପରି ପ୍ରଳୟ ମଧ୍ୟରେ ନିର୍ବାପିତ ହୋଇଯାଆନ୍ତି, ନୂତନ ସୃଷ୍ଟିର ପ୍ରଭାତ ସମୟରେ ସେଗୁଡ଼ିକ ପୁନର୍ବାର ଆଲୋକିତ ହୋଇଉଠନ୍ତି । କିନ୍ତୁ ଏହି ସତ୍ତାଟି ଯେ ମୋତେ ଅବଜ୍ଞା କରି ଚାଲିଯାଉଚି, ତେବେ କେଉଁ ଆଲୋକର ଉତ୍ସରୁ ଏହା ଆଲୋକିତ ହୋଇଥିଲା ? ତେବେ ମୋର ଆଲୋକଠାରୁ ଅଧିକ ପରାକ୍ରମଶାଳୀ ଆଲୋକ କଣ କେଉଁଠାରେ ପ୍ରକୃତରେ ରହିଚି ? ମୋର ପଥର ବିପରୀତ ଦିଗରେ ଯାଇଥିବା ଏପରି କୌଣସି ପଥ କଣ ପ୍ରକୃତରେ ରହିଚି ? ଅନଧିଗମ୍ୟ ଲୋକ ଭିତରକୁ କଣ ପ୍ରକୃତରେ କୌଣସି ପଥ ରହିଚି ? ସେହି ପଥରେ କେତେ ବିଚରଣ କରିବାର ସୌଭାଗ୍ୟ କଣ ମୋତେ ବି ମିଳିବନାହିଁ ? ମୁଁ କଣ କେବେହେଲେ ସେହି ଅନଧିଗମ୍ୟ ଲୋକକୁ ଯାଇ ପାରିବିନାହିଁ ?

ନକ୍ଷତ୍ର ଭିତରେ ରହିଥିବା ଦେବତାମାନେ ମଧ୍ୟ ଏହି ଅଦ୍ଭୁତ କଥାରେ ଅତିରିକ୍ତ ଭୟାକ୍ରାନ୍ତ ଓ ବିଚଳିତ ହୋଇପଡ଼ିଲେ : –

ଏହି ଛାର ସତ୍ତାଟି ବ୍ରହ୍ମାଙ୍କର ପରାକ୍ରମକୁ ପ୍ରତ୍ୟାଖ୍ୟାନ କରି ଚାଲିଯାଉଚି । ତେବେ ପ୍ରକୃତରେ କଣ ଏହି ବ୍ରହ୍ମା ସର୍ବଶକ୍ତିମାନ ନୁହନ୍ତି ? ବ୍ରହ୍ମାଙ୍କର ଜ୍ୟୋତିକୁ ଅବଜ୍ଞା କରୁଥିବା ଆଉ କେଉଁ ଜ୍ୟୋତି ସେହି ସତ୍ତାଟି ଭିତରେ ଜଳୁଚି ? ତେବେ ଆମେ ଯେଉଁ ଜ୍ୟୋତିକୁ ଆପଣା ଭିତରେ ପ୍ରତିଫଳିତ କରିଚୁ, ସେହି ଜ୍ୟୋତିଠାରୁ ଅଧିକ ଦୀପ୍ତିମାନ ଜ୍ୟୋତି କଣ ପ୍ରକୃତରେ କେଉଁଠି ଅଛି ? ଆମର ପଥର ବିପରୀତ ଦିଗରେ ଏପରି ପଥ କଣ ପ୍ରକୃତରେ କେଉଁଠି ରହିଚି ? ଅନଧିଗମ୍ୟ ଲୋକକୁ ପ୍ରକୃତରେ କଣ ପଥ ରହିଚି ? ଆମେ କଣ କେବେହେଲେ ସେହି ପଥରେ ଯିବାର ସୌଭାଗ୍ୟ ପାଇବୁନାହିଁ, ସେହି ଅନଧିଗମ୍ୟ ଲୋକଭିତରେ ପ୍ରବେଶ କରିପାରିବୁନାହିଁ ?

ସହସ୍ରାର ବ୍ରହ୍ମା ବିଚଳିତ ଚିତ୍ତରେ ଚିନ୍ତା କରିବାକୁ ଲାଗିଲେ : –

ନା, ବର୍ତ୍ତମାନ ଯେଉଁ ଜ୍ୟୋତିଶକ୍ତିକୁ ମୁଁ ସମସ୍ତ ଶୂନ୍ୟଲୋକରେ ବିକୀର୍ଣ୍ଣ କରି ରଖିଚି, ସେହି ସମସ୍ତ ଜ୍ୟୋତିଶକ୍ତିକୁ ମୁଁ ଅପସାରିତ କରି ଆଣିବି ଓ ଏହି ସବୁ ବ୍ରହ୍ମାଣ୍ଡକୁ ପୁଣି ପ୍ରଳୟର ଅନ୍ଧକାର ଭିତରେ ନିମଗ୍ନ କରାଇଦେବି । ମୋର ସମସ୍ତ ଜ୍ୟୋତିକୁ ମୁଁ ଗୋଟିଏ ରଶ୍ମିରେଖା ଭିତରେ ଏକତ୍ର କରି ରଖିବି ଏବଂ ତାହାକୁ ହିଁ ଏହି ସତ୍ତାଟି ଉପରେ ନିକ୍ଷେପ କରିବି ଏବଂ ମୋର ସୃଷ୍ଟିକୁ ରକ୍ଷା କରିବି ।

ଏହିପରି ମନସ୍ଥକରି ସହସ୍ରାର ବ୍ରହ୍ମା ଶୂନ୍ୟଲୋକରେ ବିକୀର୍ଣ୍ଣ ହୋଇ ରହିଥିବା ତାଙ୍କର ସମସ୍ତ ଜ୍ୟୋତିଶକ୍ତିକୁ ଅପସରାଇ ଆଣିଲେ, ସମସ୍ତ ବ୍ରହ୍ମାଣ୍ଡ ପ୍ରଳୟର ଘନତମିସ୍ରା ଭିତରେ ନିମଗ୍ନ ହୋଇ ରହିଲା । ସମସ୍ତ ଜ୍ୟୋତିକୁ ଠୁଳକରି ସେ ଗୋଟିଏ ମାତ୍ର ରଶ୍ମିରେଖାକୁ କାମନୀତଙ୍କ ଉପରେ ନିପତିତ କରିବାକୁ ଲାଗିଲେ ।

କିନ୍ତୁ ଏହିପରି ଅନେକ କୋଟି ବର୍ଷ ନିପତିତ କରିବାପରେ ବ୍ରହ୍ମା ଭାବିଲେ : –

ବର୍ତ୍ତମାନ ଏହି ସ୍ଥାନରେ ସୃଷ୍ଟିର ସବୁଠାରୁ ଉଜ୍ଜ୍ୱଳ ନକ୍ଷତ୍ର ପ୍ରଜ୍ଜ୍ୱଳିତ ହୋଇଉଠିବ ।

ଶତସହସ୍ର ବ୍ରହ୍ମାଣ୍ଡକୁ ଆଲୋକିତ କରିପାରିବାର ଶକ୍ତି ବହନ କରୁଥିବା ଏହି ରଶ୍ମିରେଖାଟିକୁ ବର୍ତ୍ତମାନ ବ୍ରହ୍ମା ପୁଣି ଆପଣାର ଆଲୋକ ବିକୀର୍ଣ୍ଣ କରିଦେଲେ ।

କିନ୍ତୁ ଯେଉଁଠି ସବୁଠାରୁ ଅଧିକ ଦୀପ୍ତିମାନ ନକ୍ଷତ୍ର ପ୍ରଜ୍ଜ୍ୱଳିତ ହୋଇ ଉଠିବ ବୋଲି ସେ ଆଶା କରିଥିଲେ, ବର୍ତ୍ତମାନ ସେ ସେଠାରେ କେବଳ ଏକ କ୍ଷୀଣ ଅନ୍ତର୍ହିତପ୍ରାୟ ଜ୍ୟୋତି ମିଞ୍ଜିମିଞ୍ଜି କରୁଥିବାର ଆବିଷ୍କାର କରିପାରିଲେ ।

ସୀମାହୀନ ଶୂନ୍ୟମଣ୍ଡଳରେ ବ୍ରହ୍ମାଣ୍ଡପରେ ବ୍ରହ୍ମାଣ୍ଡ ଉଦ୍‍ଭାସିତ ହୋଇ ଉଠିବାକୁ ଲାଗିଲା, ନୂତନ ସୃଷ୍ଟିର ମହୋତ୍ସବ ଆରମ୍ଭ ହୋଇଗଲା । କିନ୍ତୁ ତେଣେ କାମନୀତ କ୍ରମେ ସମ୍ପୂର୍ଣ୍ଣ ଭାବରେ ନିମୀଳିତ ହୋଇ ଆସିଲେ । ପାତ୍ରରୁ ଶେଷବିନ୍ଦୁ ତୈଳ ଶେଷହୋଇ ଆସିଲେ ସଳିତାଟିକୁ ଜାଳିଦେଇ ଠିକ୍ ଯେପରି ଦୀପ ନିର୍ବାପିତ ହୋଇଯାଏ, ଠିକ୍ ସେହିପରି କାମନୀତ ନିର୍ବାଣ ଲାଭ କଲେ ।

Image